ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସମ୍ବଲପୁର ଓ ଝାରସୁଗୁଡ଼ାର ଘରୋଇ ହସ୍ପିଟାଲରେ ମିଳିପାରିବ ଚିକିତ୍ସା ସୁବିଧା
ଭୁବନେଶ୍ୱର : ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରେ ରାଜ୍ୟରେ କମିଛି ଦୁର୍ଘଟଣା । ଗତବର୍ଷ ତୁଳନାରେ ୪.୫ ପ୍ରତିଶତ ଦୁର୍ଘଟଣା ହ୍ରାସ ହୋଇଥିବା ସଡ଼କ ସୁରକ୍ଷା ପରିଷଦର ଦ୍ୱିତୀୟ ବୈଠକରେ ସୂଚନା ଦିଆଯାଇଛି । ଜାତୀୟ ହାରଠାରୁ ରାଜ୍ୟରେ ଦୁର୍ଘଟଣା ହାର ଅଧିକ ରହିଥିବାରୁ ହାଇକୋର୍ଟ ମଧ୍ୟ ଏହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ତେବେ ଆଇନକୁ କଡ଼ା କଡ଼ି ଲାଗୁ କରାଯାଇଥିବାରୁ ଏଥିରେ ସୁଧାର ଅଣାଯାଇପାରିଛି ବୋଲି ବୈଠକରେ ମତ ପ୍ରକାଶ ପାଇଛି । ସେହିପରି ପୂର୍ବରୁ କେବଳ କଟକ ଓ ଭୁବନେଶ୍ୱରର କିଛି ଘରୋଇ ହସ୍ପିଟାଲରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିଲା । ଏବେ ସେହି ସେବା ସମ୍ବଲପୁର ଓ ଝାରସୁଗୁଡ଼ାରେ ଯୋଗାଇ ଦିଆଯିବ ।

ଦୁର୍ଘଟଣାରେ ମୃତ୍ୟୁ ହାର ୧୨ ପ୍ରତିଶତ କମିଥିବା ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ଦ୍ୱିତୀୟ ବୈଠକରେ ସୂଚନା ଦିଆଯାଇଛି । ରାଜ୍ୟର ବୌଦ୍ଧ, ରାୟଗଡା, ସୋନପୁର, କନ୍ଧମାଳ, ଦେବଗଡ଼, ମାଲକାନଗିରି ଆଦି ଜିଲ୍ଲା ଗୁଡ଼ିକରେ ସର୍ବାଧିକ ଦୁର୍ଘଟଣା ହେଉଥିବା ସୂଚନା ମିଳିଛି । ୨୦୧୮ ମସିହାରେ ସମଗ୍ର ଭାରତରେ ୧.୫୨ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି । ପ୍ରତି ଘଣ୍ଟାରେ ସମଗ୍ର ଦେଶରେ ୧୭ ଜଣ ଲୋକଙ୍କ ଜୀବନ ଯାଉଛି । ଗତ ଦଶନ୍ଧିରେ ଓଡ଼ିଶାରେ ୩୮ ହଜାର ୨୦୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୮ରେ ଓଡ଼ିଶାରେ ୫,୩୧୫ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ପାଞ୍ଚ ହଜାର ଲୋକ ଗୁରୁତର ଆହତ ହୋଇଛନ୍ତି । ସମଗ୍ର ଦେଶରେ ଦୁର୍ଘଟଣାରେ ୧୦୦ରେ ୩୨ ଜଣଙ୍କ ମୃତ୍ୟୁ ଘଟୁଥିବାବେଳେ ଓଡ଼ିଶାରେ ୪୭ ଜଣଙ୍କ ମୃତ୍ୟୁ ଘଟୁଛି ।

୨୦୧୪ ରୁ ୨୦୧୮ ମଧ୍ୟରେ ଦୁର୍ଘଟଣାରେ ମୃତ୍ୟୁ ହାର ୩୫.୨ ପ୍ରତିଶତ ବଢିଛି । ୨୦୧୯ ବର୍ଷ ଆରମ୍ଭରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୪,୧୧୫ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ୍ ସୁଦ୍ଧା ଆଠ ହଜାର ମଦ୍ୟପ ଡ୍ରାଇଭର ଗିରଫ ହୋଇଛନ୍ତି ଏବଂ ୭୫୦ ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଦୁର୍ଘଟଣାଜନିତ ମୃତ୍ୟୁହାର କମାଇବା ପାଇଁ ରାଜ୍ୟରେ ବିଭିନ୍ନ ବିଭାଗ ଦ୍ୱାରା ଅନେକ ପଦକ୍ଷେପ ନିଆଯାଇଛି । ସଂଶୋଧିତ ମୋଟରଯାନ ଆଇନ ସାରା ରାଜ୍ୟରେ ୧ ସେପ୍ଟେମ୍ବରରୁ ଲାଗୁ କରାଯାଇଛି । ଜନସାଧାରଣଙ୍କ ସୁବିଧା ନିମନ୍ତେ ଆରଟିଓ ଅଫିସ ବାହାରେ ଅନେକ କ୍ୟାମ୍ପ ଖୋଲାଯାଇଛି । ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ଆପାତତଃ ୫ ଲକ୍ଷ ଲାର୍ଣ୍ଣିଂ ଲାଇସେନ୍ପ ପ୍ରଦାନ କରାଯାଇଛି । ପ୍ରାୟ ୯୦୦ଟି ପଲ୍ୟୁସନ ଟେଷ୍ଟିଂ କେନ୍ଦ୍ର ଖୋଲିବା ପାଇଁ ଅନୁମତି ଦିଆଯାଇଛି । ଏହାଦ୍ୱାରା ୧୦ ଲକ୍ଷ ପ୍ରଦୂଷଣ ଯାଞ୍ଚ ସାର୍ଟିଫିକେଟ ପ୍ରଦାନ କରାଯାଇଛି ।

ତେବେ ଆଗାମୀ ଦିନରେ ଦୁର୍ଘଟଣା କମିବା ନେଇ ସମସ୍ତ ଉଦ୍ୟମ ଜାରି ରହିବ । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି। ମଦ୍ୟପ ଗାଡି ଚାଳନା ଉପରେ ଫୋକସ ଦିଆଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଅନେକ ଲୋକ ଟ୍ରେନିଂ ନ ନେଇ ଗାଡି ଚଳାଉଥିବା ନଜରକୁ ଆସିଛି। ଉଭୟ ପୋଲିସ ଓ ପରିବହନ ବିଭାଗ ଫାଇନ ଆଦାୟ କରିପାରିବେ। ଜାତୀୟ ରାଜପଥରେ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯିବ। ଏବେ ଗ୍ରାମାଞ୍ଚଳରେ କଡ଼ାକଡ଼ି ଚେକିଂ କରାଯିବ । ୩ ମାସ ଅବଧି ସରିଲା ପରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି କଡ଼ା ଚେକିଂ କରାଯିବା । ମର୍ଚ୍ଚମାସ ସୁଦ୍ଧା ଜାତୀୟ ରାଜପଥର ସମସ୍ତ ବ୍ଲାକସ୍ପଟ ଚିହ୍ନଟ ସହ ସମସ୍ତ ପଦକ୍ଷେପ ନିଆଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।
ମଦକୁ ବିରୋଧ କରି ମାଡ ଖାଇଲେ ଦମ୍ପତି
ଭଦ୍ରକ: ମଦ ବିକ୍ରିକୁ ବିରୋଧ କରିବାରୁ ଦମ୍ପତିଙ୍କୁ ଆକ୍ରମଣ କଲେ ଚୋରା ମଦ ବେପାରୀ । ଦମ୍ପତିଙ୍କୁ ଆହତ ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।ଅଭିଯୋଗ ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଉଦପୁର ତରପଦା ଗ୍ରାମରେ କିଛି ବ୍ୟକ୍ତି ଚୋରା ମଦ ବେପାର କରି ଆସୁଥିଲେ । ଏହି ମଦ ବେପାର ଯୋଗୁଁ ଗାଁରେ ବହୁ ଅସାମାଜିକ ଲୋକଙ୍କ ଗହଳି ଲାଗି ରହୁଛି । ଦିନ ରାତି ସବୁବେଳେ ଲୋକ ମଦ ପିଇବାକୁ ଆସି ନିଶାଗ୍ରସ୍ତ ଅବସ୍ଥାରେ ଗାଁର ବିଭିନ୍ନ ଲୋକଙ୍କୁ ଅଶୋଭନୀୟ ଆଚରଣ ଦେଖାଉଛନ୍ତି ।
ଏହି ଘଟଣାକୁ ନେଇ ଉକ୍ତ ଗ୍ରାମର ଶ୍ରୀଧର ଜେନା ଓ ଉଷା ଜେନା ନାମକ ଦମ୍ପତି ଏହି ଚୋରା ମଦ ବେପାରକୁ ବାରମ୍ବାର ବିରୋଧ କରି ଆସୁଥିଲେ । ତେବେ ସ୍ୱାମୀଙ୍କ ଅନୁପସ୍ଥିତିରେ ଉଷା ଜେନା କାଲି ଘଟଣା କ୍ରମରେ ମଦ ବେପାରକୁ ବିରୋଧ କରିବାରୁ ତାଙ୍କୁ ମଦ ବେପାରୀ ସବୁ ମିଶି ବାଡ଼ିରେ ଆକ୍ରମଣ କରିଥିଲେ ।

ସ୍ତ୍ରୀକୁ ମାଡ଼ ମରାଯାଉଥିବା ଖବର ପାଇ ସ୍ୱାମୀ ବିଲରୁ ଦୌଡ଼ି ଆସି ଛଡାଉଥିବା ସମୟରେ ସେ ମଧ୍ୟ ଆକ୍ରମଣ ର ଶିକାର ହୋଇଥିଲେ । ପରେ ଦୁଇ ଦମ୍ପତି ଆହତ ଅବସ୍ଥାରେ ଭଦ୍ରକ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ଏନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି ଆହତ ଦମ୍ପତି ।
ସରକାରଙ୍କ ୫-ଟି କାର୍ଯ୍ୟକ୍ରମକୁ ପ୍ରଶଂସା କଲେ UNDP ସଦସ୍ୟ
ଭୁବନେଶ୍ୱର : ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଏବଂ ଲୋକଙ୍କ ପାଖରେ ସୁବିଧାରେ ସେବା ପହଞ୍ଚାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ୫-ଟି ଏବଂ ମୋ ସରକାର କାର୍ଯ୍ୟକ୍ରମକୁ ଜାତୀୟସ୍ତରର ସଂସ୍ଥାଙ୍କ ପରେ ଏବେ ଅନ୍ତର୍ଜାତୀୟ ସ୍ତରରୁ ମିଳିଛି ପ୍ରଶଂସା । ନୀତି ଆୟୋଗଙ୍କ ପରେ ଜାତିସଂଘର ସଦସ୍ୟ ଏଭଳି କାର୍ଯ୍ୟକ୍ରମକୁ ବେଶ୍ ପ୍ରଶଂସା କରିଛନ୍ତି ।

UNDPର ଭାରତ ପ୍ରତିନିଧି ସୋକୋ ନୋଡା ଗତକାଲି ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକସେବା ଭବନରେ ସାକ୍ଷାତ କରିଥିଲେ । ଏହି ଅବସରରେ ସେ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ସଂପର୍କରେ ଅବଗତ ହୋଇଥିଲେ । ଏ ସଂପର୍କରେ ଅବଗତ ହେବା ପରେ ଏହାକୁ ସେ ବେଶ୍ ପ୍ରଶଂସା କରିଛନ୍ତି । ୫-ଟି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ମଧ୍ୟ ନୋଡା ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ।

ଜାତିସଂଘ ବିକାଶ ପରିଷଦର ଏହି ପ୍ରତିନିଧି ଦଳ ଆହୁରି କହିଛନ୍ତି ଯେ, ରାଜ୍ୟର ବିକାଶ ମୂଳକ କାର୍ଯ୍ୟରେ ଭାଗିଦାରୀ ହୋଇ ସେମାନେ ଗୌରବ ଅନୁଭବ କରୁଛନ୍ତି । ବିଶେଷକରି, ବିପର୍ଯ୍ୟୟ ପରିଚାଳନା ଓ ଜଳବାୟୁ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ପ୍ରଶଂସା କରିଛନ୍ତି । କୋଷ୍ଟାଲ୍ ରେଜିଲିଆନ୍ସ ଉପରେ ଗୁରୁତ୍ୱାରୋପ କରିଥିଲେ ୟୁଏନଡିପି ପ୍ରତିନିଧି ଦଳ । ରାଜ୍ୟରେ ଗାନ୍ଧି ଜୟନ୍ତୀରୁ ପ୍ରଥମ ପର୍ଯ୍ୟାୟରେ ଥାନା ଓ ଡାକ୍ତରଖାନାରେ ୫-ଟି ଲାଗୁ ହୋଇଥିଲା । ଦୁର୍ନୀତି ରୋକିବା ସହ ଲୋକଙ୍କୁ ସୁବିଧାରେ ଓ ହାତ ପାହାନ୍ତାରେ ସରକାରୀ ସେବା ପ୍ରଦାନକୁ ପ୍ରାଧାନ୍ୟ ଦିଆଯାଇଥିଲା । ଏହାପରେ ଡିସେମ୍ୱର ପ୍ରଥମ ସପ୍ତାହରୁ କୃଷି, ଉଚ୍ଚଶିକ୍ଷା ଓ ପଞ୍ଚାୟତିରାଜ ବିଭାଗରେ ମୋ-ସରକାର ଓ ୫-ଟି ଲାଗୁ କରାଯାଇଛି । ୧୭ ତାରିଖରେ ମହିଳା ଓ ଶିଶୁ ବିକାଶ ବିଭାଗରେ ୫-ଟିକୁ ଲାଗୁ କରାଯାଇଛି ।

ଗତକାଲି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା କିଭଳି ସଫଳତା ହାସଲ କରିଛି ସେ ସଂପର୍କରେ ଜାତିସଂଘ ପ୍ରତିନିଧି ଦଳଙ୍କୁ ଅବଗତ କରାଇଥିଲେ ।
ସୁପ୍ରିମକୋର୍ଟରେ CAA ମାମଲା, କେନ୍ଦ୍ର ସରକାରଙ୍କୁ ନୋଟିସ୍
ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ ୨୦୧୯କୁ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ । ଗତ ଶୀତ ଅଧିବେଶନରେ କେନ୍ଦ୍ର ସରକାର ଏହି ବିଲକୁ ରାଜ୍ୟ ସଭା ଓ ଲୋକସଭାରେ ପାସ୍ କରାଇବା ପରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ଆଇନରେ ପରିଣତ ହୋଇଛି ।

ତେବେ ଏଥିରେ ମୁସଲମାନ ସଂପ୍ରଦାୟକୁ ସାମିଲ କରାନଯିବାକୁ ନେଇ ଦେଶର ଉତ୍ତର ପୂର୍ବ ସମେତ ବିଭିନ୍ନ ସ୍ଥାନରେ ହିଂସା ଲାଗି ରହିଛି । ବିଶେଷକରି ଦିଲ୍ଲୀର ବିଭିନ୍ନ ସ୍ଥାନରେ ସ୍ଥିତି ଅଣାୟତ୍ତ ହେବା ସହ AMUରେ ଛାତ୍ରଛାତ୍ରୀଙ୍କ ବିଦ୍ରୋହ ଉଗ୍ରରୂପ ଧାରଣ କରିଛି । ଏ ସବୁକୁ ଦୃଷ୍ଟିରେ ରଖି ଆଇନରେ ପୁନଶ୍ଚ ପରିବର୍ତ୍ତନ କରିବାକୁ ସୁପ୍ରିମକୋର୍ଟରେ ବହୁ ସଂଗଠନ ପକ୍ଷରୁ ଦାବି କରାଯାଇଛି ।
ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏ ମାମଲାର ଶୁଣାଣି କରି, କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଜାନୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଉତ୍ତର ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ବାହା ହେଲାନି ବୋଲି ପରପୁରୁଷକୁ ଆରପାରିକୁ ପଠାଇଲେ ଏହି ମହିଳା
ବାଲେଶ୍ୱର: ୧୨ ବର୍ଷ ଧରି ଏକାଠି ରହୁଥିଲେ ଜଣେ ପୁରୁଷ ଆଉ ଜଣେ ମହିଳା । ହଠାତ୍ ଦିନେ ଭୋରରୁ ପୁରୁଷ ଜଣଙ୍କୁ କଟୁରୀରେ ହାଣି ହତ୍ୟା କଲେ ମହିଳା। ୧୨ ବର୍ଷରୁ ଗଢ଼ି ଉଠିଥିବା ଅନୈତିକ ସମ୍ପର୍କରେ ଲାଗିଲା ରକ୍ତର ଛିଟା ।

ପୁରୁଷ ବନ୍ଧୁଙ୍କୁ କାହିଁକି ମାରିଲେ ମହିଳା?
ହଠାତ୍ କ’ଣ ହେଲା ଯେ ମହିଳାଙ୍କ ମୁଣ୍ଡ ବିଗିଡ଼ିଗଲା?
ପୁଲିସ ଯାହା ସୂଚନା ଦେଇଛି, ମୃତକ ହେଉଛନ୍ତି ମୟୂରଭଂଜର ବୁଢ଼ା ମାରାଣ୍ଡି । ବୁଢ଼ା ବାଲେଶ୍ୱର ଜିଲ୍ଲାର ଏଫସିଆଇରେ ଜଗୁଆଳୀ ଭାବେ ଚାକିରୀ କରୁଥିଲେ। ଗତକାଲି ରାତିରେ ସହଦେବଖୁଣ୍ଟା ଗୁଡିପଦର ଠାରେ ରହୁଥିବା ଭଡ଼ା ଘରେ ତାଙ୍କୁ ହତ୍ୟା କରାଯାଇଛି । ଘଟଣାସ୍ଥଳରୁ ମାରଣାସ୍ତ୍ର ଜବତ କରାଯାଇଛି ।

ହତ୍ୟା ଅଭିଯୁକ୍ତ ମହିଳା ସୀତା ହେମ୍ବ୍ରମ ତାଙ୍କ ସ୍ତ୍ରୀ ବୋଲି ବାହାର ଦୁନିଆ ଜାଣିଥିଲେ ମଧ୍ୟ ସେ ପ୍ରକୃତରେ ସେୟା ନ ଥିଲେ। ବୁଢ଼ା ପୂର୍ବରୁ ବିବାହିତ ଥିଲେ ଆଉ ତାଙ୍କର ଦୁଇଟି ପିଲା ଅଛନ୍ତି। ବୁଢ଼ାଙ୍କର ସୀତାଙ୍କ ସହ ବିବାହ ପୂର୍ବରୁ ସମ୍ପର୍କ ରହିଥିଲା କିନ୍ତୁ ବୁଢ଼ା ସୀତାଙ୍କୁ ଛାଡ଼ି ଅନ୍ୟତ୍ର ବାହା ହୋଇଥିଲେ । ବିବାହ ପରେ ପୁଣି ସମ୍ପର୍କ ଗଢ଼ିଉଠିବା ପରେ ସେ ସହଦେବଖୁଣ୍ଟାରେ ତାଙ୍କ ସହ ଏକାଠି ରହୁଥିଲେ । ସୀତା ବାରମ୍ବାର ବୁଢ଼ାଙ୍କୁ ବାହା ହେବା ସହ ଆଇନ ଅନୁଯାୟୀ ସ୍ତ୍ରୀ ଭାବେ ଗ୍ରହଣ କରିବାକୁ କହୁଥିଲେ । କିନ୍ତୁ ତାହା ହୋଇ ନ ପାରିବାରୁ ସୀତା ତାଙ୍କୁ ହତ୍ୟା କରିବାକୁ ସୁଯୋଗ ଖୋଜୁଥିଲେ ।

ଶେଷରେ ଗତକାଲି ରାତି ୪ଟାରେ ସୀତା ତାଙ୍କ ପୁରୁଷ ବନ୍ଧୁ ବୁଢ଼ାଙ୍କୁ କଟୁରୀରେ ହାଣି ହତ୍ୟା କରିଥିଲେ । ହତ୍ୟା ପରେ ବାରିପଦା ସଦର ଥାନାରେ ସୀତା ଆତ୍ମସମର୍ପଣ କରିଛନ୍ତି ।
ବାସି ରୁଟି ଖାଉଛନ୍ତି କି: ଜାଣନ୍ତୁ ଏହାର ଉପକାରିତା ବିଷୟରେ
ବାସି ଖାଦ୍ୟ ଶରୀର ପାଇଁ ହାନୀକାରକ ଜାଣି ମଧ୍ୟ ବାସି ରୁଟି ଖାଇବା ଅନେକଙ୍କ ଏକ ଅଭ୍ୟାସ ଭଳି ଦେଖାଯାଏ । କେହି କେହି ଚା’ ରେ ବାସିରୁଟି ଖାଇବାକୁ ପସନ୍ଦ କରନ୍ତି ତ କେହିକେହି ଏହାକୁ ଅନ୍ୟ କୌଣସି ତରକାରୀ ସହ ଖାଇଥାନ୍ତି ।
ହେଲେ ବିଶେଷଜ୍ଞଙ୍କ ମତରେ ବାସି ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ । ୧୨ ଘଣ୍ଟାରୁ ଅଧିକ ସମୟ ରହିଥିବା କୌଣସି ଖାଦ୍ୟ ଖାଇଲେ ଫୁଡ୍ ପଏଜନିଙ୍ଗ୍ ସହ ଅନ୍ୟାନ୍ୟ ସମସ୍ୟା ଉପୁଜିଥାଏ। କିନ୍ତୁ ଏକ ଅନୁଧ୍ୟାନରୁ ପ୍ରକାଶ ପାଇଛି ଯେ, ବାସି ରୁଟି ଖାଇଲେ ଅନେକ ରୋଗ ସମସ୍ୟାର ସମାଧାନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ..
– ଡାକ୍ତର ପ୍ରିୟଙ୍କା ରୋହତଗୀଙ୍କ ମତରେ ବାସି ରୁଟି ଖାଇଲେ ଅମ୍ଳ ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିରେ ସୋଡିୟମ୍ ଆବଶ୍ୟକ ପରିମାଣର ଥାଏ । ତେଣୁ ଏହା ଖାଇଲେ ଆପଣଙ୍କ ଓଜନ ନିୟନ୍ତ୍ରିତ ରହିବା ସହ ମଧୁମେହ ହେବାର ଆଶଙ୍କା କମ୍ ରହିଥାଏ ।
– ସକାଳ ଜଳଖିଆରେ ଖିରରେ ବାସି ରୁଟିକୁ ଭିଜାଇ ଖାଇଲେ ତାହା ଆପଣଙ୍କ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ। ୧ ସପ୍ତାହ ଏପରି ଜଳଖିଆ କରିବା ପରେ ଆପଣ ରକ୍ତଚାପକୁ ଅନୁଧ୍ୟାନ କରନ୍ତୁ।

– ବିଶେଷଜ୍ଞଙ୍କ ମତରେ ଖିର ସହ ବାସି ରୁଟି ଖାଇବା ସବୁଠୁ ଭଲ। ବିଦ୍ୟାଳୟ ଯାଉଥିବା ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ସମସ୍ତେ ଏଇ ବାସି ରୁଟି ଖାଇବା ହିତକାରୀ।
ଆଜି ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ: ଭାରତ ପାଇଁ କର ବା ମର ପରିସ୍ଥିତି
ବିଶାଖାପାଟଣା: ଆଜି ବିଶାଖାପାଟଣାରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ । ଦିନ ୧:୩୦ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ କର ବା ମର ସଦୃଶ । ଭାରତ ଜିତିଲେ ତିନି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ ବରାବର ସ୍ଥିତିକୁ ଆସିବ, ନହେଲେ ବିରାଟ ବାହିନୀ ହାତରୁ ଖସିଯିବ ସିରିଜ୍ । ଏଥିସହ ୯ ଦ୍ୱିପାକ୍ଷିକ ଶୃଙ୍ଖଳା ପରେ ପ୍ରଥମ ଥର ପାଇଁ ୱେଷ୍ଟଇଣ୍ଡିଜ ଠାରୁ ସିରିଜ ହାରିବ ଭାରତ ।

ସେପଟେ ପ୍ରଥମ ମ୍ୟାଚ୍ ଜିତି ଉତ୍ସାହିତ ଥିବା କାରବିୟାନ ଟିମ୍ର ଯୁବ ବ୍ରିଗେଡ ଆଜି ବଡ଼ ବିପର୍ଯ୍ୟୟ ଘଟାଇ ଭାରତରେ ଭାରତଠାରୁ ସିରିଜ ଛଡ଼ାଇ ନେବା ଲକ୍ଷ୍ୟରେ ରହିଛି । ତେବେ ଭିଡିସିଏ ଷ୍ଟାଡିୟମରେ ବଡ଼ ସ୍କୋରର ସମ୍ଭାବନା ରହିଛି । ଅଧିକାଂଶ ସମୟ ଏଠାରେ ଗୋଟିଏ ପାଳିରେ ୩୦୦ ପାଖାପାଖି ରନ୍ ହୋଇଆସୁଛି । ତେଣୁ ୱେଷ୍ଟଇଣ୍ଡିଜର ଯ଼ୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ଅଟକାଇବା ଭାରତ ପାଇଁ ଏତେ ସହଜ ହେବନି । ସେପଟେ ପ୍ରଥମ ମ୍ୟାଚ୍ ହାରିବା ପରେ ଭାରତ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରିପାରେ । ଚେନ୍ନାଇରେ ନିଷ୍ପ୍ରଭ ବୋଲିଂ ପରେ ଶିଭମ ଦୁବେ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଭିତରୁ ଜଣଙ୍କୁ ବାଛିପାରେ ଦଳ । ତାଙ୍କ ସ୍ଥାନରେ ଖେଳିପାରନ୍ତି ୟୁଜୁବେନ୍ଦ୍ର ଚହଲ ।
ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ବାର୍ଷିକୀ ସମାରୋହ କମିଟିର ଦ୍ୱିତୀୟ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ୫ ଦିନିଆ ଦିଲ୍ଲୀଗସ୍ତରେ ଯାଉଛନ୍ତି । ଆଜି ମଧ୍ୟାହ୍ନରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଦିଲ୍ଲୀ ଆଭିମୁଖେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତା କାଲି ଅପରାହ୍ନ ୩ଟାରେ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ସମାରୋହ କମିଟିର ଦ୍ୱିତୀୟ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୨୦ ଓ ୨୧ ତାରିଖରେ କେନ୍ଦ୍ର ସରକାରଙ୍କ ନିକଟରେ ପଡ଼ିରହିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ । ୨୨ ତାରିଖ ପୂର୍ବାହ୍ନରେ ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ ।
ଏହି ୫ଟି ସଙ୍କେତ ଜଣାଇବ ଆଗକୁ ଆପଣଙ୍କର ଧନଲାଭ ଯୋଗ ରହିଛି
ପୁରାଣରେ ମା’ ଲକ୍ଷ୍ମୀଙ୍କୁ ଧନଦେବୀ ବୋଲି ସମ୍ବୋଧନ କରାଯାଏ । ଯଦି କୌଣସି ବ୍ୟକ୍ତି ଉପରେ ମା’ ଲକ୍ଷ୍ମୀଙ୍କ କୃପା ପଡ଼େ ସେହି ବ୍ୟକ୍ତିର ଘରୁ କେବେ ଧନ ଓ ସମୃଦ୍ଧିର ଅଭାବ ଦେଖାଯାଏ ନାହିଁ । ଯିଏ ମା’ଙ୍କୁ ପ୍ରସନ୍ନ କରି ପରିଲା ତାର ଭାଗ୍ୟ ବଦଳିଯାଏ ।
ତେବେ କେବେକେବେ ବ୍ୟକ୍ତିଙ୍କ ଜୀବନରେ ଏଭଳି କିଛି ଘଟଣା ଘଟିଥାଏ, ଯାହା ସଙ୍କେତ ଦିଏ ଯେ ଆଗାମୀ ଦିନରେ ସେହି ବ୍ୟକ୍ତିର ଜୀବନରୁ ସମସ୍ତ ଦୁଃଖ ଓ ଦୁର୍ଦ୍ଦଶା ଦୂର ହେବା ସହ ଭଲ ସମୟ ଆସିବ । ତେବେ ଆସନ୍ତୁ ଜାଣିବା ସେହି ସଙ୍କେତଗୁଡିକ ବିଷୟରେ….

୧. ସକାଳ ସମୟରେ ଆଖୁ ଦେଖିବା ଶୁଭ ସଙ୍କେତ । ଯଦି ଆପଣ ସକାଳେ କେଉଁଠି ଆଖୁ ଦେଖୁଛନ୍ତି ତେବେ ଜାଣନ୍ତୁ ଆପଣଙ୍କୁ ସୌଭାଗ୍ୟ ପ୍ରାପ୍ତି ହେବ ।
୨. ମା’ ଲକ୍ଷ୍ମୀଙ୍କ ବାହନ ହେଉଛି ପେଚା । ଯଦି ଆପଣ ଆଖପାଖରେ ପେଚା ଦେଖୁଛନ୍ତି ତେବେ ଜାଣନ୍ତୁ ମା’ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ବହୁତ ଶୀଘ୍ର ଆପଣଙ୍କୁ ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବ ।
୩. ଝାଡୁ ସହ ମା’ ଲକ୍ଷ୍ମୀଙ୍କ ସମ୍ପର୍କ ଗଭୀର । ଏକଥା ସମସ୍ତଙ୍କୁ ଜଣା । ଯଦି ସକାଳୁ କେହି ଝାଡୁ ଲଗାଉଥିବା ଦେଖୁଛନ୍ତି ତେବେ ଜାଣିବେ ବହୁତ ଶୀଘ୍ର ଆପଣ ମାଲାମାଲ ବା ଧନୀ ହେବାକୁ ଯାଉଛନ୍ତି ।
୪. ଶଙ୍ଖ ଧ୍ୱନି ଶବ୍ଦ ଶୁଣିବା ଅର୍ଥ ହେଉଛି ମା’ ଲକ୍ଷ୍ମୀଙ୍କ ଆଗମନର ସଙ୍କେତ । ଯଦି ଆପଣ ଶଙ୍ଖ ଧ୍ୱନି ଶୁଣୁଛନ୍ତି, ତେବେ ଜାଣନ୍ତୁ ଶୀଘ୍ର ଆପଣଙ୍କ ଭାଗ୍ୟ ବଦଳିବ ।
୫.ଯଦି ଆପଣ ଆପଣଙ୍କ ପାଖଆଖ ସବୁଜ ସୁନ୍ଦର ଦେଖୁଛନ୍ତି, ତେବେ ଜାଣନ୍ତୁ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବାକୁ ଯାଉଛି । ଏହା ସହ ଜୀବନରେ ଦେଖା ଦେଉଥିବା ସମସ୍ତ ସମସ୍ୟା ମଧ୍ୟ ଦୂର ହେବ।

