ଶିବ ଲିଙ୍ଗ ସାମ୍ନାରେ ନିଜକୁ ସାରିଦେଲେ ଯୁବକ, ଜାଣନ୍ତୁ କାହିଁକି….
କୋରାପୁଟ: ଶିବ ଲିଙ୍ଗ ସାମ୍ନାରେ ଯୁବକଙ୍କ ଆତ୍ମହତ୍ୟା । ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କଲେ ଯୁବକ । ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇଛି । ଏଭଳି ଏକ ଅଭାବନୀୟ ଘଟଣା କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରେ ଦେଖିବାକୁ ମିଳିଛି । ଫଳରେ ଗୁପ୍ତେଶ୍ୱରଙ୍କ ପୀଠରେ ସକାଳ ନୀତିକାନ୍ତି ବନ୍ଦ ରହିଛି ।

ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ମନ୍ଦିର ସେବକ ମନ୍ଦିର ସଫା କରିବା ପାଇଁ ଗୁମ୍ଫା ମଧ୍ୟକୁ ପ୍ରବେଶ କରିଥିଲେ । ପ୍ରବେଶ ଦ୍ୱାରରେ ଯେଉଁଠି ଘଣ୍ଟି ଝୁଲା ହୋଇଥାଏ ସେଠାରେ ଜଣେ ଯୁବକ ଦଉଡ଼ିରେ ଓହଳି ଥିବା ଦେଖିଥିଲେ । ଯୁବକ ଜଣକ ଘଣ୍ଟି ଝୁଲା ହୋଇଥିବା ସ୍ଥାନରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ବିଳମ୍ବିତ ରାତିରେ କେହି ନଥିବା ବେଳେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଘଟଣାସ୍ଥଳରେ ରାମଗିରି ଫାଣ୍ଡି ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକଙ୍କ ପରିଚୟ ମିଳିନାହିଁ । ଯୁବକ ଜଣଙ୍କ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଘଟଣା ପରେ ଗୁପ୍ତେଶ୍ୱରଙ୍କ ପୀଠରେ ପୂଜା ନୀତି ବନ୍ଦ ରହିଛି ।

ନାଗରିକତା ସଂଶୋଧନ ବିଲକୁ ଆସାମରେ ଜୋରଦାର ବିରୋଧ
ଗୁଆହାଟି: ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ପାରିତକୁ ନେଇ ଦେଶର ପୂର୍ବୋତ୍ତର ରାଜ୍ୟରେ ହଙ୍ଗାମା, ହିଂସା ପ୍ରଦର୍ଶନ । ନର୍ଥ ଇଷ୍ଟ ଷ୍ଟୁଡେଣ୍ଟ୍ସ ଅର୍ଗାନାଇଜେସନ୍ ଓ ଅଲ୍ ଆସାମ ଷ୍ଟୁଡେଣ୍ଟ ୟୁନିଅନ ପକ୍ଷରୁ ଆଜି ୧୨ ଘଣ୍ଟିଆ ଗୁଆହାଟି ବନ୍ଦ ପାଳନ କରାଯାଉଛି । ଅନେକ ସ୍ଥାନରେ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ କିଛି ସ୍ଥାନରେ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଲୋକସଭାରେ ପାସ୍ ହେଲା ନାଗରିକତା ସଂଶୋଧନ ବିଲ୍, ରାଜ୍ୟସଭାରେ ହେବ ଆଗତ
ଗୁଆହାଟିରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି । ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି । କଂଗ୍ରେସ ସହ ଅନ୍ୟ କେତକ ରାଜନୈତିକ ଦଳ ମୁସଲିମ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ ଦାବିରେ ବିରୋଧ କରୁଛନ୍ତି । ଏହି ବିଲ୍ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧର୍ମାନ୍ତର ଦ୍ୱାରା ଆକ୍ରୋଶର ଶିକାର ହୋଇଥିବା ଅଣମୁସଲିମ, ଅଳ୍ପସଂଖ୍ୟକ ହିନ୍ଦୁ, ଜୈନ, ଶିଖ୍, ବୌଦ୍ଧ, ପାର୍ସୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବ । ଏମାନେ ଭାରତରେ ୬ ବର୍ଷ ଯାଏଁ ବସବାସ ରହିଥିଲେ ନାଗରିକତ୍ୱ ଦିଆଯିବ । ପୂର୍ବରୁ ଏହା ୧୧ ବର୍ଷ ଅଛି ।

ବିଲରେ ଏହାର ସମୟ ସୀମା ୨୦୧୪ ଡିସେମ୍ବର ୩୧ ଯାଏଁ ରଖାଯାଇଛି । ଅର୍ଥାତ୍ ୨୦୧୫ ପୂର୍ବରୁ ଭାରତରେ ଶରଣାର୍ଥୀ ଭାବେ ରହୁଥିବା ୩ ଦେଶର ଅଳ୍ପସଂଖ୍ୟକ ଭାରତରେ ୬ ବର୍ଷ ରହିଥିଲେ ନାଗରିକତା ପାଇବେ ।

https://nandighoshatv.comcitizen-amendment-bill-passed-in-lok-sabha-late-night/
ଘରକୁ ଫେରୁଥିଲେ ଅଧା ବାଟରେ ଦଳିଦେଲା ହାତୀ
ମୟୂରଭଞ୍ଜ: ଥମିବାର ନା ଧରୁନି ହାତୀ ଆତଙ୍କ । କେତେବେଳେ ହାତୀ ଘର ଭାଙ୍ଗୁଛି ତ ଆଉ କେବେ ହାତୀ ମଣିଷକୁ ଆକ୍ରମଣ କରୁଛି । ଯାହାକୁ ନେଇ ଅଧିକ ସମୟରେ ଲୋକେ ଭୟରେ ଦିନ କାଟୁଛନ୍ତି । ଚାଞ୍ଚବଣି ଗାଁର ଜଣେ ମହିଳାକୁ ହାତୀ ଦଳି ମାରି ଦେଇଥିବା ଅଭିଯୋଗ ହୋଇଛି । ମହିଳା ଜଣକ ହେଉଛନ୍ତି ଲୀଳାବତୀ ନାୟକ ।
ସୂଚନା ଅନୁଯାୟୀ, ଲୀଳାବତୀ ଏବଂ ତାଙ୍କ ବାପା ସନ୍ଧ୍ୟାରେ କୁରୁଳିଆ ଗାଁରୁ ନିଜ ଘରକୁ ଫେରୁଥିଲେ । ସେହି ସମୟରେ କୁରୁଳିଆ ଜଙ୍ଗଲରେ ହାତୀ ହାବୁଡ଼ରେ ପଡିଯାଇଥିଲେ ଲୀଳାବତୀ । ହାତୀ ତାଙ୍କୁ ଶୁଣ୍ଢରେ ଧରି କଚାଡ଼ି ଦେଇଥିଲା । ଯାହାଫଳରେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲା ।

ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ ନେଇଥିଲେ ପରିବାର ଲୋକେ । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ହାତୀ ପଲ ଦିନ ସମୟରୁ ଜଙ୍ଗଲରୁ ବାହାରି ଧାନ ଫସଲ ଆଡ଼କୁ ମାଡି ଆସୁଥିବାରୁ ବ୍ୟାପକ ଫସଲ କ୍ଷୟକ୍ଷତି ହେଉଛି । ଗତ ୧୦ ଦିନ ମଧରେ ଦୁଇ ଜଣକୁ ହାତୀ ଆକ୍ରମଣ କରିଥିଲେ ବି ବନବିଭାଗ ଏଥିହ ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।
ବାଲିଗୁଡ଼ାରେ ଚାଞ୍ଚଲ୍ୟ, ଘରୁ ଡାକି ଆଣି ସୂଚନା ଅଧିକାର କର୍ମୀଙ୍କୁ ଗୁଳି
ବାଲିଗୁଡ଼ା: ଚକ୍ରବ୍ୟୁହରେ ଫସିଗଲେ ଅଭିମନ୍ୟୁ । ସୂଚନା ଅଧିକାର କର୍ମୀଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ । ବାଲିଗୁଡ଼ା ଥାନା ପାତ୍ରସାହିରେ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସକାଳ ପ୍ରାୟ ୭ଟା ୩୦ରେ ଘରୁ ଡାକି ଆଣି ୨ ଜଣ ଦୁର୍ବୃତ୍ତ ତାଙ୍କୁ ଗୁଳି କରି ଫେରାର ହୋଇଯାଇଛନ୍ତି ।
ଅଭିମନ୍ୟୁଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋକା ଜବତ କରିବା ସହ ଘଟଣାର ଛାନଭିନ୍ କରୁଛି । ତେବେ, କେଉଁ କାରଣରୁ କିଏ ଅଭିମନ୍ୟୁଙ୍କୁ ଗୁଳି କଲା ତାହା ଜଣାପଡ଼ିନାହିଁ ।
ତେବେ, ଅଭିମନ୍ୟୁ ଜଣେ ସୂଚନା ଅଧିକାର କର୍ମୀ ହୋଇଥିବା ବେଳେ, କୌଣସି ଏକ ବଡ଼ ଘୋଟାଲାର ପର୍ଦ୍ଦାଫାସ କରିବାକୁ ଚାହୁଁଥିବାରୁ ଗୁଳି କରାଯାଇଥିବା ସନ୍ଦେହ କରାଯାଉଛି । ଏନେଇ ପୋଲିସ କୌଣସି ସୂଚନା ଦେଇନାହିଁ । ସ୍ଥାନୀୟ ଅଞ୍ଚଳରେ ଏହି ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି ।

