spot_img
Home Blog Page 7368

ମହିଳାଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମରିଲେ ଯୁବକ, ସିସିଟିଭିରେ କଏଦ ହେଲା ସମସ୍ତ ଦୃଶ୍ୟ

ଭୁବନେଶ୍ୱର: ରାଜଧାନୀର ବିଚ୍‌ ରାସ୍ତାରେ ମହିଳାଙ୍କୁ ମାଡ଼ । ହୋଲିରେ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ । କେବଳ ସେତିକି ନୁହେଁ ଗାଳିଗୁଲଜ କରିବା ସହ ବିଚ୍‌ ରାସ୍ତାରେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ମାରୁଛନ୍ତି କିଛି ଯୁବକ । ଗୋଇଠା,ବିଧା ସହ ମନଇଚ୍ଛା ମାଡ଼ । କ୍ଷଣକ ପାଇଁ ମଧ୍ୟ ଏହି ନୃସଂଶ ଚୁପ ରହୁନାହାଁନ୍ତି ।

ମାଡ଼ ଖାଇବା ପରେ ମହିଳା ଜଣଙ୍କ ତଳେ ପଡ଼ିଯାଉଛନ୍ତି । କିନ୍ତୁ ତଥାପି ଯୁବକ ମାନେ ଅଟକୁ ନାହାନ୍ତି । ଏହି ସଂଘବଦ୍ଧ ଆକ୍ରମଣର ସିସିଟିଭି ଭିଜୁଆଲ ଏବେ ସାମ୍ନାକୁ ଆସିଛି । ଆକ୍ରମଣର କାରଣ ଜମି ବିବାଦକୁ ନେଇ ହୋଇଥିବା ଜଣାପଡ଼ିଛି  ।  ପୁରୁଣା ଭୁବନେଶ୍ୱରରେ ଥିବା ତରଙ୍ଗ କ୍ଲବର କିଛି ଯୁବକମାନେ ଜୋର ଜବରଦସ୍ତ ଜାଗା ମାଡ଼ି ବସିଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ମହିଳାଙ୍କ ଘରେ କେହି ନ ଥିବା ବେଳେ ଆକ୍ରମଣ ହୋଇଥିଲା । ଏହା ପରେ ରାସ୍ତାରେ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା କୁହାଯାଉଛି । ତେବେ ଭିଡିଓଟି ପୁରୁଣା ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି ।

୪ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ, ବିଜେପି କହିଲା ଆମେ ଭୋଟ ଦେବୁନୁ

ଭୁବନେଶ୍ୱର: ରାଜ୍ୟସଭା ଆସନ ପାଇଁ ବିଜୁ ଜନତା ଦଳର ୪ ରାଜ୍ୟସଭା ପ୍ରାର୍ଥୀ ଆଜି ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ବିଧାୟକଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ୪ ପ୍ରାର୍ଥୀ। ବିଜେଡ଼ି ପକ୍ଷରୁ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା। ସଂଖ୍ୟା ଦୃଷ୍ଟିରୁ ବିଜେଡି ୩ଟି ଆସନ ନେବା ଏକପ୍ରକାର ସୁନିଶ୍ଚିତ ହୋଇଥିବା ବେଳେ ଅନ୍ୟ ଗୋଟିଏ ଆସନ ଲାଗି ବିଜେଡି ପ୍ରାର୍ଥୀଙ୍କୁ କଂଗ୍ରେସ କି ବିଜେପି ସମର୍ଥନ କରିବ କି ନାହିଁ ସ୍ପଷ୍ଟ ହୋଇନାହିଁ । ଏଥିସହିତ ଆବଶ୍ୟକ ସଂଖ୍ୟା ନଥିବାରୁ ପ୍ରାର୍ଥୀ ଦେବନି ବୋଲି ବିଜେପି କହିଛି । ଅପରପକ୍ଷରେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସେ କହିଛନ୍ତି ‘ ଆମ ବିଜେପି ସଂସଦୀୟ ବୋର୍ଡରୁ ସୂଚନା ଆସିଲେ କହିବୁ। ହେଲେ ଆମେ ପ୍ରାର୍ଥୀ ଦେବୁନୁ। ଯେଉଁଠି ଆମେ ପ୍ରାର୍ଥୀ ଦେବୁନି, ତାହେଲେ ଭୋଟ କାହିଁକି ଦେବୁ? ତେଣୁ ରାଜ୍ୟସଭା ନିର୍ବାଚନରେ ଆମେ ଭୋଟ ବି ଦେବୁନି।

ମାନବିକତା ଦେଖାଇଲେ ସାଂସଦ, ଆହତ ଯୁବକଙ୍କୁ ନିଜ ଗାଡ଼ିରେ ନେଲେ ଡାକ୍ତରଖାନା

ନବରଙ୍ଗପୁର: ଉମରକୋଟ ନବଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ଦୁର୍ଘଟଣା ବଢ଼ି ଚାଲୁଥିବା ସମୟରେ ମୃତ୍ୟୁ ସଂଖ୍ୟା ବି ସେହି ଅନୁସାରେ ବଢୁଛି । କିନ୍ତୁ କିଛି ସହୃଦୟ ବ୍ୟକ୍ତିଙ୍କ ମାନବିକତା ଯୋଗୁଁ କିଛି ଜୀବନ ବଞ୍ଚିଯାଉଛି। ଏମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି । ନବରଙ୍ଗପୁର ସାଂସଦ ରମେଶ ମାଝୀ ଆଜି ନିଜ ଘର ଦଣ୍ଡାମୁଣ୍ଡାରୁ ଉମରକୋଟ ଆସୁଥିବା ସମୟରେ ତେଣ୍ଡକା ଡୋଙ୍ଗରି ଗ୍ରାମ ନିକଟରେ ଏକ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିଥିବା ଦେଖି ସେଠାରେ ଅଟକି ଯାଇଥିଲେ ।

ପ୍ରଥମେ ୧୦୮ କୁ ଫୋନ୍ କରିଥିଲେ । କଲ୍ ନଯିବାରୁ ରମେଶ ମାଝୀ ନିଜ ଗାଡ଼ିରେ ଦୁର୍ଘଟଣା ଗ୍ରସ୍ତ ଲୋକୋଟିକୁ ଝରିଗାଁ ମେଡିକାଲ୍ କୁ ଆଣି ଚିକିତ୍ସା କରାଇଛନ୍ତି । ବ୍ୟକ୍ତି ଜଣକ ହେଲେ ସିନାପାଲି ଗ୍ରାମର ତେଜରମ୍ ମାଝୀ। ସେ ଦାବୁଗାଁ ବ୍ଲକରେ ଶିକ୍ଷକ ଭାବରେ କାମ କରନ୍ତି। ଶିକ୍ଷକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନବରଙ୍ଗପୁର ସ୍ଥାନାନ୍ତରିତ କରାଯିବ। ସାଂସଦଙ୍କ ଏହି କାମକୁ ସମସ୍ତେ ପ୍ରଶଂସା କରିଛନ୍ତି ।

୨୦ ବର୍ଷ ପରେ ବି ଯାହାଙ୍କ ରାଜନୈତିକ ପ୍ରତିକାର ଖୋଜି ପାଇ ନାହାନ୍ତି ବିରୋଧୀ !

ଆଞ୍ଚଳିକ ରାଜନୀତିରେ ଜାତୀୟ ଦଳଙ୍କୁ ମାତ୍ ଦେଇ ୨୦ ବର୍ଷର ଲମ୍ବା ଇନିଂସ ଖେଳିବା ଯେତିକି ବିରଳ ସେତିକି ରାଜନୈତିକ ପରିପକ୍ୱତାର ଉଦାହରଣ । ଜ୍ୟୋତି ବସୁ ଓ ମାଣିକ୍ ସରକାରଙ୍କ ଭଳି ହାତ ଗଣତି କେଇ ଜଣଙ୍କୁ ଛାଡି ଦେଲେ ୨୦ ବର୍ଷ ଧରି ଗୋଟିଏ ରାଜ୍ୟର ଭୋଟରଙ୍କ ବିଶ୍ୱାସ ଓ ଭଲ ପାଇବା ଜିତିବା କିଛି ଛୋଟ କଥା ନୁହେଁ । ନବୀନ ପଟ୍ଟନାୟକ ସେଇ ହାତ ଗଣତି ନିର୍ବାଚିତ ନେତାଙ୍କ ମଧ୍ୟରୁ ଜଣେ ଯିଏ ଏହି କ୍ଲବରେ ସାମିଲ ହୋଇଛନ୍ତି । ଜାତୀୟ ରାଜନୀତିରେ ତାଙ୍କ ପରିଚୟ ହେଉଛି ଏମିତି ଜଣେ ନେତାଙ୍କର ଯିଏ ମୁହାଁମୁହିଁ ହେବା ରାଜନୀତିରେ ବିଶ୍ୱାସ କରନ୍ତି ନାହିଁ,ସେ ସମସ୍ତଙ୍କୁ ସାଥିରେ ନେଇ ଚାଲିବା ରାଜନୀତିରେ ବିଶ୍ୱାସ କରନ୍ତି । ବିଭିନ୍ନ ସମୟରେ ସେ ନେଇଥିବା ବିଚକ୍ଷଣ ଓ ଅପ୍ରତ୍ୟାଶିତ ନିଷ୍ପତ୍ତି ତାଙ୍କୁ କରିଛି ନେତା ନମ୍ବର ୱାନ । ଲେଫ୍ଟ ରାଇଟ ଓ ସେଣ୍ଟରର ପଲିଟିକସରେ ସେ ଏବେ ପକ୍କା ଖେଳୁଆଡ । ତାଙ୍କ ସମର୍ଥନ ପାଇଁ ଅନାଇ ବସିଛନ୍ତି ଦେଶର ବହୁ ପୂରାତନ ଦଳର ମାଷ୍ଟର ଖେଳାଳି । ୨୦ ବର୍ଷରେ ନବୀନ ପଟ୍ଟନାୟକ ପାଲଟି ଯାଇଛନ୍ତି ନେତା ନମ୍ବର ୱାନ ।

  ଆରମ୍ଭରୁ ଆରମ୍ଭ

ଦିନେ ସେ ଥିଲେ ରାଜ୍ୟବାସୀଙ୍କ ପାଇଁ ଅପରିଚିତ। ହେଲେ ରାଜ୍ୟ ରାଜନୀତିରେ ଏବେ ସେ ଅପରାଜେୟ । ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ରାଜ୍ୟ ରାଜନୀତିରେ ଉଭା ହେଲେ ନବୀନ ପଟ୍ଟନାୟକ। ଆସିକା ଲୋକସଭାରୁ ଉପ-ନିର୍ବାଚନ ଜିତିବା ପରେ କେନ୍ଦ୍ରମନ୍ତ୍ରୀ ହେଲେ ନବୀନ । କିଛି ମାସ ଭିତରେ ବିଜୁ ଆଦର୍ଶ ନେଇ ଗଠନ ହେଲା ନୂଆ ଆଞ୍ଚଳିକ ଦଳ। ୨୭ ଡିସେମ୍ବର ୧୯୯୭ ଜନ୍ମ ନେଲା ବିଜୁ ଜନତା ଦଳ । ଆଉ ମହାବାତ୍ୟା ପରେ ରାଜ୍ୟବାସୀଙ୍କ ବିଶ୍ୱାସ ଜିତି ଏକ ନନ୍‌ଷ୍ଟପ୍‌ ଶାସନର ଶୁଭାରମ୍ଭ କରିଥିଲେ ନବୀନ ପଟ୍ଟନାୟକ ।

୧୯୯୯ ମହାବାତ୍ୟା। ତାଣ୍ଡବ ରଚିଲା ପ୍ରକୃତି । ଗୋଟିଏ ପବନରେ ଟାଣି ନେଇଗଲା ୧୦ହଜାରରୁ ଅଧିକ ଜୀବନ । ଆକାଶମାର୍ଗରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସହ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସେଦିନର କେନ୍ଦ୍ରମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ବିପର୍ଯ୍ୟୟ ମୁକାବିଲାରେ ଫେଲ୍‌ ମାରିଥିବା କଂଗ୍ରେସ୍‌ ଠାରୁ ମୁହଁ ଫେରାଇଥିଲେ ଓଡ଼ିଶାବାସୀ । ବିକଳ୍ପ ଖୋଜିବା ବେଳେ ବିଶ୍ୱାସର ସାଥୀ ହୋଇ ଛିଡ଼ା ହୋଇଥିଲା ବିଜେଡି । ୨୭ ଡିସେମ୍ବର ୧୯୯୭ରେ ଗଠନ ହୋଇଥିବା ବିଜେଡିର ବୟସ ହୋଇଥାଏ ମାତ୍ର ୨ବର୍ଷ । ଦିଲ୍ଲୀପ ରାୟ, ରାମକୃଷ୍ଣ ପଟ୍ଟନାୟକ, ବିଜୟ ମହାପାତ୍ର ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରି ନେତା ଥାନ୍ତି ଦଳର ପ୍ରତିଷ୍ଠାତା ସଦସ୍ୟ । ନୂଆ ଓଡ଼ିଶା ଗଠନର ସଂକଳ୍ପ ନେଇ ପ୍ରତ୍ୟକ୍ଷ ନିର୍ବାଚନ ମୈଦାନକୁ ଓହ୍ଲାଇଲେ ନବୀନ ପଟ୍ଟନାୟକ। ନେତୃତ୍ୱକୁ ମିଳିଲା ସ୍ୱୀକୃତି । ଅଟଳ ବିହାରୀ ବାଜପେୟୀଙ୍କ ବିଜେପି ସହ ମିଶି ସରକାର ଗଢିଲା ବିଜେଡି। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନବୀନ ।

ନବୀନ ସରକାରର ୨୦ବର୍ଷର ଏ ଲମ୍ବା ଯାତ୍ରା । ତିତଲି, ହୁଡହୁଡ, ଫାଇଲିନ୍‌, ଫନି ଓ ବୁଲବୁଲ ପରି ଅନେକ ବାତ୍ୟା ଦେଖିଛି ଓଡ଼ିଶା । ମୃଦୁ ଭୂମିକମ୍ପରେ କେବେ ଦୋହଲି ଯାଇଛି, ତ କେତେବେଳେ ବନ୍ୟାର ଗୋଳିପାଣିରେ ଘରଦ୍ଵାର ଭାସି ଯାଇଛି । ହେଲେ ହାର୍‌ ମାନିନି ଓଡ଼ିଶା, କି ହାର୍‌ ମାନି ନାହାଁନ୍ତି ନବୀନ । ଜିରୋ କାଜୁଆଲଟିର ନାରା ଦେଇ ଓଡ଼ିଶାର ବିକାଶର ଧାରାରେ ନବୀନ ଲେଖିଛନ୍ତି ନୂଆ ଇତିହାସ।  ବିପର୍ଯ୍ୟୟ ପରିଚାଳନାର ଏ କୈାଶଳକୁ ସାରା ବିଶ୍ୱ ଜଣାଇଛି ସାଧୁବାଦ । ମିଳିତ ଜାତିସଂଘ ସହ ଜାତୀୟ ଗଣମାଧ୍ୟମ ଦି ନ୍ୟୁୟର୍କ ଟାଇମସ୍‌ ବି ନବୀନଙ୍କ ବିପର୍ଯ୍ୟୟ ପରିଚାଳନା ନୀତି ଉପରେ ମୋହର ମାରିଛନ୍ତି।…

ମହାବାତ୍ୟା ପରେ ଅନେକ ହାୱା ବୋହିଛି। ହେଲେ ଯେଉଁ ହାୱା ବୋହିଛି, ତାହା ନବୀନ ହାୱା । ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇ ନବୀନ ପାଲଟିଛନ୍ତି ଅପରାଜେୟ । ରାଜ୍ୟ ରାଜନୀତିର ଏ ବିରଳ ସଫଳତା, ଜାତୀୟସ୍ତରରେ ନବୀନଙ୍କୁ ଦେଇଛି ପରିଚିତି ।

୨୦ ବର୍ଷ ହେଲା ଅପାରଜେୟ

ସେ ଯେବେଠୁ ରାଜନୀତିକୁ ଆସିଛନ୍ତି ହାରିବା ଦେଖିନାହାନ୍ତି । ଲଗାତର, ନିରନ୍ତର ଭାବେ ତାଙ୍କ ମଥାରେ ଲାଗିଛି ଓଡ଼ିଶାର ବିଜୟ ତିଳକ । ୨୦୦୦ରୁ ୨୦୧୯ ଯାଏ ରେକର୍ଡ ପାଞ୍ଚଥର କ୍ଷମତାର ଡୋରି ଧରିଥିବା ନବୀନ ପାଲଟିଛନ୍ତି ଏଯାଏଁ ଅପରାଜୟ । ବିରୋଧୀଙ୍କ ପ୍ରଚଣ୍ଡ ହାୱା ବହିଛି, ରାଜନୀତି ପଣ୍ଡିତଙ୍କ ଆକଳନ ତିଆରି କିରିଛି ଭିନ୍ନ ପରିବେଶ, କିନ୍ତୁ ପରାସ୍ତ ହୋଇ ନାହାନ୍ତି ନବୀନ । ନିର୍ବାଚନୀ ମହାଭାରତର କୁରୁକ୍ଷେତ୍ରରେ ବିଜେଡି ସୁପ୍ରିମୋଙ୍କ ସ୍ଥିତପ୍ରଜ୍ଞତା ସବୁ ସ୍ଥିତିକୁ ବଦଳାଇଦେଇ ନିଜ ସପକ୍ଷରେ ଟାଣି ଆଣିଛନ୍ତି ନିର୍ଣ୍ଣାୟକ ରାୟ।…..

ଜନ୍ମରୁ ବୋଧହୁଏ ବିଜୟ ଜାତକକୁ ନିଜ ପକେଟ୍‌ରେ ଧରି ବୁଲୁଛି ବିଜେଡି । ଲାଗୁଛି ଜନ୍ମକୁଣ୍ଡଳୀରେ ସବୁ ସ୍ଥାନରେ ଅଛନ୍ତି ବୃହସ୍ପତି । ୨୦୦୦ ମସିହାରେ ପ୍ରଥମ ଥର ପାଇଁ ନିର୍ବାଚନୀ ଦୌଡ଼ରେ ସାମିଲ ହେଲା ବିଜୁ ଜନତା ଦଳ । ନବୀନଙ୍କ ନେତୃତ୍ୱାଧିନ ଦଳ ପାଇଁ ପ୍ରଥମ ଅଗ୍ନିପରୀକ୍ଷା । ପଦ୍ମ ସହ ଶଙ୍ଖର ହେଲା ମେଣ୍ଟ । ୮୪, ୬୩ ଅନୁପାତରେ ଓଡ଼ିଶାରେ ଲଢ଼ିଲେ ଦୁଇ ଭାଇ ବିଜେଡି ବିଜେପି । ଜନାଦେଶ ସ୍ପଷ୍ଟ, ବିଜେଡି ଖାତାକୁ  ଗଲା ୬୮ ଓ ୩୮ ଆସନରେ ଫୁଟିଲା ପଦ୍ମ । ୨୦୦୪ରେ ବି ସମାନ ମେଣ୍ଟକୁ ମିଳିଲା ୯୩ ଆସନ । ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଗାଦିରେ ବସିଲେ ବିଜୁ ନନ୍ଦନ । କିନ୍ତୁ ୨୦୦୯ରେ ଲଗାତର ୯ ବର୍ଷ କ୍ଷମତାର ପୂର୍ଣ୍ଣମୀ ଦେଖିଆସୁଥିବା ବିଜେଡି ବିଜେପି ମେଣ୍ଟରେ ଲାଗିଲା ଗ୍ରହଣ । ଭାଇ ଭାଇ ସଂପର୍କରେ ପଡ଼ିଲା ପାଚେରୀ । ବାମ ଓ ଏନସିପି ସହ ମେଣ୍ଟ କରି ୨୦୦୯ ନିର୍ବାଚନୀ ବୈତରଣୀ ପାରି ହେବା ପାଇଁ ସ୍ଥିର କଲା ବିଜେଡି ।  ୧୦୩ ଆସନରେ ଜିତି ନବୀନ ମାରିଲେ ହ୍ୟ।ଟ୍ରିକ୍‌ । ତାଙ୍କ ମାଷ୍ଟରଷ୍ଟ୍ରୋକ୍‌ ଆଗରେ ଭୁଲ ପ୍ରମାଣିତ ହୋଇଥିଲା ରାଜନୀତି ମାଷ୍ଟ୍ରେଙ୍କ ସବୁ ଆକଳନ ।

ବିଜେଡିର ଗୋଟି ଚାଳନାରେ ଏନସିପିରୁ ଜିତିଥିବା ୪ ବିଧାୟକ ୨୦୧୨ରେ ଫୁଙ୍ଗିଲେ ଶଙ୍ଖ । ଆଉ ତାପରେ ୨୦୧୪ ଓ ୨୦୧୯ର ରାୟ ସମସ୍ତଙ୍କୁ ଆଚମ୍ବିତ କଲା । ସାରା ଦେଶରେ ମୋଦି ହାୱା ବୋହୁଥିଲା ବେଳେ ନବୀନଙ୍କ ପାଇଁ ଭୋଟରଙ୍କ ଭଲପାଇବା ମୋଦି ସୁନାମୀକୁ ନିଷ୍ପ୍ରଭ କରିଦେଇଥିଲା । ସାଢ଼େ ୪ କୋଟି ଜନତାଙ୍କ ସାହା ଭରସା ସାଜିଥିବା ବିଜୁଙ୍କ ସାନ ପୁଅଙ୍କୁ ଓଡ଼ିଶାବାସୀ ଅଜାଡ଼ିଦେଲେ ଅଜାଚିତ ଭଲପାଇବା । ଜନ୍ମରୁ ମୃତ୍ୟୁ ଯାଏଁ ଜନକଲ୍ୟାଣ ଯୋଜନା ଜୋଖିଥିବା ଏହି ଜନନାୟକଙ୍କୁ ଜନତା ପିନ୍ଧାଇଛନ୍ତି ବିଜୟର ଟୀକା ।

ନିର୍ବାଚନ ପରେ ନିର୍ବାଚନ ଯାଏ, ଆଉ ଆସେ । ପ୍ରତିଥର ତିଆରି ହୁଏ ସରକାର ବିରୋଧୀ ହାୱାର ହଲଚଲ । ଦଳର ନେତାଙ୍କ ଭିତରେ ଛନକା ବି ପଶେ । କିନ୍ତୁ ଯେବେ ମଇଦାନକୁ ଓହ୍ଲାନ୍ତି ନବୀନ ବଦଳିଯାଏ ସବୁ ସମୀକରଣ । ୨୦୧୯ରେ ଦେଖିବାକୁ ମିଳିଥିଲା ସେଭଳି କିଛି କିମିଆ । ‘ଆପଣ ମାନେ ଖୁସି ତ’ କହି ଲୋକଙ୍କୁ ଖୁସି ଅଜାଡ଼ିଥିଲେ ନବୀନ । ଆଉ ପ୍ରତିଦାନରେ ତାଙ୍କୁ ମିଳିଥିବା ଖୁସି ଦେଖି ପୁଣି ୫ ବର୍ଷ ପାଇଁ ଦୁଃଖୀ ହୋଇଗଲେ ବିରୋଧୀ ।

ରାଜନୀତିର ଅଷ୍ଟମ ଆଶ୍ଚର୍ଯ୍ୟ

ନେତା ଯାଆନ୍ତି, ନେତା ଆସନ୍ତି । ଅନେକ ନେତାଙ୍କୁ ବି ଦେଖାଇ ଦିଆଯାଇଛି ପ୍ୟାଭିଲିୟନର ରାସ୍ତା । କିନ୍ତୁ ନିଜ ଅଧିନାୟକତ୍ୱରେ ଅଟଳ ଓ ଅଚଳ ଥିଲେ କ୍ୟାପଟେନ କୁଲ୍‌ ନବୀନ । ୨୦୦୯ରେ ବିଜେପି ସହ ପାର୍ଟନରସିପ୍‌ ଭାଙ୍ଗିବା ପରେ ନବୀନ ଖେଳିଥିଲେ ରକ୍ଷଣଶୀଳ ଇନିଂସ ।

ପିଚ୍‌ କଠିନ ଥିଲା । ବିରୋଧର ବାଉନସର ଓ ସତ୍ତା ବିରୋଧୀ ହାୱାର ସଟ୍‌ ବଲ୍‌ରେ ବାଉଣ୍ଡାରି ପାଖରେ କ୍ୟାଚ୍‌ କରାଇ ନବୀନଙ୍କୁ ଆଉଟ୍‌ କରିବା ପାଇଁ ହୋଇଥିଲା ରଣନୀତି । କିନ୍ତୁ ରାଜନୀତିର ମଇଦାନରେ ଧୀରେ ଧୀରେ ପରିପକ୍ୱ ହେଉଥିବା ବ୍ୟାଟସ୍‌ମ୍ୟାନ ନବୀନ, ସଟ୍‌ ବଲ୍‌ ଓ ସ୍ଲଗ୍‌ ଓଭରରୁ ଉଠାଇଥିଲେ ଭରପୁର ଫାଇଦା । ପୁଣି ରେକର୍ଡ ତାଲିକାରେ ବଡ଼ କୀର୍ତ୍ତିମାନ ଯୋଡ଼ିଥିଲେ ବିଜେଡି କିଙ୍ଗ୍ ।

୨୦୦୯ ନିର୍ବାଚନ ପୂର୍ବରୁ ହୋଇଥିଲା ବିଜେଡି-ବିଜେପି ରାଜନୈତିକ ଛାଡ଼ପତ୍ର । ୬୩ ବିଧାନସଭା ମୈଦାନରେ ପିଚ୍‌ ଥିଲା ସଂପୂର୍ଣ୍ଣ ନୂଆ । କୋଇଲା, ଖଣି ଦୁର୍ନୀତି ଓ ଆଇନଶୃଙ୍ଖଳାର ବାଉନ୍‌ସର ପକାଇ ବିଜେଡିକୁ କ୍ଲିନ ବୋଲ୍ଡ କରିବାକୁ ଚାହୁଁଥିଲେ କଂଗ୍ରେସ ଓ ବିଜେପି ।  ଖଣି ଓ କୋଇଲା ଦୁର୍ନୀତିକୁ ନେଇ ତ କଥା ଥାର୍ଡ ଅମ୍ପାୟର ସିବିଆଇ ଯାଏ ଯାଇଥିଲା । ଏଥିସହ ନବୀନଙ୍କ ଓଡ଼ିଆ ଜ୍ଞାନର ସ୍ଲଗ ଓଭରରୁ ଫାଇଦା ଉଠାଇ ଓଭରଥ୍ରୋ ଜରିଆରେ ଭୋଟ୍‌ର ଏକ୍ସଟ୍ରା ରନ୍‌ କାଢ଼ିବାକୁ ଚାହୁଁଥିଲେ ବିରୋଧୀ । କିନ୍ତୁ ପ୍ରତିପକ୍ଷର ଚାଲ୍‌କୁ ବୁଝି କିଛି ପୁରୁଣା ଓ ଅନେକ ନୂଆ ମୁହଁକୁ ନେଇ କ୍ୟାପଟେନ୍‌ ନବୀନ ସଜାଇଥିଲେ ବ୍ୟାଟିଂ ଅର୍ଡର । ଧଳା କୁର୍ତ୍ତା, ପାଇଜାମା ସହ ହଳେ ଚପ୍ପଲ ପିନ୍ଧି ଜୀବନ ଅତିବାହିତ କରୁଥିବା ନବୀନଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବ ମୂର୍ତ୍ତି ଆଗରେ ଖେଳ ଭୁଲିଯାଇଥିଲେ ପ୍ରତିପକ୍ଷ । ବିରୋଧୀଙ୍କ ଅଭିଯୋଗର ୟର୍କର ଉପରେ ଧୁମ୍‌ ଧୁଲାଇ କରିଥିଲେ।

ନବୀନଙ୍କ ନୂଆ ଉପାୟ ଦେଖି ନିରୁପାୟ ହେଲେ ବିରୋଧୀ । ୨୦୦୦ ମସିହା ପୂର୍ବ ଓ ପରର ରାଜ୍ୟ ବିକାଶକୁ ମୁଦ୍ଦ। କଲା ବିଜେଡି । ନିଜ ସରକାରର ରନ୍‌ରେଟ୍‌ ଆଧାରରେ ରାଜ୍ୟବାସୀଙ୍କୁ ବିକାଶର ଫିଡ଼ବ୍ୟାକ୍‌ ମାଗିଲା ଶାସକ ଦଳ । ଜନ୍ମରୁ ମୃତ୍ୟୁ ଯାଏ ନବୀନ ସରକାର ଖଞ୍ଜିଥିବା ଯୋଜନା ସରକାର ବିରୋଧୀ ହାୱାକୁ ନିର୍ବାଚନୀ ପାଭିଲିୟନର ଏତେ ବାହାରକୁ ଫିଙ୍ଗିଲା ଯେ ଏଯାଏଁ ବିରୋଧୀ ଖେଳ ଭୁଲିଯାଇଛନ୍ତି ।

ଭାରତୀୟ ରାଜନୀତିର ବିଭିନ୍ନ ଜାଗାରେ ରହିଛି ଭିନ୍ନ ଭିନ୍ନ ରକ୍ତ ଚରିତ୍ର । କେଉଁଠି ସରକାର ବଦଳିବା ପାଇଁ ସମୟ ଲାଗିଛି ତ ପୁଣି କେଉଁଠି ପ୍ରତି ୫ ବର୍ଷରେ ବଦଳୁଛନ୍ତି ସରକାର । ଚର୍ଚ୍ଚା ହେଉଥିଲା ନବୀନ ବି ଭୋଗିବେ ସମଦଶା । ହେଲେ ବାପା ବିଜୁ ପଟ୍ଟନାୟକଙ୍କ ଭଳି ନବୀନ ଏମିତି ଲୋକଙ୍କ ହୃଦୟରେ ଘର କରିନେବେ ତାହା ସ୍ୱପ୍ନରେ ବି ଭାବିନଥିଲେ ବିରୋଧୀ । ତେଣୁ ଆଣ୍ଟି ଇନ୍‌କମ୍ବେନ୍‌ସିର କୈାଣସି ପ୍ରଭାବ ପଡ଼ି ନଥିଲା ନବୀନ୍‌ ସରକାର ଉପରେ।

ନବୀନ ଆଣ୍ଟି ଡୋଜ୍ ଖୋଜିବାରେ ବିଫଳ ବିରୋଧୀ !

ଓଡ଼ିଶା ରାଜନୀତିର ‘ନବୀନ’ ନକ୍ସ। ଆଗାରେ ହଜିଗଲାଣି ବିରୋଧୀଙ୍କ ଭୂଗୋଳ । ୨୦ ବର୍ଷର ଶାସନ ଭିତରେ ଲୋକପ୍ରିୟତା ଲକ୍ଷେ ଗୁଣ ବଢ଼ିଛି ପଛେ କିନ୍ତୁ କେବେ ଘୁଣ ଖାଇନି । ବିରୋଧୀ ଗର୍ଜିଛନ୍ତି, ବର୍ଷିଛନ୍ତି ଆଉ କ୍ଷମତା ଛଡ଼ାଇନେବାର ପ୍ରଚେଷ୍ଟା ବି କରିଛନ୍ତି କିନ୍ତୁ ସବୁ କିଛି ଫସର ଫାଟିଛି ନବୀନଙ୍କ ନେତୃତ୍ୱ ଆଗରେ । ଦୁଇ ଦଶନ୍ଧିର ଯାତ୍ରରେ ଅନେକ ଝଡ଼ ଝଞ୍ଜା ଆସିଛି କିନ୍ତୁ ସବୁ କିଛିକୁ ନିଜେ ନୀଳକଣ୍ଠ ହୋଇ ପାନ କରିଛନ୍ତି ଝଡ଼ର ଇଗଲ୍‌ଙ୍କ ସୁପୁତ୍ର । ଓଡ଼ିଶା ଓ ଓଡ଼ିଆଙ୍କୁ ଭଲ ପାଇଛନ୍ତି ଆଉ ତା ପ୍ରତିଦାନରେ ଓଡ଼ିଶାବାସୀ ଦେଇଛନ୍ତି ପୁଳା ପୁଳା ପ୍ରେମର ପୁଞ୍ଜି । ଦଳ ଭିତରେ ବିଭିଷଣଙ୍କ କଥା ଛାଡ଼ନ୍ତୁ ବିରୋଧୀଙ୍କୁ କିପରି ସଂପୂର୍ଣ୍ଣ ଭାବେ ନିଶ୍ଚିହ୍ନ କରାଯାଇପାରେ, ସେ କୈାଶଳ ନବୀନଙ୍କଠାରୁ ଭଲ ଭାବେ କେହି ଜାଣନ୍ତି ନାହିଁ।

୨୦୦୦ ମସିହାରେ ଅଟଳ ବିହାରି ବାଜପେୟୀଙ୍କ ବିଜେପି ସହ ମିଶି ଓଡ଼ିଶାରେ ଶାସନର ଡୋରୀ ଧରିଲା ବିଜେଡି । ମଙ୍ଗ ଧରିଲେ ରାଜନୀତିର ନୂଆ ଷ୍ଟାର ନୀବନ ପଟ୍ଟନାୟକ । ୨୦୦୪ରେ କିନ୍ତୁ କେନ୍ଦ୍ରରେ ସରିଗଲା ବାଜପେୟୀଙ୍କ ସୁବର୍ଣ୍ଣ ଯ଼ୁଗ । କଂଗ୍ରେସର କମ୍‌ବ୍ୟାକ୍‌ ଆଗରେ ଫିକା ପଡ଼ିଗଲା ବିଜେପିର କନଫିଡେନ୍ସ । କିନ୍ତୁ ରାଜ୍ୟରେ କାଏମ ରହିଲା ବିଜେଡି ବିଜେପି ମେଣ୍ଟ ସରକାରର କରିସ୍ମା ।  ପରବର୍ତ୍ତି ନିର୍ବାଚନ ପୂର୍ବରୁ ଧର୍ମ ନିରପେକ୍ଷତାର ନାରା ଦେଇ ବିଜେଡି-ବିଜେପି ଠାରୁ ଦୂରେଇ ଗଲା।  ୨୦୦୯ ନିର୍ବାଚନରେ ଚର୍ଚ୍ଚା ହେଲା ବିଜେପି ବିନା କ୍ଷମତା ରାଜନୀତିରେ ଅସ୍ଥିତ୍ୱ ହରାଇବ ବିଜେଡି । ୧୯୯୯ର ମହାବାତ୍ୟା ପରେ କ୍ଷମତା ରାଜନୀତିର ପାଣିରୁ ବାହାରିଥିବା ଶଙ୍ଖ, ପଦ୍ମ ପାଖୁଡ଼ା ବିନା ଲୀନ ହୋଇଯିବ । କିନ୍ତୁ ବାମ ଦଳ ଓ ଏନସିପି ସହ ସାନଦାର ପାରି ଶଙ୍ଖର ଶବ୍ଦକୁ ଆହୁରୀ ଶାଣିତ କଲା । ୧୦୩ ବିଜେଡି ବିଧାୟକ, ୪ ଏନସିପି ଓ ଜଣେ ବାମ ଦଳ ବିଧାୟକଙ୍କୁ ନେଇ ସରକାର ଗଢିଲେ ନବୀନ। ଆଉ ଯେଉଁ ବିଜେପି ଭାବୁଥିଲା ପଦ୍ମ ବିନା ଶଙ୍ଖର ଅସ୍ଥିତ୍ୱ ରହିବନି, ତାହା ଭୁଲ ପ୍ରମାଣିତ ହେଲା। କେବଳ ୬ ବିଧାୟକ ଓ ବିନା ସାଂସଦରେ ଲଜ୍ଜାଜନକ ସ୍ଥିତିରେ ପହିଁଚିଲା ବିଜେପି ।

ସରକାର ମେଣ୍ଟରେ ଚାଲିଲା କିନ୍ତୁ ଅନ୍ୟ ଦଳରୁ କେହି ବି ନଥିଲେ ମନ୍ତ୍ରୀମଣ୍ଡଳରେ ।

୨୦୧୨ ମସିହାରେ ନବୀନଙ୍କ ଗୋଟିଚାଳନା ଯୋଗୁ ଏନିସିପି ଶିବିରର ୪ ବିଧାୟକ ବି ବିଜେଡିରେ ସାମିଲ ହେଲେ । କିନ୍ତୁ ସେହି ୨୦୧୨ ମସିହାର ମେ ୨୯ର ମିଡ୍‌ନାଇଟ୍‌ ଅପରେସନ ଆଜି ବି ରହସ୍ୟାବୃତ୍ତ । ତତ୍କାଳୀନ ଦ୍ୱିତୀୟ କ୍ଷମତାକେନ୍ଦ୍ର ପ୍ୟାରି ମହାପାତ୍ରଙ୍କ କ୍ଷଡ଼ଯନ୍ତ୍ର ସେତେବେଳେ ହଜାଇଦେଇଥିଲା ସମସ୍ତଙ୍କ ନିଦ । କିନ୍ତୁ କିଛି ସମୟ ଭିତରେ ଫସର ଫାଟିଥିଲା ପ୍ୟାରିଙ୍କ ପରାକ୍ରମ । ତାପରେ ପରେ ୧୪ ନିର୍ବାଚନ ପୂର୍ବରୁ ବିରୋଧୀ ଶିବିରରେ ବୋହିଥିଲା ନବୀନ ଝଡ଼ । ବିଜୁ ପୁତ୍ରଙ୍କ ବିକାଶର ବାହାଦୂରି ଦେଖି ଜଣେ ପରେ ଜଣେ ସାମିଲ ହୋଇଥିଲେ ବିଜେଡିରେ । ଭୂପିନ୍ଦର ସିଂ, ଅନୁପ ସାଏ, ବ୍ରଜ ପ୍ରଧାନ ଏମିତି ଅନେକ ନାଁ ସହ ଯୋଡ଼ି ହୋଇଥିଲା ବିଜେଡିର ଟ୍ୟାଗ୍‌ ।

୨୦୧୪ ଯାଏ ନିଶ୍ଚିନ୍ତରେ ଥିବା ବିଜେଡି କିନ୍ତୁ ୨୦୧୭ ପଂଚାୟତ ନିର୍ବାଚନ ପରେ ଚମକି ପଡ଼ିଥିଲା । ବିଜେପିର ଅପ୍ରତ୍ୟାଶିତ ଅଭ୍ୟୁଦୟ ନମ୍ବର ଗେମ୍‌ରେ କଂଗ୍ରେସକୁ  ତୃତୀୟ ସ୍ଥାନକୁ ଠେଲିଦେଲା । ଅବଶ୍ୟ ଏହା କଂଗ୍ରେସ ନିଷ୍ପ୍ରଭତାର ପରିଣାମ ଥିଲା । କିନ୍ତୁ କ୍ଷମତା ପାଇଁ ଦମ୍‌ ଲଗାଇଥିବା ବିଜେପିର ଚାଲ୍‌କୁ ବେଳ ଥାଉ ଥାଉ ବୁଝିନେଇଥିଲେ ବିଜୁ ନନ୍ଦନ । ୧୯ ଇଲେକ୍ସନ ପାଇଁ ଶାହାଙ୍କ ଶହେ କୋଡ଼ିଏ ମିଶନ, ମୋଦିଙ୍କ ମିଶନ ଓଡ଼ିଶା ସବୁ କିଛି ଫିକା ପଡ଼ିଥିଲା ନବୀନଙ୍କ ଦୃଢ଼ ନେତୃତ୍ୱ ଆଗରେ । ସ୍ଥିତପ୍ରଜ୍ଞତାର ବ୍ରହ୍ମାସ୍ତ୍ରରେ ସବୁ କିଛିକୁ ମୁକାବିଲା କରି ପୁଣି ନବୀନ ବନିଥିଲେ ନେତା ନମ୍ବର ୧ । ପାଟକୁରାରେ ପାଣି ପିଇଥିବା ବିଜେପି ବିଜେପୁର ବାଜିରେ ବି ଜନତାଙ୍କ ଠାରୁ ବାଏ ବାଏ ଶୁଣିଲା ।  ଆଉ ନିର୍ବାଚନ ପରବର୍ତ୍ତି ସମୟରେ ଯଦିଓ ଆଉ ସେ ଭାଉ ଖାଉନି ବିଜେପି କିନ୍ତୁ କେନ୍ଦ୍ର ରାଜ୍ୟର ସଂପର୍କରେ ଚିତ୍ର ବଦଳିଛି । ତୃଣମୂଳ ନେତା ଯେତେ ଚିତ୍କାର କରନ୍ତୁ, ବିରୋଧୀ ଦଳର ସର୍ବୋଚ୍ଚ ନେତା ନବୀନଙ୍କ ଅଙ୍କକଷାକୁ ନେଇ ସତର୍କତା ଅବଲମ୍ବନ କରନ୍ତି।

ଡିନର ଡିପ୍ଲୋମାସୀରୁ ସମଦୂରତା ଥିଓରୀ

କେବଳ ଓଡ଼ିଶା ରାଜନୀତିରେ ନୁହେଁ ଜାତୀୟ ରାଜନୀତିର ଚେସ୍‌ ଖେଳରେ ବି ନବୀନ ବହୁ ଆଗରେ । କିପରି ପ୍ରତିପକ୍ଷଙ୍କୁ ଚେକମେଟ ଦେବାକୁ ହୁଏ ସେ ଜାଣନ୍ତି ତାର ଠିକଣା ସମୟ । ଯେଉଁ ଓଡ଼ିଶା ଦିନେ ଜାତୀୟ ରାଜନୀତିରେ ସତ୍ତା ଜାହିର କରିବାରେ ବିଫଳ ଥିଲା କେବଳ ନବୀନଙ୍କ ପାଇଁ ଫ୍ରଣ୍ଟଫୁଟ ଖେଳାଳି ହୋଇ ଆତ୍ମପ୍ରକାଶ କରିବାରେ ହୋଇଛି ସଫଳ । ଲେଫ୍ଟ ରାଇଟ ସେଣ୍ଟରର ସମୀକରଣରେ ସେ କାହାର ସାଇଡ୍‌ ନେଇନଥିଲେ ମଧ୍ୟ ନିଜର ଡିଫରେଣ୍ଟ ଚେକ୍‌ ପାଇଁ ସୃଷ୍ଟି କରିପାରିଛନ୍ତି ନୂଆ କରିଡର । ରାଜନୀତିରେ ସମଦୂରତା ବଜାୟ ରଖି ପଲିଟିକାଲ ମାଇଲେଜ ନେବା କେହି ତାଙ୍କଠୁ ଶିଖିବା ଉଚିତ ।

ପଲିଟିକାଲ ମୈଦାନର ଧୂରନ୍ଧର ଖେଳାଳି ନବୀନ ପଟ୍ଟନାୟକ । ନୀରବତା ତାଙ୍କର ଅମୋଘ ଅସ୍ତ୍ର । ଗୋଟି ଚାଳନାରେ ନିଷ୍ପତ୍ତି ନେବାର ବିଚକ୍ଷଣ ବୁଦ୍ଧି ହିଁ ଆଜି ତାଙ୍କୁ କରିପାରିଛି ନେତା ନମ୍ବର ୱାନ । ନିରଙ୍କୁଶ ଶାସନ କରିବାର ସଫଳ ମନ୍ତ୍ରକୁ ସେ ଦିଲ୍ଲୀ ରାଜନୈତିକ କରିଡରରେ ମଧ୍ୟ ଆପ୍ଲାଏ କରି ପାଇଛନ୍ତି ଅପାର ସଫଳତା । ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନିତ କରିବା, ହକିକୁ ଜାତୀୟ ଖେଳର ମାନ୍ୟତା ଦେବା, ବିଶ୍ୱକପ ହକି ୯୦ ଦିନରେ ଆୟୋଜନ କରିବା, ଜାତୀୟ ରାଜନୀତିରେ ବିଜେଡ଼ି ଶାସକ ଓ ବିରୋଧୀଙ୍କ ସହ ମାପଚୁପ ସମ୍ପର୍କ ରଖିବା । ଏସବୁ କାର୍ଯ୍ୟପାଇଁ ୨୦୦୦ ମସିହାରୁ ୨୦୨୦ ଯାଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ରାଜନୀତିର ଜଣେ ଚର୍ଚ୍ଚିତ ବ୍ୟକ୍ତି ସାଜିଛନ୍ତି ।  କେନ୍ଦ୍ରରେ ୟୁପିଏ କି ଏନଡିଏ ସରକାର ହେଉ ସବୁ ସରକାରଙ୍କ ସହ ସମଦୂରତା ରକ୍ଷା କରି ନବୀନ ସଭିଙ୍କ ମନ ଜିଣିପାରିଛନ୍ତି । ଦିଲ୍ଲୀରେ ଓଡ଼ିଆ ନେତା ଯେ ଅଛୁଆଁ ତାକୁ ସେ ଭୁଲ ପ୍ରମାଣିତ କରିଛନ୍ତି । କେବଳ ରାଜନୀତି କଲେ ହିଁ ଜଣେ ଦିଲ୍ଲୀରେ ପତିଆରା ଦେଖାଇପାରିବ ତାହା ନୁହେଁ, ନିଜ ବାପା ବିଜୁ ବାବୁଙ୍କ ପରି କିଙ୍ଗ ମେକର ହୋଇ ମଧ୍ୟ ଭୁବନେଶ୍ୱରରୁ ଜାତୀୟ ସିଂହାସନକୁ ଅକ୍ତିଆର କରିହେବ ତାହା ଶିଖାଇଛନ୍ତି ନବୀନ ।

୨୦୧୧ ମସିହାରେ ନବୀନ ୟୁପିଏର ସମର୍ଥୀତ ପ୍ରାର୍ଥୀ ପ୍ରତିଭା ପାଟିଲଙ୍କ ବିପକ୍ଷରେ ସ୍ୱର୍ଗତ ପି.ଏ ସାଙ୍ଗାମାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ନବୀନ ଜାତୀୟ ରାଜନୀତିରେ ଜାହିର କରିଥିଲେ ଉପସ୍ଥିତି । କୈାଣସି ଏକ ଆଞ୍ଚଳିକ ଦଳ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ଦେବାରେ ନବୀନଙ୍କ ଏହି ନିଷ୍ପତି ଥିଲା ଐତିହାସିକ । ସାଙ୍ଗମା ହାରିଥିଲେ ସତ ହେଲେ, ନବୀନ କିନ୍ତୁ ତାଙ୍କର ଏହି ରାଜନୈତିକ ଗୋଟି ଚାଳନ ଯୋଗୁଁ ଫୋକସକୁ ଆସିଥିଲେ । ଜାତୀୟ ଗଣମାଧ୍ୟମରେ ବି ତାଙ୍କର ଚର୍ଚ୍ଚୀ ଜୋର ହୋଇଥିଲା । ଏହାପରେ ଉପରାଷ୍ଟ୍ରପତି ନିର୍ବାଚନ ହେଲା । ସେତେବେଳେ ମଧ୍ୟ ନବୀନ ଯେଉଁ ଭୂମିକାରେ ଆସିଲେ ତାହା ଜାତୀୟସ୍ତରର ନେତାଙ୍କୁ ଚକିତ କରିଥିଲା । ଏନଡିଏ ପ୍ରାର୍ଥୀ ଭେଙ୍କେଆ ନାଇଡ଼ୁଙ୍କୁ ସମର୍ଥନ ନକରି ନବୀନ ୟୁପିଏ ପ୍ରାର୍ଥୀ ଗୋପାଳ ନନ୍ଦଙ୍କୁ ସମର୍ଥନ ଦେଇଥିଲେ । ନବୀନଙ୍କ ଏହି ନିଷ୍ପତ୍ତି ସେତେବେଳେ ଜାତୀୟ ଗଣମାଧ୍ୟମର ଶିରୋନାମାରେ ହୋଇଥିଲା ହେଡଲାଇନ । ଜାତୀୟ ଦଳ ଠାରୁ ଆରମ୍ଭ କରି ଆଞ୍ଚଳିକ ଦଳର ଷ୍ଟଲୱାର୍ଟ ମାନେ ବି ନବୀନଙ୍କ ଏହି ରାଜନୈତିକ ଗୋଟି ଚାଳନାରେ ଆଶ୍ଚର୍ଯ୍ୟ ହୋଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଡ଼ାଇନିଙ୍ଗ ଟେବୁଲ ପଲିସି ମଧ୍ୟ ଦେଶରେ ଅନେକ ଚର୍ଚ୍ଚା ସୃଷ୍ଟି କରିଛି । ଦେଶର ପରସ୍ପର ରାଜନୈତିକ ମତବିରୋଧୀ ହେଭିଓ୍ବେଟ ନେତାଙ୍କୁ ଏକାଠି ବସାଇ ଲଞ୍ଚ୍ କରାଇବା ପ୍ରମାଣ କରିଛି ଯେ ସେ ଜଣେ ଜାତୀୟ ରାଜନୀତିର ଚାଣକ୍ୟ । ରାଜନୀତିର ଗୋଟିଏ ଭୋଜନ ଟେବୁଲରେ କିପରି ଶତ୍ରୁ ଓ ମିତ୍ରଙ୍କୁ ଏକାଠି କରିହୁଏ ତାହା ସେ ବହୁବାର ପ୍ରମାଣିତ କରିଛନ୍ତି । ଗତ ଫେବ୍ରୁଆରୀ ୨୯ ତାରିଖ, ୨୦୨୦ରେ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ ତାହାର ପ୍ରମାଣ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାମ୍ନାସାମ୍ନି ଗୋଟିଏ ଟେବୁଲରେ ଭୋଜନ କରାଇ ନବୀନ ରାଜନୀତିରେ ସବୁ ସମ୍ଭବ ବୋଲି ପ୍ରମାଣିତ କରିଛନ୍ତି । ଓଡ଼ିଶାକୁ ଛାଡ଼ି ଦେଶର ନେତୃତ୍ୱ ନେବାକୁ ସେତେଟା ଆଗ୍ରହ ପ୍ରକାଶ କରୁନଥିବା ନବୀନ ଯେ ଦେଶର ନେତୃତ୍ୱ ନେବାଠାରୁ ଅଧିକ କିଛି କରିପାରନ୍ତି ତାହା ପ୍ରମାଣିତ କରିପାରିଛନ୍ତି । ଏହାପୂର୍ବରୁ ନିଜର ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବହି ଉନ୍ମେ।ଚନ ସଭାମଂଚରେ ଜାତୀୟସ୍ତରର ନେତାଙ୍କୁ ଏକାଠି କରିବା ପ୍ରମାଣ କରିଛି ଯେ, ନବୀନ ନେତା ନମ୍ବର ୱାନ ।

ଜାତୀୟ ସଂହତି ରକ୍ଷା କ୍ଷେତ୍ରରେ ଓ ଧର୍ମ ନିରପେକ୍ଷ ବଜାୟ ରଖିବାରେ ନବୀନଙ୍କ ବିଭିନ୍ନ ସମୟରେ ନିଷ୍ପତ୍ତି ତାଙ୍କ ପ୍ରତିପକ୍ଷଙ୍କୁ ବିଚଳିତ କରିଥିବାବେଳେ ତାଙ୍କୁ ଦେଇଛି ଜାତୀୟସ୍ତରର ଏକ ଦୁର୍ଦ୍ଧଷ ନେତାର ପରିଚୟ ।

ଦିଲ୍ଲୀରେ ପହଞ୍ଚିଲେ ମଧ୍ୟପ୍ରଦେଶ ବିଜେପି ବିଧାୟକ

ନୂଆଦିଲ୍ଲୀ:  ମଧ୍ୟପ୍ରଦେଶରେ ରାଜନୀତିକ ହଟଚମଟ ଚାଲିଥିବାବେଳେ ମଙ୍ଗଳବାର ରାତିରେ ବିଜେପି ବିଧାୟକମାନେ ଦିଲ୍ଲୀରେ ପହଞ୍ଚିଛନ୍ତି। ନିଜ ଦଳରେ ଘୋଡ଼ା ବେପାର ଆଶଙ୍କା କରି ବିଧାୟକମାନଙ୍କୁ ଦିଲ୍ଲୀ ନିଆଯାଇଥିବା କୁହାଯାଉଛି । ରାତାରାତି ବିଜେପି ବିଧାୟକମାନଙ୍କୁ ଭୋପାଳରୁ ଦିଲ୍ଲୀ ପଠାଇଦିଆଯାଇଛି । ଭୋପାଳରେ ପାର୍ଟି ଅଫିସ ବାହାରେ ଅନେକ ବସ୍ ଲଗାଯାଇଥିଲାଯେଉଥିରେ ବିମାନବନ୍ଦରକୁ ବିଧାୟକମାନଙ୍କୁ ପଠାଇଦିଆଯାଇଥିଲା । ଏହା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ସମସ୍ତ ବିଧାୟକ ଦିଲ୍ଲୀ ଆସିଥିଲେ ।

ରାଜନୀତିକ ଅସନ୍ତୋଷ ମଧ୍ୟରେ ବିଜେପି ସାଧାରଣ ସମ୍ପାଦକ କୈଳାଶ ବିଜୟଭର୍ଗିଆ ଦିଲ୍ଲୀ ବିମାନବନ୍ଦରରେ କହିଛନ୍ତି ଯେ ଆମେ ଛୁଟିଦିନ ପାଇଁ ଏଠାକୁ ଆସିଛୁ। ସମସ୍ତେ ଏକ ଫେଷ୍ଟିଭ୍‌ ମୁଡ୍‌ରେ ଅଛନ୍ତି ଆମେ ବର୍ତ୍ତମାନ ଦିଲ୍ଲୀରେ ରହିବୁ | ପରେ ଖବର ଆସିଲା ଯେ ସମସ୍ତ ବିଧାୟକ ଗୁରୁଗ୍ରାମର ଏକ ହୋଟେଲରେ ରହିଛନ୍ତି ।

ମଧ୍ୟପ୍ରଦେଶରେ ଚାଲିଥିବା ରାଜନୀତିକ ଡ୍ରାମା ମଧ୍ୟରେ ସିଏମ୍ କମଲ ନାଥ କହିଛନ୍ତି ଯେ ତାଙ୍କର ସଂଖ୍ୟାଗରିଷ୍ଠତା ରହିଛି। ମଙ୍ଗଳବାର ସନ୍ଧ୍ୟାରେ କମଲ ନାଥ କହିଛନ୍ତି, ‘ଭୟଭୀତ ହେବାର ଆବଶ୍ୟକତା ନାହିଁ, ଆମେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବୁ। ଆମ ସରକାର ଏହାର କାର୍ଯ୍ୟକାଳ ଶେଷ କରିବେ। ଯେଉଁମାନେ ଏହି ଲୋକମାନଙ୍କ ଦ୍ୱାରା କାରାଗାରରେ ଅଛନ୍ତି ସେମାନେ ମୋ ସହିତ ଯୋଗାଯୋଗ କରୁଛନ୍ତି |

ସୂଚନାନୁସାରେ, ମଧ୍ୟପ୍ରଦେଶ ବିଜେପି ଅନୁଭବ କରୁଛି ଯେ କମଲ ନାଥ କ୍ୟାମ୍ପ ସେମାନଙ୍କ ବିଧାୟକଙ୍କୁ ମଧ୍ୟ ଭାଙ୍ଗିପାରେ। ତେଣୁ ମଧ୍ୟପ୍ରଦେଶର ଏହାର ସମସ୍ତ ବିଧାୟକଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ପଠାଯାଇଥିଲା। ବିଧାନସଭା ଅଧିବେଶନ ଡାକିବା ପର୍ଯ୍ୟନ୍ତ ଏହି ବିଧାୟକମାନଙ୍କୁ ଭୋପାଳଠାରୁ ଦୂରରେ ରଖାଯିବ ବୋଲି କୁହାଯାଉଛି।

ପୂର୍ବରୁ ବିଧାୟକମାନଙ୍କୁ କୁହାଯାଇ ନଥିଲା ଯେ ସେମାନଙ୍କୁ କେଉଁଠାରେ ନିଆଯିବ, କିନ୍ତୁ ସେମାନଙ୍କୁ କିଛି ଦିନ ବିତାଇବାକୁ ନିଜର ଜିନିଷ ଆଣିବାକୁ କୁହାଯାଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ଏଠାରେ ବିଜେପି ବିଧାନସଭା ପାର୍ଟିର ବୈଠକ ପରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ​​ବିରୋଧୀ ଦଳର ନେତା ଗୋପାଳ ଭର୍ଗାଭା କହିଛନ୍ତି ଯେ ଦଳର ସମସ୍ତ ବିଧାୟକ ହୋଲି ଖେଳିବା ପାଇଁ ଏକ ଚାର୍ଟାର୍ଡ ​​ବିମାନରେ ଏକ ଅଜ୍ଞାତ ସ୍ଥାନକୁ ଯାଉଛନ୍ତି।

ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି: କମିଲା ପେଟ୍ରୋଲ ଓ ଡିଜେଲ ଦର

ବୁଧବାର କ୍ରମାଗତ ସପ୍ତମ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ହୋଇଛି । ଦିଲ୍ଲୀରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୨.୬୯ ଟଙ୍କା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୨ଟଙ୍କା ୩୩ ପଇସା ହ୍ରାସ ପାଇଛି। ଦିଲ୍ଲୀରେ ପେଟ୍ରୋଲ ୭୦.୨୯ ଟଙ୍କା ଏବଂ ଡିଜେଲ ଲିଟର ପିଛା ୬୩.୦୧ ଟଙ୍କାକୁ ଖସିଛି ।

ପ୍ରତିଦିନ ୬ଟା ବେଳେ ଦର ବଦଳିଥାଏ

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ଟାରେ ବଦଳିଥାଏ | ନୂତନ ହାର ସକାଳ ୬ ଟାରୁ ହିଁ ଲାଗୁ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ କମିଶନ ମିଶିବା ପରେ ଏହାର ମୂଲ୍ୟ ପାଖପାଖି ୨ଗୁଣା ବଢ଼ିଯାଏ ।

ଜାଣନ୍ତୁ କେଉଁ ଆଧାରରେ ସ୍ଥିର ହୁଏ ମୂଲ୍ୟ

ବୈଦେଶିକ ମୁଦ୍ରା ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ କ’ଣ ତାହା ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ | ଏହି ମାନଦଣ୍ଡ ଆଧାରରେ ତେଲ କମ୍ପାନୀଗୁଡିକ ପ୍ରତିଦିନ ପେଟ୍ରୋଲ ହାର ଏବଂ ଡିଜେଲ ହାର ଠିକ୍ କରିବା କାର୍ଯ୍ୟ କରନ୍ତି।

ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ୨୪ ଆହତ: ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ନୟାଗଡ଼: ନୂଆଗାଁ ଥାନା ଡ଼ିମିରିଝରି ସ୍କୁଲ ନିକଟରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ । ନୃସିଂହନାଥଙ୍କ ଦର୍ଶନ ପାଇଁ ଯାଉଥିବାବେଳେ ବସ୍‌ଟି ହମ୍ପସ୍‌ରେ ଖୁବ୍‌ଜୋରରେ ପିଟିହେବା ପରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍‌ । ସ୍ଥାନୀୟ ଲୋକଙ୍କ ସହାୟତାରେ ଦମକଳ ବାହିନୀ ଓ ପୋଲିସ କର୍ମଚାରୀ ମିଶି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ଥିବା ବେଳେ ନୂଆଗାଁ ପୋଲିସ ତାହାର ତଦନ୍ତ ଚଳାଇଛି ।

ସୂଚନା ଯୋଗ୍ୟ ଯେ, ଗତ ୫ ତାରିଖରେ ଛତିଶିଗଡର ନମଗଡ଼ ଥାନା ଅଞ୍ଚଳର ୪୫ ଜଣ ଯାତ୍ରୀ ବୁଲିବା ପାଇଁ ଓଡ଼ିଶା ଆସିଥଇଲେ । ଗତକଲି ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରି ନୃସିଂହନାଥ ଦର୍ଶନ ପାଇଁ ଯାଉଥିଲେ । ରାତି ୧୧ଟା ସମୟରେ ଡ୍ରାଇଭରର ଅସାବଧାନତା ଯୋଗୁଁ ଡିମିରିଝରି ସ୍କୁଲ ନିକଟରେ ହମ୍ପସ ରେ ମାଡ କରିଥିଲେ । ସେଠାରେ ବସଟି ଓଲଟି ପଡିଥିଲା  ।

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ

ଭୁବନେଶ୍ୱର: ଆଜିଠୁ ବିଧାନସଭା ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା, ଧାନ ବିକ୍ରି ପାଇଁ ଟୋକନ ବ୍ୟବସ୍ଥା, ଆଇନଶୃଙ୍ଖଳା ଇତ୍ୟାଦି ପ୍ରସଙ୍ଗର ତାଲିକା ଧରି ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ସେପଟେ ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ଶାସକ ବିଜେଡି ପ୍ରସ୍ତୁତ ଅଛି । କେନ୍ଦ୍ରୀୟ ବଜେଟରେ ରାଜ୍ୟ ଭାଗ ହ୍ର।ସ, ରେଳବାଇ କ୍ଷେତ୍ରରେ ଅବହେଳା ଆଦି ପ୍ରସଙ୍ଗ ଉଠାଇବ ବିଜେଡି । ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ବିରୋଧୀ ଯେପରି ଅଯଥାରେ ହଟ୍ଟଗୋଳ କଲେ, ଏଥର ସେଥିରୁ ନିବୃତ୍ତ ରହି ରାଜ୍ୟ ସ୍ୱାର୍ଥ ପାଇଁ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବିଜେଡି ପରାମର୍ଶ ଦେଇଛି ।

ଆଜି ବିଜେପିରେ ଯୋଗଦେବେ ଜ୍ୟୋତିରାଦିତ୍ୟ ସିନ୍ଧିଆ !

ଆଜି ବିଜେପିରେ ମିଶିବେ କଂଗ୍ରେସର ପୂର୍ବତନ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ । ଆଜି ବିଜେପି ବିଦ୍ଧିବଦ୍ଧ ଭାବେ ଏନେଇ ଘୋଷଣା କରିବ ବୋଲି ଜଣାପଡ଼ିଛି । ବିଜେପି ମୁଖ୍ୟକାର୍ଯ୍ୟାଳୟରେ ନିର୍ବାଚନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମୃନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡ। ଉପସ୍ଥିତ ଥିଲେ ।

ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ଏଥିସହ ବିଜେପିରେ ମିଶିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ରାଜ୍ୟସଭା ପଠାଇବାକୁ ମଧ୍ୟ ସ୍ଥିର ହୋଇଥିବା ଜଣାପଡ଼ିଛି । ଆଜି ମିଶ୍ରଣପର୍ବ ପରେ ଏହା ସ୍ପଷ୍ଟ ହେବ । ରାଜ୍ୟସଭାକୁ ସିନ୍ଧିଆଙ୍କୁ ପଠାଇ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇପାରେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି । ମଧ୍ୟପ୍ରଦେଶ କଂଗ୍ରେସରୁ ୨୨ ବିଧାୟକଙ୍କ ଇସ୍ତଫା ପରେ ସଂଖ୍ୟା ଏବେ ୯୨କୁ ଖସିଆସିଛି । ଅନ୍ୟପକ୍ଷରେ ବିଜେପିର ଏବେ ବିଧାନସଭାରେ ୧୦୭ ଜଣ ବିଧାୟକ ଅଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ସରକାର ଗଠନ କରିବା ପାଇଁ ୧୦୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ନିଜର ବିଧାୟକଙ୍କ ସହ ବିଏସପି, ଏସପି ଓ ସ୍ୱାଧୀନ ପ୍ରର୍ଥୀଙ୍କ ସମର୍ଥନରେ ବିଜେପି ଆରାମ୍‌ରେ ସରକାର ଗଠନ କରିପାରିବ । ସେପଟେ କଂଗ୍ରେସର ବିଧାୟକ ଦଳର ବୈଠକ ପରେ ମୁଖ୍ୟମନ୍ତ୍ରୀ କମଳନାଥ କହିଛନ୍ତି ଯେ ଏବେ ବି ତାଙ୍କ ପାଖରେ ବହୁମତ ଅଛି ।

ବିଦେଶରୁ ଆସିଲେ ବି ଫେରି ପାରିବେନି ଘରକୁ, ସରକାର ଜାରି କଲେ କଟକଣା

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି କେନ୍ଦ୍ର ସରକାରଙ୍କ ନିଦ ହଜାଇ ଦେଇଛି । କରୋନାକୁ କାବୁ କରିବାକୁ ପନ୍ଥା ଆପଣାଇଛନ୍ତି ସରକାର । ଜାରି ହୋଇଛି ନୂଆ ନିର୍ଦ୍ଦେଶନାମା । ପୂର୍ବରୁ ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ବିମାନବନ୍ଦରରେ ସ୍କ୍ରିନିଂ କରାଯିବା ସହ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଉଥିଲା । ତେବେ, ମଙ୍ଗଳବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ବୃଦ୍ଧି ପାଇବା ଓ ପୁନେରେ ୪ ଓ କେରଳରେ ୩ଟି ନୂଆ ମାମଲା ଚିହ୍ନଟ ପରେ ଚିନ୍ତା ବଢ଼ିଛି ।

କରୋନାରୁ ବର୍ତ୍ତିବା ପାଇଁ କଣ ସବୁ କରିବେ ?

ସରକାର ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ପହଞ୍ଚିବା ଠାରୁ ୧୪ ଦିନ ଯାଏଁ କ୍ୱାରେଣ୍ଟାଇନରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଚୀନ, ହଂକଂ, ଦକ୍ଷିଣ କୋରିଆ, ଜାପାନ, ଇଟାଲ, ଥାଇଲାଣ୍ଡ, ସିଙ୍ଗାପୁର, ଇରାନ, ମାଲେସିଆ, ସ୍ପେନ୍ ଓ ଜର୍ମାନୀରୁ ଆସୁଥିବା ଯାତ୍ରୀଙ୍କ କ୍ଷେତ୍ରରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ । ଏନେଇ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।

କାୟା ବିସ୍ତାର କରୁଛି ଭୟଙ୍କର କରୋନା ଭାଇରସ, ବିପଦରେ ୮ ଦେଶ

ଯଦି କେହି ବି ଯାତ୍ରୀ ଏସବୁ ଦେଶରୁ ସିଧାସଳଖ ଆସୁନଥାନ୍ତି । କିନ୍ତୁ, ଆସିବା ପୂର୍ବରୁ ଏହି ୧୨ଟି ଦେଶରୁ କୌଣସ ଦେଶକୁ ଯାଇଥିଲେ ତାଙ୍କୁ ମଧ୍ୟ ମାସ୍ କ୍ୱାରେଣ୍ଟାଇନରେ ରଖାଯିବା ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହା ଭାରତୀୟଙ୍କ ସମେତ ବିଦେଶୀ ନାଗରିକଙ୍କ କ୍ଷେତ୍ରରେ ଲାଗୁ ହେବ । ଉପରୋକ୍ତ ୧୨ଟି ଦେଶର ନାଗରିକଙ୍କୁ ଭାରତରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ।

କାୟା ମେଲାଉଥିବା କରୋନାରୁ କେମିତି ଦୁରେଇ ରହିବେ ?