ଭୁବନେଶ୍ବର : ସଫଳତାର ସହ ସରିଲା ନବୀନ ପଟ୍ଟନାୟକଙ୍କର ଅସ୍ତ୍ରୋପଚାର। ମୁମ୍ବାଇର କୋକିଳାବେନ୍ ଧୀରାଭାଇ ଅମ୍ବାନୀ ହସପିଟାଲରେ ନବୀନଙ୍କର କରାଯାଇଛି ସଫଳ ଅସ୍ତ୍ରୋପଚାର। ଅପରେସନ ସଫଳ ହୋଇଥିବା ନେଇ ସୂଚନା ଦେଇଛନ୍ତି ନବୀନଙ୍କ ବ୍ୟକ୍ତିଗତ ସ୍ବାସ୍ଥ୍ୟ ପରାମର୍ଶଦାତା। ସପ୍ତାହକ ମଧ୍ୟରେ ହସ୍ପିଟାଲରୁ ହେବେ ଡିସଚାର୍ଜ। କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲର ସ୍ପାଇନ ସ୍ପେସିଆଲିଷ୍ଟ ବିଶେଷଜ୍ଞ ଡାକ୍ତର ରାଜଶେଖର ନବୀନଙ୍କ ଅସ୍ତ୍ରୋପଚାର କରିଥିଲେ। ଏହାସହ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ବିଶେଷଜ୍ଞମାନେ ବି ଅପରେସନ ବେଳେ ଉପସ୍ଥିତ ଥିଲେ। ଅସ୍ତ୍ରୋପଚାର ପରେ ନବୀନ ପଟ୍ଟନାୟକ ଭଲ ଭାବେ କଥା ହୋଇ ପାରୁଛନ୍ତି। ଡାକ୍ତରଙ୍କ ସୂଚନା ଅନୁସାରେ, ବୟସ ବଢିଲେ ସର୍ଭିକାଲ ଆଥ୍ରାଇଟିସ ହୁଏ। ଆଜି ଦୁଇ ଘଣ୍ଟା ଧରି ଅପରେସନ ଚାଲିଥିଲା। ୫ରୁ ୭ ଦିନ ମଧ୍ୟରେ ଷ୍ଟିଚ ଖୋଲାଯିବ ବୋଲି କହିଛନ୍ତି ଡାକ୍ତର ରମାକାନ୍ତ ପଣ୍ଡା। ଅନେକ ପ୍ରତିଷ୍ଠିତ ଲୋକ ନବୀନ ପଟ୍ଟନାୟକଙ୍କୁ ଦେଖା କରିବାକୁ ଚାହୁଁଛନ୍ତି। ଅପରେସନ ସରିଥିବାରୁ ଡାକ୍ତର ୪୮ ଘଣ୍ଟା ଅପେକ୍ଷା କରିବାକୁ କହିଛନ୍ତି। ଆଇସିୟୁରୁ ରୁମକୁ ଆସିବାକୁ ପରେ ନବୀନଙ୍କୁ ସାକ୍ଷାତ କରିହେବ ବୋଲି କହିଛନ୍ତି ଡାକ୍ତର। ନବୀନଙ୍କ ପାଖରେ ଉପସ୍ଥିତ ଥିଲେ ତାଙ୍କ ଭାଇ ପ୍ରେମ ପଟ୍ଟନାୟକ ଓ ଭାଉଜ। ଦୀର୍ଘ ବର୍ଷର ଶାସନ ସମୟରେ ହେଉ କିମ୍ବା ବିରୋଧୀ ଦଳ ନେତା ଭାବେ ସବୁଠି ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରି ଆସୁଛନ୍ତି । ଆଧୁନିକ ଓଡି଼ଶାର ବିକାଶ ପୁରୁଷର ମାନ୍ୟତା ପାଇଛନ୍ତି । ସାରା ରାଜ୍ଯରେ ନବୀନଙ୍କ ଆରୋଗ୍ଯ କାମନା କରି ଦୀପଦାନ କରାଯାଇଥିଲା। ଭୁବନେଶ୍ବର ଏକାମ୍ର କ୍ଷେତ୍ରରେ ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ ଶତାଧିକ ଲୋକେ। ନବୀନଙ୍କ ପାଇଁ ସାରା ରାଜ୍ଯରୁ ଆଶୁ ଆରୋଗ୍ଯ କାମନାର ସୁଅ ଛୁଟୁଛି।
ଆମେରିକାକୁ ଚକମା ଦେଲା ଇରାନ: ଖାଲି ହୋଇ ସାରିଥିବା ଫୋର୍ଡୋ ନ୍ୟୁକ୍ଲିୟର ସେଣ୍ଟରକୁ ଧ୍ବଂସ କରି ବାଃ ବାଃ ନେଉଛନ୍ତି ଟ୍ରମ୍ପ
ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ-ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ପରେ ସାରା ବିଶ୍ବରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିବାରେ ଲାଗିଛି ଏବେ ଇରାନର କ’ଣ ହେବ ? ହେଲେ ଆମେରିକା ଡାଳେ ଡାଳେ ଗଲେ ଇରାନ ପତ୍ରରେ ପତ୍ରରେ ଯାଉଛି । ଶନିବାର ଆମେରିକାର ବୋମା ବର୍ଷକ ବିମାନ ଇରାନର ତିନୋଟି ମୁଖ୍ୟ ପରମାଣୁ ଘାଟି ଫୋର୍ଡୋ, ନତାଞ୍ଜ ଓ ଇସଫାହାନ ଉପରେ ବଙ୍କର ବଷ୍ଟର ବୋମା ପକାଇ ଧ୍ବଂସ କରି ଦେଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଛାତି ପିଟି ଦାବି କରୁଛନ୍ତି । ଯାହା ଇରାନର ପରମାଣୁ କାର୍ଯ୍ୟକ୍ରମକୁ ପଙ୍ଗୁ କରି ଦେଇଥିବା କୁହାଯାଉଛି । ହେଲେ, ଟ୍ରମ୍ପ ଭୁଲି ଯାଇଥିଲେ, ଆମେରିକାର ଏହି ଆକ୍ରମଣ ପାଇଁ ଇରାନ ପୂର୍ବରୁ ପ୍ରସ୍ତୁତ ଥିଲା । କାରଣ ଆମେରିକା ଧ୍ବଂସ କରିଥିବା ପରମାଣୁ ଘାଟିରୁ ଇରାନ ପୂର୍ବରୁ ସମସ୍ତ ୟୁରାନିୟମକୁ ସ୍ଥାନାନ୍ତର କରି ଦେଇଥିଲା । ଆମେରିକାର ବଙ୍କର ବଷ୍ଟର ଖାଲି ପଡ଼ିଥିବା ଇରାନର ଉକ୍ତ ଘାଟିଗୁଡିକୁ ଧ୍ବଂସ କରିଛି । ଯାହା ଆମେରିକାର ସୁରକ୍ଷା ଏଜେନ୍ସିଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ଛିଡ଼ା କରି ଦେଇଛି । ସେପଟେ, ଏହି ଆକ୍ରମଣ ପରେ ଇରାନ ଆମେରିକାକୁ ଚେତାବନୀ ଦେଇଛି । ଇରାନ ତରଫରୁ କୁହାଯାଇଛି, ଆମେ ଚୁପ ବସିବୁନି, ଏହାର ପ୍ରତିଶୋଧ ନେବୁ ।
ଆମେରିକା ଧ୍ବାଂସ କରିଥିବା ଇରାନର ୩ଟି ପରମାଣୁ ଘାଟି ମଧ୍ୟରୁ ଫୋର୍ଡୋ ବହୁତ ଗୁରୁତ୍ବପୂର୍ଣ୍ଣ ଥିଲା । କାରଣ ଏଠାରେ ପ୍ରାୟ ୪୦୦ ଫୁଟ ମାଟି ତଳେ ଇରାନ ପରମାଣୁ ସମୃଦ୍ଧି ପ୍ଲାଣ୍ଟ ଥିଲା । ଇରାନ ଉପରେ ଆକ୍ରମଣ ସଫଳ ହୋଇଥିବା ଟ୍ରମ୍ପ ଦାବି କରି ବାହାବାହା ନେଉଥିବା ବେଳେ ଫୋର୍ଡୋ ଅଞ୍ଚଳର ଜଣେ ସାଂସଦଙ୍କ ପ୍ରତିକ୍ରିୟା ଆସିଛି । ଯାହା ଆମେରିକା ସମେତ ଇରାନର ଶତ୍ରୁ ରାଷ୍ଟ୍ରଙ୍କୁ ଚକିତ କରି ଦେଇଛି । ସାଂସଦ ମହମ୍ମଦ ମନନ ରଇସି କହିଛନ୍ତି, ଆମେରିକାର ଆକ୍ରମଣ ପରେ ଫୋର୍ଡୋ ଅଞ୍ଚଳରେ କୌଣସି ରେଡିଏସନ ହୋଇନାହିଁ । କାରଣ, ଉକ୍ତ ପରମାଣୁ ଘାଟି ଉପରେ ଆକ୍ରମଣ ପୂର୍ବରୁ ଏହାକୁ ଖାଲି କରିଦିଆଯାଇଥିଲା ।
ଏବେ ପ୍ରଶ୍ନ ଉଠୁଛି, କ’ଣ ଆମେରିକାର ଗୁଇନ୍ଦା ସଂସ୍ଥାର ଆକଳନ ଭୁଲ ଥିଲା ? ଇରାନ ଉକ୍ତ ଘାଟିକୁ ଖାଲି କରି ଦେବାର ଟେରି ବି ଆମେରିକୀୟ ଗୁଇନ୍ଦା ସଂସ୍ଥା ପାଇ ପାରିଲାନି କେମିତି ? ଯଦି ଇରାନର ଦାବି ସତ, ତେବେ ଏହା ଆମେରିକାର ଗୁଇନ୍ଦା ସଂସ୍ଥାର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ଏକ ସ୍ଥାନୀୟ ଇରାନୀ ମିଡିଆ ସହ ଆଲୋଚନା କରିବା ବେଳେ ରଇସି ଆଶ୍ବାସନା ଦେଇ କହିଛନ୍ତି, ଫୋର୍ଡୋ ନ୍ୟୁକ୍ଲିୟର ଫେସିଲିଟି ସେଣ୍ଟରକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ମୁତାବକ ଗମ୍ଭୀର କ୍ଷତି ହୋଇନାହିଁ । ଆକ୍ରମଣରେ ପ୍ଲାର୍ଟର ଉପର ଅଂଶ କ୍ଷତିଗ୍ରସ୍ତ ହୋଇଛି, ଯାହାକୁ ଠିକ କରାଯାଇପାରିବ । ସେ ଆଗକୁ କହିଛନ୍ତି, ଆକ୍ରମଣ ପରେ କୌଣସି ପ୍ରକାର ରେଡିଏସନ ହୋଇନାହିଁ । କାରଣ, ଆକ୍ରମଣ ପୂର୍ବରୁ ଏହାକୁ ଖାଲି କରି ଦିଆଯାଇଥିଲା । ଏବେ ଇରାନ ଉପରେ ନିର୍ଭର କରୁଛି, ଟ୍ରମ୍ପଙ୍କ ଏହି ମୂର୍ଖତାପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନର ପ୍ରତି ଉତ୍ତର କ’ଣ ଦେବ ।
ଆମେରିକା ଆକ୍ରମଣ ପରେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲୀ ଖାମେନେଇ ଆମେରିକାକୁ କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଆମେରିକୀୟଙ୍କୁ ପୂର୍ବରୁ ବହୁତ ଅଧିକ ଝଟକା ପାଇଁ ପ୍ରସ୍ତୁତ ରହିବାକୁ ପଡିବ ।
ସନ୍ ଟିଭି ବିବାଦ: IPL ଟିମ୍ SRH ପ୍ରତି ବିପଦ, ଯାଇପାରେ କାବ୍ୟା ମାରନଙ୍କ ମାଲିକାନା
ନନ୍ଦିଘୋଷ ବ୍ୟୁରୋ: IPL ଟିମ୍ ସନରାଇଜର୍ସ ହାଇଦ୍ରାବାଦ ସିଇଓ କାବ୍ୟା ମାରନଙ୍କ ବଢ଼ିପାରେ ସମସ୍ୟା । ପାରିବାରିକ କଳହ ଗୋଟିଏ କାରଣ ହୋଇଥିବା ବେଳେ ଦକ୍ଷିଣ ଭାରତର ବଡ଼ ମିଡ଼ିଆ ହାଉସ୍ ସନ୍ ନେଟଓ୍ବର୍କ ମାଲିକ ତଥା କାବ୍ୟାଙ୍କ ବାପା କଲାନିଧି ମାରନଙ୍କ ଉପରେ ମନି ଲଣ୍ଡରିଂ ଅଭିଯୋଗ ଲାଗିଛି । କଲାନିଧିଙ୍କ ଭାଇ ତଥା ପୂର୍ବତନ ସାଂସଦ ଦୟାନିଧି ମାରନ ଏହି ଅଭିଯୋଗ ଆଣିଛନ୍ତି । ଯାହା ନାଁ କେବଳ ସନ୍ ନେଟଓ୍ବର୍କ ପାଇଁ ସମସ୍ୟା ବଢ଼ାଇଛି ବରଂ IPL ଟିମ୍ ଏସଆରଏଚ ପାଇଁ ଚିନ୍ତା ବଢ଼ାଇ ଦେଇଛି । ଆସନ୍ତୁ ଜାଣିବା ପୂରା ମାମଲା କ’ଣ ଓ ଏହା IPL ପାଇଁ ଚିନ୍ତାର କାରଣ କାହିଁକି ପାଲଟିଛି ।
ସୂଚନାଯୋଗ୍ୟ, ସନ୍ ନେଟଓ୍ବର୍କ ସେୟରକୁ ନେଇ ବିବାଦ ଲାଗି ରହିଛି । ୨୦୦୩ ପୂର୍ବରୁ ମାରନ ପରିବାର ଓ କରୁଣାନିଧି ପରିବାର ପାଖରେ କମ୍ପାନୀର ସମାନ ସେୟର ଥିଲା । ହେଲେ ଏହା ପରେ ଏଥିରେ ପରିବର୍ତ୍ତନ ହୋଇଥିଲା । ଅଭିଯୋଗ ହେଉଛି, କମ୍ପାନୀର ଅର୍ଥକୁ ଅପବ୍ୟବହାର କରାଯାଇ ସନ୍ ଡାଇରେକ୍ଟ ଟିଭି, ସନ୍ ପିକଚର୍ସ, ଏଫଏମ ଚ୍ୟାନେଲ ଓ IPL ଟିମ୍ SRH ପରି କମ୍ପାନୀ ଛିଡ଼ା କରାଯାଇଛି । ଏବେ ଯଦି ୨୦୦୩ର ସେୟର ପାର୍ଟନ ଲାଗୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତି ତେବେ ମାଲିକାନାରେ ପରିବର୍ତ୍ତନ ହୋଇପାରେ । ଯାହାର ପ୍ରଭାବ ଆଇପିଏଲ ଟିମ୍ ସନରାଇଜର୍ସ ହାଇଦ୍ରାବାଦ ଉପରେ ବି ପଡ଼ିପାରେ ।
ଏମିତି ସ୍ଥିତିରେ ବିସିସିଆଇକୁ ସମ୍ମୁଖକୁ ଆସିବାକୁ ପଡ଼ିପାରେ । ଏପରିକି ସନ୍ ଟିଭିକୁ ଏସଆରଏଚ ଟିମକୁ ବିକ୍ରି କରିବାକୁ ବି ପଡ଼ିପାରେ । ଯଦି ଏମିତି ହେବ ତେବେ ଆଇପିଏଲର ପ୍ରତି ମ୍ୟାଚରେ ନଜରକୁ ଆସୁଥିବା କାବ୍ୟା ମାରନ ଆଗାମୀ ଦିନରେ ମାଲିକ ରହି ନପାରନ୍ତି । ଏହି ବିବାଦର ସମାଧାନ ଯଦି ଶୀଘ୍ର ନହେଲା ତେବେ ସନରାଇଜର୍ସ ହାଇଦ୍ରାବାଦ ଟିମ ଓ ପ୍ରଶଂସକଙ୍କ ପାଇଁ ଏହା ଶକ୍ତ ଧକ୍କା ହୋଇପାରେ ।
ଇରାନ ଉପରେ ଆମେରିକା ପକାଇଥିବା ‘ବଙ୍କର ବଷ୍ଟର’ର ଶକ୍ତି କେତେ ?
ନନ୍ଦିଘୋଷ ବ୍ୟୁରୋ: ଇରାନ-ଇସ୍ରାଏଲ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି । ଶନିବାର ରାତିରେ ଆମେରିକାର ବୋମାବର୍ଷକ ବିମାନ ଇରାନର ତିନୋଟି ମୁଖ୍ୟ ପରମାଣୁ କେନ୍ଦ୍ର ଉପରେ ଜବରଦସ୍ତ ଆଟାକ କରିଛି । ବଙ୍କର ବଷ୍ଟର ବୋମା ପକାଇ ଆମେରିକା ଇରାନର ଫୋର୍ଡୋ, ନତାଞ୍ଜ ଓ ଇସଫାହାନ ପରମାଣୁ ଘାଟିକୁ ଧ୍ବଂସ କରି ଦେଇଛି । ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଯୁଦ୍ଧକୁ ଆହୁରି ଭୟଙ୍କର ସ୍ଥିତିକୁ ନେଇ ଯାଇଛି । ଆସନ୍ତୁ ଜାଣିବା ପ୍ରାୟ ୪୦୦ ଫୁଟ ତଳେ ଥିବା ଇରାନର ପରମାଣୁ ଘାଟିକୁ ଧ୍ବଂସ କରିବାକୁ ଆମେରିକା ବ୍ୟବହାର କରିଥିବା ବଙ୍କର ବଷ୍ଟର ବୋମାର ଶକ୍ତି କେତେ ?
‘ବଙ୍କର ବଷ୍ଟର’ର ଶକ୍ତି
ଏହି ଆକ୍ରମଣରେ ଆମେରିକା Massive Ordnance Penetrator (GBU-57) ବ୍ୟବହାର କରିଛି । ଯାହା ବଙ୍କର ବଷ୍ଟର ନାଁରେ ଖ୍ୟାତ । ଭୂପୃଷ୍ଠରୁ ଶତାଧିକ ଫୁଟ ତଳେ ଥିବା ଠିକଣାକୁ ଧ୍ବଂସ କରିବାକୁ ଏହି ବୋମାକୁ ପ୍ରସ୍ତୁତ କରାଯାଇଛି । ଏହାର ଓଜନ ୩୦ ହଜାର ପାଉଣ୍ଡ (୧୩.୬ ଟନ୍) ହୋଇଥିବା ବେଳେ ଏହାର ଲମ୍ବା ୨୦ ଫୁଟ୍ । ଏହାକୁ ନେଇ ପକାଇବାର କ୍ଷମତା କେବଳ B-2 ଷ୍ଟିଲ୍ଥ ବମ୍ବରରେ ରହିଛି । ଏହାର ଶକ୍ତି ଏତେ ଯେ, ଗୋଟିଏ ଜାଗାରେ ଏହାକୁ ବାରମ୍ବାର ପକାଗଲେ ଏହା ପାହାଡ଼ ଓ ଚଟାଣକୁ ଫଟାଇ ଭିତରେ ଥିବା ଟାର୍ଗେଟକୁ ଧ୍ବଂସ କରିବାର କ୍ଷମତା ରଖେ ।
ଟାର୍ଗେଟରେ ଥିଲା ଇରାନର କେଉଁ ସ୍ଥାନ ?
ଇରାନ ଉପରେ ଆମେରିକାର ଆକ୍ରମଣ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ଆମେ ଇରାନର ଫୋର୍ଡୋ, ନତାଞ୍ଜ ଓ ଇସଫାହାନ ପରମାଣୁ ଘାଟିକୁ ଟାର୍ଗେଟ କରିଥିଲୁ । ସୂଚନାଯୋଗ୍ୟ, ଫୋର୍ଡୋ ଇରାନର ଅତି ଗୋପନୀୟ ପରମାଣୁ ଘାଟି । ଯାହା ପାହାଡ଼ ତଳେ ରହିଛି । ସେହିପରି ନତାଞ୍ଜ ଇରାନର ସବୁଠାରୁ ବଡ଼ ପରମାଣୁ ସମୃଦ୍ଧି ପ୍ଲାଣ୍ଟ । ଇସଫାହାନ ହେଉଛି ସାହି ସ୍ଥାନ, ଯେଉଁଥି ଇରାନ ସମୃଦ୍ଧ ହୋଇ ସାରିଥିବା ୟୁରାନିୟମ ରଖିଥିବା କୁହାଯାଏ । ଟ୍ରମ୍ପ କହିଛନ୍ତି ଫୋର୍ଡୋ ଉପରେ ଫୁଲ୍ ପେଲୋଡ ପକାଯାଇଛି । ଆମାର ସମସ୍ତ ବିମାନ ଇରାନ ବାୟୁସେନାରୁ ସୁରକ୍ଷିତ ବାହାରି ନିଜ ବେସକୁ ଫେରୁଛନ୍ତି ।
ନ୍ୟୁକ୍ଲିୟର ରେଡିଏସନ ଆଶଙ୍କା
ଇରାନର ପରମାଣୁ ଘାଟି ଉପରେ ଆକ୍ରମଣ ପୂରା ଅଞ୍ଚଳରେ ରେଡିଏସନ ଆଶଙ୍କାକୁ ବଢ଼ାଇ ଦେଇଛି । ଆରମ ଦେଶ ପୂର୍ବରୁ ଚେତାବନୀ ଦେଇ ସାରିଛନ୍ତି, ଏମିତି ଆକ୍ରମଣ ଦ୍ବାରା ସେମାନଙ୍କ ଦେଶକୁ ବି ବିପଦ ରହିଛି । ଏବେ ଦେଖିବାକୁ ବାକି ରହିଲା, ଯୁଦ୍ଧ ଆଗକୁ କେଉଁ ସ୍ତରକୁ ଯାଉଛି ଓ ଏହାର ତୃତୀୟ ବିଶ୍ବଯୁଦ୍ଧର ଆୟାରମ୍ଭ ନୁହେଁ ତ ?

