spot_img
Home Blog Page 7388

ଆଜି ସରୁଛି ଟ୍ରାଫିକ୍‌ କଣ୍ଟ, ଏଣିକି ଆହୁରି ଜୋରଦାର ହେବ ଚେକିଂ

ଭୁବନେଶ୍ୱର: ଗାଡ଼ି ଚଳାଉଛନ୍ତି ତ ହୋଇଯାଆନ୍ତୁ ସାବଧାନ । ପାଖରେ ଗାଡ଼ି କାଗଜପତ୍ର ଠିକ୍‌ ଅଛି ତ । ନହେଲେ ମଝି ରାସ୍ତାରେ ଦେବାକୁ ହେବ ମୋଟା ଅଙ୍କର ଫାଇନ । ଆଜି ସରୁଛି ଡେଡ୍‌ଲାଇନ । ମାର୍ଚ୍ଚ ପହିଲାରୁ ଆହୁରି କଠୋର ହେବ ଟ୍ରାଫିକ ଆଇନ ।

ଚେକିଂ ହେବ କଡ଼ାକଡ଼ି । ବିନା କାଗଜପତ୍ରରେ ଗାଡି ଚଳାଇଲେ ଦେବାକୁ ପଡିବ ମୋଟା ଅଙ୍କର ଫାଇନ୍‌ । ସେଥିପାଇଁ କାଗଜପତ୍ର ପ୍ରସ୍ତୁତ କରିବାକୁ ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ପୂର୍ବରୁ ଦୁଇ ଦୁଇ ଥର ଟ୍ରାଫିକ ନିୟମ କୋହଳ ହୋଇଥିବାବେଳେ ତଥାପି ସରିନି କାଗଜପତ୍ର ତିଆରି କାମ ।

କରୋନା କବଳରେ ତିନୋଟି ମହାଦେଶ, ଭାରତକୁ ନାହିଁ ବିପଦ

କରୋନା କବଳରେ ତିନୋଟି ମହାଦେଶ । ଚାଇନା ପରେ ଇରାନ, ଇଟାଲୀ, ଜର୍ମାନୀରେ କରୋନା ଭାଇରସର ତାଣ୍ଡବ ଦେଖିବାକୁ ମିଳିଛି । ତେବେ ଭାରତରେ କରୋନାକୁ ନେଇ ଭୟଭିତ ହେବାର ନାହିଁ ବୋଲି କହିଛନ୍ତି ସରକାର ।

Corona

ନାଇଜେରିଆରେ ପ୍ରଥମ କରୋନା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଛି । ସେପଟେ ଇରାନରେ ଭାଇରସ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ମଧ୍ୟ ପ୍ରାଚ୍ୟ ଦେଶ ଗୁଡିକ ଇଟାଲୀ ଓ ଇରାନକୁ ସମସ୍ତ ବିମାନ ବାତିଲ କରିଛନ୍ତି ।

ଇଟାଲୀର କିଛି ସହର ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ଜାପାନରେ ମଧ୍ୟ କରୋନା ପ୍ରଭାବରେ ସ୍କୁଲ, କଲେଜକୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପାକିସ୍ତାନରେ ମଧ୍ୟ କରୋନା ଭୟରେ ସ୍କୁଲକୁ ବନ୍ଦ କରାଯାଇଛି ।

ସେପଟେ ଆରବରେ ଧାର୍ମିକ ସ୍ଥଳ ମକ୍କାକୁ ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ କରିଦିଆଯାଇଛି । ଚୀନରେ ଭାଇରସ ପ୍ରଭାବ ଯୋଗୁଁ ସରକାର ପୁରା ଦେଶରେ ଆମିଷ ବଜାର ଉପରେ କଟକଣା ଲଗାଇଛନ୍ତି । ତେବେ ଚୀନରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।

୨୦ ଟଙ୍କାରୁ କମ୍ ମୂଲ୍ୟରେ ମିଳୁଛି ଡାଟା ଏବଂ ଅସୀମିତ କଲିଂ

ନୂଆଦିଲ୍ଲୀ: ମହଙ୍ଗା ଯୁଗରେ ଶସ୍ତା ସେବା । ଡିସେମ୍ବର ୨୦୧୯ରେ ଟେଲିକମ୍ କମ୍ପାନୀଗୁଡ଼ିକ ଶୁଳ୍କ ବୃଦ୍ଧି ପରେ ରିଚାର୍ଜ ପାଇଁ ଉପଭୋକ୍ତାଙ୍କୁ ବାଧୁଛି । ନମ୍ବର ରିଚାର୍ଜ କରିବାକୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ଉପଭୋକ୍ତାମାନେ କମ୍ ମୂଲ୍ୟରେ ସର୍ବୋତ୍ତମ ଲାଭ ମିଳୁଥିବା ଯୋଜନା ଚାହାଁନ୍ତି । ଆସନ୍ତୁ ଜାଣିବା ପ୍ରମୁଖ ଟେଲିକମର ଏମିତି କିଛି ପ୍ଲାନ୍ । ଯେଉଁଥିରେ ଆପଣ ମାତ୍ର ୨୦ ଟଙ୍କାରେ ପାଇବେ ଡାଟା ସହ କଲିଂର ସୁବିଧା ।ଭୋଡ଼ାଫୋନ୍

ଉପଭୋକ୍ତାଙ୍କୁ ଭୋଡ଼ାଫୋନ୍ ମାତ୍ର ୧୯ ଟଙ୍କାରେ ପ୍ରଦାନ କରୁଛି ପ୍ଲାନ । ୨ ଦିନର ବୈଧତା ବିଶିଷ୍ଟ ଏହି ପ୍ଲାନରେ ୨୦୦ ଏମବି ଡାଟା ସହ କଲିଂ ସୁବିଧା ମିଳୁଛି । ଏହି ଯୋଜନାର ଗ୍ରାହକମାନେ ଦେଶର ସମସ୍ତ ନେଟୱାର୍କରେ ଅସୀମିତ କଲିଂ କରିପାରିବେ ।ଏୟାରଟେଲ

ଭୋଡ଼ାଫୋନ ଭଳି ଏୟାରଟେଲ ୧୯ ଟଙ୍କାରେ ସେବା ଯୋଗାଉଛି । ଯଦି ଆପଣ ଜଣେ ଏୟାରଟେଲ୍ ଉପଭୋକ୍ତା ଏବଂ ଶସ୍ତା କଲିଂ ସହ ଡାଟା ସୁବିଧା ଚାହୁଁଛନ୍ତି, ତେବେ ୧୯ ଟଙ୍କା ଯୋଜନା ଆପଣଙ୍କ ପାଇଁ ସର୍ବୋତ୍ତମ । ଏହି ଯୋଜନାରେ ସମସ୍ତ ନେଟୱାର୍କକୁ ଅସୀମିତ କଲିଂ ସହ ୨୦୦ ଏମବି ଡାଟା ମିଳୁଛି । ଏହି ପ୍ଲାନର ବୈଧତା ହେଉଛି ୨ ଦିନ ।ରିଲାଏନ୍ସ ଜିଓ

ଜିଓ ୨୦ ଟଙ୍କାରୁ କମ୍ ଡାଟା ଭାଉଚର୍ ଆଣିଛି । ୧୧ ଟଙ୍କା ମୂଲ୍ୟରେ ଆସୁଥିବା ଏହି ଆଡ୍-ଅନ୍ ପ୍ୟାକରେ ୪୦୦ ଏମସି ଡାଟା ମିଳିବ । ଏହି ଯୋଜନାରେ କଲିଂ ସୁବିଧା ଉପଲବ୍ଧ ନାହିଁ । ଜିଓର ୨୧ ଟଙ୍କା ପ୍ୟାକ୍ ଉପରେ ଏକ ଡାଟା ଆଡ୍ ଅଛି । ଏଥିରେ କମ୍ପାନୀ ସକ୍ରିୟ ଯୋଜନା ଉପରେ ଅତିରିକ୍ତ ୧ ଜିବି ଡାଟା ଦେଉଛି ।

ଅଳ୍ପ ବଢ଼ିଲା ଅଭିବୃଦ୍ଧି ହାର, ତୃତୀୟ ତ୍ରୈମାସିକରେ GDP ୪.୭%

ନୂଆଦିଲ୍ଲୀ: ସୁସ୍ଥ ହୋଇ ପଡ଼ିଥିବା ଭାରତୀୟ ଅର୍ଥନୀତି ଟିକେ ଉଠିଛି, ସୁଧାର ଆସିନି । ଗତ କିଛି ମାସ ମଧ୍ୟରେ ଅର୍ଥ ମନ୍ତ୍ରଣାଳୟ ନେଇଥିବା ବିଭିନ୍ନ ପଦକ୍ଷେପ ଫଳରେ ମାନ୍ଦା ପଡ଼ିଥିବା ଜିଡିପି ଅଭିବୃଦ୍ଧି ଟିକେ ବଢ଼ିଛି । ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ (ଅକ୍ଟୋବର-ଡିସେମ୍ବର) ଜିଡିପି ଅଭିବୃଦ୍ଧି ହାର ୪.୭% ରହିଛି । ଦ୍ୱିତୀୟ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ମାତ୍ର ୪.୫% ଥିଲା । ଯାହାକି ୬ ବର୍ଷରେ ସର୍ବନିମ୍ନ । ୨୦୧୮-୧୯ ତୃତୀୟ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ହାର ୫.୬% ଥିଲା । ଅନେକ ଆର୍ଥିକ ଏଜେନ୍ସି ତୃତୀୟ ତ୍ରୈମାସିକରେ ଅଭିବୃଦ୍ଧି ହାର ୪% ପୂର୍ବାନୁମାନ କରିଥିଲେ ।ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଡିସେମ୍ବର ଅବଧିରେ ଭାରତୀୟ ଅର୍ଥନୀତି ୫.୧% ବେଗରେ ବୃଦ୍ଧି ପାଇଛି ଯାହା ପୂର୍ବ ଆର୍ଥିକ ବର୍ଷରେ ସମାନ ଅବଧିରେ ୬.୩% ଥିଲା । ଅଭିବୃଦ୍ଧି ହାରର ଅଭିବୃଦ୍ଧି ସୂଚାଇ ଦେଉଛି ଯେ ଦେଶରେ ଆର୍ଥିକ ଅଭିବୃଦ୍ଧି ମନ୍ଥର ଗତିରେ ଚାଲିଛି । କରୋନା ଭୂତାଣୁ ଯୋଗୁଁ ବିଶ୍ୱରେ ମାନ୍ଦାବସ୍ଥା ଲାଗି ରହିଛି, ଯାହାର ପ୍ରଭାବ ପଡ଼ିଛି ଭାରତ ଉପରେ । ଭାଇରସ ବିସ୍ତାର ହେବାର ଆଶଙ୍କା କରି ଶୁକ୍ରବାର ଦିନ ଷ୍ଟକ୍ ମାର୍କେଟ ବନ୍ଦ ହୋଇଯାଇଥିଲା ।  ସେନସେକ୍ସ ଏପର୍ଯ୍ୟନ୍ତ ଦ୍ୱିତୀୟ ଐତିହାସିକ ହ୍ରାସ ଘଟି ରେକର୍ଡ କରିଛି ।

ଏସିଆ ମହାଦେଶର ପୂରା ବଜାର ଉପରେ କରୋନା ଭୂତାଣୁର ପ୍ରଭାବ

ଭୁବନେଶ୍ୱର ସଭାରେ ଅମିତ ଶାହଙ୍କ ଦୃଢୋକ୍ତି, ନାଗରିକତା ନେବାକୁ ନୁହେଁ ଦେବାକୁ ଉଦ୍ଦିଷ୍ଟ CAA

ଭୁବନେଶ୍ୱର : ନାଗରିକତା ସଂଶୋଧନ ଆଇନକୁ ନେଇ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି ବିରୋଧୀ । କେବେବି ଏହା ନାଗରିକଙ୍କ ବିରୋଧରେ କରାଯାଇନାହିଁ । ନାଗରିକତା ନେବାକୁ ନୁହେଁ ବରଂ ଦେବାକୁ ଉଦ୍ଦିଷ୍ଟ CAA । କେନ୍ଦ୍ରୀୟ ନାଗରିକତା ଆଇନ୍ ପ୍ରସଙ୍ଗରେ ସତେଚନ କରାଇବାକୁ ଭୁବନେଶ୍ୱରରେ ଆୟୋଜିତ ଜନ ସମାବେଶରେ ଯୋଗଦେଇ କିଛି ଏଭଳି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ ଆହୁରି କହିଛନ୍ତି ଯେ, ରାଷ୍ଟ୍ରର ସୁରକ୍ଷା ମୋଦି ସରକାରଙ୍କ ପ୍ରାଥମିକତା । ସିଏଏ ଲାଗୁପରେ କୌଣସି ମୁସଲମାନଙ୍କ ନାଗରିକତା ଯିବାନାହିଁ ବୋଲି କହିଛନ୍ତି ଗୃହମନ୍ତ୍ରୀ ।

ଧାରା ୩୭୦ ଉଚ୍ଛେଦ ଓ ରାମ ମନ୍ଦିର ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଥିଲେ । ୫୫ ବର୍ଷରେ କେନ୍ଦ୍ରରେ କଂଗ୍ରେସ ସରକାର ଯାହା କରିପାରିନଥିଲେ ଗତ ୫ ବର୍ଷ ମଧ୍ୟରେ ମୋଦି ସରକାର ଏଭଳି କରି ଦେଖାଇପାରିଥିବା ସେ କହିଥିଲେ । ଓଡ଼ିଶାକୁ ମଧ୍ୟ ୟୁପିଏ ଠାରୁ ଏନଡିଏ ସମୟରେ ଅଧିକ ଅନୁଦାନ ମିଳିଥିବା ସେ କହିଛନ୍ତି । ଗତ ୫ ବର୍ଷରେ ମୋଦି ସରକାର ଓଡ଼ିଶାକୁ ୨ ଲକ୍ଷ ୧୧ ହଜାର ୫ ୧୦ କୋଟି ଟଙ୍କାର ଅନୁଦାନ ଦେଇଥିବା ସେ କହିଛନ୍ତି । ଗୁଜରାଟ ଭଳି ଓଡ଼ିଶାର ବିକାଶ ହେବାକୁ କେନ୍ଦ୍ର ସରକାର ଚାହାଁନ୍ତି ବୋଲି ସେ କହିଛନ୍ତି । କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ କରାଇବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଶାହା ।

ଗୋଟିଏ ଟେବୁଲରେ ବନ୍ଧୁ ଓ ଶତ୍ରୁ, ନବୀନଙ୍କ ଘରେ ଏକାଠି କଲେ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର: ଏକଦା ପରସ୍ପରର କଟ୍ଟର ବିରୋଧୀ ଥିବା ଗୃହମନ୍ତ୍ରୀ ଅମିତ ଶାହ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭିନ୍ନ ଅବତାର ଦେଖିବାକୁ ମିଳିଛି । ଦିନଥିଲା କେହି କାହାକୁ ସାମ୍ନାସାମ୍ନି ଦେଖିପାରୁନଥିଲେ । ଦିନେ ପଶ୍ଚିମବଙ୍ଗରେ ଅମିତ ଶାହଙ୍କୁ ପୁରେଇ ନଦେବାକୁ ଦିଦି ଚେତାବନୀ ଦେଇଥିଲେ ତ ଅମିତ ଶାହା ବି କହିଥିଲେ ବଙ୍ଗରେ ବିଜୟକୁ ସୁନିଶ୍ଚିତ କରିବୁ । ବଙ୍ଗ ଅସ୍ମିତାର କଥା କହି ରାଜନୀତିର ବଡ଼ ମଇଦାନରେ ମମତା, ଶାହଙ୍କୁ ଦେଇଥିଲେ ଚେକ୍ । ଦିଲ୍ଲୀରେ ବି ଗର୍ଜନ କରିଥିଲେ ଦିଦି । ତେବେ ପଶ୍ଚିମବଙ୍ଗ ନିର୍ବାଚନ ପାଖେଇ ଆସୁଥିବା ବେଳେ ମମତା ନିଜର ରାଜନୀତିକ ବାଜି ପରିବର୍ତ୍ତନ କଲା ଭଳି ମନେହେଉଛି ।

କାରଣ ମମତା ଆଜି ଅମିତ ଶାହାଙ୍କ ସହ ଏକାଠି ବସି ଗୋଟିଏ ଟେବୁଲରେ ଭୋଜନ କରିଛନ୍ତି । ଅବସର ଥିଲା ଭୁବନେଶ୍ୱରରେ ଆୟୋଜିତ ପୂର୍ବାଞ୍ଚଳ ପରିଷଦର ବୈଠକ । ଏଥିରେ ଯୋଗଦେବାକୁ ଉଭୟ ଓଡ଼ିଶା ଆସିଥିଲେ । ବୈଠକ ସରିବା ପରେ ଦୁହେଁ ନବୀନ ନିବାସ ଯାଇଥିଲେ । ସେଠାରେ ପୂର୍ବ ପ୍ରସ୍ତୁତି ଆନୁସାରେ ଗୋଟିଏ ଡାଇନିଂ ଟେବଲରେ ବସି ଦୁଇ ହେଭିୱେଟ୍ ଏକାଠି ଖାଇଥିଲେ । ଡାଇନିଂରେ ସାମ୍ନାସାମ୍ନି ବସିଥିଲେ ଅମିତ ଶାହ ଓ ମମତା ବାନାର୍ଜୀ । ଗୋଟିଏ ପଟରେ ନୀତିଶ କୁମାର ଓ ଅମିତ ଶାହ ବସିଥିବା ବେଳେ ସାମ୍ନାରେ ବସିଥିଲେ ଧର୍ମେନ୍ଦ୍ର ପ୍ରଧାନ ଓ ମମତା ବାନାର୍ଜୀ ।

ଡାଇନିଂର ଅନ୍ୟ ଏକ ପାର୍ଶ୍ୱରେ ବସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ପରିଷଦର ବୈଠକ ପରେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଗୃହମନ୍ତ୍ରୀ ଶାହ ପହଞ୍ଚିଥିଲେ ନବୀନ ନିବାସରେ । ସେଠାରେ ପାରଂପରିକ ଓଡ଼ିଆ ବ୍ୟଞ୍ଜନ ସମସ୍ତଙ୍କୁ ପରଷା ଯାଇଥିଲା । ଚର୍ଚ୍ଚା ଚାଲିଛି, ମମତା ଅଧିକ କେନ୍ଦ୍ର ବିରୋଧୀ ନହେଇ ଏବେ ନିଜ କାମ ଉପରେ ଫୋକସ୍ କରିବା ସହ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରୁଛନ୍ତି । ତା ନହୋଇଥିଲେ ଯେଉଁ ମମତା ଦିନେ କେନ୍ଦ୍ରର ଅଧିକାଂଶ ବୈଠକକୁ ବର୍ଜନ କରୁଥିଲେ ଆଜି ଶାହାଙ୍କ ସହ ମଧ୍ୟାହ୍ନ ଭୋଜନ କରିବାକୁ ରାଜି ହୋଇନଥାନ୍ତେ ।

୫ବର୍ଷର କୁନିଝିଅ ହେଲା ଗଣଦୁଷ୍କର୍ମର ଶିକାର

0

କେନ୍ଦ୍ରାପଡ଼ା: ୫ବର୍ଷର ଝିଅଟିଏ । କ’ଣ ଜାଣିଛି ସେ କପଟି ଦୁନିଆର କପଟ କଥା । ନିଷ୍କପଟ ହୃଦୟଟିଏ ରଖି ସମସ୍ତଙ୍କୁ ନିଜ ହସ ବାଣ୍ଟିବାଟା କ’ଣ ପାପ ! ଯଦି ନୁହେଁ ତେବେ ଦୁନିଆ ତା’ସହ ଏମିତି ଖେଳୁଛି କ’ଣ ପାଇଁ ।  ତେବେ ଏମିତି ଏକ ଦୁନିଆର ଖେଳନା ପାଲଟିଛି ଏକ ୫ବର୍ଷର ଝିଅ । ଗଣଦୁଷ୍କର୍ମର ଶିକାର ହୋଇ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି ।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟ।ମୁଣ୍ଡାଇ ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାକର ଘଟଣା । ଜଣେ ୫ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଆଜି ବଡ଼ି ଭୋର୍‌ରୁ ନାବାଳିକା ଜଣଙ୍କ ଘରେ ଏକା ଥିବା ବେଳେ ଅଞ୍ଚଳର ନାଲୁ ମଲ୍ଲିକ ଓ କିଛି ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ନାବାଳିକାଙ୍କ ଚିତ୍କାର ଶୁଣି ମା’ ଓ ଗାଁଲୋକ ପହଞ୍ଚି ଯାଇଥିଲେ । ଝିଅକୁ ରତାକ୍ତ ଅବସ୍ଥାରେ ଦେଖି ସମସ୍ତେ ଚମକି ପଡିଥିଲେ । ଘଟଣା ସ୍ଥଳରେ ଅନ୍ୟମାନେ ଦୌଡ଼ି ପଳାଇଥିବା ବେଳେ ନାଲୁ ଧରା ପଡ଼ିଯାଇଥିଲା ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାଲୁକୁ ହେପାଜତକୁ ନେବା ସହିତ ତଦନ୍ତ ଜାରି ରଖିଛି । ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ନବୀନ ନିବାସରେ ଓଡ଼ିଆ ଖାଦ୍ୟ ଖାଇଲେ ଅମିତ ଶାହା, ଥାଳିରେ ଥିଲା ୧୦ରୁ ଅଧିକ ବ୍ୟଞ୍ଜନ

0

ଭୁବନେଶ୍ୱର : ନବୀନ ନିବାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବହୁ ସୁଆଦିଆ ଓଡ଼ିଆ ଖାଦ୍ୟ ଖାଇଛନ୍ତି । ଗୋଟିଏ ଟେବୁଲ୍‌ରେ ଏକାଠି ହୋଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୂର୍ବାଞ୍ଚଳ ପରିଷଦ ବୈଠକ ପରେ ଅମିତ ଶାହଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନବୀନ ନିବାସ ଆସିଥିଲେ । ଅତିଥିଙ୍କ ପାଇଁ ଖାସ୍‌ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା ।କଂସା ଥାଳି ଓ ପାତ୍ରରେ ଶାହଙ୍କୁ ପରଷା ଯାଇଥିଲା ଓଡ଼ିଆ ଖାଦ୍ୟ । ଏଥିରେ ଥିଲା ଅଳ୍ପ ଅରୁଆ ଭାତ, ରୁଟି, ଡାଲି, ବାଇଗଣ ଭଜା, ଓଡ଼ିଆ ଆଳୁ ମଟର ମସଲା, ପନିର ତରକାରୀ, ଟମାଟୋ ଚଟଣି, ପାମ୍ପଡ, ବୁନ୍ଦି ରାଇତା । ଓଡ଼ିଆ ଘରେ ପ୍ରସ୍ତୁତ ମାଛ ତରକାରୀ ମଧ୍ୟ ସାମିଲ ଥିଲା ମଧ୍ୟାହ୍ନ ଭୋଜନରେ । ମିଠାରେ ଛେନାପୋଡ ଓ ରସମଲାଇ ରଖାଯାଇଥିଲା ମଧ୍ୟାହ୍ନ ଭୋଜନରେ । ୬ଟି ପାତ୍ରରେ ତରକାରୀ ଦିଆଯାଇଥିଲା ଅମିତ ଶାହଙ୍କୁ । ଅମିତ ଶାହାଙ୍କ ବାମପଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସିଥିବା ବେଳେ ଡାହାଣ ପାର୍ଶ୍ୱରେ ବସିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେହିପରି ଶାହଙ୍କ ସାମ୍ନାରେ ବସିଥିଲେ ମମତା ବାନାର୍ଜୀ ଓ ଧର୍ମେନ୍ଦ୍ର ପ୍ରଧାନ ।

ସ୍ୱତନ୍ତ୍ର ଫୋକସ ରାଜ୍ୟର ମାନ୍ୟତା ନେଇ ଦାବି କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ଆଜି ଲୋକସେବା ଭବନର କନଭେନସନ୍‌ ସେଣ୍ଟରରେ ପୂର୍ବାଞ୍ଚଳ ଜୋନାଲ ପରିଷଦର ବୈଠକ ଅନୁଷ୍ଠିତ ହୋଇଛି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଥିଲେ ।

ଅନୁଷ୍ଠିତ ବୈଠକରେ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟର ମାନ୍ୟତା ନେଇ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଥିବାରୁ ଏଭଳି ମାନ୍ୟତା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

 

ପୂର୍ବାଞ୍ଚଳ ପରିଷଦ ବୈଠକରେ ଓଡ଼ିଶା ସମେତ ପୂର୍ବ ଭାରତର ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ପୌର ପରିଷଦକୁ ଅନୁଦାନ ପ୍ରଦାନରେ ବିଳମ୍ବ, ଧାନ ସଂଗ୍ରହରେ ରିହାତି ପ୍ରଦାନ କରାଯାଉନଥିବା ଏବଂ ରେଳବାଇ ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହୁଥିବା ପ୍ରସଙ୍ଗ ଉଠାଇଥିଲେ ନବୀନ। ସାରା ଦେଶରେ ପୂର୍ବ ଭାରତରେ ଟେଲି ଯୋଗାଯୋଗ, ବ୍ୟାଙ୍କ, ରେଳ ଓ ସଡ଼କ ପଥ ଘନତା ସବୁଠାରୁ ନିମ୍ନସ୍ତରରେ ରହିଛି। ଏହିସବୁ କ୍ଷେତ୍ର ପାଇଁ କେନ୍ଦ୍ରୀୟ ଅନୁଦାନ ୨ଗୁଣା କଲେ ହିଁ, ଜାତୀୟ ମାନଦଣ୍ଡ ସହ ସମତୁଲ ହୋଇପାରିବ। ଏହି ସବୁ ଅଞ୍ଚଳର ଅର୍ଥନୈତିକ ବିକାଶର ସୁଫଳ ଲୋକଙ୍କ ପାଖରେ ପହଞ୍ଚିବା ଉଚିତ୍‌। ୨୦୧୨ରୁ କୋଇଲା ରୟାଲିଟିର ସଂଶୋଧନ ହୋଇନାହିଁ। ଏହାର ସଂଶୋଧନ ବର୍ତ୍ତମାନ ପରିସ୍ଥିତିରେ ଜରୁରୀ ହୋଇପଡିଛି। ଓଡିଶାକୁ କ୍ଲିନ୍‌ ଏନର୍ଜି, ସେସ ପ୍ରଦାନ ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବାଞ୍ଚଳରେ ଦେଶର ସର୍ବାଧିକ ଅନୁସୂଚିତ ଜାତି, ଜନଜାତି ଅଞ୍ଚଳ ରହିଛି। ତେଣୁ ହୋ, ଭୂମିଜ ଏବଂ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ନବୀନ ଦାବି କରିଛନ୍ତି। ଜଗନ୍ନାଥଙ୍କ ଭୂମିରେ ପୂର୍ବାଞ୍ଚଳ ପରିଷଦ ବୈଠକ ପାଇଁ ସୂଯ଼ୋଗ ମିଳିଥିବାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ। ଆର୍ଥିକ ଭିତ୍ତିଭୂମି ଓ ବୈଷୟିକ କ୍ଷେତ୍ରରେ କେନ୍ଦ୍ର, ରାଜ୍ୟ ଓ ଆନ୍ତଃରାଜ୍ୟ ସମନ୍ୱୟ ସୃଷ୍ଟି କରିବା ଆବଶ୍ୟକତା ରହିଛି। ଏହାଦ୍ଵାରା ରାଜ୍ୟ ଓ କେନ୍ଦ୍ର-ରାଜ୍ୟ ମଧ୍ୟରେ ଆବେଗପୂର୍ଣ୍ଣ ସମନ୍ୱୟ ଦୃଢୀଭୂତ ହେବ ବୋଲି ନବୀନ କହିଛନ୍ତି।

ଏସିଆ ମହାଦେଶର ପୂରା ବଜାର ଉପରେ କରୋନା ଭୂତାଣୁର ପ୍ରଭାବ

ସେୟାର ବଜାର ଉପରେ କରୋନା ମାଡ଼ । ପୂରା ଏସିଆ ମହାଦେଶର ବଜାର ଉପରେ ପଡିଛି କରୋନା ଭୂତାଣୁର ପ୍ରଭାବ । ଫଳରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ସେୟାର ଖସିଛି । ପ୍ରାୟ ହଜାରେରୁ ଅଧିକ ଅଙ୍କ ଖସିଛି ସେନସେକ୍ସ । କରୋନାର ପ୍ରଭାବ ସାରା ବିଶ୍ୱର ଷ୍ଟକ ଏକ୍ସଚେଞ୍ଜ ଉପରେ ଦେଖିବାକୁ ମିଳିଛି । ସପ୍ତାହର ଶେଷ ଦିନ ବିଏସଇ ସେନସେକ୍ସ ୧୦୦୦ରୁ ଅଧିକ ଅଙ୍କ ହ୍ର।ସ ହୋଇଛି । ୬୫୮ ଅଙ୍କ ହ୍ର।ସ ସହିତ ବ୍ୟବସାୟ ଆରମ୍ଭ ହୋଇଥିଲା । ପରେ ଏହା ୧୦୦୦ରୁ ଅଧିକ ଅଙ୍କ ହ୍ର।ସ ହୋଇଛି । ସେହିପରି ନାସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟରେ ୨୫୧ ଅଙ୍କ ହ୍ର।ସ ସହିତ ୧୧ହଜାର ୩୮୨ରେ ବଜାର ଖୋଲିଛି । କରୋନାର ପ୍ରଭାବ ଚୀନ୍‌, ଜାପାନ, ଦକ୍ଷିଣ କୋରିଆ ସହ ଅନ୍ୟ ଏସୀୟ ଦେଶର ସେୟାର ବଜାର ଉପରେ ପଡିଛି ।