spot_img
Home Blog Page 7179

ପଜିଟିଭ୍ ସଂଖ୍ୟାକୁ ନେଇ ବିବ୍ରତ ହେବାର କୈାଣସି କାରଣ ନାହିଁ: ସଞ୍ଜୟ ସିଂହ

ଭୁବନେଶ୍ୱର: ଲକଡାଉନ୍‌କୁ ନେଇ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଥିବା ବେଳେ ଆଜି ଗୋଟିଏ ଦିନରେ ଯାଜପୁରରୁ ଚିହ୍ନଟ ହୋଇଛନ୍ତି ୧୭ଜଣ କରୋନା ପଜିଟିଭ । ଯାହା ସାରା ରାଜ୍ୟବାସୀଙ୍କ ଚିନ୍ତା ବଢାଇ ଦେଇଛି। ଆଜି ସକାଳେ ୩ ଓ ଅପରାହ୍ନରେ ୧୪ଜଣ ଚିହ୍ନଟ ହୋଇଛନ୍ତି। ଯାଜପୁରରେ ପଜିଟିଭଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇବା ସହ ସଂକ୍ରମଣ ତାଲିକାରେ ରାଜ୍ୟର ଏକ ନମ୍ବର ପାଲଟିଛି ଯାଜପୁର। ଆଜି ଚିହ୍ନଟ ସମସ୍ତ ୧୭ଜଣ ପଜିଟିଭଙ୍କ ମଧ୍ୟରୁ ୧୬ଜଣ ଦଶରଥପୁର କଟିକଟା ଅଂଚଳର । ପୂର୍ବରୁ ଏହି ଅଂଚଳରୁ 6ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ସମସ୍ତଙ୍କର କୋଲକତା ଲିଙ୍କ୍ ରହିଛି କିମ୍ବା କୋଲକତା ଫେରନ୍ତା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏହି ଅଂଚଳକୁ ପୂର୍ବରୁ କଣ୍ଟନମେଣ୍ଟ କରାଯାଇଥିଲା। ଏହି ଅଞ୍ଚଳରେ ରହିଛନ୍ତି ୨୬୯ଟି ପରିବାର । ବର୍ତ୍ତମାନ ସୁଦ୍ଧା ଏହି ଅଞ୍ଚଳରୁ ୨୦୦ ଜଣଙ୍କ ନମୂନା ପରୀକ୍ଷଣ କରାଯାଇଛି । ଗୁରୁବାର ଚିହ୍ନଟ ହୋଇଥିବା ୧୪ ନୂଆ ପଜିଟିଭଙ୍କ ଭିତରେ ୫ଜଣ ମହିଳା, ୭ ଜଣ ପୁରୁଷ ଏହଂ ୨ଜଣ ତିନି ବର୍ଷର ଶିଶୁ ଅଛନ୍ତି । ଚିହ୍ନଟ ହୋଇଥିବା ସମସ୍ତେ ହୋମ କ୍ୱାରେଣ୍ଟାଇନ୍‌ରେ ରହିଥିଲେ ଏବଂ ସେମାନଙ୍କର କୌଣସି ଲକ୍ଷଣ ନଥିଲା । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଏବେ ଜିଲ୍ଲା ପ୍ରଶାସନ ଟ୍ରାକ କରୁଛି ।

ବଢୁଥିବା ପଜିଟିଭ୍‌ ସଂଖ୍ୟାକୁ ନେଇ ଛାନିଆ ବା ବିବ୍ରତ ହେବାର କୈାଣସି କାରଣ ନାହିଁ । ସରକାର ସରପଞ୍ଚଙ୍କୁ ଦାୟିତ୍ୱ ଦେଇଛନ୍ତି । ସେମାନେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବାହାରୁ ଆସୁଥିବା ସମସ୍ତଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖିବାକୁ ପରାମର୍ଶ ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ସଚିବ ସଂଜୟ ସିଂହ । ଏଥିସହିତ ସରକାର ସବୁ ପଞ୍ଚାୟତରେ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ପାଇଁ ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରିଛନ୍ତି । ଏଥିପ୍ରତି ଦୃଷ୍ଟି ଦେଇ ସରପଞ୍ଚମାନେ ସେମାନଙ୍କ ଦାୟିତ୍ୱ ତୁଲାଇବା ସହ ମାନବିକତା ପ୍ରଦର୍ଶନ କରିବାକୁ ଆହ୍ଵାନ ଦେଇଛନ୍ତି ସରକାର ।

ଲକ୍‌ଡାଉନ୍‌ ପ୍ରଭାବ: କର୍ମଚାରୀଙ୍କ ଦରମା କାଟିବ ରିଲାଏନ୍ସ…

କରୋନା ମାହାମାରୀ ଯୋଗୁଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ କାରବାର ଉପରେ ପ୍ରଭାବ ପଡ଼ିଛି । ବିଶେଷକରି ରିଲାଏନ୍ସର ରିଫାଇନ୍‌ଡ ଓ ପେଟ୍ରୋକେମିକାଲ୍ସ ଦ୍ରବ୍ୟର ଚାହିଦା ହ୍ରାସ ଯୋଗୁଁ ହାଇଡ୍ରୋକାର୍ବନ କାରବାରରେ ପ୍ରଭାବ ଦେଖାଦେଇଛି ।

ବର୍ତ୍ତମାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ କମ୍ପାନୀ ହାଇଡ୍ରୋକାର୍ବନ୍ ବ୍ୟବସାୟ ସହ ଜଡିତ କର୍ମଚାରୀଙ୍କ ଦରମା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ରିଲାଏନ୍ସର ହାଇଡ୍ରୋକାର୍ବନ୍ ବ୍ୟବସାୟରେ କାର୍ଯ୍ୟ କରୁଥିବା କର୍ମଚାରୀ, ଯାହାର ଦରମା ବାର୍ଷିକ ୧୫ ଲକ୍ଷରୁ ଅଧିକ ରହିଛି, ସେମାନଙ୍କର ୧୦ ପ୍ରତିଶତ ଦରମା କଟା ଯିବ ।

କମ୍ପାନୀ ଆହୁରି କହିଛି ଯେ, ଯେଉଁମାନଙ୍କର ଦରମା ବାର୍ଷିକ ୧୫ ଲକ୍ଷ ଟଙ୍କାରୁ କମ୍ ରହିଛି, ସେମାନଙ୍କ ଦରମାରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏଥି ସହିତ ରିଲାଏନ୍ସ କମ୍ପାନୀରେ କାର୍ଯ୍ୟ କରୁଥିବା ସମସ୍ତ ନିର୍ଦ୍ଦେଶକଙ୍କ ଦରମା ୩୦-୫୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ, କାର୍ଯ୍ୟଦକ୍ଷତା ଭିତ୍ତିକ ବୋନସଗୁଡିକ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ସ୍ଥଗିତ ରଖାଯାଇଛି ।

ବିଜନେସ୍ ଷ୍ଟାଣ୍ଡାର୍ଡର ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀର ଏମଡି ତଥା ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏକ ବର୍ଷର କମ୍ପେନ୍‌ସେସନ୍‌ ନେବେ ନାହିଁ । କମ୍ପାନୀ କହିଛି ଯେ ଲକ୍‌ଡାଉନ୍‌ ଯୋଗୁଁ ପେଟ୍ରୋଲିୟମର ଚାହିଦା ଯଥେଷ୍ଟ ହ୍ରାସ ପାଇଛି, ଯେଉଁ କାରଣରୁ ହାଇଡ୍ରୋକାର୍ବନ ବ୍ୟବସାୟର ରାଜସ୍ୱ ଯଥେଷ୍ଟ ହ୍ରାସ ପାଇଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହିତଲ ଆର୍‌ ମେସୱାନୀ କମ୍ପାନୀର ଏହି ନିଷ୍ପତ୍ତି ସମ୍ପର୍କରେ କର୍ମଚାରୀମାନଙ୍କୁ ଏକ ଚିଠି ପ୍ରଦାନ କରିଛନ୍ତି । ଯେଉଁଥିରେ ଲାଭ ହ୍ରାସକୁ ଦୃଷ୍ଟିରେ ରଖି ଦରମା ହ୍ରାସର ଏହି ନିଷ୍ପତ୍ତି ନିଆଯାଇଥିବା ଦର୍ଶାଯାଇଛି ।

ସୂଚନାଯୋଗ୍ୟ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ତ୍ରୈ-ମାସିକ ରିପୋର୍ଟ ଗୁରୁବାର ପ୍ରକାଶ ପାଇବ । ଗତ ୩୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କମ୍ପାନୀ ପକ୍ଷରୁ ରାଇଟ୍ସ ଇସ୍ୟୁ ପ୍ରସଙ୍ଗକୁ ନେଇ ବିଚାର କରୁଛି । ଯାହା ଶୀଘ୍ର ଘୋଷଣା କରାଯାଇପାରେ |

ସାମାଜିକ ଦୂରତା ନିୟମ ଭାଙ୍ଗି ନମାଜ ପଢ଼ୁଥିଲେ, ୧୪ ଜଣଙ୍କୁ ଗିରଫ କଲା ପୋଲିସ

କର୍ଣ୍ଣାଟକ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ମେ’ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରମାନେ ଗୁରୁତ୍ୱର ସହ ନିୟମକୁ ପାଳନ କରୁଛନ୍ତି । ତେବେ କିଛି ଲୋକ ଲକ୍‌ଡାଉନ୍‌ ନିୟମକୁ ସଠିକ୍‌ ଭାବେ ପାଳନ କରୁନାହାନ୍ତି । ସାମାଜିକ ଦୂରତା ନିୟମକୁ ସେମାନେ ବେଖାତିର କରୁଛନ୍ତି । ଏଭଳି ଅମାନିଆ ଓ ବିଶୃଙ୍ଖଳିତ ଲୋକଙ୍କୁ ପୋଲିସ ଗିରଫ ମଧ୍ୟ କରୁଛି ।

ତେବେ ଏମିତି ଏକ ଖବର ସାମ୍ନାକୁ ଆସିଛି କର୍ଣ୍ଣାଟକର କୁଲବର୍ଗି ଜିଲ୍ଲାରୁ । ସାମାଜିକ ଦୂରତା ନିୟମ ଉଲଂଘନ କରିଥିବାରୁ ୧୪ ଜଣଙ୍କୁ ପୋଲିସ ଗିରଫ କରିଛି ।

ସେମାନେ ଏକାଠି ହୋଇ ନମାଜ ପାଠ କରୁଥିବାରୁ ତାଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ପୋଲିସ କେବଳ ଚାରି ଜଣଙ୍କୁ ନମାଜ ପାଠ କରିବାକୁ ଅନୁମତି ଦେଇଛି । ସୂଚନାଯୋଗ୍ୟ, ଏବେ ରମ୍‌ଜାନ୍‌ ମାସ ଆରମ୍ଭ ହୋଇଯାଇଛି । ହେଲେ ଲକ୍‌ଡାଉନ୍‌ ଯୋଗୁଁ ମୁସଲମାନ ଭାଇ ମାନଙ୍କୁ ବାରମ୍ବାର କୁହାଯାଉଛି ଘରେ ରହି ନମାଜ ପାଠ କରିବାକୁ ।

ପୂର୍ବରୁ ମଧ୍ୟ ସେହି କୁଲବର୍ଗି ଅଞ୍ଚଳରେ ସାମାଜିକ ଦୂରତା ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଇଥିବା ଅଭିଯୋଗ ହୋଇଛି । କୁଲବର୍ଗି ମେଳାରେ ଶତାଧିକ ଲୋକ ଏକାଠି ହୋଇ ନିୟମ ଭାଙ୍ଗିଥିବା ଖବର କିଛି ଦିନ ପୂର୍ବରୁ ସାମ୍ନାକୁ ଆସିଥିଲା । ବାରଣ ସତ୍ତ୍ୱେ ଏଠାରେ ସିଦ୍ଧିଲିଙ୍ଗେଶ୍ୱର ମେଳା ଆୟୋଜନ କରାଯାଇଥିଲା । ଏଠାରେ ଶହଶହ ଲୋକ ସାମିଲ ହୋଇଥିଲେ ।

ଜଣେ ସ୍ଥାନୀୟ ବିଜେପି ନେତା ଏହି ମେଳାର ଆୟୋଜନ କରିଥିଲେ । ବିଜେପି ନେତା କହିଥିଲେ ରାଜ୍ୟରେ ତାଙ୍କ ସରକାର ଚାଲିଛି, ଆଉ ସେ ଏହି ଇଲାକାର ନେତା । ତେଣୁ କାହା ବିରୋଧରେ କୌଣସି ମାମଲା ହେବ ନାହିଁ । ଏହି ସମୟରେ ପୋଲିସ ନିଦା ବିଷ୍ଣୁ ପାଲଟିଥିଲା ।

ଏହାପୂର୍ବରୁ ମଧ୍ୟ କୁଲବର୍ଗିରେ ଲକଡାଉନ୍ ନିୟମକୁ ଅଣଦେଖା କରାଯାଇଥିଲା । ମାର୍ଚ୍ଚରେ ଏଠାରେ ପନିପରିବା ବଜାରରେ ଶହ ଶହ ଲୋକ ଏକତ୍ରିତ ହୋଇଥିଲେ ।

କେଉଁ ଦୋକାନ ଖୋଲିବ,କେଉଁ ଦୋକାନ ଖୋଲିବ ନାହିଁ,ଜାଣନ୍ତୁ ସବୁ ପ୍ରଶ୍ନର ଉତ୍ତର

ଭୁବନେଶ୍ୱର:  ଲକ୍‌ଡାଉନ୍‌ ସମୟରେ ରାଜଧାନୀରେ କିଛି ଅତ୍ୟାବଶ୍ୟକ ଦୋକାନ ଖୋଲିବାକୁ ବିଏମ୍‌ସି ଅନୁମତି ଦେଇଛି । ତେବେ ଏହି ଅନୁମତି ପରେ ଲୋକଙ୍କର ଅନେକ ସନ୍ଦେହ ରହିଛି । କେଉଁ ଦୋକାନ ଖୋଲିବ ଆଉ କେଉଁ ଦୋକାନ ଖୋଲିବ ନାହିଁ ? ତେଣୁ ସୋସିଆଲ ମିଡିଆ ଯୋଗେ ଲୋକମାନେ ନିଜର ସନ୍ଦେହ ଦୂର କରିବାକୁ ବିଏମ୍‌ସିକୁ ଅନେକ ପ୍ରଶ୍ନ କରିଥିଲେ । ଆସନ୍ତୁ ଜାଣିବା କେଉଁ କେଉଁ ଦୋକାନ ଖୋଲିବ,କିଏ ଖୋଲିବ  ନାହିଁ..

୧.ଆଦେଶ କେଉଁ ତାରିଖରୁ କାର୍ଯ୍ୟକାରୀ ହେବ ?
ଏହି ଆଦେଶଟି ଯେଉଁ ତାରିଖରେ ଇସ୍ୟୁ କରାଯାଇଛି, ଅର୍ଥାତ୍‌ ୨୮ ଏପ୍ରିଲ ୨୦୨୦ ରୁ କାର୍ଯ୍ୟକାରୀ ହେବ ।

୨. ଜିଏସ୍‌ଟି ପଞ୍ଜୀକରଣ ପତ୍ର ପାସ୍ ଭାବେ ବ୍ୟବହୃତ ହୋଇପାରିବ କି ?
ବିଏମସି ଦ୍ୱାରା ଜାରି ହୋଇଥିବା ବୈଧ ଟ୍ରେଡ୍‌ ଲାଇସେନ୍ସ ଏବଂ ଦୋକାନ/ବାଣିଜ୍ୟିକ ପ୍ରତିଷ୍ଠାନ ମାଲିକଙ୍କ ଦ୍ୱାରା ପ୍ରମାଣିତ ବୈଧ ପ୍ରମାଣ ପତ୍ରର ଏକ କପି ପାସ୍ ଭାବରେ ବ୍ୟବହାର କରାଯାଇପାରିବ । 

୩. ମୋବାଇଲ୍ ଦୋକାନ ଖୋଲି ବିକ୍ରି କରିବାକୁ ଅନୁମତି ରହିଛି କି ?
ଯଦି ମୋବାଇଲ୍ ବିକ୍ରୟ ଦୋକାନଟି ଗୋଟିକିଆ ଭାବେ ରହିଥିବ, ତେବେ ଦୋକାନ ଖୋଲି ବିକ୍ରୟ କରିବାକୁ ଅନୁମତି ରହିଛି । କିନ୍ତୁ ଯଦି ଦୋକାନଟି ମାର୍କେଟ ଉପରେ ରହିଥିବ ତେବେ ଖୋଲିବାକୁ ଅନୁମତି ନାହିଁ ।

୪.ପ୍ଲାଏ ଉଡ୍, ପେଣ୍ଟ, ହାର୍ଡଓୟାର୍‌ ଦୋକାନ ଖୋଲିବାକୁ ଅନୁମତି ରହିଛି କି ?
ହଁ, ଅନୁମତି ରହିଛି । କିନ୍ତୁ ଦୋକାନଟି ଗୋଟିକିଆ ହୋଇଥିବ, ମାର୍କେଟ କମ୍ପ୍ଲେକ୍ସ/ ମଲ୍‌ରେ ଅବସ୍ଥିତ ହୋଇନଥିବ ।

୫.ଦୁଇ ଏବଂ ଚାରି ଚକିଆ ଶୋ’ରୁମ୍ ଖୋଲିବାକୁ ଅନୁମତି ଦିଆଯାଇଛି କି ନାହିଁ ?
ଯଦି ଦୋକାନଟି ଗୋଟିକିଆ ହୋଇଥିବା ଏବଂ ମାର୍କେଟ କମ୍ପ୍ଲେକ୍ସ ବା ମଲରେ ନଥାଏ ତେବେ ଏହାକୁ ଖୋଲାଯାଇପାରିବ । ସାଧାରଣତଃ ଚାରି ଚକିଆ ଶୋ’ରୁମ୍ ଏକକ ବ୍ରାଣ୍ଡ ଅଧୀନରେ ଆସେ ତେଣୁ ତାହା ଖୋଲିବାକୁ ଅନୁମତି ନାହିଁ ।

୬. ପୋଷାକ ଦୋକାନ ଖୋଲିବା ପାଇଁ ଅନୁମତି ରହିଛି କି ?
ଯଦି ଦୋକାନଟି ଗୋଟିକିଆ ହୋଇଥିବ ଏବଂ କୌଣସି ମାର୍କେଟ କମ୍ପ୍ଲେକ୍ସ ବା ମଲରେ ନଥାଏ ତେବେ ଏହାକୁ ଖୋଲାଯାଇପାରିବ ।

୭. ଘରୋଇ କନ୍‌ଷ୍ଟ୍ରକ୍‌ସନ କାମ କରାଯିବା ପାଇଁ ଅନୁମତି ରହିଛି କି ?
ଯେଉଁ ସବୁ କନ୍‌ଷ୍ଟ୍ରକ୍‌ସନ୍‌ ସାଇଟ୍‌ରେ ପୂର୍ବରୁ ଶ୍ରମିକ ମାନେ ଅଛନ୍ତି ସେଠାରେ କାମ କରିବାକୁ ଅନୁମତି ରହିଛି । କିନ୍ତୁ କାମ ପାଇଁ ବାହାରୁ ଶ୍ରମିକଙ୍କୁ ଆଣିବାକୁ ଅନୁମତି ନାହିଁ ।

୮. ଫ୍ଲେକ୍ସ ପ୍ରିଣ୍ଟିଂ ଡିଜିଟାଲ ପ୍ରିଣ୍ଟିଂ ଦୋକନ ଖୋଲିବାକୁ ଅନୁମତି ରହିଛି କି ?
ଯଦି ଦୋକାନଟି ଗୋଟିକିଆ ହୋଇଥିବା ଏବଂ କୌଣସି ମାର୍କେଟ କମ୍ପ୍ଲେକ୍ସ ବା ମଲରେ ନଥାଏ ତେବେ ଏହାକୁ ଖୋଲାଯାଇପାରିବ ।

୯. ମାର୍ବଲ୍‌, ଟାଇଲ୍‌, ଗ୍ରାନାଇଟ୍‌ ଦୋକାନ୍‌ ଖୋଲିବା ପାଇଁ ଅନୁମତି ରହିଛି କି ?
ଯଦି ଦୋକାନଟି ଗୋଟିକିଆ ହୋଇଥିବା ଏବଂ କୌଣସି ମାର୍କେଟ କମ୍ପ୍ଲେକ୍ସ ବା ମଲରେ ନଥାଏ ତେବେ ଏହାକୁ ଖୋଲାଯାଇପାରିବ ।

୧୦. ସାଧାରଣ ବୀମା କମ୍ପାନୀ ଖୋଲିବାକୁ ଅନୁମତି ରହିଛି କି ?
ହଁ, କିନ୍ତୁ ୨୫ ପ୍ରତିଶତ ଷ୍ଟାଫ୍‌ କାମ କରିବେ ।

୧୧. ସୁନା, ରୂପା ଅଳଙ୍କାର ଦୋକାନ ଖୋଲା ରହିବ କି ?
ଯଦି ଦୋକାନଟି ଗୋଟିକିଆ ହୋଇଥିବା ଏବଂ କୌଣସି ମାର୍କେଟ କମ୍ପ୍ଲେକ୍ସ ବା ମଲରେ ନଥାଏ ତେବେ ଏହାକୁ ଖୋଲାଯାଇପାରିବ ।

୧୨.  ଝରକା, କବାଟ୍,‌ ଗ୍ଲାସ୍‌ ଦୋକାନ୍‌ ଖୋଲିପାରିବ କି ?
ଯଦି ଦୋକାନଟି ଗୋଟିକିଆ ହୋଇଥିବା ଏବଂ କୌଣସି ମାର୍କେଟ କମ୍ପ୍ଲେକ୍ସ ବା ମଲରେ ନଥାଏ ତେବେ ଏହାକୁ ଖୋଲାଯାଇପାରିବ ।

୧୩. ଯେଉଁ ମିଠା ଦୋକାନ କେବଳ ପାର୍ସଲ  ଦିଅନ୍ତି  ସେଗୁଡ଼ିକ ଖୋଲା ଯାଇପାରିବ କି ?
ହଁ, କିନ୍ତୁ କେବଳ ଆଉଟ୍‌ଲେଟ୍‌ ଭାବେ ବିକ୍ରି ପାଇଁ ।

୧୪, ଘରୋଇ ରୋଷେୟା, କମବାଲିଙ୍କୁ କାମ କରିବାକୁ ଅନୁମତି ରହିଛି କି ?
ହଁ, କିନ୍ତୁ ସଠିକ୍ ସ୍ୱଚ୍ଛତା ଏବଂ ପରିମଳ ବ୍ୟବସ୍ଥା ସହିତ, ସାମାଜିକ ଦୂରତା, ମାସ୍କ / ଗ୍ଲୋଭସ୍ ଇତ୍ୟାଦି ବ୍ୟବହାର କରିବା ସେମାନଙ୍କ ପାଇଁ ବାଧ୍ୟତାମୂଳକ । ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ପ୍ରତିଦିନ ନଜର ରଖାଯିବ । ଫ୍ଲୁ ପରି ଲକ୍ଷଣ ଦେଖାଗଲେ ସେମାନଙ୍କୁ ଘରେ ରହିବାକୁ ଏବଂ ଡାକ୍ତରଙ୍କୁ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯିବ

୧୫. ସାନିଟାରୀ ଦୋକାନ ଖୋଲାଯାଇପାରିବ କି?
ଯଦି ଦୋକାନଟି ଗୋଟିକିଆ ହୋଇଥିବା ଏବଂ କୌଣସି ମାର୍କେଟ କମ୍ପ୍ଲେକ୍ସ ବା ମଲରେ ନଥାଏ ତେବେ ଏହାକୁ ଖୋଲାଯାଇପାରିବ ।

୧୬. ଲିଫ୍ଟ ଏବଂ ଏସ୍କାଲେଟର ରକ୍ଷଣାବେକ୍ଷଣର ଅନୁମତି ରହିଛି କି ?
ଯେହେତୁ ୯୦% ରୁ ଅଧିକ ଫିଲ୍ଡ କର୍ମଚାରୀ, ଯେଉଁମାନେ ସାଧାରଣତଃ ଏକାଧିକ ସାଇଟ୍‌ରେ କାମ କରନ୍ତି । ସେମାନଙ୍କୁ ଅନୁମତି ରହିଛି କିନ୍ତୁ ସାମାଜିକ ଦୂରତା ନିୟମ, ପରିମଳ ଓ ସ୍ୱଚ୍ଛତା ରଖିବାକୁ ସେମାନେ ବାଧ୍ୟ ।

୧୭. କମ୍ପ୍ୟୁଟର, ଲାପଟପ୍ ଶୋ’ରୁମ୍ ଖୋଲାଯାଇପାରିବ କି?
ଯଦି ଦୋକାନଟି ଗୋଟିକିଆ ହୋଇଥିବା ଏବଂ କୌଣସି ମାର୍କେଟ କମ୍ପ୍ଲେକ୍ସ ବା ମଲରେ ନଥାଏ ତେବେ ଏହାକୁ ଖୋଲାଯାଇପାରିବ ।

୧୮.ମଦ ଦୋକାନ ବିଷୟରେ କିଛି ଉଲ୍ଲେଖ ନାହିଁ ? ଏନେଇ କିଛି ସ୍ପଷ୍ଟୀକରଣ ରହିଛି କି ?
ସରକାରୀ ନିର୍ଦ୍ଦେଶ ଅନୁଯାୟୀ ମଦ ବିକ୍ରୟ ସମ୍ପୂର୍ଣ୍ଣ ନିଷେଧ ।

କଟିକଟାର କୋଲକାତା ଲିଙ୍କ୍, ଆକ୍ରାନ୍ତଙ୍କ ମଧ୍ୟରେ ୨ ଶିଶୁ

ଭୁବନେଶ୍ୱର: ଓଡ଼ିଶାରେ ‘ବଙ୍ଗ’ ବଢ଼ାଇବାରେ ଲାଗିଛି କରୋନା ସଂକ୍ରମଣ । ଆଜି ଚିହ୍ନଟ ହୋଇଥିବା ୧୪ ସଂକ୍ରମିତଙ୍କ ବାବଦରେ ତଥ୍ୟ ପ୍ରଦାନ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ଚିହ୍ନଟ ହୋଇଥିବା ୧୪ ଆକ୍ରାନ୍ତ କଟିକଟା କଣ୍ଟେନମେଣ୍ଟ ଜୋନର ବୋଲି ଜଣାପଡ଼ିଛି । ସମସ୍ତଙ୍କ ପଶ୍ଚିମବଙ୍ଗ କନେକ୍ସନ୍ ରହିଛି । ଏବଂ କାହାରି ଠାରେ କରୋନାର କୌଣସି ଲକ୍ଷଣ ନାହିଁ ।

ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ୩ ବର୍ଷର ଶିଶୁ ରହିଛନ୍ତି । ୫ ଜଣ ମହିଳା ଓ ୭ ଜଣ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟିକଟାରେ ୨୬୯ ପରିବାର ବାସ କରୁଛନ୍ତି । ପୂର୍ବରୁ ଏହି ଅଞ୍ଚଳରୁ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତାପରେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା ।

ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୨୮କୁ ବୃଦ୍ଧି

ପଞ୍ଚତତ୍ୱରେ ବିଲୀନ ହେଲେ ଋଷି କପୁର,ବାପାଙ୍କୁ ଅନ୍ତିମ ବିଦାୟ ଜଣାଇବାକୁ ପହଂଚି ପାରିଲେ ନାହିଁ ରିଦ୍ଧିମା

ନୂଆଦିଲ୍ଲୀ: ବଲିଉଡ଼ ସିନେମା ଜଗତର ଆଉ ଜଣେ ଅଭିନେତା ଦୁନିଆକୁ ଅଲବିଦା କହିଛନ୍ତି । ଆଜି ସକାଳ ୮.୪୫ରେ ତାଙ୍କ ମୁମ୍ବାଇର ଏକ ଘୋରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏବଂ ଲକଡାଉନ କାରଣରୁ ତାଙ୍କ ଅନ୍ତିମ ସଂସ୍କାର ସମୟରେ କେବଳ ୨୦ ଜଣ ସମିଲ ହୋଇପାରିଥିଲେ । ସବୁଠୁ ଦୁଃଖଦ କଥା ହେଲା ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ ତାଙ୍କ ଅନ୍ତିମ ସଂସ୍କାର ସମୟରେ  ଏକ ମାତ୍ର ଅଲି ଅଳି ଝିଅ ରିଦ୍ଧିମା ଇଚ୍ଛା ଥାଇ ବି ପହଞ୍ଚି ପାରି ନାହାଁନ୍ତି ।

ଯଦିଓ ଆଜି ସକାଳ ପ୍ରାୟ ୧୦.୩୦ରେ ତାଙ୍କୁ ଦିଲ୍ଲୀ ପୋଲିସ୍ ମୁମ୍ବାଇ ଯିବାକୁ ଅନୁମତି ଦେଇଥିଲେ । ଦିଲ୍ଲୀର ମୁମ୍ବାଇର ଲମ୍ବା ଯାତ୍ରା ଆରମ୍ଭ ତ କରି ଥିଲେ କିନ୍ତୁ ବାପାଙ୍କୁ ଶେଷ ଥର ପାଇଁ ଦେଖିବା ହୁଏତ ତାଙ୍କ ଭାଗ୍ୟରେ ନଥିଲା ।

ଋଷି କପୁରଙ୍କ ଅନ୍ତିମ ସଂସ୍କାର ଚନ୍ଦନବାଡ଼ି ଶ୍ମସାନ ଘାଟରେ ବିଦ୍ୟୁତ୍ ଚୁଲାରେ କରାଯାଇଛି । ଏହି ସମୟରେ ସୈଫ ଅଲ୍ଲୀଖାନ, କରୀନା କପୁର, ଆଲିୟା ଭଟ୍ଟ, ଅଭିଶେକ ବଚ୍ଚନ, ନିତୁ କପୁର, ଆଦର ଜୈନ ଏବଂ କୁନାଲ କପୁରଙ୍କ ସହ କପୁର ଖାନଦାନର ଆଉ କିଛି ସଦସ୍ୟ ।

ଋଷିଙ୍କ ନିଧନ କପୁର ଖାନଦାନ ପାଇଁ ଏକ ବଡ଼ ଝଟକା । ଖାସ କରି ନିତୁ କପୁର, ରଣବୀର ଏବଂ ରିଦ୍ଧିମା କପୁରଙ୍କ ପାଇଁ ଏହା ପରୀକ୍ଷାର ସମୟ ।

ସୂଚନା ଅନୁସାରେ ରିଦ୍ଧିମା ଦିଲ୍ଲୀରେ ରୁହନ୍ତି । ଲକଡାଉନ କାରଣରୁ ତାଙ୍କୁ ଦିଲ୍ଲୀରୁ ମୁମ୍ବାଇ ଆସିବାକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା । ଯଦିଓ ଋଷିଙ୍କ ପରିବାରଙ୍କୁ ଦିଲ୍ଲୀରୁ ମୁମ୍ବାଇ ଆସିବାକୁ ପୋଲିସ ତରଫରୁ ଅନୁମତି ମିଳିଥିଲା । କିନ୍ତୁ ଏତେ ଲମ୍ବା ଯାତ୍ରା ପାର କରିବା ପରିବାର ପକ୍ଷେ ସହଜ ନଥିଲା ।

କୋକେଇ ପାଇଁ ଅଭାବ ପଡ଼ିଲା କାନ୍ଧ, ଭାଡ଼ାରେ ଡକାହେଲା ଲୋକ

ନୂଆଦିଲ୍ଲୀ: କରୋନା ପାଇଁ ଏବେ ସବୁଠି ହାହାକାର ଲାଗିଛି । ସାରା ବଶ୍ୱରେ ଏବେ ୨ ଲକ୍ଷରୁ ଅଧିକ ଲୋକ ମୃତ୍ୟୁ ବରଣ କରିସାରିଲେଣି । ଭାରତରେ ମଧ୍ୟ ୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଲକ୍‌ଡାଉନ୍‌ ଯୋଗୁଁ ଭାରତରେ କରୋନା କିଛି ମାତ୍ରାରେ ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ସଂକ୍ରମଣ ବଢ଼ିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ଏବେ ଏମିତି ସମୟ ଆସିଛି, ଶେଷ କୃତ୍ୟରେ ମଧ୍ୟ ଲୋକ ଏକାଠି ହୋଇପାରୁ ନାହାନ୍ତି ।

ମଙ୍ଗଳବାର ପୂର୍ବ ଦିଲ୍ଲୀ କୃଷ୍ଣାନଗର ଅଞ୍ଚଳରୁ ଏମିତି ଏକ ଖବର ସାମ୍ନାକୁ ଆସିଛି । ଜଣେ ମହିଳାଙ୍କ ମୃତ୍ୟୁ ପରେ କୋକେଇକୁ କାନ୍ଧ ଦେବା ପାଇଁ ମଧ୍ୟ ୪ ଜଣ ଲୋକ ଏକାଠି ହୋଇପାରିଲେ ନାହିଁ । ଶେଷରେ ଚତୁର୍ଥ ଲୋକକୁ ଟଙ୍କା ଦେଇ କାନ୍ଧ ଦେବାକୁ ନିବେଦନ କରାଗଲା ।

 ୬୫ ବର୍ଷିୟ ମହିଳା ଅନେକ ଦିନ ଧରି କଡ୍‌ନୀ ରୋଗରେ ଅସୁସ୍ଥ ଥିଲେ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ବିଳମ୍ବିତ ସନ୍ଧ୍ୟାରେ ତାଙ୍କ ପୁଅ ମା’ଙ୍କୁ ଆମ୍ବୁଲାନ୍ସ ଯୋଗେ ଘରକୁ ଆଣିଥିଲା । ସାହି ଲୋକ ରାତାରାତି ଅନ୍ତିମ ସଂସ୍କାର କରିବାକୁ ବାଧ୍ୟ କରିଥିଲେ । ହେଲେ କେହି ବି ସ୍ମସାନକୁ ଯିବାକୁ ରାଜି ନଥିଲେ । ପୁଅ ନିଜେ ମା’ଙ୍କୁ ନିଗମବୋଧ ସ୍ମସାନକୁ ନେଇଥିଲା । ଖବର ପାଇ ‘ନର ସେବା, ନାରାୟଣ ସେବା ମିତ୍ର ମଣ୍ଡଳ’ ସଂସ୍ଥାର କିଛି ସଦସ୍ୟ କୃଷ୍ଣ ନଗରରେ ପହଞ୍ଚିଥିଲେ । ପୁଅ ସହ କିଛି ବନ୍ଧୁ ବାନ୍ଧବ ମଧ୍ୟ ସେଠାରେ ପହଞ୍ଚିଥିଲେ । ପରେ ତୁରନ୍ତ ଜଣକୁ କଫନ୍‌ ପ୍ରସ୍ତୁତ ପାଇଁ ଅର୍ଡର ଦିଆଯାଇଥିଲା, ସେ ମଧ୍ୟ କଫନ ଧରି ପହଞ୍ଚିଥିଲା ।

ତେବେ ଶେଷ ମୂହୁର୍ତ୍ତରେ ମହିଳାଙ୍କୁ କାନ୍ଧ ଦେବା ପାଇଁ ପରିବାର ଲୋକେ ପଛ ଘୁଞ୍ଚା ଦେଇଥିଲେ । କାନ୍ଧ ଦେବା ପାଇଁ ମହିଳାଙ୍କ ପୁଅ ଓ ତାର ସାଙ୍ଗମାନେ ମିଶି ମୋଟ ୩ ଜଣ ହୋଇଥିଲେ । ଆଉ ଜଣେ ଅଭାବ ଥିଲା । ତେଣୁ କଫନ୍‌ ନେଇ ଆସିଥିବା ବ୍ୟକ୍ତିକୁ କାନ୍ଧ ଦେବା ପାଇଁ ନିବେଦନ କରାଯାଇଥିଲା । ହେଲେ ଶେଷରେ ସେ କାନ୍ଧ ଦେବା ପାଇଁ ଟଙ୍କା ମାଗିଥିଲା । ଆଉ ତାକୁ ଟଙ୍କା ଦେଇ କାନ୍ଧ ଦେବାକୁ ଡକାଯାଇଥିଲା ।

୨୪ ଘଣ୍ଟାରେ ଯାଜପୁରରେ ୧୭ ପଜିଟିଭ୍

ଭୁବନେଶ୍ୱର: ବିପଦ ବଢ଼ାଉଛି ‘ବଙ୍ଗ’ ଲିଙ୍କ୍ । ସକାଳେ ଯାଜପୁରରୁ ୩ ପଶ୍ଚିମବଙ୍ଗ ଫେରନ୍ତାଙ୍କା ଠାରେ କରୋନା ପଜିଟିଭ୍ ମିଳିଥିବା ବେଳେ ଏବେ ଆଉ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ୨୪ ଘଣ୍ଟାରେ ମୋଟ୍ ୧୭ ଜଣଙ୍କ ଠାରେ ପଜିଟିଭ୍ ଆସିଛି । ତେବେ, ଏବେ ପଜିଟିଭ୍ ଚିହ୍ନଟ ହୋଇଥିବା ୧୪ ଜଣଙ୍କ ଗସ୍ତ ବିବରଣୀ ଜଣାପଡ଼ିନାହିଁ ।

ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୨୮କୁ ବୃଦ୍ଧି

୧୪ ପଜିଟିଭ୍ ଚିହ୍ନଟ ହେବା ପରେ ଯାଜପୁର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିବା ବେଳେ ଏବେ ଜିଲ୍ଲାରେ ୩୫ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।

ରାଜ୍ୟରେ ମୋଟ ୧୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଏବେ ୧୦୨ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି ।

କରୋନା ଯୁଦ୍ଧରେ ଖୁସି ଖବର, ସଂକ୍ରମିତଙ୍କ ଉପରେ କାମ କରୁଛି ରେମଡେସିବିର !

ୱାଶିଂଟନ୍: ମହାମାରୀ କରୋନା ଦୁନିଆକୁ କରାୟତ୍ତ କରି ରଖିଥିବା ବେଳେ ଆମେରିକାରୁ ଆସିଛି ଆଶ୍ୱସ୍ତିକର ଖବର । ଆମେରିକା ବୈଜ୍ଞାନିକଙ୍କ ଅନୁଯାୟୀ, ଇବୋଲାକୁ ଶେଷ କରିବା ପାଇଁ ତିଆରି କରାଯାଇଥିବା ରେମଡେସିବିର କରୋନା ଭୂତାଣୁ ଆକ୍ରାନ୍ତଙ୍କ ଉପରେ ପ୍ରଭାବ ପକାଉଛି । ଆମେରିକୀୟ ବୈଜ୍ଞାନିକଙ୍କ ଏହି ଘୋଷଣା ସାରା ଦୁନିଆମୁହଁରେ ଭରିଛି ଆଶାର ନୂଆ କିରଣ ।

କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ରେମଡେସିବିର ଔଷଧ ବ୍ୟବହାର ସକରାତ୍ମକ ପ୍ରତିକ୍ରିୟା ଦେଇଛି । ଆକ୍ରାନ୍ତ ଠିକ୍ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶଦାତା ଡକ୍ଟର ଏନ୍ଥନି ଫାଉସି କହିଛନ୍ତି । ରେମଡେସିବିର ଔଷଧକୁ ଆମେରିକା, ୟୁରୋପ ଓ ଏସିଆର ୬୮ଟି ସ୍ଥାନରେ ୧୦୬୩ ଜଣ ଆକ୍ରାନ୍ତଠାରେ ପରୀକ୍ଷଣ କରାଯାଇଛି । ପରୀକ୍ଷଣରୁ ଜଣାପଡ଼ିଛି ‘ରେମଡେସିବିର କରୋନା ଭାଇରସକୁ ରୋକିପାରିବ’ ।

ଅନ୍ୟପଟେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଲର୍ଜି ଆଣ୍ଡ ଇନ୍ଫେକ୍ସନିୟସ୍ ଡିଜିଜ୍ ଔଷଧର ପରୀକ୍ଷଣ ପରିଣାମକୁ ନେଇ ଗଭୀର ଭାବେ ଅନୁସନ୍ଧାନ କରୁଛି । ଏଥିରୁ ଜଣାପଡ଼ିଛି ରେମଡେସିବିର ପ୍ରୟୋଗ ଦ୍ୱାରା ୧୫ ଦିନରେ ଠିକ୍ ହେବାକୁ ଥିବା ଆକ୍ରାନ୍ତ ୫ ଦିନରେ ଠିକ୍ ହୋଇଯାଉଛନ୍ତି ।

କିଏ କରିଥିଲା ତିଆରି ?

ଇବୋଲା ମହାମାରୀ ବେଳେ ରେମଡେସିବିରକୁ ପ୍ରସ୍ତୁତ କରିଥିଲା ଆମେରିକାର ବାୟୋଫାର୍ମସ୍ୟୁଟିକାଲ କମ୍ପାନୀ ଗିଲିୟଡ ସାଇନ୍ସେଜ୍ । କିନ୍ତୁ, କ୍ଲିନିକାଲ୍ ଟ୍ରାଏଲ ବେଳେ ଆଫ୍ରିକାରେ ନିରାଶାଜନକ ଫଳାଫଳ ମିଳିଥିଲା । ଏଥିପାଇଁ ରେମଡେସିବିରକୁ କୌଣସି ରୋଗର ଚିକିତ୍ସା ପାଇଁ ଅନୁମୋଦନ କରାଯାଇନାହିଁ । ଗିଲିୟଡ୍ ମୁତାବକ, ରେମଡେସିବିର ଏପର୍ଯ୍ୟନ୍ତ ଆମେରିକା ଅବା ଦୁନିଆର କୌଣସି ଦେଶରେ ବ୍ୟବହାର ପାଇଁ ଅନୁମୋଦିତ ହୋଇନାହିଁ ।

ବଢ଼ା ଯାଉଛି ଉତ୍ପାଦନ

ଗିଲିୟଡ୍ ସାଇନ୍ସେଜର ପ୍ରବକ୍ତ ରୟାନ ମୈକକେଲଙ୍କ ଅନୁସାରେ, ସରକାର ରେମଡେସିବିରକୁ ନେଇ କଣ କରିବେ ଆମକୁ ଜଣାନାହିଁ । କିନ୍ତୁ, ଆମେ କୋଭିଡ୍-୧୯ ଚିକିତ୍ସାରେ ରେମଡେସିବିରର ଉପଯୋଗ ଓ ପରୀକ୍ଷଣ ଫଳକୁ ଆଶାତୀତ ଅଛୁ । ଏବେ ରେମଡେସିବିରର ଉତ୍ପାଦନକୁ ବୃଦ୍ଧି କରାଯାଇଛି । ଯଦି, ତୁରନ୍ତ ଆବଶ୍ୟକତା ପଡ଼େ ତାହାଲେ ଉପଲବ୍ଧ କରାଇପାରିବୁ ।

ଚୀନରେ ପରୀକ୍ଷଣ ଫେଲ୍

ରେମଡେସିବିର ପରୀକ୍ଷଣ ଚୀନରେ କରାଯାଇଛି । ତେବେ, କୋଭିଡ୍-୧୯ ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହା ସେଭଳି ସକରାତ୍ମକ ପ୍ରତିକ୍ରିୟା ଦେଖାଇନାହିଁ । ଏହି ରିପୋର୍ଟ ଜର୍ନାଲ ଲେନ୍ସେଟରେ ପ୍ରକାଶିତ ହୋଇଛି । କିନ୍ତୁ, ଅଧ୍ୟୟନରେ କୁହାଯାଇଥିଲା ରେମଡେସିବିର ଅନ୍ୟ ସ୍ଥାନରେ ଅଲଗା ଲୋକଙ୍କ ଠାରେ ଉପଯୋଗୀ ସାବ୍ୟସ୍ତ ହୋଇପାରେ । ଚୀନରେ ରେମଡେସିବିରର କୌଣସି ପ୍ରଭାବ ପଡ଼ିନଥିଲା ।

ପ୍ଲେସିବୋ କଣ ?

ଅଧ୍ୟୟନକାରୀଙ୍କ ଅନୁସାରେ, ରେମଡେସିବିର ଦିଆଯାଇଥିବା ୮ ପ୍ରତିଶତ ଲୋକଙ୍କୁ ବଞ୍ଚାଯାଇ ପାରିବନାହିଁ । ପ୍ଲେସିବୋ ଦିଆଯାଇଥିବା ୧୧ ପ୍ରତିଶତ ଆକ୍ରାନ୍ତ ମଧ୍ୟ ବଞ୍ଚି ନାହାଁନ୍ତି । ଇଚ୍ଛାଶକ୍ତି ମଜଭୁତ୍ ଥାଇ ଠିକ୍ ହେଉଥିବା ଆକ୍ରାନ୍ତଙ୍କ ଚିକିତ୍ସାକୁ ପ୍ଲେସିବୋ କୁହାଯାଏ । ଉଦାହରଣ- ଯେତେବେଳେ କେହି କୌଣସି ରୋଗକୁ ନେଇ ଡାକ୍ତରଙ୍କୁ ଦେଖାଏ ଏବଂ ଯାଞ୍ଚ ବେଳେ କିଛି ମିଳେନାହିଁ ସେତେବେଳେ ତାଙ୍କୁ ମିଠା ବଟିକା ଦିଆଯାଏ । ଏମିତିରେ ଆକ୍ରାନ୍ତ ଭାବନ୍ତି ତାଙ୍କୁ ଡାକ୍ତର ଠିକ୍ ଔଷଧ ଦେଇଛନ୍ତି । ଇଚ୍ଛାଶକ୍ତି ମଜଭୁତ୍ ଥିବାରୁ ସେ ଠିକ୍ ହୋଇଯାଆନ୍ତି । ଏହାକୁ ପ୍ଲେସିବୋ ଚିକିତ୍ସା କୁହାଯାଏ ।

ଆମେରିକାରେ ଚାକିରି ହରାଇବେ ଆଇଟି ପ୍ରଫେସ୍‌ନାଲସ୍‌, ଭାରତ ଉପରେ ପଡ଼ିପାରେ ପ୍ରଭାବ…!

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଅର୍ଥନୀତି ଏବେ ରସାତଳେ ପହଞ୍ଚିଛି । କରୋନା ମହାମାରୀ ଯୋଗୁଁ ଆମେରିକାରେ ଏଭଳି ପରିସ୍ଥିତି ଉପୁଜିଛି । ଏହି ଭାଇରସ୍‌ କାରଣରୁ ଆମେରିକାରେ ହିଁ କେବଳ ୫୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଏହା ସହ ଦେଶରେ ବେକାରୀ ସମସ୍ୟା ୯୦ ବର୍ଷ ମଧ୍ୟରେ ଉଚ୍ଚତମ ସ୍ତରରେ ରହିଛି ।

ରିପୋର୍ଟ ଅନୁଯାୟୀ, ବର୍ଷ୨୦୨୦ ଆରମ୍ଭରୁ ହିଁ ଅର୍ଥାତ୍‌ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଆମେରିକାର ମୁଣ୍ଡ ପିଛା ଅଭିବୃଦ୍ଧି ହାର ୪.୮କୁ ଖସି ଆସିଛି । ଏହା ପୂର୍ବରୁ ୨୦୧୯ର ଶେଷ ଆଡ଼କୁ ଏହାର ମୁଣ୍ଡ ପିଛା ଅଭିବୃଦ୍ଧି ହାର ୨.୧ରେ ରହିଥିଲା । ୨୦୧୪ ପରେ ଆମେରିକାରେ ଏଭଳି ପରିସ୍ଥିତି ପ୍ରଥମ ଥର ପାଇଁ ଦେଖାଦେଇଛି । ସେତେବେଳେ ମୁଣ୍ଡ ପିଛା ଅଭିବୃଦ୍ଧି ହାର ୧.୧ ରହିଥିଲା ।

ବର୍ଷ ୨୦୦୮-୦୯ରେ ଲଗାତର ମାନ୍ଦା ଅବସ୍ଥା ଯୋଗୁଁ ଅଭିବୃଦ୍ଧି ହାର ଚାରି ଚତୁର୍ଥାଂଶ ଖସି ମାଇନସରେ ରହିଥିଲା । ଏଠି ଆମେ କହି ରଖୁଛୁ ଯେ, ଆମେରିକାର କ୍ୟାଲେଣ୍ଡର ଇୟର ଓ ଫାଇନାନ୍‌ସିଆଲ ଇୟର ସମାନ ରହିଥାଏ ।

ଆମେରିକାର ଅର୍ଥନୀତି ପାଇଁ ଏହା ଏକ ଚିନ୍ତାର ଖବର । ଏହି ଆକଳନଗୁଡିକ ବିମୁଦ୍ରାକରଣ ଆଡ଼କୁ ସୂଚାଉଛି । ଆଗାମୀ ମାସରେ ଯଦି ପରିସ୍ଥିତିରେ ସୁଧାର ନଆସେ, ତେବେ ଏହା ବିଶ୍ୱବ୍ୟାପୀ ଚିନ୍ତାର ବିଷୟ ପାଲଟିବ । ବାସ୍ତବରେ ଆମେରିକା ସହ ଭାରତ ସମେତ ଅନେକ ଦେଶର ଅର୍ଥନୀତି ଯୋଡ଼ି ହୋଇ ରହିଛି । ଏହି ଦେଶରେ ପ୍ରଫେସ୍‌ନାଲ୍‌ ଚାକିରିଆଙ୍କ ପ୍ରତି ବିପଦ ଆସିପାରେ ବୋଲି କୁହାଯାଉଛି । ଯାହାକି ଏକ ଭଲ ଖବର ନୁହେଁ । ସୂଚନାଯୋଗ୍ୟ, ଭାରତର ଆଇଟି କମ୍ପାନୀଗୁଡିକର ୮୦ ପ୍ରତିଶତ ଆୟ ଆମେରିକା ଏବଂ ୟୁରୋପରୁ ଆସିଥାଏ ।

 ୧୯୩୦ ପରେ ସର୍ବାଧିକ ବେକାରୀ 

ପୂର୍ବରୁ ସରକାରୀ ଆକଳନରେ ଦର୍ଶାଇଥିଲା ଯେ, ଆମେରିକାରେ ବେକାରୀ ସମସ୍ୟା ଗତ ୯୦ ବର୍ଷର ସର୍ବୋଚ୍ଚ ସ୍ତରରେ ରହିଛି । ୧୯୩୦ ର ମାନ୍ଦାବସ୍ଥା ପରେ ବର୍ତ୍ତମାନର ବେକାରୀ ହାର ସର୍ବାଧିକ ରହିଛି । ପରିସଂଖ୍ୟାନରୁ ଜଣାପଡିଛି ଯେ, କରୋନା ମହାମାରୀ ପାଇଁ ପ୍ରତି ୬ ଜଣରେ ଜଣେ ଶ୍ରମିକଙ୍କୁ ଚାକିରିକୁ ବିଦାକରଯାଉଛି । କେବଳ ଗୋଟିଏ ସପ୍ତାହରେ ୪୪ ଲକ୍ଷରୁ ଅଧିକ ଲୋକ ବେକାରୀ ସୁବିଧା ପାଇଁ ଆବେଦନ କରିଛନ୍ତି । ଏହା ସହିତ ପ୍ରାୟ ୨.୬ କୋଟି ଲୋକ ଗତ ପାଞ୍ଚ ସପ୍ତାହ ମଧ୍ୟରେ ବେକାରୀ ସୁବିଧା ପାଇଁ ଆବେଦନ କରିଛନ୍ତି ।