spot_img
Home Blog Page 705

ମହିଳା କର୍ମଚାରୀଙ୍କୁ ମିଳିବ ୧୮୦ ଦିନର ମାତୃତ୍ବ ଛୁଟି ; ରାଜ୍ୟ ଅର୍ଥବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି

ଭୁବନେଶ୍ବର: ରାଜ୍ୟ ସରକାରୀ ମହିଳା କର୍ମଚାରୀଙ୍କୁ ମିଳିବ ୧୮୦ ଦିନର ମାତୃତ୍ବ ଛୁଟି । ଏନେଇ ଆଜି ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ସର୍ତ୍ତାବଳୀ ମାର୍ଗଦର୍ଶିକା ଜାରି କରାଯାଇଛି । ମାତୃତ୍ବ ଛୁଟି ପାଇବାକୁ ହେଲେ ଜଣେ ମହିଳା ସରକାରୀ କର୍ମଚାରୀଙ୍କର ଦୁଇଟି ପିଲାରୁ ଅଧିକ ନଥିବେ । ସମ୍ଭାବ୍ୟ ପ୍ରସବ ତାରିଖର ୩ ମାସ ପୂର୍ବରୁ ଏବଂ ପ୍ରସବ ତାରିଖର ୬ ମାସ ମଧ୍ୟରେ ମହିଳା କର୍ମଚାରୀ ଏହି ଛୁଟି ପାଇପାରିବେ । ଶିଶୁ ଜନ୍ମ ସମୟରେ କର୍ମଚାରୀ ଜଣଙ୍କ ଯଦି ସରକାରୀ ସେବାରେ ନଥିବେ ତାହେଲେ ତାଙ୍କ ଶିଶୁକୁ ୬ ମାସ ହେବା ପର୍ଯ୍ୟନ୍ତ ମାତୃତ୍ବ ଛୁଟି ମିଳିବ । ଏହି କ୍ଷେତ୍ରରେ ମାତୃତ୍ବ ଛୁଟିର ଅବଧି ୧୮୦ ଦିନରୁ କମ ରହିବ । ମାତୃତ୍ବ ଛୁଟିରେ ଥିବା ସମୟରେ ଯଦି ଗର୍ଭପାତ ହୁଏ କିମ୍ବା ଜନ୍ମର ୨୮ ଦିନ ମଧ୍ୟରେ ଶିଶୁଟି ମରିଯାଏ ତାହେଲେ ଦୁର୍ଘଟଣା ହେବା ଦିନ ଠାରୁ ୪୨ ଦିନ ପର୍ଯ୍ୟନ୍ତ ମାତୃତ୍ବ ଛୁଟିର ଅବଧି ରହିବ ।

ସେହିପରି ଶିଶୁମୃତ୍ୟୁ ଜନ୍ମର ୨୯ ଦିନରୁ ୧୨୦ ଦିନ ମଧ୍ୟରେ ଘଟିଲେ ସଂପୃକ୍ତ ମହିଳା ସରକାରୀ କର୍ମଚାରୀଙ୍କୁ ମାତ୍ର ୧୪ ଦିନ ପର୍ଯ୍ୟନ୍ତ ମିଳିବ ଛୁଟି । ପ୍ରଥମ ସନ୍ତାନ ପାଇଁ ଯେତେଥର ମାତୃତ୍ବ ଛୁଟି ନେଇଥିଲେ ବି ଦ୍ବିତୀୟ ଜୀବିତ ସନ୍ତାନ ରଖିବା ପାଇଁ ବାରମ୍ବାର ମାତୃତ୍ବ ଛୁଟି ନେଇପାରିବେ । ମାତୃତ୍ବ ଛୁଟିରେ ଥିବା ମହିଳା କର୍ମଚାରୀଙ୍କର ପଦୋନ୍ନତି ହେଲେ ସଂପୃକ୍ତ କର୍ମଚାରୀ ଉପରିସ୍ଥ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଜଣାଇବେ । ଏହି ଛୁଟି ମହିଳା କର୍ମଚାରୀ ଏକକାଳୀନ କିମ୍ବା ବିଭିନ୍ନ ପର୍ଯ୍ୟାୟରେ ନେଇପାରିବେ । ମାତୃତ୍ବ ଛୁଟି ପାଇବା ପାଇଁ ହେଲେ ଶିଶୁ ପ୍ରସବ ସରକାରୀ ସ୍ବୀକୃତି ପ୍ରାପ୍ତ ଚିକିତ୍ସାଳୟରେ କରାଯିବା ଆବଶ୍ୟକ ।

ମୋହନଲାଲ VS ଅଜୟ ଦେବଗନ ! କାହାର ‘ଦୃଶ୍ୟମ-୩’ ହେବ ସୁପରହିଟ୍ ?

ନନ୍ଦିଘୋଷ ବ୍ୟୁରୋ: ମୋହନଲାଲ VS ଅଜୟ ଦେବଗନ । କାହାର ସିନେମା ହେବ ସୁପରହିଟ୍ । ଏପ୍ରିଲ ୨୦୨୫ରେ, ମୋହନଲାଲ ତାଙ୍କର ସୁପରହିଟ୍ କ୍ରାଇମ୍ ସସପେନ୍ସ ଥ୍ରୀଲର ‘ଦୃଶ୍ୟମ୍’ର ତୃତୀୟ ଭାଗ ଅର୍ଥାତ୍ ‘ଦୃଶ୍ୟମ୍ ୩’ ଘୋଷଣା କରିଛନ୍ତି ଯାହା ଅଜୟ ଦେବଗନଙ୍କୁ କଡା ଟକ୍କର ଦେଇପାରେ । କାରଣ ମୋହନଲାଲ ତାଙ୍କର ‘ଦୃଶ୍ୟମ 3’କୁ ହିନ୍ଦୀ ସମେତ ସମଗ୍ର ଭାରତରେ ମାଲାୟଲମରେ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅଜୟ ଦେବଗନ ୨୦୨୨ ମସିହାରେ ‘ଦୃଶ୍ୟମ 2’ ରିଲିଜ୍ ସହିତ ‘ଦୃଶ୍ୟମ 3’ ମଧ୍ୟ ଘୋଷଣା କରିଥିଲେ । ଏପରି ପରିସ୍ଥିତିରେ, ଅଜୟ ଦେବଗନଙ୍କ ପାଇଁ ଏହା ଏକ ଚିନ୍ତାର ବିଷୟ ଯେ, ଯଦି ମୋହନଲାଲଙ୍କ  ‘ଦୃଶ୍ୟମ 3’ ହିନ୍ଦୀରେ ରିଲିଜ୍ ହେବ, ତେବେ ହିନ୍ଦୀରେ ଆଉ ଏକ ‘ଦୃଶ୍ୟମ 3’ କିଏ ଦେଖିବ ? ଅଜୟ ଦେବଗନଙ୍କ ‘ଦୃଶ୍ୟମ 3’ ନିର୍ମାଣ ହେବାକୁ ଥିବା ବେଳେ ସେ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଏକ ରିପୋର୍ଟ ଅନୁଯାୟୀ, ପାନୋରାମା ଷ୍ଟୁଡିଓଜ୍ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ଦୃଶ୍ୟମ୍ 3 ପାଇଁ ଡିଜିଟାଲ୍ 18 ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ସହିତ ହାତ ମିଳାଇଛି। ୨୯ ମଇ, ୨୦୨୫ରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ SEBIର ତାଲିକାଭୁକ୍ତ ଦାୟିତ୍ୱ ଏବଂ ପ୍ରକାଶନ ଆବଶ୍ୟକତାର ନିୟମ ୩୦ ଅଧୀନରେ ଦାଖଲ କରାଯାଇଥିବା ଏକ ଆନୁଷ୍ଠାନିକ ଘୋଷଣାରେ, ପାନୋରାମା ଷ୍ଟୁଡିଓଜ୍ ନିଶ୍ଚିତ କରିଛି ଯେ ‘ଦୃଶ୍ୟମ 3’  ନିର୍ମାଣ ହେଉଛି । ଏହି ଫିଲ୍ମରେ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ରହିବେ ଏବଂ ବିଜୟ ସାଲଗାଓଁକରଙ୍କ ଚରିତ୍ରରେ ଫେରିବେ। ଏହି ଫିଲ୍ମଟି ଅଭିଷେକ ପାଠକଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ। ସେ ନିଜେ ‘ଦୃଶ୍ୟମ 2’ ନିର୍ଦ୍ଦେଶନା ଦେଇଥିଲେ ଯାହା ୨୦୨୨ ମସିହାରେ ମୁକ୍ତିଲାଭ କରିଥିଲା। କିନ୍ତୁ ଏଠାରେ ଏକ ବଡ଼ ଟ୍ୱିଷ୍ଟ ଅଛି, ଏବଂ ତାହା ହେଉଛି ମୋହନଲାଲଙ୍କ ‘ଦୃଶ୍ୟମ 3’ ।

‘ଦୃଶ୍ୟମ 3’ର ମାଲାୟଲମ ସଂସ୍କରଣର କାହାଣୀ ସମ୍ପୂର୍ଣ୍ଣ ହୋଇଥିବାବେଳେ, ହିନ୍ଦୀ ସଂସ୍କରଣର ସ୍କ୍ରିପ୍ଟ ଉପରେ କାମ ଚାଲିଛି । ଏପରି ପରିସ୍ଥିତିରେ, ଅଜୟ ଦେବଗନଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ଯେ ସେ ତାଙ୍କ ‘ଦୃଶ୍ୟମ 3’ରେ କି ଭିନ୍ନ କାହାଣୀ ଆଣିବେ। ତେବେ ମୋହନଲାଲଙ୍କ ‘ଦୃଶ୍ୟମ୍’ ପରି, ଅଜୟ ଦେବଗନଙ୍କ ‘ଦୃଶ୍ୟମ୍’ ଏବଂ ‘ଦୃଶ୍ୟମ୍ 2’ ସୁପରହିଟ୍ ହୋଇଥିଲା। ତାଙ୍କର ଦୁଇଟି ଫିଲ୍ମ ମୋହନଲାଲଙ୍କ କ୍ରାଇମ୍ ସସପେନ୍ସ ଥ୍ରୀଲର୍ ର ହିନ୍ଦୀ ରିମେକ୍ ଥିଲା । ଆଶା କରାଯାଉଛି ଯେ ‘ଦୃଶ୍ୟମ 3’ ମଧ୍ୟ ରିଲିଜ୍ ହେବା ପରେ ବ୍ଲକବଷ୍ଟର ହେବ।

ରଥଯାତ୍ରା : ପୁରୀକୁ ଗଡିବ ୧୦୦୦ ବସ୍

ଭୁବନେଶ୍ବର: ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ୨୪ ଘଣ୍ଟିଆ ବସ୍ ସେବା । ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀକୁ ଗଡିବ ୧୦୦୦ ବସ । ଏସଟିଏ କମିଶନର ଅମିତାଭ ଠାକୁରଙ୍କ ଅଧକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ରାଜ୍ୟ ଘରାଇ ବସ ମାଲିକ ସଂଘ ସହ ପୁରୀ, କଟକ, ଭୁବନେଶ୍ବର ବସ ମାଲିକ ସଂଘ, କଟକ ଡିସିପି, ପୁରୀ ଏସପି, କଟକ, ଭୁବନେଶ୍ୱର, ପୁରୀ ଜିଲ୍ଲାର ପରିବହନ ଅଧିକାରୀ, ଏନଏଚଆଇ କର୍ତ୍ତୃପକ୍ଷ ବୈଠକରେ ସାମିଲ ହୋଇଥିଲେ । ରଥଯାତ୍ରାରେ କେମିତି ସୁରୁଖୁରୁରେ ଭକ୍ତମାନେ ପୁରୀ ଯାଇ ପାରିବେ ସେନେଇ ଆଲୋଚନା ହୋଇଛି । ପୁରୀକୁ ସାରାରାଜ୍ୟରୁ ଗଡିବ ବସ । ରେଗୁଲାର ବସ ସହ ସ୍ୱତନ୍ତ୍ର ପରମିଟ ବି ଦିଆଯିବ ।

ତାଳବଣିଆ ସହ ମାଳତୀ ପାଟପୁରରେ ହେବ ବସ ପାର୍କିଂ । ଯାତ୍ରୀଙ୍କୁ ବସ ରହଣିସ୍ଥଳରୁ ବଡଦାଣ୍ଡ ଯାଏ ଚାଲିବ ୧୦୦ଟି ବ୍ୟାଟେରୀ ଚାଳିତ ଗାଡ଼ି । ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଭଡ଼ା ନେଇ ପାରିବେନି ଗାଡ଼ି ମାଲିକ । ତାଳବଣିଆ ବସ ଷ୍ଟପେଜରେ ଯାତ୍ରୀଙ୍କୁ ଦିଆଯିବ ୧୦ ଟଙ୍କାରେ ଖାଦ୍ୟ । ଏଥିସହିତ ପୁରୀକୁ ଯାତ୍ରା କରୁଥିବା ସମୟରେ ଯାତ୍ରୀଙ୍କୁ ବସରେ ପାନୀୟ ଜଳ ଯୋଗାଇ ଦିଆଯିବ । ବସରେ ଫାଷ୍ଟଏଡ୍ କିଟର ବ୍ୟବସ୍ଥା ରଖିବାକୁ ରାଜ୍ୟ ପରିବହନ ଆୟୁକ୍ତ ଆଜି ଏକ ସ୍ବତନ୍ତ୍ର ବୈଠକରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା କରିଛି । ବସରେ କ୍ଷମତାଠାରୁ ଅଧିକ ଯାତ୍ରୀ ନନେବାକୁ ତାଗିଦ କରାଯାଇଛି । ସୁରକ୍ଷିତ ଯାତ୍ରୀ ପରିବହନ ପାଇଁ ୩୦ ଜଣ STA ଅଧିକାରୀ ଦାୟିତ୍ବରେ ରହିବେ । ପୋଲିସ ପକ୍ଷରୁ ଏନ୍ଫୋର୍ସମେଣ୍ଟ ସ୍କ୍ବାର୍ଡ ସହ, ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି କହିଛନ୍ତି STA କମିଶନର ଅମିତାଭ ଠାକୁର । ବିଭିନ୍ନ ଜାଗାରେ ସିସିଟିଭି କ୍ୟାମେରା ଲାଗିବ । ସେହିଭଳି ବସ୍ ରେ ଯାତ୍ରୀଙ୍କ ଭିଡ ସୁଯୋଗ ନେଇ ପକେଟ ମାର୍ ଓ ମୋବାଇଲ ଫୋନ ଚୋରି ଭଳି ଘଟଣା ରୋକିବାକୁ ପୋଲିସ ନଜର ରଖିବ ବୋଲି କହିଛନ୍ତି ପୁରୀ ଜିଲ୍ଲା ଏସପି ।

କୋଡ଼ ୱାର୍ଡରେ କାରବାର ; ‘ଭୋଗ’ ମାଗୁଥିଲେ ମିଳୁଥିଲା ନିଶା ପୁଡ଼ିଆ

ଭୁବନେଶ୍ବର : କୋଡ଼ ୱାର୍ଡରେ କାରବାର, ‘ଭୋଗ’ ମାଗୁଥିଲେ ମିଳୁଥିଲା ନିଶା ପୁଡ଼ିଆ । ସ୍ପେଶାଲ କ୍ରାଇମ ୟୁନିଟର ସ୍ପେଶାଲ ଅପରେସନ। STF ସହାୟତାରେ ନିଶାଡୀ ଆଡ୍ଡାରେ ମାରାଥନ ରେଡ଼। ପାନ ଦୋକାନରେ ବିକ୍ରି ହେଉଥିଲା ପୁଳା ପୁଳା ଗଞ୍ଜେଇ। ଏ ଘଟଣା ହେଉଛି ରାଜଧାନୀ ଭୁବନେଶ୍ବରର । ନିଶା କାରବାର ନେଇ ଖବର ପାଇବା ପରେ ଆଜି କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ ଓ କ୍ରାଇମବ୍ରାଞ୍ଚର STF କରିଥିଲା ଚଢ଼ାଉ । ପ୍ରଥମେ ୟୁନିଟ ୪ ମାର୍କେଟରେ ଚଢ଼ାଉ ବେଳେ ଏକ ପରିତ୍ୟକ୍ତ ଦୋକାନ ଘରୁ ମିଳିଥିଲା ଗଂଜେଇ ପାଇଁ ବ୍ୟବହୃତ Rap । ନିରୋଳା ମାହୋଲରେ ଜମୁଥିଲା ନିଶାଡିଙ୍କ ଆସର । ହାଟ ପରେ ପରେ ଟିମ ବାହାରିଥିଲା ସାଇନ୍ସପାର୍କ ନିକଟରେ ଥିବା ଆଉ ଏକ ଅଡ୍ଡା ସ୍ଥଳୀକୁ । ବାହାରକୁ ଦିଶୁନଥିବା ଏହି ଛୋଟିଆ ଦୋକାନ ପାଲଟିଥିଲା ନିଶାଡିଙ୍କ ପାଇଁ ଭୂସ୍ବର୍ଗ । ପୋଲିସକୁ ଦେଖି ଛତ୍ରଭଙ୍ଗ ଦେଉଛନ୍ତି ଖଟି କରୁଥିବା ଯୁବକ । ଆଉ ଚଢ଼ାଉ ବେଳେ ମିଳୁଛି ପୁଳା ପୁଳା ଗଞ୍ଜେଇ ସିଗାରେଟ ।

ଦୁଇଟି ସ୍ଥାନରେ ଚଢ଼ାଉ ପରେ ସ୍ପେଶାଲ କ୍ରାଇମ ୟୁନିଟ ସିଧା ପହଞ୍ଚିଥିଲା ଷ୍ଟେସନ ନିକଟରେ । ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ଖୁଲମଖୁଲା ଗଂଜେଇ ପୁଡ଼ିଆ ବିକ୍ରି ହେଉଥିଲା । ପୁଡ଼ିଆ ଗୋଟାକୁ ଶହେ ଟଙ୍କା । କୋଡ଼ ୱାର୍ଡରେ କାରବାର ଚାଲୁଥିବା ବେଳେ “ଭୋଗ” କହିଲେ ହାତକୁ ବଢ଼େଇ ଦେଉଥିଲେ ଦୋକାନୀ । ଆଉ ରାତି ଅଧରେ ନିଶା ଖାଇ ଆଇନକୁ ହାତକୁ ନେଉଥିଲେ ନିଶାଡୀ । ପୋଲିସ କମିଶନରଙ୍କ ନିର୍ଦ୍ଦେଶ ପରେ ପୂର୍ବରୁ ଜୟଦେବ ବିହାର, ଇନ୍ଫୋସିଟି ଏରିଆରେ ଚଢ଼ାଉ ହୋଇଥିଲା । ଶିକ୍ଷାନୁଷ୍ଠାନ ନିକଟରେ ନିଶା କାରବାର ରେ ରୋକ ଲଗାଇବା ପାଇଁ ପ୍ରୟାସ ହୋଇଥିଲା । ତଥାପି ମଧ୍ୟ ବଢୁଥିବା ଅପରାଧ କୁ ଦୃଷ୍ଟିରେ ରଖି ଆଜି ବିଭିନ୍ନ ସ୍ଥାନରେ ଛାପା ମାରି ଅପରାଧୀଙ୍କୁ କଡା ଚେତାବନୀ ଦେଇଛି କମିଶନରେଟ ପୋଲିସ । ଚୋର ମୁହଁ ଟାଣ ଭଳି କିଛି ଜାଣିନଥିବା କହୁଛନ୍ତି ଦୋକାନୀ । କିନ୍ତୁ ସହରର ଛାତି ଉପରେ ୨୪ ଘଣ୍ଟା ଚାଲୁଛି ନିଶା ବେପାର । ସେପଟେ ଏହି ରେଡ଼କୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି ସ୍ପେଶାଲ କ୍ରାଇମ ୟୁନିଟ ।

ବିଜେଡି ସାଜିଛି ଲୋକଙ୍କ ସ୍ବର ; ବିଧାନସଭା ବାହାରେ ଓ ଭିତରେ ତୁଲାଉଛି ସଶକ୍ତ ବିରୋଧୀ ଦଳର ଭୂମିକା

ଭୁବନେଶ୍ବର: ବିଜେଡି ସାଜିଛି ଲୋକଙ୍କ ସ୍ବର । ରାଜ୍ୟ ସ୍ବାର୍ଥ ପାଇଁ ଜାରି ରଖିଛି ଲଢେଇ । ବିଧାନସଭା ଭିତରେ ଓ ବାହାରେ ଗଠନମୂଳକ ବିରୋଧୀ ଦଳର ତୁଲାଉଛି ଭୂମିକା । ମହାନଦୀ, ପୋଲାଭରମ, କୋଟିଆ ପରି ରାଜ୍ୟ ସ୍ବାର୍ଥ ପାଇଁ ଜୋରଦାର କରିଛି ଲଢେଇ । କ୍ଷମତା ଥିଲା ବେଳେ ଯେମିତି ସ୍ବର ଉଠାଇଥିଲା ବିରୋଧୀ ଦଳରେ ଥାଇ ମଧ୍ୟ ସେମିତି ସ୍ବରକୁ ଶାଣିତ କରିଛି । ହେଲେ କେନ୍ଦ୍ର ସରକାର ସବୁବେଳେ ରାଜ୍ୟ ସ୍ବାର୍ଥକୁ ଅଣଦେଖା କରିଆସୁଛନ୍ତି ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ୨୪ ବର୍ଷ ପରେ ଓଡିଶା ଶାସନର ପଟ୍ଟ ପରିବର୍ତ୍ତିନ ହୋଇଛି । ହେଲେ ବିଜେଡିର ରାଜନୈତିକ ସଂକଳ୍ପ ଯେମିତି ଥିଲା ସେମିତି ଅଛି । ଆଗକୁ ଦଳ ରାଜ୍ୟ ସ୍ବାର୍ଥ ହାସଲ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଗଠନମୂଳକ ଦାବି ଦୋହରାଇବ ।

ସଶକ୍ତ ବିରୋଧୀ ଦଳ ଭାବେ ଦଳ ଦାୟିତ୍ବ ତୁଲାଇବା ସହ ସଂଗଠନକୁ ତୃଣମୂଳସ୍ତରରେ ଅଧିକ ମଜଭୁତ କରିବାକୁ ଫୋକସ କରିଛନ୍ତି ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନିକଟରେ ବିଜେଡି ସଂଗଠନର ନବକଳେବର କରିବା ସହ ବିଧାୟକ ଓ ଦଳର ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କୁ ଗୁରୁଦାୟିତ୍ବ ଦେଇଛନ୍ତି ନବୀନ। ତୃଣମୂଳସ୍ତରରେ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ସହ ଲୋକଙ୍କ ସମସ୍ୟା ଦୂର କରିବାକୁ ବିଧାୟକମାନଙ୍କୁ ସୁପ୍ରିମୋ ନିର୍ଦ୍ଦେଶ ଦେଇଛନ୍ତି ।

ନବମ ଥର ନବୀନ ବିଜେଡି ସଭାପତି ହେବା ପରେ ସଂଗଠନକୁ ତୃଣମଳସ୍ତରେ ଅଧିକ ଶକ୍ତିଶାଳୀ କରିବା ସହ ସଶକ୍ତ ବିରୋଧୀ ଦଳ ଭାବେ ଓଡିଶାବାସୀଙ୍କ ସ୍ବର ସାଜିଛି ବିଜେଡି । ଆଗକୁ ପଂଚାୟତ ଓ ପୌର ନିର୍ବାଚନ ପାଇଁ ଦଳ ଏବେଠାରୁ ଗ୍ରାଉଣ୍ଡ ଓ୍ବାର୍ଡ ଆରମ୍ଭ କରିଛି । ୨୦୨୪ ନର୍ବାଚନରେ ଶାସକ ବିଜେପି ଠାରୁ ବିଜେଡି ଭୋଟ ଅଧିକ ପାଇଥିବାରୁ ଦଳ ବିରୋଧୀ ଦଳ ଗୁରୁଦାୟିତ୍ବ ତୁଲାଉଛି ।

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଇଡିର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ

ଭୁବନେଶ୍ବର: ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଇଡିର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ। ଆଜି ଭୁବନେଶ୍ୱର CBI କୋର୍ଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଜୁନ ୪ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ। ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ । ଜେରା ବେଳେ ଲାଞ୍ଚ ଟଙ୍କା ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇ ନପାରିବାରୁ ଗିରଫ କଲା ସିବିଆଇ । ରାତି ତମାମ ଝାଳବୁହା ଜେରା କରିଥିଲା ସିବିଆଇ । ଚିନ୍ତନ ରଘୁବଂଶୀ ଓ ଜଣେ ମିଡିଲ ମ୍ୟାନଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା । ଲାଞ୍ଚ ନେବା ବେଳେ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗତକାଲି ସିବିଆଇ ହାତରେ ଧରାପଡିଥିଲେ । ଚିନ୍ତନ ରଘୁବଂଶୀ ଓ ମିଡିଲମ୍ୟାନ ଭକ୍ତି ବେହେରା ଗତକାଲି ଖଣି ବ୍ୟବସାୟୀ ରୋହିତ ରଞ୍ଜନ ରାଉତଙ୍କ କେସ ରଫାଦଫା କରିବା ପାଇଁ ପ୍ରଥମେ ୫ କୋଟି ଟଙ୍କା ଲାଞ୍ଚ ମାଗିଥିଲେ । କିନ୍ତୁ ଏତେ ପରିମାଣର ଟଙ୍କା ସେ ଦେଇପାରିବେ ନାହିଁ ବୋଲି କହିବା ପରେ ୨ କୋଟି ଟଙ୍କା ଦେବାକୁ ଫାଇନାଲ୍ କରାଇଥିଲେ ନିଜେ ଚିନ୍ତନ ରଘୁବଂଶୀ ।

ଏନେଇ ନିଜ ଏତଲାରେ ସିବିଆଇରେ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି ରୋହିତ । ପରେ ୫୦ ଲକ୍ଷ ଟଙ୍କା ଅଗ୍ରୀମ ନେଉଥିବା ବେଳେ ପଟିଆ ସ୍ଥିତ ଆପାର୍ଟମେଣ୍ଟରୁ ଲାଞ୍ଚଖୋର ବାବୁଙ୍କୁ ଧରିଥିଲା ସିବିଆଇ । ଢେଙ୍କାନାଳ ଅଞ୍ଚଳର ଖଣି ବ୍ୟବସାୟୀ ରୋହିତ ଏ ନେଇ ସିବିଆଇକୁ ସୂଚନା ଦେଇଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଚଢ଼ାଉ କରାଯାଇଥିଲା । ଗତ ଜାନୁଆରୀ ୮ ତାରିଖରେ ଖଣି ଦୁର୍ନୀତିକୁ କେନ୍ଦ୍ର କରି ରାଜ୍ୟରେ ଏକାଧିକ ସ୍ଥାନରେ ରେଡ ହୋଇଥିଲା । ସେହି ମାମଲାକୁ ଚାପିବା ପାଇଁ ୫ କୋଟି ଟଙ୍କାର ଡିଲ ହୋଇଥିଲା । ତା ଠାରୁ ମିଳିଥିବା ଆଉଟପୁଟ ଆଧାରରେ ଇଡି ଡେପୁଟି ଡାଇରେକ୍ଟରଙ୍କୁ କାବୁ କରିଥିଲା। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ପ୍ରିଭେନ୍ସନ ଅଫ କରପସନ ଆକ୍ଟ ୧୯୮୮ରେ ଇଡିର ଏହି ଡେପୁଟି ଡ଼ାଇରେକ୍ଟରଙ୍କୁ କୋର୍ଟଚାଲାଣ କରାଯାଇଛି ।

ଲାଞ୍ଚ ଟଙ୍କାରେ ବନିଥିଲେ କଳାଧନର ସୌଦାଗର ; ସବୁ ଭଣ୍ଡୁର କରିଦେଲା ଭିଜିଲାନ୍ସ

ରିଟାୟାରମେଣ୍ଟ ପୂର୍ବରୁ ରିଟାୟର୍ଡ ହର୍ଟ ହେଲେ ବାବୁ । ଲାଞ୍ଚ ଟଙ୍କାରେ ବନିଥିଲେ କଳାଧନର ସୌଦାଗର । ଅବସର ପରେ ଅଏସ ପ୍ଲାନରେ ଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ଭଣ୍ଡୁର କରିଦେଲା ଭିଜିଲାନ୍ସ । ଏ ଫଟୋ ଆପଣଙ୍କୁ ଅଜବ ଲାଗୁଥିବ । ଏହା କୌଣସି ଫିଲ୍ମର ସିନ ନୁହେଁ, ବରଂ ରିଅଲ ଲାଇଫରେ ଜଣେ ଦୁର୍ନୀତି ଗସ୍ତ ବାବୁଙ୍କ ଘରୁ ମିଳିଥିବା ଏ ହେଉଛି ପୁଳାପୁଳା ଟଙ୍କା । ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ ପଡିବା ପରେ ଅମାପ ଧନ ଦେଖି ତାଜୁବ ଭିଜିଲାନ୍ସ ଟିମ୍ ।

ଚଢ଼ାଉରେ ତାଙ୍କ ଘରୁ ନଗଦ ୨ କୋଟି ୫୧ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି । ଏହାସହିତ ୨ଟି ବହୁତଳ ପ୍ରାସାଦ, ୨ଟି ଫ୍ଲାଟ୍ ୭ଟି ଦାମୀ ପ୍ଲଟ, ଦେଢ଼ କୋଟି ଟଙ୍କାର ବୀମା ଓ ବ୍ୟାଙ୍କ ଡିପୋଜିଟ ରହିଛି । ଏହା ସହିତ ସେୟାର ମାର୍କେଟରେ ୨କୋଟି ୭୦ ଲକ୍ଷ ଟଙ୍କା ନିବେଶ କରିଛନ୍ତି । ତେବେ ଟଙ୍କା ଗଣି ଗଣି ମେସିନ ମଧ୍ୟ ହ୍ୟାଙ୍ଗ ହୋଇ ଯାଉଛି ।

ଅନୁଗୁଳ କରଡ଼ାଗଡ଼ିଆରୁ ଦୁଇ ମହଲା କୋଠା ଓ ମାଟିଆସିହରୁ ଏକ ଦୁଇ ମହଲା କୋଠା ଠାବ ହୋଇଛି । ସେହିପରି ଭୁବନେଶ୍ଵର ଡୁମୁଡୁମାରେ ଫ୍ଲାଟ, ପୁରୀ ଜିଲ୍ଲା ପିପିଲିରେ ଏକ ଫ୍ଲାଟ ଠାବ ହୋଇଛି । ଏହା ସହିତ ଭୁବନେଶ୍ଵର ଓ ଅନୁଗୁଳର ବିଭିନ୍ନ ସ୍ଥାନରୁ ୭ଟି ଦାମୀ ପ୍ଲଟ ଠାବ ହୋଇଛି । ଅନୁଗୁଳ ଜିଲ୍ଲାର ୪ଟି ସ୍ଥାନ ସମେତ ଭୁବନେଶ୍ଵର ଓ ପିପିଲିକୁ ମିଶାଇ ମୋଟ ୭ଟି ଜାଗାରେ ଚାଲିଥିଲା ରେଡ୍। ଭିଜିଲାନସ ଟିମ୍ ଦେଖି ଭୁବନେଶ୍ଵର ଘରୁ ସେ ଝରକା ଦେଇ ଟଙ୍କା ଫିଙ୍ଗି ଦେଇଥିଲେ । ଏ ହେଉଛି ଟଙ୍କା ଫୋପାଡିବା ବେଳର ଫଟୋ।

ବହୁ ସୁନା ଅଳଙ୍କାର, ପାଟ ଶାଢ଼ୀ ଓ ନାମୀ ଦାମୀ ବ୍ରାଣ୍ଡର ହାତଘଣ୍ଟା ବି ଅଛି। ଭିଜିଲାନ୍ସ ଅଧିକାରୀ ଏସବୁ ଦେଖି ଜଳକା ହୋଇଯାଇଛନ୍ତି । ଅବସରକୁ ଆଉ ମାତ୍ର ଦିନଟିଏ ବାକି ଥିବା ହେଲେ ଧରାପଡ଼ିଥିବା ଏହି ମୁଖ୍ୟ ଯନ୍ତ୍ରୀଙ୍କୁ କାବୁ କରି ତନାଘନା ଚଳାଇଛି ଭିଜିଲାନ୍ସ । ଦୁର୍ନୀତିଖୋର ଓ ଲାଞ୍ଚଖୋରଙ୍କ ଉପରେ ସଦାସର୍ବଦା ଭିଜିଲାନ୍ସର ନଜର ରହିଛି । ଲାଞ୍ଚୁଆ ଅଧିକାରୀଙ୍କୁ ଧରିବା ପାଇଁ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି ହୋଇଛି । ଏତେ ସବୁ ପରେ ପରେ ଜଣଙ୍କ ପରେ ଜଣେ ଧରାହେବା, ଓ ତାଙ୍କ ଠାରୁ ଅମାପ ସମ୍ପତ୍ତି ମିଳିବା ଘଟଣା ଚିନ୍ତା ବଢ଼ାଇଛି ।

ମୌସୁମୀ ଛୁଇଁଲେ ଚେତା ପଶୁଛି; ଡେଡଲାଇନରେ ଅଟକିଛି ଡ୍ରେନେଜ ସମସ୍ୟା

ଭୁବନେଶ୍ବର: ମୌସୁମୀ ଛୁଇଁଲେ ଚେତା ପଶୁଛି । ଡେଡଲାଇନରେ ଅଟକିଛି ଡ୍ରେନେଜ ସମସ୍ୟା । ତାଳିପକା କାମରେ ବିଏମସି। ଯୁଆଡେ ଦେଖିବ ଡ୍ରେନ ଜାମ୍ ଓ ମୁକୁଳା ଡ୍ରେନ । ମୌସୁମୀ ରାଜଧାନୀ ଭୁବନେଶ୍ବରର କବାଟ ଠକ ଠକ କରିବା ବେଳେ ଡ୍ରେନେଜ୍ ସମସ୍ୟାର କରାଯାଉଛି ସମୀକ୍ଷା । ଗତକାଲି ମୁଖ୍ୟମନ୍ତ୍ରୀ, ଆଜି ନଗର ଉନ୍ନୟନ ମନ୍ତ୍ରୀ ସମୀକ୍ଷା କରିଛନ୍ତି । ଚଳିତ ବର୍ଷ ମୌସୁମୀ ଶୀଘ୍ର ଓଡ଼ିଶା ଛୁଇଁବ। ଅଧିକ ବର୍ଷା ହେବାର ଆକଳନ ହୋଇଛି। ଜୁନ ୨୦ ସୁଦ୍ଧା କଟକ ଓ ଭୁବନେଶ୍ୱରରେ ଡ୍ରେନେଜ୍ କାମ ସାରିବାକୁ ଡେଡଲାଇନ ଦେଇଛନ୍ତି ମନ୍ତ୍ରୀ। କଟକ ଓ ଭୁବନେଶ୍ବରର ସବୁ ନାଳ ଓ ଡ୍ରେନେଜ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠି ଡ୍ରେନେଜ୍ କଭର ନାହିଁ, କଭର କରାଯିବ। ତେବେ ଡ୍ରେନେଜ ନିର୍ମାଣ କାର୍ଯ୍ୟ କେତେ ଅଗ୍ରଗତି ହୋଇଛି, ତାହା ଜାଣିବାକୁ ଜୁନ ୧ରେ ନିଜେ ମଧ୍ୟ ଫିଲ୍ଡ ଭିଜିଟ କରିବେ ମନ୍ତ୍ରୀ। ସେହିପରି ସମ୍ ହସପିଟାଲ ପାଖରେ ସବୁବେଳେ ଦେଖାଯାଉଥିବା ୱାଟର ଲଗିଙ୍ଗ ସମସ୍ୟାର ସମାଧାନ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ।

ସେପଟେ ବିଜେପି ସରକାରକୁ ବର୍ଷେ ପୂରିବ। ପୂର୍ବରୁ ଜଳବନ୍ଦୀ ସମସ୍ୟାକୁ ନଇ ତୁମ୍ଭିତୋଫାନ କରୁଥିଲା ବିଜେପି । ହେଲେ ଏବେ ସରକାରଙ୍କୁ ଇସ୍କନ ରାସ୍ତାରେ ପାଣି ଜମିବା ସମସ୍ୟା ମନେପଡୁଛି । NHAIର ରାସ୍ତା ଥିବାରୁ ବିଳମ୍ୱ ହେଉଛି ସ୍ଥାୟୀ ସମାଧାନ । ପ୍ରଥମେ ଇସ୍କନ ସର୍ଭିସ୍ ଡ୍ରେନ କାମ ତୁରନ୍ତ ସାରିବାକୁ କୁହାଯାଇଛି । DPR ପ୍ରସ୍ତୁତ ହୋଇଥିବା ବେଳେ ଦିନେ ଦୁଇ ଦିନ ମଧ୍ୟରେ ଏନେଇ ଟେଣ୍ଡର କରାଯାଇ କାମ ଆରମ୍ଭ କରାଯିବ । ସେପଟେ ଆଜି ଥିଲା ଭୁବନେଶ୍ବର ମହାନଗର ନିଗମର ୩୧ତମ ସାଧାରଣ ପରିଷଦ ବୈଠକ। ଆରମ୍ଭରୁ ହିଁ ଡ୍ରେନ, ସଫେଇ, ରାସ୍ତାରେ ନାଳ ପାଣି ଭାସିବା ଓ ମୁକୁଳା ଡ୍ରେନ ଉପରେ ଆଲୋଚନା ହୋଇଥିଲା।  ଭୁବନେଶ୍ବରରେ ୭୭ କିଲୋମିଟର ମୁଖ୍ୟ ଡ୍ରେନ୍ ଓ ୩୬୦ କିଲୋମିଟର ପୂର୍ତ୍ତ ବିଭାଗ ଡ୍ରେନ୍ କିପରି ସଫା ହେବ ତାକୁ ନେଇ ପ୍ରଶ୍ନ ଉଠିଛି । ବର୍ଷା ହେଲେ ସହର ବୁଡ଼ିବା ଥୟ। ତଳିଆ ଅଞ୍ଚଳରେ ପାଣି ଜମିବା ପରିସ୍ଥିତି ଉପୁଜିବ । ଗତ ବର୍ଷ ମୁକୁଳା ଡ୍ରେନରେ ପଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଥିଲା । ଏବେବି ୨୨ କିମି ମୁକୁଳା ଡ୍ରେନର ସ୍ଲାବ ପଡ଼ିଲା ନାହିଁ ।

ମୁଣ୍ଡ ଉପରେ ମୃତ୍ୟୁ ; ତଳେ ଚାଲିଛି ପ୍ରାଣ ରକ୍ଷା ପାଇଁ ପ୍ରଚେଷ୍ଟା

କଟକ: ମୁଣ୍ଡ ଉପରେ ମୃତ୍ୟୁ । ତଳେ ଚାଲିଛି ପ୍ରାଣ ରକ୍ଷା ପାଇଁ ପ୍ରଚେଷ୍ଟା । ଯେଉଁଠି ନିର୍ମାଣ କାର୍ଯ୍ୟ ସେଇଠି ଚାଲିଛି ରୋଗୀ ସେବା । ଏ କୌଣସି ଉପାନ୍ତ ଅଞ୍ଚଳରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର କଥା ନୁହେଁ ଖୋଦ ପୂର୍ବ ଭାରତର ସବୁଠୁ ବଡ଼ ସରକାରୀ ହସ୍ପିଟାଲର ଏସସିବିର ଚିତ୍ର । ପୁରୁଣା ମେଡ଼ିସିନ ବିଲଡିଂ ବୟସାଧିକ କାରଣରୁ ଅସୁରକ୍ଷିତ ହୋଇପଡିଥିବା ବେଳେ ଏବେ ପୂର୍ତ୍ତ ବିଭାଗ ଏହାର ମରାମତି ଆରମ୍ଭ କରିଛି । ତେବେ ଆଶ୍ଚର୍ଯ୍ୟର କଥା ଯେଉଁଠି କାମ ଚାଲିଛି ସେହି ବିଲଡିଂରେ ଶହ ଶହ ରୋଗୀଙ୍କୁ ଚିକିତ୍ସା କରାଯାଉଥିବା ବେଳେ ପାଖରେ ଅଛନ୍ତି ସମ୍ପର୍କୀୟ । ଡାକ୍ତର ଓ କର୍ମଚାରୀ ମଧ୍ୟ ବିଲଡିଂରେ ଉପସ୍ଥିତ ଥିବାରୁ ସମସ୍ତଙ୍କ ଜୀବନ ବିପଦରେ ପଡିଥିବା ଅଭିଯୋଗ ହୋଇଛି । ଏନେଇ ମେଡିକାଲ କର୍ତ୍ତୃପକ୍ଷ ଓ ପୂର୍ତ୍ତ ବିଭାଗ ଅଧିକାରୀ ଙ୍କୁ ଯୋଗା ଯୋଗ କରିଥିଲେ ମଧ୍ୟ କେହି ବି କୌଣସି ଉତ୍ତର ରଖିନାହାନ୍ତି ।

ଏସସିବି ଉପରେ କେବଳ ରାଜ୍ୟବାସୀ ନୁହନ୍ତି ପଡୋଶୀ ରାଜ୍ୟର ଲୋକେ ଉତ୍ତମ ଚିକିତ୍ସା ପାଇଁ ନିର୍ଭର କରନ୍ତି । ଏହି ମେଡିକାଲର ଅଧିକାଂଶ କୋଠା ପ୍ରାୟ ଦେଢ଼ ଶହ ବର୍ଷରୁ ଅଧିକ । ତେଣୁ ଏହା ବିପଦ ସଂକୁଳ ଅବସ୍ଥାକୁ ଚାଲିଯାଇଛି । ପୂର୍ତ୍ତ ବିଭାଗ ଏହାର ମରାମତି କାମ ଜାରି ରଖିଥିବା ବେଳେ ଏଠାରେ ରୋଗୀ ସେବା ହେବା ଅନୁଚିତ । ଏହା ଯେତିକି ସମ୍ବେଦନଶୀଳ ସେତିକ କ୍ଷୋଭର ବିଷୟ । ବିପଦ ସଂକୁଳ ଅବସ୍ଥାରେ ଚିକିତ୍ସାସେବା ଅତିଶୀଘ୍ର ବନ୍ଦ କରି ଅନ୍ୟତ୍ର ରୋଗୀଙ୍କୁ ସ୍ଥାନାନ୍ତର ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।

ସିକ୍କିମରେ ମର୍ମନ୍ତୁଦ ଦୁର୍ଘଟଣା, ଓଡ଼ିଆ ପର୍ଯ୍ୟଟକ ନିଖୋଜ

ସିକ୍କିମରେ ମର୍ମନ୍ତୁଦ ଦୁର୍ଘଟଣାରେ ଓଡିଆ ନିଖୋଜ । ତିସ୍ତା ନଦୀକୁ ଖସି ପଡ଼ିଥିଲା ପର୍ଯ୍ୟଟକଙ୍କ ଟୁରିଷ୍ଟ ଗାଡ଼ି। ହଜାରେ ଫୁଟ ତଳକୁ ଗାଡ଼ି ଖସି ପଡିବାରୁ ଜଣକର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୮ ଜଣ ନିଖୋଜ ରହିଛନ୍ତି । ଏହି ଗାଡ଼ିରେ ଯାଜପୁର ବ୍ୟାସନଗର ଅଞ୍ଚଳର କିଛି ଲୋକେ ଥିବା ଜଣାପଡିଛି । ଯାଜପୁର ବ୍ୟାସନଗର ଅଞ୍ଚଳର ଚାରୋଟି ପରିବାରର ୧୧ ଜଣ ବୁଲିବାକୁ ଯାଇଥିଲେ। ଏହି ୧୧ ଜଣଙ୍କ ଭିତରୁ ଦୁର୍ଘଟଣାଗ୍ରସ୍ତ ଗାଡିରେ ୬ ଜଣ ଥିଲେ। ଏହି ୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ବାକି ୪ ଜଣ ନିଖୋଜ ଅଛନ୍ତି।

ନିଖୋଜ ବ୍ୟକ୍ତିମାନେ ହେଲେ ଇତିଶ୍ରୀ ଜେନା, ଇତିଶ୍ରୀଙ୍କ ବଡ଼ ପୁଅ ସାହିଲ ଜେନା, ଇତିଶ୍ରୀଙ୍କ ସାନ ଭାଇ ଅଜିତ୍ ନାୟକ, ଇତିଶ୍ରୀଙ୍କ ଭାଉଜ ସୁନିତା ନାୟକ। ଗୁରୁତର ଉଦ୍ଧାର ହୋଇ ଚିକିତ୍ସିତ ହେଉଥିବା ୨ ଜଣ ହେଉଛନ୍ତି ସୁନୀତାଙ୍କ ପୁଅ ସ୍ବୟଂ ନାୟକ ଓ ଇତିଶ୍ରୀଙ୍କ ସାନ ପୁଅ ସାଇରାଜ୍ ଜେନା। ଗତ କାଲି ରାତିରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ଖରାପ ପାଗ ଏବଂ ରାସ୍ତା ଖରାପ ଥିବାରୁ ଗାଡ଼ିଟି ନିୟନ୍ତ୍ରଣ ହରାଇ ନଦୀରେ ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖପ୍ରକାଶ କରିଛନ୍ତି। ସେ ସିକିମ ସରକାରଙ୍କ ସହ ଆଲୋଚନା କରିଛନ୍ତି। ଯାତ୍ରୀ ମାନଙ୍କ ସୁରକ୍ଷା ଓ ଚିକିତ୍ସା ବ୍ୟବସ୍ଥାରେ ସୁପରିଚାଳନା ପାଇଁ ଓଡ଼ିଶାରୁ ଯିବ ଏକ ସ୍ବତନ୍ତ୍ର ଟିମ୍। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି।