spot_img
Home Blog Page 7474

ଅତ୍ୟାଧୁନିକ ଜ୍ଞାନକୈାଶଳର ପ୍ରୟୋଗରେ କୃଷି ଉତ୍ପାଦନ ବୃଦ୍ଧି ହେଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୃଷିର ବିକାଶ ଓ କୃଷକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିଛନ୍ତି ରାଜ୍ୟ ସରକାର। ଅତ୍ୟାଧୁନିକ ଜ୍ଞାନକୈାଶଳ ପ୍ରୟୋଗରେ ରାଜ୍ୟରେ ଉତ୍ପାଦନ ବୃଦ୍ଧି ହେଉ। କୃଷି ଓଡ଼ିଶା-୨୦୨୦ କାର୍ଯ୍ୟକ୍ରମର ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। କୃଷିକୁ ଗୁରୁତ୍ୱ , କୃଷକଙ୍କୁ ସ୍ୱୀକୃତି ଲକ୍ଷ୍ୟରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ନବନିଯ଼ୁକ୍ତ ୬୩ ଜଣ ସହକାରୀ ଉଦ୍ୟାନ ଅଧିକାରୀଙ୍କ ମଧ୍ୟରୁ ୩ ଜଣଙ୍କୁ ନିଯ଼ୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫ ଅଗ୍ରଣୀ କୃଷକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ କୃଷି ପ୍ରଦର୍ଶନୀକୁ ମଧ୍ୟ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ।

ଉଦ୍‌ଯାପନୀ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ୍‌ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନର କୃଷି ବିଜ୍ଞାନୀ, ବିଶେଷଜ୍ଞ, କୃଷି ଅଧିକାରୀ। ମହୋତ୍ସବରେ ଏଥର ୨୨୮ଟି ଷ୍ଟଲ ନିର୍ମାଣ କରାଯାଇଛି । ଏଥିରେ ଦେଶ ବିଦେଶରୁ ୧୧୨ଟି କମ୍ପାନୀ ଯୋଗ ଦେଇଛନ୍ତି । ସେହିପରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଋଣ ଯୋଗାଣ କ୍ଷେତ୍ରରେ ବ୍ୟାଙ୍କମାନଙ୍କର ଗୁରୁତ୍ୱପୂର୍ଣ୍ଣ  ଭୂମିକା ଥିବାରୁ ୨୨ ତାରିଖରେ ରାଜ୍ୟର ବ୍ୟାଙ୍କ ଅଧିକାରୀଙ୍କର ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯାଇଛି । ଏଥିରେ ରାଜ୍ୟର ପ୍ରାୟ ୫ ଶହ ବ୍ୟାଙ୍କ ଅଧିକାରୀ ଯୋଗଦେଉଛନ୍ତି। ପ୍ରତ୍ୟେକ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଏୟାରପୋର୍ଟର ଟିକେଟ କାଉଣ୍ଟରରେ IED ବ୍ୟାଗ୍

ବେଙ୍ଗଳୁରୁ: ମାଙ୍ଗାଲୋର ଏୟାରପୋର୍ଟରୁ ମିଳିଲା ବିସ୍ଫୋରକ । ଏନେଇ ଖବର ପ୍ରସାରିତ ହେବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଟର୍ମିନାଲର ବାହାରେ ଆଇଇଡ଼ି (ବିସ୍ଫୋରକ) ମିଳିବାପରେ ଏୟାରପୋର୍ଟରେ ହାଇ ଆର୍ଲଟ ଜାରି କରାଯାଇଛି । ସନ୍ଦିଗ୍ଧ ବ୍ୟାଗ ମିଳିବା ପରେ ଏୟାରପୋର୍ଟର ସମସ୍ତ କର୍ମଚାରୀଙ୍କୁ ସତର୍କ କରି ଦିଆଯାଇଥିଲା । ପ୍ରାରମ୍ଭିକ ପରୀକ୍ଷାରୁ ବ୍ୟାଗରେ IED ବିଷୟରେ ସୂଚନା ମିଳିଥିଲା ।

ପରେ ସିଆଇଏସ୍‌ଏଫ୍‌ ପହଞ୍ଚି ବୋମା ନିଷ୍କ୍ରିୟକାରୀ ଦଳଙ୍କୁ ସୂଚନା ଦେଇଥିଲେ । ଏହାକୁ ନିଷ୍କ୍ରିୟ କରାଯାଇଥିବା ପୋଲିସ କମିଶନର ଏଚ୍‌.ଏସ୍‌. ହର୍ଷ ସୂଚନା ଦେଇଛନ୍ତି । ଟିକଟ କାଉଣ୍ଟର ପାଖରେ ସନ୍ଦିଗ୍ଧ ବ୍ୟାଗ୍‌ ରହିଥିବାରୁ ଏନେଇ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ୨ଜଣ ଲୋକ ଅଟୋରେ ଆସି ଏପରି କରିଥିବା କେତେକ କହୁଛନ୍ତି । ତେବେ, ଏନେଇ ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌ କରାଯାଉଥିବା ପୋଲିସ କମିଶନର କହିଛନ୍ତି ।

ରାଜ୍ୟରେ ବ୍ରାଉନସୁଗର ବ୍ୟବସାୟର ଆନ୍ତରାଜ୍ୟ ରାକେଟ ଖୋଜିବ ଏସ୍‌ଟିଏଫ୍‌

କୁଖ୍ୟାତ ବ୍ରାଉନସୁଗର ବେପାରୀ ଶେଖ ଫକୀର ଓ ତାଙ୍କ ୪ ସହଯୋଗୀଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ଏସ୍‌ଟିଏଫ୍‌ । ଏବେ ରାଜ୍ୟରେ ବ୍ରାଉନସୁଗର ବ୍ୟବସାୟର ଆନ୍ତରାଜ୍ୟ ରାକେଟ ଖୋଜିବ ଏସ୍‌ଟିଏଫ୍‌ । ଏହି ୪ ଦିନର ରିମାଣ୍ଡରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇପାରେ ବୋଲି କହିଛି ଏସ୍‌ଟିଏଫ୍‌ । ଫକୀରର ୪ ସହଯୋଗୀ ହେଲେ ଶେଖ ସଗବା, ତନ୍ମୟ ସାହୁ, ମହମ୍ମଦ ସୋହେଲ ଓ ଶେଖ ହଇ ହଇବୁଲ । ଗିରଫ ବେଳେ ସେମାନଙ୍କ ନିକଟରୁ  ୩୨୪ ଗ୍ରାମ ବ୍ରାଉନ ସୁଗାର, ଗୋଟିଏ କାର, ୪ଟି ବାଇକ୍‌ ସହ ୧ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି । ଏସଟିଏଫ୍‌ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରି ଅନ୍ୟ ୧୧ ଜଣ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୯୩ ଗ୍ରାମ ବ୍ରାଉନସୁଗାର ,୯ ଲକ୍ଷ ଟଙ୍କା, ୩ଟି ବାଇକ୍‌, ବ୍ୟାଙ୍କ ଆକାଉଣ୍ଟ ଜବତ କରିଥିବା ସୂଚନା ଦେଇଛି ଏସଟିଏଫ୍‌ ।

ନିର୍ଭୟା ଦୋଷୀ ପୱନ ଗୁପ୍ତାର ଆବେଦନ ଖାରଜ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀ ପୱନ ଗୁପ୍ତାଙ୍କ ଆବେଦନ ଖାରଜ । ଜଷ୍ଟିସ ଆର ଭାନୁମତି, ଜଷ୍ଟିସ ଅଶୋକ ଭୁଷଣ ଓ ଜଷ୍ଟିସ ଏ.ଏସ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି ।

ଆବେଦନ ଖାରଜ ହେବା ପରେ ଏବେ ପୱନଙ୍କ ନିକଟରେ କ୍ୟୁରେଟିଭ ପିଟିସନ ଓ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ନିବେଦନ କରିବାର ବିକଳ୍ପ ରହିଛି ।  ୨୦୧୨ ଡିସେମ୍ବର ମାସରେ ଯେତେବେଳେ ନିର୍ଭୟା କାଣ୍ଡ ଘଟିଥିଲା ସେତେବେଳେ ସେ ନାବାଳକ ଥିଲା । ତେଣୁ ମାମଲାର ବିଚାର ବେଳେ ତାଙ୍କୁ ଜଣେ ନାବାଳକ ଭାବେ ବିଚାର କରିବାକୁ ସେ କୋର୍ଟରେ ଆବେଦନ କରିଥିଲା । ଏହାକୁ ଟ୍ରାଏଲ କୋର୍ଟ ସହ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଖାରଜ କରିଥିଲେ ।

ଜେ.ପି ନଡ୍ଡା ବିଜେପିର ନୂଆ ମଙ୍ଗୁଆଳ: ପଢ଼ନ୍ତୁ କ’ଣ ରହିଛି ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଜେ.ପି ନଡ୍ଡା । ବିଜେପିର ରାଷ୍ଟ୍ରୀୟ ନିର୍ବଚାନ ଅଧିକାରୀ ରାଧାମୋହନ ସିଂହ ସଭାପତିଭାବେ ଜେପି ନଡ୍ଡାଙ୍କ ନାଁ ଘୋଷଣା କରିଛନ୍ତି ।

ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ନେଇ ଆଜି ନାମାଙ୍କନ ଦାଖଲ କରିଥିଲେ । ନାମାଙ୍କନ ଦାଖଲର ଶେଷ ସମୟ ସାଢ଼େ ୧୨ଟା ଯାଏଁ ରହିଥିଲା । ଜେ.ପି ନଡ୍ଡାଙ୍କ ବ୍ୟତୀତ ଅନ୍ୟ କେହି ନାମାଙ୍କନ ଭରିନଥିଲେ । ସାଢ଼େ ୨ଟା ଯାଏଁ ନାମାଙ୍କନ ପ୍ରତ୍ୟାହାରର ସମୟ ଅବଧି ରଖାଯାଇଥିଲା

ଜେ.ପି ନଡ୍ଡା ହିମାଚଳ ପ୍ରଦେଶରୁ ରାଜ୍ୟସଭା ସାଂସଦଭାବେ ନିର୍ବାଚିତ ହୋଇଛନ୍ତି । ସେ ଆଗାମୀ ୩ ବର୍ଷ ଯାଏଁ ଏହି ପଦବୀରେ ରହିବେ । ଦିଲ୍ଲୀ ସମେତ ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ତାମିଲନାଡୁ ଭଳି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରିଚାଳନା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ରହିବ  ।

ସୂଚନାଯୋଗ୍ୟ , ଗତବର୍ଷ ଅମିତ ଶାହାଙ୍କ କାର୍ଯ୍ୟକାଳ ସମାପ୍ତ ହେଉଥିଲେ ସୁଦ୍ଧା ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା ।  ନରେନ୍ଦ୍ର ମୋଦି ହିମାଚଳର ପ୍ରଭାରୀ ଥିବା ସମୟରେ ଜେ.ପି ନଡ୍ଡା ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା । ଅଶୋକ ରୋଡ୍ ସ୍ଥିତ ବିଜେପି ମୁଖ୍ୟାଳୟର ଆଉଟ୍ ହାଉସ୍‌ରେ ରହୁଥିଲେ ନଡ୍ଡା । ମୋଦି ସରକାରର ପ୍ରଥମ କାର୍ଯକାଳୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ଜେ.ପି ନଡ୍ଡା ।

ନିଜ ରାଜନୀତିକ ଜୀବନ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି । ଜମ୍ମୁ କଶ୍ମୀର, ପଞ୍ଜାବ, ହରୟାଣା, ଛତିଶଗଡ଼, ତେଲେଙ୍ଗାନା, କେରଳ, ରାଜସ୍ଥାନ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ସମେତ ବହୁ ରାଜ୍ୟର ପ୍ରଭାରୀ ଦାୟିତ୍ୱ ସୂଚାରୁରୂପେ ତୁଲାଇଛନ୍ତି । ପରବର୍ତ୍ତୀ ସମୟରେ ତାଙ୍କୁ ବିଜେପିର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା ବିଜେପି ସଂସଦୀୟ ବୋର୍ଡର ସଦସ୍ୟ ଓ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ସଦସ୍ୟ କରାଗଲ । ୨୦୧୯ ଲୋକସଭା ନିର୍ବାଚନରେ ନଡ୍ଡାଙ୍କୁ ଅମିତ ଶାହା ଉତ୍ତରପ୍ରଦେଶ ଦାୟିତ୍ୱ ଦେଇଥିଲେ । ଦଳ ଏଠାରେ ୫୦%ରୁ ଅଧିକ ଭୋଟ ହାତେଇବା ସହ ୬୪ ସିଟ୍ ପାଇଛି ।

 

 

ନାଁ ବଦଳାଇବାରୁ ନୋଟିସ୍‌ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  ଯୋଗୀ ସରକାରଙ୍କୁ ନୋଟିସ୍‌। ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଯୋଗୀ ସରକାରଙ୍କୁ ନୋଟିସ ଜାର କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନ ସମୟରେ ଆହ୍ଲାବାଦ୍‌ର ନାମ ପରିବର୍ତ୍ତନ କରାଯାଇ ପ୍ରୟାଗରାଜ ଭାବେ ନାମିତ କରାଯାଇଛି । ତେଣୁ ଏହି ନାମ ପରିବର୍ତ୍ତନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଏର ପିଟିସନର ଶୁଣାଣି କରି ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ମାନ୍ୟବର କୋର୍ଟ । ଆହ୍ଲାବାଦ୍‌ ହେରିଟେଜ୍‌ ସୋସାଇଟି ପକ୍ଷରୁ ଏ ନେଇ ପିଟିସନ୍‌ ଦାଖଲ ହୋଇଛି । ମାମଲାର ଶୁଣାଣି କରୁଥିବା ୨ ଜଣିଆ ଖଣ୍ଡପୀଠ ଏନେଇ ଯୋଗୀ ସରକାରଙ୍କ ଠାରୁ ଜବାବ ଲୋଡ଼ିଛନ୍ତି।

ତେବେ ରାଜ୍ୟ ସରକାର ରେଲୱେ ଷ୍ଟେସନ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଅନ୍ୟ ସଂସ୍ଥା ଗୁଡିକର ନାଁ ଗୁଡ଼ିକ ବଦଳାଇପାରିବ ନାହିଂ କାରଣ ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟନ୍ତ୍ରଣ କରାଯାଉଛି ବୋଲି ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ ପକ୍ଷରୁ କୁହାଯାଇଛି ।

ତେବେ ୨୦୨୮ ଲୋକସଭା ନିର୍ବାଚନର କିଛିମାସ ପୂର୍ବରୁ ରାଜ୍ୟସରକାର ଆହ୍ଲାବଦର ନାଁ ପରିବର୍ତ୍ତନ କରାଇ ପ୍ରୟାଗରାଜ କରାଯାଇଥିଲା ।

ଆମ୍ବୁଲାନ୍ସ ଆସିପାରିଲାନି ବୋଲି ପ୍ରସୂତିଙ୍କୁ ଖଟିଆରେ ବୋହିନେଲେ ମହିଳା

ମାଲକାନାଗିରି: ପୁଣି ଜନନୀ ଯନ୍ତ୍ରଣାରେ ଛଟପଟ ହେଲେ ପ୍ରସୂତି ମହିଳା । ୪ କିମି ଖଟିଆରେ ବୁହାହେଲେ ପ୍ରସୂତି । ଏଥର ପୁରୁଷ ନୁହଁ ମହିଳା ମାନେ ଖଟିଆରେ ବୋହିନେଲେ ମହିଳାଙ୍କୁ । ଅଧାବାଟରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ପ୍ରସୂତି ମହିଳା । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍‌ ରସବେଡ଼ା ପଞ୍ଚାୟତର ଗୁଟାଗୁଡ଼ା ଗାଁରେ ।

ସୂଚନା ଅନୁଯାୟୀ, ସେହି ଗାଁର ଲକ୍ଷ୍ମଣ ଗଲୋରୀଙ୍କ ସ୍ତ୍ରୀଙ୍କର ଆଜି ପ୍ରସବ ଯନ୍ତ୍ରଣା ହୋଇଥିଲା । ଏନେଇ ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ମଧ୍ୟ ଆମ୍ବୁଲାନ୍ସଟି ରାସ୍ତା ଖରାପ ଯୋଗୁଁ  ଅଧା ରାସ୍ତାରେ ଅଟକି ରହିଥିଲା ।

କିନ୍ତୁ ଆଉ କାହାକୁ ଅପେକ୍ଷା ନକରି ଜଣେ ଆଶାକର୍ମୀଙ୍କ ସମେତ ଗ୍ରାମର କିଛି ମହିଳା ୪ କିଲୋମିଟର ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହିନେଇଥିଲେ । ପ୍ରସୂତି ଆମ୍ବୁଲାନ୍ସ ପାଖରେ ପହଞ୍ଚିବା ପରେ ମଧ୍ୟ ଆମ୍ବୁଲାନ୍ସଟି ମାଟିରେ ଦବିଯାଇଥିବାରୁ ବାହାରକୁ ବାହାରି ପାରିନଥିଲା ।

ବହୁ କଷ୍ଟରେ ଆମ୍ବୁଲାନ୍ସ ବାହାରିବା ପରେ ପ୍ରସୂତିଙ୍କୁ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ଡ଼ାକ୍ତରଖାନାକୁ ଆଣିବା ବାଟରେହିଁ  ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ପ୍ରସୂତି । ଉଭୟ ମାଆ ଛୁଆଙ୍କୁ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ଧାନମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ରାସ୍ତା ଉପରେ ଧାନ ବସ୍ତା ରଖି ଚାଷୀ କଲେ ରାସ୍ତା ରୋକ୍‌

ବରଗଡ଼: ବରଗଡ଼ରେ ଚାଷୀ ଆନ୍ଦୋଳନ । ଧାନମଣ୍ଡିରେ ଧାନ ବିକ୍ରିରେ ଅବ୍ୟବସ୍ଥାର ପ୍ରତିବାଦ କରି ଚାଷୀ ଆନ୍ଦୋଳନ କରିଛନ୍ତି । ଲଖମରା ଧାନମଣ୍ଡିଠାରୁ କିଛି ଦୂର କଲେଜ ଛକରେ ରାସ୍ତା ଉପରେ ଧାନବସ୍ତା ରଖି ଆନ୍ଦୋଳନ କରିଛନ୍ତି ଚାଷୀ ।

ମଣ୍ଡିରେ ଧାନ ବିକ୍ରି କରି ନପାରି ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ଏସମ୍ପର୍କରେ ସେମାନେ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଥିଲେ । କିନ୍ତୁ ସମସ୍ୟାର ସମାଧାନ ହୋଇ ନଥିବାରୁ ଆନ୍ଦୋଳନ କରିଛନ୍ତି ।

ନୀତି ଆୟୋଗର ରିପୋର୍ଟ: ଓଡ଼ିଶା ଦ୍ରୁତ ବିକାଶଶୀଳ ରାଜ୍ୟ

ଭୁବନେଶ୍ୱର: ନୀତି ଆୟୋଗର ରିପୋର୍ଟ । ଅନ୍ୟ ରାଜ୍ୟଙ୍କୁ ପଛରେ ପକାଇଲା ଓଡ଼ିଶା । ନିରନ୍ତର ବିକାଶ ଲକ୍ଷ୍ୟ ବା ଏସଡିଜିରେ ଓଡ଼ିଶା ଦ୍ରୁତ ବିକାଶଶୀଳ ରାଜ୍ୟ । ଏହି ତାଲିକାରେ ୧୦ ତାଲିକା ଉପରକୁ ଡେଇଁଛି ଓଡ଼ିଶା । ୨୫ ନମ୍ବରରୁ ୧୫ ନମ୍ବରକୁ ଉଠିଛି ଓଡ଼ିଶା । ଜାତିସଂଘ ଓ ନୀତି ଆୟୋଗର ଏସଡିଜି ଇଣ୍ଡିଆ ସୂଚକାଙ୍କ ରିପୋର୍ଟରୁ ଏହି ସୂଚନା ମିଳିଛି । ରିପୋର୍ଟ ଅନୁସାରେ ୨୦୧୮ରେ ଓଡ଼ିଶା ଏସଡିଜି ରାଙ୍କରେ ୫୧ ନମ୍ବର ସ୍କୋର କରି ୨୫ ନମ୍ବର ସ୍ଥାନରେ ରହିଥିଲା ।

ତେବେ ୨୦୧୯ରେ ୭ ପଏଣ୍ଟ ବଢ଼ି ୫୮ ପଏଣ୍ଟ ସହ ୧୫ ନମ୍ବର ସ୍ଥାନରେ ରହିଛି ଓଡ଼ିଶା । ଯଦି ପଏଣ୍ଟକୁ ଦେଖିବା ଶିଳ୍ପ, ଭିତ୍ତିଭୂମି ମାନଦଣ୍ଡରେ ୪୦ ପଏଣ୍ଟ ବଢ଼ିଛି । ସେହିପରି ବିଶୁଦ୍ଧ ଜଳ ଓ ପରିମଣ ସ୍କୋର ୮୫ ଛୁଇଁଛି । ତେବେ ଦ୍ରୁତ ବିକାଶଶୀଳ ରାଜ୍ୟ ହୋଇଥିଲେ ବି ଓଡ଼ିଶାକୁ ପରଫର୍ମର ମାନ୍ୟତା ମିଳିଛି । ସୂଚକାଙ୍କରେ ଓଡ଼ିଶା ଦ୍ୱିତୀୟ ଶ୍ରେଷ୍ଠ ପ୍ରଦର୍ଶନକାରୀର ମାନ୍ୟତା ପାଇଛି । ଏସଡିଜିର ୯, ୬ ଓ ୭ ନମ୍ବର ଲକ୍ଷ୍ୟ ମାନଦଣ୍ଡର ପ୍ରଦର୍ଶନରେ ଓଡ଼ିଶା ସର୍ବାଧିକ ସୁଧାର କରିଛି । ଶିଳ୍ପ, ସୃଜନଶୀଳତା ଓ ଭିତ୍ତିଭୂମି ବିକାଶରେ ଓଡ଼ିଶାର ସ୍କୋର ୪୦ ପଏଣ୍ଟ ବଢ଼ି ୭୨ ହୋଇଛି । ସେହିପରି ବିଶୁଦ୍ଧ ଜଳଯୋଗାଣ ଓ ପରିମଳରେ ବି ଗତବର୍ଷ ତୁଳନାରେ ଆଖିଦୃଶିୟା ପ୍ରଦର୍ଶନ କରିଛି । ୨୦୧୮ରେ ୪୬ ପଏଣ୍ଟ ତୁଳନାରେ ୩୯ ପଏଣ୍ଟ ବଢ଼ି ୮୫ ହୋଇଛି । ଶସ୍ତା ତଥା ସ୍ୱଚ୍ଛ ଇନ୍ଧନ ମାନଦଣ୍ଡରେ ୨୭ ପଏଣ୍ଟ ବୃଦ୍ଧି ହୋଇ ଓଡ଼ିଶାର ସ୍କୋର ୫୦ରେ ପହଞ୍ଚିଛି ।

ମହିଳା ଡେପୁଟୀ କଲେକ୍ଟରଙ୍କ ଚୁଟି ଭିଡ଼ି ବନ୍ଧା ହେଲେ ପ୍ରଦର୍ଶନକାରୀ

ମଧ୍ୟପ୍ରଦେଶର: ରାଜଗଡ଼ ଜିଲ୍ଲାରେ ତ୍ରୀରଙ୍ଗା ଯାତ୍ରା ବାହାର କରାଯିବା ମାମଲାରେ ୧୫୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି  । ଧାରା ୧୪୪ ଲାଗୁ ହେବା ସତ୍ତ୍ୱେ ଲୋକେ ତ୍ରୀରଙ୍ଗା ଯାତ୍ରା କରିଥିଲେ । ଆଉ ଏହି ସମୟରେ ଡେପୁଟୀ କଲେକ୍ଟର ପ୍ରିୟା ବର୍ମାଙ୍କ ସହ ମଧ୍ୟ ଅଭଦ୍ରାମୀ କରାଯାଇଥିଲା । ଏ ନେଇ ଅଭିଯୁକ୍ତ ବିରୋଧରେ ୩୫୩ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

ଅପରପକ୍ଷରେ ଏହି ମାମଲାରେ ବିଜେପିକୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ । ରାଜଗଡ଼ରେ ବିଜେପିର ଗୁଣ୍ଡାଗର୍ଦ୍ଦି ସ୍ପଷ୍ଟ ଜଣାପଡ଼ିଛି । ମହିଳା ଉପ ଜିଲ୍ଲାପାଳଙ୍କୁ ମାଡ଼ ମରାଯିବା ସହ ଚୁଟି ଭିଡ଼ାଯାଇଛି । ମହିଳା ଅଧିକାରୀଙ୍କ ସାହସକୁ ନେଇ ଆମେ ଗର୍ବିତ ।

ସୂଚନା ଯୋଗ୍ୟ ସିଏଏକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏଥିସହିତ ଦିଲ୍ଲୀ ଉତ୍ତରପ୍ରଦେଶ ସମେତ ବହୁ ସ୍ଥାନାରେ ସିଏଏ ସମର୍ଥନରେ ମଧ୍ୟ ଜାରି ରହିଛି ପ୍ରଦର୍ଶନ । ଏହି ସମୟରେ ଜଣେ ପ୍ରଦର୍ଶନକାରୀ ଡେପୁଟୀ କଲେକ୍ଟରଙ୍କ ଚୁଟି ଭିଡ଼ିଥିଲେ ।

ମହିଳା ଡେପୁଟୀ କଲେକ୍ଟରଙ୍କ ଚୁଟି ଭିଡ଼ିଲେ CAA ସମର୍ଥକ