spot_img
Home Blog Page 761

ଯାଜପୁରରେ ଝାଡାବାନ୍ତିର କାରଣ ଖୋଜି ପାଉନି ସ୍ବାସ୍ଥ୍ୟ ବିଭାଗ, ୪ ଦିନ ପରେ ବି ନିୟନ୍ତ୍ରଣକୁ ଆସିନି ସ୍ଥିତି

ନନ୍ଦିଘୋଷ ବ୍ୟୁରୋ : ବର୍ଷପୂର୍ତ୍ତି ଉତ୍ସବ ମନାଇବାରେ ବ୍ୟସ୍ତ ରାଜ୍ୟ ସରକାର । ସେପଟେ ଚୁଲିକୁ ଗଲାଣି ସ୍ବାସ୍ଥ୍ୟ ସେବା । ୪ଦିନ ହେଲା ନିୟନ୍ତ୍ରଣକୁ ଆସୁନି ଝାଡାବାନ୍ତି । ପାଖାପାଖି ୬୦୦ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା  ୧୦ ଛୁଇଁଲାଣି । ହେଲେ ଏଯାଏଁ ସ୍ପଷ୍ଟ ହୋଇନି ଝାଡାବାନ୍ତିର ପ୍ରକୃତ କାରଣ । ଗତ ୪ ଦିନ ମଧ୍ୟରେ ଯାଜପୁର ଜିଲ୍ଲାର ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳ ସମେତ ଧର୍ମଶାଳା, ରସୁଲପୁର, କୋରାଇ, ଦାନଗଦି ଓ ସୁକିନ୍ଦା ଆଦି ୬ ଟି ବ୍ଲକରେ ଝାଡାବାନ୍ତି ରୋଗରେ ୬୦୦ରୁ ଉର୍ଦ୍ଧ୍ବ ରୋଗୀ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଜିଲ୍ଲାରେ ୧୦ ଜଣ ଗତ ଚାରି ଦିନରେ ଝାଡିବାନ୍ତିରେ ମୃତ୍ୟୁବରଣ କରିସାରିଲେଣି । କିନ୍ତୁ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ କରାଯାଉନି । ଆବଶ୍ୟକ ସଂଖ୍ୟକ ବେଡ ନଥିବାରୁ ରୋଗୀଙ୍କୁ ଚଟାଣରେ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି । ଏଥିସହିତ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା କରାଯାଉନଥିବାରୁ ମେଡିକାଲରୁ ଘରକୁ ଫେରିବା ପରେ ପୁଣି ବାନ୍ତିଝାଡ଼ା ହେଉଛି ଓ ବାରମ୍ବାର ମେଡିକାଲକୁ ଆସିବାକୁ ପଡୁଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।

ଜିଲ୍ଲାର ଛଅଟି ଭିନ୍ନ ଭିନ୍ନ ସ୍ଥାନରେ ଝାଡାବାନ୍ତି ବ୍ୟାପିଥିବାରୁ କାରଣ ଗୋଟିଏ ନୁହେଁ । ତେଣୁ ପାଣି ଉତ୍ସରୁ ଝାଡାବାନ୍ତି ବ୍ୟାପିଥିବା ଆଶଙ୍କା କରାଯାଉଛି । କିନ୍ତୁ ଏଯାଏଁ ସ୍ବାସ୍ଥ୍ୟ ବିଭାଗ ପ୍ରକୃତ କାରଣ ସ୍ପଷ୍ଟ କରିନାହିଁ । ହେଲେ ଜିଲ୍ଲାରେ ଏକାଧିକ ମେଡିକାଲ ଟିମ ବିଭିନ୍ନ ସ୍ଥାନରେ ଖାଦ୍ୟର ମାନ ଯାଞ୍ଚ କରୁଛି । ନଳକୂଅ ଓ ପାଣି ଟାଙ୍କିର ବିଶୁଦ୍ଧିକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ସେହିଭଳି କାଲିଠୁ ରଜ ପର୍ବ ଆରମ୍ଭ ହେଉଥିବା ସଂକ୍ରମିତ ଅଞ୍ଚଳରେ ପିଠାପଣାରୁ ଦୂରେଇ ରହିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି । ଏଥିସହିତ ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଏହା ଭିତରେ ଝାଡାବାନ୍ତି ସୀମା ଡେଇଁ ପଡୋଶୀ କେନ୍ଦୁଝର ଓ ଭଦ୍ରକରେ ପଶିଲାଣି । କାରଣ ଏଠାରୁ ମଧ୍ଯ ଝାଡାବାନ୍ତିରେ ଆକ୍ରାନ୍ତ ହେବାର ଖବର ଆସୁଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ଯାଞ୍ଚ କରୁଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ମହିଳାଙ୍କୁ ଅତ୍ୟାଚାର ବିରୋଧରେ ବିଜେଡିର ଗର୍ଜନ, ବିଜେପିର ମିଛ ବିରୋଧରେ ଲଢ଼େଇ ପାଇଁ ମହିଳାଙ୍କ ସଙ୍କଳ୍ପ

ଯାଜପୁର : ସ୍ବପ୍ନ ଦେଖାଇ ଭୋଟ ନେଲେ, ବର୍ଷେ ଭିତରେ ଧୂଳିସାତ କଲେ । ସୁଭଦ୍ରା ଯୋଜନାରେ ୨ ବର୍ଷରେ ୫୦ ହଜାର ଟଙ୍କା ଦେବାକୁ କହି ବର୍ଷକୁ ମାତ୍ର ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଦେଲେ। ଦିନକୁ ମାତ୍ର ୨୭ ଟଙ୍କାରେ କିପରି ମହିଳା ହେବେ ସ୍ବାବଲମ୍ବୀ। ମିଶନ ଶକ୍ତିରେ କାମ କରୁଥିବା ମହିଳାଙ୍କୁ ଦରମା ଦେଉନି ବିଜେପି ସରକାର। ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢିବା ସହ ସୀମା ଟପିଛି ଦୁଷ୍କର୍ମ। ବିଜେପି ସରକାର ବିରୋଧରେ ଏଭଳି ଅଭିଯୋଗ କରି ରଣହୁଙ୍କାର ଦେଇଛନ୍ତି ବିଜେଡିର ହେଭିୱେଟ ନେତାଙ୍କ ଠାରୁ ଆରମ୍ଭ କରି ମହିଳା ନେତ୍ରୀ। ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଯାଜପୁର ବରୁଆଁ ଦଶହରା ପଡିଆରେ ଡବଲ ଇଞ୍ଜିନ ସରକାରକୁ କରାଯାଇଛି ତୀବ୍ର ସମାଲୋଚନା। ନିର୍ବାଚନ ସମୟରେ ଲମ୍ବା ପ୍ରତିଶୃତି ଦେଇଥିଲା ବିଜେପି। କିନ୍ତୁ ବର୍ଷକରେ ଏହା ମିଛ ବୋଲି ପ୍ରମାଣିତ ହୋଇଛି। ଏନେଇ ଗାଁ ଗାଁରେ ଜନଜାଗରଣ କରିବାକୁ ମହିଳା ସମାବେଶରେ ସଙ୍କଳ୍ପ ନେଇଛନ୍ତି ମା’ମାନେ ।

ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ସଙ୍କଳ୍ପ ନେଇଛନ୍ତି ହଜାର ହଜାର ମହିଳା। ବିଜେପି ସରକାରର ବର୍ଷ ଏକ, ବିଫଳତାର ଅନେକ ଉଦାହରଣ ଦେଇ ଗେରୁଆ ଦଳର ବର୍ଷ ପୂର୍ତ୍ତି ଉତ୍ସବକୁ କଟାକ୍ଷ କରିଛି ବିଜେଡି । ଗତ ବର୍ଷକ ଭିତରେ ରାଜ୍ଯରେ ୮ ପ୍ରତିଶତ ବଢ଼ିଛି ନାରୀ ନିର୍ଯାତନା। ପ୍ରତିଶୃତି ପ୍ରତାରଣାରେ ପରିଣତ ହୋଇଥିବାରୁ ଜନଜାଗରଣ କରି ଓଡ଼ିଶାବାସୀଙ୍କୁ ସଚେତନ କରୁଛି ବିଜେଡି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ୭୦ ଲକ୍ଷରୁ ଅଧିକ ମହିଳା ସାମାଜିକ, ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ସଶକ୍ତ ଓ ସ୍ୱାବଲମ୍ବୀ ହୋଇଥିଲେ। ନିଜକୁ ଲୋକଙ୍କ ସରକାର କହି ଆସୁଥିବା ବିଜେପି ସରକାର, ଲୋକଙ୍କୁ ସଶକ୍ତ କରିବାରେ ବିଫଳ ହୋଇଛି। ସମାବେଶ ଆରମ୍ଭରୁ ବିମାନ ଦୁର୍ଘଟଣା ଓ ଡାଇରିଆରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ଶୋକସଭା କରାଯାଇଥିଲା।

ପ୍ରତି ପଞ୍ଚାୟତରେ ଖୋଲିବ ପୋଷଣ କେନ୍ଦ୍ର, ସବସିଡି ଦରରେ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ବର : ପ୍ରତି ପଞ୍ଚାୟତରେ ଖୋଲିବ ପୋଷଣ କେନ୍ଦ୍ର । ସବସିଡି ଦରରେ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ । ମଧ୍ୟବିତ୍ତଙ୍କୁ କରାଯିବ ସାମିଲ । ବିଳମ୍ବିତ ପଦକ୍ଷେପକୁ ନେଇ ବିରୋଧୀଙ୍କ ସମାଲୋଚନା ।.. ..ଶେଷରେ ଲୋକଙ୍କ କଥା ମନେ ପଡିଲା । ଦରବୃଦ୍ଧିରେ ହନ୍ତସନ୍ତ ଲୋକଙ୍କୁ ଆଶ୍ବସ୍ତି ଦେବାକୁ ଅଣ୍ଟାଭିଡିଛନ୍ତି । ସରକାର ପୋଷଣ କେନ୍ଦ୍ର ଜରିଆରେ ସବସିଡି ଦରରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବେ । ପ୍ରତି ପଞ୍ଚାୟତରେ ପୋଷଣ କେନ୍ଦ୍ର ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ପାଇଲଟ ପ୍ରକଳ୍ପ ଭାବେ ୫ଟି ପୋଷଣ କେନ୍ଦ୍ର ଖୋଲିବ । ଏଥିରେ ଚାଉଳ, ଅଟା, ଡ଼ାଲି, ଚିନି, ଲୁଣ, ତେଲ ଯୋଗାଇବେ ସରକାର । ଏହି ସବୁ କେନ୍ଦ୍ରରେ କାହାକୁ କେତେ ପରିମାଣର ସାମଗ୍ରୀ ମିଳିବ, ତାର ଗାଇଡଲାଇନ ପ୍ରସ୍ତୁତ ହେଉଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ଦରଦାମ୍ ବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ରହିଛି। ବିଜେପିର ବର୍ଷେ ଶାସନ ଭିତରେ ଅହେତୁକ ଭାବେ ବଢିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦରଦାମ । ସରକାର ଆଳୁ ଯୋଗାଇବାରେ ମଧ୍ୟ ଫେଲ ହୋଇଛନ୍ତି । ତେଣୁ ସରକାରଙ୍କ ଉପରେ ଚାପ ଅଛି । ସେଥିପାଇଁ ଏଭଳି ଯୋଜନା ଘୋଷଣା କରିବାକୁ ସରକାର ବାଧ୍ୟ ହେଉଛନ୍ତି । ଖାଉଟିଙ୍କୁ ବୁଝାଇବା ପାଇଁ ସରକାର ଏଭଳି ଆଇ ଓ୍ବାସ୍ କାର୍ଯ୍ୟକ୍ରମ କରୁଛନ୍ତି । ମଧ୍ୟବିତ୍ତ ଓ ଗରିବ ଏହି ସରକାର ସମୟରେ ଅଧିକ ଶୋଷିତ ହୋଇଛି ବୋଲି ବିଜେଡି କହିଛି। ଏଭଳି ଯୋଜନା ଘୋଷଣା କରି ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି କଂଗ୍ରେସ କହିଛି । ବର୍ତ୍ତମାନ ୩ କୋଟି ୨୬ ଲକ୍ଷ ହିତାଧିକାରୀ ଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୁକ୍ତ ଥିବା ବେଳେ ରାସନ ଦୋକାନରୁ ଚାଉଳ ଓ ଗହମ ପାଉଛନ୍ତି । ଜନ ପୋଷଣ କେନ୍ଦ୍ର ହେଲେ ପ୍ରାୟ ୫୦ ଲକ୍ଷ ଅଧିକ ହିତାଧିକାରୀ ସାମିଲ ହୋଇପାରନ୍ତି ବୋଲି ସରକାର ଆକଳନ କରିଛନ୍ତି ।

ପ୍ଲେନ୍ କ୍ରାସରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର କେବେ ପାଇବେ ସେମାନଙ୍କ ଆତ୍ମୀୟଙ୍କ ଦଗ୍ଧ ମୃତଶରୀର ?

ନନ୍ଦିଘୋଷ ବ୍ୟୁରୋ : ଅହମ୍ମଦାବାଦ ପ୍ଲେନ୍‌ କ୍ରାସରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର କେବେ ପାଇବେ ସେମାନଙ୍କ ଆତ୍ମୀୟଙ୍କ ଦଗ୍ଧ ମୃତଶରୀର ? କେବେସୁଦ୍ଧା ଚିହ୍ନଟ କରି ଗୁଜୁରାଟ ସରକାର ଆତ୍ମୀୟଙ୍କ ଅବଶେଷ ହସ୍ତାନ୍ତର କରିବେ? ଏ ନେଇ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପରିବାର ସଦସ୍ୟଙ୍କ ଡିଏନ୍‌ଏ ନମୁନା ସଂଗ୍ରହ । ଏ ପର୍ଯ୍ୟନ୍ତ ପ୍ରାୟ ୨୦୦ରୁ ଅଧିକ ନମୁନା ସଂଗ୍ରହ ସରିଥିବା ଜଣାପଡ଼ିଛି । AI-171 ଏୟାର ଇଣ୍ଡିଆ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣ ପ୍ରାଣ ହରାଇଛନ୍ତି । ପ୍ରାଣ ହରାଇଥିବା ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ମୃତଦେହ ସମ୍ପୂର୍ଣ୍ଣ ଜଳି ପୋଡ଼ି ଯାଇଥିବାରୁ ଚିହ୍ନଟ କରିହେଉନି । ଏଭଳି ସ୍ଥିତିରେ ଡିଏନ୍‌ଏ ପ୍ରୋଫାଇଲିଂ କରିବା ଗୁଜୁରାଟ ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ ପାଲଟିଛି । ବିମାନଟି କ୍ରାସ ହେବା ପରେ ବିମାନରେ ଥିବା ଅତି ଦହନଶୀଳ ଇନ୍ଧନ ଏଟିଏଫ୍‌ ପ୍ରଭାବରେ ନିଆଁର ତାତି ଏତେ ଥିଲା ଯେ, କେତେକ ମୃତ ବ୍ୟକ୍ତିଙ୍କ ହାଡ଼ ଓ ଦାନ୍ତ ବି ଜଳିଯାଇଛି । ଏଭଳି କ୍ଷେତ୍ରରେ ସେସବୁ ଦଗ୍ଧ ଶରୀରର ହାଡ଼ରେ ଡିଏନ୍‌ଏ ନମୁନା ସବୁଠି ମିଳିବା ମଧ୍ୟ କଷ୍ଟକର ବ୍ୟାପାର । ନିୟମାନୁଯାୟୀ ଜଣଙ୍କର ଡିଏନ୍‌ଏ ପ୍ରୋଫାଇଲିଂ ସହିତ ପରିବାର ସଦସ୍ୟଙ୍କ ନମୁନା ସହ ମେଳ କରିବା ପାଇଁ ୭୨ ଘଣ୍ଟା ସମୟ ଲାଗିଥାଏ । ଏଭଳି କ୍ଷେତ୍ରରେ ଶତାଧିକ ମୃତକଙ୍କ ପାଇଁ ଏକସପ୍ତାହ କିମ୍ବା ଅଧିକ ଦିନ ଲାଗିପାରେ । ତେବେ ଏହାକୁ ଯଥାଶୀଘ୍ର କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୃତକଙ୍କ ଡିଏନ୍‌ଏ ସହିତ ପରିବାର ସଦସ୍ୟଙ୍କ ଡିଏନ୍‌ଏ ମେଳ ଗୁଜୁରାଟ ରାଜ୍ୟ ଫରେନ୍‌ସିକ ଲାବୋରେଟରୀ ଓ ଗାନ୍ଧୀନଗରରେ ଥିବା ଜାତୀୟ ଫରେନ୍‌ସିକ ସାଇନସ୍‌ ବିଶ୍ବବିଦ୍ୟାଳୟର ବୈଷୟିକ ଟିମ୍‌ ଲାଗିପଡ଼ିଛନ୍ତି ।

ବୋଇଂ ଡ୍ରିମଲାଇନରର ହେବ ଯାଞ୍ଚ

ନନ୍ଦିଘୋଷ ବ୍ୟୁରୋ : ବୋଇଂ ଡ୍ରିମଲାଇନରର ହେବ ଯାଞ୍ଚ । ପ୍ଲେନ କ୍ରାସ ପରେ DGCAର ବଡ଼ ନିଷ୍ପତ୍ତି । ବୋଇଂ ଡ୍ରିମଲାଇନର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି । ଜୁନ୍ ୧୫ରୁ ବୋଇଂ ଡ୍ରିମଲାଇନର ସବୁ ଉଡ଼ାଣର ହେବ ଅତିରିକ୍ତ ଯାଞ୍ଚ । ଉଡ଼ାଣ ପୂର୍ବରୁ ଫୁଏଲ ପାରାମିଟର, ସିଷ୍ଟମ ଯାଞ୍ଚ ଲାଗି ନିର୍ଦ୍ଦେଶ ଦେଇଛି DGCA । ଏହାସହ ଇଞ୍ଜିନ କଣ୍ଟ୍ରୋଲ ସିଷ୍ଟମର ମଧ୍ୟ ଯାଞ୍ଚ ହେବ । କ୍ୟାବିନ ଏୟାର କମ୍ପ୍ରେସର ଓ ହାଇଡ୍ରୋଲିକ ସିଷ୍ଟମ ବି ଯାଞ୍ଚ ହେବ । ବିମାନ ଉଡ଼ାଣ ମାନଦଣ୍ଡର ପୁନଃସମୀକ୍ଷା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଜେନେକ୍ସ ଇଞ୍ଜିନ ଥିବା ସବୁ ବିମାନର ଇଞ୍ଜିନ ଯାଞ୍ଚ ହେବ ବୋଲି କୁହାଯାଇଛି । ସେପଟେ ଟାଟା ଗ୍ରୁପ ଅଫ କମ୍ପାନୀକୁ ଏକାଧିକ କାରଣ ଦର୍ଶାଅ ନୋଟିସ ଜାରି କରିଛି ଡିଜିସିଏ । କିଭଳି ଓ କେଉଁ ପରିସ୍ଥିତିରେ ହେଲା ଦୁର୍ଘଟଣା ? ବିମାନର ରକ୍ଷଣାବେକ୍ଷଣରେ କିଛି ତ୍ରୁଟି ଥିଲା କି ? ଏ ନେଇ ଆସନ୍ତା ୧୬ ତାରିଖ ସୁଦ୍ଧା ନୋଟିସର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦେବସ୍ନାନ ପୂର୍ଣ୍ଣିମାରେ ବିଶୃଙ୍ଖଳା, ସ୍ନାନବେଦୀ ଉପରକୁ ଉଠି ଶ୍ରୀଜିଉଙ୍କ ଅଙ୍ଗ ସ୍ପର୍ଷକଲେ ଅଣ ସେବାୟତ

ପୁରୀ : ମାନିଲେନି ନିୟମ । ପ୍ରଶାସର କଡ଼ା ତାଗିଦ ସତ୍ତ୍ବେ ବିଶୃଙ୍ଖଳା । ସ୍ନାନ ବେଦୀରେ ଶ୍ରୀଜିଉଙ୍କ ଅଙ୍ଗସ୍ପର୍ଷ କଲେ ଅଣସେବାୟତ । ସେବାୟତ ଓ ବୁଦ୍ଧିଜୀବୀଙ୍କ ଅସନ୍ତୋଷ । ଦୃଢ କାର୍ଯ୍ଯାନୁଷ୍ଠାନ ଦାବି । ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ଓ ହାତୀବେଶ ନୀତି ଶୃଙ୍ଖଳିତ ଭାବେ ସମାପନ ହୋଇଥିଲା । ତେବେ ଗଜାନନ ବେଶ ଓଲାଗି ପରେ ରାତିରେ ଦେଖିବାକୁ ମିଳିଥିଲା ବିଶୃଙ୍ଖଳା । ବହୁ ସଂଖ୍ୟାରେ ସାଧାରଣ ଲୋକ ନିୟମକୁ ଉଲ୍ଲଂଘନ କରି ସ୍ନାନ ବେଦୀ ଉପରକୁ ଯାଇ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିଥିବା ନଜରକୁ ଆସିଥିଲା । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଘଟଣା ନେଇ ପ୍ରଶାସନର ପଦକ୍ଷେପ ସନ୍ଦେହ ପ୍ରକାଶ ପାଇଥିବା ବେଳେ ପୁରୀବାସୀ ଏଥିରେ ମର୍ମାହତ ହୋଇଛନ୍ତି । ତୁରନ୍ତ ତଦନ୍ତ କରି ଦୃଢ କାର୍ଯ୍ଯାନୁଷ୍ଠାନ ନେବାକୁ ଉଠିଛି ଦାବି ।

୨୦୧୪ ପରଠାରୁ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ ନକରିବାକୁ କଡ଼ା ନିୟମ ରହିଛି । ଜଗତ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତକୁ ଗ୍ରହଣ କରି ଏପରି ପଦକ୍ଷେପ ନେଇଥିଲେ ସରକାର । ମାତ୍ର ବିଭିନ୍ନ ସମୟରେ ଏହାକୁ ଉଲ୍ଲଙ୍ଘନ କରାଯାଉଥିବା ଦେଖିବାକୁ ମିଳୁଛି । ଗତ ରଥଯାତ୍ରା ସମୟରେ କିଛି ପ୍ରତିଷ୍ଠିତ ବ୍ୟକ୍ତି ସେବାୟତ ବେଶରେ ରଥ ଉପରକୁ ଚଢ଼ିଥିଲେ । ସ୍ନାନ ବେଦୀ ସମୟରେ ମଧ୍ୟ ବହୁ ବ୍ୟକ୍ତି ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିଥିବା ଦେଖିବାକୁ ମିଳିଥିଲା । ପ୍ରଶାସନ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ଯାନୁଷ୍ଠାନ ନେଉ ନଥିବାରୁ ଏପରି ଅବ୍ଯବସ୍ଥା ଦେଖିବାକୁ ମିଳୁଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । କିଛି ପ୍ରଶାସନିକ ଅଧିକାରୀଙ୍କ ଅପାରଗତା ଯୋଗୁଁ ବାରମ୍ବାର ଏପରି ନିୟମ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହୋଇଛି ।

ପୁରୀ ରେଳଷ୍ଟେସନରେ ଆଣ୍ଟି ଟେରର୍ ମକଡ୍ରିଲ୍

ପୁରୀ : ରଥଯାତ୍ରା ପାଇଁ ଷ୍ଟେସନରେ ଖଚାଖଚ ଭିଡ଼ । ହଠାତ୍ ୩ ଆତଙ୍କବାଦୀ ହାଇଜାକ କଲେ ଟ୍ରେନ୍ । ଯାତ୍ରୀଙ୍କୁ କବଜାରେ ରଖିଛନ୍ତି ଆତଙ୍କୀ । ଉଦ୍ଧାର ପାଇଁ ତୟାର ଯବାନ । ଆରମ୍ଭ ହେଲା ଅପରେସନ । ଶେଷରେ ଗୋଟିଏ ପରେ ଗୋଟି ଆତଙ୍କବାଦୀଙ୍କୁ ଗୁଳିକରି ହତ୍ଯାକଲେ ଉଦ୍ଧାରକାରୀ ଦଳ । ଏହା କୌଣସି ସତସତିକା ନୁହେଁ, ରଥଯାତ୍ରା ପୂର୍ବରୁ ପୁରୀ ରେଳଷ୍ଟେସନରେ ଏପରି ଏକ ଡେମୋ ଦେଖାଇଛନ୍ତି RPF, GRP, ସ୍ପେଶାଲ କମାଣ୍ଡୋ, SOG, ଅଗ୍ନିଶମ, ଓଡ୍ରାଫ ଓ ପୁରୀ ପୋଲିସ୍ । ଯଦି ରଥଯାତ୍ରା ସମୟରେ ଟ୍ରେନରେ କୌଣସି ଆତଙ୍କୀ କାର୍ଯ୍ୟକଳାପ ଦେଖାଯାଏ ତାକୁ କିଭଳି ମୁକାବିଲା କରାଯିବ ସେନେଇ ଡେମୋ ଦେଖାଇଛନ୍ତି ମିଳିତ ଟିମ୍ । ମକଡ୍ରିଲ ପାଇଁ  ୩ ନମ୍ବର ପ୍ଲାଟଫର୍ମରେ ତପସ୍ୱିନୀ ଏକ୍ସପ୍ରେସକୁ ବ୍ୟବହାର କରାଯାଇଥିଲା ।

ରଥଯାତ୍ରା ପାଇଁ ଅନେକ ଯାତ୍ରି ଟ୍ରେନ ଯୋଗେ ଆସିବେ l ସେହି ସମୟରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେନେଇ ମକଡ୍ରିଲ କରାଯାଇଛି । ପ୍ରଥମେ ଅସୁସ୍ଥ ଯାତ୍ରୀଙ୍କୁ କିପରି ପ୍ରାଥମିକ ଚିକିତ୍ସା ଦିଆଯିବ, ପରେ କିଭଳି ଆମ୍ବୁଲାନ୍ସକୁ ନିଆଯିବ ଓ ଆମ୍ବୁଲାନ୍ସ ସ୍ବତନ୍ତ୍ର ଗ୍ରୀନ୍ କରିଡ଼ରରେ ମେଡିକାଲ୍ ପର୍ଯ୍ୟନ୍ତ ନିଆଯିବ ନେଇ ହୋଇଥିଲା ଡେମୋ । ଏହାଦ୍ବାରା ଭକ୍ତମାନେ ସୁବିଧାରେ ସମସ୍ତ ବିଷୟରେ ଅବଗତ ହୋଇପାରିବେ ବୋଲି କହିଛନ୍ତି ପୁରୀ ଏସପି। ରଥଯାତ୍ରା ଯେତେ ପାଖେଇ ଆସୁଛି ପ୍ରଶାସନର ଚିନ୍ତା ସେତିକି ବଢ଼ିବାରେ ଲାଗିଛି  l ଭକ୍ତଙ୍କ ସୁରକ୍ଷା ପାଇଁ ଦିଆଯାଉଛି ପ୍ରାଥମିକତା ଏ ନେଇ କରାଯାଇଛି ଆଣ୍ଟି ଟେରର ମକଡ୍ରିଲ l

୫ ବନ୍ଧୁକ ବେପାରୀ ଗିରଫ, ୬ଟି ବନ୍ଧୁକ ଜବତ

ଭୁବନେଶ୍ୱର : ବନ୍ଧୁକ ବେପାରୀଙ୍କ ଭାଣ୍ଡାଫୋଡ । ଗରାଖ ବେଶରେ ଯାଇ ମାଡିବସିଲା ସ୍ପେଶାଲ ସ୍କ୍ବାଡ । ଜଟଣୀ ଅଞ୍ଚଳରେ ରହୁଥିଲେ, ରାଜଧାନୀରେ ବୁଲି ବୁଲି ବିକୁଥିଲେ । ଭୁବନେଶ୍ୱରରେ ବଢୁଥିଲା ୟୁପି ବନ୍ଧୁକ କ୍ରେଜ୍ । ୪ ଟି ୭.୬୫ ଏମଏମ ସେମି ଅଟୋମେଟିକ ପିସ୍ତଲ । ଗୋଟିଏ ସିକ୍ସ ରାଉଣ୍ଡ ଲିଭଲଭର । ଗୋଟିଏ ସିଙ୍ଗିଲ ସଟ୍ ବନ୍ଧୁକ ସହ ୧୮ ରାଉଣ୍ଡ ଗୁଳି । ଉତ୍ତରପ୍ରଦେଶରୁ ବନ୍ଧୁକ ଆଣି ରାଜଧାନୀ ଭୁବନେଶ୍ବରରେ ବିକ୍ରି କରୁଥିଲେ ଏହି ଆନ୍ତଃରାଜ୍ୟ ଅପରାଧୀ । ଉତ୍ତରପ୍ରଦେଶର ୩ ଜଣ ମଧ୍ୟପ୍ରଦେଶରୁ ଜଣେ ବନ୍ଧୁକ ବେପାରୀ ଆସି ଜଟଣୀ ଅଞ୍ଚଳରେ ଘରଭଡା ନେଇ ରହୁଥିଲେ । ସହଯୋଗ କରୁଥିଲା କଟକ ଜିଲ୍ଲା ସାଲେପୁରର ମାଷ୍ଟରମାଇଣ୍ଡ ଏସ୍.କେ. ସକିଲ । କାଲି ଗୋଟିଏ ବନ୍ଧୁକ ସପ୍ଲାଏ ପାଇଁ, ବେପାରୀ ଟିମ ପୋଖରୀପୁଟ ଆସିଥିବା ବେଳେ ଗ୍ରାହକ ବେଶରେ ଯାଇ ମାଡିବସିଥିଲା ସ୍ପେଶାଲ ସ୍କ୍ବାଡ । ୫ ଜଣଙ୍କୁ ଗିରଫ ସହ ସେମାନଙ୍କ ଠାରୁ ଗୁଜୁରାଟ ରେଜିଷ୍ଟ୍ରେସନ ନମ୍ବର ଥିବା ଏକ କାର ଓ ୫ ଟି ମୋବାଇଲ ଜବତ କରାଯାଇଛି । କିଛି ବ୍ୟବସାୟୀ, ଦେହବେପାରୀ ଓ ଇଞ୍ଜିନିୟରିଂ ପାଠ ପଢ଼ୁଥିବା ଛାତ୍ର ଏମାନଙ୍କ ଠାରୁ ବନ୍ଧୁକ କିଣିବା ପାଇଁ ଯୋଗାଯୋଗରେ ଥିବା ଜାଣିବାକୁ ପାଇଛି କମିଶନରେଟ ପୋଲିସ ।

କିଛିଦିନ ତଳେ ବନ୍ଧୁକର ଗୋଦାମ ପାଲଟିଥିବା ଗଞ୍ଜାମରେ କ୍ଲିନ ସୁଇପ କରିଥିଲା ପୋଲିସ । ମୁଙ୍ଗେର ମାଉଜର ର ଏନ୍ତୁଡ଼ିଶାଳ ପାଲଟିଥିବା ଗଞ୍ଜାମରେ ଚାଲିଥିଲା, ଖୁରାନିଆଙ୍କ ଖୁର । ଏହାର କିଛିଦିନ ପୂର୍ବରୁ ବୈୟାଳିଶମୌଜାରେ ଗୁହାଳ ଘରେ ଠାବ ହୋଇଥିଲା ବନ୍ଧୁକ କାରଖାନା । ନିଜ ସହରରେ ବେତାଜ ବାଜଶାହା ଓ ଭାଇ ବନିବା ପାଇଁ ଅଣ୍ଟାରେ ବନ୍ଧୁକ ଖୋସି ବୁଲୁଥିବା କ୍ରିମିନାଲଙ୍କ ହାତରେ ହାତକଡି ପକାଇଥିଲା ପୋଲିସ । ଜମି ହଡପ, ବୋମାମାଡ଼, ବାଲିଘାଟ, ଠିକାଦାରୀ ଓ ମଦ କାରବାର ଚଳାଉଥିବା ମାଫିଆ ଥିଲେ ଗ୍ରାହକ । ମୁଣ୍ଡକୁ ପିତ୍ତ ଚଢ଼ିବା ବେଳେ ଘନ ଘନ କରୁଥିଲେ ଗୁଳିମାଡ଼ । କିନ୍ତୁ ବଡ଼କଥା ହେଉଛି ଭୁବନେଶ୍ୱରକୁ ଅଶାନ୍ତ କରିବା ପାଇଁ ଏମାନେ ଯୋଜନା ଚଳାଉଥିବା ବେଳେ, ସ୍ପେଶାଲ ସ୍କ୍ବାଡ ଶେଷ କରିଛି ସ୍ପେଶାଲ ଅପରେସନ । ଖୁବଶୀଘ୍ର ଏହି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ । ରିମାଣ୍ଡ ବେଳେ ସେମାନଙ୍କ କ୍ରାଇମ ହିଷ୍ଟ୍ରି ଓ କ୍ରାଇମ ସିଣ୍ଡିକେଟ ସମ୍ପର୍କରେ ହେବ ଅଧିକ ଖୋଳତାଡ଼ ।

ଅପରାଧୀଙ୍କୁ ଜଗିବ AI କ୍ୟାମେରା, ଗଳିନ୍ଦିରେ ବୁଲିବ ଡ୍ରୋନ

ବଲାଙ୍ଗୀର : ଅପରାଧୀଙ୍କୁ ଜଗିବ AI କ୍ୟାମେରା । ଡ୍ରୋନ୍ ସହାୟତାରେ ଚିହ୍ନଟ ହେବେ କ୍ରିମିନାଲ । ଅପରାଧ ରୋକିବାକୁ ବଲାଙ୍ଗୀର ପୋଲିସର ନୂଆ ଷ୍ଟ୍ରାଟେଜି । ଦିନକୁ ଦିନ ବିଗିଡିବାରେ ଲାଗିଛି ବଲାଙ୍ଗୀରର ଆଇନଶୃଙ୍ଖଳା ସ୍ଥିତି । ଅପରାଧୀଙ୍କୁ ଧରିବାକୁ ନାକେଦମ ହେଉଛି ପୋଲିସ୍ । ଗତ କିଛିଦିନ ଧରି ପୋଲିସର ନିଦ ହଜାଇଥିଲେ ଆସ୍କା ଲୁଟେରା । ଗତ ୨ ତାରିଖରେ ପାଟଣାଗଡ଼ ବ୍ୟବସାୟୀ ପର୍ଶୁରାମ୍ ପାନସାରୀଙ୍କ ଠାରୁ ୪ ଲକ୍ଷ ଟଙ୍କା ଥିବା ବ୍ୟାଗ୍ ଝାମ୍ପି ନେଇ ଫେରାର ଥିଲେ । ପାଟଣାଗଡରେ ଲାଗିଥିବା AI କ୍ୟାମେରା ସହାୟତାରେ ୪ ପେସାଦାର ଲୁଟେରାଙ୍କୁ କାବୁ କରାଯାଇଥିଲା । ଏହି ଲୁଟେରାଙ୍କ ବିରୋଧରେ ୬ ଜିଲ୍ଲାରେ ରହିଛି ୧୯ ରୁ ଅଧିକ ମାମଲା । ଗିରଫ ହୋଇ ଚେନ୍ନାଇ ସେଣ୍ଟ୍ରାଲ ଜେଲରେ ମଧ୍ଯ ଥିଲେ ଅଭିଯୁକ୍ତ । ବଲାଙ୍ଗୀରରେ ଏପରି ଲଗାତର ଘଟଣା ଘଟୁଥିବାରୁ ଚିନ୍ତାବ୍ଯକ୍ତ କରିଛନ୍ତି ସହରବାସୀ ।

ବଲାଙ୍ଗୀରରେ ଦିନକୁ ଦିନ ଘଟିଚାଲିଛି ଅପରାଧ । ଅପରାଧୀଙ୍କୁ ଧରିବାକୁ ନାକେଦମ ହେଇଛି ପୋଲିସ୍ । ଅପରାଧ ଘଟାଇ ବାହାର ରାଜ୍ଯକୁ ଚାଲିଯାଉଛନ୍ତି ଅପରାଧୀ । ତେଣୁ ଆନ୍ତଃରାଜ୍ଯ କ୍ରମିନାଲଙ୍କୁ କାବୁ କରିବା ପାଇଁ ଏଣିକି ନୂଆ ଷ୍ଟ୍ରାଟେଜି ଆପଣେଇ ପୋଲିସ । AI କ୍ଯାମେରାର ସହାୟତା ନିଆଯିବା ସହ ଗଳିକନ୍ଦିରେ ଡ୍ରୋନ ଦ୍ବାରା ନଜର ରଖାଯିବ ବୋଲି କହିଛନ୍ତି ଉତ୍ତରାଞ୍ଚଳ ଆଇଜି ଓ ଏସ୍ପି ।

ମରଣଯନ୍ତା ପାଲଟିଛି କଣ୍ଟାମାଳ ବ୍ଲକ ବଘିଆବାହାଲ-ଝିଙ୍କରପାଲି ରାସ୍ତା

କଣ୍ଟାମାଳ  ; ରାସ୍ତା ମଝିରେ ଗର୍ତ୍ତ । କେଉଁଠି କଂକ୍ରିଟ ଗେଟି ଗଡୁଛି ତ କେଉଁଠି ରାସ୍ତା ଫାଟି ଆଁ କରିଛି । ଏ ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ପଂଚାୟତର ବଘିଆବାହାଲ ଠାରୁ ଝିଙ୍କରପାଲି ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା । ବଘିଆବାହାଲ ଡାକଘର ଛକ ୪୧ ନମ୍ବର ରାଜ୍ୟ ରାଜପଥ ଠାରୁ ଝିଙ୍କରପାଲି ଗାଁକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡକର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ରାସ୍ତାର ଅଧିକାଂଶ ସ୍ଥାନରେ ପିଚୁ ଉଠିଯିବା ପରେ ରାସ୍ତାରେ ଦିଆଯାଇଥିବା ମେଟାଲ, ଚିପ୍ସ ଓ ପିଚୁ ଉଠି ରାସ୍ତା ଉପରେ ଗଦା ହୋଇ ରହୁଛି । ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ।

୨୦୧୭ ମସିହାରେ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ଏହି ତିନି କିଲୋମିଟର ନଅ ଶହ ମିଟର ରାସ୍ତା ନିର୍ମାଣ କରାଯାଇଥିଲା । ରାସ୍ତା ଉପରେ ୮ ଖଣ୍ଡ ଗାଁ ଲୋକେ ନିର୍ଭର କରନ୍ତି । ହେଲେ ରାସ୍ତାର ଦୁରବସ୍ଥା ଏବେ ଲୋକଙ୍କ ପାଇଁ କାଳ ସାଜିଛି । ଅନେକ ସମୟରେ ଦୁର୍ଘଟଣା ଘଟିବା ସହ ବୟସ୍କ ଲୋକେ ଓ ସ୍କୁଲ ପିଲାମାନେ ସମସ୍ଯାରେ ପଡୁଛନ୍ତି । ଏଥିସହ ବର୍ଷା ଦିନେ ଅଞ୍ଚଳକୁ ଆମ୍ବୁଲାନ୍ସ ଯିବା କଷ୍ଟକର ହୋଇ ପଡୁଛି । ସମସ୍ଯା ନେଇ ଲୋକେ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରୁଥିଲେ ମଧ୍ଯ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଯିବା ସହ ତୁରନ୍ତ ରାସ୍ତା ମରାମତି ପାଇଁ ଦାବି କରିଛନ୍ତି ।