spot_img
Home Blog Page 733

ଶୁଭାରମ୍ଭର ୫ ମାସ ପରେ ବି ଲୋକଙ୍କ କାମରେ ଆସୁନି ନଗର ବନ

କଣ୍ଟାବାଞ୍ଜି : ଲୋକଙ୍କ କାମରେ ଆସୁନି ନଗର ବନ । ଶୁଭାରମ୍ଭର ୫ ମାସ ପରେ ମଧ୍ୟ ହୋଇପାରିଲାନି କାର୍ଯ୍ୟକ୍ଷମ । ନଷ୍ଟ ହେବାକୁ ବସିଛି ଉପକରଣ । ବଙ୍ଗୋମୁଣ୍ଡା ବନ ବିଭାଗ ପକ୍ଷରୁ ବଲାଙ୍ଗୀର ଜିଲ୍ଲାର ପୁଞ୍ଜିପଥର-ସର୍ଗିଗୁଡ଼ା ରାଜ୍ୟ ରାଜପଥ କଡ଼ରେ ନିର୍ମାଣ ହୋଇଛି ନଗର ବନ । ଏହି ସୁନ୍ଦର ନଗର ବନରେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଉପକରଣ ଖଞ୍ଜାହୋଇଛି । ଛୋଟ ଛୋଟ ପିଲାଙ୍କ ପାଇଁ ଦୋଳିଠାରୁ ଆରମ୍ଭ କରି ବିଭିନ୍ନ ଖେଳକୁଦ ଉପକରଣ ରହିଛି । ସେହିପରି ଯୁବ ବର୍ଗଙ୍କ ପାଇଁ ଓପନ ଜିମ ବ୍ୟବସ୍ଥା ରହିଥିବା ବେଳେ ବୃଦ୍ଧବୃଦ୍ଧାଙ୍କ ପାଇଁ ମଧ୍ୟ ବିଭିନ୍ନ ଉପକରଣ ରହିଛି । ହେଲେ ଏହି ସବୁ ଉପକରଣ ଏବେ ଲୋକଙ୍କ କାମରେ ଆସୁନଥିବାରୁ ଧୀରେ ଧୀରେ ନଷ୍ଟ ହେବାକୁ ବସିଛି ।

୧୮ ହେକ୍ଟର ପରିମିତ ଜମିରେ ତିଆରି ହୋଇଥିବା ନଗର ବନ ପାଇଁ ରାଜକୋଶରୁ ଏପର୍ଯ୍ୟନ୍ତ ୭୧ ଲକ୍ଷ  ୭୫ ହଜାର ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ଚଳିତ ବର୍ଷ ଗତ ଜାନୁଆରୀ ମାସରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ନଗର ବନ ଶୁଭାରମ୍ଭ ପରେ ଲୋକଙ୍କ କାମରେ ଆସିବ ବୋଲି ଲୋକେ ଖୁସି ବ୍ୟକ୍ତ କରିଥିଲେ । ହେଲେ ଶୁଭାରମ୍ଭର ୫ ମାସ ପରେ ମଧ୍ୟ ନଗର ବନ କାର୍ଯ୍ୟକ୍ଷମ ହୋଇପାରିଲାନାହିଁ । ସେପଟେ ଆଉ କିଛି କାମ ବାକି ଅଛି  । କାମ ଶେଷ ପରେ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ବଲାଙ୍ଗିର ଏସିଏଫ । କାମ ବାକିଥିବା ବେଳେ କାହିଁକି ନଗର ବନ ପ୍ରକଳ୍ପକୁ ତରବରିଆ ଭାବେ ବନ ବିଭାଗ ଶୁଭାରମ୍ଭ କରାଇଲା ବୋଲି ଏବେ ପ୍ରଶ୍ନଉଠୁଛି । ତେବେ ଦେଖିବାକୁ ବାକି ରହିଲା ନଗର ବନ କେବେ ଶୁଭାରମ୍ଭ ହେଉଛି ଏବଂ ଲୋକଙ୍କ କାମରେ ଆସୁଛି ।

ପ୍ରସବ କରିନପାରି ଚାଲିଗଲା ମହିଳାଙ୍କ ଜୀବନ, ଚିକିତ୍ସା ଅବହେଳାକୁ ଦାୟୀ କଲେ ପରିବାର ଲୋକେ

ନୟାଗଡ଼ : ପ୍ରସବ କରିନପାରି ଚାଲିଗଲା ମହିଳାଙ୍କ ଜୀବନ । ପିଲା ପେଟରେ ଥାଇ ଗର୍ଭବତୀଙ୍କ ମୃତ୍ଯୁ। ଚିକିତ୍ସା ଅବହେଳାକୁ ଦାୟୀ କଲେ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ । ଯାହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ବାଲୁଗାଁର ସଞ୍ଜୟ କୁମାର ନାୟକଙ୍କ ୨୭ ବର୍ଷୀୟ ପତ୍ନୀ ମମତା ସ୍ୱାଇଁ ପ୍ରସବ ଯନ୍ତ୍ରଣା ହେବାରୁ ମେ’ ୩୧ ତାରିଖ ରାତିରେ ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦାୟିତ୍ୱରେ ଥିବା ନର୍ସ ଏବଂ ଡାକ୍ତରମାନେ ଚିକିତ୍ସା କରିବାରେ ବିଳମ୍ବ କରିଥିଲେ । ଦୀର୍ଘ ସମୟ ଧରି ପ୍ରସବ ବେଦନାରେ ଛଟପଟ ହୋଇ ମମତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ।

ବର୍ଷେ ତଳେ ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ସ୍ବାସ୍ଥ୍ଯସେବା ଠିକଠାକ ଥିଲା। ସରକାର ପରିବର୍ତ୍ତନ ପରେ ଏବେ ସ୍ଥିତି ବଦଳିଯାଇଛି। ଏହି ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସାରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ଗର୍ଭବତୀଙ୍କ ମୃତ୍ଯୁକୁ ନେଇ ରବିବାର ମେଡିକାଲରେ ଚାପା ଉତ୍ତେଜନା ଲାଗିରହିଥିଲା । ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ପାଟିତୁଣ୍ଡ କରିଥିଲେ ଲୋକେ । ନୟାଗଡ଼ ଜିଲ୍ଲାପାଳ ଓ ଅତିରିକ୍ତ ଏସପି ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଉତ୍ତ୍ୟକ୍ତ ଲୋକଙ୍କୁ ପ୍ରତିଶୃତି ଦେବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ହସ୍ପିଟାଲ ପରିସରରେ ସଡିପିଓଙ୍କ ନେତୃତ୍ଵରେ ୩ ଜଣ ଇନ୍ସପେକ୍ଟର ଓ ଗୋଟିଏ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଦୀର୍ଘ ଦିନ ହେବ ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ଅବହେଳା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି । ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ବ ଦେଇନି କି ସ୍ଵାସ୍ଥ୍ୟ ବିଭାଗ ମଧ୍ଯ ନୀରବ। ଏବେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି ।

ଜିଲ୍ଲା ନ୍ୟାୟଧୀଶଙ୍କୁ ଗୁହାରୀ ପରେ ଗିରଫ ହେଲା ଅଭିଯୁକ୍ତ

ଗଜପତି : ପ୍ରଥମେ ନାବାଳିକାକୁ ଅପହରଣ। ପରେ ଏକାଧିକ ଥର ଦୁଷ୍କର୍ମ ପରେ ନାବାଳିକା ଗର୍ଭବତୀ। ଅବୈଧ ଭାବେ ନାବାଳିକାକୁ ବାଲ୍ଯବିବାହ। ଏତିକିରେ ସରିଲାନି ଅଭିଯୁକ୍ତର କଳାକାରନାମା। ୩ ମାସର ଗର୍ଭବତୀ ଥିବା ନାବାଳିକାକୁ ମରଣାନ୍ତକ ଆକ୍ରମଣ କରି ଗର୍ଭ ନଷ୍ଟ କଲା ସୈତାନ। ପୋଲିସରେ ଅଭିଯୋଗ ପରେ କିଛି କାର୍ଯ୍ଯାନୁଷ୍ଠାନ ନ ହେବାରୁ ଜିଲ୍ଲା ନ୍ଯାୟଧୀଶଙ୍କୁ ଗୁହାରୀ ପରେ ଗିରଫ ହୋଇଛି ଅଭିଯୁକ୍ତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା କାଶୀପୁର ଥାନା ଅଞ୍ଚଳରେ । ବିବାହ ପରେ ଅଭିଯୁକ୍ତ ନାବାଳିକାଙ୍କୁ ନିର୍ଯାତନା ଦେଇଆସୁଥିଲା। ଏପରିକି ଅଭିଯୁକ୍ତ ଯୁବକ ଓ ତା ଭାଇର ଆକ୍ରମଣରେ ନାବାଳିକାଙ୍କ ମା’ ଲହୁଲୁହାଣ ହୋଇଥିଲେ । କାଶୀନଗର ଥାନାରେ ଅଭିଯୋଗ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଜିଲ୍ଲାପାଳ ଏବଂ ଏସପିଙ୍କୁ ଜଣାଇବା ସହ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ନାବାଳିକା । ଅଦାଲତଙ୍କ ହସ୍ତକ୍ଷେପ ପରେ କାଶୀନଗର ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ଘରେ ଆର୍ଥିକ ଅବସ୍ଥା ଭଲ ନଥିବାରୁ ପୀଡ଼ିତାଙ୍କ ବାପା ଓ ମା’ ଦାଦନ ଖଟିବାକୁ ଦିଲ୍ଲୀ ଯାଇଥିଲେ। ନାବାଳିକା ଜଣକ ଆଈ ଘରେ ରହି ଯୁକ୍ତ ୨ ପାଠ ପଢ଼ୁଥିଲେ। ଅଭିଯୁକ୍ତ ଯୁବକ ଜଣକ ପାଖ ସୀତାପୁର ଗାଁର । ୨୦୨୪ ମସିହା ଏପ୍ରିଲ ମାସରେ ଘରେ ପଶି ନାବାଳିକାଙ୍କୁ ଅଭିଯୁକ୍ତ ଅପହରଣ କଲା । ଝିଅର ଅପହରଣ ହୋଇଥିବା ଜାଣିବା ପରେ ଦିଲ୍ଲୀରୁ ଗାଁକୁ ଫେରି ଝିଅକୁ ଖୋଜିଖୋଜି କରିଥଲେ ବାପା ମା’ । ମା ଓ ବାପା ତାଙ୍କ ଝିଅକୁ ଖୋଜାଖୋଜି କରୁଥିବା ଜାଣି ନାବାଳିକାକୁ ଜୀବନରେ ମାରିଦେବାକୁ ଫୋନରେ ଧମକ ଦେଇଥିଲା ଅଭିଯୁକ୍ତ। ବିବାହର ପ୍ରତିଶୃତି ଦେଇ ନାବାଳିକାକୁ ନିଜ ଘରକୁ ନେଇ ଆସିଥିଲା ଅଭିଯୁକ୍ତ । ସାଂଘାତିକ କଥା ହେଉଛି ଝିଅ ନାବାଳିକା ଥିବା ଜାଣି ଅଭିଯୁକ୍ତର ପିତା ମାତା ବିବାହ କରିବାକୁ ପୀଡ଼ିତାଙ୍କ ପରିବାର ଉପରେ ଚାପ ପକାଇଥିଲେ। ଶେଷରେ ଗ୍ରାମବାସୀଙ୍କୁ ମନାଇ ଝିଅକୁ ମନ୍ଦିରରେ ବିବାହ କରିଥିଲା ଦୁଷ୍କର୍ମକାରୀ ଯୁବକ ।

ବିଗିଡ଼ିଲାଣି ରାଜ୍ଯର ଆଇନଶୃଙ୍ଖଳା। ଫି ଦିନ ନାବାଳିକା ଦୁଷ୍କର୍ମ ଘଟଣା ସାମନାକୁ ଆସୁଛି। ବାଲ୍ଯ ବିବାହ ଓ ନାବାଳିକା ଦୁଷ୍କର୍ମ ହେବା ପରେ ବି ପୋଲିସ କାର୍ଯ୍ଯାନୁଷ୍ଠାନ ନେଉନି।  ଦୁଷ୍କର୍ମ ଓ ଅତ୍ଯାଚାରର ଶିକାର ଗରିବ ପରିବାର ନ୍ଯାୟ ପାଇଁ ଯିବେ ତ କାହା ପାଖକୁ ? ଏତେଦିନ ଯାଏ ଅଭିଯୁକ୍ତ ନାବାଳିକା ଉପରେ ଅତ୍ଯାଚାର କରିଚାଲିଲା ଜିଲ୍ଲା ଶିଶୁ ମଙ୍ଗଳ ବିଭାଗ କରୁଥିଲା କଣ ? ଗର୍ଭବତୀ ନାବାଳିକାକୁ ଚିକିତ୍ସା କରୁଥିବା ଡାକ୍ତର କିପରି ପୋଲିସକୁ ଖବର ଦେଲେ ନାହିଁ? ତଦନ୍ତ କରି ଦାୟୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ଯାନୁଷ୍ଠାନ ନେବାକୁ ଏବେ ସାଧାରଣରେ ଦାବି ଉଠିଛି।

ଭତ୍ତା ଟଙ୍କା ପାଇଁ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଗଲେ ବୃଦ୍ଧା

ବଲାଙ୍ଗୀର : ଭତ୍ତା ଟଙ୍କା ପାଇଁ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଗଲେ ବୃଦ୍ଧା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଫଟାମୁଣ୍ଡା ପଂଚାୟତର ପାଣ୍ଡେସରା ଗାଁରେ । ଏହି ଗାଁର ଜଣେ ଭିନ୍ନକ୍ଷମ ବୟସ୍କା ସୁରେଖା ନାଗ ଭତ୍ତା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିବାର ଭିଜୁଆଲ ଭାଇରାଲ ହେବାରେ ଲାଗିଛି । କିଛି ବର୍ଷ ପୂର୍ବେ ଏହି ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସାହାଯ୍ୟ କରିବା ପାଇଁ ପରିବାରରେ କେହି ନାହାନ୍ତି । ତାଙ୍କ ପାଖରେ ପଇସା ନଥିବାରୁ ଭତ୍ତା ଟଙ୍କା ଉଠାଣ ପାଇଁ ୨ କିମି କୁଡାପଦାର ଗାଁକୁ ଗୁରୁଣ୍ଡି ଗୁରୁଣ୍ଡି ଯାଇଥିଲେ । ଏହାଦେଖି ଯୁବ ସମାଜସେବୀ କରୁଣା କର ମିଶ୍ର ତାଙ୍କୁ ଟ୍ରାକ୍ଟରରେ ବସାଇ ଘରେ ପହଞ୍ଚାଇଥିଲେ । ଏଭଳି ଭିନ୍ନକ୍ଷମ ବୃଦ୍ଧାଙ୍କ ନିକଟରେ ସରକାର ଭତ୍ତାଟଙ୍କା ପହଞ୍ଚାଇବାର ନିୟମ ରହିଛି । ହେଲେ ଖୋଦ ଉପମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳରେ ଏଭଳି ଘଟଣାକୁ ନିନ୍ଦା କରାଯାଇଛି । ଏନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଘଟଣାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ କୋଣସି ପ୍ରତିକ୍ରିୟା ମିଳିପାରିନି l

ଲେମ୍ବୁ ଓ କଞ୍ଚାଲଙ୍କା ଧରାଇ ଦେଇଥିଲା ଅପରାଧି,ସୋସିଆଲ ମିଡିଆରେ ନିଜ ଅଭିଜ୍ଞତା ସେୟାର କଲେ ଅରୁଣ ବୋଥ୍ରା

ନନ୍ଦିଘୋଷ ବ୍ୟୁରୋ ; ନିକଟରେ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ରାୟ ପ୍ରକାଶ ପାଇଛି । ଅଭିଯୁକ୍ତ ପୁଞ୍ଜିଲାଲକୁ ଦୋଶୀ ସାବ୍ୟସ୍ତ କରି ସଜା ଶୁଣାଇଛନ୍ତି ପାଟଣାଗଡ ଏଡିଜେ କୋର୍ଟ । ଏହି ମାମଲାର ତଦନ୍ତ କରୁଥିଲେ ତତକାଳୀନ କ୍ରାଇମବ୍ରାଂଚ୍ ଆଇଜି ଅରୁଣ ବୋଥ୍ରା । ସେ କହିଥିଲେ ଯେ ଏହି ମାମଲାରେ ପ୍ରତ୍ୟକ୍ଷ ସାକ୍ଷୀ ନଥିବାରୁ ତଦନ୍ତ ପାଇଁ ବହୁତ ଚ୍ୟାଲେଞ୍ଜ ହୋଇଥିଲା । ସେମିତି ଏକ ଅପରାଧିକ ମାମଲାର ତଦନ୍ତକୁ ନେଇ ସେ ନିଜ ସୋସିଆଲ ମିଡିଆ ‘ଏକ୍ସ’ ଆକାଉଣ୍ଟରେ ସେୟାର କରିଛନ୍ତି । ସେ ତଦନ୍ତ କରୁଥିବା ସମୟରେ ତାଙ୍କୁ କ’ଣ କ’ଣ ସବୁ ସାମ୍ନା କରିବାକୁ ପଡିଥିଲା ସେ ଉଲ୍ଲେଖ କରିଛନ୍ତି ।

ସେ ଲେଖିଛନ୍ତି ଯେ,ଅପରାଧିକ ମାମଲାର ତଦନ୍ତ ହେଉଛି ପ୍ରମାଣ ସଂଗ୍ରହ କରିବା । କୋର୍ଟ ମାମଲାର ଶୁଣାଣି କରିବା ସମୟରେ ପ୍ରମାଣ ଓ ବିଶ୍ବାନୀୟତା ଉପରେ ବିଶ୍ବାସ କରନ୍ତି । ବେଳେବେଳେ ପ୍ରମାଣ ଭଳି ଲାଗୁଥିଲେ ମଧ୍ୟ ତାହା କୋର୍ଟରେ ଉପସ୍ଥାପନ କରାଯାଇପାରେନି । ମୁଁ ଗୋଟିଏ ୫ ବର୍ଷ ଝିଅର ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରୁଥିଲି । ଜଣେ ଯୁବକ ଏଥିରେ ସନ୍ଦିଗ୍ଧ ଥିଲା । ସବୁବେଳେ ଆଲୋଚନା ସମୟରେ ତାର ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଥିଲା । ଦିନେ ତାକୁ ପଚରାଉଚୁରା କରିବା ପାଇଁ ତାଙ୍କ ଘରକୁ ଯାଇଥିଲି । ସେତେବେଳେ ଯୁବକ ଜଣକ ଖଟରେ ଶୋଇଥିଲେ ଓ ତାଙ୍କ ମାଆ ତା’ର ମୁଣ୍ଡ ଉପରେ କଞ୍ଚାଲଙ୍କା ଓ ଲେମ୍ବୁ ବୁଲାଉଥିଲେ । ଖରାପ ଶକ୍ତିର ପ୍ରଭାବ ଦୂର କରିବା ପାଇଁ ଏଭଳି ଟୁଣକା କରାଯାଏ । ଯୁବକଙ୍କ ମା’ଙ୍କୁ ଏହି ବିଷୟରେ ପଜାରିବାରୁ ସେ କହିଥିଲେ ଯେ,  ତାଙ୍କ ପୁଅ ଖରାପ ସ୍ବପ୍ନ ଦେଖୁଛି । ଖରାପ ଶକ୍ତିର ପ୍ରଭାବ ଦୁର କରିବା ପାଇଁ ସେ ଦେଶୀ ଟୁଣକା କରୁଥିବା କହିଥିଲେ । କି ପ୍ରକାର ଦୁଷ୍ଟ ଆତ୍ମା ବୋଲି ପଚାରିବରୁ, ସେ ମୃତ ଝିଅକୁ ସ୍ବପ୍ନ ଦେଖୁଥିବା କଥା କହିଥିଲେ ।  ସ୍ବପ୍ନରେ ମୃତା ଝିଅ ତାଙ୍କ ପୁଅକୁ କ’ଣ କହୁଛି ପଚାରିବାରୁ ମା’ କହିଥିଲେ ଯେ, ସେ  କିଛି ନ କହି ଖାଲି ଚାହିଁ ରହୁଛି । ସ୍ୱପ୍ନ ଦେଖି ସେ ଅଧରାତିରେ ଚମକି, ଝାଳ ସରସର ହୋଇ ଉଠି ବସୁଛି ।

ଯୁବକଙ୍କ ମା’ଠାରୁ  ଏହା ଶୁଣିବା  ପରେ ସେଦିନ ମୁଁ କିଛି ନପଚାରି ତାଙ୍କ ଘରୁ ବାହାରି ଆସିଲି । କିନ୍ତୁ ମୁଁ ଯାହା ଦେଖିଛି ତାଙ୍କ ମାନସିକ ଅବସ୍ଥାର ସ୍ବଷ୍ଟ ଝଲକ ଥିଲା । ବୋଷୀର ଏହା ଅବିସ୍ବରଣୀୟ ସ୍ବିକାର । ଆମେ ଆଉ ଦୁଇ ସପ୍ତାହ ତଦନ୍ତ ଜାରି ରଖିଲୁ । ଯେତେବଳେ ଜଣେ ଫୋରେନସିକ ବିଶେଷଜ୍ଞଙ୍କ ଦ୍ବାରା ପଲିଗ୍ରାଫ ଟେଷ୍ଟ କରିବା ସମୟରେ ଯୁବକଟି ଭାଙ୍ଗି ପଡି କାନ୍ଦିବାକୁ ଲାଗିଲା ଏବଂ ହତ୍ୟା କଥାକୁ ସ୍ୱୀକାର କଲା । ତାଙ୍କର ସ୍ୱୀକାରୋକ୍ତି, ଅନ୍ୟାନ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ସାମଗ୍ରୀକ ପ୍ରମାଣ ସହିତ, ତାଙ୍କୁ ଦୋଷୀ ସାବ୍ୟସ୍ତ ହେଲା । କୋର୍ଟ ତାଙ୍କୁ ଦୁଷ୍କର୍ମ ପାଇଁ ୨୦ ବର୍ଷ ଏବଂ ହତ୍ୟା ପାଇଁ ୨୦ ବର୍ଷ ଜେଲଦଣ୍ଡ ଶୁଣାଇଲା।

ଅରୁଣ ବୋଥ୍ରାଙ୍କ  ଭଳି ଜଣେ ବରିଷ୍ଠ ଆଇପିଏସଙ୍କ ଏଭଳି ପୋଷ୍ଟକୁ ନେଇ  ଏବେ ଚର୍ଚ୍ଚା ବଢ଼ିଛି ।

ପୁଣି ଶ୍ରୀମନ୍ଦିର ଉପରର ଡ୍ରୋନ୍ ଭିଡିଓ ଭାଇରାଲ୍

ପୁରୀ : ପୁଣି ଶ୍ରୀମନ୍ଦିର ଉପରର ଡ୍ରୋନ୍ ଭିଡିଓ ଭାଇରାଲ୍ ହୋଇଛି । ଭାଇରଲ ଡ୍ରୋନ୍ ଭିଡିଓରେ ଜଣେ ଚୁନରା ସେବକଙ୍କ ଚିତ୍ର ବାରମ୍ବାର ଦେଖାଦେଇଛି । ଏପରିକି ଡ୍ରୋନ ଉଡିବା ସମୟରେ ସମ୍ପୃକ୍ତ ସେବାୟତ ଜଣଙ୍କ ଜାଣିଥିବା ଭଳି ଦୃଶ୍ୟ ବାରି ହୋଇପଡୁଛି। ଚିତ୍ର ଉତ୍ତୋଳନ ସମୟରେ ସେ ବାରମ୍ବାର ମୁଣ୍ଡିଆ ମାରୁଥିବା ଲକ୍ଷ୍ୟ କରାଯାଇଛି। ଭିଡିଓଟି ଏଡିଟି କରାଯାଇଥିବା ବେଳେ ଚୁନରା ସେବକ ୧୪ହାତିଆ ମୁଖ୍ୟ ବାନା ଲଗାଉଥିବା ସମୟର ଦୃଶ୍ୟ ମଧ୍ୟ ସେହି ଭିଡିଓରେ ରହିଛି। ଏ ନେଇ ଅଧିକ ତଦନ୍ତ ଆବଶ୍ୟକତା ରହିଥିବା ବେଳେ ବାରମ୍ବାର ଏପରି ଭିଡିଓ ଭାଇରାଲ ହେବା ଚିନ୍ତା ବଢାଇଛି । ଯାହାକୁ ନେଇ ସେବାୟତ ମାନେ କ୍ଷୋଭ ପ୍ରକାଶ କରିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶାସନ କି ସରକାର କିଛି ଗୋଟେ ଠୋସ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ତେବେ ଆଣ୍ଟି ଡ୍ରୋନ ସିଷ୍ଟମର କଥା କୁହାଯାଉଥିବା ବେଳେ କେବେ ଏହା ଲାଗୁ କରାଯିବ ତାହା ଦେଖିବା କୁ ବାକି ରହିଅଛି।

ରାଉରକେଲା ବାଲୁଘାଟ ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡି ଜବତ

ରାଉରକେଲା : ରାଉରକେଲା ବାଲୁଘାଟ ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡି ଜବତ। ୧୧୬ ପେଟି ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ। ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ଚାଲାଣ କରାଯାଉଥିବା ବେଳେ ଏହାକୁ ଜବତ କରାଯାଇଛି। ଜବତ କାର୍ଟୁନ ଭିତରେ ରହିଛି ୨୩ ହଜାର ୨୦୦ଟି ବିସ୍ଫୋରକ ପ୍ୟାକେଟ୍। ବିସ୍ପୋରକ ସାମଗ୍ରୀ ଜବତ କରି ରଘୁନାଥପାଲି ଥାନା ପୋଲିସ ତଦନ୍ତ ଜାରି ରଖିଛି। ରଘୁନାଥପାଲି ଥାନାରେ ପହଞ୍ଚି ତଦନ୍ତ କରୁଛି ଏସଆଇଟି ଟିମ୍। ଘଟଣାରେ ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଓ ଗାଡି ଡ୍ରାଇଭର ଅଟକ ଅଛନ୍ତି। ପୋଲିସ ପକ୍ଷରୁ ପଚରାଉଚରା ଜାରି ରହିଛି। ଏହି ବିସ୍ଫୋରକ କେଉଁଠିକୁ ଯାଉଥିଲା ସେନେଇ ଛାନବିନ ଚାଲିଛି। ଆଜିର ୧୧୬ ପେଟି ବିସ୍ଫୋରକର କୌଣସି କାଗଜପତ୍ର ନଥିବାରୁ ସନ୍ଦେହ ବଢ଼ିଛି। ବେଆଇନ ଭାବେ ବିସ୍ଫୋରକ ଚାଲାଣ ଅଭିଯୋଗରେ ପଚରାଉଚରା ଚାଲିଛି।

ଉପରେ ଅସଲି ନୋଟ, ଭିତରେ ରଖୁଥିଲେ ପେପର କଟିଂ

ଭୁବନେଶ୍ବର : ମୋ ପାଖରେ ପୁଳା ପୁଳା ଶହେ ଟଙ୍କିଆ ନୋଟ ଅଛି। ଲକ୍ଷ ଲକ୍ଷ ଟଙ୍କାର କଳାଧନ ରହିଛି । ଆପଣ ଯଦି ଶହେ ଟଙ୍କିଆ ନୋଟ ନେଇ ପ୍ରତିବଦଳରେ ୫ ଶହ ଟଙ୍କିଆ ନୋଟ ଦେବେ ତେବେ ଆପଣଙ୍କୁ ଦୁଇଗୁଣ ଟଙ୍କା ଦିଆଯିବ। କଳା ଧନକୁ ଧଳା କରିଦେଲେ ଦୁଇ ଗୁଣ ଟଙ୍କା ଫେରସ୍ତ ମିଳିବ। ଗୋଟିଏ ୫ ଶହ ଟଙ୍କିଆ ନୋଟ ଦେଲେ ୧୦ଟି ଶହେ ଟଙ୍କିଆ ନୋଟ ମିଳିବ। ଏଭଳି କଥା କହି ରାଜଧାନୀ ଭରତପୁର ଓ ନୟାପଲ୍ଲୀ ଥାନା ଅଞ୍ଚଳରେ ଜାଲ ବିଛାଇ ଗତ ଫେବୃଆରୀ ମାସରେ ଦୁଇ ଜଣଙ୍କୁ ଚୁନ ଲଗାଇଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସର୍ ସ୍ପେଶାଲ ସ୍କ୍ବାଡ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି। ଏମାନେ ବ୍ୟାଗରେ ରଖିଥିବା ଟଙ୍କା ବିଡ଼ା ଉପରେ ଅସଲି ଟଙ୍କା ରଖି ବିଡ଼ା ଭିତରେ ପେପର କଟିଂ ପୁରାଇ ଚକମା ଦେଉଥିଲେ। ନୟାପଲ୍ଲୀ ଅଞ୍ଚଳର ଜଣଙ୍କ ଠାରୁ ଏଭଳି ମିଠା ମିଠା କଥା କହି ୬ ଲକ୍ଷ ଓ ଭରତପୁର ଥାନା ଅଞ୍ଚଳରୁ ୪ ଲକ୍ଷ ୩୦ ହଜାର ଠକି ନେଇଥିଲେ ଠକ।ସେମାନଙ୍କ ଠାରୁ ୧ ଲକ୍ଷ ଟଙ୍କା, ମୋବାଇଲ ଆଦି ଜବତ କରାଯାଇଛି।

ବାଲୁଚ ସେନାର ନିୟନ୍ତ୍ରଣରେ ଆଉ ଏକ ପାକିସ୍ତାନୀ ସହର, ୩ଘଣ୍ଟାର ଅପରେସନରେ ଆଣ୍ଠୁମାଡି ବସିଲା ସେନା

ନନ୍ଦିଘୋଷ ବ୍ୟୁରୋ :  ବାଲୁଚ ସେନା ସହ ପାକିସ୍ତାନୀ ସେନା ଲଢିବା କଷ୍ଟକର ହୋଇପଡିଛି । ବାଲୁଚ୍ ଲିବରେସନ୍ ଆର୍ମି ଗୋଟିଏ ପରେ ଗୋଟିଏ ପାକିସ୍ତାନୀ ସହରକୁ ନିୟନ୍ତ୍ରଣକୁ ନେଉଥିବା ଦାବି କରୁଛି । ବେଲୁଚିସ୍ତାନ ସୀମାନ୍ତରେ ଥିବା ସୁରାବ ସହରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଥିବା ଶନିବାର ଦାବି କରିଛି । ଶତ୍ୟୁ ରାଷ୍ଟ୍ରର ପ୍ରଶାସନିକ, ଶାମରିକ ଓ ଅର୍ଥି୍ ଭିତ୍ତିଭୂମିକୁ ଧ୍ବଂସ କରିଦେଇଛି ।

ଏଡି ଘଟଣା ଏହି ସମୟରେ ହୋଇଛି, ଯେତେବେଳେ ପାକିସ୍ତନର ସେନା ମୁଖ୍ୟ ବଓୀମ ମୁନି କ୍ବେଟା ସହର ଗସ୍ତ କରିଥିଲେ । ଏଥିରୁ ଅନୁମାନ କରାଯାଇପାରେ ଯେ ବାଲୁଚ ସେନାର ଉଦ୍ଦ୍ୟେଶ୍ର କେତେ ଦୃଢ । ବାଲୁଚ ମୁଖ୍ୟ ଜିୟନ୍ଦ ବାଳୁଜ କରିଛନ୍ତି ଶୁକ୍ରବାର ଦିନ ୩ ଘଣ୍ଟା ଅପରେସନ ଜାରି ରହିଥିଲା । ଏହି ସମୟରେ ସ୍ବାଧିନତା ସଂଗ୍ରମୀମାନେ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଓ ରାଜପଥକୁ ଅତିଆର କରିଥିଲେ ।

ଜିୟାନ୍ଦ ବାଲୋଚ୍ କହିଛନ୍ତି ଯେ ଯୋଦ୍ଧାମାନେ ଏକ ପାକିସ୍ତାନୀ ଲେଭିଜ୍ ଷ୍ଟେସନ୍, ପୋଲିସ ଷ୍ଟେସନ୍, ଡେପୁଟି କମିଶନର ଅଫିସ୍, ଅତିଥି ଗୃହ ଏବଂ ଏକ ବ୍ୟାଙ୍କ କବଜା କରିଥିଲେ ଓ ଶତ୍ରୁ ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇଥିଲେ। BLA ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, ସ୍ୱାଧୀନତା ସଂଗ୍ରାମୀମାନେ ଶତ୍ରୁ ବାହିନୀର ତିନୋଟି ଗାଡ଼ି, ରାଜ୍ୟ ଗୋଦାମ, ଗୋଟିଏ ଅତିଥି ଗୃହ ଏବଂ ତିନୋଟି ବ୍ୟାଙ୍କରେ ନିଆଁ ଲଗାଇ ଦେଇଥିଲେ, ଯେତେବେଳେ ଦୁଇଟି ଗାଡ଼ି ଜବତ କରାଯାଇଥିଲା।

ହେଟ୍ ସ୍ପିଚ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ବିଧାୟକ

ନନ୍ଦିଘୋଷ ବ୍ୟୁରୋ : ହେଟ୍‌ ସ୍ପିଚ୍‌ ମାମଲାରେ ମୁଖତାର ଅନସାରୀଙ୍କ ବିଧାୟକ ପୁଅ ଆବାସ ଅନସାରୀଙ୍କୁ ୨ ବର୍ଷ ଜେଲଦଣ୍ଡ ଦିଆଯାଇଛି। ମାଉ କୋର୍ଟ ଶନିବାର ଏହି ନିଷ୍ପତ୍ତି ଦେଇଛନ୍ତି। ଦଣ୍ଡ ଘୋଷଣା ସହିତ, ଆବାସ ବିଧାନସଭାର ସଦସ୍ୟତା ମଧ୍ୟ ହରାଇଛନ୍ତି। ବିଧାନସଭା ପ୍ରମୁଖ ସଚିବ ପ୍ରଦୀପ ଦୁବେ ଆସନଟିକୁ ଖାଲି ଘୋଷଣା କରି ନିର୍ବାଚନ କମିଶନଙ୍କୁ ଅବଗତ କରାଇଛନ୍ତି। ରବିବାର ଛୁଟିଦିନ ସତ୍ତ୍ୱେ, କାର୍ଯ୍ୟାଳୟଟି ସ୍ୱତନ୍ତ୍ର ଭାବରେ ଖୋଲାଯାଇଥିଲା ଏବଂ କମିଶନଙ୍କୁ ଚିଠି ପଠାଯାଇଥିଲା।

ଯେଉଁ ମାମଲାରେ ଆବାସ ଅନସାରୀଙ୍କୁ ଦଣ୍ଡ ଦିଆଯାଇଛି ତାହା ୨୦୨୨ ମସିହା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ଘଟିଥିବା ଏକ ଘଟଣା ସହ ଜଡ଼ିତ। ୨୦୨୨ରେ ମଉର ପହାଡ଼ପୁର ମୈଦାନରେ ଆୟୋଜିତ ଏକ ନିର୍ବାଚନୀ ଜନସଭାରେ ଅବ୍ବାସ ଅନସାରୀ ପ୍ରଶାସନିକ ଅଧିକାରୀମାନଙ୍କୁ “ସରକାର ଗଠନ ହେବା ପରେ ହିସାବ କରାଯିବ” ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ବୟାନକୁ ନେଇ ମଉ କୋତୱାଲୀ ଥାନାରେ ସବ୍-ଇନ୍ସପେକ୍ଟର ଗଙ୍ଗାରାମ ବିନ୍ଦଙ୍କ ମାମଲା ରୁଜୁ କରିଥିଲେ । ୩ ବର୍ଷ ପରେ ଏହି ମାମଲାର ଶୁଣାଣି ହୋଇଛି ।

ୟୁପି ସଚିବାଳୟ ଦ୍ୱାରା ମାଉ ଆସନକୁ ଖାଲି ଘୋଷଣା କରାଯାଇଛି। ଏହି ଘୋଷଣା ସହିତ, ଭାରତୀୟ ନିର୍ବାଚନ କମିଶନ ନିୟମ ଅନୁଯାୟୀ ଖାଲି ଆସନ ପୂରଣ ପାଇଁ ଛଅ ମାସ ମଧ୍ୟରେ ଏକ ଉପନିର୍ବାଚନ କରିବେ। ବିଧାନସଭାର ଆବାସ ଅନସାରୀଙ୍କ ସଦସ୍ୟତା ସମାପ୍ତ ହେବା ମାତ୍ରେ ତାଙ୍କ ସୁରକ୍ଷା ମଧ୍ୟ ପ୍ରତ୍ୟାହାର କରିନିଆଗଲା।

୨୦୨୨ ବିଧାନସଭା ନିର୍ବାଚନରେ, ଆବାସ ଅନସାରୀ ତାଙ୍କ ବାପା ମୁଖତାର ଅନସାରୀଙ୍କ ସ୍ଥାନରେ ସଦର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେତେବେଳେ ଆବାସ ୧ ଲକ୍ଷ ୨୪ ହଜାର ୬୯୧ ଭୋଟ ପାଇ ନିର୍ବାଚନରେ ​​ବିଜୟୀ ହୋଇଥିଲେ, ଯେତେବେଳେ ଦ୍ୱିତୀୟ ସ୍ଥାନରେ ଥିବା ବିଜେପି ପ୍ରାର୍ଥୀ ଅଶୋକ ସିଂହ ୮୬ ହଜାର ୧୧୬ ଭୋଟ ପାଇଥିଲେ। ଆବାସ ଏହି ନିର୍ବାଚନରେ ୩୮ ହଜାର ୧୧୬ଭୋଟରେ ଜିତିଥିଲେ।