ନନ୍ଦିଘୋଷ ବ୍ୟୁରୋ ; ଗୁଜରାଟରୁ ଆଉ ଜଣେ ଗୁପ୍ତଚର ଗିରଫ ହୋଇଛି। କଚ୍ଛ ଅଞ୍ଚଳର ଏକ ହସପିଟାଲରେ କାମ କରୁଥିଲା ଅଭିଯୁକ୍ତ। ସେ ପାକିସ୍ତାନକୁ ଗୁରୁତ୍ଵପୂର୍ଣ୍ଣ ସୂଚନା ପ୍ରଦାନ କରିଥିବାର ଅଭିଯୋଗ ହୋଇଛି। ଅଭିଯୁକ୍ତର ନାଁ ହେଲା ସହଦେବ ସିଂହ ଗୋହିଲ। ତାର ଗାର୍ଲଫ୍ରେଣ୍ଡ ହେଉଛି ପାକିସ୍ତାନୀ ଏଜେଣ୍ଟ। ତାକୁ ବିଏସଏଫ୍ ଓ ବାୟୁସେନାର ତଥ୍ୟ ପ୍ରଦାନ କରିଥିଲା ଅଭିଯୁକ୍ତ । ଅଭିଯୁକ୍ତ ଉପରେ ବହୁ ଦିନରୁ ନଜର ରଖାଯାଇଥିଲା। ଗତ ମେ ୧ ତାରିଖରେ ତାକୁ ଗୁଜରାଟ ଏଟିଏସ୍ ଡାକି ପଚରା ଉଚରା କରିଥିଲା। ପରେ ଗୁଇନ୍ଦାଗିରିର ପ୍ରମାଣ ପାଇବା ପରେ ସହଦେବକୁ ଗିରଫ କରାଯାଇଛି। ସୂଚନାରୁ ଜଣାଯାଇଛି ଯେ, ଜୁନ ଜୁଲାଇ ୨୦୨୩ରୁ ସହଦେବ ସିଂହ ଗୋହିଲ ଅଦିତି ଭରଦ୍ଵାଜ ନାମକ ଜଣେ ଝିଅ ସଂସ୍ପର୍ଶରେ ଆସିଥିଲା। ସେ ପାକିସ୍ତାନୀ ଏଜେଣ୍ଟ ଥିଲା। ସେ ବିଏସଏଫ ଓ ବାୟୁସେନାର ଫଟୋ ଓ ତଥ୍ୟ ମାଗିଥିଲା । ହ୍ଵାଟସ୍ ଅଫ୍ ଜରିଆରେ ତାକୁ ସୂଚନା ପ୍ରଦାନ କରିଥିଲା ଅଭିଯୁକ୍ତ। ସବୁ ପ୍ରମାଣ ମିଳିବା ପରେ ସହଦେବକୁ ଗିରଫ କରାଯାଇଛି।
ଭାରତ-ପାକିସ୍ତାନ ସୀମାରେ ଅନୁପ୍ରବେଶ ଉଦ୍ୟମ, ସୁରକ୍ଷା ବାହିନୀ ଗୁଳିରେ ଟଳିଲା ପାକିସ୍ତାନୀ
ନନ୍ଦିଘୋଷ ବ୍ୟୁରୋ ; ଭାରତ-ପାକିସ୍ତାନ ସୀମାରେ ଅନୁପ୍ରବେଶ ଉଦ୍ୟମ। ସୀମା ସୁରକ୍ଷା ବାହିନୀ ଗୁଳିରେ ଟଳିଲା ପାକିସ୍ତାନୀ। ଗୁଜରାଟର ବନାଶକାଣ୍ଠା ଜିଲ୍ଲାରେ ଘଟିଛି ଘଟଣା। ପାକିସ୍ତାନୀଜଣକ ଯବାନଙ୍କ ବାରଣ ନମାନି ବଳପୂର୍ବକ ଭାବେ ପ୍ରବେଶ ଉଦ୍ୟମ କରିଥିବାରୁ ତାକୁ ଗୁଳି କରାଗଲା ବୋଲି କୁହାଯାଇଛି। ଏପ୍ରିଲ ୨୨ ପହଲଗାଓଁ ହମଲା ପରଠାରୁ ଭାରତ-ପାକିସ୍ତାନ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି। କିଛିଦିନ ତଳେ ପାକିସ୍ତାନ ଫିରୋଜପୁରରେ ଆନ୍ତର୍ଜାତିକ ସୀମାରେଖାରେ ବି ଜଣେ ପାକିସ୍ତାନୀ ପ୍ରବେଶ କରୁଥିବାରୁ ତାକୁ ଗୁଳି କରାଯାଇଥିଲା। ଗତ ମେ ୧୦ରେ ପାକିସ୍ତାନର ଅନୁରୋଧ କ୍ରମେ ଦୁଇ ଦେଶ ସାମରିକସ୍ତରୀୟ ଆଲୋଚନା କରିଥିଲେ।
ପାକିସ୍ତାନ ରାଷ୍ଟ୍ରପତିଙ୍କ ଝିଅ ଅସିଫାଙ୍କ କାରକେଡ ଉପରେ ଆକ୍ରମଣ
ନନ୍ଦିଘୋଷ ବ୍ୟୁରୋ ; ପାକିସ୍ତାନ ରାଷ୍ଟ୍ରପତି ଅସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କ ଝିଅ ଅସିଫା ଭୁଟ୍ଟୋ ଜର୍ଦ୍ଦାରୀଙ୍କ କାରକେଡ ଉପରେ ଆକ୍ରମଣ। ପାକିସ୍ତାନ ଜାତୀୟ ଆସେମ୍ବ୍ଲିର ସଦସ୍ୟ ଥିବା ଅସିଫାଙ୍କ କାରକେଡ ଉପରେ ଆକ୍ରମଣ। ସିନ୍ଧ ପ୍ରଜାତନ୍ତ୍ର ଜାମସୋରୋ ଟୋଲ୍ ପ୍ଲାଜା ନିକଟରେ ହୋଇଛି ଆକ୍ରମଣ। ଏହି ଘଟଣାରେ କେତେକ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଛି। ଏକ କାରକେଡରେ ଅସିଫା ଯାଉଥିବାବେଳେ ସିନ୍ଧ ଜାତୀୟତାବାଦୀ ଆନ୍ଦୋଳନକାରୀ ଆକ୍ରମଣ କରିଥିଲେ। ବିଶ୍ବ ବ୍ୟାଙ୍କର ଏକ ପ୍ରତିନିଧି ଦଳଙ୍କ ଅସିଫା ଯାଉଥିବାବେଳେ ଏହି ହମଲା ହୋଇଥିଲା। ସିନ୍ଧରେ ଘଟିଥିବା ବନ୍ୟାଞ୍ଚଳ ପରିଦର୍ଶନ କରିବା ବେଳେ ଏହି ଘଟଣା ଘଟିଥିଲା। ଆନ୍ଦୋଳନକାରୀମାନେ ଏକ ବିବାଦୀୟ କେନାଲ ପ୍ରକଳ୍ପ ବିରୋଧରେ ସେଠାରେ ନାରାବାଜି କରିଥିଲେ। ପଞ୍ଜାବରେ ଏକ କେନାଲର ନିର୍ମାଣ ଓ କର୍ପୋରେଟ ଫାର୍ମିଂକୁ ବିରୋଧ କରି ଆନ୍ଦୋଳନ ଜାରି ରହିଛି।
ରାଜସ୍ଥାନର ମିଠା ବ୍ୟବସାୟୀ ନେଇଛନ୍ତି ଭିନ୍ନ ପଦକ୍ଷେପ, ସବୁ ମିଠାରୁ ଉଠାଇଲେ ପାକ୍
ନନ୍ଦିଘୋଷ ବ୍ୟୁରୋ ; ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ସ୍ବଦେଶ ପ୍ରେମର ପ୍ରତିଫଳନ ଘଟିଲା ମିଠାଇରେ। ରାଜସ୍ଥାନର ମିଠା ବ୍ୟବସାୟୀ ନେଇଛନ୍ତି ଭିନ୍ନ ପଦକ୍ଷେପ। ଯେଉଁ ସବୁ ମିଠାଇରେ ପାକ୍ ଶବ୍ଦ ଲେଖାଯାଇଥିଲା ତାହାକୁ ହଟାଇଦେଇଛନ୍ତି। ରାଜସ୍ଥାନ ଜୟପୁରରେ ଏହି ଉଦାହରଣ ଦେଖିବାକୁ ମିଳିଛି। ଯେଉଁ ସବୁ ଦୋକାନରେ ମିଠାଇର ନାଁ ମହୀଶୂର ପାକ୍ ଥିଲା ତାହାକୁ ହଟାଇ ରଖାଯାଇଛି ମହୀଶୂର ଶ୍ରୀ। ସେହିପରି ମୋତି ପାକ୍ ବଦଳରେ ତାହାର ନାମ କରଣ କରାଯାଇଛି ମୋତି ଶ୍ରୀ। ସେହିପରି ଆମ ଶ୍ରୀ, ଗୋଣ୍ଡ ଶ୍ରୀ, ସ୍ବର୍ଣ୍ଣ ଶ୍ରୀ ଓ ଚଣ୍ଡୀ ଶ୍ରୀ ଭଳି ମିଠାଇ ବର୍ତ୍ତମାନ ଉପଲବ୍ଧ ହେଉଛି। ମିଠା ଦୋକାନ ମାଲିକ କୁହନ୍ତି ଯେ ଏହା ଦେଶପ୍ରେମ ପ୍ରକାଶ କରିବାର ଏକ ଛୋଟ ଉପାୟ। ଦେଶଭକ୍ତିର ଭାବନା କେବଳ ସୀମାରେ ନୁହେଁ ପ୍ରତ୍ୟେକ ହୃଦୟରେ ରହିବା ଉଚିତ୍। ଏ ନିଷ୍ପତ୍ତି କେବଳ ଶବ୍ଦ ବିଷୟରେ ନୁହେଁ ବରଂ ଭାବନା ବିଷୟରେ ବୋଲି ସେମାନେ କହିଛନ୍ତି। ଗ୍ରାହକମାନେ ମଧ୍ୟ ଏ ପଦକ୍ଷେପକୁ ସମର୍ଥନ କରୁଛନ୍ତି ।
କ୍ରାସ୍ କଲା ସୋସିଆଲ ମିଡିଆ ଏକ୍ସ, କିଛି ନୂଆ ପୋଷ୍ଟ କରି ହେଉନି
ନନ୍ଦିଘୋଷ ବ୍ୟୁରୋ : କ୍ରାସ୍ କଲା ସୋସିଆଲ ମିଡିଆ ଏକ୍ସ। ସନ୍ଧ୍ୟାରେ ପ୍ରାୟ ଘଣ୍ଟାଏ ଧରି ଖୋଲି ନଥିଲା ଏକ୍ସ ଆକାଉଣ୍ଟ। ସାରା ବିଶ୍ଵରେ ଦେଖା ଦେଇଛି ଏହି ସମସ୍ୟା। ଅଚଳାବସ୍ଥା ଯୋଗୁ କିଛି ନୂଆ ପୋଷ୍ଟ କରିହୋଇପାରି ନଥିଲା। ଏହା ସହ ଏକ୍ସରେ କିଛି ବି ଦେଖିଲେ ‘ସମଥିଂ ୱେଣ୍ଟ ରଙ୍ଗ, ଟ୍ରାଏ ରିଲୋଡିଂ’ ବୋଲି ଏକ୍ସ ଲେଖିବାରୁ କୋଟି କୋଟି ୟୁଜର ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ।
ଶନିବାର ସନ୍ଧ୍ୟା ୬ଟାରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ବନ୍ଦ ହୋଇଯାଇଛି। ବ୍ୟବହାରକାରୀମାନେ ଏହାକୁ ଆପ୍ ଏବଂ ଡେସ୍କଟପରେ ବ୍ୟବହାର କରିପାରିଲେ ନାହିଁ। ଡେସ୍କଟପରେ କେବଳ ରିଟ୍ରାଏ ବିକଳ୍ପ ଦେଖାଯାଉଥିଲା । ଏକ୍ସ ବନ୍ଦ ଥିବାରୁ, ବ୍ୟବହାରକାରୀମାନେ ଲଗଇନ୍ କରିପାରିଲେ ନାହିଁ କିମ୍ବା ସେମାନଙ୍କର ଟାଇମଲାଇନ୍ ଆକ୍ସେସ୍ କରିପାରିଲେ ନାହିଁ। ସିଧାସଳଖ ମେସେଜ୍ ପଠାଇବାରେ ମଧ୍ୟ ଉପଭୋକ୍ତାମାନେ ସମସ୍ୟାର ସମ୍ମୁଖୀନ ହେଲେ । ଏହି ସମସ୍ୟା କେବଳ ଭାରତରେ ସୀମିତ ନୁହେଁ। ଅନେକ ଦେଶର ଉପଭୋକ୍ତାମାନେ ଲଗଇନ୍ ବିଫଳତା ଏବଂ ସାଇଟ୍ ଆକ୍ସେସ୍ କରିବାରେ ଅସୁବିଧାର ରିପୋର୍ଟ କରିଛନ୍ତି।
ପୁଣି ରକ୍ତମୁଖା ବଲୁଚ ବିଦ୍ରୋହୀ, ପାକିସ୍ତାନ ଆର୍ମି ଉପରେ ଜୋରଦାର ଆକ୍ରମଣ
ନନ୍ଦିଘୋଷ ବ୍ୟୁରୋ ; ପୁଣି ରକ୍ତମୁଖା ବଲୁଚ ବିଦ୍ରୋହୀ। ପାକିସ୍ତାନ ଆର୍ମି ଉପରେ କରିଛନ୍ତି ଜୋରଦାର ହମଲା। ଏହି ହମଲାରେ କେତେକ ପାକ୍ ସୈନିକ ପ୍ରାଣ ହରାଇଥିବା ସୂଚନା ମିଳିଛି। ବଲୁଚିସ୍ତାନର ମାଙ୍ଗୋଚାର ସିଟିରେ ଯାଉଥିବା ପାକିସ୍ତାନୀ ଆର୍ମ କନଭୟ ଉପରେ ହୋଇଥିଲା ହମଲା। ବଲୁଚ ବିଦ୍ରୋହୀମାନେ ଏହି ହମଲାରେ ବୋମା ବ୍ୟବହୃତ କରିଥିଲେ। ଏହି ହମଲା ଲାଗି ନିଜକୁ ଦାୟୀ କରିଛି ବଲୁଚିସ୍ତାନ ଲିବରେସନ ଆର୍ମି। ବାଲୁଚ ସାମ୍ବାଦିକ ଅବଦୁଲ ଲତିଫଙ୍କ ହତ୍ୟା ପ୍ରତିବାଦରେ ଏହି ହମଲା କରାଯାଇଛି ବୋଲି ବିଏଲଏ କହିଛି। ପାକିସ୍ତାନୀ ଆର୍ମି ଲତିଫ ବାଲୁଚଙ୍କୁ ତାଙ୍କ ଘରେ ହତ୍ୟା କରିଥିବା ଅଭିଯୋଗ କରିଥିଲା ବିଏଲଏ। ପତ୍ନୀ ଓ ସନ୍ତାନଙ୍କ ସମ୍ମୁଖରେ ଲତିଫଙ୍କୁ ହତ୍ୟା କରାଯାଇଥିଲା।
ବିଜେପି ସରକାରର ବର୍ଷ ପୂର୍ତ୍ତିର ବିଫଳତାକୁ ବଖାଣିବ ବିଜୁ ଜନତା ଦଳ
ଭୁବନେଶ୍ବର : ସରକାରଙ୍କୁ ଘେରିବ ବିଜେଡି । ବିଫଳତାକୁ ଅସ୍ତ୍ର କରି ଘେରିବ । ମାଧ୍ଯମ ସାଜିବ ସୋସିଆଲ ମିଡିଆ । ୨୦୨୪ ନିର୍ବାଚନରେ ବିଜେପି ପାଇଁ ବଡ଼ ଅସ୍ତ୍ର ପାଲଟିଥିଲା ଏହି ସୋସିଆଲ ମଡିଆ । ଯେତେ ପାରିଲେ ଅପପ୍ରଚାର କରି ଚାଲିଲେ । ଯାହା ଅନେକାଂଶରେ ଲୋକେ ସତ ମାନି ନେଇ ବିଜେପିକୁ କ୍ଷମତାକୁ ଆଣିଲେ । ହେଲେ ଏବେ ଲୋକେ ବୁଝି ସାରିଲେଣି ଡବଲ ଇଂଜିନର ଡବଲ ପ୍ରତାରଣାର କାହାଣୀ । ଗତ ଏକ ବର୍ଷ ଭିତରେ ମୋହନ ମାଝୀଙ୍କ ବିଜେପି ସରକାର କିପରି ପ୍ରତିଶୃତି ପାଳନ କରିନି, ତାହାର ଚିଠା ଲୋକଙ୍କ ପାଖରେ ରଖିବ ବିଜୁ ଜନତା ଦଳ । ଯେଉଁ ଆଇଟି ଓ୍ବିଙ୍ଗକୁ ଢାଲ କରି ମିଥ୍ୟା ପ୍ରଚାର କରି ଚାଲିଲା ବିଜେପି, ସେହି ଆଇଟି ଓ ସୋସିଆଲ ମିଡିଆ ଜରିଆରେ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ରଖିବ ବିଜେଡି । ଏ ନେଇ ଶଂଖ ଭବନରେ ବିଜେଡି ଆଇଟି ସେଲର ବୈଠକ ବସିଥିଲା । ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଇଟି ଓ ସୋସିଆଲ ମିଡିଆକୁ ସବୁବେଳେ ଗୁରୁତ୍ବ ଦେଇ ଆସୁଥିବାରୁ ଏହାକୁ ଆହୁରି ଶାଣିତ କରିବ ଦଳ । ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ନେଇ ସରକାରୀ ଦଳ ଯେଉଁ ମିଛ ପ୍ରଚାର କରି ଚାଲିଛି, ତାହା ରାଜ୍ୟବାସୀ ଗ୍ରହଣ କରୁ ନାହାନ୍ତି । ତେବେ ତାକୁ ଆହୁରି ବ୍ୟାପକ ଭାବେ ସୋସିଆଲ ମିଡିଆରେ ଲୋକଙ୍କ ପାଖରେ ପହଞ୍ଚାଇବ ବିଜେଡି । ଆଇଟି ସେଲ ବୈଠକରେ ବରିଷ୍ଠ ନେତାଙ୍କ ମତାମତ ନିଆଯାଇଛି । ଯାହାକୁ ନେଇ ପ୍ଲାନ କରାଯିବ । ଗାଁ ଗହଳିରେ ଲୋକେ ହଇରାଣ ହେଉଥିବାରୁ ଜନଅସନ୍ତୋଷ ବଢିଲାଣି । ଓଡ଼ିଆ ଅସ୍ମିତାକୁ କେନ୍ଦ୍ର ସରକାର ଗୌଣ ମାନ୍ୟତା ଦେଉଛନ୍ତି, ତାହା ସୋସିଆଲ ମିଡ଼ିଆ ଜରିଆରେ ଜଣାଇବ ବିଜେଡି ।
ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ବି ସ୍ପଷ୍ଟ କରିଥିଲେ ଯେ ସୋସିଆଲ ମିଡିଆରେ ବିଜେପିର ମିଥ୍ୟା ପ୍ରଚାରକୁ କାଉଣ୍ଟର କରି ପାରି ନଥିଲା ବିଜେଡି । ଯାହା ପରାଜୟର ଏକ ବଡ଼ କାରଣ । ହେଲେ ଏବେ ମୋହନ ମାଝୀ ସରକାରକୁ ବର୍ଷେ ପୂରିବ । ହେଲେ ବିଜେପି ସରକାର ସବୁ କ୍ଷେତ୍ରରେ ବିଫଳ ମାରିଛି ବୋଲି ବିଜେଡି ଅଭିଯୋଗ କରିଛି । ଏହି ବିଫଳତାକୁ ଲୋକେ ବୁଝିଲେଣି । ସେମାନେ ଓଲଟା ବିଜେଡି ନେତାଙ୍କୁ ଜଣାଉଛନ୍ତି ଯେ ସରକାର ନବୀନ ପଟ୍ଟନାୟକଙ୍କ ସମୟର ଜନହିତକର ବିକାଶ କାର୍ଯ୍ୟକ୍ରମ ବନ୍ଦ କରି ଦେଇଛନ୍ତି । ଏବେ ସମସ୍ତଙ୍କ ହାତରେ ମୋବାଇଲ ଫୋନ ଓ ସମସ୍ତଙ୍କର ରହିଛି ସୋସିଆଲ ମିଡିଆ ଆକାଉଣ୍ଟ । ଟେକନୋଲୋଜିକୁ ଢାଲ କରି ବିଜେପି ସାରା ଦେଶରେ ଅପପ୍ରଚାରର ବାତାବରଣ ସୃଷ୍ଟି କରିଥିବା ନେଇ ବାରମ୍ବାର ଅଭିଯୋଗ ଉଠୁଛି । ତେବେ ଏହି ଟେକନୋଲୋଜି ଯେ ବିଜେପିର ଅସଲ ମୁଖା ଖୋଲି ଦେଇ ପାରିବ, ତାହା ହୁଏତ ଡବଲ ଇଂଜିନ ସରକାର ଏଯାଏଁ ଆକଳନ କରି ନଥିବା ଚର୍ଚ୍ଚା ଜୋର ଧରିଛି ।
ପୋଲାଭରମକୁ ନେଇ ଗୋଟିଏ ପରେ ଗୋଟିଏ ପାହାଚ ଚଢୁଛି ଆନ୍ଧ୍ର, କ୍ଷତି ସହି ବି ମୂକ ପାଲଟିଛି ଓଡ଼ିଶା
ଭୁବନେଶ୍ୱର : ପୋଲାଭରମକୁ ନେଇ ଗୋଟିଏ ପରେ ଗୋଟିଏ ପାହାଚ ଚଢୁଛି ଆନ୍ଧ୍ର । କ୍ଷତି ସହି ବି ମୂକ ପାଲଟିଛି ଓଡ଼ିଶା । ରାଜ୍ୟର ହିତ ପାଇଁ ନା ସରକାରଙ୍କ ଆନ୍ତରିକତା ଅଛି, ନା ବିଜେପି ନେତାଙ୍କ ସ୍ବର ଉଠୁଛି । ଏଭଳି ସ୍ଥିତିରେ ପୋଲାଭରମ ପାଇଁ ହଜାର ହଜାର କୋଟି ଟଙ୍କାର ଅର୍ଥ କେନ୍ଦ୍ରଠୁ ପାଉଛି ଆନ୍ଧ୍ରପ୍ରଦେଶ । ଏବେ ପୋଲାଭରମର ଆଉ ଏକ ଲିଙ୍କ ପ୍ରକଳ୍ପ ପାଇଁ କେନ୍ଦ୍ରଠୁ ଅନୁମତି ଓ ଅର୍ଥ ଦାବି କରିଛନ୍ତି ଆନ୍ଧ୍ର ସରକାର । ଦିଲ୍ଲୀରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟି ପୋଲାଭରମ ବନକଚର୍ଲା ଲିଙ୍କ ପ୍ରକଳ୍ପ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଅନୁମତି ମାଗିବା ସହ ୮୦ ହଜାର କୋଟିର ସହାୟତା ମାଗିଛନ୍ତି। ଯାହାକୁ ନେଇ ରାଜ୍ୟରେ ତେଜିଛି ଅସନ୍ତୋଷ । ରାଜ୍ୟ ବିଜେପି ସରକାର ଉପରେ ବର୍ଷିଛି ବିଜେଡି। ଓଡ଼ିଶାର କ୍ଷୟକ୍ଷତି ଭରଣା, ଡ୍ୟାମ ଉଚ୍ଚତା କମାଇବା କିମ୍ବା ପୋଲାଭରମ ଯୋଗୁ ଓଡ଼ିଶାର କ୍ଷତି ଭରଣା ପାଇଁ ସରକାର ମୁହଁ ଖୋଲୁ ନାହାଁନ୍ତି। କିନ୍ତୁ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଲଢେଇ କରିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆହ୍ବାନ କରିଛନ୍ତି । ଏକ ବଡ଼ ମିଳିତ ଲଢେ଼ଇ ହେବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ଯଦି କିଛି ଠୋସ ନିଷ୍ପତ୍ତି ନ ଆସେ ତାହେଲେ ୨୯ ତାରିଖରୁ ଜୋରଦାର ଲଢେଇ ଆରମ୍ଭ ହେବ ବୋଲି ବିଜେଡି କହିଛି ।
ସେପଟେ ଅନ୍ୟ ପ୍ରମୁଖ ରାଜନୈତିକ ଦଳ ଗୁଡିକ ମଧ୍ୟ ରାଜ୍ୟ ବିଜେପି ସରକାରର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏବେ ଡବଲ ଇଞ୍ଜିନ ସରକାର ଥିବାବେଳେ ଓଡିଶା କଣ ଖାଲି କ୍ଷତି ସହିବ କି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ସେପଟେ ବାମ ଦଳର କହିବା କଥା ବିଜେପି ଶାସନ ସମୟରେ ଖାଲି ମିଛ ଶୁଣିବାକୁ ମିଳୁଛି । ଏହାର ଜବାବ ଲୋକେ ଦେବେ । ସେପଟେ ଜଳ ବିଶେଷଜ୍ଞଙ୍କ କହିବା କଥା ରିଭର ଲିଙ୍କିଙ୍ଗ ପ୍ରକଳ୍ପରେ ଆନ୍ଧ୍ର ସରକାର କେନ୍ଦ୍ର ଠାରୁ ଗୋଟିଏ ପରେ ଗୋଟିଏ ଲାଭ ନେଉଛନ୍ତି । ପୋଲାଭରମ ମଧ୍ୟ ଏକ ରିଭର ଲିଙ୍କିଙ୍ଗ ପ୍ରକଳ୍ପ। ଆନ୍ଧ୍ରର ମରୁଡି ପୀଡ଼ିତ ଅଞ୍ଚଳକୁ ଜଳଯୋଗାଣ ପାଇଁ ପୋଲାଭରମ ବନକଚର୍ଲା ଲିଂକ ପ୍ରକଳ୍ପ କରୁଛି ଆନ୍ଧ୍ର। ଓଡ଼ିଶାର ଟିକରପଡାରେ ଡ୍ୟାମ ହୋଇ ଋଷିକୂଲ୍ୟା ପର୍ଯ୍ୟନ୍ତ ରିଭର ଲିଙ୍କ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ ହୋଇ ଥିବା ବେଳେ ରାଜ୍ୟ ବିଜେପି ସରକାର କେନ୍ଦ୍ର ନିକଟରେ ୫୦ ହଜାର କୋଟି ଅର୍ଥ ଦାବି କରନ୍ତୁ । ଏହାଦ୍ୱାରା ଓଡିଶା ମଧ୍ୟ ଆନ୍ଧ୍ର ଭଳି ଲାଭ ପାଇପାରିବ ବୋଲି କୁହାଯାଇଛି।
ବିଦେଶ ମୁହାଁ ଭାରତୀୟ ଉଦ୍ୟୋଗୀ, ଲଗାତାର କମୁଛି ଏଫଡିଆଇ
ଭୁବନେଶ୍ବର : ଲଗାତାର ୩ ବର୍ଷ ଧରି ନେଟ ଏଫଡ଼ିଆଇରେ ହ୍ରାସ। ଗତବର୍ଷ ଅପେକ୍ଷା ଏଥର ୯୬.୫ ପ୍ରତିଶତ ହ୍ରାସ ପାଇଛି ନେଟ ଏଫଡ଼ିଆଇ। ଗତବର୍ଷ ୧୦ ବିଲିଅନ୍ ବିଦେଶୀ ପୁଞ୍ଜି ଆସିଥିବା ବେଳେ ଏଥର ତାହା ୩୫୩ ମିଲିଅନକୁ ହ୍ରାସ ପାଇଛି। ଏହାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡ଼ିବା ସହ ନିଯୁକ୍ତି କ୍ଷେତ୍ର ସଂକୁଚିତ ହେବା ସମ୍ଭାବନା ରହିଛି । ପ୍ରତ୍ୟେକ୍ଷ ବୈଦେଶିକ ପୁଞ୍ଜି ହ୍ରାସ ନେଇ ରିପୋର୍ଟ ପ୍ରକାଶ କରିଛି ଆରବିଆଇ । ଭାରତୀୟ ପୁଞ୍ଜିପତିମାନେ ଭାରତ ଅପେକ୍ଷା ବିଦେଶରେ ଅଧିକ ପୁଞ୍ଜି ନିବେଶ କରିବାକୁ ଚାହୁଁଛନ୍ତି। ଭାରତରେ ଶିଳ୍ପ ଭିତ୍ତିଭୂମି, ସରକାରୀ ନୀତି ଓ ଇଜ ଅଫ୍ ଡୁଇଙ୍ଗ ଦେଖି ପୁଞ୍ଜିପତିମାନେ ନିବେଶ କରିଥାନ୍ତି। ଦେଶରେ କିଛି ରାଜ୍ୟକୁ ଛାଡ଼ିଦେଲେ ସବୁ ରାଜ୍ୟରେ ପୁଞ୍ଜି ନିବେଶ ହେଉନାହିଁ।
୨୦୨୩ରେ ଭାରତକୁ ୨୫ ବିଲିଅନ୍ ଏଫ୍ଡ଼ିଆଇ ଆସିଥିବା ବେଳେ ୨୦୨୪ରେ ତାହା ୧୦ ବିଲିଅନକୁ ଖସିଥିଲା। ୨୦୨୫ରେ ଏହି ପରିମାଣ ୩୫୩ ମିଲିଅନକୁ ଖସିଆସିଛି। ଗ୍ରସ ଏଫ୍ଡ଼ିଆଇରେ ୧୩ ପ୍ରତିଶତ ବୃଦ୍ଧି ପାଇଥିଲେ ବି କେତେକ ପୁଞ୍ଜିପତି ଭାରତୀୟ ମାର୍କେଟକୁ ଛାଡ଼ିବା ଯୋଗୁଁ ନେଟ ଏଫ୍ଡ଼ିଆଇ କମି କମି ଚାଲିଛି। ସ୍ବିଗୀ, ହୁଣ୍ଡାଇ, ଆଇଟିସି, ଏୟାରଟେଲ ଭଳି କମ୍ପାନୀଙ୍କ ଆଇପିଓ ପ୍ରତ୍ୟାହାର ଯୋଗୁଁ ଏଫ୍ଡ଼ିଆଇ କମିଚାଲିଛି। ୬୦ ପ୍ରତିଶତରୁ ଅଧିକ ଏଫଡ଼ିଆଇ ନିର୍ମାଣ, ଆର୍ଥିକ ସେବା, ଶକ୍ତି କ୍ଷେତ୍ରରେ ଆସୁଛି। ୭୫ ପ୍ରତିଶତ ଏଫଡ଼ିଆଇ ସିଙ୍ଗାପୁର, ମରିସସ୍, ୟୁଏଇ, ନେଦରଲ୍ୟାଣ୍ଡ ଓ ଆମେରିକାକୁ ଯାଉଛି। ୨୦୨୩ରେ ଭାରତରୁ ଏଫ୍ଡ଼ିଆଇ ପ୍ରତ୍ୟାହାର ୨୯.୩ ବିଲିଅନ୍ ଥିବା ବେଳେ ୨୦୨୪ରେ ଏହା ୪୪.୫ ବିଲିଅନ୍ ରହିଥିଲା । ୨୦୨୫ରେ ୫୧.୫ ବିଲିଅନରେ ପହଞ୍ଚିଛି। ବିଦେଶରେ ଭାରତୀୟ କମ୍ପାନୀଙ୍କ ପୁଞ୍ଜି ନିବେଶ ପରିମାଣ ଗତବର୍ଷ ୧୬.୭ ବିଲିଅନ୍ ଥିବା ବେଳେ ଏଥର ତାହା ୨୯.୨ ବିଲିଅନରେ ପହଞ୍ଚିଛି।
ନିଶା ନିବାରଣ ଅଭିଯାନ କରିବ ଅବକାରୀ ବିଭାଗ
ଭୁବନେଶ୍ବର : ନିଶା ନିବାରଣ ଅଭିଯାନ କରିବ ଅବକାରୀ ବିଭାଗ | ଆସନ୍ତା ମେ ୩୧ ରୁ ଜୁନ ୨୬ ଯାଏଁ ରାଜ୍ୟବ୍ୟାପୀ ଚାଲିବ ନିଶା ନିବାରଣ କାର୍ଯ୍ୟକ୍ରମ। ବର୍ଷକୁ ୩ ଥର ଚାଲିବ ଏହି ଅଭିଯାନ। ମେ ୩୧ ରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ପ୍ରତି ଗାଁରେ ଦାସକାଠିଆ, ଘୋଡା ନାଚ, ଲୋକ କଳା ମାଧ୍ୟମରେ ଲୋକଙ୍କ ପାଖରେ ନିଶା ନିବାରଣର ବାର୍ତ୍ତା ପହଞ୍ଚାଇବ ଅବକାରୀ ବିଭାଗ। ନିଶାର ଅପକାରିତା ଓ ଖରାପ ପ୍ରଭାବ ନେଇ ଲୋକଙ୍କୁ ସଚେତନ କରାଯିବ। ଅବକାରୀ ବିଭାଗ ସହ ପୋଲିସ, STF, ମିଶନ ଶକ୍ତି, ଉଚ୍ଚ ଶିକ୍ଷା, ଗଣ ଶିକ୍ଷା ଓ ସଂସ୍କୃତି ବିଭାଗ ମିଳିତ ଭାବେ ମାସେ ଧରି ଏହି କ୍ୟାମ୍ପେନ କରିବେ। ମଦ ଓ ଡ୍ରଗ୍ସ ବିରୁଦ୍ଧରେ ମଧ୍ୟ କ୍ୟାମ୍ପେନ ଚାଲିବ। ସ୍କୁଲ, କଲେଜ ରେ ରଚନା, ବକ୍ତୃତା, ଚିତ୍ରାଙ୍କନ ପ୍ରତିଯୋଗିତା କରାଯିବ। ନିଶା ନିବାରଣ ପାଇଁ ଅବକାରୀ ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି।
ପ୍ରତି ବର୍ଷ ଅବକାରୀ ରାଜସ୍ବ ବଢି ବଢି ଚାଲିଛି। ମଦ ଦୋକାନୀଙ୍କ ପାଇଁ ବିଭାଗ ସର୍ବନିମ୍ନ କୋଟା ମଧ୍ୟ ଫିକ୍ସ କରିଛି। ଟାର୍ଗେଟରୁ କମ୍ କିଣିଲେ ଦେବାକୁ ପଡୁଛି ଜୋରିମାନା । ମଦ ରାଜସ୍ବ ବଢାଇବାରୁ ଦାୟିତ୍ବ ନେଇଥିବା ଅବକାରୀ ବିଭାଗ ନିଶା ନିବାରଣ କଥା କହିବା, ସହଜରେ ହଜମ ହେଉନାହିଁ। ଏହାକୁ ହାସ୍ୟାସ୍ପଦ ବୋଲି ମଦ ବିରୋଧୀ ଅଭିଯାନ କହିଛି। ବିରୋଧୀ ଦଳ ମଦ ମୁକ୍ତିକୁ ସମର୍ଥନ କରିଥିବା ବେଳେ ଅବକାରୀ ବିଭାଗର ଏପରି ଅଭିଯାନ ଲୋକ ଦେଖାଣିଆ ବୋଲି କହିଛନ୍ତି। ବର୍ଷକୁ ଅବକାରୀ ବିଭାଗର ରାଜସ୍ବ ୧୦ ହଜାର କୋଟି ଟପିଲାଣି । ପ୍ରତି ବର୍ଷ ଏହା ବଢାଇବା ଉପରେ ବି ଗୁରୁତ୍ବ ଦେଉଛି ବିଭାଗ। ଗୋଟ ପଟେ ଅଧିକ ମଦ ବିକ୍ରି ପାଇଁ ଉଦ୍ୟମ, ଅନ୍ୟ ପଟେ ନିଶା ନିବାରଣ ଅଭିଯାନ ପାଇଁ କାର୍ଯ୍ୟକ୍ରମ। ଏପରି ବିରୋଧାଭାସ ସବୁ ମହଲରେ ଭୃକୁଞ୍ଚନ ସୃଷ୍ଟି କରିଛି।

