spot_img
Home Blog Page 691

ଆରମ୍ଭ ହେଉନି ପ୍ରକଳ୍ପ, କାମ ଅଭାବରୁ ଦାଦନ ମୁହାଁ ଶ୍ରମିକ

ନନ୍ଦିଘୋଷ ବ୍ୟୁରୋ: ପ୍ରାୟ ଏକ ବର୍ଷ ହେଲା ବନ୍ଦ ହୋଇ ପଡ଼ିଛି ମନରେଗା । ଆରମ୍ଭ ହେଉନି ପ୍ରକଳ୍ପ କାର୍ଯ୍ୟ । ନିୟୋଜିତ ହେଉ ନାହାଁନ୍ତି ଶ୍ରମିକ । ଏମିତିକି ଆବାସ ଯୋଜନାରେ ଗୃହ ନିର୍ମାଣ ସାରି ମନରେଗା ଅର୍ଥକୁ ଅପେକ୍ଷା କରି ରହିଛନ୍ତି ହିତାଧିକାରୀ । ଗ୍ରାଉଣ୍ଡ ଜିରୋରେ ସରକାରଙ୍କ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦେଖାଦେଇଛି ଅନିଶ୍ଚିତତା ।

ବନ୍ଦ ହୋଇ ପଡିଛି ମନରେଗା । ଆରମ୍ଭ ହେଉନି ପ୍ରକଳ୍ପ କାମ । କାମ ଅଭାବରୁ ଦାଦନ ମୁହାଁ ଶ୍ରମିକ । ଗତ ବର୍ଷକ ମଧ୍ୟରେ ଗତପତି ଜିଲ୍ଲା କାଶୀନଗର ବ୍ଲକ କେ.ସୀତାପୁର ପଞ୍ଚାୟତରେ କୌଣସି ପ୍ରକଳ୍ପ କାର୍ଯ୍ଯ ଆରମ୍ଭ ହୋଇନଥିବା ଅଭିଯୋଗ ହୋଇଛି । ରୋଜଗାର ନପାଇ ଅନେକ ଲୋକେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି । ଏପଟେ ଗାଁକୁ ପକ୍କା ରାସ୍ତା ନଥିବାବେଳେ କାଦୁଅ ପଚପଚ ଖାଲଖମା ମାଟି ରାସ୍ତା ମରାମତି କରିବାକୁ ସୁଦ୍ଧା ପ୍ରକଳ୍ପ ଅନୁମୋଦନ ହେଉନାହିଁ। ସୀତାପୁର ପଞ୍ଚାୟତର ଇପାଗୁଡା, ମିନିଗାଁଗୁଡା, ଜଗନ୍ନାଥପୁର ଗାଁରେ ପିଚୁ ରାସ୍ତା ନଥିବାରୁ ବର୍ଷା ଦିନେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ଗ୍ରାମାଞ୍ଚଳରେ ବେକାରୀ ସମସ୍ୟାକୁ ଦୂର କରିବା ସହ ଲୋକଙ୍କ ରୋଜଗାର ନିଶ୍ଚିତ କରିବାକୁ କେନ୍ଦ୍ର ସରକାରଙ୍କ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରହିଛି । ଦାଦନ ପ୍ରବଣ ଅଞ୍ଚଳରେ ଶ୍ରମିକଙ୍କୁ ବର୍ଷକରେ ୧୦୦ ରୁ ୨୦୦ ଦିନର ଶ୍ରମ ଦିବସ ପ୍ରଦାନ କରିବାକୁ ଏଥିରେ ପ୍ରାବଧାନ ରହିଛି । କିନ୍ତୁ ଗତ ଏକ ବର୍ଷ ହେଲାଣି କେ. ସୀତାପୁର ପଞ୍ଚାୟତରେ ଏହି ଯୋଜନାରେ କୌଣସି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇନାହିଁ । ମନରେଗା ଯୋଜନାରେ ପ୍ରକଳ୍ପ ମଞ୍ଜୁର ନେଇ ଲୋକେ ବାରମ୍ବାର ଦାବି କରୁଥିଲେ ମଧ୍ଯ ବ୍ଲକ ପ୍ରଶାସନ ହାତ ଟେକି ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ଦିନ ଗଡେଇ ଚାଲିଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ମନରେଗା ଯୋଜନାରେ କାମ ଚାଲୁ ରହିଛି । ପର୍ଯ୍ୟାୟକ୍ରମେ ପ୍ରକଳ୍ପ ଅନୁମୋଦନ ହେଉଛି । ଅନ୍ୟ ପ୍ରକଳ୍ପ ଅପେକ୍ଷା କମ ସଂଖ୍ୟାରେ ରାସ୍ତା ନିର୍ମାଣ ପ୍ରକଳ୍ପ ଅନୁମୋଦନ ହେଉଛି । ଏ କ୍ଷେତ୍ରରେ ଅନୁଧ୍ୟାନ କରି କାର୍ଯ୍ୟ କରିବେ ବୋଲି କହିଛନ୍ତି ଜିଲ୍ଲା ମୁଖ୍ଯ ପ୍ରଶାସକ । ଏଠି ପ୍ରଶ୍ନ ଉଠୁଛି- ଆଦିବାସୀଙ୍କ ବିକାଶ ନାଁରେ ଆସୁଥିବା ଯୋଜନାର ଟଙ୍କା ଯାଉଛି କୁଆଡେ ? କେଉଁଠି ଖର୍ଚ୍ଚ ହେଉଛି ? ଯାହାର ତଦନ୍ତ କରିବା ଜରୁରୀ ହୋଇପଡିଛି ।

ବିଭିନ୍ନ ଜିଲ୍ଲାରେ ବଢିବ ଗରମ ଓ ଗୁଳୁଗୁଳି

ନନ୍ଦିଘୋଷ ବ୍ୟୁରୋ: ବିଭିନ୍ନ ଜିଲ୍ଲାରେ ବଢିବ ଗରମ ଓ ଗୁଳୁଗୁଳି । ସତର୍କତା ଜରିକଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଭିନ୍ନ ଜିଲ୍ଲା ମାନଙ୍କରେ ଆଗାମୀ ୫ ଦିନ ମଧ୍ୟରେ ଦିନ ତାପମାତ୍ରା ସର୍ବାଧିକ ୨ ରୁ ୩ ଡିଗ୍ରୀ ବି ବଢ଼ିପାରେ ବୋଲି ପୂର୍ବାନୁମାନ କରିଛି ବିଭାଗ l ଅନ୍ୟପଟେ ଖରା ଗରମକୁ ଆଖିଆଗରେ ରଖି ହିଟ ୱେବ କଣ୍ଡିସନ୍ ଜାରି କରିଛି ବିଭଗ । ସେହିଭଳି ଗରମ ଏବଂ ଗୁଳୁଗୁଳି ସ୍ଥିତି ମଧ୍ୟ ଜାରି ରହିବା ନେଇ ସୂଚନା ଦିଆଯାଇଛି । ବିଶେଷକରି ଉପକୂଳ ଜିଲ୍ଲାରେ ମାନଙ୍କରେ ଏହା ବେଶି ଅନୁଭୂତ ହେବ ଖରା ଗରମ ଓ ଗୁଳୁଗୁଳି। ପୁଣି ଗତ ୨୪ ଘଣ୍ଟା ଭିତରେ ବାଲେଶ୍ଵରରେ ସର୍ବାଧିକ ୩୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ । ରାଜ୍ୟର ଆହୁରି ଅନ୍ୟ ସ୍ଥାନ ମାନଙ୍କରେ ବି ୩୯ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱର, କଟକ, ବାଲେଶ୍ଵର, ଭଦ୍ରକ, ଗଜପତି, ବାରିପଦା, ଝାରସୁଗୁଡ଼ା, ସମ୍ବଲପୁର ,ହୀରାକୁଦ ଓ ତାଳଚେର ଠାରେ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ଆଗାମୀ ୪ ଦିନ ମଧ୍ୟରେ ଦିନ ତାପମାତ୍ରା ଆହୁରି ବଢି ପାରେ ଓ ଅସହ୍ଯ ଗରମ ଗୁଳୁଗୁଳି ନେଇ କିଛି ଜିଲାକୁ ଏଲୋ ଆଲର୍ଟ ଜାରି କରିଛି ବିଭାଗ l ଆଜି ବାଲେଶ୍ଵର ଓ ଗଜପତି ଜିଲ୍ଲାରେ ହିଟ ୱେଭ ସ୍ଥିତି ଦେଖିବାକୁ ମିଳିଛି, ଅନ୍ୟପଟେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଯଥା ଗଞ୍ଜାମ, ନୟାଗଡ଼, ଭଦ୍ରକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । ଏହାସହ ଆସନ୍ତାକାଲି ବି ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, ପୁରୀ ଓ ଜଗପତି ଜିଲ୍ଲାରେ ହିଟ ୱେଭ୍ ର ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ବିଭାଗ l

ପାକିସ୍ତାନରେ ଭୂକମ୍ପ ଆଣିଲା ସୁଯୋଗ, ଜେଲରୁ ଖସି ଗଲେ ୨୦୦ରୁ ଅଧିକ କଏଦୀ

ନନ୍ଦିଘୋଷ ବ୍ୟୁରୋ: ଭୂକମ୍ପ ଆଣିଲା ସୁଯୋଗ, ଜେଲରୁ ଖସି ଗଲେ ୨୦୦ରୁ ଅଧିକ କଏଦୀ ଜେଲ କର୍ତ୍ତୃପକ୍ଷ ଭୂକମ୍ପ ଝଟକା ଯୋଗୁ ଉଦ୍ଧାର କାର୍ଯ୍ୟ କରୁଥିବା ବେଳେ ୨୦୦ରୁ ଅଧିକ କଏଦୀ ଏହାର ସୁଯୋଗ ନେଇ ଚମ୍ପଟ ମାରିବାକୁ ସକ୍ଷମ ହୋଇଛନ୍ତି।

କଥାରେ ଅଛି ବିପର୍ଯ୍ୟୟ ଆଣିଥାଏ ସୁଯୋଗ। ଏହାର ଅର୍ଥ ବିପର୍ଯ୍ୟୟକୁ ସୁଯୋଗରେ ପରିଣତ କରାଯାଇ ପାରେ। ଏହା ଏବେ ବାସ୍ତବ ଜୀବନରେ ଘଟିଛି। ପାକିସ୍ତାନର କରାଚିରେ ଥିବା ମାଲିର ଜେଲରେ ବନ୍ଦୀ ଜୀବନ କାଟୁଥିବା କଏଦୀମାନେ କେମିତି ଭୂକମ୍ପର ଫାଇଦା ଉଠାଇଛନ୍ତି, ତା’ର ତଥ୍ୟ ସାମ୍ନାକୁ ଆସିଛି। ଏଠାରେ ୨୦୦ରୁ ଅଧିକ କଏଦୀ ଭୂକମ୍ପ ଝଟକା ପରେ ଦେଖା ଯାଇଥିବା ଆତଙ୍କର ଫାଇଦା ଉଠାଇ ଜେଲରୁ ଖସି ଯିବାକୁ ସକ୍ଷମ ହୋଇଛନ୍ତି।

ସୋମବାର ପୂର୍ବ କରାଚିର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ସମୟରେ ମାଲିର ଜେଲର ସୁରକ୍ଷା ବ୍ୟବସ୍ଥା ମଧ୍ୟ ସତେ ଯେମିତି ଦୋହଲି ଯାଇଥିଲା। ଏହାର ଫାଇଦା ଉଠାଇଥିଲେ ୨୦୦ରୁ ଅଧିକ ଏକଦୀ। ଜେଲ କର୍ତ୍ତୃପକ୍ଷ ଭୂକମ୍ପ ଝଟକା ଯୋଗୁ ଉଦ୍ଧାର କାର୍ଯ୍ୟ କରୁଥିବା ବେଳେ ୨୦୦ରୁ ଅଧିକ କଏଦୀ ଏହାର ସୁଯୋଗ ନେଇ ଚମ୍ପଟ ମାରିବାକୁ ସକ୍ଷମ ହୋଇଛନ୍ତି।

ଜେଲ ସୁପରିନଟେଣ୍ଡେଣ୍ଟ ଅର୍ଶଦ ଶାହ କହିଛନ୍ତି, “ଜେଲ କର୍ତ୍ତୃପକ୍ଷ ଭୂକମ୍ପ ଜନିତ ଉଦ୍ଧାର କାର୍ଯ୍ୟରେ ବ୍ୟସ୍ତ ରହିଥିବା ବେଳେ ପ୍ରାୟ ୨୧୬ ଜଣ ଏକଦୀ ଏଠାରୁ ଚମ୍ପଟ ମାରିଛନ୍ତି। ଭୂକମ୍ପ ଝଟକା ପରେ କଏଦୀମାନେ ଦୌଡ଼ାଦୌଡ଼ି ହୋଇଥିଲେ। ଏଥିଯୋଗୁ ସୃଷ୍ଟି ହୋଇଥିବା ଭିଡ଼ ଯୋଗୁ ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି। ଜେଲ କର୍ମଚାରୀଙ୍କ ବ୍ୟତୀତ ଆଉ କିଛି କଏଦୀ ଆହତ ମଧ୍ୟ ହୋଇଛନ୍ତି। ଜେଲରେ ଅଧିକାଂଶ କଏଦୀ ନିଶାଦ୍ରବ୍ୟ ସହ ଜଡ଼ିତ ମାମଲାରେ ଗିରଫ ହୋଇ ବନ୍ଦୀ ଜୀବନ କାଟୁଥିଲେ। ସେହିପରି କିଛି କଏଦୀଙ୍କ ମାନସିକ ଅବସ୍ଥା ମଧ୍ୟ ଭଲ ନଥିଲା।”

ରବିବାର ଠାରୁ କରାଚିରେ ୧୬ ଥର ଛୋଟ ଛୋଟ ଭୂକମ୍ପ ଝଟକା ଅନୁଭବ ହୋଇ ସାରିଲାଣି। ଏହା ମଧ୍ୟରୁ ଅଧିକାଂଶ ଭୂକମ୍ପର କେନ୍ଦ୍ର ସ୍ଥଳ ମାଲିର ନିକଟରେ ରହିଥିଲା। ଏହିକ୍ରମରେ ସୋମବାର ବିଳମ୍ବିତ ରାତିରେ କ୍ରମାଗତ ଦୁଇଟି ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଗୋଟିଏ ଭୂକମ୍ପର ତୀବ୍ରତା ୨.୬ ଓ ଆଉ ଗୋଟିଏର ତୀବ୍ରତା ୨.୮ ରହିଥିଲା। ଏହାର ପ୍ରଭାବ ଜେଲରେ ମଧ୍ୟ ପଡ଼ିଥିଲା।

ସୋଶାଲ ମିଡିଆରେ କିଛି ଭିଡିଓ ମଧ୍ୟ ଭାଇରାଲ ହେଉଛି। ଅନ୍ଧାର ରାତିରେ ମାଲିର ଜେଲ ଭିତରୁ ଗୁଳି ମାଡ଼ର ଶବ୍ଦ ଆସୁଥିବା ଭିଡିଓରେ ସ୍ପଷ୍ଟ ହୋଇଛି। ଆଉ ଏକ ଭିଡିଓରେ ଜେଲରୁ ୨ ଜଣ କଏଦୀ ଖସି ଯାଉଥିବା ଦେଖା ଯାଉଛି।

ଜେଲ ସୁପରିନଟେଣ୍ଡେଣ୍ଟ ଶାହଙ୍କ କହିବା କଥା ଯେ ସର୍କଲ ୪ରୁ ୫ରୁ କଏଦୀମାନଙ୍କୁ ଭୂକମ୍ପ ଝଟକା ପରେ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ବାରାକରୁ ସ୍ଥାନାନ୍ତର କରାଯାଉଥିଲା। ଏହି ସମୟରେ ୬୦୦ରୁ ଅଧିକ କଏଦୀ ସେମାନଙ୍କ ସେଲ ବାହାରେ ଥିଲେ। ଏହାର ସୁଯୋଗ ନେଇ ୨୧୬ ଜଣ ଚମ୍ପଟ ମାରିଥିଲେ। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଧରା ଯାଇଥିବା ବେଳେ ଏବେ ୧୩୫ରୁ ଅଧିକ କଏଦୀ ଫେରାର ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଚାଲିଥିବା ସେ ସୂଚନା ଦେଇଛନ୍ତି।

ଏହାପୂର୍ବରୁ ପୁଲିସ୍‌ କହିଥିଲା ଯେ ଜେଲର ବାହା କାନ୍ଥ ଏକାଧିକ ଭୂକମ୍ପ ଝଟକା ଯୋଗୁ ଦୁର୍ବଳ ହୋଇଯାଇଥିଲା। ଏହାକୁ ଭାଙ୍ଗି କଏଦୀମାନେ ଚମ୍ପଟ ମାରିଛନ୍ତି। ତେବେ ସିନ୍ଧ ପ୍ରଦେଶର ଗୃହ ମନ୍ତ୍ରୀ ଜିଆ ଉଲ ହାସନ ଲଞ୍ଜରଙ୍କ କହିବା କଥା ଯେ ଭୂକମ୍ପ ଜନିତ ଉଦ୍ଧାର କାର୍ଯ୍ୟ ବେଳେ ୭୦୦ରୁ ୧ ହଜାର କଏଦୀ ମୁଖ୍ୟ ଗେଟ ପାଖରେ ରୁଣ୍ଡ ହୋଇଥିଲେ। ଏହାର ଫାଇଦା ଉଠାଇ ୧୦୦ରୁ ଅଧିକ କଏଦୀ ବଳପୂର୍ବକ ମୁଖ୍ୟ ଫାଟକ ଖୋଲି ଖସି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ପରବର୍ତ୍ତୀ ଅବସ୍ଥାରେ ଗିରଫ କରାଯାଇଛି।

ପଞ୍ଜାବ କିଙ୍ଗ୍ସର ବିଜୟ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଁରେ ବନ୍ଧାହେଲା ବାନା, ଅର୍ଥ ରାଶି ଜମା କଲେ ସମର୍ଥକ

ନନ୍ଦିଘୋଷ ବ୍ୟୁରୋ: ପଞ୍ଜାବ କିଙ୍ଗ୍ସର ବିଜୟ ନେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଁରେ ବନ୍ଧାହେଲା ବାନା । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବାନା ବାନ୍ଧିବା ନେଇ ଆବଶ୍ୟକ ଅର୍ଥ ରାଶି ଜମା କରିଛନ୍ତି ପଞ୍ଜାବ କିଙ୍ଗ୍ସର ସମର୍ଥକ । ସେପଟେ କର୍ଣ୍ଣାଟକର ବେଙ୍ଗାଳୁରୁରେ IPL ୨୦୨୫ ଫାଇନାଲ୍ ପୂର୍ବରୁ ହୋମଯଜ୍ଞ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ସମର୍ଥକମାନେ ଦଳର ବିଜୟ ପାଇଁ ହୋମଯଜ୍ଞ କରିଛନ୍ତି ।   କର୍ଣ୍ଣାଟକ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର ଫାଇନାଲରେ ପ୍ରବେଶ କରିଥିବା ବେଳେ ଆଜି ଫାଇନାଲ ଖେଳିବ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ IPL ୨୦୨୫ ଫାଇନାଲ୍ ଖେଳାଯିବ । ବିରାଟ କୋହଲି ଏବଂ ସମଗ୍ର ଦଳର ଚମତ୍କାର ପାଇଁ ଟିମ୍ ଫାଇନାଲରେ ପ୍ରବେଶ କରିଥିବା କହିଛନ୍ତି ଜଣେ ପ୍ରଶଂସକ ।

ମିଳିଲାନି ଆମ୍ବୁଲାନ୍ସ,  ଶବକୁ କାନ୍ଧରେ ବୋହି ୧୦ କିଲୋମିଟର ଗାଁକୁ ନେଲେ ମହିଳା

ନନ୍ଦିଘୋଷ ବ୍ୟୁରୋ: ମିଳିଲା ନାହିଁ ଆମ୍ବୁଲାନ୍ସ । ଶବକୁ କାନ୍ଧରେ ବୋହି ୧୦ କିଲୋମିଟର ନିଜ ଗାଁକୁ ନେଲେ ମହିଳା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ଦାରିଙ୍ଗବାଡି ଥାନା କାଜୁରୀ ବାଦେରୀ ଗାଁର ସୁରେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ସୁନିମା ପ୍ରଧାନ ୬ ମାସର ଗର୍ଭବତୀ ଥିଲେ। ପ୍ରସବ ବେଦନା ହେବାରୁ ସ୍ବାମୀ ତାଙ୍କୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ରୋଗ ପରୀକ୍ଷା ନକରି ଡାକ୍ତର ୨ଟି ଇଞ୍ଜେକ୍ସନ ଏବଂ ଗୋଟିଏ ସାଲାଇନ ଦେବାରୁ ସୁନିମା ପ୍ରଧାନ ଏବଂ ପେଟରେ ଥିବା ୬ ମାସର ଶିଶୁର ମୃତ୍ୟୁ ହୋଇଯାଇଥିଲା । ଶବକୁ ପୋଷ୍ଟମର୍ଟମ କରିବା ପାଇଁ ସକାଳ ୬ଟାରୁ ୧୨ଟା ଯାଏଁ ଅପେକ୍ଷା କରିଥିଲେ ସୁଦ୍ଧା କୌଣସି ବ୍ୟବସ୍ଥା କରାଯାଇ ନଥିଲା। ଫଳରେ ମହିଳାମାନେ ୧୦ କିଲୋମିଟର ଦୂର କାଜୁରୀ ବାଦେରୀ ଗାଁକୁ ଶବ କାନ୍ଧରେ ବୋହି ନେଇଥିଲେ ।

ହାଇଦ୍ରାବାଦରୁ ଆସିଲା ପୁଣି ୧୫ ଟନ ବିସ୍ଫୋରକ

ନନ୍ଦିଘୋଷ ବ୍ୟୁରୋ: ଗୋଦାମ ସିଲ୍, ମାଲିକ ଜେଲରେ ଏପଟେ ହାଇଦ୍ରାବାଦରୁ ଆସିଲା ପୁଣି ୧୫ ଟନ ବିସ୍ଫୋରକ । ଏବଂ ୩ ଲକ୍ଷ ମିଟର ତାର। ସୁନ୍ଦରଗଡ଼ ଇତମା ଖଡ଼ିଆପଡ଼ା ନିକଟ ବାରୁଦ କାରଖାନାକୁ ଗତ ୨୮ ତାରିଖରୁ ସିଲ୍ କରାଯାଇଥିବା ବେଳେ ଆଜି ପୁଣି ଏଠାକୁ ହାଇଦ୍ରାବାଦରୁ ଆସି ପହଞ୍ଚିଛି ଆହୁରି ବିସ୍ଫୋରକ । ଏକ ଟ୍ରକରେ ୨୫ କେଜିଆ ୬ ଶହ ପ୍ୟାକେଟ ଅର୍ଥାତ୍ ୧୫ ଟନ ବିସ୍ଫୋରକ ଏବଂ ୧୯୮ ଟି ପ୍ୟାକେଟରେ ୩ ଲକ୍ଷ ମିଟର ତାର ରହିଛି । ଟ୍ରକଟି ପହଞ୍ଚିଲା ପରେ ସବୁ ଗୋଦାମ ଗୃହ ସିଲ୍ ଥିବା ଏବଂ କେହି କର୍ମଚାରୀ ସେଠାରେ ନଥିବା ଦେଖିବାକୁ ପାଇଥିଲା ଟ୍ରକର ଚାଳକ । ଟ୍ରକ ଆସିବାର ସୂଚନା ପାଇ ବଡ଼ଗାଁ ଥାନା ପୋଲିସ ଆସି ସମସ୍ତ କାଗଜ ପତ୍ର ଯାଞ୍ଚ କରିଛି । ଗତ ୨୭ ତାରିଖ କେ ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ନିକଟରୁ ୫ ଟନ ବିସ୍ଫୋରକ ଲୁଟ କରି ନେଇଥିଲେ ମାଓବାଦୀ । ସେହି ବିସ୍ଫୋରକ ଏହି ଇତମା ଗୋଦାମରୁ ଯାଇଥିବା ଜଣାପଡିଲା ପରେ ଗୋଦାମକୁ ସିଲ୍ କରି ତଦନ୍ତ ଜାରି ରଖିଛି ପୋଲିସ । ଦୁଇ ଦିନ ତଳେ ପୁଣି ରାଉରକେଲା ବାଲୁଘାଟ ଅଞ୍ଚଳରୁ ଆଉ ଏକ ମିନି ଟ୍ରକରେ ପ୍ରଚୁର ପରିମାଣର ବିସ୍ଫୋରକ ଏବଂ ଡେଟୋନେଟର ଜବତ ହୋଇଥିଲା । ଘଟଣାରେ ମାଲିକ ଶ୍ରବଣ ଅଗ୍ରୱାଲକୁ ପୋଲିସ ଅଟକ ରଖି ପଚରା ଉଚୁରା କରିବା ପରେ ଆଜି ତାକୁ ଗିରଫ କରାଯାଇଛି ।

ହସ୍ପିଟାଲ ପରିସର ମଧ୍ୟରେ ମେଡିକାଲ ରିପ୍ରେଜେଣ୍ଟେଟିଭିଙ୍କୁ ନା

ନନ୍ଦିଘୋଷ ବ୍ୟୁରୋ: ସମସ୍ତ କେନ୍ଦ୍ରୀୟ ହସ୍ପିଟାଲଗୁଡ଼ିକୁ ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶକଙ୍କ ଚିଠି। ହସ୍ପିଟାଲ ପରିସର ମଧ୍ଯରେ ମେଡିକାଲ ରିପ୍ରେଜେଣ୍ଟେଟିଭିମାନଙ୍କୁ ପ୍ରବେଶ ଅନୁମତି ନଦେବାକୁ ପତ୍ରରେ ନିର୍ଦ୍ଦେଶ ଦେଇଛନ୍ତି ମହାନିର୍ଦ୍ଦେଶକ। ଏସମ୍ପର୍କରେ ସମସ୍ତ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକୀୟ ତଥା କଡ଼ା ନିର୍ଦ୍ଦେଶ ଦେବା ଲାଗି ପତ୍ରରେ ଦର୍ଶାଯାଇଛି। ତେବେ ଟ୍ରିଟମେଣ୍ଟ, ଇନଭେଷ୍ଟିଗେସନ ଓ ପ୍ରସିଡ୍ୟୁର ସମ୍ପର୍କରେ ଇମେଲ କିମ୍ବା ଡିଜିଟାଲ ମିଡିଆ ଜରିଆରେ ମେଡିକାଲ ରିପ୍ରେଜେଣ୍ଟେଟିଭମାନଙ୍କୁ ଅନୁରୋଧ କରାଯାଇପାରେ ବୋଲି ପତ୍ରରେ କୁହାଯାଇଛି। ଏସମ୍ପର୍କରେ ଆକ୍ସନ ଟେକେନ ରିପୋର୍ଟ ନିର୍ଦ୍ଦେଶାଳୟ ନିକଟରେ ଦାଖଲ କରିବାଲାଗି ନିର୍ଦ୍ଦେଶ ଦିଆଯାଇଛି।

ଅପରେସନ ସିନ୍ଦୂର ପ୍ରସଙ୍ଗରେ ସିଡିଏସ ଅନିଲ ଚୌହାନଙ୍କ ବଡ଼ ବୟାନ

ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂର ନେଇ ପୁଣି ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ଅନିଲ ଚୌହାନଙ୍କ ବଡ଼ ବୟାନ। ସେ କହିଛନ୍ତି ଅପରେସନ ସିନ୍ଦୂରରେ ଭାରତର କ୍ଷତି ସେପରି ଗୁରୁତ୍ବ ବହନ କରୁନାହିଁ। ବରଂ ଏହି ଅପରେସନର ଫଳାଫଳ ହିଁ ଗୁରୁତ୍ବ ବହନ କରୁଛି। ଅପରେସନ ସିନ୍ଦୂରରେ ଭାରତର କ୍ଷତି ସମ୍ପର୍କରେ ପୂର୍ବରୁ ବୟାନ ଦେଇ ଚର୍ଚ୍ଚାରେ ରହିଥିବା ସିଡିଏସ ଆଜି ପୁଣି ଏକ ବୟାନ ଦେଇଛନ୍ତି। ପୁଣେ ବିଶ୍ବବିଦ୍ୟାଳୟରେ ଆୟୋଜିତ ଭବିଷ୍ଯତ ଯୁଦ୍ଧ ଓ ଯୁଦ୍ଧ ପ୍ରକ୍ରିୟା ସଂକ୍ରାନ୍ତ ଏକ ଆଲୋଚନା ଚକ୍ରରେ ଯୋଗ ଦେଇ ସେ କହିଛନ୍ତି- ନିଜର ଦୋଷଗୁଡିକୁ ଜାଣିବା ସହ ଏହାର ସଂଶୋଧନ କରିବା ସଶସ୍ତ୍ରବାହିନୀ ଲାଗି ଜରୁରୀ। ଅପରେସନ ସିନ୍ଦୂର ସମ୍ପର୍କରେ ସେ କହିଛନ୍ତି- ସେ ଯୁଦ୍ଧର ତରିକା ସମ୍ପର୍କରେ ଅବଗତ କରିବା ଲାଗି ଚେଷ୍ଟା କରିଛନ୍ତି। ଆମେ ଜାଣିଛନ୍ତି ଆମର ଏକ ଉନ୍ନତ କାଉଣ୍ଟର ଡ୍ରୋନ ସିଷ୍ଟମ ରହିଛି। ଦ୍ବିତୀଯ ହେଉଛି ଏକ୍ଷେତ୍ରରେ ରହିଥିବା ରିସ୍କଗୁଡିକୁ ହୃଦବୋଧ କରିବା ଦରକାର। ବୃତ୍ତିଗତ ବାହିନୀ ଭାବେ ଏକ ଧକ୍କା ବା କ୍ଷତି ଦ୍ବାରା ଆମେ ପ୍ରଭାବିତ ହେବୁନାହିଁ।

ଯୁବକଙ୍କୁ ଅପହରଣ କରି ହତ୍ୟା ; ପ୍ରମାଣ ନଷ୍ଟ ପାଇଁ କାନ୍ଥରେ ମୃତଦେହ ରଖି ପ୍ଲାଷ୍ଟର

ଯୁବକଙ୍କୁ ଅପହରଣ କରି ହତ୍ୟା । ପ୍ରମାଣ ନଷ୍ଟ କରିବା ପାଇଁ କାନ୍ଥରେ ମୃତଦେହ ରଖି ପ୍ଲାଷ୍ଟର । ପଶ୍ଚିମବଙ୍ଗର ଦକ୍ଷିଣ ଦିନାଜପୁର ତପନରୁରୁ ଏଭଳି ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି । ଯୁବକ ନିଖୋଜ ହେବାର ୧୪ ଦିନ ପରେ ପୋଲିସ ରହସ୍ୟର ଉନ୍ମୋଚନ କରିଛି । ମୃତଦେହ ଉଦ୍ଧାର କରିଛି ପୋଲିସ । ହତ୍ୟାଘଟଣାରେ ସମ୍ପୃକ୍ତ ଅଭିଯୋଗରେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ । ମୃତ ଯୁବକ ମାଲଦା ପୁଖୁରିଆ ଥାନାର କୋକଲାମାଡ଼ି ନାଦବ ପଡ଼ାର ୩୧ ବର୍ଷୀୟ ସାଦ୍ଦାମ ନାଦବ ବୋଲି ଜଣାପଡ଼ିଛି । ସେ ପେଶାରେ ଜଣେ ଠିକାଦାର ଥିଲା । ସେ ସମ୍ପର୍କୀୟ ମୌମିତା ନାଦବଙ୍କ ଘରେ ଭଡ଼ାରେ ରହୁଥିଲେ । ସାଦ୍ଦାମ ମେ’ ୧୮ ତାରିଖରୁ ମାଲଦାରୁ ରହସ୍ୟମୟ ଭାବରେ ନିଖୋଜ ହୋଇଯାଇଥିଲେ । ୨୦ ତାରିଖରେ ପରିବାର ଲୋକ ଇଂରେଜ ବଜାର ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ । ନିଖୋଜ ମାମଲା ଦାୟକ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ମୌମିତା ନାଦବଙ୍କୁ ଅଟକ ରଖି ପଚରାଉଚରା ସମୟରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା । ମହିଳା ଜଣଙ୍କ ସାଦ୍ଦାମଙ୍କୁ ସେ ହତ୍ୟା କରିଥିବା ସ୍ଵୀକାର କରିଥିଲେ । ସାଦ୍ଦାମଙ୍କୁ ହତ୍ୟା ପରେ, ପ୍ରମାଣ ନଷ୍ଟ କରିବା ପାଇଁ, ମୃତଦେହକୁ ଦକ୍ଷିଣ ଦିନାଜପୁର ଜିଲ୍ଲାର ତପନ ଥାନା ଅଞ୍ଚଳରେ ଥିବା ଧ୍ରିତାଙ୍କ ବାପାଙ୍କ ଘରକୁ ନିଆଯାଇଥିଲା । ସେଠାରେ, ସାଦ୍ଦାମଙ୍କ ମୃତଦେହକୁ କାନ୍ଥ ଖୋଳାଯାଇ ପ୍ଲାଷ୍ଟର କରାଯାଇଥିଲା । ପୋଲିସ ମୃତଦେହ ଉଦ୍ଧାର କରିଥିଲେ ମଧ୍ୟ ଏହି ହତ୍ୟାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ହତ୍ୟାକାଣ୍ଡରେ ଜଡ଼ିତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ତଲାସୀ ଜାରି ରଖିଛି ପୋଲିସ । ଆର୍ଥିକ କାରବାର କିମ୍ଵା ଅନୈତିକ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରୁଛି ।

ବିସ୍ଫୋରକ ଭର୍ତ୍ତି ମିନି ଟ୍ରକ ଜବତ ; ଗୋଦାମ ମାଲିକ ଡ୍ରାଇଭର ଗିରଫ

ରାଉରକେଲା: ରାଉରକେଲା ସହରର ବାଲୁଘାଟ ନିକଟରୁ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ମିନି ଟ୍ରକ ଜବତ ଘଟଣାରେ ତନାଘନା। ୧୧୬ଟି ପେଟିରେ ଥିବା ୨୩ ହଜାର ୨୦୦ ପ୍ୟାକେଟ ଜିଲୋଟିନ ଜବତ ହେବା ପରେ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଓ ଗାଡି ଡ୍ରାଇଭରକୁ ଗିରଫ କରାଯାଇଛି । ବିସ୍ଫୋରକ ନିୟମ ଉଲ୍ଲଂଘନ ଅଭିଯୋଗରେ ରଘୁନାଥପାଲ୍ଲି ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି । ଅତିରିକ୍ତ ଏସପିଙ୍କ ନେତୃତ୍ବରେ ସ୍ବତନ୍ତ୍ର SIT ଟିମ ମଧ୍ୟ ଘଟଣାର ତଦନ୍ତ ଜାରି ରଖିଛନ୍ତି । ବିସ୍ଫୋରକ ଗୋଦାମ ମାଲିକଙ୍କ ବାସନ୍ତୀ କଲୋନୀ ବାସଭବନରୁ ଏସଆଇଟି ଟିମ ସହ ଜିଏସଟି ଏନଫୋର୍ସମେଣ୍ଟ ଟିମ ଚଢ଼ାଉ କରି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ କମ୍ପ୍ୟୁଟର ଜବତ କରି

ଅନ୍ୟପଟେ ବିସ୍ଫୋରକ ଜବତ ଘଟଣାରେ NIA SPଙ୍କ ନେତୃତ୍ବରେ ଏକ ଟିମ ରାଉରକେଲାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ରାଉରକେଲା ସହରର ଆଇଡିଏଲରେ ଥିବା ବିସ୍ପୋରକ ପ୍ଲାଣ୍ଟରେ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଛି । ଏହାସହ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ବିସ୍ଫୋରକ ଗୋଦାମରେ ମଧ୍ୟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଯାଞ୍ଚ । ସୁନ୍ଦରଗଡ଼, କେନ୍ଦୁଝର ଓ ରାଉରକେଲା ପୋଲିସ ଜିଲ୍ଲାର ୬୧ଟି ମ୍ୟାଗଜିନ ଥିବା ସ୍ଥାନରେ ପୋଲିସ ପକ୍ଷରୁ ଯାଞ୍ଚ ଜାରି ରହିଛି । ପଶ୍ଚିମାଞ୍ଚଳ ପୋଲିସ ଡିଆଇଜିଙ୍କ ନିର୍ଦ୍ଦେଶରେ ଯାଞ୍ଚ କରାଯାଉଛି । କେନ୍ଦୁଝର ଜିଲ୍ଲାର ୩୨ ସ୍ଥାନ, ରାଉରକେଲାର ୨୧ଟି ସ୍ଥାନ ଓ ସୁନ୍ଦରଗଡ଼ର ୮ଟି ସ୍ଥାନରେ ଯାଞ୍ଚ କରାଯାଉଛି । ବାଙ୍କୋ ପଥର ଖଣି ନିକଟରୁ ୫ ହଜାର କେଜି ଓଜନର ବିସ୍ଫୋରକ ଲୁଟ ଘଟଣା ପରେ ସରଣ୍ଡା ଜଙ୍ଗଲରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଓ ସର୍ଚ୍ଚ ଅପରେସନ ଜାରି ରହିଛି । ଓଡ଼ିଶା ଓ ଝାଡଖଣ୍ଡ ପୋଲିସ ସହ SOG, COBRA, CRPF ଓ ଝାଡ଼ଖଣ୍ଡ ଜାଗୁଆର ପକ୍ଷରୁ କମ୍ବିଂ ଅପରେସନ ଓ ସର୍ଚ୍ଚ ଅପରେସନ ଚାଲିଛି ।