spot_img
Home Blog Page 7154

ଗାଈ ଗୋରୁଙ୍କ ପାଇଁ ରହିବନି ରକ୍ତାଭାବ

ଭୁବନେଶ୍ୱର: ଓୟୁଏଟିରେ ଦେଶର ପ୍ରଥମ କ୍ୟାଟେଲ ବ୍ଲଡ୍ ବ୍ୟାଙ୍କ ସ୍ଥାପନ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରକଳ୍ପର ସଂଶୋଧିତ ପ୍ରସ୍ତାବ ରାଜ୍ୟ ଜରିଆରେ କେନ୍ଦ୍ର ରାଷ୍ଟ୍ରୀୟ କୃଷି ବିକାଶ ନିଗମ ପାଖକୁ ପଠାଇବ ଓୟୁଏଟି । ଏହା ଦ୍ଵାରା ମଣିଷଙ୍କ ପରି ଗୋଟାଏ ଗାଈର ରକ୍ତ ଅନ୍ୟ ଏକ ଗାଈକୁ ଦିଆଯାଇ ପାରିବ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଭାଗିତାରେ ଏହି ବ୍ଲଡ ବ୍ୟାଙ୍କ ଗଠନ କରାଯିବ ।

ଖୁବ୍‌ଶୀଘ୍ର ଦେଶର ପ୍ରଥମ କ୍ୟାଟେଲ ବ୍ଲଡ୍ ବ୍ୟାଙ୍କ ସ୍ଥାପନ ହେବାକୁ ଯାଉଛି । ଖୁସିର ଖବର, ଏହାକୁ ଭୁବନେଶ୍ୱରରେ ସ୍ଥାପନ କରିବାର ଯୋଜନା ଚୂଡ଼ାନ୍ତ ପ୍ରକ୍ରିୟାରେ ପହଞ୍ଚିଛି । ଓୟୁଏଟିରେ ସ୍ଥାପନ କରିବାକୁ ଅନୁମୋଦନ ପାଇଁ ୧୫ ମାର୍ଚ୍ଚ ୨୦୧୭ରେ ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ପାଖକୁ ପ୍ରକଳ୍ପର ରୂପରେଖ ପଠାଯାଇଥିଲା । ଯାହା ପାଇଁ ୩୫୭ ଲକ୍ଷ ଟଙ୍କ ବ୍ୟୟ ବରାଦ ହୋଇଥିଲା । ଏହାର ସମସ୍ତ ଦିଗକୁ ଯାଞ୍ଚ କରି ରାଷ୍ଟ୍ରୀୟ କୃଷି ବିକାଶ ନିଗମ ପାଖକୁ ରାଜ୍ୟ ସରକାର ପ୍ରସ୍ତାବ ପଠାଇଥିଲେ । ବର୍ତ୍ତମାନ ଓୟୁଏଟି ପକ୍ଷରୁ ପ୍ରସ୍ତାବର କିଛି ଦିଗକୁ ସଂଶୋଧନ କରାଯାଉଛି । ଯାହା କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ପାଇଁ ପଠାଯିବ ।

ଗାଈ ଗୋରୁଙ୍କ ମଧ୍ୟରେ ପାଖାପାଖି ୧୪ଟି ବ୍ଲଡ ଗ୍ରୁପ ରହିଛି । ମ୍ୟାଚିଂ ବଦଳରେ ଏହାକୁ ଗ୍ରୁପିଂ କରାଯାଉଛି । ପ୍ରାଥମିକ ସ୍ତରରେ କେବଳ ଟିଙ୍କ ମରା ନେଇ ଗୋଟିଏ ଗାଈରୁ ଆଉ ଏକ ଗାଈକୁ ରକ୍ତ ଦିଆଯିବ । ହେଲେ ଗାଈ ମାଲିକଙ୍କ ଅନୁମତି ବିନା ଏହା ଆଗେଇବା ଅସମ୍ଭବ । ବ୍ଲଡ ବ୍ୟାଙ୍କ ସ୍ଥାପନ ପରେ ଗାଈ ମାଲିକଙ୍କ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିବାକୁ ସରକାର ସଚେତନ କରିବେ । ବ୍ଲଡ ବ୍ୟାଙ୍କ କର୍ମଚାରୀ ସେମାନଙ୍କ ପାଖକୁ ଯାଇ ରକ୍ତ ସଂଗ୍ରହ କରିବେ ।

ବ୍ଲାକ ଡେଥ୍ ରୁ କରୋନା: ମହାମାରୀର କଳା ଇତିହାସ

ମହାମାରୀ…ଏହି ଶବ୍ଦର ଆବଶ୍ୟକତା କଣ ପାଇଁ । କୈାଣସି ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ଭିତରେ ଏବଂ ନିର୍ଦ୍ଦିଷ୍ଟ ଅଞ୍ଚଳରେ ହେଉଥିବା ସାମୂହିକ ମୃତ୍ୟୁକୁ ମହାମାରୀ ବୋଲି ବିବେଚନା କରାଯାଏ । ଅବଶ୍ୟ ସେଥିପାଇଁ କୈାଣସି ନିର୍ଦ୍ଦିଷ୍ଟ କାରଣକୁ ଉଲ୍ଲେଖ କରିବା ହୁଏତ ସମୀଚିନ ହେବନାହିଁ । ଭୟଙ୍କର ରୋଗ, ସଂକ୍ରମଣ କିମ୍ବା ପ୍ରାକୃତିକ କାରଣରୁ ବହୁଳ ସଂଖ୍ୟାରେ ମୃତ୍ୟୁ ହେଲେ ତାକୁ ମହାମାରୀ ରୂପ ଦିଆଯାଏ । ଅବଶ୍ୟ ଏହାର ସଂଜ୍ଞା ନିରୂପଣ କରିବାକୁ ପୂର୍ବରୁ କୈାଣସି ବ୍ୟବସ୍ଥା ନଥିଲେ ମଧ୍ୟ ସେହି ସମୟରେ ଏସବୁ ମୃତ୍ୟୁ ହାର କେତେ ଯେ ଭୟଙ୍କର ଥିଲା ତାକୁ ବର୍ଣ୍ଣନା କରିବା ଅସମ୍ଭବ ।

ଇତିହାସରେ ଏମିତି ଅନେକ ମହାମାରୀ ସମ୍ପର୍କରେ ଉଲ୍ଲେଖ ରହିଛି । ଅନେକ ମହାମାରୀର କାରଣ ମଧ୍ୟ ସେଭଳି ଭିନ୍ନ ଆଉ ସେଗୁଡିର ପରିଣାମ ମଧ୍ୟ ସେହି ହିସାବରେ ଭୟଙ୍କର । ଅବଶ୍ୟ ଅନେକ ମହାମାରୀର କାରଣ ଆଉ ପରିଣାମ ସମ୍ପର୍କରେ କୈାଣସି ତଥ୍ୟ ମଧ୍ୟ ମିଳିପାରିନି । ଇତିହାସ ମୁ୍ତାବକ ୫୪୧ ଖ୍ରୀଷ୍ଟାବ୍ଦରେ ବିଶ୍ବରେ ହୋଇଥିବା ମହାମାରୀକୁ ପ୍ରଥମେ ଅଧିକୃତ ମାନ୍ୟତା ମିଳିଥିଲା ।

ଏହି ମହାମାରୀ ପ୍ରଥମେ ଆଫ୍ରିକାରେ ଆରମ୍ଭ ହୋଇଥିଲେ ମଧ୍ୟ ସଂକ୍ରମିତ ମୂଷାଙ୍କ ଦ୍ଵାରା ବିଶ୍ବର ବିଭିନ୍ନ ସ୍ଥାନକୁ ବ୍ୟାପି ଯାଇଥିଲା । ୟୁରୋପରେ ଏହା ବ୍ୟାପିଥିବାବେଳେ ଏହାକୁ ପ୍ଲେଗ୍‌ ଅଫ୍‌ ଜଷ୍ଟିନିଆନ ବୋଲି ମଧ୍ୟ କୁହାଯାଏ । ଏହି ମହାମାରୀ ଏତେ ଭୟାନକ ଥିଲା ଯେ ରୋମର ବାଇଜାଣ୍ଟିନ ସମ୍ରାଟ ଜଷ୍ଟିନିଆନ ମଧ୍ୟ ଏହାଦ୍ଵାରା ଆକ୍ରାନ୍ତ ହୋଇଥିଲେ ଏବଂ ତାଙ୍କ ନାମାନୁସାରେ ଏହାର ନାମକରଣ ହୋଇଛି ।

ଏହି ମହାମାରୀ କାରଣରୁ ୟୁରୋପରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ ଯେଉଁ ସହରରେ ଏହା ଆରମ୍ଭ ହେଉଥିଲା ସେଠାରେ ପ୍ରାୟ ସମସ୍ତଙ୍କ ମୃତ୍ୟୁ ହେଉଥିଲା । ରୋମର କନଷ୍ଟାନିପୋଲ ସହରର ରାସ୍ତାଘାଟରେ ସଂକ୍ରମିତଙ୍କ ମୃତଦେହ ପଡି ରହିଥିଲା । ଏମିତିକି ପ୍ରତିଦିନ ପ୍ରାୟ ୧୦ ହଜାର ଲୋକଙ୍କ ମୃତ୍ୟୁ ହେଉଥିବାବେଳେ ଏହି କାରଣରୁ  କେବଳ ୟୁରୋପରେ ହିଁ ୨.୫ କୋଟି ଲୋକଙ୍କ ମୃତ୍ୟୁ ହୋଇଥିଲା ।

 

୧୩୪୭ ମସିହା ବେଳକୁ ବିଶ୍ବରେ ଆଉ ଏକ ମହାମାରୀ The Black Death ତାର ଭୟଙ୍କର ଲୀଳା ଦେଖାଇଥିଲା । ଏହି ମହାମାରୀ ଯୋଗୁଁ ସାରା ବିଶ୍ବରେ ଅନେକ ଲୋକଙ୍କ ମୃତ୍ୟୁର କାରଣ ହୋଇଥିଲା । ଇଟାଲୀର କେତେକ ନାବିକଙ୍କ ଦ୍ଵାରା ଏହି ମହାମାରୀ ଭୂତାଣୁ ୟୁରୋପରେ ପହଞ୍ଚିଥିଲା । ୫ ବର୍ଷ ପର୍ଯ୍ୟନ୍ତ ଏହି ମହାମାରୀର ଭୟାବହତା ଯ଼ୁରୋପର କେତେକ ଦେଶରେ ଦେଖିବାକୁ ମିଳିଥିଲା ଏବଂ ଏହାର ପ୍ରଭାବରେ କେତେକ ସହର ସମ୍ପୂର୍ଣ୍ଣ ଭାବରେ ନିଶ୍ଚିହ୍ନ ହୋଇଯାଇଥିଲା ।

ସେହି ସମୟରେ ଚିକିତ୍ସା ବିଜ୍ଞାନ ସେତେଟା ଉନ୍ନତ ନଥିଲା ଏବଂ ଲୋକେ କେମିତି ଏହାର ଶିକାର ହେଉଥିଲେ ଏବଂ ଏହାଦ୍ଵାରା କେମିତି ସେମାନଙ୍କ ଜୀବନ ଚାଲିଯାଉଥିଲା ତାହା ବୁଝିବା ମଧ୍ୟ ଲୋକଙ୍କ ପାଇଁ କଷ୍ଟକର ଥିଲା । ଏହା ଭଗବାନଙ୍କ କ୍ରୋଧ ବୋଲି ସେମାନେ ମନେ କରୁଥିଲେ । ତେବେ ୧୩୫୩ ବେଳକୁ ବ୍ଲ।କ୍‌ ଡେଥ୍‌ର ପ୍ରକୋପ ଶାନ୍ତ ହୋଇଥିଲା ଏବଂ ସେତେବେଳକୁ ବିଶ୍ବରେ ପ୍ରାୟ ୫ କୋଟି ଲୋକଙ୍କ ମୃତ୍ୟୁ ହୋଇସାରିଥିଲା ।

 

ଏହାପରେ ଇଟାଲୀୟ ମହାମାରୀ ମଧ୍ୟ ବିଶ୍ବରେ ଅନେକ ଧ୍ବଂସଲୀଳା ଖେଳାଇଥିଲା । ୧୬୨୯ରେ ଆରମ୍ଭ ହୋଇଥିବା ଏହି ମହାମାରୀ ୨ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହିଥିଲା ଏବଂ ଇଟାଲୀର ପ୍ରମୁ୍ଖ ସହର ଗୁଡିତ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହୋଇଯାଇଥିଲା । ଏହାର ମୁକାବିଲା ତଥା ପ୍ରତିକାର କରିବାକୁ ଇଟାଲୀ ସରକାର ଅନେକ ଲୋକଙ୍କୁ ଘର ଭିତରେ ହିଁ ବନ୍ଦ ରଖିଥିଲେ ଏବଂ ଅନେକ ଆକ୍ରାନ୍ତୁ ଏକ ନିର୍ଜନ ଦ୍ୱୀପରେ ଛାଡି ଦେଇଥିଲେ । ତଥାପି ଏହାର ପ୍ରଭାବରେ ଇଟାଲୀର ବିଭିନ୍ନ ସହରରେ ପ୍ରାୟ ୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ବିଶ୍ୱର ଆଉ ଏକ ମହାମାରୀ ଲଣ୍ଡନ ସହରରେ ବ୍ୟାପକ ହୋଇଥିଲା । ଷୋଡ଼ଷ ଶତାବ୍ଦୀରେ ଲଣ୍ଡନରେ ବିଭିନ୍ନ ରୋଗ ସଂକ୍ରମଣ ଦେଖାଦେଇଥିଲେ ମଧ୍ୟ ୧୬୬୫ରେ ଆରମ୍ଭ ହୋଇଥିବା ପ୍ଲେଗ୍‌ ଅଫ୍‌ ଲଣ୍ଡନ ବେଶ୍‌ ଭୟାବହ ଥିଲା । ସେପ୍ଟେମ୍ବର ମାସରେ ଏହି ମହାମାରୀ ଆରମ୍ଭ ହୋଇଥିବାବେଳେ ଲଣ୍ଡନ ସହରରେ ପ୍ରତି ସପ୍ତାହରେ ପ୍ରାୟ ୮ ରୁ ୧୦ ହଜାର ଲୋକଙ୍କ ମୃତ୍ୟୁ ହେଉଥିଲା ।

ଏହା ଦ୍ଵାରା ଲଣ୍ଡନରେ ରହୁଥିବା ଲୋକେ ଏତେ ଭୟଭୀତ ହୋଇଥିଲେ ଯେ ସମସ୍ତେ ଦେଶ ଛାଡି ଅନ୍ୟତ୍ର ପଳାୟନ କରିଥିଲେ । ଏମିତିକି ରାଜା ଚାର୍ଲସ ଦ୍ୱିତୀୟ ମଧ୍ୟ ଲଣ୍ଡନ ଛାଡି ଅନ୍ୟ ଦେଶକୁ ପଳାଇ ଯାଇଥିଲେ । ତେବେ ଯେଉଁ ମାନଙ୍କ ପାଖରେ ଟଙ୍କା ପଇସା ଥିଲା କିମ୍ବା ଧନୀ ଲୋକମାନେ ବାହାର ଦେଶକୁ ପଳାଇଥିଲେ ।

ଲଣ୍ଡନରେ କେବଳ ଗରିବ ଲୋକ ରହି ଯାଇଥିଲେ ଏବଂ ସେମାନେ ମହାମାରୀ ଯୋଗୁଁ ମୃତ୍ୟୁ ମୁଖରେ ପଡିଥିଲେ । ଯେଉଁ ମାନେ ଏହି ମହାମାରୀ ଦ୍ଵାରା ସଂକ୍ରମିତ ହେଉଥିଲେ ସେମାନଙ୍କୁ ଇଂଲଣ୍ଡ ରାଜା ଘର ଭିତରେ ହିଁ ବନ୍ଦ କରି ଦେଇଥିଲେ । ତେବେ ସେଠାରେ ମଧ୍ୟ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ପଶ୍ଚିମ ୟୁରୋପରେ ୧୭୨୦ ମସିହାରେ ଫ୍ରାନ୍ସରେ ଏକ ମହାମାରୀ ମାର୍ଶାଲେ ଭୟାନକ ରୂପ ଧାରଣ କରିଥିଲା । ଗ୍ରାଣ୍ଡ ସେଣ୍ଟ ଆଣ୍ଟୋନି ନାମ ଏକ ଜାହାଜରେ ଏହି ମହାମାରୀ ୟୁରୋପରେ ପହଞ୍ଚିଥିଲା ବୋଲି ସନ୍ଦେହ କରାଯାଏ ।  ଏହି ଜାହାଜରେ କିଛି ସଂକ୍ରମିତ ବ୍ୟକ୍ତି ଥିଲେ ଏବଂ ସେମାନେ ମଧ୍ୟ ପ୍ରାଚ୍ୟ ଦେଶର ଆସିଥିଲେ । ତେବେ ଏହି ସଂକ୍ରମଣ ସମ୍ପର୍କରେ ଜଣାପଡିବା ପରେ ଜାହାଜରେ ଥିବା ସମସ୍ତ ଲୋକଙ୍କୁ  ଅନ୍ୟତ୍ର ଏକାନ୍ତରେ ରହିବାର ବନ୍ଦୋବସ୍ତ କରାଯାଇଥିଲା । ତେବେ ଏହି ଜାହାଜର ମାଲିକ ତଥା ମାର୍ଶାଲେର ମେୟର ଜାହାଜରେ ଥିବା ସାମଗ୍ରୀକୁ ଓହ୍ଲାଇବା ପାଇଁ ଅନୁମତି ହାସଲ କରିଥିଲେ । ତେବେ ଜାହାଜର ସାମଗ୍ରୀ ସହ କେତେକ ସଂକ୍ରମିତ ମୂଷା ଫ୍ରାନ୍ସ ସହରରେ ପ୍ରବେଶ କରିଥିଲେ ଏବଂ ପରେ ସେମାନେ ହିଁ ଏହି ଭୟଙ୍କର ମହାମାରୀର କାରଣ ହୋଇଥିଲେ । ଏହି କାରଣରୁ ଫ୍ରାନ୍ସରେ ପ୍ରତିଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୭୨୨ରେ ଏହି ମହାମାରୀ ସରିବା ବେଳକୁ ପ୍ରାୟ ୧୧ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇସାରିଥିଲା ।

ତେବେ ୧୮୫୫ରେ ଚୀନର ଯ଼ୁନାନ ସହରରେ ଆରମ୍ଭ ହୋଇଥିଲା ଆଉ ଏକ ଭୟଙ୍କର ମହାମାରୀ । ତେବେ ଖୁବଶୀଘ୍ର ଏହା ସାରା ବିଶ୍ବରେ ବ୍ୟାପି ଯାଇଥିଲା ଏବଂ ୬ଟି ମହାଦେଶ ଏଥିରେ ଆକ୍ରାନ୍ତ ହୋଇଥିଲେ । ଏହି ମହାମାରୀ ବ୍ୟାପିବାର କାରଣ ମଧ୍ୟ ଥିଲେ ମୂଷା । ସଂକ୍ରମିତ ମୂଷା ବିଭିନ୍ନ ଜାହାଜରେ ବିଶ୍ବର ବିଭିନ୍ନ ଦେଶରେ ପହଞ୍ଚିଥିଲେ ଏବଂ ସେସବୁ ସ୍ଥାନରେ ରଚାଇଥିଲେ ମୃତ୍ୟୁର ତାଣ୍ଡବଲୀଳା । ଏହି ମହାମାରୀରେ ସାରା ବିଶ୍ବରେ ପ୍ରାୟ ଦେଢ଼ କୋଟି ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଚୀନ ଏବଂ ଭାରତରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଥିଲା ।

ତେବେ ଏହାଦ୍ଵାରା ବିଶ୍ବର ପ୍ରମୁ୍ଖ ଦେଶ ପ୍ରଭାବିତ ହୋଇଥିଲେ ମଧ୍ୟ ଚିକିତ୍ସା ବିଜ୍ଞାନକୁ ଏହାଦ୍ଵାରା ଅନେକ ଲାଭ ହୋଇଥିଲା । ୧୮୯୪ରେ ହଂକଂର ଏକ ଡାକ୍ତର ଆଲେକଜାଣ୍ଡାର ୟେରସିନ୍‌ ମାରାତ୍ମକ ବେସିଲିଆ ୟେରସିନିଆ ପେଷ୍ଟିସ ଭୂତାଣୁକୁ ଚିହ୍ନଟ କରିଥିଲେ । ଏହାଦ୍ଵାରା ପ୍ଲେଗ୍‌ ଏବଂ ମହାମାରୀ ବ୍ୟାପିବାର ପ୍ରମୁ୍ଖ କାରଣ ସମ୍ପର୍କରେ ଜଣାପଡ଼ିଥିଲା । ଏହାପରେ ଆଉ ଜଣେ ଡାକ୍ତର ମଧ୍ୟ ଏହାକୁ ସତ୍ୟ ବୋଲି ପ୍ରମାଣ କରିଥିଲେ । ବିଶ୍ବରେ ଦେଖାଦେଇଥିବା ପ୍ରମୁ୍ଖ ଭୟଙ୍କର ମହାମାରୀ ମୂଷା ଦ୍ଵାରା ବ୍ୟାପୁଥିଲା ବୋଲି ପ୍ରମାଣିତ ହୋଇଥିଲା । ଫଳରେ ମଣିଷକୁ ଏହାର ପ୍ରତିକାର ଏବଂ ପ୍ରତିଷେଧକ ପ୍ରସ୍ତୁତ କରିବାରେ ବିଶେଷ ସହାୟକ ହୋଇଥିଲା ।

ବର୍ତ୍ତମାନର ସମୟରେ ଚିକିତ୍ସା ବିଜ୍ଞାନ ଯଥେଷ୍ଟ ଉନ୍ନତି କରିସାରିଛି ଏବଂ ବିଭିନ୍ନ ମହାମାରୀର ମୁ୍କାବିଲା ପାଇଁ ଅନେକ ଡାକ୍ତରୀ ଔଷଧ ଉଦ୍ଭାବିତ ହୋଇସାରିଛି । ତେଣୁ ବର୍ତ୍ତମାନ ସମୟରେ ହୁଏତ କୈାଣସି ମହାମାରୀ ସେତେଟା ମାରାତ୍ମକ ହୋଇନପାରେ

ପୃଥିବୀରେ ବିଭିନ୍ନ ସମୟରେ ଅନେକ ମହାମାରୀ ଭୟଙ୍କର ରୂପ ଧାରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ମହାମାରୀର ବାହକ ମୂଷା ବୋଲି ପ୍ରମାଣିତ ହୋଇଛି । ତେବେ ଏହାଛଡା ମଧ୍ୟ ଅନେକ ମହାମାରୀ ବିଶ୍ବରେ ଆତଙ୍କ ଖେଳାଇଥିଲେ ଯାହାର କାରଣ କିଛି ଭିନ୍ନ ଥିଲା । ସେମାନଙ୍କ ମଧ୍ୟରେ ୧୯୧୮ର ଫ୍ଲୁ ମହାମାରୀର ବିନାଶ ଲୀଳା କଥା ମନେ ପଡ଼ିଲେ ଏବେବି ଦେହ ଶିତେଇ ଉଠେ ।

ମୁଖ୍ୟତଃ ସ୍ପେନିଶ ଫ୍ଲୁ ନାମରେ ଜଣାଶୁଣା ଏହି ମହାମାରୀ H1N1 ଭୂତାଣୁ ଦ୍ଵାରା ହିଁ ସଂକ୍ରମିତ ହୋଇଥିଲା । ବିଶ୍ବର ବିଭିନ୍ନ ଦେଶକୁ ଏହା ଅତି ସହଜରେ ବ୍ୟାପିଥିବାବେଳେ ଏଥିପାଇଁ ପ୍ରାୟ ୧ ଶହ ମିଲିଅନ ଲୋକଙ୍କ ମୃତ୍ୟ ହୋଇଥିଲା । ମୁ୍ଖ୍ୟତଃ ବାୟୁ ଦ୍ଵାରା ସଂକ୍ରମିତ ହେଉଥିବାରୁ ଏହି ଫ୍ଲୁ ଅତି ସହଜରେ ବିଶ୍ବରେ ଏତେ ସଂଖ୍ୟାରେ ଲୋକଙ୍କୁ ସଂକ୍ରମିତ କରିଥିଲା । ସେହି ସମୟରେ ପ୍ରଥମ ବିଶ୍ବଯ଼ୁଦ୍ଧ ଚାଲିଥିଲା ଏବଂ ଏଥିରେ ଅନେକ ଦେଶ ମଧ୍ୟ ଆକ୍ରାନ୍ତ ହୋଇଥିଲେ । ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ମୁ୍ଖ୍ୟତଃ ବୟସ୍କ ଏବଂ କମ୍‌ ବୟସର ପିଲା ଏହାଦ୍ଵାରା ଆକ୍ରାନ୍ତ ହୋଇଥିଲେ ।

 

ତେବେ ଏହାପରେ ମଧ୍ୟ ଫ୍ଲୁ ଜନିତ ଅନେକ ମହାମାରୀ ସାରା ବିଶ୍ବରେ ଭୟଙ୍କର ରୂପ ଧାରଣ କରିଛନ୍ତି । ସେମାନଙ୍କ ମଧ୍ୟରେ  ୧୯୫୬ରେ ଆରମ୍ଭ ହୋଇଥିବା ଏସିଆନ ଫ୍ଲୁ ଦୁଇ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହିଥିଲା । ଏହାର ଭୂତାଣୁକୁ H2N2 ନାମରେ ନାମିତ କରାଯାଇଥିବାବେଳେ ଏଥିରେ ପ୍ରାୟ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ଏହାଦ୍ଵାରା ମୁ୍ଖ୍ୟତଃ ଚୀନର ଗୁଆଙ୍ଗଝୁ  ସହର,ସିଙ୍ଗାପୁର, ହଂକଂ ଏବଂ ଆମେରିକା ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିଲେ ।  ଏହାପରେ ୧୯୬୮ରେ ସିଙ୍ଗାପୁର ଫ୍ଲୁ ରେ ମଧ୍ୟ ପ୍ରାୟ ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ H3N2 ଭୂତାଣୁ ଦ୍ଵାରା ହିଁ ଏହା ସଂକ୍ରମିତ ହୋଇଥିଲା । ସିଙ୍ଗାପୁରରେ ଆରମ୍ଭ ହୋଇଥିବା ଏହି ଭୂତାଣୁ କ୍ରମେ ଭିଏତନାମ, ଫିଲିପାଇନ୍ସ, ଭାରତ, ଅଷ୍ଟ୍ରେଲିଆ ଏବଂ ୟୁରୋପର କେତେକ ଦେଶକୁ ବ୍ୟାପି ଯାଇଥିଲା । ଏହାଛଡା ସ୍ବାଇନ ଫ୍ଲୁ ମଧ୍ୟ କିଛି ସମୟ ପାଇଁ ସାରା ବିଶ୍ବରେ ବିଶେଷ ଭାବରେ ପ୍ରଭାବ ପକାଇଥିଲା । ଏହାଛଡା ବିଭିନ୍ନ ସମୟରେ ଇବୋଲା, ନିପାହ ଭଳି ମାରାତ୍ମକ ଭୂତାଣୁ ବିଶ୍ବର ବିଭିନ୍ନ ଭାଗରେ ଲୋକଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି ।

ତେବେ ଗତ ଦୁଇ ଦଶନ୍ଧି ମଧ୍ୟରେ ବିଶ୍ବରେ ଭୟଙ୍କର ହୋଇଥିଲା ଏଡସ୍‌ ବା ଏଚଆଇଭି ସଂକ୍ରମଣ । କଙ୍ଗୋରେ ପ୍ରଥମେ ଏଚଆଇଭି ଭୂତାଣୁ ଚିହ୍ନଟ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ସାରା ବିଶ୍ବରେ ପ୍ରାୟ ୩୬ ମିଲିଅନ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି । ତେବେ ପ୍ରାଥମିକ ପର୍ଯ୍ୟାୟରେ ଏହି ଭୂତାଣୁ ଅଧିକ ସକ୍ରିୟ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ନିୟନ୍ତ୍ରଣ କରିବା ସାମାନ୍ୟ ସମ୍ଭବ ହୋଇଥିଲା । ତେବେ ଏକ ରିପୋର୍ଟ ମୁ୍ତାବକ ୨୦୦୫ରେ ବିଶ୍ବରେ ଏଚଆଇଭି ସଂକ୍ରମଣରେ ୨.୨ ମିଲିଅନ ଲୋକଙ୍କ ମୃତ୍ୟୁ ହୋଇଥିଲା । ଅପରପକ୍ଷେ ୨୦୧୨ ବେଳକୁ ବିଶ୍ବରେ ଏଚଆଇଭି ଆକ୍ରାନ୍ତଙ୍କ ମୃତ୍ୟୁ ହାର ୧.୬ ମିଲିଅନକୁ ହ୍ର।ସ ପାଇଥିଲା ।

ଇତିହାସରେ ଏମିତି ଅନେକ ମହାମାରୀ ସମ୍ପର୍କରେ ଉଲ୍ଲେଖ ରହିଥିଲେ ମଧ୍ୟ ସମସ୍ତ ମହାମାରୀର ସବିଶେଷ ପରିସଂଖ୍ୟାନ ମିଳିବା ସେତେଟା ସହଜ ହୋଇପାରିନି ।

ସାରା ବିଶ୍ୱରେ ମୂଷା ପାଇଁ ମହାମାରୀ ବ୍ୟାପିବା କିମ୍ବା ବିଭିନ୍ନ କାରଣରୁ ଫ୍ଲୁ ଭଳି ମହାମାରୀ ଅଧିକ ବ୍ୟାପକ ହେବାର ଅନେକ ଉଦାହରଣ ରହିଛି । ଏହାଛଡା ଅନ୍ୟ କେତେକ ମାରାତ୍ମକ ରୋଗ ମଧ୍ୟ ବିଭିନ୍ନ ଦେଶରେ ମହାମାରୀ ରୂପ ଧାରଣ କରିଛି । ସେମିତି ଏକ ମହାମାରୀ ହେଉଛି କଲେରା ବା ହଇଜା । ଇତିହାସ ମୁତାବକ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୭ଟି କଲେରା ମହାମାରୀ ଭୟଙ୍କର ହୋଇଥିବାବେଳେ ୧୮୫୨ରେ ଭାରତରେ ଦେଖାଦେଇଥିବା କଲେରା ମହାମାରୀ ଅଧିକ ବିନାଶକାରୀ ହୋଇଥିଲା ।

୧୮୬୦ ପର୍ଯ୍ୟନ୍ତ ଏହି ମହାମାରୀ ଏସିଆ, ୟୁରୋପ,ଆଫ୍ରିକା ଏବଂ ଉତ୍ତର ଆମେରିକାକୁ ବ୍ୟାପି ଯାଇଥିଲା । ଏହା ମୁଖ୍ୟତଃ ଏକ ଜଳବାହୀ ରୋଗ ହୋଇଥିବାରୁ ଏଥିରେ ଅନେକ ଲୋକ ସହଜରେ ଆକ୍ରାନ୍ତ ହୋଇଥିଲେ । ତେବେ ୮ ବର୍ଷ ଭିତରେ କଲେରା ମହାମାରୀ ସାରା ବିଶ୍ବରେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା । ଗଙ୍ଗା ନଦୀ କୂଳରେ କଲିକତା ସହରରେ ଏହା ଆରମ୍ଭ ହୋଇଥିବାବେଳେ କ୍ରମେ ଭାରତର ଅନ୍ୟ କେତେକ ପ୍ରମୁ୍ଖ ସହରକୁ ମଧ୍ୟ ବ୍ୟାପି ଯାଇଥିଲା । ଏସବୁ ଅଞ୍ଚଳରେ ଥିବା ପ୍ରଦୂଷଣ ପାଇଁ କଲେରା ଖୁବଶୀଘ୍ର ବ୍ୟାପି ଯାଇଥିଲା ।

ଏହାପରେ ୧୯୧୦ରେ ମଧ୍ୟ ବିଶ୍ୱରେ କଲେରା ମହାମାରୀ ଅଧିକ ଭୟଙ୍କର ହୋଇଥିଲା ଏବଂ ଏଥିରେ ପ୍ରାୟ ୮ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ମହାମାରୀ ପୂର୍ବ ଭଳି ଭାରତରେ ନୁହେଁ ବରଂ ଆମେରିକାରୁ ଆରମ୍ଭ ହୋଇଥିଲା । ବିଭିନ୍ନ ମହାମାରୀ ବିଭିନ୍ନ ସମୟରେ ବିଭିନ୍ନ ଭାବରେ ସାରା ବିଶ୍ୱକୁ କବଳିତ କରିଛନ୍ତି । କଲେରା, ପ୍ଲେଗ୍‌, ବସନ୍ତ ରୋଗ ଏବଂ ଇନଫ୍ଲୁଏଞ୍ଜା କାରଣରୁ ହୋଇଥିବା ମହାମାରୀ ମାନବ ଇତିହାସରେ ବେଶ୍‌ ଭୟଙ୍କର ସାବ୍ୟସ୍ତ ହୋଇଛନ୍ତି ।

ସ୍ଥିତି ଏମିତି ହୋଇଛି ଏସବୁ ରୋଗ, ଭୂତାଣୁ ସୀମା ସରହଦ ଡେଇଁ ଅନ୍ୟ ସ୍ଥାନକୁ ମଧ୍ୟ ସଂକ୍ରମିତ ହୋଇଛନ୍ତି ଏବଂ ସେଠାରେ ମଧ୍ୟ ଭୟଙ୍କର ହୋଇଛନ୍ତି । ସେଥିପାଇଁ ବିଶ୍ବ ସଂଗଠନ ଏହାକୁ ମହାମାରୀ ବୋଲି ଘୋଷଣା କରିବା ସ୍ବାଭାବିକ । ଇତିହାସର ଏକ ପରିସଂଖ୍ୟାନ ମୁ୍ତାବକ କେବଳ ବସନ୍ତ ରୋଗରେ ହିଁ ଗତ ୧୨ ହଜାର ବର୍ଷ ଭିତରେ ସାରା ବିଶ୍ବରେ ପ୍ରାୟ ୫୦୦ ମିଲିଅନ ଲୋକଙ୍କ ମୃତ୍ୟୁ ହୋଇସାରିଛି ।

ପୂର୍ବରୁ ଚିକିତ୍ସା ବିଜ୍ଞାନ ସେତେଟା ସକ୍ରିୟ କିମ୍ବା ଉନ୍ନତ ନଥିଲା । ତେଣୁ ଏମିତି ମହାମାରୀର ମୁ୍କାବିଲା କରିବା କିମ୍ବା ତା ଉପରେ ଶତପ୍ରତିଶତ ବିଜୟ ହାସଲ ସମ୍ଭବ ହୋଇପାରୁନଥିଲା । ତେବେ ବର୍ତ୍ତମାନ ଡାକ୍ତରୀ ବିଜ୍ଞାନ ଯଥେଷ୍ଟ ଆଗକୁ ଗଲାଣି ଏବଂ ମଣିଷ ବିଭିନ୍ନ ଔଷଧ ମଧ୍ୟ ବାହାର କରିସାରିଲାଣି । ତେଣୁ ଏମିତି ମହାମାରୀ ଆଉ ସେମିତି ଭୟଙ୍କର ହେବାର ସେତେଟା ସମ୍ଭାବନା ନାହିଁ ।

ବାସ୍ତବରେ ବିଶ୍ୱରେ କେତେକ ମହାମାରୀ କେତେଯେ ଭୟଙ୍କର ସାବ୍ୟସ୍ତ ହୋଇଛନ୍ତି ସେ ସମ୍ପର୍କରେ ବିଭିନ୍ନ ପରିସଂଖ୍ୟାନରେ ତଥ୍ୟ ଉଲ୍ଲେଖ ରହିଛି । ହେଲେ ଏହାକୁ ନେଇ ସାଧାରଣ ଲୋକଙ୍କ ଚିନ୍ତା ଏବଂ ଭାବନା ମଧ୍ୟ ସେହି ଅନୁପାତରେ ଗୁରୁତ୍ୱ ବହନ କରେ । ବିଭିନ୍ନ ମାରାତ୍ମକ ଭୂତାଣୁକୁ ନେଇ ବିଶ୍ୱବାସୀଙ୍କ ଭୟ ମଧ୍ୟ ସେହି ଅନୁପାତରେ ବାସ୍ତବ । ଲୋକଙ୍କ ଏଭଳି ଭାବନା ଏବଂ କିଛିଟା କାଳ୍ପନିକ କାହାଣୀକୁ ନେଇ ହଲିଉଡରେ ଅନେକ ଫିଲ୍ମ ନିର୍ମିତ ହୋଇଛି । ସେମାନଙ୍କ ମଧ୍ୟରୁ ଅନେକ ଫିଲ୍ମ ବ୍ୟବସାୟିକ ସଫଳତା ହାସଲ କରିଥିଲେ ମଧ୍ୟ ଅନେକାଂଶରେ ଲୋକଙ୍କୁ ସଚେତନ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଆମେ କହିପାରିବା ।

ଏହି କ୍ରମରେ ହଲିଉଡରେ ୨୦୧୬ରେ ନିର୍ମିତ ହୋଇଥିବା ଦି କ୍ୟାବିନ ବେଶ୍‌ ଚର୍ଚ୍ଚାରେ ରହିଥିଲା । ଛୁଟି ବିତାଇବାକୁ ଆସିଥିବା କେତେକ ସାଙ୍ଗ ଏକ ଭଡା କ୍ୟାବିନରେ ରହୁଥିବାବେଳେ କେମିତି ଏକ ଭୟଙ୍କର ଭୂତାଣୁର ଶିକାର ହୋଇଛନ୍ତି ତା ଉପରେ ଆଧାରିତ ଏହି ଫିଲ୍ମ । ଏହି କ୍ରମରେ ଆଉ ଏକ ଚର୍ଚ୍ଚିତ ଫିଲ୍ମ ୱାର୍ଲଡ ୱାର ଜେଡ୍‌ ୨୦୧୩ରେ ମୁ୍କ୍ତିଲାଭ କରିଥିଲା ଏବଂ ବେଶ୍‌ ଲୋକପ୍ରିୟ ମଧ୍ୟ ହୋଇଥିଲା । କୈାଣସି ଏକ ଭାଇର ପ୍ରଭାବରେ ହଠାତ୍‌ ମଣିଷ ମାଂସାସୀ ହୋଇଯାଉଛି ଏବଂ ଫିଲ୍ମର ନାୟକ ବିଭିନ୍ନ ଦେଶକୁ ଯାଇ ଏହାର ମୁ୍କାବିଲା କରିଛନ୍ତି ।

୨୦୦୭ରେ ନିର୍ମିତ ହୋଇଥିଲା ‘ଆଇ ଆମ ଲିଜେଣ୍ଡ’ ଫିଲ୍ମ ମଧ୍ୟ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା । କ୍ୟାନସର ଉପଚାର ପାଇଁ ଉଦ୍ଭାବିତ ହୋଇଥିବା ଔଷଧର ପାର୍ଶ୍ୱ ପ୍ରତିକ୍ରିୟାରେ ଲୋକମାନେ କ୍ରମେ ହିଂସ୍ର ହୋଇଯାଉଛନ୍ତି । ତେବେ ଜଣେ ଡାକ୍ତର ଏହି ମାରାତ୍ମକ ଭାଇରସରୁ କେମିତି ରକ୍ଷା ପାଉଛନ୍ତି ତାହା ଫିଲ୍ମରେ ଦେଖାଯାଇଛି ।

୨୦୦୮ରେ ମୁ୍କ୍ତିଲାଭ କରିଥିଲା କ୍ବାରେଣ୍ଟାଇନ । କୈାଣସି ଏକ ସଂକ୍ରମଣ ପାଇଁ କିଛି ଲୋକଙ୍କୁ ଅନ୍ୟତ୍ର ଏକାନ୍ତରେ ରଖାଯାଇଥିବାବେଳେ ସେମାନଙ୍କ ଭିତରେ ଫଶି ଯାଇଥିଲେ ଜଣେ ସାମ୍ବାଦିକ ଏବଂ ଅଗ୍ନିଶମବାହିନୀ କର୍ମଚାରୀ । ତେବେ କେମିତି ସେମାନେ ଏଥିରୁ ନିଜକୁ ବଞ୍ଚାଇଛନ୍ତି ତାହା ଏହି ଫିଲ୍ମରେ ପ୍ରଦର୍ଶିତ ହୋଇଛି ।

ଏହାଛଡା ମଧ୍ୟ ଏଭଳି କାହାଣୀକୁ ନେଇ ହଲିଉଡରେ ଅନେକ ଚଳଚ୍ଚିତ୍ର ନିର୍ମିତ ହୋଇଛି । ତେବେ ବର୍ତ୍ତମାନର ସମୟରେ ସାରା ବିଶ୍ବରେ କରୋନା ଭାଇରସ୍‌ କ୍ରମେ ଭୟଙ୍କର ହେଉଥିବାବେଳେ ଏହାକୁ ନେଇ ବଲିଉଡରେ ମଧ୍ୟ ଫିଲ୍ମ ନିର୍ମାଣ ପାଇଁ ଯୋଜନା ଆରମ୍ଭ ହୋଇଗଲାଣି ।

ସେଥିପାଇଁ IFTPC ପାଖରେ ଟାଇଟଲ ରେଜିଷ୍ଟର ପାଇଁ ଲମ୍ବା ଆବେଦନ କରାଯାଇଛି । ଦେଶର ପ୍ରସିଦ୍ଧ ପ୍ରଯୋଜନା ସଂସ୍ଥା ଇରୋସ କରୋନା ଉପରେ ଏକ ଫିଲ୍ମ ନିର୍ମାଣ କରବାକୁ ସ୍ଥିର କରିଛି ।

ଫିଲ୍ମର ଟାଇଟଲ କରୋନା ପ୍ୟାର ହେ ରହିବ ବୋଲି ସ୍ଥିର ହୋଇଛି । ତେବେ ଫିଲ୍ମର ଷ୍ଟାର କାଷ୍ଟ କଣ ରହିବ ତାହା ଏର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଏହାଛଡା କରୋନାକୁ ନେଇ ଅନେକ ଗୀତ ମଧ୍ୟ ରେକର୍ଡିଂ ହୋଇସାରିଛି ।

 

ନିର୍ଭୟା ଦୋଷୀଙ୍କୁ ଫାଶୀ: ଦିଲ୍ଲୀରେ ପହଞ୍ଚିଲେ ପୱନ ଜହ୍ଲାଦ

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଫାଶୀ ଦେବା ପାଇଁ ତିହାର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଆସନ୍ତା ମାର୍ଚ୍ଚ ୨୦ ତାରିଖରେ ନିର୍ଭାୟର ଦୋଷୀମାନଙ୍କୁ ଫାଶୀ ଦିଆଯିବ । ଯେଉଁଥିପାଇଁ ତିହାର ଜେଲ ପ୍ରଶାସନ ମିରଟ ଜେଲ କର୍ତ୍ତୃପକ୍ଷ ପୱନ ଜହ୍ଲାଦଙ୍କୁ ଡକାଇଛନ୍ତି। ଦୋଷୀ ବିନୟ, ଅକ୍ଷୟ, ପୱନ ଏବଂ ମୁକେଶଙ୍କୁ ଫାଶି ଦେବା ପାଇଁ ହ୍ୟାଙ୍ଗମ୍ୟାନ ପୱନ ଫାଶୀ ହେବାର ତାରିଖ ପୂର୍ବରୁ ଜେଲରେ ପହଞ୍ଚିଛନ୍ତି । ତାଙ୍କ ରହିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଦୁଇଥର ଫାଶୀ ତାରିଖ ଘୁଞ୍ଚିବା ପରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଆଉ ଏକ ତାରିଖ ସ୍ଥିର କରିଛନ୍ତି। ମାର୍ଚ୍ଚ ୩ ତାରିଖ ସକାଳ ୬ ଟାରେ ଦୋଷୀଙ୍କୁ ଫାଶୀ ଦେବା ପାଇଁ କୋର୍ଟ ଏକ ନୂତନ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି। ଦୋଷୀ ମୁକେଶ କୁମାର ସିଂ , ପୱନ ଗୁପ୍ତା, ବିନୟ କୁମାର ଶର୍ମା ଏବଂ ଅକ୍ଷୟ କୁମାର କୁ ଫାଶୀ ଦେବା ପାଇଁ ଡେଥ୍ ୱାରେଣ୍ଟ ଜାରି କରାଯାଇଛି।

ପ୍ରଥମେ ଫାଶୀ ପାଇଁ ଜାନୁଆରୀ ମାସ ୨୨ତାରିଖ ସ୍ଥିର କରାଯାଇଥିଲା | କିନ୍ତୁ ଜାନୁଆରୀ ୧୭ ତାରିଖରେ କୋର୍ଟର ନିର୍ଦ୍ଦେଶ ପରେ ଏହାକୁ ଫେବୃଆରୀ ୧ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ସୁପ୍ରିମକୋର୍ଟଙ୍କ ୨୦୧୪ ମସିହାର ରାୟ ଅନୁସାରେ, ରାଜକ୍ଷମା ଆବେଦନ ଖାରଜ ହେବା ପରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାର ୧୪ ଦିନ ବାଧ୍ୟତାମୂଳକ ସମୟ ଦେବାକୁ ପଡେ।

ରାଜଧାନୀ ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ୨୦୧୨ ମସିହା ଡିସେମ୍ବର ୧୬ ତାରିଖ ରାତିରେ ଏହି କାଣ୍ଡ ଘଟିଥିଲା । ଏକ ଚଳନ୍ତା ବସରେ ଫିଜିଓଥେରାପି ଛାତ୍ରୀ ଜଣଙ୍କୁ ଗଣଦୁଷ୍କର୍ମ ପରେ ଆକ୍ରମଣ କରିଥିଲେ ୬ ଜଣ ଦୁର୍ବୃତ୍ତ । ସେହି ୬ ଜଣଙ୍କ ମଧ୍ୟରୁ ରାମ ସିଂ ଜେଲ୍‌ ଭିତରେ ଆତ୍ମହତ୍ୟା କରିଥିଲା । ଏହି ଘଟଣା ସମଗ୍ର ଦେଶକୁ ଥରାଇ ଦେଇଥିଲା।

 

ସନ୍ଧ୍ୟାରୁ ସ୍ୱାଭାବିକ ହେବ ୟେସ୍‌ ବ୍ୟାଙ୍କ: ଆସନ୍ତାକାଲି ଫେରିବ ମହାପ୍ରଭୁଙ୍କ ଟଙ୍କା

ପୁରୀ: ଆସନ୍ତାକାଲି ଫେରିବ ୟେସ୍‌ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା । ୟେସ୍‌ ବ୍ୟାଙ୍କରୁ ଉଠାଇ ଜାତୀୟକରଣ ବ୍ୟାଙ୍କରେ ରଖାଯିବ ଏହି ଟଙ୍କା । ଇ-ଟ୍ରାନ୍ସଫର ମାଧ୍ୟମରେ ଏହି ଟଙ୍କା ଫେରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ସନ୍ଧ୍ୟାରୁ ୟେସ୍‌ ବ୍ୟାଙ୍କ ପୁନଃ କାର୍ଯ୍ୟକ୍ଷମ ହେଉଥିବା ବେଳେ ଫିକ୍ସ ଡିପୋଜିଟ୍ ଥିବା ମହାପ୍ରଭୁଙ୍କ ଟଙ୍କାର ଆସନ୍ତାକାଲି ମାଚ୍ୟୁରିଟି ପୂରୁଥିବାରୁ ଟଙ୍କା ଉଠିବ ବୋଲି ଜଣାପଡ଼ିଛି । ତେବେ ସମସ୍ତଙ୍କ ଟଙ୍କା ଉଠାଣ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୟେସ୍‌ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଜଣାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ମହାପ୍ରଭୁଙ୍କ ଟଙ୍କା ଫେରସ୍ତ ପାଇଁ ପୂର୍ବରୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଜଣାଇଥିଲେ । ଏଥିହସିତ ବିଜେଡି ପ୍ରତିନିଧିଦଳ ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟି ମହାପ୍ରଭୁଙ୍କ ଟଙ୍କା ସମ୍ପର୍କରେ ଆଲୋଚନା କରିଥିଲେ ।

YES ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଆରବିଆଇର କଟକଣା

ତେବେ କେନ୍ଦ୍ରମନ୍ତ୍ରୀ ନିର୍ମଳା ମହାପ୍ରଭୁଙ୍କ ଟଙ୍କାଟିଏ ବି ଏପଟେ ସେପଟେ ଖର୍ଚ୍ଚ ହେବନି ଏବଂ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ବୋଲି ନିର୍ଭୟ ବାଣୀ ଶୁଣାଇଥିଲେ । ମହାପ୍ରଭୁଙ୍କ ଟଙ୍କା ନେଇ ରାଜ୍ୟବିଧାନସଭାରେ ମଧ୍ୟ ଆଲୋଚନା ହୋଇଛି ଏବଂ ମହାପ୍ରଭୁଙ୍କ ଟଙ୍କାକୁ ଏକ ଘରୋଇ ବ୍ୟାଙ୍କରେ ଜମା କରାଯିବା ନେଇ ତଦନ୍ତ ପାଇଁ ଏକ ଗୃହ କମିଟି ଗଠିତ ହୋଇଛି ।

ଶ୍ରୀମନ୍ଦିର ଟଙ୍କା ଫେରାଇ ଆଣିବା ପାଇଁ ସରକାରଙ୍କ ଅଭୟବାଣୀ, ତଥାପି ଗୃହ କମିଟି ପାଇଁ ବିରୋଧୀଙ୍କ ଜିଦ୍

କରୋନା ନାଁରେ ଯୁବତୀଙ୍କୁ କମେଣ୍ଟ କରି ଛେଚା ଖାଇଲେ ଯୁବକ

ଭୁବନେଶ୍ୱର: ମଦ୍ୟପ ଯୁବକଙ୍କର ଉନ୍ମତ କାଣ୍ଡ । ରାଜଧାନୀରେ କରୋନାକୁ ନେଇ ଯୁବତୀଙ୍କୁ କମେଣ୍ଟ । ଆଉ ତାପରେ ନିର୍ଧୁମ ଛେଚା ଖାଇଲେ ମଦ୍ୟପ ଯୁବକ । କଳ୍ପନା ଛକ ପେଟ୍ରୋଲ ପମ୍ପ୍‌ରେ ଘଟିଛି ଏଭଳି ଘଟଣା । ଅଭିଯୋଗ ପରେ ପୋଲିସ ମଦ୍ୟପ ଯୁବକଙ୍କୁ ଥାନାରେ ଅଟକ ରଖିଛି ।

ସୂଚନା ଅନୁଯାୟୀ, ଗତ ରାତି ୧୧ଟା ୪୫ ମିନିଟରେ କିଛି ଯୁବତୀ ପେଟ୍ରୋଲ ପକାଇବା ପାଇଁ କଳ୍ପନା ପେଟ୍ରୋଲ ପମ୍ପକୁ ଆସିଥିଲେ । ସେହି ସମୟରେ କିଛି ମଦ୍ୟପ ଯୁବକ ସେମାନଙ୍କୁ କରୋନ କହି ବାରମ୍ବାର କମେଣ୍ଟ ମାରିଥିଲେ ।

ଯୁବତୀ ମାନେ ସେମାନଙ୍କୁ ଏହା କାହିଁକି କହୁଛ କହିବାରୁ ମଧ୍ୟ ସେ ଅଟକି ନଥିଲେ । ଏହା ପରେ ମଦ୍ୟପ ଯୁବକ ମାନେ ପେଟ୍ରୋଲ ପମ୍ପ୍‌ରେ ଥିବା ଅଧିକାରୀ ମାନଙ୍କୁ ହେଲମେଟ ଦ୍ୱାରା ଆକ୍ରମଣ କରିଥିଲେ । ଏହା ପରେ ଉକ୍ତ ଯୁବତୀ ମାନେ ସେହି ମଦ୍ୟପ ଯୁବକ ମାନଙ୍କୁ ନିର୍ଧୁମ୍‌ ମାଡ଼ ମାରିଥିଲେ  । ଏହାପରେ ସ୍ଥାନୀୟ ଲୋକେ ୩ ଯୁବକଙ୍କୁ ନିର୍ଧୁମ ମାଡ଼ ମାରିଥିଲେ । ପରେ ବଡ଼ଗଡ଼ ଥାନାରେ ଯୁବତୀ ଓ ପେଟ୍ରୋଲ ପମ୍ପ୍‌ ପକ୍ଷରୁ ଅଭିଯୋଗ କରାଯାଇଛି ।

 

ଆମେରିକାରୁ ଆସୁଛନ୍ତି ଗୀତା ମେହେଟ୍ଟା, କୋଭିଡ-୧୯ରେ ପଞ୍ଜିକରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନାକୁ ନେଇ ସରକାର ସଚେତନ କରୁଛନ୍ତି । ସଂକ୍ରମଣ ରୋକିବାକୁ ଅହରହ ଉଦ୍ୟମ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ସଚେତନ କରୁଛନ୍ତି । ବିଦେଶରୁ ଓଡ଼ିଶା ଆସୁଥିବା ଲୋକଙ୍କ ପାଇଁ ସରକାର ଖୋଲିଛନ୍ତି ୱେବସାଇଟ୍ https://covid19.odisha.gov.in/ । ବିଦେଶରୁ ଆସୁଥିଲେ ଏହି ୱେବସାଇଟରେ ପଞ୍ଜିକରଣ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କୋଭିଡ-୧୯ରେ ନିଜ ଉଭଣୀ ଗୀତା ମେହେଟ୍ଟାଙ୍କ ନାଁ ପଞ୍ଜିକରଣ କରିଛନ୍ତି । ଏନେଇ ନିଜେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏଥିସହ ବିଦେଶରୁ ଆସୁଥିବା ଅନ୍ୟ ବ୍ୟକ୍ତିବିଶେଷ ମଧ୍ୟ ଉକ୍ତ ୱେବସାଇଟରେ ନାଁ ପଞ୍ଜିକରଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହାଦ୍ୱାରା ସଂକ୍ରମଣକୁ ରୋକାଯାଇ ପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କାୟା ମେଲାଉଥିବା କରୋନାରୁ କେମିତି ଦୁରେଇ ରହିବେ ?

ବିଦେଶରୁ ଆସୁଥିବା ବ୍ୟକ୍ତି ବିଶେଷ ପହଞ୍ଚିବାର ୨୪ ଘଣ୍ଟା ମଧ୍ୟରେ ପୋର୍ଟାଲରେ ପଞ୍ଜିକରଣ କରିବାକୁ କୁହାଯାଇଛି । ଏଥିସହ କରୋନା ଲକ୍ଷ୍ୟଣ ଦେଖାଗଲେ ତାଙ୍କୁ ୧୪ ଦିନ ପାଇଁ ଆଇସୋଲେସନରେ ରଖାଯିବ । ଏପରିକି ସେମାନଙ୍କ ପାଇଁ ସରକାର ୧୫ ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ପୋର୍ଟାଲ୍ ବ୍ୟତୀତ ୧୦୪ ନିଃଶୁଳ୍କ ନମ୍ବରରେ ମଧ୍ୟ ପଞ୍ଜିକରଣ କରିହେବ ।

କରୋନା ମୁକାବିଲା ଦିଗରେ ସରକାରଙ୍କୁ ସହଯୋଗ ଲାଗି ପୁରୀ ଗଜପତିଙ୍କ ଅପିଲ୍

ସରକାରଙ୍କ ନିୟମକୁ ମାନି ଗତକାଲି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ, IAS ଭୀନିଲ କ୍ରୀଷ୍ଣା ପୋର୍ଟାଲ ନିଜ ନାଁ ପଞ୍ଜିକରଣ କରିଥିଲେ । ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ମଧ୍ୟ ପୋର୍ଟାଲରେ ବିଦେଶରୁ ଫେରିଥିବା ତାଙ୍କ ପୁଅଙ୍କ ନାଁ ପଞ୍ଜିକରଣ କରିଥିଲେ ।

ସୋସିଆଲ ମିଡିଆରେ ଭାଇରାଲ ହେଉଛି ତମ୍ବୁରେ ତିଆରି ପାକିସ୍ତାନ ଆଇସୋଲେସନ କ୍ୟାମ୍ପ

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନା ପାଇଁ ସଚେତନ । ଏହି ଭାଇରସରୁ ନିଜକୁ ଦୂରେଇ ରଖିବା ପାଇଁ ସରକାର ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି । ଏହା ସହ ଜନସାଧାରଣ ମଧ୍ୟ ଭାଇସରକୁ ନେଇ ଖୁବ ସଚେତନ । କରୋନା ସଂକ୍ରମିତ ଦେଶ ଗୁଡ଼ିକରେ ସରକାର ଆଇସୋଲେସନ ରୁମ ତିଆରି କରିଛନ୍ତି ଯେଉଁଥିରେ ଭାଇସର ଦ୍ୱାରା ସଂକ୍ରମିତ ରୋଗୀ ମାନଙ୍କୁ ଚିକିତ୍ସା କରାଯାଇପାରିବ ।

ତେବେ କରୋନାଭାଇରସ୍ ସଂକ୍ରମଣରେ ପାକିସ୍ତାନ ଏହାର ଏକ ବୃହତ୍ ଦିନିକିଆ ସ୍ପାଇକ୍ ରେକର୍ଡ କରିଛି । ଯାହା ୧୮୪ କୁ ପହଞ୍ଚିଛି । ଅକାମି କ୍ୱାରେଣ୍ଟାଇନ ପ୍ରକ୍ରିୟା ରିପୋର୍ଟ ହେତୁ ୧୮୪ ସଂକ୍ରମିତ ମଧ୍ୟରୁ ୧୩୪ ଜଣ ଦେଶର ଟାଫଟନ୍ ସୀମା କ୍ରସିଂରେ ଏକ କ୍ୱାରେଣ୍ଟାଇନ କ୍ୟାମ୍ପରେ ରହୁଥିବା ସୂଚନା ମିଳିଛି ।

ସରକାରୀ ତଥ୍ୟ ଅନୁଯାୟୀ ପାକିସ୍ତାନରେ କରୋନାଭାଇରସ୍ କାରଣରୁ କୌଣସି ମୃତ୍ୟୁ ରେକର୍ଡ ହୋଇନାହିଁ। ତେବେ କରୋନା ସଂକ୍ରମିତ ମାନଙ୍କୁ ସଠିକ ଡାକ୍ତରୀ ଚିକିତ୍ସା ଦେବା ବଦଳରେ ପାକିସ୍ତାନରେ ସଂକ୍ରମିତ ମାନେ ତମ୍ବୁ ଭିତରେ ରହୁଛନ୍ତି । ଗୋଟେ ତମ୍ବୁରେ ରହୁଛନ୍ତି ପାଞ୍ଚ ଜଣ । ନା ଠିକରେ ଖାଇବାକୁ ମିଳୁଛି ନା ଅଛି ଗାଧୋଇବାର ସୁବିଧା । କପଡ଼ାରେ ତିଆରି ଛୋଟ ଛୋଟ ତମ୍ବୁରେ ଶୌଚ କରୁଛନ୍ତି ଲୋକେ ।

ମାର୍ଚ୍ଚ ୩ ରେ ତମ୍ବୁକୁ ଅଣାଯାଇଥିବା ଜଣେ କରୋନା ସଂକ୍ରମିତଙ୍କ କହିବା ଅନୁଯାୟୀ, ‘ଆମେ ତମ୍ବୁରେ ଶୋଇଛୁ, ପାଞ୍ଚ ଜଣ ଲୋକ ଗୋଟିଏ ତମ୍ବୁରେ ଅଛନ୍ତି କାରଣ ଏଠାରେ ଜାଗା ଅଭାବ ରହିଛି। ପର୍ଯ୍ୟାପ୍ତ ବାଥରୁମ କିମ୍ବା ପର୍ଯ୍ୟାପ୍ତ ଜଳ ନାହିଁ। କରୋନା ସ୍କ୍ରିନିଂ ପାଇଁ ସିଷ୍ଟମ ଦାବି କରିଥିବାବେଳେ ସେଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଔଷଧ ମଧ୍ୟ ଯୋଗାଇ ଦିଆଯାଉନଥିବା ଅଭିଯୋଗ କରିଛନ୍ତି ଲୋକେ ।’

ତମ୍ବୁରେ ଅସୁବିଧାର ସାମ୍ନା ହେଉଥିବା ସଂକ୍ରମିତ ମାନଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଧାଡ଼ିରେ ତମ୍ବୁ ଗୁଡ଼ିକ ରହିଛି । ଦିନରେ ଲୋକେ ଖରାରେ ସିଝୁଥିବା ବେଳେ ରାତିରେ ଥଣ୍ଡା ପବନରେ ଲୋକେ ହନ୍ତସନ୍ତ ହେଉଛନ୍ତି । ସକାଳେ ଠିକ ଭାବରେ ଜଳଖିଆ ମିଳୁନାହିଁ । ଶିଶୁ ଏବଂ ମହିଳା ମାନେ ଏଥିରେ ଅଧିକ ହଇରାଣ ହେଉଥିବା ଦେଖିବାକୁ ମିଳୁଛି ।

 

 

 

ଜଙ୍ଗଲ ରକ୍ଷା କରିବାକୁ ଅଣ୍ଟା ଭିଡିଛନ୍ତି ଗ୍ରାମର ମହିଳା…

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଶଗଡିଆ ଗ୍ରାମର କିଛି ମହିଳା ଜଙ୍ଗଲ ସୁପକ୍ଷା ପାଇଁ ନିଆରା ପଦକ୍ଷେପ ଆପଣାଇଛନ୍ତି । ରାତି ପାହିଲେ ସଂୟ୍ୱ ସହାୟିକା ଗୋଷ୍ଠୀର ମହିଳାମାନେ ସାଙ୍ଗରେ ଖାଦ୍ୟ ଓ ପାଣି ବୋତଲ ଧରି ଗ୍ରାମ ନିକଟସ୍ଥ ଜଙ୍ଗଲକୁ ବାହାରି ଯାଉଛନ୍ତି । ସଂୟ୍ୱ ସହାୟିକାର ୩ ଜଣ ମହିଳା ଜଙ୍ଗଲ ସୁରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି । ଜଙ୍ଗଲରେ ପ୍ରବେଶ କରୁଥିବା କାଠ ମାଫିଆଙ୍କ ଉପରେ କଡା ନଜର ରଖୁଛନ୍ତି । କାଠ ଚୋରଙ୍କୁ ସାବାଡ କରିବା ପାଇଁ ସର୍ବଦା ପ୍ରସ୍ତୁତ ରହୁଛନ୍ତି । କେବଳ ଜଙ୍ଗଲ ଜଗିବା ଓ ସଚେତନତା କରିବାରେ ସେମାନେ ସିମିତ ନାହାନ୍ତି । ଲୋକେ ଗଛ କାଟିଲେ ସେମାନଙ୍କୁ ଦଣ୍ଡ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ରହୁଛନ୍ତି ଏହି ମହିଳାମାନେ ।

କେବଳ ସେତିକି ନୁହେଁ ଉଜୁଡି ଯାଇଥିବା ଜଙ୍ଗଲରେ ନୂତନ ସବୁଜିମା ଆଣିବା ପାଇଁ ଯୋଜନା କରୁଛନ୍ତି । ଗାଁ ନିକଟରେ ରହିଥିବା ସଂରକ୍ଷିତ ଜଙ୍ଗଲ ଦିନକୁ ଦିନ ପଦା ହୋଇଯାଉଛି । କାଠ ଚୋରଙ୍କ ପାଦୃଭାବ ଦିନକୁ ଦିନ ବଢିଚାଲିଛି । ନିଜ ଜଙ୍ଗଲକୁ ନିଜେ ସୁରକ୍ଷା ଦେବା ପାଇଁ ମହିଳାମାନେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଗ୍ରାମ ମହିଳାମାନଙ୍କର ଏହି ପ୍ରକାର ପ୍ରୟାସକୁ ସାଧାରଣରେ ବେଶ ପ୍ରସଂଶା କରାଯାଉଛି । ଯାହା ସେମାନଙ୍କୁ ଉତ୍ସାହିତ କରୁଛି । ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ମହିଳାମାନେ ଏହି ପଦକ୍ଷେପ ଗ୍ରହଣ କରିବା ସହ ସଚେତନତା ବାର୍ତ୍ତା ପ୍ରଦାନ କରୁଥିବା ପ୍ରକାଶ କରିଛନ୍ତି ।