ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ଗଡ଼ଚିରୋଲିରେ ଯବାନ-ମାଓବାଦୀ ଗୁଳିବିନିମୟ। ଯବାନଙ୍କ ଗୁଳିରେ ୪ ନକ୍ସଲ ନିପାତ। ମହାରାଷ୍ଟ୍ର-ଛତିଶଗଡ଼ ସୀମାରେ ହୋଇଛି ଏନକାଉଣ୍ଟର। ଗଡ଼ଚିରୋଲିର ଇନ୍ଦ୍ରାବତୀ ନଦୀ ନିକଟ କୱାନ୍ଦେ ଗ୍ରାମ ନିକଟରେ ହୋଇଛି ଏନକାଉଣ୍ଟର। ଗଡଚିରୋଲି ପୋଲିସ ଓ ସିଆରପିଏଫର ମିଳିତ ଅପରେସନରେ ଟଳିଛନ୍ତି ଲାଲକର୍ମୀ। ଗୁଇନ୍ଦା ସୂଚନା ଆଧାରରେ ଗତ ଗୁରୁବାରଠାରୁ ଆରମ୍ଭ ହୋଇଥିଲା ଅପରେସନ। ଅତିରିକ୍ତ ପୋଲିସ ଏସପି ରମେଶ ଓ ଏସପି ନୀଳୋତ୍ପଳ ତଥା ଡିଆଇଜି ଅଙ୍କିତ ଗୋୟଲଙ୍କ ନେତୃତ୍ବରେ ଚାଲିଥିଲା କମ୍ବିଂ ଅପରେସନ। ଏଥିରେ ସି୬୦ କମାଣ୍ଡୋ ଫୋର୍ସ ଓ ସିଆରପିଏଫର ମୋଟ ୩୦୦ ଯବାନ ସାମିଲ ହୋଇଥିଲେ। କୱାନ୍ଦେରୁ ନେଲଗୁଣ୍ଡା ଅଞ୍ଚଳକୁ କର୍ଡନଭୁକ୍ତ କରାଯାଇ ଆରମ୍ଭ ହୋଇଥିଲା ଅପରେସନ। ଲକ୍ଷ୍ୟଭେଦୀ ହମଲା ଜରିଆରେ ଏହି ଅପରେସନ କରାଯାଇଥିଲା ବୋଲି କହିଛନ୍ତି ମହାରାଷ୍ଟ୍ର ଆଣ୍ଟିମାଓଇଷ୍ଟ ଅପରସେନ ୟୁନିଟର ମୁଖ୍ୟ ଇନ୍ସପେକ୍ଟର ଜେନେରାଲ ସନ୍ଦୀପ ପାଟିଲ। ମାଓବାଦୀଙ୍କ ନିକଟରୁ ଅଟୋମେଟିକ ସେଲଫ ଲୋଡିଂ ରାଇଫଲ, ୨ଟି ରାଇଫଲ, ୱାକିଟକି, କିଛି ପୁସ୍ତିକା ଆଦି ଜବତ ହୋଇଛି।
ମସ୍କୋ ବିମାନ ବନ୍ଦରରେ ଡ୍ରୋନ ଆଟାକ
ନନ୍ଦିଘୋଷ ବ୍ୟୁରୋ: ମସ୍କୋ ବିମାନ ବନ୍ଦରରେ ଡ୍ରୋନ ଆଟାକ। ମସ୍କୋରେ ବିଳମ୍ବରେ ପହଞ୍ଚିଲେ ଭାରତୀୟ ସାଂସଦ ପ୍ରତିନିଧି। ଡିଏମକେ ଏମପି କାନିମୋଝିଙ୍କ ନେତୃତ୍ବରେ ପ୍ରତିନିଧିମଣ୍ଡଳ ଯାଇଥିଲେ ମସ୍କୋ। ଡ୍ରୋନ ହମଲା ହେତୁ ବିମାନବନ୍ଦର ଉପରେ ଚକ୍କର କାଟିଥିଲା ବିମାନ। ଡ୍ରୋନ ହମଲା କାରଣରୁ ସାମୟିକ ଭାବେ ବନ୍ଦ ହୋଇଥିଲା ବିମାନବନ୍ଦର। କିଛି ଘଣ୍ଟା ପରେ ବିମାନ ବନ୍ଦରରେ ଅବତରଣ କରିଥିଲା ବିମାନ।
ପାକିସ୍ତାନ ବିରୋଧରେ ମତାମତ ଯୋଗାଡ ଲାଗି ବିଦେଶ ଗସ୍ତ କରୁଛନ୍ତି ସର୍ବଦଳୀୟ ଟିମ୍। ଗତକାଲି ମସ୍କୋ ବିମାନ ବନ୍ଦରରେ ୟୁକ୍ରେନ ପକ୍ଷରୁ ଡ୍ରୋନ ହମଲା ହୋଇଥିବା ସୂଚନା ମିଳିଥିଲା। ଫଳରେ କାନିମୋଝି ଓ ଟିମ ଥିବା ବିମାନର ଅବତରଣ ଲାଗି ଅନୁମତି ମିଳି ନଥିଲା। କେଇ ଘଣ୍ଟା ପରେ ବିମାନକୁ ଅବତରଣ ଲାଗି ଅନୁମତି ଦିଆଯାଇଥିଲା। ସେଠାରେ ଭାରତୀୟ ଦୂତାବାସ ଅଧିକାରୀ ସେମାନଙ୍କୁ ସ୍ବାଗତ କରିଥିଲେ।
ନୂଆପଡ଼ା ଖଡ଼ିଆଳ ରାସ୍ତା ଓ ବ୍ରିଜ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
ନୂଆପଡ଼ା: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ନୂଆପଡ଼ା ଖଡ଼ିଆଳ ରାସ୍ତା ଓ ବ୍ରିଜ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ୍ ହୋଇଛି । କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀଙ୍କ ଏକାଧିକ ଠିକଣାରେ ରେଡ୍ ।
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି। ରେଡରେ ୭ ଡିଏସପି, ୩ ଇନ୍ସପେକ୍ଟର ଓ ୧୦ ଏଏସଆଇ ସାମିଲ ।
ଭୁବନେଶ୍ଵର, ପିପିଲି, ନୂଆପଡ଼ାର ଏକାଧିକ ସ୍ଥାନରେ ଚଢାଉ । ଭୁବନେଶ୍ଵର ଲିଙ୍ଗିପୁରରେ ୩ ମହଲା କୋଠା ଠାବ । ଲିଙ୍ଗିପୁର ଗଙ୍ଗୋତ୍ରୀ ନଗରରେ ନିର୍ମାଣାଧୀନ କୋଠା । ପୁରୀ ଜିଲ୍ଲା ପିପିଲି ବିଲିପଡ଼ାରେ ଫାର୍ମ ହାଉସ । ଭୁବନେଶ୍ଵର ବ୍ରିଟ କଲୋନୀ ସମ୍ପର୍କୀୟଙ୍କ ଘରେ ରେଡ୍ । ନୂଆପଡ଼ା ସ୍ଥିତ ଅଫିସ ଓ ବାସଭବନରେ ଚଢାଉ । ଭୁବନେଶ୍ଵର କେଦାର ସାହିରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ୍ ।
୭୨ ଘଣ୍ଟା ଭିତରେ ପୂରଣ କରିବାକୁ ପଡ଼ିବ ହାର୍ଭାର୍ଡର ବିଦେଶୀ ଛାତ୍ରମାନଙ୍କୁ ୬ ସର୍ତ୍ତ
ନନ୍ଦିଘୋଷ ବ୍ୟୁରୋ: ଆମେରିକାର ହାର୍ଭାର୍ଡ ବିଶ୍ଵବିଦ୍ୟାଳୟରେ ନାମଲେଖା ଉପରେ ରୋକ ଲଗାଇଲା ଟ୍ରମ୍ପ ପ୍ରଶାସନ। ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ବିଦେଶୀ ଛାତ୍ରଙ୍କ ନାମ ଲେଖା ଉପରେ ରୋକ ଲଗାଇଛି। ଗୃହ ସୁରକ୍ଷା ବିଭାଗ ଦ୍ୱାରା ବିଶ୍ୱବିଦ୍ୟାଳୟ ଉପରେ ଚାଲିଥିବା ତଦନ୍ତ ଭାବରେ ଏହା କରାଯିବ ବୋଲି କହିଛନ୍ତି ଟ୍ରମ୍ପ। ଗୃହ ସୁରକ୍ଷା ସଚିବ କ୍ରିଷ୍ଟି ନୋଏମଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟକୁ ଏକ ଚିଠି ପଠାଯାଇଛି। ହାର୍ଭାର୍ଡକୁ ହିଂସା, ଇହୁଦୀ ବିରୋଧୀ ମନୋଭାବକୁ ପ୍ରୋତ୍ସାହିତ କରିବା ଏବଂ ଏହାର କ୍ୟାମ୍ପସରେ ଚୀନ୍ କମ୍ୟୁନିଷ୍ଟ ପାର୍ଟି ସହିତ ସମନ୍ୱୟ ରଖିବା ପାଇଁ ଦାୟୀ କରୁଛି ବୋଲି କହିଛି ଟ୍ରମ୍ପ ପ୍ରସାସନ।
ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରମାନଙ୍କୁ ନାମ ଲେଖାଇବା ଏହାର ବିଶେଷାଧିକାର ନୁହେଁ। ବିଦେଶୀ ଛାତ୍ରମାନଙ୍କଠାରୁ ଅଧିକ ଶିକ୍ଷା ଫି ଦ୍ଵାରା ବିଶ୍ଵବିଦ୍ୟାଳୟର ସମ୍ପତ୍ତିକୁ ବୃଦ୍ଧି ହୋଇଚାଲିଛି। ଯଦି ହାର୍ଭାର୍ଡ ଆଗାମୀ ଶିକ୍ଷାବର୍ଷ ପୂର୍ବରୁ ଛାତ୍ର ଏବଂ ପରିଦର୍ଶକ ଅଦଳବଦଳ କାର୍ଯ୍ୟକ୍ରମ ପ୍ରମାଣପତ୍ର ପୁନଃପ୍ରାପ୍ତ କରିବାକୁ ଚାହୁଁଛି, ତେବେ ସେମାନେ ୭୨ ଘଣ୍ଟା ମଧ୍ୟରେ ଆବଶ୍ୟକୀୟ ସୂଚନା ପ୍ରଦାନ କରିବା ଉଚିତ ବୋଲି କହିଛି ପ୍ରସାସନ। ଟ୍ରମ୍ପ ପ୍ରଶାସନର ଏହି ପଦକ୍ଷେପ ଯୋଗୁଁ ପୂର୍ବରୁ ଥିବା ଛାତ୍ରମାନେ ଅନ୍ୟ ଅନୁଷ୍ଠାନକୁ ସ୍ଥାନାନ୍ତରିତ ହେବେ ନଚେତ୍ ସେମାନଙ୍କର ଆଇନଗତ ସ୍ଥିତି ହରାଇବେ ବୋଲି ଗୃହ ସୁରକ୍ଷା ବିଭାଗ କହିଛି।ସେପଟେ ହାର୍ଭାର୍ଡ ବିଶ୍ଵବିଦ୍ୟାଳୟ ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରତିଶୋଧମୂଳକ କାର୍ଯ୍ୟ ବୋଲି କହିଛି।
୭୨ ଘଣ୍ଟା ଭିତରେ ପୂରଣ କରିବାକୁ ପଡ଼ିବ ୬ ସର୍ତ୍ତ। ନନ-ଇମିଗ୍ରାଣ୍ଟ ଅର୍ଥାତ ଭାରତ ସମେତ ଅନ୍ୟ ଦେଶର ଛାତ୍ରଛାତ୍ରୀଙ୍କ ଲାଗି ରଖାଯାଇଛି ସର୍ତ୍ତ। ନନ-ଇମିଗ୍ରାଣ୍ଟ ଛାତ୍ର ହେଉଛନ୍ତି ସେମାନେ ଯେଉଁମାନେ ଶିକ୍ଷା ଲାଗି ଆମେରିକାକୁ ଅସ୍ଥାୟୀ ଭାବେ ଯାଇଥାନ୍ତି। ସେମାନେ ଆମେରିକାରେ ସ୍ଥାୟୀ ଭାବେ ରହିବା ଲାଗି ଲକ୍ଷ୍ୟ ରଖିନଥାନ୍ତି।
୧. ସମସ୍ତ ରେକର୍ଡ, ଇଲେକ୍ଟ୍ରୋନିକ ରେକର୍ଡ, ଅଡିଓ, ଭିଡିଓ ଦାଖଲ
୨. ଗତ ୫ ବର୍ଷରେ ବିପଜ୍ଜନକ, ହିଂସା ଆଦି ସମ୍ପର୍କରେ ରେକର୍ଡ ଦାଖଲ
୩. ବିଶ୍ବବିଦ୍ୟାଳୟ କର୍ମଚାରୀ କିମ୍ବା ଛାତ୍ରଛାତ୍ରୀଙ୍କୁ ଧମକ ଦେବାର ରେକର୍ଡ
୪.ଅନ୍ୟର ଅଧିକାର କ୍ଷୁଣ୍ଣ ସଂକ୍ରାନ୍ତରେ ରେକର୍ଡ
୫. ସମସ୍ତ ନନ-ଇମିଗ୍ରାଣ୍ଟ ଛାତ୍ରଛାତ୍ରୀଙ୍କ ସମସ୍ତ ଶୃଙ୍ଖଳାଗତ ରେକର୍ଡ
୬. କୌଣସି ପ୍ରତିବାଦମୂଳକ କାର୍ଯ୍ଯକଳାପରେ ସାମିଲ ଥିବାର ରେକର୍ଡ
ବିପଦରେ ଥିବା ବିମାନକୁ ଏୟାରସ୍ପେସ ଦେଲାନି ପାକିସ୍ତାନ
ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ସରକାରଙ୍କ ନାହିଁ ମାନବିକତା। ବିପଦରେ ପଡିଥିବା ବିମାନକୁ ନିଜର ଏୟାରସ୍ପେସ ବ୍ୟବହାର କରିବାକୁ ଦେଲାନି ପାକିସ୍ତାନ। ଭାରତର ଇଣ୍ଡିଗୋ ବିମାନକୁ ଏୟାରସ୍ପେସ ବ୍ୟବହାର କରିବାକୁ ଦେଲାନି ପାକିସ୍ତାନ।
ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋ ବିମାନ ଆକାଶରେ ପ୍ରବଳ କୁଆପଥର ମାଡ଼ର ଶିକାର ହୋଇଥିଲା। ବିମାନରେ ୨୨୭ ଜଣ ଯାତ୍ରୀ ଥିଲେ । କୁଆପଥର ମାଡ଼ରୁ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ଲୋକଙ୍କ ଭୟ ଏଡ଼ାଇବାକୁ ପାକିସ୍ତାନର ଲାହୋର ଏୟାରଟ୍ରାଫିକକୁ ଏୟାରସ୍ପେସ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ ଇଣ୍ଡିଗୋ ବିମାନର ପାଇଲଟ। ବିମାନରେ ୨୨୭ ଯାତ୍ରୀ ଥିବାରୁ ସେମାନଙ୍କର ସୁରକ୍ଷା ନେଇ ବିମାନକୁ ପାକିସ୍ତାନର ଆକାଶରେ କିଛି ସମୟ ରଖିବାକୁ ଚାହୁଁଥିଲେ ପାଇଲଟ। ତେବେ ଏହି ଅନୁମତି ଦେଇନଥିଲା ପାକିସ୍ତାନ। ବିମାନର ସାମନା ପଟ କ୍ଷତିଗ୍ରସ୍ତ ହୋଇଥିଲା। ଏସବୁ ବାଧାବିଘ୍ନ ସତ୍ଵେ ଶେଷରେ ବିମାନ ଶ୍ରୀନଗର ବିମାନ ବନ୍ଦରରେ ଓହ୍ଲାଇଥିଲେ।
ବିମାନଟି ଏତେ କ୍ଷତିଗ୍ରସ୍ତ ହୋଇଥିଲା ଯେ ବିମାନ କମ୍ପାନୀ ଏହାକୁ ଏୟାରକ୍ରାଫ୍ଟ ଅନ୍ ଗ୍ରାଉଣ୍ଡ ଘୋଷଣା କରି ଜରୁରୀ ମରାମତି ପାଇଁ ଏହାକୁ ପଠାଇଥିଲେ।\
ପାକିସ୍ତାନକୁ ମିଳିଲା ଟଙ୍କା: ଆଇଏମଏଫର ସମସ୍ତ ୧୧ ସର୍ତ୍ତ ମାନିଲା ପାକିସ୍ତାନ
ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ମାନିଲା ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସମସ୍ତ ସର୍ତ୍ତ । ପାକିସ୍ତାନକୁ ଆଇଏମଏଫ ପ୍ରଦାନ କରିଛି ୧ ବିଲିୟନ ଡଲାର ଅର୍ଥାତ ୮, ୫୦୦ କୋଟି ଟଙ୍କା । ଏହି ଅର୍ଥ ପ୍ରଦାନ ପୂର୍ବରୁ ଆଇଏମଏଫ ପକ୍ଷରୁ ରଖାଯାଇଥିବା ୧୧ଟି ସର୍ତ୍ତକୁ ପାକିସ୍ତାନ ପୂରଣ କରିବା ପରେ ଟଙ୍କା ରିଲିଜ ହୋଇଛି । ପରିବର୍ଦ୍ଧିତ ପାଣ୍ଠି ସହାୟତା ବା EFF ଯୋଜନା ଅଧୀନରେ ଏହି ସହାୟତା ପ୍ରଦାନ କରାଯାଇଛି । ଗତ ୨୦୨୪ ସେପ୍ଟେମ୍ବରରେ ପାକିସ୍ତାନକୁ ମୋଟ ୭ ବିଲିୟନ ଡଲାର ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା ।
ବର୍ତ୍ତମାନ ସୁଦ୍ଧା ପାକିସ୍ତାନକୁ ପ୍ରଦାନ କରାଯାଇଛି ୨.୧ ବିଲିୟନ ଡଲାର । ବର୍ତ୍ତମାନର ୧୧ଟି ସର୍ତ୍ତ ମିଶାଇ ପାକିସ୍ତାନ ପୂରଣ କରିଛି ମୋଟ ୫୦ଟି ସର୍ତ୍ତ । ପାକିସ୍ତାନର ସଙ୍କଟ କାଳରେ ଏହି ଅର୍ଥ ସହାୟତା ଦିଆଗଲା ବୋଲି କହିଛନ୍ତି ଆଇଏମଏଫ ଯୋଗାଯୋଗ ବିଭାଗ ନିର୍ଦ୍ଦେଶକ ଜୁଲି କୋଜାକ । ଭାରତ ସହ ଅଧିକ ଉତ୍ତେଜନା ସୃଷ୍ଟି ନକରିବା ଲାଗି ବି ପାକିସ୍ତାନକୁ ଆଇଏମଏଫ ଦେଇଥିଲା ଚେତାବନୀ । ପହଲଗାଓଁ ହମଲା ପରେ ପାକିସ୍ତାନକୁ କୌଣସି ସହାୟତା ଦିଆ ନଯାଉ ବୋଲି ଦାବି କରିଥିଲା ଭାରତ ।

