spot_img
Home Blog Page 7087

ଚୀନ୍‌ ଲ୍ୟାବର ବଡ଼ ଦାବି: କରୋନା ପାଇଁ ତିଆରି ସରିଛି ଔଷଧ

କରୋନା ସମୟରେ ଚାଇନା ଏକ ବଡ଼ ଦାବି କରିଛି । ଚାଇନାର ଏକ ଲ୍ୟାବ ଦାବି କହିଛି ଯେ ସେମାନେ ଏକ ଔଷଧ ପ୍ରସ୍ତୁତ କରିଛନ୍ତି ଯାହା କରୋନା ଭାଇରସ ସଙ୍କଟରୁ ସାରା ବିଶ୍ୱକୁ ଦୂର କରିପାରିବ । ଏହି ଲ୍ୟାବଟି ହେଉଛି ପେକିଙ୍ଗ ବିଶ୍ୱବିଦ୍ୟାଳୟର । ଖାଲି ସେତିକି ନୁହେଁ ଚାଇନାର ଅନେକ ଲ୍ୟାବରେ ନୂଆ କରୋନା ଓୌଷଧ ତିଆରି ପାଇଁ ପ୍ରସ୍ତୁତି ଚାଲିଛି  । ଲ୍ୟାବର ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହି ଔଷଧ କେବଳ କରୋନା ଭାଇରସରୁ ଲୋକଙ୍କୁ ଶୀଘ୍ର ଆରୋଗ୍ୟ କରିପାରିବା ସହିତ ରୋଗ ପ୍ରମତିରୋଧକ ଶକ୍ତି ମଧ୍ୟ ବଢ଼ାଇବ ।

ପଶୁମାନଙ୍କ ଉପରେ ପରୀକ୍ଷା ସଫଳ ହୋଇଛି

ଲ୍ୟାବ ନିର୍ଦ୍ଦେଶକ ସନ୍ନି ସି ପଶୁମାନଙ୍କ ଉପରେ ଔଷଧର ସଫଳ ପରୀକ୍ଷଣ କରିଛନ୍ତି । ଏହି ଔଷଧରେ ଆଣ୍ଟିବଡି ବ୍ୟବହାର କରାଯାଇଛି, ଯାହା କରୋନାରୁ ଉଦ୍ଧାର ହୋଇଥିବା ୬୦ ରୋଗୀଙ୍କ ରକ୍ତରୁ ବାହାର କରାଯାଇଥିଲା।

ଡିସେମ୍ବରରୁ ଏହି ମହାମାରୀ ଆରମ୍ଭ ହୋଇଥିଲା

ଗତ ଡିସେମ୍ବରରେ ଚାଇନାରେ କରୋନା ଭାଇରସର ସଙ୍କଟ ଆରମ୍ଭ ହୋଇଥିଲା । ଜାନୁଆରୀରୁ ଏହା ବିଶ୍ୱର ଅନ୍ୟ ଦେଶକୁ ବ୍ୟାପିବା ଆରମ୍ଭ କରିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ଏହି ଜୀବାଣୁ ସଂକ୍ରମଣ ହେତୁ ତିନି ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ପ୍ରାୟ ୪୮ ଲକ୍ଷ ଲୋକ ଏହି ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । କରୋନା ଭୂତାଣୁ ଦ୍ୱାରା ସର୍ବାଧିକ ପ୍ରଭାବିତ ହେଉଛି ଆମେରିକା, ଯେଉଁଠାରେ ମୃତ୍ୟୁ ସଂଖ୍ୟା ୯୦ ହଜାରରୁ ଅଧିକ ହୋଇଛି । ମୋଟ ମାମଲା ୧୫ ମିଲିୟନରୁ ଅଧିକ ହୋଇଛି ।

ଚାଇନାର ଲ୍ୟାବ ଯୁକ୍ତି ବାଢ଼ିଛି କି ଏହି  ଔଷଧ ସାରା ବିଶ୍ୱରେ କରୋନା ମହାମାରୀକୁ ବନ୍ଦ କରିବ । ଲ୍ୟାବ ନିର୍ଦ୍ଦେଶକ କହିଛନ୍ତି ଯେ ସେ ପ୍ରଥମେ ସଂକ୍ରମିତ ମୂଷାଙ୍କୁ ଏହି ଇଞ୍ଜେକ୍ସନ ଦିଆଯାଇଥିଲେ । ମାତ୍ର ପାଞ୍ଚ ଦିନ ମଧ୍ୟରେ ମୂଷା ଦେହର ଜବରଦସ୍ତ ପ୍ରଭାବ ଦେଖିବାକୁ ମିଳିଥିଲା । ଯାହା ରବିବାର ଦିନ ଏକ ବିଜ୍ଞାନ ପତ୍ରିକାରେ ପ୍ରକାଶିତ ହୋଇଛି । ସି ଜିନପିଙ୍ଗ କହିଛନ୍ତି, ତାଙ୍କର ବୈଜ୍ଞାନିକ ଦଳ ଆଣ୍ଟିବାଡି ସନ୍ଧାନରେ ଦିନରାତି କାମ କରୁଥିଲେ । ସେମାନେ କହିଛନ୍ତି ଯେ ଏହି ଔଷଧ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରସ୍ତୁତ ହେବା ଉଚିତ ଯାହା ଦ୍ୱାରା ଆସନ୍ତା ଶୀତରେ  ମହାମାରୀ କରାଳ ରୂପ ଦେଖାଇବ ନାହିଁ ।

ଚାଇନାରେ ଅଧିକ ଟିକା ପ୍ରସ୍ତୁତ

ଗତ ସପ୍ତାହରେ ଚାଇନାର ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଚୀନ୍ ପୂର୍ବରୁ ଆହୁରି ପାଞ୍ଚଟି ଟିକା ପ୍ରସ୍ତୁତ କରିଛି । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି ଯେ, ଏପରି ଟୀକା ପ୍ରସ୍ତୁତ ହେବାକୁ ୧୨-୧୮ ମାସ ସମୟ ଲାଗିପାରେ  । ତେବେ ଚୀନ୍ ପ୍ଲାଜମା ଥେରାପି ମାଧ୍ୟମରେ ଦେଶରେ ୭୦୦ ରୁ ଅଧିକ ଲୋକଙ୍କୁ ଆରୋଗ୍ୟ କରିଛି । ଚାଇନାର ଅଧିକାରୀମାନେ କହିଛନ୍ତି ଯେ ପ୍ଲାଜମା ଥେରାପିରେ ସେମାନେ ବହୁତ ଭଲ ଫଳାଫଳ ପାଇଛନ୍ତି ।

ବିଶ୍ୱକୁ କରୋନା ଭାଇରସ୍‌ରୁ ମୁକ୍ତ କରିବା ପାଇଁ ଚୀନ୍‌ର ୨ଟି ବଡ଼ ନିଷ୍ପତ୍ତି

କାହିଁକି ବିଳମ୍ବ ଆସିବ ମୌସୁମୀ, କଣ ରହିବ ସାମୁଦ୍ରିକ ଝଡ଼ର ପ୍ରଭାବ ?

ନୂଆଦିଲ୍ଲୀ: ମୌସୁମୀ ଆସିବା ପୂର୍ବରୁ କୌଣସି ବାତ୍ୟା ବା ମହାବାତ୍ୟା ହେଲେ କଣ ପ୍ରଭାବ ପଡ଼େ । ସାମୁଦ୍ରିକ ଝଡ଼ ପ୍ରଭାବରେ ମୌସୁମୀ ବିଳମ୍ବ ହୁଏ କି ? ଏହାର ଉତ୍ତର ରଖିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ମୌସୁମୀ ଉପରେ ବାତ୍ୟାର ୨ ପ୍ରକାର ପ୍ରଭାବ ପଡ଼ିଥାଏ ।

‘ଅମ୍ଫାନ’ ପ୍ରଭାବରେ ମୌସୁମୀ, ଦକ୍ଷିଣ ଆଣ୍ଡାମାନ ସମୁଦ୍ର ତତସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗର, ନିକୋବର ଦ୍ୱୀପପୁଞ୍ଜରେ ଆଗୁଆ ପହଞ୍ଚିଛି । କିନ୍ତୁ, ‘ଅମ୍ପାନ’ ପାଇଁ କେରଳରେ ମୌସୁମୀ ଟିକିଏ ଡେରିରେ ଆସିବ । ଜୁନ୍ ୧ ପରିବର୍ତ୍ତେ ୪ ଦିନ ବିଳମ୍ବ ଅର୍ଥାତ୍ ଜୁନ୍ ୫ ତାରିଖରେ କେରଳ ଛୁଇଁବ ମୌସୁମୀ ।

ଏହାର ପ୍ରମୁଖ କାରଣ ସାମୁଦ୍ରିକ ଝଡ଼ ‘ଅମ୍ଫାନ୍’। ଏହା ପରିବେଶ ଉପରେ ପ୍ରଭାବ ପକାଏ । ବାତ୍ୟା ଯିବାର ୪ରୁ ୫ ଦିନ ପରେ ପରିବେଶ ଠିକ୍ ହୋଇଯିବା ପରେ ମୌସୁମୀ ଆସିବ ।

ଅମ୍ଫାନ ଏବେ କେଉଁଠି?

‘ଅମ୍ଫାନ’ ଏବେ ଦକ୍ଷିଣରେ ପାରାଦୀପଠାରୁ ୩୬୦ କିମି ଦୂରରେ ଥିବାବେଳେ ଦୀଘା ଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମରେ ୫୧୦ କିମି ଦୂରରେ ଅଛି । ବାଂଲାଦେଶର ଖେପୁରିଆ ଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୬୫୦ କିମି ଦୂରରେ ରହିଛି ‘ଅମ୍ଫାନ’ ।

ପାରାଦୀପଠାରୁ ୩୬୦ କିମି ଦୂରରେ ‘ଅମ୍ଫାନ’, ଉତ୍ତର ଓଡ଼ିଶାରେ ପଡ଼ିବ ପ୍ରଭାବ

ଭୁବନେଶ୍ୱର: ୧୯୯୯ ପରେ ବଙ୍ଗୋପସାଗରରେ ଆସିଥିବା ସବୁଠୁ ବଡ଼ ବାତ୍ୟା ‘ଅମ୍ଫାନ’ । ସମୁଦ୍ରରେ ପବନର ବେଗ ୨୦୦-୨୪୦ କିମି ରହିଛି । ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି । ଏହି ବେଗ ବଢ଼ିବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବାନୁମାନ କରିଛନ୍ତି । ଏହା ଧିରେ ଧିରେ ଉତ୍ତର ଉତ୍ତର-ପୂର୍ବ ଦିଗକୁ ଗତି କରିବ । ଆସନ୍ତାକାଲି ‘ଅମ୍ଫାନ’ ଅପରାହ୍ଣ କିମ୍ବା ସନ୍ଧ୍ୟାରେ ସୁନ୍ଦରବନ ନିକଟରେ ଦୀଘା ଓ ହତିଆ ମଝିରେ ଏହା ଅତିକ୍ରମ କରିବ ।

‘ଅମ୍ଫାନ’ ଏବେ ଦକ୍ଷିଣରେ ପାରାଦୀପଠାରୁ ୩୬୦ କିମି ଦୂରରେ ଥିବାବେଳେ ଦୀଘା ଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମରେ ୫୧୦ କିମି ଦୂରରେ ଅଛି । ବାଂଲାଦେଶର ଖେପୁରିଆ ଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୬୫୦ କିମି ଦୂରରେ ରହିଛି ‘ଅମ୍ଫାନ’ ।

‘ଅମ୍ଫାନ’ ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୫୫-୧୬୫ କିମି ଘଣ୍ଟା ପ୍ରତି ରହିବ । ଗଷ୍ଟିଙ୍ଗ ସ୍ପିଡ୍ ୧୮୫ କିମି ରହିବ । ପବନର ବେଗ ଅଧିକ ରହୁଥିବାରୁ ବିଦ୍ୟୁତ୍ ଖୁଣ୍ଟ, ମୋବାଇଲ୍ ଟାୱାର ନଷ୍ଟ ହେବ । ଆଜବେଷ୍ଟସ୍ ଓ କଚ୍ଚା ଘର ସହିତ ନଡ଼ିଆ, ତାଳ ଗଛ ନଷ୍ଟ ହେବ । ଟ୍ରେନ୍, ବସ୍ ଓ ରୋଡ ଯାତାୟତ ମଧ୍ୟ ପ୍ରଭାବିତ ହେବ ।

ପ୍ରଭାବରେ ଅତି ପ୍ରବଳ ବର୍ଷା ହେବ । ଉତ୍ତର ଓଡ଼ିଶାରେ ‘ଅମ୍ଫାନ’ର ପ୍ରଭାବ ରହିବ, ଅତି ପ୍ରବଳ ବର୍ଷା ହେବ । ଦକ୍ଷିଣ ଉପକୂଳ ଓଡ଼ିଶାରେ ଏବେ ପବନର ବେଗ ୫୫-୬୫ କିମି ରହିଛି । ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲା ସମୁଦ୍ର ଅଞ୍ଚଳରେ ପବନର ବେଗ ବଢ଼ିଛି । ଆସନ୍ତାକାଲି ଏହି ବେଗ ଉତ୍ତର ଓଡ଼ିଶା ଉପକୂଳରେ ୧୧୦ କିମି ରହିବା ସହିତ ଗଷ୍ଟିଂ ୧୨୫ କିମି ଘଣ୍ଟାପ୍ରତି ରହିବ । ପୁରୀ, ଖୋର୍ଦ୍ଧା, କଟକ, ଯାଜପୁରରେ ପବନର ବେଗ ୫୫ରୁ ୬୫ କିମି ଘଣ୍ଟାପ୍ରତି ରହିବ ।

ମହାବାତ୍ୟାରୁ ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅମ୍ଫାନ’

ଲକଡାଉନରେ ଫସି ରହିଛି ଅକ୍ଷୟଙ୍କ ୭ ଫିଲ୍ମ, ଖିଲାଡି ଷ୍ଟାରଙ୍କୁ ଝଟକା

ମୁମ୍ବାଇ: କରୋନା ସଙ୍କଟ ସମୟରେ ହନ୍ତସନ୍ତ ହେଉଛି ଧନଜୀବନ । ଏଭଳି ପରିସ୍ଥିତିରେ ଲୋକଙ୍କୁ ସାହାଯ୍ୟର ହାତ ବଢାଉଛନ୍ତି ବଲିଉଡ଼ର ଖିଲାଡ଼ି କୁମାର । ଯଦିଓ କରୋନା ପାଇଁ ତାଙ୍କୁ ହିଁ ଅଧିକ କ୍ଷତି ସହିବାକୁ ପଡ଼ିଛି  । କାରଣ ଅକ୍ଷୟ କୁମାରଙ୍କ ୭ଟି ବଡ଼ ଫିଲ୍ମ ଲକଡାଉନ କାରଣରୁ ଫସି ରହିଛି । ଏଭଳି ପରସ୍ଥିତିରେ ଯେଉଁଠି ବଡ଼ ବଡ଼ ଫିଲ୍ମଗୁଡ଼ିକୁ ଅନଲାଇନ ପ୍ଲାଟଫର୍ମକୁ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ନିର୍ମାତା ସେହିଭଳି ଅକ୍ଷୟଙ୍କ ପାଇଁ ଏହା ଏକ ବଡ଼ କ୍ଷତିରେ ପରିଣତ ହେବାକୁ ଯାଉଛି । ଏମଧ୍ୟରୁ ଗୋଟିଏ ଫିଲ୍ମ ସୂର୍ଯ୍ୟବଂଶୀ । ରୋହିତ ସେଠୀଙ୍କ ଏହି ଫିଲ୍ମ ମାର୍ଚ୍ଚରେ  ଆସିବାର ଥିଲା ଯାହା ଏବେ ରିଲିଜ ଠାରୁ ବହୁ ଦୂରରେ ଅଛି ।

କିୟାରା ଆଡଭାନୀ ଏବଂ ଅକ୍ଷୟ କୁମାରଙ୍କ ଏହି ଫିଲ୍ମ ପ୍ରଥମରୁ ଚର୍ଚ୍ଚାରେ ରହିଆସିଛି । ଏହି ଫିଲ୍ମରେ ଅକ୍ଷୟ ପୂରା ନୂଆ ଅବତାରରେ ଅଛନ୍ତି ।  ଫିଲ୍ମ ଏହାର କାହାଣୀ ପାଇଁ ଲୋକଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଛି ।  ଏହି ଫିଲ୍ମକୁ ଅନଲାଇନ ପ୍ଲାଟଫର୍ମରେ ରିଲିଜ ହେବା ନେଇ ଚର୍ଚ୍ଚା ହେଉଛି ଯଦିଓ ଏପର୍ଯ୍ୟନ୍ତ ଏନେଇ କିଛି ସ୍ପଷ୍ଟ ହୋଇ ନାହିଁ ।

ଅକ୍ଷୟଙ୍କ ଏହି ଫିଲ୍ମ ଲକ୍ଷ୍ମୀବମ୍ ମଧ୍ୟ ଚଳିତ ବର୍ଷ ହିଁ ରିଲିଜ ହେବାର ଥିଲା । ସବୁ ଆଡ଼େ ଏହି ଫିଲ୍ମକୁ ନେଇ ଚର୍ଚ୍ଚା । ଏଥିରେ ଅକ୍ଷୟଙ୍କ ଲୁକ ମଧ୍ୟ ଜବରଦସ୍ତ ଅଛି । ନିର୍ମାତାମାନେ ଏହି ଫିଲ୍ମ ବର୍ଷ ଶେଷରେ ରିଲିଜ କରିବାକୁ ସ୍ଥିର କରିଥିଲେ । କିନ୍ତୁ ଏବେ କିଛି ବି କହିବା ଅସମ୍ଭବ ।

ମିସ ୱାର୍ଲଡ ମାନୁଷୀ ଛିଲ୍ଲର ଫିଲ୍ମ ପୃଥ୍ୱୀରାଜ୍ ଜରିଆରେ ଡେବ୍ୟୁ କରିବାର ଥିଲା । ନିଜେ ଅକ୍ଷୟ କୁମାର ଏହି ଐତିହାସିକ ଫିଲ୍ମର ଭାର ସମ୍ଭାଳିବାର ଯଥା ସମ୍ଭବ ଚେଷ୍ଟା କରୁଛନ୍ତି । ଏହି ଫିଲ୍ମ ମଧ୍ୟ ଅକ୍ଷୟ କୁମାରଙ୍କ ସବୁଠୁ ବଡ଼ ଫିଲ୍ମମାନଙ୍କ ମଧ୍ୟରୁ ଗୋଟେ । ଦିୱାଲିରେ ଏହି ଫିଲ୍ମକୁ ରିଲିଜ୍ କରିବାକୁ ପ୍ରସ୍ତୁତି ମଧ୍ୟ ହୋଇଛି । ଯଦିଓ ଏବେ ଏହାକୁ ନେଇ ମଧ୍ୟ ସମସ୍ୟା ଦେଖା ଦେଇଛି ।

ରାଞ୍ଝଣା ପରେ ଆନନ୍ଦ ଏଲ ରାୟ ଅତରଙ୍ଗିରେ ନାମକ ଏକ ରୋମାଣ୍ଟିକ ଫିଲ୍ମ ନେଇ ଆସୁଛନ୍ତି ।   ଫିଲ୍ମରେ ସାଉଥ୍ ଷ୍ଟାର ଧନୁସ ଏବଂ ବଲିଉଡ଼ ଖିଲାଡ଼ି କୁମାର ଏଥିରେ ନଜର ଆସିବାର ଥିଲା । କିନ୍ତୁ ଲକଡାଉନ କାରଣରୁ ଏହି ଫିଲ୍ମର ସୁଟିଂ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

ଅକ୍ଷୟ କୁମାରଙ୍କ ବଚନ ପାଣ୍ଡେ ଫିଲ୍ମ ମଧ୍ୟ ଚଳିତ ବର୍ଷର  ବଡ଼ ଫିଲ୍ମ ମଧ୍ୟରୁ ଗୋଟିଏ । ଏହି ଫିଲ୍ମରେ ଅକ୍ଷୟଙ୍କ ଲୁକ ଦେଖିଲା ପରେ ହିଁ ଲୋକେ ଏହି ଫିଲ୍ମ ଦେଖିବାକୁ ବ୍ୟାକୁଳ ଅଛନ୍ତି । ନିର୍ମାତାମାନେ ମଧ୍ୟ ଏହି ଫିଲ୍ମକୁ ମାର୍ଚ୍ଚମାସରେ ହିଁ ରିଲଜ କରିବାକୁ ଚାହୁଁଥିଲେ । କିନ୍ତୁ ଲକଡ଼ାଉନ ପାଇଁ ଇଏ ବି ବନ୍ଦ ।

ଏକତା କପୁରଙ୍କର ଏକ ଆକ୍ସନ କମେଡ଼ି ଫିଲ୍ମ ମଧ୍ୟ ଏହି ଲିଷ୍ଟରେ ସାମିଲ ହୋଇଛି । ଯଦିଓ ଫିଲ୍ମର ନାଁ ଏପର୍ଯ୍ୟନ୍ତ ଦିଆଯାଇନାହିଁ କିନ୍ତୁ ଏହା ସାଉଥ ଫିଲ୍ମର ରିମେକ ହେବ । କିନ୍ତୁ ଏଭଳି ପରିସ୍ଥିତିରେ ଏହି ଫିଲ୍ମକୁ ସୁଯୋଗ ମିଳିବ କି ନାହିଁ ତାହା ମଧ୍ୟ ଜଣାନାହିଁ ।

 

ବିଶ୍ୱକୁ କରୋନା ଭାଇରସ୍‌ରୁ ମୁକ୍ତ କରିବା ପାଇଁ ଚୀନ୍‌ର ୨ଟି ବଡ଼ ନିଷ୍ପତ୍ତି

କରୋନା ଠାରୁ ବିଶ୍ୱକୁ ମୁକ୍ତ କରିବା ପାଇଁ ଚୀନ୍ ଦୁଇଟି ପ୍ରମୁଖ ନିଷ୍ପତ୍ତି ଘୋଷଣା କରିଛି । ଏଏଫ୍‌ପି ରିପୋର୍ଟ ଅନୁଯାୟୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସୋମବାର ଦିନ କହିଛନ୍ତି ଯେ ଚୀନ୍ ଦ୍ୱାରା ପ୍ରସ୍ତୁତ କରୋନା ଟୀକା ସମଗ୍ର ବିଶ୍ୱରେ ଉପଲବ୍ଧ ହେବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରି ସି ଜିନପିଙ୍ଗ ଏହା ମଧ୍ୟ କହିଛନ୍ତି ଯେ କରୋନା ଭାଇରସ୍‌ ବିରୋଧରେ ହେଉଥିବା ଲଢ଼େଇରେ ଚୀନ୍ ୨ ବିଲିୟନ ଡଲାର (ପ୍ରାୟ ୧୫୧୩୯ କୋଟି ଟଙ୍କା) ପ୍ରଦାନ କରିବ ।

ବିଶେଷକରି ବିକାଶଶୀଳ ଦେଶମାନଙ୍କରେ କରୋନା ବିରୋଧରେ ଲଢ଼ିବା ପାଇଁ ଏହି ଅର୍ଥ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଦିଆଯିବ ।  ଚୀନ୍ ଏହାମଧ୍ୟ ଦାବି କରିଛି ଯେ କରୋନା ସଙ୍କଟକୁ ନେଇ ଏହାର ନୀତି ସର୍ବଦା ପାରଦର୍ଶୀ  ରହିଛି । ସି ଜିନପିଙ୍ଗ କହିଛନ୍ତି ଚୀନ୍ କରୋନା ପ୍ରତିଶେଧକ ଟୀକା ପ୍ରସ୍ତୁତ କରିବା ମାତ୍ରେ ଏହା ସମଗ୍ର ବିଶ୍ୱ ପାଇଁ ଉପଲବ୍ଧ ହେବ।

ଆମେରିକା, ଅଷ୍ଟ୍ରେଲିଆ ସମେତ ବିଶ୍ୱର ଅନେକ ଦେଶ ଚୀନ୍ ଉପରେ କରୋନା ସମ୍ବନ୍ଧୀୟ ତଥ୍ୟ ଲୁଚାଇଥିବା ଅଭିଯୋଗ କରିଛନ୍ତି । ଏହା ସହିତ ଚୀନ୍‌ର ଏକ ଲ୍ୟାବରୁ କରୋନା ଲିକ୍‌ ହୋଇଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ଗତ ସପ୍ତାହରେ ଆମେରିକା ଏବଂ ଚୀନ୍ ମଧ୍ୟରେ  ଏନେଇ ତିକ୍ତତା ବୃଦ୍ଧି ପାଇଛି । ସେପଟେ ଭିଡିଓ ଜରିଆରେ WHO ସମ୍ମିଳନୀରେ ଯୋଗ ଦେଇଥିବା ସି ଜିନପିଙ୍ଗ କହିଛନ୍ତି ଯେ କରୋନା ସଙ୍କଟ ସମାପ୍ତ ହେବା ପରେ ଏହି କରୋନା ଭାଇରସ କେଉଁଠୁ ଆସିଲା ସେନେଇ ତଦନ୍ତ ହେବା ଦରକାର ।

ୟୁରୋପୀୟ ୟୁନିଅନର ୨୭ ଜଣ ସଦସ୍ୟଙ୍କ ସମେତ ଦୁନିଆର ଅନେକ ଦେଶ କରୋନା ସମ୍ବନ୍ଧରେ WHO ର ପ୍ରାରମ୍ଭିକ ପ୍ରତିକ୍ରିୟାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

ସ୍ଥଳଭାଗ ଛୁଇଁବା ବେଳେ ତାଣ୍ଡବ ରଚିବ ମହାବାତ୍ୟା ‘ଅମ୍ଫାନ’

ଭୁବନେଶ୍ୱର: ଅତି ଭୀଷଣ ରୂପରେ ‘ଅମ୍ଫାନ’ ଆସନ୍ତାକାଲି ଲାଣ୍ଡଫଲ୍ କରିବ । ଲାଣ୍ଡଫଲ ବେଳେ ଏହାର ପ୍ରକୋପ ଫନି ଭଳି ରହିବ । ସେଥିପାଇଁ NDRF ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ଡିଜି ସତ୍ୟନାରାୟଣ ପ୍ରଧାନ । ମୁକାବିଲା ପାଇଁ ଓଡ଼ିଶାରେ NDRFର ୧୫ଟି ଟିମ୍ ଓ ପଶ୍ଚିମବଙ୍ଗରେ ୧୯ଟି ଟିମ୍ ମୁତୟନ ରହିଛନ୍ତି । ସମସ୍ତଙ୍କ ପାଖରେ ୱେୟାରଲେସ୍ ଓ ସାଟେଲାଇଟ୍ ଫୋନ୍ ରହିଛି । NDRF ମୁଖ୍ୟାଳୟ ସହ ସେମାନେ ସମ୍ପର୍କ କରିପାରିବେ ।

କୋଭିଡ୍-୧୯ ମହାମାରୀ ସହ ବାତ୍ୟାର ଚ୍ୟାଲେଞ୍ଜକୁ ଆମେ ଗ୍ରହଣ କରିବା ସହ କାର୍ଯ୍ୟ କରୁଛୁ । ପଶ୍ଚିମବଙ୍ଗରେ ୨୧ଟି ଟିମ୍ ରିଜର୍ଭରେ ରହିଛି । ଓଡ଼ିଶାରେ ୨୦ଟି ଟିମରୁ ୫ଟି ଟିମ୍ ରିଜର୍ଭରେ ରହିଛି । ବାଲେଶ୍ୱରରେ ୪, କେନ୍ଦ୍ରାପଡ଼ାରେ ୩, ଜଗତସିଂହପୁରରେ ୨, ଭଦ୍ରକରେ ୩, ମୟୂରଭଞ୍ଜରେ ୧, ପୁରୀରେ ୧ ଓ ଯାଜପୁରରେ ଗୋଟିଏ ଲେଖାଏଁ NDRF ଟିମ୍ ମୁତୟନ ରହିଛନ୍ତି ।

ପ୍ରତି ବାଟାଲିୟନରେ ୪ଟି ଲେଖାଏଁ ଟିମ୍ ମହଜୁଦ୍ ରହିଛନ୍ତି । ଆବଶ୍ୟକସ୍ଥଳେ ଅନ୍ୟତ୍ର ଏୟାରକ୍ରାଫ୍ଟରେ ସ୍ଥାନାନ୍ତର କରାଯାଇ ପାରିବ । ବିଭିନ୍ନ ସ୍ଥାନରେ କୋଭିଡ୍-୧୯କୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ସହ ତଳିଆ ଅଞ୍ଚଳରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଉଛି ।

ମହାବାତ୍ୟାରୁ ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅମ୍ଫାନ’

ପାରାଦୀପ ଠାରୁ ଦକ୍ଷିଣରେ ୪୨୦ କିମି ଦୂରରେ ‘ଅମ୍ଫାନ’

ଭୁବନେଶ୍ୱର: ମହାବାତ୍ୟା ‘ଅମ୍ଫାନ’ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରୁଛି । ବିଗତ ୬ ଘଣ୍ଟା ହେଲା ଅତି ଭୀଷଣ ବାତ୍ୟା ରୂପରେ ‘ଅମ୍ଫାନ’ ଗତି କରୁଥିବା ବେଳେ ବେଗ ରହିଛି ଘଣ୍ଟାପ୍ରତି ୧୭ କିମି । ଏବେ ଏହା ପାରାଦୀପ ଠାରୁ ଦକ୍ଷିଣରେ ୪୨୦ କିମି ଦୂରରେ ଥିବା ବେଳେ ପଶ୍ଚିମବଙ୍ଗ ଦୀଘାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୫୭୦ କିମି ଦୂରରେ ରହିଛି । ବାଂଲାଦେଶର ଖେପୁରିଆ ଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୭୦୦ କିମି ଦୂରରେ ରହିଛି ‘ଅମ୍ଫାନ’ ।

ଏହା ଉତ୍ତର ଉତ୍ତର-ପୂର୍ବ ଦିଗକୁ ଗତି କରି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଅତିକ୍ରମ କରିବ । ପଶ୍ଚିମବଙ୍ଗର ଦୀକ୍ଷା ଓ ବାଂଲାଦେଶର ହତିଆ ମଧ୍ୟରେ ଏହା ୨୦ ତାରିଖ ଅପରାହ୍ଣ କିମ୍ବା ସନ୍ଧ୍ୟାରେ ଅତିକ୍ରମ କରିବ । ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିମି ରହିବା ସହ ବେଳେବେଳେ ପବନ ୧୮୫ କିମି ବେଗରେ ବହିବ । ଏବେ ବିଶାଖାପାଟନମ ଡପଲର ୱେଦର ରାଡାରରୁ ‘ଅମ୍ଫାନ’ ଉପରେ ନଜର ରଖାଯାଉଛି ।

ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ  ସହ ଯାଜପୁର, ବାଲେଶ୍ୱର, କଟକ, ମୟୂରଭଞ୍ଜ, ଖୋର୍ଦ୍ଧା ଓ ପୁରୀରେ ଆଜି ପ୍ରବଳ ବର୍ଷା ହୋଇପାରେ । ୨୦ ତାରିଖରେ ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝରରେ ଅତି ପ୍ରବଳ ବର୍ଷା ହେବ ।

ଦକ୍ଷିଣ ଓଡ଼ିଶାରେ ପବନର ବେଗ ୪୦ ଓ ୪୫ କିମି ସହ ଘଣ୍ଟାପ୍ରତି ୬୦ କିମି ରହିପାରେ । ୨୦ ତାରିଖରେ ଉତ୍ତର ଓଡ଼ିଶା ଉପକୂଳରେ ପବନ ଘଣ୍ଟାପ୍ରତି ୭୫ରୁ ୮୫ କିମି ବେଗରେ ବହିବା ସହ ବେଳେବେଳେ ୯୫ କିମି ରହିବ । ପଶ୍ଚିମବଙ୍ଗର ପୂର୍ବ ଓ ପଶ୍ଚିମ ମେଦିନିପୁର, ସାଉଥ ଓ ନର୍ଥ ୨୪ ପ୍ରଗଣା, ହାୱଡ଼ା, ହୁଗଳି, କୋଲକାତାରେ ପ୍ରବଳ ବର୍ଷା ସହ ପବନରେ ବେଗ ୧୧୦ରୁ ୧୨୫ କିମି ଘଣ୍ଟା ପ୍ରତି ରହିବ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ପ୍ରବେଶ ବାରଣ କରାଯାଇଛି । ସମୁଦ୍ର ଜୁଆର ୪ରୁ ୫ ମିଟର ପର୍ଯ୍ୟନ୍ତ ବଢ଼ିପାରେ ।

ମହାବାତ୍ୟାରୁ ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅମ୍ଫାନ’

କରୋନା ନେଇ ହେବ ବିରୋଧୀଙ୍କ ବଡ଼ ବୈଠକ, ମମତା-ଉଦ୍ଧବଙ୍କ ସମେତ ୧୫ଟି ଦଳର ନେତା ହେବେ ସାମିଲ…

ନୂଆଦିଲ୍ଲୀ: କରୋନା ପାଇଁ ବିରୋଧୀଙ୍କ ବାଣର ବାରମ୍ବାର ଶିକାର ହେଉଛି କେନ୍ଦ୍ର । ଶୁକ୍ରବାର ଅପରାହ୍ନ ୩ ଟାରେ କରୋନା ସଙ୍କଟ ଉପରେ ବିରୋଧୀଦଳର ଏକ ପ୍ରମୁଖ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଏନସିପି ନେତା ଶରଦ ପାୱାର, ଡିଏମକେ ନେତା ଏମ.କେ ଷ୍ଟାଲିନ ଏବଂ ୧୫ ଟି ରାଜନୈତିକ ଦଳ ଯୋଗଦେବେ।

ତେବେ କଂଗ୍ରେସର କୌଣସି ପ୍ରତିନିଧୀ ଏହି ବୈଠକରେ ଅଂଶଗ୍ରହଣ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ସୂଚନା ଅନୁଯାୟୀ ଏହି ବୈଠକରେ ମୋଦୀ ସରକାରଙ୍କ କରୋନା ଏବଂ ଲକଡାଉନ ନେଇ ପଦକ୍ଷେପ ଗ୍ରହଣ କରାଯିବ ଏବଂ ରାଜ୍ୟ ସରକାରଙ୍କ ସହ ସରକାରଙ୍କ ଆଚରଣ ବିଷୟରେ ଆଲୋଚନା ହେବ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ବୈଠକରେ ସିଏମ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଭେଦଭାବ ଅଭିଯୋଗ କରିଛନ୍ତି ଏବଂ କହିଛନ୍ତି ଯେ ଏଭଳି ସମୟରେ କେନ୍ଦ୍ର ରାଜନୀତି କରିବା ଉଚିତ ନୁହେଁ । ସେ କହିଛନ୍ତି ଯେ କରୋନା ବିରୋଧରେ ଲଢ଼େଇରେ ରାଜ୍ୟ ଭଲ କାମ କରୁଛି ।

ଏହାପୂର୍ବରୁ ୨୬ ଏପ୍ରିଲରେ ସିଏମ୍ ଉଦ୍ଧବ ଠାକରେ କେନ୍ଦ୍ରକୁ ଟାର୍ଗେଟ କରି କହିଥିଲେ ଯେ ଆମେ କେନ୍ଦ୍ରରୁ ଡାଲି ମାଗିଥିଲୁ । କାରଣ ଆମ ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଲୋକଙ୍କୁ ଖାଦ୍ୟ ଶସ୍ୟ ଦେଇଥାଉ । କିନ୍ତୁ ଆମକୁ କେବଳ ଚାଉଳହିଁ ମଳିଛି । ସେଥିପାଇଁ ଆମେ ଡାଲି ଏବଂ ଗହମ ଦାବି କରିଛୁ ଯାହା ଏପର୍ଯ୍ୟନ୍ତ ପାଇନାହୁଁ  ।

ତେବେ କେନ୍ଦ୍ରକୁ ଘେରିବା ପାଇଁ ମମତା ବାନାର୍ଜୀ, ଉଦ୍ଧବ ଠାକରେ ଏବଂ ବିରୋଧୀ ଦଳର ନେତା ଏହି ସବୁ ପ୍ରସଙ୍ଗରେ ନିଜର ରଣନୀତି ପ୍ରସ୍ତୁତ କରିବେ। ଏଥିସହ ରାଜ୍ୟଗୁଡ଼ିକରୁ କେନ୍ଦ୍ର ଦାବି କରୁଥିବା ରିଲିଫ୍ ପ୍ୟାକେଜ୍ ଉପରେ ମଧ୍ୟ ଆଲୋଚନା କରାଯାଇପାରିବ। ରାଜ୍ୟଗୁଡ଼ିକ ପାଇଁ ଏପର୍ଯ୍ୟନ୍ତ ରିଲିଫ୍ ପ୍ୟାକେଜ୍ ଘୋଷଣା କରାଯାଇ ନାହିଁ ।

ରାଜ୍ୟରେ ପ୍ରଥମ ଥର ପାଇଁ କରୋନା ସଂକ୍ରମିତ ପୋଲିସ କର୍ମଚାରୀ ଚିହ୍ନଟ

ଭୁବନେଶ୍ୱର:  ପୋଲିସ କର୍ମଚାରୀ କରୋନା । ରାଜ୍ୟରେ ପ୍ରଥମ ଥର ପାଇଁ କରୋନା ସଂକ୍ରମିତ ପୋଲିସ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଚିହ୍ନଟ ହୋଇଥିବା ପୋଲିସ କର୍ମଚାରୀ ଛୁଟିରୁ ଫେରିବା ପରେ ତାଙ୍କ ଟେଷ୍ଟି କରାଯାଇଥିଲା । ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ତାଙ୍କର କୋଭିଡ-୧୯ ଟେଷ୍ଟ କରାଯାଇଥିଲା ।

ତେବେ ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଇନାହିଁ । ତାଙ୍କୁ ୩୬ ବର୍ଷ ବୟସ ହୋଇଛି ।  ସେ ବର୍ତ୍ତମାନ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି ହୋଇଛନ୍ତି । ସେ ଅନ୍ୟ ରାଜ୍ୟର କିଛି ଶ୍ରମିକଙ୍କ ସଂସ୍ପର୍ଶରେ ଆସିଥିଲେ । ସେଠାରୁ ସେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।

ଗୋଟିଏ ଦିନରେ ସର୍ବାଧିକ ୧୦୨ ସଂକ୍ରମିତ ଚିହ୍ନଟ: ଜଣେ ମୃତ

ପ୍ରବାସୀ ଶ୍ରମିକଙ୍କ ଟ୍ରେନ୍‌ ଯାତ୍ରା ଉପରେ MHA ଜାରି କଲା ନୂଆ ଗାଇଡ୍‌ଲାଇନ୍

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ କାରଣରୁ ଲକ୍‌ଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କ ଗତିବିଧି ପାଇଁ ଶ୍ରମିକ୍ ସ୍ପେଶାଲ୍ ଟ୍ରେନ୍‌କୁ ନେଇ କେନ୍ଦ୍ର ସରକାର ମଙ୍ଗଳବାର ସାମାଜିକ ଦୂରତା ଏବଂ କାର୍ଯ୍ୟସୂଚୀ ସମେତ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) କହିଛି ଯେ, କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ନୂଆ ଗାଇଡ୍‌ଲାଇନ୍‌ ମାନିବା ବାଧ୍ୟତାମୂଳକ ।

କେନ୍ଦ୍ର ଗୃହ ସଚିବ ଅଜୟ ଭାଲା କହିଛନ୍ତି ଯେ, ଏମ୍‌ଏଚ୍‌ଏ ସହିତ ପରାମର୍ଶ କରି ରେଳ ମନ୍ତ୍ରଣାଳୟ ଦ୍ୱାରା ଶ୍ରମିକ ଟ୍ରେନ ଚଳାଚଳକୁ ଅନୁମତି ଦିଆଯାଇଛି ।

ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ନୋଡାଲ କର୍ତ୍ତୃପକ୍ଷ, ଶ୍ରମିକଙ୍କୁ କିଭଳି ସଠିକ୍‌ ଭାବେ ରିସିଭ୍‌ କରିବେ ଓ ପଠାଇବେ ସେନେଇ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଛନ୍ତି ଭାଲା ।

ଟ୍ରେନ୍‌ ଗୁଡ଼ିକର “ଷ୍ଟପେଜ୍‌ ଏବଂ ଗନ୍ତବ୍ୟ ସ୍ଥଳ ସମେତ ଟ୍ରେନ୍ କାର୍ଯ୍ୟସୂଚୀ, ରାଜ୍ୟର ଆବଶ୍ୟକତାକୁ ନଜରରେ ରଖି ଏମ୍‌ଓଆର୍‌ ଅନୁଯାୟୀ ଚୂଡ଼ାନ୍ତ ହେବ ।

ଟ୍ରେନ୍ କାର୍ଯ୍ୟସୂଚୀ, ଯାତ୍ରୀଙ୍କ ପ୍ରବେଶ ଏବଂ ଗତିବିଧି ପାଇଁ ପ୍ରୋଟୋକଲ୍, କୋଚରେ ପ୍ରଦାନ କରାଯିବାକୁ ଥିବା ସେବା ଏବଂ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ଦ୍ୱାରା କରାଯାଇଥିବା ଟିକେଟ୍‌ ବୁକିଂ ବ୍ୟବସ୍ଥା ରେଳ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶ ପାଇବ ।

ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ରେଳ ମନ୍ତ୍ରଣାଳୟ ନିଶ୍ଚିତ କରିବେ ଯେ, ସମସ୍ତ ଯାତ୍ରୀଙ୍କୁ ବାଧ୍ୟତାମୂଳକ ଭାବେ ପରୀକ୍ଷା କରାଯିବ ଏବଂ ଯେଉଁମାନଙ୍କର କୌଣସି ଲକ୍ଷଣ ନଥାଏ ସମାନେ ହିଁ ଟ୍ରେନ୍‌ରେ ଯାତ୍ରା କରିପାରିବେ ।

ସମସ୍ତ ଯାତ୍ରୀ ବୋର୍ଡିଂ ଏବଂ ଯାତ୍ରା ଅବଧି ସମୟରେ ସାମାଜିକ ଦୂରତା ପାଳନ କରିବାକୁ ବାଧ୍ୟ । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକର ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ପ୍ରୋଟୋକଲ୍ ମାନିବାକୁ ପଡିବ।