spot_img
Home Blog Page 691

ହଇଜାକୁ ନେଇ ସରକାର ଆପଣାଇଛନ୍ତି ଖାମଖିଆଲ ମନୋଭାବ

ନନ୍ଦିଘୋଷ ବ୍ୟୁରୋ: ଯାଜପୁର ହଇଜା ଏବେ ସାରା ରାଜ୍ୟକୁ ବ୍ୟାପିଲାଣି। ଗୋଟିଏ ଜିଲ୍ଲାରୁ ୮ ଜିଲ୍ଲାକୁ ଡେଇଁଲାଣି। ହେଲେ ୮ ଦିନ ପରେ ଯାଜପୁର ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ଏ ପର୍ଯ୍ୟନ୍ତ କାହିଁକି ମୁଖ୍ୟମନ୍ତ୍ରୀ ପ୍ରଭାବିତ ଅଞ୍ଚଳ ଗସ୍ତ କରିନାହାନ୍ତି । ଚିକିତ୍ସା ବ୍ୟବସ୍ଥା ଠିକଠାକ ଚାଲିଛି ବୋଲି କହି ନିଜ କାମ ସାରିଦେଇଛନ୍ତି । ଏହାସରକାରଙ୍କ ଖାମଖିଆଲି ମନୋଭାବ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ଜିଲ୍ଲା ପରେ ଜିଲ୍ଲା ଡେଇଁଲାଣି ହଇଜା । ହେଲେ ସରକାର କହୁଛନ୍ତି ସ୍ଥିତି ସୁଧୁରିଛି । ୮ ଜିଲ୍ଲାକୁ ବ୍ୟାପିଲାଣି । ମଲେଣି ୧୮ଜଣ । ହେଲେ ସରକାରଙ୍କ ଖାତାରେ ଏବେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ। ଖାଲିସେତିକି ନୁହେଁ, ଯାଜପୁରରେ ହଇଜା ସଂକ୍ରମଣରେ ଏକାଧିକ ମୁଣ୍ଡ ଗଡ଼ିଛି ।

କେନ୍ଦ୍ରୀୟ ଟିମ୍‌ ଦୁଇଥର କ୍ଷେତ୍ର ପରିଦର୍ଶନ କଲେଣି । ହେଲେ ୯ ଦିନ ପରେ ଜିଲ୍ଲା ଗସ୍ତ କରି ସମୀକ୍ଷା କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମନେପଡ଼ୁଛି । ରାଜ୍ୟରେ ହଇଜା ସଂକ୍ରମଣରେ ବ୍ରେକ୍‌ ଲାଗୁନଥିବା ନେଇ ସରକାରଙ୍କ ବିରୋଧରେ ଏପରି ମାଳ ମାଳ ଅଭିଯୋଗ କରିଛନ୍ତି ବିରୋଧୀ । ଯାଜପୁର ପରେ ଭଦ୍ରକ, କେନ୍ଦୁଝର, କଟକ, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳକୁ ବ୍ୟାପିଲାଣି ଡାଇରିଆ ଓ କଲେରା। ଯାଜପୁର ଜିଲ୍ଲାରୁ ୧୫୧୬ଜଣ ଡାଇରିଆ ରୋଗୀ ଚି଼ହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ।

ଦ୍ବିତୀୟ ଥର ପାଇଁ କେନ୍ଦ୍ରୀୟ ଟିମ ଯାଜପୁର ଯିବା ପରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଏପରି ବେପରୁଆ ମନୋଭାବ ବିରୋଧରେ ବର୍ଷିଛନ୍ତି ବିରୋଧୀ । ସରକାରୀ ବିଭାଗ ଭିତରେ ସମନ୍ବୟର ଅଭାବକୁ ବିଜେଡି ଟାର୍ଗେଟ କରିଛି । ହଇଜା ମୃତ୍ୟୁକୁ ନେଇ ସରକାର ତଥ୍ୟ ଲୁଚାଉଥିବା ଅଭିଯୋଗ ବି ଆଣିଛି ବିଜୁ ଜନତା ଦଳ । ସେପଟେ ମୁଖ୍ୟମନ୍ତ୍ରୀ କାହିଁକି ଏ ପର୍ଯ୍ୟନ୍ତ ଜିଲ୍ଲା ଗସ୍ତ କରିନାହାନ୍ତି ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ ।

ଗୋଟାଏ ପଟେ ସ୍ବାସ୍ଥ୍ୟ ବିଭାଗ ବିଷାକ୍ତ ପାଣି ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ସ୍ପଷ୍ଟ କରିଥିବାବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ ଏହାକୁ ଖଣ୍ଡନ କରିଥିଲେ। ବିଳମ୍ବରେ ସ୍ଥିତିର ସମୀକ୍ଷା କରିବାକୁ ଯାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ବି ଠିକ୍ ଭାବେ କଲେରା ଓ ଡାଇରିଆର କାରଣ ଖୋଜି ପାଇ ପାରିନାହାନ୍ତି। ଯାହାକୁ ନେଇ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି । ଡାଇରିଆ ବଢୁଛି । ବିଲୁପ୍ତ କୁହାଯାଉଥିବା କଲେରା ବି କଲବଲ କଲାଣି। ସଂକ୍ରମଣ ନିୟନ୍ତ୍ରଣକୁ ଆସୁନଥିବାରୁ ରାଜ୍ୟରେ ସ୍ବାସ୍ଥ୍ୟସେବା ଖରାପ ସ୍ଥିତିକୁ ଗଲାଣି କି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ ଉଠେଇଛନ୍ତି।

 

ନିମ୍ନମାନର କାମ କରି ସରକାରୀ ଅର୍ଥ ହଡ଼ପ, କାମ ନସରୁଣୁ ଉଠିଗଲାଣି ଗୋଡ଼ି

ନନ୍ଦିଘୋଷ ବ୍ୟୁରୋ: ପୂର୍ତ୍ତ ବିଭାଗ ରାସ୍ତା କାମରେ ଅନୀୟମିତତା । ନିମ୍ନମାନର ରାସ୍ତା ନିର୍ମାଣ ଯୋଗୁଁ ରାସ୍ତା କାମ ଶେଷ ହେବା ପୂର୍ବରୁ ରାସ୍ତାରୁ ଉଠିଗଲାଣି ଫଡ଼ା ଫଡ଼ା କଂକ୍ରିଟ । ରାସ୍ତାର ଅନେକ ସ୍ଥାନରୁ ଗୋଡ଼ି ଉଠିଗଲାଣି । ଯାଜପୁର ଜିଲ୍ଲା ବରୀ ବ୍ଲକ ପୂର୍ତ୍ତ ବିଭାଗ ପକ୍ଷରୁ ପୂଗୋଳକୁଣ୍ଡରୁ ରତ୍ନଗିରି ଏଵଂ ଗୋଳକୁଣ୍ଡ ଠାରୁ ଇନ୍ଦୁପୁର ରାସ୍ତାର ସଂପ୍ରସାରଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ । ଅନେକ ସ୍ଥାନରେ ଗୋଡ଼ି ଉଠିଯାଇଥିବାରୁ ବଜୁରୀ ବିଛାଡ଼ି ହୋଇ ପଡ଼ିବା ଯୋଗୁଁ ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁଛି । ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ  କୌଣସି ଅଧିକାରୀ ତଦାରଖ କରିବାକୁ ଆସୁ ନଥିବାରୁ ଏହି କାର୍ଯ୍ୟ ଅତି ନିମ୍ନମାନର ହୋଇଛି ବୋଲି ସ୍ଥାନୀୟ ଗ୍ରାମବାସୀ ମାନେ ଅଭିଯୋଗ କହିଛନ୍ତି।

ରାସ୍ତା କାମ ନସରୁଣୁ ଉଠିଗଲାଣି ଗୋଡ଼ି । ନିମ୍ନମାନର କାମ କରି ସରକାରୀ ଅର୍ଥ ହଡ଼ପ। ଏପରି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବରୀ ବ୍ଲକରୁ। ଏ ହେଉଛି ଗୋଳକୁଣ୍ଡରୁ ରତ୍ନଗିରି ଏବଂ ଗୋଳକୁଣ୍ଡରୁ ଇନ୍ଦୁପୁର ନିର୍ମାଣ ହେଉଥିବାର ରାସ୍ତାର ଅବସ୍ଥା । ପୂର୍ତ୍ତ ବିଭାଗ ପକ୍ଷରୁ ୧୮ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ୭ ମାସ ତଳେ ରାସ୍ତା ସମ୍ପ୍ରସାରଣ କାମ ଆରମ୍ଭ ହୋଇଥିଲା । ଯାହା ଏ ପର୍ଯ୍ଯନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ନିର୍ମାଣ କାର୍ଯ୍ୟରେ ନିମ୍ନ ମାନର ଗୋଡ଼ି, ପତଳା ବାଲି ସାଙ୍ଗକୁ ନିମ୍ନ ମାନର ସିମେଣ୍ଟ ବ୍ୟବହାର ହୋଇଥିବାରୁ ଢ଼ଳାଇ ଫାଟିବା ସହିତ ଗୋଡ଼ି ଉଠି ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଏହି ରାସ୍ତା ଦେଇ ନିତିଦିନ ଶହ ଶହ ଗାଡି ମୋଟର ଯାତାୟାତ କରିଥାଏ । ରାସ୍ତା ଅବସ୍ଥା ଖରାପ ହୋଇଥିବାର ଛାତ୍ରଛାତ୍ରୀ, ଡାକ୍ତରଖାନାକୁ ରୋଗୀ ଯିବ, ବୌଦ୍ଧ ପୀଠ ରତ୍ନଗିରିକୁ ପର୍ଯ୍ଯଟକମାନଙ୍କ ଯିବାଆସିବା କରିବାରେ ବହୁ ଅସୁବିଧା ଭୋଗୁଛନ୍ତି। ବିଭାଗୀୟ ଅଧିକାରୀ ତଦାରଖ କରିବାକୁ କ୍ଷେତ୍ର ପରିଦର୍ଶନରେ ଆସୁନଥିବାରୁ ଠିକାଦାର ମନଇଛା କାମ କରୁଥିବା ଲୋକେ ଅଭିଯୋଗ କରିଛନ୍ତି ।

ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି  କୋଟି କୋଟି ଟଙ୍କା। ହେଲେ ଲୋକେ ସୁବିଧା ପାଇବେ କଣ କେତେକ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସରକାରୀ ଅର୍ଥ ଏପରି ହରିଲୁଟ ହେଉଛି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ବାପା ହେବ ତ ଏମିତି, ୨୨ ବର୍ଷ ଧରି ଚାରି ଭିନ୍ନକ୍ଷମ ଶିଶୁଙ୍କୁ ସେବା ଯତ୍ନ କରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା

ନନ୍ଦିଘୋଷ ବ୍ୟୁରୋ: ପିତା ଶବ୍ଦଟି ଶୁଣିଲେ ଅଖି ଆଗରେ ଆଙ୍କି ହୋଇଯାଏ ପରିଶ୍ରମ, ପୁଅ ଝିଅ ଓ ପରିବାର ଖୁସି ପାଇଁ ଜୀବନକୁ ଉତ୍ସର୍ଗୀକୃତ କରିଥିବା ମଣିଷଟିର ଚେହେରା । ଜୀବନ ସାରା ହାଡ଼ ଭଙ୍ଗା ପରିଶ୍ରମ କରି ପରିବାରର ପ୍ରତି ସଦସ୍ୟଙ୍କ ମୁହଁରେ ହସ ଦେଖି ନିଜ ଦୁଃଖକୁ ଭୁଲି ଯାଉଥିବା ମଣିଷଟି ହେଉଛି ପିତା । କିପରେ ଜଣେ ବାପା ନିଜର ସନ୍ତାନ ପାଇଁ ନିଜର ଜୀବନକୁ ବାଜି ଲଗାଇ ଲାଳନ ପାଳନ, ଶିକ୍ଷା, ସ୍ୱାସ୍ଥ୍ୟ, ଭଳି ସମସ୍ତ ସୁବିଧା କିଭଳି ପାଇବେ ସେଥିପାଇଁ ଅହରହ ପରିଶ୍ରମ କରେ ପିତୃ ଦିବସରେ ତାହାର ଏକ ନିଛକ ଉଦାହରଣ ଦେଖିବା ମିଳିଛି ମାଲକାନଗିରି ଜିଲ୍ଲାରେ।

ମାଲକାନଗିରି ଜିଲ୍ଲl ସଦର ବ୍ଲକ ଅନ୍ତର୍ଗତ ତଣ୍ଡିକି ଗାଁର ରାମକୃଷ୍ଣ ଦଣ୍ଡସେନା । ସେ ୨୨ ବର୍ଷ ଧରି ନିଜର ଚାରି ଭିନ୍ନକ୍ଷମ ଶିଶୁଙ୍କୁ ସେବା ଯତ୍ନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ପତ୍ନୀ ବାସନ୍ତୀ ଦଣ୍ଡସେନା ରକ୍ତ ଶିକୁଳି ରୋଗରେ ପୀଡ଼ିତ । ରାମକୃଷ୍ଣଙ୍କ ସ୍ତ୍ରୀ ରୋଗାଗ୍ରସ୍ତ ହୋଇଥିବା ବେଳେ ରାମକୃଷ୍ଣ ଏହି ଭିନ୍ନକ୍ଷମ ପିଲାଙ୍କ ସେବାରେ ଅବହେଳା କରନ୍ତିନାହିଁ । ସକାଳୁ ଉଠି ସମସ୍ତଙ୍କୁ ଗାଧୁଆ ପାଧୁଆ ସହ ଭିନ୍ନକ୍ଷମ ପିଲାଙ୍କୁ ଖୁଆଇଦେଇ ନିତ୍ୟକର୍ମ କରିଥାନ୍ତି । ପତ୍ନୀ ବାସନ୍ତୀ ଏଥିରେ ରାମକୃଷ୍ଣଙ୍କୁ ସହଯୋଗ କରିଥାନ୍ତି । ୨୨ ବର୍ଷ ପୂର୍ବେ ପ୍ରଥମେ ଭିନ୍ନ କ୍ଷମ ଝିଅ ମମତାକୁ ଜନ୍ମ ଦେଇଥିଲେ ବାସନ୍ତୀ । ଜନ୍ମରୁ ଦୃଷ୍ଟିହୀନ ସହିତ ହାତଗୋଡ ସମ୍ପୂର୍ଣ୍ଣ ଅଚଳ । ଏହାପରେ ଆଉ ଏକ କନ୍ୟା ସହିତ ଆହୁରି ୨ଜଣ ଜମଜ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ତାଙ୍କର ମଧ୍ୟ ସମଦଶା । ଦୁଇ ପୁତ୍ର ଦୃଷ୍ଟିହୀନ ହୋଇଥିବା ବେଳେ ଶରୀର ସମ୍ପୂର୍ଣ୍ଣ ଅଚଳ ।

ଛୋଟିଆ ଟିଣ ଛପର ଘରେ ମା’ ସହିତ ରାମକୃଷ୍ଣ ଦଣ୍ଡସେନାଙ୍କ ପରିବାର ରହିଆସୁଛନ୍ତି ।  ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ଆବାସ ଯୋଜନାରେ ଘର ମିଳିପାରିନାହିଁ । ସରକାରୀ ସହାୟତା କହିଲେ ଭିନ୍ନକ୍ଷମ ପିଲାମାନଙ୍କୁ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ମିଳୁଛି । ଚାଉଳ ପ୍ରଦାନ କାର୍ଯ୍ୟରେ ନିୟୋଜିତ ରହି ରାମକୃଷ୍ଣ ୫ ହଜାର ଟଙ୍କା ଦରମା ପାଉଛନ୍ତି । ଏହି ସ୍ପଳ୍ପ ରୋଜଗାରରେ ଚାରି ଭିନ୍ନ କ୍ଷମ ଶିଶୁ ଓ ରୋଗାଗ୍ରସ୍ତ ପତ୍ନୀଙ୍କ ଚିକିତ୍ସା ସହିତ ପରିବାର ଚଳାଇବା ରାମକୃଷ୍ଣଙ୍କ ପାଇଁ କଷ୍ଟକର ହୋଇପଡୁଛି । ଘର ସହିତ ପାଇଖାନା ଟିଏ ଯୋଗାଇ ଦେବାକୁ ସରକାରଙ୍କୁ ଗୁହାରି କରିଛନ୍ତି ରାମକୃଷ୍ଣ ।

୪ ଜଣ ଭିନ୍ନକ୍ଷମ ପିଲାଙ୍କ ଲାଳନପାଳନରେ କୌଣସି ଅବହେଳା କରିନାହାନ୍ତି ରାମକୃଷ୍ଣଙ୍କ  । ପିତୃତ୍ୱ ଦିବସରେ ଏଭଳି ଜଣେ ପିତାଙ୍କୁ ଯେତେ ପ୍ରସଂଶା କଲେ ମଧ୍ୟ କମ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଝାଡ଼ାବାନ୍ତି ଆତଙ୍କ : ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଏମିତି କହି ସମାଲୋଚନା କଲେ ତାରା

ନନ୍ଦିଘୋଷ ବ୍ୟୁରୋ: ଆଠ ଦିନରୁ ଅଧିକ ହେଲାଣି ବ୍ୟାପିଲାଣି ଝାଡାବାନ୍ତି। ଓଡ଼ିଶା ହୁଲୁସ୍ତୁଲ। ଡାଇରିଆରେ ଲୋକ ଦୁର୍ଦ୍ଦଶା ଭୋଗୁଛନ୍ତି। ରୋଗୀ କହୁଛନ୍ତି ଯେ, ଠିକ ଭାବେ ଚିକିତ୍ସା ହେଉନି। ବିଜେଡି ଘଟଣା ସ୍ଥଳକୁ ଯାଇଥିଲା। ଲୋକେ ଛଟପଟ ହେଉଥିବା ବେଳେ, ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରୁଛନ୍ତି। ଲୋକଙ୍କ ପ୍ରତି ଦରଦ ନାହିଁ। ଜଣେ ମନ୍ତ୍ରୀ କହୁଛନ୍ତି ପାଣିରୁ କଲେରା ହୋଇଛି। କିନ୍ତୁ ଅନ୍ୟ ଜଣେ ମନା କରୁଛନ୍ତି। କିଏ କଣ କହୁଛି, କାହାର କାହା ସହିତ ରହୁନି ତାଳମେଳ। ସେହିପରି ମୃତ୍ୟୁ ସଂଖ୍ୟା କାହିଁକି ଲୁଚା ଯାଉଛି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଅନ୍ୟପଟେ ଝାଡ଼ାବାନ୍ତିକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି।

ନବରଙ୍ଗପୁରରେ ଫଳୁଛି ଜାପାନ ମାଟିର ମିୟାଜାକି ଆମ୍ବ, ବିଶ୍ଵ ବଜାରରେ ଦାମ ରହିଛି ଲକ୍ଷେରୁ ୪ ଲକ୍ଷ

ନନ୍ଦିଘୋଷ ବ୍ୟୁରୋ: ଉପାନ୍ତ ନବରଙ୍ଗପୁର ଜିଲ୍ଲାରେ ଚାଷ ହୋଇଛି ଦାମୀ ଆମ୍ବ । ଯାହାର ଭାରତୀୟ ବଜାର ମୂଲ୍ୟ କିଲୋଗ୍ରାମ ପ୍ରତି ଲକ୍ଷେରୁ ୪ ଲକ୍ଷ ଟଙ୍କା । ଆମ୍ବଟି ଦେଖିବାକୁ ଯେମିତି ସୁନ୍ଦର, ସେମିତି ସୁସ୍ଵାଦୁ । ନବରଙ୍ଗପୁର ସହରର ଚାଷୀ ସୁଧାଂଶୁ ପାଢ଼ୀ ପରୀକ୍ଷାମୂଳକ ଭାବେ ଜାପାନର ମିଆଜାକି ଆମ୍ବ ଗଛ ଲଗାଇ ସଫଳ ହୋଇଛନ୍ତି । ଚଳିତ ବର୍ଷ ଏହି ଗଛରେ ଆମ୍ବ ଫଳିଥିବାରୁ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ତାହାର ଆଗ୍ରହ ବଢ଼ିଛି।

ନବରଙ୍ଗପୁରରେ ଫଳୁଛି ବିଦେଶୀ ଆମ୍ବ । ଦେଖିବାକୁ ଯେମିତି ସୁନ୍ଦର, ସ୍ଵାଦ ବି ସେମିତି ନିଆରା । ଏହା ହେଉଛି ଜାପାନ ମାଟିର ଲକ୍ଷେ ଟଙ୍କିଆ ମିୟାଜାକି ଆମ୍ବ । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ବିଶ୍ଵ ବଜାରରେ କିଲୋଗ୍ରାମ ପ୍ରତି ମୂଲ୍ୟ ୧ ଲକ୍ଷ ଟଙ୍କାରୁ ୪ଲକ୍ଷ ଟଙ୍କା ରହିଥାଏ । ଏହି ମିୟାଜାକି ଆମ୍ବ ଏବେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ଡେଙ୍ଗା ତୋଟା ଗୁଡ଼ା ଗାଁରେ ଶୋଭା ବର୍ଦ୍ଧନ କରୁଛି ।

ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ ଚାଷୀ ସୁଧାଂଶୁ ପାଢ଼ୀ ପରୀକ୍ଷାମୂଳକ ଭାବେ ନିଜ ଫାର୍ମରେ ଚାଷ କରିଛନ୍ତି ମିୟାଜାକି ଆମ୍ବ । ମାତ୍ର ୬ ରୁ ୭ ଫୁଟ ଉଚ୍ଚତା ବିଶିଷ୍ଟ ଗଛରେ ଆମ୍ବ ଫଳିଛି । ଗୋଟିଏ ଗୋଟିଏ ଆମ୍ବ, ଅଧାରୁ ଏକ କେଜି ଓଜନର ହେଲାଣି । ସ୍ଥାନୀୟ ଅଞ୍ଚଳରେ ଏତେ ଟଙ୍କା ମୂଲ୍ୟର ଆମ୍ବ ବିକ୍ରି ପାଇଁ ବଜାର ସୁବିଧା ନାହିଁ । କିନ୍ତୁ ସାହସ ଜୁଟାଇ ଆମ୍ବ ଗଛ ଲଗାଇଛନ୍ତି ସୁଧାଂଶୁ କହିଛନ୍ତି ।

ନବରଙ୍ଗପୁର ଜିଲ୍ଲାରେ ଡ୍ରାଗନ ଫଳ ଚାଷ କରି ଚର୍ଚ୍ଚାରେ ରହିଥିଲେ ସୁଧାଂଶୁ । ଏହା ସହିତ ସୁଧାଂଶୁ ନିଜ ଫାର୍ମରେ କେଶର, ଚଉସା, ଆଲ ଫାନ ସୋ’ ଆମ୍ବ ସହ ପିଜୁଳି ଚାଷ କରନ୍ତି । ଗତ ୨୦୨୨ ମସିହାରେ ଏକ ନର୍ସରୀରୁ ୨୧ ହଜାର ଟଙ୍କାରେ ୧୧ ଟି ମିୟାଜାକି ଆମ୍ବ ଚାରା ଆଣି ନିଜ ଫାର୍ମରେ ଲଗାଇଥିଲେ । ଜିଲ୍ଲା ଉଦ୍ୟାନ ବିଭାଗ ସହାୟତାରେ ବୁନ୍ଦା ଜଳ ସେଚନ ବ୍ୟବସ୍ଥା କରାଯାଇଛି । ଗଛକୁ ଉଭୟ ଖତ ସାର ସହ ପାଣି ନିୟମିତ ବ୍ୟବଧାନରେ ମିଳିପାରୁଥିବାରୁ ଦୁଇ ବର୍ଷ ମଧ୍ୟରେ ଗଛରେ ଫଳ ଧରିଛି ।

ସ୍ଥାନୀୟ ବଜାରରେ ଆମ୍ଵ ୫୦ରୁ ୧୦୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବାରୁ ଲକ୍ଷେ ଟଙ୍କା ମୂଲ୍ୟର ଆମ୍ବ ଫଳାଇ ଉଦ୍ୟାନ କୃଷି କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିଛନ୍ତି ସୁଧାଂଶୁ । ଆଗାମୀ ଦିନରେ ଏହି ଆମ୍ବର ବିକ୍ରି ପାଇଁ ବଜାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଉଦ୍ୟାନ କୃଷି ଉପନିର୍ଦ୍ଦେଶକ । ମିୟାଜାକି ଆମ୍ବର ଦର ବିଶ୍ଵ ବଜାରରେ ୧ ଲକ୍ଷ ଟଙ୍କାରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ସରକାରୀ ସ୍ତରରେ ଚାଷୀଙ୍କୁ ପ୍ରୋତ୍ସାହନ ସହିତ ବିକ୍ରି ପାଇଁ ବଜାର ସୁବିଧା କରାଇଲେ ଅଧିକରୁ ଅଧିକ ଚାଷୀ ଏହି ପ୍ରଜାତିର ଆମ୍ଵ ଚାଷ କରିବାକୁ ଆଗଭର ହେବେ ।

ଜଲାପୁଟ ଜଳ ଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ନନ୍ଦିଘୋଷ ବ୍ୟୁରୋ: କୋରାପୁଟ ଜିଲ୍ଲା ଜଲାପୁଟ ଜଳ ଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର କଲା ନନ୍ଦପୁର ଅଗ୍ନିସମ ବାହିନୀ । ଉଭୟଙ୍କ ଘର ବନୁର ଗାଁରେ ବୋଲି ସୂଚନା ମିଳିଛି । ମୃତ ଦୁଇଜଣ ହେଲେ ଦେବେନ୍ଦ୍ର କ୍ରିସାନି ଏବଂ ଦଶମ ଶ୍ରେଣୀରେ ପଢୁଥିବା ପୁଷ୍ପା ବୈରାଗୀ। ଉଭୟେ କିଛିବର୍ଷ ଧରି ପ୍ରେମସମ୍ପର୍କରେ ଥିଲେ ବୋଲି ଜଣାପଡିଛି । ତେବେ କାହିଁ ଆତ୍ମହତ୍ୟା କଲେ ଉଭୟେ ?  ପ୍ରେମ ସମ୍ପର୍କକୁ କିଏ ବିରୋଧ କରୁଥିଲେ କି ? ନା ରହିଛି ଅନ୍ୟ କିଛି କାରଣ । ଏଭଳି ଅନେକ ଦିଗକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ପୁଣେରେ ଭାଙ୍ଗିଗଲା ପୋଲ, ଭାସିଗଲେ ୨୦ : ୫ ମୃତଦେହ ଉଦ୍ଧାର..

ନନ୍ଦିଘୋଷ ବ୍ୟୁରୋ:ପୁଣି ଆସିଲା ଆଉ ଏକ ଅଘଟଣର ଖବର । ପୁଣେରେ ଏକ ପୋଲ ଭାଙ୍ଗି ଯାଇଥିବାବେଳେ ପାଖାପାଖି ୨୦ରୁ ଅଧିକ ଜଣ ଭାସି ଯାଇଥିବାର ଖବର ସାମ୍ନାକୁ ଆସିଛି । ଇନ୍ଦ୍ରାବତୀ ନଦୀ ଉପରେ ନିର୍ମାଣ ହୋଇଥିବା ଏହି ପୋଲଟି ଭାଙ୍ଗି ଯାଇଛି । ମିଳିଥିବା ଖବର ଅନୁଯାୟୀ, ଦୀର୍ଘଦିନ ହେବ ଏହି ପୋଲ ଉପରେ ଗାଡ଼ି ଚଳାଚଳକୁ ବନ୍ଦ କରାଯାଇଥିଲା । ମାତ୍ର ନଦୀରେ ଜଳସ୍ତର ବୃଦ୍ଧି ପାଇଥିବାବେଳେ ମାଟି ଭୁଶୁଡ଼ିଥିଲା । ଲୋକେ ନଦୀର ପାଣି ଦେଖିବାକୁ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି । ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିବାବେଳେ ୬ ଜଣଙ୍କୁ ମଧ୍ୟ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଭାଙ୍ଗିଯାଇଥିବା ସେତୁର ଅପରପକ୍ଷରେ ଏବେ ମଧ୍ୟ ଅନେକ ଲୋକ ଫସି ରହିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନସିବ କହିଛନ୍ତି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଯଥାରେ ସେତୁ ପାଖରେ ଭିଡ଼ ନଜମାଇବାକୁ ମଧ୍ୟ ନିବେଦନ କରିଛନ୍ତି ।

କେଦାରନାଥରେ ଅଘଟଣ ପରେ ଚାରିଧାମ ଯାତ୍ରାରେ ଆର୍ଯ୍ୟନ ଏଭିଏସନର ସମସ୍ତ ହେଲିକ୍ଟର ସେବା ଉପରେ ପ୍ରତିବନ୍ଧକ

ନନ୍ଦିଘୋଷ ବ୍ୟୁରୋ: ଉତ୍ତରାଖଣ୍ଡ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ଏବେ ଉତ୍ତରାଖଣ୍ଡର କେଦାରନାଥରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଗୌରୀକୁଣ୍ଡ ଅଞ୍ଚଳ ନିକଟରେ ଘଟିଛି। ହେଲିକପ୍ଟରରେ ଥିବା ସମସ୍ତ ୭ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ଏହି ଦୁର୍ଘଟଣା ଖରାପ ପାଗ ଯୋଗୁଁ ଘଟିଛି। ତେବେ ଏହି ଦୁର୍ଘଟଣା ଘଟିବା ପରେ କଠୋର ପଦକ୍ଷେପ ନେଇଛନ୍ତି ଉତ୍ତରାଖଣ୍ଡ ସରକାର । ଆର୍ଯ୍ୟନ ଏଭିଏସନର ସମସ୍ତ ହେଲିକ୍ଟର ସେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଉତ୍ତରାଖଣ୍ଡ ସରକାର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଚାରିଧାମ ଯାତ୍ରା ପାଇଁ ସମସ୍ତ ହେଲିକପ୍ଟର ସେବାକୁ ନିଷେଧ କରିଛନ୍ତି। ବର୍ତ୍ତମାନ, ୧୫ ଏବଂ ୧୬ ଜୁନ୍ ରେ ଚାରିଧାମ ଯାତ୍ରା ପରିଚାଳନା କରୁଥିବା ସମସ୍ତ ହେଲିକପ୍ଟର କମ୍ପାନୀର ସେବା ବନ୍ଦ କରିଦିଆଯାଇଛି। ରବିବାର ସକାଳେ, ଖରାପ ପାଗ ସତ୍ତ୍ୱେ ଆର୍ଯ୍ୟନ ଆଭିଏସନ୍‌ର ହେଲିକପ୍ଟର ଉଡ଼ାଣ କରୁଥିଲା। ଦୁର୍ଘଟଣାର ତଦନ୍ତ କରାଯାଉଛି। ସେହିପରି ଅନ୍ୟ ପାଇଲଟମାନେ ମଧ୍ୟ ଖରାପ ପାଗରେ ଉଡ଼ାଣ କରୁଥିବା ଜଣାପଡ଼ିଛି। ଯେଉଁ କାରଣରୁ ଏଭଳି ଏକ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି ।

ଏହି ନିଷ୍ପତ୍ତି ଡିଜିସିଏ (ସିଭିଲ ଏଭିଏସନ୍ ମହାନିର୍ଦ୍ଦେଶାଳୟ) ଦ୍ୱାରା ସୁରକ୍ଷା ମାନଦଣ୍ଡ ସମ୍ପର୍କରେ ନିଆଯାଇଥିବା କଠୋର ପଦକ୍ଷେପର ଏକ ଅଂଶ। ଏକ ରିପୋର୍ଟ ଅନୁଯାୟୀ, ଡିଜିସିଏ ସମସ୍ତ ହେଲିକପ୍ଟର ଅପରେଟରମାନଙ୍କୁ ସୁରକ୍ଷା ମାନଦଣ୍ଡ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି ଏବଂ ଯେକୌଣସି ଅବହେଳା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯାତ୍ରାକୁ ସୁରକ୍ଷିତ କରିବା ପାଇଁ କଠୋର ଏସଓପି (ମାନକ କାର୍ଯ୍ୟ ପ୍ରକ୍ରିୟା) ପ୍ରସ୍ତୁତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ମଥୁରାରେ ଖୋଳିବାବେଳେ ଭୁଶୁଡ଼ିଲା ଘର, ପୋତି ହୋଇଗଲେ ୧୨: ୩ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ମଥୁରାରୁ ଆସିଲା ଦୁଃଖଦ ଖବର । ଖୋଳିବାବେଳେ ଭୁଶୁଡ଼ିଲା ଘର । ୧୨ ଜଣରୁ ଅଧିକ ପୋତି ହୋଇଥିବାବେଳେ ଶେଷ ଖବର ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ହୋଇଛି ।  ଭଙ୍ଗା ଘର ତଳେ ଏବେ ମଧ୍ୟ ଅନେକ ଜଣ ପୋତି ହୋଇ ରହିଥିବା ଖବର ଆସିଛି । ସ୍ଥାନୀୟ ଲୋକାମାନେ କହିଛନ୍ତି କି, ଏକ ଖୋଲା ସ୍ଥାନରେ ଜେସିବିରେ ଖୋଳା ଯାଉଥିଲା । ପାଖରେ ରହିଥିବା ୬ଟି ବଡ଼ ବଡ଼ କୋଠା ଗଳି ପଡ଼ିଥିଲା । ଫଳରେ ଅନେକ ଲୋକ ଭିତରେ ପୋତି ହୋଇ ରହିଥିବା କୁହାଯାଉଛି । ମଥୁରାର ଗୋବିନ୍ଦ ନଗର ଥାନା ଅଞ୍ଚଳରେ ଏଭଳି ଅଘଟଣ ଘଟିଥିବା ନଜର ଆସିଛି । ରବିବାର ଦିନ ୧୨ଟାରେ ଏଭଳି ଅଘଟଣ ଘଟିଛି । ଖବର ପାଇବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି ।

ରାଜ୍ୟରେ କାୟା ମେଲାଇଚାଲିଛି ହଇଜା : ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଏବେ କାୟା ମେଲାଇଚାଲିଛି ହଇଜା। ଲୋକଙ୍କ ଜୀବନ ସଂକଟରେ। ହେଲେ ରାଜ୍ୟ ସରକାର ଯେତିକି ଗମ୍ଭୀରତାର ସହ ସଂକ୍ରମଣ ରୋକିବାକୁ ପଦକ୍ଷେପ ନେବା କଥା ତାହା ଦେଖିବାକୁ ମିଳୁନି। ଆଜି ସୋସିଆଲ ମିଡିଆ ଏକସରେ ଏପରି ଉଦବେଗ ପ୍ରକାଶ କରି କହିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାଡ଼ାବାନ୍ତି ସଂକ୍ରମଣ ଏବେ ଜିଲ୍ଲା ପରେ ଜିଲ୍ଲାକୁ ବ୍ୟାପିଚାଲିଛି। ଦୀର୍ଘ ବର୍ଷ ଧରି ଏପରି ଅବସ୍ଥା ଦେଖିବାକୁ ମିଳିନଥିଲା। ଲୋକଙ୍କୁ ଜୀବନକୁ ସଂକଟରେ ପକାଇଲାଣି ହଇଜା। ମୃତ୍ୟୁ ସଂଖ୍ୟା ୧୪କୁ ପହଞ୍ଚିଥିବା ନବୀନ ତାଙ୍କ ଏକ୍ସସରେ ଜଣାଇଛନ୍ତି। ରାଜ୍ୟରେ ହଇଜା ବ୍ୟାପୁଥିବାବେଳେ ରାଜ୍ୟ ସରକାର ଏହାକୁ ହାଲୁକା ଭାବେ ନେବା ସମସ୍ତଙ୍କୁ ଚକିତ ଓ ବିଚଳିତ କରିଛି। ଲୋକଙ୍କୁ ଜୀବନକୁ ଆଉ ବିପଦକୁ ନ ଠେଲି ସରକାର ସଜାଗ ହୁଅନ୍ତୁ ନବୀନ ପରାମର୍ଶ ଦେଇଛନ୍ତି। ଏହାସହିତ ହଇଜାର ପ୍ରକୋପକୁ ରୋକିବା ପାଇଁ ଦୃଡ଼ ପଦକ୍ଷେପ ନେବାକୁ ସେ ଆହ୍ବାନ କରିଛନ୍ତି।