spot_img
Home Blog Page 7159

ଝାନସୀ ପୋଲିସ ଭିଡ଼ିଓରେ ସୋନୁ ସୁଦ୍, ଲୋକଙ୍କୁ କଲେ ନିବେଦନ

ଝାନସୀ: ପୂରା ଦେଶ ଏବେ କରୋନା ଭାଇରସ୍ ମୁକାବିଲା କରିବାରେ ଲାଗିପଡ଼ିଛି । ଏହାକୁ ନେଇ ଦେଶର ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ତରରେ ଯଥାସମ୍ଭବ ଚେଷ୍ଟା କରୁଛନ୍ତି । ଏବଂ ଏହାର ଜ୍ୱଳନ୍ତ ଉଦାହର ପାଲଟିଛନ୍ତି ବଲିଉଡର ଖଳନାୟକ ସୋନୁ ସୁଦ । ଯିଏକି ଆଜିକାଲି ସାରା ଦେଶରେ ପ୍ରସଂଶା ସାଉଁଟିଛନ୍ତି । କରୋନା ଭାଇରସ କାରଣରୁ ଲକଡାଉନରେ ସଂଗ୍ରାମ କରୁଥିବା ୟୁପି ଏବଂ ବିହାରର ପ୍ରବାସୀ ଶ୍ରମିକଙ୍କୁ ସାହଯ୍ୟ କରିବାର କୌଣସି ବାଟ ଛାଡି ନାହାଁନ୍ତି ଅଭିନେତା ସୋନୁ ସୁଦ, ତାଙ୍କର ଏଭଳି ସେବା ପାଇଁ ସେ ସମଗ୍ର ଦେଶର ହୃଦୟ ଜିତିଛନ୍ତି । ମୁମ୍ବାଇରୁ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପଠାଇବା ପାଇଁ ସେ ଶହ ଶହ ବସ୍ ବ୍ୟବସ୍ଥା କରୁଛନ୍ତି । ସେପଟେ ସୋନୁ ସୁଦ ୟୁପିର ଝାନସୀ ପୋଲିସର ଏକ ଭିଡିଓ ଜରିଆରେ ଲୋକଙ୍କୁ ନିବେଦନ ମଧ୍ୟ କରିଛନ୍ତି । ଏହି ଭିଡିଓରେ ମହିଳା କନଷ୍ଟେବଳଙ୍କ ମାଧ୍ୟମରେ ସାମାଜିକ ଦୂରତା, ମାସ୍କ୍ ବ୍ୟବହାର କରିବା ସହିତ ଛୋଟ ଛୋଟ ସତର୍କତା ବିଷୟରେ କୁହାଯାଇଛି, ଯାହା ଦ୍ୱାରା ଲୋକମାନେ କରୋନା ସଂକ୍ରମଣରୁ ରକ୍ଷା ପାଇପାରିବେ।

https://twitter.com/jhansipolice/status/1268966822142971904

ଝାନସୀ ପୋଲିସ କିପରି ଜିଣିଲେ ସୋନୁ ସୁଦଙ୍କ ହୃଦୟ

ମାର୍ଚ୍ଚ ୨୫ରେ ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ଲକଡାଉନ୍ ଘୋଷଣା କରିଥିଲେ, ଏହା ପରେ ୟୁପି, ବିହାର, ମୁମ୍ବାଇ, ଗୁଜୁରାଟ, ଦିଲ୍ଲୀ, ପଞ୍ଜାବ, ହରିୟାଣା, ଦକ୍ଷିଣ ଭାରତର ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବ୍ୟସ୍ତ ହୋଇଯାଇଥିଲେ। ଲକ୍ଷ ଲକ୍ଷ ଅଣ-ରାଜ୍ୟ, ପ୍ରବାସୀ ଶ୍ରମିକ, ଶ୍ରମିକ ଏବଂ ଅନ୍ୟାନ୍ୟ ଶ୍ରେଣୀର ଲୋକମାନେ ଝାନସୀ ଜିଲ୍ଲାର ତିନିଟି ସୀମାରେ ଏକତ୍ରିତ ହୋଇଥିଲେ। ଏପରି ପରିସ୍ଥିତିରେ, ଝାନସୀ ଜିଲ୍ଲା ପ୍ରଶାସନ ପାଇଁ କରୋନା ସଂକ୍ରମଣକୁ ରୋକିବା ବଡ଼ ଚ୍ୟାଲେଞ୍ଜ ହୋଇଗଲା ।

ବହୁ ସଂଖ୍ୟକ ପ୍ରବାସୀ ଏକତ୍ରିତ ହେବା କାରଣରୁ ସେମାନଙ୍କୁ ନିୟନ୍ତ୍ରୀତ କରିବା ଏକ ପ୍ରକାର ଅସମ୍ଭବ ହୋଇଗଲା । ଏବଂ ବିପଦ ଧିରେ ଧିରେ ବଢିବାରେ ଲାଗିଲା । କରୋନା ସଂକ୍ରମଣକୁ ଲକ୍ଷ ଲକ୍ଷ ଲୋକଙ୍କ ଭିଡରେ ବ୍ୟାପିବାକୁ ରୋକିପାରିବା ଏକ ପ୍ରକାର ଅସମ୍ଭବ ମନେହେଉଥିଲେ ବି ଝାନସି ପୋଲିସ ଲଗାତାର ପ୍ରୟାସ କରିଚାଲିଥିଲା ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଶଣ କରିଥିଲା । ପ୍ରଚଣ୍ଡ ଗରମରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ରୁ ସମସ୍ତଙ୍କୁ ସୁରକ୍ଷା ଦେବାକୁ ସବୁ ପ୍ରକାର ପ୍ରୟାସ ଚାଲିଥିଲା । ସୁରକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜିଲ୍ଲା ପ୍ରଶାସନର ସହଯୋଗରେ ପୋଲିସ ଅଧିକାରୀମାନେ ଏପରି ଏକ ହାଇ-ଟେକ୍ ସିଷ୍ଟମ ତିଆରି କରିଥିଲେ, ଯାହା ଅଭିନେତା ସୋନୁ ସୁଦଙ୍କୁ ମନକୁ ପାଇଥିଲା ।

ଝାନସୀ ପୋଲିସର ଏମିତି ପ୍ରୟାସକୁ ନେଇ କ’ଣ ଆବେଦନ କଲେ ସୋନୁ ?

ଚଳଚ୍ଚିତ୍ର ଅଭିନେତା ସୋନୁ ସୁଦ ଖୋଲାଖୋଲି ଭାବେ ୟୁପିର ଝାନସୀ ପୋଲିସକୁ ଖୁବ୍ ପ୍ରଶଂସା କରିଛନ୍ତି । ସୋନୁ ସୁଦ ଦେଶର ଲୋକଙ୍କୁ ନିବେଦନ କରିବାବେଳେ କହିଛନ୍ତି ଯେ କରୋନା ମହାମାରୀକୁ ଏଡାଇବା ପାଇଁ ଉତ୍ତରପ୍ରଦେଶ ପୋଲିସ ଏବଂ ଝାନ୍ସି ପୋଲିସର ଉଦ୍ୟମକୁ ଦେଖି ତାହାକୁ ଯଦି ସମସ୍ତେ ନିଜ ଜୀବନର ଏକ ଅଂଶ କରିବେ ତେବେ ଦେଶରେ କରୋନା ସଂକ୍ରମଣ ବ୍ୟାପିବ ନାହିଁ । ଏହି ଭିଡିଓରେ ମହିଳା କନଷ୍ଟେବଳଙ୍କ ମାଧ୍ୟମରେ ସାମାଜିକ ଦୂରତା, ମାସ୍କ୍ ବ୍ୟବହାର କରିବା ସହିତ ଛୋଟ ଛୋଟ ସତର୍କତା ବିଷୟରେ କୁହାଯାଇଛି, ଯାହା ଦ୍ୱାରା ଲୋକମାନେ କରୋନା ସଂକ୍ରମଣରୁ ରକ୍ଷା ପାଇପାରିବେ।

ବୈଜୟନ୍ତ ପଣ୍ଡାଙ୍କ ସାମାଜିକ ଦୂରତା ନିୟମ ଉଲ୍ଲଂଘନକୁ ପୂରିଲାଣି ୧୫ ଦିନ, ଏଯାଏଁ ଦେଲେ ନାହିଁ ଫାଇନ

ଭୁବନେଶ୍ୱର: କେବେ ନୋ ଫ୍ଲାଇଙ୍ଗ ଜୋନରେ ବେଫିକର ହେଲିକପଟର ଉଡ଼ାଇ ସମାଲୋଚିତ ହୋଇଛନ୍ତି ତ ଆଉ କେବେ ମିଛ ଟ୍ୱିଟ କରି ଉପହାସିତ ହୋଇଛନ୍ତି । ଏପରି ଜଣେ ନେତା ହେଉଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଏବେ ଯେଉଁ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ତାହା ଜାଣିଲେ ଆପଣ ତାଜୁବ ହୋଇଯିବେ । ବାତ୍ୟା ଅମ୍ଫାନ ପ୍ରଭାବିତ କେନ୍ଦ୍ରାପଡ଼ାରେ କରୋନା କଟକଣାକୁ ବେଧଡ଼କ ଉଲ୍ଲଂଘନ କରି ରାଲି ପରେ ରାଲି କଲେ ତାହାକୁ ନେଇ ରାଜ୍ୟବାସୀ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ ଛଟପଟ ଦେଖି ଏମିତି ଲାଗୁଥିଲା କି ଯେ, ଲକଡାଉନର ନୀରବତାରେ ସତେ ଯେମିତି ଭୋଟ ଭିକ୍ଷା କରୁଥିଲେ ବୈଜୟନ୍ତ । ତେବେ ତାଙ୍କ ସହ ସାମିଲ ଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏ ନେଇ ଭୁଲ ସ୍ୱୀକାର କରି ଫାଇନ ଦେଇଥିବାବେଳେ ବୈଜୟନ୍ତ କିନ୍ତୁ ବେଫିକର ଚୁପ ବସିଯାଇଛନ୍ତି । ଏମିତିକୁ ତାଙ୍କୁ କାରଣଦର୍ଶାଅ ନୋଟିସଟିଏ ବି ଜାରି କରିନି ଜିଲ୍ଲା ପ୍ରଶାସନ । ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି  ?

ମୋଦିଙ୍କ ଆହ୍ଵାନକୁ ଅହଙ୍କାରର ପାଦରେ ଆଡେଇଦେଲେ ବିଜେପିର ବରିଷ୍ଠ ନେତା । କରୋନା ଯୁଦ୍ଧରେ ଏକମାତ୍ର ଅସ୍ତ୍ର ସାମାଜିକ ଦୂରତା ରକ୍ଷା କରିବା । ସଂକ୍ରମଣକୁ ରୋକିବାକୁ ମାସ୍କ ପିନ୍ଧିବା । ହେଲେ ଶସ୍ତା ରାଜନୀତି ପାଇଁ ଏ ଦୁଇ ମୁଖ୍ୟ କଟକଣାକୁ ଉଲ୍ଲଂଘନ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଅପରାଜିତା ଷଡ଼ଙ୍ଗୀ । ଲକଡାଉନ ସମୟରେ ବାତ୍ୟା ପ୍ରଭାବିତ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ରୋଡ ଶୋ କରିଥିଲେ । ରାଜନୈତିକ ଫାଇଦା ହାସଲ କରିବାକୁ ଭୂଲି ଯାଇଥିଲେ ସାମାଜିକ ଦୂରତା । ଏହାପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଖୁଲମଖୁଲା ନିଜ ନେତା ଓ କର୍ମୀଙ୍କୁ ମେଳି କରିଥିଲେ । ନା ପିନ୍ଧିଥିଲେ ମାସ୍କ ନା ପାଳନ କରିଥିଲେ ସାମାଜିକ ଦୂରତା । ତେବେ ସୋସିଆଲ ମିଡିଆରେ ଟ୍ରୋଲ୍‌ ହେବା ପରେ ଅପରାଜିତାଙ୍କ ଜ୍ଞାନ ଉଦୟ ହୋଇଥିଲା । କମିଶନରେଟ ପୋଲିସକୁ ଜରିମାନା ବାବଦକୁ ପଠାଇଥିଲେ ଶହେ ଟଙ୍କା । ତେବେ ସାଧାରଣ ଲୋକ ମାସ୍କ ପିନ୍ଧିନଥିଲେ ୫ଶହ ଟଙ୍କା ଫାଇନ ପାଇଁ ସ୍ଥିର ହୋଇଥିବା ବେଳେ ଅପରାଜିତା ଓ ତାଙ୍କ ସହକର୍ମୀ କେମିତି ଶହେ ଟଙ୍କା ଲେଖାଏଁ ଦେଇ ଚୁପ୍‌ ରହିଗଲେ, ତାକୁ ନେଇ ଏବେବି ଚର୍ଚ୍ଚା ଚାଲିଛି ।

 

ତେବେ ଏଭଳି ସ୍ଥିତିରେ ବୈଜୟନ୍ତଙ୍କ ବିରୋଧରେ କେମିତି ଜିଲ୍ଲା ପ୍ରଶାସନ ଚୁପ ରହିଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଜନତା । ୨୦୧୯ ନିର୍ବାଚନରେ ବୈଜୟନ୍ତଙ୍କୁ କେନ୍ଦ୍ରାପଡ଼ା ବାସୀ ରିଜେକ୍ଟ କରିବା ପରଠାରୁ ସେ କାଁ ଭାଁ ଜିଲ୍ଲା ଗସ୍ତ କରୁଛନ୍ତି । ତେବେ ଅନେକ ଦିନ ପରେ ବାତ୍ୟା ଅମ୍ଫାନ ବୈଜୟନ୍ତଙ୍କ ପାଇଁ ମଉକା ଆଣିଦେଇଥିଲା । ପ୍ରଭାବିତଙ୍କ ପାଖରେ ପହଞ୍ଚିବା ବାହାନାରେ ଏହି ପରାଜିତ ନେତା କେନ୍ଦ୍ରାପଡ଼ାର ବିଭିନ୍ନ ଅଞ୍ଚଳରେ କରିଥିଲେ ରୋଡ୍‌ ଶୋ । ଅନୁକମ୍ଫା ରାଜନୀତି କରିବାକୁ ଜାଣିଶୁଣି ଭୂଲି ଯାଇଥିଲେ କୋଭିଡ କଟକଣାକୁ । ସାମାଜିକ ଦୂରତାକୁ ଭାଙ୍ଗି ୨ଦିନ ଧରି ମେଳିକରିଥିଲେ ବୈଜୟନ୍ତ । ରାଜନଗର ନିର୍ବାଚନ ମଣ୍ଡଳୀର ଈଶ୍ୱରପୁରରେ ମୋଟର ସାଇକେଲ ରାଲି କରିଥିଲେ । ଲକଡାଉନର ନୀରବତାରେ ସତେ ଯେମିତି ଭୋଟ ଭିକ୍ଷା କରୁଥିଲେ ବୈଜୟନ୍ତ । ପରଦିନ ବାତ୍ୟା ପ୍ରଭାବିତ ବତିଘର ବିଚ୍ଛିନାଞ୍ଚଳ ଗସ୍ତ କରି ଅନୁରୂପ ଭାବେ ଶତାଧିକ କର୍ମୀଙ୍କୁ ନେଇ ବାଇକ ରାଲି କରିଥିଲେ ।

ଏଠି ପ୍ରଶ୍ନ ଉଠୁଛି ଲକଡାଉନ ପାଇଁ ସାରାଦେଶ ଅଟକି ଯାଇଥିବା ବେଳେ ବୈଜୟନ୍ତ ରାଜନୈତିକ ରାଲି କରିବାକୁ କେମିତି ମନ ବଳାଇଲେ । ଦୁର୍ଦ୍ଦିନର ସୁଯୋଗ ନେଇ ଲୋକଙ୍କୁ ରିଲିଫ ବାଣ୍ଟିବାକୁ ଯାଇଥିଲେ ନା ସଂକ୍ରମଣ ବାଣ୍ଟିଥିଲେ ଏହି ସୋସିଆଲ ମିଡିଆ ନେତା । ଆଶ୍ଚର୍ଯ୍ୟର କଥା ହେଲା ବିଜେପି ରାଷ୍ଟ୍ରୀୟ ଉପସଭାପତିଙ୍କ ରାଲିକୁ ଅଟକାଇ ନଥିଲା ପୋଲିସ ପ୍ରଶାସନ । ଅତୀତରେ ଅତିଜରୁରୀ କାମରେ ହାଟକୁ ଆସିଥିବା ଲୋକଙ୍କୁ ବି ହଟହଟା କରିଛି । ଲାଠି ମାରିଛି । ଫାଇନ ଆଦାୟ କରିଛି । ରାସ୍ତା ଉପରେ ଆଣ୍ଠେଇ ବି ଦେଇଛି । ହେଲେ ନେତାଙ୍କ ପାଇଁ କଣ ଭିନ୍ନ ରହିଛି ଲକଡାଉନ ନିୟମ । କାହିଁକି ଜିଲ୍ଲା ପ୍ରଶାସନ ଚୁପ ରହିଛି ବୈଜୟନ୍ତଙ୍କ ରୋଡ ଶୋକୁ ନେଇ । ଲକଡାଉନ ପାଇଁ ଭକ୍ତଙ୍କୁ ବଡଦାଣ୍ଡ ମନା । ହେଲେ ବୈଜୟନ୍ତଙ୍କ ରୋଡ କେମିତି ଚାଲିଲା ।

ନିର୍ବାଚନ ପର ଠାରୁ ରାଜ୍ୟ ବିଜେପି ପାଇଁ ଅଲୋଡ଼ା ହୋଇପଡ଼ିଥିବା ବୈଜୟନ୍ତ କଣ ପରିଚୟ ସଂକଟରେ ପଡ଼ି କୋଭିଡ କଟକଣାକୁ ଭୁଲି ଗଲେ କି । ସାରା ଦେଶ, ସାରା ରାଜ୍ୟ କରୋନା ସଂକଟରେ ପଡ଼ି ଛଟପଟ ହେଉଥିବା ବେଳେ, ଏହି ବରିଷ୍ଠ ନେତା ରାଜନୈତିକ ଫାଇଦା ନେବାକୁ ଛଟପଟ ହେଉଥିବା କଥାକୁ ରାଜ୍ୟବାସୀ ହଜମ କରିପାରୁ ନାହାଁନ୍ତି । ତେବେ ଅପରାଜିତା ନିଜ ଭୁଲ ବୁଝି ହେଉ ବା ବିବାଦରୁ ମୁକ୍ତ ହେବାକୁ ନିଜ ଦୋଷ ସ୍ୱୀକାର କରିବା ସହ ଫାଇନ ଦେଇଥିବାବେଳେ ବୈଜୟନ୍ତ କେମିତି ଚୁପ ରହିଛନ୍ତି । ନା ବିଜେପିର ରାଷ୍ଟ୍ରୀୟ ଉପସଭାପତିଙ୍କ ପାଇଁ ଲକଡାଉନ କଟକଣା ଭିନ୍ନ ଭାବେ ଲେଖାଯାଇଛି । ସବୁଠାରୁ ପରିତାପର କଥା ଏ ନେଇ ଜିଲ୍ଲା ପ୍ରଶାସନ ବୈଜୟନ୍ତଙ୍କୁ କାରଣ ଦର୍ଶାଅ ନୋଟିସଟିଏ ବି ଜାରି କରିନାହିଁ । କି ବୈଜୟନ୍ତ ମଧ୍ୟ ନିଜ ଭୁଲ ସ୍ୱୀକାର କରିନାହାଁନ୍ତି ।

ଲକଡାଉନ ନେଇ ଦେଶର ପ୍ରଧାନମନ୍ତ୍ରୀ ବାରମ୍ବାର ଲୋକଙ୍କୁ ସଚେତନ କରୁଛନ୍ତି । ହେଲେ ନିଜ ଦଳର ରାଷ୍ଟ୍ରୀୟ ନେତା ଏହାକୁ ଭାଙ୍ଗିବା କେତେ ଗ୍ରହଣୀୟ ଏ ସବୁ ପ୍ରଶ୍ନର ଉତ୍ତର ଏବେ ଓଡ଼ିସାବାସୀ ମାଗୁଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ବୈଜୟନ୍ତଙ୍କୁ ଭୟ କରି ଚୁପ ବସିଛନ୍ତି ନା ସେ ମଧ୍ୟ ଅଜ୍ଞାତ ଓ ଅସଚେତନ । ଅମ୍ଫାନ ବାତ୍ୟାବେଳେ ଜଣେ ବ୍ୟକ୍ତିଙ୍କ ଅନ୍ୟ କାରଣରୁ ମୃତ୍ୟୁକୁ ବୈଜୟନ୍ତ ବାତ୍ୟା ଜନିତ ମୃତ୍ୟୁ ବୋଲି ଦର୍ଶାଇ ଟ୍ୱିଟ କରିଥିଲେ । ବୈଜୟନ୍ତ ଏ କ୍ଷେତ୍ରରେ ଯେ ଡାହା ମିଛ କହିଥିଲେ ତାହା ଜଣାପଡ଼ିବା ପରେ ସେ ନିନ୍ଦିତ ମଧ୍ୟ ହୋଇଥିଲେ ।

ନିଜ ଅହଂକରା ଯୋଗୁଁ ସେ ବାରମ୍ବାର ବାରମ୍ବାର ଆଇନକୁ ଭାଙ୍ଗୁଥିବାର ଲମ୍ବା ତାଲିକା ରହିଛି । ନୋ ଫ୍ଲାଇଙ୍ଗ ଜୋନରେ ହେଲିକପଟର ଉଡ଼ାଇ ଅତୀତରେ ସେ ବହୁବାର ସମାଲୋଚିତ ହୋଇଛନ୍ତି । କିନ୍ତୁ ନିଜ ପ୍ରଭାବର ଦୂରୁପଯୋଗ କରି ପ୍ରତିଥର ଫସିଯାଇଛନ୍ତି । ଏବେ ମଧ୍ୟ ସାମାଜିକ ଦୂରତା ନିୟମ ଭଙ୍ଗ କରି ଖସିଯିବାକୁ ବସିଛନ୍ତି ବୈଜୟନ୍ତ । ଆଉ ବୈଜୟନ୍ତଙ୍କୁ ଘଣ୍ଟ ଘୋଡ଼ାଉଛି ଜିଲ୍ଲା ପ୍ରଶାସନ । ଉପଜିଲ୍ଲାପାଳ ନରହରି ସେଠୀ କହିଛନ୍ତି, ଏ ସଂପର୍କରେ କୈାଣସି ଅଭିଯୋଗ ଆସିନାହିଁ । ଆମର ପ୍ରଶ୍ନ ହେଉଛି, ସାଧାରଣ ଭାବେ ନିୟମ ଉଲ୍ଲଂଘନକାରୀ ଜନତାଙ୍କୁ କଣ ଅଭିଯୋଗ ଆଧାରରେ ଦଣ୍ଡ ଦେଉଛି ? ଯଦି ନୁହେଁ ତେବେ ବୈଜୟନ୍ତଙ୍କ ପାଇଁ ଜିଲ୍ଲା ପ୍ରଶାସନ କେଉଁ ନୀତି ଆପଣାଇଛି ?

ସଟ୍‌ଡାଉନ୍‌ ପାଇଁ ସପ୍ତାହକୁ ୨ ଦିନ ବନ୍ଦ ରହିବ ମାଟ୍ରିକ୍‌ ଖାତା ଦେଖା

ଭୁବନେଶ୍ୱର: ସଟ୍‌ଡାଉନ ଯୋଗୁ ମାଟ୍ରିକ୍‌ ଖାତା ଦେଖା ବନ୍ଦ । ଶନିବାର ଓ ରବିବାର ସଟଡାଉନ ଯୋଗୁ ୧୧ଟି ଜିଲ୍ଲାର ସମସ୍ତ ଖାତାଦେଖା କେନ୍ଦ୍ର ବନ୍ଦ ରହିଛି । ଜୁନ୍‌ ମାସ ୪ସପ୍ତାହରେ ୮ଦିନ ଖାତା ଦେଖା ବନ୍ଦ ରହିବ । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ଏହି ସୂଚନା ଦେଇଛନ୍ତି । ପୂର୍ବରୁ ମାଟ୍ରିକ୍‌ ଖାତା ମୂଲ୍ୟାୟନକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଯାତାୟତ ଅସୁବିଧାକୁ ଦୃଷ୍ଟିରେ ରଖି ମୂଲ୍ୟାୟନ ବନ୍ଦ ରଖିବା ପାଇଁ ଶିକ୍ଷକ ସଂଘ OSTA ଦାବି କରିଥିଲା । ସଟ୍‌ଡାଉନ୍‌ ଯୋଗୁ ୧୧ଟି ଜିଲ୍ଲାରେ ମାଟ୍ରିକ ଖାତାଦେଖା ବନ୍ଦ ଥିବା ବେଳେ ଅନ୍ୟ ଜିଲ୍ଲାଗୁଡ଼ିକରେ ଚାଲୁ ରହିଛି ।

କରୋନା ଯୋଗୁ ଏଭଳି ସ୍ଥିତି ବିଭିନ୍ନ ରାଜ୍ୟରେ ଦେଖା ଦେଇଛି । ଶିକ୍ଷା କ୍ଷେତ୍ରରେ ପ୍ରଥମ ଥର ପାଇଁ ଏଭଳି ପରିସ୍ଥିତିର ସାମ୍ନା କରୁଛନ୍ତି ଛାତ୍ର ଛାତ୍ରୀ । ବାରମ୍ବାର ଖାତା ଦେଖାରେ ବାଧା ସୃଷ୍ଟି କରୁଛି କରୋନା । ଯାହାଫଳରେ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳ ବାହାରିବାରେ ଅତ୍ୟଧିକ ବିଳମ୍ବ ହେବାରେ ଲାଗିଛି । ଏନେଇ ଆଗକୁ କଣ କରିବେ କଣ ପଢ଼ିବେ ସେନେଇ ଦ୍ୱନ୍ଦ୍ୱରେ ରହୁଛନ୍ତି ଛାତ୍ରଛାତ୍ରୀ । ସେପଟେ ଦେଶର ସମସ୍ତ ରାଜ୍ୟରେ ଏଭଳି ପରିସ୍ଥିତି ଥିବା ବେଳେ କେବଳ ବିହାର ଏବଂ ଝାରଖଣ୍ଡ ଭଳି ରାଜ୍ୟରେ ମାଟ୍ରିକ ପରୀକ୍ଷାଫଳ ବାହାରି ସାରିଲାଣି ।

AZD1222 ଟିକା କରୋନା ବିରୋଧରେ ମାନବତାର ଶେଷ ଆଶା ?

ନୂଆଦିଲ୍ଲୀ: ବ୍ରିଟେନର ଔଷଧ କମ୍ପାନୀ ଏସଟ୍ରାଜେନେକା କହିଛି ଯେ ସେମାନେ ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ପ୍ରସ୍ତୁତ କରୋନା ଭାଇରସ ଟିକାର ଲକ୍ଷ ଲକ୍ଷ ଡୋଜର ଉତ୍ପାଦନ ଆରମ୍ଭ କରିଦେଇଛନ୍ତି । କମ୍ପାନୀ କହିଛି ଯେ ବ୍ରିଟେନ, ସ୍ୱିଜରଲ୍ୟାଣ୍ଡ, ନରୱେ ସହ ଭାରତରେ ମଧ୍ୟ ଟିକା ପ୍ରସ୍ତୁତ କରାଯାଉଛି। ଅକ୍ସଫୋର୍ଡ ୟୁନିଭରସିଟି AZD1222 ନାମକ ଏକ କରୋନା ଟିକା ପ୍ରସ୍ତୁତ କରିଛନ୍ତି । ପ୍ରାରମ୍ଭିକ ପରୀକ୍ଷଣରେ ଟିକାର ଫଳାଫଳ ଭଲ ରହିଛି ଏବଂ ପରବର୍ତ୍ତୀ ରାଉଣ୍ଡ ପାଇଁ ପରୀକ୍ଷା ଏବେ ଜାରି ରହିଛି।

ଏସଟ୍ରାଜେନେକାର ସିଇଓ ପୈସ୍କଲ୍ ସୋରିଅଟ୍ ଗଣମାଧ୍ୟମ ସହ କଥାହୋଇ କହିଛନ୍ତି ଯେ, ଆମେ ଟିକା ଉତ୍ପାଦନ ଆରମ୍ଭ କରିବାକୁ ଯାଉଛୁ । ଫଳାଫଳ ଆସିବା ସମୟରେ, ଆମ ପାଖରେ ଟିକା ପ୍ରସ୍ତୁତ ହୋଇଯାଇଥିବ । ଯଦିଓ ଏଥିରେ ରିସ୍କ ରହିଛି ଯେ, ଯଦି ଟିକା କାମ ନକରେ, ତେବେ ଏହି ପ୍ରସ୍ତୁତ ଟିକା ବେକାର ହୋଇଯିବ । ସେ କହିଛନ୍ତି ଯେ, କମ୍ପାନୀ ଟିକା ପ୍ରସ୍ତୁତ କରି ଲାଭ ପାଇବ ନାହିଁ ଯେଉଁ ପର୍ଯ୍ୟନ୍ତ WHO ମହାମାରୀର ସମାପ୍ତି ଘୋଷଣା କରିନାହିଁ । ପେସ୍କଲ୍ ସୋରିଅଟ୍ କହିଛନ୍ତି ଯେ ତାଙ୍କ କଂପାନୀ ଭାରତର ସେରମ୍ ଇନଷ୍ଟିଚ୍ୟୁଟରେ ଏକ ବିଲିୟନ ଟିକା ଉତ୍ପାଦନ ପାଇଁ  ଚୁକ୍ତି କରିଛି । ୨୦୨୧ ସୁଦ୍ଧା ଏକ ବିଲିୟନ ଟିକାର ଡୋଜ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛନ୍ତି । ଏଥି ସହିତ, ୨୦୨୦ ଶେଷ ସୁଦ୍ଧା ୪୦ କୋଟି ଡୋଜ ପ୍ରସ୍ତୁତ ହୋଇପାରିବ ।

ବ୍ରିଟିସ କମ୍ପାନୀ ଏସଟ୍ରାଜେନେକା କହିଛି ଯେ, ସେପ୍ଟେମ୍ବର ଭିତରେ ପୂରା ଦୁନିଆରେ ବିଭିନ୍ନ ଫ୍ୟାକ୍ଟ୍ରି ଟିକା ଗୁଡ଼ିକର ଲକ୍ଷ ଲକ୍ଷ ଡୋଜ ପ୍ରସ୍ତୁତ କରିଥିବ । ଏହାସହ ୨୦୨୧ର ଜୁନ ସୁଦ୍ଧା ୨ ବିଲିୟନ ଡୋଜ ପ୍ରସ୍ତୁତ ହୋଇପାରିବ ।

ଏସଟ୍ରାଜେନେକା କମ୍ପାନୀ ଆମେରିକାକୁ ୪୦ କୋଟି ଟିକା ଯୋଗାଇବା ପାଇଁ କମ୍ପାନୀ ଚୁକ୍ତି କରିଛି ଏଥି ସହିତ କମ୍ପାନୀ ବ୍ରିଟେନକୁ ୧୦କୋଟି ଟିକା ଦେବ। ଯଦିଓ, ଟିକା ଯୋଗାଣ ଅକ୍ସଫୋର୍ଡର ସଫଳତା ଉପରେ ନିର୍ଭର କରେ ।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଟିକାକରଣର ଶେଷ ଫଳାଫଳ ଅଗଷ୍ଟ ସୁଦ୍ଧା ପ୍ରକାଶ କରିପାରେ । AZD1222 ଟିକା ପ୍ରଥମେ ୧୮ରୁ ୫୫ବର୍ଷ ବୟସର ୧୬୦ ସୁସ୍ଥ ବ୍ୟକ୍ତିଙ୍କ ଉପରେ ପରୀକ୍ଷା କରାଯାଇଥିଲା । ଏହା ପରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କାରଯାଇଥିଲା ।

ତୃତୀୟ ପର୍ଯ୍ୟାୟରେ, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଟିକା ପରୀକ୍ଷଣରେ ଶିଶୁ ଏବଂ ବୃଦ୍ଧମାନଙ୍କୁ ସାମିଲ କରୁଛି । ଏହି ସମୟ ମଧ୍ୟରେ ସମୁଦାୟ ୧୦୨୬୦ଜଣଙ୍କ ଉପରେ ଏହି ଟିକା ପରୀକ୍ଷା କରାଯିବ।

୬୦ ବର୍ଷରୁ ଅଧିକ ବୟସ ଥିବା ବ୍ୟକ୍ତି ମେଡିକାଲ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲା WHO

ନୂଆଦିଲ୍ଲୀ: କରୋନା ନିୟନ୍ତ୍ରଣ ପାଇଁ WHOର ପଦକ୍ଷେପ । ମାସ୍କର ବ୍ୟବହାର ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନୂଆ ସୂତନ୍ତ୍ର ଗାଇଡଲାଇନ ଜାରି କରିଛି । ଗାଇଡଲାଇନରେ ରହିଛି ସ୍ୱାସ୍ଥ୍ୟ କର୍ମଚାରୀ ଓ ବୟସ୍କ ବ୍ୟକ୍ତି ମାନେ କ୍ଲିନିକାଲ ମାସ୍କ ପିନ୍ଧିବା ଜରୁରୀ । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଥିବା ମେଡିକାଲ କର୍ମଚାରୀ ମାସ୍କ ପିନ୍ଧିବା ଆବଶ୍ୟକ । ଏମିତିକି କୋଭିଡ ସଂକ୍ରମଣ ଓ୍ୱାର୍ଡରେ ମଧ୍ୟ ମାସ୍କ ପିନ୍ଧିବାକୁ କହିଛି WHO ।

ଗୋଷ୍ଠୀ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ଓ ୬୦ ବର୍ଷରୁ ଅଧିକ ବୟସ ଥିବା ବ୍ୟକ୍ତି ମେଡିକାଲ ମାସ୍କ ପିନ୍ଧିବେ । ମାସ୍କ ବ୍ୟବହାର ପାଇଁ ସରକାରୀସ୍ତରରେ ଉଦ୍ୟମ ହେଉ ବୋଲି କହିଛନ୍ତି WHOର ଡିରେକ୍ଟର ଜେନେରାଲ। ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ଉତ୍ସାହିତ କରାଯାଉ । ଅଧିକ ସଂକ୍ରମଣ ଚିହ୍ନଟ ହେଉଥିବା ସ୍ଥାନରେ ମାସ୍କ ପିନ୍ଧିବା ଜାରୁରୀ ।

୩ ସ୍ତରର କପଡ଼ା ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଛି WHO । ୩ ସ୍ତରର କପଡ଼ା ମାସ୍କର ଭିତର କଟନ ଏବଂ ମଝି ପରସ୍ତଟି ପଲିପ୍ରପିଲିନ ମାଟେରିଆର କପଡ଼ା ରହିବା ଦରକାର । ଏହା ଦ୍ୱାରା କାଶିବା ବା ଛିଙ୍କିବା ଦ୍ୱାରା ବାହାରେ ନପଡ଼ି ସେହି ମାସ୍କ ମଧ୍ୟରେ ରହିଯିବ । ସେହିଭଳି ବାହାର ସ୍ତରଟି ପଲିଷ୍ଟର ମାଟେରିଆର ହେବା ଆବଶ୍ୟକ । ଏହାଦ୍ୱାରା ମାସ୍କରେ ବାହାର ପଦାର୍ଥ ଲାଗି ରହିବ ନାହିଁ । ଜଦି ଏଭଳି ମାସ୍କ ପିନ୍ଧିବା ସମ୍ବବ ହେଉନାହିଁ ତେବେ ଅଧି ପରସ୍ତ କରି କପଡ଼ା ମାସ୍କ ପିନ୍ଧିବାକୁ WHO ନୂଆ ଗାଇଡଲାଇନରେ କହିଛି । ଏହାସହ ମାସ୍କକୁ ବାରମ୍ଭାର ଧୋଇବା ଏବଂ ଠିକ୍‌ ଭାବରେ ପିନ୍ଧିବାକୁ ଗାଇଡଲାଇନରେ କୁହାଯାଇଛି  ।

ଚୀନ ପ୍ରତି ନରମ ହେଲେ ଟ୍ରମ୍ପ: କହିଲେ ପୂରା ଦୁନିଆ ଓ ଚୀନ ସହ ମିଶି କାମ କରିବାକୁ ଆମେ ପ୍ରସ୍ତୁତ

ନୂଆଦିଲ୍ଲୀ: ଯେବେଠାରୁ କରୋନା ଭାଇରସ ଆସିଛି ସେବେଠୁ ଚୀନକୁ ଟାର୍ଗେଟ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ଭାଇରସ ଏବେ ସାରା ବିଶ୍ୱରେ ତାର ଭୟାବହତା ବିସ୍ତାର କରିବାରେ ଲାଗିଛି ଏବଂ ଏହାକୁ ନେଇ ଚୀନ୍‌କୁ ଦାୟୀ କରିଛନ୍ତି ଟ୍ରମ୍ପ । କିନ୍ତୁ ଶୁକ୍ରବାର ଟ୍ରମ୍ପଙ୍କ ମନୋଭାବରେ ହଠାତ୍ ପରିବର୍ତ୍ତନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଟ୍ରମ୍ପ ଏବେ ତାଙ୍କ ମନୋଭାବରେ ଟିକିଏ ପରିବର୍ତ୍ତନ ଆଣିଛନ୍ତି ଏବଂ ଚୀନ୍ ପ୍ରତି ତାଙ୍କ ନମ୍ରତା ପ୍ରଦର୍ଶନ କରିଛନ୍ତି । ସେ କହିଛନ୍ତି ଯେ ସେ ବିଶ୍ୱ ଏବଂ ଚୀନ୍ ସହିତ ମିଳିତ ଭାବେ କାମ କରିବାକୁ ପ୍ରସ୍ତୁତ ଅଛନ୍ତି ।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ‘ଆମେ ପୂରା ଦୁନିଆ ସହ କାମ କରୁଛୁ ଏବଂ ଚୀନ୍ ସହ ମଧ୍ୟ କାମ କରିବୁ । ଆମେ ସମସ୍ତଙ୍କ ସହ ମିଶି କାମ କରିବୁ କିନ୍ତୁ ଯାହା ହୋଇଛି ​​ତାହା କେବେ ନ ହେବା ଦରକାର ।

ଆମେରିକା ଚୀନ ବିମନ କମ୍ପାନୀଗୁଡ଼ିକୁ ସମୀତ ଉଡ଼ାନ ପାଇଁ ଅନୁମତି ଦେଇଛି

ଆମେରିକା ନିକଟରେ ଚୀନ୍ ବିମାନ କମ୍ପାନୀଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧନ ଲଗାଇଥିଲେ । ବର୍ତ୍ତମାନ ଟ୍ରମ୍ପ ପ୍ରଶାସନ ଶୁକ୍ରବାର ଦିନ କହିଛି ଯେ ଚୀନ୍ ଏୟାର ଲାଇନ୍ସ କଂପାନୀଙ୍କୁ  ଆମେରିକା ସୀମିତ ସଂଖ୍ୟକ ବିମାନ ଚଳାଚଳ କରିବାକୁ ଅନୁମତି ଦେବ ଏବଂ ସେମାନଙ୍କ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବ ନାହିଁ । ଚୀନରେ ଲାଗିଥିବା ପ୍ରତିବନ୍ଧକ ଯୋଗୁଁ ଆମେରିକୀୟ କମ୍ପାନୀଗୁଡ଼ିକ ୟୁନାଇଟେଡ୍ ଏବଂ ଡେଲଟାକୁ ଦୁଇ ଦେଶ ମଧ୍ୟରେ ପରିଚାଳନା କରିବାକୁ ବାରଣ କରାଯାଇଥିଲା। ପରିବହନ ବିଭାଗ କହିଛି ଯେ ଆମେରିକା ଚୀନ୍ ଏୟାର ଲାଇନ୍ସ କମ୍ପାନୀଗୁଡ଼ିକୁ ଆମେରିକା ଏବଂ ଚୀନ୍ ମଧ୍ୟରେ ସପ୍ତାହକୁ ମୋଟ ଚାରି (ଦୁଇ ରାଉଣ୍ଡ)ଥର ବିମାନ ଚଳାଚଳ କରିବାକୁ ଅନୁମତି ଦେବ ।

ଏଥି ସହିତ ଚୀନ ମଧ୍ୟ ଆମେରିକାର ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକକୁ ହଟାଇ ଦେଇଛି । ଆମେରିକା ବିମାନ କମ୍ପାନୀଗୁଡ଼ିକୁ ଦେଶକୁ ସୀମିତ ବିମାନ ଚଳାଚଳ କରିବାକୁ ଅନୁମତି ଦେବାକୁ ଚୀନ୍ ଘୋଷଣା କରିଛି।

ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ପ୍ରବାସୀ ଓଡ଼ିଆ ଶିଶୁ କନ୍ୟାର ମୃତ୍ୟୁ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆପଡ଼ା: ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଶିଶୁ ମୃତ । ନୂଆପଡ଼ା ଖଡ଼ିଆଳ ଚଲାନପଡ଼ାରେ ଥିବା ଟିଏମସିରେ ୬ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ଝିଅର ମୃତ୍ୟୁ ନେଇ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସେପଟେ କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ସୂଚନା ଅନୁଯାୟୀ,  ପ୍ରବାସୀ ଓଡ଼ିଆ ଶ୍ରମିକ ପରିବାର ୫ ତାରିଖରେ ଖଡ଼ିଆଳରେ ପହଞ୍ଚିଥିଲେ । ଏହି ପରିବାର ହେଉଛନ୍ତି ଖଡ଼ିଆଳ ବ୍ଲକର ଝୋଲପଥର ଗାଁର କଲସାଏଙ୍କ ପରିବାର । ତାଙ୍କ ପରିବାରର ୫ ଜଣ ସଦସ୍ୟ ସ୍ୱାମୀ, ସ୍ତ୍ରୀ ଏବଂ ୩ ଶିଶୁ ରହିଥିଲେ  । ଫେରିବା ପରେ ୫ ଜଣଙ୍କୁ ଚାଲାନପଡ଼ା ଗାଁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିଲା । ରାତିରେ ୬ ବର୍ଷୀୟ ଝିଅ ବର୍ଷାର ଦେହ ଅସୁସ୍ଥ ହେବାରୁ ସରପଞ୍ଚଙ୍କୁ ଜଣାଯାଇଥିଲା ।

ଡାକ୍ତର ଆସି ଚିକିତ୍ସା କରିବା ସହ ମେଡିସିନ୍‌ ଦେଇଥିଲେ । ହେଲେ ଭୋରରୁ ଝିଅ ବର୍ଷାର ମୃତ୍ୟୁ ହୋଇଛି । ଝିଅର ମୃତ୍ୟୁ ପରେ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ବିଡିଓ ଏବଂ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଡାକ୍ତରୀ ଦଳ ପହଞ୍ଚି ମୃତ ଶିଶୁର ସ୍ୱାବ ସଂଗ୍ରହ କରିଛନ୍ତି ।

ରାଜ୍ୟରେ ନୂଆ ୧୭୩ କରୋନା ସଂକ୍ରମିତ ଚିହ୍ନଟ, ସକ୍ରିୟ ରହିଛନ୍ତି ୧୧୬୭

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା  । କିଛି ଦିନ ହେବ ୧୦୦ରୁ ଉର୍ଦ୍ଧ୍ୱ କରୋନ ସଂକ୍ରମିତଙ୍କ ସଂଖ୍ୟା ଆସିବାରେ ଲାଗିଛି । ଗତ କାଲି ୧୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୧୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୭୮୧ ରେ ପହଞ୍ଚିଛି । ତେବେ ଏହି ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୫୦ ଜଣ ବାହାରିଥିବା ବେଳେ ସ୍ଥାନୀୟ ସଂକ୍ରମିତ ୨୩ ଜଣ ରହିଛନ୍ତି  । ସବୁଠାରୁ ବଡ଼ କଥା ହେଉଛି ରାଜ୍ୟରେ ଏବେ ସ୍ଥାନୀୟ ସଂକ୍ରମଣ ବହୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ।

୧୪ଟି ଜିଲ୍ଲାରୁ ଏହି ନୂଆ ସଂକ୍ରମିତି ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୧୯ ଜଣ, ଖୋର୍ଦ୍ଧାରୁ ୯, ଝାରସୁଗୁଡ଼ାରୁ ୧ ଚିହ୍ନଟ ହୋଇଛନ୍ତି । ସେହିଭଳି ନୟଗଡ଼ରୁ ୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୩, ମୟୂଭଞ୍ଜରୁ ୧୩, ଭଦ୍ରକରୁ ୪, କଳାହାଣ୍ଡିରୁ ୨, ଗଞ୍ଜାମରୁ ଆଜି ସର୍ବାଧିକ ୬୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଗଜପତିରୁ ୧୦, ବଲାଙ୍ଗିରରୁ ୧୧, ବାଲେଶ୍ୱରରୁ ୧୧, ପୁରୀରୁ ଜଣେ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ାରୁ ୮ ଜଣେ ଚିହ୍ନଟ ହୋଇଛନ୍ତି ।

ଏହାସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୭୮୧ରେ ପହଞ୍ଚିଥିବା ବେଳେ ସକ୍ରିୟ ରହିଛନ୍ତି ୧୧୬୭ । ରାଜ୍ୟରେ ସୁସ୍ଥ ହୋଇଛନ୍ତି ୧୬୦୪ ଜଣେ ଏବଂ ୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

କରୋନା ସଙ୍କଟ: ସଂକ୍ରମଣରେ ଇଟାଲୀକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ: ଜୁନ୍ ମାସ ଆରମ୍ଭରୁ ହିଁ ଭାରତରେ କରୋନାଭାଇରସ୍ ଅନିୟନ୍ତ୍ରିତ ହେବାରେ ଲାଗିଛି । ବର୍ତ୍ତମାନ ଦେଶରେ ପ୍ରତ୍ୟେକ ଦିନ ପ୍ରାୟ ୯୦୦୦ ନୂଆ ମାମଲା ଆସୁଛି । ଶୁକ୍ରବାର ବିଳମ୍ବିତ ରାତିରେ ଦେଶରେ କୋଭିଡ -୧୯ ମାମଲା ୨ଲକ୍ଷ ୩୬ହଜାର ଅତିକ୍ରମ କରିଛି । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଭାରତରେ ମୃତ୍ୟୁ ହାର ମଧ୍ୟ ସେହି କ୍ରମରେ ବୃଦ୍ଧି ପାଇଛି । ଇଟାଲୀକୁ ପଛରେ ପକାଇ ଭାରତ ବର୍ତ୍ତମାନ ଅଧିକାଂଶ କରୋନା ମାମଲାରେ ଷଷ୍ଠ ସ୍ଥାନକୁ ଆସିଛି । ଏବଂ ଇଟାଲୀ ସାତ ନମ୍ବରକୁ ଖସି ଆସିଛି । ତେବେ ଏପର୍ଯ୍ୟନ୍ତ ସୁଦ୍ଧା ଆମେରିକା ଏକ ନମ୍ବରରେ ରହିଛି। ଏବଂ ଏଠାରେ ହିଁ ଅଧିକାଂଶ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି ।

ସରକାରୀ ତଥ୍ୟ ଅନୁଯାୟୀ, ଶୁକ୍ରବାର ଦିନ ଭାରତରେ କୋଭିଡ -୧୯ ମାମଲାର ମୋଟ ସଂଖ୍ୟା ପ୍ରାୟ ୨ଲକ୍ଷ ୨୬ହଜାରରେ ପହଞ୍ଚିଛି । ‘ୱାର୍ଲ୍ଡ ମିଟର୍ସ’ ଅନୁଯାୟୀ, ରାତି ସୁଦ୍ଧା ଭାରତରେ ୯୩୦୦ ମାମଲା ବୃଦ୍ଧି ପାଇଛି । ଏହିପରି, ଭାରତରେ ମୋଟ ମାମଲା ବର୍ତ୍ତମାନ ୨ଲକ୍ଷ ୩୬ହଜାରକୁ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ଇଟାଲୀରେ ପ୍ରାୟ ୪୮୦ ମାମଲା ରୁଜୁ ହୋଇଥିଲା । ଏହିପରି ଭାବେ ଇଟାଲିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୩୪ହଜାର ୫୩୧ରେ ପହଞ୍ଚିଛି । ତେବେ ଏହି କ୍ରମରେ ଭାରତ ଇଟାଲିକୁ ପଛରେ ପକାଇଛି ।

ଖୁବ୍ ଶୀଘ୍ର ଭାରତ ସ୍ପେନ-ବ୍ରିଟେନକୁ ପଛରେ ପକାଇବ ?

ଭାରତରେ ଯେଉଁଭଳି ଭାବେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏହା ସ୍ପେନ୍ ଏବଂ  ବ୍ରିଟେନକୁ ପଛରେ ପାକାଇବ ବୋଲି ଆଶଙ୍କା କରାଯାଉଛି ।  ବର୍ତ୍ତମାନ ସ୍ପେନରେ ୨ଲକ୍ଷ ୮୮ହଜାର  ମାମଲା ଏବଂ ବ୍ରିଟେନରେ ୨ ଲକ୍ଷ ୮୩ ହଜାର ମାମଲା ରହିଛି । ଏହାସହ  ଏହି ଦେଶମାନଙ୍କରେ ନୂଆ ମାମଲାର ସଂଖ୍ୟା ହ୍ରାସ ପାଇଛି । ଏଥି ସହିତ ଗତ ତିନି ଦିନ ଧରି ଭାରତରେ ୯ହଜାରରୁ ଅଧିକ ନୂଆ ମାମଲା ଆସୁଛି । ଏଥିରୁ ଜଣାପଡୁଛି ଯେ ଭାରତ ଆଗାମୀ ୬ଦିନ ଭିତରେ ଏହି ଦୁଇ ଦେଶକୁ ପଛରେ ପକାଇବ ।

ଦେଶ                  ସଂକ୍ରମିତ

ଆମେରିକା           ୧୯.୩୬ଲକ୍ଷ

ବ୍ରାଜିଲ                ୬.୨୧ଲକ୍ଷ

ଋଷ                   ୪.୫୦ଲକ୍ଷ

ସ୍ପେନ୍                  ୨.୮୮ଲକ୍ଷ

ବ୍ରିଟେନ                ୨.୮୩ଲକ୍ଷ

ଭାରତ                ୨.୩୬ଲକ୍ଷ

ଇଟାଲୀ               ୨.୩୪ଲକ୍ଷ

ପେରୁ                 ୧.୮୭ଲକ୍ଷ

ଜର୍ମାନୀ               ୧.୮୫ଲକ୍ଷ

ତୁର୍କୀ                   ୧.୬୮ଲକ୍ଷ