spot_img
Home Blog Page 6718

ଭାରତରେ ଚୀନର ଗୁଇନ୍ଦାଗିରି, ଡିଜିଟାଲ ପ୍ଲାଟଫର୍ମରେ ରଚିଛି ଷଡ଼ଯନ୍ତ୍ର!

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଚାଲିଥିବା ସମୟରେ ସ୍ଥିତି ଯୁଦ୍ଧ ପର୍ଯ୍ୟନ୍ତ ପହଞ୍ଚି ଗଲାଣି । ଅନେକ ଥର ଚେତାବନୀ ଦେବାପରେ ମଧ୍ୟ ଚୀନ ପଛଘୁଞ୍ଚା ଦେଉନାହିଁ । ଏହି ମଧ୍ୟରେ ଏକ ବଡ଼ କଥାର ଖୁଲାସା ହୋଇଛି । ଖବର ଅନୁସାରେ ଭାରତରେ ଚୀନ ଗୁଇନ୍ଦାଗିରି କରୁଛି । କିଛି କମ୍ପାନୀ ଦ୍ୱାରା ଚୀନ ଭାରତ ଉପରେ ନଜର ରଖୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ବଡ଼ ବଡ଼ ନେତା ଏଥିରେ ସାମିଲ ଅଛନ୍ତି ।


ଡିଜିଟାଲ ପ୍ଲାଟଫର୍ମରେ ଭାରତ ବିରୋଧରେ ଚୀନ୍ ଷଡ଼ଯନ୍ତ୍ର କରୁଛି । ଦେଶରେ ବଡ଼ ସାମ୍ବିଧାନିକ ପଦରେ ଥିବା ରାଜନେତା, ବରିଷ୍ଠ ସାମରିକ ଅଧିକାରୀଙ୍କ ସଂପର୍କରେ ଅନଲାଇନରେ   ଗୁଇନ୍ଦାଗିରି କରୁଛି ଚୀନ୍ । ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସାଂସଦ ଓ ସେନା ଅଧିକାରୀଙ୍କ ଭଳି ୧୩ଶହରୁ ଅଧିକ ବ୍ୟକ୍ତି ବିଶେଷଙ୍କ ସଂପର୍କରେ ଗୁଇନ୍ଦାଗିରି କରିଥିବା ସୂଚନା ମିଳିଛି । ଚୀନ ସେନଝେନ୍ ଇନ୍ଫୋଟେକ୍ ଓ ଝେନହୁଆ ଇନଫୋଟେକ୍ କମ୍ପାନୀ ଗୁଇନ୍ଦାଗିରି କରୁଛି । ଚୀନର କମ୍ୟୁନିଷ୍ଟ ସରକାରଙ୍କ ପାଇଁ ସେନଝେନ୍ ଇନଫୋଟେକ୍ କମ୍ପାନୀ ଗୁଇନ୍ଦାଗିରି କରୁଛି । ଏହି ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଦ୍ଧବ ଠାକରେ, ମମତା ବାନାର୍ଜୀଙ୍କ ସମେତ ୨୪ ଜଣ ମୁଖ୍ୟମନ୍ତ୍ରୀ ରହିଛନ୍ତି । ସେହିପରି ଉକ୍ତ ତାଲିକାରେ ୧୬ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ରହିଛନ୍ତି । ନରେନ୍ଦ୍ର ମୋଦିଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସିଡିଏସ୍ ବିପିନ ରାଓ୍ୱତ, ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ପରି ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଗୁଇନ୍ଦାଗିରି ହୋଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ୧୦ ହଜାର ଭାରତୀୟଙ୍କ ଉପରେ ଡ୍ରାଗନ୍ ନଜର ରଖିଥିବା ସୂଚନା ମିଳିଛି ।

ଦିଲ୍ଲୀ ହିଂସା ମାମଲାରେ ବଡ଼ ତଦନ୍ତ, JNU ପୂର୍ବତନ ଛାତ୍ରନେତା ଉମର ଖାଲିଦ ଗିରଫ

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବୃୟାରୀରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗାରେ ହାତଥିବା ଅଭିଯୋଗରେ ପୋଲିସ ରବିବାର ବିଳମ୍ବିତ ରାତିରେ ଜଓ୍ୱାହରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟର ପୂର୍ବତନ ଛାତ୍ର ନେତା ଉମର ଖାଲିଦଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଖାଲିଦକୁ ୧୧ ଘଣ୍ଟା ପଚରାଉଚରା ପରେ ଗିରଫ କରିଛି । ୟୁଏପିଏ ନିୟମ ଅନୁସାରେ ଉମରକୁ ଗିରଫ କରାଯାଇଛି । ଖବର ଅନୁସାରେ ହିଂସା ଘଟଣାରେ ଉମରକୁ ପ୍ରଥମେ ସମନ କରିଥିଲା ପୋଲିସ । ତେବେ ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସାକାଣ୍ଡ ଘଟି ୫୦ ଲୋକଙ୍କ ଜୀବନ ଯାଇଥିଲା ।

 

ଏହି ହିଂସାକାଣ୍ଡକୁ ନେଇ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ୨ ସେପ୍ଟେମ୍ବର ଦିନ କିଛି ଘଣ୍ଟା ପାଇଁ ଉମରକୁ ପଚରାଉଚରା କରିଥିଲା । ଏହା ପୂର୍ବରୁ ଦିଲ୍ଲୀ ପୋଲିସ ହିଂସା ସହିତ ଜଡ଼ିତ ଏକ ଭିନ୍ନ ମାମଲାରେ ଉମର ବିରୁଦ୍ଧରେ ମାମଲା ରୁଜୁ କରିଥିଲା । ଏହା ସହିତ ପୋଲିସ ଉମରଙ୍କ ମୋବାଇଲ ମଧ୍ୟ ଜବତ କରିଥିଲା ।

ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ: ସଂସଦ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଅନୁଷ୍ଠିତ ହେବ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ । ଏନଡିଏ ପକ୍ଷରୁ ଜେଡିୟୁ ସାସଂଦ ହରିବଂଶ ନାରାୟଣ ପୁଣି ଥରେ ପ୍ରାର୍ଥୀ ହୋଇଥିବା ବେଳେ, ଆରଜେଡି ପକ୍ଷରୁ ମନୋଜ ଝା ପ୍ରାର୍ଥୀ ହୋଇଛନ୍ତି । ଉଭୟ ନେତା ବିହାରର ହୋଇଥିବା ବେଳେ ଏବେ ଉପସଭାପତି ରେସ୍ ଜୋର ଧରିଛି । ରାଜ୍ୟସଭାରେ ୨୪୫ ସଦସ୍ୟ ଥିବା ବେଳେ ଉପସଭାପତି ଚୟନ ପାଇଁ ୧୨୩ଟି ଭୋଟ ଆବଶ୍ୟକତା ରହିଛି ।

Harivansh_Narayan_Singh

ତେବେ ଏନଡିଏ ପ୍ରାର୍ଥୀ ହରିବଂଶଙ୍କ ପାଖରେ ୧୧୬ ପ୍ରାର୍ଥୀଙ୍କ ସମର୍ଥନ ରହିଛି । ଏନଡିଏ ପକ୍ଷରୁ ଟିଆରଏସର ୭, ୱାଇଏସଆରର ୬ ଏବଂ ବିଜେଡିର ୯ ପ୍ରାର୍ଥୀଙ୍କ ସମର୍ଥନ ଲୋଡାଯାଇଛି । ଅନ୍ୟପଟେ ବିପକ୍ଷରେ ଥିବା ଆରଜେଡି ସାଂସଦ ମନୋଜଙ୍କ ସପକ୍ଷରେ ଅଛନ୍ତି ୧୨ରୁ ଅଧିକ ରାଜନୈତିକ ଦଳ । ଯାହା ମଧ୍ୟରେ କଂଗ୍ରେସର ୪୦, ବାମପନ୍ଥୀ ଦଳର ୬, ଡିଏମକେର ୭, ଶିବସେନାର ୩, ଏନସିପିର ୪ ସଦସ୍ୟ ଅଛନ୍ତି । ସେହିପରି ସମାଜବାଦୀ ପାର୍ଟି, ଟିଏମସି, ପିଡିପି, ନ୍ୟାସନାଲ କନଫରେନ୍ସ ଭଳି ଦଳ ଗୁଡିକର ସମର୍ଥନ ହାତେଇବାକୁ ଚେଷ୍ଟା କରୁଛନ୍ତି ମନୋଜ ଝା ।

Manoj-Jha

ଅନ୍ୟପଟେ ବିଜେଡି କାହାକୁ ସମର୍ଥନ କରିବ ସ୍ପଷ୍ଟ କରିନଥିବା ବେଳେ, ସମସ୍ତ ସାଂସଦ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ ହ୍ୱିପ୍‌ ଜାରି କରାଯାଇଛି । ରାଜ୍ୟସଭା ଉପସଭାପତି ନିର୍ବାଚନ ଏକ ସାମ୍ବିଧାନିକ ପଦବୀ ହୋଇଥିବା ବେଳେ, ଜଣେ ରାଜ୍ୟସଭା ସାଂସଦ ହିଁ ଏହି ପଦବୀ ପାଇଁ ନିର୍ବାଚିତ ହୋଇଥାନ୍ତି । ୯ ଅପ୍ରେଲରେ ହରିବଂଶ ନାରାୟଣଙ୍କ କାର୍ଯ୍ୟକାଳ ସରିଯାଇଥିବା ବେଳେ, ଏବେ ମୁହାଁମୁହିଁ ହେବେ ଦୁଇ ବିହାରୀ ସାସଂଦ ହରିବଂଶ ସିଂ ଓ ମନୋଜ ଝା । ୧୯୬୯ରେ ପ୍ରଥମଥର ରାଜ୍ୟସଭା ଉପସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ, ଏହା ୨୦ତମ ଉପସଭାପତି ନିର୍ବାଚନ । ଉପରାଷ୍ଟ୍ରପତି ରାଜ୍ୟସଭାର ଅଧ୍ୟକ୍ଷ ଭାବେ ଗୃହର ପରିଚାଳନା କରିଥାନ୍ତି । ତେବେ ତାଙ୍କ ଅନୁପସ୍ଥିତିରେ ଗୃହର କାର୍ଯ୍ୟଭାର ଉପସଭାପତିଙ୍କ ହାତରେ ଥାଏ ।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି କରୋନା ସଂକ୍ରମଣ । କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଯେତିକି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେହି ଅନୁମପାତରେ ସ୍ଥାନୀୟ ଅଞ୍ଚଳରୁ ମଧ୍ୟ ଚିହ୍ନଟ ହେଉଛନ୍ତି । ତେବେ ଏହାରି ମଧ୍ୟ ଏବେ ଓଡ଼ିଶାରେ ନେତା ମନ୍ତ୍ରୀଙ୍କୁ ମଧ୍ୟ କରୋନା ଗ୍ରାସ କରୁଛି ।

ପ୍ରଥମେ ଅନେକ ବିଜେଡି ବିଧାୟକ କରୋନା ଆକ୍ରାନ୍ତ ହେଉଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏବେ ରାଜ୍ୟ ବିଜେପି ମୁଖିଆ ସମୀର ମହାନ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି । ଅସୁସ୍ଥ ହେବାରୁ ତାଙ୍କୁ ଏମ୍‌ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ପ୍ରଥମେ କିଛି ଅସୁସ୍ଥତା ଅନୁଭବ କରିବାରୁ ସେ ନିଜର କରୋନା ଟେଷ୍ଟ କରିଥିଲେ । ଏହାପରେ ସେ ପଜିଟିଭ୍‌ ଥିବା ରିପୋର୍ଟ ଆସିଥିଲା ।

ସମୀର କହିଛନ୍ତି ଯେଉଁମାନେ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଷରେ ଆସିଥିଲେ ସେମାନେ ନିଜକୁ ଆଇସୋଲେସନ୍‌ରେ ରଖନ୍ତୁ ଏବଂ ଆବଶ୍ୟକ ପଡ଼ିଲେ ନିଜର କରୋନା ଟେଷ୍ଟ ମଧ୍ୟ କରେଇ ନିଅନ୍ତୁ ।

ସେପ୍ଟେମ୍ବର ୨୧ରୁ ଖୋଲିବ ସ୍କୁଲ, ଜାରି ହେଲା ଗାଇଡଲାଇନ

ଦୀର୍ଘଦିନ ଧରି କରୋନା ମହାମାରୀ ଭୂତାଣୁ କାରଣରୁ ସାରା ଦେଶରେ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ଛାତ୍ରଛାତ୍ରୀଙ୍କ ଉପରେ ଖୁବ ପ୍ରଭାବ ପଡ଼ିଛି । ଏଭଳି ପରିସ୍ଥିତିରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ନେଇ ଆଶଙ୍କା ଥିବାବେଳେ ଗାଇଡଲାଇନ ଜାରି ହୋଇଛି ।


ସେପ୍ଟେମ୍ବର ୨୧ରୁ ସର୍ତ୍ତରେ ଖୋଲିବ ସ୍କୁଲ । ପ୍ରଥମ ପର୍ଯ୍ୟାୟରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଥିବା ବେଳେ ପାଠପଢା ନେଇ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ସେହିପରି ବୈଷୟିକ ଶିକ୍ଷା ଓ ଉଚ୍ଚ ଶିକ୍ଷା ପାଇଁ ଲ୍ୟାବ ୱର୍କକୁ ମଧ୍ୟ ଅନୁମତି ମିଳିଛି । ଏସଓପି ଅନୁସାରେ ଶ୍ରେଣୀ କକ୍ଷରେ ବସିବା ପାଇଁ ଛାତ୍ର ମାନଙ୍କ ମଧ୍ୟରେ ୬ ଫୁଟର ଦୂରତା ରହିବ । ଏହା ସହିତ ଚେୟାର ଟେବୁଲ ସଜାଇବାକୁ ନିର୍ଦ୍ଦେଶ ରହିଛି । ଶ୍ରେଣୀ ଗୃହରେ ହେଉଥିବା ଅନ୍ୟ କାର୍ଯ୍ୟକ୍ରମ ପାଇଁ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି । ପାଠ୍ୟକ୍ରମରେ ଶ୍ରେଣୀରେ ପାଠପଢା ଏବଂ ଅନଲାଇନ୍ ପାଠପଢା ଉଭୟ ସମୟ ସାରଣୀରେ ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଶ୍ରେଣୀ କକ୍ଷରେ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । କେବଳ ସେତିକି ନୁହେଁ ଖାତାବହି, ଲାପଟପ୍ ଓ ଅନ୍ୟ ଶିକ୍ଷା ବ୍ୟବହୃତ ସାମଗ୍ରୀର ଆଦାନପ୍ରଦାନ ଉପରେ କଟକଣା ଲାଗୁ ହୋଇଛି । ତେବେ ସ୍କୁଲକୁ ଛାତ୍ରଛାତ୍ରୀ ଆସିବା ନିଷ୍ପତ୍ତି ଇଚ୍ଛାଧୀନ ରଖାଯାଇଛି । କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କରେ ୫୦ ପ୍ରତିଶତ ଶିକ୍ଷକ ଓ କର୍ମଚାରୀରେ ଅନଲାଇନ ପାଠ୍ୟକ୍ରମ ଚାଲୁ ରଖିୁବାକୁ ଅନୁମତି ମିଳିଛି ।

ଆକାଶର ରଙ୍ଗ ବଦଳାଇ ଦେଲା କାଲିଫର୍ଣ୍ଣିଆର ଭୟାବହ ଅଗ୍ନିକାଣ୍ଡ, ସଙ୍କଟରେ ଜନଜୀବନ

ନୂଆଦିଲ୍ଲୀ: ଆମେରିକାର କାଲିଫର୍ଣ୍ଣିଆ,ଓରେଗନ ଏବଂ ଓ୍ୱାଶିଂଟନ ଜଙ୍ଗଲରେ ହୋଇଥିବା ଅଗ୍ନିକାଣ୍ଡ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଛି । ସାନ ଫ୍ରାନ୍ସିସ୍କୋ ସହିତ ସମଗ୍ର ଓ୍ୱେଷ୍ଟ କୋଷ୍ଟ ଧୂଆଁରେ ଭରିଗଲା । ଏହି ବିପଦରୁ ବଞ୍ଚିବା ପାଇଁ ଲକ୍ଷାଧିକ ଲୋକ ଘରଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବାପାଇଁ ବାଧ୍ୟ ହେଲେ । କେତେକ ସ୍ଥାନରେ ଅତ୍ୟଧିକ ଧୂଆଁ କାରଣରୁ ଆକାଶର ରଙ୍ଗ ନୀଳରୁ ନାରଙ୍ଗୀ ହୋଇଗଲା ।


ବାସ୍ତବରେ ଏହି ଅଗ୍ନିରେ କାଲିଫର୍ଣ୍ଣିଆ,ଓରେଗନ ଏବଂ ଓ୍ୱାଶିଂଟନରେ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି ହୋଇଛି । ଏହା ସହିତ ମୃତକଙ୍କ ସଂଖ୍ୟା ବଢିପାରେ ଆଶଙ୍କା ରହିଛି । ସବୁଠାରୁ ଅଧିକ ମୃତ୍ୟୁ କାଲିଫର୍ଣ୍ଣିଆ ଏବଂ ଓରେଗନରେ ହୋଇଛି । ଓରେଗନର ଆପାତକାଳ ପ୍ରବନ୍ଧନ ନିର୍ଦ୍ଦେଶକ ଏହି ବୟାନ ଦେଇଛନ୍ତି ।

ରିପୋର୍ଟ ଅନୁସାରେ ରାଜ୍ୟର ଫାୟର ମାର୍ଶଲ ଅଚାନକ ପ୍ରଶାସନିକ ଛୁଟିରେ ରହିଥିବାରୁ ଇସ୍ତଫା ଦେଇଛନ୍ତି । ଧୂଆଁ କାରଣରୁ ଘରେ ରହିଥିବା ଲୋକ ସୁରକ୍ଷିତ ଅଛନ୍ତି । ଓରେଗନ ନିକଟରେ ୫ ଲକ୍ଷ ଲୋକଙ୍କୁ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବା ପାଇଁ କୁହାଯାଇଥିଲା । ତେବେ ବାୟୁ ପ୍ରଦୂଷଣ ସ୍ତର ଏତେ ଉପରକୁ କେବେ ଉଠିନଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଘରକୁ ଧୂଆଁ ପ୍ରବେଶକୁ ଅଟକାଇବା ପାଇଁ ଲୋକ ଦ୍ୱାରବନ୍ଧରେ ଟାଓ୍ୱେଲ ଆଦି ବ୍ୟବହାର କରିଥିଲେ। କେହି କେହି ଘରେ ମାସ୍କ ମଧ୍ୟ ପିନ୍ଧୁଛନ୍ତି ।

ସିସିଟିଭିରେ କଏଦ ହେଲା ଲୁଟ୍‌‌ ଭିଡିଓ, ଦେଖନ୍ତୁ ଲାଇଭ୍‌

ବଲାଙ୍ଗିର: ସିସିଟିଭିରେ କଏଦ ହେଲା ଲୁଟ୍‌ର ଲାଇଭ୍‌ ଭିଡିଓ । ଦୋକାନ ମାଲିକଙ୍କୁ ବନ୍ଧୁକ ଦେଖାଇ ଲୁଟିଲେ ଦୁର୍ବୃତ୍ତ । ଏଭଳି ଘଟଣା ସାମ୍ନା ଆସିଛି ବଲାଙ୍ଗିର ଜିଲ୍ଲାରୁ । ଦୁର୍ବୃତ୍ତମାନେ ଆସିବା ସମୟଠାରୁ ଆରମ୍ଭ କରି ଲୁଟ୍‌ କରିବା ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ବଲାଙ୍ଗିର ରେଲଓ୍ୱେ ଷ୍ଟେସନ୍ ରାସ୍ତାରେ ଥିବା ମେହେର ବ୍ୟାଟେରୀ ଦୋକାନରୁ ହୋଇଛି ଲୁଟ୍‌ । ରବିବାର ରାତି ପ୍ରାୟ ୯ଟା ବେଳେ ଦୋକାନର କର୍ମଚାରୀମାନେ ଘରକୁ ଚାଲିଯାଇଥିଲେ । ଆଉ ଦୋକାନରେ କେବଳ ମାଲିକ ଓ ତାଙ୍କ ଭାଇ ଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ଆସି ଦୋକାନ ସମ୍ମୁଖରେ ପହଞ୍ଚି ଲୁଟ୍‌ କରିଥିଲେ ।

Bolangir LOOT

ତେବେ ସବୁଠାରୁ ବଡ଼ କଥା ହେଲା ଦୋକାନ ମାଲିକଙ୍କ ସହ ପ୍ରଥମେ ଦୁଇ ଜଣ ଦୁର୍ବୃତ୍ତ ଆସି ଅତି ଭଦ୍ର ଲୋକ ଭଳି କଥା ହୋଇଥିଲା । ସେହି ଦୁଇ ଜଣ କଥା ହେବାର କିଛି ସମୟ ପରେ ଆଉ ଦୁଇ ଜଣ ଦୁର୍ବୃତ୍ତ ଆସି ପହଞ୍ଚିଥିଲେ । ଏହାପରେ ସେମାନେ ବନ୍ଧୁକ ଦେଖାଇ ଦୋକାନର ଲକ‌ର ଭାଙ୍ଗି ଲୁଟ୍‌ କରିବାକୁ ଚେଷ୍ଟା କରିଥିଲେ । ହେଲେ ସେଥିରେ ସେମାନେ ବିଫଳ ହୋଇଥିଲେ । ଲକର ଭାଙ୍ଗିବାରେ ଅସଫଳ ହେବାରୁ ସେମାନେ ଦୋକାନ ମାଲିକ ପାଖରେ ଥିବା ନଗଦ ଟଙ୍କା, ପିନ୍ଧି ଥିବା ସମସ୍ତ ସୁନା ଗହଣା ଓ ୩ ମୋବାଇଲ ଲୁଟି ନେଇଥିଲେ ।

Bolangir LOOT

ଏହି ୪ ଜଣ ଲୁଟେରାଙ୍କ ପାଖରେ ୪ଟି ବନ୍ଧୁକ ଥିଲା । ଦୁଇ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଭୟଭୀତ କରୁଥିବା ବେଳେ ଅନ୍ୟ ଦୁଇ ଜଣ ଲୁଟ୍‌ପାଟ୍‌ କରୁଥିଲେ । ତେବେ ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ରାତି ୯ଟାରେ ଲୁଟ୍ ଏଭଳି ଲୁଟ୍‌ ହୋଇଛି, ଯାହାକି ଲୋକଙ୍କ ମନରେ ହଜମ ହେଉ ନାହିଁ । ଅନ୍ୟପଟେ ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ବଲାଙ୍ଗିର ଏସ୍‌ପି ସନ୍ଦୀପ ସମ୍ପଦ ଓ ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ଘଟଣାସ୍ଥଳରେ ପହଞ୍ଚିଛନ୍ତି ସିସିଟିଭି ଫୁଟେଜ୍‌କୁ ଆଧାର କରି ପଚରାଉଚରା ଆରମ୍ଭ କରିଛନ୍ତି ।

କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ: ନିଶାଖୋର କଙ୍ଗନାଙ୍କୁ ସାକ୍ଷାତ କଲେ ରାଜ୍ୟପାଳ

ମୁମ୍ବାଇ: କଙ୍ଗନା ରନୌତ ରବିବାରକୁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କୁ ସାକ୍ଷାତ କରିଛନ୍ତି । କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ଦୁଇଜଣ ରାଜ୍ୟପାଳଙ୍କୁ ସାକ୍ଷାତ କରିବା ପାଇଁ ରାଜ୍ୟଭବନ ଯାଇଥିଲେ । ପ୍ରାୟ ୪୫ ମିନିଟ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ମାମଲାକୁ ନେଇ କଂଗ୍ରେସ ନେତା ଉଦିତ ରାଜ୍ ଫିଲ୍ମ ଅଭିନେତ୍ରୀ କଙ୍ଗନା ରନୌତଙ୍କୁ ନିଶାଖୋର କହି ରାଜ୍ୟପାଳଙ୍କ ସହିତ ସାକ୍ଷାତକୁ ନେଇ ଟାର୍ଗେଟ କରିଛନ୍ତି । ନିଶାଖୋର କଙ୍ଗନା ଆଜି ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ବୋଲି ବିବାଦୀୟ ବୟାନ ଦେଇଛନ୍ତି । କେବଳ ସେତିକି ନୁହେଁ ମୋଦି ମିଡିଆ, ଭାଜପା ଆଇଟି ସେଲ ଏବଂ ଭକ୍ତ ସମସ୍ତଙ୍କୁ ସମର୍ଥନ କରୁଛନ୍ତି ବୋଲି ମଧ୍ୟ ସେ ତାଙ୍କ ବୟାନରେ ଉଲ୍ଲେଖ କରିଛନ୍ତି ।


ଏହା ପୂର୍ବରୁ କଂଗ୍ରେସ ନେତା କଙ୍ଗନାଙ୍କୁ ହାରାମଖୋର ଝିଅ ବୋଲି କହିଥିଲେ । ଅବଶ୍ୟ ତାଙ୍କ କହିବାର ଅର୍ଥ ତାହା ନଥିଲା ବୋଲି ସେ ପରେ ସେ ନିଜର ମତ ରଖିଥିଲେ । ଯେଉଁଥିରେ ଏହାର ଅର୍ଥ ନଟି ବୋଲି କହିଥିଲେ । ତେବେ ତାଙ୍କ ସହିତ ଅଭଦ୍ର ଭଳି ବ୍ୟବହାର କରାଯାଇଥିବା ମିଡିଆ ସାମ୍ନାରେ ବୟାନ ଦେଇଛନ୍ତି ବଲିଉଡ କୁଇନ । ଏହା ସହିତ ରାଜ୍ୟପାଳ ନିଜ ଝିଅ ଭଳି ତାଙ୍କ କଥା ଶୁଣିଛନ୍ତି ଏବଂ ତାଙ୍କୁ ନ୍ୟାୟ ମିଳିବ ବୋଲି ସେ ଆଶା ରଖିଥିବା ଜଣାଇଛନ୍ତି ।

ରାଜ୍ୟରେ ଜଙ୍ଗଲ ବିଭାଗରେ ଆସିବ ସ୍ୱଚ୍ଛତା, ୪୧ ବର୍ଷର ଆଇନରେ ସଂଶୋଧନ…

ଭୁବନେଶ୍ୱର: ରାଜ୍ୟରେ ଜଙ୍ଗଲ ବିଭାଗରେ ଆସିବ ସ୍ବଚ୍ଛତା  । ଏଥିପାଇଁ ୪୧ବର୍ଷର ପୁରୁଣା ବନ ସଂହିତାକୁ ସଂଶୋଧନ କରିଛନ୍ତି ରାଜ୍ୟ ସରକାର  ।  ୧୯୭୯ ମସିହାରେ ଗଠିତ ହୋଇଥିବା ବନାଞ୍ଚଳ ସଂହିତା ସଂଶୋଧନକୁ  ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି । ସଂଶୋଧିତ ବନ ସଂହିତା ଅନୁସାରେ ଜଙ୍ଗଲ ବିଭାଗକୁ ୮ଟି ଆଞ୍ଚଳିକ ସର୍କଲରେ ବିଭକ୍ତ କରାଯାଇଛି  । ପ୍ରତ୍ୟେକ ସର୍କଲରେ ଜଣେଜଣେ ବନ ସଂରକ୍ଷକ ରହିବେ  ।

ବିଭାଗର ଆକାଉଣ୍ଟିଂ ବ୍ୟବସ୍ତାରେ ନୂଆ ନୀତି ଅବଲମ୍ବନ କରାଯିବ  । ଏହାକୁ ରାଜ୍ୟ ସମନ୍ୱିତ ଆର୍ଥିକ ପରିଚାଳନା ସହ ସଂଯୁକ୍ତ କରାଯିବ  । ବନାଞ୍ଚଳରେ ନିର୍ମାଣ କାର୍ଯ୍ୟ ଏବଂ ଟେଣ୍ଡର ବ୍ୟବସ୍ଥାରେ ସ୍ୱଚ୍ଛତା ଅଣାଯିବ  ।  ପ୍ରଧାନ ମୁଖ୍ୟ ବନସଂରକ୍ଷକ, ବନାଞ୍ଚଳ ଅଧିକାରୀ ଓ ଆଞ୍ଚଳିକ ମୂଖ୍ୟ ବନ ସଂରକ୍ଷକଙ୍କୁ ବିତ୍ତୀୟ କ୍ଷମତା ଦିଆଯିବ  ।  ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅନୁଗୁଳ ବନାଞ୍ଚଳ ଅଧିନରେ ଆସୁଥିବାବେଳେ ଶିମିଳିପାଳ ବାରିପଦା ଅଧିନରେ ଆସିବ  । ପ୍ରଶିକ୍ଷଣ ଓ ଉନ୍ନୟ ପାଇଁ କଟକରେ ଅଣ-ବନାଞ୍ଚଳ ସର୍କଲ ରହିବ  ।