spot_img
Home Blog Page 699

ଅପରାଧୀଙ୍କୁ ଜଗିବ AI କ୍ୟାମେରା, ଗଳିନ୍ଦିରେ ବୁଲିବ ଡ୍ରୋନ

ବଲାଙ୍ଗୀର : ଅପରାଧୀଙ୍କୁ ଜଗିବ AI କ୍ୟାମେରା । ଡ୍ରୋନ୍ ସହାୟତାରେ ଚିହ୍ନଟ ହେବେ କ୍ରିମିନାଲ । ଅପରାଧ ରୋକିବାକୁ ବଲାଙ୍ଗୀର ପୋଲିସର ନୂଆ ଷ୍ଟ୍ରାଟେଜି । ଦିନକୁ ଦିନ ବିଗିଡିବାରେ ଲାଗିଛି ବଲାଙ୍ଗୀରର ଆଇନଶୃଙ୍ଖଳା ସ୍ଥିତି । ଅପରାଧୀଙ୍କୁ ଧରିବାକୁ ନାକେଦମ ହେଉଛି ପୋଲିସ୍ । ଗତ କିଛିଦିନ ଧରି ପୋଲିସର ନିଦ ହଜାଇଥିଲେ ଆସ୍କା ଲୁଟେରା । ଗତ ୨ ତାରିଖରେ ପାଟଣାଗଡ଼ ବ୍ୟବସାୟୀ ପର୍ଶୁରାମ୍ ପାନସାରୀଙ୍କ ଠାରୁ ୪ ଲକ୍ଷ ଟଙ୍କା ଥିବା ବ୍ୟାଗ୍ ଝାମ୍ପି ନେଇ ଫେରାର ଥିଲେ । ପାଟଣାଗଡରେ ଲାଗିଥିବା AI କ୍ୟାମେରା ସହାୟତାରେ ୪ ପେସାଦାର ଲୁଟେରାଙ୍କୁ କାବୁ କରାଯାଇଥିଲା । ଏହି ଲୁଟେରାଙ୍କ ବିରୋଧରେ ୬ ଜିଲ୍ଲାରେ ରହିଛି ୧୯ ରୁ ଅଧିକ ମାମଲା । ଗିରଫ ହୋଇ ଚେନ୍ନାଇ ସେଣ୍ଟ୍ରାଲ ଜେଲରେ ମଧ୍ଯ ଥିଲେ ଅଭିଯୁକ୍ତ । ବଲାଙ୍ଗୀରରେ ଏପରି ଲଗାତର ଘଟଣା ଘଟୁଥିବାରୁ ଚିନ୍ତାବ୍ଯକ୍ତ କରିଛନ୍ତି ସହରବାସୀ ।

ବଲାଙ୍ଗୀରରେ ଦିନକୁ ଦିନ ଘଟିଚାଲିଛି ଅପରାଧ । ଅପରାଧୀଙ୍କୁ ଧରିବାକୁ ନାକେଦମ ହେଇଛି ପୋଲିସ୍ । ଅପରାଧ ଘଟାଇ ବାହାର ରାଜ୍ଯକୁ ଚାଲିଯାଉଛନ୍ତି ଅପରାଧୀ । ତେଣୁ ଆନ୍ତଃରାଜ୍ଯ କ୍ରମିନାଲଙ୍କୁ କାବୁ କରିବା ପାଇଁ ଏଣିକି ନୂଆ ଷ୍ଟ୍ରାଟେଜି ଆପଣେଇ ପୋଲିସ । AI କ୍ଯାମେରାର ସହାୟତା ନିଆଯିବା ସହ ଗଳିକନ୍ଦିରେ ଡ୍ରୋନ ଦ୍ବାରା ନଜର ରଖାଯିବ ବୋଲି କହିଛନ୍ତି ଉତ୍ତରାଞ୍ଚଳ ଆଇଜି ଓ ଏସ୍ପି ।

ମରଣଯନ୍ତା ପାଲଟିଛି କଣ୍ଟାମାଳ ବ୍ଲକ ବଘିଆବାହାଲ-ଝିଙ୍କରପାଲି ରାସ୍ତା

କଣ୍ଟାମାଳ  ; ରାସ୍ତା ମଝିରେ ଗର୍ତ୍ତ । କେଉଁଠି କଂକ୍ରିଟ ଗେଟି ଗଡୁଛି ତ କେଉଁଠି ରାସ୍ତା ଫାଟି ଆଁ କରିଛି । ଏ ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ପଂଚାୟତର ବଘିଆବାହାଲ ଠାରୁ ଝିଙ୍କରପାଲି ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା । ବଘିଆବାହାଲ ଡାକଘର ଛକ ୪୧ ନମ୍ବର ରାଜ୍ୟ ରାଜପଥ ଠାରୁ ଝିଙ୍କରପାଲି ଗାଁକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡକର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ରାସ୍ତାର ଅଧିକାଂଶ ସ୍ଥାନରେ ପିଚୁ ଉଠିଯିବା ପରେ ରାସ୍ତାରେ ଦିଆଯାଇଥିବା ମେଟାଲ, ଚିପ୍ସ ଓ ପିଚୁ ଉଠି ରାସ୍ତା ଉପରେ ଗଦା ହୋଇ ରହୁଛି । ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ।

୨୦୧୭ ମସିହାରେ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ଏହି ତିନି କିଲୋମିଟର ନଅ ଶହ ମିଟର ରାସ୍ତା ନିର୍ମାଣ କରାଯାଇଥିଲା । ରାସ୍ତା ଉପରେ ୮ ଖଣ୍ଡ ଗାଁ ଲୋକେ ନିର୍ଭର କରନ୍ତି । ହେଲେ ରାସ୍ତାର ଦୁରବସ୍ଥା ଏବେ ଲୋକଙ୍କ ପାଇଁ କାଳ ସାଜିଛି । ଅନେକ ସମୟରେ ଦୁର୍ଘଟଣା ଘଟିବା ସହ ବୟସ୍କ ଲୋକେ ଓ ସ୍କୁଲ ପିଲାମାନେ ସମସ୍ଯାରେ ପଡୁଛନ୍ତି । ଏଥିସହ ବର୍ଷା ଦିନେ ଅଞ୍ଚଳକୁ ଆମ୍ବୁଲାନ୍ସ ଯିବା କଷ୍ଟକର ହୋଇ ପଡୁଛି । ସମସ୍ଯା ନେଇ ଲୋକେ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରୁଥିଲେ ମଧ୍ଯ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଯିବା ସହ ତୁରନ୍ତ ରାସ୍ତା ମରାମତି ପାଇଁ ଦାବି କରିଛନ୍ତି ।

ମହାପ୍ରଭୁଙ୍କ ବସ୍ତ୍ର ତିଆରିରେ ନିମଗ୍ନ ଆଠଗଡ ନୂଆପାଟଣା ଗାଁର ବୁଣାକାର ପରିବାର

ଆଠଗଡ଼ : ଅଣସରରେ ଜଗତ ସାଆନ୍ତ । ଆଉ ଦିନ କେଇଟା ପରେ ରଥଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଲାଗି ହେବ ନବ ବସ୍ତ୍ର । ଏଥିଲାଗି ବସ୍ତ୍ର ତିଆରିରେ ନିମଗ୍ନ ବୁଣାକାର ପରିବାର । କିଏ ସୂତା ଯୋଖିବାରେ ବ୍ୟସ୍ତ ତ କିଏ ତନ୍ତରେ ବସି ଗୀତଗୋବିନ୍ଦ ଲେଖିବାରେ ବ୍ୟସ୍ତ । କଟକ ଜିଲ୍ଲା ଆଠଗଡ ନୂଆପାଟଣା ଗାଁର ବୁଣାକାର ପରିବାର ଶ୍ରୀଜିୟୁଙ୍କ ବସ୍ତ୍ରକୁ ବାନ୍ଧରେ ବୁଣି ସଜାଉଛନ୍ତି । ସ୍ନାନଯାତ୍ରା ପାଇଁ ଖଣ୍ଡୁଆ ପାଟ ପୁରୀରେ ପହଞ୍ଚିଥିବା ବେଳେ ଗୁଣ୍ଡିଚା ପୂର୍ବରୁ ମହାପ୍ରଭୁଙ୍କ ବସ୍ତ୍ର ଶ୍ରୀମନ୍ଦିର ପ୍ରଶାସକ ପାଖରେ ପଇଠ କରାଯିବ । ସେଥିପାଇଁ ଚଳଚଞ୍ଚଳ ବୁଣାକାର  ।

ଶ୍ରୀ ଜିଉଙ୍କ ସ୍ନାନଯାତ୍ରା ହେଉ ଅବା ଘୋଷଯାତ୍ରା । ନୀଲାଦ୍ରୀ ବିଜେ ହେଉ ଅବା ଅନବସର । ମହାପ୍ରଭୁଙ୍କ ଅଙ୍ଗରେ ଲାଗିହୁଏ ଅନେକ ପ୍ରକାର ବସ୍ତ୍ର । ଏହି ବସ୍ତ୍ରରେ ଅନେକ ପ୍ରକାର ଡିଜାଇନ ତିଆରି ହୋଇଥାଏ । କେଉଁ ବସ୍ତ୍ରରେ ଗୀତ ଗୋବିନ୍ଦ ଲେଖା ଯାଇଥାଏ ତ ଅନେକ ବସ୍ତ୍ରରେ ଲେଖାଯାଇଥାଏ ଅନେକ ପ୍ରକାର ଶ୍ଲୋକ । ଏସବୁ ବସ୍ତ୍ରକୁ ବାନ୍ଧରେ ବୁଣି ସଜାଇଥାନ୍ତି ନୂଆପାଟଣା ଗାଁର ବୁଣାକାର ପରିବାର । ଘରର ପିଲା ଠାରୁ ବୃଦ୍ଧା ଯାଏଁ ଏହି ବସ୍ତ୍ରକୁ ତିଆରିରେ ଲାଗିପଡିଥାନ୍ତି । ଏହି ବସ୍ତ୍ରକୁ ପିନ୍ଧି ପ୍ରଭୁ ଘୋଷଯାତ୍ରାରେ ଗଲାବେଳେ ଖୁବ ଆନନ୍ଦ ଲାଗିଥାଏ ବୋଲି କହିଛନ୍ତି ବୁଣାକାର । ଜଗତରନାଥ ଜଗନ୍ନାଥଙ୍କ ବିଭିନ୍ନ ସେବାରେ ଲାଗିଥାନ୍ତି ଭିନ୍ନ ଭିନ୍ନ ସେବକ ପରିବାର । ପ୍ରଭୁଙ୍କ ଶ୍ରୀ ଅଙ୍ଗରେ ଲାଗି ହେଉଥିବା ବସ୍ତ୍ର ବୁଣିବାର ସୌଭାଗ୍ଯ ପାଇଥିବାରୁ ନିଜକୁ ଧନ୍ଯ ମନେ କରିଥାନ୍ତି ବୁଣାକାର ।

ରାତି ପାହିଲେ ରଜ, ରଜକୁ ନେଇ ଉତ୍ସବମୁଖର ପୁରପଲ୍ଲୀ

ସାଲେପୁର : ରାତି ପାହିଲେ ରଜ । ଆଜି ହେଉଛି ସଜବାଜ । ପହିଲି ରଜର ପହିଲି ସ୍ପର୍ଶରେ ପୁଲକ୍କିତ ହୋଇଉଠିବ ଧରା । ରଜକୁ ନେଇ ଉତ୍ସବମୁଖର ପୁରପଲ୍ଲୀ । ସଜେଇ ହେଲେଣି କୁଆଁରୀ । କୁଙ୍କୁମ, ଅଳତା, ମେହେନ୍ଦୀ, ଲିପଷ୍ଟିକ ସାଙ୍ଗକୁ ମଥାରେ ଚିତା ଲଗାଇ ହେଲେଣି ସଜବାଜ । କଟକ ଜିଲ୍ଲା ସାଲେପୁରର ତଳ ପାଟପୁର ଗାଁରେ ଏବେ ଠୁ ଜମିଲାଣି ରଜର ମାହୋଲ । ରଜ ସଜବାଜରୁ ହିଁ ଗାଁରେ ତାସ ଖେଳର ଆସର ଜମିଲାଣି ।  ଗାଁରେ ତିନି ଦନି ଧରି ଧୁମଧାମରେ ଚାଲିବ ରଜ ମହୋତ୍ସବ । ପୋଡ ପିଠା ସହ ରଜ ପାନ ଖାଇ ଦୋଳି ଖେଳିବେ କୁଆଁରୀ।

ଜ୍ୟେଷ୍ଠ ମାସ ଶେଷ ଓ ଆଷାଢ଼ର ପହିଲି ପୁଲକରେ ଆସେ ରଜ ପର୍ବ । ଆଉ ଏହି ରଜ ପର୍ବ ପାଇଁ ତଳ ପାଟପୁର ଗାଁରେ ବନ୍ଧା ସରିଲାଣି ଦୋଳି । ବନ୍ଧୁ ବାନ୍ଧବ କୁଣିଆ ମୈତ୍ରଙ୍କ ଲାଗିଲାଣି ଗହଳି । ଗାଁର ପିଲା ମାନେ କ୍ଯାରମ, ଲୁଡୁ ଖେଳରେ ହେଲେଣି ମସଗୁଲ । ଝିଅ ମାନେ ନାଚ ପ୍ରାକ୍ଟିସରେ ପୂଜା ମଜି ଯାଇଥିବା ବେଳେ ବୟସ୍କ ମାନେ ମଧ୍ଯ ବେଶ ଉତ୍ସାହିତ ହୋଇ ଉଠିଛନ୍ତି ।

ସ୍ବାଭାବିକ ହୋଇନି ଭଦ୍ରକ, ପୁଣି ଇଣ୍ଟରନେଟ ସେବା ବନ୍ଦ

ଭଦ୍ରକ : ସ୍ବାଭାବିକ ହୋଇନି ଭଦ୍ରକ ସ୍ଥିତି। ଦିର୍ଘ ୩୬ ଘଣ୍ଟା ଧରି ବନ୍ଦ ରହିଛି ଇଣ୍ଟରନେଟ ସେବା। ଗତକାଲି ୨୪ ଘଣ୍ଟା ଧରି ଇଣ୍ଡରନେଟ ସେବା ବନ୍ଦ ଥିବାବେଳେ ଆଜି ଆଉ ୧୨ ଘଣ୍ଟା ବନ୍ଦ ରହିଛି । ଫଳରେ ଲୋକେ ନାନାଦି ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଯୁକ୍ତ ଦୁଇ ଓ ଯୁକ୍ତ ତିନି ପାଇଁ ନାମଲେଖା ଚାଲିଥିବା ବେଳେ ଇଣ୍ଟରନେଟ ସେବା ବନ୍ଦ ଥିବାରୁ ନାମ ଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ଅସୁବିଧା ହେଉଛି । ଆଇଆଇଟି ଓ ଏନଆଇଟିରେ ଆଡ଼ମିସନ ହେଉକି ସିଲେକ୍ସନ ଏସବୁ ଖବର ମିଳିବା ସମ୍ଭବ ହୋଇପାରୁନାହିଁ । ଯାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସେହିପରି ଇଣ୍ଟରନେଟ ସେବା ବନ୍ଦଥିବାରୁ ଆଧାରକାର୍ଡ଼ ସଂଶୋଧନ ଠାରୁ ଆରମ୍ଭ କରି ପାର୍ସପୋର୍ଟ ସେବା ଆବେଦନ ହୋଇପାରୁନାହିଁ । ଦୁରଦୂରାନ୍ତରୁ ଜିଲ୍ଲା ମୁଖ୍ୟାଳୟକୁ ଆସୁଥୁବା ଲୋକଙ୍କୁ ହତାଶ ହୋଇ ଫେରିବାକୁ ପଡୁଛି। ସେପଟେ ଆଜି ସନ୍ଧ୍ୟାରୁ ଇଣ୍ଟରନେଟ ସେବା ଆରମ୍ଭ ହେବ ବୋଲି ଭଦ୍ରକ ଏସପି ମନୋଜ ରାଉତ ସୂଚନା ଦେଇଛନ୍ତି।

ଯାଜପୁରରେ ସୁଧୁରୁଛି ଝାଡାବାନ୍ତି ସ୍ଥିତି

ଯାଜପୁର ରୋଡ : ଯାଜପୁରରେ ସୁଧୁରୁଛି ଝାଡାବାନ୍ତି ସ୍ଥିତି । ଗତ ୪ ଦିନ ମଧ୍ୟରେ ଯାଜପୁର ଜିଲ୍ଲାର ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳ ସମେତ ଧର୍ମଶାଳା, ରସୁଲପୁର, କୋରାଇ, ଦାନଗଦି ଓ ସୁକିନ୍ଦା ଆଦି ୬ ଟି ବ୍ଲକରେ ଝାଡାବାନ୍ତି ରୋଗରେ ୭୦୦ରୁ ଉର୍ଦ୍ଧ୍ବ ରୋଗୀ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଥିବା ବେଳେ ସରକାରୀ ଭାବେ କୌଣସି ସଠିକ୍ ତଥ୍ୟ ଦିଆଯାଇନାହିଁ । ତେବେ ଗତକାଲିଠାରୁ ଆକ୍ରାନ୍ତଙ୍କ ସଂଖ୍ୟା କମିଛି  । ଅର୍ଦ୍ଧାଧିକ ଲୋକ ଚିକିତ୍ସିତ ହୋଇ ସୁସ୍ଥ ଅବସ୍ଥାରେ ଘରକୁ ଫେରିଲେଣି । ରାଜ୍ୟ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ଟିମ୍ ସହିତ ବିଭିନ୍ନ ସ୍ବାସ୍ଥ୍ୟ ଅନୁଧ୍ୟାନକାରୀ ଦଳ ମେଡିକାଲ୍ ଓ ଅଞ୍ଚଳ ଗସ୍ତ କରି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ବିଭିନ୍ନ ପ୍ରକାରର ନମୁନା ସଂଗ୍ରହ କରାଯାଇ ପରୀକ୍ଷାନିରୀକ୍ଷା ପାଇଁ ପଠାଯାଇଛି । ୪ ଦିନ ଭିତରେ ଯାଜପୁର ରୋଡ଼ ମେଡିକାଲରେ ୨୯୦ ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଏଠାରେ ବର୍ତମାନ ୩୪ଜଣ ଚିକିତ୍ସାଧୀନ ଥିବା ବେଳେ ୧୮ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି।  ୪ ଦିନରେ ଦାନଗଦି ମେଡିକାଲରେ ୧୨୮ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ୧୪ ଜଣଙ୍କୁ କଟକ ଓ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏଠାରେ ବର୍ତମାନ ୨୬ ଜଣ ଚିକିତ୍ସାଧୀନ ଅଛନ୍ତି । ସେହିପରି କୋରେଇ ମେଡ଼ିକାଲରେ ଏବେ ସୁଦ୍ଧା ୧୩୩ ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ୧୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳ ଆଜି ବିଭିନ୍ନ ବ୍ଲକର ଅନେକ ଗ୍ରାମକୁ ଯାଇ ସ୍ଥିତି ପରଖୁଛନ୍ତି। ନଳକୂପ ଓ ଓଭରହେଡ ପାଣି ଟାଙ୍କି ଆଦି ଜଳ ଉତ୍ସ ଗୁଡିକର ବିଶୁଦ୍ଧିକରଣ ଏବଂ ସ୍ବଚ୍ଛତା ନେଇ ତଦାରଖ କରିଛନ୍ତି। ସେପଟେ ଜନସ୍ଵାସ୍ଥ୍ଯ ନିର୍ଦ୍ଦେଶକ କହିଲେ, ୨୪ ଘଣ୍ଟା ମଧ୍ଯରେ ସ୍ଥିତି ହେବ ନିୟନ୍ତ୍ରଣାଧୀନ ।

ବିମାନ ଦୁର୍ଘଟଣାରେ ଚାଲିଗଲା ଦନ୍ତ ଚିକିତ୍ସକଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ :  ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ୨୪୧ ଜଣଙ୍କ ମୃତ୍ୟୁ ହୋଇଛି । ବିମାନରେ ଥିବା କେବଳ ଜଣେ ବ୍ୟକ୍ତି ବଞ୍ଚି ଯାଇଛନ୍ତି। ଏହା ବ୍ୟତୀତ, ମୃତକଙ୍କ ମଧ୍ୟରୁ କିଛି ଲୋକ ସେହି ମେଡିକାଲ୍ ହଷ୍ଟେଲର ମଧ୍ୟ ଅଛନ୍ତି ଯେଉଁଠାରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ କାନାଡିୟ ନାଗରିକଙ୍କ ମୃତ୍ୟୁ ହୋଇଛି, କାନାଡି ପ୍ରଧାନମନ୍ତ୍ରୀ ଓ ଓଣ୍ଟାରିଓର ପ୍ରିମିୟର ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି।

ଅହମ୍ମଦାବାଦରେ ହୋଇଥିବା ଏହି ବିମାନ ଦୁର୍ଘଟଣାରେ ଜଣେ କାନାଡିୟ ନାଗରିକଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦୁର୍ଘଟଣାରେ ଦନ୍ତ ଚିକିତ୍ସକ ନିରାଲି ପଟେଲଙ୍କ ମୃତ୍ୟୁ ହୋଇଥିଲା। ନିରାଲି କାନାଡାର ଏକ ଦନ୍ତ ହସ୍ପିଟାଲରେ ଡାକ୍ତର। ସେ ମୂଳତଃ ଜଣେ ଭାରତୀୟ, ଯଦିଓ ତାଙ୍କର କାନାଡିୟ ନାଗରିକତା ଥିଲା। ପଟେଲ ୫ ଦିନ ପାଇଁ ଭାରତ ଆସିଥିଲେ। ଫେରିବା ସମୟରେ ସେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ।

ନିରାଲି ପଟେଲଙ୍କ ବାପାମା, ଭାଇ ଏବଂ ଭଉଣୀ ବ୍ରାମ୍ପଟନରେ ରୁହନ୍ତି। ପଟେଲ ଏକ ମିସିସାଗା ଡେଣ୍ଟାଲ୍ କ୍ଲିନିକ୍‌ରେ କାମ କରୁଥିଲେ ଓ ସେ ୨୦୧୬ରେ ଭାରତରେ ଡେଣ୍ଟାଲ୍ ଡିଗ୍ରୀ ହାସଲ କରିଥିଲେ । ତା’ପରେ ୨୦୧୯ରେ କାନାଡାରେ ତାଙ୍କର ଲାଇସେନ୍ସ ହାସଲ କରିଥିଲେ। ନିରାଲିଙ୍କ ସ୍ୱାମୀ ମଧ୍ୟ ସେମାନଙ୍କର ଏକ ବର୍ଷର ପିଲା ସହିତ ଭାରତ ଆସିବାକୁ ଯୋଜନା କରୁଥିଲେ। କିନ୍ତୁ, ଏହି ଯୋଜନା ପୂର୍ବରୁ ଆସିଥିବା ନିରାଲି ଦୁର୍ଘଟଣାର ଶିକାର ହୋଇଥିଲେ।

ନିରାଲିଙ୍କ ମୃତ୍ୟୁ ଓ ବିମାନ ଦୁର୍ଘଟଣାରେ ଅଣ୍ଟାରିଓ ପ୍ରିମିୟର ଡଗ୍ ଫୋର୍ଡ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଗୁରୁବାର ଟ୍ୱିଟରରେ ଏକ ପୋଷ୍ଟରେ କହିଛନ୍ତି, ‘ଅହମ୍ମଦାବାଦ ନିକଟରେ ହୋଇଥିବା ଦୁଃଖଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ଅଣ୍ଟାରିଓର ମିସିସାଗାର ଜଣେ କାନାଡିଆନ ନାଗରିକଙ୍କ ନାମ ଜାଣିବା ପରେ ମୁଁ ଦୁଃଖିତ। ଅଣ୍ଟାରିଓର ଲୋକଙ୍କ ପକ୍ଷରୁ, ମୁଁ ସମସ୍ତ ପୀଡିତଙ୍କ ପରିବାର ଏବଂ ପ୍ରିୟଜନଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି ।

ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗରେ ଶ୍ବଶୁର ଓ ଶାଶୁଙ୍କୁ ନିସ୍ତୁକ ମାଡ଼ ମାରିଲେ ବାପଘର ଲୋକେ

ସୋର : ବାଲେଶ୍ବର ସୋରରେ ଅଭାବନୀୟ ଘଟଣା। ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗରେ ଶ୍ବଶୁର ଓ ଶାଶୁଙ୍କୁ ନିସ୍ତୁକ ମାଡ଼ ମାରିଲେ ବାପଘର ଲୋକେ। ଝିଅକୁ ଜ୍ବାଇଁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଅନୁସାରେ, ୨୦୧୬ ମସିହାରେ କାନ୍ଥଗଡିଆର କୃପାସିନ୍ଧୁ ମଲ୍ଲିକଙ୍କ ପୁଅ ରାଜେନ୍ଦ୍ରଙ୍କୁ ପ୍ରେମ ବିବାହ କରିଥିଲେ ସିମୁଳିଆ ଥାନା କ୍ଷୀରକୋଣା ଗାଁର ପ୍ରହଲ୍ଲାଦ ଦାସ ଓ ସରସ୍ବତୀଙ୍କ ଝିଅ ରୁନାମଣି ଦାସ। ଗତକାଲି ଝିଅ ଘରକୁ ରଜଭାର ନେଇ ଯାଇଥିଲେ ମା’ ସରସ୍ବତୀ। କିନ୍ତୁ ଆଜି ସକାଳେ ଝିଅର ମୃତ୍ୟୁ ହୋଇଥିବା ନେଇ ଖବର ପାଇଥିଲେ। ସୋର ଡାକ୍ତରଖାନାରେ ମୃତଦେହ ଦେଖିଥିଲେ ପରିବାର ଲୋକେ। ଏହି ସମୟରେ ଉପସ୍ଥିତ ଥିବା ମୃତ ରୁନାର ଶାଶୁ ଓ ଶଶୁରଙ୍କୁ ବାନ୍ଧି ମାଡ଼ ମାରିବା ସହ ଅଟକ ରଖିଥିଲେ ବାପଘର ଲୋକେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଶାଶୁ ଓ ଶଶୁରଙ୍କୁ ଉଦ୍ଧାର କରିଥିଲା। ଘଟଣାରେ ଜ୍ବାଇଁ ରାଜେନ୍ଦ୍ରକୁ ଫାଶି ଦେବାକୁ ଦାବି କରିଛନ୍ତି ମୃତ ରୁନାର ବାପଘର ଲୋକେ।

ମୃତକଙ୍କ ପରିବାରକୁ ଏକ କୋଟି ଟଙ୍କା ଲେଖାଏଁ କ୍ଷତିପୂରଣ…

ନନ୍ଦିଘୋଷ ବ୍ୟୁରୋ : ଏୟାର ଇଣ୍ଡିଆ ବିମାନ କ୍ରାସ ଘଟଣା। ମୃତକଙ୍କ ପରିବାରକୁ ଏକ କୋଟି ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ କହିଛି ଏୟାର ଇଣ୍ଡିଆ। ହେଲେ ସମସ୍ତ ମୃତଯାତ୍ରୀଙ୍କ ପରିବାରକୁ ଯଦି ବୀମା ବାବଦରେ କ୍ଷତିପୂରଣ ଦିଆଯାଏ ତେବେ ସେହି ପରିମାଣ ୧ ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ୧୯୯୯ ମଣ୍ଟ୍ରିଲ କନଭେନସନ ଅନୁଯାୟୀ ମୃତକଙ୍କ ପରିବାର ଓ ଆହତ ବିମାନ ଯାତ୍ରୀଙ୍କ ଲାଗି କ୍ଷତିପୂରଣ ବ୍ୟବସ୍ଥା ରହିଛି। ଏହି ବୃହତ କ୍ଷତିପୂରଣ ପରିମାଣ ବିମାନ ସେବା ଇତିହାସରେ ପ୍ରଥମ ହୋଇପାରେ। ଏହି ଦୁର୍ଘଟଣାରେ ୧୬୯ ଭାରତୀୟ, ୫୩ ବିଟ୍ରେନ ନାଗରିକ, ୭ ପର୍ତ୍ତୁଗୀଜଙ୍କ ମୃତ୍ୟୁ ଘଟିଥିଲା। ଜଣେ ବ୍ରିଟେନ ନାଗରିକ ରକ୍ଷା ପାଇଯାଇଥିଲେ।

ନା ଶ୍ୱଶୁର ଘର ନା ବାପା-ମା’… କାହା ସହ ୧୪ ଦିନ ଥିଲେ ସୋନମ ରଘୁବଂଶୀ ?

ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରଦେଶର ଇନ୍ଦୋରର ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।  ସେ ତାଙ୍କ ପତ୍ନୀ ସୋନମ ରଘୁବଂଶୀଙ୍କ ସହିତ ହନିମୁନରେ ଶିଲଂ ଯାଇଥିଲେ ଓ ସୋନମ ସେଠାରେ ରାଜା ରଘୁବଂଶୀଙ୍କୁ ହତ୍ୟା କରିଥିଲେ। ଏହା ପରେ ସୋନମ ଗୋଟିଏ କି ଦୁଇଟି ନୁହେଁ ବରଂ ୧୪ ଦିନ ଇନ୍ଦୋରରେ ରହିଥିଲେ। କିନ୍ତୁ ଏ ବିଷୟରେ କାହାକୁ କିଛି ଜଣା ନଥିଲା । ୨୩ ମେ’ରେ ରାଜାଙ୍କୁ ହତ୍ୟା କରିବା ପରେ, ସେ ୨୫ ମେ’ରେ ଟ୍ରେନରେ ଇନ୍ଦୋର ଆସିଥିଲେ।

ରାଜାଙ୍କୁ ହତ୍ୟା କରିବା ସହିତ, ସୋନମ ଏହା ପରେ କେଉଁଠି ଓ କିପରି ରହିବେ ତାହା ମଧ୍ୟ ଯୋଜନା କରିଥିଲା। ତେଣୁ, ଯୋଜନା ଅନୁଯାୟୀ ହତ୍ୟା କରିବା ପରେ, ସେ ୨୫ ମେ ରେ ଇନ୍ଦୋର ଆସିଥିଲେ। ଯେଉଁଠାରେ ସେ ଶ୍ବଶୁର ଘରେ କି ବାବା ଘରେ ରହିନଥିଲେ । ବରଂ ସେ ଏଠାରେ ଏକ ଫ୍ଲାଟ ଭଡ଼ା ନେଇ ରହୁଥିଲେ। ଏହି ଫ୍ଲାଟରେ ରହି, ସୋନମ ରାଜାଙ୍କ ନିଖୋଜ ଖବର ଦେଖୁଥିଲେ। ଏହି ସମୟରେ ରାଜ ଓ ସୋନମ ପରସ୍ପର ସହିତ ଅଧିକାଂଶ ସମୟ ବିତାଉଥିଲେ।

ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ପୋଲିସ ଶିଲଂରୁ କିଛି ପ୍ରମାଣ ପାଇଛି, ତାଙ୍କ ପ୍ରେମିକ ରାଜ କୁଶୱାହା ତାଙ୍କୁ କହିଥିଲେ ଯେ ସେ ଆଉ ଇନ୍ଦୋରରେ ସୁରକ୍ଷିତ ନୁହଁନ୍ତି। ତେଣୁ, ଇନ୍ଦୋର ପରେ, ସେ ଉତ୍ତର ପ୍ରଦେଶର ରାଜଙ୍କ ଗାଁ ରାମପୁରରେ ରହିବାକୁ ଚାଲିଗଲେ। ଏହା ପରେ ପୋଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା ​​ଓ ତାଙ୍କ ପ୍ରେମିକ ରାଜ କୁଶୱାହା ସମେତ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଧରିଥିଲା।

ଯେତେବେଳେ ସୋନମ ଜାଣିଲେ ତାଙ୍କ ସହଯୋଗୀମାନେ ଧରାପଡ଼ିଛନ୍ତି । ସେତେବେଳେ ସେ ଧରା ପଡିଯିବାର ଅନୁଭବ କଲେ । ତେଣୁ ସେ ରାମପୁରରୁ ଗାଜିପୁରର ଏକ ଢାବାକୁ ଗଲେ। ସୋନମ ତାଙ୍କ ପ୍ରେମିକଙ୍କ ସହିତ ମିଶି ସମ୍ପୂର୍ଣ୍ଣ ହତ୍ୟା ଯୋଜନା କରିଥିଲେ। ହତ୍ୟା ପରେ ଅଲଗା ହେବା ପରେ ତାଙ୍କୁ ବଞ୍ଚିବାରେ କୌଣସି ଅସୁବିଧା ନହେବା ପାଇଁ ସେ ୯ ଲକ୍ଷ ଟଙ୍କା ଏବଂ ଅଳଙ୍କାର ନେଇ ଘରୁ ବାହାରି ଆସିଥିଲେ।

ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ପୋଲିସ ଏବେ୫ ଜଣଙ୍କୁ ଗିରଫ କରିଛି। ସୋନମ ମଧ୍ୟ ଏଥିରେ ସାମିଲ ଅଛନ୍ତି। ରାଜ ଓ ସୋନମ ଉଭୟ ରାଜାଙ୍କ ହତ୍ୟା ସ୍ୱୀକାର କରିଛନ୍ତି। ତଥାପି, ସେମାନେ ପଚରାଉଚରା ସମୟରେ ଏଡାଇ ଯାଉଥିବା ଉତ୍ତର ଦେଇ ପୋଲିସକୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି। ପୋଲିସ କହିଛି ଯେ ଅଭିଯୁକ୍ତମାନଙ୍କୁ ପଚରାଉଚରା କରାଯାଉଛି। ଆବଶ୍ୟକ ହେଲେ, ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ମୁହାଁମୁହିଁ ବସାଇ ପଚରାଉଚରା କରାଯିବ।