spot_img
Home Blog Page 6889

କରୋନା ଭୟରେ ପୋତା ହେଲା ଶବ, ସଂସ୍କାର ପାଇଁ ଆସିଲେନି ଜ୍ଞାତିକୁଟୁମ୍ୱ

କୋରୋନା ସ୍ଥିତି ଗଞ୍ଜାମ ଜିଲ୍ଲାରେ ଭୟଙ୍କର ରୂପ ଧାରଣ କରିଛି । ଏହାରି ଭିତରେ କବିସୂର୍ଯ୍ୟନଗର ଖରୁଡା ସାହିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏହି ସାହିର ସୋମନାଥ ପାତ୍ର ନାମକ ଯୁବକ ଗଲା ଦଶ ଦିନ ହେବ ଜ୍ଵରରେ ପୀଡିତ ଥିଲେ । ତେବେ ତାଙ୍କୁ ଆଜି ମେଡିକାଲକୁ ଅ।ମ୍ବୁଲାନ୍ସ ଯୋଗେ ନିଆ  ଯାଉଥିଲା । ଦୁର୍ଭାଗ୍ୟବଶତଃ ଗାଡି ଭିତରେ ହିଁ ତାଙ୍କର ମୃତ୍ୟୁ ଘଟିବା ପରେ ଶବକୁ ତାଙ୍କ ସାହିକୁ ଫେରାଇ ଅଣା ଯାଇଥିଲା ।

ହେଲେ କେହି ବି ଶବ ପାଖ ମାଡି ନଥିଲେ କୋରୋନା ଭୟରେ । ଶେଷରେ ପୋଲିସ ପ୍ରଶାସନ ବାଧ୍ୟ ହୋଇ ଜେସିବି ମାଧ୍ୟମରେ ଧନେଇ ନଦୀ ତଟରେ ଶବକୁ ପୋତିଥିଲେ । ଏମିତି କି ତାଙ୍କ ସଂସ୍କାର ପାଇଁ ମଧ୍ୟ ସାହି କୁଟୁମ୍ବ କେହି ଅ।ସି ନଥିଲେ । ଏହି ଘଟଣା ଏବେ ସାରା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହାର ଭି଼ଡିଓ ଚିତ୍ର ଏବେ ଭାଇରାଲ ହୋଇଥିବା ବେଳେ ଶବକୁ ନିଜ ଭାଇ ଭଉଣୀ ଝିକିଝିକି ନେବା ଦୃଶ୍ୟ ଅତି ହୃଦୟ ବିଦାରକ ପାଲଟିଛି ।

କରୋନା ଭ୍ୟାକ୍ସିନର ହ୍ୟୁମନ ଟ୍ରାଏଲ ସଫଳ ହେବା ଦାବି, ବିଭ୍ରାନ୍ତ ହେବ କରୋନା

କରୋନା ମହାମାରୀର ବିପଦକୁ ଏଡାଇବା ପାଇଁ ଏହାର ଟିକା ପ୍ରସ୍ତୁତ କରିବା ପାଇଁ ସାରା ବିଶ୍ୱ ଚେଷ୍ଟା ଚଳାଇଛି । ଏହି ସମୟରେ, ଏକ ଆମେରିକୀୟ ସଂସ୍ଥା ‘ଇନୋଭିଓ’ ଦାବି କରିଛି ଯେ ୪୦ ଜଣଙ୍କ ଉପରେ INO-4800 ନାମକ ଏକ ଟିକା ପରୀକ୍ଷା କରାଯାଇଥିଲା, ଯାହା ୯୪ ପ୍ରତିଶତ ସଫଳ ହୋଇଥିଲା ।

ସୂଚନା ଅନୁଯାୟୀ, ୧୮ ରୁ ୫୦ ବର୍ଷ ବୟସର ୪୦ ଜଣଙ୍କୁ ଏକ କ୍ଲିନିକାଲ ପରୀକ୍ଷଣ ସମୟରେ ଏହି ଟିକା ଦିଆଯାଇଥିଲା । ଏହି ସମସ୍ତ ଲୋକଙ୍କୁ ଚାରି ସପ୍ତାହ ମଧ୍ୟରେ ଦୁଇଟି ଟୀକା ଦିଆଯାଇଥିଲା । ପରୀକ୍ଷଣରେ ଏହା ଜଣାପଡିଛି ଯେ ଏହି ଟିକା ସମସ୍ତଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଦେଇଛି ଏବଂ ଏହି ଟିକାର କୌଣସି ସାଇଡ ଇଭେକ୍ଟ ହୋଇନାହିଁ ।

କମ୍ପାନୀର ବରିଷ୍ଠ ଉପସଭାପତିଙ୍କ କହିବାନୁସାରେ, ଜାନୁଆରୀ ୧୦ରେ, ଚାଇନାର ଗବେଷକମାନେ କରୋନା ଭାଇରସ୍ ର ଜେନେଟିକ୍ କୋଡ୍ ପ୍ରକାଶ କଲେ, ଟିମ୍ ସଫ୍ଟୱେର୍ ସହିତ କ୍ରମକୁ ସଜାଡ଼ିଲା ଏବଂ ପରେ ଟୀକା ଫର୍ମୁଲା ପ୍ରସ୍ତୁତ କଲା । ଏହି ଡିଏନ୍ଏ ଟିକା କରୋନା ଜୀବାଣୁର ସ୍ପାଇକ୍ ପ୍ରୋଟିନ୍ ଚିହ୍ନଟ କରିବ ଏବଂ ସମାନ ପ୍ରୋଟିନ୍ ସୃଷ୍ଟି କରିବ ଏବଂ ଜୀବାଣୁକୁ ଦ୍ୱନ୍ଦ୍ୱରେ ପକାଇବ, ଯାହା ପରେ ସେହି ପ୍ରୋଟିନ୍ ନିକଟତର ହେବା ମାତ୍ରେ ଜୀବାଣୁ ନିଷ୍କ୍ରିୟ ହୋଇଯିବ ।

ଏଥିରେ ସ୍ପାଇକ୍ ପ୍ରୋଟିନ୍ ମାନବ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବିକାଶ କରିବ । ଯଦି ଟିକା ଠାରୁ ସ୍ପାଇକ୍ ପ୍ରୋଟିନ୍ ଉତ୍ପନ୍ନ ହୁଏ, ତେବେ ଶରୀର ଏହାକୁ ଜୀବାଣୁ ଭାବରେ ବିବେଚନା କରିବ ଏବଂ ଅଧିକ ସଂଖ୍ୟକ ଆଣ୍ଟିବଡି ତିଆରି କରିବ । ଏହି ପ୍ରୋଟିନ୍ ଶରୀର ପାଇଁ କୌଣସି କ୍ଷତି ପହଞ୍ଚାଇବ ନାହିଁ ଯେତେବେଳେ କରୋନା ଜୀବାଣୁ ଏହା ଦ୍ୱାରା ନଷ୍ଟ ହୋଇଯିବେ ।

ତିନୋଟି ପର୍ଯ୍ୟାୟରେ ସଫଳ ମାନବ ପରୀକ୍ଷା ପରେ ଏହା ସମ୍ପୃକ୍ତ ଦେଶର ଡ୍ରଗ୍ ନିୟାମକ ଆୟୋଗଙ୍କ ନିକଟକୁ ପଠାଯିବ, ଯାହା ପରେ ସେହି ଦେଶ ସରକାର ଟିକା ସହ ଜଡିତ ପ୍ରତ୍ୟେକ ଦିଗକୁ ଗମ୍ଭୀରତାର ସହ ଅନୁଧ୍ୟାନ କରିବେ।

ଏହି ସମୟ ମଧ୍ୟରେ ଦେଖାଯାଏ ଯେ ଏହି ଟିକା ମଣିଷ ଉପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା କରୁନାହିଁ । କେବଳ ସେତେବେଳେ ଏହା ଉତ୍ପାଦନର ଅନୁମୋଦନ ପାଇଥାଏ । ଏହି ପ୍ରକ୍ରିୟା ୩ ରୁ ୪ ମାସ ସମୟ ନେଇଥାଏ । ଯେହେତୁ କରୋନା ମହାମାରୀ ଭୟଙ୍କର ସ୍ତରରେ ଅଛି, ଏହି ଟିକା ୨ ମାସ ମଧ୍ୟରେ ଆସିପାରେ

ପ୍ରତିବନ୍ଧିତ ଚୀନ୍ ଆପ୍ Weiboରୁ ଗାଏବ ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟ୍,ଜାଣନ୍ତୁ ସତ କ’ଣ ?

ନୂଆଦିଲ୍ଲୀ: ଭାରତ ସରକାର ବ୍ୟାନ୍ କରିଥିବା ୫୯ ଚୀନ୍ ଆପ୍ ମଧ୍ୟରୁ ଗୋଟିଏ Weiboରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଧିକାରିକ ଆକାଉଣ୍ଟ ରହିଛି । ବୁଧବାର ଦିନ୍ ହଠାତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆକାଉଣ୍ଟରୁ ପୋଷ୍ଟ ଓ କମେଣ୍ଟ୍ ଗାଏବ ହୋଇଯାଇଥିଲା । ଯାହା ସମସ୍ତଙ୍କୁ ଚକିତ କରିଥିଲା । ଅନୁମାନ କରାଗଲା ଯେ, ଚୀନ ସରକାର ଚାପରେ Weibo ଏଭଳି କରିଛି । ଭାରତକୁ ଯବାବ ଦେବା ପାଇଁ ମୋଦିଙ୍କ ଆକାଉଣ୍ଟକୁ ଡିଲିଟ୍ କରିଦିଆଯାଇଛି । କିନ୍ତୁ ସତ ଆଉକିଛି

ସତ କ’ଣ ?

Weibo

ସତ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ Weiboରୁ ହଟିଯାଇଛନ୍ତି । ଚୀନ୍ ଆପକୁ ବ୍ୟାନ୍ କରିବା ପାଇଁ ସରକାର ନିଷ୍ପତ୍ତି ନେବା ପରେ ପିଏମ୍ ମୋଦି Weiboରୁ ହଟିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହାପରେ ତାଙ୍କ ଆକାଉଣ୍ଟ୍ ଡିଲିଟ୍ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଭିଆଇପି ଆକାଉଣ୍ଟ୍ ହୋଇଥିବାରୁ ଏହାର ଡିଲିଟ୍ ପ୍ରକ୍ରିୟା ଜଟିଳ ହୋଇଥାଏ । ଯେଉଁଥିପାଇଁ ଆଧିକାରିକ ଭାବେ ସମ୍ପୂର୍ଣ୍ଣ ପ୍ରୋସେସ୍ ଆରମ୍ଭ ହୋଇଥିଲା । ଏହାପରେ ଆକାଉଣ୍ଟ୍ ଡିଲିଟ୍ ହୋଇଥିଲା ।

Weibo pm modi

୧୧୫ରୁ ୧୧୩ ପୋଷ୍ଟ ଡିଲିଟ୍ ହୋଇଥିଲା

ଚୀନ ପକ୍ଷରୁ ଅନୁମତି ଆସିବାରେ ବିଳମ୍ବ ହୋଇଥିଲା । ପିଏମ୍ ମୋଦିଙ୍କ Weibo ଆକାଉଣ୍ଟରେ ମୋଟ ୧୧୫ ପୋଷ୍ଟ ଥିଲା । ସେ ସମସ୍ତ ପୋଷ୍ଟକୁ ମାନୁଆଲି ଡିଲିଟ୍ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଅନେକ ଚେଷ୍ଟା ପରେ ୧୧୩ ପୋଷ୍ଟ୍ ଡିଲିଟ୍ ହୋଇଥିଲା । ବାକି ଦୁଇଟି ପୋଷ୍ଟ ବଳକା ରହିଥିଲା । ଯାହା ମଧ୍ୟରୁ ଗୋଟିକରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ ଥିଲେ । ଏମିତିରେ ଚୀନ ରାଷ୍ଟ୍ରପତିଙ୍କ ଫଟୋ ଡିଲିଟ୍ କରିବା Weibo ପକ୍ଷରେ କଠିନ ଥିଲା । ତଥାପି ଶେଷରେ ସେହି ଫଟୋକୁ ମଧ୍ୟ ଡିଲିଟ୍ କରାଯାଇଥିଲା । ବର୍ତ୍ତମାନ ଆକାଉଣ୍ଟରେ କିଛି ମଧ୍ୟ ନାହିଁ  ।

ଚୀନର ଏମିତି କାଣ୍ଡ ପାଇଁ ଲାଗିଲା ବ୍ୟାନ୍

କିଛି ଦିନ ତଳେ ଚାଇନା ଆପ୍ ଉଇ ଚାଟରୁ ଭାରତୀୟ ଦୂତାବାସର ଆଧିକାରିକ ଆକାଉଣ୍ଟରୁ ତିନୋଟି ଭାରତୀୟ ବୟାନ ଡିଲିଟ୍ ହୋଇଥିଲା । ଏହା ମଧ୍ୟରୁ ଗୋଟିଏ ବୟାନ ପ୍ରଧାନମନ୍ତ୍ରୀଙ୍କର ଥିଲା । ବୟାନକୁ ଉଇ ଚାଟ୍ ଡିଲିଟ୍ କରିଥିଲା । ଚୀନ ଆପଙ୍କର ଏଭଳି କାଣ୍ଡକାରଖାନା ଓ ଡାଟା ଚୋରିକୁ ଗମ୍ଭୀରତାର ସହ ନେଇ ଭାରତ ସରକାର ୫୯ ଆପ୍ ଡିଲିଟ୍ କରିବାକୁ ନିଷ୍ପତ୍ତି ନେଇଥିଲେ ।

 

ଦଳୀୟ ବିଧାୟକଙ୍କ ସହ ଭିଡିଓ କନଫରେନ୍ସିଂ ଆଲୋଚନା, ନବୀନ କହିଲେ, ଲୋକଙ୍କ ପାଇଁ ପ୍ରେରଣା ହୁଅ

ଏବେ ମାନବ ଜାତି ଏକ ଅଭୂତପୂର୍ବ ସଂକଟ ମଧ୍ୟ ଦେଇ ଗତି କରୁଛି। ଏହି ସଂକଟକୁ ସଫଳ ଭାବରେ ମୁକାବିଲା କରିବା ପାଇଁ ମହାପ୍ରଭୁ ଆମକୁ ଆଶୀର୍ବାଦ ଦିଅନ୍ତୁ । ଏତିକି ପ୍ରାର୍ଥନା । ମହାପ୍ରଭୁଙ୍କ ଆଶୀର୍ବାଦ, ଜନସାଧାରଣଙ୍କ ସହଯୋଗ, ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀ ମାନଙ୍କ କଠିନ ପରିଶ୍ରମ ଯୋଗୁ ଆମ ରାଜ୍ୟ ଓଡିଶା କୋଭିଡ ଯୁଦ୍ଧରେ ଅନ୍ୟ ମାନଙ୍କ ଠାରୁ ଭଲ ସ୍ଥିତିରେ ଅଛି । ସାରା ଦେଶରେ ଓଡିଶାର ସୁସ୍ଥତା ହାର ସବୁଠାରୁ ଭଲ ପ୍ରଦର୍ଶନ କରୁଥିବା ରାଜ୍ୟ ମାନଙ୍କ ମଧ୍ୟରୁ ଅନ୍ୟତମ । ସେହିପରି ମୃତ୍ୟୁହାର ମଧ୍ୟ ସବୁଠାରୁ କମ୍‌ ଅଛି। ବିଜୁ ଜନତା ଦଳର ବିଧାୟକମାନଙ୍କୁ ଭିଡିଓ କନଫରେନ୍ସ ମାଧ୍ୟମରେ ଏଭଳି କହି ସମ୍ୱୋଧିତ କରିଛନ୍ତି ଦଳର ମୁଖିଆ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ବିଧାୟକମାନଙ୍କୁ ୮ଟି ବିନ୍ଦୁର ପରାମର୍ଶ ମଧ୍ୟ ଦେଇଛନ୍ତି ।

  କହିଛନ୍ତି ଯେ, ଲକ୍‌ଡାଉନ୍‌ ପରେ ପ୍ରାୟ ୭ ଲକ୍ଷ ଲୋକ ଓଡିଶା ଫେରିଛନ୍ତି। ଓଡିଶା ଫେରିଥିବା ପ୍ରବାସୀ ମାନଙ୍କର ଟ୍ରେନ ଭଡା ଏବଂ ସଫଳ ଭାବରେ କ୍ୱାରେଣ୍ଟାଇନ୍ ଶେଷ କରିଥିବା ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ହଜାର ଟଙ୍କା ଲେଖାଏ ଦିଆଯାଇଛି। ଏହାସହିତ TMCରେ ୧୪ ଦିନ ପାଇଁ ଖାଦ୍ୟ ଏବଂ ଅନ୍ୟାନ୍ୟ ସୁବିଧା ମାଗଣାରେ ଯୋଗାଇ ଦିଆଯାଇଛି। ଦେଶର ଅଳ୍ପ କେତେକ ରାଜ୍ୟ ମଧ୍ୟରୁ ଓଡିଶା ହେଉଛି ଅନ୍ୟତମ ରାଜ୍ୟ, ଯିଏ କି Covid Careର ସମସ୍ତ ଖର୍ଚ୍ଚ ଯଥା – ପରୀକ୍ଷା, ଡାକ୍ତରଖାନାରେ ରହିବା, ଚିକିତ୍ସା ଖର୍ଚ୍ଚ, ଔଷଧ  ଖର୍ଚ୍ଚ ଓ ଯିବାଆସିବା ଖର୍ଚ୍ଚ ଆଦି ସବୁକିଛି ରାଜ୍ୟ ସରକାର ବହନ କରିଛନ୍ତି। ଏହି ସୁବିଧା ରାଜ୍ୟର ସବୁ ଜନସାଧାରଣ –  ବି.ପି.ଏଲ୍‌,  ଏ.ପି.ଏଲ୍, ଧନୀ ଅବା ଗରିବ, ଗାଁରେ ରୁହନ୍ତୁ ବା ସହରରେ – କୋଭିଡ ରୋଗରେ ପୀଡିତ ଭାଇଭଉଣୀ ମାନଙ୍କୁ ସମସ୍ତଙ୍କୁ, ମାଗଣା ଚିକିତ୍ସା ସୁବିଧା ଆମେ ଯୋଗାଇ ଦେଇଛୁ।ଏହାବ୍ୟତୀତ ସରକାର ସାମାଜିକ ଓ ଖାଦ୍ୟ ନିରାପତ୍ତା ପାଇଁ   ୪ ମାସର ରାସନ ଆଗୁଆ ଦେବା ସହିତ ବିଭିନ୍ନ ଭତ୍ତା ମଧ୍ୟ ଆଗୁଆ ପ୍ରଦାନ କରିଛନ୍ତି। ମିଶନ ଶକ୍ତିର ମା ମାନେ ଗରିବ ଲୋକ ମାନଙ୍କୁ, ଅସୁବିଧାରେ ଥିବା ଲୋକମାନଙ୍କୁ ଏହି ସମୟ ମଧ୍ୟରେ ୨.୫ କୋଟି ଖାଦ୍ୟ ଥାଳି ଯୋଗାଇ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

 

 

 

ସୀମାରେ ଯବାନଙ୍କ ପ୍ରସ୍ତୁତି ପରଖିବେ ରାଜନାଥ ସିଂହ, ଶତ୍ରୁ ବିମାନକୁ ନିମିଷେକେ ଧ୍ୱଂସ କରିବ ଭାରତୀୟ ମିଜାଇଲ୍‌

ଲଦାଖ: ଏବେ ବି ଲଦାଖ ସୀମାରେ ସ୍ଥିତି ଗମ୍ଭୀର ରହିଛି । ବାରମ୍ବାର ଆଲୋଚନା ସତ୍ତେ ଚୀନ୍‌ ପଛକୁ ହଟିବାକୁ ନାରାଜ । ଗୋଟିଏ ପଟେ ଆଲୋଚନା ମାଧ୍ୟମରେ ସୀମା ବିବାଦ ସମାଧାନ ହେବ ବୋଲି ଚୀନ୍‌ କହୁଥିବା ବେଳେ ଅନ୍ୟପଟେ ସୀମାରେ ଅଧିକରୁ ଅଧିକ ଫୋର୍ସ ମୁତୟନ କରୁଛି । ଶାନ୍ତିର ଭାଷା ବୁଝିବାକୁ ଚୀନ୍‌ ନାରାଜ ।

LAC ଚୀନ୍‌ର ଏଭଳି ଆଭିମୁଖ୍ୟ ଦେଖି ଭାରତ ବି ପ୍ରସ୍ତୁତ ହୋଇଛି । ଅଧିକରୁ ଅଧିକ ଯବାନଙ୍କୁ ସୀମାରେ ମୁତୟନ କରିବା ଆରମ୍ଭ କରିଛି ଭାରତ । ଚୀନ୍‌ର କୌଣସି ବି କାର୍ଯ୍ୟକଳାପର ମୁହଁତୋଡ଼ ଯବାବ ଦେବା ପାଇଁ ଯବାନମାନେ ସବୁ ସ୍ତରରେ ପ୍ରସ୍ତୁତ ଅଛନ୍ତି । ଭାରତୀୟ ସେନାର ଏଭଳି ପ୍ରସ୍ତୁତିକୁ ପରଖିବା ପାଇଁ ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲେହରେ ପହଞ୍ଚିବେ । ରାଜନାଥଙ୍କ ସହ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରଓ୍ୱାଣେ ମଧ୍ୟ ଲେହରେ ପହଞ୍ଚିବେ । ଗତ ସପ୍ତାହରେ ମଧ୍ୟ ଲେହ ଏବଂ ଲଦାଖରେ ସ୍ଥିତି ପରିଖିବା ପାଇଁ ନରଓ୍ୱାଣେ ପହଞ୍ଚିଥିଲେ ।

Rajnath Singh

ଗତ ମାସ ଆରମ୍ଭରୁ ଯେତେବେଳେ ଚୀନ୍ ସେନା ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କଲା, ସେତେବେଳୁ ହିଁ IAF ପୂର୍ବ-ଲଦାଖ ସେକ୍ଟରକୁ Su-30MKI ପଠାଇଥିଲା । ଚାଇନିଜ୍‌ମାନେ କ୍ରମାଗତ ଭାବେ ଭାରତୀୟ ଆକାଶ ମାର୍ଗରେ ବୁଲୁଥିଲେ । LAC ସେପାଖରେ ଚୀନ୍ ପ୍ରାୟ 10 କିଲୋମିଟର ଦୂରରେ ଅନେକ କନ୍‌ଷ୍ଟ୍ରକ୍‌ସନ୍‌ କାର୍ଯ୍ୟ ଆରମ୍ଭ କରିଛି । ଏହି ବିମାନଗୁଡ଼ିକ ଏହି କନ୍‌ଷ୍ଟ୍ରକ୍‌ସନ କାମ ଚାରିପଟେ ରୁଟିନ୍‌ ଉଡ଼ାଣ କରନ୍ତି ।

Akash

ସୀମାରେ ଚୀନ୍‌ର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିବାକୁ ଏବଂ ମୁକାବିଲା କରିବାକୁ ବାୟୁସେନା ପ୍ରସ୍ତୁତ ଅଛି । ସମଗ୍ର ସେକ୍ଟରରେ ଆଡ୍‌ଭାନ୍ସ ଓ ଦ୍ରୁତପ୍ରତିକ୍ରିୟାଶୀଳ ମିଜାଇଲ୍‌ ଉତ୍‌କ୍ଷେପଣର ବ୍ୟବସ୍ଥା କରାଯାଇଛି । ଯାହାକି କିଛି ସେକେଣ୍ଡରେ ଶତ୍ରୁପକ୍ଷ ଯୁଦ୍ଧ ବିମାନକୁ ଧ୍ୱଂଶ କରିଦେବ । ପୂର୍ବ ଲଦାଖକୁ ‘ଆକାଶ’ କ୍ଷେପଣାସ୍ତ୍ର ମଧ୍ୟ ପଠାଇଛି ସେନା । IAF ଯୁଦ୍ଧ ବିମାନ ପୂର୍ବରୁ ହିଁ ବହୁତ ସକ୍ରିୟ ଅଛି ।

ସରିଲା ନବଦିନାତ୍ମକ ଯାତ୍ରା,କାଲି ସୁନାବେଶ

ଜନଶୂନ୍ୟ ବଡଦାଣ୍ଡରେ ଅବିଳମ୍ୱେ ଶ୍ରୀମନ୍ଦିର ଫେରିଗଲେ ମହାପ୍ରଭୁ ଜଗନ୍ନାଥ, ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା । ରଥଯାତ୍ରାରେ ପ୍ରଭୁ ଯେତେ ଶୀଘ୍ର ଆଡପ ମଣ୍ଡପକୁ ମୁହାଁନ୍ତି ଫେରିବା ବେଳେ ଏତେ ବ୍ୟସ୍ତ ହୋଇ ଫେରିବା କେହି ଅନୁଭବ କରିନଥିବେ । ସେଥିପାଇଁ କୁହାଯାଏ ବାହୁଡାରେ ପ୍ରଭୁ ରହି ସମ୍ଭାଳି ଭକ୍ତରର ଭାବବେଗକୁ ସମ୍ମାନ ଦେଇ ଆସ୍ତେ ଆସ୍ତେ ଫେରନ୍ତି । ଆମ ଓଡିଆଙ୍କ ବିଶ୍ୱାସ ଯେ ବାହୁଡା ଯାତ୍ରାର ସବୁ ନିତୀକାନ୍ତିରେ ଠାକୁରେ ଜାଣିଶୁଣି ବିଳମ୍ୱ କରନ୍ତି । ଭକ୍ତର ଭକ୍ତିରେ ବନ୍ଧା ଏଠାକୁର କେବେ ଏଭଳି ଜନଶୂନ୍ୟ ରଥାଯାତ୍ରା ଭବିଷ୍ୟତରେ ଦେଖିବେନି ବୋଧେ । ତେବେ ବିନା ଭକ୍ତରେ ଆଜିର ବାହୁଡା ଯାତ୍ରାକୁ ଆଗ୍ରାହ୍ୟ ନକରି ପ୍ରଭୁ ଫେରିଛନ୍ତି ନନ୍ଦିଘୋଷରେ  । ବାଟରେ ମାଉସୀ ଘର ପୋଡ ପିଠା ବି ଖାଇଛନ୍ତି ।

ତେବେ  ପୁରୀ ପ୍ରଶାସନ ଓ ମନ୍ଦିର ପ୍ରଶାସନ ଓ ପୁରୀବାସୀଙ୍କର ନିଷ୍ଠାପର ଶୃଙ୍ଖଳା ଓ ସମର୍ଥନ ଯୋଗୁଁ ରଥ ଓ ବାହୁଡା ଯାତ୍ରା ସଫଳ ହୋଇଛି । ତିନି ରଥ ବଡଦାଣ୍ଡରେ ଲାଗିଛି । ରଥାଯାତ୍ରା ପରିଚାଳନା ସଫଳ ଭାବେ ବାହୁଡ ଯାତ୍ରାରେ ଶେଷ ହେବା ପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପରିଚାଳନା କମିଟି ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ପ୍ରଶାସନର ସଠିକ ନିୟନ୍ତ୍ରଣ ବ୍ୟବସ୍ଥା ଯୋଗୁଁ ରଥଯାତ୍ରାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ସୂଚାର ରୂପେ ପରିଚାଳିତ ହୋଇଛି । ଅନ୍ୟପକ୍ଷରେ ଚତୁର୍ଦ୍ଧା ମୂର୍ତ୍ତି ଏବେ ସିଂହଦ୍ୱାର ସାମ୍ନାରେ ଅଟକି ରହିବେ  । କାଲି ସୁନାବେଶରେ ଦର୍ଶନ ଦେଇ ନିଳାଦ୍ରୀ ବିଜେ କରିବେ ।

ରାଜ୍ୟର ଆଉ ଜଣେ କରୋନା ରୋଗୀ ମୃତ, ଜାଣନ୍ତୁ କେଉଁଠି….

ନୟାଗଡରେ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର ରାଜଧାନୀ ଭୁବନେଶ୍ୱରରେ ମୃତ୍ୟୁ ଘଟିଛି । ସେ ଭୁବନେଶ୍ୱରର ଯଦୁମଣି ନଗରରେ ଏକ ଔଷଧ ଦୋକାନ ଚଳାଉଥିଲେ । ମୃତକଙ୍କ ପରିବାରକୁ ନୟାଗଡ ପୌର ନିର୍ବାହୀ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି  । ଦିନକୁ ୨ଶହ ପରେ ରାଜ୍ୟରେ ବାହାରିବାରେ ଲାଗିଛି କରୋନା ସଂକ୍ରମଣ । ବୁଧାବର ପୁଣି ୨୫୧ ଜଣ ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ୧୫୧ ମଧ୍ୟରୁ ୨୦୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ବାହାରିଥିବା ବେଳେ ଅନ୍ୟ ୪୩ ଜଣ ସ୍ଥାନୀୟ ସଂକ୍ରମଣ ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି କି ଦିନକୁ ଦିନ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛନ୍ତି । ସ୍ଥାନୀୟ ସଂକ୍ରମଣ କିଛି ଦିନ ହେବ ମନ୍ଥର ସ୍ଥିତିରେ ଥିବା ବେଳେ ବୁଧବାର ଏକାଥରକେ ୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଗଲବାନ ଘାଟିରୁ ପଛକୁ ହଟିବ ଚୀନ, ହେଲେ ପୈଙ୍ଗୋଙ୍ଗକୁ ନେଇ ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ମଧ୍ୟରେ ଥିବା ସମସ୍ୟାର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ହୋଇଥିବା କୋର କମାଣ୍ଡର ସ୍ତରୀୟ କଥାବାର୍ତ୍ତା ତୃତୀୟ ପାଳିରେ ମଧ୍ୟ କୌଣସି ସମାଧାନ ମିଳିନାହିଁ । ସରକାରୀ ସୂତ୍ର ଅନୁଯାୟୀ, ପୂର୍ବରୁ ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନା ପରେ ଚୀନ୍ ଗଲବାନ୍ ଉପତ୍ୟକାର LAC ନିକଟରେ ଥିବା କେତେକ ଅଞ୍ଚଳରୁ ନିଜର ସୈନ୍ୟ ଘୁଞ୍ଚାଇବାକୁ ରାଜି ହୋଇଛି କିନ୍ତୁ ଏପର୍ଯ୍ୟନ୍ତ ପୈଙ୍ଗୋଗ ହ୍ରଦକୁ ନେଇ କିଛି ସମାଧାନର ବାଟ ବାହାରିନାହିଁ ।

ବାସ୍ତବରେ, ଦୁଇ ଦେଶ ମଧ୍ୟରେ ଅନେକ ପ୍ରସଙ୍ଗରେ ସହମତି ନାହିଁ । ଆଗରୁ ହୋଇଥିବା ପାରାମିଟର ଅନୁଯାୟୀ ଚୀନ୍ ଗଲବାନ୍ ଉପତ୍ୟକାରୁ ପଛକୁ ହଟିବାକୁ ରାଜି ହୋଇଛି, କିନ୍ତୁ ପୈଙ୍ଗୋଗ ହ୍ରଦ ନିକଟରେ ଉଭୟ ସୈନବାହିନୀ ପଛକୁ ଫେରିବାକୁ ରାଜି ନାହାଁନ୍ତି । ଭାରତୀୟ ସେନା ଫିଙ୍ଗର -୪ ରେ ଅଛି, ଏହି ଅଞ୍ଚଳ ପୂର୍ବରୁ ଭାରତ ଅଧୀନରେ ଅଛି । ଭାରତ ଫିଙ୍ଗର -୮କୁ LAC ବୋଲି ଦାବି କରୁଛି । ଏଭଳି ପରିସ୍ଥିତିରେ ମଙ୍ଗଳବାର ଦିନ ଚୁସୁଲରେ ଭାରତ ଏବଂ ଚୀନ୍ ବାହିନୀ ମଧ୍ୟରେ କୋର୍ କମାଣ୍ଡର ସ୍ତରୀୟ ବୈଠକର ମଧ୍ୟ କୌଣସି ଫଳାଫଳ ମିଳିନାହିଁ ।

ପୈଙ୍ଗୋଗ ଏବଂ ଗଲବାନ ପରି ଡେପସାଙ୍ଗ ଏବଂ ଡେମଚୋକରେ ମଧ୍ୟ ଚୀନ୍ ସେନା ପଛକୁ ଘୁଞ୍ଚୁନାହାଁନ୍ତି । ସୈନ୍ୟ କମାଣ୍ଡରଙ୍କ ମଧ୍ୟରେ ହୋଇଥିବା ଶେଷ ବୈଠକରେ ଚୀନ୍ କହିଥିଲା, ସେ ଗଲବାନରେ କ୍ଲେମ୍ ଲାଇନଠାରୁ ୮୦୦ ମିଟର ଦୂରରେ ଅଛି । ଜୁନ୍ ୨୨ରେ ଅନୁଷ୍ଠିତ ବୈଠକରେ ଚୀନ୍ କହିଥିଲା, ଗଲବାନର PP-୧୪ରେ ମାତ୍ର ୧୦୦ରୁ ୧୫୦ମିଟର ଭିତରକୁ ସେ ଆସିଥିଲେ ।
ଲଦାଖରେ ଏହି ବାର୍ତ୍ତାଳାପ ସହିତ ପରିଚିତ ସରକାରୀ ସୂତ୍ର ନ୍ୟୁଜ-18କୁ କହିଛି ଯେ ଲେହ ସ୍ଥିତ XIV କୋର୍ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ୍ ହରିନ୍ଦର ସିଂ ଏବଂ ତାଙ୍କର ଚୀନ୍ ସମକକ୍ଷ ମେଜର-ଜେନେରାଲ୍ ଲିୟୁ ଲିନ୍ ଦୀର୍ଘ ଦିନ ଧରି ଏହି ପ୍ରସଙ୍ଗରେ କଥା ହୋଇଥିଲେ । ଉଭୟ LAC ସମେତ କେତେକ କ୍ଷେତ୍ରରୁ ନିଜ ସୈନ୍ୟ ପ୍ରତ୍ୟାହାର କରିବାକୁ ସହମତି ପ୍ରକାଶ କରିଥିଲେ।

PP-14 ସେହି ସ୍ଥାନ ଯେଉଁଠାରେ ୧୫ ଜୁନ୍ ରାତିରେ ଦୁଇ ସୈନ୍ୟ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା | ଏହି ସଂଘର୍ଷରେ ୧୬ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର କର୍ଣ୍ଣେଲ ବି ସନ୍ତୋଷ ବାବୁଙ୍କ ସମେତ ଭାରତୀୟ ସେନାର ୨୦ ସୈନିକ ସହିଦ୍ ହୋଇଥିଲେ। ତେବେ ଚୀନ୍‌ରୁ ଆହତଙ୍କ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ।

ସରକାରୀ ସୂତ୍ର ଅନୁଯାୟୀ,ବର୍ତ୍ତମାନ ପୈଙ୍ଗଗ ହ୍ରଦ ମାମଲାରେ କିଛି କଥାର ସମାଧାନ ଦେଖିବାକୁ ମିଳୁଛି । ଏଠାରେ ୧୫ଜୁନ୍ ଦିନ ସଂଘର୍ଷ ହୋଇଥିଲା, ଉଭୟ ପାର୍ଶ୍ୱରେ ଥିବା ସୈନିକ ଏହି ସଂଘର୍ଷରେ ଗୁରୁତର ଆହତ ହୋଇଥିଲେ।

ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ‘ପିଏଲଏ କମାଣ୍ଡରମାନେ ପୈଙ୍ଗଗରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନମନୀୟତା ଦେଖାଇ ନାହାଁନ୍ତି । ମୁଁ ଭାବୁଛି ଯେ ଆମେ ସମୟ ଅନୁସାରେ ଆଗକୁ ଗତି କରୁଛୁ । ଏଭଳି ପରିସ୍ଥିତିରେ ୱାନ୍ ସଟ୍ ସେଟଲମେଣ୍ଟ ଆଶା କରାଯାଇପାରିବ ନାହିଁ।’

ଭାରତ ଏବଂ ଚୀନ୍ ମଧ୍ୟରେ ଲଦାଖରେ ମେ ୫ରୁ ବିବାଦ ଲାଗି ରହିଛି । ଲଦାଖର ଗାଲୱାନ୍ ଉପତ୍ୟକାରେ ୧୫ ଏବଂ ୧୬ଜୁନ୍ ରାତିରେ ଦୁଇ ଦେଶ ମଧ୍ୟରେ ଏହି ବିବାଦ ଏକ ହିଂସାତ୍ମକ ସଂଘର୍ଷରେ ପରିଣତ ହୋଇଥିଲା ଯେଉଁଥିରେ ଭାରତର ୨୦ ଜଣ ସୈନିକ ସହିଦ ହୋଇଥିଲେ। ଏଥିରେ ଚୀନ୍ ମଧ୍ୟ ବହୁତ କ୍ଷତି ସହିଥିଲା । ବିବାଦ ଆରମ୍ଭ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଅନେକ ସାମରିକ ଏବଂ କୂଟନୈତିକ ସ୍ତରର ଆଲୋଚନା ହୋଇଥିଲା । ଯାହା ପରେ ଉଭୟ ଦେଶ ନିଜର ସୈନ୍ୟବାହିନୀକୁ ପଛକୁ ଘୁଞ୍ଚେଇବାକୁ ରାଜି ହୋଇଛନ୍ତି। ଦୀର୍ଘ ୪୫ ବର୍ଷ ମଧ୍ୟରେ ସୀମାରେ ଏହା ହିଂସାର ସବୁଠାରୁ ବଡ଼ ଘଟଣା ଥିଲା |

ଟିକ୍‌ଟକ୍‌ ବ୍ୟାନ୍‌ ନେଇ ସୁପ୍ରିମ୍‌କୋର୍ଟରେ ମାମଲା, ବରିଷ୍ଠ ଆଇନଜୀବୀ କହିଲେ ଏମତି କଥା…

ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଉପରେ ଚୀନ୍‌ର ଉତ୍ପାତ ପରେ ସାରା ଭାରରେ ଏହା ବିରୋଧରେ କ୍ରୋଧର ବହ୍ନୀ ଲିଭିବାର ନାଁ ଧରୁନି । ସୋମବାର ରାତିରେ ଭାରତ ସରକାର ୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଯାହାକି ଚୀନ୍‌କୁ ଏକ ବଡ଼ ଝଟ୍‌କା ଲାଗିଛି । ଚୀନ୍ କମ୍ପାନୀଗୁଡିକ ବିରୋଧରେ ଜନସାଧାରଣଙ୍କ ରାଗ ଓ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପରେ ଏବେ ସୁପ୍ରିମ୍‌କୋର୍ଟ ଓକିଲଙ୍କଠାରେ ମଧ୍ୟ ଦେଖିବାକୁ ମିଳିଛି ଏହାର ପ୍ରଭାବ । ପୂର୍ବତନ ଆଟର୍ଣ୍ଣି ଜେନେରାଲ୍ ମୁକୁଲ ରୋହତଗୀ ଟିକ୍‌ଟକ୍ କମ୍ପାନୀ ସପକ୍ଷରେ ସୁପ୍ରିମକୋର୍ଟରେ  କେସ୍‌ ଲଢ଼ିବାକୁ ମନା କରି ଦେଇଛନ୍ତି ।

Tik Tok

ବରିଷ୍ଠ ଆଡ୍‌ଭୋକେଟ୍ ମୁକୁଲ ରୋହତଗି ସୁପ୍ରିମକୋର୍ଟରେ ଟିକ୍‌ଟକ୍‌ ପାଇଁ ଓକିଲାତି କରୁଥିବାବେଳେ ସେ ଭାରତ ସରକାରଙ୍କ ବିରୋଧରେ ଯୁକ୍ତି ଉପସ୍ଥାପନ କରିବେ ନାହିଁ ବୋଲି ସିଧା ସଳଖ ମନା କରିଦେଇଛନ୍ତି । ସେ କହିଛନ୍ତି ଯାହା କହିବା କଥା ସେ ସୁପ୍ରିମ୍‌କୋର୍ଟଙ୍କ ନିକଟରେ କହିଛନ୍ତି ।

ଦେଶର ସୁରକ୍ଷା ପ୍ରତି ବିପଦ ଥିବା ଚୀନ୍ ଆପ୍ ଉପରେ ମୋଦି ସରକାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ସୋମବାର ରାତିରେ ଟିକ୍‌ଟକ୍‌ ସମେତ ୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି ସରକାର । ଟିକ୍‌ଟକ୍‌ ଆପ୍‌ ଲକ୍‌ ହୋଇସାରିଥିବା ବେଳେ ଆଗାମୀ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଅନ୍ୟ ସମସ୍ତ ଆପ୍‌କୁ ଲକ୍‌ କରିଦିଆଯିବ ବୋଲି କୁହାଯାଇଛି । ସେନେଇ କାମ ଆରମ୍ଭ ହୋଇସାରିଛି । ଯାହାଦ୍ୱାରା ଭାରତରେ କୌଣସି ମୋବାଇଲରେ ମଧ୍ୟ ଏହି ଚାଇନିଜ୍‌ ଆପ୍‌ ଗୁଡ଼ିକ କମା କରିବ ନାହିଁ ।

TikTok

ସୂଚନାଯୋଗ୍ୟ ଏହି ପ୍ରତିବନ୍ଧକ ସୀମିତ ସମୟ ପାଇଁ ରଖାଯାଇଛି । ଏହି ମାମଲା କୋର୍ଟକୁ ଯିବା ପରେ ଏନେଇ ବିଚାର କରାଯିବ । ବିଚାର କରାଯିବା ପରେ ଏନେଇ କୋର୍ଟ ନିଷ୍ପତ୍ତି ନେବେ । ଏହାପରେ ସ୍ଥିର ହେବ ଯେ, ଏହି ଆପ୍‌ ଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯିବ କି ନାହିଁ । ତେବେ ଟିକ୍‌ଟକ୍‌ ଭଳି ଚାଇନିଜ୍‌ ଆପ୍‌ଗୁଡ଼ିକୁ ପ୍ଲେ-ଷ୍ଟୋରରୁ ଏବେ ହଟାଯାଇଛି । ଏହାର କୌଣସି ଅପ୍‌ଡେଟ୍‌ ମଧ୍ୟ ମିଳିବ ନାହିଁ ।

ମୋଦି ସରକାରଙ୍କ ନିଷ୍ପତ୍ତି ପରେ ଟିକ୍‌ଟକ୍‌ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ସେ କହିଛି ଯେ, ସରକାରଙ୍କ ଆଦେଶ ପାଳନ କରାଯାଉଛି । କମ୍ପାନୀ ପକ୍ଷରୁ  କୌଣସି ଭାରତୀୟ ୟୁଜର୍ସଙ୍କ ତଥ୍ୟ ଅନ୍ୟ ଦେଶ ସହିତ ସେୟାର କରାଯାଉ ନାହିଁ । ଏମିତିକି ଚୀନ୍ ସହିତ ମଧ୍ୟ ଭାରତୀୟଙ୍କ କୌଣସି ଗୁପ୍ତ ତଥ୍ୟ ସେୟାର କରାଯାଇ ନାହିଁ ।

ଦିନ ଥିଲା ଟିମ୍ ଇଣ୍ଡିଆର କ୍ୟାପ୍ଟେନ ହେବା ପାଇଁ ରାଜା ହେବା ଜରୁରୀ ଥିଲା !

ଆଜି ବିଶ୍ୱ କ୍ରିକେଟରେ ଭାରତ ଏକ ଜଣାଶୁଣା ନାମ । ଦୁଇ ଦୁଇଥର ବିଶ୍ୱକପ ହାତେଇ ସାରିଛି ଭାରତ । କିନ୍ତୁ ଗୋଟିଏ ସମୟରେ ଭାରତୀୟ କ୍ରିକେଟ ଦଳ ବୋଲି କିଛି ନଥିଲା । ବ୍ରିଟିସ ରାଜ ସମୟରେ ଭାରତୀୟ କ୍ରିକେଟ୍ ଖେଳୁଥିଲେ କିନ୍ତୁ ଟିମ୍ ଇଣ୍ଡିଆ ନଥିଲା । କ୍ରିକେଟ୍ ଦଳ ସବୁ ଧର୍ମ ଆଧାରରେ ବିଭକ୍ତ ଥିଲା । ଯେମିତି ହିନ୍ଦୁ ଟିମ୍,ପାର୍ସି ଟିମ୍ କିମ୍ବା ମୁସଲିମ୍ ଟିମ୍ । ଭାରତ ୧୯୩୨ ମସିହାରେ ପ୍ରଥମ ଥର ପାଇଁ ଇଂଲଣ୍ଡ ମାଟିରେ ଟେଷ୍ଟ କ୍ରିକେଟ୍ ଖେଳିଥିଲା । ଭାରତ ଟେଷ୍ଟ କ୍ରିକେଟ୍ ଖେଳିବା ଆଗରୁ ବିଶ୍ୱର ୫ଟି ଦଳ ଏହି ମାନ୍ୟତା ପାଇଥିଲେ ।

first indian cricket team

(ଇଏ ହେଉଛନ୍ତି ପ୍ରଥମ ଟିମ୍ ଇଣ୍ଡିଆର ଗ୍ରୁପ୍ ଫଟୋ,ଇତିହାସ ଏଇଠୁ ଆରମ୍ଭ ହୋଇଥିଲା)

୧୯୨୬ ମସିହାରେ ଇଂଲଣ୍ଡର କ୍ରିକେଟ୍ ଅଧିକାରୀ ଭାରତକୁ ବ୍ରିଟିଶ ଟିମ୍ ପଠାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ୧୯୨୬ରେ MCC ଟିମ୍ ଭାରତ ଗସ୍ତରେ ଆସିଥିଲା । ଏହି ଟୁରରେ ଏମସିସି ୨୬ ଫାଷ୍ଟକ୍ଲାସ୍ ମ୍ୟାଚ୍ ଖେଳିଥିଲା । ଏହାପରେ ବ୍ରିଟିଶ ଅନୁଭବ କଲେ ଯେ, ଭାରତ ଟେଷ୍ଟ୍ ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ । ଟୁରରେ ଆସିଥିବା ବ୍ରିଟିଶ କ୍ୟାପ୍ଟେନ୍ ଗିଲିଗନ ଏନେଇ ସେତେବେଳେ ଭାରତୀୟ କ୍ରିକେଟର କର୍ତ୍ତାଧର୍ତ୍ତା ଥିବା ପଟିଆଲା ମହାରାଜା ଭୁପେନ୍ଦ୍ର ସିଂହଙ୍କ ଦିଲ୍ଲୀରେ ଏନେଇ କଥା ହୋଇଥିଲେ । ଏହାପରେ ପରେ ଭାରତୀୟ କ୍ରିକେଟ୍ ବୋର୍ଡ ଜନ୍ମ ନେଇଥିଲା ।

ରାଜା-ମହାରାଜାଙ୍କ ବେଳର କ୍ରିକେଟ୍

king of porbandar

(ପୋର ବନ୍ଦର ମହାରାଜା,ଯିଏ ତାଙ୍କ ସ୍ଥାନରେ ନାଇଡୁଙ୍କୁ ଅଧିନାୟକ କରିଥିଲେ )

ଭାରତୀୟ ଖେଳାଳୀ ଏହା ସିଦ୍ଧ କରିଥିଲେ ଯେ, ଭାରତ ଏବେ କ୍ରିକେଟ୍ ଖେଳିବାକୁ ପ୍ରସ୍ତୁତ ଅଛି । କିନ୍ତୁ ସେସମୟରେ ସ୍ପନସର ନଥିଲେ କିମ୍ବା ଆୟର ଅନ୍ୟ ସ୍ରୋତ ନଥିଲା । ଏମିତିରେ ବୋର୍ଡକୁ କ୍ରିକେଟ୍ ପରିଚାଳନା ପାଇଁ ରାଜା-ମହାରାଜଙ୍କ ଉପରେ ନିର୍ଭର ରହିବାକୁ ପଡୁଥିଲା । ତେଣୁ ସେତେବେଳେ ସବୁ କ୍ରିକେଟ୍ ଟିମର ଅଧିନାୟକ ରାଜା କିମ୍ବା ମହାରାଜା ଥିଲେ । ତେବେ ଭାରତୀୟ  ଟିମ୍ ଗଠନ ଆଲୋଚନା ବେଳେ ଜଣେ ବ୍ରିଟିଶ ନାଗରିକଙ୍କୁ ଟିମ ଇଣ୍ଡିଆର କ୍ୟାପ୍ଟେନ କରିବାକୁ ଚିନ୍ତା କରାଯାଇଥିଲା । ଏହାର ମୁଖ୍ୟ ଉଦ୍ଦେଷ୍ୟ ଥିଲା ଯେମିତି ଟିମ୍ ଇଣ୍ଡିଆରେ ଧର୍ମକୁ ନେଇ ବିଦ୍ରୋହ ହେବନି । ସବୁ ଧର୍ମର ଖେଳାଳୀ ଜଣେ ଇଂରେଜଙ୍କ ଅଧିନରେ ରହିପାରିବେ ବୋଲି ବୋର୍ଡ ଭାବୁଥିଲା ।

ଭାରତୀୟ ଟିମର ପ୍ରଥମ ଇଂଲଣ୍ଡ ଗସ୍ତ

c k naidu

(କର୍ଣ୍ଣଲ ସି.କେ ନାଇଡୁ : ଭାରତର ପ୍ରଥମ ଆମ୍ ଆଦାମୀ କ୍ୟାପ୍ଟେନ୍)

୧୯୩୨ରେ ଭାରତୀୟ ଟିମ ପ୍ରଥମ ଥର ପାଇଁ ଇଂଲଣ୍ଡ ଗସ୍ତରେ ଯିବାର ଥିଲା । କିନ୍ତୁ ମ୍ୟାନେଜମେଣ୍ଟ୍ ଆଗରେ ଗୋଟିଏ ବଡ ପ୍ରଶ୍ନ ଥିଲା –କିଏ କ୍ୟାପ୍ଟେନ୍ ହେବ ? ନବାବ ପଟୌଦି ସିନିୟର କିମ୍ବା ଦିଲ୍ଲିପ ସିଂହଙ୍କୁ କ୍ୟାପ୍ଟେନ କରିବାକୁ ପ୍ରସ୍ତାବ ଆସିଲା । କିନ୍ତୁ ସମସ୍ୟା ହେଲା ଏହି ଦୁଇ ମହାରାଜା ସେତେବେଳେ ଇଂଲଣ୍ଡ ପାଇଁ ଖେଳୁଥିଲେ । ଏହାପରେ ପଟିୟାଲା ମହାରାଜା କିମ୍ବା ବିଜୟନଗରମ ମହାରାଜାଙ୍କୁ କ୍ୟାପ୍ଟେନ ହେବାକୁ ପ୍ରସ୍ତାବ ଦିଆଗଲା । କିନ୍ତୁ ଗସ୍ତସୂଚୀ ଲମ୍ବା ଥିଲା । ଏପ୍ରିଲରୁ ଅକ୍ଟୋବର ପର୍ଯ୍ୟନ୍ତ ଇଂଲଣ୍ଡରେ ରହିବାର ଥିଲା । ଏମିତିରେ ଏହି ଦୁଇ ରାଜା ନିଜ ରାଜ୍ୟ ଛାଡିବାକୁ ମନା କଲେ । ୨ ଏପ୍ରିଲ ୧୯୩୨ରେ ବମ୍ବେରୁ ଜାହଜରେ ବସି ଟିମ୍ ବାହାରିଲା । ଟିମରେ ୭ ହିନ୍ଦୁ,୫ ମୁସଲମାନ,୪ ପାର୍ସୀ ଓ ଦୁଇ ଜଣ ଶିଖ୍ ଥିଲେ । ଆଉ କ୍ୟାପ୍ଟେନ୍ ଥିଲେ ପୋରବନ୍ଦର ମହାରାଜା ।ତେବେ ମହାରାଜାଙ୍କୁ ଏହି ଦାୟିତ୍ୱ ତାଙ୍କ ଖେଳ ପାଇଁ ନୁହେଁ ଭଲ ଇଂଲିସ ଜାଣିଥିବା କାରଣରୁ ମିଳିଥିଲା । କିନ୍ତୁ ଟିମ୍ ଇଂଲଣ୍ଡରେ ପହଂଚିବା ପରେ ଜଣା ପଡିଗଲା ଯେ, ମହାରାଜାଙ୍କ ପକ୍ଷରେ ଟିମକୁ ସମ୍ଭାଳିବା ସମ୍ଭବ ନୁହେଁ । ପୋରବନ୍ଦର ମହାରାଜାଙ୍କୁ ନେଇ ସେତେବେଳେ ବେସ କଟାକ୍ଷ କରାଯାଉଥିଲା । ଯେମିତି ‘ପୋରବନ୍ଦର ମହାରାଜାଙ୍କ ପାଖରେ କମ ରନ୍, ଅଧିକ ରୋଲ୍ସ ରାୟସ ଅଛି’

ମ୍ୟାଚ୍ ପୂର୍ବ ରାତ୍ରିରେ ବିଦ୍ରୋହ

patiala king bhupinder

(ପଟିଆଲା ମହାରାଜା ଭୁପିନ୍ଦର ସିଂହ)

୨୫ ଜୁନରେ ଭାରତୀୟ ଟିମ୍ ବିଦେଶ ମାଟିରେ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳିବାର ଥିଲା । କିନ୍ତୁ ତା’ପୂର୍ବ ରାତ୍ରୀ ଅର୍ଥାତ ଜୁନ୍ ୨୪ ତାରିଖ ଦିନ ଦଳରେ ବିଦ୍ରୋହ ହୋଇଗଲା । କାରଣ ପୋରବନ୍ଦର ରାଜା କ୍ୟାପ୍ଟେନ୍ ପଦବୀ ଛାଡି ଦେଇଥିଲେ । ସେ ନିଜ ସ୍ଥାନରେ କର୍ଣ୍ଣଲ ସି.କେ ନାଇଡୁଙ୍କୁ ବାଛିଥିଲେ । କିନ୍ତୁ ଭାରତୀୟ ଖେଳାଳୀ ଜଣେ ଆମ୍ ଆଦମୀଙ୍କୁ କ୍ୟାପ୍ଟେନ ଭାବେ ଗ୍ରହଣ କରିବାକୁ ରାଜି ନଥିଲେ । ଖେଳ ଜାଣିନଥିବା ରାଜା କିମ୍ବା ନବାବଙ୍କ ଅଧିନରେ ସେମାନେ ଖେଳିବାକୁ ପ୍ରସ୍ତୁତ ଥିଲେ କିନ୍ତୁ ଜଣେ ପ୍ରକୃତ ଖେଳାଳୀଙ୍କ ଅଧିନରେ ନୁହେଁ । ଏହି ସମୟରେ ପଟିୟାଲା ମହାରାଜା ଭୁପିନ୍ଦର ସିଂହଙ୍କ ଏଣ୍ଟ୍ରି ହୁଏ । ଭୁପିନ୍ଦର ରୋକଠୋକ୍ ଶୁଣାଇ ଦିଅନ୍ତି,ଖେଳିବ ଯଦି ନାଇଡୁ ଅଧିନରେ ଖେଲ ନହେଲେ ଆଉ କେବେ ଭାରତ ପାଇଁ ଖେଳି ପାରିବ ନାହିଁ । ତା’ପରଦିନ ଭାରତୀୟ ଟିମ୍ ଜଣେ ଆମ୍ ଆଦମୀ ଅଧିନରେ କ୍ରିକେଟ୍ ଖେଳିଥିଲା । ଏହି ଟେଷ୍ଟ୍ ମ୍ୟାଚ୍ ଭାରତ ହାରିଥିଲା । କିନ୍ତୁ ଇତିହାସ ଏଇଠୁ ଆରମ୍ଭ ହୋଇଥିଲା । ଭାରତ ଆଗକୁ କ୍ରିକେଟ୍ ଦୁନିଆରେ ନିଜ ପାଇଁ ସ୍ଥାନ ତିଆରି କଲା ଓ ରାଜା ମହାରାଜାଙ୍କ କବଜାରୁ କ୍ରିକେଟ୍ ମୁକ୍ତ ହେଲା ।