ନନ୍ଦିଘୋଷ ବ୍ୟୁରୋ: ନିଟ୍ ପିଜି ପରୀକ୍ଷା ସ୍ଥଗିତ । ଅନ୍ୟାଦେଶ ଯାଏ ନିଟ୍ ପିଜି- ୨୦୨୫ ସ୍ଥଗିତ । ଆସନ୍ତା ଜୁନ୍ ୧୫ ତାରିଖରେ ହୋଇଥାନ୍ତା ନିଟ୍ ପିଜି ପରୀକ୍ଷା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପରୀକ୍ଷା ସ୍ଥଗିତ ରଗିଲା । ଦୁଇ ସିଫ୍ଟରେ ପରୀକ୍ଷା ପାଇଁ ସ୍ଥିର କରିଥିଲା NBE । ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ୍ସ-NBE ଗୋଟିଏ ସିଫ୍ଟରେ ପରୀକ୍ଷା କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ଥଗିତ ।
ସାର୍ବଜନୀନ ହେବ କି ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ?
ନନ୍ଦିଘୋଷ ବ୍ୟୁରୋ: ବର୍ଷେ ପୂର୍ତ୍ତି ପୂର୍ବରୁ ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେଇଛନ୍ତି । ସଫଳତା ଓ ବିଫଳତାକୁ ମାପଦଣ୍ଡ କରି ମନ୍ତ୍ରୀଙ୍କ ଦକ୍ଷତା ମାପିବ ଦଳ । ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ଼ରେ ସଫଳତା ଅପେକ୍ଷା ବିଫଳତାର ଲମ୍ବା ତାଲିକା ଜଳଜଳ କରି ଦିଶୁଛି ବୋଲି ବିଜେଡି ଅଭିଯୋଗ କରିଛି। ମନ୍ତ୍ରୀମାନେ ନିଜର ରିପୋର୍ଟକୁ ସର୍ବସାଧାରଣ କରିବାକୁ ବିଜେଡି ବିଧାୟକ ଗୌତମ ବୃଦ୍ଧ ଦାସ ଦାବି କରିଛନ୍ତି । କଂଗ୍ରେସ ମଧ୍ୟ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡକୁ ନେଇ ପ୍ରଶ୍ନ ଉଠାଇଛି । ବିଜେପି କହିଛି ମୁଖ୍ୟମନ୍ତ୍ରୀ ମନ୍ତ୍ରିମାନଙ୍କର ରିପୋର୍ଟ କାର୍ଡକୁ ତର୍ଜମା କରିବେ।
ସାର୍ବଜନୀନ ହେବ କି ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ? ଦାବି ଉଠାଇଲା ବିଜେଡି, ସ୍ବର ମିଳାଇଲା କଂଗ୍ରେସ । ବିଜେପି କହିଲା ମୁଖ୍ୟମନ୍ତ୍ରୀ କରିବେ ତର୍ଜମା । ତେଜିଲା ରିପୋର୍ଟ କାର୍ଡ ପଲିଟିକ୍ସ । ଚର୍ଚ୍ଚାରେ ମନ୍ତ୍ରିମାନଙ୍କର ରିପୋର୍ଟ କାର୍ଡ । ବର୍ଷେ ଭିତରେ କେଉଁ ମନ୍ତ୍ରୀଙ୍କ କଣ ପ୍ରଦର୍ଶନ ତାହାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି । ମନ୍ତ୍ରୀମାନେ ସେମାନଙ୍କ ରିପୋର୍ଟ କାର୍ଡରେ କଣ ଉଲ୍ଲେଖ କରିଛନ୍ତି ତାହା ସାର୍ବଜାନୀନ କରାଯାଉ ବୋଲି ବିଜେଡି ଦାବି କରିଛି । ବିଜେଡି ବିଧାୟକ ଗୌତମ ବୃଦ୍ଧ ଦାସ ଅଭିଯୋଗ କରିଛନ୍ତି ଯେ ମନ୍ତ୍ରିମାନେ ରିପୋର୍ଟ କାର୍ଡରେ ସଫଳତା ସହ ବିଫଳତାକୁ ବି ସ୍ଥାନ ଦେବା ଉଚିତ ।
ବର୍ଷେ ଭିତରେ ରାଜ୍ୟର ଅପାରଗ ସରକାର ଚାଲିଛି ବୋଲି ଲୋକେ ଅନୁଭବ କରିଛନ୍ତି । ଓଡିଶାର ବିକାଶ ସଂପୂର୍ଣ୍ଣ ଠପ ହୋଇଥିବା ବେଳେ ମନ୍ତ୍ରିମାନେ ନିଜ ବିଭାଗ ସମ୍ଭାଳିବାରେ ବିଫଳ ହୋଇଛନ୍ତି । ରାଜ୍ୟପାଳଙ୍କ ପୁଅ ଓଡିଆ ଅଧିକାରୀଙ୍କୁ ମାଡ ମାରିବା, ଚିକିଟି ମଦ ମୃତ୍ୟୁ ମାମଲା, ଭରତପୁର ଥାନା, ବଡ ଠାକୁର ପଡିଯିବା ଘଟଣାର ରିପୋର୍ଟ କୁଆଡ଼େ ଗଲା ବୋଲି ବିଜେଡି ପ୍ରଶ୍ନ କରିଛି । ସେହିପରି ଧାନର କଟନୀ ଛଟନୀ, ଦରଦାମ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀ ନିର୍ଯାତନା, କଲେଜ ନିର୍ବାଚନ କରିବାରେ ବିଫଳ, ଆଦି ପ୍ରସଙ୍ଗ ମନ୍ତ୍ରୀମାନଙ୍କ ଦକ୍ଷତା ପ୍ରମାଣିତ କରିଛି । ଏହାସହ କୋଟିଆ ସୀମା ବିବାଦ, ପୋଲାଭରମ, ମହାନଦୀ ଆଦି ପ୍ରସଙ୍ଗରେ ପୂରା ଚୁପ ସରକାର । ବର୍ଷେ ହେବ ଅଧିକାଂଶ ମନ୍ତ୍ରୀ ବିଭାଗୀୟ ବଜେଟ ଅର୍ଥକୁ ଖର୍ଚ୍ଚ ନକରିବା ନେଇ ଶାସକ ଦଳକୁ ଘେରିଛନ୍ତି ବିରୋଧୀ ।
ସେପଟେ ବିଜେପି କହିଛି, ବର୍ଷେ ହେବ ମନ୍ତ୍ରୀମାନେ କଣ କରିଛନ୍ତି ତାହା ମୁଖ୍ୟମନ୍ତ୍ରୀ ତର୍ଜମା କରିବେ । ମନ୍ତ୍ରିମାନେ ଦକ୍ଷତାର ସହ ନିଜର କାମ କରିଛନ୍ତି ଓ ଦଳ ନିର୍ବାଚନୀ ପ୍ରତିଶ୍ରୃତି ପାଳନ କରିଥିବା ବିଜେପି ବିଧାୟକ ସରୋଜ ପାଢୀ ଯୁକ୍ତି ବାଢିଛନ୍ତି । ଶାସକ ଦଳର ଏପରି ଯୁକ୍ତିକୁ କିନ୍ତୁ ଗ୍ରହଣ କରିନାହିଁ ବିଜେଡି । ବିଜେପି ସରକାର ବର୍ଷେ ହେବା କେବଳ ନାଁ ଓ ରଙ୍ଗ ପରିବର୍ତ୍ତିନ କାମ କରିଛନ୍ତି । ତାହାକୁ ସେମାନେ ନିଜ ରିପୋର୍ଟ କାର୍ଡରେ ଉଲ୍ଲେଖ କରିବେ କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ । ରାଜନୈତିକ ସମୀକ୍ଷକଙ୍କ ଯୁକ୍ତି ହେଉଛି ପୂର୍ବ ସରକାର ସମୟରେ ବି ମନ୍ତ୍ରୀମାନେ ନିଜର ରିପୋର୍ଟ କାର୍ଡ ଦେଉଥିଲେ । ରିପୋର୍ଟ କାର୍ଡକୁ ଆଧାର କରି ମୁଖ୍ୟମନ୍ତ୍ରୀ ମନ୍ତ୍ରିମାନଙ୍କ ଦକ୍ଷତା ମାପିବାର ମାପକାଠି କରିପାରନ୍ତି ବୋଲି ସମୀକ୍ଷକ ଆକଳନ କରିଛନ୍ତି ।
ବର୍ଷେ ଭିତରେ ବହୁମନ୍ତ୍ରୀ ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚାକୁ ଆସି ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଛନ୍ତି । ରିପୋର୍ଟ କାର୍ଡରେ ମନ୍ତ୍ରୀମାନେ ପ୍ରଥମ ବର୍ଷର ସଫଳତା ଓ ଆଗାମୀ ବର୍ଷର ଲକ୍ଷ୍ୟକୁ ଉଲ୍ଲେଖ କରିଥିବା ଯୁକ୍ତି ବାଢୁଥିବା ବେଳେ ବିରୋଧୀ ଏଥିରେ ବିଫଳତାର ଏକ୍ସଟ୍ରା ଫର୍ଦ୍ଦ ଯୋଡିଛନ୍ତି ।
ରାଜ୍ୟରେ ସ୍ଥାଣୁ ପାଲଟିଛି ସାମ୍ବିଧାନିକ ପଦବୀ
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ସାମ୍ବିଧାନିକ ପଦବୀଗୁଡିକ ସ୍ଥାଣୁ ପାଲଟିଯାଇଛି। ବର୍ଷେ ହେବ ପଦବୀପୂରଣ ନହେବା ରାଜ୍ୟ ସରକାରଙ୍କ ପାରିବାପଣିଆକୁ ପ୍ରତିପାଦିତ କରୁଛି । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ୪ ସପ୍ତାହ ଭିତରେ ଲୋକାୟୁକ୍ତ, ମହିଳା କମିଶନ ଓ ଶିଶୁ କମିଶନ ପଦବୀ ପୂରଣ କରା ନଗଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ଚେତାବନୀ ଦେଇଛି । ସେପଟ ବିଜେଡି କହିଛି ନିଗମ ବଣ୍ଟନ ଓ ୬ ଟି ମନ୍ତ୍ରୀପଦ ପୂରଣ କରିବାରେ ବି ଅସଫଳ ହୋଇଛି ଶାସକ ଦଳ । ଯାହାର ଜବାବ ରଖିଛି ବିଜେପି ।
ଲୋକାୟୁକ୍ତ କମିଶନ, ମହିଳା କମିଶନ, ଶିଶୁ ସୁରକ୍ଷା କମିଶନ ପରି ବଡ ବଡ ସାମ୍ବିଧାନିକ ପଦବୀ ରାଜ୍ୟରେ ଖାଲିପଡିଛି । ବିଜେପି ସରକାର ହେବା ଦିନ ଠାରୁ ସ୍ଥାଣୁ ରହିଛି ପଦବୀ । ସ୍ବଚ୍ଛ ଶାସନର ଡିଣ୍ଡିମ ପିଟୁଥିବା ବିଜେପି ସରକାରକୁ ଏହି ପ୍ରସଙ୍ଗରେ ଘେରିଛି କଂଗ୍ରେସ। ରାଜ୍ୟରେ ବିଜେପି ଶାସନକୁ ଆସିବା ଦିନଠାରୁ ନାବାଳିକା ଓ ମହିଳା ନିର୍ଯାତନା ବୃଦ୍ଧି ପାଉଛି। ମହିଳା କମିଶନ ନିଯୁକ୍ତି ହୋଇନଥିବାରୁ ରାଜ୍ୟରେ ନିର୍ଯାତନାର ଶିକାର ମହିଳାମାନେ କାହାକୁ ନିଜର ଦୁଃଖ ଜଣାଇବେ ବୋଲି କଂଗ୍ରେସ କରିଛି ପ୍ରଶ୍ନ। କେଉଁ ଆଧାରରେ ରାଜ୍ୟ ସରକାର ମହିଳା କମିଶନ ଓ ଏହାର ସମସ୍ତ ସଦସ୍ୟମାନଙ୍କୁ କାଢିଦେଲେ ବୋଲି ଦଳ ପ୍ରଶ୍ନ କରିଛି । ରାଜ୍ୟ ସରକାର ଆଇନକୁ ସମ୍ମାନ ଦେଉଥିଲେ ଲୋକାୟୁକ୍ତ, ମହିଳା ଓ ଶିଶୁ କମିଶନ ପଦବୀ ତୁରନ୍ତ ପୂରଣ କରନ୍ତୁ । ଯଦି ୪ ସପ୍ତାହ ମଧ୍ୟରେ ଖାଲି ପଡ଼ିଥିବା ପଦବୀ ପୂରଣ ନ କରିବେ ତେବେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି l କଂଗ୍ରେସ ଅଭିଯୋଗର ପାଲଟା ଜବାବ ଦେଇଛି ବିଜେପି । ବିଜେପି କହିଛି କେଉଁ ପଦବୀପୂରଣ ହେବ ତାହା ରାଜ୍ୟ ସରକାରଙ୍କ ନିଷ୍ପତି । କଂଗ୍ରେସ ନିଜ ଦଳ କଥା ବୁଝୁ।
ବିଜେପି ସରକାର ବର୍ଷପୂର୍ତ୍ତି ଲାଗି ଉତ୍ସବ ପାଳନ କରିବାକୁ ଯାଉଛି । ତେବେ ବର୍ଷେ ହେବ ଦଳ ନିଗମ ବଣ୍ଟନ କରିପାରୁନଥିବାରୁ ଶାସନ ଦଳକୁ ସମାଲୋଚନା କରିଛି ବିଜେଡି । ବିଜେଡି ବିଧାୟକ ଗୌତମ ବୃଦ୍ଧ ଦାସ କହିଛନ୍ତି- ବିଜେପି ଯଦି ନିଗମ ବଣ୍ଟନ କରିବ ତେବେ ତାଙ୍କ ଦଳରେ ବିସ୍ଫୋରଣ ହେବ । ଯେଉଁଥି ପାଇଁ ସେମାନେ ନିଗମ ବଣ୍ଟନ କରିପାରୁନାହାନ୍ତି । ଏହାସହ ବର୍ଷେ ହେବ ୬ଟି ମନ୍ତ୍ରୀପଦ ଖାଲିପଡିଛି । ଦଳର ୭୮ ଜଣ ବିଧାୟକଙ୍କ ମଧ୍ୟରୁ କେହି ଜଣେ କଣ ଯୋଗ୍ୟ ନାହାନ୍ତି ବୋଲି କଟାକ୍ଷ କରିଛି ବିଜେଡି। ବର୍ଷେ ହେବ ସାମ୍ବିଧାନିକ ପଦବୀ , ୬ଟି ମନ୍ତ୍ରୀପଦ ଓ ନଗମ ବଣ୍ଟନ କରିପାରୁନି ଶାସକ ବିଜେପି। ଏହାକୁ ନେଇ ବିରୋଧୀଙ୍କ କଟାକ୍ଷର ଶିକାର ହେଉଛନ୍ତି ସରକାର।
ସ୍ତ୍ରୀର ଛୁରାମାଡରେ ସ୍ବାମୀ ମୃତ, ପରକୀୟା ପ୍ରୀତି ପାଇଁ..
ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୋବିନ୍ଦପୁରରେ ଅଭାବନୀୟ ଘଟଣା । ସ୍ତ୍ରୀର ଛୁରାମାଡରେ ସ୍ବାମୀ ମୃତ । ମୃତ ସ୍ବାମୀ ଜଣକ ହେଲେ ୩୫ ବର୍ଷୀୟ କାଳିଆ ସେଠୀ । ପରକ୍ରିୟା ପ୍ରୀତିରେ ପଡ଼ି ସ୍ତ୍ରୀ ନିଜ ସ୍ବାମୀକୁ ହତ୍ୟା କରିଥିବା ନେଇ କାଳିଆଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । କାଳିଆ ସେଠୀ ଦୀର୍ଘ ୧୫ ବର୍ଷ ପୂର୍ବେ ପୋଲସରା ଡିମ୍ୱିରିଆ ଗ୍ରାମର ପୂଜା ସେଠୀକୁ ଭଲପାଇ ପ୍ରେମ ବିବାହ କରିଥିଲେ । କିଛି ଦିନ ହେଲା ପୂଜା ମୋବାଇଲରେ ଅନ୍ୟ କାହା ସହ କଥା ହେଉଥିବା ନେଇ ସ୍ବାମୀ ଜଣଙ୍କ ସନ୍ଦେହ କରିଥିଲେ । ଏହି ଘଟଣାକୁ ନେଇ ପ୍ରତ୍ୟେକ ଦିନ ଉଭୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ଲାଗି ରହୁଥିଲା । ତେବେ ଗତକାଲି ରାତିରେ କାଳିଆ ଘରେ ଶୋଇଥିବା ବେଳେ ପୂଜା ତାଙ୍କୁ ଛୁରାମାଡ଼ କରି ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।
ସଂଦୀପ୍ତ ରାୟଙ୍କ ଦୁଃଖ ଶୁଣ ସରକାର..
ନନ୍ଦିଘୋଷ ବ୍ୟୁରୋ: ଲୋକଙ୍କ ସ୍ଵର ପାଲଟିଥିବା ଯୁବ ସାମ୍ବାଦିକ ଆଜି ଶଯ୍ଯାଶାୟୀ । ଦୀର୍ଘ ୫ ବର୍ଷ ହେଲା କିଡନୀ ରୋଗରେ ପୀଡିତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ସଂଦୀପ୍ତ ରାୟ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏଭଳି ସ୍ଥିତିରେ ରାଜ୍ଯ ସରକାରଙ୍କ ପାଖରେ ଆର୍ଥିକ ସହାୟତା ଲୋଡିଛନ୍ତି ପୂରା ପରିବାର ।
କୋଭିଡ ବଦଳାଇ ଦେଲା ଯୁବ ସାମ୍ବାଦିକଙ୍କ ଜୀବନର ଗତିପଥ । ଦିନେ ଯେ ଗରିବ ଅସହାୟଙ୍କ ସ୍ଵର ପାଲଟିଥିଲା ସେ ଆଜି ଶଯ୍ଯାଶାୟୀ । ଏ ହେଉଛନ୍ତି ଯାଜପୁର ବ୍ଲକ ଭୁବନେଶ୍ୱରପୁର ପଂଚାୟତ କଳସଢ଼ି ଗାଁର ସଂଦୀପ୍ତ ରାୟ । ସକାଳର ଯାଜପୁର ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ । କୋଭିଡ ସମୟରେ ଜନତାଙ୍କ ସ୍ୱର ପାଲଟି ଅନେକ ଲୋକଙ୍କୁ ସହାୟତା କରି ନିଜେ କୋଭିଡ ରୋଗରେ ଆକ୍ରାନ୍ତ ହୋଇଥିଲେ। ଦୀର୍ଘ ଏକ ମାସ ଧରି କଟକ ଏସସିବି ମେଡିକାଲରେ ଚିକିତ୍ସା ହେବାପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । କୋଭିଡରୁ ସିନା ମୁକ୍ତି ପାଇଥିଲେ ମାତ୍ର ସେହି ଦିନ ଠାରୁ ସଂଦୀପ୍ତ କିଡୀନ ରୋଗରେ ଆକ୍ରାନ୍ତ ହୋଇଥିଲେ । ଜୀବନ ସହ ସଂଗ୍ରାମ କରି ଆଜି ସେ ଦୁଇଟିଯାକ କିଡନୀ ହରାଇଛନ୍ତି। ଏବେ ତାଙ୍କର ଡାଏଲିସିସ ଚାଲିଥିବା ବେଳେ ଖୁବ ଶୀଘ୍ର କିଡନୀ ପ୍ରତିରୋପଣ କରିବାକୁ ଡାକ୍ତର କହିଛନ୍ତି। ଏପରି ସ୍ଥିତିରେ ଅର୍ଥ ବାଧକ ସାଜିଥିବାରୁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ସଂଦୀପ୍ତଙ୍କ ପରିବାର l
ଦୀର୍ଘ ୫ବର୍ଷ ହେଲା ସଂଦୀପ୍ତ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଦୀର୍ଘ ଦିନ ହେବ ଚିକିତ୍ସିତ ହେଉ ଥିବାରୁ ଅନେକ ଅର୍ଥ ଖର୍ଚ୍ଚ ହୋଇ ସାରିଲାଣି । ଏବେ କିଡନୀ ପ୍ରତିରୋପଣ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ଏପରି ସ୍ଥିତିରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ ସଙ୍ଘ ଓ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସାହାର୍ଯ୍ଯର ହାତ ବଢାଇଲେଣି । ତଥାପି ସରକାର ସହାୟତା ଯୋଗାଇଦେବା ଏକାନ୍ତ ଆବଶ୍ଯକ । ସଂଦୀପ୍ତ ଜୀବନ ଯୁଦ୍ଧରେ ସଂଗ୍ରାମ କରୁଛନ୍ତି ହେଲେ କର୍ମ କ୍ଷେତ୍ରରେ ହାରି ଯାଇନାହାନ୍ତି । ରୋଗରେ ଆକ୍ରାନ୍ତ ଥାଇ ମଧ୍ୟ ଗରିବ ଅସହାୟଙ୍କ ଅନେକ ଖବର ପରିବେଷଣ କରି ଜନତାଙ୍କ ସ୍ୱର ପାଲଟିଛନ୍ତି ।
କଲବଲ କରୁଛି ତାତି: ଆଜି ଭୁବନେଶ୍ଵର ସବୁଠୁ ଉତ୍ତପ୍ତ ସହର
ନନ୍ଦିଘୋଷ ବ୍ୟୁରୋ: ମୌସୁମୀ ଗାଏବ । କଲବଲ କରୁଛି ତାତି । ଆଜି ଭୁବନେଶ୍ଵର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଦିନ ୨ ଟା ୩୦ ସୁଦ୍ଧା ଭୁବନେଶ୍ଵରରେ ୩୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାରେ ୩୯.୪ ଡିଗ୍ରୀ ପାରା ରହିଛି । ସମ୍ବଲପୁରରେ ୩୯ ଡିଗ୍ରୀ ରେକର୍ଡ ହୋଇଛି । ବାଲେଶ୍ଵରରେ ୩୮.୪, ହୀରାକୁଦରେ ୩୮.୪, ଚାନ୍ଦବାଲିରେ ୩୮, ରାଉରକେଲାରେ ୩୭.୨ ଡିଗ୍ରୀ ପାରା ରହିଛି ।
ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟିଲା ବିଜେଡି ଟିମ୍
ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ପାତ୍ରପୁର, ଗଞ୍ଜାମ, ଛତ୍ରପୁର ଓ ସୋରଡା ସମେତ ବିଭିନ୍ନ ବ୍ଲକରେ ଜନପ୍ରତିନିଧିଙ୍କୁ କରାଯାଉଛି ଅଣଦେଖା । ଏହା ସହିତ ମହିଳା ଜନପ୍ରତିନିଧି ମାନଙ୍କୁ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଏନେଇ ବିଜୁ ଜନତା ଦଳ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି । ପାତ୍ରପୁର ପଞ୍ଚାୟତ ସମିତି ବୈଠକରେ ଗଣ୍ଡଗୋଳ, ବାହାର ଲୋକଙ୍କ ଦ୍ୱାରା ମହିଳା ଜନପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଓ ଜନପ୍ରତିନିଧିଙ୍କୁ ଅଣଦେଖା କରାଯାଉଥିବା ନେଇ ଚିକିଟି ବିଧାୟକ ପ୍ରାର୍ଥୀ ତଥା ଯୁବନେତା ଚିନ୍ମୟାନନ୍ଦ ଶ୍ରୀରୂପ ଦେଓ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ମହିଳା ଜନପ୍ରତିନିଧିଙ୍କୁ ଦୁର୍ବବ୍ୟହାର ନେଇ ଥାନାରେ ଏତଲା ପରେ ମଧ୍ୟ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ସେହିପରି ସୋରଡ଼ା ବ୍ଲକ ଅଧ୍ୟକ୍ଷାଙ୍କ ଦସ୍ତଖତ ଜାଲିଆତି କରି ଦୁଇଟି ବିଲ୍ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛିି । ଏଣୁ ଏହାର ଉଚିତ୍ ତଦନ୍ତ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ପକ୍ଷରୁ ଦାବି ହୋଇଛି । ବିଭିନ୍ନ କାର୍ଯ୍ୟରେ ବାଧା ସୃଷ୍ଟିକୁ ନେଇ ଗଞ୍ଜାମ ବ୍ଲକ ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।
ଏନେଇ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରାଜ୍ୟରେ ବିଜେପି ସରକାର ଆସିଲା ଦିନଠାରୁ ବିକାଶ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଇଛି । ବିଭିନ୍ନ ବ୍ଲକରେ ବିଡିଓ ଏବଂ ଅଧିକାରୀମାନେ ବିଜେପିର ବ୍ଲକ ସଭାପତି ଭଳି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ନବୀନ ସରକାର ଅମଳରେ ଯାହା କାର୍ଯ୍ୟ ହୋଇଥିଲା ତାର ବକେୟା ବିଲକୁ ରାଜନୈତିକ ଚାପ ପକାଇ ଅଟକା ଯାଉଛି । ରାଜନୈତିକ ହସ୍ତକ୍ଷେପ କରି ନିରୀହ ଲୋକଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ କରିଛି ବିଜେଡି।
ଭାରତର ଜଳ ପ୍ରହାରରେ ପାକିସ୍ତାନରେ ହାହାକାର
ନନ୍ଦିଘୋଷ ବ୍ୟୁରୋ: ଭାରତର ଜଳ ପ୍ରହାରରେ ପାକିସ୍ତାନରେ ହାହାକାର । ପାଣି ବିନା ପାକିସ୍ତାନ ଡହଳବିକଳ । ପଞ୍ଜାବ-ସିନ୍ଧ ପ୍ରଦେଶରେ ଚାଷୀ ଖରିଫ ଫସଲ ପାଇଁ କଣ କରିବ ଚିନ୍ତା କରିପାରୁନି । ଖରିଫ ଫସଲ ବିହନ ବୁଣାବୁଣି ପୂର୍ବରୁ ଏପରି ପାଣି ସଂକଟ ଦେଖାଦେଇଛି । ସିନ୍ଧୁ ଜଳ ନମିଳିବାରୁ ନଦୀ ମାନେ ଶୁଖିଗଲେଣି । ସିନ୍ଧୁ ନଦୀ ସହ ଝେଲମ ଚେନାବରେ ଅବସ୍ଥା ଅସମ୍ଭାଳ । ଭୟଙ୍କର ଗ୍ରୀଷ୍ମ ପ୍ରବାହ ଓ ବିନା ପାଣିରେ ଚାଷ ଜମି ଫାଟି ଆଁ କରିଛି । ଝେଲମ ନଦୀର ମଙ୍ଗଳା ବନ୍ଧ, ସିନ୍ଧୁ ନଦୀରେ ଥିବା ତବରେଲା ଡ୍ଯାମ ପର୍ଯ୍ୟନ୍ତ ପାଣି ପହଞ୍ଚିପାରୁନାହିଁ । ପାକିସ୍ତାନରେ ଅଧିକ ଧାନ ଚାଷ କରାଯାଇଥାଏ ।
ଭାରତର ଜଳ ପ୍ରହାର ଯୋଗୁଁ ଧାନ ଚାଷ ଏଥର ହୋଇପାରିବ କି ନାହିଁ ସେ ନେଇ ଚାଷୀ ମନରେ ଆଶଂକା ଦେଖାଦେଲାଣି । ଏପରି ସ୍ଥିତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ତାଜିକସ୍ତାନ ଗ୍ଲାସିଅର ସଂରକ୍ଷଣ ସମ୍ମିଳନୀରେ ପାଣି ପାଇଁ ଗୁହାରୀ କରିଛନ୍ତି । ସିନ୍ଧୁ ଜଳ ସନ୍ଧି ରଦ୍ଦକୁ ହଟାଇ ଦେବାକୁ ସେ ନିବେଦନ କରିଛନ୍ତି । ଚୁକ୍ତ ରଦ୍ଦ ଯୋଗୁଁ ଦେଶରେ ୨୧ ପ୍ରତିଶତ ପାଣିର ପ୍ରବାହ ହ୍ରାସ ପାଇଛି । ଫଳରେ ପଞ୍ଜାବ ଓ ସିନ୍ଧ ପ୍ରଦେଶରେ ଜଳସେଚନ ଓ ବିଜୁଳି ଉତ୍ପାଦନ କରାଯାଇଥାଏ । ଏବେ ପାଣି କମ ହେବାରୁ ଖରିଫ ଋତୁରେ ଫସଲ ଫଳାଇବା ଆଶା ମଉଳିଯାଇଛି । ଏବେ ମୌସୁମୀ ଭରସା । ମୌସୁମୀ ଭଲ ବର୍ଷିଲେ ଚାଷ କାମ ହୋଇପାରିବ ନହେଲେ ପାକିସ୍ତାନର କୃଷି ଅର୍ଥନୀତି ସଂପୂର୍ଣ୍ଣ ଭୁଶୁଡ଼ିପଡିବ ।
ଅରୁଣାଚଳ ପ୍ରଦେଶରେ ପ୍ରକୃତିର ବଡ଼ ତାଣ୍ଡବ, ଜୀବନ ସହ ସଂଘର୍ଷ କରି ପାର୍
ନନ୍ଦିଘୋଷ ବ୍ୟୁରୋ: ପ୍ରକୃତିର ତାଣ୍ଡବରେ ଛାରଖାର ଉତ୍ତରପୂର୍ବାଞ୍ଚଳ। ସେପଟେ ଅରୁଣାଚଳ ପ୍ରଦେଶରେ ସବୁଠାରୁ ବଡ଼ ତାଣ୍ଡବ ରଚିଛି ପ୍ରକୃତି। ବିଶ୍ବର ସବୁଠାରୁ ବର୍ଷା ଅରୁଣାଚଳ ପ୍ରଦେଶରେ ହୋଇଥିବା ଦେଖାଯାଇଛି। ଦେଖନ୍ତୁ ଏହି ଛାତିଥର ଭିଜୁଆଲ। ଏ ହେଉଛି ଅରୁଣାଚଳ ପ୍ରଦେଶର ଅନଜା ଜିଲ୍ଲାରେ ଏକ ଝୁଲନ୍ତା ପୋଲ। ପର୍ବତରୁ ଖସୁଛି ତୀବ୍ର ବେଗରେ ବର୍ଷା ଜଳ। ସେପଟେ ଏହି ଝୁଲନ୍ତା ପୋଲରେ ଜୀବନ ସହ ସଂଘର୍ଷ କରି ପାର୍ ହେଉଛନ୍ତି ଜଣେ ବାସିନ୍ଦା। ହାତ ଗୋଡ ଖସିଲେ ରକ୍ଷା ନାହିଁ। ତଥାପି ଜୀବନକୁ ପାଣି ଛଡ଼ାଇ ବିପଜ୍ଜନକ ଭାବେ ପାର୍ ହେଉଛନ୍ତି ଜଣେ ବାସିନ୍ଦା। ଭାରତ, ଚୀନ ଓ ମିଆଁମାରକୁ ଲାଗି ରହିଛି ଏହି ଅଞ୍ଚଳ। ଗତ କିଛି ଦିନ ଧରି ସାରା ଉତ୍ତରପୂର୍ବାଞ୍ଚଳରେ ବର୍ଷା ଲାଗି ରହିବା ଯୋଗୁ ସୃଷ୍ଟି ହୋଇଛି ପ୍ରଳୟଙ୍କରୀ ଅବସ୍ଥା।
ବ୍ୟବସାୟୀଙ୍କ ଠାରୁ ୪ ଲକ୍ଷ ଟଙ୍କା ଝାମ୍ପିନେଲେ ୨ ଜଣ ଦୁର୍ବୃତ୍ତ
ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀର ପାଟଣାଗଡ଼ରେ କଳା ପଲସର ଆତଙ୍କ । ଦିବାଲୋକରେ ବ୍ୟବସାୟୀଙ୍କ ଠାରୁ ୪ ଲକ୍ଷ ଟଙ୍କା ଝାମ୍ପିନେଲେ ୨ ଜଣ ଦୁର୍ବୃତ୍ତ । ଲୁଟର ଶିକାର ବ୍ୟବସାୟୀ ପାଟଣାଗଡ଼ର ପର୍ଶୁରାମ ପଂସାରୀ । ଦୋକାନ ସାମ୍ନାରୁ ଗାଡ଼ି ଡିକିରୁ ଟଙ୍କା ବାହାର କରି ଦୋକାନକୁ ନେଉଥିବା ବେଳେ କଳା ପଲସରରେ ଆସି ଟଙ୍କା ବ୍ୟାଗ୍ ଝାମ୍ପି ନେଇ ଦୃତଗତିରେ ଫେରାର୍ ମାରିଛନ୍ତି ଲୁଟେରା । ପର୍ଶୁରାମଙ୍କର ରାମଜୀ ଛକରେ ମହାବୀର ଷ୍ଟୋର ରହିଛି । କୌଣସି କାମ ପାଇଁ ଷ୍ଟେଟ ବ୍ୟାଙ୍କରୁ ୪ ଲକ୍ଷ ଟଙ୍କା ଉଠାଇ ଦୋକାନ ସାମ୍ନାରେ ଡିକିରୁ ବାହାର କରି ଦୋକାନକୁ ନେଉଥିଲେ । ଏନେଇ ପାଟଣାଗଡ଼ ଥାନାରେ ଅଭିଯୋଗ ପରେ ପୋଲିସର ତନାଘନା ଆରମ୍ଭ କରିଛି ।ଲୁଟର ଫୁଟେଜ ସିସି କ୍ୟାମେରାରେ କଏଦ ହୋଇଛି । ଲୁଟର EXCLUSIVE ସିସିଟିଭି ଫୁଟେଜ ନନ୍ଦିଘୋଷ ଟିଭି ହାତରେ ଲାଗିଛି ।

