spot_img
Home Blog Page 707

ରାଜଧାନୀ ୟୁନିଟ୍ ୪ ମାର୍କେଟରେ ସ୍ପେଶାଲ କ୍ରାଇମ ୟୁନିଟର ଚଢ଼ାଉ

ଭୁବନେଶ୍ୱର: ରାଜଧାନୀ ୟୁନିଟ୍ ୪ ମାର୍କେଟରେ ସ୍ପେଶାଲ କ୍ରାଇମ ୟୁନିଟର ଚଢ଼ାଉ । ନିଶା ବିକ୍ରି ସମ୍ପର୍କୀତ ଅଭିଯୋଗ ପାଇବା ପରେ ବ୍ୟାପକ ହେଲା ଚଢ଼ାଉ । ଏସଟିଏଫ ସହାୟତାରେ ଚଢ଼ାଉ ଜାରି ରଖିଛି ସ୍ପେଶାଲ କ୍ରାଇମ ୟୁନିଟ୍।

ଚଢାଉ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ନିଶାକାରବାର କରୁଥିବା ବ୍ୟବସାୟୀଙ୍କୁ ଅଟକ ରଖାଯାଇଛି ।

ସିକ୍କିମରେ ମର୍ମନ୍ତୁଦ ଦୁର୍ଘଟଣା: ୯ ଜଣ ନିଖୋଜ

ନନ୍ଦିଘୋଷ ବ୍ୟୁରୋ: ସିକ୍କିମରେ ମର୍ମନ୍ତୁଦ ଦୁର୍ଘଟଣା। ତିସ୍ତାନ ନଦୀକୁ ଖସି ପଡ଼ିଛି ପର୍ଯ୍ୟଟକଙ୍କ ଗାଡ଼ି। ୯ଜଣ ନିଖୋଜ ଅଛନ୍ତି। ଏମାନେ ସମସ୍ତେ ଓଡ଼ିଆ ଏବଂ ବଙ୍ଗାଳୀ ବୋଲି ଜଣାପଡ଼ିଛି। ଗତ କାଲି ରାତିରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା। କାରରେ ଥିବା ୧୧ ଜଣ ଯାତ୍ରୀଙ୍କ ମଧ୍ୟରୁ ୯ ଜଣ ଏବେ ବି ନିଖୋଜ ଅଛନ୍ତି। ଖରାପ ପାଗ ଏବଂ ରାସ୍ତା ଖରାପ ଥିବାରୁ କାରଟି ନିୟନ୍ତ୍ରଣ ହରାଇ ନଦୀରେ ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

ମାଙ୍ଗାନ ଜିଲ୍ଲାର ପୋଲିସ ଅଧୀକ୍ଷକ ସୋନମ ଡେଚୁ କହିଛନ୍ତି ଯେ, ଚୁଙ୍ଗଥାଙ୍ଗର ଏସଡିପିଓ, ସିକ୍କିମ ପୋଲିସ, ଭାରତୀୟ ସେନା, ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ITBP) ଏବଂ ଜିଲ୍ଲା ପ୍ରଶାସନଙ୍କ ନେତୃତ୍ୱରେ ରାତିସାରା ଏକ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ପ୍ରଥମେ ଦୁଇ ଜଣ ଯାତ୍ରୀଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳୁ ନିଖୋଜକୁ ପୁଣି ଖୋଜିବା ଆରମ୍ଭ ହୋଇଛି। ପ୍ରତିକୂଳ ପାଗ ପରିସ୍ଥିତି ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି।

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ୨ କୋଟିରୁ ଅଧିକ ନଗଦ ଟଙ୍କା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରୁ ମିଳିଲାଣି ୨ କୋଟିରୁ ଅଧିକ ନଗଦ ଟଙ୍କା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଭିଜିଲାନ୍ସ ରେଡ କରୁଛି। ଅନୁଗୁଳ ଜିଲ୍ଲାର ୪ଟି ସ୍ଥାନ ସମେତ ଭୁବନେଶ୍ଵର ଓ ପିପିଲିକୁ ମିଶାଇ ମୋଟ ୭ଟି ଜାଗାରେ ରେଡ୍ ଚାଲିଛି । ଢେଙ୍କାନାଳ ଭିଜିଲାନ୍ସ ବିଭାଗ DSP ଅନୁଷ୍କା ସେନାପତିଙ୍କ ନେତୃତ୍ୱରେ ଅନୁଗୋଳ, ଢେ଼ଙ୍କାନାଳ, କଟକ ଟିମର ୮ଜଣିଆ ସଦସ୍ୟ ଅନୁଗୁଳର କରଡ଼ାଗାଡ଼ିଆ, ଲକେଇପସି, ମଟିଆସାହି ଏବଂ ଶିକ୍ଷକପଡ଼ାରେ ଚଢ଼ାଉ କରୁଛନ୍ତି।

ଭିଜିଲାନ୍ସ ଟିମ୍ ଦେଖି ଭୁବନେଶ୍ଵର ଘରୁ ସେ ଝରକା ଦେଇ ଟଙ୍କା ଫିଙ୍ଗି ଦେଇଥିଲା। ତାକୁ ମଧ୍ୟ ଜବତ କରିଛି ଭିଜିଲାନ୍ସ। ବହୁ ସୁନା ଅଳଙ୍କାର, ପାଟ ଶାଢ଼ୀ ଓ ନାମୀ ଦାମୀ ବ୍ରାଣ୍ଡର ହାତଘଣ୍ଟା ବି ଅଛି। ଭିଜିଲାନ୍ସ ଅଧିକାରୀ ଏସବୁ ଦେଖି ଜଳକା ହୋଇଯାଇଛନ୍ତି । ଅବସରକୁ ଆଉ ମାତ୍ର ଦିନଟିଏ ବାକି ଥିବା ହେଲେ ଧରାପଡ଼ିଛନ୍ତି ଯନ୍ତ୍ରୀ।

ଇଡି ଅଧିକାରୀଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ଇଡି ଡେପୁଟି ଡ଼ାଇରେକ୍ଟର ଚିନ୍ତନ ରଘୁବଂଶୀ। ଜେରା ବେଳେ ଲାଞ୍ଚ ଟଙ୍କା ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇନପାରିବାରୁ ଗିରଫ କଲା ସିବିଆଇ। ରାତି ତମାମ ଝାଳବୁହା ଜେରା କରିଥିଲା ସିବିଆଇ । ଚିନ୍ତନ ରଘୁବଂଶୀ ଓ ଜଣେ ମିଡିଲ ମ୍ୟାନଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା । ଲାଞ୍ଚ ନେବା ବେଳେ ଇଡି ଡେପୁଟି ଡ଼ାଇରେକ୍ଟର ଚିନ୍ତନ ରଘୁବଂଶୀ ଗତକାଲି ସିବିଆଇ ହାତରେ ଧରାପଡିଥିଲେ।

ସୂଚନା ଅନୁଯାୟୀ, ଚିନ୍ତନ ଶ୍ରୀବାସ୍ତବ ଓ ମିଡ଼ିଲମ୍ୟାନ ଭକ୍ତି ବେହେରା ଗତକାଲି ଜଣେ ଖଣି ବ୍ୟବସାୟୀଙ୍କ କେସ ରଫାଦଫା କରିବା ପାଇଁ ୨୦ ଲକ୍ଷ ଲାଞ୍ଚ ନେଉଥିଲେ। ଢେଙ୍କାନାଳ ଅଞ୍ଚଳର ଖଣି ବ୍ୟବସାୟୀ ଏ ନେଇ ସିବିଆଇକୁ ସୂଚନା ଦେଇଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ସିବିଆଇ ଚଢ଼ାଉ କରିଥିଲା।

ଗତ ଜାନୁଆରୀ ୮ ତାରିଖରେ ଖଣି ଦୁର୍ନୀତିକୁ କେନ୍ଦ୍ର କରି ରାଜ୍ୟରେ ଏକାଧିକ ସ୍ଥାନରେ ରେଡ଼ ହୋଇଥିଲା । ସେହି କେସକୁ ଚାପିବା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ ହୋଇଥିଲା । ୨୦ ଲକ୍ଷ ଟଙ୍କା ନେଉଥିବା ବେଳେ ପ୍ରଥମେ ମିଡ଼ିଲମ୍ୟାନକୁ ଧରାଯାଇଥିଲା । ତା ଠାରୁ ମିଳିଥିବା ଆଉଟପୁଟ ଆଧାରରେ ଇଡି ଡେପୁଟି ଡାଇରେକ୍ଟରଙ୍କୁ କାବୁ କରାଯାଇଥିଲା । ଆଜି ତାଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛି ସିବିଆଇ ।

କଟକରେ ଜଣେ କୋଭିଡ୍ ସଂକ୍ରମିତ ଚିହ୍ନଟ

କଟକ: କଟକରେ ଜଣେ କୋଭିଡ୍ ସଂକ୍ରମିତ ଚିହ୍ନଟ । ଗତକାଲି ସ୍ଵାବ ପରୀକ୍ଷା ପାଇଁ ଭୁବନେଶ୍ଵର ପଠାଯାଇଥିଲା । ରିପୋର୍ଟ ପଜିଟିଭ ଆସିବା ପରେ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି । ପୁରୁଷ ସଂକ୍ରମିତ ରୋଗୀଙ୍କ ସ୍ଵାସ୍ଥ୍ୟବସ୍ଥା ଭଲ ରହିଥିବା କହିଛନ୍ତି କଟକ ସିଡିଏମଓ ।

ଓଡ଼ିଶାରେ କୋଭିଡ ପଜିଟିଭଙ୍କ ସଂଖ୍ୟା ୬ ରେ ପହଞ୍ଚିଛି । ଭୁବନେଶ୍ବରରୁ ୪ ଓ ଖୋର୍ଦ୍ଧାରୁ ଜଣେ ଏବଂ କଟକରୁ ଜଣେ ସଂକ୍ରମିତ ଚିହ୍ନଟ। ଏମାନଙ୍କ ମଧ୍ୟରେ ୪ ପୁରୁଷ ଓ ଜଣେ ମହିଳା କରୋନା ସଂକ୍ରମିତ ଅଛନ୍ତି।

କାମାକ୍ଷାନଗର ପୂର୍ବତନ ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ଦେହାନ୍ତ

ଢେଙ୍କାନାଳ: କାମାକ୍ଷାନଗର ପୂର୍ବତନ ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ଦେହାନ୍ତ। ୭୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ଦିର୍ଘଦିନ ହେବ ଅସୁସ୍ଥ ଥିବା କାରଣରୁ ଚିକିତ୍ସା ଜାରି ରହିଥିଲା । ଗତକାଲି ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି।

ପ୍ରସନ୍ନ କୁମାର ପଟ୍ଟନାୟକ ତିନି ଥର କାମାକ୍ଷାନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଜନତା ଦଳରୁ ଦୁଇଥର ଓ ଓଡିଶାରୁ ପ୍ରଥମ ବିଜେପି ବିଧାୟକ ଭାବେ ବିଜୟୀ ହୋଇଥିଲେ । କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ଶିକ୍ଷାକ୍ଷେତ୍ରରେ ଅନେକ କାର୍ଯ୍ୟ କରିଥିଲେ ପ୍ରସନ୍ନ ପଟ୍ଟନାୟକ ।

ପୁଣି ଥରେ ବଢ଼ିଲା କି ଯୁଦ୍ଧ ଆଶଙ୍କା ? ଆସନ୍ତାକାଲି ମକଡ୍ରିଲ

ନନ୍ଦିଘୋଷ ବ୍ୟୁରୋ: ପୁଣି ଥରେ ବଢ଼ିଲା କି ଯୁଦ୍ଧ ଆଶଙ୍କା ? ପାକିସ୍ତାନ ଉପରେ ପୁଣି ଆକ୍ରମଣ କରିପାରେ କି ଭାରତ ? ମେ’ ୬ ତାରିଖରେ ମକଡ୍ରିଲ ହେବ ବୋଲି ଘୋଷଣା ପରେ ସେହିଦିନ ରାତିରେ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା ଭାରତୀୟ ସେନା । ପୁଣି ଥରେ ସୀମାନ୍ତ ରାଜ୍ୟରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି ମକଡ୍ରିଲ୍ ଅପରେସନ ସିଲ୍ଡ । ପାକିସ୍ତାନ ସହ ବିବାଦକୁ ଦୃଷ୍ଟିରେ ରଖି ଦେଶର ୪ ସୀମାନ୍ତ ରାଜ୍ୟରେ ପୁଣି ମକଡ୍ରିଲ କରାଯିବ। ଗୁଜରାଟ, ପଞ୍ଜାବ, ରାଜସ୍ଥାନ ଓ ଜମ୍ମୁ-କଶ୍ମୀରରେ ମକଡ୍ରିଲ ହେବ । ଯୁଦ୍ଧ ସମୟରେ ଏୟାର ଷ୍ଟ୍ରାଇକରୁ ବର୍ତ୍ତିବାକୁ ନେଇ ମକଡ୍ରିଲ ଆୟୋଜନ କରାଯିବ ।

ଭାରତ-ପାକିସ୍ତାନ ଲଢ଼େଇ ବେଳେ ଡ୍ରୋନ ଓ ମିସାଇଲ ଆକ୍ରମଣରେ ଶିକାର ହୋଇଥିବା ରାଜ୍ୟଗୁଡ଼ିକରେ ପୁଣି ମକଡ୍ରିଲ ହେବ। ମକଡ୍ରିଲ ସମୟରେ ଲୋକଙ୍କୁ ସତର୍କ ରହିବାକୁ କୁହାଯିବ । ଅପରେସନ ସିନ୍ଦୂରର କିଛି ଘଣ୍ଟା ପୂର୍ବରୁ ମେ’ ୭ ତାରିଖରେ ସମଗ୍ର ଦେଶରେ ଅପରେସନ ଅଭ୍ୟାସ ନାଁରେ ମକଡ୍ରିଲ ଆୟୋଜନ ହୋଇଥିଲା । ଅପରେସନ ସିନ୍ଦୂର ବେଳେ ପାକିସ୍ତାନର ସୀମାନ୍ତ ଅଞ୍ଚଳକୁ ଲାଗିରହିଥିବା ପଞ୍ଜାବର ସମସ୍ତ ସୀମାନ୍ତ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଥିଲା।

ବିସ୍ଫୋରକ ଲୁଟ୍ : ତଦନ୍ତ କରିବ SIT

ସୁନ୍ଦରଗଡ଼: ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ଘଟଣାର ତଦନ୍ତ ପାଇଁ ଗଠିତ ହେଲା SIT । ଆଡିସନାଲ ଏସପିଙ୍କ ନେତୃତ୍ବରେ ସ୍ଵତନ୍ତ୍ର ପୋଲିସ ଟିମ ତଦନ୍ତ ଆରମ୍ଭ କରିଛନ୍ତି। ଗୋଦାମ ମାଲିକକୁ ବି ପଚରା ଉଚରା କରାଯାଉଛି। ବାଙ୍କୋ ଲଙ୍ଗଳକଟା ପଥର ଖଣି ପଥର ଖଣିକୁ କାହିଁକି ୫ ଟନ୍
ବିସ୍ଫୋରକ ମିନି ଟ୍ରକରେ ଚାଲାଣ କରାଯାଉଥିଲା, ପଥର ଖାଦାନ ପାଇଁ କାହିଁକି ଏତେ ବିସ୍ଫୋରକ ଆବଶ୍ୟକତା ଥିଲା, ପୋଲିସ ଅନୁମତି ଓ ସୁରକ୍ଷା ବଳୟରେ କାହିଁକି ବିସ୍ଫୋରକ ସାମଗ୍ରୀ ଚାଲାଣ କରାଯାଇନଥିଲା, ଏସବୁ ପ୍ରଶ୍ନର ଉତ୍ତର ଖୋଜିବ ଏହି SIT । ଗୋଦାମ କର୍ମଚାରୀ ଓ ପଥର ଖାଦାନରେ କାର୍ଯ୍ୟ କରୁଥିବା କିଛି କର୍ମଚାରୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କୁ ପୋଲିସ ପକ୍ଷରୁ ପଚରାଉଚରା ଆରମ୍ଭ ହୋଇଛି। କିଛି ଗୋଦାମ କର୍ମଚାରୀ ଓ ଖଣି କର୍ମଚାରୀ ରାଜ୍ୟ ବାହାରର ହୋଇଥିବାରୁ ସେମାନଙ୍କ ମାଓବାଦୀଙ୍କ ସହ ଲିଙ୍କ ଅଛିକି ନାହିଁ ସେ ନେଇ ଆରମ୍ଭ ହୋଇଛି ତଦନ୍ତ।

ଓଡିଶା ଝାରଖଣ୍ଡ ସୀମାରେ ହାଇ ଆଲର୍ଟ ଜାରି କରାଯିବା ସହ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ଓଡିଶା ଝାଡ଼ଖଣ୍ଡ ପୋଲିସ ଓ ସିଆରପିଏଫ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ୫ ହଜାର କେଜି ଓଜନର ୨ଶହ ପେଟି ବିଷ୍ପୋରକ ସାମଗ୍ରୀ ଲୁଟ ହେଵା ପରେ ବିସ୍ପୋରକ ସାମଗ୍ରୀ ଜଵତ କରିବା ଓ ଲୁଟ କରିଥିବା ମାଓବାଦୀଙ୍କୁ ଗିରଫ କରିବା ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହାସହ NIA ଡ଼ିଆଇଜିଙ୍କ ନେତୃତ୍ବରେ ଏସପି ଓ ଆଡିସନାଲ ଏସପି ମଧ୍ୟ ଘଟଣାର ଅନୁସଂଧାନ ଜାରି ରଖିଛନ୍ତି।

ବହୁ ଚର୍ଚ୍ଚିତ ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାର ଆଜି ରାୟ ଶୁଣାଣି

ନନ୍ଦିଘୋଷ ବ୍ୟୁରୋ: ଦେଶର ସବୁଠାରୁ ଚର୍ଚ୍ଚିତ ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାର ଆଜି ରାୟ ଶୁଣାଣି । ଦୀର୍ଘ ଦୁଇ ବର୍ଷ ପରେ ଆଜି ରାୟ ଶୁଣାଇବେ କୋର୍ଟ ।

ଉତ୍ତରାଖଣ୍ଡରେ ସେପ୍ଟେମ୍ବର ୨୦୨୨ରେ  ୧୯ ବର୍ଷୀୟ ଅଂକିତା ଭଣ୍ଡାରୀଙ୍କୁ ହତ୍ୟା ଘଟଣାର କରାଯାଇଥିଲା । ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ଉତ୍ତରାଖଣ୍ଡ ସମେତ ସାରା ଦେଶକୁ ଆନ୍ଦୋଳିତ କରିଥିଲା। ଅଂକିତା ଏକ ଗ୍ରାହକ ସେବାକାରିଣୀ ବା ରିସିପସନିଷ୍ଟ ଭାବରେ ବାନ୍ତାନତା ରିସୋର୍ଟରେ କାମ କରୁଥିଲେ। ଅଭିଯୋଗ ଅନୁଯାୟୀ, ତାଙ୍କୁ “ଭିଆଇପି ସେବା” ଦେବା ପାଇଁ ଚାପ ପକାଯାଇଥିଲା। ତିନି ଜଣ ଅଭିଯୁକ୍ତ – ରିସୋର୍ଟ ମାଲିକ ପୁଲକିତ ଆର୍ୟ, ଓ ତାଙ୍କ ସହଯୋଗୀ ଅଙ୍କିତ ଗୁପ୍ତା ଓ ସୌରଭ ଭାସ୍କର ତାଙ୍କୁ ଚିଲ୍ଲା କେନାଲରେ ଧକା ଦେଇ ହତ୍ୟା କରିଥିବା ଅଭିଯୋଗ ଥିଲା। ପରେ ତାଙ୍କ ମୃତଦେହ କେନାଲରୁ ଉଦ୍ଧାର କରାଯାଇଥିଲା।

ମାର୍ଚ୍ଚ ୨୦୨୩ରେ ତିନି ଅଭିଯୁକ୍ତଙ୍କ ବିରୋଧରେ ମର୍ଡର (ଧାରା ୩୦୨), ସାକ୍ଷ୍ୟ ନଷ୍ଟ (ଧାରା ୨୦୧), ମହିଳାଙ୍କ ଉପରେ ଅତ୍ୟାଚାର (ଧାରା ୩୫୪A), ଓ ଅନୈତିକ ଯାନଚଳାଚଳ ନିଷେଧ ଆଇନ ଅନୁଯାୟୀ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଥିଲା।

ଡିସେମ୍ୱର ୨୦୨୩ରେ ଉତ୍ତରାଖଣ୍ଡ ହାଇକୋର୍ଟ ପୁଲକିତ ଆର୍ୟଙ୍କ ବେଲ ଆବେଦନକୁ ଖାରଜ କରିଥିଲେ। ଅଦାଲତ ତାଙ୍କ ଅପରାଧକୁ ଯୋଜନାବଦ୍ଧ ଓ ଭୟାବହ ଭାବରେ ବିବେଚନା କରିଥିଲେ। ମାର୍ଚ୍ଚ ୨୦୨୫ ଯାଏ ଏହି ନ୍ୟାୟିକ ପ୍ରକ୍ରିୟାରେ ଶହେ ସାକ୍ଷୀଙ୍କ ଭିତରୁ ୪୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ ସରିଥିଲା। ପୌଡ଼ି ଜିଲ୍ଲାର ବନନ୍ତତ୍ରା ରିସୋର୍ଟରେ କାମ କରୁଥିବା ଅଙ୍କିତା ହତ୍ୟାକାଣ୍ଡର ଶୁଣାଣୀ ସମ୍ପୂର୍ଣ୍ଣ ହୋଇସାରିଛି। ଅଙ୍କିତା ହତ୍ୟାକାଣ୍ଡର ଶୁଣାଣୀ କୋଟଦ୍ୱାରଙ୍କ ଏଡିଜେ କୋର୍ଟରେ ମାର୍ଚ୍ଚ ୨୮,୨୦୨୩ରୁ ଆରମ୍ଭ ହୋଇଥିଲା। ପ୍ରାୟ ୨ ବର୍ଷ ମାମଲା ଚାଲିଥିଲା। ୫ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି।

 

ଶରୀରକୁ ଫାଇଦା ଦିଏ ଲବଙ୍ଗ ପାଣି, ଜାଣନ୍ତୁ ଏହାକୁ ପିଇବାର ସଠିକ୍ ସମୟ ଏବଂ ଉପାୟ

ନନ୍ଦିଘୋଷ ବ୍ୟୁରୋ: ପ୍ରତିଦିନ ଲବଙ୍ଗ ପାଣି ପିଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ ।  ଆୟୁର୍ବେଦରେ ଲବଙ୍ଗକୁ ଔଷଧ ଭାବରେ ବ୍ୟବହାର କରାଯାଏ। ଏଥିରେ ଅନେକ ପୁଷ୍ଟିକର ତତ୍ତ୍ୱ ମିଳିଥାଏ। ଅନେକ ରୋଗର ରାମବାଣ ସାଜିଥାଏ ଲବଙ୍ଗ । ତେବେ ଚାଲନ୍ତୁ ଜାଣିବା ଲବଙ୍ଗ ପାଣି ପିଇବା ଦ୍ୱାରା କେଉଁ ସବୁ ଫାଇଦା ମିଳିଥାଏ ।

ପାଚନ ପ୍ରଣାଳୀ: ଲବଙ୍ଗ ପାଣି ପାଚନ ପ୍ରକ୍ରିୟାକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ । ଏବଂ ଏସିଡିଟି, ଗ୍ୟାସ୍ ଏବଂ ବଦହଜମୀ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ।

ଦାନ୍ତ ଯନ୍ତ୍ରଣା ପାଇଁ ଲାଭଦାୟକ : ଲବଙ୍ଗ ପାଣି ଦାନ୍ତ ଯନ୍ତ୍ରଣା, ମାଢ଼ି ଫୁଲା ଏବଂ ପାଇରିଆରୁ ମୁକ୍ତି ଦେଇପାରେ। ଲବଙ୍ଗରେ ଥିବା ୟୁଜେନଲ୍ ଏବଂ ଫ୍ଲାଭୋନଏଡ୍ସର ଆଣ୍ଟି-ଇନ୍ଫ୍ଲେମାଟୋରୀ ଏବଂ ଆଣ୍ଟିସେପ୍ଟିକ୍ ଗୁଣ ଦାନ୍ତ ବିନ୍ଧା, ଫୁଲିଯାଇଥିବା ମାଢ଼ି ଏବଂ ପାଇରିଆରୁ ମୁକ୍ତି ଦେବାରେ ସାହାଯ୍ୟ କରେ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ: ଲବଙ୍ଗ ପାଣି ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। ଲବଙ୍ଗରେ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଶରୀରରେ ମୁକ୍ତ ରାଡିକାଲ୍ସ ସହିତ ଲଢ଼ିଥାଏ ଏବଂ ସଂକ୍ରମଣକୁ ରୋକିଥାଏ। ନିୟମିତ ଭାବରେ ଲବଙ୍ଗ ପାଣି ପିଇବା ଦ୍ୱାରା ରୋଗରୁ ଶୀଘ୍ର ଆରୋଗ୍ୟ ହୋଇପାରିବ।

ସକାଳେ ଖାଲି ପେଟରେ ଲବଙ୍ଗ ପାଣି ପିଇବାକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଏହାକୁ ରାତିସାରା ଭିଜାଇ ରଖି ସକାଳେ ଉଷୁମ ଏବଂ ଛାଣି ପିଇଲେ ପାଚନ ପ୍ରକ୍ରିୟା ଭଲ ହୁଏ ଏବଂ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଯଦି ଆପଣ ଚାହାଁନ୍ତି, ତେବେ ରାତିରେ ଶୋଇବା ପୂର୍ବରୁ ଏହାକୁ ମଧ୍ୟ ପିଇପାରିବେ। ଆପଣ ଚାହିଁଲେ ଲବଙ୍ଗକୁ ଚୋବାଇ ମଧ୍ୟ ଖାଇପାରିବେ। ବିଶେଷକରି ଥଣ୍ଡା ଏବଂ କାଶ ପାଇଁ ଆପଣ ଲବଙ୍ଗକୁ ମହୁ ସହିତ ମିଶାଇ ମଧ୍ୟ ସେବନ କରିପାରିବେ। ଚା’ରେ ଲବଙ୍ଗ ମିଶାଇ ପିଇବା ମଧ୍ୟ ଲାଭଦାୟକ ହୋଇପାରେ।