spot_img
Home Blog Page 7048

ସାଙ୍ଗଠନିକ ତାଲିକା ଘୋଷଣା କଲା ବିଜେଡି

ଶାସକ ବିଜୁ ଜନତା ଦଳ ନିଜର ଦଳୀୟ ସଙ୍ଗଠନର ପୁର୍ନଗଠନ କରିଛି । ପୂର୍ବରୁ ଦଳର ସାଙ୍ଗଠନିକ ନିର୍ବାଚନ ଶେଷ ହୋଇଯାଇଥିବା ବେଳେ ଏବେ ଏନେଇ ବିଦ୍ଧିବଦ୍ଧ ଘୋଷଣା ହୋଇଛି । ତେବେ ଏହି ସାଙ୍ଗଠନିକ ନିର୍ବାଚନରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭାପତି ଭାବେ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ସେହିଭଳି ପ୍ରଣବ ପ୍ରକାଶ ଦାସଙ୍କୁ ଦଳର ସାଙ୍ଗଠନିକ ସମ୍ପାଦକର ଦାୟିତ୍ୱ ପୂର୍ବରୁ ମିଳି ସାରିଛି  । ଏବେ ଦଳ ଉପସଭାପତି ଓ ବିଜେଡି କାର୍ଯ୍ୟାଳୟର ସାଧାରଣ ସମ୍ପାଦକଙ୍କ ନାମ ଘୋଷଣା କରିଛି ।

ତେବେ ଉପସଭାପତି ତାଲିକାରେ ବରିଷ୍ଠଙ୍କ ମଧ୍ୟରେ ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ କୁମାର ପାଟ୍ଟଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲ ବିହାରୀ ହିମିରିକା, ଅନନ୍ତ ଦାସ ଓ ବିମ୍ୱାଧର କୁଅଁର ରହିଛନ୍ତି । ସେହିଭଳି ଉପସଭାପତି ତାଲିକାରେ ଅନେକ ଯୁବଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି । ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାରର ଦାୟିତ୍ୱରେ ମଙ୍ଗଳ କିଷନଙ୍କୁ ଦାୟିତ୍ୱ ଦିଆଯାଇଛି । ସୌମ୍ୟ ରଞ୍ଜନ ପଟ୍ଟନାୟକ କଳା, ମାନବସମ୍ୱଳ ଓ ସଂସ୍କୃତି, ଦେବୀ ପ୍ରସାଦ ମିଶ୍ରଙ୍କୁ ‘ଓଡିଶା-ମୋ ପରିବାର’, ୱିକ୍ରମ କେଶରୀ ଆରୁଖଙ୍କୁ ପରିବେଶ, ଉଷା ଦେବୀଙ୍କୁ ସାମାଜିକ ବ୍ୟାପାର, ପ୍ରମିଳା ମଲ୍ଲିକଙ୍କୁ ନାରୀ ସଶକ୍ତିକରଣ, ବଦ୍ରି ନାରାୟଣ ପାତ୍ରଙ୍କୁ ଆଞ୍ଚଳିକ ବିକାଶ ଓ ପ୍ରଦୀପ କୁମାର ଅମାତଙ୍କୁ ସଶକ୍ତ ଓଡିଶା ଓ ପଦ୍ମନାଭ ବେହେରାଙ୍କୁ ଅନୁସୂଚିତ ଜାତି ସଶକ୍ତିକରଣ ବିଭାଗରେ ଦାୟିତ୍ୱ ମିଳିଛି ।

ଏମାନେ ନିଜ ନିଜ ବିଭାଗରେ ଦଳକୁ ତୃମମୂଳ ସ୍ତରରୁ ଶକ୍ତ କରିବା ପାଇଁ ପ୍ରୟାସ କରିବେ । ତେବେ ଦଳର ସାଧାରଣ ସମ୍ପାଦକ ପଦ ଜଣେ ଯୁବଙ୍କୁ ଦିଆଯାଇଛି । ଦଳୀୟ କାର୍ଯ୍ୟାଳୟର ସାଧାରଣ ସମ୍ପାଦକ ଭାବେ ସଞ୍ଜୟ କୁମାର ଦାସବର୍ମାଙ୍କୁ ଦାୟିତ୍ୱ ମିଳିଛି ।

ରଥଯାତ୍ରା ପରିଚାଳନାକୁ ନେଇ ଖୁସିବ୍ୟକ୍ତ କଲେ ଶଙ୍କରାଚାର୍ଯ୍ୟ

ରଥଯାତ୍ରାର ସଫଳ ସୁପରିଚାଳନା ପାଇଁ ଖୁସି ବ୍ୟକ୍ତ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ | କଟକଣା ଭିତରେ ରଥଯାତ୍ରା ହୋଇଥିଲେ ବି କେହି ଭକ୍ତ ବଡଦାଣ୍ଡ କୁ ଆସିନାହାନ୍ତି | କବାଟ ଫାଙ୍କରେ କିମ୍ବା ଟେଲିଭିଜନ ମାଧ୍ୟମରେ ଦର୍ଶନ କରିଛନ୍ତି ଭକ୍ତ | ସମସ୍ତ ଭକ୍ତ ଅନୁଶାସନ ମଧ୍ୟରେ ରହିଛନ୍ତି | ଭକ୍ତ ମାନେ ପ୍ରମାଣ କରିଛନ୍ତି ଯେ ଆମେ ସୁଖଦୁଃଖ ରେ ସମସ୍ତେ ସାଙ୍ଗରେ ଅଛୁ | ପ୍ରଭୁ ଶ୍ରୀ ଜଗନ୍ନାଥ ବିଶ୍ୱର ସଂଚାଳକ ସେ ଚାହିଁଲେ ଏବଂ ରଥଯାତ୍ରା ହେଲା | ଏଭଳି ରଥଯାତ୍ରା ପୂର୍ବରୁ କେବେ ହୋଇନି |

 

ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସମେତ ଗଜପତି ମହାରାଜା,  ଜିଲ୍ଲା ପ୍ରଶାସନ ଓ ସେବାୟତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶଙ୍କରାଚାର୍ଯ୍ୟ | ଏଥର ଭଗବାନ ଭକ୍ତଙ୍କୁ ଆଶୀର୍ବାଦ କରିଛନ୍ତି | ଭକ୍ତ ଭଗବାନଙ୍କୁ ଦେଖିବାର ସୌଭାଗ୍ୟ ନପାଇଲେ ମଧ୍ୟ ହୃଦୟରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି | ସମସ୍ତ ଭକ୍ତଗଣଙ୍କୁ ହୃଦୟରେ କୋଳେଇ ନେଇଛନ୍ତି ମହାପ୍ରଭୁ |  ଶାସ୍ତ୍ରରେ ଲିଖିତ ଅଛି ଦେବତାଙ୍କ ଚେତନା ବିଷୟରେ |

ବିକାଶ ଆଳରେ ମାନବ ସମାଜ ଜଳ, ବାୟୁ, ପବନ ଆଦି ସହ ଖେଳ ଖେଳି ଥିବାରୁ କରୋନା ମହାମାରୀ ଭଳି ସ୍ଥିତି ଦେଖିବାକୁ ମିଳିଲା  | ମାନବସମାଜ ବିକାଶର ପରିପ୍ରେକ୍ଷୀ ହେବା ଉଚିତ୍ ଏଥିରେ ଦ୍ୱିମତ ନାହିଁ ମାତ୍ର ଏହା ଯେପରି ବିନାଶର କାରଣ ନହେଉ ସେ ନେଇ ମାନବ ସମାଜକୁ ଧ୍ୟାନ ଦେବା ଆବଶ୍ୟକ । ତେବେ ଜଗନ୍ନାଥଙ୍କ ରଥଯାତ୍ରା ସୂଚାର ରୂପେ ହୋଇଥିବା ହେତୁ କରୋନା ସ୍ଥିତି ଟଳିଯିବ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି  ।

 

 

ଜୁଲାଇରେ ମହଙ୍ଗା ମାଡ଼, ଖାଉଟିଙ୍କ ପକେଟ ଉପରେ ପଡ଼ିବ ଭାରି…

ନୂଆଦିଲ୍ଲୀ: ଜୁଲାଇ ପହିଲାରୁ ସାରା ଦେଶରେ ଅନଲକ୍ -୨ ଆରମ୍ଭ ହୋଇଯାଇଛି । ଅନ୍‌ଲକ୍‌ ୨ ଆରମ୍ଭ ହେବା ସହ ଜୁଲାଇ ମାସ ସାଧାରଣ ଲୋକଙ୍କ ପାଇଁ ମହଙ୍ଗା ମାସ ବୋଲି କୁହାଯାଉଛି । ନାଗରିକଙ୍କ ଉପରେ ଦର ଦାମ୍‌ ବୋଝ ବଢ଼ିଯିବ ବୋଲି କୁହାଯାଉଛି । ସାଧାରଣ ଲୋକଙ୍କ ଆବଶ୍ୟକତା ସହିତ ଜଡିତ ଅନେକ ନିୟମ ଜୁଲାଇ ଆରମ୍ଭରୁ ବଦଳି ଯାଇଛି । ଏଲପିଜି ମୂଲ୍ୟ ବୃଦ୍ଧି ସାଙ୍ଗକୁ ଅନେକ କ୍ଷତ୍ରରେ ଖାଉଟି ସାମଗ୍ରୀ ମହଙ୍ଗା ହୋଇଥିବା ଜଣାପଡ଼ିଛି । ଯାହାକି କରୋନା ମାହାମାରୀ‌ ସମୟରେ ସାଧାରଣ ଖାଉଟିଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ।

କେନ୍ଦ୍ରରୁ ରନ୍ଧନ ଗ୍ୟାସ୍‌ର ମୂଲ୍ୟ ସିଲିଣ୍ଡର ପିଛା ୧ ଟଙ୍କା ବୃଦ୍ଧି କରଯାଇଥିବା ବେଳେ ତାହା ଖାଉଟିଙ୍କ ପାଖରେ ସ୍ଥାନୀୟ ସରକାରଙ୍କ ଟିକସ ମିଶି ୪ ଟଙ୍କା ବୃଦ୍ଧିରେ ପହଞ୍ଚୁଛି । ଖାଲି ଗ୍ୟାସ୍‌ ସିଲିଣ୍ଡର କଥା ନୁହେଁ ଅନ୍ୟ କ୍ଷତ୍ରରେ ମଧ୍ୟ ମହଙ୍ଗା ମାଡ଼ ହୋଇଥିବା ଦେଖିବାକୁ ମିଳିଛି ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ସଞ୍ଚୟ ଆକାଉଣ୍ଟରେ ସୁଧହାର ୦.୫୦ ପ୍ରତିଶତ ହ୍ରାସ କରାଯାଇଛି । ଏହି ନୂତନ ହାର ଜୁଲାଇ ପହିଲାରୁ ଲାଗୁ ହୋଇଛି ।

ଅନ୍ୟପଟେ ଜୁଲାଇ ୧ ରୁ ମାଗଣା ଏଟିଏମ୍‌ କାରବାରର ସୁବିଧା ମଧ୍ୟ ଶେଷ ହୋଇଛି । କରୋନା ମହାମାରୀ କାରଣରୁ ବ୍ୟାଙ୍କ ଗ୍ରହାକଙ୍କ ପାଇଁ ଏପ୍ରିଲ୍, ମେ ଏବଂ ଜୁନ୍ ମାସରେ ଏଟିଏମ୍ କାରବାର ସମ୍ପୂର୍ଣ୍ଣ ମାଗଣା କରାଯାଇଥିଲା । ଗ୍ରାହକଙ୍କୁ ଯେକୌଣସି ଏଟିଏମ୍‌ ବ୍ୟବହାର କଲେ ମଧ୍ୟ କୌଣସି ଦେୟ ଦେବାକୁ ପଡ଼ୁ ନଥିଲା । କିନ୍ତୁ ବର୍ତ୍ତମାନ ଅନ୍ୟ ଏକ ବ୍ୟାଙ୍କର ଏଟିଏମରୁ କେବଳ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଥର ଟଙ୍କା ଉଠାଯାଇପାରିବ । ଏହି ସଂଖ୍ୟା ପାର୍‌ ହେଲେ ଚାର୍ଜ ଲାଗିବ ।

ବର୍ତ୍ତମାନ ସମୟରେ ଆପଣ ଯଦି କୌଣସି ମ୍ୟୁଚୁଆଲ୍ ଫଣ୍ଡ କିଣୁଛନ୍ତି, ତେବେ ଆପଣଙ୍କୁ ୦.୦୦୫% ଷ୍ଟାମ୍ପ୍‌ ଡ୍ୟୁଟି ଦେବାକୁ ପଡିବ । ଏହି ଦେୟକୁ ସମସ୍ତ ପ୍ରକାରର ମ୍ୟୁଚୁଆଲ୍ ଫଣ୍ଡ ଉପରେ ଲାଗୁ କରାଯାଇଛି । ଆପଣ ଡେଟ୍‌ ମ୍ୟୁଚୁଆଲ୍ ଫଣ୍ଡ କିଣନ୍ତୁ କିମ୍ବା ଇକ୍ୱିଟି ମ୍ୟୁଚୁଆଲ୍ ଫଣ୍ଡ କିଣନ୍ତୁ ସବୁ କ୍ଷେତ୍ରରେ ଏହି ଦେୟ ଦେବାକୁ ପଡ଼ିବ ।

ଏହାର ସର୍ବାଧିକ ପ୍ରଭାବ ଡେଟ୍‌ ପାଣ୍ଠି ଉପରେ ଦେଖାଯିବ । ଯଦି ଆପଣ ଏକ ମ୍ୟୁଚୁଆଲ୍ ଫଣ୍ଡ ୟୁନିଟ୍ ସ୍ଥାନାନ୍ତର କରୁଛନ୍ତି, ତେବେ ଆପଣଙ୍କୁ ତିନି ଗୁଣା ଅଧିକ ଷ୍ଟାମ୍ପ ଡ୍ୟୁଟି ଅର୍ଥାତ୍ ୦.୦୧୫% ଦେବାକୁ ପଡିବ । ଅନ୍ୟପଟେ ଅଧିକାଂଶ ଘରୋଇ ଏବଂ ସରକାରୀ ବ୍ୟାଙ୍କ ପୁଣି ଥରେ ସର୍ବନିମ୍ନ ଚାର୍ଜ ଲାଗୁ କରିବେ ।

ସେହିଭଳି ବିମାନ ଇନ୍ଧନ ଏବଂ ଏଟିଏଫ ମୂଲ୍ୟରେ ୭.୫ ପ୍ରତିଶତ ବୃଦ୍ଧି ଘଟିଛି । ଗତ ଏକ ମାସ ମଧ୍ୟରେ ଏଟିଏଫ୍ ମୂଲ୍ୟ ତିନି ଥର ବୃଦ୍ଧି ଘଟି ସାରିଛି । ଏଭଳି ପରିସ୍ଥିତିରେ, ଏହି ନୂତନ ବୃଦ୍ଧି ପରେ ଆଗାମୀ ଦିନରେ ବିମାନ କମ୍ପାନୀଗୁଡିକ ବିମାନ ଟିକେଟର ମୂଲ୍ୟ ବୃଦ୍ଧି କରିବାର ସମ୍ଭାବନା ରହିଛି।

ତୁରନ୍ତ ବଦଳାନ୍ତୁ ଆପଣଙ୍କ ଫେସବୁକ ପାସୱାର୍ଡ, ଏହି ୨୫ ଆପ ପ୍ରତି ରହିଛି ବଡ଼ ବିପଦ

ନୂଆଦିଲ୍ଲୀ: ସ୍ମାର୍ଟଫୋନ ୟୁଜର୍ସଙ୍କ ପାଇଁ ଭାଇରସ ଯୁକ୍ତ ଆପ୍ ବହୁ ଅସୁବିଧା ସୃଷ୍ଟି କରୁଛି । ଅନ୍ୟପଟେ ଆପଣ ଯଦି ଫେସବୁକ ବ୍ୟବହାରକାରୀ ଏବଂ ଫୋନରେ ଆପଣ ଫେସବୁକ ବ୍ୟବହାର କରନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ରିସର୍ଚର ମାନେ ଗୁଗୁଲ ପ୍ଲେ ଷ୍ଟୋରରେ ଥିବା ଏମିତି ୨୫ ବିପଜ୍ଜନକ ଆଣ୍ଡ୍ରଏଡ୍ ଆପ୍ କୁ ଚିହ୍ନଟ କରିଛି ଯାହା ୟୁଜର୍ସଙ୍କ ଫେସବୁକ ପାସୱାର୍ଡକୁ ଚୋରି କରି ଡାଟା ଆକ୍ସେସ କରୁଛି । ଚିନ୍ତାର ବିଷୟ ଏହା ମଧ୍ୟ ଯେ, ଏହି ଆପ ଗୁଡ଼ିକୁ ବିଶ୍ୱବ୍ୟାପି ୨୫ ଲକ୍ଷରୁ ଅଧିକ ଥର ଡାଉନଲୋଡ କରାଯାଇଛି ।

ଆକାଉଣ୍ଟରେ ରଖାଯାଉଛି ପୁରା ନଜର

ସାଇବର ସୁରକ୍ଷା ବିଶେଷଜ୍ଞମାନେ ରିପୋର୍ଟ କରିଛନ୍ତି ଯେ, ଏହି ମାଲେସିଅସ ଆପଗୁଡ଼ିକ ଷ୍ଟେପ୍ କାଉଣ୍ଟର, ୱାଲପେପର କିମ୍ବା ମୋବାଇଲ୍ ଗେମ୍ ଭଳି ଆପ୍ ଭାବରେ ନିଜକୁ ଉପସ୍ଥାପନ କରନ୍ତି | ଏହି ଆସ୍ପ୍ ର କଭର ତଳେ ସୁଦୂର ସ୍ଥାନରେ ବସିଥିବା ହ୍ୟାକର୍ସ ମାନେ ଦୁନିଆର ଯେକୌଣସି କୋଣରେ ନିଜ ଶୀକାରଙ୍କ ଫୋନ୍ ଏବଂ ଫେସବୁକ୍ ଆକାଉଣ୍ଟରେ ତୀକ୍ଷ୍ଣ ନଜର ରଖନ୍ତି ।

ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଇଲା ଆପ୍

ଏହି ସପ୍ତାହରେ ଆସିଥିବା ZDNet ର ଏକ ରିପୋର୍ଟ ଅନୁଯାୟୀ ଫ୍ରେଞ୍ଚ ଟେକ୍ ଫର୍ମ Evinaର ସାଇବର ସିକ୍ୟୁରିଟି ଏକ୍ସପର୍ଟ ଏହି ୨୫ ନକଲି ଆପ୍ସର ତଥ୍ୟ ଦେଇଛି । ବିଶେଷଜ୍ଞ ମାନେ କହିଛନ୍ତି ଯେ ଏହି ସବୁ ଆପ୍ ନିଜକୁ ଅସଲି ଆପ କୁହାଇ ୟୁଜର୍ସଙ୍କ ଡାଟା ପ୍ରତି ବଡ଼ ବିପଦ ସୃଷ୍ଟି କରନ୍ତି ।  Evina ର ଆର୍ଲଟ  ପରେ ଗୁଗୁଲ ତୁରନ୍ତ ଆକ୍ସନ ନେଇ ଏହି ଆପ ଗୁଡ଼ିକୁ ବର୍ତ୍ତମାନ ପାଇଁ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି ।

ନକଲି ଲଗଇନ୍ ପେଜରୁ କରନ୍ତି ରିପ୍ଲେସ୍

ସାଇବର ସିକ୍ୟୁରିଟି ବିଶେଷଜ୍ଞ କହିଛନ୍ତି ଯେ, ଏହି ଆପ୍ସ ମାଧ୍ୟମରେ ହ୍ୟାକରମାନେ ବ୍ୟବହାରକାରୀଙ୍କ ଫେସବୁକ ୟୁଜର୍ସନେମ ଏବଂ ପାସୱାର୍ଡ ଚୋରି କରୁଛନ୍ତି । ଏହି ଆପ୍ ଡାଉନଲୋଡ୍ କରିବା ପରେ, ମୂଳ ଫେସବୁକ୍ ଆପ୍ ନକଲି ଲଗଇନ୍ ପେଜ୍ ଦ୍ୱାରା ସ୍ଥାନିତ ହୁଏ । ଉପଭୋକ୍ତାମାନେ ସେମାନଙ୍କ ସହିତ ଘଟୁଥିବା ଏହି ଜାଲିଆତି ବିଷୟରେ କିଛି ଜାଣି ପାରନ୍ତି ନାହିଁ ଏବଂ ସେମାନଙ୍କର ଫେସବୁକ୍ ଲଗଇନ୍ କରିଦିଅନ୍ତି ।

ଟଙ୍କା କାରବାରର ବଡ଼ ଖେଳ

ଚୋରି ହୋଇଥିବା ୟୁଜର୍ସନେମ୍ ଏବଂ ପାସୱାର୍ଡ ସହିତ ହ୍ୟାକର୍ସମାନେ କ’ଣ କରନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ  । ତଥାପି, ପୂର୍ବରୁ ସମାନ ହ୍ୟାକିଂ ଉପରେ ଆଧାର କରି ଏହା କୁହାଯାଇପାରେ ଯେ ହ୍ୟାକରମାନେ ବ୍ୟବହାରକାରୀଙ୍କ ଏହି ଲଗଇନ୍ ବିବରଣୀକୁ ଡାର୍କ ୱେବରେ ଅନ୍ୟ ସାଇବର ଅପରାଧୀଙ୍କୁ ବିକ୍ରୟ କରି ବିପୁଳ ଅର୍ଥ ଉପାର୍ଜନ କରନ୍ତି ।

 

 

 

ଜୁଲାଇ ପହିଲାରୁ ବଦଳିଗଲା ଆଧାର କାର୍ଡର ଏହି ସବୁ ନିୟମ, ଏବେ ଏହି କାମ ପାଇଁ ଜରୁରୀ ଆଧାର

ନୂଆଦିଲ୍ଲୀ: ଜୁଲାଇ ୧ ବର୍ଷର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ହୋଇପାରେ । କାରଣ ଆଜିଠାରୁ ଅନେକ ନିୟମ ବଦଳିଛି । ଆୟକର ଏବଂ ଆଧାର ସମ୍ବନ୍ଧୀୟ ନିୟମ ଆଜିଠାରୁ ବଦଳି ଯାଇଛି । ବର୍ତ୍ତମାନ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ଦାଖଲ କରିବା ସମୟରେ ଆଧାର ନମ୍ବରର ସବିଶେଷ ତଥ୍ୟ ଦେବା ଆବଶ୍ୟକ ହେବ । ଏହାର ଅର୍ଥ ହେଉଛି ଆଜିଠାରୁ ଯଦି ଆପଣଙ୍କର ଆଧାର ନମ୍ବର ନାହିଁ, ତେବେ ଆପଣ ରିଟର୍ନ ଫାଇଲ୍ କରିପାରିବେ ନାହିଁ । ଜୁଲାଇର ପ୍ରଥମ ଦିନରୁ ଆଧାରର ଗୁରୁତ୍ୱ ବୃଦ୍ଧି ପାଇଛି । ଯଦି ଆପଣଙ୍କର ଆଧାର ନାହିଁ, ତେବେ ଜୁଲାଇ ୧ ପରେ ଆପଣ ପ୍ୟାନ କାର୍ଡ ମଧ୍ୟ କରିପାରିବେ ନାହିଁ ।

କେବଳ ଏତିକି ନୁହେଁ, ପାସପୋର୍ଟ ପାଇବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ଆଧାରକୁ ବାଧ୍ୟତାମୂଳକ କରିଛି । ଜୁଲାଇ ୧ ପରେ, ଯଦି ଆପଣଙ୍କର ଆଧାର ନାହିଁ, ତେବେ ଆପଣଙ୍କର ପାସପୋର୍ଟ ତିଆରି ହୋଇପାରିବ ନାହିଁ ।

PF ଖାତା ସହିତ ଆଧାରର ବାଧ୍ୟତାମୂଳକ ଲିଙ୍କ୍

କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ଆଧାରକୁ ପିଏଫ୍‌ ଆକାଉଣ୍ଟ ସହିତ ଲିଙ୍କ କରିବା ବାଧ୍ୟତାମୂଳକ କରିଛି । ଯେଉଁମାନେ ପେନସନ ନେଉଛନ୍ତି ସେମାନଙ୍କୁ ଆଧାର ନମ୍ବର ବିଷୟରେ ମଧ୍ୟ ସୂଚନା ଦେବାକୁ ପଡ଼ିବ । ଇପିଏଫ୍ଓ ଅନୁଯାୟୀ, ଆଧାର ଲିଙ୍କେଜ୍ ହେତୁ ପିଏଫ୍ ପ୍ରତ୍ୟାହାର ଏବଂ ସମାଧାନ ପାଇଁ କମ୍ ସମୟ ଲାଗିବ ।

ଆପଣଙ୍କର ଆଧାର କେଉଁ କେଉଁ ଠାରେ ବ୍ୟବହୃତ ହୋଇଛି ଜାଣନ୍ତୁ

ସର୍ବପ୍ରଥମେ, ଆପଣ ୱେବସାଇଟ୍ https://resident.uidai.gov.in ଖୋଲନ୍ତୁ ।ଏବଂ ଆଧାର ପ୍ରାମାଣିକିକରଣ ଇତିହାସ ପୃଷ୍ଠାକୁ ଯିବାକୁ ଲିଙ୍କରେ କ୍ଲିକ୍ କରନ୍ତୁ । ବର୍ତ୍ତମାନ ଆପଣଙ୍କର ଆଧାର ନମ୍ବର ଏବଂ ସୁରକ୍ଷା କୋଡ୍ ପୁରଣ କରନ୍ତୁ । ଏହା ପରେ, ‘OTP ସୃଷ୍ଟି’ ଉପରେ କ୍ଲିକ୍ କରନ୍ତୁ । ମୋବାଇଲରେ OTP ଗ୍ରହଣ କରାଯିବ । ମୋବାଇଲକୁ ଓଟିପି ଯିବାକୁ ହେଲେ ପ୍ରଥମେ ଏଥିପାଇଁ ଆପଣଙ୍କର ମୋବାଇଲ୍ ନମ୍ବର UIDAI ୱେବସାଇଟରେ ଲିଙ୍କ ହୋଇଥିବା ଜରୁରୀ । ଏହାପରେ ଆପଣ ଆପଣଙ୍କର ସବୁ ଡ଼ାଟା ପାଇପାରିବେ ।

୪୦୦୦ ଏମଏଏଚ ବ୍ୟାଟେରୀ ସହ ଆସୁଛି Samsung ର ଶସ୍ତା ସ୍ମାର୍ଟଫୋନ Samsung Galaxy M01s

Samsung Galaxy M01ର ଲଞ୍ଚ୍ ପରେ ଏହାର ସିରିଜରେ ଅନ୍ୟ ସ୍ମାର୍ଟଫୋନ ମଧ୍ୟ ସାମିଲ ହୋଇଛି । ଏହି ସ୍ମାର୍ଟୋଫୋନ ଗୁଡ଼ିକର ନାମ ହେଉଛି Samsung Galaxy M01s ଏବଂ Galaxy M01 Core । କିଛି ଦିନ ଧରି ଏହି ଦୁଇ ମୋବାଇଲର ଲିକ୍ସ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଦୁଇ ଫୋନର ଅନେକ ମୁଖ୍ୟ ସ୍ପେଶିଫିକେସନର ସୂଚନା ମିଳିଛି । ଏଥିସହିତ ଆଜି ପୁଣି Samsung Galaxy MO1s ର ବ୍ୟାଚେରୀର ମଧ୍ୟ ଖୁଲାସା ହୋଇଛି । ସୂଚନା ଅନୁଯାୟୀ  Samsung Galaxy M01s ସ୍ମାର୍ଟଫୋନ ୪,୦୦୦ ବ୍ୟାଟେରୀ ସହ ଲଞ୍ଚ ହେବ ।

Samsung Galaxy M01s କୁ ବ୍ୟାଟେରୀ ସେଫ୍ଟୀ ସର୍ଟିଫିକେସନ ୱେବସାଇଟ TÜV Rheinlandରେ ସ୍ପଟ କରାଯାଇଛି । ଏହି ଫୋନକୁ SM-M017F/DS ମଡେଲ ନମ୍ବର ସହିତ ଲିଷ୍ଟ କରାଯାଇଛି । ୱେବସାଇଟରେ ଖୁଲାସା କରାଯାଇଛି ଯେ Galaxy MO1s କୁ ୪୦୦୦ ଏମଏଏଚ ବ୍ୟାଟେରୀ ସହିତ ଲଞ୍ଚ କରାଯିବ । ଲିଷ୍ଟିଙ୍ଗରେ ବ୍ୟଟେରୀ ସହିତ  5V 1.55A ଚାର୍ଜରର ମଧ୍ୟ ତଥ୍ୟ ଦିଆଯାଇଛି । ଲିଷ୍ଟିଙ୍ଗରେ ଏହା ମଧ୍ୟ ସ୍ପଷ୍ଟ ହୋଇଯାଇଛି ଯେ Galaxy M01s ସହିତ ଫାଷ୍ଟ ଚାର୍ଜର ଦିଆଯିବ ନାହିଁ ।

Samsung Galaxy M01s ର ଅନ୍ୟ ଲିକ୍ସରେ, ଏହି ଫୋନ୍ ବଜାରରେ ୩୨ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ସହିତ ଲଞ୍ଚ କରାଯିବ ବୋଲି ଜଣାଯାଇଛି । ରିପୋର୍ଟ ଅନୁଯାୟୀ, କ୍ୱାଲକମର ନିଜସ୍ୱ ଚିପସେଟରେ Samsung Galaxy M01s ଲଞ୍ଚ ହେବ । Samsung Galaxy M01s ଦୁଇଟି ରଙ୍ଗ ପ୍ରକାରରେ ଲଞ୍ଚ ହେବ ବୋଲି ପ୍ରକାଶ ପାଇଛି, ଯେଉଁଥିରେ ବ୍ଲୁ ରଙ୍ଗ ଏବଂ ଗ୍ରେ ରଙ୍ଗ ଅନ୍ତର୍ଭୁକ୍ତ ହେବ । ଜଣାଇ ରଖୁଛୁ ଯେ, ଲିକରେ ଦାବି କରାଯାଇଛି ଯେ ଏହି ଫୋନ୍ ୧୨୦ ଡଲାରରେ ଲଞ୍ଚ ହେବ ଅର୍ଥାତ୍ ଏହି ଫୋନର ମୂଲ୍ୟ ୯୦୦୦ ଟଙ୍କା ପାଖାପାଖି ହେବ ।

ମହଙ୍ଗା ହେଲା Realmeର ଏହି ୩ଟି ଦମଦାର ସ୍ମାର୍ଟଫୋନ୍

ଗୋରା ରଂଗ ମହଙ୍ଗା ପଡିଥିଲା ଭାବିଜୀଙ୍କୁ,ମିଳିନଥିଲା ହଲିଉଡ୍ ପ୍ରୋଜେକ୍ଟ୍ !

ମୁମ୍ବାଇ: ରଙ୍ଗର ଭେଦଭାବକୁ ନେଇ ସାରା ବିଶ୍ୱରେ ବିତର୍କ ସୃଷ୍ଟି ହୋଇଛି । ଏବେ ସୋସିଆଲ ମିଡିଆରେ #BlackLivesMatter ଟ୍ରେଣ୍ଡ କରୁଛି । ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ କେବଳ ଆମେରିକାର ଲୋକେ ନୁହେଁ ବରଂ ବଲିଉଡର ଅନେକ ତାରକା ତଥା ଦେଶର ଅନେକ ଲୋକେ ମଧ୍ୟ ‘ବ୍ଲାକ୍ ଲାଇଭସ୍ ମ୍ୟାଟର୍’ ଆନ୍ଦୋଳନକୁ ସମର୍ଥନ କରିଛନ୍ତି । ଏହା ସହିତ ଦେଶରେ ଲୋକଙ୍କୁ ଗୋରା କରିପାରୁଥିବା କ୍ରିମ ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଛି । ବୋଧହୁଏ ଏହି କାରଣରୁ ଭାରତର ସବୁଠାରୁ ଲୋକପ୍ରିୟ ଫେୟାରନେସ୍ କ୍ରିମ୍ “ଫେୟାର ଆଣ୍ଡ ଲଭଲି” ବ୍ରାଣ୍ଡ ନିଜ ପ୍ରଡକ୍ଟରୁ ଫେୟାର ଶବ୍ଦକୁ ହଟାଇବାକୁ ନିଷ୍ପତ୍ତି ନେଇଛି । ଏବଂ ଏହି ନିଷ୍ପତ୍ତି ୨୫ ​​ଜୁନ୍ ରେ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ ଦ୍ୱାରା ମଧ୍ୟ ଘୋଷଣା କରାଯାଇଥିଲା ।

“ଭାବଜୀ ଘର ପର ହୈଁ” ରେ ଅନୀତା ଭାବିଙ୍କ ଭୂମିକାରେ ଅଭିନୟ କରୁଥିବା ସୌମ୍ୟା ଟଣ୍ଡନ ମଧ୍ୟ ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଯେତେବେଳେ ସେ ଅନ୍ତର୍ଜାତୀୟ ପ୍ରୋଜେକ୍ଟରେ ଭାରତୀୟ ଭୂମିକାରେ ଅଭିନୟ କରିବାକୁ ଅଡିସନ୍ ଦେଇଥିଲେ, ସେତେବେଳେ ତାଙ୍କୁ ମନା କରାଯାଇଥିଲା । କାରଣ ସେ ଅଧିକ ଗୋରା ଏବଂ ତାଙ୍କୁ କୁହାଯାଇଥିଲା ଯେ, ଆମେ ଗୋରା ଝିଅଙ୍କୁ ଭାରତୀୟ ଭାବେ କାଷ୍ଟ୍ କରିପାରିବୁ ନାହିଁ । ଆମେ ଶ୍ୟାମଳୀ ଝିଅ ଚାହୁଁଛୁ ।

ସୌମ୍ୟା କହିଛନ୍ତି ଯେ, ସେମାନେ ବିଶ୍ୱାସ କରୁନଥିଲେ ଯେ ସେ ଜଣେ ଭାରତୀୟ ଝିଅ । ସେମାନେ ଭାବନ୍ତି ଯେ କେବଳ ଆମେରିକା, ଲଣ୍ଡନର ଝିଅମାନେ ଗୋରା ହୋଇଥାନ୍ତି। ସେତେବେଳେ ପ୍ରୋଜେକ୍ଟର ନିର୍ମାତା ତାଙ୍କୁ କହିଥିଲେ ଯେ, ସେମାନେ କେବଳ ଶ୍ୟାମଳ ରଂଗର ଝିଅକୁ ଭାରତୀୟ ଭୂମିକାରେ କାଷ୍ଟ କରିବେ । ସେମାନେ କେବେ ବି କୌଣସି ଭାରତୀୟ ଝିଅକୁ ଗୋରା ଦେଖାଇବେ ନାହିଁ। କାରଣ ସେମାନେ ଅଧିକାଂଶ ଶ୍ୟାମଳ ରଂଗର ଭାରତୀୟଙ୍କୁ ସେଠାରେ କାମ କରିବାରେ ଦେଖିଛନ୍ତି । ଏହି ପ୍ରକାରର ଚିନ୍ତାଧାରା ରହିବା ସମ୍ପୂର୍ଣ୍ଣ ଭୁଲ୍ ବୋଲି କହିଛନ୍ତି ସୌମ୍ୟା ।

ଏଥି ସହିତ, ସୌମ୍ୟା କହିଛନ୍ତି, ଅଧିକାଂଶ ଲୋକଙ୍କ ଚିନ୍ତାଧାରା ଏହା ଥାଏ ଯେ, ଗୋରା ଝିଅମାନେ ହିଁ କେବଳ ସୁନ୍ଦର । ଯାହା ଭାବିବା ଭୁଲ । ସତ୍ୟ ହେଉଛି ପ୍ରତ୍ୟେକ ରଙ୍ଗ ସୁନ୍ଦର । ବିଦେଶର ଲୋକମାନେ ଏହା ଜାଣନ୍ତି ନାହିଁ। ଭାରତରେ ପଞ୍ଜାବ, ହରିୟାଣା, କାଶ୍ମୀରର ଝିଅମାନେ ଗୋରା ହୋଇଥାଆନ୍ତି ।   ଆମର ଅନେକ ଅଭିନେତ୍ରୀ ମଧ୍ୟ ଅଛନ୍ତି ଯେଉଁମାନେ ଗୋରା । ତେଣୁ ଏହି ଷ୍ଟେରିଓଟାଇପ୍ ଭୁଲ । ପ୍ରତ୍ୟେକ ରଙ୍ଗ ସୁନ୍ଦର ଏବଂ ପ୍ରତ୍ୟେକ ଭାରତୀୟ ଝିଅ ଶ୍ୟାମଳ ନଥାନ୍ତି ।

ସୌମ୍ୟା ଟଣ୍ଡନ୍ ଜୁନ୍ ୩୦ ତାରିଖରୁ ନିଜ ଧାରାବାହିକ “ଭବଜୀ ଘର ପର ହୈଁ” ଶୁଟିଂ ଆରମ୍ଭ କରିଛନ୍ତି । ସେ କହିଛନ୍ତି, “କାମ କରିବା ଅତ୍ୟନ୍ତ ଆନନ୍ଦଦାୟକ । ସେ ସମସ୍ତ ଗାଇଡଲାଇନ୍ ଅନୁସରଣ କରି ସୁଟିଂ ସମୟରେ ସୁରକ୍ଷା ପ୍ରତି ଧ୍ୟାନ ଦେବେ ବୋଲି କହିଛନ୍ତି ।

ସୁଶାନ୍ତଙ୍କ ଆତ୍ମହତ୍ୟା ପୂର୍ବରୁ ୱିକିପିଡିଆରେ ତଥ୍ୟ ହୋଇଥିଲା ଅପଡେଟ୍ ! କିଏ କରିଥିଲା ?

ମୁମ୍ବାଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଏକ ହତ୍ୟା ନା ଆତ୍ମହତ୍ୟା ତା ଉପରୁ ପରଦା ହଟିପାରିନି । ଏବେ ବି ତଦନ୍ତ ଚାଲିଥିବାବେଳେ ଏଥିରେ ଆସିଛି ଏକ ଟ୍ବିଷ୍ଟ । ଏମିତି କିଛି ତଥ୍ୟ ଯାହା ଆପଣଙ୍କୁ ଚମକାଇଦେବ । ୱିକିପିଡିଆର ଅପଡ଼େଟ୍ ହିଷ୍ଟ୍ରି କହୁଛି ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଆସିବା ଆଗରୁ ତାହା ୱିକିପିଡିଆରେ ଅପଡ଼େଟ୍ ହୋଇଯାଇଥିଲା ।

ସକାଳ ୮ଟା ୫୯ମିନିଟରେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ୱିକିପିଡିଆରେ ଅପଡେଟ୍ ହୋଇଯାଇଥିଲା । କିନ୍ତୁ ମୁମ୍ବାଇ ପୋଲିସ ତଥ୍ୟ କହୁଛି, ସକାଳ ୯ଟା ୩୦ମିନିଟରେ ସୁଶାନ୍ତ ଜୁସ୍ ପିଇଲେ ଏବଂ ୧୦ଟାରେ ରୁମକୁ ଗଲେ । ଏହାର କିଛି ସମୟ ପରେ ଆସିଥିଲା ସୁଶାନ୍ତଙ୍କ ମୃତ୍ୟୁ ଖବର ।

ତେବେ କିପରି ଆତ୍ମହତ୍ୟା ପୂର୍ବରୁ ୱିକିପିଡିଆରେ ତଥ୍ୟ ଅପଡେଟ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି । ଏ ସମସ୍ତ ଦିଗ ପୁଣିଥରେ ସୁଶାନ୍ତଙ୍କ ରହସ୍ୟଜନକ ମୃତ୍ୟୁ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି ।

ସୂଚନାଯୋଗ୍ୟ ଯେ, ସୁଶାନ୍ତଙ୍କ ଆତ୍ମହତ୍ୟାକୁ ତାଙ୍କ ପ୍ରଶଂସକ ଓ ପରିବାର ଲୋକ ସହଜରେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ଅଭିନେତା ଶେଖର ସୁମନ ଓ କଙ୍ଗନା ରଣାୱତ ଏହାର ତଦନ୍ତ ଦାବି କରୁଛନ୍ତି । କଙ୍ଗନାଙ୍କ କହିବା ହେଉଛି ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଥିଲା । ଏଣେ ବିହାରର କିଛି ସଂଗଠନ ଏହାର ସିବିଆଇ ତଦନ୍ତ ଦାବି କରୁଛନ୍ତି ।

https://twitter.com/BasChillMaar/status/1277476755498872838

ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ #JusticeForSushantSinghRajput ଏବଂ #CBIForSushantSinghRajput ହାସଟ୍ୟାଗ ଟ୍ରେଣ୍ଡ କରୁଛି । ଲୋକମାନେ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ଗ୍ରହଣ କରିପାରୁନାହାନ୍ତି ଏବଂ ତାଙ୍କ ମୃତ୍ୟୁର CBI ଯାଞ୍ଚ ଦାବି କରୁଛନ୍ତି ।

ଭୁବନେଶ୍ୱରରୁ ପୁଣି ନୂଆ ୧୨ କରୋନା ସଂକ୍ରମିତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୨କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଉ ୨୫୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୦୮ ଲୋକାଲ୍ କେସ୍ ୪୩ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ପଜିଟିଭ୍ ସଂଖ୍ୟା ୭୩୧୬କୁ ବୃଦ୍ଧି ହୋଇଛି । ୧୯ ଜିଲ୍ଲାରୁ ୨୫୧ଜଣ ପଜିଟିଭଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୬ ଜଣ ଚିହ୍ନଟ ହୋଇଛନ୍ତି ।  ତେବେ ସେହି ୨୬ ଜଣଙ୍କ ମଧ୍ୟରୁ ସର୍ବାଧିକ ଭୁବନେଶ୍ୱରରୁ ଚିହ୍ନଟ ହୋଇଛିନ୍ତି । ୧୨ ଜଣ କରୋନା ସଂକ୍ରମିତ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ଫଳରେ ଭୁବନେଶ୍ୱରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଛି । ବର୍ତ୍ତମାନ ମୋଟ ୧୩୫ଟି ମାମଲା ସକ୍ରିୟ ଥିବା ବେଳେ ୧୯୨ଜଣ ସୁସ୍ଥ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣେ କ୍ୱାରେଣ୍ଟାଇନ ସେଷ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮ଜଣ ସ୍ଥାନୀୟ ସଂକ୍ରମଣ ହୋଇଛନ୍ତି ।

କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ୪ଜଣ ସଂକ୍ରମିତଙ୍କ ମଧ୍ୟରୁ ୨ ଜଣ ହେଉଛନ୍ତି ଟଙ୍କପାଣି ରୋଡ଼ ସ୍ଥିତ ଚିଲି ପୋଖରୀ ନିକଟସ୍ତ । ଯେଉଁ ମାନେ ପଶ୍ଚିମବଙ୍ଗରୁ ଆସିଥିଲେ । ଆଉ ଦୁଇଜଣଙ୍କ ମଧ୍ୟରୁ ଜଣେ ଶୈଳଶ୍ରୀବିହାରର ଏବଂ ଅନ୍ୟଜଣେ ଖଣ୍ଡଗିରି ଅଞ୍ଚଳର । ସେହିଭଳି ସ୍ଥାନୀୟ ସଂକ୍ରମିତ ହେଉଛନ୍ତି ୩ ଜଣ ଡ଼ୁମୁଡ଼ୁମାର ହୋଇଥିବା ବେଳେ ଅନ୍ୟଜଣେ ଶ୍ରୀରାମ ନଗରର ବୋଲି ଜଣାପଡ଼ିଛି । ସେପଟେ ନୀଳାଦ୍ରିବିହାର, ଜାଗମରା ଏବଂ ୟୁନିଟ-୨ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଘରୋଇ ହସ୍ପିଟାଲରୁ ଜଣେ ଚିହ୍ନଟ ହୋଇଛନ୍ତି ।

ସେପଟେ କଟକରୁ ମଧ୍ୟ ୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କାଠଗଡ଼ ସାହି, ତୋରିଆ ସାହି, ମଙ୍ଗଳାବାଗ, ଜଗତପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ନୂଆପାଟଣାରୁ ୨ ଜଣ ଚିହ୍ନଟ ହୋଇଛନ୍ତି ।

ତାମିଲନାଡୁର ନେୟବେଲୀ ପାୱର ପ୍ଲାଣ୍ଟରେ ବିସ୍ଫୋରଣ, ୬ ମୃତ, ୧୭ ଗୁରୁତର

ତାମିଲନାଡୁ: ତାମିଲନାଡ଼ୁର କୁଡ୍ଡାଲୋର ଜିଲ୍ଲାରେ ସ୍ଥିତ ନେୟବେଲୀ ପାୱର ପ୍ଲାଣ୍ଟର ବଏଲର ଷ୍ଟେଜ-୨ରେ ବିସ୍ଫୋରଣ ହେବା କାରଣରୁ ୪ ଜଣଙ୍କର ମୃତ୍ୟୁ ହେବା ସହିତ ୧୭ ଜଣ ଆହତ ହୋଇଛନ୍ତି  । ୧୭ ଜଣ ଆହତ ଲୋକଙ୍କୁ ଏଗ୍ନାଇଟ ହସ୍ପିଟାଲକୁ ନିଆଯାଇଛି ।

ଏଯାବତ ବିସ୍ଫୋରଣ କାରଣ ଜଣାପଡ଼ିନାହିଁ । ଏହି ବିସ୍ଫୋରଣ କୁଡ୍ଡାଲୋରର ନେୟବେଲୀ ଲିଗ୍ନାଇଟ କର୍ପୋରେସନର ଏକ ବଏଲରରେ ହୋଇଛି । ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଏହା ସହିତ କୁ଼ଡ୍ଡାଲୋର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି  ।

ଜଣାଇ ରଖୁଛୁ ଯେ, କୁଡ୍ଡାଲୋର ରାଜଧାନୀ ଚେନ୍ନାଇରୁ ୧୮୦ କିମି ଦୂରରେ ଅବସ୍ଥିତ । ଏଠାରେ ସାତ ୟୁନିଟରେ ୧୪୭୦ ମେଗାୱାଟ ବିଜୁଳିର ଉତ୍ପାଦନ ହୋଇଥାଏ । ଏକ ୟୁନିଟରେ ବ୍ଲାଷ୍ଟ ହୋଇଛି । ଯେଉଁଥିପାଇଁ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଥିଲା । ବର୍ତ୍ତମାନ ନିଆଁ ଉପରେ ନିୟନ୍ତ୍ରଣ ପାଇଁ ଚେଷ୍ଟା ଚାଲିଛି ।

ତାମିଲନାଡୁର ନେଭେଲି ପାୱାର ପ୍ଲାଣ୍ଟ ବଏଲରରେ ବିସ୍ଫୋରଣରେ ଜୀବନ ହାନି ବିଷୟରେ ଜାଣି ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ  କେ. ପାଲାନିସ୍ୱାମୀଙ୍କ ସହିତ କଥା ହୋଇଛନ୍ତି ଏବଂ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ନିଶ୍ଚିତ କରିଛନ୍ତି । ରିଲିଫ୍ କାର୍ଯ୍ୟରେ ସହାୟତା କରିବାକୁ ଘଟଣାସ୍ଥଳରେ CISF ପଠାଯାଇଛି ।  ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।