spot_img
Home Blog Page 7248

ଭରସା ହାରିଲା ବୋହୂ, ଜଙ୍ଗଲରେ ହାଣି ଶାଶୂକୁ ପୋଡ଼ିଦେଲା

କେନ୍ଦୁଝର: ଅନ୍ଧ ବିଶ୍ୱାସର ଅନ୍ଧାର ଗଳିରେ ମଣିଷ । ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା । ଯୋଡ଼ା ବଡବିଲ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଅନ୍ଧବିଶ୍ୱାସର କୁପରିଣତି । ଗୁଣି କରି ଶାଶୂ, ମୋ ଦେହ ଖରାପ କରୁଥିଲେ… । ସେଥିପାଇଁ ମୁଁ ତାଙ୍କୁ କଟୁରିରେ ହାଣି ଦେଲି… । ଏଭଳି ମୁହେଁ ମୁହେଁ ପୋଲିସ ସାମ୍ନାରେ ସ୍ୱୀକାର କରିଛି ବୋହୁ । ଘଟଣାରେ ଅଭିଯୁକ୍ତ ସବିତା ମୁଣ୍ଡାକୁ ପୋଲିସ ଗିରଫ କରିଥିବା ବେଳେ ହତ୍ୟାରେ ବ୍ୟବହୃତ କଟୁରୀ ଜବତ ହୋଇଛି । ଗିରଫ ପରେ ପୋଲିସ ଆଗରେ ସତ ସ୍ୱୀକାର କରିଛି ଅଭିଯୁକ୍ତ ।

ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ସବିତାଙ୍କ ଦେହ ଭଲ ରହୁନଥିଲା । ଏନେଇ ସେ ନିଜ ସଂପର୍କୀୟ ଶାଶୂ ବୁଦୁନି ମୁଣ୍ଡାଙ୍କୁ ସନ୍ଦେହ କରୁଥିଲେ । ତେଣୁ ସବୁ ଦିନ ପାଇଁ ବୃଦ୍ଧାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଶନିବାର କାଠ ଆଣିବା ପାଇଁ, ସବିତା ନିଜ ସଂପର୍କୀୟ ଶାଶୂ  ଓ ତାଙ୍କର ୩ ନାତି ନାତୁଣୀଙ୍କୁ ନେଇ ସ୍ଥାନୀୟ ବଳିତା ଜଙ୍ଗଲକୁ ଯାଇଥିଲେ । ପୂର୍ବ ଯୋଜନା ମୁତାବକ ସବିତା ବାହାନା କରି ବୃଦ୍ଧାଙ୍କ ୩ ନାତି ନାତୁଣୀଙ୍କୁ ପାଣି ଆଣିବାକୁ ପଠାଇ ଦେଇଥିଲେ । ଏହାପରେ ସେ କଟୁରୀ ସାହାଯ୍ୟରେ ବୃଦ୍ଧାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । କଟୁରୀ ମାଡ଼ରେ ବୃଦ୍ଧା ଜଣକ ଲହୁ ଲୁହାଣ ହୋଇ ଯାଇଥିଲେ ।

ଏତିକିରେ ସବିତାଙ୍କ ରାଗ ଥମି ନଥିଲା । ଜଙ୍ଗଲରେ ପଡ଼ିଥିବା ଶୁଖିଲା ପତ୍ରକୁ ଏକାଠି କରି ବୃଦ୍ଧାଙ୍କୁ ସେହିଠାରେ ପୋଡ଼ି ଦେଇଥିଲେ । ବୃଦ୍ଧାଙ୍କ ଶରୀର ଅର୍ଦ୍ଧାଧିକ ପୋଡ଼ି ଯିବା ପରେ ପାଖାପାଖି ୫୦ ମିଟର ଘୋଷାଡି ନେଇ ବୁଦା ଭିତରେ ଫୋପାଡି ଦେଇ ଫେରାର ହୋଇ ଯାଇଥିଲେ । ସେପଟେ ଜଙ୍ଗଲରେ ସବିତା ଓ ବୃଦ୍ଧାଙ୍କୁ ନପାଇ ନାତି ନାତୁଣୀମାନେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ବହୁ ଖୋଜାଖୋଜି କରିବା ପରେ ରବିବାର ବୃଦ୍ଧାଙ୍କ ମୃତଦେହ ଠାବ କରାଯାଇଥିଲା । କିନ୍ତୁ ସବିତାଙ୍କ ପତ୍ତା ମିଳିନଥିଲା । ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ପୋଲିସ ହାତରେ ଧରା ପଡିଥିଲେ ଅଭିଯୁକ୍ତ ସବିତା ମୁଣ୍ଡା ।  ଧରାପଡିବା ପରେ ଦୋଷ ସ୍ୱୀକାର କରିଛି ଅଭିଯୁକ୍ତ ।

କରୋନା ସଙ୍କଟ: ପିଲାମାନଙ୍କଠାରେ ଯଦି ଏଭଳି ଲକ୍ଷଣ ଦେଖା ଦେଉଛି ତେବେ ବିଲକୁଲ୍ ଅଣଦେଖା କରନ୍ତୁ ନାହିଁ

ନୂଆଦିଲ୍ଲୀ: କରୋନା କୋପରେ ବିଶ୍ୱ । କେବଳ ଭାରତ ନୁହେଁ ପୂରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯଦିଓ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ଅଧିକ ରହିଛି କିନ୍ତୁ ଏହି ସଂକ୍ରମଣରେ ପିଲାମାନଙ୍କ ସଂଖ୍ୟା ବହୁତ କମ ରହିଛି । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ପିଲାମାନଙ୍କଠଆରେ ରୋଗ ପ୍ରତିରୋଧକ ଶକ୍ତି ଭଲ ଥିବାରୁ ହୁଏତ ଏମାନେ ସଂକ୍ରମଣର ଶିକାର ହେଉନାହାଁନ୍ତି । ଯଦିଓ ପିଲାମାନଙ୍କ ଠାରେ ଏହି ମାମଲା ବହୁତ ଡେରିରେ ସାମ୍ନାକୁ ଆସୁଛି ।

ଏକ ରିପୋର୍ଟ ଅନୁସାରେ,ବୟଷ୍କ ଲୋକଙ୍କ ତୁଳନାରେ କମ ସଂଖ୍ୟାରେ  ପିଲାମାନେ ଏହି ସଂକ୍ରମଣର କମ ଶିକାର ହୋଇଥାନ୍ତି ।  ଜଣେ ଡାକ୍ତରଙ୍କ କହିବା କଥା, ଯଦି ପିଲାମାନଙ୍କଠାରେ କିଛି ସାମାନ୍ୟ ଲକ୍ଷଣ ଦେଖା ଦେଉଛି ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ ।

ପିଲାମାନଙ୍କ ଠାରେ କରୋନାର କିଭଳି ଲକ୍ଷଣ ଦେଖାଦିଏ ?

ଅନ୍ୟଏକ ରିପୋର୍ଟ ଅନୁସାରେ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ପିଲାମାନଙ୍କଠାରେ ମଧ୍ୟ ଅନେକ ଲକ୍ଷଣ ଦେଖାଯାଏ । କୋଭିଡ୍-୧୯ ସଂକ୍ରମିତ ହେବା ପରେ ପିଲାମାଙ୍କଠାରେ ଝାଡ଼ା ବାନ୍ତି, ଡାଏରିଆ ଏବଂ ପେଟରେ ଯନ୍ତ୍ରଣା ହୋଇଥାଏ । ଏହାବ୍ୟତିତ ପିଲାମାନଙ୍କୁ ଭିଷଣ ଜ୍ୱର ହେବା ସହ ମୁଣ୍ଡବିନ୍ଧା ଭଳି ସମସ୍ୟା ମଧ୍ୟ ଦେଖାଦିଏ, ଯାହା କରୋନାର ବିଶେଷ ଲକ୍ଷଣ ହୋଇଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଅନୁସାରେ, କରୋନାଠୁ ବଞ୍ଚିବା ପାଇଁ ଲକଡାଉନରେ ପିଲାମାନଙ୍କର ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ସେମାନଙ୍କ ଖାଇବାରେ ପ୍ରଚୁର ପନିପରିବା ସହ ଅଣ୍ଡା, କ୍ଷୀର ଆଦି ଦ୍ରବ୍ୟ ଖାଇବାକୁ ଦିଅନ୍ତୁ । ଘରେ ପିଲାମାନଙ୍କର ସଫାସୁତର ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଏବଂ ସେମାନଙ୍କୁ ସାମଜିକ ଦୂରତା, ମାସ୍କ, ଏବଂ ହାତ ଧୋଇବା ଶିଖାନ୍ତୁ ।

ଆତ୍ମନିର୍ଭର ଭାରତ ପ୍ୟାକେଜ୍: ୨୦ ଲକ୍ଷ କୋଟିରୁ କାହା ଭାଗରେ କେତେ ? ୫ ବିନ୍ଦୁରେ ଜାଣନ୍ତୁ

ନୂଆଦିଲ୍ଲୀ: କରୋନ ଭାଇରସ୍‌ କେବଳ ଜୀବନ ଉପରେ ଆକ୍ରମଣ କରୁନାହିଁ ଏହା ମଧ୍ୟ ଜୀବିକାକୁ ପ୍ରଭାବିତ କରିଛି । ମଧ୍ୟବିତଙ୍କଠାରୁ କୃଷକ ପୁଣି ଶିଳ୍ପପତି । ସମସ୍ତେ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି ।  ଏମିତିରେ କେନ୍ଦ୍ର ସରକାର ଅର୍ଥନୀତି ପାଇଁ ସଂଜିବନୀ ବୁଟି ନେଇ ଆସିଛନ୍ତି । ଯାହାର ନାମ ହେଉଛି ଆତ୍ମନିର୍ଭର ଭାରତ । ୨୦ ଲକ୍ଷ କୋଟିର ଏହି ପ୍ୟାକେଜ୍ ପାକିସ୍ତାନ ବଜେଟ୍‌ର ୬ ଗୁଣରୁ ଅଧିକ । ଏମିତିରେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କାହାକୁ, କେଉଁ ସେକ୍ଟରକୁ କେତେ ମିଳିବ ? ଆସନ୍ତୁ ୫ଟି ବିନ୍ଦୁରେ ଏହାର ଉତ୍ତର ଜାଣିବାକୁ ଚେଷ୍ଟା କରିବା

୧. ମଧ୍ୟବିତଙ୍କୁ ଏମିତି ମିଳିପାରେ ଲାଭ

ପ୍ରଧାନମନ୍ତ୍ରୀ ମୋଦି ନିଜ ସମ୍ବୋଧନରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଏହି ପ୍ୟାକେଜ୍‌ରେ ମଧ୍ୟବିତଙ୍କ ହିତ କଥା ମଧ୍ୟ ଚିନ୍ତା କରାଯାଇଛି । ସେ କହିଛନ୍ତି ଯେ, ଏହି ପ୍ୟାକେଜ୍‌ ଆମ ଦେଶର ମଧ୍ୟବିତଙ୍କ ପାଇଁ ମଧ୍ୟ, ଯେଉଁମାନେ ସଚ୍ଚୋଟତାର ସହ ଟ୍ୟାକ୍ସ ଦେଇଥାନ୍ତି । ଦେଶରେ ସରକାରୀ ଚାକିରିଆଙ୍କ ସଂଖ୍ୟା ଜନସଂଖ୍ୟାରେ ୧ରୁ ୨ ପ୍ରତିଶତ ହୋଇଥିବା ବେଳେ ବେସରକାରୀ କ୍ଷେତ୍ରରେ ୨୫ରୁ ୩୦ ପ୍ରତିଶତ ଚାକିରି କରିଥାନ୍ତି । ଅନେକ କଂପାନି ଦରମାରେ ୨୫ରୁ ୩୦ ପ୍ରତିଶତ କାଟ କରିଥିବା ବେଳେ ଦରମା ବୃଦ୍ଧି ରୋକି ଦେଇଛନ୍ତି । କିଛି କଂପାନି ମଧ୍ୟ ନିଜ କର୍ମଚାରୀଙ୍କୁ ବିନା ଦରମାରେ ଛୁଟିରେ ପଠାଇ ଦେଇଛନ୍ତି । ଏମିତିରେ ମୋଦି ସରକାର ଚାକିରିଆଙ୍କ ପାଇଁ କର ରିହାତିର ଘୋଷଣା କରି ପାରନ୍ତି । ଯେମିତି ଲୋକଙ୍କ ପାଖରେ ଅଧିକ ଟଙ୍କା ବଳକା ରହିବ । ଅଧିକ ଟଙ୍କା ରହିଲେ ସେମାନେ ଖର୍ଚ୍ଚ ମଧ୍ୟ କରିବେ । ଯାହା ଅର୍ଥବ୍ୟବସ୍ଥାକୁ ଗତି ପ୍ରଦାନ କରିବ । ଜିନିଷ ଚାହିଦା ବଢିଲେ ରୋଜଗାର ମଧ୍ୟ ବଢିବ  ।

୨.MSME କଣ ପାଇବ ?

କୁହାଯାଉଛି ଯେ, ମୋଦି ସରକାରଙ୍କ ୨୦ ଲକ୍ଷ କୋଟି ଟଙ୍କାର ଏହି ପ୍ୟାକେଜ୍‌ରେ ସବୁଠୁ ଅଧିକ ଧ୍ୟାନ ଏମ୍‌ଏସ୍‌ଏମ୍‌ଇକୁ ଦିଆଯିବ ।  ଏହି ସେକ୍ଟରରେ ସବୁଠୁ ଅଧିକ ରୋଜଗାର ଉତ୍ପନ ହୋଇଥାଏ । ଅନେକ ଏମ୍‌ଏସ୍‌ଏମ୍‌ଇ ପଂଜିକୃତ ହୋଇନଥାନ୍ତି, ତେଣୁ ସେଠାରେ କାମ କରୁଥିବା ଲୋକଙ୍କ ସଂଖ୍ୟା ବାବଦରେ ସଠିକ ସୂଚନା ମଧ୍ୟ ନାହିଁ । ଲକଡାଉନ୍ କାରଣରୁ ସବୁକିଛି ବନ୍ଦ ହୋଇଛି । ଫଳରେ ଅର୍ଥନୈତିକ ଗତିବିଧି ଧୀମା ହୋଇଛି । ଅର୍ଥନୀତିକୁ ଗତି ପ୍ରଦାନ କରିବା ପାଇଁ ପୁସ୍ ଷ୍ଟାର୍ଟ ଦେବାର ଆବଶ୍ୟକତା ରହିଛି । ଅନୁମାନ କରାଯାଉଛି ଯେ, ଏହି କ୍ରମରେ ମୁଦ୍ରା ଲୋନର ପରିସୀମକୁ ବଢାଯାଇପାରେ ଓ ଏହି ସେକ୍ଟର ପାଇଁ ବିନା ଗ୍ୟାରେଣ୍ଟିରେ ଲୋନ୍ ମଧ୍ୟ ଦିଆଯାଇପାରେ । ଏହାସହ ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ପ୍ୟାକେଜ୍ ଏହି ସେକ୍ଟରକୁ ଦିଆଯିବ ବୋଲି ଅନୁମାନ କରାଯାଉଛି ।

୩. କୃଷକଙ୍କ ପାଇଁ ଏମିତ ଦିଆଯାଇ ପାରେ ସୁବିଧା

କରୋନା କାରଣରୁ କୃଷିକ୍ଷେତ୍ର ପ୍ରଭାବିତ ହୋଇଛି । କୁକୁଡା, ମାଛ ଓ ପରିବା ଚାଷ ପ୍ରଭାବିତ ହୋଇଛି । କୃଷକଙ୍କ ଅବସ୍ଥା ଖରାପ ହୋଇଯାଇଛି । କୃଷକଙ୍କ ପାଇଁ ମୋଦି ସରକାର କରଜ ଛାଡ କିମ୍ବା ସେମାନଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଇ ପାରନ୍ତି ।

୪.କୁଟୀର ଶିଳ୍ପକୁ ଏମିତି ଦିଆଯାଇ ପାରେ ସାହରା

ପିଏମ୍ ମୋଦି ନିଜ ଭାଷଣରେ କୁଟୀର ଶିଳ୍ପ କଥା କହିଥିଲେ । ଭାରତର ଗ୍ରାମୀଣ ଅର୍ଥବ୍ୟବସ୍ଥା କୁଟୀର ଶିଳ୍ପ ଉପରେ ନିର୍ଭର କରିଥାଏ । ଲକଡାଉନ୍ କୁଟୀର ଶିଳ୍ପକୁ ପ୍ରଭାବିତ କରିଛି । ପିଏମ୍ ମୋଦି ଏଭଳି ଲୋକଙ୍କୁ କିଛି ଆର୍ଥିକ ସାହାଯ୍ୟ ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

୫. ଏସବୁର ଅସଲ ଲକ୍ଷ୍ୟ କଣ ?

ପ୍ୟାକେଜ୍ ଘୋଷଣାର ଅସଲ ଲକ୍ଷ୍ୟ ହେଉଛି ଦେଶର ଅର୍ଥନୀତିକୁ ଗତି ପ୍ରଦାନ କରିବା । ଅର୍ଥନୀତିର ସବୁ ସେକ୍ଟର ପୁଣିଥରେ ନିଜ ଟ୍ରାକ୍‌କୁ ଫେରନ୍ତୁ ତାହା ହେଉଛି ସରକାରଙ୍କ ଲକ୍ଷ୍ୟ । ଅର୍ଥନୀତି ନିଜ ଟ୍ରାକକୁ ଫେରିଲେ ନୂଆ ରୋଜଗାର ସୃଷ୍ଟି ହେବ । ସବୁଠାରୁ ଅଧିକ ଧ୍ୟାନ ଗ୍ରାମୀଣ ଭାରତ ଉପରେ ଦେବାକୁ ପଡିବ । କାରଣ ଗାଁରେ ଲୋକଙ୍କ ପାଖରେ ଅଧିକ ଟଙ୍କା ନାହିଁ । ତେଣୁ ଚାହିଦା କମ୍‌ ରହିଛି । ବାଇଟ୍ ଗୁଡସ୍‌ ଅର୍ଥାତ ଏସି, ଫ୍ରିଜ୍ ଭଳି ସାମଗ୍ରୀର ଚାହିଦା ସହରରେ ଅଧିକ ଥାଏ । କିନ୍ତୁ ଗ୍ରାମରେ ଏମିତି ଦ୍ରବ୍ୟର ଚାହିଦା କମ୍‌ ଥାଏ, କାରଣ ଲୋକଙ୍କ ପାଖରେ କିଣିବା ପାଇଁ ଟଙ୍କା ନଥାଏ । ଏବେ ସହରରେ ଲୋକ ନୂଆ ଫ୍ରିଜ୍‌ କିମ୍ବା ୱାସିଂ ମେସିନ୍ କିଣିବା ପ୍ରାୟତଃ ଅସମ୍ଭବ ଲାଗୁଛି । ଅଧିକରୁ ଅଧିକ ସହରରେ ଲୋକ ପୁରୁଣା ସାମଗ୍ରୀ ବିକ୍ରି କରି ନୂଆ କିଣିବେ କିନ୍ତୁ ଗ୍ରାମୀଣ ଭାରତରେ ଏହାର ଚାହିଦା ଅଧିକ ବଢିପାରେ । ତେବେ ସର୍ତ୍ତ ହେଲା ଗ୍ରାମରେ ଲୋକଙ୍କ ପକେଟରେ ନଗଦ ଟଙ୍କା ରହିବା ଦରକାର । ଗାଁକୁ ଅଧିକ ଟଙ୍କା ଗଲେ ଚାହିଦା ବଢିବ । ଚାହିଦା ବଢିଲେ ଅର୍ଥନୀତି ଗତିମାନ ହେବ । ଅର୍ଥନୀତି ଗତିମାନ ହେଲେ ନୂଆ ରୋଜଗାର ସୃଷ୍ଟି ହେବ କିମ୍ବା ପୁରୁଣା ରୋଜଗାର ଲୋପ ପାଇବ ନାହିଁ ।

ରଥଯାତ୍ରା କରିବା ନେଇ ଗଜପତିଙ୍କୁ ଚିଠି ଲେଖିଲେ ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ

ପୁରୀ: ରାଜ୍ୟରେ କରୋନା ମହାମାରି ପାଇଁ ଲକ୍‌ଡାଉନ ଜାରି ରହିଛି । ଲକ୍‌ଡାଉନ ପାଇଁ ପୁରୀରେ ରଥଯାତ୍ରା ହେବ କି ନାହିଁ ତାହା ଅନିଶ୍ଚିତତା ଘେରରେ  ରହିଛି । ତେବେ କେମିତି ରଥଯାତ୍ରା ସୁଚାରୁ ରୂପରେ ହୋଇପାରିବ ସେନେଇ ଗଜପତି ମହାରାଜଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର ।

ଶ୍ରୀମନ୍ଦିର ପରଂପରା ରୀତିନୀତି ଓ ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ନେଇ ସେ ଚିଠି ଲେଖିଛନ୍ତି । ଆଗାମୀ ଜୁନ୍‌  ୫ତାରିଖରେ ମହାପ୍ରଭୂଙ୍କ ସ୍ନ।ନଯାତ୍ରା ଶୃଙ୍ଖଳିତ ଭାବେ ସଂପନ୍ନ କରାଯାଉ । ୨୩ ତାରିଖରେ ମହାପ୍ରଭୂଙ୍କ ରଥଯାତ୍ରା କିଭଳି ନିର୍ବିଘ୍ନରେ ଅନୁଷ୍ଠିତ ହେବ, ସେନେଇ ଉପଯୁକ୍ତ ପନ୍ଥା ଅବଲମ୍ବନ କରାଯାଉ ।

ଅତୀତରେ ବିଭିନ୍ନ କାରଣ ପ୍ରତିବନ୍ଧକ ସାଜିଥିଲେ ବି ରଥଯାତ୍ରା ଅନୁଷ୍ଠିତ ହୋଇଛି । ଏବର୍ଷ ମଧ୍ୟ ସେହି ପରଂପରା ବଜାୟ ରଖିବାକୁ ସେ ଗୁରୁତ୍ୱ ଦେଇଛନ୍ତି।

ହାଏର ଜୀବନ ! ଘରକୁ ଫେରିବା ପାଇଁ ସେମାନେ ପାଳି କରି ହେଉଛନ୍ତି ବଳଦ !

ଇନ୍ଦାେର: ସାରା ଦେଶ ଳକ୍‌ଡାଉନ୍‌ ସ୍ଥିତି ଦେଇ ଗତି କରୁଛି । ଏହାରି ମଧ୍ୟରେ ଅନେକ ମନକୁ ଛୁଇଁଲା ଭଳି ଫଟୋ ଓ ମନକୁ ଦୁଃଖ ଦେଲା ଭଳି ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ତେବେ ଏମିତି କିଛି ଫଟୋ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ଯାହା ଦେଖିଲେ ଆପଣ ନିଶ୍ଚିତ ଭାବେ ଲୁହ ଗଡାଇବେ । ଜୀବନ କେତେ ସଂଘର୍ଷପୂର୍ଣ୍ଣ ଓ ଦୁଃଖଦାୟକ ତାହା ଲକଡାଉନରେ ଫସି ଥିବା ଲୋକଙ୍କ ଫଟୋ କହୁଛି ।

 

ଗାଡ଼ି ମଟର ନ ଥିବା କାରଣରୁ ଜଣେ ପ୍ରବାସୀ ନିଜ ପରିବାର ସହ ଘରକୁ ଫେରିବା ପାଇଁ ଶଗଡ଼ ଗାଡ଼ିର ବ୍ୟବହାର କରିଥିଲେ । ହେଲେ ବିଡ଼ମ୍ବନାର ବିଷୟ ଯେ, ଶଗଡ଼ଗାଡ଼ିରେ ଆବଶ୍ୟକ ଦୁଇଟି ବଳଦ ମଧ୍ୟରୁ ଗୋଟିଏ ବଳଦ ରହିଥିଲା । ତେଣୁ ଅନ୍ୟ ବଳଦ ସ୍ଥାନରେ ଉକ୍ତ ପ୍ରବାସୀ ଶ୍ରମିକ ଜଣକ କାନ୍ଧରେ ଶଗଡ଼ ରଖି ଟାଣିବାକୁ ବାଧ୍ୟ ହୋଇଥିଲେ । ଏଭଳି ଚିତ୍ର ଦେଖିବାକୁ ମିଳିଛି ଇନ୍ଦୋର ବାଇପାସ୍‌ ଅଞ୍ଚଳରେ ।

 ତେବେ ଏଠି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ଯଦି ଜଣେ ଶଗଡ଼ ରଖିଛି ତେବେ ଏହାକୁ ଟାଣିବା ପାଇଁ ଦୁଇଟି ବଳଦ ନିଶ୍ଚୟ ରଖିବା କଥା । ହେଲେ ଏଠାରେ ଗୋଟିଏ ବଳଦ କିପରି ରହିଛି । ତେବେ ଏଠି ଆମେ ଜଣାଇଦେବାକୁ ଚାହୁଁଛୁ ଯେ, ଲକ୍‌ଡାଉନ୍‌ କାରଣରୁ କାମ ଧନ୍ଦା ଠପ୍‌ ହୋଇଯାଇଛି, ଶ୍ରମିକଙ୍କ ପାଇଁ କୌଣସି କାମ ନାହିଁ । ଦୀର୍ଘ ଦିନ ଧରି ଲକ୍‌ ଡାଉନ୍‌ରେ ରହିବା ଯୋଗୁଁ ଯାହା ସଞ୍ଚୟ ଥିଲା ସବୁ ଶେଷ ହୋଇଯାଇଛି । ତେଣୁ ଘରକୁ ଯିବା ପାଇଁ ସେ ଦୁଇଟି ବଳଦ ମଧ୍ୟରୁ ଗୋଟିଏ ବିକ୍ରି କରିଦେଇଥିଲେ ।

ଉକ୍ତ ଶଗଡ଼ରେ ପତ୍ନୀ ଓ ସନ୍ତାନଙ୍କ ସହ ପୁରା ପରବାର ବସିଥିବା ବେଳେ ଯୁବକ ଜଣକ ବଳଦ ସହ ମିଶି ଏହାକୁ ଟାଣି ଟାଣି ନେଉଛନ୍ତି । ଆଉ ଏକ ବଡ଼ କଥା ହେଲା କାମଧନ୍ଦା ବନ୍ଦ ରହିବା ଯୋଗୁଁ ଏବଂ ଟଙ୍କା ନିହାତି ଆବଶ୍ୟକ ଥିବାରୁ, ୧୫ ହଜାର ଟଙ୍କାର ବଳଦକୁ ୫ ହଜାର ଟଙ୍କାରେ ବିକ୍ରି କରିଛନ୍ତି ଏହି ପ୍ରବାସୀ ଶ୍ରମିକ । ଶ୍ରମିକ ଜଣକ ହେଉଛନ୍ତି ମହୁ ଅଞ୍ଚଳର । ସେ ଇନ୍ଦୋରରେ ନିଜ ଶଗଡ ଗାଡିରେ ମାଲ ବୁହାଉ ଥିଲେ । କିନ୍ତୁ ଲକଡାଉନ ଯୋଗୁ କାମ ବନ୍ଦ ହୋଇଯାଇଥିଲା । ତେଣୁ ରାହୁଲ ନିଜ ଗାଁକୁ ପରିବାର ସହ ଫେରିବାକୁ ନିଷ୍ପତ୍ତି ନେଇଥିଲେ । ଶଗଡରେ ଅଳ୍ପକିଛି ସାମାନ ରଖି ଆରମ୍ଭ କରିଥିଲେ ତାଙ୍କ ବାହୁଡା ଯାତ୍ରା ।

କେବଳ ଯେ, ରାହୁଲ ଶଗ଼ଡ ଟାଣୁଛନ୍ତି  ତାହା ନୁହେଁ,ତାଙ୍କ ସହ ଯାଉଥିବା ତାଙ୍କ ଭାଉଜ ମଧ୍ୟ ଏଥିରେ ତାଙ୍କୁ ସାହାଯ୍ୟ କରୁଛନ୍ତି । ରାହୁଲ ଯେତେବେଳେ ଥକି ପଡନ୍ତି ସେତେବେଳେ ଭାଉଜ ଶଗଡ ଟାଣନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାହାରକୁ ବାହାରିଲେ କରୋନା ମାରିବ କିନ୍ତୁ ବାହାରକୁ ନବାହାରିଲେ ଭୋକ ମାରିବ । ଏମିତିର ରାହୁଲଙ୍କ ଭଳି ଶ୍ରମିକଙ୍କ ପାଖରେ ବଳଦ ହେବା ଛଡା ଅନ୍ୟ ରାସ୍ତା ନାହିଁ ।

୯୧୬ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଚାଲିଲା ସ୍ପେଶାଲ ଟ୍ରେନ୍…‌

ଭୁବନେଶ୍ୱର: ଭୁବନେଶ୍ୱରରୁ ଦିଲ୍ଲୀ ଚାଲିଲା ଟ୍ରେନ୍‌ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ୧ ନମ୍ବର ପ୍ଲାଟଫର୍ମରୁ ଟ୍ରେନ୍‌ ବାହାରିଛି । ଏଥିପାଇଁ ୯୦ ମିନିଟ ପୂର୍ବରୁ ଯାତ୍ରୀଙ୍କୁ ଷ୍ଟେସନ୍‌ରେ ପହଞ୍ଚିବାକୁ କୁହାଯାଇଥିଲା । ଯାତ୍ରୀମାନେ ଷ୍ଟେସନ୍‌ରେ ପହଞ୍ଚିବା ପରେ ସେମାନଙ୍କ ମେଡିକାଲ ସ୍କ୍ରିନିଂ କରାଯାଇଥିଲା । ଟ୍ରେନ୍‌ରେ ମୋଟ୍‌ ୯୧୬ଜଣ ଯାତ୍ରୀ ଯାଇଛନ୍ତି । ତେବେ ଭୁବନେଶ୍ୱରରୁ ୫୪୭ଜଣ ଯାତ୍ରୀ ଟ୍ରେନ୍‌ରେ ଉଠିଛନ୍ତି । ଆଜିଠୁ ୧୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରୁ ଦିଲ୍ଲୀ ଟ୍ରେନ୍‌ ଚାଲିବ ।

ଭୁବନେଶ୍ୱରରୁ ନୂଆଦିଲ୍ଲୀ ମଧ୍ୟରେ ବାଲେଶ୍ୱର, ହିଜଲି, ଟାଟା, ବୋକାରୋ ଷ୍ଟିଲ ସିଟି, ଗୟା, ଦିନଦୟାଲ ଉପାଧ୍ୟାୟ ଜଙ୍କସନ, କାନପୁର ସେଣ୍ଟ୍ରାଲରେ ଟ୍ରେନ୍‌ ଅଟକିବ । ଯାତ୍ରୀଙ୍କୁ ସେମାନଙ୍କ ଖାଦ୍ୟ ଓ ପାନୀୟ ସାଙ୍ଗରେ ନେଇ ଆସିବାକୁ ପରାମର୍ଶ ଦିଆଯାଇଛି । ଷ୍ଟେସନ୍‌ରେ ଟ୍ରନ୍‌ ପହଞ୍ଚିବା ପରେ ଟ୍ରନ୍‌କୁ ସାନିଟଇଜ କରାଯାଇଥିଲା ।

ତେବେ ଟ୍ରେନ୍‌ ଯାତ୍ରା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଥିବା ବେଳେ ସମସ୍ତ ଯାତ୍ରୀ ମାନେ ମାସ୍କ ପିନ୍ଧି ଆସିଥିଲେ । ଯାତ୍ରୀ ଯେଉଁ ରାଜ୍ୟକୁ ଯିବେ, ସେଠାକାର ରାଜ୍ୟ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ନିୟମର ଅନୁପାଳନ କରିବେ। ସତର୍କତା ଦୃଷ୍ଟିରୁ ଟ୍ରେନ୍‌ କୋଚରେ କମ୍ବଳ, ଚାଦର କିମ୍ବା ପରଦା ରହିବ ନାହିଁ । ତେଣୁ ଯାତ୍ରୀଙ୍କୁ ଆବଶ୍ୟକମତେ ସାମଗ୍ରୀ ଆଣିବାକୁ ଆଗରୁ କୁହାଯାଇଥିଲା ।…

୧୧ବର୍ଷର ଝିଅକୁ ଛାଡ଼ି ପରିବାର ସମସ୍ତେ କରୋନା ସଂକ୍ରମିତ,ଏମିତି ଘରେ ଏକୁଟିଆ ରହୁଛି ଝିଅ…

ଫରିଦାବାଦ: ହରିୟାଣାରେ କରୋନା କୋପ ଜାରି ରହିଛି । ମଙ୍ଗଳବାର ଦିନ ଜିଲ୍ଲାରେ କରୋନା ସଂକ୍ରମଣର ୧୬ଟି ମାମଲା ସାମ୍ନାକୁ ଆସିଥିଲା । ଏବଂ ସେଥିରେ ଗୋଟିଏ ୧୧ବର୍ଷର ଝିଅକୁ ଛାଡ଼ି ପୂରା ପରିବାର କରୋନା ସଂକ୍ରମଣ ଶିକାର ହୋଇଥିଲା । ଏହାପରେ ଝିଅଟି ପୂରାପୂରି ଏକା ହୋଇଯାଇଥିଲା ।ପରିସ୍ଥିତି ଏମିତି ଥିଲା ଯେ, ତା’ପଖକୁ ଯିବାକୁ ତାଙ୍କର କୌଣସି ସମ୍ପର୍କୀୟ ମଧ୍ୟ ରାଜି ହୋଇ ନଥିଲେ  । ଏଭଳି ପରିସ୍ଥିତିରେ ପଡ଼ୋଶୀ ବଢାଇଥିଲେ ସହାୟତାର ହାତ । ଯଦିଓ ପଡ଼ୋଶି ଘର ଭିତରକୁ ଯାଉ ନାହାଁନ୍ତି କିନ୍ତୁ ଘର ବାହାରେ ରହି ଝିଅର ଖାଇବା ପିଇବାର ଖବର ନେଉଛନ୍ତି ।  ଏହା ସହ ଝିଅଟି କେମିତି ଖୁସିରେ ରହିବ ସେନେଇ ସେମାନେ ଝିଅକୁ ଭିଡ଼ିଓ କଲ ମଧ୍ୟ କରୁଛନ୍ତି ।

ସୂଚନା ଅନୁସାରେ ଏହି ପରିବାରର ୭୬ ବର୍ଷୀୟ ଜଣେ ମହିଳାଙ୍କ କରୋନା କାରଣରୁ ମୃତ୍ୟୁ ହୋଇଥିଲା । ଏହା ପରେ ଯେତେବେଳେ ସ୍ୱାସ୍ଥ୍ୟ ବିଭାଗ ପୂରା ପରିବାରର କରୋନା ଟେଷ୍ଟ କରାଇଲେ ସେ ସମୟରେ ପରିବାର ୪ଜଣ  ସଦସ୍ୟ ଅର୍ଥାତ୍ ମୃତ ମହିଳାଙ୍କ ସ୍ୱାମୀ, ପୁଅ, ବୋହୂ ଓ ନାତୁଣୀ ସମସ୍ତେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ, ପରିବାରର ସବୁ ସଦସ୍ୟ କରୋନା ସଂକ୍ରମିତ ବାହାରିବା ପରେ ବଞ୍ଚିଯାଇଥିଲା ୧୧ବର୍ଷର ଝିଅଟି ।

ସାହାଯ୍ୟ କରୁଛନ୍ତି ପଡୋଶୀ

ପରିବାରରେ ସବୁ ଲୋକ ସଂକ୍ରମିତ ହେବା ପରେ ସେମାନଙ୍କୁ ଆସୋଲେସନରେ ରଖାଗଲା । କିନ୍ତୁ ଘରେ ଏକା ରହିଗଲା ୧୧ବର୍ଷର ଝିଅଟି । ଏବଂ ଝିଅଟିର ଦେଖାଶୁଣା ପାଇଁ ତାଙ୍କର କେହିବି ସମ୍ପର୍କିୟ ରାଜି ହୋଇ ନଥିଲେ । ତେଣୁ ପଡ଼ୋଶି ଯେତେ ସମ୍ଭବ ଝିଅଟିକୁ ସାହାଯ୍ୟ କରୁଛନ୍ତି ।  କେବଳ ସେତିକି ନୁହେଁ ପଡ଼ୋଶୀମାନେ ଝିଅଟି ସହ ଭିଡ଼ିଓ କଲ ମାଧ୍ୟମରେ କଥା ହେବା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ପଡୋଶିମାନେ ଘର ବାହାରେ ରହୁଛନ୍ତି, ଯେପରି ଝିଅଟିର କିଛି ଅସୁବିଧା ନ ହୁଏ ।

ଗ୍ରୀନ୍‌ ଜୋନ୍‌ରେ ଚାଲିବ ସରକାରୀ ବସ୍‌, ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଗାଡ଼ି ଚାଲିବ

ଭୁବନେଶ୍ୱର: ଗ୍ରୀନ୍‌ ଜୋନରେ ଚାଲିବ ସରକାରୀ ବସ୍‌ । ସାଧାରଣ ଯାତ୍ରୀଙ୍କ ପାଇଁ ଗ୍ରୀନ୍‌ ଜୋନ୍‌ରେ ଓଏସଆରଟିସି ବସ ଚାଲିବ । ଏଥିରେ ୫୦ ପ୍ରତିଶତ ଯାତ୍ରୀ ଯାଇପାରିବେ ।  ଘରୋଇ ବସ୍‌ ମାଲିକ ସଂଘ ରାଜି ନହେବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଗାଡ଼ି ଚାଲିବ ।

ଅନ୍ୟପକ୍ଷରେ ଘରୋଇ  ବସ ମାଲିକଙ୍କ କ୍ଷତିପୂରଣ ପାଇଁ ବ୍ୟବସ୍ଥା ହୋଇଛି । ବସ୍‌ ମାଲିକଙ୍କ ଅଧିକାଂଶ ଦାବି ରାଜ୍ୟ ସରକାରଙ୍କ ବିଚାରଧୀନ ଅଛି । ରାଜ୍ୟ ସରକାର ସେମାନଙ୍କ ଦାବି ଉପରେ ବିଚାର କରୁଛନ୍ତି । ବସ୍‌ ମାଲିକ ମାନେ ଏକମତ ହୋଇ ଗାଡ଼ି ଚଲାନ୍ତୁ ଏବଂ ସରକାରଙ୍କ ଆର୍ଥିକ ସ୍ଥିତକୁ ବୁଝନ୍ତୁ ବୋଲି ଅପିଲ କରିଛନ୍ତି ପରିବହନ ମନ୍ତ୍ରୀ । ସରକାରୀ କର୍ମଚାରୀଙ୍କ ପାଇଁ ଗୋଟିଏ ବସ୍‌ ଚାଲିଛି । ଆଗକୁ ଅଧିକ ବସ ଚାଲିବ। ତେବେ  ରେଡ୍‌ ଜୋନ୍‌ ଦେଇ ବସ ଯିବନି ବୋଲି ମନ୍ତ୍ରୀ କହିଛନ୍ତି। ଓଏସଆରଟିସି ବସ୍‌ ସମସ୍ତ ଗ୍ରୀନଜୋନରେ ଚାଲିବା ସହ ଯାତ୍ରୀଙ୍କୁ ଦୁଇ ଗୁଣା ଭଡ଼ା ଦେବାକୁ ପଡିବ ।

ସେପଟେ କିନ୍ତୁ ବସ୍‌ ଭଡ଼ା ଦୁଇଗୁଣା ହେବା ପ୍ରସଙ୍ଗକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଭଡ଼ା ବୃଦ୍ଧିକୁ ବିରୋଧୀ ଦଳ ସମାଲୋଚନା କରିଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି, ବସ୍‌ ଭଡ଼ା ପୂର୍ବରୁ ଯେତିକି ଥିଲା ସେତିକି ରହୁ । ବର୍ତ୍ତମାନ ଅସୁବିଧା ସମୟ ଲୋକଙ୍କ ପାଖରେ ପଇସା ନାହିଁ । ତେଣୁ ରାଜ୍ୟ ସରକାର ଭଡ଼ା ବୃଦ୍ଧି ପ୍ରସ୍ତାବକୁ ପୁନଃବିଚାର କରନ୍ତୁ ବୋଲି କହିଛନ୍ତି ପ୍ରଦୀପ୍ତ । ପ୍ରତିକ୍ରିୟାରେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ବସ୍‌ ଚାଲିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।ଅଧା ପଇସା ସରକାର ସବସିଡ୍‌ ଆକାରରେ ଦିଅନ୍ତୁ । କିନ୍ତୁ ବସ୍‌ ଭଡ଼ା ବୃଦ୍ଧି କରିବା ଠିକ ନୁହେଁ ।

ସେପଟେ ବସ୍‌ ଭଡ଼ା ଦୁଇ ଗୁଣା ପ୍ରସଙ୍ଗରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବସ୍‌ ଭଡ଼ା ବୃଦ୍ଧି ନେଇ ବିରୋଧୀ ଭାବିବା ଦରକାର । ଭଡ଼ା ବାଧିବ ନାହିଁ, ଆବଶ୍ୟକ ଥିଲେ ଲୋକେ ଯାତ୍ରା କରିବେ । ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଗାଡ଼ି ଚାଲିବ । ସେଥିପାଇଁ ବସ ମାଲିକଙ୍କ କ୍ଷତିପୂରଣ ପାଇଁ ଏପରି ବ୍ୟବସ୍ଥା ହୋଇଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ପାକିସ୍ତାନ ବଜେଟ ଯେତିକି ତା’ଠାରୁ ୬ ଗୁଣ ବଡ ମୋଦିଙ୍କ ‘ଆତ୍ମନିର୍ଭର ଭାରତ’ ପ୍ୟାକେଜ୍

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ସଙ୍କଟ ସମୟରେ ଦେଶରେ ଲକଡାଉନ୍ ୪୯ଦିନରେ ପହଞ୍ଚିଛି । ଏହି ମଧ୍ୟରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରି ଆର୍ଥିକ ପ୍ୟାକେଜର ଘୋଷଣା କରିଥିଲେ । କରୋନା ସଙ୍କଟ ସମୟରେ ହୋଇଥିଲବା କ୍ଷତିର ଭରଣ ଏବଂ ଦେଶକୁ ପୁଣି ଶକ୍ତିଶାଳୀ କରିବାକୁ ପ୍ରଧାନମନ୍ତ୍ରୀ ୨୦ଲକ୍ଷ କୋଟିର ରିହାତି ପ୍ୟାକେଜ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ୟାକେଜ୍ ନାଁ ଦେଇଛନ୍ତି ‘ଆତ୍ମନିର୍ଭର ଭାରତ’ । ସେ କହିଛନ୍ତି  ଯେ, ଏହି ପ୍ୟାକେଜରେ ଅର୍ଥବ୍ୟବସ୍ଥାକୁ ସକ୍ରିୟ କରିବାରେ ସାହାଯ୍ୟ କରିବ । ଏହାସହ ଏହି ପ୍ୟାକେଜ ଦ୍ୱାରା ଦେଶର ଚିତ୍ର ବଦଳିବ । ଏବଂ କରୋନା ସଙ୍କଟରୁ ମୁକ୍ତି ପାଇବାକୁ ସାହାଯ୍ୟ କରିବ । ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଏହି ଆର୍ଥିକ ପ୍ୟାକେଜରେ କୁଟୀର ଶିଳ୍ପ, କ୍ଷୁଦ୍ର ଶିଳ୍ପ, ଶ୍ରମିକ, କୃଷକ ଏବଂ ମଧ୍ୟବିତ୍ତଙ୍କୁ ଉପକୃତ କରିବ ।  ଆସନ୍ତୁ ଜାଣିବା ଏହି ପ୍ୟାକେଜରେ ଥିବା କିଛି ରୋଚକ ତଥ୍ୟ ।

ପ୍ରଥମ ଉଦାହରଣ

ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଛି ଯେ, ୨୦ ଲକ୍ଷ କୋଟି ଟଙ୍କା କେଉଁ କେଉଁ କ୍ଷେତ୍ରରେ ଘୋଷଣା କରାଯିବ । ଏବଂ ଏଥିରେ କେମିତି ବଦଳିବ ଦେଶର ଚିତ୍ର । ତେବେ ଆମେ ଆପଣଙ୍କୁ ଏବିଷୟରେ ବିସ୍ତୃତ ଭାବେ ଜଣାଇବୁ ।

୨୦ଲକ୍ଷ କୋଟିର ଏହି ପ୍ୟାକେଜ ଦେଶର ଜିଡିପର ୧୦ ପ୍ରତିଶତ । ଅର୍ଥାତ ଭାରତର ଅର୍ଥବ୍ୟବସ୍ତା ୨୦୦ଲକ୍ଷ କୋଟି ଟଙ୍କା । ଭାରତ ୨୦୨୦-୨୧ ବଜେଟରେ ପ୍ରାୟ ୩୦ଲକ୍ଷ କୋଟି ଟଙ୍କା ନିର୍ଦ୍ଧାରିତ କରିଛି ।

୨ୟ ଉଦାହରଣ

ଭାରତର ପ୍ରତ୍ୟେକ ଜିନିଷ ପାକିସ୍ତାନ ସହ ତୁଳନା କରାଯାଏ, ଯଦି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ପ୍ୟାକେଜର ତୁଳନା ପାକିସ୍ତାନ ଅର୍ଥବ୍ୟବସ୍ଥା ସହ କରାଯାଏ ତେବେ ୨୦୧୯ରେ ପାକିସ୍ତାନ ସରକାର ୭୦୨୨ବିଲିୟନ ପାକିସ୍ତାନୀ ବଜେଟ୍ ଉପସ୍ଥାପନା କରିଥିଲେ । ଭାରତୀୟ ଟଙ୍କାରେ ଏହା ପାଖାପାଖି ୩.୩୦ଲକ୍ଷ କୋଟି ପାଖାପାଖି । ଭାରତର ରିହାତି ପ୍ୟାକେଜ ପାକିସ୍ତାନର ବଜେଟର ୬ଗୁଣା ଅଧିକ ।

୩ୟ ଉଦାହରଣ

ମହାରାଷ୍ଟ୍ର ସରକାର ୨୦୨୦-୨୧ବର୍ଷ ପାଇଁ ୪.୩୪ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନା କରିଥିଲେ ଯଦି ଏହି ପ୍ୟାକେଜର ତୁଳନା ମହାରାଷ୍ଟ୍ର ବଜେଟ୍ ସହ କରାଯାଏ ତେବେ ଜଣାପଡ଼ିବ ଯେ, ମହାରାଷ୍ଟ୍ରର ସମ୍ପୂର୍ଣ୍ଣ ବଜେଟର ୪ଗୁଣା ଅଧିକ ହେବ ଏହି ପ୍ୟାକେଜର ମୁଲ୍ୟ ।

୪ର୍ଥ ଉଦାହରଣ

ଭାରତର ରକ୍ଷା ବଜେଟ ୨୦୧୯-୨୦ରେ ସମୁଦାୟ ୩,୦୫,୨୯୬ କୋଟି ଟଙ୍କା ଥିଲା । ଏହା ତୁଳନାରେ ଏହି ପ୍ୟାକେଜର ମୁଲ୍ୟ ୨୦ଲକ୍ଷ କୋଟି ଅର୍ଥାତ୍ ୬ଗୁଣା ଅଧିକ ହେବ । ସ୍ୱାସ୍ଥ୍ୟ ବଜେଟର କଥା କୁହାଯାଏ ତ ଭାରତ ୨୦୨୦-୨୧ବର୍ଷ ପାଇଁ ସମୁଦାୟ ୬୯ହଜାର କୋଟି ଟଙ୍କା ନିର୍ଦ୍ଧାରିତ କରାଯାଇଛି । ଅର୍ଥାତ୍ ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରାୟ ୩୦ଗୁଣା ଅଧିକ ହେଉଛି ଏହି ପ୍ୟାକେଜ୍ ।

ପଞ୍ଚମ ଉଦାହରଣ

ଭାରତ ସରକାର ୨୦୨୦-୨୧ବର୍ଷ ଶିକ୍ଷାବ୍ୟବସ୍ଥା ଉପରେ ୯୯୩୦୦କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା ରହିଛି । ଯାହା  ପ୍ୟାକେଜର ପରିମାଣର ପ୍ରାୟ ୨୦ ପ୍ରତିଶତ ହୋଇଥିବାବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତ ସରକାରଙ୍କ ମୋଟ ଖର୍ଚ୍ଚ ୨୬.୯୯ ଲକ୍ଷ କୋଟି ଟଙ୍କା ଥିଲା । ଯାହା ରିଲିଫ୍ ପ୍ୟାକେଜ୍ ଠାରୁ ପ୍ରାୟ ୩୦ ପ୍ରତିଶତ ଅଧିକ ।

ଆପଣଙ୍କୁ କହି ରଖୁଛୁ ଯେ, ମଙ୍ଗଳବାର ରାତି ୮ଟାରେ ରାଷ୍ଟ୍ରକୁ ସମ୍ବୋଧିତ କରି ଏକ ପ୍ୟାକେଜର ଘୋଷଣା କରିଛନ୍ତି । କରୋନା ସଙ୍କଟ ପାଇଁ ସବୁ କାର୍ଯ୍ୟ ବନ୍ଦ ହୋଇଯାଇଛି । ଅର୍ଥବ୍ୟବସ୍ଥାକୁ ଠିକ୍ କରିବାକୁ ଯାଇ ଏହି ପ୍ୟାକେଜର ଘୋଷଣା କରାଯାଇଛି ।

ରଥ ନିର୍ମାଣରେ ନିୟୋଜିତ ସେବାୟତଙ୍କର ହେଲା ସ୍ୱାବ୍‌ ଟେଷ୍ଟ

ପୁରୀ: ରଥ ନିର୍ମାଣରେ ନିୟୋଜିତ ସେବାୟତଙ୍କ କୋଭିଡ୍‌ ଟେଷ୍ଟ ହୋଇଛି । ପ୍ରାୟ ୫୦ରୁ ୬୦ ଜଣ ସେବାୟତଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଛି । ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଥ ନିର୍ମାଣରେ ନିୟୋଜିତ ସମସ୍ତ ସେବାୟତ ଓ କାରିଗରଙ୍କ ଟେଷ୍ଟ ନେଇ ସୂଚନା ଦେଇଥିଲେ। ଆଜି ସ୍ୱତନ୍ତ୍ର ଡାକ୍ତରୀ ଦଳ ସେବାୟତଙ୍କ ସ୍ୱାବ ନମୁନା ସଂଗ୍ରହ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।

ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଗୋଟିଏ ରୁମକୁ ସାନିଟାଇଜ୍‌  କରାଯାଇଥିବା ବେଳେ ନମୁନା ସଂଗ୍ରହ ଆରମ୍ଭ ହୋଇଛି । ସମସ୍ତ କାରିଗରଙ୍କ ସମେତ ଦଇତାପତି ସେବକ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଦୁଇଦିନ ପର୍ଯ୍ୟନ୍ତ ସ୍ୱାବ ଟେଷ୍ଟ ଚାଲିବ ।

ଏବେ କେବଳ ରଥ ନିର୍ମାରଣେ ନିୟୋଜିତ ଥିବା ସେବକ ମାନଙ୍କର ସ୍ୱାବ ସଂଗ୍ରହ କରାଯାଇ କୋଭିଡ ଟେଷ୍ଟ ପାଇଁ ପଠାଯିବ । ଏହାପରେ ରଥଯାତ୍ରାରେ ନିୟୋଜିନ ଥିବା ଦଇତାପତି ସେବକ ଏବଂ ତାଙ୍କ ପରିବାର ସଦସ୍ୟଙ୍କର ସ୍ୱାବ ସଂଗ୍ରହ କରାଯାଇ କୋଭିଡ ଟେଷ୍ଟ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ।