spot_img
Home Blog Page 6944

ତିନି ରଥରେ ବିଜେ ହେଲେ ଆଜ୍ଞାମାଳ, ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା

ପୁରୀ: ରଥଯାତ୍ରା ହେବ କି ନାହିଁ ତାକୁ ନେଇ ଆଶା ଓ ଆଶଙ୍କା ଲାଗି ରହିଛି । ରାଜ୍ୟ ସରକାରଙ୍କ ଦ୍ୱାରା ଦାଏର ଆବେଦନର ଶୁଣାଣି କରୁଥିବା ଜଷ୍ଟିସ ଅରୁଣ ମିଶ୍ର ମାମଲାକୁ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ଅଧ୍ୟକ୍ଷତା ବିଶିଷ୍ଟ ତିନି ଜଣିଆ ବେଂଚକୁ ସ୍ଥାନାନ୍ତରିତ କରିଛନ୍ତି । ସୁପ୍ରିମକୋର୍ଟଙ୍କ ତିନି ଜଣିକିଆ ବେଂଚ୍ ଜୁନ୍ ୧୮ ତାରିଖ ରାୟ ସଂଶୋଧନ ମାମଲାର ଶୁଣାଣି କରୁଛନ୍ତି । ଏହାରି ଭିତରେ ତିନି ରଥରେ ଆଜ୍ଞାମାଳ ବିଜେ ହୋଇଛନ୍ତି । ଆଜି ପ୍ରଥମେ ଆଜ୍ଞାମାଳ ପ୍ରଥମେ ତାଳଧ୍ୱଜ ରଥରେ ବିଜେ ହୋଇଥିଲେ । ତା’ପରେ ନନ୍ଦିଘୋଷ ରଥରେ ଆଜ୍ଞାମାଳ ବିଜେ ହୋଇଥିଲେ । ଏହାପରେ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନରେ ଆଜ୍ଞାମାଳ ବିଜେ ହୋଇଥିଲେ ।

ସେବକ ତିନି ରଥକୁ ଆଜ୍ଞାମାଳ ବିଜେ କରାଇଥିଲେ । ଏହି ସମୟରେ ରଥଖଳାରେ ଅଳ୍ପସଂଖ୍ୟାରେ ଭକ୍ତଙ୍କୁ ଦେଖିବାକୁ ମିଳିଥିଲା । ଆଜ୍ଞାମାଳ ବିଜେ ପରେ ରଥକୁ ଦେଉଳ ମୁହାଁ କରାଯାଇଥାଏ । ରଥଖଳାରୁ ରଥ ସିଂହଦ୍ୱାରରେ ବିଜେ ହୋଇଥାନ୍ତି । ସେଠାରୁ ତିନି ରଥ ଗୁଣ୍ଡିଚା ମନ୍ଦିର ଟଣା ହୋଇଯାଇଥାନ୍ତି । ତେବେ ଏସବୁ ସୁପ୍ରିମକୋର୍ଟଙ୍କ ସଂଶୋଧିତ ରାୟ ଉପରେ ନିର୍ଭର କରୁଛି ।

ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଦ୍ୱାରା ଦାଏର ଆବେଦନ ଉପରେ ଶୁଣାଣି କରିବେ । ଜୁନ୍ ୧୮ ତାରିଖ ଦିନ ସୁପ୍ରିମକୋର୍ଟ କରୋନା ମହାମାରୀ କାଳରେ ରଥଯାତ୍ରା ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି କହିଥିଲେ । ଏହାପରେ ରାଜ୍ୟ ସରକାର ଏବେ କେବଳ ପୁରୀରେ ରଥଯାତ୍ରା ଅନୁମତି ଦେବା ପାଇଁ ଆବେଦନ କରିଛନ୍ତି ।

ଓଡ଼ିଶା ସରକାରଙ୍କ ତରଫରୁ ପ୍ରିନସିପାଲ ରେସିଡେଣ୍ଟ୍ କମିଶନର ସଂଜୀବ ମିଶ୍ର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ସତ୍ୟପାଠରେ ରାଜ୍ୟ ସରକାର କହିଛନ୍ତି ଯେ, ବିନା ଭକ୍ତ ଓ କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ମିଳିଲେ ରାଜ୍ୟ ସରକାର ଏଥିପାଇଁ ସବୁ ପ୍ରକାର ପଦକ୍ଷେପ ନେବେ । ଗଜପତିଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ସୀମିତ ଭକ୍ତ ଓ ବିନା ସେବାୟତରେ ରଥଯାତ୍ରା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସତ୍ୟପାଠରେ କୁହାଯାଇଛି । କେନ୍ଦ୍ର ମଧ୍ୟ ବିନା ଭକ୍ତଙ୍କ ଉପସ୍ଥିତିରେ ରଥଯାତ୍ରା ସପକ୍ଷରେ ଥିବା ଜଣା ପଡୁଛି । କାରଣ ସଲିସିଟର ଜେନରାଲ ମଧ୍ୟ ଆଶା କରିଛନ୍ତି ଯେ, ବିନା ଭକ୍ତରେ ରଥଯାତ୍ରା ହେବାକୁ ଅନୁମତି ମିଳିବ ।

ଅପରାହ୍ନ ସୁଧା ସୁପ୍ରିମକୋର୍ଟଙ୍କ ରାୟ ଆସିବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ, ଜୁନ୍ ୧୮ ତାରିଖ ଦିନ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ରଥଯାତ୍ରା ଉପରେ ଶୁଣାଣି କରି କରୋନା ମହାମାରି କାଳରେ ରଥଯାତ୍ରା ଆୟୋଜନ କରିବା ଠିକ୍ ହେବ ନାହିଁ ବୋଲି କହିଥିଲେ । ପ୍ରଧାନ ବିଚାରପତି କହିଥିଲେ ଯେ,ରଥଯାତ୍ରା ପାଇଁ ଅନୁମତି ଦେଲେ ପ୍ରଭୁ ଜଗନ୍ନାଥ ଆମକୁ କେବେ  କ୍ଷମା କରିବେ ନାହିଁ । ଏହି ରାୟ ପରେ ଓଡ଼ିଶାର ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ନିରାଶା ସୃଷ୍ଟି ହୋଇଥିଲା ।

ରାଜ୍ୟରେ ୧୪୩ କରୋନା ପଜିଟିଭ୍… କ୍ୱାରେଣ୍ଟାଇନରୁ୧୩୭, ଲୋକାଲ୍ କେସ୍ ୬

ଭୁବନେଶ୍ୱର: ବୋଲ ମାନୁନି କରୋନା ଭୂତାଣୁ । ଦେଶ ସହ ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମଣ ସଂଖ୍ୟା । ରାଜ୍ୟରେ ଆଜି ୧୭ ଜିଲ୍ଲାରୁ ଆଉ ୧୪୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ୧୩୭, ଲୋକାଲ୍‌ କେସ୍‌ ୬ ପଜିଟିଭ୍‌ ହୋଇଥିବା ବେଳେ ରାଜ୍ୟରେ ମୋଟ୍‌ ସଂକ୍ରମଣ ସଂଖ୍ୟା ୫୩୦୩ କୁ ବୃଦ୍ଧି ହୋଇଛି। ଗଞ୍ଜାମରୁ ସର୍ବାଧିକ ୩୨ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୦, ଖୋର୍ଦ୍ଧାରୁ ୧୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ବାଲେଶ୍ୱର ଓ ନୟାଗଡ଼ରୁ ୧୩ ଜଣ ଲେଖାଏଁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ୧୨, କେନ୍ଦ୍ରାପଡ଼ାରୁ ୧୦ ପଜିଟିଭ୍‌ ଆସିଛନ୍ତି। କଳାହାଣ୍ଡିରୁ ୬, ସମ୍ବଲପୁରରୁ ୫, ଭଦ୍ରକରୁ ୪, ଢେଙ୍କାନାଳରୁ ୩୬ କେନ୍ଦୁଝରରୁ ୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ବରଗଡ଼ ଓ ଜଗତସିଂହପୁରରୁ ଜଣେ ଲେଖାଏଁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନଡିଆରଏଫ୍‌ରୁ ୨ ଯବାନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେମାନେ ଅମ୍ଫାନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିଲେ ।

ଏଥିସହ ଗଞ୍ଜାମ ଜିଲ୍ଲାରୁ ୨ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି । ଭଂଜନଗର ଓ ଆସ୍କାରୁ ଜଣେ ଲେଖାଏଁ କରୋନା ଯୋଦ୍ଧା ଭୂତାଣୁ ସଂକ୍ରମିତ ହୋଇଛନ୍ତି । ଗଞ୍ଜାମରେ ଆଉ ୩୨ ପଜିଟିଭ ଚିହ୍ନଟ ନେଇ ଜିଲ୍ଲା ପ୍ରଶାସନର ସୂଚନା ଦେଇଛନ୍ତି । ଗଞ୍ଜାମରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୨୫ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ସେଠାରେ ୬୭୦ ଜଣ ସୁସ୍ଥ ହୋଇଥିବା ବେଳେ ୨୪୮ ଆକ୍ଟିଭ୍‌ କେସ୍‌ ରହିଛି। ଗଞ୍ଜାମରେ କରୋନାରେ ଆଉ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ ଥିବା ବେଳେ ଜଣେ ୪୬ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ତେବେ ଜିଲ୍ଲାରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୭ ଛୁଇଁଛି ।

ସମଗ୍ର ଦେଶକୁ ଏକଜୁଟ ହୋଇ ଚୀନର ଦୁଃସାହସର ଜବାବ ଦେବାକୁ ପଡିବ: ମନମୋହନ ସିଂହ

 

  • ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମନମୋହନ ସିଂହ
  • କହିଲେ ବଳିଦାନ ବୃଥା ହେବା ଉଚିତ୍ ନୁହେଁ

ନୂଆଦିଲ୍ଲୀ: ଚୀନ୍‌ କରିଥିବା ଦୁଃସାହସର ଉତ୍ତର ଦେବାପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ମୋଦୀ ସରକାରଙ୍କୁ ନିବେଦନ କରିଛନ୍ତି । ଲଦାଖ ସୀମା ବିବାଦରେ ସହିଦ ହୋଇଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି ଯେ, ସୈନିକମାନଙ୍କ ବଳିଦାନ ବୃଥା ଯିବା ଉଚିତ ନୁହେଁ। ଏହି ସମୟରେ ସମଗ୍ର ଦେଶକୁ ଏକଜୁଟ ହୋଇ ଚୀନର ଦୁଃସାହସର ଜବାବ ଦେବାକୁ ପଡିବ ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି, ୧୫ ଏବଂ ୧୬ ଜୁନରେ ଭାରତର ୨୦ଜଣ ସାହସୀ ସୈନିକ ଗଲବାନ ଘାଟିରେ ବଳିଦାନ ଦେଇଥିଲେ। ଦେଶର ଏହି ବୀରପୁତ୍ରମାନେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଦେଶକୁ ସୁରକ୍ଷା ଦେଇଥିଲେ। ଏହି ସର୍ବୋଚ୍ଚ ବଳିଦାନ ପାଇଁ ଆମେ ଏହି ସାହସୀ ସୈନିକ ଏବଂ ସେମାନଙ୍କ ପରିବାର ପାଇଁ କୃତଜ୍ଞ, କିନ୍ତୁ ସେମାନଙ୍କର ବଳିଦାନ ବୃଥା ଯିବା ଉଚିତ୍ ନୁହେଁ ।

ସେ ଆହୁରି ମଧ୍ୟ କହିଛନ୍ତି, ଆଜି ଆମେ ଇତିହାସର ସୂକ୍ଷ୍ମ ସ୍ଥାନରେ ଛିଡା ହୋଇଛୁ । ସରକାରଙ୍କ ନିଷ୍ପତ୍ତି ଏବଂ ପଦକ୍ଷେପ ଆମର ଭବିଷ୍ୟତ ଆକଳନ କରିବ । ଯେଉଁମାନେ ଦେଶକୁ ଆଗେଇ ନେଉଛନ୍ତି ସେମାନଙ୍କ କାନ୍ଧରେ ଦେଶର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅଛି । ଆମ ଗଣତନ୍ତ୍ରରେ ଏହା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ।

ମନମୋହନ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ସର୍ବଦାଦେଶର ସୁରକ୍ଷା ତଥା ସାମରିକ ସ୍ୱାର୍ଥ ଉପରେ ଯତ୍ନବାନ ହେବା ଉଚିତ୍ । ଚୀନ୍ ଏପ୍ରିଲରୁ ଆଜି ପର୍ଯ୍ୟନ୍ତ ଅନେକ ଥର ଗଲବାନ ଉପତ୍ୟକା ଏବଂ ହ୍ରଦକୁ ଅନୁପ୍ରବେଶ କରିଛି । ଆମେ ତାଙ୍କ ଧମକ ଏବଂ ଚାପ ଆଗରେ ମୁଣ୍ଡ ନୁଆଁଇବୁ ନାହିଁ କି ଆମ ଅଖଣ୍ଡତା ସହିତ କୌଣସି ଆପୋଷ ବୁଝାମଣା ଗ୍ରହଣ କରିବୁ ନାହିଁ । ସରକାର ନିଶ୍ଚିତ କରନ୍ତୁ, ଏହି ବିପଦର ସମ୍ମୁଖୀନ ହେବା ତଥା ପରିସ୍ଥିତି ଗୁରୁତର ନହେବାକୁ ସରକାରଙ୍କ ସମସ୍ତ ବିଭାଗ ପାରସ୍ପରିକ ସହମତି ସହ କାର୍ଯ୍ୟ କରିବେ ।

 

ସିଂ କହିଛନ୍ତି, ଏହି ସମୟରେ ସମଗ୍ର ଦେଶକୁ ଏକଜୁଟ ହୋଇ ସଂଗଠିତ ହେବାକୁ ପଡିବ ଏବଂ ଏହି ଦୁଃସାହସିକତାର ଜବାବ ଦେବାକୁ ପଡିବ। ଆମେ ସରକାରଙ୍କୁ ଚେତେଇ ଦେବୁ ଯେ ବିଭ୍ରାନ୍ତିକର ପ୍ରଚାର କେବେବି କୂଟନୀତି କିମ୍ବା ଦୃଢ ନେତୃତ୍ୱର ବିକଳ୍ପ ହୋଇପାରିବ ନାହିଁ । ପଛୁଆ ସହଯୋଗୀମାନଙ୍କ ଦ୍ୱାରା ମିଥ୍ୟା ପ୍ରଚାର ସତ୍ୟକୁ ଦମନ କରିପାରିବ ନାହିଁ ।

 

 

ଓଡ଼ିଶାରେ ୮୦ ଟଙ୍କା ଡେଇଁଲା ପେଟ୍ରୋଲ ଦର,ନୂଆପଡାରେ ସର୍ବାଧିକ ୮୨ ଟଙ୍କା

ଭୁବନେଶ୍ୱର: ଗ୍ରାହକଙ୍କୁ ମହଙ୍ଗା ମାଡ଼ । କରୋନା ଭଳି  ବୋଲ ମାନୁନି ତୈଳ ଦର । ଦିନକୁ ଦିନ ଆକାଶ ଛୁଆଁ ହେଉଛି ପେଟ୍ରୋଲ ଡିଜେଲ ଦର । ଲଗାତାର ୧୬ ଦିନରେ ବଢିଛି ତେଲ ଦର । ଆଜି ପେଟ୍ରୋଲ୍‌ ଦର ଲିଟର ପିଛା ୩୩ ପଇସା ଓ ଡିଜେଲ ଦର ଲିଟର ପିଛା ୫୮ ପଇସା ବୃଦ୍ଧି ହୋଇଛି । ପେଟ୍ରୋଲ ଦର ବର୍ତ୍ତମାନ ୭୯.୫୬ ପଇସାରେ ପହଞ୍ଚିଛି । ଅପରପକ୍ଷରେ ଡିଜେଲ ଦର ୭୮.୮୫ଟଙ୍କାରେ ପହଞ୍ଚିଛି ।

ଲକଡାଉନ ଯୋଗୁଁ ଲୋକେ ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ବେଳେ କେନ୍ଦ୍ରର ଗ୍ରାହକ ମାରଣନୀତିକୁ ନିନ୍ଦା କରାଯାଇଛି। ଗତ ଜୁନ ୬ରେ ପେଟ୍ରୋଲ ଦର ଥିଲା ୭୧ ଟଙ୍କା ୭୨ ପଇସା ଥିବା ବେଳେ ଆଜି ପାଖାପାଖି ୮ଟଙ୍କା ବୃଦ୍ଧି ପାଇଛି । ଡିଜେଲ ଦର ମଧ୍ୟ ଗତ୬ ତାରିଖରେ ୬୭ ଟଙ୍କା ୭୩ ପଇସା ଥିବା ବେଳେ ବର୍ତ୍ତମାନ ସୁଧା ପାଖାପାଖି ୧୧ଟଙ୍କା ବୃଦ୍ଧି ପାଇଛି । ୭ ତାରିଖରୁ ଲଗାତାର ଭାବେ ତେଲ ଦର ବୃଦ୍ଧି ଏବେ ଗ୍ରାହକଙ୍କୁ ଚିନ୍ତାରେ ପକାଇଛି ।

 

ସ୍ଥାନ ପେଟ୍ରୋଲ ଦର ଡିଜେଲ ଦର
ଭୁବନେଶ୍ୱର ୮୦.୧୩ ୭୭.୦୪
କଟକ ୮୦.୦୨
ନୂଆପଡ଼ା ୮୨.୦୨ ୭୮.୬୩

 

ଲକଡାଉନ ପାଇଁ ସବୁ ପ୍ରକାର କାର୍ଯ୍ୟକଳାପ ଉପରେ ରୋକ ଲାଗିଥିବା ବେଳେ ଲୋକଙ୍କ ବେଉସା ଏକ ପ୍ରକାର ଲୋପ ପାଇଛି । ଏଭଳି ସ୍ଥିତିରେ ବିଭିନ୍ନ  ପ୍ରକାର ଦ୍ରବ୍ୟ ପରିବହନ ଯଥା ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ତେବେ ରାଜ୍ୟରେ ସର୍ବାଧିକ ପେଟ୍ରୋଲ ଦର ନୂଆପଡ଼ାରେ ବଢିଥିବା ସୂଚନା ମିଳିଛି ।

ପାଇଁ ବଢୁଛି ପେଟ୍ରୋଲ ଦର?

ସୂଚନାଯୋଗ୍ୟ ଯେ,ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଥିଲା। କିନ୍ତୁ ଭାରତରେ ଏହାର କୌଣସି ଲାଭ ସାଧାରଣ ଗ୍ରାହକ ଏହାର ଲାଭ ପାଇନଥିଲେ । ଯେତେବେଳେ ଅଶୋଧିତ ତୈଳମୂଲ୍ୟ ବହୁତ କମ ଥିଲା,ସେତେବେଳେ ସରକାର କର ବଢାଇ ଦେଇଥିଲେ । ଏହାଦ୍ୱାର ପେଟ୍ରୋଲିୟମ କଂପାନୀଙ୍କୁ କିଛି ମଧ୍ୟ ଲାଭ ମିଳିନଥିଲା । ଏବେ ଗୋଟିଏ ମାସ ମଧ୍ୟରେ ଅଶୋଧିତ ତୈଳଦର ଦୁଇଗୁଣ ବଢିଛି । ତେଣୁ ପେଟ୍ରୋଲିୟମ କଂପାନୀ ନିଜ ଫାଇଦ ପାଇଁ ଦର କ୍ରମାଗତ ଭାବେ ବଢାଇ ଚାଲିଛନ୍ତି ।

 

 

ଓଡ଼ିଆ ଯୁବକଙ୍କ ଦେହରେ କରୋନା ଭ୍ୟାକ୍ସିନ୍ ପରୀକ୍ଷା… ସ୍କ୍ରିନିଂ ଓ ରକ୍ତ ପରୀକ୍ଷା ପରେ ଦିଆଗଲା ଟିକା

ସମ୍ବଲପୁର: ଓଡ଼ିଆ ଯୁବକଙ୍କ ଦେହରେ କରୋନା ଭ୍ୟାକ୍ସିନ୍‌ ପରୀକ୍ଷା କରାଯାଇଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଜେନର ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ପ୍ରସ୍ତୁତ କରୋନା ଭାକ୍ସିନ୍‌ ପରୀକ୍ଷା କରାଯାଇଛି। ସମ୍ବଲପୁରର ଓଡିଆ ଯୁବକ ଅଙ୍କନ ନାୟକଙ୍କ ଦେହରେ କୋଭିଡ୍‌ ଭାକ୍‌ସିନ୍‌ ଟ୍ରାଏଲ କରାଯାଇଛି। ସେ ଏନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

ସ୍କ୍ରିନିଂ ଓ ରକ୍ତ ପରୀକ୍ଷା ପରେ ଗତ ଶନିବାର ତାଙ୍କ ଦେହରେ ଭାକ୍ସିନ୍‌ ପରୀକ୍ଷା କରାଯାଇଛି। ଅଙ୍କନ ପେସାରେ ଜଣେ ସଫ୍ଟୱେର ଇଞ୍ଜିନିୟର। ହେଲେ ସେ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ଭାକ୍ସିନର ମଣିଷ ଦେହରେ ଟ୍ରାଏଲ ପାଇଁ ସ୍ୱେଚ୍ଛାକୃତ ଭାବେ ସାମିଲ ହୋଇଛନ୍ତି।

ଜଣେ ସୁସ୍ଥ ଲୋକ ଦେହରେ ଏହା କିପରି କାମ ଦେଉଛି ତାହା ଜଣାପଡ଼ିବ। ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ୧୦ ହଜାରରୁ ଅଧିକ ଲୋକଙ୍କଠାରେ ଭ୍ୟାକ୍ସିନ୍‌ ପରୀକ୍ଷା କରାଯାଇଛି। ଯଦି ଏହା ସଫଳ ହୁଏ ତେବେ ଚଳିତ ବର୍ଷ ଅକ୍ଟୋବର ବେଳକୁ ବଜାରକୁ କରୋନା ଭ୍ୟାକ୍‌ସିନ୍‌ ଆସିପାରେ।

ଭ୍ୟାକ୍ସିନ୍ ପାଇଁ ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା ଅନେକ ଅନୁସନ୍ଧାନ କରାଯାଉଛି । ପୂର୍ବରୁ ଭ୍ୟାକ୍ସିନ୍ ପରୀକ୍ଷଣ ପଶୁଙ୍କ ମଧ୍ୟରେ କରାଯାଇଥିଲା । ଏଥିରେ ସଫଳ ହେବା ପରେ ଏହା ମଣିଷଙ୍କ ଉପରେ ପରୀକ୍ଷା କରାଯାଇଛି । ଭାରତୀୟ ବୈଜ୍ଞାନିକଙ୍କୁ ସମ୍ପୂର୍ଣ୍ଣ ସଫଳତା ପାଇଁ ଅନେକ ସମୟ ଲାଗିପାରେ । ବିଶ୍ୱବ୍ୟାପୀ ୭୫ ଜଣ ବୈଜ୍ଞାନିକ ଦଳ ଏହି ଟୀକା ପରୀକ୍ଷଣରେ ଲାଗିପଡିଛନ୍ତି । ତେବେ ଏହି ଭ୍ୟାକ୍ସିନ ପରୀକ୍ଷଣ କେତେ ସଫଳ ହେଉଛି ତାହା ଫଳାଫଳ ଆସିବା ପରେ ହିଁ ସ୍ପଷ୍ଟ ହେବ ।

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ହାଇ ଆଲର୍ଟ ଜାରି: ହୋଟେଲ-ଗେଷ୍ଟ ହାଉସରେ ସର୍ଚ୍ଚ ଅପରେସନ ଆରମ୍ଭ

ନୂଆଦିଲ୍ଲୀ : ଗୁପ୍ତ ସୂଚନା ଅନୁଯାୟୀ ଜମ୍ମୁ କାଶ୍ମୀରରୁ ୪-୫ ଜଣ ଆତଙ୍କବାଦୀ ଟ୍ରକରେ ବସି ଦିଲ୍ଲୀ ଅଭିମୁଖେ ଆସିଛନ୍ତି । ସୂଚନା ଅନୁଯାୟୀ ଏହି ଆତଙ୍କବାଦୀ ମାନେ ବସ୍, କାର, ଅଟୋ ମାଧ୍ୟମରେ ମଧ୍ୟ ରାଜଧାନୀକୁ ଆସିପାରନ୍ତି ଏବଂ ବଡ଼ ଧରଣ ଆତଙ୍କୀ ହମଲା କରିପାରନ୍ତି ।

ଏହି ଖବର ପରେ  ଦିଲ୍ଲୀକୁ ହାଇ ଆଲର୍ଟରେ ରଖାଯାଇଛି । ସମସ୍ତ ଗେଷ୍ଟ ହାଉସ, ହୋଟେଲ ଏବଂ କାଶ୍ମୀର ନମ୍ବର ପ୍ଲେଟ ଲାଗିଥିବା ଗାଡ଼ି ଗୁଡ଼ିକର ଚେକିଂ ହେବା ଆରମ୍ଭ ହୋଇସାରିଛି । ଦିଲ୍ଲୀରେ ଥିବା ସମସ୍ତ ବସ ଷ୍ଟାଣ୍ଡ୍, ରେଲୱେ ଷ୍ଟେସନରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି ।

ବଡ଼ ଆତଙ୍କୀ ହମଲା କରିବାର ଷଡଯନ୍ତ୍ର କରି ଆତଙ୍କବାଦୀ ମାନେ ଦିଲ୍ଲୀରେ ପ୍ରବେଶ କରିବା ସୂଚନା ପରେ ଦିଲ୍ଲୀର ସମସ୍ତ ଡିସିପି, ସ୍ପେଶାଲ ସେଲ୍ ଏବଂ କ୍ରାଇମ ବ୍ରଞ୍ଚ ସହିତ ସ୍ପେଶାଲ ବ୍ରାଞ୍ଚକୁ ମଧ୍ୟ ଆଲର୍ଟରେ ରଖାଯାଇଛି ।

ଅନ୍ୟପଟେ ସୀମାରେ ପୁଣି ସକ୍ରିୟ ପାକିସ୍ତାନ । ଜମ୍ମୁରେ ଅସ୍ତ୍ରବିରତୀ ଉଲଙ୍ଘନ କରିଛି ପାକିସ୍ତାନ । ଜମ୍ମୁକାଶ୍ମୀରର କ୍ରିଷ୍ଣା ଘାଟି ଓ ନୌସେରା ସେକ୍ଟରରେ ରାତି ଅଧିଆ ସିଜ୍‌ ଫାୟାରିଂ କରିଛି ପାକ୍‌ ସେନା । କ୍ରିଷ୍ଣାଘାଟି ଅଞ୍ଚଳରେ ରାତି ୩ଟା ୩୦ ମିନିଟରେ ସିଜ୍‌ ଫାୟାରିଂ ହୋଇଥିବା ବେଳେ ନୌସେରା ଅଞ୍ଚଳରେ ଭୋର ୫ଟା ୩୦ରେ ଗୁଳିଚାଳନା ହୋଇଥିଲା ।

ଭାରତୀୟ ସେନା ସଜାଗ ଥିବା ବେଳେ ପାକ୍‌ ସେନାଙ୍କୁ ଜବାବ୍‌ ଦେବାକୁ ତୈୟାର ରହିଛି । ଏଲଏସିରେ ଚୀନର ବିଶ୍ୱାସଘାତକତା ଘଟଣା ମନରୁ ନଲିଭୁଣୁ ପାକିସ୍ତାନ ତାର ନାପାକ୍‌ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛି । ତେବେ ସୀମାରେ ଭାରତୀୟ ସେନା ସଜାଗ ରହିଥିବା ସୂଚନା ରହିଛି ।

ବଢୁଛି କରୋନା… ଦେଶରେ ୨୪ ଘଣ୍ଟାରେ ୧୪ ହଜାର ୮୨୧ ଆକ୍ରାନ୍ତ, ୪୪୫ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଛି କରେନା ସଂକ୍ରମଣ। ଦେଶରେ ମୋଟ ସଂକ୍ରମିତ ୪ ଲକ୍ଷ ୨୫ ହଜାର ୨୮୨ ଥିବା ବେଳେ  ମୃତ୍ୟୁ ସଂଖ୍ୟା ୧୩ ହଜାର ୬୯୯କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ୧୪ ହଜାର ୮୨୧ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୪୪୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦେଶରେ ୧ ଲକ୍ଷ ୭୪ ହଜାର ୩୮୭ ସକ୍ରିୟ ସଂକ୍ରମିତ ଥିବା ବେଳେ ସୁସ୍ଥ ହେଲେଣି ୨ ଲକ୍ଷ ୩୭ ହଜାର ୧୯୬ ଜଣ।

ମହାରାଷ୍ଟ୍ରରେ ଲକ୍ଷେ ୩୨ ହଜାର ୭୫ ଜଣ ସଂକ୍ରମିତ ହୋଇଥିବା ବେଳେ ୬ ହଜାର ୧୭୦ ଜଣଙ୍କ ମୃତ୍ୟୁ ହେଲାଣି। ସେହିପରି ଦିଲ୍ଲୀରେ ୫୯ ହଜାର ୭୪୬ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ହଜାର ୧୭୫ ଜଣଙ୍କ ମୃତ୍ୟୁ ହୋଲଣି। ଗୁଜୁରାଟରେ ୨୭ ହଜାର ୩୧୭ ଜଣ ସଂକ୍ରମଣର ଶିକାର ହୋଇଥିବା ବେଳେ ୧୬୬୪ ଜଣଙ୍କ ମୃତ୍ୟୁ ହେଲାଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଆଉ ୨ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ, ମୋଟ୍ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ମହାରାଷ୍ଟ୍ରରେ ସର୍ବାଧିକ ପ୍ରଭାବ ପକାଇଛି କରୋନା । ଏଠାରେ ୫ ହଜାରରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି । ସେହିଭଳି ଦିଲ୍ଲୀରେ ୨ ହଜାରରୁ ଅଧିକ ଜୀବନ ନେଇଛି ଭୂତାଣୁ । ମହାରାଷ୍ଟ୍ର ଅପେକ୍ଷା ଦିଲ୍ଲୀରେ କରୋନାର ପ୍ରଭାବ ବଢିବାରେ ଲାଗିଛି । ଜୁନ୍‌ ୧ ରୁ ଆଜି ପର୍ଯ୍ୟନ୍ତ ଦେଶରେ ୨ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ ଓ ଗୁଜରାଟରୁ ଆସିଛି ସର୍ବାଧିକ ମାମଲା ।

ନବଜୋତ୍ ସିଂହ ସିଦ୍ଧୁଙ୍କର ମିଳୁନି ପତା… ଖୋଜି ଖୋଜି ନୟାନ୍ତ ହେଲେଣି ପୋଲିସ

ଅମୃତସର: କ୍ରିକେଟରରୁ ରାଜନେତା ହୋଇଥିବା ନବଜୋତ୍ ସିଂହ ସିଦ୍ଧୁଙ୍କୁ ବିହାର ପୋଲିସ ଗତ ଚାରି ଦିନ ହେବ ଖୋଜୁଛି। କିନ୍ତୁ ଏହି କଂଗ୍ରେସ ନେତାଙ୍କର କୌଣସି ପତ୍ତା ମିଳୁନାହିଁ। ଗତ ୪ ଦିନରୁ ଅମୃତସରରେ ସବ୍ ଇନ୍ସପେକ୍ଟର ଜାୱେଦ୍ ଅହମ୍ମଦ ଏବଂ ଜନାର୍ଦ୍ଦନ ସିଦ୍ଧୁଙ୍କୁ ଭେଟିବାକୁ ଚାହୁଁଥିଲେ, କିନ୍ତୁ ସେମାନେ ପ୍ରତିଦିନ ନିରାଶ ହୋଇ ଫେରନ୍ତି । ସିଦ୍ଧୁ ତାଙ୍କ ଘରେ ଅଛନ୍ତି ନା ନାହିଁ ସେ ବିଷୟରେ କେହି ଜାଣିନାହାନ୍ତି । ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଏକ ଜାମିନ ପାଇଁ ତାଙ୍କ ଦସ୍ତଖତ ଆଣିବାକୁ ସେମାନେ ଲଗାତାର ୪ ଦିନ ଧରି ତାଙ୍କୁ ଭେଟିବାକୁ ଯାଉଛନ୍ତି । ହେଲେ ତାଙ୍କ ଦେଖାପାଉନାହାନ୍ତି ।

ସିଦ୍ଧୁଙ୍କ ସହ ଭେଟିବାକୁ ତାଙ୍କ ସିକ୍ୟୁରିଟି ଗାର୍ଡ ଅନୁମତି ଦେଉନାହାଁନ୍ତି। ସେପଟେ ଅମୃତସର ପୋଲିସ କମିଶନର ସୁଖଚେନ ସିଂ ଗିଲ କହିଛନ୍ତି ଯେ, ବିହାର ପୋଲିସ ଏଯାଏଁ ସ୍ଥାନୀୟ ପୋଲିସ ସହ କୌଣସି ଯୋଗାଯୋଗ କରିନାହାଁନ୍ତି । ବିହାରର ଉଭୟ ପୋଲିସ ଅଧିକାରୀ ବର୍ତ୍ତମାନ ଫେରିବା ମୁଡ୍ ରେ ନାହାଁନ୍ତି । ଏ ବାବଦରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିବେ ବୋଲି ସେମାନେ କହିଛନ୍ତି।

ନବଜୋତ୍ ସିଂହ ସିଦ୍ଧୁ ଅଭିଯୋଗ କରିଛନ୍ତି ଯେ, ସେ ଗତ ବର୍ଷ ଏପ୍ରିଲରେ ୧୬ ତାରିଖରେ କଟିହାରରେ ନିର୍ବାଚନ ପ୍ରଚାର ସମୟରେ ଏକ ଭାଷଣ ଦେଇଥିଲେ। ସେ କଂଗ୍ରେସ ପ୍ରାର୍ଥୀ ତାରିକ ଅନୱରଙ୍କ ସପକ୍ଷରେ ପ୍ରଚାର କରିବାକୁ ଆସିଥିଲେ। ପରେ କଟିହାରର ବାରସୋଇ ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏହି ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ ଯେ, ‘ଆପ (ମୁସଲମାନ ସମ୍ପ୍ରଦାୟ) ଏକଜୁଟ୍ ହେଲେ, ପ୍ରାର୍ଥୀ ତାରିକ ଅନୱରଙ୍କୁ କେହି ପରାସ୍ତ କରିପାରିବେ ନାହିଁ ।

ନବଜୋତ ସିଂହ ସିଦ୍ଧୁ ୨୦୧୭ରେ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଥିଲେ। କଂଗ୍ରେସ ତାଙ୍କୁ କ୍ୟାବିନେଟରେ ମଧ୍ୟ ସ୍ଥାନ ଦେଇଥିଲେ। କିନ୍ତୁ ପରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ତାଙ୍କଠାରୁ ମନ୍ତ୍ରୀ ପଦ ଛଡ଼ାଇ ନେଇଥିଲେ। ସେବେଠାରୁ ସିଦ୍ଧୁ ଦଳରୁ ଅଲଗା ହୋଇଯାଇଥିଲେ। ଆଜିକାଲି, ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ, ସିଏ ସର୍ବସାଧାରଣଙ୍କ ସାମ୍ନାରେ ନିଜ ତଥ୍ୟ ପ୍ରକାଶ କରନ୍ତି ।

 

ଉତ୍ତର ଓଡିଶାରେ ଘୂର୍ଣ୍ଣିବଳୟ ପ୍ରଭାବରେ ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ହେଉଛି ମୌସୁମୀ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଜାରି ରହିଛି। ଏହାସହ ପଞ୍ଜାବରୁ ହରିୟାନା ମଧ୍ୟରେ ଥିବା ଟ୍ରପଲାଇନ୍‌ ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା ରହିଛି।

ରାଜ୍ୟରେ ସକ୍ରିୟ ମୌସୁମୀ… ଟ୍ୱିନ୍ ସିଟିରେ ସକାଳୁ ସକାଳୁ ଆରମ୍ଭ ହୋଇଛି ବର୍ଷା

ସେଥିପାଇଁ ୫ ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ନୂଆପଡ଼ା, ନବରଙ୍ଗପୁର, ବରଗଡ଼, ବଲାଙ୍ଗିର, କଳାହାଣ୍ଡିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ସେହିପରି କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡ଼କୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବର୍ଷା ଆସନ୍ତାକାଲି ପର୍ଯ୍ୟନ୍ତ ଜାରିରହିବ। କାଲିଠୁ ପାଗରେ ପରିବର୍ତ୍ତନ ହେବ।

କିଛି ସ୍ଥାନରେ ଘଡି ଘଡି ସହ ବର୍ଷା ମଧ୍ୟ ହୋଇପାରେ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା ୨୪ ତାରିଖରୁ ୨ ରୁ ୩ ଦିନ ମୌସୁମୀ ପ୍ରବାହରେ ବାଧା ସୃଷ୍ଟି ହେବ। ଫଳରେ ବର୍ଷାର ପରିମାଣ ହ୍ରାସ ପାଇବ । ତାପରେ ପୁଣି ମୌସୁମୀ ସକ୍ରିୟ ହେବ।

ବୀମା କମ୍ପାନୀରେ କାମ କରୁଥିଲେ ଅଭିନେତା ଅମରେଶ ପୁରୀ, ଜାଣନ୍ତୁ କେମିତି ମିଳିଲା ବଲିଉଡରେ ସୁଯୋଗ

ନୂଆଦିଲ୍ଲୀ: ବଲିଉଡର ବହୁ ଚର୍ଚ୍ଚିତ ଅଭିନେତା ସ୍ୱର୍ଗତ ଅମରେଶ ପୁରୀ ୨୨ ଜୁନ ୧୯୩୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଅମରେଶ ପୁରୀଙ୍କ ମୃତ୍ୟୁକୁ ୧୫ ବର୍ଷ ପୁରିସାରିଥିଲେ ମଧ୍ୟ ତାଙ୍କ ଅଭିନୟକୁ ଆଜି ପର୍ଯ୍ୟନ୍ତ ଦର୍ଶକ ମନେପକାଉଛନ୍ତି ।

ଅମରେଶ ପୁରୀ ବଲିଉଡରେ ଭିଲେନ ଭାବରେ ଖୁବ୍ ଜଣାଶୁଣା । ସେ ବଲିଉଡରେ ବଡ଼ ବଡ଼ ଚଳଚିତ୍ରରେ ଭିଲେନ ଭାବରେ ଖୁବ ସୁନ୍ଦର ଅଭିନୟ କରିଛନ୍ତି । ଅଭିନେତା ଜଣଙ୍କ କେତେବଳେ ମୋଗାମ୍ବୋ ହୋଇ ଲୋକଙ୍କୁ ଡରାଇଛନ୍ତି ତ ପୁଣି କେତେବେଳେ ଦାମିନୀ ଚଳଚିତ୍ରରେ ଚଡଢ଼ା ହୋଇ ଲୋକଙ୍କ ପ୍ରଂଶସା ସାଉଁଟିଛନ୍ତି । ଏମିତି କିଛି ଥିଲା ଅମରେଶ ପୁରୀଙ୍କ ଚଳଚିତ୍ର ଜଗତରେ ଯାତ୍ରା ।

କିନ୍ତୁ ଯେଉଁ ଅମରେଶ ପୁରୀଙ୍କୁ ଆମେ ଜଣେ ଭିଲେନ୍ ଭାବରେ ଜାଣିଛୁ, ବାସ୍ତବରେ ସେ ୨୧ ବର୍ଷ ଧରି ଆଉ ଏକ କାମ କରୁଥିଲେ । ଆଜ୍ଞା ହଁ, ଅମରେଶ ପୁରୀ ଦୁଇ ଦଶନ୍ଧି ଧରି ବଲିଉଡରୁ ଦୂରରେ ଥିଲେ । ସେ ନିଜ ଜୀବନର ୨୧ ବର୍ଷ ବୀମା ନିଗମରେ କର୍ମଚାରୀ ଥିଲେ । ଅମରେଶଙ୍କୁ ଅଭିନୟ କରିବାର ଇଚ୍ଛା ତ ଥିଲା କିନ୍ତୁ ତାଙ୍କୁ ଅଧିକ ସୁଯୋଗ ମିଳିପାରୁନଥିଲା ।

ତାପରେ ଅମରେଶ ପୁରୀଙ୍କ ଜୀବନରେ ଆସିଲେ ଇବ୍ରାହୀମ ଇଲ୍କାଜୀ ଯିଏ କି ଅମରେଶଙ୍କୁ ଥିଏଟର ଦୁନିଆ ସହିତ ପରିଚିତ କରାଇଲେ । ଏହି ସମୟରେ ଅମରେଶ ପୁରୀ ଅନେକ ଚମତ୍କାର ପ୍ଲେ’ରେ କାମ କରିଛନ୍ତି । କିନ୍ତୁ ଥିଏଟର କରିବା ପରେ ମଧ୍ୟ ଅମରେଶଙ୍କୁ ବଲିଉଡରେ ସୁଯୋଗ ମିଳିପାରୁନଥିଲା ।

ତା’ ପରେ ଅମରେଶ ପୁରାଙ୍କ ଜୀବନକୁ ଆସିଲେ ସତ୍ୟଦେବ ଦୁବେ । ସତ୍ୟଦେବ ଦୁବେ ସେହି ସମୟର ଜଣେ ବିଖ୍ୟାତ ଅଭିନେତା, ଲେଖକ ଏବଂ ନିର୍ଦ୍ଦେଶକ ଥିଲେ । ଅତି କମ୍ ବୟସରେ ସେ ଏତେମାତ୍ରାରେ ସଫଳତା ପାଇଥିଲେ ଯେ ସମସ୍ତେ ତାଙ୍କ ପ୍ରଂଶସା କରୁଥିଲେ । କିନ୍ତୁ ଅମରେଶ ପୁରୀ ସତ୍ୟଦେବଙ୍କ ତୁଳନାରେ ବୟସରେ ବହୁତ ବଡ଼ଥିଲେ । ସେ ନିଜ କରିୟରରେ ନିଜଠାରୁ ବୟସରେ ସାନ ବ୍ୟକ୍ତିଙ୍କୁ ନିଜ ଗୁରୁ ବୋଲି ମାନିଥିଲେ ।

ଅମରେଶ ବହୁ ସମୟ ଧରି ସତ୍ୟଦେବଙ୍କ ସାଙ୍ଗରେ ଜଣେ ସହାୟକ ରୂପରେ କାମ କରିଥିଲେ । ଏହି ସମୟ ଠାରୁ ଅମରେଶଙ୍କ ଜୀବନର ନୂତନ ଅଧ୍ୟାୟ ଆରମ୍ଭ ହେଲା ଏବଂ ସେ ବଲିଉଡରେ ପାଦ ଥାପିଥିଲେ । ୧୯୭୧ ମସିହାରେ ରେଶମା ଏବଂ ଶେରା ନାମକ ଦୁଇ ଚଳଚିତ୍ରରେ ଅମରେଶ ପୁରୀଙ୍କ ଅଭିନୟକୁ ସମସ୍ତେ ଖୁବ ପ୍ରଶଂସା କରିଥିଲେ ।

ଏହାପରେ ଅମରେଶ କେବେ ପଛକୁ ଦେଖିନାହାନ୍ତି ଅମରେଶ ପୁରୀ ବଲିଉଡର ପ୍ରାୟ ଅନେକ ବଡ଼ ବଡ଼ ଚଳଚିତ୍ରରେ ଜଣେ ଭିଲେନ ଚରିତ୍ରରେ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି ।