ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ରେ଼ଡ୍ ବେଳେ ଟଙ୍କା ବ୍ୟାଗ ଫୋପାଡୁଥିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର। ୧ ଲକ୍ଷ ଟଙ୍କା ସହ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଘର ବାହାରକୁ ଫୋପାଡୁଥିଲେ ବାବୁ। ଦ୍ୱିତୀୟ ଦିନରେ ମାରାଥନ ରେଡ଼ ବେଳେ ଅନେକ ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ଵର ଆର ଆଣ୍ଡ ବି ଡିଭିଜନ ଆସିଷ୍ଟାଣ୍ଟ ଇଞ୍ଜିନିୟର ରାଜକିଶୋର ଜେନାଙ୍କ ଫ୍ଲାଟ ସମେତ ଅନ୍ୟାନ୍ୟ ସ୍ଥାନରେ ମାରାଥନ ରେଡ଼ କରିଥିଲା। କାଲିଠାରୁ ୧୦ଟି ସ୍ଥାନରେ ଚାଲିଛି ଚଢାଉ। ରେଡ଼ ବେଳେ ଗତକାଲି ବାବୁଙ୍କର ଗୋଟିଏ ବହୁତଳ ପ୍ରାସାଦ, ୨ ଟି ଫ୍ଲାଟ, ୨ ଟି ମଲରେ ଦୁଇଟି କମର୍ସିଆଲ ଦୋକାନ, ୧୩ଟି ଦାମୀ ପ୍ଲଟ ଠାବ କରାଯାଇଥିଲା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜକିଶୋର ଜେନାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଭିଜିଲାନ୍ସ। ଭିଜିଲାନ୍ସର ଟେକ୍ନିକାଲ ଟିମ ଏବେବି ବାବୁଙ୍କ ଠୁଳ ସମ୍ପତ୍ତି, ବ୍ୟାଙ୍କ ବାଲାନ୍ସ, ଫରେନ ଟ୍ରିପରେ ଖର୍ଚ୍ଚ ନେଇ ଛାନଭିନ ଜାରି ରଖିଛି। ଅନ୍ୟପଟେ କସ୍ମୋପଲିସ ଆପାର୍ଟମେଣ୍ଟରେ ବାବୁଙ୍କ ସହଯୋଗୀଙ୍କ ଫ୍ଲାଟରେ ରେଡ଼ ହୋଇଛି। ଆସିଷ୍ଟାଣ୍ଟ ଇଞ୍ଜିନିୟର ଅଶୋକ ପଣ୍ଡାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଅଶୋକ ହେଉଛନ୍ତି ରାଜକିଶୋରଙ୍କ ସହଯୋଗୀ। ୧୬ ନମ୍ବର ମହଲାରେ ଫ୍ଲାଟର ସାଜସଜା ଦେଖି ଜଳକା ହୋଇଛି ଭିଜିଲାନ୍ସ ।
ଅନଲାଇନ ସ୍କାର୍ମର ନୂଆ ତରିକା, ହ୍ଟାର୍ଟ୍ସଆପ୍ ଏବଂ ଟେଲିଗ୍ରାମରେ ଏମିତି ଚୂନା ଲଗାଉଛନ୍ତି ସାଇବର ଠକ
ନନ୍ଦିଘୋଷ ବ୍ୟୁରୋ : ଦିନକୁ ଦି ବଢୁଛି ଅନଲାଇନ ଠକେଇ । ସାଇବର ଠକ ମାନେ ଟଙ୍କା ହଡ଼ପ କରିବା ପାଇଁ ପ୍ରତିଦିନ ନୂଆନୂଆ ପନ୍ଥା ଆପଣାଉଛନ୍ତି । ଆଜିକାଲି ଏକ ନୂଆ ଅନଲାଇନ୍ ଠକେଇ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ; ଯାହା ବିଶେଷକରି ବେକାର ଯୁବକ, ଗୃହିଣୀ ଏବଂ ଛାତ୍ରମାନଙ୍କୁ ଟାର୍ଗେଟ କରୁଛି। ହ୍ୱାଟ୍ସଆପ୍ ଏବଂ ଟେଲିଗ୍ରାମ ଭଳି ମେସେଜିଂ ଆପ୍ ମାଧ୍ୟମରେ, ଠକମାନେ ସହଜରେ ଟଙ୍କା ରୋଜଗାର କରିବାର ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଫସାଉଛନ୍ତି। ଏହା ଏକ ସରଳ ମେସେଜରୁ ଆରମ୍ଭ ହୁଏ ଯେଉଁଥିରେ ଲେଖା ହୋଇଥାଏ ଯେ, ଆପଣଙ୍କୁ ଏକ ଉତ୍ପାଦକୁ 5ଷ୍ଟାର ରେଟିଂ ଦେବାକୁ ପଡିବ, ଯେପରିକି YouTube ଭିଡିଓ କିମ୍ବା କିଛି ଛୋଟ ଅନୁବାଦ କରିବାକୁ ପଡିବ ଏବଂ ଆପଣଙ୍କୁ ଏହା ବଦଳରେ ଟଙ୍କା ଦିଆଯିବ।
ଛୋଟ କାମଠାରୁ ଲକ୍ଷ ଲକ୍ଷ ଋଣ
ଗୁଜରାଟର ଏକ ଘରୋଇ ବ୍ୟାଙ୍କରେ କାମ କରୁଥିବା ୨୫ବର୍ଷୀୟ ସୋରଥିଆ ମଧ୍ୟ ଏପରି ଏକ ଟେଲିଗ୍ରାମ ଗ୍ରୁପର ଅଂଶ ଥିଲେ। ପ୍ରାରମ୍ଭିକ କାମ କରିବା ପାଇଁ ତାଙ୍କୁ କିଛି ଟଙ୍କା ମିଳିଥିଲା। କିନ୍ତୁ ପରେ ତାଙ୍କୁ “ଉଚ୍ଚ ସ୍ତରର କାର୍ଯ୍ୟ” ପାଇଁ ଅଧିକ ଟଙ୍କା ଦେବାକୁ କୁହାଗଲା। ଧୀରେ ଧୀରେ ସେ ୨୮ଲକ୍ଷ ଟଙ୍କାର ଋଣରେ ବୁଡ଼ିଗଲେ ଏବଂ ଶେଷରେ ଆତ୍ମହତ୍ୟା କଲେ। ତାଙ୍କ ଆତ୍ମହତ୍ୟା ନୋଟରେ ସେ ଲେଖିଛନ୍ତି ଯେ ସେ ଏହି ଜାଲରୁ ବାହାରି ପାରିଲେ ନାହିଁ।
କେମିତି ଚିହ୍ନିବେ ଅନଲାଇନ ସ୍କାମ୍
ଏହି ଠକେଇଗୁଡ଼ିକରେ ନକଲି ୱେବସାଇଟ୍, ନକଲି ସାକ୍ଷାତକାର ଏବଂ ନକଲି ଡ୍ୟାସବୋର୍ଡ ଅନ୍ତର୍ଭୁକ୍ତ ଯାହା ଦର୍ଶାଏ ଯେ ଆପଣ କେତେ ରୋଜଗାର କରିଛନ୍ତି। କିନ୍ତୁ ଏହା ସବୁ ଏକ ଠକେଇର ଅଂଶ। ଆପଣ ଏଥିରେ ଟଙ୍କା ନିବେଶ କଲେ ଆପଣ ଏହି ଫ୍ରଡର ଶିକାର ହେବେ।
- ଅଫିସିଆଲ୍ ୱେବସାଇଟ୍ କିମ୍ବା ସୋର୍ସରୁ ଯେକୌଣସି ଚାକିରି ପ୍ରସ୍ତାବ ଉପରେ ବିଶ୍ୱାସ କରିବା ପୂର୍ବରୁ ଯାଞ୍ଚ କରନ୍ତୁ।
- ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ସୂଚନା, OTP କିମ୍ବା ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ।
- ଏପରି ଯେକୌଣସି ଠକେଇ ହେଲେ ତୁରନ୍ତgov.in ରେ ରିପୋର୍ଟ କରନ୍ତୁ ।
କୁଆଖାଇରେ ପୁଣି ବୁଡିଗଲେ ଯୁବକ: ତୁଠକୁ ଦଶ କର୍ମ ପାଇଁ ଆସିଥିବା ବେଳେ ଅଘଟଟ
କୁଆଖାଇରେ ପୁଣି ବୁଡିଗଲେ ଯୁବକ । ତୁଠକୁ ଦଶ କର୍ମ ପାଇଁ ଆସିଥିବାବେଳେ ଅଘଟଣ । ବୁଡିଯାଇଥିବା ଯୁବକ ବାଣୀବିହାର ବସ୍ତିବାସିନ୍ଦା । ଗାଧୋଇବାବେଳେ ଦୁଇ ଜଣ ଯୁବକ ବୁଡିଯାଇଥିଲେ । ଜଣଙ୍କୁ ଉଦ୍ଧାର କରିଛନ୍ତି ପରିବାର ଲୋକେ । ଆଉ ଜଣେ ଯୁବକ ଏବେ ନିଖୋଜ । ନିଖୋଜ ଯୁବକ ହେଲେ ସୋମନାଥ ଦାସ । ଘଟଣାସ୍ଥଳରେ ଚାଲିଛି ଉଦ୍ଧାର କାର୍ଯ୍ୟ । ସମାନ ସ୍ଥାନରେ ଦୁଇ ଦିନ ତଳେ ଜଣେ ଯୁବକ ବୁଡିଯାଇଥିଲେ ।

