ନନ୍ଦିଘୋଷ ବ୍ୟୁରୋ: ବାକି ଟଙ୍କା ମାଗିବାରୁ ମର୍ଡର। ପାନ ଦୋକାନୀଙ୍କ ମାଡରେ ଯୁବକଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ଖଇରା ବଜାରରେ ଘଟିଛି ଏଭଳି ଘଟଣା। ମୃତକ ହେଲେ ଖଇରା ପଂଚାୟତ ପୁରୁଷୋତ୍ତମପୁର ଗାଁର ଜୟକୃଷ୍ଣ ସାହୁ।। ଅଭିଯୁକ୍ତ ଦୋକାନୀ ବସନ୍ତ ବେହେରା ଓ ସେଠାରେ ଥିବା ଅନ୍ୟ ଜଣେ ସହଯୋଗୀଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି ଖଇରା ପୋଲିସ। କିଛି ଦିନ ତଳେ ଜୟକୃଷ୍ଣଙ୍କ ଠାରୁ ବସନ୍ତ କିଛି ଟଙ୍କା ଧାର ସୂତ୍ରରେ ଆଣିଥିଲେ l ଉକ୍ତ ଟଙ୍କା ମାଗିବାକୁ ବସନ୍ତଙ୍କ ଦୋକାନକୁ ଯାଇଥିଲେ ଜୟକୃଷ୍ଣ। ସେଠାରେ ବାକି ଟଙ୍କା ନେଇ ଉଭୟଙ୍କ ମଧ୍ୟରେ ବଚସା ଓ ଗଣ୍ଡଗୋଳ ହୋଇଥିଲା। ପରେ ଜୟକୃଷ୍ଣକୁ ମାଡ଼ ମାରି ତଳେ ପକାଇଦେଇଥିଲେ ଦୋକାନୀ। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଜୟକୃଷ୍ଣଙ୍କୁ ଖଇରା ମେଡିକାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ରାଜଧାନୀରେ ଦୁର୍ଘଟଣା : ଜଣେ ମୃତ
ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ସିଆରପି ଓଭରବ୍ରିଜ ଉପରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଜଣେ ଓଲା ଡ୍ରାଇଭର ବୋଲି ଜଣାପଡିଛି । ନିଜ ବାଇକ ଯୋଗ ଯାଉଥିବା ବେଳେ ଧକ୍କା ଦେଇଛି ଅଜଣା ଟ୍ରକ । ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ମୃତକଙ୍କ ପରିଚୟ ଓ ଦୁର୍ଘଟଣା ଘଟାଇଥିବା ଗାଡି ଓ ଡ୍ରାଇଭରଙ୍କ ସମ୍ପର୍କରେ ଚାଲିଛି ଖୋଳତାଡ଼ ।
ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ
ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ଚୂଡାନ୍ତ ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏଏସଆଇ ଅଧିକାରୀ ଓ ଭଣ୍ଡାର ମରାମତିକୁ ନେଇ ସମ୍ପୃକ୍ତ ସେବାୟତଙ୍କ ସହ ଆଲୋଚନା କରାଯାଇଛି। ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ରତ୍ନଭଣ୍ଡାରର ବାକି ଥିବା ମରାମତି କାର୍ଯ୍ୟ କରାଯିବା ନେଇ ପୂର୍ବରୁ ନିଷ୍ପତି ହୋଇଥିଲା। ନୀଳାଦ୍ରି ବିଜେ ପୂର୍ବରୁ ମରାମତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ହିମାଚଳ ପ୍ରଦେଶ କୁଲୁରେ ବାଦଲ ଫଟା ବର୍ଷା
ନନ୍ଦିଘୋଷ ବ୍ୟୁରୋ: ହିମାଚଳ ପ୍ରଦେଶ କୁଲୁରେ ପ୍ରବଳ ବର୍ଷା ଜାରି। ବିଭିନ୍ନ ସ୍ଥାନରେ ବାଦଲ ଫଟା ବର୍ଷା ହୋଇଛି। ଫଳରେ ଭୂସ୍ଖଳନ ହେବା ସହ ବହୁ ରାସ୍ତା ଭାସିଯାଇଛି। ରାଜ୍ୟର ପ୍ରାୟ ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି। ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଛି। ବିଳାସପୁର, ସାମ୍ବା, ହମିରପୁର, କାଙ୍ଗ୍ରା, ସିର୍ମଉର, ସୋଲାନ, ଉନାରେ ତାଣ୍ଡବ ବର୍ଷା ରଚିଛି। ଏହି ସବୁ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବାବେଳେ କୁଲ୍ଲୁ, ମଣ୍ଡି, ସିମଳାରେ ୟେଲୋ ଆଲର୍ଟ ଜାରି କରାଯାଇଛି।
ଆସନ୍ତା ଜୁଲାଇ ୧ ଯାଏ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବ ବୋଲି ଆଇଏମଡି କହିଛି। ସିମଳାରେ ଦୃଶ୍ୟମାନ ଦୂରତା ୨୫ ମିଟରକୁ ହ୍ରାସ ପାଇଛି। ପାର୍ବତ୍ୟାଞ୍ଚଳରେ ସତର୍କତା ଅବଲମ୍ବନ ଲାଗି ପରାମର୍ଶ ଦିଆଯାଇଛି। ମଣ୍ଡି ନିକଟସ୍ଥ ବିୟସ ନଦୀରେ ଜଣେ ପ୍ରାଣ ହରାଇଛନ୍ତି। ମୌସୁମୀଜନିତ ବର୍ଷା ଯୋଗୁ ରାଜ୍ୟରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଧର୍ମଶାଳା, ମଣ୍ଡି, ସାମ୍ବା ଆଦି ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇଛି।
ସେପଟେ ଗୁଜରାଟରେ ବି ଜାରି ରହିଛି ବର୍ଷା ବିତ୍ପାତ। ସୁରଟରେ ଜନଜୀବନ ପ୍ରଭାବିତ ହୋଇଛି ।
ପଞ୍ଜାବର ପୂର୍ବତନ ମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳ ନେତା ବିକ୍ରମ ମାଜିଥିଆ ଗିରଫ
ନନ୍ଦିଘୋଷ ବ୍ୟୁରୋ: ପଞ୍ଜାବର ପୂର୍ବତନ ମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳ ନେତା ବିକ୍ରମ ମାଜିଥିଆ ଗିରଫ। ପଞ୍ଜାବ ଭିଜିଲାନ୍ସ ପକ୍ଷରୁ ତାଙ୍କର ଅମୃତସରସ୍ଥିତ ବାସଭବନ ରେଡ ପରେ ବିକ୍ରମ ହୋଇଛନ୍ତି ଗିରଫ। ବିକ୍ରମଙ୍କ ବିରୋଧରେ ୨୦୨୧ର ଏକ ଡ୍ରଗ୍ସ ମାମଲାରେ ଜାରି ରହିଥିଲା ଏସଆଇଟି ତଦନ୍ତ। ଏହି ଘଟଣାରେ ଅମୃତସରର ୯ଟି ସ୍ଥାନ ସହ ପଞ୍ଜାବର ୨୫ଟି ସ୍ଥାନରେ ଏସଆଇଟି କରିଥିଲା ରେଡ।
ବିକ୍ରମ ହେଉଛନ୍ତି, ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲଙ୍କ ଶାଳକ। ବିକ୍ରମଙ୍କ ଜରିଆରେ ବିପୁଳ ପରିମାଣର ଅର୍ଥ କାରବାର ହୋଇଛି ବୋଲି ପଞ୍ଜାବ ରାଜ୍ୟ ଅପରାଧ ଓ ଭିଜିଲାନ୍ସ ବ୍ୟୁରୋ ପକ୍ଷରୁ କୁହାଯାଇଛି। ତଦନ୍ତରୁ ଜଣାଯାଇଛି, ପ୍ରାୟ ୧୬୧ କୋଟି ବେନାମୀ ଅର୍ଥ ସମେତ ପ୍ରାୟ ୫୪୦ କୋଟି ଟଙ୍କାର ଡ୍ରଗ୍ସ ସମ୍ପର୍କିତ ଅର୍ଥ ବିକ୍ରମଙ୍କ ଦ୍ବାରା ନିୟନ୍ତ୍ରିତ ବିଭିନ୍ନ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି। ୧୪୧ କୋଟି ଟଙ୍କା ବିଭିନ୍ନ ବିଦେଶୀ କମ୍ପାନୀ ଜରିଆରେ ଡିପୋଜିଟ ହୋଇଥିବାବେଳେ ୨୩୬ କୋଟି ଟଙ୍କା ବିନା କୌଣସି ସ୍ପଷ୍ଟ ଉତ୍ସ ଦର୍ଶାଇ ଜମା କରାଯାଇଛି। ସେପଟେ ଭିଜିଲାନ୍ସ ଟିମ ଅମୃତସରସ୍ଥିତ ଗ୍ରୀନ ଆଭେନ୍ୟୁରେ ଜବରଦସ୍ତ ପ୍ରବେଶ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିକ୍ରମ ଓ ତାଙ୍କ ପତ୍ନୀ।

