spot_img
Home Blog Page 6735

HRD ମନ୍ତ୍ରାଳୟର ନାମରେ ପରିବର୍ତ୍ତନ, ନୂଆ ଶିକ୍ଷା ନୀତିକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ: ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମରେ ପରିବର୍ତ୍ତନ କରାଯାଇଛି । ଏହା ନୂଆ ନାମ ହେଉଛି ଶିକ୍ଷା ମନ୍ତ୍ରଣାଳୟ । ଏ ନେଇ କେନ୍ଦ୍ର କ୍ୟାବିନେଟର ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ମୋଦି ସରକାର ମଧ୍ୟ ନୂତନ ଶିକ୍ଷା ନୀତିକୁ ଅନୁମୋଦନ କରିଛନ୍ତି । ଅପରାହ୍ନ ୪ଟାରେ ଆୟୋଜିତ ହେବାକୁ ଥିବା କ୍ୟାବିନେଟ ବ୍ରିଫ୍‌ରେ ସରକାର ଏହି ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିବେ ।

ଉଲ୍ଲେଖ ଯୋଗ୍ୟ ଯେ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ଯେ, ମନ୍ତ୍ରଣାଳୟର ବର୍ତ୍ତମାନର ନାମ ଶିକ୍ଷାମନ୍ତ୍ରଣାଳୟରେ ପରିବର୍ତ୍ତନ କରାଯାଉ । ମୋଦୀ କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହା ସହିତ ନୂତନ ଶିକ୍ଷା ନୀତି ମଧ୍ୟ ଅନୁମୋଦନ କରାଯାଇଥିଲା । ବର୍ତ୍ତମାନ ସମଗ୍ର ଉଚ୍ଚଶିକ୍ଷା କ୍ଷେତ୍ର ପାଇଁ କେବଳ ଗୋଟିଏ ନିୟାମକ ସଂସ୍ଥା ରହିବ ଯାହା ଦ୍ୱାରା ଶିକ୍ଷା କ୍ଷେତ୍ରରେ ବିଶୃଙ୍ଖଳା ଦୂର ହୋଇପାରିବ ।

ଉଚ୍ଚଶିକ୍ଷା ମନ୍ତ୍ରଣାଳୟ ଶିକ୍ଷା କ୍ଷେତ୍ରରେ ନିଷ୍ପତ୍ତି ନେବା ପାଇଁ ଏକ ନିୟମ ପ୍ରଣୟଣ ସଂସ୍ଥା ‘ଜାତୀୟ ଉଚ୍ଚଶିକ୍ଷା ନିୟାମକ ପ୍ରାଧିକରଣ (NHERA) ବା ଭାରତର ଉଚ୍ଚଶିକ୍ଷା ଆୟୋଗ’ ଗଠନ କରିଛି । ଜାତୀୟ ଶିକ୍ଷା ନୀତି 1986 ରେ ପ୍ରସ୍ତୁତ କରାଯାଇଥିଲା ଏବଂ 1992ରେ ଏଥିରେ କିଛି ପରିବର୍ତ୍ତନ କରାଯାଇଥିଲା । ତିନି ଦଶନ୍ଧି ପରେ ମଧ୍ୟ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ ।

କେନ୍ଦ୍ର ସରକାର ଅନୁଭବ କରୁଛନ୍ତି ଯେ, ଶିକ୍ଷା କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନର ଆବଶ୍ୟକତା ରହିଛି । ଯାହାଦ୍ୱାରା ଭାରତ ବିଶ୍ୱରେ ଜ୍ଞାନର ସୁପରପାଓ୍ୱାର ହୋଇପାରିବ । ଏଥିପାଇଁ ସମସ୍ତଙ୍କୁ ଭଲ ଗୁଣରେ ଶିକ୍ଷିତ କରାଯିବା ଆବଶ୍ୟକ ଯାହା ଦ୍ୱାରା ଏକ ପ୍ରଗତିଶୀଳ ଏବଂ ଗତିଶୀଳ ସମାଜ ସୃଷ୍ଟି ହୋଇପାରିବ |

ଶିକ୍ଷା ମନ୍ତ୍ରଣାଳୟର ପ୍ରାଥମିକ ସ୍ତରରେ ଦିଆଯାଇଥିବା ଶିକ୍ଷାର ଗୁଣରେ ଉନ୍ନତି ଆଣିବା ପାଇଁ ଏକ ନୂତନ ଜାତୀୟ ପାଠ୍ୟକ୍ରମର ଫ୍ରେମ୍‌ଓ୍ୱାର୍କ ଉପରେ ଗୁରୁତ୍ୱ ଦିଆଯାଇଛି। ଯେଉଁଥିରେ ବିଭିନ୍ନ ଭାଷା, ଏକବିଂଶ ଶତାବ୍ଦୀର କୌଶଳ, କ୍ରୀଡା, କଳା ଏବଂ ବାତାବରଣ ସହିତ ଜଡିତ ବିଷୟଗୁଡ଼ିକ ମଧ୍ୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ |

ରାଫେଲ ତିଆରି କରୁଥିବା କଂପାନୀ ସହ ଭାରତର ସଂପର୍କ ୬୭ ବର୍ଷ ପୁରୁଣା..

ନୂଆଦିଲ୍ଲୀ:  ଭାରତ ପାଇଁ ଆଜି ଐତିହାସିକ ଦିନ । ଆଜି ଫ୍ରାନ୍ସରୁ ୫ ରାଫେଲ ଲଢୁଆ ବିମାନ ଭାରତରେ ଆସି କିଛି ସମୟ ପରେ ପହଂଚିବ । ହରିଆନାର ଅମ୍ବାଲ ବିମାନଘାଟିରେ ଏହି ୫ ବିମାନ ଲ୍ୟାଣ୍ଡିଂ କରିବେ । ରାଫେଲକୁ ନିର୍ମାଣ କରିଥିବା କଂପାନୀର ନାମ ହେଉଛି ଦସାଲ୍ଟ ଏଭିଏସନ । ଦସାଲ୍ଟ ସାମରିକ ଓ ବେସାମରିକ ବିମାନ ତିଆରି କରିଥାଏ

ଦସାଲ୍ଟ ଓ ଭାରତର ସଂପର୍କ ୬୭ ବର୍ଷ ପୁରୁଣା । ଅର୍ଥାତ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କଠାରୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ସବୁ ପ୍ରଧାନମନ୍ତ୍ରୀଙ୍କ ଅମଳରେ ଦାସଲ୍ଟଠାରୁ ବିମାନ କିଣା ଯାଇଛି ।

୬୭ ବର୍ଷର ପୁରୁଣା ସଂପର୍କ

toofani

୧୯୫୩ ମସିହାରେ ନେହେରୁଙ୍କ ଅମଳରେ ‘ତୁଫାନୀ’ ନାମକ ବୋମବର୍ଷକ ବିମାନ ଭାରତ ଦସାଲ୍ଟଠାରୁ କିଣିଥିଲା ।  ସେତେବେଳେ ଭାରତ ମୋଟ ୧୧୩ ବିମାନ କିଣିଥିଲେ । ଭାରତ ଥିଲା ଦସାଲ୍ଟର ପ୍ରଥମ ବିଦେଶୀ ଗ୍ରାହକ । ୧୯୬୧ ମସିହାରେ ପର୍ତ୍ତୁଗାଲ ଅଧିନରେ ଥିବା ଦିୟୁ ଦ୍ୱିପ ମୁକ୍ତ ପାଇଁ ହୋଇଥିବା ଅପରେସନରେ ତୁଫାନୀ ବିମାନର ବ୍ୟବହାର ହୋଇଥିଲା ।

Mystère IV-A 

ଏହାସହ ୧୯୬୨ ମସିହାର ଭାରତ-ଚୀନ ଯୁଦ୍ଧ ଓ ନାଗାଲାଣ୍ଡରେ ଆତଙ୍କବାଦୀଙ୍କ ଉପରେ ଆକ୍ରମଣରେ ମଧ୍ୟ ତୁଫାନୀର ବ୍ୟବହାର ହୋଇଥିଲା । ତେବେ ୧୯୬୫ ମସିହାରେ ଏହି ଯୁଦ୍ଧ ବିମାନର ବ୍ୟବହାର ଭାରତ ବନ୍ଦ କରିଦେଇଥିଲା । କାରଣ ୧୯୫୭ ମସିହାରେ ଭାରତ ତୁଫାନୀଠାରୁ ଅଧିକ ଶକ୍ତିଶାଳୀ Mystère IV-A  ବିମାନ କିଣିଥିଲା । ଭାରତ ଏଭଳି  ୧୦୦ ବିମାନ କିଣିଥିଲା ।

୧୯୬୦ରେ ଭାରତ ପୁଣିଥରେ ଦସାଲ୍ଟଠାରୁ ଏଲିଜ୍ ବିମାନ କିଣିଥିଲା । ଏହା ଆଣ୍ଟି ସବମେରିନ୍ ଫାଇଟର ପ୍ଲେନ୍ ଥିଲା । ୧୯୭୮ ମସିହାରେ ଭାରତ ଫ୍ରାନ୍ସଠାରୁ ୪୦ଟି ଜାଗୁଆର ବିମାନ କିଣିଥିଲା । ଏହା ସହ ଭାରତରେ ୧୨୦ ଜାଗୁଆରର ଉତ୍ପାଦନ ମଧ୍ୟ ହୋଇଥିଲା । ଶ୍ରୀଲଙ୍କା ଓ କାରଗିଲ ଯୁଦ୍ଧରେ ଏହାର ବ୍ୟବହାର ହୋଇଥିଲା ।
ମିରାଜ୍-୨୦୦୦ ବିମାନ

miraj 2000

୧୯୮୨ ମସିହାରେ ଭାରତ ଦସାଲ୍ଟ ସହ ମିରାଜ୍-୨୦୦୦ ବିମାନ ପାଇଁ ଚୁକ୍ତି କରିଥିଲା । ଭାରତ ମୋଟ ୪୯ଟି ମିରାଜ୍ କିଣିଥିଲା । ୧୯୯୯ ମସିହାର କାରଗିଲ ଯୁଦ୍ଧରେ ମିରାଜ-୨୦୦୦ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା । ଏହାସହ ୨୬ ଫେବ୍ରୁଆରି ୨୦୧୯ ବାଲାକୋଟ୍ ଏୟାର ଷ୍ଟ୍ରାଇକରେ ମିରାଜ-୨୦୦୦ ଭାଗ ନେଇଥିଲା ।  ଏବେ ରାଫେଲ ସହ ଭାରତ ଓ ଦସାଲ୍ଟର ୬୭ ବର୍ଷ ପୁରୁଣା ସଂପର୍କ ଆହୁରି ମଜବୁତ ହେବ ।

 

ଜୟନାରାୟଣଙ୍କ ଦାଦାଗିରିକୁ ଘଣ୍ଟ ଘୋଡାଇଲା ରାଜ୍ୟ ବିଜେପି, ଅମାନିଆଙ୍କୁ ସଭାପତିଙ୍କ ସମର୍ଥନ

ଭୁବନେଶ୍ୱର: ଉପକୂଳ ପରେ ପଶ୍ଚିମ । କରୋନା ମହାମାରୀ ସମୟରେ ବିଜେପି ନେତାଙ୍କ ମହାଭାରତ । ଥରେ କି ଦୁଇ ଥର ନୁହେଁ, ସାମାଜିକ ଦୂରତାକୁ ଦଳଚକଟି ବାରମ୍ବାର କରୁଛନ୍ତି ଶକ୍ତି ପ୍ରଦର୍ଶନ । ଅପରାଜିତା, ବୈଜୟନ୍ତଙ୍କ ପରେ ଅମାନିଆ ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ର । କୋଭିଡ୍ ଗାଇଡଲାଇନ୍‌କୁ ଫୁ କରି ଜିଲ୍ଲାପାଳ ଅଫିସ ଧସେଇ ପଶିଲେ ଜୟନାରାୟଣ । ଦାବି ଜଣାଇବା ବାହାନାରେ କଲେ ଜବରଦସ୍ତ ଦାଦାଗିରି ।

ନିୟମ ଅନୁସାରେ, ୭ରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ । ହେଲେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେବା ପାଇଁ ଶତାଧିକ ସମର୍ଥକଙ୍କୁ ଧରି ବାହାରିଥିଲେ । । ନା ଥିଲା ସମାଜିକ ଦୂରତା ନା ପଟୁଆର ନ କରିବା କଟକଣାର ଭୟ ।  ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ କୋଭିଡି ନିୟମ ପାଳନ ପାଇଁ ବାରମ୍ବାର ଅନୁରୋଧ କରୁଛନ୍ତି । ହେଲେ ତାଙ୍କ ଦଳୀୟ ହେଭିୱେଟ ନେତା ହି ଏହାକୁ ଉଲଂଘନ କରିବାରେ ବ୍ୟସ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶକୁ ଖୋଲାଖୋଲି ବେଖାତିର କରିଛନ୍ତି ଜୟନାରାୟଣ । ବାରଣ କରିବା ପରେ ପୋଲିସ ଡିଏସ୍‌ପିଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଧସେଇ ପଶିଥିଲେ ଜୟନାରାୟଣ ଆଣ୍ଡ କୋ । ଏପରି ଆଚରଣରେ ଆଶ୍ଚର୍ଯ୍ୟ ହେବା ପରେ ପୋଲିସ ଡିଏସପିଙ୍କୁ ଆଙ୍ଗୁଳି ଦେଖାଇଥିଲେ ଜୟନାରାୟଣ ।

କୋଭିଡ ନିୟମ ଉଲଙ୍ଘନ ସହ ଅସଦାଚରଣ ଅଭିଯୋଗରେ ତାଙ୍କ ବିରୋଧରେ ସଂଗୀନ ମାମଲା ବି ରୁଜୁ ହୋଇଛି । ଏପିଡେମିକ୍ସ ଆକ୍ଟର ଧାରା ୭ରେ ମାମଲା ରୁଜୁ ହୋଇଛି । ତେବେ ସମ୍ବଲପୁର ବିଧାୟକଙ୍କ ବିରୋଧରେ ନିୟମ ଭଙ୍ଗ ଅଭିଯୋଗ ନୂଆ ନୁହେଁ । କେତେବେଳେ ୧୪୪ ଧାରାରେ ଖଣ୍ଡାଚାଳନ କରି ଜେଲ୍ ଯାଇଛନ୍ତି ତ ପୁଣି କେତେବେଳେ ରାଜନୈତିକ ହିଂସା ଅଭିଯୋଗରେ ଗିରଫ୍ ହୋଇଛନ୍ତି ଜୟନାରାୟଣ । ୨୦୧୮ ବିଜେପୁର ଉପ-ନିର୍ବାଚନ ସମୟରେ ଜଣେ ବିଜେଡି କର୍ମୀଙ୍କ ହତ୍ୟା ଅଭିଯୋଗରେ ବି ଗିରଫ ହୋଇଥିଲେ । ଏପରିକି ନିଜ ଦଳ ନେତାଙ୍କୁ ନାଲିଆଖି ଦେଖାଇବାକୁ ବି ପଛାଇ ନାହାନ୍ତି ଜୟନାରାୟଣ । ସମୀର ମହାନ୍ତି ଅବଜର୍ଭର ହେଇ ଯାଇଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ।

ବିଜେପି ପାଇଁ ଅମାନିଆ ନେତା ନୂଆ ନୁହନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିନା ମାସ୍କ ପଟୁଆରା ବା ସାମାଜିକ ଦୂରତା ଉଲଂଘନ ଭିଡିଓ ସବୁ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି । ସେହିପରି ପୂର୍ବତନ କେନ୍ଦ୍ରପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ବିରାଟ ବାଇକ ରାଲି ବି କରିବାକୁ ପଛାଇ ନଥିଲେ ।

ତେବେ ପ୍ରଶ୍ନ ଉଠୁଛି, ଏଭଳି ଆଚରଣ ପରେ କାହିଁକି ଗିରଫ ହେବେନି ଜୟନାରାୟଣ? ସାତ ଜଣରୁ ଏକାଠି ହେବାର ନିୟମକୁ କାହିଁକି ଭଙ୍ଗ କଲେ ? ପ୍ରଶାସନ ଯଦି ରୋକିବାକୁ ଚାହିଁଲା ତେବେ କାହିଁକି ଅପେକ୍ଷା କଲେନି ଜୟନାରାୟଣ ? ଦାଦାଗିରି ଦେଖାଇ କଣ ପ୍ରମାଣ କରିବାକୁ ଚାହୁଁଛନ୍ତି ଜୟନାରାୟଣ ? ଦଳୀୟ ସଭାପତିଙ୍କ ସମର୍ଥନ କେତେ ଦୂର ଯୁକ୍ତିଯୁକ୍ତ ? ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ଦଳୀୟ ନେତାଙ୍କ ବେଖାତିର କାହିଁକି ? ବାରମ୍ବାର ବିଜେପି ନେତା ଏପରି ଅମାନିଆ ହେବାର କାରଣ କଣ? ଏକାସାଙ୍ଗରେ ୨୦ ଜଣ ଯିବା କଣ ନିହାତି ଜରୁରୀ ଥିଲା ? ଗୁଣ୍ଡାଗର୍ଦ୍ଦି କଣ ବିଜେପିର ନୂଆ ପରିଚୟ ? ଏପର୍ଯ୍ୟନ୍ତ ତାଙ୍କୁ କାହିଁକି ଗିରଫ କରାଯାଇନି? ଲୋକ ସଂକ୍ରମଣ ସହ ଯୁଝୁଛନ୍ତି, ତଥାପି ରାଜନୀତିର ଭାଷା କାହିଁକି କହୁଛନ୍ତି ରାଜନେତା? କରୋନା ସମୟରେ ରାଜନୀତି କରିବାକୁ ଏତେ ବିକଳ କାହିଁକି ବିଜେପି ?

କୋଭିଡ୍ ନିୟମ ଉଲଙ୍ଘନ କରି ଅଡୁଆରେ ବିଜେପି ନେତା, ଜୟନାରାୟଣ ମିଶ୍ରଙ୍କ ନାମରେ ଏତଲା…….

ରିୟାଙ୍କୁ ଖୋଜୁଛି ବିହାର ପୋଲିସ,ଫ୍ଲାଟରୁ ଉଭାନ ଅଭିନେତ୍ରୀ !

ମୁମ୍ବାଇ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତିଙ୍କ ବିରୋଧରେ ସୁଶାନ୍ତ ସିଂ ରାଜପୁତଙ୍କ ବାପା ଏତଲା ଦେବା ପରଠାରୁ ରିୟା ନିଖୋଜ ଅଛନ୍ତି । କୁହାଯାଉଛି ଯେ, ରିୟା ଗିରଫଦାରୀ ଏଡାଇବା ପାଇଁ କେଉଁଆଡେ ଫେରାର ହୋଇଯାଇଛନ୍ତି । ରିୟା ତାଙ୍କ ଫ୍ଲାଟରେ ନଥିବା ସୂଚନା ମିଳୁଛି । ତାଜା ସୂଚନା ଅନୁସାରେ ରିୟାଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟକୁ ବିହାର ଓ ସ୍ଥାନୀୟ ପୋଲିସ ଯାଇଥିଲେ କିନ୍ତୁ ସେଠାରେ ତାଙ୍କୁ ପାଇନଥିଲେ । ତେବେ ଏପର୍ଯ୍ୟନ୍ତ ତାଙ୍କୁ ଫେରାର ଘୋଷଣା କରାଯାଇନାହିଁ । କାରଣ ରିୟା ଏବେ ମଧ୍ୟ ନିଜ ଓକିଲଙ୍କ ସଂପର୍କରେ ଅଛନ୍ତି । କୁହାଯାଉଛି ଯେ, ରିୟା ଅଗ୍ରୀମ ଜାମିନ ଆବେଦନ କରିବେ ।

riya
ସୂଚନାଯୋଗ୍ୟ ଯେ,  ସୁଶାନ୍ତ ସିଂ ରାଜପୁତଙ୍କ ପିତାଙ୍କ ଦ୍ୱାରା ରିୟା ଓ ତାଙ୍କ ପରିବାର ବିରୋଧରେ ସାଂଘାତିକ ଅଭିଯୋଗ କରାଯାଇଛି । ରିୟା ଓ ତାଙ୍କ ପରିବାର ସୁଶାନ୍ତଙ୍କଠାରୁ ୧୪ କୋଟି ଠକି ନେଇଥିଲେ ବୋଲି ସୁଶାନ୍ତଙ୍କ ପିତା ଅଭିଯୋଗ କରିଛନ୍ତି । ଏହା ସହ ରିୟା ଜୁନ୍ ୬ ତାରିଖ ଦିନ ସୁଶାନ୍ତଙ୍କ ଘରୁ ତାଙ୍କ ମେଡିକାଲ ରିପୋର୍ଟ ସହ ନଗଦ ଟଙ୍କା ଆଦି ଚୋରି କରିନେଇଥିଲେ । ମେଡିକାଲ ରିପୋର୍ଟ ଆଧାରରେ ସୁଶାନ୍ତଙ୍କୁ ରିୟା ବ୍ଲାକମେଲିଂ କରୁଥିଲେ ବୋଲି ପିତା କେ କେ ସିଂ ଅଭିଯୋଗ କରିଛନ୍ତି । ସୁଶାନ୍ତ କେରଳରେ ଜୈବିକ ଚାଷ କରିବାକୁ ଇଛୁକ ଥିଲେ କିନ୍ତୁ ରିୟା ତାଙ୍କୁ ଏଭଳି କରିବାକୁ ଦେଉନଥିଲେ । ସୁଶାନ୍ତଙ୍କୁ ମିଳୁଥିବା ଫିଲ୍ମରେ ରିୟା ଅଭିନୟ କରିବାକୁ ଚାହୁଁଥିଲେ,ଏଥିପାଇଁ ସେ ସୁଶାନ୍ତଙ୍କ ଉପରେ ଚାପ ପ୍ରୟୋଗ କରୁଥିଲେ ବୋଲି ଏତଲାରେ ଉଲ୍ଲେଖ ଅଛି ।

ଅଗ୍ରୀମ ଜାମିନ ପାଇଁ ଉଦ୍ୟମ କରୁଛନ୍ତି ରିୟା

ରିୟା ଆଜି କୋର୍ଟରେ ଅଗ୍ରୀମ ଜାମିନ ଆବେଦନ କରି ପାରନ୍ତି ।  ଗିରଫଦାରୀରୁ ବଂଚିବା ପାଇଁ ରିୟା ସବୁ ଉଦ୍ୟମ କରୁଛନ୍ତି । ଗତକାଲି ବରିଷ୍ଠ ଆଇନଜୀବୀ ସତୀଶ ମାନେ ଶିନ୍ଦେଙ୍କ ଜୁନିଅର ଓକିଲ ରିୟାଙ୍କ ଘରେ ପହଂଚିଥିଲେ । ମିଳୁଥିବା ସୂଚନା ଅନୁସାରେ ରିୟା ଓକିଲଙ୍କୁ ନିଜ ମଂଜୁରୀ ଦସ୍ତଖତ କରି ଦେଇଛନ୍ତି । ଯାହାପରେ ସେ ଆଗକୁ ଆଇନଗତ ସାହାଯ୍ୟ ନେଇପାରିବେ । ତେବେ ରିୟା କେବେ ଓ କେତେବେଳେ ଅଦାଲତରେ ଜାମିନ ଆବେଦନ କରିବେ ସେ ବାବଦରେ ଏପର୍ଯ୍ୟନ୍ତ କିଛି ଜଣା ପଡିନାହିଁ ।

https://www.youtube.com/watch?v=Zxf8JeL0Vnc

ରିୟାଙ୍କ ବିରୋଧରେ FIR ଦାଖଲ ପରେ କ୍ରୋଧ ପ୍ରକାଶ କଲେ ପ୍ରଶଂସକ, ବିଭିନ୍ନ ମହଲରୁ ଟ୍ରୋଲ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବଡ଼ ଟ୍ୱିଷ୍ଟ ସାମ୍ନାକୁ ଆସିଛି । ସୁଶାନ୍ତଙ୍କ ବାପା ଅଭିନେତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫଆଇଆର ଦାଖଲ କରି ଗମ୍ଭୀର ଅଭିଯୋଗ ଆଣିଛନ୍ତି । ବ୍ଲାକମେଲିଂ ଠାରୁ ଆରମ୍ଭ କରି ମାନସିକ ପ୍ରତାଡ଼ନା ପର୍ଯ୍ୟନ୍ତ ଅନେକ ପ୍ରକାର ଅଭିଯୋଗ ରିୟା ବିରୋଧରେ ଆସିଛି ।

ଏବେ ସୁଶାନ୍ତଙ୍କ ଫ୍ୟାନ୍ସ ସାସିଆଲ ମିଡିଆରେ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ତାଙ୍କ କ୍ରୋଧ ପ୍ରକାଶ କରୁଛନ୍ତି । ରିୟା ଚକ୍ରବର୍ତ୍ତୀ ନିକଟରେ ସୁଶାନ୍ତଙ୍କ ଆତ୍ମହତ୍ୟା ନେଇ ସିବିଆଇ ଯାଞ୍ଚର ଦାବି କରିଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପରେ ବିଭିନ୍ନ ମହଲରୁ ତାଙ୍କୁ ଟ୍ରୋଲ କରାଯାଉଛି । ସମସ୍ତେ ରିୟାଙ୍କୁ ଟାଗ୍ରେଟ କରୁଛନ୍ତି ଏବଂ ତାଙ୍କ ଗିରଫଦାରୀ ପାଇଁ ଦାବି କରୁଛନ୍ତି ।

ଯାଞ୍ଚରେ ଆସିଥିବା ଏହି ବଡ଼ ଟ୍ୱିଷ୍ଟରେ ଅନେକ ଲୋକ ଖୁସି ଥିବାବେଳେ କିଛି ପ୍ରଶଂସକ ତାଙ୍କ କ୍ରୋଧ ବ୍ୟକ୍ତ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯେ, ‘ମୁଁ ଖୁବ କ୍ରୋଧିତ, ରିୟା ସୁଶାନ୍ତଙ୍କ ଟଙ୍କା, ଗହଣା ଏବଂ ମେଡିକାଲ ରିପୋର୍ଟ ସବୁ ଚୋରୀ କରିନେଇଥିଲା । ସେ ରିପୋର୍ଟ ମାଧ୍ୟମରେ ସୁଶାନ୍ତଙ୍କୁ ବ୍ଲାକମେଲ କରୁଥିଲା ଏବଂ ସୋସିଆଲ ମିଡିଆରେ ରିପୋର୍ଟ ସବୁ ଲିକ୍ କରିଦେବା ଭଳି ଧମକ ମଧ୍ୟ ଦେଇଥିଲା । ସୁଶାନ୍ତଙ୍କୁ ରିୟା ଯୋଗୁଁ ବହୁତ କିଛି ସହିବାକୁ ପଡ଼ିଥିଲା ।’

ଅନ୍ୟ ପଟେ ଆଉ ଜଣେ ୟୁଜର୍ସ ରିୟାର ପୁରା ପରିବାର ବିରୋଧରେ ନିଜର କ୍ରୋଧ ଜାହିର କରିଛନ୍ତି । ୟୁଜର୍ସଙ୍କ ମୁତାବକ ସୁଶାନ୍ତଙ୍କ ପରେ ରିୟାର ପରିବାର ଆଉ ଏକ ଶିକାର ଉପରେ ନଜର ପକାଉଥିବେ  । କିନ୍ତୁ ଏବେ ବୋଧେ ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରିବ ନାହିଁ । ୟୁଜର୍ସ ଜଣଙ୍କ ସୁଶାନ୍ତଙ୍କ ମାମଲାରେ ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି ।

କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ରିୟାଙ୍କୁ ଜେଲ ପଠାଇବା ପାଇଁ ଦାବି କରୁଛନ୍ତି ।  ସୋସିଆଲ ମିଡିଆର ଏକ ପୋଷ୍ଟ ମାଧ୍ୟମରେ କୁହାଯାଇଛି ଯେ, ‘ସତ୍ୟର ବିଜୟ ହୋଇଥାଏ । ସେ ସମୟକୁ ମୁଁ ଅପେକ୍ଷା କରିଛି ଯେବେ ରିୟା, ସନ୍ଦୀପ, ସିନ୍ଧାର୍ଥ ପିଠାନୀକୁ ଜେଲକୁ ପଠାଯିବ । ମୁଁ ଆଶା କରୁଛି ସମସ୍ତେ ନର୍କକୁ ଯାଆନ୍ତୁ ।’

https://twitter.com/usha33074667/status/1288139360987049985

ଆଗରୁ ସୂଚନା ରହିଛି ଯେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ବାହାର କରିଥିଲେ ।  ଏହି କଥାରେ ଲୋକମାନେ ରିୟାଙ୍କୁ ଖୁବ ଟ୍ରୋଲ କରିଛନ୍ତି । ଜଣେ ୟୁଜର୍ସ କହିଛନ୍ତି ଯେ, ସୁଧ ସମେତ ରିୟାଙ୍କ ପାଖରୁ ସବୁ ଟଙ୍କା ଅଣାଯାଉ । ୟୁଜର୍ସ ଜଣଙ୍କ ଏହା ମଧ୍ୟ କହିଛନ୍ତି ଯେ, ମହେସ ଭଟ୍ଟ ଏହି ସବୁ ଟଙ୍କା ଫେରାଇବାରେ ରିୟାଙ୍କ ସାହାଯ୍ୟ କରିପାରନ୍ତି ।

ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ବିଷୟରେ ଅନେକ ପୋଷ୍ଟ ଭାଇରାଲ ହେଉଛି । ଲୋକଙ୍କର ଭିନ୍ନ ଭିନ୍ନ ମତ ଆସୁଛି ସତ କିନ୍ତୁ ସମସ୍ତେ ବର୍ତ୍ତମାନ ସୁଶାନ୍ତଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରୁଛନ୍ତି । ମାମଲାରେ ସିବିଆଇ ଯାଞ୍ଚର ଦାବିକୁ ମଧ୍ୟ ତୀବ୍ର କରିଦିଆଯାଇଛି ।

ଅନ୍ୟପଟେ ବିହାରରୁ ପୋଲିସର ଏକ ଟିମ ମୁମ୍ବାଇ ପହଞ୍ଚି ସାରିଲାଣି । ବର୍ତ୍ତମାନ ମୁମ୍ବାଇ ପୋଲିସ ସମେତ ବିହାର ପୋଲିସ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଯାଞ୍ଚ ଆରମ୍ଭ କରିବ । ସୁଶାନ୍ତଙ୍କ ବାପା ଯେଉଁ ଏଫଆଇଆର ଦାଖଲ କରିଛନ୍ତି, ସେହି ଆଧାରରେ ପୋଲିସ ଯାଞ୍ଚ ଆଗକୁ ବଢ଼ାଇବ ।

https://www.youtube.com/watch?v=Zxf8JeL0Vnc

 

ମାମଲା ଦୁର୍ବଳ କରିବାକୁ ଲାଞ୍ଚ ନେଉଥିଲେ ପୋଲିସ ବାବୁ ! ଯୋଜନା ମୁତାବକ ଧରିଲା ଭିଜିଲାନ୍ସ

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପୋଲିସ ବାବୁ । ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍-ଇନିସ୍ପେକ୍ଟର । କାର୍ଯ୍ୟରେ ଅବହେଳା କରିବାକୁ ୧୦ହଜାର ଟଙ୍କା ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଟଙ୍କା ନେଇ ଅଭିଯୁକ୍ତକୁ ଖସାଇ ଦେବା ପ୍ଲାନ୍ ଫେଲ ମାରିଲା ଶେଷରେ ଧରା ହେଲେ ପୋଲିସ ବାବୁ ।

ଘଟଣାଟି ହେଉଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନାର । ଥାନାରେ କର୍ଯ୍ୟରତ ଥିବା ସମୟରେ ସବଇନିସ୍ପେକ୍ଟର ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କରିଛି ବଲାଙ୍ଗିର ଭିଜିଲାନ୍ସ । ଗିରଫ ସବଇନିସ୍ପେକ୍ଟର ହେଉଛନ୍ତି  ସରୋଜ ରଥ । ସୂଚନା ଅନୁସାରେ, ଗତ ୨୦୧୯ ମସିହାରେ  ମୁରୁବାହାଲ ଥାନା ଖରବାହାଲି, ଗୁଡିଘାଟ ଗାଁର ସଂଜୀବ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ଜଣେ ମହିଳା ଏତଲା ଦେଇଥିଲେ । ଏହି ମାମଲାର ଚାର୍ଜସିଟକୁ ହାଲୁକା ଭାବେ ଲେଖିବାକୁ ଥାନାର ସବଇନିସ୍ପେକ୍ଟର ସରୋଜ ରଥ ଆଜି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

ଏହି ସମୟରେ ଯୋଜନା ମୁତାବକ ବଲାଙ୍ଗିର ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲଙ୍କ ନେତ୍ରୁତ୍ୱରେ ଭିଜିଲାନ୍ସ ଟିମ୍ ଚଢାଉ କରି ଅଭିଯୁକ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରିଛି । ରସାୟନ ପ୍ରଲେପ ବୋଳା ୧୦ ହଜାର ଟଙ୍କାକୁ ମଧ୍ୟ ଭିଜିଲାନ୍ସ ତାଙ୍କ ନିକଟରୁ ଜବତ କରିଛି । ଏହି ଚଢ଼ାଉରେ ବଲାଙ୍ଗୀର ଟିମ ସମେତ ସମ୍ବଲପୁର ଓ ବରଗଡ ଟିମ୍ ସାମିଲ ଥିଲେ ।

ଓଡ଼ିଆ ଆଦିବାସୀ ଝିଅ ହେଲେ ଜାତିସଂଘ ମହାସଚିବଙ୍କ ଜଳବାୟୁ ପରିବର୍ତ୍ତନ ଯୁବ ପରାମର୍ଶଦାତା

ଭୁବନେଶ୍ୱର: ଓଡ଼ିଶାର ଆଦିବାସୀ ଝିଅ ଅର୍ଚ୍ଚନା ସୋରେଙ୍ଗଙ୍କ ସଫଳତା । ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଟେକ ରଖିଲେ ଅର୍ଚ୍ଚନା ।  ୟୁନାଇଟେଡ ନେସନର ସେକ୍ରେଟାରୀ ଜେନେରାଲଙ୍କ ଜଳବାୟୁ ପରିବର୍ତ୍ତନର ଯୁବ ପରାମର୍ଶଦାତା ଦଳରେ ସାମିଲ ହେଲେ ଅର୍ଚ୍ଚନା । ଅନ୍ତର୍ଜାତୀୟ ସ୍ତରର ଏହି ଦଳରେ ଭାରତରୁ ପ୍ରତିନିଧିତ୍ୱ କରିବେ ଅର୍ଚ୍ଚନା । ସୁନ୍ଦରଗଡର ଆଦିବାସୀ ପରିବାରରେ ଅର୍ଚ୍ଚନା ଜନ୍ମ । ଅର୍ଚ୍ଚନାଙ୍କୁ ଏହି ଦାୟିତ୍ୱ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ, ଜାତିସଂଘ ସୋମବାର ଏକ ବିବୃତ୍ତିରେ କହିଛି ଯେ ସୋରେଙ୍ଗ ‘ଓକିଲାତି ଏବଂ ଅନୁସନ୍ଧାନରେ ଅଭିଜ୍ଞ ଏବଂ ପାରମ୍ପାରିକ ସମ୍ପ୍ରଦାୟର ପାରମ୍ପାରିକ ଜ୍ଞାନ ଏବଂ ସାଂସ୍କୃତିକ ଆଚାର ବ୍ୟବହାରକୁ ମଜବୁତ, ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି’।

ସୋରେଙ୍ଗ କହିଛନ୍ତି, ‘ଆମର ପୂର୍ବଜମାନେ ପାରମ୍ପାରିକ ଜ୍ଞାନ ଏବଂ ଅଭ୍ୟାସ ଦ୍ୱାରା ଜଙ୍ଗଲ ଏବଂ ପ୍ରକୃତିକୁ ଯୁଗ ଯୁଗରୁ ରକ୍ଷା କରି ଆସିଛନ୍ତି । ଏବେ ଆମମାନଙ୍କର ପାଳି ଯେ ଆମେ ବର୍ତ୍ତମାନ ଜଳବାୟୁ ସଙ୍କଟର ମୁକାବିଲା ପାଇଁ ଅଗ୍ରିମ ମୋର୍ଚ୍ଚାରେ କାମ କରୁ । ତେବେ ଏଠାରେ ସୂଚନା ଥାଉ କି, ସୋରେଙ୍ଗ ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (ଟିସ୍) ରୁ ଅଧ୍ୟୟନ କରିଥିଲେ ଏବଂ ଟିସ୍ ଷ୍ଟୁଡେଣ୍ଟସ୍ ଆସୋସିଏସନର ପୂର୍ବତନ ସଭାପତି ମଧ୍ୟ ଥିଲେ ।

ରାଜ୍ୟରେ କରୋନା ଜନିତ ମୃତ୍ୟୁ ୧୫୯କୁ ବୃଦ୍ଧି

ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି କରୋନା । ରାଜ୍ୟରେ ବୁଧବାରରେ ଆଉ ୫ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଗତକାଲି ୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୫ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୧୫୯ରେ ପହଞ୍ଚିଛି । ୫ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

ବୁଧବାର ମୃତ୍ୟୁ ବରଣ କରିଥିବା ସଂକ୍ରମିତ ହେଉଛନ୍ତି ଗଞ୍ଜାମରୁ ୬୦ବର୍ଷୀୟ ମହଳା ଯିଏ କି ପୂର୍ବରୁ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ ।  ମାଲକାନଗିରିରୁ ଜଣେ ୬୨ବର୍ଷିୟ ମହିଳାଙ୍କ ମୃତ୍ୟୁ ହୋଇଛି ସେ ପୂର୍ବରୁ ଉଚ୍ଚରକ୍ତ ଚାପ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି । ଫୁଲବାଣୀରୁ ମୃତ୍ୟୁ ବରଣ କରିଥିବା ୫୦ବର୍ଷିୟ ପୁରୁଷ ଜଣଙ୍କ ପୂର୍ବରୁ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ । ସେହିଭଳି ବାଲେଶ୍ୱରରୁ ଜଣେ ୪୫ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଛି ସେ କରୋନା ସଂକ୍ରମିତ ହେବା ସହ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ଏହାସହ ପୁରୀରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୯ ହଜାର ପାର୍

ଅନ୍ୟପଟେ ବୁଧବାରରେ ୨୪ ଘଣ୍ଟାରେ  ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୨୯ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । । ମୋଟ୍ ସଂକ୍ରମିତ ସଂଖ୍ୟା ୨୯ହଜାର ୧୭୫କୁ ବୃଦ୍ଧି ହୋଇଛି ।  ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି ପାଇଛି । ଏହାସହ ୧୮ହଜାର ୬୦ଜଣ କରୋନା ମୁକ୍ତ ହୋଇ ଘରକୁ ଫେରିଛନ୍ତି । ଏବଂ ରାଜ୍ୟରେ ସମୁଦାୟ ୧୦ହଜାର ୯୨୦ଜଣ ସଂକ୍ରମିତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଆଜି ବିଶ୍ୱ ବ୍ୟାଘ୍ର ଦିବସ, ବାଘଙ୍କ ସୁରକ୍ଷା ପାଇଁ ଟ୍ୱିଟ୍ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଶ୍ୱ ବ୍ୟାଘ୍ର ଦିବସ । ବାଘ ମାନଙ୍କ ବଂଶ ରକ୍ଷା କରିବା ପାଇଁ ଏହି ଦିବସ ପାଳନ କରାଯାଏ । ବାଘକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହି ଆସିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ନନ୍ଦନକାନନର ଧଳା ବାଘ ଗୌରବ ସାରା ବିଶ୍ୱରେ ଭିନ୍ନ ପରିଚୟ ସୃଷ୍ଟି କରିଛି । ବର୍ତମାନ ସୁଦ୍ଧା ନନ୍ଦନକାନନରେ ୧୪୨ଟି ଧଳା ବାଘ ଜନ୍ମ ନେଇଛନ୍ତି, ସେଥିମଧ୍ୟରୁ ୧୦୪ଟିଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ଟି ଧଳା ବାଘକୁ ଅନ୍ୟତ୍ର ବିଭିନ୍ନ ଚିଡ଼ିଆଖାନାକୁ ପଠାଯାଇଛି । ବର୍ତ୍ତମାନ ୮ଟି ଧଳା ବାଘ ସମେତ ପ୍ରାଣୀଉଦ୍ୟନରେ ମୋଟ ୨୭ଟି ବାଘ ଅଛନ୍ତି ।

ତେବେ ବିଶ୍ୱ ବ୍ୟାଘ୍ର ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ବାଘ ମାନଙ୍କ ସୁରକ୍ଷା ଏବଂ ତାଙ୍କ ବଂଶ ବିସ୍ତାର ପାଇଁ ଅପିଲ କରିଛନ୍ତି ।  ବାଘ ମାନଙ୍କ ପାଇଁ ଏକ ଉପଯୁକ୍ତ ଇକୋ ସିଷ୍ଟମ ସହିତ ସୁରକ୍ଷିତ ବାସସ୍ଥାନ ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଶ୍ୱର ୭୦ ପ୍ରତିଶତ ବାଘ ଭାରତରେ ଅଛନ୍ତି । ଓଡ଼ିଶାରେ ୨୮ଟି ବାଘ ଥିବା କେନ୍ଦ୍ର ଜଙ୍ଗଲ ମନ୍ତ୍ରଣାଳୟର ରିପୋର୍ଟ କହୁଛି । ୨୦୧୮ ମସିହାରେ କରାଯାଇଥିବା ବାଘ ଗଣନାରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ବିଂଶ ଶତାବ୍ଦୀର ଆରମ୍ଭରେ ଭାରତରେ ଏକ ଲକ୍ଷ ବାଘ ଥିବାର କୁହାଯାଏ । କିନ୍ତୁ ଅବାଧ ଶିକାର ପାଇଁ ଭାରତରେ ବାଘ ସଂଖ୍ୟା ନାମମାତ୍ର ରହିଯାଇଛି ।

 

ବୈଠକରେ ଅଧିକ ସଂକ୍ରମିତ ହୋଇଥିବା ୪ଜିଲ୍ଲା ଉପରେ ଫୋକସ୍ ଦିଆଯିବ

ଭୁବନେଶ୍ୱର: କରୋନାକୁ ମାତ ଦେବାକୁ ଅଣ୍ଟାଭିଡ଼ିଛନ୍ତି ରାଜ୍ୟ ସରକାର । ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । ରାଜ୍ୟରେ କିଭଳି କରୋନାକୁ ନିୟନ୍ତ୍ରଣ କରାଯାଇ ପାରିବ ସେନେଇ ଆଲୋଚନା ମଧ୍ୟ କରାଯାଉଛି ।

ତେବେ ଆଜି କରୋନା ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଭିଡିଓ କନଫରେନ୍‌ସିଂ ଜରିଆରେ ହେବାକୁ ଥିବା ଏହି ବୈଠକରେ ବାଚସ୍ପତି, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସବୁ ବିଧାୟକ ଭାଗ ନେବାର ଯୋଜନା ରହିଛି । ଅପରାହ୍ନ ୫ଟାରେ ବୈଠକ ବସିବା ନେଇ ନିଷ୍ପତ୍ତି ନିଆଯାଇଛି ।

ଜୁଲାଇ ମାସରେ କରୋନା ଯେପରି ୪ଟି ଜିଲ୍ଲାରେ ବୃଦ୍ଧି ପାଇଛି ଓ ଏହାକୁ ନିୟନ୍ତ୍ରଣ କରିବା ସହ ପ୍ଲାଜ୍‌ମା ଥେରାପି ସଫଳ ହୋଇଛି । ଏବଂ ଏନେଇ ରାଜ୍ୟ ସରକାର ଯେଉଁ ପ୍ରୟାସ କରି ସଫଳ ହୋଇଛନ୍ତି, ତା’ ଉପରେ ଆଲୋଚନା ମଧ୍ୟ ହେବ । ବାଚସ୍ପତି, ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତା ବୈଠକରେ ମତ ରଖିବେ । ବିଧାୟକ ଓ ମନ୍ତ୍ରୀମାନେ ଜିଲ୍ଲାସ୍ତରରୁ ବୈଠକରେ ସାମିଲ ହେବେ  । ସ୍ୱାସ୍ଥ୍ୟ ବିଭାଗର ଏପରି ପ୍ରୟାସକୁ ସବୁ ରାଜନୈତିକ ଦଳ ସ୍ୱାଗତ କରିଛନ୍ତି।