ରାୟଗଡା : ରାୟଗଡା ଜିଲ୍ଲା କୋଳନରା ବ୍ଲକ୍ ବିନିସପୁର ଗାଁରେ ଅଜଣା ରୋଗର ଆତଙ୍କ। ଜ୍ଵର ସାଙ୍ଗକୁ ଆଣ୍ଠୁ ଗଣ୍ଠି ବିନ୍ଧା, ଗୋଡ଼ ଝିମା ସହ ଦୁର୍ବଳ ଅନୁଭବ କରୁଛନ୍ତି ରୋଗୀ । ଗତ କିଛିଦିନ ହେଲା ଗାଁରେ ଜଣକ ପରେ ଜଣଙ୍କୁ ଜ୍ବର ହେବାରେ ଲାଗିଛି । ଗାଁରେ ୮୦ ପରିବାର ବସବାସ କରୁଥିବା ବେଳେ ପ୍ରତ୍ୟେକ ଘରେ ଦୁଇରୁ ତିନି ଜଣ ଜ୍ବରରେ ଆକ୍ରାନ୍ତ ହେଉଛନ୍ତି । ସେ ମଧ୍ୟରୁ ପ୍ରାୟ ୧୫ ରୁ ୨୦ ଜଣ ଶିଶୁ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି । ୩ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଜଣେ ଆକ୍ରାନ୍ତ ଏବେ ବି ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ମେଡିକାଲ ଟିମ ଗାଁରେ ପହଞ୍ଚି ସ୍ୱାସ୍ଥ୍ୟସେବା ଯୋଗାଇବା ସହ ସଚେତନ କରୁଛନ୍ତି । ରକ୍ତ ନମୁନା ସଂଗ୍ରହ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ରୋଗର କାରଣ ଜଣା ପଡିବ ବୋଲି ଡାକ୍ତର କହିଛନ୍ତି ।
ହନ୍ତସନ୍ତ କରୁଛି ଗରମ ସାଙ୍ଗକୁ ଗୁଳିଗୁଳି, ଆସନ୍ତା ୭ ଦିନ ଯାଏଁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ବର : କଲବଲ କରୁଛି ତାତି । ଦିନରେ ଖରା, ରାତିରେ ବର୍ଷା ପରେ ବି କମୁନି ତାପମାତ୍ରା। ଆଜି ପାଇଁ ରାଜ୍ୟର ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ହନ୍ତସନ୍ତ କରୁଛି ଗରମ ସାଙ୍ଗକୁ ଗୁଳିଗୁଳି। ଉପକୂଳବର୍ତ୍ତି ଜିଲ୍ଲାରେ ତାତିର ପଡ଼ିବ ଅଧିକ ପ୍ରଭାବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ସେହିପରି ଆସନ୍ତା ୭ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡ଼ି ସହ ବର୍ଷା ହୋଇପାରେ। ଏହି ସମୟରେ ୩୦ ରୁ 40 କିଲୋମିଟର ବେଗରେ ବହିପାରେ ପବନ । ଆଜି ପାଇଁ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ମାଲକାନଗିରି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହେବାର ସମ୍ଭାବନା ରହିଛି।
ମୈତେଇ ନେତାଙ୍କ ଗିରଫଦାରୀ ପରେ ମଣିପୁରରେ ଉତ୍ତେଚନା, ୫ ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ
ନନ୍ଦିଘୋଷ ବ୍ୟୁରୋ : ମୈତେଇ ସମ୍ପ୍ରଦାୟ ନେତା ଆରାମ୍ବାଇ ତେଙ୍ଗଗୋଲଙ୍କ ଗିରଫଦାରୀ ପରେ ମଣିପୁରରେ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ରାଜ୍ୟର ୬ଟି ଜିଲ୍ଲାରେ ପୋଲିସ ହାଇ ଆଲର୍ଟରେ ଅଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି, ୫ଟି ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ କରାଯାଇଛି। ଏହା ବ୍ୟତୀତ ୬ଟି ଜିଲ୍ଲାରେ ନିଷେଧ ଆଦେଶ ଜାରି କରାଯାଇଛି।
ମଣିପୁର ସରକାର ଶନିବାର ରାତି ୧୧:୪୫ ଟାରୁ କାକଚିଙ୍ଗ୍, ଇମ୍ଫାଲ ପୂର୍ବ, ଇମ୍ଫାଲ ପଶ୍ଚିମ, ବିଷ୍ଣୁପୁର ଓ ଥୌବାଲ୍ ଜିଲ୍ଲାରେ ମୋବାଇଲ୍ ଡାଟା ଏବଂ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛନ୍ତି। ଆଗାମୀ ୫ ଦିନ ପାଇଁ ଏହି ୫ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବ। ଏଥିପାଇଁ ଗୃହ ବିଭାଗ ସଚିବ ଏନ ଅଶୋକ କୁମାରଙ୍କ ଦ୍ୱାରା ଏକ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି, ଯେଉଁଥିରେ କୁହାଯାଇଛି ଯେ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି କୌଣସି ପୂର୍ବ ସୂଚନା ନ ଦେଇ ଏହି ନିଷ୍ପତ୍ତି ନିଆଯାଇଛି। ଏହାର ଉଦ୍ଦେଶ୍ୟ କୌଣସି ପ୍ରକାରର ଗୁଜବ କିମ୍ବା ଉତ୍ତେଜନାକୁ ରୋକିବା। ଯିଏ ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରିବେ ତାଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହା ବ୍ୟତୀତ, ରାଜ୍ୟର ବର୍ତ୍ତମାନର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ଥୌବାଲ, କାକଚିଂ ଓ ବିଷ୍ଣୁପୁର ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ନିଷେଧମୂଳକ ନିର୍ଦ୍ଦେଶ ଜାରି କରାଯାଇଛି। ଏହା ସହିତ, ନାଗରିକମାନଙ୍କୁ ଏହି ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି। ଏହା ବ୍ୟତୀତ, ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ଥୌବାଲ ଏବଂ କାକଚିଂ ଜିଲ୍ଲାରେ ୪ କିମ୍ବା ତା’ଠାରୁ ଅଧିକ ବ୍ୟକ୍ତିଙ୍କ ଏକାଠି ଠିଆ ହେବା ଉପରେ ନିଷେଧ କରାଯାଇଛି। ସେହି ସମୟରେ, ବିଷ୍ଣୁପୁରରେ ସମ୍ପୂର୍ଣ୍ଣ କର୍ଫ୍ୟୁ ଜାରି କରାଯାଇଛି।
କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେଙ୍କୁ ଗୁଳିମାଡ, ଆକ୍ରମଣକାରୀ ଗିରଫ
ନନ୍ଦିଘୋଷ ବ୍ୟୁରୋ : କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେଙ୍କ ଉପରେ ଗୁଳିମାଡ ହୋଇଛି। ବୋଗୋଟାରେ ଏକ କାର୍ଯ୍ୟମ ସମୟରେ ଗୁଳି କରାଯାଇଛି । ଆକ୍ରମଣ ପରେ ଉରିବେଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଥିବା ବୋଗୋଟାର ମେୟର କହିଛନ୍ତି। କଲମ୍ବିଆ ସରକାର ଶନିବାର ଉରିବେରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ଏକ ବିବୃତ୍ତି ସେୟାର କରିଛନ୍ତି।
୨୦୨୬ ମସିହାରେ କଲମ୍ବିଆରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମୟରେ, ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଯୁବ ପ୍ରାର୍ଥୀ ମିଗୁଏଲ ଉରିବେଙ୍କୁ ଗୁଳି କରାଯାଇଛି। ରାଜଧାନୀ ବୋଗୋଟାରେ ଏକ କାର୍ଯ୍ୟକ୍ରମ ସମୟରେ ଉରିବେଙ୍କୁ ଗୁଳି କରାଯାଇଥିଲା, ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉରିବେଙ୍କ ଉପରେ ଆକ୍ରମଣକୁ ନିନ୍ଦା କରି କଲମ୍ବିଆ ସରକାର ଏକ ବିବୃତ୍ତି ଜାରି କରିଛନ୍ତି।
ଭାରତରେ କ’ଣ ସବୁଠାରୁ ଶସ୍ତା ଇଣ୍ଟରନେଟ୍ ଯୋଗାଇବେ କି ମସ୍କ ?
ନନ୍ଦିଘୋଷ ବ୍ୟୁରୋ ; ଏବେ ଭାରତରେ ଇଣ୍ଟରନେଟର ଏକ ନୂତନ ଯୁଗ ଆରମ୍ଭ ହେବାକୁ ଯାଉଛି। ଏଲୋନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କକୁ ଭାରତ ସରକାରଙ୍କଠାରୁ GMPCS ଲାଇସେନ୍ସ ମିଳିଛି। ଏହାର ଅର୍ଥ ହେଉଛି ଯେ ଏବେ କମ୍ପାନୀ ଦେଶରେ ଏହାର ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଆରମ୍ଭ କରିପାରିବ। ତଥାପି, ଏବେ ଏଥିପାଇଁ IN-SPACE ରୁ କେବଳ ଗୋଟିଏ ଚୂଡ଼ାନ୍ତ ଅନୁମୋଦନ ବାକି ଅଛି। ଏହି ଅନୁମୋଦନ ମିଳିବା ମାତ୍ରେ, ଭାରତର ଲୋକମାନେ ମଧ୍ୟ ମହାକାଶରୁ ଆସୁଥିବା ଇଣ୍ଟରନେଟ୍ ବ୍ୟବହାର କରିପାରିବେ। କିନ୍ତୁ ଏହି ସମୟ ମଧ୍ୟରେ, ଷ୍ଟାରଲିଙ୍କର ମୂଲ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଆମେରିକାରେ ଷ୍ଟାରଲିଙ୍କ୍ ସବୁଠାରୁ ମହଙ୍ଗା। ପଡ଼ୋଶୀ ଦେଶ ପାକିସ୍ତାନ ଓ ବାଂଲାଦେଶରେ, ଏହି ଇଣ୍ଟରନେଟ୍ ସେବା ଭାରତ ତୁଳନାରେ ୩ ରୁ ୪ଗୁଣ ମହଙ୍ଗା ହୋଇପାରେ।
ଷ୍ଟାରଲିଙ୍କ୍ କ’ଣ?
ଷ୍ଟାରଲିଙ୍କ୍ ହେଉଛି ଏଲୋନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସର ଏକ ପ୍ରକଳ୍ପ। ଏହାର ଉଦ୍ଦେଶ୍ୟ ହେଉଛି ବିଶ୍ୱର ପ୍ରତ୍ୟେକ କୋଣକୁ ଦ୍ରୁତ ଓ ସ୍ଥିର ଇଣ୍ଟରନେଟ୍ ଯୋଗାଇବା। ଏହି ଇଣ୍ଟରନେଟ୍ ସାଟେଲାଇଟ୍ ସାହାଯ୍ୟରେ ଯୋଗାଇ ଦିଆଯାଏ, ଅର୍ଥାତ୍ ତାର କିମ୍ବା ମୋବାଇଲ୍ ନେଟୱାର୍କ ବିନା।ଷ୍ଟାରଲିଙ୍କ ବର୍ତ୍ତମାନ ୧୦୦ରୁ ଅଧିକ ଦେଶରେ ସକ୍ରିୟ ଅଛି ଓ ହଜାର ହଜାର ସାଟେଲାଇଟ୍ ମାଧ୍ୟମରେ କମ୍-ଲେଟେନ୍ସୀ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ପ୍ରଦାନ କରୁଛି।
ଭାରତରେ ଏହାର ମୂଲ୍ୟ କେତେ ହେବ?
ଏକ ରିପୋର୍ଟ ଅନୁଯାୟୀ, ଷ୍ଟାରଲିଙ୍କ୍ ପ୍ରମୋସନାଲ୍ ଅଫର୍ ଅଧୀନରେ ଭାରତରେ ପ୍ରାୟ ୮୪୦ ଟଙ୍କା ପ୍ରତି ମାସରେ ଅସୀମିତ ଡାଟା ପ୍ଲାନ୍ ପ୍ରଦାନ କରିପାରିବ। ଏହି ମୂଲ୍ୟ ପାକିସ୍ତାନ ଓ ବାଂଲାଦେଶ ତୁଳନାରେ ବହୁତ ଶସ୍ତା। ପାକିସ୍ତାନ ଓ ବାଂଲାଦେଶରେ ଏହା ୨୫୦୦ ରୁ ୩୫୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥାଏ। ଏହା ଭାରତ ତୁଳନାରେ ୩ରୁ ୪ ଗୁଣ ଅଧିକ। ଯେତେବେଳେ ଆମେରିକାରେ ଷ୍ଟାରଲିଙ୍କ ସେବା ମାସିକ ୮୨୦୦ ଟଙ୍କାରେ ଯୋଗାଇ ଦିଆଯାଉଛି। ଯଦି ଆମେ ଏସବୁ ଉପରେ ନଜର ପକାଇବା, ତେବେ ଭାରତ ଏହି କ୍ଷେତ୍ରରେ ସବୁଠାରୁ ଶସ୍ତା ସାଟେଲାଇଟ୍ ଇଣ୍ଟରନେଟ୍ ଯୋଜନା ପ୍ରଦାନ କରୁଛି। ଏହା ଭାରତର ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର ହୋଇପାରେ।
ସେବା କେବେ ଆରମ୍ଭ ହେବ?
ଭାରତରେ ସେବା ଆରମ୍ଭ କରିବା ପାଇଁ ଷ୍ଟାରଲିଙ୍କ ବର୍ତ୍ତମାନ ଚୂଡ଼ାନ୍ତ ଅନୁମୋଦନ ପାଇଁ ଅପେକ୍ଷା କରିଛି। ଏଥିପାଇଁ କିଛି ସପ୍ତାହ କିମ୍ବା ମାସ ମଧ୍ୟ ଲାଗିପାରେ। ସରକାରଙ୍କ ସହିତ ଜଡିତ ସମସ୍ତ କାଗଜପତ୍ର ଓ ନୀତିଗତ ଅନୁମୋଦନ ସମାପ୍ତ ହେବା ମାତ୍ରେ ଷ୍ଟାରଲିଙ୍କ ଇଣ୍ଟରନେଟ୍ ସେବା ଆରମ୍ଭ ହେବ।
ଇସ୍ରାଏଲ ଆକ୍ରମଣରେ ଗାଜାରେ ୯୫ ଜଣଙ୍କ ମୃତ୍ୟୁ
ନନ୍ଦିଘୋଷ ବ୍ୟୁରୋ : ଗାଜା ଷ୍ଟ୍ରିପରେ ହମାସ ଆକ୍ରମଣ ସମୟରେ ବନ୍ଧକ ରଖାଯାଇଥିବା ଜଣେ ଥାଇ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଇସ୍ରାଏଲ କହିଛି। ଇସ୍ରାଏଲୀ ସେନା ଗାଜା ଉପରେ ଆକ୍ରମଣ ଜାରି ରଖିଛି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଏହି ଆକ୍ରମଣରେ ଅତି କମରେ ୯୫ ଜଣଙ୍କର ମୃତ୍ୟୁ ହୋଇଛି। ଥାଇ ନାଗରିକ ନାଟାପଙ୍ଗ ପିଣ୍ଟା କୃଷି କାମ କରିବାକୁ ଇସ୍ରାଏଲ ଆସିଥିଲେ। ତାଙ୍କୁ କିବୁଟଜ୍ ନିର ଓଜରୁ ବନ୍ଦୀ କରାଯାଇଥିଲା ଓ ୭ ଅକ୍ଟୋବର ୨୦୨୩ରେ ଆରମ୍ଭ ହୋଇଥିବା ଯୁଦ୍ଧର ଆରମ୍ଭରେ ତାଙ୍କୁ ହତ୍ୟା କରାଯାଇଥିଲା ବୋଲି ଇସ୍ରାଏଲ ସରକାର କରିଛନ୍ତି ।
ଥାଇଲ୍ୟାଣ୍ଡର ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ ଅନ୍ୟ ଦୁଇ ଜଣ ନାଗରିକଙ୍କ ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ। ବନ୍ଦୀ କରାଯାଇଥିବା ବିଦେଶୀଙ୍କ ମଧ୍ୟରେ ଥାଇ ନାଗରିକମାନେ ସବୁଠାରୁ ବଡ଼ ଥିଲେ। ଅନେକ ଦକ୍ଷିଣ ଇସ୍ରାଏଲର କିବୁଟଜିମ୍ ଓ ସହରଗୁଡ଼ିକର ଉପକଣ୍ଠରେ ରହୁଥିଲେ । ଯେଉଁଗୁଡ଼ିକ ଆକ୍ରମଣର ଶିକାର ହୋଇଥିବା ପ୍ରଥମ ସ୍ଥାନମାନଙ୍କ ମଧ୍ୟରେ ଥିଲେ। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଯୁଦ୍ଧ ସମୟରେ ୪୬ ଜଣ ଥାଇ ନାଗରିକଙ୍କ ମୃତ୍ୟୁ ହୋଇଛି।
ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ପିଣ୍ଟାଙ୍କ ମୃତଦେହ ଦକ୍ଷିଣ ଗାଜର ରାଫା ଅଞ୍ଚଳରୁ ଉଦ୍ଧାର କରାଯାଇଛି। ଇସ୍ରାଏଲୀ ସେନା ପରେ କହିଛି ଯେ ସେମାନେ ଶନିବାର ଗାଜା ସହରରେ ମୁଜାହିଦିନ୍ ବ୍ରିଗେଡ୍ ର ମୁଖ୍ୟ ଅସ’ଦ ଆବି ସାରିଆଙ୍କୁ ହତ୍ୟା କରିଛନ୍ତି। ଗାଜାରେ ଏବେ ବି ୫୫ ବନ୍ଧକ ଅଛନ୍ତି। ଇସ୍ରାଏଲ କହିଛି ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ମୃତ। ଶନିବାର ସନ୍ଧ୍ୟାରେ, ଇସ୍ରାଏଲର ପରିବାର ପୁଣି ଏକତ୍ରିତ ହୋଇ ସମସ୍ତଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଯୁଦ୍ଧବିରତି ଚୁକ୍ତି ଦାବି କରିଥିଲେ। ହମାସ ଆଉ ଜଣେ ବନ୍ଧକ ମାତାନ ଜାଙ୍ଗୌକରଙ୍କ ବିଷୟରେ ଏକ ଅସାଧାରଣ ଚେତାବନୀ ଜାରି କରି କହିଛି । ସେ କହିଛି ଇସ୍ରାଏଲୀ ସେନା ତାଙ୍କୁ ବନ୍ଦୀ ଥିବା ଅଞ୍ଚଳକୁ ଘେରି ରହିଛନ୍ତି ଓ ଉଦ୍ଧାର ପ୍ରୟାସ ସମୟରେ ତାଙ୍କର ଯେକୌଣସି କ୍ଷତି ପାଇଁ ଇସ୍ରାଏଲ ଦାୟୀ ରହିବ। ଇସ୍ରାଏଲୀ ସେନା ତୁରନ୍ତ କୌଣସି ମନ୍ତବ୍ୟ ଦେଇନାହିଁ।
ଅକ୍ଟୋବର ୭ତାରିଖରେ ହୋଇଥିବା ଆକ୍ରମଣରେ ହମାସ ନେତୃତ୍ୱାଧୀନ ଆତଙ୍କବାଦୀମାନେ ପ୍ରାୟ ୧୨୦୦ ଲୋକଙ୍କୁ ହତ୍ୟା କରିଥିଲେ, ଅଧିକାଂଶ ସାଧାରଣ ନାଗରିକ ଓ ୨୫୧ ବନ୍ଧକଙ୍କୁ ଅପହରଣ କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଯୁଦ୍ଧବିରତି ଚୁକ୍ତିନାମା କିମ୍ବା ଅନ୍ୟାନ୍ୟ ଚୁକ୍ତି ଅନୁଯାୟୀ ମୁକ୍ତ କରାଯାଇଥିଲା। ଇସ୍ରାଏଲୀ ସେନା ଆଠ ଜଣ ଜୀବିତ ବନ୍ଧକଙ୍କୁ ଉଦ୍ଧାର କରିଛି ଓ ଅନେକ ମୃତଦେହ ଉଦ୍ଧାର କରିଛି।
ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲର ସାମରିକ ଅଭିଯାନରେ ୫୪୦୦୦ରୁ ଅଧିକ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ଏହି ଆକ୍ରମଣ ହମାସ ଦ୍ୱାରା ପରିଚାଳିତ ଗାଜାର ଏକ ବଡ଼ ଅଂଶକୁ ଧ୍ୱଂସ କରିଛି । ପ୍ରାୟ ୨୦ ଲକ୍ଷ ପାଲେଷ୍ଟାଇନୀ ଜନସଂଖ୍ୟାର ୯୦ ପ୍ରତିଶତକୁ ବିସ୍ଥାପିତ କରିଛି।
ସଡ଼କ ଦୁର୍ଘଟଣାରେ ଚାଲିଗଲା ଡ୍ରାଇଭରର ଜୀବନ
ବାରିପଦା : ସଡ଼କ ଦୁର୍ଘଟଣାରେ ଚାଲିଗଲା ଡ଼୍ରାଇଭରର ଜୀବନ । ଆଜି ସକାଳୁ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଜଗନ୍ନାଥଖୁଣ୍ଟା ଓଭର ର୍ବ୍ରିଜ୍ ଉପରେ ଏକ ଦୁର୍ଘଟଣା ଘଟିଛି । ଏକ ଅଜଣା ଗାଡିକୁ ପଛ ପଟୁ ଧକ୍କା ଦେଇଥିଲା ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ । ଫଳରେ ନିଜ ଗାଡିର ଚକ ତଳେ ପଡି ଡ଼୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ଜଣକ ହେଲେ ପଶ୍ଚିମବଙ୍ଗ ଗଡବେତା ଅଞ୍ଚଳର ସମୀର ଦାସ । ତେବେ ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ମୃତଦେହ ଜବଦ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।
ସିନ୍ଧୁ ଜଳଚୁକ୍ତି ସ୍ଥଗିତ ପରେ ବିଳିବିଳେଉଛି ପାକିସ୍ତାନ
ନନ୍ଦିଘୋଷ ବ୍ୟୁରୋ : ଚେନାବ ନଦୀ ଶୁଖିବାକୁ ନେଇ ପୁଣି ରାଗରେ ଜଳୁଛି ପାକିସ୍ତାନ। ପାକ ପ୍ରତିରକ୍ଷାମନ୍ତ୍ରୀ ଖ୍ଵାଜା ଆସିଫ ଭାରତକୁ ପୁଣି ୱାଟର ୱାର ଧମକ ଦେଇଛନ୍ତି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ଭାରତ ଉପରେ ଚେନାବ ନଦୀର ପାଣି ଅଟକାଇବାର ଅଭିଯୋଗ ଆଣି ଜଳ ଯୁଦ୍ଧ କରିବାକୁ ଧମକ ଦେଇଛନ୍ତି। ବିଶେଷକରି ଚେନାବ ନଦୀର ଜଳସ୍ତର ହ୍ରାସ ପାଉଥିବାରୁ ଇସଲାମାବାଦର ନିଦ ଭାଙ୍ଗିଯାଇଛି। ପରିସ୍ଥିତି ଏତେ ଖରାପ ହୋଇଛି ଯେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଭାରତକୁ ଜଳ ଯୁଦ୍ଧର ଧମକ ଦେଇଛନ୍ତି। ଭାରତ ଗତ କିଛି ମାସ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ସହ ନିଜର ଅଧିକାର ବ୍ୟବହାର କରି ଚେନାବ ସମେତ ଅନେକ ନଦୀର ପାଣି ବନ୍ଦ କରିବା ଆରମ୍ଭ କରିଛି। ପହଲଗାଓଁ ଆତଙ୍କୀ ହମଲା ପରେ ଭାରତ ସିନ୍ଧୁ ଜଳଚୁକ୍ତି ସ୍ଥଗିତ ରଖିଛି। ଚେନାବ ନଦୀରେ ଜଳ ପ୍ରବାହ ଏବେ ସ୍ୱାଭାବିକ ଅପେକ୍ଷା ବହୁତ କମ୍ ରହିଛି। ସିନ୍ଧୁ ଜଳଚୁକ୍ତି ସ୍ଥଗିତ ନେଇ କିଛି ଦିନ ପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମଧ୍ୟ ଏ ପ୍ରସଙ୍ଗରେ ଭାରତକୁ କଡ଼ା ଚେତାବନୀ ଦେଇଥିଲେ। ଏହା କେବଳ ଏକ ସରକାରୀ ଚ୍ୟାଲେଞ୍ଜ ନୁହେଁ ବରଂ ଏକ ଜାତୀୟ ଚ୍ୟାଲେଞ୍ଜ ବୋଲି କହିଥିଲେ। ପାକିସ୍ତାନ ଭାରତର ଜଳ ଆକ୍ରମଣର ଜବାବ ଦେବ ବୋଲି କହିଛନ୍ତି ଶେହବାଜ। ତେବେ ଭାରତ ତାର ଜିଦରେ ଅଟଳ ରହିଛି। ଗୋଟିଏ ସମୟରେ ନଦୀରେ ଜଳ ଓ ରକ୍ତ ବହିପାରିବନି ବୋଲି କହିଛି ଭାରତ।
ରୁଷର ଶକ୍ତିଶାଳୀ Su-35 ବିମାନକୁ ଖସାଇଥିବା ଦାବି କଲା ୟୁକ୍ରେନ
ନନ୍ଦିଘୋଷ ବ୍ୟୁରୋ : ଋଷ-ୟୁକ୍ରେନ ଯୁଦ୍ଧରେ ରୁଷର ଶକ୍ତିଶାଳୀ ଏସୟୁ-୩୫ ବିମାନକୁ ଖସାଇଥିବା ଦାବି କଲା ୟୁକ୍ରେନ। ୟୁକ୍ରେନ ଋଷର ସୁଖୋଇ Su-35 ବିମାନକୁ ଖସାଇ ଦେଇଥିବା କହିଛି। ୟୁକ୍ରେନ ସେନା କୁର୍ସ୍କ ଅଞ୍ଚଳରେ ରୁଷିଆର ଅତ୍ୟାଧୁନିକ ସୁଖୋଇ Su-35 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି।ରୁଷିଆର Su-35 ଲଢ଼ୁଆ ବିମାନକୁ ଖସାଇ ଦିଆଯାଇଥିଲା ବୋଲି ଦାବି କରିଛନ୍ତି ୟୁକ୍ରେନ ପ୍ରଧାନମନ୍ତ୍ରୀ ଜେଲେନସ୍କି।Su-35 ଲଢ଼ୁଆ ବିମାନକୁ ଖସାଇ ଦିଆଯିବା ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ଏକ ବଡ଼ ଝଟକା ଭାବେ ବିବେଚନା କରାଯାଉଛି। ଏହି ବିମାନକୁ ରପ୍ତାନି କରିବାର ସ୍ୱପ୍ନ ଦେଖିଥିଲା ଋଷିଆ। ସୁଖୋଇ Su-35 ବିମାନ 4.5 ଜେନେରେସର ବହୁମୁଖୀ ଯୁଦ୍ଧ ବିମାନ। Su-35 ହେଉଛି ରୁଷିଆର ସବୁଠାରୁ ଉନ୍ନତ ବିମାନ। ଯାହା ଶ୍ରେଷ୍ଠତା ଏବଂ ସଠିକତା ଆକ୍ରମଣ ପାଇଁ ଡିଜାଇନ୍ କରାଯାଇଛି। Su-27 ରୁ ବିକଶିତ, Su-35 ଯୁଦ୍ଧ ବିମାନଟି ଉନ୍ନତ ଏଭିଓନିକ୍ସ, ଥ୍ରଷ୍ଟ-ଭେକ୍ଟରିଂ ସହିତ ଶକ୍ତିଶାଳୀ ଇଞ୍ଜିନ ସହିତ ସଜ୍ଜିତ। ଏହାର ରାଡାର ୪୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଟାର୍ଗେଟ ଚିହ୍ନଟ କରିପାରିବ। ଏଥିରେ ବାୟୁରୁ ବାୟୁ କ୍ଷେପଣାସ୍ତ୍ର, ଗାଇଡେଡ୍ ବୋମା ଏବଂ ଜାହାଜ ବିରୋଧୀ ଅସ୍ତ୍ରଶସ୍ତ୍ର ଦ୍ଵାରା ଆକ୍ରମଣର ସାମର୍ଥ୍ୟ ରହିଛି। ୟୁକ୍ରେନରେ ନିୟୋଜିତ ଏହି ଯୁଦ୍ଧ ବିମାନ ରୁଷ ବାୟୁସେନାର ମେରୁଦଣ୍ଡ ହୋଇ ରହିଛି। ଏହାକୁ ଆମେରିକୀୟ F-15 ଏବଂ ୟୁରୋଫାଇଟର୍ ଟାଇଫୁନ୍ ଭଳି ପାଶ୍ଚାତ୍ୟ ଯୁଦ୍ଧ ବିମାନର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଏ। ଏସୟୁ-୩୫ ତିଆରି କରୁଥିବା କମ୍ପାନୀ ସୁଖୋଇ ଏହି ବିମାନକୁ ଭାରତକୁ ପ୍ରଦାନ କରିଛି। ସୁଖୋଇ ମଧ୍ୟ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ସହିତ ଏହାକୁ ଭାରତରେ ଉତ୍ପାଦନ କରିବାକୁ ରାଜି ହୋଇଛି। ତଥାପି, ଏହି ବିମାନ କ୍ରୟ ସମ୍ପର୍କରେ ଭାରତ ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ।ଏସୟୁ-୩୫ ଲଢ଼ୁଆ ବିମାନର ସର୍ବାଧିକ ଗତି ଘଣ୍ଟା ପ୍ରତି ୨,୫୦୦ କିଲୋମିଟର। Su-35 ଲଢ଼ୁଆ ବିମାନଟି ରୁଷିଆର ସୁଖୋଇ ଡିଜାଇନ୍ ବ୍ୟୁରୋ ଦ୍ୱାରା ନିର୍ମିତ ହୋଇଛି। ଏହା ଏକ ସିଟ ବିଶିଷ୍ଟ ଲଢ଼ୁଆ ବିମାନ।
ଆରସିବି ସମ୍ବର୍ଦ୍ଧନା ଉତ୍ସବରେ ଦଳାଚକଟା ଘଟଣା, ଅନୁକମ୍ପା ସହାୟତା ୨୫ ଲକ୍ଷକୁ ବୃଦ୍ଧି
ବେଙ୍ଗାଲୁରୁ : ବେଙ୍ଗାଲୁରୁ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଦଳାଚକଟା ଘଟଣା। ଆଇପିଏଲରେ ଆରସିବି ବିଜୟ ଉତ୍ସବବେଳେ ଦଳାଚକଟା ଘଟଣାରେ ମୃତକଙ୍କ ପରିବାରକୁ ପୂର୍ବରୁ ଘୋଷଣା କରାଯାଇଥିବା ଅନୁକମ୍ପାମୂଳକ ସହାୟତା ବୃଦ୍ଧି। ୧୦ ଲକ୍ଷ ଲେଖାଏଁ ଦେବାକୁ ଘୋଷଣା ହୋଇଥିବାବେଳେ ଏବେ ଏହି ସହାୟତା ଅର୍ଥ ରାଶିକୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର। ଏ ନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର। ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଘଟିଥିବା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ପାଇଁ ଘୋଷଣା କରାଯାଇଥିବା କ୍ଷତିପୂରଣକୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ସରକାର ପ୍ରତି ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିବୃତ୍ତି ଜାରି କରି ଏହି ସୂଚନା ଦିଆଯାଇଛି। ଦୁର୍ଘଟଣାରେ ଆହତଙ୍କ ପାଇଁ RCB ଏକ ସହାୟତା ପାଣ୍ଠି ଗଠନ କରିବ ବୋଲି ମଧ୍ୟ କହିଛି। ପୂର୍ବରୁ ପ୍ରତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା। ଗତ ୪ ତାରିଖରେ ଆଇପିଏଲ୍ ୧୮ ବିଜେତା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସମ୍ମାନିତ କରିବା ପାଇଁ ଆୟୋଜିତ ଏକ ସମାରୋହ ସମୟରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ହେବାରୁ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ୭୦ରୁ ଅଧିକ ଆହତ ହୋଇଥିଲେ।

