spot_img
Home Blog Page 712

କାଙ୍ଗାଳ ପାକିସ୍ତାନ ନେତାଙ୍କ ବଡୁଛି ବ୍ୟାଙ୍କ ବାଲାନ୍ସ,, ୫ ଗୁଣା ଦରମା ବଢାଇଲେ ପାକ୍ ସରକାର

ନନ୍ଦିଘୋଷ ବୁରୋ : ଗୋଟିଏ ପଟେ ବେକାରୀ ଓ ଋଣଭାରରେ ବୁଡି ରହିଥିବା ପାକିସ୍ତାନ ଦେଶ ନେତାଙ୍କ ପକେଟ୍ ଗରମ କରିବାରେ ବ୍ୟସ୍ତ ଅଛି । ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସରକାର ପୁଣି ଥରେ ଆଶ୍ଚର୍ଯ୍ୟ କଲା ଭଳି ପଦକ୍ଷେପ ନେଇଛନ୍ତି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜାତୀୟ ସଂସଦର ବାଚସ୍ପତି ଆୟାଜ ସାଦିକ ଓ ସିନେଟ୍ ଅଧ୍ୟକ୍ଷ ୟୁସୁଫ ରାଜା ଗିଲାନିଙ୍କ ଦରମା ୫୦୦ ପ୍ରତିଶତ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଏହି ଦୁଇଟି ଉଚ୍ଚ ପଦବୀରେ ଥିବା ନେତାମାନେ ପ୍ରତି ମାସରେ ୧୩ ଲକ୍ଷ ପାକିସ୍ତାନୀ ଟଙ୍କା ଦରମା ପାଇବେ, ଯେତେବେଳେ ପୂର୍ବରୁ ସେମାନେ କେବଳ ୨.୦୫ ଲକ୍ଷ ଟଙ୍କା ପାଉଥିଲେ। ଏହି ବର୍ଦ୍ଧିତ ଦରମା ୧ ଜାନୁଆରୀ ୨୦୨୫ ରୁ କାର୍ଯ୍ୟକାରୀ ହେବ।

ଏହା ପ୍ରଥମ ଥର ନୁହେଁ ଯେ ସରିଫ ସରକାର ନେତାଙ୍କ ଦରମା ଏତେ ବୃଦ୍ଧି କରିଛନ୍ତି। ମାର୍ଚ୍ଚ ୨୦୨୫ରେ ହିଁ କ୍ୟାବିନେଟ ମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ ଓ ସ୍ୱତନ୍ତ୍ର ପରାମର୍ଶଦାତାଙ୍କ ଦରମା ୧୮୮% ବୃଦ୍ଧି କରାଯାଇଥିଲା। କେବଳ ଏତିକି ନୁହେଁ, ସାଂସଦ ଓ ସିନେଟରଙ୍କ ମାସିକ ଦରମା ମଧ୍ୟ ୫.୧୯ ଲକ୍ଷ ପାକିସ୍ତାନୀ ଟଙ୍କାକୁ ବୃଦ୍ଧି କରାଯାଇଥିଲା।

ଏହା ଉଲ୍ଲେଖନୀୟ ଯେ ଯେତେବେଳେ ଶାହବାଜ ସରିଫ ସରକାର କ୍ଷମତାକୁ ଆସିଥିଲେ, ତାଙ୍କ କ୍ୟାବିନେଟରେ କେବଳ ୨୧ ଜଣ ମନ୍ତ୍ରୀ ଥିଲେ। ବର୍ତ୍ତମାନ ଏହି ସଂଖ୍ୟା ୫୧ କୁ ବୃଦ୍ଧି ପାଇଛି। ଗୋଟିଏ ପଟେ ଆଇଏମଏଫ ଓ ବିଶ୍ୱ ବ୍ୟାଙ୍କକୁ ବେଲଆଉଟ ପ୍ୟାକେଜ ପାଇଁ ଭିକ୍ଷା କରାଯାଉଛି, ଅନ୍ୟପଟେ ସରକାର ନିଜକୁ ଆର୍ଥିକ ଭାବରେ ଲାଭବାନ କରୁଛି।

ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ, ଜୀବନରୁ ମାରି ଦେବା ପରେ ଜାଳି ଦେଲେ ଦୁର୍ବୃତ୍ତ

ମୋହନା : ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ। ଜୀବନରୁ ମାରି ଦେବା ପରେ ଜାଳି ଦେଲେ ଦୁର୍ବୃତ୍ତ। ଏହି ଜଘନ୍ୟକାଣ୍ଡ ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁଇହୁରୁ ଗାଁରେ। ମୃତକ ହେଲେ ୬୦ ବର୍ଷୀୟ କାମ୍ବି ମଳିକ। ଗତ ମଙ୍ଗଳବାର ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ପୋଲିସ ଆଜି ଘଟଣାସ୍ଥଳକୁ ଯାଇ ପାଉଁଶ, ହାଡ଼ ଆଦି ଜବତ କରିଛି। କାମ୍ଵିଙ୍କ ପୁଅ ଝିଅ ଅଭିଯୋଗ କରିଛନ୍ତି, ମଙ୍ଗଳବାର ରାତିରେ ବାପା ଏକଲା ଘରେ ଥିଲେ। ଅନ୍ୟ କେହି ନ ଥିଲେ। ଏହି ସମୟରେ କେହି ତାଙ୍କୁ ହତ୍ୟା କରିଛି। ବୁଧବାର ସକାଳେ ପୁଅ ଝିଅ ଘରକୁ ଆସି ଦେଖିବା ବେଳେ ବାପା ଘରେ ନଥିଲେ l କିନ୍ତୁ ଘର ଆଗରେ ରକ୍ତ ଛିଟା ପଡ଼ିଥିବା ଦେଖି ମନରେ ସନ୍ଦେହ ଉପୁଜି ଥିଲା l ବାପାଙ୍କୁ ଖୋଜାଖୋଜି କରିଥିଲେ। କିଛି ଦୂରରେ ତାଙ୍କୁ ପୋଡ଼ି ଦିଆଯାଇଥିବାର ବି ସେମାନେ ଜାଣିବାକୁ ପାଇଥିଲେ। ତେବେ ଭୟରେ ପରିବାର ଲୋକ ଚୁପ ରହିଥିଲେ। ଆଜି ମୋହନା ପୋଲିସ ଖବର ପାଇ କୁଇହୁରୁ ଗାଁରେ ପହଁଞ୍ଚି ତଦନ୍ତ ପରେ ହତ୍ୟାକାଣ୍ଡ ହୋଇଥିବା ସ୍ପଷ୍ଟ କରିଛି । ସୂଚନା ଅନୁସାରେ କାମ୍ବି ଝlଡ଼ଫୁଙ୍କ କରିବା ସହ ଚେର ମୂଳି ଔଷଧ ଦେଉଥିଲେ। ତେଣୁ ଗୁଣି ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ଗାଁ ପୁରୁଷ ଶୂନ୍ୟ ହୋଇ ଯାଇଛି।

କାୟା ମେଲାଇଲାଣି କରୋନା, ରାଜ୍ୟର ୭ ଜିଲ୍ଲାକୁ ବ୍ୟାପିଲା ସଂକ୍ରମଣ

ଭୁବନେଶ୍ବର : କାୟା ମେଲାଇଲାଣି କରୋନା। ମାମଲା ବଢ଼ିବା ସହ ରାଜ୍ୟର ୭ ଜିଲ୍ଲାକୁ ବ୍ୟାପିଲା ସଂକ୍ରମଣ। ଏହି ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, କଟକ, ପୁରୀ, ବାଲେଶ୍ୱର, ଜଗତସିଂହପୁର, କେନ୍ଦୁଝର ଓ ସୁନ୍ଦରଗଡ଼। ୨୪ ଘଣ୍ଟାରେ ରାଜ୍ୟରେ ଆଉ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ସଂକ୍ରମଣ ୪୫ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ, ଆକ୍ଟିଭ କେଶ୍ ୩୩ ରହିଛି। ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୩୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ମାମଲା ୬ ହଜାର ୧୩୩ ଥିବା ବେଳେ, ଏଯାଏଁ ୬୫ ଜଣଙ୍କର ଗଲାଣି ଜୀବନ।

ଇମିଗ୍ରେସନ ପ୍ରସଙ୍ଗକୁ ନେଇ ଲସ୍ ଆଞ୍ଜେଲସ ସ୍ଥିତି ବେହାଲ

ନନ୍ଦିଘୋଷ ବ୍ୟୁରୋ : ଇମିଗ୍ରେସନ ପ୍ରସଙ୍ଗକୁ ନେଇ ଲସ୍ ଆଞ୍ଜେଲସ ସ୍ଥିତି ବେହାଲ । ସହରରେ ମୁତୟନ ହୋଇଛନ୍ତି ୨୦୦୦ ନ୍ୟାସନାଲ ଗାର୍ଡ ବାହିନୀ । ସହରରେ ଇମିଗ୍ରେସନ ରେଡ ଜାରି ରହିଥିବାବେଳେ ବିଭିନ୍ନ ସ୍ଥାନରେ ହୋଇଛି ପ୍ରତିବାଦ ଆନ୍ଦୋଳନ । ଗତ ଶୁକ୍ରବାରଠାରୁ ସହରରେ ଏହି ଆନ୍ଦୋଳନ ଜାରି ରହିଥିବାବେଳେ ଉତ୍ତେଜନା ରୋକିବା ଲାଗି ଦମନ ପ୍ରକ୍ରିୟା ଜାରି ରହିଛି । କେତେକ ସ୍ଥାନରେ ହିଂସାକାଣ୍ଡ ବି ଦେଖିବାକୁ ମିଳିଛି । କାଲିଫର୍ଣ୍ଣିଆ ଗଭର୍ଣ୍ଣର ଗାଭିନ ନିଉଜକମ ଓ ଲସ ଆଞ୍ଜେଲସ ମେୟର କାରେନ ବାସଙ୍କୁ ସ୍ଥିତି ନିୟନ୍ତ୍ରଣ କରିବା ଲାଗି ଆହ୍ବାନ ଦେଇଛନ୍ତି ଟ୍ରମ୍ପ । ଏହି ଘଟଣାକୁ ପ୍ରାୟ ୫୦ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଉତ୍ତେଜନା ପ୍ରଶମିତ କରିବା ଲାଗି ଆନ୍ଦୋଳନକାରୀଙ୍କ ଉପରେ ଲୁହବୁହା ଗ୍ୟାସ ପ୍ରୟୋଗ କରିଛନ୍ତି ବର୍ଡର ପାଟ୍ରୋଲ ବାହିନୀ । ଆନ୍ଦୋଳନକାରୀମାନେ ମାସ୍କ ପିନ୍ଧି ପ୍ରତିବାଦ କରୁଥିବା ଦେଖାଯାଉଛି । ଗତ ଶୁକ୍ରବାରଠାରୁ ଲସ ଆଞ୍ଜେଲସରେ ଇମିଗ୍ରେସନ ରେଡ ଜାରି ରହିଛି । ଏହି ରେଡରେ ୪୪ ଜଣଙ୍କୁ ଗିରଫ କରାଯାଇଛି । ଏହି ରେଡକୁ ବିରୋଧ କରି ପ୍ରାୟ ଏକ ହଜାର ଲୋକ ରାସ୍ତା ଉପରକୁ ଆସିଛନ୍ତି । ସେମାନେ ସରକାରୀ ସମ୍ପତ୍ତି ନଷ୍ଟ କରିବା ସହ ପୋଡାଜଳା କରିଛନ୍ତି । ଡିପୋର୍ଟେସନ ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରାଯାଇଥିବାବେଳେ ବିନା ନଥିପତ୍ରରେ ରହୁଥିବା ବିଦେଶୀଙ୍କୁ ବାହାର କରିବା ଲାଗି ଜୋରଦାର ଅଭିଯାନ ଆରମ୍ଭ ହୋଇଛି । ଆନ୍ଦୋଳନକୁ ନିନ୍ଦା କରିଛନ୍ତି ହ୍ବାଇଟ ହାଉସ ଡେପୁଟି ଚିଫ ଅଫ ଷ୍ଟାଫ ଷ୍ଟିଫେନ ମିଲର । ଇମିଗ୍ରେସନ ଆଣ୍ଡ କଷ୍ଟମସ ଏନଫୋର୍ସମେଣ୍ଟ ବା ICE ବିରୋଧରେ ହେଉଥିବା ଆନ୍ଦୋଳନକୁ କଠୋର ହସ୍ତରେ ଦମନ କରାଯିବ ବୋଲି କହିଛି ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ । ଦମନ ପ୍ରକ୍ରିୟାର ସ୍ଥିତି ଅନୁଧ୍ୟାନ କରିଛି ଏଫବିଆଇ ।

କମ୍ବିଂ ଅପେରସନକୁ ଜୋରଦାର, ଡ୍ରୋନ କ୍ୟାମେରା ସହାୟତାରେ ଚାଲିଛି ଅପରେସନ

ସମ୍ବଲପୁର : ସମ୍ବଲପୁର ସୁବର୍ଣ୍ଣପୁର ଜିଲ୍ଲା ସୀମାବର୍ତ୍ତି ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ସନ୍ଦେହ । ସମ୍ବଲପୁର ଜିଲ୍ଲାର ଚାରମାଲ ଥାନା ବଡ଼ମାଳ ଫାଣ୍ଡି ଅଞ୍ଚଳରେ ମାଓବାଦୀ ଗତିବିଧି ଦେଖା ଦେଇଥିବା ଜଣାପଡ଼ିଛି। ମାଓବାଦୀ ଗତିବିଧି ପରେ କମ୍ବିଂ ଅପେରସନକୁ ଜୋରଦାର କରାଯାଇଛି। ଡ୍ରୋନ କ୍ୟାମେରା ସହାୟତାରେ ଅର୍ଦ୍ଧ ସାମରିକ ବାହିନୀ, DVF ଓ ଏସଓଜି ଯବାନଙ୍କୁ ନେଇ ଚାଲିଛି ଅପରେସନ। ଛତିଶଗଡରେ ଜୋରଦାର ଅପରେସନ ପରେ ୧୦୦ରୁ ଅଧିକ ମାଓବାଦୀ ଏ ଅଞ୍ଚଳକୁ ଆସିଥିବା ସନ୍ଦେହ କରାଯାଉଛି। ପୂର୍ବରୁ ଯୁଯୁମୁରା ମେଘପାଳ ଆଦି ଅଞ୍ଚଳ ମାଓବାଦୀଙ୍କ ଗଡ଼ ଥିଲା। ପୂର୍ବରୁ MCC ମାଓ କମ୍ୟୁନିଷ୍ଟ ସେଣ୍ଟର୍ ଓ ପରେ ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ ହେଉଛି ସିପିଆଇ ମାଓବାଦୀଙ୍କର ରେଡ୍ କରିଡର ଅଞ୍ଚଳ। ଆନ୍ଧ୍ର ପଟରୁ ସୋନପୁର ସମ୍ବଲପୁର ଦେଓଗଡ଼ ସୁନ୍ଦରଗଡ଼ ଦେଇ ଝାଡ଼ଖଣ୍ଡକୁ ସଂଯୋଗ କରୁଛି ଲହି ରେଡ୍ କରିଡର।

ମହିଳାଙ୍କୁ ଦୁଇ ସମ୍ପର୍କୀୟ ଭାଇଙ୍କ ଦୁଷ୍କର୍ମ ଅଭିଯୋଗ

ଆନନ୍ଦପୁର : ମହିଳାଙ୍କୁ ଦୁଇ ସମ୍ପର୍କୀୟ ଭାଇଙ୍କ ଦୁଷ୍କର୍ମ ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ । ମହିଳାଙ୍କୁ  ଏକାକୀ ପାଇ ଦୁଇ ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ହୋଇଥିବା ନେଇ ଫାଣ୍ଡିରେ ଅଭିଯୋଗ କରିଥିଲେ ପୀଡିତା ମହିଳା । ଏହି ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି । ଅଟକ ଦୁଇ ଭାଇ ହେଲେ ଦୁର୍ଯ୍ୟଧନ ମଲ୍ଲିକଙ୍କ ପୁଅ ବ୍ରହ୍ମେଶ୍ବର ଓ ଅରୁଣ ମଲ୍ଲିକଙ୍କ ପୁଅ ବବୁଲୁ ।

ବିହାର ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା, ଇସ୍ତଫା ଦେଲେ ୟୁଟ୍ୟୁବର ମନୀଷ କଶ୍ୟପ

ପାଟନା : ବିହାର ନିର୍ବାଚନ ପୂର୍ବରୁ ବିଜେପିକୁ ଏକ ବଡ଼ ଝଟକା ଲାଗିଛି। ୟୁଟ୍ୟୁବର ବା ବିଜେପି ନେତା ମନୀଷ କଶ୍ୟପ ଦଳରୁ ଇସ୍ତଫା ଦେଇଛନ୍ତି। କଶ୍ୟପ ଫେସବୁକରେ ଲାଇଭ୍ ହୋଇ ଇସ୍ତଫା ଘୋଷଣା କରିଥିଲେ। କଶ୍ୟପ ୨୫ ଏପ୍ରିଲ ୨୦୨୪ରେ ଦଳରେ ଯୋଗ ଦେଇଥିଲେ। ସେ କହିଛନ୍ତି, ମୁଁ ମୋ ଗାଁକୁ ଯାଇ ସେଠାକାର ଲୋକଙ୍କ ସହ କଥା ହୋଇଥିଲି, ତା’ପରେ ମୁଁ ଏହି ନିଷ୍ପତ୍ତି ନେଇଛି। ମୋତେ ବିହାର ଓ ବିହାରୀମାନଙ୍କ ପାଇଁ ଲଢ଼ିବାକୁ ପଡିବ।

ମନୀଷ କଶ୍ୟପ ଆହୁରି କହିଛନ୍ତି, ମୁଁ ଭାବୁଛି ଯେ ଦଳରେ ରହି ମୁଁ ଲୋକଙ୍କ ସ୍ୱର ଉଠାଇପାରିବି ନାହିଁ। ଏପରି ପରିସ୍ଥିତିରେ ମୁଁ ଏହି ନିଷ୍ପତ୍ତି ନେଇଛି। ମୁଁ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲି। କଶ୍ୟପ କହିଥିଲେ ଯେ ମୁଁ ଏକ ପ୍ଲାଟଫର୍ମ ଖୋଜୁଛି। ଆପଣମାନେ ମୋତେ କୁହନ୍ତୁ ଯେ ମୁଁ ମୋର ନିଜର ଦଳ ଗଠନ କରିବି କି ନାହିଁ ? କିନ୍ତୁ, ମୁଁ ଏପରି ସ୍ଥିତିରେ ଅଛି । ମୁଁ କେଉଁ ଦଳରୁ ନିର୍ବାଚନ ଲଢ଼ିବି, ଏକା ନା ଆଉ କାହା ସହିତ? ଏହି ସମୟରେ ମନୀଷ ବିଜେପି ନେତାଙ୍କ ନାମ ନ ନେଇ ସେମାନଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ଏଠାରେ ରହିବା ଅର୍ଥ ହେଉଛି ଦୁର୍ନୀତି ଦେଖିବା ପରେ ମଧ୍ୟ ଆଖି ବନ୍ଦ କରି ରଖିବା। ମୁଁ ବିହାର ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଠିଆ ହୋଇଛି। ମୋର ଲଢ଼େଇ ହେଉଛି ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଉନ୍ନତ କରିବା।

ନିକଟରେ ପିଏମସିଏରେ ମନୀଷଙ୍କୁ ମାଡ଼ ମରାଯାଇଥିଲା। ଏହା ପରେ କୌଣସି ବିଜେପି ନେତା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ନଥିଲେ। ଏଥିରେ କ୍ଷୁବ୍ଧ ହୋଇ ସେ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି।

ମନୀଷ କଶ୍ୟପ ୨୮ ମାର୍ଚ୍ଚରେ ଲାଇଭ୍ ଆସି ଇସ୍ତଫା ଦେବେ ବୋଲି କହିଥିଲେ। ଗୁରୁବାର ରାତିରେ ସେ କହିଥିଲେ ଯେ ପୋଲିସ ମୋ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଏଫଆଇଆର୍ ରୁଜୁ କରିଛି। ମୁଁ ଶୁକ୍ରବାର ବିଜେପିରୁ ଇସ୍ତଫା ଦେବି। ଏହି ଘୋଷଣା କରିବାର ମାତ୍ର ୨୦ ଘଣ୍ଟା ପରେ ସେ ୟୁ-ଟର୍ଣ୍ଣ ନେଇଥିଲେ।

ବିଦ୍ୟୁତ୍ ଚୋରି ମାମଲାରେ ଏସପି ସାଂସଦ ଜିଆଉର ରହମାନ ବାର୍କଙ୍କୁ ଆଶ୍ୱସ୍ତି

ନନ୍ଦିଘୋଷ ବ୍ୟୁରୋ : ବିଦ୍ୟୁତ୍ ଚୋରି ମାମଲାରେ ଆହ୍ଲାବାଦ ହାଇକୋର୍ଟ ଏସପି ସାଂସଦ ଜିଆଉର ରହମାନ ବାର୍କଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଏ ସମ୍ପର୍କରେ ଏସପି ସାଂସଦଙ୍କ ଏକ ବୟାନ ଆସିଛି। ସେ ବିଦ୍ୟୁତ ବିଭାଗ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ କେବଳ ମୁଁ ନୁହେଁ ବରଂ ସମ୍ଭଲର ଅଧିକାଂଶ ଲୋକଙ୍କୁ ବିଦ୍ୟୁତ ବିଭାଗ ହଇରାଣ କରାଯାଉଛି।

ଏସପି ସାଂସଦଙ୍କ ଉପରେ ବିଦ୍ୟୁତ୍ ଚୋରି ଅଭିଯୋଗ ହୋଇଥିଲା। ବିଦ୍ୟୁତ୍ ବିଭାଗ ଅଧିକାରୀମାନେ ସାଂସଦଙ୍କ ଉପରେ ୧.୯୧ କୋଟି ଟଙ୍କା ଜରିମାନା ଲଗାଇଥିଲେ। କୋର୍ଟ ଶନିବାର ତୁରନ୍ତ ଜରିମାନା ଉପରେ ସ୍ଥଗିତ ରଖିଥିଲେ ଓ ତାଙ୍କ ଘରର ବିଦ୍ୟୁତ୍ ସଂଯୋଗ ପୁନଃସ୍ଥାପିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଆବେଦନକୁ ବଜାୟ ରଖିବା ପାଇଁ କୋର୍ଟ ସାଂସଦଙ୍କୁ ୬ ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସାଂସଦ ବିଦ୍ୟୁତ୍ ଅଧିକାରୀମାନଙ୍କୁ ଟାର୍ଗେଟ କରି କହିଛନ୍ତି, ଯେଉଁ ଅଧିକାରୀମାନେ ମୋ ଉପରେ ବିଦ୍ୟୁତ୍ ଚୋରି କରିବାର ଅଭିଯୋଗ ଆଣିଛନ୍ତି ସେମାନେ ପ୍ରଥମେ ନିଜ ବିବେକ ଭିତରକୁ ଚାହିଁ ଦେଖନ୍ତୁ ।, ମୁଁ ଜାଣିନାହିଁ ଯେ ଅଧିକାରୀମାନେ କାହାର ଚାପରେ କାମ କରୁଛନ୍ତି। କିନ୍ତୁ ଅଧିକାରୀମାନେ ମୋ ପ୍ରତି ଯାହା କଲେ ତାହା ବହୁତ ଭୁଲ କଲେ। କେବଳ ମୁଁ ନୁହେଁ ବରଂ ସମଗ୍ର ସମ୍ଭଲ ଅତ୍ୟାଚାର ଓ ନିର୍ଯାତନାର ସମ୍ମୁଖୀନ ହେଉଛି। ଆମକୁ ମାନସିକ ଭାବରେ ହଇରାଣ କରାଯାଉଛି। ଗତ ୬ ମାସ ହେଲା ମୋ ଘରେ ବିଦ୍ୟୁତ ନାହିଁ। ମୁଁ ମୋର ସମସ୍ତ କାମ ବହୁତ ସଚ୍ଚୋଟତାର ସହିତ କରେ। ମୋ ଉପରେ ଲଗାଯାଇଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ। ଏହା ସତ୍ତ୍ୱେ, ମୋ ଉପରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି, ଯାହା ସମ୍ପୂର୍ଣ୍ଣ ମିଥ୍ୟା। ସାଂସଦ କୋର୍ଟରେ ଆଶା ପ୍ରକାଶ କରି କହିଥିଲେ ଯେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ ମୁଁ ନିଶ୍ଚିତ ଭାବରେ ନ୍ୟାୟ ପାଇବି ଓ ଏହି ଆଶା ନେଇ ମୁଁ କୋର୍ଟକୁ ଯାଇଥିଲି।

ଦିଲ୍ଲୀ ନେହେରୁ ବିହାରରେ ସୁଟକେସରୁ ମିଳିଲା ନାବାଳିକାର ମୃତଦେହ

ଦିଲ୍ଲୀ : ଦିଲ୍ଲୀର ନେହେରୁ ବିହାରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ନାବାଳିକା ଝିଅର ସନ୍ଦେହଜନକ ମୃତ୍ୟୁ ହୋଇଛି। ଝିଅଟିର ମୁହଁରେ ଅନେକ ଆଘାତ ଚିହ୍ନ ରହିଛି । ପୋଲିସ ପୋକ୍ସୋ ଆଇନର ଧାରା ୬ ଅନୁଯାୟୀ ମାମଲା ରୁଜୁ କରିଛି। ଅଧିକାରୀଙ୍କ ଅନୁଯାୟୀ, ପ୍ରାଥମିକ ତଦନ୍ତରେ ପୋଲିସ ଯୌନ ନିର୍ଯାତନା ସନ୍ଦେହ କରୁଛି

ଦିଲ୍ଲୀ ପୋଲିସ ଅଧିକାରୀଙ୍କ ଅନୁସାରେ ଜୁନ୍ ୭ ତାରିଖ ରାତି ୮ ଟା ୪୧ ମିନିଟରେ ଏକ ପିସିଆର୍ କଲ୍ ଆସିଥିଲା, ଯେଉଁଥିରେ ସୂଚନା ଦିଆଯାଇଥିଲା ଯେ ନେହେରୁ ବିହାରରେ ଏକ ସୁଟକେସ୍ ଭିତରେ ଜଣେ ନାବାଳିକା ଝିଅ ମିଳିଛି। ସୂଚନା ପାଇବା ମାତ୍ରେ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ଝିଅର ବାପା ତାଙ୍କୁ ଜେପିସି ହସ୍ପିଟାଲକୁ ନେଇଯାଇଥିଲେ, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଝିଅର ବୟସ ପ୍ରାୟ ୯ ବର୍ଷ। ଡାକ୍ତରମାନେ କହିଛନ୍ତି ଯେ ଝିଅର ମୁହଁରେ ଅନେକ ଆଘାତ ଚିହ୍ନ ଅଛି। ଏହି ସମୟ ମଧ୍ୟରେ ଡାକ୍ତରମାନେ ଝିଅ ଉପରେ ଯୌନ ନିର୍ଯାତନା ସନ୍ଦେହ କରିଛନ୍ତି।

ପୋଲିସର ସୂଚନା ଅନୁଯାୟୀ, ଝିଅଟିର ବାପା ନେହେରୁ ବିହାରର ଲେନ୍ ନମ୍ବର ୨ରେ ଥିବା ଦୟାଲପୁରରେ ଏକ ସୁଟକେସ୍ ଭିତରେ ଝିଅଟିକୁ ଅଚେତ ଅବସ୍ଥାରେ ପାଇଥିଲେ। ପୋଲିସ ସନ୍ଦେହ କରୁଛି ଯେ ଅଭିଯୁକ୍ତ ଝିଅଟିର ମୃତଦେହକୁ ଏକ ବ୍ରିଫକେସରେ ଲୁଚାଇ ରଖି କୌଣସି ସ୍ଥାନରେ ଫିଙ୍ଗି ଦେବାକୁ ଚେଷ୍ଟା କରୁଥିଲା, କିନ୍ତୁ ସ୍ଥାନୀୟ ଲୋକମାନେ ପୋଲିସକୁ ଡାକିଥିଲେ । ଯାହା ପରେ ଅଭିଯୁକ୍ତ ଖସି ପଳାଇଗଲା। ବର୍ତ୍ତମାନ, ଏଫଏସଏଲ ଦଳ ଘଟଣାସ୍ଥଳ ଯାଞ୍ଚ କରୁଛି  । ପୋଲିସ ପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ପୋଲିସ ଦୟାଲପୁର ଥାନାରେ ବିଏନଏସ ଓ ୬ ପୋକ୍ସୋ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

ଗାଡ଼କଣ ଡମ୍ପିଂୟାର୍ଡ ଗେଟ ସମ୍ମୁଖରେ ଜନପ୍ରତିବାଦ

ଭୁବନେଶ୍ୱର : ଭୁବନେଶ୍ୱର ଗାଡ଼କଣ ଡମ୍ପିଂୟାର୍ଡ ଗେଟ ସମ୍ମୁଖରେ ଅଳିଆଗଦା ହଟାଅ ଓ଼ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ ପକ୍ଷରୁ ଜନପ୍ରତିବାଦ। ପ୍ଲାଣ୍ଟ ଭିତରକୁ ଡମ୍ପିଙ୍ଗ ପାଇଁ ସମସ୍ତ ଅଳିଆ ଗାଡ଼ି ପ୍ରବେଶ ବନ୍ଦ ହେବା ସହିତ ସେହି ରାସ୍ତାରେ ଯାତାୟାତ ବନ୍ଦ କରିଛି ଅଭିଯାନ। ଦୈନିକ ୩୫୦ ମେଟ୍ରିକ ଟନ ଶୁଖିଲା ଓ ଓଦା ଅଳିଆ ସୈନିକ ସ୍କୁଲ ଅଳିଆ ଗଦାକୁ ଯାଉଛି  । ସେଥିପାଇଁ ସେହି ଅଞ୍ଚଳରେ ପ୍ରାୟ ଦଶ କିମି ପରିଧିରେ ଦୁର୍ଗନ୍ଧ ସହ ଲୋକଙ୍କ ପାଇଁ ବଞ୍ଚିବା ଦୁର୍ବିସହ ହୋଇ ପଡିଛି  । ଯଦି ଦୈନିକ ୧୫୦ ଟନ ଶୁଖିଲା ଅଳିଆ ପଳାଶୁଣୀରେ ପ୍ରୋସେସିଂ ହେବ, ତେବେ ଗାଡ଼କଣରୁ ଅଳିଆ କମିଯିବ  । ସେପଟେ ବିଏମସିର ପୂର୍ବ ପ୍ରତିଶୃତି ଅନୁଯାଇ ଗାଡ଼କଣରେ ପୂର୍ବରୁ ଗଦା ହୋଇ ରହିଥିବା ସବୁ ଅଳିଆ ସଫା ହୋଇଯିବା କଥା  । ଏବେ ସାମାନ୍ୟ ବର୍ଷା ହେଲେ ଦୁର୍ଗନ୍ଧରେ ରହି ହେଉନି। ଆଗକୁ ସ୍ଥିତି ସଙ୍ଗୀନ ହୋଇପାରେ। ତେଣୁ ଯଥାଶୀଘ୍ର ଏଠାରୁ ଅଳିଆ ଗଦା ହଟାଇବାକୁ ଦାବି କରିଛି ଅଭିଯାନ।