‘ମହା ବିକାଶ ଅଘାଡ଼ି’ ମେଣ୍ଟର ନେତା ଭାବେ ଉଦ୍ଧବ ଠାକରେ ନିର୍ବାଚିତ, ରବିବାର ନେବେ ଶପଥ
ମୁମ୍ବାଇ: ମହାରାଷ୍ଟ୍ର ମହାନାଟକର ଅନ୍ତ । ଗଠନ ହେଲା ‘ମହା ବିକାଶ ଅଘାଡ଼ି’ ମେଣ୍ଟ । ମେଣ୍ଟର ନେତା ଭାବେ ନିର୍ବାଚିତ ହେଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ଆସନ୍ତା ଡିସେମ୍ବର ୧ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେ ଶପଥ ନେବେ । ହୋଟେଲ ଟ୍ରିଡେଣ୍ଟରେ ଶିବସେନା, ଏନସିପି ଓ କଂଗ୍ରେସ ବିଧାୟକଙ୍କ ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

‘ମହା ବିକାଶ ଅଘାଡ଼ି’ର ୩ ଜଣ ନେତା ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଜଣାଇବେ । ୧ ତାରିଖରେ ଶିବାଜୀ ପାର୍କରେ ଶପଥ ଗ୍ରହଣ ସମାରୋହ ହେବ ବୋଲି ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି । ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ମିଳିଥିବା ବେଳେ ଏନସିପି ଓ କଂଗ୍ରେସରୁ ଜଣେ ଲେଖାଏଁ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

ତେବେ, କିଏ ଉପ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ । ବୁଧବାର ପ୍ରୋଟେମ ସ୍ପିକର କାଳୀଦାସ କୋଲାମ୍ବକର ସ୍ୱତନ୍ତ୍ର ଅଧିବେଶନରେ ବିଧାୟକଙ୍କୁ ଶପଥ ପାଠ କରାଇବେ । ‘ମହା ବିକାଶ ଅଘାଡ଼ି’ର ନେତା ନିର୍ବାଚିତ ହେବା ପରେ ଉଦ୍ଧବ ପ୍ରତିକ୍ରିୟା ରଖିଛନ୍ତି । ମୁଁ ରାଜ୍ୟର ନେତୃତ୍ୱ ନେବି ବୋଲି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି । ଏଥିସହ ସେ ସୋନିଆ ଗାନ୍ଧି ଓ ଅନ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ନାଟକୀୟ ମୋଡ଼ରେ ରାଷ୍ଟ୍ରପତି ଶାସନ ଉଠିବା ଓ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନାବିସ୍ ଶପଥ ନେବାକୁ ନେଇ ମାମଲା ସୁପ୍ରିମକୋର୍ଟ ପହଞ୍ଚିଥିଲା । ବୁଧବାର ସନ୍ଧ୍ୟା ସୁଦ୍ଧା ବହୁମତ ପରୀକ୍ଷା ପାଇଁ କୋର୍ଟ କହିଥିଲେ । ଏହା ପୂର୍ବରୁ ଆଜି ଉପ ମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ଓ ମୁଖ୍ୟମନ୍ତ୍ରୀ ଫଡନାବିସ୍ ଇସ୍ତଫା ଦେଇଥିଲେ । ବିଜେପିର ‘ଅପରେସନ୍ ଲୋଟସ’ ବିଫଳ ହେବା ସହ ଦ୍ୱିତୀୟ ପାଳିରେ ମାତ୍ର ୪ ଦିନ ପାଇଁ ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ ଫଡ଼ନାବିସ୍ ।
ପଢ଼ନ୍ତୁ ପୂରା ଖବର
https://nandighoshatv.comfadnavis-resigns-as-cm/
ମାଛକୁ ଖାଇଲା ଧଣ୍ଡ…ଧଣ୍ଡକୁ ଖାଇଲା ରଣା
ମାଛ, କଙ୍କଡ଼ା ଓ ୨ ସାପଙ୍କ କାହାଣୀ । ଜାଲରେ ପଡ଼ିଲେ, ଜଣଙ୍କ ପରେ ଜଣେ । ମାଛ ଧରିବାକୁ ବସିଥିଲା ଜାଲ । ଆଉ ସେଥିରେ ଥିବା ମାଛ, କଙ୍କଡ଼ାକୁ ଖାଇବାକୁ ଯାଇ ଫସିଗଲା ଧଣ୍ଡସାପ । ଏତିକିରେ ସରି ନ ଥିଲା କାହାଣୀ… । ଜାଲର ଫାଶରେ ଏବେ ପଡ଼ିଥିଲା ରଣା । ଧଣ୍ଡକୁ ଖାଇବାର ଲୋଭ ତାକୁ ଜାଲରେ ପକାଇଦେଲା । ଖାଦ୍ୟ ଶୃଙ୍ଖଳର ଏକ ପୂରା ଶ୍ରେଣୀ ଦେଖିବାକୁ ମିଳିଥିଲା । ଖାଦ୍ୟ ପାଇଁ ପାଣି ଭିତରେ ଚାଲିଥିଲା ପ୍ରତିଯ଼ୋଗିତା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ରାଜଧାନୀ ଉପକଣ୍ଠ ଲକ୍ଷ୍ମୀନାରାୟଣପୁର ନହଳା ଗଁ।ରେ । ଗାଁର ନାଳରେ ମାଛ ଧରିବାକୁ ଜାଲ ବସାଇଥିଲେ ଶରତ କୁମାର ପ୍ରଧାନ ।

କିନ୍ତୁ ଜାଲ ଖୋଲିବା ପରେ ତାଙ୍କର ହୋସ୍ ଉଡ଼ିଯାଇଥିଲା । ଅବଶ୍ୟ ଜାଲରେ ସାପ ପଡ଼ିବା ଘଟଣା ନୂଆ ନ ଥିଲା । କିନ୍ତୁ ଏଥରର ଘଟଣା ଟିକେ ଭିନ୍ନ ଥିଲା । ଜାଲରେ ଏକାସାଙ୍ଗରେ ପଡ଼ିଥିଲେ ମାଛ, କଙ୍କଡ଼ା, ଧଣ୍ଡ ଓ ରଣା । ଜାଲରେ ଦୁଇ ସାପ ଛଟପଟ ହେଉଥିବା ଦେଖି ସ୍ନେକ୍ ହେଲପ ଲାଇନର ସଂପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ କଲ୍ କରିଥିଲେ ଶରତ । ଏହା ପରେ ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ ଅରୁଣ ବରାଳ ପହଞ୍ଚି ଦୁଇ ସାପଙ୍କୁ ଉଦ୍ଧାର କରିଥିଲେ ।

ଉଦ୍ଧାର ପରେ ସାପଙ୍କୁ ଜଙ୍ଗଲରେ ସୁରକ୍ଷିତ ଭାବରେ ଛାଡ଼ିଦେଇଛନ୍ତି ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ । ତେବେ ଏଭଳି ଘଟଣାକୁ ନେଇ ଶୁଭେନ୍ଦୁ କୁହନ୍ତି, ଜାଲରେ ପଡ଼ିଥିବା ମାଛକୁ ଧଣ୍ଡ ଜାଲରେ ଫସିଥିଲା । ସେପଟେ ଧଣ୍ଡକୁ ଖାଇବାକୁ ଆସିଥିଲା ରଣା । କିନ୍ତୁ ସେ ବି ଜାଲର ଫସିଯାଇଥିଲା । କାରଣ ଧଣ୍ଡ ଉଭୟ ମଲା ଓ ଜୀଅନ୍ତା ମାଛକୁ ଖାଇଥାନ୍ତି । ସେହିପରି ରଣାର ସୁଆଦିଆ ଖାଦ୍ୟ ହେଉଛି ଧଣ୍ଡ ।
ସରୁଛି ଡେଡ୍ ଲାଇନ୍, ବଢ଼ୁଛି ଭିଡ଼; ୪ ଦିନ ପରେ ୧୦ ଗୁଣା ତଣ୍ଡ
ଭୁବନେଶ୍ୱର (ଅରୁଣ କୁମାର ସାହୁ) : ଡିସେମ୍ବର ପହିଲାରୁ ପୁଣି କଡ଼ାକଡ଼ି ହେବ ଟ୍ରାଫିକ ନିୟମ । ନୂଆ ମୋଟର ଯାନ ନିୟମକୁ ନେଇ ହେବ ଜୋରଦାର ଧରପଗଡ଼ । ହେଲେ ୩ ମାସର ମହଲତ ପରେ ବି ଲୋକଙ୍କୁ ନିଅଣ୍ଟ ପଡ଼ୁଛି ସମୟ । ସରିଆସୁଛି ଡେଡ ଲାଇନ, ବଢ଼ୁଛି ଭିଡ଼ । ଆରଟିଓ ଅଫିସରେ ତାଲା ଖୋଲିବା ପୂର୍ବରୁ ଲାଗୁଛି ଲମ୍ବା ଲାଇନ୍। ଆବେଦନକାରୀ ଯେନତେନ ପ୍ରକାରେ ଲାଇସେନ୍ସ ପାଇବା ପାଇଁ ଆରଟିଓ ଅଫିସରେ ଝାଳ ନାଳ ହୋଇଛନ୍ତି। ଅଫିସ ଭିତରେ ଯେତିକି ଭିଡ, ବାହାରେ ବି ସେତିକି ଭିଡ ।

ରୋଡରୁ ଆରଟିଓ ଅଫିସ ପାର୍କିଂ ଜାଗାରେ ବାଇକ ରଖିବାକୁ ଜାଗା ନାହିଁ। ଡିଏଲ୍, ଲର୍ଣ୍ଣି ଲାଇସେନ୍ସ ଓ ନବୀକରଣ ପାଇଁ ଆରଟିଓ ଅଫସିର ଆବେଦନ ପାଇଁ ଲୋକଙ୍କ ଲାଗୁଛି ଭିଡ଼ । ରାଜ୍ୟ ସରକାର ତିନି ମାସର ସମୟ ଦେବା ପରେ ଲୋକଙ୍କ ସୁଧୁରି ନାହାନ୍ତି । ଗାଡ଼ିର କାଗଜ ପତ୍ର ଠିକ କରିବାକୁ ୩ ମାସ କମ ହୋଇଛି, ଆଉ ଅଧିକା ତିନି ମାସ ସମୟ ଦେବା କଥା ବୋଲି ଆବେଦନକାରୀ କହିଛନ୍ତି।

ଭୁବନେଶ୍ୱର ଆରଟିଓ 1 ଓ 2 କାର୍ଯ୍ୟଳୟରେ ଭୁବନେଶ୍ୱର ନୁହେଁ ଲାଇସେନ୍ସ ପାଇଁ ବି ଡେରା ପକାଇଛନ୍ତି ଅନ୍ୟ ଜିଲ୍ଲାର ଲୋକେ । ଲୋକମାନଙ୍କୁ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଲମ୍ବା ଲାଇନରୁ ଟିକେ ହଟିଗଲେ, ପୁଣିଥରେ ନମ୍ବର ପଛକୁ କାଳେ ଯିବେ ବାଧ୍ୟ ହୋଇ ତଳେ ବସି ରହି ଜାଗା ରଖୁଛନ୍ତି ଲୋକେ। ରାଜ୍ୟ ସରକାର ବିଭିନ୍ନ ସରକାରୀ କାର୍ଯ୍ୟଳୟରେ ଦଲାଲ ମୁ୍କ୍ତ ପାଇଁ ଅଭିଯାନ ଚଲାଇଥିବା ବେଳେ ଆରଟିଓରେ ଦଲାଲ ବ୍ୟବସ୍ଥା ଠିକ ଥିଲା ଯୁକ୍ତି ବାଢ଼ିଛନ୍ତି ଜଣେ ଆବେଦନକାରୀ ।

୨ ଯୁବତୀ ହାତାହାତି
ଆରଟିଓ-୨ରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ୨ ଜଣ ଯ଼ୁବତୀ ମାରପିଟ୍। ରଣକ୍ଷେତ୍ର ପାଲଟିଥିଲା ପରିବହନ ବିଭାଗ। ଧାଡିରେ ଛିଡ଼ା ହେବାକୁ କେନ୍ଦ୍ରକରି ଦୁଇ ଜଣ ଯ଼ୁବତୀଙ୍କ ହାତାହାତି ହୋଇଛନ୍ତି । ଖବର ପାଇଁ ଘଟଣା ସ୍ଥଳରେ ପିସିଆର ଭ୍ୟାନ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

