spot_img
Home Blog Page 749

ରାଜ୍ୟରେ ମୁଣ୍ଡ ନେଉଛି ହଇଜା, ୧୦ ଦିନ ପରେ ସରକାର ମାନିଲେ ଡାଇରିଆ ନୁହେଁ ହଇଜାରେ ଯାଇଛି ଜୀବନ

ଯାଜପୁର/ଭୁବନେଶ୍ବର : ରାଜ୍ୟରେ ମୁଣ୍ଡ ନେଉଛି ହଇଜା । ସରକାର ଯେତେ ବି ଘଟଣା ଉପରେ ପରଦା ପକାଇବାକୁ ଚେଷ୍ଟା କଲେ ବି ଆଜି ସତ ମାନିଛନ୍ତି । ଗତକାଲି ରାତି ଯାଏଁ ଯାଜପୁରରେ ପାଞ୍ଚ ଜଣଙ୍କ ମୃତ୍ୟୁ ଡାଇରିଆ ଯୋଗୁଁ ହୋଇଥିବା ସରକାର ରିପୋର୍ଟ ଦେଉଥିଲେ । ହେଲେ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ଡାଇରିଆ ନିରାକରଣ ଅଭିଯାନରେ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି । ୧୦ ଦିନ ପରେ ସରକାର ମାନିଲେ ଯେ ଡାଇରିଆ ନୁହେଁ କଲେରା ଯୋଗୁଁ ଯାଜପୁରରେ ଯାଇଛି ପାଞ୍ଚ ଜଣଙ୍କ ଜୀବନ । ମୃତକଙ୍କ ନମୁନାରୁ କଲେରାର ମାରାତ୍ମକ ବୀଜାଣୁ ଭିବ୍ରିଓ କଲେରି ଚିହ୍ନଟ ହୋଇଥିଲା । ଯାଜପୁରରୁ ସ୍ଥିତି ସମୀକ୍ଷା କରି ଫେରିଥିବା କେନ୍ଦ୍ରୀୟ ଟିମ ବି କଲେରା ବ୍ୟାପୁଥିବା ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ କରିଛନ୍ତି । ରାଜ୍ୟରେ ବହୁ ବର୍ଷର ବ୍ୟବଧାନ ପରେ ହଇଜା ମୃତ୍ୟୁ ହୋଇଥିବାରୁ ଟିମ୍ ଚିନ୍ତା ପ୍ରକାଶ କରିଛି । ପାନୀୟ ଓ ଖାଦ୍ୟ ନିରାପତ୍ତା ସହ ବ୍ୟକ୍ତିଗତ ସ୍ବଚ୍ଛତା ଅବଲମ୍ବନ କରିବାକୁ କେନ୍ଦ୍ରୀୟ ଟିମ୍ ପରାମର୍ଶ ଦେଇଛି ।

ଯାଜପୁର ପରେ କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ବରଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ଡାଇରିଆ ବ୍ୟାପିଲାଣି । ଆଜି ଯାଜପୁର ଜିଲ୍ଲାରେ ସ୍ଥିତି ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟ ସଚିବ । ଜିଲ୍ଲାରେ କଲେରା ବ୍ୟାପିଥିବା ନେଇ ସେ ସ୍ପଷ୍ଟ କରିଛନ୍ତି । ଯାଜପୁରରେ ଦୈନିକ ନୂଆ ରୋଗୀ ଚିହ୍ନଟ ହେଉଥିବାରୁ ଚିନ୍ତା ବଢୁଛି । ସକାଳ ଆଠରୁ ରୋଗୀଙ୍କ ଲାଇନ ଲାଗୁଛି । ଦୂଷିତ ପାଣି ଯୋଗୁଁ କଲେରା ହୋଇଥିବା ସରକାର ରିପୋର୍ଟ କରୁଥିବା ସତ୍ତ୍ବେ ଏହାର ଉତ୍ସର ସନ୍ଧାନ ପାଇ ପାରୁ ନାହାନ୍ତି । ତେବେ ଅନେକ ରୋଗୀଙ୍କ ରିପୋର୍ଟକୁ ଅପେକ୍ଷା କରିଛି ପ୍ରଶାସନ । ଯାଜପୁରରୁ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ହୋଇଛି । ହେଲେ ସରକାର ଏହି ସଂଖ୍ୟାକୁ ମାନିବାକୁ ନାରାଜ । ମୃତକଙ୍କ ମଧ୍ୟରୁ ୫ ଜଣ କଲେରା ରୋଗୀ ଥିବା ସ୍ପଷ୍ଟ ହୋଇଛି । ତେବେ ଅନ୍ୟମାନଙ୍କ ମୃତ୍ୟୁ ବି କଲେରା ଯୋଗୁଁ ହୋଇଥିବା ନେଇ ସନ୍ଦେହ କରିଛି କେନ୍ଦ୍ରୀୟ ଟିମ୍ । ସରକାର ପ୍ରକୃତ ତଥ୍ୟ ପ୍ରକାଶ କରି ସଠିକ୍ ପ୍ରତିଷେଧକ ବ୍ୟବସ୍ଥା କରିବାକୁ ଦାବି ଜୋର ଧରିଛି ।

ଡାଇରିଆର ନାଲିଆଖିରେ ଆକ୍ତାମାକ୍ତା ଓଡ଼ିଶା, ନିୟନ୍ତ୍ରଣକୁ ଆଣିବାକୁ ଯାଇ ନୟାନ୍ତ ସ୍ବାସ୍ଥ୍ୟ ବିଭାଗ

ନନ୍ଦିଘୋଷ ବ୍ୟୁରୋ : ଡାଇରିଆର ନାଲିଆଖିରେ ଆକ୍ତାମାକ୍ତା ଓଡ଼ିଶା । ଏ ଜିଲ୍ଲାରୁ ସେ ଜିଲ୍ଲାକୁ ଡେଉଁଛି ଝାଡାବାନ୍ତି । ରୋଗକୁ ନିୟନ୍ତ୍ରଣକୁ ଆଣିବାକୁ ଯାଇ ନୟାନ୍ତ ସ୍ବାସ୍ଥ୍ୟ ବିଭାଗ । କଟକ ଟାଙ୍ଗୀ-ଚୌଦ୍ବାର ବ୍ଲକ ସୁଆଁରି ଗାଁରେ ବଢିଲାଣି ସଂକ୍ରମଣ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ସେହିଭଳି କଟକ ସଦରରେ ୩୧ ଜଣ ଓ ବାଙ୍କୀରେ ୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତିଗିରିଆ ଓ ନରସିଂହପୁରର ରୋଗୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୁକାବିଲା ପାଇଁ ପୂରା ଜିଲ୍ଲାରେ ରାପିଡ୍ ରେସପନ୍ସ ଟିମ ରହିଥିବା ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ୪୨ ମୌଜା ଅଞ୍ଚଳରେ ବି ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବାଙ୍କୀ ଘୋଳପୁର ଗାଁରେ ମଧ୍ୟ ୪୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବେଳକୁ ବେଳ ବଢୁଛି ଝାଡାବାନ୍ତି ରୋଗୀଙ୍କ ସଂଖ୍ୟା । ସୋମବାର ୭୨ଘଣ୍ଟାରେ ୨୪ ଜଣ ଆକ୍ରାନ୍ତ ଚିକିତ୍ସିତ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ପରେ ଧାମନଗର ବ୍ଲକରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମେଡ଼ିକାଲରେ ୧୫ ଜଣ ରୋଗୀ ଚିକିତ୍ସିତ ହେଉଥିବା ବେଳେ ବିଭିନ୍ନ ଗାଁ ଗଣ୍ଡାରେ ଆକ୍ରାନ୍ତଙ୍କ ସଂଖ୍ୟା ଶତାଧିକ ଥିବା ସୂଚନା ମିଳିଛି । ସେପଟେ ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ଫାଷ୍ଟଫୁଡ, ଗୁପଚୁପ ସହ ମାଛ, ମାଂସ ଦୋକାନ ବନ୍ଦ ରଖାଯାଇଛି । କେନ୍ଦ୍ରାପଡା ଶ୍ୟାମାସୁନ୍ଦରପୁରରେ ରୋଗରୁ ବର୍ତ୍ତିବା ପାଇଁ ଲୋକେ ଅନ୍ଧ ବିଶ୍ବାସର ଶରଣ ପଶିଛନ୍ତି । ଗ୍ରାମ ଦେବତୀଙ୍କ ପାଖରେ ପୂଜାର୍ଚ୍ଚନା ଚଳାଇଛନ୍ତି ଗ୍ରାମବାସୀ ।

ବଢ଼ିବ ରାଜ୍ୟର ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା, ରାଜସ୍ବ ମନ୍ତ୍ରୀଙ୍କ ମନ୍ତବ୍ୟ ବଢ଼ାଇଲା ଚର୍ଚ୍ଚା

ଭୁବନେଶ୍ବର : ୨୦୨୬ ଜନଗଣନା ପରେ ଲୋକସଭା ଆସନର ସୀମା ପୁନଃନିର୍ଦ୍ଧାରଣ ହେବ। ବଢ଼ିବ ଓଡ଼ିଶାର ଲୋକସଭା ଆସନ ସଂଖ୍ୟା। ଲୋକସଭା ଆସନ ସହ ତାଳଦେଇ ବିଧାନସଭା ଆସନ ସଂଖ୍ୟା ମଧ୍ୟ ବଢ଼ିବ। କେନ୍ଦ୍ର ସରକାର ଏ ନେଇ ଆଲୋଚନା କରୁଛନ୍ତି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଲୋକସଂଖ୍ୟା ଓ ଭୌଗୋଳିକ ସ୍ଥିତିକୁ ନେଇ କରାଯିବ ସୀମା ନିର୍ଦ୍ଧାରଣ। ଏହାର  ପ୍ରକ୍ରିୟା ବି ଆରମ୍ଭ  କରିଛନ୍ତି କେନ୍ଦ୍ର ସରକାର। ସୁରେଶ ପୂଜାରୀ କହିଛନ୍ତି, ଯାହା ଆଲୋଚନା ହୋଇଛି ଲୋକସଭା ଆସନ ବୃଦ୍ଧି ହୋଇପାରେ। ୭ଟି ବିଧାନସଭା ଆସନକୁ ନେଇ ଗୋଟିଏ ଲୋକସଭା ଆସନ ହେଉଥିବାରୁ ଜଣେ ସାଂସଦ  ସବୁ ଅଂଚଳ ବୁଲିପାରୁନାହାନ୍ତି। ତେଣୁ ବଡ଼ ବଡ଼ ଲୋକସଭା ଆସନର ପରିସୀମାକୁ କମ୍ କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଯାହା ବି ହେବ, ରାଜସ୍ବ ବିଭାଗ ପ୍ରସ୍ତୁତ ବୋଲି କହିଛନ୍ତି ମନ୍ତ୍ରୀ।

ଚର୍ଚ୍ଚା ଅନୁସାରେ ସଂସଦୀୟ କ୍ଷେତ୍ରର ସୀମା ପୁନଃନିର୍ଦ୍ଧାରଣ ପରେ ଦେଶରେ ଲୋକସଭା ଆସନ ସଂଖ୍ୟା ୮୪୮ ଛୁଇଁବ। ଏବେ ଓଡ଼ିଶାରେ ୨୧ଟି ଲୋକସଭା ଆସନ ଥିବା ବେଳେ ଏହି ସଂଖ୍ୟା ୨୮କୁ ବୃଦ୍ଧି ପାଇବ ବୋଲି କୁହାଯାଉଛି। ଲୋକସଭା ଆସନର ରୂପରେଖ ପ୍ରସ୍ତୁତ କରିବା ସଂପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଅଧିକାର। ଲୋକସଭା ଆସନ ବଢିବ ବୋଲି ସୁରେଶ ପୂଜାରୀ କହିବା ପରେ ବିଜେଡି ବିଧାୟକ ଅରୁଣ ସାହୁ ପ୍ରଶ୍ନ କରୁଛନ୍ତି-ମନ୍ତ୍ରୀ ଏହା କେଉଁ ଆଧାରରେ କହୁଛନ୍ତି। ଜନଗଣନା ହେବ ୨୦୨୭ ଏପ୍ରିଲ ମାସ ପରେ। ୨୦୨୯ରେ ନିର୍ବାଚନ ହେବ। ଜନଗଣନା ସରିନି, ତା ଆଗରୁ ଲୋକସଭା ଆସନ ବୃଦ୍ଧି ଚର୍ଚ୍ଚାକୁ କଟାକ୍ଷ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ।

କେଉଁ ରାଜ୍ୟରେ କେତେ ଲୋକସଭା ଆସନ ରହିବ, ଶେଷ ଥର ପାଇଁ ତାହା ଆବଣ୍ଟନ ହୋଇଥିଲା ୧୯୭୧ରେ। ତା ପରଠୁ ଏଥିରେ ପରିବର୍ତ୍ତନ ହୋଇନି। ଶେଷ ଥର ପାଇଁ ୨୦୦୧ ଜନଗଣନା ଆଧାରରେ ୨୦୦୮ରେ ହୋଇଥିଲା ଲୋକସଭା ଆସନ ପୁନଃସୀମା ନିର୍ଦ୍ଧାରଣ। ରାଜ୍ଯର ଲୋକସଭା ଆସନ ସଂଖ୍ୟା ବଦଳି ନଥିଲେ ମଧ୍ୟ ସୀମା ପୁନଃନିର୍ଦ୍ଧାରଣ ହୋଇଥିଲା। ଏଥର ରାଜ୍ୟର ଜନସଂଖ୍ୟା ଅନୁସାରେ ଲୋକସଭା ଆସନ ମିଳିବ ବୋଲି କିଛି ଦିନ ତଳେ ହୋଇଥିଲା ଚର୍ଚ୍ଚା। ଏପରି ହେଲେ ଯେଉଁ ରାଜ୍ୟ ଜନସଂଖ୍ୟା ନିୟନ୍ତ୍ରଣ କରିଛନ୍ତି, ସେମାନଙ୍କ ଭାଗରେ କମ୍ ଆସନ ପଡ଼ିବ। ରାଜନୈତିକ ଦୃଷ୍ଟିରୁ ପାର୍ଲାମେଣ୍ଟରେ ସେହି ରାଜ୍ୟର ପ୍ରତିନିଧି ସଂଖ୍ୟା ବର୍ତ୍ତମାନ ଅପେକ୍ଷା କମିବ, ଦିଲ୍ଲୀ ଦରବାରରେ ସେହି ରାଜ୍ୟର ସ୍ଵରର ତୀବ୍ରତା କମିବ। ବିଶେଷ କରି ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ କ୍ଷତିରେ ପଡ଼ିବେ ବୋଲି ଆଶଙ୍କା କରି ଏପରି ବ୍ୟବସ୍ଥାକୁ ତାମିଲନାଡୁ, କେରଳ ସମେତ ଅନେକ ରାଜ୍ଯ ବିରୋଧ କରୁଛନ୍ତି।

ପିଏମ ମୋଦିଙ୍କ ଓଡ଼ିଶା ଗସ୍ତ ପରେ ହୋଇପାରେ ସମ୍ପ୍ରସାରଣ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ପାଖରେ ୬ଟି ବିଭାଗ। ବର୍ଷେ ହେବ ଖାଲିପଡିଛି ୬ ମନ୍ତ୍ରୀ ପଦ। ଆସନ୍ତା ୨୦ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ। ପିଏମଙ୍କ ଗସ୍ତ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ। ଏନେଇ ପାଓ୍ବାର କରିଡରରେ ଜୋରଦାର ଚର୍ଚ୍ଚା। ବର୍ଷେ ହେବ ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ଥିବାରୁ ମନ୍ତ୍ରିମାନେ ଭାରାକାନ୍ତ ହୋଇଛନ୍ତି। ଅନେକ ବିଭାଗ ବଜେଟର ୬୦% ଖର୍ଚ୍ଚ କରିପାରିନଥିବାରୁ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ବର୍ଷେ ହେବ ବହୁମନ୍ତ୍ରୀଙ୍କ ପ୍ରଦର୍ଶନ ସେତଟା ଆଖି ଦୃଶିଆ ହୋଇନାହିଁ। ସ୍ବାସ୍ଥ୍ୟ, ସଂସଦୀୟ ବ୍ଯାପାର, ଆଇନ ,ଯୋଗାଣ, ସମବାୟ ଠାରୁ ଆରମ୍ଭ କରି କ୍ରୀଡା, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀ ନାନା ବିବାଦରେ ଛନ୍ଦି ହୋଇଛନ୍ତି। ଯେଉଁଥି ପାଇଁ ସରକାରଙ୍କୁ ବିରୋଧୀ ଶାଣିତ ଆକ୍ରମଣ କରିଛନ୍ତି।ବର୍ଷପୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀମାନଙ୍କୁ ରିପୋର୍ଟ କାର୍ଡ଼ ମାଗି ସମୀକ୍ଷା କରୁଛନ୍ତି। ମନ୍ତ୍ରିମଣ୍ଡଳରେ କିଏ ରହିବ କିଏ ଯିବ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର। ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ଼ ଦେବା ସହ ଲୋକଙ୍କୁ ମଧ୍ୟ ରିପୋର୍ଟ ଦେବେ। ତେଣୁ କିଏ କେତେ ସଫଳ ତାହା ବିଚାର ଚାଲିଛି। ସେପଟେ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ଼ ଓ ଖାଲିପଡିଥିବା ମନ୍ତ୍ରିପଦକୁ ନେଇ ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ ଶାସକ ଦଳକୁ ସମାଲୋଚନା କରିଛନ୍ତି।

ପାଓ୍ବାର କରିଡର ଚର୍ଚ୍ଚା ଅନୁସାରେ ପ୍ରଥମ ସମ୍ପ୍ରସାରଣରେ ମୁଖ୍ୟମନ୍ତ୍ରୀ କିଛି ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ କରିପାରିନ୍ତି। ସେହିପରି ସଂସଦୀୟ କ୍ଷେତ୍ରକୁ ବିଚାରକୁ ନେଇ କିଛି ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବେ। ଚର୍ଚ୍ଚା ଅନୁସାରେ ବିଜେପି ବିଧାୟକ  ଜୟ ନାରାୟଣ ମିଶ୍ର, ଇରାଶିଷ ଆଚାର୍ଯ୍ୟ, ଆଶ୍ରିତ ପଟ୍ଟନାୟକ, ରଘୁରାମ ମାଛ, ଅମର ନାୟକ, ମନୋରଂଜନ ଦ୍ୟାନସାମନ୍ତରାୟଙ୍କ ନାଁ ଚର୍ଚ୍ଚାରେ ରହିଛି। ସେପଟେ ରାଜନୈତିକ ସମୀକ୍ଷକ କହିଛନ୍ତି, ବିଜେପିକୁ ସରକାରକୁ ଆଣିବାରେ ଯେଉଁ ନେତାଙ୍କ ଭୂମିକା ଥିଲା ସେମାନଙ୍କୁ ଦଳ ମନ୍ତ୍ରିମଣ୍ଡଳରେ ସାମିଲ କରିବା ଆବଶ୍ୟକ ରହିଛି । ବର୍ଷପୂର୍ତ୍ତି ଉତ୍ସବ ପରେ ମୋହନଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଭିତିରିଆ ଜୋରଦାର କସରତ ଆରମ୍ଭ ହୋଇଗଲାଣି।୬ଟି ମନ୍ତ୍ରୀପଦ ପାଇଁ ଦଳ ଭିତରେ ଆଶାୟୀଙ୍କ ସଂଖ୍ୟା ଅଧିକ। କାହାକୁ ବାଛିବେ ଆଉ କାହାକୁ ଛାଡ଼ିବେ ଏହାକୁ ନେଇ ଲାଗି ରହିଛି ସସପେନ୍ସ।

ଓଡିଶା ବିଜୁଳି ବଳକା ରାଜ୍ୟ, ହେଲେ ରାଜ୍ୟବାସୀ ଦେଉଛନ୍ତି ୟୁନିଟ ପିଛା ୨୪ ପଇସା ଅଧିକ

ଭୁବନେଶ୍ୱର : ଓଡିଶା ବିଜୁଳି ବଳକା ରାଜ୍ୟ। ହେଲେ ରାଜ୍ୟବାସୀ ଦେଉଛନ୍ତି ୟୁନିଟ ପିଛା ୨୪ ପଇସା ଅଧିକ ।ଜାତୀୟ ପାୱାର ଫାଇନାନ୍ସ କର୍ପୋରେସନ ରିପୋର୍ଟ ଅନୁସାରେ ସର୍ବଭାରତୀୟ ସ୍ତରରେ ଜଣେ ଉପଭୋକ୍ତା ୟୁନିଟ ପିଛା ୫ ଟଙ୍କା ୬୪ ପଇସା ଦେଉଥିବା ବେଳେ ଓଡିଶାରେ ୫ ଟଙ୍କା ୮୮ ପଇସା  ଆଦାୟ କରାଯାଇଛି। ଏନେଇ ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ସରକାରଙ୍କୁ ଟାର୍ଗେଟ କରିଛି। ପଞ୍ଜାବ, ମଧ୍ୟପ୍ରଦେଶ, ବିହାର, ତେଲଙ୍ଗାନା, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟର ଉପଭୋକ୍ତା କମ ବିଜୁଳି ଶୁଳ୍କ ଦେଉଛନ୍ତି। କିନ୍ତୁ ଓଡ଼ିଶାର ଉପଭୋକ୍ତା ଅଧିକ ଟାରିଫ ଦେଉଛନ୍ତି। ଓଡ଼ିଶାର ବିଜୁଳି ଉପଭୋକ୍ତାଙ୍କୁ ଦିନରେ ଆଖିରେ ଆଙ୍ଗୁଠି ଗୁଞ୍ଜି ଲୁଟ ଚାଲିଛି। ଏପରିକି ପାୱାର କଟ ଓ ବିଜୁଳି ଶୁଳ୍କରେ ଶୋଷଣ ଏବଂ ଏଟିସି ଲସ କ୍ଷେତ୍ରରେ ମଧ୍ୟ ଜାତୀୟ ହାର ଠାରୁ ଓଡ଼ିଶା ଅଧିକ। ତେଣୁ ଉପଭୋକ୍ତାଙ୍କ ଠାରୁ ଆଦାୟ ହୋଇଥିବା ଅଧିକ ୨୪ ପଇସାକୁ ସୁଧମୂଳ ସହିତ ଫେରାଇବାକୁ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ନିକଟରେ ଦାବି କରିଛି ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ।

ସେପଟେ ବିଜୁଳି ନାଁ ରେ ଓଡ଼ିଶାବାସୀଙ୍କୁ ଲୁଟ କରାଯାଉଥିବା ଅଭିଯୋଗ କରିଛି ବିଜେଡି।  ସରକାରକୁ ଆସିବା ବେଳେ ବିଜେପି ସରକାର କହିଥିଲା-୩୦୦ ୟୁନିଟ ମାଗଣା ବିଜୁଳି ଦେବ ବୋଲି। କିନ୍ତୁ ଏବେ ଉପଭୋକ୍ତାଙ୍କୁ ଲୁଟ କରାଯାଉଛି। ଯେଉଁ ରାଜ୍ୟ ଆମଠୁ ବିଜୁଳି ନେଉଛନ୍ତି ସେମାନଙ୍କ ଉପଭୋକ୍ତା କମ ଦେୟ ଦେଉଛନ୍ତି। ଟ୍ରାନ୍ସମିଶନ ଲସରେ ମଧ୍ୟ ସୁଧାର ଆଣାଯାଉ ନାହିଁ। । ଗରିବ ଲୋକଙ୍କ ବିଜୁଳି କଟାଯାଉଛି। ଆଦିବାସୀ ଓ ଗରିବ ସମ୍ପ୍ରଦାୟ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି କହିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ।  କଂଗ୍ରେସର କହିବା କଥା ଲୋକଙ୍କୁ ପ୍ରତାରିତ କରିବା ହିଁ ବିଜେପି ସରକାରର ବର୍ଷକର ଉପଲବ୍ଧି। ସରକାରଙ୍କ ଏହି ପ୍ରତାରଣା ବିରୋଧରେ ରାଜ୍ୟବ୍ୟାପୀ ଲୋକଙ୍କୁ ଅବଗତ କରାଯିବ ବୋଲି କହିଛି କଂଗ୍ରେସ। ଏଟିସି ଲସ  ସର୍ବଭାରତୀୟ ସ୍ତରରେ ୧୬.୧୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ରହିଛି ୧୯ ପ୍ରତିଶତରୁ ଅଧିକ। ତେଣୁ ରାଜ୍ୟର ଏକ କୋଟି ଉପଭୋକ୍ତା ଆଜି ବିଜୁଳି ଶୁଳ୍କରେ ଶୋଷଣର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।

ସାମ୍ନାକୁ ଆସିଲା ରାଜା ରଘୁବଂଶୀ ହତ୍ୟା ମାମଲାରେ ବ୍ୟବହୃତ ଅସ୍ତ୍ର

ନନ୍ଦିଘୋଷ ବ୍ୟୁରୋ : ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥଇବା ରାଜା ରଘୁବଂଶୀ ହତ୍ୟାକାଣ୍ତରେ ବ୍ୟବହୃତ ଅସ୍ତ୍ରର ଚିତ୍ର ସାମ୍ନାକୁ ଆସିଛି । ଏହି ଅସ୍ତ୍ରରେ ରାଜଙ୍କ ଉପରେ ଅନେକ ଥର ଆକ୍ରମଣ କରାଯାଇଥିଲା । ରାଜା ଉପରକୁ ପ୍ରଥମ ଥର ବିଶାଲ ଓରଫ ବିକି ଠାକୁର କରିଥିଲା । ରାଜା ସେତେବେଳେ ନିଜକୁ ବଞ୍ଚାଇବା ପାଇଁ ବହୁ ଚେଷ୍ଟା କରିଥିଲା । ଏହି କାରଣରୁ ଆକାଶର ସାର୍ଟରେ ରକ୍ତ ଲାଗିଥିଲା । ସିଲଂ ପୋଲିସ କହିଛି ଯେ ଅଭିଯୁକ୍ତ ଗୌହାଟି ରେଳ ଷ୍ଟେସନ ନିକଟରୁ ଏହି ଅସ୍ତ୍ର କିଣିଥିଲା।

ରାଜା ରଘୁବଂଶୀ ହତ୍ୟା ମାମଲାର ପାଞ୍ଚ ଜଣ ଅଭିଯୁକ୍ତ, ସୋନମ ରଘୁବଂଶୀ, ରାଜ କୁଶୱାହା, ବିଶାଲ ଓରଫ ଭିକି ଠାକୁର, ଆନନ୍ଦ କୁର୍ମି ଏବଂ ଆକାଶ ରାଜପୁତ ବର୍ତ୍ତମାନ ସିଲଂ ପୋଲିସର ହେପାଜତରେ ଅଛନ୍ତି। ହତ୍ୟା ପଛର କାରଣ ଜାଣିବା ପାଇଁ ପୋଲିସ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ଅଭିଯୋଗ ହେଉଛି ଯେ ସୋନମଙ୍କ ପ୍ରେମିକ ରାଜ କୁଶୱାହା ସମ୍ପୂର୍ଣ୍ଣ ହତ୍ୟା ଯୋଜନା କରିଥିଲେ। ରାଜକୁ ଏହି ହତ୍ୟାର ମାଷ୍ଟରମାଇଣ୍ଡ ବୋଲି ବିଶ୍ୱାସ କରାଯାଉଛି। ସୋନମ ମଧ୍ୟ ଯୋଜନାରେ ସାମିଲ ଥିଲେ।

ରାଜ ତାଙ୍କ ତିନି ବନ୍ଧୁଙ୍କୁ ରାଜାଙ୍କୁ ହତ୍ୟା କରିବା ପାଇଁ ପ୍ରସ୍ତୁତ କରିଥିଲେ। ଏହି ତିନି ବନ୍ଧୁ ଥିଲେ ବିଶାଲ, ଆନନ୍ଦ ଓ ଆକାଶ। ସେମାନେ ସିଲଂରେ ରାଜାଙ୍କୁ ହତ୍ୟା କରିଥିଲେ। ସେମାନେ ହତ୍ୟାରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଗୌହାଟି ରେଳ ଷ୍ଟେସନ ନିକଟରୁ କିଣିଥିଲେ। ସିଲଂରେ, ସୋନମଙ୍କ ନିର୍ଦ୍ଦେଶରେ ବିଶାଲ ପ୍ରଥମେ ରାଜାଙ୍କୁ ଆକ୍ରମଣ କରିଥିଲେ। ତା’ପରେ ଆନନ୍ଦ ଓ ଆକାଶଙ୍କ ସହାୟତାରେ ରାଜାଙ୍କୁ ହତ୍ୟା କରାଯାଇଥିଲା ଏବଂ ମୃତଦେହକୁ ଏକ ଖାଲରେ ଫିଙ୍ଗି ଦିଆଯାଇଥିଲା। ତା’ପରେ ହତ୍ୟାକାରୀମାନେ ନିଜ ନିଜ ଘରକୁ ଚାଲିଯାଇଥିଲେ।

ଜୁନ୍ ୨ ତାରିଖରେ ସିଲଂର ଏକ ନାଳରୁ ରାଜା ରଘୁବଂଶୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଜୁନ୍ ୮ ରାତିରେ ୟୁପିର ଗାଜିପୁର ଜିଲ୍ଲାର ଏକ ଢାବାରେ ସୋନମଙ୍କୁ ମିଳିଥିଲା। ରାଜ, ଆନନ୍ଦ ଏବଂ ବିଶାଲଙ୍କୁ ମଧ୍ୟପ୍ରଦେଶରୁ ଗିରଫ କରାଯାଇଥିଲା, ଯେତେବେଳେ ଆକାଶଙ୍କୁ ୟୁପିର ଲଳିତପୁର ଜିଲ୍ଲାରୁ ଗିରଫ କରାଯାଇଥିଲା। ଅଭିଯୁକ୍ତମାନଙ୍କୁ ପଚରାଉଚରା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହେଉଛି।

ରାଜା ରଘୁବଂଶୀ ଗତ ମାସ ୧୧ ମଇରେ ଇନ୍ଦୋରର ସୋନମ ରଘୁବଂଶୀଙ୍କ ସହ ବିବାହ କରିଥିଲେ। ୨୦ ମଇରେ ଦୁହେଁ ହନିମୁନ୍ ଯାତ୍ରା ପାଇଁ ବାହାରିଥିଲେ। ପ୍ରଥମେ ଦୁହେଁ କାମାକ୍ଷା ଦେବୀଙ୍କୁ ଦର୍ଶନ କରିଥିଲେ, ତା’ପରେ ଶିଲଂରେ ପହଞ୍ଚିଥିଲେ। ୨୩ ମଇରେ ଶିଲଂରେ ରାଜାଙ୍କୁ ହତ୍ୟା କରାଯାଇଥିଲା। ରାଜାଙ୍କ ହତ୍ୟା ମାମଲା ଶିରୋନାମାରେ ଥିଲା। ପ୍ରାରମ୍ଭରେ ଲାଗୁଥିଲା ଯେ ଉଭୟଙ୍କୁ ଅପହରଣ କରାଯାଇଛି। ତା’ପରେ ଯେତେବେଳେ ରାଜାଙ୍କ ମୃତଦେହ ମିଳିଲା, ପରିବାର ସୋନମଙ୍କ ନିଖୋଜ ଓ ତାଙ୍କ ଅପହରଣ ବିଷୟରେ କଥାବାର୍ତ୍ତା କରିବା ଆରମ୍ଭ କଲେ । କିନ୍ତୁ ଯେତେବେଳେ ସୋନମ ଧରାପଡ଼ିଲେ, ମାମଲା ଭିନ୍ନ ମୋଡ ନେଇଥିଲା  ।

ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ୭ ଅଟକ

ବ୍ରହ୍ମପୁର :  ଗଂଜାମର ଗୋପାଳପୁରରେ ଲଜ୍ଜା। ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ପ୍ରେମୀ ଯୁଗଳ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଯାଇଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ହିଞ୍ଜିଳିକାଟୁ ଅଞ୍ଚଳର ୧୦ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ୭ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି ଗୋପାଳପୁର ପୋଲିସ୍ । ଗତକାଲି ସନ୍ଧ୍ୟା ସମୟରେ ଗଣଦୁଷ୍କର୍ମ ହୋଇଥିବା ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ ସୂଚନା ଦେଇଛନ୍ତି।

ମହାପ୍ରଭୁଙ୍କୁ ପ୍ରବଳ ଜ୍ବର, ଶ୍ରୀଅଙ୍ଗ ପୀଡ଼ା ଉପଶମ ପାଇଁ ଲାଗି ହେଲା ଫୁଲୁରୀ ତେଲ

ପୁରୀ : ମହାପ୍ରଭୁଙ୍କ ପ୍ରବଳ ଜ୍ବର । ଅଣସର ତାଟିରେ ଦଇତାପତି ସେବାୟତଙ୍କ ଦ୍ବାରା କରାଯାଉଛି ଗୁପ୍ତ ଉପଚାର । ଅଣସରର ପଞ୍ଚମ ଦିନରେ ପୀଡ଼ା ଉପଶମ ପାଇଁ ଶ୍ରୀଅଙ୍ଗରେ ଲାଗି ହେଉଛି ଫୁଲୁରୀ ତେଲ । ବଡ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ସୁଗନ୍ଧିତ ତେଲ । ହେରାପଞ୍ଚମୀ ଦିନ ଠାରୁ ଘଣାପେଡ଼ା ରାଶିତେଲରେ କର୍ପୁର, ଚୁଆ, ପରଖ, ପିଙ୍ଗଳ ସହ ୧୪ ପ୍ରକାର ଫୁଲ, ୭ ପ୍ରକାର ଔଷଧୀୟ ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ପକାଯାଇ ମାଟି ତଳେ ଏକ ପାତ୍ରରେ ଏକବର୍ଷ ପୋତାଯାଇଥାଏ । ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ଏହି ତେଲକୁ ବାହାର କରାଯାଇ ଛଣାଯିବା ପରେ ଅମୁଣିଆ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ପଠାଯାଏ । ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀ ଘର ଭୋଗ ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଅଣସର ଘର ଦ୍ୱାର ଖୋଲାଯାଇ ଏହାକୁ ଶ୍ରୀଅଙ୍ଗରେ ମାଲିସ କରନ୍ତି ସେବାୟତ । ପତି ମହାପାତ୍ର ୩ଟି ରୁପା ପିଙ୍ଗଣରେ ଫୁଲୁରୀ ତେଲ ନେଇ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହାକୁ ମର୍ଦନ କରିବାର ବିଧି ରହିଛି।

ସେପଟେ ରଥଯାତ୍ରା ପାଖେଇ ଆସୁଥିବାରୁ ରଥଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ରଥର ମୂଳ କଇଞ୍ଚି ୪ ନାହାକା ଭିତର ପାର୍ଶ୍ଵ ଉଭୟ ପଟରେ ପଡ଼ିବା ସହ ବଡଧରା ପୋଟଳ ଉଠାଯାଇଛି । ଏହାସହ ତିନି ରଥ କଳସରେ ପାଖୁଡ଼ା ସଂଯୋଗ ଶେଷ ହୋଇଛି । କଳସରେ ସିଲଭର ପାତ ଫିଟିଙ୍ଗ ପରେ ରଙ୍ଗ କରାଯିବ । ସେପଟେ ଦୁଆର ବେଢ଼ା ପାଇଁ ୪ଟି ଲେଖାଏଁ ଚନ୍ଦ୍ରଶାଳି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଁଚିଛି । ରୂପକାର ସେବକ ନାଟ ଗୋଡ଼ରେ ରୂପ ଖୋଦେଇ ସହ ତିନି ରଥର ପଟା ଗୁଜରେ ସିଂହ ବିରାଳ, ଗଜ ବିରାଳ, ନର ବିରାଳ ରୂପ ଖୋଦେଇ ଜାରି ରଖିଛନ୍ତି । ବିଶ୍ୱାସ ରହିଛି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ମାଲିସ କରିବା ପରେ ମଶ୍ରୀଅଙ୍ଗ ପୀଡା ଲାଘବ ହେବା ସହ ସୁସ୍ଥତାର ପ୍ରାକ ସୂଚନା ମିଳିଥାଏ ।

ରଜ ବଜାରରେ ସେଲିବ୍ରେଟି କ୍ରେଜ୍, ସିନେମା ଓ ସେଲିବ୍ରେଟିଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼

ଭୁବନେଶ୍ୱର : ସିନେ କଳାକାରଙ୍କୁ ଦେଖିବା ପାଇଁ ଖଚାଖଚ ଭିଡ । ଫିଲ୍ମ ‘ବୋଉ ବୁଟୁ ଭୂତ’ର ପ୍ରମୋସନ ପାଇଁ ଉତ୍କଳ କନିକା ଗ୍ୟାଲେରିଆ ମଲରେ ପହଞ୍ଚି ଥିଲେ ବାବୁଶାନ ମହାନ୍ତି । ତାଙ୍କର ଟିକିଏ ଝଲକ ପାଇଁ ମଲର ତଳ ମହଲାରୁ ଆରମ୍ଭ କରି ତୃତୀୟ ମହଲା ଯାଏ ଜମିଥିଲା ଭିଡ଼ । ନିର୍ଦ୍ଦେଶକ ଜଗଦୀଶ ମିଶ୍ର, ପ୍ରଯୋଜିକା ତୃପ୍ତି ଶତପଥୀ, ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ, ଅଭିନେତ୍ରୀ ଅନିଶା, କୁକିଜ, ଅଭିନେତା କେକେ, ଉଦିତ ଗୁରୁ, କାହାଣୀକାର ଇମ୍ରାନ, କାର୍ଯ୍ୟକାରୀ ପ୍ରଯୋଜକ ସମ୍ବିତ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉପଲକ୍ଷେ ଏକ ହଜାରରୁ ଅଧିକ କଷ୍ଟମ ପ୍ରିଣ୍ଟ ବେଲୁନ ଉପରୁ ତଳକୁ ଖସାଯାଇଥିଲା । ରଜ ଅବସରରେ ମୁକ୍ତିଲାଭ କରିଛି ବାବୁଶାନଙ୍କ ଅଭିନୀତ ‘ବୋଉ ବୁଟୁ ଭୁତ’ । ଚତୁର୍ଥ ଦିନ ସୁଦ୍ଧା ଫିଲ୍ମ ୨ କୋଟିରୁ ଉର୍ଧ୍ଵ ବ୍ୟବସାୟ କଲାଣି । ଓଡିଶା ଓ ଓଡିଶା ବାହାରେ ୨୩୦ ରୁ ଅଧିକ ଶୋ’ ହାଉସଫୁଲ ଚାଲିଛି । ରଜ ଅବସରରେ ଷ୍ଟାରଙ୍କୁ ପାଖରେ ପାଇଁ ବେଶ ଖୁସି ପ୍ରକଟ କରିଛନ୍ତି ଦର୍ଶକ ।

ଅନ୍ୟପଟେ ନୟାପଲ୍ଲୀ ରାବଣ ପୋଡ଼ି ପଡ଼ିଆରେ ବଡ଼ ଧୁମ୍ ଧାମ ରେ ଚାଲିଛି ରଜ ଉତ୍ସବ । ସେଠି ମଧ୍ୟ ସେଲିବ୍ରିଟିଙ୍କ ଝଲକ ଦେଖିବାକୁ ମିଳିଛି । ଅନନ୍ତା ଫିଲ୍ମର ପ୍ରମୋସନ ପାଇଁ ପଡ଼ିଆରେ ପହଞ୍ଚିଥିଲେ ଅଭିନେତା ସବ୍ୟସାଚୀ ମିଶ୍ର । ଉପସ୍ଥିତ ହଜାର ହଜାର ଦର୍ଶକଙ୍କୁ ଉତ୍ସାହିତ କରିବା ସହ ଫିଲ୍ମର କିଛି ଦୃଶ୍ୟ ଦେଖାଇଥିଲେ । ୩ ଦିନ ଧରି ରଜ ଦୋଳି ମୀନା ବଜାର ସିନେମା ଓ ସିନେ ତାରକାଙ୍କ ସହ ଫଟୋ ନେଇ ବେଶ ଉତ୍ସାହିତ ରାଜଧାନୀର କୁମାରୀ ।

ବଲାଙ୍ଗୀର ଜିଲ୍ଲାରେ ରହିଛି ମାଳମାଳ ସମସ୍ୟା, ଅନୁଦାନ ଘୋଷଣା କରିବାକୁ ଦାବି !

ବଲାଙ୍ଗୀର  : ବଲାଙ୍ଗୀର ଜିଲ୍ଲାରେ ସମସ୍ଯା ମାଳମାଳ । ଜଳସେଚନ ହାର ମାତ୍ର ୩ ପ୍ରତିଶତ । ଆଗେଇ ପାରୁନି ଜିଲ୍ଲାର ସୁକତେଲ ପ୍ରକଳ୍ପ କାମ । ୬ ମାସହେଲେ ଶୁଖିଲା ରହିଛି ନଦୀନାଳ । ପୂର୍ବ ସରକାରଙ୍କ ସମୟରେ ୬ ଟି ଭୂତଳ ଜଳ ପ୍ରକଳ୍ପ ଆରମ୍ଭ କରାଯାଇଥିଲା I କିନ୍ତୁ ସରକାର ବଦଳିବା ପରେ ପ୍ରକଳ୍ପ ଗୁଡିକୁ ବାତିଲ କରିଦିଆଗଲା I ଦେଓଗାଁ ଓ ଆଗଲପୁର ଅଞ୍ଚଳରେ ମଧ୍ଯ ଭୂତଳ ଜଳ ପ୍ରକଳ୍ପ ବନ୍ଦ ରହିଛି । ନବୀନ ସରକାରଙ୍କ ସମୟରେ ୫ ଟି ପାନୀୟଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଥିଲା I ଟେଣ୍ଡର ପ୍ରକ୍ରିୟା ପରେ କେତେକ କମ୍ପାନୀ କାମ କରୁଛନ୍ତି I ଜଳଜୀବନ ମିଶନ ଯୋଜନାରେ ପୂର୍ବ ସରକାର ୫୦ ପ୍ରତିଶତ ଅନୁଦାନ ଦେଇଥିବାବେଳେ ଟଙ୍କାଟିଏ ଦେଇନାହିଁ କେନ୍ଦ୍ର । ଏସବୁ ଭିତରେ ଆସନ୍ତାକାଲି ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ମୁଖ୍ଯମନ୍ତ୍ରୀ । ବିଜେପି ସରକାରକୁ ଆସିବା ପୂର୍ବରୁ ଅନେକ ପ୍ରତିଶ୍ରୁତି ଦେଇଥିଲା । ହେଲେ ଏବେ ଜିଲ୍ଲାରେ ସମସ୍ଯା ବଢିଥିବାରୁ ତୁରନ୍ତ ଅନୁଦାନ ଘୋଷଣା କରିବାକୁ ଦାବି କରିବ ଜିଲ୍ଲା ଉନ୍ନୟନ ପରିଷଦ ।

ଜିଲ୍ଲାର ଏକମାତ୍ର ଚିନି କାରଖାନା ବନ୍ଦ ହୋଇପଡିଛି I ସରକାରକୁ ଆସିଲେ କାରଖାନାର ପୁନଃରୁଦ୍ଧାର ସହ ଚାଲୁ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ସରକାରକୁ ଆସିବାର ବର୍ଷେ ହେଲାଣି । କିନ୍ତୁ କାରଖାନା ଚାଲୁ କରିବାକୁ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ କରିଛି ଦେଓଗାଁ ଚିନିକଳ ସଂଘର୍ଷ ସମିତି । ଚିନିକଳ ବନ୍ଦ ଥିବାରୁ ବ୍ଲକର ୨୦ ହଜାର ଆଖୁ ଚାଷୀ ଓ ଶତାଧିକ କର୍ମଚାରୀ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି I ତୁରନ୍ତ ଏଥିପାଇଁ ପଦକ୍ଷେପ ନନେଲେ ଆତ୍ମହୂତି ଦେବାକୁ ଚେତବନୀ ଦେଇଛନ୍ତି କର୍ମଚାରୀ I