spot_img
Home Blog Page 6726

ସୈନିକ ପଠାଇଲେ ସଚେତନତା ବାର୍ତ୍ତା: ଘରେ ରହିବାକୁ ନିଜ ଗ୍ରାମବାସୀଙ୍କୁ କଲେ ଅନୁରୋଧ

ଦିଗପହଣ୍ଡି (କାଳୁ ଚରଣ ନାହାକ ): କରୋନା ମୁକାବିଲା ନେଇ ନେତାଙ୍କ ପରେ ଏବେ ଜନତା କରୁଛନ୍ତି ଭର୍ଚୁଆଲ୍ ମିଟିଂ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଦୂରତ୍ୱ ରକ୍ଷା ପାଇଁ ବିଭିନ୍ନ ପ୍ରସଂଗରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ  ଭର୍ଚ୍ୟୁଆଲ୍‌ ମିଟିଂ କରୁଆସୁଛନ୍ତି । ସେହିଭଳି କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ବିଭିନ୍ନ ପ୍ରସଂଗରେ ଭର୍ଚ୍ୟୁଆଲ୍ ମାଧ୍ୟମରେ ସାମ୍ୱାଦିକମାନଙ୍କ ସହ ଯୋଗାଯୋଗ ସ୍ଥାପନ କରିଛନ୍ତି ।

ଏବେ ଏହି କ୍ରମରେ ସାମିଲ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିର ଯୁବ ଗୋଷ୍ଠୀ । ସମ୍ପୃକ୍ତ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଏହାର ମୁକାବିଲା ନେଇ କରିଛନ୍ତି ବୈଠକ । ସାମାଜିକ ଦୂରତ୍ୱ ରକ୍ଷା ସହ ଭର୍ଚ୍ୟୁଆଲ୍ ମାଧ୍ୟମରେ ଯୋଡ଼ି ହୋଇ ପ୍ରସ୍ତୁତ କରିଛନ୍ତି ରଣନୀତି । ଆଉ ଏଥିରେ ସାମିଲ ହୋଇଛନ୍ତି ଗ୍ରାମ ତଥା ଗ୍ରାମ ବାହାରେ ରହୁଥିବା ସଚେତନ ଯୁବକ ।

ଯେଉଁମାନଙ୍କ ମଧ୍ୟରେ ରହିଥିଲେ  ସମ୍ପୃକ୍ତ ଅଞ୍ଚଳର କିଛି ସୈନିକ । ସେମାନେ ଉଭୟ ଜଳ ଓ ସ୍ଥଳସେନାରେ ଦେଶ ପାଇଁ କାର୍ଯ୍ୟକରୁଛନ୍ତି । ସେମାନେ ମଧ୍ୟ ଆଲୋଚନାରେ ଭାଗ ନେଇ କରୋନାର ଭୟାବହତା ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି । ଶଙ୍କର ସାହୁ , ମୁନା ପାତ୍ର, ସୁନିଲ ପ୍ରଧାନ, ଅମ୍ୱାରିସ ରାଉତ, ଲଲାଟେନ୍ଦୁ ରାଉତ, ପ୍ରଶାନ୍ତ ସାହୁ, ଶଙ୍କର ଲେଙ୍କା । ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ଗ୍ରାମର ସୂର୍ଯ୍ୟ ସାମନ୍ତରାୟ, ସନ୍ତୋଷ ବାଡ଼ତ୍ୟା, ଅଶ୍ୱିନୀ ରାଉତ, ବିଦେଶୀ ନାହାକ, କୋରା ପ୍ରସାଦ ମହାରଣା, ଶ୍ରୀକାନ୍ତ ନାହାକ, ନିକୁଞ୍ଜ ଲେଙ୍କା, ଉତ୍ତମ ମହାନ୍ତି, ସରପଞ୍ଚ ପ୍ରତିନିଧି ସଞ୍ଜୟ ରାଉତଙ୍କ ସହଯୋଗୀ ପ୍ରମୋଦ ଲେଙ୍କା, ପ୍ରକାଶ ନାହାକ, ମନୋଜ ପାଢ଼ୀ ଏଭଳି ଅନେକ ଯୋଗ ଦେଇ ନିଜ ଗାଁ କୁ କରୋନା ମୁକ୍ତ କରିବା ପାଇଁ ଆଲୋଚନା କରିଥିଲେ ।

ସୂଚନା ଯୋଗ୍ୟ,  ଖଲିଙ୍ଗିରେ ପଜିଟିଭ ଚିହ୍ନଟ ହେବା ପରେ ଏବଂ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହେବା ପରେ ଯୁବ ସମାଜ ଏକତ୍ରିତ ହୋଇ ସାମାଜିକ ଦୂରତା ସହ ବୈଠକ କରି ଗାଁକୁ ମୁଖ୍ୟ ରାସ୍ତା ସଂଯୋଗକୁ ସମ୍ପୂର୍ଣ ବନ୍ଦ କରିଥିଲେ । ସାହି ସାହିରେ ବ୍ୟାରିକେଡ୍ କରାଯାଇଥିବା ବେଳେ ଗାଁର ଯୁବପିଢ଼ି ଏବେ ଭିଡ଼ିଓ କଂଫେରେନ୍ସ ଏବଂ ଭିଡ଼ିଓ ବାର୍ତ୍ତାରେ ଗ୍ରାମବାସୀଙ୍କୁ ସଚେତନତ କରିଛନ୍ତି । ଏବଂ ଡାକବାଜି ଯନ୍ତ୍ର ସହାୟତାରେ ଗାଁ ସାରା ବୁଲି ସଚେତନ କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରତିନିଧି, ବ୍ୟବସାୟୀ, ସରକାରୀ ବେସରକାରୀ କର୍ମଚାରୀ, ବୁଦ୍ଧିଜୀବୀ ସାମିଲ ହୋଇଛନ୍ତି ।

୨୦୧୩ ମସିହାରୁ କରୋନା ରାଜ୍ ଲୁଚାଉଛି ଚାଇନା !

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀକୁ ନେଇ ଚୀନ ଉପରେ ପୂର୍ବରୁ ବହୁ ଅଭିଯୋଗ ହୋଇ ଆସୁଛି । ଏବେ ଏକ ରିପୋର୍ଟରେ ଖୁଲାସା ହୋଇଛି ଚୀନ ୭ ବର୍ଷ ପୂର୍ବେ ଏମିତି ଏକ ଭାଇରସ୍ ଷ୍ଟ୍ରେନକୁ ଜାଣିବାକୁ ପାଇଥିଲା । ଯାହାକୁ ବର୍ତ୍ତମାନର କରୋନା ଭାଇରସର ନିକଟତମ ବୋଲି କୁହାଯାଇଛି । ଏକ ବ୍ରିଟିଶ ୱେବସାଇଟ୍ ମୁତାବକ, ଚୀନ୍ ୨୦୧୩ ମସିହାରୁ ଭାଇରସ୍ ବାବଦରେ ଜାଣିଥିଲେ ବି ତଥ୍ୟ ଲୁଚାଇ ରଖିଥିଲା ।

ସେହିଭଳି ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି- ବାଦୁଡ଼ି ଓ ମୂଷା ରହୁଥିବା ଏକ ଗାତରୁ ୨୦୧୩ ମସିହାରେ କରୋନା ଭାଇରସ୍ ଷ୍ଟ୍ରେନ୍ ସମ୍ବନ୍ଧୀୟ ତଥ୍ୟ ଚୀନ୍ ପାଇଥିଲା । ଆଉ ଏହି ଭାଇରସର ଷ୍ଟ୍ରେନକୁ ଚୀନ ବୁହାନର ସେହି ବିବାଦୀୟ ଲାବରେ ଏତେ ବର୍ଷ ଯାଏଁ ରଖି ଆସିଥିଲା ।

କିଛିଦିନ ତଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ କରୋନା ଭାଇରସର ଉତ୍ପତ୍ତି ସ୍ଥଳ ଚୀନ ଯାଇ ଅନୁଧ୍ୟାନ କରିବ ବୋଲି କହିଥିଲା । ଏବେ, ୭ ବର୍ଷ ତଳର ଭାଇରସ୍ ଷ୍ଟ୍ରେନର ସୂଚନା କରୋନା ଉତ୍ପତ୍ତି ଉପରେ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି ।

ପ୍ରକୃତରେ ୨୦୧୨ ମସିହାରେ ଖଣିରେ କାମ କରୁଥିବା ୬ ଜଣ ଲୋକଙ୍କୁ ଜ୍ୱର, କାସ, କଫ ଓ ନିମୋନିଆ ହୋଇଥିଲା । ସେଥିମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ଥିଲା । ରିପୋର୍ଟ ଅନୁଯାୟୀ, ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣଙ୍କ ଶରୀରରେ କରୋନା ଭାଇରସ୍ ଆଣ୍ଟିବଡିଜ୍ ମିଳିଥିଲା । କିନ୍ତୁ, ଯାଞ୍ଚ ପୂର୍ବରୁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଫେବ୍ରୁଆରୀରେ ଡା. ଶି ଝେଙ୍ଗଲି କରୋନା ଭାଇରସ୍ ଉପରେ ଏକ ଏକାଡେମିକ ପେପର ପ୍ରସ୍ତୁତ କରିଥିଲେ । ନେଚର ଜର୍ନାଲରେ ପ୍ରକାଶିତ ରିପୋର୍ଟ ପ୍ରକାରେ, ବୁହାନ ସ୍ଥିତ ଲାବରେ ଚୀନ ବାଦୁଡ଼ି ଠାରୁ ମଳିଥିବା RaTG13 ଭାଇରସ୍ ରଖିଥିଲା । ଯାହାର ୯୬.୨ ପ୍ରତିଶତ କରୋନା ଭାଇରସ୍ ଠାରେ ମିଳେ । କିନ୍ତୁ ଶି ଝେଙ୍ଗଲିଙ୍କ ଜଣେ ସହଯୋଗୀଙ୍କ ଅନୁଯାୟୀ RaTG13 ହେଉଛି ସେହି ନମୁନା ଯାହା ଖଣିରୁ ମିଳିଥିଲା । ଏବଂ ଏହାର ସୂଚନା ସାର୍ବଜନୀନ କରାଯାଇ ନଥିଲା ।

ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ୍ ମାସରେ କହିଥିଲେ- ପ୍ରମାଣ ଦେଖିବା ପରେ ଭରସା ହୋଇଛି କରୋନା ଭାଇରସ୍ ଚୀନ ବୁହାନ ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଭାୟରୋଲିଜିରୁ ଆସିଛି । କିନ୍ତୁ, ଚୀନ୍ ଲାବରୁ ଭାଇରସ୍ ସଂକ୍ରମଣ ବ୍ୟାପିଥିବା କଥାକୁ ଅଗ୍ରାହ୍ୟ କରି ଆସୁଛି ।

ଆଡ଼ପ ଅବଢ଼ା ଭଳି ଫୋନ୍ କଲରେ ବୁକିଂ କରି ହେବ ନୀଳାଚଳ ଅବଢ଼ା

ପୁରୀ: ବାହାରିଲା ନୀଳାଚଳ ଅବଢ଼ା । ନବଦିନାତ୍ମକ ଯାତ୍ରା ସାରି ଶ୍ରୀଜିଉ ରତ୍ନବେଦୀକୁ ଫେରି ଆସିବା ପରେ ବାହାରିଛି ନୀଳାଚଣ ଅବଢ଼ା । କୋଭିଡ୍ କଟକଣା ଯୋଗୁଁ ଶ୍ରଦ୍ଧାଳୁଙ୍କ ମନ୍ଦିର ମନା ହୋଇଛି । ତେଣୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଯେଉଁଭଳି ଆଡ଼ପ ଅବଢ଼ା ମିଳୁଥିଲା ସେହିଭଳି ବ୍ୟବସ୍ଥା ହେବ । ଉତ୍ତରପାର୍ଶ୍ୱ ମଠରେ ଅସ୍ଥାୟୀ କାଉଣ୍ଟରରେ ମିଳିବ ନୀଳାଚଳ ଅବଢ଼ା । ଶ୍ରୀଗୁଣ୍ଡିଚା ମନ୍ଦିର ଭଳି ମୋବାଇଲ କଲ୍ ମାଧ୍ୟମରେ ମଧ୍ୟ ଭକ୍ତ ମାନେ ଅବଢ଼ା ବରାଦ ଦେଇପାରିବେ । ଏନେଇ ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରଶାସନ ସହ ଆଲୋଚନା ସରିଛି ।

ଗତକାଲି ଘୋଷଯାତ୍ରା ସାରି ନୀଳକନ୍ଦରକୁ ଫେରିଛନ୍ତି ନୀଳାଦ୍ରିନାଥ । ସଅଳ ନୀତିକାନ୍ତି ସରିବା ପରେ ସଅଳ ହୋଇଥିଲା ପହଣ୍ଡି । ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରିଥିଲେ ସୁଦର୍ଶନ, ବଳଭଦ୍ର ଓ ସୁଭଦ୍ରା ।  ଶ୍ରୀଜଗନ୍ନାଥ ଯିବାବେଳେ ସିଂହଦ୍ୱାର ବନ୍ଦ ହୋଇଥିଲା । ତେବେ, ରସଗୋଲା ଦେଇ ମାତା ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ପରେ ଶ୍ରୀମନ୍ଦିରକୁ ମହାପ୍ରଭୁ ପ୍ରବେଶ କରିଥିଲେ ।

ଚଳିତବର୍ଷ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କୋଭିଡ୍ କଟକଣା ମାନି ରଥଯାତ୍ରା ହୋଇଥିଲା । ଭକ୍ତବିନା ବଡ଼ଦାଣ୍ଡକୁ ଆସିଥିଲେ ମହାପ୍ରଭୁ ଜଗନ୍ନାଥ । କୋଭିଡ୍ ଟେଷ୍ଟ ପରେ ନେଗେଟିଭ୍ ଆସିଥିବା ସେବାୟତ ରଥ ଟଣାରେ ନିୟୋଜିତ ହୋଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ୧୨ ଘଣ୍ଟା ମଧ୍ୟରେ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ସାରିଥିଲେ । କୋଭିଡ୍ କଟକଣା ଭିତରେ ଶୃଙ୍ଖଳାର ସହ ରଥଯାତ୍ରା ସରିଛି । ମୁଖ୍ୟମନ୍ତ୍ରୀ ଏଥିପାଇଁ ସମସ୍ତ ସେବାୟତ, ଶ୍ରଦ୍ଧାଳୁ ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । କରୋନା ପାଇଁ ଜୁଲାଇ ୩୧ ଯାଏଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ ସରକାର କଟକଣା ଜାରି କରିଛନ୍ତି ।

https://youtu.be/9yf5mmjbOpU

ସରିଲା ନବଦିନାତ୍ମକ ଯାତ୍ରାର ଅନ୍ତିମ ପର୍ବ: ରତ୍ନବେଦୀରେ ବିରାଜିଲେ ମହାପ୍ରଭୁ

ରାଷ୍ଟ୍ରପତିଙ୍କୁ ଭେଟି ଦେଶ ଓ ସୀମା ସ୍ଥିତି ଅବଗତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲଦାଖ ଗଲବାନ ଘାଟିରେ ଚୀନ ସହ ତିକ୍ତତା ବଢ଼ିବାରେ ଲାଗିଛି । ଶୁକ୍ରବାର ଲେହରେ ଯବାନଙ୍କ ସହ ଏଲଏସି ସ୍ଥିତି ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଫେରି ଆସିଛନ୍ତି । ସୀମାରେ ଲାଗି ରହିଥିବା ଉତ୍ତେଜନା ଓ ଅନ୍ତର୍ଜାତୀୟ ସ୍ତରରେ ଏହାର କଣ ପ୍ରଭାବ ପଡ଼ିଛି । ଏନେଇ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଅବଗତ କରାଇଛନ୍ତି । ରାଷ୍ଟ୍ରପତି ଭବନରେ ଉଭୟଙ୍କ ମଧ୍ୟରେ ପ୍ରାୟ ଅଧ ଘଣ୍ଟା ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା କୁହାଯାଉଛି ।

ଗଲବାନ ଘାଟିରେ ଜୁନ୍ ୧୫ ତାରିଖରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ  । ତା’ପରଠୁ ଏଲଏସିରେ ଉତ୍ତେଜନା ଲାଗି ରହିଛି । ୨ ଦେଶ ସୀମାରେ ସାମରିକ ଶକ୍ତି ବଢ଼ାଉଥିବା ବେଳେ ଆକାଶରେ ଚକ୍କର କାଟୁଛି ଯୁଦ୍ଧ ବିମାନ । ଏହାରି ଭିତରେ ଭାରତ ଚୀନକୁ କଡ଼ା ସନ୍ଦେଶ ଦେଇଛି । ଦେଶର ବିଭିନ୍ନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଚୀନ କମ୍ପାନୀର ଟେଣ୍ଡର ବାତିଲ୍ କରାଯାଇଛି । ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ୫୯ଟି ଚାଇନିଜ୍ ଆପକୁ ସରକାର ବ୍ୟାନ୍ କରିଛନ୍ତି ।modi in nimu leh

ଯବାନଙ୍କ ମନୋବଳ ବଢ଼ାଇବା ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଶୁକ୍ରବାର ଲଦାଖ ଗସ୍ତ କରିଥିଲେ । ଲେହ ସ୍ଥତ ନିମୁ ଫରୱାର୍ଡ ପୋଷ୍ଟରେ ବାୟୁସେନା, ସ୍ଥଳସେନା ଯବାନ ମାନଙ୍କ ସହ ଆଲୋଚନା କରିଥିଲେ । ଏଲଏସିରେ ଉପୁଜିଥିବା ସ୍ଥିତି ଓ ନିଆଯାଇଥିବା ପଦକ୍ଷେପ ନେଇ ବିସ୍ତୃତ ତଥ୍ୟ ଅବଗତ ହୋଇଥିଲେ ପ୍ରଧାନମନ୍ତ୍ରୀ । ଯବାନଙ୍କୁ ସମ୍ବୋଧିତ କରି ଭାରତ କେବେ ବି ସୀମାରୁ ପଛକୁ ହଟିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ।

ପୂଜାରେ ବସିଲେ ବ୍ରାହ୍ମଣ କାହିଁକି ଆପଣଙ୍କର ଗୋତ୍ର ପଚାରିଥାନ୍ତି ଆପଣ ଜାଣିଛନ୍ତି କି ?

ପ୍ରାୟ ଅନେକ ଲୋକ ଗୋତ୍ର ସମ୍ବନ୍ଧରେ ବିସ୍ତୃତ ତଥ୍ୟ ଜାଣିନଥିବେ । ଗୋତ୍ର ପଛରେ ଥିବା ବିଜ୍ଞାନକୁ ଆଧୁନିତ ଶବ୍ଦରେ ଜିନ୍ ମାପିଂ (Gene Mapping ) ବୋଲି କୁହାଯାଏ ।

ତେବେ ଗୋତ୍ର କ’ଣ ?

ଗୋତ୍ର ହେଉଛି ଏକ ଅଦ୍ଭୁତ ଜେନେଟିକ ସାଇନ୍ସ ଯାହାକୁ ଆମେ ଅନୁସରଣ କରୁଛେ । ତେବେ ଆସନ୍ତୁ ଜାଣିବା ଗୋତ୍ର ପ୍ରଥା ପଛରେ ଥିବା କିଛି ବିଜ୍ଞାନ ସମ୍ବନ୍ଧରେ ତଥ୍ୟ । ଗୋତ୍ର ଶବ୍ଦଟି ସଂସ୍କୃତର ଦୁଇଟି ଶବ୍ଦ ଗଉ ( ଗାଈ ) ଏବଂ ତ୍ରାହି ( ଗୁହାଳ ) ରୁ ଆସିଛି । ତେବେ ଗୋତ୍ରର ଅର୍ଥ ହେଉଛି ଗାଇ ଗୁହାଳ ।

ତେବେ ଗୋତ୍ର ପୁରୁଷ ମାନଙ୍କ ଏକ ବିଶେଷ ବଂଶକୁ ରକ୍ଷା କରିଥାଏ । ଆମେ ଆମର ପୁରୁଷ ବଂଶ / ଗୋତ୍ରକୁ ୮ ମହାନ ଋଷି (ସପ୍ତ ଋଷି + ଭରଦ୍ୱାଜ ଋଷି) ଙ୍କ ବଂଶଧର ଭାବରେ ବିବେଚନା କରି ଚିହ୍ନଟ କରୁ । ଅନ୍ୟ ସମସ୍ତ ଗୋତ୍ର ଏଗୁଡ଼ିକରୁ ବିକଶିତ ହୋଇଥାଏ ।

ପୁଅମାନେ ବାପାଙ୍କ ଗୋତ୍ର ନେଇପାରିବେ କିନ୍ତୁ କାହିଁକି ଝିଅ ମାନେ ନେଇପାରିବେ ନାହିଁ ?

ବାଇୟୋଲୋଜି ଦୃଷ୍ଟିରୁ, ମାନବ ଶରୀରରେ୨୩ ଯୋଡି କ୍ରୋମୋଜୋମ୍ ରହିଛି (ଗୋଟିଏ ପିତାଙ୍କଠାରୁ ଏବଂ ଆଉ ଗୋଟେ ମାତାଙ୍କଠାରୁ) । ଏହି କ୍ରୋମୋଜୋମ ଭିତରେ ଯୌନ କ୍ରୋମୋଜୋମ୍ ଶିଶୁର ଲିଙ୍ଗ ନିର୍ଣ୍ଣୟ କରିଥାଏ ।

ଗର୍ଭଧାରଣ ସମୟରେ ଯଦି ଫଳାଫଳ ସେଲ୍ ହେଉଛି XX କ୍ରୋମୋଜୋମ୍ ହୁଏ ତେବେ ଶିଶୁ କନ୍ୟା ଜନ୍ମ ହୋଇଥାଏ ଏବଂ ଯଦି ଏହା XY ହୁଏ ତେବେ ପୁତ୍ର ସନ୍ତାନ ଜନ୍ମ ହୋଇଥାଏ । XY କ୍ରୋମୋଜୋନ୍ ରେ X ମାଆଙ୍କ ଠାରୁ ଆସିଥିବା ବେଳେ Y ବାପାଙ୍କ ଠାରୁ ଆସିଥାଏ ।

ଏହି Y କ୍ରୋମୋଜୋମ୍ ଟି ଅନନ୍ୟ ଏବଂ ଏହା ମିଶ୍ରିତ ହୁଏ ନାହିଁ  । ତେଣୁ XY ରେ Y, X ଉପରେ ଭାରି ପଡ଼ିଥାଏ ଏବଂ ପୁଅ Y କ୍ରୋମୋଜୋମ୍ ପାଇଥାଏ । Y ହେଉଛି ଏକମାତ୍ର କ୍ରୋମୋଜୋମ୍ ଯାହା କେବଳ ପୁରୁଷ ବଂଶ ମଧ୍ୟରେ ଚାଲିଯାଏ  । (ପିତାଙ୍କଠାରୁ ପୁତ୍ର ଏବଂ ନାତି ) ।

ଝିଅର ବାହା ହେବା ପରେ କାହିଁକି ତା ଗୋତ୍ର ପରିବର୍ତ୍ତନ ହୋଇଥାଏ ? ଏହା ପଛର ତର୍କ କଣ ?

ମହିଳାମାନେ କଦାପି Y କ୍ରୋମୋଜୋମ୍ ପାଆନ୍ତି ନାହିଁ  । ତେଣୁ ବଂଶାନୁକ୍ରମିକ ଚିହ୍ନଟ କରିବାରେ ଜେନେଟିକ୍ସରେ Y ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ  । ଯେହେତୁ ମହିଳାମାନେ Y ର ଗୋତ୍ର କେବେ ପାଆନ୍ତି ନାହିଁ ତେଣୁ ସେମାନେ ତାଙ୍କ ସ୍ୱାମୀଙ୍କ ଗୋତ୍ର ଗ୍ରହଣ କରନ୍ତି ।

କାହିଁକି ଏହି ପ୍ରଥା ?  ବାହାଘର ସମୟରେ କାହିଁକି ଏହି ଗୋତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ ?

୮ଟି ମହାନ ଋଷିଙ୍କ ଠାରୁ ୮ଟି ଭିନ୍ନ Y କ୍ରୋମୋଜୋମ ଆସିଛି । ଯଦି କାହାର ସମାନ ଗୋତ୍ର ଥାଏ ତେବେ ଏହାର ଅର୍ଥ ହେଉଛି ସେମାନଙ୍କର ପୂର୍ବପୁରୁଷ ସମାନ ଅଟନ୍ତି ।

ସମାନ ଗୋତ୍ର ମଧ୍ୟରେ ବିବାହ ଜେନେଟିକ ବ୍ୟାଧି ସୃଷ୍ଟି କରିବାର ଆଶଙ୍କା ବଢ଼ାଇବ କାରଣ ସମାନ ଗୋତ୍ର Y କ୍ରୋମୋଜୋମ କ୍ରସଓଭର ହୋଇପାରିବ ନାହିଁ ଏବଂ ଏହା ତ୍ରୁଟିପୂର୍ଣ୍ଣ କୋଷଗୁଡ଼ିକୁ ସକ୍ରିୟ କରିବ ।

ଯଦି ଏହା ଜାରି ରହେ, ତେବେ Y କ୍ରୋମୋଜୋମର ଆକାର ଏବଂ ଶକ୍ତି ହ୍ରାସ ପାଇବ, ଯାହା ପୁରୁଷ ସୃଷ୍ଟି ପାଇଁ ଗୁରୁତ୍ୱପୂର୍ଣ୍ଣ । ଯଦି ଏହି ଦୁନିଆରେ କୌଣସି Y କ୍ରୋମୋଜୋମ୍ ନରହିବ, ତେବେ ଏହା ପୁରୁଷମାନଙ୍କୁ ବିଲୁପ୍ତ କରିବ । ତେଣୁ ଜେନେଟିକ ବ୍ୟାଧିରୁ ଦୂରେଇ ରହିବା ଏବଂ Y କ୍ରୋମୋଜୋମକୁ ରକ୍ଷା କରିବାକୁ ଚେଷ୍ଟା କରିବା ପାଇଁ ଗୋତ୍ର ପ୍ରଣାଳୀ ରହିଛି ।

ଆମ ମହାଋଷିଙ୍କ ଦ୍ୱାରା ଆଶ୍ଚର୍ଯ୍ୟଜନକ ବାୟୋ-ସାଇନ୍ସ  । ଆମର ଐତିହ୍ୟ ଓ ବଂଶଜ ଅବିସ୍ମରଣୀୟ ଭାବରେ ସର୍ବଶ୍ରେଷ୍ଠ । ଆମର ଋଷିମାନେ ହଜାରେ ବର୍ଷ ପୂର୍ବେ “GENE MAPPING” ସଜାଡିଥିଲେ ।

 

ଭୁବନେଶ୍ୱର ମହାନଗର ନିଗମର ୨ ଯନ୍ତ୍ରୀ ଓ ଜଣେ ଡ୍ରାଇଭର କରୋନା ଆକ୍ରାନ୍ତ

ଭୁବନେଶ୍ୱର: ବିଏମସି ଅଫିସ୍ ଛୁଇଁଲା କରୋନା । ଭୁବନେଶ୍ୱର ମହାନଗର ନିଗମ ଇଂଜିନିୟରିଂ ବିଭାଗର ୨ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଜଣେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ଜଣେ ସହକାରୀ ଯନ୍ତ୍ରୀଙ୍କ ନମୁନା କରୋନା ପଜିଟିଭ୍ ଆସିଛି । ୨ ଯନ୍ତ୍ରୀଙ୍କ ସହ ଜଣେ ଡ୍ରାଇଭର ମଧ୍ୟ ସଂକ୍ରମିତ ହୋଇଛନ୍ତି । ବିଏମସିର ଦୁଇ ଯନ୍ତ୍ରୀ ଛୁଟିରେ ନିଜ ଗାଁକୁ ଯାଇଥିଲେ। ଛୁଟିରୁ ଫେରିବା ପରେ ସେମାନଙ୍କ କୋଭିଡ୍ ଟେଷ୍ଟ ପରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ।

Two Engineer of BMC tested Corona Positive
FILE

୩ ଜଣ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହ ବିଏମସି ଇଂଜିନିୟରିଂ ବିଭାଗକୁ ସାନିଟାଇଜ୍ କରାଯାଇଛି । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି । ବିଏମସି ତଥ୍ୟ ମୁତାବକ ଜୁଲାଇ ୪ ତାରିଖ ସୁଦ୍ଧା ରାଜଧାନୀରେ ମୋଟ୍ ୪୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ହୋଇଛି । ୨୪୭ ଜଣ ସଂକ୍ରମିତ ସୁସ୍ଥ ହୋଇ ଫେରିଥିବା ବେଳେ ୧୬୦ଟି ସକ୍ରିୟ ସଂକ୍ରମିତ ମାମଲା ରହିଛି । ସେମାନଙ୍କ ଚିକିତ୍ସା କୋଭିଡ୍ ହସ୍ପିଟାଲରେ ଚାଲିଛି ।

ରାଜଧାନୀରୁ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ

ମାଟିରୁ ମହାକାଶ ଛୁଇଁଥିବା ଜଣେ ଯୁବ ବୈଜ୍ଞାନିକଙ୍କ କାହାଣୀ ଯାହା ଆପଣଙ୍କୁ ପ୍ରେରିତ କରିବ

ବେଙ୍ଗଳୁରୁ: ପ୍ରତାପ ଏମ୍ଏନ୍ । ମାସକରେ ୨୮ ଦିନ ବିଦେଶ ଯାତ୍ରା କରୁଥିବା ଯୁବ ବୈଜ୍ଞାନିକ । ମାଟିରୁ ମହାକାଶକୁ ଛୁଇଁଥିବା ଏହି ଯୁବ ବୈଜ୍ଞାନିକ ଜୀବନ କାହାଣୀ ବେଶ୍ ନିଆରା । ଯିଏ କି ଫ୍ରାନ୍ସର ମାସକୁ ୧୬ ଲକ୍ଷ ଟଙ୍କାର ଚାକିରିକୁ ପ୍ରତ୍ୟାଖ୍ୟାନ କରିଥିଲେ । ଯେଉଁ ଚାକିରିରେ ୫ ବିଏଚକେ ଘର ସହିତ ୨.୫ କୋଟିର କାର୍ ସାମିଲ୍ ଥିଲା । କିନ୍ତୁ, ସମ୍ମାନର ସହ ଚାକିରି କରିବାକୁ ମନା କରି ଦେଇଥିଲେ ପ୍ରତାପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବ ବୈଜ୍ଞାନିକ ପ୍ରତାପଙ୍କୁ ପ୍ରଶଂସା କରିବା ସହିତ ଡିଆରଡିଓରେ ନିଯୁକ୍ତି ଅଫର୍ ଦେଇଛନ୍ତି ।

ତେବେ, କିଏ ଏହି ଡ୍ରୋନ୍ ବୈଜ୍ଞାନିକ ? କର୍ଣ୍ଣାଟର ମୟସୁର ନିକଟ କଡାଇକୁଡି ଗାଁରେ ଜନ୍ମିତ ୨୧ ବର୍ଷୀୟ ପ୍ରତାପ । ପ୍ରତାପଙ୍କ ବାପା ଜଣେ ଚାଷୀ, ଯାହାଙ୍କ ମାସିକ ରୋଜଗାର ମାତ୍ର ୨ ହଜାର ଟଙ୍କା । ପିଲାଦିନୁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ପ୍ରବଳ ଆଗ୍ରହ ରହିଛି ତାଙ୍କର । ଯୁକ୍ତ ୨ ଅଧ୍ୟୟନ ବେଳେ ସେ ବିଭିନ୍ନ ଆଭିଏସନ୍, ସ୍ପେଶ, ରୋଲ୍ସ ରୟସ କାର, ବୋଇଂ ୭୭୭ ୱେବସାଇଟ ସାଇବର କେଫରେ ବସି ଦେଖୁଥିଲେ । ଆଗ୍ରହ ଓ ଅଧ୍ୟ ବ୍ୟବସାୟ ଆଗରେ ହାର ମାନିଥିଲା ଗରିବୀ । ପ୍ରତାପ ଦ୍ୱାଦଶ ପଢିବା ବେଳେ ବିଶ୍ୱର କୋଣ ଅନୁକୋଣରେ ଥିବା ବୈଜ୍ଞାନିକଙ୍କୁ ତାଙ୍କ ଆଗ୍ରହ ନେଇ ଶତାଧିକ ଇମେଲ୍ ପଠାଇଥିଲେ । ସେ ଇଞ୍ଜିନିୟରିଂ ପଢ଼ିବାକୁ ଚାହୁଁଥିଲେ କିନ୍ତୁ ଆର୍ଥିକ ସମସ୍ୟା ଯୋଗୁଁ ବିଏସି(ଫିଜିକ୍ସ)ରେ ନାମ ଲେଖାଇଥିଲେ । ଦୁର୍ବିସହ ଥିଲା କଲେଜ ଜୀବନ, ତଥାପି ସେ ହାର୍ ମାନିନଥିଲେ । ବୈଜ୍ଞାନିକ ହେବାର ଅଦମ୍ୟ ଇଚ୍ଛା ଆଗରେ ହାର ମାନିଥିଲା ସବୁ ବାଧାବିଘ୍ନ ଓ ପ୍ରତିବନ୍ଧକ । ବିଏସି ପଢ଼ିବା ବେଳେ ଫିସ୍ ଦେଇ ନ ପାରିବାରୁ ତାଙ୍କୁ ହଷ୍ଟେଲରୁ ବାହାର କରି ଦିଆଯାଇଥିଲା । ପରେ ସେ ମୟସୁର ବସ୍ ଷ୍ଟାଣ୍ଡରେ ରାତି ବିତାଉ ଥିଲେ । ନିଜ ଉଦ୍ୟମରେ କମ୍ପ୍ୟୁଟର ପାଠ୍ୟକ୍ରମ ସି ପ୍ଲସ, ଜାଭା କୋର ଆଦି ଶିଖିଥିଲେ । ଅବ୍ୟବହୃତ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀରୁ ଡ୍ରୋନ୍ ତିଆରି ଶିଖିବା ସହ ପ୍ରାୟ ୮୦ ଥର ପ୍ରୟାସ ପରେ ତିଆରି କରିଥିଲେ ଡ୍ରୋନ୍ ।

ମୟସୁରରୁ ଟୋକିଓ

ଡ୍ରୋନ୍ ମଡେଲ କମ୍ପିଟସନରେ ଭାଗ ନେବା ପାଇଁ ସେ ଆଇଆଇଟି ଦିଲ୍ଲୀ ଯାଇଥିଲେ । ସେଠାରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ଜାପାନରେ ହେବାକୁ ଥିବା ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇଥିଲେ । ତେବେ, ଏଥିପାଇଁ ତାଙ୍କ ଥେସିସକୁ ଚେନ୍ନାକ କଲେଜର ପ୍ରଫେସର ଅନୁମୋଦନ କରିବାର ଥିଲା । ସେଥିପାଇଁ ସେ ପ୍ରଥମ ଥର ଚେନ୍ନାଇ ଯାଇଥିଲେ । ଥେସିସ୍ ଅନୁମୋଦନ ବେଳେ ସେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଜାପାନ ଯିବା ପାଇଁ ତାଙ୍କୁ ୬୦ ହଜାର ଟଙ୍କାର ଆବଶ୍ୟକତା ଥିଲା । ଜଣେ ସହୃଦୟବାନ ବ୍ୟକ୍ତି ତାଙ୍କୁ ଟୋକିଓ ଟିକେଟ ଦେବା ପରେ ସେ ମାଆଙ୍କ ମଙ୍ଗଳ ସୂତ୍ର ବିକ୍ରି କରି ବଳକା ଅର୍ଥ ଯୋଗାଡ଼ କରିଥିଲେ । ଏକୁଟିଆ ଟୋକିଓରେ ପହଞ୍ଚିବା ବେଳକୁ ତାଙ୍କ ପାଖରେ ମାତ୍ର ୧୪୦୦ ଟଙ୍କା ବଳିଥିଲା । ସେଥିରେ ସେ ଭାଙ୍ଗି ନପଡ଼ି ବ୍ୟୟବହୁଳ ବୁଲେଟ୍ ଟ୍ରେନ ନଚଢ଼ି ସାଧାରଣ ଟ୍ରେନରେ ୧୬ଟି ଷ୍ଟେସନରେ ଟ୍ରେନ୍ ପରିବର୍ତ୍ତନ କରି ଲଗେଜ୍ ସହ ଶେଷ ଷ୍ଟେସନରେ ପହଞ୍ଚିଥିଲେ । ସେଠାରୁ ୮ କିମି ଚାଲି ଚାଲି ଯିବା ପରେ ପ୍ରତିଯୋଗିତା ସ୍ଥଳରେ ପହଞ୍ଚିଥିଲେ ପ୍ରତାପ ।

ଟୋକିଓରେ ଆୟୋଜିତ ପ୍ରତିଯୋଗିତାରେ ୧୨୭ଟି ଦେଶରୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଯେଉଁଥିରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ପ୍ରତାପ । ତାଙ୍କୁ ୧୦ ହଜାର ଆମେରିକୀୟ ଡଲାର ପୁରସ୍କାର ମିଳିଥିଲା । ଏହି ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ, କର୍ଣ୍ଣାଟକର ବିଧାୟକ ଓ ସାଂସଦ ତାଙ୍କୁ ପ୍ରଶଂସା କରିଥିଲେ । ଫ୍ରାନ୍ସରୁ ତାଙ୍କୁ ଉଚ୍ଚ ବେତନର ଚାକିରି ମଧ୍ୟ ମିଳିଥିଲା । ଯାହାକୁ ସେ ପ୍ରତ୍ୟାଖ୍ୟାନ କରିଥିବା ବେଳେ ଡିଆରଡିଓରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ଚନ୍ଦ୍ର ଗ୍ରହଣ ସମୟରେ କାହିଁକି ଖାଇବା ଉଚିତ ନୁହେଁ ? ଜାଣନ୍ତୁ କ’ଣ ରହିଛି ଗ୍ରହଣ ସହ ଜଡ଼ିତ ମାନ୍ୟତା !

ଆଜି ଅର୍ଥାତ୍ ଜୁଲାଇ ୫ ରେ, ବର୍ଷର ତୃତୀୟ ଚନ୍ଦ୍ରଗ୍ରହଣ ଦେଖାଯାଉଛି  । ଭୌଗୋଳିକ ଘଟଣାକୁ ଦେଖିବାକୁ ଇଚ୍ଛା ରଖୁଥିବା ଲୋକମାନଙ୍କ ପାଇଁ ଏହା ଏକ ପର୍ବରୁ କମ ନୁହେଁ କାରଣ ସେମାନେ ୩୦ ଦିନ (Lunar Eclipse 2020) ମଧ୍ୟରେ ତୃତୀୟ ଥର ଗ୍ରହଣ ଦେଖିବାକୁ ପାଉଛନ୍ତି । ପ୍ରକୃତରେ, ଏହା ପୂର୍ବରୁ ଜୁନ୍ ୫ରେ ଚନ୍ଦ୍ର ଗ୍ରହଣ ହୋଇଥିଲା ଏବଂ ତାପରେ ଜୁନ୍ ୨୧ରେ ସୂର୍ଯ୍ୟ ଗ୍ରହଣ ହୋଇଥିଲା । ଆଜିର ଚନ୍ଦ୍ର ଗ୍ରହଣ ୟୁରୋପ ଏବଂ ଆଫ୍ରିକା ଅଂଶ, ଉତ୍ତର ଆମେରିକା ଏବଂ ଦକ୍ଷିଣ ଆମେରିକା ଅନ୍ତର୍ଭୁକ୍ତ ଅଞ୍ଚଳରେ ଦେଖିବାକୁ ମିଳିବ ।

କେମିତି ରହିବ ଆଜିର ଗ୍ରହଣ ?

ଆଜିର ଗ୍ରହଣ ଉପଛାୟା ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ସାଧାରଣତଃ ଏମିତି ସେତେବେଳେ ହୁଏ ଯେତେବେଳେ ପୃଥିବୀ, ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ଆସିଥାଏ କିନ୍ତୁ ୩ଟି ଗ୍ରହ ଗୋଟିଏ ରେଖାରେ ରୁହନ୍ତି ନାହିଁ । ଏମିତିରେ ଚନ୍ଦ୍ରର ଏକ ଛୋଟ ପୃଷ୍ଠରେ ଅମ୍ବ୍ର ପଡ଼େ ନାହିଁ । ଜଣାଇ ରଖୁଛୁ ଯେ, ପୃଥିବୀର ମଧ୍ୟଭାଗରେ ପଡୁଥିବା ଛାୟାକୁ ଅମ୍ବ୍ର କୁହାଯାଏ | ଅବଶିଷ୍ଟ ଚନ୍ଦ୍ର ଉପରେ ପୃଥିବୀର ବାହ୍ୟ ଅଂଶର ଛାୟା ପଡ଼ିଥାଏ, ଯାହାକୁ ପିନୁମ୍ବ୍ର କିମ୍ବା ଉପଛାୟା କୁହାଯାଏ । ଏହି କାରଣରୁ, ଏହିପରି ଚନ୍ଦ୍ରଗ୍ରହଣକୁ ଉପଛାୟା ଚନ୍ଦ୍ର ଗ୍ରହଣ କୁହାଯାଏ ।

ଗ୍ରହଣର ସମୟ

ରିପୋର୍ଟ ମୁତାବକ, ଉପଛାୟା ଚନ୍ଦ୍ର ଗ୍ରହଣ ୨୦୨୦ ମସିହା, ଜୁଲାଇ ୫ ତାରିଖ ସକାଳ ୮ଟା ୩୭ ମିନିଟରେ ଆରମ୍ଭ ହେବ । ଗ୍ରହଣର ଅଧିକ ପ୍ରଭାବ ୯ଟା ୫୯ ମିନିଟରେ ଦେଖିବାକୁ ମିଳିବ ଏବଂ ୧୧ଟା ୨୨ ମିନିଟରେ ଗ୍ରହଣ ଶେଷ ହେବ । ଏହି ଗ୍ରହଣ ପ୍ରାୟ ୪୩  ମିନିଟ ୨୪ ସେକେଣ୍ଡ ଯାଏଁ ରହିବ ।

ଚନ୍ଦ୍ର ଗ୍ରହଣ ସମ୍ବନ୍ଧୀୟ କିଛି ପୌରାଣିକ କଥା

-ଅନେକ ଦଶନ୍ଧି ଧରି, ଲୋକଙ୍କ ମଧ୍ୟରେ ଚନ୍ଦ୍ରଗ୍ରହଣ ବିଷୟରେ ଅନେକ ପ୍ରକାରର ଭୟ ରହିଆସିଛି । ଏହି କାରଣରୁ, ଲୋକମାନେ ଚନ୍ଦ୍ର ଏବଂ ସୂର୍ଯ୍ୟ ଗ୍ରହଣକୁ ନେଇ ଅନେକ ବିଶ୍ୱାସ ରହିଛି ।

-ଭାରତରେ, ଚନ୍ଦ୍ର କିମ୍ବା ସୂର୍ଯ୍ୟ ଗ୍ରହଣ ସମୟରେ ପୂଜା ସହ ଜଡିତ ଶୁଭ କାର୍ଯ୍ୟ କରାଯାଏ ନାହିଁ  । ବିଶ୍ୱାସ କରାଯାଏ ଯେ ଏହି ସମୟ ମଧ୍ୟରେ ପୂଜାପାଠ କରିବା କିମ୍ବା କୌଣସି ଶୁଭ କାର୍ଯ୍ୟ କରିବା ଅଶୁଭ ଅଟେ । ଅବଶ୍ୟ, ଚନ୍ଦ୍ରଗ୍ରହଣ ସମୟରେ ଜଣେ ଚାହିଁଲେ ମନ୍ତ୍ର ଜପ କରିପାରିବ ।

– ଏହା ସହିତ ଚନ୍ଦ୍ର ଗ୍ରହଣ କିମ୍ବା ସୂର୍ଯ୍ୟ ଗ୍ରହଣ ସମୟରେ ଖାଇବା ଉପରେ କଟକଣା ରହିଛି। ଆଜି ବି ଲୋକମାନେ ଏହି ଜିନିଷ ଉପରେ ବିଶ୍ୱାସ କରନ୍ତି । ତେବେ ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ଖାଇବା କୌଣସି ଅସୁବିଧା ନୁହେଁ ବୋଲି ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି । ଏହି ସମୟରେ ଲୋକମାନେ ଉପବାସ ପାଳନ କରିବା ଦରକାର ନାହିଁ ।

-ଏହା ବ୍ୟତାତ, ଗ୍ରହଣ ପରେ ସ୍ନାନ କରିବା ସହିତ ଦାନ ଧର୍ମ କରିବାର ପରମ୍ପରା ରହିଛି ।

ମୃତ୍ୟୁ ପରେ ଶରୀର ଛାଡି ଆତ୍ମା ଯାଏ କୁଆଡେ, ଜାଣନ୍ତୁ…

ସୁନ୍ଦରଗଡ଼ ଓ ଗଜପତିରେ ପ୍ରଥମ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା କାୟା । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଦୈନିକ ୪୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୬୯ଟି ସଂକ୍ରମିତ ମାମଲା ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।

ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରେ କରୋନାରେ ପ୍ରଥମ ମୃତ୍ୟୁ ହୋଇଛି । ଗଜପତି ଜିଲ୍ଲାର କୋଭିଡ୍ ସଂକ୍ରମିତ ୪୦ ବର୍ଷୀୟ ପୁରୁଷ ଆଖି ବୁଜିଛନ୍ତି । ସେ ଡାଇବେଟିସ୍ ବା ମଧୁମେହରେ ପୀଡ଼ିତ ଥିଲେ । ସେହିଭଳି କୋଭିଡ୍ ସଂକ୍ରମିତ ସୁନ୍ଦରଗଡ଼ ଜିଲ୍ଲାର ୬୪ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ମଧ୍ୟ ମଧୁମେହରେ ଆକ୍ରାନ୍ତ ଥିଲେ । ଏଥିସହ ରାଜ୍ୟରେ ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି ପାଇଛି ।

ବାଲେଶ୍ୱର ଜିଲ୍ଲାର କୋଭିଡ୍ ସଂକ୍ରମିତ ୪୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ତାଙ୍କ ଫୁସପୁସରୁ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ତେଣୁ, ତାଙ୍କ ମୃତ୍ୟୁକୁ କରୋନା ମୃତ୍ୟୁରେ ସାମିଲ୍ କରାଯାଇନାହିଁ ।

ରାଜ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ, ୮ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ପୁଣି ୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ, ୯ ହଜାର ଟପିଲା ପଜିଟିଭଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ପଢ଼ିଚାଲିଛି କରୋନା ସଂକ୍ରମଣ । ଆଜି ଗୋଟିଏ ଦିନରେ ଚିହ୍ନଟ ହେଲେ ୪୬୯ କରୋନା ସଂକ୍ରମିତ । ୪୬୯ ଟି ପଜିଟିଭ୍ ମାମଲା ଆସିଥିବା ବେଳେ ୩୧୭ଟି କେସ୍ କ୍ୱାରେଣ୍ଟାଇନରୁ ଓ ଅବଶିଷ୍ଟ ୧୫୨ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି ।

ରାଜ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୧୧୬ ଜଣ କରୋନା ପଡିଟିଭ ଚିହ୍ନଟ ହୋଇଥିବା ବେଳେ ଅନୁଗୁରୁ ୧୧, ବାଲେଶ୍ୱରରୁ ୮, ଭଦ୍ରକରୁ ୧୬, ବଲାଙ୍ଗିରରୁ ୩, କଟକରୁ ୯୪, ଗଜପତିରୁ ୧୨, ଯାଯପୁରରୁ ୨୫, ମାଲକାନଗିରିରୁ ୧, ମୟୁରଭଞ୍ଜରୁ ୬, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୨୪, ପୁରୀରୁ ୮, ସମ୍ବଲପୁରରୁ ୧୩ ଏବଂ ସୁନ୍ଦରଗଡ଼ରୁ ୬୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଅନ୍ୟପଟେ ୪ ଜଣ NDRF ଯବାନ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ୨୨୯ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସର୍ବମୋଟ ୯୦୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୦୯୦ଟି ଆକ୍ଟିଭ କେସ ରହିଛି ।

ଏଥି ସହିତ ରାଜ୍ୟ ୨ ଜଣଙ୍କର ମୁଣ୍ଡ ନେଇଛି କରୋନା । ଏହା ସହ ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି ।

ରାଜ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ, ୮ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା