spot_img
Home Blog Page 7183

ଭାରତୀୟ ଆପ୍‌ ନୁହେଁ ମିତ୍ରୋଁ : ପାକିସ୍ତାନ ସହ ରହିଛି ଲିଙ୍କ୍‌, ସାଇନ୍‌ ଇନ୍‌ କଲେ ତଥ୍ୟ ଚୋରିର ଆଶଙ୍କା !

ନୂଆଦିଲ୍ଲୀ: ମିତ୍ରୋଁ ଆପ୍ ଭାରତରେ ପ୍ରସ୍ତୁତ ହୋଇନାହିଁ ବରଂ ଏହା ପାକିସ୍ତାନ ସଫ୍ଟଓୟାର୍‌ ଡେଭଲପର୍ ଓବୋକ୍ସସ୍‌ର ଆପ୍‌ ବୋଲି କୁହାଯାଉଛି । ଏକ ରିପୋର୍ଟରୁ ଏହି ସୂଚନା ମିଳିଛି । ଭାରତରେ ମିତ୍ରୋଁ ଆପ୍ ଏବେ ଭାଇରାଲ ହେବାରେ ଲାଗିଛି । ଅନେକ ସଂଖ୍ୟାରେ ଏହାକୁ ଡାଉନ୍‌ଲୋଡ୍‌ କରାଯାଉଛି । ଚର୍ଚ୍ଚାର ବିଷୟ ହେଉଛି ‘ମିତ୍ରୋଁ’ ଶବ୍ଦକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଯୋଡ଼ା ଯାଉଛି । ତେବେ ଏକ ନୂଆ ରିପୋର୍ଟରୁ ଜଣାପଡ଼ିଛି ଯେ, ମିତ୍ରୋଁ ଆପ୍ ହେଉଛି ପାକିସ୍ତାନୀ କମ୍ପାନୀ Qboxus ଦ୍ୱାରା ପ୍ରସ୍ତୁତ ଟିକ୍‌ଟିକ୍‌ ଆପର ରିପ୍ୟାକେଜ୍ ଭର୍ସନ୍‌ ।

ପାକିସ୍ତାନ ସଫ୍ଟଓୟାର୍‌ ଡେଭ୍‌ଲପର କମ୍ପାନୀ Qboxus ର ସିଇଓ ତଥା ପ୍ରତିଷ୍ଠାତା ହେଉଛନ୍ତି ଇରଫାନ୍ ଶେଖ୍ । ଏହି କମ୍ପାନୀ  ଟିକ୍‌ଟିକ୍‌ ଆପର ଏକ ନକଲ ତିଆରି କରିଛି । ଟାଇମ୍ସ ଅଫ୍ ଇଣ୍ଡିଆ-ଗ୍ୟାଜେଟ୍ସ ନାଓକୁ ଇର୍‌ଫାନ୍‌ କହିଛନ୍ତି ଯେ, ସେ ମିତ୍ରୋଁ ଆପ୍‌ର ଡେଭଲପର୍‌କୁ ଟିକ୍‌ଟିକ୍‌ ଆପ୍‌ର ସୋର୍ସ କୋଡ୍‌ ପାଖାପାଖି ୩୪ ଡଲାରରେ ବିକ୍ରି କରିଛନ୍ତି ।

 

ଉତ୍ସ କୋଡ୍ ବିକ୍ରୟ ହେଉଛି ମୁଖ୍ୟ ବ୍ୟବସାୟ

ଇର୍‌ଫାନ୍‌‌ କହିଛନ୍ତି ଯେ ତାଙ୍କ କମ୍ପାନୀର କାମ ହେଉଛି ସେ ବଡ଼ ବଡ଼ ଲୋକପ୍ରିୟ ଆପ୍ ଗୁଡ଼ିକର କ୍ଲୋନ୍‌ ପ୍ରସ୍ତୁତ କରନ୍ତି ଏବଂ ତାକୁ ଶସ୍ତାରେ ବିକ୍ରି କରନ୍ତି । ବିଭିନ୍ନ ଆପ୍‌ ଡେଭଲପର କମ୍ପାନୀ ଆମଠାରୁ କୋଡ୍‌ କିଣିବା ପରେ ତାକୁ ନେଇ ଆବଶ୍ୟକ ଅନୁଯାୟୀ କଷ୍ଟମାଇଜ୍‌ କରନ୍ତି ଓ ବଜାରକୁ ଛାଡ଼ନ୍ତି । ସୋର୍ସ କୋଡ୍‌ ବିକ୍ରି କରିବା ହେଉଛି ଏହି କମ୍ପାନୀର ମୁଖ୍ୟ ବ୍ୟବସାୟୀ । କମ୍ପାନୀର ଲକ୍ଷ ହେଉଛି, ଛୋଟ ଛୋଟ କମ୍ପାନୀଗୁଡ଼ିକ ଯାହା ପାଖରେ କମ୍‌ ବଜେଟ୍‌ ରହିଛି ତାକୁ ଏଭଳି ଶସ୍ତାରେ ସୋର୍ସ କୋଡ୍‌ ବିକ୍ରି କରି ସହଯୋଗ କରିବା । ତେବେ ଟିକ୍‌ ଟିକ୍‌ ଆପ୍‌ର ପ୍ରାୟ ୨୭୭ କପି ଏବେ ସୁଦ୍ଧା ବିକ୍ରି ସରିଲାଣି ।

ଇର୍‌ଫାନ୍‌ ଆହୁରି କହିଛନ୍ତି, ସୋର୍ସ କୋଡ୍‌ ଆମଠାରୁ କିଣିବା ପରେ ସେଥିରେ କ’ଣ ପରିବର୍ତ୍ତନ କରାଗଲା କି କିଭଳି ବ୍ୟବହାର ହେଲା ସେଥିରେ କମ୍ପାନୀର ପକ୍ଷରୁ କୌଣସି ହସ୍ତକ୍ଷେପ କରାଯାଏ ନାହିଁ । କିନ୍ତୁ ଏହାକୁ ଭାରତୀୟ ଆପ୍‌ ବୋଲି କୁହାଯାଉଛି, ଯାହାକି ସମ୍ପୂର୍ଣ୍ଣ ମିଥ୍ୟା । ସୋର୍ସ କୋଡ୍‌‌ କିଣିଥିବା କମ୍ପାନୀ ଏଥିରେ କେବଳ ନାଁ ପରିବର୍ତ୍ତନ ବ୍ୟତୀତ ଅନ୍ୟ କୌଣସି ପରିବର୍ତ୍ତନ କରିନାହିଁ । ଏହା ସମ୍ପୂର୍ଣ୍ଣରୂପେ ଟିକ୍‌ଟିକ୍‌ ଆପ୍‌ର ନକଲ । ଟେକ୍‌ନିକାଲ୍‌ ଟିମ୍‌ ଏହାକୁ ପରୀକ୍ଷା ମଧ୍ୟ କରି ଜାଣିପାଣିବ ।

ମିତ୍ରୋଁ ଆପ୍‌ ଡେଭ୍‌ଲପର ଚିହ୍ନଟ ହୋଇନାହିଁ

ଏବେ ସୁଦ୍ଧା ମିତ୍ରୋଁ ଆପ୍‌ର ଡେଭଲପର ନାଁ ସାମ୍ନାକୁ ଆସି ନାହିଁ । ଆଇଆଇଟି ରୁଡକିର ଜଣେ ଛାତ୍ର ଏହାକୁ ପ୍ରସ୍ତୁତ କରିଥିବା କୁହାଯାଉଛି । ଗୁଗୁଲ୍ ପ୍ଲେ ଷ୍ଟୋର୍‌ରେ ମିତ୍ରୋଁ ଆପ୍ ଡେଭଲପର୍‌ର ୱେବ୍ ପେଜ୍‌ରେ shopkiller.inର କଥା ଉଲ୍ଲେଖ ରହିଛି, ଯାହାକି ଏକ ବ୍ଲାଙ୍କ୍‌ ପେଜ୍‌ । ଆହୁରି ମଧ୍ୟ ଏହି ଆପରେ କୌଣସି ପ୍ରାଇଭେସି ନାହିଁ । ତେଣୁ ଯେଉଁମାନେ ଆପ୍‌ ଡାଉନଲୋଡ୍ କରିଛନ୍ତି ଏବଂ ସାଇନ୍ ଇନ୍ କରିଛନ୍ତି ସେମାନଙ୍କ ତଥ୍ୟର ଦୁରୁପଯୋଗ ହେବାର ସମ୍ଭାବନା ମଧ୍ୟ ରହିଛି । ଖାଲି ସେତିକି ନୁହେଁ ଏହି ଆପ୍‌ ଷ୍ଟାର୍ଟ କରିବା ବେଳେ ବିଭିନ୍ନ ପ୍ରକାର ପରମିଶନ୍‌ ମଧ୍ୟ ମାଗୁଛି ।

କୁକୁରକୁ ଉଦ୍ଧାର କରିବାକୁ ଯାଇ AWTE ସଦସ୍ୟ ଆକ୍ରମଣର ଶିକାର

ବାଲିପାଟଣା:  ଆନିମଲ୍ ଓ୍ୱେଲଫେୟାର୍‌ ଟ୍ରଷ୍ଟ ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଆହାତ କୁକୁରକୁ ଉଦ୍ଧାର କରିବାକୁ ଯାଇଥିବାରୁ ଆକ୍ରମଣ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ପୁରଣ ଶାସନ ଗାଁରେ | ଆକ୍ରମଣରେ ଆନିମଲ୍ ଓ୍ୱେଲଫେୟାର୍‌ ଟ୍ରଷ୍ଟର ସଦସ୍ୟ ସତ୍ୟମ୍ ପୃଷ୍ଟି ଏବଂ ଅନ୍ୟ ଜଣେ ସୂଚନା ପ୍ରଦାନକାରୀ ଆହାତ ହୋଇଛନ୍ତି । ପୁରଣ ଶାସନ ଗ୍ରାମର ବିଜୟ ମଲ୍ଲିକ ଏକ କୁକୁର କୁ ଅମାନୁଷିକ ଭାବେ ମାଡ ମାରି ଲହୁ ଲୁହାଣ କରିବା ସହ କୁକୁରର ଅଣ୍ଟା ଭାଙ୍ଗି ଦେଇଥିଲେ । ଘଟଣାକୁ ଗ୍ରାମର ଜଣେ ମହିଳା ଆନିମଲ୍ ଓ୍ୱାଲେଫେୟାର ଟ୍ରଷ୍ଟକୁ ଜଣାଇଥିଲେ । ଦୁଇ ଜଣିଆ ଟିମ୍ ପୁରଣ ଶାସନ ଗ୍ରାମରେ ପହଁଞ୍ଚି ଶ୍ୱାନଟିକୁ ଉଦ୍ଧାର କରିବା ସମୟରେ ବିଜୟ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲା । ପରେ ବିଜୟ ସହ ଗ୍ରାମର ୧୦ ରୁ ୧୨ ଜଣ ସଂଘବଦ୍ଧ ଭାବେ ବେଲଚା କୋଦାଳ ଆଦିରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଟ୍ରଷ୍ଟର ସଦସ୍ୟ ସତ୍ୟମ୍ ପୃଷ୍ଟି ଏବଂ ସୂଚନା ପ୍ରଦାନକାରୀ ମହିଳା ଗୁରୁତର ଭାବେ ଆହାତ ହୋଇଛନ୍ତି । ଟ୍ରଷ୍ଟ ପକ୍ଷରୁ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ଟ୍ରଷ୍ଟର ଚେୟାରପର୍ସନ ପୂରବୀ ପାତ୍ର ।

ଯୁଦ୍ଧ କରିବାକୁ ବିକଳ ହେଉଛି ଚୀନ୍ ! ତାଇୱାନ୍ ଉପରେ ଆକ୍ରମଣ ପାଇଁ ଧମକ

ବେଜିଂ: ଯୁଦ୍ଧ କରିବାକୁ ଚୀନର ଧମକ । ଚୀନ କହିଛି ଯେ, ଯଦି ତାଇବାନ ଏକୀକରଣ ପାଇଁ ପ୍ରସ୍ତୁତ ନହୁଏ ତେବେ ତା ଉପରେ ଆକ୍ରମଣ କରାଯିବ । ଚୀନର ସେଣ୍ଟ୍ରାଲ ମିଲିଟାରୀ କମିସନର ସଦସ୍ୟ ଏବଂ ସଂଯୁକ୍ତ ବିଭାଗର ପ୍ରମୁଖ ଝୁଓଚେଙ୍ଗ କହିଛନ୍ତି ଯେ, ତାଇବାନକୁ ସ୍ୱାଧିନ ହେବାରେ ରୋକିବାକୁ ଯଦି ଆଉ କେଉଁ ରାସ୍ତା ନଥିବ ତେବେ ଚୀନ ତା ଉପରେ ଆକ୍ରମଣ କରିବ । ଲି ଝୁଓଚେଙ୍ଗ ଚୀନରେ ବହୁତ ଚର୍ଚ୍ଚିତ ଅଟନ୍ତି । ଚୀନରେ ଉଚ୍ଚ ପଦବୀରେ ରହୁଥିବା ବ୍ୟକ୍ତିଙ୍କ ତରଫରୁ ଏମିତି ବୟାନ ଆସିବା ବହୁତ କ୍ୱଚିତ୍ ଅଟେ । ବେଜିଂର ଗ୍ରେଟ ହଲ ଅଫ୍ ପବ୍ଲିକରେ ଶୁକ୍ରବାରଦିନ ଲି ଏହା କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ଶାନ୍ତିରେ ଏକୀକରଣର ରାସ୍ତା ସମାପ୍ତ ହୋଇଯାଏ ତେବେ ଚୀନର ସେନା ପୂରା ଦେଶକୁ ସାଙ୍ଗରେ ନେଇ (ତାଇବାନର ଲୋକଙ୍କୁ ମଧ୍ୟ) ବିଛିନ୍ନତାବାଦୀଙ୍କ ବିରୋଧରେ ଜରୁରୀ କାର୍ଯ୍ୟାନୁଷ୍ଠାନ ନେବ ।

ସଂଯୁକ୍ତ କର୍ମଚାରୀ ବିଭାଗର ପ୍ରମୁଖ ଝୁଓଚେଙ୍ଗ କହିଛନ୍ତି ଯେ, ସେ ସୁରକ୍ଷା ବଳ ବ୍ୟବହାର ନକରିବାକୁ କୌଣସି ପ୍ରତିସ୍ରୁତି ଦେଉନାହାନ୍ତି । ତାଇୱାନର ସ୍ଥିତି ଉପରେ କାବୁ କାରିବାକୁ ସେମାନେ ଏହି ବିକଳ୍ପକୁ ରିଜର୍ଭ ରଖୁଛନ୍ତି । ଚୀନର ଆଣ୍ଟି ସେକସନ୍ ନିୟମର ୧୫ତମ ବର୍ଷ ପୂର୍ତ୍ତି ସମରେ କହିଥିଲେ । ଏହି ନିୟମ ଚୀନକୁ ଆଇନଗତ ପ୍ରାଧିକରଣ ଦେଇଥାଏ ଯେ, ଯଦି ତାଇବାନ ଅଲଗା ହେବାକୁ ଚେଷ୍ଟା କରେ ତେବେ ତା ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।

ତାଇୱାନକୁ ନେଇ ଚୀନର ଜଣେ ବରିଷ୍ଠ ନେତାଙ୍କ  ବାର୍ତ୍ତା ଏମିତି ସମୟରେ ଆସିଛି ଯେଉଁ ସମୟରେ ଚୀନ ହଙ୍ଗକଙ୍ଗ ଉପରେ ପୂରା ନିୟନ୍ତ୍ରଣ ହାସିଲ କରିବା ପାଇଁ ଜାତୀୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବାକୁ ଯାଉଛି ।  ଚୀନ ତାଇୱାନକୁ ନିଜର ଏକ ଅଂଶ ବୋଲି ମାନେ । କିନ୍ତୁ ତାଇୱାନରେ ନିଜସ୍ୱ ନିର୍ବାଚିତ ଗଣତାନ୍ତ୍ରିକ ସରକାର ରହିଛି । ଯଦିଓ, ଚୀନର ବିରୋଧ କରିବା କରଣରୁ ବହୁ ଅନ୍ତରାଷ୍ଟ୍ରିୟ ସଂସ୍ଥାରେ ତାଇୱାନକୁ ସ୍ଥାନ ମିଳିପାରି ନାହିଁ ।

ପ୍ରବାସୀଙ୍କ ସେବାରେ ‘ଓଡ଼ିଶା ମୋ ପରିବାର’ ଆବାହକ ଅରୁପ..

ନବରଙ୍ଗପୁର: ପ୍ରବାସୀଙ୍କ ସେବାରେ ଲାଗି ପଡ଼ିଛନ୍ତି ‘ଓଡ଼ିଶା ମୋ ପରିବାର’ ଆବାହକ ଅରୁପ ପଟ୍ଟନାୟକ । ଶୁକ୍ରବାର କୋରୋପୁଟ ଅଞ୍ଚଳରେ ପହଞ୍ଚି ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଆତିଥ୍ୟ ପ୍ରଦାନ କରିଥିବା ବେଳେ ଆଜି ନବରଙ୍ଗପୁରରେ ପହଞ୍ଚି ପ୍ରବାସୀ ଓଡ଼ିଆଙ୍କ ଦୁଃଖ ବୁଝିଛନ୍ତି । ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଖାଦ୍ୟ ବଣ୍ଟନ କରିବା ସହ ସେମାନଙ୍କର ଯାତାୟତ ସମସ୍ୟାର ସମାଧାନରେ ଲାଗିଛନ୍ତି ଅରୁପ ।

ପ୍ରବାସୀ ଶ୍ରମିକମାନେ ଯେପରି କୌଣସି ପ୍ରକାର ଅସୁବିଧାରେ ନପଡ଼ିବେ ସେନେଇ ଅରୁପ ବିଶେଷ ଧ୍ୟାନ ଦେଇଛନ୍ତି । ଅନ୍ୟପଟେ କୌଣସି ଶ୍ରମିକ ଯେପରି ଚାଲିକି ନଯିବେ କିମ୍ବା ଭୋକିଲା ନରହିବେ, ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଉଛନ୍ତି । ତେବେ ଅରୁପଙ୍କ ସହ ଏହି ଅବସରରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ବିଧାୟକ ମନୋହର ରନ୍ଧାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ନୟାପଲ୍ଲୀ ଓୟୋରେ ଜୁଆ ଅଡ୍ଡା, ବ୍ୟବସାୟୀ ଗିରଫ…

ଭୁବନେଶ୍ୱର: ପୁଣି ନୟାପଲ୍ଲୀରେ ଚାଞ୍ଚଲ୍ୟ । ଓୟୋ ରୁମରେ ଚଢ଼ାଉ କଲା ପୋଲିସ । କାରଣ ରୁମ ଭିତରେ ଚାଲିଥିଲା ହାଇ ପ୍ରୋଫାଇଲ୍‌ ଜୁଆ ଖେଳ । ଆଉ ଏଥିରେ ସାମିଲ ଥିଲେ ଏକାଧିକ କଣ୍ଟ୍ରାକ୍ଟର ଓ ବିଜ୍‌ନେସ୍‌ ମ୍ୟାନ୍‌ । ଜବତ ହେଲା ପୁଳାପୁଳା ଟଙ୍କା, ମୋବାଇଲ୍‌ ଆଉ କାର ।

ଭୁବନେଶ୍ୱର ନୟାପଲ୍ଲୀ ଭିଆଇପି କଲୋନିରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଏକ ଓୟୋ ହୋଟେଲରେ ରୁମ୍‌ ଭଡ଼ା ନେଇ କିଛି ବ୍ୟବସାୟୀ ଓ ଠିକାଦାର ସେଠାରେ ଜୁଆ ଖେଳୁଥିଲେ । ଏନେଇ ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇଥିଲା । ଖବର ପାଇ ପୋଲିସ ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ସେଠାରୁ ନଗଦ ଏକ ଲକ୍ଷ ୫୩ ହଜାର ଟଙ୍କା ଓ ୮ଟି ମୋବାଇଲ ଫୋନ୍‌ ଓ ୩ଟି କାର ଜବତ କରିଛି ନୟାପଲ୍ଲୀ ଥାନା ପୋଲିସ । ଏହା ସହ ୯ ଜଣ ଠିକାଦାର ଓ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

କରୋନା ସଂକ୍ରମିତଙ୍କ ପରିଚୟ ଗୋପନ ରଖିବାକୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: କରୋନା ସଂକ୍ରମିତଙ୍କ ପରିଚୟ ସାର୍ବଜନୀନ କରିବା ନେଇ କିଛି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ମାନ୍ୟବର ହାଇକୋର୍ଟ । ଏକ ଜନସ୍ୱାର୍ଥ ମାମଲା ଶୁଣାଣି କରି ରାୟ ଶୁଣାଇଛନ୍ତି  କୋର୍ଟ । ମାନ୍ୟବର କୋର୍ଟ ନିଜ ରାୟରେ ସଂକ୍ରମିତଙ୍କ ପରିଚୟ ପ୍ରଘଟ ହୋଇପାରିବନାହଁ ବୋଲି କହିଛନ୍ତି । ପରିଚୟ ସାର୍ବଜନୀନ ହେବା ପରେ ସାମାଜିକ ନିନ୍ଦାର ଭୟ ରହିଛି । ଏପରିକି ସରକାର ପ୍ରକାଶ କରୁଥିବା ଚିଠି କିମ୍ୱା ଅନ୍ୟାନ୍ୟ ନଥିରେ ସଂକ୍ରମିତଙ୍କ ନାଁ ଉଲ୍ଲେଖ ହେବନାହିଁ ବୋଲି କୋର୍ଟ କହିଛନ୍ତି । ତେବେ ପୂର୍ବରୁ ମଧ୍ୟ କରୋନା ସଂକ୍ରମିତଙ୍କ ପରିଚୟ ସାର୍ବଜନୀନ କରିବା ନେଇ ବାରଣ କରିଛନ୍ତି ରାଜ୍ୟ ସରକାର । କିଛି ଅତି ବିଶେଷ ପରିସ୍ଥିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆକ୍ରାନ୍ତ ନାମ ସାର୍ବଜନୀନ ହୋଇଛି ।

ପୁଣି ଚିହ୍ନଟ ହେଲେ ୯୬ କରୋନା ସଂକ୍ରମିତ: ସକ୍ରିୟ ମାମଲା ଠାରୁ ଅଧିକ ସୁସ୍ଥ

ଅକ୍ଟୋବର ସୁଧା ଆସିପାରେ କରୋନା ଟୀକା ! ଅକ୍ସଫୋର୍ଡ ୟୁନିଭର୍ସିଟି ପରେ ଭରସା ଦେଲା ଏହି କମ୍ପାନୀ

ନୂଆଦିଲ୍ଲୀ: କରୋନା ଭାଇରସର ଟୀକା ପ୍ରସ୍ତୁତ କରିବାରେ ବିଶ୍ୱର ଆଉ ଏକ କମ୍ପାନୀ ଆଶା ଦେଇଛି । ବିୟାଗ୍ର ଔଷଧର ଆବିଷ୍କାର କରୁଥିବା ଆମେରିକାର ଫାର୍ମାଶ୍ୟୁଟିକଲ କମ୍ପାନୀ ପିଫିଜର ଦାବି କରିଛି ଯେ, ଏହି ବର୍ଷ ଅକ୍ଟୋବର ସୁଧା ଟୀକା ପ୍ରସ୍ତୁତ ହୋଇଯିବ । ପିଫିଜର ସିଇଓ ଅଲବର୍ଟ ବୁର୍ଲା ଜାତୀୟ ଗଣମାଧ୍ୟକୁ କହିଛନ୍ତି ଯେ, ଯଦି ସବୁ ଠିକାଠାକ୍ ଚାଲିଲା ଏବଂ ଯଦି ଆମକୁ ଭାଗ୍ୟର ସାଥ୍ ମିଳିଲା ତେବେ ଅକ୍ଟୋବର ଶେଷ ସୁଧା ଟୀକା ପ୍ରସ୍ତୁତ ହୋଇପାରିବ । ଏକ ସମ୍ପୂର୍ଣ୍ଣ ସୁରକ୍ଷିତ ଟୀକା ପାଇଁ ଆମେ ପ୍ରୟାସ କରୁଛୁ । ଏବଂ ପିଫିଜର ଜର୍ମାନୀର ଫର୍ମ ବାୟୋଣ୍ଟେକ୍ ସହ ୟୁରୋପ ଏବଂ ସଂଯୁକ୍ତ ରାଜ୍ୟ ଆମେରିକାରେ କେତେକ ସମ୍ଭାବୀତ ଟୀକାକୁ ନେଇ କାମ କରୁଛନ୍ତି ।

ଏହା ବ୍ୟତୀତ ଏକ୍ସଟ୍ରାଜେନେକା ନାମର ଆଉ ଏକ କମ୍ପାନୀ ଦାବି କରିଛି ଯେ, ଏହି ବର୍ଷ ଶେଷ ସୁଧା ଗୋଟିଏ କିମ୍ବା ଗୋଟିଏରୁ ଅଧିକା ଟୀକା ପ୍ରସ୍ତୁତ ହୋଇପାରେ । କହିରଖୁଛୁ ଯେ, ଏକ୍ସଟ୍ରାଜେନିକ ବର୍ତ୍ତମାନ ପାଇଁ ଅକ୍ସଫୋର୍ଡ ୟୁନିଭର୍ସିଟି ସହ ଟୀକା ଉପରେ କାମ କରୁଛନ୍ତି । ଯେଉଁଥିରେ ଏହି ବର୍ଷ ସୁଧା ଗୋଟିଏ ଟୀକା ଉପରେ କାମ ଶେଷ ହେବ ବୋଲି ସେ ଆଶା କରିଛନ୍ତି ।

ଏକ୍ସଜେନେକାର ପ୍ରମୁଖ ପାସ୍କଲ ସୋରିଏଟସ୍ କହିଛନ୍ତି ଯେ, ଆମର ଏହି ଟୀକାକୁ ନେଇ ବହୁତ ଲୋକଙ୍କ ଆଶା ରହିଛି । ଯଦି ସବୁ ସ୍ତରରେ ଆମକୁ ସଫଳତା ମିଳିଲା ତେବେ ଏହି ବର୍ଷ ଶେଷ ସୁଧା ଆମ ପାଖରେ ଟୀକା ପ୍ରସ୍ତୁତ ଥିବ । ସେ ଏହା ମଧ୍ୟ କହିଛନ୍ତି ଯେ, ଆମେ ସମୟର ବିପରିତରେ ଚାଲୁଛୁ ପୂରା ଦେଶରେ ଏବେପର୍ଯ୍ୟନ୍ତ ୫୦ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଛନ୍ତି ଏବଂ ସାଢେ ୩ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି ।

ରିପୋର୍ଟରେ ଏକ୍ସପର୍ଟସର ଚେତାବନୀ ଧ୍ୟାନରେ ରଖି କୁହାଯାଇଛି ଯେ, ଆସୁଥିବା ସମୟରେ ଚ୍ୟାଲେଞ୍ଜ ଆହୁରି କଠିନ ହୋଇପାରେ । ଏହି ମହାମାରୀରୁ ଲୋକଙ୍କୁ ବଞ୍ଚାଇବା ପାଇଁ ସେମାନଙ୍କୁ ୧,୫୦୦କୋଟି (୧୫ ବିଲିୟନ ) ଡୋଜ୍ ତିଆରି କରିବାକୁ ପଡ଼ିବ ।

ସୋରିଏଟସ କହିଛନ୍ତି ଯେ, ପୂରା ବିଶ୍ୱରେ ପାଖାପାଖି ୧୦୦ଲାବରେ କରୋନା ଭାଇରସର ଟୀକା ଉପରେ କାମ କରାଯାଉଛି । କିନ୍ତୁ ଏବେ ପର୍ଯ୍ୟନ୍ତ କେବଳ ୧୦ଟି କ୍ଲିନିକାଲ ଟ୍ରାଏଲ ପର୍ଯ୍ୟନ୍ତ ପହଞ୍ଚି ପାରିଛି ।

ପୁଣି ଚିହ୍ନଟ ହେଲେ ୯୬ କରୋନା ସଂକ୍ରମିତ: ସକ୍ରିୟ ମାମଲା ଠାରୁ ଅଧିକ ସୁସ୍ଥ

ମୋଦି ସରକାରଙ୍କ ୨.୦କୁ ପୂରିଲା ବର୍ଷେ: ‘କରୋନା ମୁକାବିଲାରେ ଦେଶବାସୀ ଧୈର୍ଯ୍ୟ ବଜାୟ ରଖନ୍ତୁ’

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାରଙ୍କ 2.0କୁ ପୂରିଲା ବର୍ଷେ । ଏହି ଅବସରରେ ଦେଶବାସୀଙ୍କୁ ଚିଠି ଲେଖଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ଦେଶ କରୋନା ସଙ୍କଟରୁ ବାହାରକୁ ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ବିପର୍ଯ୍ୟୟରୁ ବାହାରିବା ପାଇଁ ଧୈର୍ଯ୍ୟବାନ ହେବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି । ଏଥିସହିତ କରୋନା ଭୂତାଣୁ ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଦେଶର ଅର୍ଥନୀତିରେ ମଧ୍ୟ ସୁଧାର ଆସିବ ବୋଲି କହଛନ୍ତି ।

Never had desire to enter politics: PM Modi - The Hindu

କରୋନା ବିରୋଧରେ ଭାରତର ଯୁଦ୍ଧ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଗୋଟିଏ ପଟେ ବୃହତ୍ତ ଅର୍ଥନୈତିକ ବ୍ୟବସ୍ଥା ଏବଂ ଦକ୍ଷ ସ୍ୱାସ୍ଥ୍ୟସେବା ପ୍ରଣାଳୀ ରହଥିବା ବେଳେ ଅନ୍ୟପଟେ ଆମ ଦେଶରେ ଜନସଂଖ୍ୟା ଏବଂ ସୀମିତ ସମ୍ବଳ ଅସୁବିଧା ରହିଛି। ଅନେକେ ଭୟ କରୁଥିଲେ ଯେ କରୋନା ଆକ୍ରମଣ ହେବା ପରେ ଭାରତ ବିଶ୍ୱ ପାଇଁ ଏକ ସମସ୍ୟା ହୋଇଯିବ। କିନ୍ତୁ ଭାରତ ସାରା ବିଶ୍ୱର ଏହି  ଚିନ୍ତାଧାରାକୁ ବଦଳାଇ ଦେଇଛ।

Coronavirus: Can India find the right language to communicate risk ...

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ ଆମେ ସମ୍ମୁଖୀନ ହେଉଥିବା ଅସୁବିଧା କୌଣସି ବିପଦରେ ପରିଣତ ନହୁଏ ଏଥିଲାଗି ଆମକୁ ଯତ୍ନବାନ ହେବାକୁ ପଡ଼ିବ । ତେଣୁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ନିୟମ ଏବଂ ନିର୍ଦ୍ଦେଶାବଳୀ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଦେଶ ଏପର୍ଯ୍ୟନ୍ତ ଧୌର୍ଯ୍ୟ ପ୍ରଦର୍ଶନ କରିଛି ଏବଂ ଏହାକୁ ଆହୁରି ଅଧିକ ବଜାୟ ରଖିବା ଉଚିତ୍। ଏହା ହେଉଛି ସବୁଠାରୁ ବଡ଼ କାରଣ କରୋନା ଭୂତାଣୁ ଠାରୁ ଭାରତ ଅନ୍ୟାନ୍ୟ ଦେଶ ଅପେକ୍ଷା ଅଧିକ ସୁରକ୍ଷିତ | ଏହା ଏକ ଲମ୍ବା ଯୁଦ୍ଧ, କିନ୍ତୁ ଆମେ ବିଜୟ ରାସ୍ତାରେ ଗତି କରିବା ଆରମ୍ଭ କରିଛୁ ଏବଂ ଆମର ସାମୂହିକ ପ୍ରୟାସ ଦ୍ୱାରା ଏହି ବିଜୟ ହାସଲ ହେବ |