spot_img
Home Blog Page 7127

ଆତ୍ମନିର୍ଭର ଭାରତ ପ୍ୟାକେଜ ଉପରେ ପ୍ରଶ୍ନ ଉଠାଇଲେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ଠାରୁ ଦେଶର ଅର୍ଥ ବ୍ୟବସ୍ଥାକୁ ବଞ୍ଚାଇବା ପାଇଁ ପିଏମ୍ ମୋଦି ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ଅଭିଯାନ ପ୍ୟାକେଜ୍ ଘୋଷଣା କରିଥିଲେ । ଯାହାର ସବିଶେଷ ତଥ୍ୟ ରଖିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଯାହାପରେ ସମସ୍ତେ ଏହା ଉପରେ ଆଲୋଚନା କରୁଛନ୍ତି । ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ସଦସ୍ୟ ଆଶିମା ଗୋଏଲ ଏହି ପ୍ୟାକେଜ୍ ଉପରେ ପ୍ରଶ୍ନ ଉଠାଇବା ସହ ଏଥିରେ ସୁଧାର ଆବଶ୍ୟକତା ଥିବା କହିଛନ୍ତି ।

ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାକୁ ସରକାର ଚାହିଦା ବଢ଼ାଇବା ଆବଶ୍ୟକ । ପିଏଚଡି ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀର ଭର୍ଚୁଆଲ ସମ୍ବୋଧନ ବେଳେ ଆଶିମା କହିଛନ୍ତି- ଆର୍ଥିକ ପ୍ୟାକେଜ୍ ସମ୍ପୂର୍ଣ୍ଣ ଭାବେ ପରିପୂର୍ଣ୍ଣ ନୁହେଁ । ପ୍ୟାକେଜର କେତକ ଜିନିଷ ନାହିଁ । ଆଉ କିଛି ଯୋଡ଼ିବାକୁ ସେ ସୁପାରିସ୍ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆର୍ଥିକ ଉପଦେଷ୍ଟା ପରିଷଦର ପାର୍ଟ ଟାଇମ୍ ମେମ୍ବର ଆଶିମା ଗୋଏଲ କହିଛନ୍ତି ପ୍ୟାକେଜରେ ଅଧିକ ଆଶ୍ୱସ୍ତି ଅର୍ଥ ବିଭାଗରେ ଦିଆଯାଇଛି । ତେବେ, ଚାହିଦା ଓ ଯୋଗାଣ ଭିତରେ ତାଳମେଳ ରହିବା ଜରୁରୀ ।

ମେ ମାସରେ କେନ୍ଦ୍ର ସରକାର ୨୦.୯୭ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ । ଯେଉଁଥିରେ ଆରବିଆଇ ଦେଇଥିବା ୮.୦୧ ଲକ୍ଷ କୋଟିର ନଗଦ ସାମିଲ୍ ଥିଲା । ଭାରତର ଅର୍ଥନୀତି ପାଇଁ କରୋନା ଏକ ଅସ୍ଥାୟୀ ଝଟକା ବୋଲି କହିଛନ୍ତି ।

୨୦୧୯-୨୦ ଆର୍ଥିକ ବର୍ଷରେ ବିକାର ଦର ୪.୨ ପ୍ରତିଶତ ଥିଲା ଯାହା ବିଗତ ୧୧ ବର୍ଷରେ ସର୍ବନିମ୍ନ । ସେହିଭଳି ୨୦୨୦-୨୧ ଆର୍ଥିକ ବର୍ଷରେ ଜିଡିପି ୩.୫ ପ୍ରତିଶତ ରହିବା ନେଇ ବିଭିନ୍ନ ଏଜେନ୍ସି ଆକଳନ କରିଛନ୍ତି ।

ଆତ୍ମନିର୍ଭର ଭାରତ ପ୍ୟାକେଜ୍: ୨୦ ଲକ୍ଷ କୋଟିରୁ କାହା ଭାଗରେ କେତେ ? ୫ ବିନ୍ଦୁରେ ଜାଣନ୍ତୁ

ଚିନ୍ତା ବଢ଼ାଇଲାଣି ୫ ରାଜ୍ୟ, ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈଠକ

ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ପାଇଁ ସରକାର ନେଇଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀଙ୍କ ସହ ପିଏମ୍ ମୋଦି ବୈଠକ କରି ବିସ୍ତୃତ ଆଲୋଚନା କରିଛନ୍ତି । ଦେଶରେ କରୋନାର ସ୍ଥିତି ଓ ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ନେଇ ଆଲୋଚନା ହୋଇଛି । ଦିଲ୍ଲୀ ସହିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମହାମାରୀ ପ୍ରକୋପ ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ୍ ସଚିବ, ସ୍ୱାସ୍ଥ୍ୟ ସଚିବ. ICMR ଡିଜି, ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ ନିତି ଆୟୋଗ ସଦସ୍ୟ ବିନୋଦ ପାଲ କରୋନା ଭାଇରସର ବର୍ତ୍ତମାନ ସ୍ଥିତି ଓ ଆଗାମୀ ଦିନର ପରିସ୍ଥିତି ନେଇ ଏକ ପ୍ରେଜେଣ୍ଟିସନ୍ ଦେଇଥିଲେ । ସମୁଦାୟ ସଂକ୍ରମଣର ଦୁଇ ତୃତୀୟାଂଶ ୫ଟି ରାଜ୍ୟରେ ହୋଇଥିବା ଏବଂ ଏହାଠୁ ଅଧିକ ସଂକ୍ରମଣ ବଡ଼ ସହରରେ ହୋଇଥିବା ଜଣାପଡ଼ିଛି । ବଡ଼ ସହରରେ ଚ୍ୟାଲେଞ୍ଜରୁ ମୁକୁଳିବା ପାଇଁ ଟେଷ୍ଟିଂ ବୃଦ୍ଧି ସହ ବେଡ୍ ଓ ସ୍ୱାସ୍ଥ୍ୟ ସୁବିଧା ଉପରେ ବୈଠକରେ ଆଲୋଚନା ହୋଇଛି ।

MODI

ପ୍ରଧାନମନ୍ତ୍ରୀ ମୋଦି ହସ୍ପିଟାଲରେ ବେଡ୍ ଓ ଆଇସୋଲେସନ ବେଡ୍ ବଡ଼ ସହର ସହ ଜିଲ୍ଲାରେ ଆବଶ୍ୟକତା ଉପରେ ସୁପାରିସର ସମୀକ୍ଷା କରିଥିଲେ । ଆବଶ୍ୟକତା ଅନୁସାରେ ରାଜ୍ୟକୁ ଜରୁରୀକାଳୀନ ସ୍ଥିତି ପାଇଁ ଯୋଜନା ତିଆରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୌସୁମୀ ଆସି ସାରିଥିବାରୁ ଜରୁରୀ ଅନୁଯାୟୀ ଉପଯୁକ୍ତ ପଦକ୍ଷେପ ନେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହି ଅବସରରେ ଦିଲ୍ଲୀରେ କରୋନା ଭାଇରସ ସ୍ଥିତି ଉପରେ ଆଲୋଚନା କରାଯାଇଥିଲା । ଆସନ୍ତା ୨ ମାସର ସ୍ଥିତିକୁ ଅନୁମାନ କରି ଆଲୋଚନା ହୋଇଥିଲା । ଗୃହମନ୍ତ୍ରୀ ଅମିତ ଶାହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଏକ ସମନ୍ୱୟ ଯୋଜନା ତିଆରି କରିବେ । କେନ୍ଦ୍ର ସରକାରଙ୍କ ସମସ୍ତ ବରିଷ୍ଠ ଅଧିକାରୀ, ଦିଲ୍ଲୀ ସରକାର, ଦିଲ୍ଲୀ ମହାନଗର ନିଗମ ଅଧିକାରୀଙ୍କ ଉପସ୍ଥିତିରେ ଉପରାଜ୍ୟପାଳ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଏକ ଜରୁରୀ ବୈଠକ କରି ବସ୍ତୃତ ଆଲୋଚନା କରିବାକୁ କୁହାଯାଇଛି ।

ଏବେ ଗୋଟେ ଆକାଉଣ୍ଟକୁ ୪ଟି ଡିଭାଇସରେ ଖୋଲିପାରିବେ ହ୍ୱାଟସଆପ୍ ୟୁଜର୍ସ

ଖୁବଶୀଘ୍ର ଆପଣ ନିଜ ହ୍ୱାଟସ୍ ଆପ୍ ଆକାଉଣ୍ଟକୁ ଚାରୋଟି ଡିଭାଇସରେ ବ୍ୟବହାର କରିବାକୁ ସକ୍ଷମ ହେବେ । ଟ୍ୱିଟରରେ ଏକ ସ୍କ୍ରିନସଟ୍ ସେୟାର କରାଯାଇଛି, ଯାହା ଏହି ନୂତନ ଫିଚର ଏକ ଝଲକ ଦେଇଛି | ଏହି ଫିଚରକୁ ପ୍ରସ୍ତୁତ କରାଯାଉଛି ଏବଂ ଏହାର ଏପର୍ଯ୍ୟନ୍ତ ରିଲିଜ୍ ହୋଇନାହିଁ | ହ୍ୱାଟସ୍ ଆପରେ ମଲ୍ଟି-ଡିଭାଇସ୍ ସମର୍ଥନ କିଛି ସମୟ ପାଇଁ ଗୁଜବ ହୋଇଆସୁଥିଲା । ଏକାଧିକ ଡିଭାଇସରେ ହ୍ୱାଟସ୍ ଆପ୍ ଆକାଉଣ୍ଟକୁ ସକ୍ରିୟ କରିବାର ଏକ ପ୍ରମାଣ ବିଟା ସଂସ୍କରଣରେ ମଧ୍ୟ ଦେଖିବାକୁ ମିଳିଛି ।

ହ୍ୱାଟସ୍ ଆପ୍ ବିଟା ଟ୍ରାକର୍ WABetaInfo ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଟ୍ୱିଟ୍ ଅନୁଯାୟୀ ହ୍ୱାଟସ୍ ଆପ୍ ଏକ ସମୟରେ ଚାରୋଟି ଡିଭାଇସରେ ସମାନ ହ୍ୱାଟସ୍ ଆପ୍ ଆକାଉଣ୍ଟ ଚଳାଉଥିବା ଏକ ଫିଚର ଉପରେ କାମ କରୁଛି। ଟ୍ୱିଟ୍ ସହିତ ସେୟାର ହୋଇଥିବା ସ୍କ୍ରିନସଟ୍ ସୂଚିତ କରେ ଯେ ସମସ୍ତ ଚାରି କିମ୍ବା କମ୍ ଡିଭାଇସ୍ ମଧ୍ୟରେ ଡାଟା ସିଙ୍କ୍ କରିବାକୁ ଆପ୍ ୱାଇ-ଫାଇ ସଂଯୋଗ ବ୍ୟବହାର କରିବ। ଯେଉଁମାନଙ୍କର ୱାଇ-ଫାଇ ସଂଯୋଗ ନାହିଁ, କିନ୍ତୁ ଏକାଧିକ ଡିଭାଇସରେ ସେମାନଙ୍କର ସମାନ ଆକାଉଣ୍ଟ ବ୍ୟବହାର କରିବାକୁ ଚାହୁଁଛନ୍ତି ସେମାନଙ୍କୁ ହ୍ୱାଟସ ଆପ୍ ମୋବାଇଲ୍ ଡାଟା ଅପସନ ମଧ୍ୟ ଦେଇପାରେ ।

ବର୍ତ୍ତମାନ, ହ୍ୱାଟସ୍ ଆପ୍ ଉପଭୋକ୍ତାମାନଙ୍କୁ ସମାନ ଆକାଉଣ୍ଟକୁ ଏକାଧିକ ଡିଭାଇସ୍ ସହିତ ସଂଯୋଗ କରିବାକୁ ଅନୁମତି ଦେଇ ନାହିଁ । ଏହା ବ୍ୟତୀତ, ଆପ୍ଲିକେସନ୍ ମଧ୍ୟ ଗୋଟିଏ ଡିଭାଇସରେ ଦୁଇଟି ହ୍ୱାଟସ୍ ଆପ୍ ଆକାଉଣ୍ଟକୁ ସମର୍ଥନ କରେନାହିଁ ।

WABetaInfo ସ୍ପଷ୍ଟ ଭାବରେ କହିଛି ଯେ ନୂତନ ଫିଚର ବର୍ତ୍ତମାନ ପ୍ରସ୍ତୁତ କରାଯାଉଛି । ଏହାର ଅର୍ଥ ହେଉଛି ଏହା କୌଣସି ସାମ୍ପ୍ରତିକ ବିଟା ସଂସ୍କରଣର ଅଂଶ ନୁହେଁ ଏବଂ ବୋଧହୁଏ ଏକ ଆଭ୍ୟନ୍ତରୀଣ ପରୀକ୍ଷଣରେ ସୀମିତ ।

ଜାଣନ୍ତୁ ପନ୍ନା ରତ୍ନ ପିନ୍ଧିବାର ୧୦ ଟି ସୁଫଳ ଏବଂ ୫ ଟି କ୍ଷତି ବିଷୟରେ

ଅନେକ ଲୋକ ନିଜ ମନରୁ ହେଉ କିମ୍ବା କେହି ଜଣେ ଅଳ୍ପ ବୁଦ୍ଧି ଜ୍ୟୋତିଷ କଥାରେ ପନ୍ନା ଧାରଣ କରିନିଅନ୍ତି । ବହୁତ ଲୋକ ଅଛନ୍ତି ଯାହାର ରାଶି ଚିହ୍ନ ମିଥୁନ କିମ୍ବା କନ୍ୟା, ତେଣୁ ସେମାନେ ମଧ୍ୟ ରାଶିଫଳ ଯାଞ୍ଚ ନକରି ପନ୍ନା ଧାରଣ କରନ୍ତି । ତେବେ ପନ୍ନା ପିନ୍ଧିବାର ୧୦ ଟି ଲାଭ ଏବଂ ୫ ଟି କ୍ଷତି ବିଷୟରେ ଆମେ ଆପଣଙ୍କୁ ଜଣାଇବୁ ।

ପନ୍ନା ପିନ୍ଧିବାର ୧୦ ଟି ଲାଭ

୧. ପନ୍ନା ପିନ୍ଧିବା ଦ୍ୱାରା ସ୍ମୃତି ଶକ୍ତି ବୃଦ୍ଧି ପାଇଥାଏ  ।

୨. ହଜମ ପ୍ରକ୍ରିୟା ତ୍ୱରାନ୍ୱିତ କରିଥାଏ ।

୩. ଚାକିରି ଏବଂ ବ୍ୟବସାୟର ଉନ୍ନତି ପାଇଁ ଏହାକୁ ପିନ୍ଧିବା ମଧ୍ୟ ପରାମର୍ଶଦାୟକ  ।

୪. ପନ୍ନା ପିନ୍ଧିବା ଦ୍ୱାରା ବାଣୀ ପ୍ରଭାବଶାଳୀ ହୋଇଯାଏ ।

୫. ଅସମ୍ପୂର୍ଣ୍ଣ ଇଚ୍ଛାଗୁଡ଼ିକ ପନ୍ନା ପିନ୍ଧିଲେ ପୂରଣ ହୁଏ ।

୬. ଯଦି ଜଣେ ରୋଗୀ ରାଶିଫଳକୁ ଦେଖି ପନ୍ନା ପିନ୍ଧନ୍ତି, ତା’ହେଲେ ତାଙ୍କର ଶକ୍ତି ବଢିଯାଏ, ସ୍ୱାସ୍ଥ୍ୟ ଭଲ ରୁହେ ।

୭. ଘରେ ପନ୍ନାକୁ ସଠିକ ସ୍ଥନାରେ ରଖିଲେ ଧନ ବୃଦ୍ଧି ହୋଇଥାଏ, ବିଦ୍ୱାନ ସନ୍ତାନ ଜନ୍ମ ନେଇଥାନ୍ତି ।

୮.ଯଦି ମିଥୁନ ରାଶି ବ୍ୟକ୍ତି ପନ୍ନା ପିନ୍ଧନ୍ତି ତେବେ ପାରିବାରିକ ଅସୁବିଧା କମ୍ ଘଟିଥାଏ ।

୯.ଯଦି କନ୍ୟା ରାଶି ପନ୍ନା ପିନ୍ଧିଛନ୍ତି, ତେବେ ଆପଣ ରାଜ୍ୟ, ବ୍ୟବସାୟ, ପିତା, ଚାକିରି, ସରକାରୀ କାର୍ଯ୍ୟରେ ଲାଭ ପାଇପାରିବେ ।

୧୦.ପନ୍ନା ପୁନ୍ଧିବା ପରେ ଯଦି ବୁଧ ସର୍ବୋତ୍ତମ ପ୍ରଭାବ ଦେବା ଆରମ୍ଭ କରନ୍ତି, ତେବେ ଭଉଣୀର ଜୀବନରେ ସୁଖ ପ୍ରାପ୍ତ ହୋଇଥାଏ ।

ପନ୍ନା ପିନ୍ଧିବାର ୫ ଟି କ୍ଷତି

୧. ଯଦି ବୁଧ ତୃତୀୟ କିମ୍ବା ଦ୍ୱାଦଶ ଘରେ ଅଛି ତେବେ ପନ୍ନା ପିନ୍ଧିବା ଉଚିତ ନୁହେଁ, ଏହା କ୍ଷତି ଘଟାଇବ ।

୨. ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯଦି ୬, ୮, ୧୨ ର ସ୍ୱାମୀ ବୁଧ ଥାଏ ତେବେ ପନ୍ନା ପିନ୍ଧିବା ଦ୍ୱାରା ହଠାତ୍ କ୍ଷତି ହୋଇପାରେ । ତେଣୁ, କୌଣସି ଜ୍ୟୋତିଷଙ୍କୁ ପ୍ରଥମେ ରାଶିଫଳ ଦେଖାନ୍ତୁ ଏବଂ ପରେ ଏହାକୁ ପିନ୍ଧନ୍ତୁ ।

୩. ଯଦି ବୁଧ ଗ୍ରହର ମହାଦଶା ଚାଲିଛି ଏବଂ ବୁଧ ଅଷ୍ଟମ କିମ୍ବା ଦ୍ୱାଦଶ ଘରେ ବସିଛନ୍ତି, ତେବେ ପନ୍ନା ପିନ୍ଧିବା ସମସ୍ୟା ସୃଷ୍ଟି କରିପାରେ ।

୪. ଅନୁକରଣ, ଅଶୁଦ୍ଧ, ଭଙ୍ଗା, ଦାଗଯୁକ୍ତ, ଚକଚକିଆ, ସୁବର୍ଣ୍ଣ ରଙ୍ଗର କିମ୍ବା ଅନ୍ୟାନ୍ୟ ରଙ୍ଗୀନ ପନ୍ନା ଧନ, ସମୃଦ୍ଧତା ଏବଂ ଶିଶୁର ଅନୁଗ୍ରହକୁ ନଷ୍ଟ କରେ ।

୫. ଉପଯୁକ୍ତ ଧାତୁ, ନକ୍ଷତ୍ର, ଦିନ ଏବଂ ଗ୍ରହର ସ୍ଥିତିକୁ ନ ଦେଖି ପନ୍ନା ପିନ୍ଧିବା କ୍ଷତିକାରକ ହୋଇପାରେ ।

୬୦ ବର୍ଷ ପରେ ରଥକୁ ଫେରିପାରେ ଏହି ପରମ୍ପରା

ପୁରୀ: ଦୀର୍ଘ ୬୦ ବର୍ଷ ପରେ ରଥ ଉପରେ ଶ୍ରୀଜିଉଙ୍କ ପାଖରେ ଲାଗି ହୋଇପାରେ ମାଣ୍ଡୁଅ, ଅମ୍ବାଲୁ, ବଡ଼ କାକରା, ଉଠା କାକରା, ମହାପ୍ରସସ୍ଥ ଆଦି ଭୋଗ । ଏବେ ରଥ ଉପରେ କେବଳ ଖଇକୋରା ଭୋଗ ହେଉଛି । କୋଭିଡ୍‌ କଟକଣା ଭିତରେ ରଥଯାତ୍ରା ହେଲେ ଭିଡ଼ ଆଶଙ୍କା ନଥିବାରୁ ୬୦ ବର୍ଷ ତଳର ପରମ୍ପରା ଫେରାଇ ଆଣିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ଆରମ୍ଭ ହୋଇଛି । ଏହି ପ୍ରସ୍ତାବକୁ ଗବେଷକମାନେ ସ୍ୱାଗତ କରିଛନ୍ତି ।

ମାଣ୍ଡୁଅ, ଅମାଲୁ, ବଡ଼ କାକରା ଓ ଉଠା କାକରା । ସେହିପରି ମହାପ୍ରସସ୍ଥ, ମନୋହର, ଟାକୁଆ, ମରିଚ ଲଡୁ, ତାଟ ବାବଦ ନାଡ଼ି ଓ ବିଭନ୍ନ ପ୍ରକାର ପିଠା । ୬୦ ବର୍ଷ ପୂର୍ବେ ଏସବୁ ଭୋଗ ରଥ ଉପରେ ଶ୍ରୀଜିଉଙ୍କୁ ଲାଗି ହେଉଥିଲା । ବିଭିନ୍ନ କାରଣରୁ ଏବେ କେବଳ ଖଇକୋରା ଭୋଗ ହେଉଛି । ଏବର୍ଷ କରୋନା କଟକଣା ଯୋଗୁ ଭିଡ଼ ଆଶଙ୍କା ନଥିବାରୁ ୬୦ ବର୍ଷ ତଳର ଭୋଗ ପରମ୍ପରା ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଛି ।

ରଥ ଉପରେ ଦୈନନ୍ଦିନ ନୀତିକାନ୍ତି ସହ ଗୋପାଳ ବଲ୍ଲଭ, ସକାଳ ଧୂପ, ସନ୍ଧ୍ୟାଧୂପ ନୀତି କରାଯାଏ । ଭୋଗ ଆକାରରେ ଏବର୍ଷ ଖଇକୋରା ସହ ବଡୁ ସୁଆର, ଦେଉଳ କରଣ, ତଢ଼ାଉ କରଣ ଆଦି ସେବକଙ୍କ ଦ୍ଵାରା ବିଭିନ୍ନ ପ୍ରକାର ଅନ୍ୟ ଭୋଗ ପ୍ରସ୍ତୁତ କରାଯିବାକୁ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ହେଉଥିବା ସୂଚନା ମିଳିଛି । ଏହା ସଫଳ ହେଲେ ୬୦ ବର୍ଷ ତଳର ପରମ୍ପରା ଫେରିବ । ଏହାକୁ ଗବେଷକ ସ୍ୱାଗତ କରିଛନ୍ତି ।

୨୦୧୫ ନବକଳେବର ସମୟରେ ରଥଭୋଗ ପାଇଁ ଉଦ୍ୟମ କରାଯାଇଥିଲା । କିନ୍ତୁ ତାହା ସଫଳ ହୋଇନଥିଲା ।

ଆକ୍ରମଣକାରୀଙ୍କ ପାଇଁ ଶ୍ରୀକ୍ଷେତ୍ର ବାହାରେ ମଧ୍ୟ ହୋଇଛି ରଥଯାତ୍ରା,କେବେ ଚକାନାସୀ ତ’ କେବେ ନଇରୀ

ଆକ୍ରମଣକାରୀଙ୍କ ପାଇଁ ଶ୍ରୀକ୍ଷେତ୍ର ବାହାରେ ମଧ୍ୟ ହୋଇଛି ରଥଯାତ୍ରା,କେବେ ଚକାନାସୀ ତ’ କେବେ ନଇରୀ

ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ସବୁବେଳେ ବାହ୍ୟ ଆକ୍ରମଣକାରୀଙ୍କ ଲକ୍ଷ୍ୟରେ ରହି ଆସିଛନ୍ତି । ଶ୍ରୀଜଗନ୍ନାଥ ଓଡ଼ିଶାର ଆତ୍ମା,ଓଡ଼ିଆଙ୍କ ପ୍ରାଣ । ତାଙ୍କୁ ଓ ତାଙ୍କ ମହିମାକୁ ଭୂଲୁଣ୍ଠିତ କଲେ ଓଡ଼ିଆ ଆତ୍ମସମର୍ପଣ କରିବେ । ଏହା ଭଲ ଭାବେ ଜାଣିଥିଲେ ଆଫାଗାନୀଙ୍କଠାରୁ ମୋଗଲ ଆକ୍ରାନ୍ତ । ତେଣୁ ସେମାନେ ସବୁବେଳେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରି ଓଡ଼ିଆ ଜାତିର ଅସ୍ମିତାକୁ ଧ୍ୱଂସ କରିବାକୁ ଚାହିଁଛନ୍ତି । ଯୁଦ୍ଧର ଘନଘଟା ଓ ପରାଜୟ ଭିତରେ ଓଡ଼ିଆ ଜାତି ନିଜ ପ୍ରିୟ ଭଗବାନଙ୍କୁ ବଡଦେଉଳରୁ ସ୍ଥାନାନ୍ତରିତ କରିଛି । ଅନେକ ବର୍ଷ ଧରି ସେ ଗୋପନବାସରେ ରହିଛନ୍ତି । ପୁଣି କେଇଥର ଶ୍ରୀକ୍ଷେତ୍ର ବାହାରେ ହୋଇଛି ତାଙ୍କ ଘୋଷଯାତ୍ରା । ଶ୍ରୀମନ୍ଦିର ବାହାରେ ହୋଇଥିବା ଘୋଷଯାତ୍ର ପୁରୀ ଭଳି ଭବ୍ୟ ହେଉନଥିଲା ସତ କିନ୍ତୁ ସେତିକି ପ୍ରାଣବନ୍ତ ଥିଲା ।

ଇତିହାସରେ ୫ ଥର ପୁରୀ ବାହାରେ ରଥଯାତ୍ରା ହୋଇଥିବାର ପ୍ରମାଣ ରହିଛି । ଆସନ୍ତୁ ନଜର ପକାଇବା କେବେ ଓ କେଉଁଠି ଶ୍ରୀଜଗନ୍ନାଥ ରଥାରୁଢ ହୋଇ ଭକ୍ତଙ୍କୁ ଦେଇଥିଲେ ଦର୍ଶନ..

ଚକାନାସିରେ ରଥଯାତ୍ରା

୧୬୧୧ । ସେହିବର୍ଷ ରଥଯାତ୍ରା ପାଖେଇ ଆସିବା ସହ ମୋଗଲ ସେନାପତି କଲ୍ୟାଣ ମଲ୍ଲର ପୁରୀ ଆକ୍ରମଣ ଆଶଙ୍କା ଘନୀଭୁତ ହେଉଥିଲା । ରଥଯାତ୍ରା ତ’ ଅସମ୍ଭବ ଥିଲା ଖୋଦ ଓଡ଼ିଶାର ମଉଡମଣି ଅସୁରକ୍ଷିତ ହୋଇପଡିଥିଲେ । ଶ୍ରୀଜଗନ୍ନାଥଙ୍କୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତି ନିଆଯାଇଥିଲା । ଭାର୍ଗବୀ ନଦୀ ଦେଇ ଚିଲିକାର ଚକାନାସିଠାରେ ଚତୁର୍ଦ୍ଧାମୁର୍ତ୍ତିଙ୍କୁ ବିଜେ କରାଯାଇଥିଲା ।  ସେହିଠାରେ ପ୍ରଭୁଙ୍କର ରଥଯାତ୍ରା ହୋଇଥିଲା । କିମ୍ବଦନ୍ତି ଅନୁସାରେ ରଥ ଆକାରର ଶଗଡିରେ ହୋଇଥିଲା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ।

ଗଡମାଣିତ୍ରୀରେ ରଥଯାତ୍ରା

ଭୋଇ ବଂଶର ରାଜା ଶ୍ରୀପୁରୁଷୋତ୍ତମ ଦେବଙ୍କ ଶାସନ କାଳରେ ୧୬୧୭ ଖ୍ରୀଷ୍ଟାବ୍ଦରେ ମକରମ ଖାଁ ଖୋର୍ଦ୍ଧା ଗଡ ଉପରେ ଆକ୍ରମଣ କରିଥିଲା । ରାଜା ଗଡମାଣିତ୍ରୀକୁ ପଳାୟନ କରିଥିଲେ । ୧୬୨୨ରେ  ସୁବେଦାର ଅହମ୍ମଦ ବେଗ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଶ୍ରୀଜଗନ୍ନାଥଙ୍କୁ ତତ୍କାଳ ଅନ୍ଧାରିଗଡକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରୁ ପୁଣି ଗଡମାଣିତ୍ରୀକୁ ଠାକୁରେ ସ୍ଥାନାନ୍ତରିତ ହେଲେ । ତେବେ ସମୟ କମ ଥିବାରୁ କେବଳ ବ୍ରହ୍ମଙ୍କୁ ପାଟବସ୍ତ୍ରରେ ଆଛାଦିତ କରି ଗଡମାଣିତ୍ରୀ ନିଆଯାଇଥିଲା । ସେଠାରେ ଚତୁର୍ଦ୍ଧା ମୁର୍ତ୍ତି ତିଆରି ହୋଇଥିଲେ । ବ୍ରହ୍ମ ପ୍ରତିଷ୍ଠା କରାଯାଇଥିଲା । ୧୬୨୪ ମସିହାରେ ଗଡମାଣିତ୍ରୀରେ ହୋଇଥିଲା ରଥଯାତ୍ରା ।ୀ

ବଡହନ୍ତୁଆଡରେ ଦୁଇଥର ରଥଯାତ୍ରା

୧୬୯୨ରୁ ୧୭୦୭ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ବାଣପୁରର ବଡହନ୍ତୁଆଡ ଗ୍ରାମରେ ୧୫ ବର୍ଷ ରହିଥିଲେ । କାରଣ ଥିଲା ସମାନ । ମୁସଲିମ୍ ଆକ୍ରାନ୍ତା ଶ୍ରୀଜଗନ୍ନାଥଙ୍କ ଉପରେ ଆକ୍ରମଣ କରି ଓଡ଼ିଆଙ୍କୁ ପରାଜିତ କରିବାକୁ ଚାହୁଁଥିଲେ । ୧୫ ବର୍ଷ ଧରି ଶ୍ରୀଜଗନ୍ନାଥ ସେଠାରେ ରହିବା ଭିତରେ ଦୁଇ ଥର ନିରାଡମ୍ବର ଭାବେ ତାଙ୍କ ରଥଯାତ୍ରା ହୋଇଥିଲା ।

ନଇରୀରେ ରଥଯାତ୍ରା

୧୭୩୧ରୁ ୧୭୩୩ ମଧ୍ୟରେ ବଙ୍ଗର ଆଫଗାନୀ ସୁବେଦାର ତକି ଖାଁ ବାରମ୍ବାର ଶ୍ରୀଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲା । ଫଳରେ ମହାପ୍ରଭୁଙ୍କୁ ଚିଲିକା ବାଟଦେଇ ନଇରୀକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ହରୀଶ୍ୱର ମଣ୍ଡପସ୍ଥିତ ପଥର ଚକଡାରେ ଭଗବାନ ଅବସ୍ଥାନ କରିଥିଲେ । ସେହି ସମୟରେ ୧୭୩୩ ମସିହାରେ ରଥଯାତ୍ରା ପଡିଥିଲା । ତେଣୁ ତିନୋଟି ଶଗଡି ରୂପକ ରଥରେ ତିମି ମୁର୍ତ୍ତିଙ୍କୁ ବସାଇ କରାଯାଇଥିଲା ରଥଯାତ୍ରା । ସେହି ସମୟରେ ଗଜପତି ମହାରାଜ ରାମଚନ୍ଦ୍ର ଦେବ(୨ୟ) ବାରବାଟିରେ ବନ୍ଦୀ ଥିଲେ । ରଥଯାତ୍ରା ତାଙ୍କ ପୁଅ କୃଷ୍ଣରାୟଙ୍କ ତଦାରଖରେ ହୋଇଥିଲା ।

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୨ ହଜାର କୋଟି ଟଙ୍କା ନିବେଶ କରିବ ଆର୍ସେଲର ମିତ୍ତଲ

ଭୁବନେଶ୍ୱର: ଓଡ଼ିଶାରେ ଆର୍ସେଲର ମିତ୍ତଲ କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ୨ ହଜାର କୋଟି ଟଙ୍କା ନିବେଶ କରିବ । ଏନେଇ ଆଜି ଆର୍ସେଲର ମିତ୍ତଲ ଗ୍ରୁପ୍‌ ଅଧ୍ୟକ୍ଷ ଲକ୍ଷ୍ମୀ ନିବାସ ମିତ୍ତଲ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଛନ୍ତି । ଆର୍ସେଲର ମିତ୍ତଲ ଓ ନିପନ୍‌ ଷ୍ଟିଲ୍‌ ପାରାଦୀପରେ ପେଲେଟ୍‌ ପ୍ଲାଣ୍ଟ, କେନ୍ଦୁଝରରେ ବେନିଫିକେସନ ପ୍ଲାଣ୍ଟ ଓ ସାଗାସାହି ଓ ଠାକୁରାଣୀ ଖଣି ପରିଚାଳନା କରୁଛନ୍ତି ।

ପାରାଦୀପ ପେଲେଟ୍‌ ପ୍ଲାଣ୍ଟର କ୍ଷମତା ୧୨ ନିୟୁତ ଟନ୍‌କୁ ଓ ବେନିଫିକେସନ ପ୍ଲାଣ୍ଟ କ୍ଷମତା ୧୬ ନିୟୁତ ଟନ୍‌କୁ ବୃଦ୍ଧି କରାଯିବ । ଏସବୁ ପ୍ରକଳ୍ପରେ ନିବେଶ ହେବ ୨ ହଜାର କୋଟି ଟଙ୍କା । ଆଲୋଚନା ଅବସରରେ ଓଡ଼ିଶାର ଖଣିଜ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାଦ୍ଵାରା ଅଧିକ ନିଯୁକ୍ତି ସୃଷ୍ଟି ହେବ ଓ ଏହା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ । ଏଥିପାଇଁ ରାଜ୍ୟ ସରକାର ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ଲକ୍ଷ୍ମୀ ନିବାସ ମିତ୍ତଲ କହିଛନ୍ତି, ତାଙ୍କ କମ୍ପାନୀ ପକ୍ଷରୁ ନିଲାମ ନିଆଯାଇଥିବା ୨ଟି ଖଣି ସାଗାସାହି ଓ ଠାକୁରାଣୀ ଖଣିର ଲିଜ୍‌ ଯେପରି ସ୍ୱଚ୍ଛତାର ସହ ସମ୍ପାଦିତ ହେଲା, ତାହା ବିଶ୍ୱସ୍ତରରେ ନୂଆ ବେଞ୍ଚମାର୍କ ସୃଷ୍ଟି କରିଛି । ଦକ୍ଷତାର ସହ କୋଭିଡ୍‌-୧୯ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିତ୍ତଲ ଧନ୍ୟବାଦ ଦେଇଥିଲେ । କୋଭିଡ ପ୍ରଭାବିତ ଶିଳ୍ପ ଜଗତକୁ ସହଯୋଗ ପାଇଁ ମିତ୍ତଲଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି ।

ପ୍ରେସର କୁକରରେ ପଶିଗଲା ବର୍ଷକର ଛୁଆର ମୁଣ୍ଡ, ହାତ ଟେକିଦେଲେ ଡାକ୍ତର

ଅହମଦାବାଦ: ଖେଳୁ ଖେଳୁ ଛୁଆର ମୁଣ୍ଡରେ ପଶିଗଲା ପ୍ରେସର କୁକର । ଗୁଜରାଟ ଭାବନଗର ଜିଲ୍ଲାର ଏହି ମାମଲା ବେଶୀ ଭୟଙ୍କର । ପରିସ୍ଥିତି ଏମିତି ହେଲା ଯେ ଶେଷରେ ଛୁଆକୁ ମେଡିକାଲ ନିଆଗଲା । ସେଠାରେ ଏକ୍ସିଜେନ୍ ଲଗାଇବା ସହ ପ୍ରେସର କୁକରକୁ କାଟିବାକୁ ପଡ଼ିଛି ।

ବର୍ଷକର ଝିଅ ପ୍ରିୟାଂଶୀ ରୋଷେଇ ଘରେ ଖେଳୁଥିବା ବେଳେ ତା ମୁଣ୍ଡ ପ୍ରେସର କୁକରରେ ପଶି ଯାଇଥିଲା । ପରିବାର ଲୋକ ବାହାର କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ଫଳରେ ମେଡିକାଲ ନେଇ ଯାଇଥିଲେ । ଡାକ୍ତର ପ୍ରେସର କୁକର ବାହାର କରିବାରେ ବିଫଳ ହେବାରୁ କାଟିବା ପାଇଁ ଜଣଙ୍କୁ ଡାକିଥିଲେ ।

ପ୍ରାୟ ୪୫ ମିନିଟର ପ୍ରୟାସ ପରେ ପ୍ରେସର କୁକରକୁ କାଟି ମୁଣ୍ଡରୁ ବାହାର କରାଯାଇଥିଲା । ତେବେ, ଶିଶୁଟିର ମୁଣ୍ଡରେ ସାମାନ୍ୟ ଆଘାତ ଲାଗିବା ସହ ମୁଣ୍ଡ ଫୁଲି ଯାଇଛି । ଡାକ୍ତର ତାକୁ ଅବଜରଭେସନରେ ରଖିଛନ୍ତି ।

 

ଏହି ଦେଶରେ ଗୋଟେ ଝିଅ ସହ ବାହା ହୁଅନ୍ତି ପରିବାରର ସବୁ ପୁଅ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଚୀନରେ ଥିବା ଚାଇଲ୍ଡ ପଲିସି ଯୋଗୁଁ ଆର୍ଥିକ ବିକାଶ ତ ହୋଇଛି କିନ୍ତୁ ପୁଅ- ଝିଅଙ୍କ ମଧ୍ୟରେ ଥିବା ରେସିଓ ଉପରେ ଅଧିକ ପ୍ରଭାବ ପଡ଼ିଛି । ପୁରୁଣା ଚିନ୍ତାଧାରା ନେଇ ରହୁଥିବା ଚୀନର କପଲ ମାନେ ପୁଅ ଜନ୍ମକୁ ବେଶୀ ଗୁରୁତ୍ୱ ଦେଲେ । ସେଥିପାଇଁ ବର୍ତ୍ତମାନ ଚୀନରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମ ରହିଛି । ଏହି କାରଣରୁ ଚୀନରେ ବିବାହ ପାଇଁ ପୁରୁଷ ମାନଙ୍କୁ ଝିଅ ମିଳୁନାହାନ୍ତି । ଏହାକୁ ନଜରରେ ରଖି ଜଣେ ପ୍ରଫେସର ଦେଶରେ ବହୁପତିତ୍ୱ (polyandry in China) ପ୍ରଥା କରିବାକୁ ଚିନ୍ତା କରିଛନ୍ତି । ପଡ଼ୋଶୀ ଦେଶ ତିବ୍ବ ତର ଅନେକ ସମୁଦାୟରେ ଏହି ପ୍ରଥା ଚାଲି ଆସୁଛି ।

ପଡ଼ୋଶୀ ଦେଶରେ ଚାଲିଆସୁଛି ଏହି ପ୍ରଥା-

ତିବ୍ଦତରେ ବର୍ଷ ବର୍ଷ ଧରି ପତ୍ନୀ ବାଣ୍ଟିବାର ଅଭ୍ୟାସ ଚାଲିଆସୁଛି । ଏହା ଅଧୀନରେ ଗୋଟିଏ ପରିବାରର ଦୁଇ କିମ୍ବା ତିନି ଭାଇଙ୍କର କେବଳ ଗୋଟିଏ ପତ୍ନୀ ରୁହନ୍ତି । ଏହାର ଗୋଟିଏ କାରଣ ହେଉଛି ତିବ୍ଦତ ହେଉଛି ଏକ ଛୋଟ ଦେଶ । ଏପରି ପରିସ୍ଥିତିରେ, ଯଦି କୃଷକ ପରିବାରରେ ପ୍ରତ୍ୟେକ ପୁଅର ପତ୍ନୀ ଥାଆନ୍ତେ, ତେବେ ତାଙ୍କ ପିଲାମାନେ ବିବାହ କରିବା ଏବଂ ପରେ ଜମିର ଉତ୍ତରାଧିକାରୀ ହେବାରେ ଅସୁବିଧା ହେବ । ଜମି କିମ୍ବା ଅନ୍ୟାନ୍ୟ ସମ୍ପତ୍ତି ଅନେକ ଖଣ୍ଡରେ ବିଭକ୍ତ ହେବ । ପଲିଣ୍ଡ୍ରିର ଅନେକ ସମ୍ପ୍ରଦାୟ କ୍ରମାଗତ ଭାବରେ ସମ୍ପତ୍ତି ଭାଗବଣ୍ଟାରୁ ମୁକ୍ତି ମିଳିଛି । ଏହାର ଗୋଟିଏ କାରଣ ହେଉଛି ଯଦି ଜଣେ ଭାଇ କୌଣସି କାରଣରୁ ବାହାରକୁ ଯାଇଥାଏ, ତେବେ ଘରେ ଜଣେ ପୁରୁଷ ସଦସ୍ୟ ଥାଆନ୍ତି ଯିଏକି ତାଙ୍କ ପତ୍ନୀ ଏବଂ ଜମିର ଯତ୍ନ ନିଅନ୍ତି ।

ବାହାଘରର ରୀତିନିତୀ ଗୋଟେ ଭାଇ ସହ

ଏହି ବିବାହରେ ଏକ ଅଦ୍ଭୁତ ପରମ୍ପରା ରହିଛି । ଯେହେତୁ ସମାନ ମହିଳା ପରିବାରର ଦୁଇରୁ ତିନି ଭାଇଙ୍କ ପତ୍ନୀ, କିନ୍ତୁ ବିବାହର ରୀତିନୀତି କେବଳ ବଡ଼ ଭାଇ ସହିତ କରାଯାଏ । ପରେ ମଧ୍ୟ ଘଟୁଥିବା ଅନ୍ୟ ରୀତିନୀତିରେ ପତ୍ନୀ ବଡ଼ ପୁଅଙ୍କ ସହ ବସିଥାନ୍ତି କିନ୍ତୁ ଘର ଭିତରେ ଥିବା ସମସ୍ତ ଭାଇମାନଙ୍କ ସହିତ ମହିଳାଙ୍କର ସମ୍ପର୍କ ରହିଥାଏ ।

ସ୍ତ୍ରୀର ଜଣେ ସନ୍ତାନ ଜନ୍ମ ହୁଏ ତେବେ ପରିବାରର କୌଣସି ଭାଇ କିମ୍ବା ପରିବାରର ଅନ୍ୟ ସଦସ୍ୟ ଏହି ଛୁଆ ବାପା କିଏ ବୋଲି ଜାଣିବେ ନାହିଁ । ଏହି ଅର୍ଥରେ ଏହା ମଧ୍ୟ ଭଲ ଭାବରେ ବିବେଚନା କରାଯାଏ ଯେ ତାପରେ ପିଲାଟି ସମସ୍ତ ପିତାଙ୍କଠାରୁ ସମାନ ପ୍ରେମ ପାଇବ । ଅନେକ ଥର ଏହା ଜଣା ଯେ ଶିଶୁର ଜୈବିକ ପିତା କିଏ, ତଥାପି ଏହା କୁହାଯାଏ ନାହିଁ ଏବଂ ପିଲାଟି ସମସ୍ତେ ସମାନ ଭାବରେ ଭଲ ପାଆନ୍ତି ।

ବିଶ୍ୱାସ କରାଯାଏ ଯେ ଏହି ପ୍ରଥା ତିବ୍ଦତରେ ବର୍ଷ ବର୍ଷ ଧରି ଚାଲିଆସୁଥିଲା । ଯେତେବେଳେ ୧୯୫୯ ମସିହାରେ ରାଜନୈତିକ ଦୃଷ୍ଟିକୋଣ ବଦଳିଗଲା, ଜମି ଏବଂ ଟିକସ ବ୍ୟବସ୍ଥାର ଅଧିକାର ମଧ୍ୟ ନୂତନ ହେଲା । ଓହିଓ ବିଶ୍ୱବିଦ୍ୟାଳୟର ତିବ୍ଦତ ବ୍ୟାପାରର ପ୍ରଫେସର ମେଲଭିନ ଗୋଲ୍ଡଷ୍ଟାଇନଙ୍କ ଅନୁଯାୟୀ, ଦେଶରେ ପଲିଣ୍ଡ୍ରିର ସମାପ୍ତି ଏକ ସମୟରେ ଆରମ୍ଭ ହୋଇଥିଲା। ତଥାପି, ତିବ୍ଦତର ଅନେକ ଗ୍ରାମୀଣ ସମ୍ପ୍ରଦାୟରେ ଏହି ଅଭ୍ୟାସ ପ୍ରଚଳିତ ହୋଇଆସୁଛି । ଭେନେଜୁଏଲା ଏବଂ ବ୍ରାଜିଲରେ ମଧ୍ୟ ପଲିଣ୍ଡ୍ରି ଅଭ୍ୟାସ ପ୍ରଚଳିତ ।

 

 

ନେପାଳ ସଂସଦରେ ରାଜନୈତିକ ନକ୍ସା ପାସ୍,କାଠମାଣ୍ଡୁରେ ନେପାଳୀ ନାଗରିକଙ୍କ ବିରୋଧ

କାଠମାଣ୍ଡୁ: ଶନିବାର ଦିନ ନେପାଳ ସଂସଦର ନିମ୍ନକକ୍ଷ ଦେଶର ରାଜନୈତିକ ନକ୍ସାକୁ ପାସ୍ କରିଛି । ଏହା ସହିତ ଭାରତ ସହିତ ଚାଲିଥିବା ସୀମା ବିବାଦର ରାଜନୈତିକ ସମାଧାନର ରାସ୍ତାକୁ ନେପାଳ ପ୍ରାୟତଃ ବନ୍ଦ କରିଦେଇଛି । ଏବେ ଭାରତର ଆଗାମୀ ପଦକ୍ଷେପ କ’ଣ ହେବ ତାହା ଦେଖିବାର କଥା । ଉଲ୍ଲେଖନୀୟ ଯେ, ନେପାଳ ବିବାଦୀୟ ନକ୍ସାରେ ଭାରତୀୟ ସୀମାର ଥିବା ଲିପୁଲେଖ,କାଲାପାନି ଓ ଲିପିୟାଧୁରା ଭଳି ସ୍ଥାନକୁ ସାମିଲ କରିଛି ।

ନେପାଳ ସଂସଦର ନିମ୍ନକକ୍ଷରେ ପାସ ହେବା ପରେ ଏବେ ଏହି ବିଧେୟକ ନ୍ୟାସନାଲ ଆସେମ୍ଲିଂକୁ ଯିବ । ସେଠାରେ ଏହି ବିଲକୁ ପୁଣିଥରେ ସମାନ ପ୍ରକ୍ରିୟା ଦେଇ ପାସ ହେବାକୁ ପଡିବ । ନ୍ୟାସନାଲ ଆସେମ୍ଲିରେ ଏହି ବିଧେୟକ ପାସ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ । ରାଷ୍ଟ୍ରପତିଙ୍କ ମଂଜୁରୀ ପରେ ଏହା ସମ୍ବିଧାନରେ ସାମିଲ ହେବ ।

ନେପାଳରେ ବିରୋଧ

ଶନିବାର ଦିନ ନେପାଳ ସଂସଦ ପ୍ରସ୍ତାବକୁ ପାସ କରିଛି ସତ କିନ୍ତୁ ଏହାକୁ ତାହାରି ନାଗରିକ ବିରୋଧ କରିବା ଆରମ୍ଭ କରିଛନ୍ତି । ରାଜଧାନୀ କାଠମାଣ୍ଡୁରେ  ଶନିବାର ସକାଳେ ସଡକ ଉପରେ ବିକ୍ଷୋଭକାରୀଙ୍କୁ ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ଶୁକ୍ରବାର ମଧ୍ୟ ଏହି ବିଲକୁ ବିରୋଧ କରି ସାଧାରଣ ଲୋକ ରାସ୍ତା ଉପରକୁ ଓହ୍ଲାଇଥିଲେ । ଦେଶବ୍ୟାପି ହେଉଥିବା ବିରୋଧ ଉପରେ ପ୍ରତିକ୍ରିୟା ପ୍ରକାଶ କରି ନେପାଳ ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗ୍ୟାବଲୀ ମିଡିଆ ମାଧ୍ୟମରେ ଲୋକଙ୍କୁ ବିକ୍ଷୋଭ ନକରିବାକୁ ଆହ୍ୱାନ କରିଥିଲେ । ତେବେ ଶନିବାରର ବିକ୍ଷୋଭରୁ ଜଣା ପଡୁଛି ଯେ, ମନ୍ତ୍ରୀଙ୍କ ଅପିଲର କୌଣସି ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିନଥିଲା । ପୋଲିସ ବିକ୍ଷୋଭକାରୀଙ୍କୁ ଗିରଫ କରୁଥିବା ଦେଖାଯାଇଥିଲା

ସଡକ ନିର୍ମାଣରୁ ଆରମ୍ଭ ହୋଇଥିଲା ବିବାଦ

ଉତ୍ତରାଖଣ୍ଡର ଲିପୁଲେଖ ଘାଟିକୁ ଧାରଚୁଲା ସହ ଯୋଡୁଥିବା ୮୦ କିମି ଲମ୍ବ ରାସ୍ତା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରିବା ପରେ ବିବାଦ ଆରମ୍ଭ ହୋଇଥିଲା । ନେପାଳ ଏହି ଅଂଚଳକୁ ନିଜର ବୋଲି ଦାବି କରି ଆସୁଛି । ଚୀନ ପ୍ରରୋଚନାରେ ନେପାଳ ଭାରତ ବିରୋଧୀ ଆଭିମୁଖ୍ୟ ଦେଖାଉଛି ବୋଲି ରାଜନୈତିକ ବିଶ୍ଲେଷକଙ୍କ ମତ