spot_img
Home Blog Page 682

ୟୁକ୍ରେନକୁ ଛାରଖାର କଲାଣି ରୁଷ : ୪୦୭ ଡ୍ରୋନ୍ ସମେତ ୪୫ଟି କ୍ଷେପଣାସ୍ତ୍ର ମାଡ଼

ନନ୍ଦିଘୋଷ ବ୍ୟୁରୋ: ୟୁକ୍ରେନ ଉପରେ ରୁଷର ଜବରଦସ୍ତ ହମଲା । ୟୁକ୍ରେନର ଡ୍ରୋନ ହମଲାର ଜବାବ ମିସାଇଲରେ ଦେଇଛି ରୁଷିଆ। ଋଷ ୪୦୦ରୁ ଅଧିକ ଡ୍ରୋନ୍ ଏବଂ ୪୦ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି । ୟୁକ୍ରେନର ପ୍ରାୟ ସମସ୍ତ ପ୍ରମୁଖ ଅଞ୍ଚଳ ଉପରେ ଆକ୍ରମଣ କରିଛି ରୁଷ । ୟୁକ୍ରେନର ଭୋଲିନ୍, ଲ୍ଭିଭ୍, ଟେର୍ନୋପିଲ୍, କିଭ୍, ସୁମି, ପୋଲ୍ଟାଭା, ଖମେଲନିସିଟି, ଚେର୍କାସି ଏବଂ ଚେର୍ନିହିଭେରକୁ ଛାରଖାର କରିଦେଇଛି ଋଷିଆ । ମାତ୍ର ତିନି ଘଣ୍ଟା ମଧ୍ୟରେ, ରୁଷ ୟୁକ୍ରେନ ଉପରେ ୪୦୭ ଡ୍ରୋନ୍ ଏବଂ ୪୫ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା, ଯେଉଁଥିରେ କିଭ୍ ରେ ତିନି ଜଣ ପ୍ରାଣ ହରାଇବା ସହିତ ବହୁ ଲୋକ ଆହତ ହୋଇଛନ୍ତି ।

ୟୁକ୍ରେନ ଦ୍ୱାରା ରୁଷିଆ ଏୟାରବେସ ଉପରେ ଡ୍ରୋନ ଆକ୍ରମଣର ଜବାବରେ ଏହି ଆକ୍ରମଣ କରିଛି ଋଷିଆ । ୟୁକ୍ରେନର ଆକ୍ରମଣ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମାଧ୍ୟମରେ ଚେତାବନୀ ଦେଇଥିଲେ ଯେ କଡ଼ା ଜବାବ ଦିଆଯିବ । ଏବଂ ଶେଷରେ ଏହା ହିଁ ଘଟିଛି । ରୁଷିଆ ରାତାରାତି ୟୁକ୍ରେନର ନଅଟି ଭିନ୍ନ ଭିନ୍ନ ଅଞ୍ଚଳରେ ମିସାଇଲ ପକାଇଛି, ଯେଉଁଥିରେ ନାଟୋ ଏବଂ ୟୁରୋପୀୟ ସଂଘ ସୀମା ସଂଲଗ୍ନ ଲ୍ଭିଭ୍ ଏବଂ ଭୋଲିନ୍ ଭଳି ପଶ୍ଚିମ ଅଞ୍ଚଳ ଅନ୍ତର୍ଭୁକ୍ତ ରହିଛି ।

ଆକ୍ରମଣ ପରେ ରୁଷିଆର ପ୍ରତିକ୍ରିୟା

ଆକ୍ରମଣ ପରେ, କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ ସ୍ପଷ୍ଟ ଭାବରେ କହିଥିଲେ ଯେ ୟୁକ୍ରେନ ଯୁଦ୍ଧ ଏବେ ଆମ ପାଇଁ ଅସ୍ତିତ୍ୱର ପ୍ରଶ୍ନ। ଆମର ଜାତୀୟ ସୁରକ୍ଷା ପାଇଁ, ଆମ ପିଲାମାନଙ୍କ ଭବିଷ୍ୟତ ପାଇଁ ଏବଂ ସମଗ୍ର ଦେଶ ପାଇଁ। ତାଙ୍କର ପ୍ରତିକ୍ରିୟା ଦର୍ଶାଉଛି ଯେ, ରୁଷ ଏବେ ଏହି ଯୁଦ୍ଧକୁ କେବଳ ସୀମା ବିବାଦ ନୁହେଁ ତାହା ଠାରୁ ଅଧିକ ଭାବୁଛି ।

ଜେଲେନ୍ସକି କ’ଣ କହିଥିଲେ?

ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ରୁଷର ଆକ୍ରମଣକୁ ନିନ୍ଦା କରି କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ରୁଷ ଯୁଦ୍ଧ ଶେଷ କରିବାକୁ ଚାହୁଁନାହିଁ। ସେ ପଶ୍ଚିମ ଦେଶମାନଙ୍କୁ ରୁଷ ଉପରେ ଚାପ ବୃଦ୍ଧି କରିବା ଏବଂ ଏହାର ସାମରିକ କ୍ଷମତାକୁ ସୀମିତ କରିବା ପାଇଁ ନିବେଦନ କରିଛନ୍ତି। ଜେଲେନ୍ସକି ଶାନ୍ତି ଆଲୋଚନା ପାଇଁ ରୁଷର ସର୍ତ୍ତଗୁଡ଼ିକୁ ପ୍ରତ୍ୟାଖ୍ୟାନ କରି ଏହାକୁ ପୁରୁଣା ଅଲ୍ଟିମେଟମ୍ ବୋଲି କହିଛନ୍ତି, ଯେଉଁଥିରେ ୟୁକ୍ରେନର ଚାରୋଟି ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବା, ପଶ୍ଚିମ ସହାୟତା ବନ୍ଦ କରିବା ଏବଂ ନାଟୋରେ ଯୋଗ ନଦେବା ଦାବି ଅନ୍ତର୍ଭୁକ୍ତ ।

ଶାନ୍ତି ଆଲୋଚନାରେ କ’ଣ ହେଇଥିଲା ?

ଆଲୋଚନାର ପ୍ରୟାସ ଏପର୍ଯ୍ୟନ୍ତ ବିଫଳ ହୋଇଛି। ତୁର୍କୀରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ମଧ୍ୟ ବିନା ନିଷ୍ପତ୍ତିରେ ଶେଷ ହୋଇଥିଲା। ରୁଷର ଆକ୍ରମଣାତ୍ମକ କାର୍ଯ୍ୟ ଏବେ ଦର୍ଶାଉଛି ଯେ କୂଟନୈତିକ ଉପାୟରେ ଶାନ୍ତିର ଆଶା ବର୍ତ୍ତମାନ ମଳିନ ପଡ଼ିଛି। ଆମେରିକା ଏବଂ ତୁର୍କୀ ଭଳି ଦେଶ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଥିବା ବେଳେ, ରୁଷର ଅସ୍ତିତ୍ୱଗତ ଚିନ୍ତା ଆଲୋଚନାର ପଥକୁ ଆହୁରି କଷ୍ଟକର କରୁଛି ।

୪ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି

ଭୁବନେଶ୍ବର : ଶେଷ ହେଲା ରାଜ୍ୟ କ୍ୟାବିନେଟ ବୈଠକ। ୪ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ସହରାଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା କାର୍ଯ୍ୟକାରୀ କରାଯିବ।

୫ ବର୍ଷ ପାଇଁ ଏହି ଯୋଜନା ଲାଗୁ ହେବ। ଖର୍ଚ୍ଚ ହେବ ୬ ହଜାର ୧୦୦ କୋଟି ଟଙ୍କା। ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ଚାଲିବ ଯୋଜନା। ସହରାଞ୍ଚଳ ଭିତ୍ତିଭୂମି, ଶ୍ରମିକଙ୍କ କରାଯିବ ଦକ୍ଷତା ବିକାଶ। ନାର୍କୋଟିକସ କଣ୍ଟ୍ରୋଲ ବୋର୍ଡ଼କୁ ଜମି ବାବଦ ଅତିରିକ୍ତ ପ୍ରିମିୟମ ଛାଡ଼ କରାଯିବ। ୨ କୋଟି ୬୦ ଲକ୍ଷ ୮୨ ହଜାର  ଟଙ୍କା ଛାଡ଼କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବ ବାୟୋ ଇନୋଭେସନ ଯୋଜନା। ଖର୍ଚ୍ଚ ହେବ ୧ ହଜାର ୧୧୩ କୋଟି ଟଙ୍କା।

୨୦୨୫-୨୬ରୁ ୨୦୨୯-୩୦ ବର୍ଷ ପାଇଁ ହେବ କାର୍ଯ୍ୟକାରୀ। ଗଜପତି ଛେଳିଗଡ଼ ପ୍ରକଳ୍ପ ପାଇଁ ନିର୍ମାଣ ହେବ ଡ୍ଯାମ । ୧୫୧ କୋଟି ବ୍ୟୟ ଅଟକଳରେ ନିର୍ମାଣ ହେବ ଡ୍ୟାମ ଓ ସ୍ପିଲୱେ। ଆହୁତ ଟେଣ୍ଡରକୁ କ୍ୟାବିନେଟର ଅନୁମୋଦନ ୬,୩୬୦ ହେକ୍ଟର ଜମିକୁ ମିଳିବ ଜଳସେଚନ ସୁବିଧା ହେବ।

ଘନିଷ୍ଠ ବନ୍ଧୁରୁ ଚରମ ଶତ୍ରୁ : ଟ୍ରମ୍ପ ବନାମ ମସ୍କ

ନନ୍ଦିଘୋଷ ବ୍ୟୁରୋ : ମାତ୍ର ଅଳ୍ପ ଦିନ ଭିତରେ ଘନିଷ୍ଠ ବନ୍ଧୁତାରୁ ଚରମ ଶତ୍ରୁତା। ଜଣେ କେମିତି ଘନିଷ୍ଠ ବନ୍ଧୁରୁ ଚରମ ଶତ୍ରୁ ପାଲଟି ଯାଏ, ତାର ଉଦାହରଣ ହୋଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ବିଶ୍ଵର ସବୁଠାରୁ ବଡ଼ ଧନୀ ଏଲନ ମସ୍କ। ଉଭୟଙ୍କ ମଧ୍ୟରେ ବିବାଦ ଏତେ ତୀବ୍ର ହୋଇଛି ଯେ, ଟ୍ରମ୍ପଙ୍କୁ ଆମେରିକାର ରାଷ୍ଟ୍ରପତି ପଦରୁ ବହିଷ୍କାର କରାଯାଉ ବୋଲି ମଧ୍ଯ ଦାବି କରିଛନ୍ତି ମସ୍କ। ମହାଭିଯୋଗ ଆଣିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏପରିକି ପୁରୁଣା କଥାକୁ ଉଖାରି କେବଳ ତାଙ୍କ ପାଇଁ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିଲେ, ନ ହେଲେ ହାରି ଯାଇଥାନ୍ତେ ବୋଲି କହିଛନ୍ତି ଏଲନ ମସ୍କ। ସେ କହିଛନ୍ତି, ଏପଷ୍ଟିନ ଫାଇଲରେ ଅଛି ଟ୍ରମ୍ପଙ୍କ ନାଁ। ତେଣୁ ଦେଶର ରାଷ୍ଟ୍ରପତ ପଦରେ ରହିବାର ତାଙ୍କର ଅଧିକାର ନାହିଁ। ଏଲନ ମସ୍କ ଥିଲେ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ। ନିର୍ବାଚନ ବେଳେ ପ୍ରାୟ ୨୦୦ କୋଟି ଡଲାରର ଚାନ୍ଦା ଟ୍ରମ୍ପଙ୍କୁ ଦେଇଥିଲେ ମସ୍କ। ଏହା ସତ ଯେ, ଟ୍ରମ୍ପଙ୍କ ବିଜୟରେ ମସ୍କଙ୍କ ବଡ଼ ହାତ ଥିଲା। ଏପରିକି ଟ୍ରମ୍ପ ଦ୍ଵିତୀୟ ଥର ରାଷ୍ଟ୍ରପତି ହେବା ପରେ ଖର୍ଚ୍ଚ ବିଭାଗ DOGE ର ମୁଖ୍ୟ ପଦରେ ମସ୍କଙ୍କୁ ନିଯୁକ୍ତ କରିଥିଲେ। କିନ୍ତୁ ଟ୍ରମ୍ପଙ୍କ ତଥାକଥିତ ବିଗ୍ ଆଣ୍ଡ ବିୟୁଟିଫୁଲ୍ ବିଲ୍ ଯୋଗୁଁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ଏବଂ କିଛି ଦିନ ତଳେ DOGE ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ ମସ୍କ। ଏଲନଙ୍କ କମ୍ପାନୀଗୁଡ଼ିକ ସହିତ ସରକାରୀ ଚୁକ୍ତି ବାତିଲ କରିବାକୁ ଧମକ ଦେଇଥିଲେ ଟ୍ରମ୍ପ। ଏହା ପରେ ଟେସଲା ଏବଂ ସ୍ପେସଏକ୍ସର ସିଇଓ ସ୍ପେସଏକ୍ସର ଡ୍ରାଗନ୍ ମହାକାଶଯାନ ପ୍ରକଳ୍ପକୁ ବନ୍ଦ କରିବାର ଘୋଷଣା କରିଥିଲେ। ଟ୍ରମ୍ପଙ୍କ ” One Big Beautiful Bill ” ଉପରେ ମସ୍କଙ୍କ ସମାଲୋଚନାକୁ ନେଇ ଏହି ଫାଟ ସୃଷ୍ଟି ହୋଇଥିଲା। ଟ୍ରମ୍ପଙ୍କ ବ୍ୟାପକ ଟିକସ କାଟ ଏବଂ ଖର୍ଚ୍ଚ ବିଲ୍ କୁ ନିନ୍ଦା ମସ୍କ ନିନ୍ଦା କରିଥିଲେ। ଏହାକୁ ନେଇ ଟ୍ରମ୍ପ ଅସନ୍ତୋଷ ପ୍ରକାଶ କରିଥିଲେ। ଏଲନ ନିରାଶ କରିଛନ୍ତି ବୋଲି କହିଥିଲେ। EV ଟିକସ ପ୍ରୋତ୍ସାହନ ହଟାଇ ଦିଆଯାଇଥିବାରୁ ମସ୍କ ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ପରେ ଟ୍ରମ୍ପ କହିଥିଲେ, ମସ୍କଙ୍କ କମ୍ପାନିକୁ ଦିଆଯାଇଥିବା କଣ୍ଟ୍ରାକ୍ଟ ଓ ସବସିଡିକୁ ବନ୍ଦ କରିଦେଲେ ତ ବହୁତ ସଞ୍ଚୟ ହୋଇପାରିବ। ଏହାକୁ ନେଇ ରାଗି ଯାଇଛନ୍ତି ମସ୍କ ଏବଂ ଏପଷ୍ଟିନ୍ ପ୍ରସଙ୍ଗ ଉଠାଇ ଟ୍ରମ୍ପଙ୍କୁ ବହିଷ୍କାର କରିବାକୁ ମଧ୍ୟ ଦାବି କରିଛନ୍ତି। ତେବେ ଏହି ବିବାଦ ପରେ ଟେସଲାର ସେୟାର ଖସିଛି। ଦିନକରେ କ୍ଷତି ହୋଇଛି ୧୫୨ ବିଲିୟନ ଡଲାର।

‘ଜନଗଣନା ୨୦୨୯କୁ ଘୁଞ୍ଚାଇବାକୁ ଯୋଜନା’

ଭୁବନେଶ୍ବର : ୨୦୨୭ ମାର୍ଚ୍ଚ ପରେ ଜନଗଣନା କରିବା ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ନେଇ ପ୍ରଶ୍ନ ଉଠାଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁl ଜାତିଭିତ୍ତିକ ଜନଗଣନାକୁ ୨୦୨୯ ପର୍ଯ୍ୟନ୍ତ ଘୁଞ୍ଚାଇବାକୁ କେନ୍ଦ୍ର ସରକାର ଅତି ଚତୁରତାର ସହ ଜନଗଣନାକୁ ୨୦୨୭ ପରେ କରିବାକୁ ନିଷ୍ପତି ନେଇଥିବା ସେ କରିଛନ୍ତିl୨୦୨୭ରେ ଉତ୍ତର ପ୍ରଦେଶ ନିର୍ବାଚନ ଥିବାରୁ କାଳେ ଜାତିଭିତିକ ଜନଗଣନା କରାଗଲେ SC,ST ଓ OBCଙ୍କ ଉନ୍ନତି ହୋଇନାହିଁ ବୋଲି ଜଣାପଡ଼ିଯିବ। ସେଥିପାଇଁ କେନ୍ଦ୍ର ସରକାର ଯୁଦ୍ଧ ପରିସ୍ଥିତି ସମୟରେ ଜାତିଭିତ୍ତିକ ଜନଗଣନା କରିବାକୁ ଘୋଷଣା କଲେ। ଏହା ପରେବି କେଉଁ କାରଣରୁ ୨୦୨୭ ମାର୍ଚ୍ଚ ପରେ କରିବେ ବୋଲି କହିଛନ୍ତି ତାହାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସନ୍ଦେହ ପ୍ରକାଶ କରିଛନ୍ତି। ମହିଳା ବିଲକୁ ଯେମିତି ପାସ କରି ୨୦୨୯ରେ ଲାଗୁ କରିବା ନିଷ୍ପତି ନେଇଛନ୍ତି ଠିକ୍ ସେହିପରି ଜନଗଣନା ମଧ୍ୟ ସମାନ ଢାଞ୍ଚାରେ ବିଜେପି ସରକାର ପକାଇଛନ୍ତି ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତିl

କମିଲା ରେପା ରେଟ୍, ୫୦ ବେସିସ୍ ପଏଣ୍ଟ ହ୍ରାସ

ନନ୍ଦିଘୋଷ ବ୍ୟୁରୋ : ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ଆଉ ବଢିବନି । ୬.୫ ପ୍ରତିଶତରେ ସୀମିତ ରହିବ । ଆଜି ରେପୋ ରେଟ୍‌ ହ୍ରାସ ନେଇ ଘୋଷଣା କରିବା ଅବସରରେ ଏ କଥା ସ୍ପଷ୍ଟ କରିଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର । ଏବର୍ଷର ବଜେଟ୍‌ ଉପସ୍ଥାପନ ବେଳେ ଦେଶର ସାମଗ୍ରୀକ ଅଭିବୃଦ୍ଧି ୧୦.୧ ପ୍ରତିଶତ ରହିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଦାବି କରିଥିଲେ । ସେପଟେ ବ୍ୟାଙ୍କର ଏନ୍‌ପିଏ ବୋଝ ହାଲୁକା କରିବାକୁ ସିଆରଆର୍‌ ପରିମାଣକୁ ଶତ ପ୍ରତିଶତ ହ୍ରାସ କରିିଛି ଆରିବିଆଇ । ଆସନ୍ତା ସେପ୍ଟେମ୍ବର ମାସରୁ ୪ ପ୍ରତିଶତ ବଦଳେ ୩ ପ୍ରତିଶତ ସିଆରଆର୍‌ ବାବଦରେ ଆରବିଆଇରେ ଜମା ରଖିବେ ସବୁ ବ୍ୟାଙ୍କ । ଫଳରେ ବ୍ୟାଙ୍କିଂ କ୍ଷେତ୍ର  ନଗଦ ଆକାରରେ ପାଇବେ ଅଢ଼େଇ ଲକ୍ଷ କୋଟି ଟଙ୍କା ।  ସେପଟେ ରେପୋ ରେଟ୍‌  ୫୦ ବେସିସ୍ ପଏଣ୍ଟ ହ୍ରାସ କରାଯାଇଛି । ୬ ପ୍ରତିଶତରୁ ହ୍ରାସ ପାଇ ୫. ୫ ପ୍ରତିଶତ ହୋଇଛି। ଲଗାତର ତୃତୀୟ ଥର ପାଇଁ କମିଛି ରେପୋ ରେଟ୍। ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ଦ୍ଵାରା ବିଭିନ୍ନ ଦୀର୍ଘମିଆଦୀ ଋଣର କିସ୍ତି କମ୍ ହୋଇପାରେ। ଫଳରେ ଗ୍ରାହକଙ୍କୁ ମିଳିବ ଆଶ୍ବସ୍ତି। ଏହା ଦ୍ଵାରା ବ୍ୟାଙ୍କଗୁଡ଼ିକ ଅଧିକ ଋଣ ଦେଇପାରିବେ। ମାର୍କେଟରେ କାରବାର ଅଧିକ ହେବ। ଫଳରେ ଅର୍ଥନୀତିରେ ଅଭିବୃଦ୍ଧି ହେବ ବୋଲି ଆଶା କରାଯାଉଛି। ଆରବିଆଇର ଆକଳନ ଅନୁସାରେ ୨୦୨୫-୨୬ରେ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ। ରିଟେଲ ମୁଦ୍ରାସ୍ଫୀତି ୪ ପ୍ରତିଶତରୁ ଖସି ୩.୭ ପ୍ରତିଶତରେ ପହଞ୍ଚିଛି। ଆରବିଆଇର ଏହି ଘୋଷଣା ପରେ ସେନସେକ୍ସ ୭୪୭ ଓ ନିଫଟିରେ ୨୫୨ ପଏଣ୍ଟ ବୃଦ୍ଧି ପରିଲକ୍ଷିତ ହୋଇଛି।

ଆରଡ଼ି ନାନ୍ଦପୁର ଗାଁରେ କଙ୍ଗାରୁ କୋର୍ଟ, ୨ ଜାତି ମଧ୍ୟରେ ବିବାଦ ଯୋଗୁଁ ୫ ହଜାର ଜରିମାନା

ଭଦ୍ରକ : ଭଦ୍ରକ ଜିଲ୍ଲା ଆରଡ଼ିରେ ଫାଣ୍ଡି ଅଧିନସ୍ଥ ନାନ୍ଦପୁର ଗାଁରେ କଙ୍ଗାରୁ କୋର୍ଟ। ଗାଁରେ ୨ ଜାତି ମଧ୍ଯରେ ବିବାଦ ଯୋଗୁଁ ଜରିମାନା ଚିନ୍ତାରେ ମାନସିକ ଭାରସାମ୍ଯ ହରାଇ ଚାଲିଗଲା ଜଣେ ନିରୀହ ଲୋକଙ୍କ ଜୀବନ। ନାନ୍ଦପୁର ଗାଁରେ କିଛି ମାସ ହେଲା ଦୁଇ ସାହି ମଧ୍ୟରେ ବିବାଦ ଲାଗିରହିଛି । ଗତ ସୋମବାର ଦିନ ବିଶ୍ଵନାଥ ଦାଶ ନାମକ ବ୍ୟକ୍ତି ଟ୍ରାକ୍ଟରରେ ଜଣକ ଜମି ହଳ କରିଥିଲେ । ଯାହାକୁ ନେଇ ଅନ୍ୟ  ସାହିର କିଛି ନିର୍ଦ୍ଦିଷ୍ଟ ଲୋକ ବୈଠକ ଡାକି ବିଶ୍ଵନାଥଙ୍କୁ ତାଗିଦ କରିବା ସହ ୫ ହଜାର ଟଙ୍କା ଜରିମାନା କରିଥିଲେ । ଟଙ୍କା ନଦେଲେ ଏକଘରିଆ କରିବାକୁ ଧମକ ଦେଇଥିଲେ । ୫ ହଜାର ଟଙ୍କା କେଉଁଠାରୁ ଦେବେ ସେଇ ଚିନ୍ତାରେ ବିଶ୍ଵନାଥଙ୍କର ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ର ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ବିଶ୍ବନାଥଙ୍କର ସ୍ତ୍ରୀ ସମେତ ୫ ଝିଅ ବେସାହାରା ହୋଇପଡ଼ିଛନ୍ତି । ଏହି ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଇ-କେଓ୍ବାଇସି ଆଳରେ ରାଜ୍ୟର ୨୦ ଲକ୍ଷ ହିତାଧିକାରୀଙ୍କ ରାସନ କାଟିବାକୁ ଚକ୍ରାନ୍ତ କରିଛନ୍ତି ସରକାର

ଭୁବନେଶ୍ବର : ପ୍ରଥମେ ଭୂତ ରାସନ କାର୍ଡ କହି ଭୂତାଇଲେ। ଏବେ ଇ-କେଓ୍ବାଇସି ଆଳରେ ଦାନାପାଣି କାଟିବାକୁ ଚକ୍ରାନ୍ତ । ରାଜ୍ୟର ଗରିବ ଲୋକଙ୍କ ରାସନ କାଟିବାକୁ ବିଜେପି ସରକାର କରିଛନ୍ତି ଷଡ଼ଯନ୍ତ୍ର । ସରକାରଙ୍କୁ ଘେରିଲା ବିଜେଡି । ବିଜେଡି ବିଧାୟକ ରମେଶ ବେହେରା କହିଛନ୍ତି ନବୀନ ପଟ୍ଟନାୟକ ଗରିବଙ୍କୁ ରାସନ କାର୍ଡ ଦେଇଥିଲେ । ରାଜ୍ୟରେ ବିଜେପି ସରକାର ହେବାଦିନ ଠାରୁ ଗରିବଙ୍କ ରାସନ କାର୍ଡ କାଟି ଚାଲିଛନ୍ତି। ଯେଉଁ ଗରିବଲୋକମାନେ ବାହାରେ ରହୁଛନ୍ତି , ସେମାନେ ଇ-କେୱାଇସି କରି ପାରିନାହାଁନ୍ତି । ସେମାନଙ୍କ ରାସନ କାର୍ଡ କାଟିବା ଅନୁଚିତ ବୋଲି ବିଜେଡି କହିଛି । ସେପଟେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ବିଜେପି ଅଚାନକ ଭାବେ ରାଜ୍ୟରେ ସରକାର ଗଢିଛି । ନିର୍ବାଚନବେଳେ ବିଜେପି ଯାହା ପ୍ରତିଶୃତି ଦେଇଥିଲା ତାହା ବିଜେପି ପାଳନ କରିନାହିଁ । ଗୋଟିଏ ଲୋକଙ୍କୁ ଚାଉଳ ଦେଇନଥିବା ବିଜେପି ସରକାର ଲୋକଙ୍କ ଚାଉଳ କାଟିବାକୁ ଯୋଜନା କରିଛି । ତେଣୁ ମନ୍ତ୍ରୀ ପୁଣିଥରେ ଘୋଷଣା କରନ୍ତୁ ଯେ ଜଣେ ବି ଗରିବର ରାସନ କାର୍ଡ କଟିବନି । ନହେଲେ କଂଗ୍ରେସ ଏହା ବିରୋଧରେ ଜୋରଦାର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ସେପଟେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଏହି ଜୁନରେ ସରିବ ଇ-କେୱାଇସି ପ୍ରକ୍ରିୟା । ଏଯାଏ ୯୫ ପ୍ରତିଶତ ହିତାଧିକାରୀ ଇ-କେୱାଇସି କରିଛନ୍ତି । ଜୁନରେ ପ୍ରକ୍ରିୟା ସରିଲେ ଯେଉଁମାନେ କରିନାହାନ୍ତି ସେମାନଙ୍କୁ ବାଦ ଦିଆଯିବ । ମନ୍ତ୍ରୀଙ୍କ ଯୁକ୍ତି ଅନୁସାରେ ବାଦ ପଡିପାରନ୍ତି ୨୦ ଲକ୍ଷ ହିତାଧିକାରୀ । ଯାହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ଶୁଣନ୍ତୁ ରାସନ କାର୍ଡ କାଟ କାଟିବା ନେଇ କଣ କହିଥିଲେ ଯୋଗାଣ ମନ୍ତ୍ରୀ । ବିଜେପି ସରକାର ଆସିବା ମାତ୍ର କେଇଟା ଦିନ ଭିତରେ ମାଣ୍ଡିପଙ୍କାରେ ରାସନ ନପାଇ ଅଖାଦ୍ୟ ଖାଇ  ଆଦିବାସୀଙ୍କ  ଜୀବନ ଯାଇଥିଲା । ଅଭିଯୋଗ ପରେ ହୁଲସ୍ତୁଲ ହୋଇଥିଲା ବିଧାନସଭା । ଏହାପରେ ବି ବର୍ଷେ ଭିତରେ ସରକାର କିଛି ଶିଖିନାହାନ୍ତି । ଯଦି ଇ-କେୱାଇସି ଆଳରେ ଗରିବ ଲୋକଙ୍କ ରାସନ ସରକାର କାଟନ୍ତି ତେବେ ବିଜେଡି ଏହା ବିରୋଧରେ ଜୋରଦାର ପ୍ରତିବାଦ କରିବ ବୋଲି ଦଳ ଚେତାଇ ଦେଇଛି ।

ସରକାରଙ୍କ ବାହାସ୍ଫୋଟ ପର୍ଦ୍ଦାଫାସ କଲା ରାଜ୍ୟ ବ୍ୟବସାୟୀ ମହାସଂଘ

ଭୁବନେଶ୍ୱର : ରାଜ୍ୟରେ ଉତ୍ପାଦନ କ୍ଷେତ୍ରରେ ଅଗ୍ରଗତି ନେଇ ରାଜ୍ୟ ସରକାର କରୁଛନ୍ତି ପ୍ରଚାର। ହେଲେ  ଉତ୍ପାଦନର ସତକୁ ନେଇ ରାଜ୍ୟ ସରକାରଙ୍କୁ କାଠଗଡାକୁ ଟାଣିଛି ରାଜ୍ୟ ବ୍ୟବସାୟୀ ମହାସଂଘ। ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ବିଭାଗ ନିଜର ସଫଳତାକୁ ନେଇ ଡିଣ୍ଡିମ ପିଟୁଥିବାବେଳେ ଏହା ପଛରେ ଥିବା ସତର ପର୍ଦାଫାସ କରିଛି ବ୍ୟବସାୟୀ ମହାସଂଘ। ଓଡ଼ିଶାରେ କୌଣସି ଉତ୍ପାଦନ ବଢ଼ିନାହିଁ ବୋଲି ରୋକଠୋକ କହିଛି ମହାସଂଘ। ଡାଲି ଜାତୀୟ ପଦାର୍ଥ, ଖାଇବା ତେଲ, ପନିପରିବା ଆଦି କୌଣସିରେ ଉତ୍ପାଦନ ବଢିନାହିଁ। ରାଜ୍ୟ ସରକାରର ବର୍ଷ ପୂର୍ତ୍ତି ପାଇଁ ଆତ୍ମସନ୍ତୋଷ ଛାଡି ଆତ୍ମପର୍ଯ୍ୟାଲୋଚନା କରନ୍ତୁ। ଅନ୍ୟ ରାଜ୍ୟ ଉପରେ ସବୁ କ୍ଷେତ୍ରରେ ଓଡିଶା ନିର୍ଭରଶୀଳ। ଲୋକଙ୍କ ସରକାର କହୁଥିବା ବିଜେପି ସରକାର ଲୋକଙ୍କ ପାଖରେ ପହଞ୍ଚିଲେ ରାଜ୍ୟରେ ଉତ୍ପାଦନ ବଢିଥାନ୍ତା। କିନ୍ତୁ ଏଯାଏ ସରକାରଙ୍କ ସେଭଳି ମାନସିକତା ଓ ଆଭିମୁଖ୍ୟ ଦେଖିବାକୁ ମିଳିନାହିଁ। ରାଜ୍ୟରେ ଦୁଇ ଲକ୍ଷ ଟନ ଆଳୁ ଉତ୍ପାଦନ ବଢିଥିବା ନେଇ ଯୋଗାଣ ମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି ବ୍ୟବସାୟୀ ମହାସଂଘ। ରାଜ୍ୟ ଉତ୍ପାଦନ କ୍ଷେତ୍ରରେ ବହୁ ପଛରେ। କେବଳ ଶ୍ରେୟ ନେବାକୁ ଉଦ୍ୟମ ନକରି ସରକାର କାମ କରନ୍ତୁ ବୋଲି କହିଲା ମହାସଂଘ।

ସବୁକିଛି କେବଳ କଥାରେ ଚାଲିଛି ବୋଲି ବଡ଼ ଅଭିଯୋଗ କରିଛି ମହାସଂଘ। ରାଜନୈତିକ ଓ ପ୍ରଶାସନିକ ସ୍ତରରେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କ ପ୍ରତି ସରକାରଙ୍କ ଅସୂୟା ମନୋଭାବ ଅଛି। ଯେଉଁଥିପାଇଁ ଯୋଜନା ବିଫଳ ହେଉଛି।କାହାକୁ ବିଶ୍ୱାସକୁ ନ ନେଇ ନିଜେ ନିଷ୍ପତ୍ତି ନେଲେ କିଛିବି ସଫଳ ହେବ ନାହିଁ ବୋଲି କହିଛନ୍ତି। ସରକାର ଲୋକଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ନିବେଦନ କରିଛି ବ୍ୟବସାୟୀ ମହାସଂଘ। କୃଷି ଉତ୍ପାଦନ କ୍ଷେତ୍ରରେ ଜାତୀୟ ହାରଠୁ ଓଡ଼ିଶା ବହୁତ ପଛରେ ରହିଛି। ବର୍ଷେ ହେଲା ସରକାର କେବଳ ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି। ଏବେ ବି ସେହି କାମ ଜାରି ରହିଛି।ବର୍ଷେ ସମୟ ଦେଇଥିବା ଓଡ଼ିଶାବାସୀ ଆଉ ମିଛକୁ ପ୍ରଶ୍ରୟ ଦେବେନି।ସମୟ ଦେଖି ଲୋକେ ଏ ସରକାରକୁ ପାନେ ଚଖାଇବା ପାଇଁ ପ୍ରସ୍ତୁତ ବୋଲି କହିଛି ସିଟିଜେନସ ଫୋରମ। ରାଜ୍ୟରେ ବିଜେପି ସରକାର ଆସିବା ପରେ ଲଗାତର ଦରଦାମ ବୃଦ୍ଧି ପାଇଚାଲିଛି। କୌଣସି ସାମଗ୍ରୀ ଦର ନିୟନ୍ତ୍ରଣରେ ନାହିଁ।ଏଭଳି ସ୍ଥିତିରେ କୌଣସି ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନନେଇ ବର୍ଷେ ପୂର୍ତ୍ତି ପାଇଁ ମିଛ ପ୍ରଚାର କରିବାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି।

ଖୁବଶୀଘ୍ର ଭାରତରେ ବ୍ୟାବସାୟିକ ସେବା ପ୍ରଦାନ କରିବ ଷ୍ଟାରଲିଙ୍କ !

ନନ୍ଦିଘୋଷ ବ୍ୟୁରୋ : ଏଲନ ମସ୍କଙ୍କ ଷ୍ଟାରଲିଙ୍କକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ସୂଚନା। ଖୁବଶୀଘ୍ର ଭାରତରେ ବ୍ୟାବସାୟିକ ସେବା ପ୍ରଦାନ କରିବ ଷ୍ଟାରଲିଙ୍କ। ପ୍ରାୟ ୨ ବର୍ଷ ପରେ ଷ୍ଟାରଲିଙ୍କଙ୍କୁ ମିଳିଛି ଗ୍ରୀନ ସିଗନାଲ। ଏହି ଲାଇସେନ୍ସ ପାଇବାରେ ଷ୍ଟାରଲିଙ୍କ ହେଉଛି ତୃତୀୟ। ପୂର୍ବରୁ ୟୁଟଲସାଟର ୱାନୱେବ ଓ ରିଲାଏନ୍ସ ଜିଓକୁ ମିଳିଥିଲା ଅନୁମତି। କେନ୍ଦ୍ର ଟେଲିକମ୍ୟୁନିକେସନ ବିଭାଗ ପକ୍ଷରୁ ଏହି ଅନୁମୋଦନ ମିଳିଛି। ଏହି ଅନୁମୋଦନ ଯୋଗୁ ସାଟେଲାଇଟ ନେଟୱର୍କ ଜରିଆରେ ଭାରତରେ ହାଇସ୍ପିଡ ଇଣ୍ଟରନେଟ ଉପଲବ୍ଧ ହେବ। ୨୦୨୨ରୁ ଏହି ଲାଇସେନ୍ସ ଲାଗି ପ୍ରକ୍ରିୟା ଚାଲିଥିଲା। ହେଲେ ସମ୍ଭବ ହୋଇ ନଥିଲା। ଜାତୀୟ ନିରାପତ୍ତା କାରଣରୁ ଷ୍ଟାରଲିଙ୍କକୁ ଅନୁମୋଦନ ମିଳିବା ବିଳମ୍ବ ହୋଇଥିଲା। ବର୍ତ୍ତମାନ ଆମାଜନର ସାଟେଲାଇଟ ପ୍ରୋଜେକ୍ଟ କୁଇପର ଅନୁମୋଦନ ଅପେକ୍ଷାରେ ରହିଥିବା ସୂଚନା ମିଳିଛି। ଷ୍ଟାରଲିଙ୍କ ଯୋଗୁ ଦୁର୍ଗମ ଓ ଗ୍ରାମାଞ୍ଚଳରେ ଇଣ୍ଟରନେଟ ସହଜରେ ଉପଲବ୍ଧ ହେବ।

ଆସନ୍ତୁ ନଜର ପକାଇବା ଷ୍ଟାରଲିଙ୍କ୍ କଣ

-ଭାରତର ଡିଜିଟାଲ ଲ୍ୟାଣ୍ଡସ୍କେପକୁ ବଦଳାଇବ ଷ୍ଟାରଲିଙ୍କ

-ସାଟେଲାଇଟଭିତ୍ତିକ ବ୍ରଡବ୍ୟାଣ୍ଡ ସେବା ଯୋଗାଇବ ଷ୍ଟାରଲିଙ୍କ

-ରିଲାଏନ୍ସ ଜିଓ ଓ ୱାନୱେପ ପରି କାମ କରିବ ଷ୍ଟାରଲିଙ୍କ

-ମସ୍କଙ୍କ ଏରୋସ୍ପେସ କମ୍ପାନୀ ସ୍ପେସ ଏକ୍ସର ସହଯୋଗୀ କମ୍ପାନୀ ଷ୍ଟାରଲିଙ୍କ

-ଫାଇବର ଅପ୍ଟିକ୍ସ ଓ ଟାୱାରର ଆବଶ୍ଯକ ପଡିବନି

-ବର୍ତ୍ତମାନ ମହାକାଶରେ ଘୂରୁଛନ୍ତି ୬ ହଜାରରୁ ଅଧିକ ସାଟେଲାଇଟ

-୨୦୨୭ ସୁଦ୍ଧା ଏହି ସଂଖ୍ୟା ପହଞ୍ଚିବ ୪୨ ହଜାରରେ

-୫୦ରୁ ୨୫୦ Mbps ହାଇସ୍ପିଡ ଇଣ୍ଟରନେଟ ସୁବିଧା ଦେବ ଷ୍ଟାରଲିଙ୍କ

-ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ପରି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ ଷ୍ଟାରଲିଙ୍କ

କଳା ତାଲିକାଭୁକ୍ତ କମ୍ପାନୀକୁ ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପା

ସୁନ୍ଦରଗଡ଼ରୁ / ଭୁବନେଶ୍ବର : ସୁନ୍ଦରଗଡ଼ରେ ଫେଲ, କଳାହାଣ୍ଡିରେ ପାସ୍। ୩୦ କୋଟି ଟଙ୍କାର କାମ କରିବାରେ ବିଫଳ କମ୍ପାନୀକୁ ୩ହଜାର ୬୪୨ କୋଟି ଟଙ୍କାର ଉପହାର। ରାଜ୍ୟ ସରକାରଙ୍କ ଅଜବ ନୀତିକୁ ବିରୋଧୀଙ୍କ ସମାଲୋଚନା। ଜିଲ୍ଲା ଖଣିଜ ପାଣ୍ଠି ୩୦କୋଟି ଟଙ୍କା ଦେଇଥିଲା ସୁନ୍ଦରଗଡ଼ର ବିଜୁଳି ବନ୍ଧ ପୋଖରୀରେ ସୌନ୍ଦର୍ଯ୍ୟକରଣ ଯୋଜନା ପାଇଁ। କାମର ଦାୟିତ୍ବ ନେଇଥିଲା କେନ୍ଦ୍ର ସରକାରଙ୍କ ପିଏସୟୁ ଓ୍ବାଟର ଏଣ୍ଡ ପାଓ୍ବାର କର୍ପୋରେସନ ବା ଓ୍ବାପକସ୍। ହେଲେ କମ୍ପାନୀ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାମ ସାରିପାରିଲା ନାହିଁ। କାମ କରିପାରିନଥିବାରୁ ରାଜ୍ୟ ସରକାର ଏହି କମ୍ପାନୀକୁ କଳାତାଲିକା ଭୁକ୍ତ କରିଦେଲେ। ଅଗଷ୍ଟ ୨୦୨୪ରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାସଭାରେ ଏଭଳି ତଥ୍ୟ ରଖିଥିଲେ। ହେଲେ ଏହି ଅପାରଗ କମ୍ପାନୀକୁ ଶକ୍ତି ବିଭାଗ ଏବେ ୩ହଜାର ୬୪୨ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛି। କଳାହାଣ୍ଡିର ମୁଖିଗୁଡ଼ା ଡ଼୍ୟାମ ଓ ଅପର ଇନ୍ଦ୍ରାବତୀ ଡ଼୍ୟାମ ମଧ୍ୟରେ ପମ୍ପଡ଼୍ ଷ୍ଟୋରେଜ ପ୍ରକଳ୍ପ ଜରିଆରେ ୬୦୦ ମେଗାଓ୍ବାଟ ବିଜୁଳି ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଯେଉଁ କମ୍ପାନୀ ୩୦ କୋଟିର ବିଜୁଳି ବନ୍ଧ ପୋଖରୀ ଉନ୍ନତିକରଣ ଯୋଜନା କାର୍ଯ୍ୟକାରୀ କରିବାରେ ବିଫଳ ହେଲା, ସେହି କମ୍ପାନୀ କିପରି ୩ ହଜାର ୬୪୨ କୋଟି ଟଙ୍କାର ବିଜୁଳି ଉତ୍ପାଦନ ପ୍ରକଳ୍ପ କାମ କରିବ, ତାକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ। ସରକାରଙ୍କ ଗୋଟିଏ ବିଭାଗ ଦ୍ବାରା କଳା ତାଲିକାଭୁକ୍ତ ହୋଇଥିବା କମ୍ପାନୀ ଆଉ ଗୋଟିଏ ବିଭାଗରେ କିପରି ବିଶ୍ବାସଯୋଗ୍ୟ ହୋଇପାରୁଛି, ତାକୁ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ। ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ଏହି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଛନ୍ତି। ଏପରିକି ଏହି କମ୍ପାନୀକୁ ପମ୍ପଡ଼୍ ଷ୍ଟୋରେଜ ପ୍ରକଳ୍ପରୁ ଦୂରେଇ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି। ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ମଧ୍ୟ ସରକାରଙ୍କ ଦୋମୁହାଁ ନୀତିକୁ ସମାଲୋଚନା କରିଛି। ସରକାରରେ ଘଡ଼ିକେ ଘୋଡ଼ା ଛୁଟୁଛି। ୧୦ ମାସ ତଳେ ସରକାର ପାଇଁ ଖରାପ କାମ କରୁଥିବା କମ୍ପାନୀ ଏବେ ସରକାରଙ୍କ ଗେହ୍ଲାପୁଅ ସାଜିଛି। ୩୦କୋଟି ଟଙ୍କାର କାମ କରିବାରେ ଅସମର୍ଥ କମ୍ପାନୀକୁ ସରକାର ସାଢେ ୩ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଟେକିଦେବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି।