ନନ୍ଦିଘୋଷ ବ୍ୟୁରୋ : ଲଘୁଚାପ ପ୍ରଭାବରେ ୨୯ ତାରିଖ ପର୍ଯ୍ୟନ୍ତ ବର୍ଷାରେ ଭିଜିବ ଓଡ଼ିଶା । ପ୍ରବଳ ବୃଷ୍ଟିପାତ ନେଇ ଅନେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର । ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଉତ୍ତର ଓଡିଶା ଏବଂ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳମୁହାଁ ହେବ। ଆସନ୍ତା ୨୪ ଘଣ୍ଟା ପାଇଁ ବାଲେଶ୍ଵର,ଭଦ୍ରକ,ମୟୁରଭଞ୍ଜ,କେଉଁଝରରେ ପ୍ରବଳ ବର୍ଷା ଅର୍ଥାତ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ଆଶଙ୍କା କରାଯାଇଛି। ବିଜୁଳି ଘଡଘଡି ସହ ପବନର ବେଗ ୩୦ ରୁ ୪୦ କିଲେମିଟର ରହିବା ସମ୍ଭାବନା ରହିଛି । ଏନେଇ ଏହି ସବୁ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ଏଥିସହ କେନ୍ଦ୍ରାପଡ଼ା, ଯାଜପୁର,କଟକ, ଜଗତସିଂହପୁର, ଢେଙ୍କାନାଳ,କୋରାପୁଟ,ମାଲକାନଗିରି ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ବାକି ୧୨ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବୃଷ୍ଟିପାତ ଯୋଗୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ବଢିବ ନଦୀର ଜଳ ସ୍ତର। ବିଶେଷକରି ବୁଢ଼ାବଳଙ୍ଗ, ବୈତରଣୀ ଓ ସଂଲଗ୍ନ ନଦୀ ଗୁଡ଼ିକରେ ଜଳ ସ୍ତର ବଢ଼ିପାରେ ।
ବଳଙ୍ଗାରେ ନାବାଳିକାକୁ ପୋଡ଼ି ମାରିବା ଉଦ୍ୟମ ଘଟଣାରେ ରହସ୍ୟ ଖୋଲିପାରେ ରୁପା ମୁଦି
ନନ୍ଦିଘୋଷ ବ୍ୟୁରୋ : ବଳଙ୍ଗାରେ ନାବାଳିକାକୁ ପୋଡ଼ି ମାରିବା ଉଦ୍ୟମ ଘଟଣାରେ ତନାଘନା। ରହସ୍ୟ ଖୋଲିପାରେ ରୁପା ମୁଦି। ଘଟଣାସ୍ଥଳରୁ ମିଳିଥିବା ରୁପା ମୁଦିଟି ବଳଙ୍ଗା ବଜାରରେ ଥିବା କ୍ରିଷ୍ଣା ଜୁଏଲାରୀରୁ କିଣା ଯାଇଥିବା ସୂଚନା ମିଳିବା ପରେ, ଏବେ କ୍ରିଷ୍ଣା ଜୁଏଲାରୀ ମାଲିକଙ୍କୁ ଉଠାଇ ନେଇ ପଚରାଉଚରା କରୁଛି ପୋଲିସ। ପଚାରଉଚରା ସମୟରେ ପୋଲିସକୁ ମିଳିପାରେ ବଡ଼ ସୁରାକ । ସୁନା ଦୋକାନୀ ମାଲିକଙ୍କୁ ଥାନାରେ ଅଟକ ରଖିଥିବା ବେଳେ, ରୁପା ମୁଦି କିଏ କିଣିଥିଲା, ସେନେଇ ଜେରା ଚାଲିଛି। ଘଟଣାସ୍ଥଳରୁ ମିଳିଥିବା ରୁପା ମୁଦି ଏବେ ପ୍ରକୃତ ଘଟଣାର ରହସ୍ୟ ଖୋଲିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ସେପଟେ କ୍ରିଷ୍ଣା ଜୁଏଲାରୀ ମାଲିକଙ୍କୁ ପଚାରିବାରୁ, ଏନେଇ କିଛି କହିବାକୁ ମନା କରି ଦେଇଛନ୍ତି। ଯାହାକୁ ନେଇ ସନ୍ଦେହ ଆହୁରି ଘନୀଭୂତ ହୋଇଛି।
୫ ବର୍ଷ ଭିତରେ କେନ୍ଦ୍ରୀୟ ସ୍ତରରେ କେତେ ସଂଖ୍ୟାରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି ହୋଇ ପ୍ରତିବିଧାନ ହୋଇଛି: ମାନସ ମଙ୍ଗରାଜ
ନନ୍ଦିଘୋଷ ବ୍ୟୁରୋ: ଗତ ୫ ବର୍ଷ ଭିତରେ କେତେ ସଂଖ୍ୟାରେ କେନ୍ଦ୍ରୀୟ ସ୍ତରରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି ହୋଇ ପ୍ରତିବିଧାନ କରାଯାଇଛି ? ଅଭିଯୋଗ ଦାଖଲ ଦିନଠାରୁ କେତେ ଦିନ ଭିତରେ ସମସ୍ୟାର ସମାଧାନ କରାଯାଇଛି ? ଏସବୁ ପ୍ରତିବିଧାନରେ ଲୋକେ ସନ୍ତୁଷ୍ଟ ନା ନାହିଁ ? ପଞ୍ଜିକୃତ ଅଭିଯୋଗର ପ୍ରତିବିଧାନ କ୍ଷେତ୍ରରେ ସ୍ବଚ୍ଛତା ଓ ଉତ୍ତରଦାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ନା ନାହିଁ ? ଆଜି ରାଜ୍ୟସଭାରେ ଅଣତାରକା ପ୍ରଶ୍ନରେ କେନ୍ଦ୍ର ସରକାରଙ୍କୁ ଏପରି ପଚାରିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ।
ସିପିଗ୍ରାମସ୍ ବା କେନ୍ଦ୍ରୀୟ ଅଭିଯୋଗ ପ୍ରତିବିଧାନ ବ୍ୟବସ୍ଥା ୨୦୨୨ ଏପ୍ରିଲରେ ଆରମ୍ଭ ହେଲା । ଏଥିରେ ୧୦ଟି ସଂସ୍କାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦାୟିତ୍ବରେ ଥିବା ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଉତ୍ତର ଦେଇ କହିଛନ୍ତି ଯେ, ୨୦୨୨, ୨୦୨୩, ୨୦୨୪ ଓ ୨୦୨୫ର ଏବେ ସୁଦ୍ଧା ୮୦ ଲକ୍ଷ ୩୬ ହଜାର ୪୨ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଅଭିଯୋଗ ପ୍ରତିବିଧାନ ପାଇଁ ନିୟୋଜିତ ହୋଇଛନ୍ତି ୧ ଲକ୍ଷ ୫ ହଜାର ୬୮୧ ଜଣ ଅଧିକାରୀ । ଅଭିଯୋଗ ପଞ୍ଜିକୃତ ହେବାର ୨୮ ଦିନ ଭିତରେ ସମାଧାନ କରିବାକୁ ୨୦୧୯ରେ ବ୍ୟବସ୍ଥା ଥିଲା । ଏବେ ତାକୁ ହ୍ରାସ କରି ୧୬ଦିନ କରାଯାଇଛି । ଫଳରେ ୨୦୨୫ ଜୁନ୍ ସୁଦ୍ଧା ଅଭିଯୋଗ ସଂଖ୍ୟା ହ୍ରାସ ପାଇ ମାତ୍ର ୬୨ ହଜାର ୬୨୦ରେ ପହଞ୍ଚିଛି । ୨୦୨୪ ଅଗଷ୍ଟ ୨୩ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତ୍ବରିତ ଅଭିଯୋଗ ପ୍ରତିବିଧାନ ପାଇଁ ସ୍ବତନ୍ତ୍ର ବିସ୍ତୃତି ମାର୍ଗଦର୍ଶିକା ଜାରି କରାଯାଇଛି । ଯେଉଁଥିରେ ୩୦ ଦିନରୁ ୨୧ ଦିନ ଭିତରେ ଅଭିଯୋଗ ସମାଧାନ ହୋଇପାରୁଛି । ଅଭିଯୋଗ ପ୍ରତିବିଧାନ ପାଇଁ ସମସ୍ତ ମନ୍ତ୍ରାଳୟରେ ସ୍ବତନ୍ତ୍ର ସମନ୍ବିତ ଅଭିଯୋଗ ପ୍ରତିବିଧାନ ପ୍ଲାଟଫର୍ମ, ସ୍ବତନ୍ତ୍ର ସେଲ, ସ୍ବତନ୍ତ୍ର ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି ।
ଏହାସହିତ ଅଭିଯୋଗ ସମାଧାନ ନେଇ ଲୋକଙ୍କ ମତାମତ ମଧ୍ୟ ସଂଗ୍ରହ କରାଯାଉଛି । ୨୦୨୫ ଜୁନ ୩୦ ସୁଦ୍ଧା ଫିଡବ୍ୟାକ କଲ ସେଣ୍ଟର ଯୋଗେ ୨୩ ଲକ୍ଷ ମତାମତ ସଂଗ୍ରହ କରାଯାଇଥିଲା । ଯଦି କୌଣସି ବ୍ୟକ୍ତି ଅଭିଯୋଗ ପ୍ରତିବିଧାନରେ ସନ୍ତୁଷ୍ଟ ନ ହୁଅନ୍ତି, ତା’ହେଲେ ଅପିଲ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୯୦ଟି ଆପିଲେଟ୍ ଅଥରିଟି ସମେତ ୧୫୯୭ଟି ସବ୍ ଆପିଲେଟ୍ ଅଥରିଟି ଗଠିତ ହୋଇଛି । ୨୦୨୨ରୁ ଜୁନ୍ ୨୦୨୫ ଯାଏଁ ସମୁଦାୟ ୭ ଲକ୍ଷ ୭୫ ହଜାର ୨୪୦ଟି ଅପିଲ ମାମଲାର ସମାଧାନ କରାଯାଇଥିବା ମନ୍ତ୍ରୀ ଜିତେନ୍ଦ୍ର ସିଂ ଉତ୍ତରରେ ଉଲ୍ଲେଖ କରିଛନ୍ତି ।
ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟକୁ ନେଇ ବଡ଼ ଅପଡେଟ; ଆହତ ସତ୍ତ୍ବେ ବ୍ୟାଟିଂ କରିବେ ପନ୍ତ
ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଚାଲିଛି । ଲଡର୍ସ ପରି ମଞ୍ଚେଷ୍ଟରରେ ବି ଆହତ ହୋଇଛନ୍ତି ଭାରତର ଓ୍ବିକେଟ କିପର ବ୍ୟାଟର ରିଷଭ ପନ୍ତ । ଆହତ ସତ୍ତ୍ବେ ସେ ଲଡର୍ସରେ ବ୍ୟାଟିଂ କରିଥିଲେ ବି ମଞ୍ଚେଷ୍ଟରରେ ବ୍ୟାଟିଂ କରିବାକୁ ନେଉ ପ୍ରଶ୍ନ ଉଠିବାରେ ଲାଗିଥିଲା । କାରଣ ଏଥର ତାଙ୍କ ଆହତ ସମସ୍ୟା ଗମ୍ଭୀର ରହିଛି । ହେଲେ ଆଜି ମ୍ୟାଚର ଦ୍ବିତୀୟ ଦିନର ଖେଳ ଆରମ୍ଭ ହେବା ସହ ପନ୍ତଙ୍କୁ ପୂରା ପ୍ରସ୍ତୁତ ହୋଇ ଷ୍ଟାଡିୟମକୁ ଆସିବା ଦେଖିବାକୁ ମିଳିଛି । ଏହାକୁ ନେଇ ବିସିସିଆଇ ଏକ ବଡ଼ ଅପଡେଟ୍ ସେୟାର କରି କହିଛି, ଟିମର ଆବଶ୍ୟକତା ଅନୁସାରେ ପନ୍ତ ବ୍ୟାଟିଂ ପାଇଁ ଉପଲବ୍ଧ ହେବେ ।
ଗତକାଲି ଆରମ୍ଭ ହୋଇଥିବା ମଞ୍ଚେଷ୍ଟର ଟେଷ୍ଟର ପ୍ରଥମ ଶେଷ ବେଳକୁ ଏକ ସର୍ଟ ଖେଳିବାକୁ ଚେଷ୍ଟା କରିବା ବେଳେ ପନ୍ତଙ୍କ ଡାହାଣ ଗୋଡରେ ବଲ ବାଜିଥିଲା । ଏଥିପାଇଁ ତାଙ୍କୁ ରିଟାୟାର୍ଡ ହଟ୍ ହୋଇ ଫିଲ୍ଡ ବାହାରକୁ ଯିବାକୁ ପଡ଼ିଥିଲା । ରିପୋର୍ଟ ଅନୁସାରେ, ପନ୍ତଙ୍କ ଗୋଡ଼ର ସ୍କାନ କରାଯିବା ପରେ ଫ୍ୟାକ୍ଚର ହୋଇଥିବା ଜଣାପଡ଼ିଛି । ତେବେ ଆଜି ପନ୍ତଙ୍କୁ ପୂରା ପ୍ରସ୍ତତି ସହ ଷ୍ଟାଡିୟମରେ ଦେଖିବାକୁ ମିଳିଛି । ତାଙ୍କ ଗୋଡରେ ଏକ କଭର ଲାଗିଥିବା ଦେଖିବାକୁ ମିଳିଛି । ଏହାସହ ବିସିସିଆଇ ପକ୍ଷରୁ କୁହାଯାଇଛି, ଆବଶ୍ୟକ ପଡ଼ିଲେ ପନ୍ତ ବ୍ୟାଟିଂ ପାଇଁ ଉପଲବ୍ଧ ରହିବେ ।
‘ଗ୍ଲୋରୀ ଅଫ୍ ଲର୍ଡ ଶ୍ରୀଜଗନ୍ନାଥ’ ଇଂରାଜୀ ଗ୍ରନ୍ଥ ଉନ୍ମୋଚିତ
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାର ବରିଷ୍ଠ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଭାସ୍କର ମିଶ୍ରଙ୍କ ଲିଖିତ ‘ଗ୍ଲୋରୀ ଅଫ୍ ଲର୍ଡ ଶ୍ରୀଜଗନ୍ନାଥ’ ଇଂରାଜୀ ଗ୍ରନ୍ଥ ଉନ୍ମୋଚିତ । ମହାପ୍ରଭୁଙ୍କ ଚିତାଲାଗି ଅମାବାସ୍ୟା ଅବସରରେ ଖଣ୍ଡଗିରିସ୍ଥିତ ହିଲ ସାଇଡ ରନରେ ଗ୍ରନ୍ଥର ଉନ୍ମୋଚନ କରାଯାଇଛି । ଐତିହ୍ୟ ବିଶାରଦ ତଥା ବିଜୟନୀ ସ୍ମୃତି ଟ୍ରଷ୍ଟର ପ୍ରତିଷ୍ଠାତା ଡାକ୍ତର ଇନ୍ଦ୍ରମଣୀ ଜାନର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉନ୍ମୋଚନ କରିଛନ୍ତି । ନୂଆଦିଲ୍ଲୀ ସ୍ଥିତ ଅଭିନବ ପବ୍ଲିକେସନ ପକ୍ଷରୁ ଏହାକୁ ପ୍ରକାଶ କରାଯାଇଛି । ୩୩୨ ପୃଷ୍ଠା ବିଶିଷ୍ଟ ୧୦ଟି ପରିଚ୍ଛେଦରେ ଶ୍ରୀକ୍ଷେତ୍ର ଧାମ ସମ୍ପର୍କୀତ ଅନେକ ତଥ୍ୟ ଭିତ୍ତିକ ପ୍ରସଙ୍ଗ ସମେତ ଶ୍ରୀମନ୍ଦିର, ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି । ଏହାସହ ୨୦୦ଟି ଦୁର୍ଲଭ ଫଟୋ ଏଥିରେ ସ୍ଥାନୀତ ହୋଇଛି ।
ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଅତିଭ ମଲ୍ଲିକଙ୍କ ଅନୁରୋଧ କ୍ରମେ ସମଗ୍ର ୟୁରୋପରେ ବସବାସ କରୁଥିବା ଶ୍ରୀଜଗନ୍ନାଥ ପ୍ରେମୀ ପାଠକଙ୍କ ନିମନ୍ତେ ଏହି ଦିବ୍ୟ ପୁସ୍ତକ ରଚନା କରିଛନ୍ତି ଡକ୍ତର ମିଶ୍ର । ଏଥିରେ ଶ୍ରୀକ୍ଷେତର ପ୍ରାଚୀନତା, ଶ୍ରୀମନ୍ଦିର, ପରିଚାଳନା ଇତିହାସ, ମହାପ୍ରଭୁଙ୍କ ଦୈନନ୍ଦିନ ନୀତି, ଯାନି ଯାତ୍ରା, ବେଶ, ଗଜପତିଙ୍କ ସେବା ପରମ୍ପରା, ଅନ୍ୟାନ୍ୟ ସେବା ଓ ସେବକ ପରମ୍ପରା, ମହାପ୍ରଭୁଙ୍କ ଭୂସମ୍ପତ୍ତି, ରତ୍ନଭଣ୍ଡାର, ମାଦଳା ପାଞ୍ଜିରେ ଜଗନ୍ନାଥ ପ୍ରସଙ୍ଗ, ଶ୍ରୀମନ୍ଦିରର ସଂରକ୍ଷଣ ଇତିହାସ, ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ଆଗମନ ଓ ଦର୍ଶନ, ପୁରୀ ମଠାନୁଷ୍ଠାନ, ଶ୍ରୀକ୍ଷେତ୍ର ବିଭିନ୍ନ ଦେବଦେବୀ ଓ ଅନ୍ୟ ପ୍ରସିଦ୍ଧ ସ୍ଥାନ ଏଥିରେ ସ୍ଥାନୀତ ହୋଇଛି । ଭାରତରେ ଏହା ୪୫୦୦ ଟଙ୍କାରେ ମିଳୁଥିବା ବେଳେ ବିଦୋରେ ଏହା ଅନଲାଇନରେ ୧୧୮ ଡଲାରରେ ଉପଲବ୍ଧ ହେଉଛି ।
ଏହି ଶିବମନ୍ଦିର ପାଇଁ ଭାରତର ଦୁଇ ପଡ଼ୋଷୀ ଦେଶ ମଧ୍ୟରେ ଚାଲିଛି ଯୁଦ୍ଧ
ନନ୍ଦିଘୋଷ ବ୍ୟୁରୋ: ଥାଇଲାଣ୍ଡ ଓ କମ୍ବୋଡିଆ ମଧ୍ୟରେ ପୁଣି ଥରେ ଆରମ୍ଭ ହୋଇଯାଇଛି ଘମାଘୋଟ ଲଢ଼େଇ । ଥାଇଲାଣ୍ଡ କମ୍ବୋଡିଆ ଉପରେ ଏୟାର ଷ୍ଟ୍ରାଇକ୍ ଆରମ୍ଭ କରି ଦେଇଛି । ଏହାପୂର୍ବରୁ ଦୁଇ ଦେଶର ସେନା ସୀମାରେ ପରସ୍ପର ଉପରକୁ ଫାୟରିଂ କରିଥିଲେ । ଥାଇଲାଣ୍ଡ ସେନା ପ୍ରଥମେ ଫୟରିଂ କରିଥିବା କମ୍ବୋଡିଆ ବିଦେଶ ମନ୍ତ୍ରାଳୟ ଅଭିଯୋଗ କରିଛି । ଅନ୍ୟପକ୍ଷେ ଥାଇଲାଣ୍ଡ ପକ୍ଷରୁ କୁହାଯାଇଛି, କମ୍ବୋଡିଆ ସେନା ପଠାଇବା ପୂର୍ବରୁ ଏକ ଡ୍ରୋନ ମୁତୟନ କରିଥିଲା । ଏହାପରେ ତୋପ ଓ ଳମ୍ବା ଦୂରତାକୁ ଲକ୍ଷ୍ୟ ଭେଦ କରିପାରୁଥିବା BM21 ରକେଟ ମାଡ଼ କରିଥିଲା । ତେବେ ଜାଣିଛନ୍ତି କି ଦୁଇ ଦେଶ ମଧ୍ୟରେ ସଂଘର୍ଷର କାରଣ କ’ଣ ? ଯଦି ଜାଣି ନାହାନ୍ତି, ତେବେ ଆପଣଙ୍କ ଅବଗତି ନିମନ୍ତେ କହିବାକୁ ଚାହୁଁଛୁ, ଏହି ସଂଘର୍ଷର କାରଣ ୧୧୦୦ ବର୍ଷ ପୁରଣା ଏକ ଶିବ ମନ୍ଦିରକୁ ନେଇ । ଯାହା ପ୍ରିହ ବିହେଅର ନାମରେ ପରିଚିତ । ୯ମ ଶତାବ୍ଦୀରେ ଖମେର ସମ୍ପ୍ରାଟ ସୂର୍ଯ୍ୟବର୍ମନ ଏହାକୁ ନିର୍ମାଣ କରିଥିଲେ । ହେଲେ ସମୟ ଆଗକୁ ପଢ଼ିବା ସହ ନା କେବଳ ଏହା ଆସ୍ଥାର କେନ୍ଦ୍ର ହୋଇ ରହିଲା ବରଂ ରାଷ୍ଟ୍ରବାଦ, ରାଜନୀତି ଓ ସାମରିକ ଶକ୍ତି ପ୍ରଦର୍ଶନର କେନ୍ଦ୍ର ପାଲଟି ଯାଇଛି ।
କମ୍ବୋଡିଆ ଦାବି କରୁଛି ଶିବ ମନ୍ଦିରଟି ତା’ ସୀମାରେ ରହିଛି । ହେଲେ ଥାଇଲାଣ୍ଡ କହୁଛି, ମନ୍ଦିରର କିଛି ଅଂଶ ତା’ ଦେଶର ସୁରିନ ପ୍ରାନ୍ତରେ ଆସୁଛୁ । ସୂଚନାଯୋଗ୍ୟ, ମନ୍ଦିରଟି ଡାଙ୍ଗରେକ ପାହାଡର ଏକ ରାଜନୈତିକ ସ୍ଥାନରେ ରହିଛି । ଯେଉଁଠୁ କେବେ ଖମେର ରାଜମାର୍ଗ ଯାଉଥିଲା । ଯାହା ଆଜିର ଆଙ୍ଗକୋର (କମ୍ବୋଡିଆ) ଏବଂ ଫିମାଇ (ଥାଇଲାଣ୍ଡ)କୁ ସଂଯୋଗ କରୁଥିଲା । ତେବେ ଏହି ବିବାଦ ସେବେଠାରୁ ରହି ଆସିଛି ଓ ଆଜିର ଦିନରେ ରାଜନୀତିରେ ପରିଣତ ହୋଇସାରିଛି ।
ବିବାଦର ଆରମ୍ଭ ବଂଶ ଶତାବ୍ଦୀରୁ ଆରମ୍ଭ ହୋଇଥିବା କୁହାଯାଉଛି । ୧୯୦୪ରେ ନିଷ୍ପତ୍ତି ହୋଇଥିଲା ପ୍ରାକୃତିକ ଜଳ ବିଭାଜନ ଅନୁସାରେ ସୀମା ନିର୍ଦ୍ଧାରଣ ହେବ । ହେଲେ ୨୯୦୭ରେ ଫ୍ରାନ୍ସସ ଉପନିବେଶବାଦୀ ଯେଉଁ ନକ୍ସା ତିଆରି କଲେ ସେଥିରେ ମନ୍ଦିରକୁ କମ୍ବୋଡିଆରେ ଦେଖାଗଲା । ସେତେବେଳେ ଥାଇଲାଣ୍ଡ ଏହାକୁ ଗ୍ରହଣ କରିଥିଲା, ହେଲେ ୧୯୩୦ ପରେ ଏହାକୁ ବିରୋଧ କରିବା ଆରମ୍ଭ କରିଥିଲା । ଏମିତି ସ୍ଥିତିରେ ICJ (ଅନ୍ତରାଷ୍ଟ୍ରିୟ ନ୍ୟାୟାଳୟ) ଥାଇଲାଣ୍ଡର ଦାବିକୁ ଖାରଜ କରି ଦେଇଥିଲେ ।
୧୯୬୨ରେ ଆଇସିଜେ ମନ୍ଦିର ଉପରେ ଅଧିକାର କମ୍ବୋଡିଆକୁ ଦେଇଥିଲେ । ହେଲେ ଥାଇଲାଣ୍ଡ, ଏହାକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିନି । ଏପରିକି ଥାଇଲାଣ୍ଡ ମନ୍ଦିରକୁ ଲାଗି ରହିଥିବା ଅଞ୍ଚଳକୁ ନିଜର ବୋଲି ଦାବି କରି ଆସୁଛି । ୨୦୦୮ରେ କମ୍ବୋଡିଆ ମନ୍ଦିରକୁ ଓ୍ବାର୍ଲ୍ଡ ହୋରିଟେଜ ସାଇଟରେ ସାମିଲ କରାଇଥିଲା । ସେବେଠାରୁ ଦୁଇ ଦେଶ ମଧ୍ୟରେ ବିବାଦ ଆହୁରି ତୀବ୍ର ହେବା ଆରମ୍ଭ କରିଥିଲା । ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ମନ୍ଦିରକୁ ନେଇ ଦୁଇ ଦେଶ ଏକାଧିକ ଥର ମୁହାଁମୁହିଁ ହୋଇଛନ୍ତି । ୨୦୧୧ରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଆକ୍ରଣମ, ପ୍ରତି-ଆକ୍ରମଣ ହୋଇଥିଲା । ଯେଉଁଥିରେ ଦୁଇ ଦେଶର ୪୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଯେଉଁଥିରେ ସାଧାରଣ ଲୋକଙ୍କ ସହ ସୈନିକ ମଧ୍ୟ ସାମିଲ ଥିଲେ । ଏହି ଘଟଣାରେ କମ୍ବାଡିଆଣ ୧୯ ସୈନିକ ଓ ୩ ନାଗରିକ ଏବଂ ୍ାଇଲାଣ୍ଡର ୧୬ ସୈନିକ ଏବଂ ୪ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା ।
୨୦୨୫ରେ ପୁଣି ଥରେ ଏହି ଶିବ ମନ୍ଦିରକୁ ନେଇ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି । ଥାଇଲାଣ୍ଡ ଦାବି କରିଛି କମ୍ବୋଡିଆର ଏକ ଡ୍ରୋନ, ଗୁପ୍ତଚରୀ କରିବାକୁ ତା’ ସୀମା ଭିତରକୁ ପ୍ରବେଶ କରିଥିଲା, ଯାହା ଉସକାଇବା ସହ ସମାନ । ଏହାପରେ ଦୁଇ ଦେଶ ମଧ୍ୟରେ ରକେଟ ମାଡ଼ ଓ ଏୟାର ଷ୍ଟ୍ରାଇକ ହୋଇଥିବାର ସୂଚନା ଆସିଥିଲା । ଏପରିକି ଥାଇଲାଣ୍ଡ f-16 ଫାଇଟର ଜେଟର ମଧ୍ୟ ବ୍ୟବହାର କରିଛି । ସେପଟେ କମ୍ବୋଡିଆ କହିଛି, ଥାଇଲାଣ୍ଡ ବିନା କୌଣସି କାରଣରେ ଆକ୍ରମଣ କରିଛି । ଆମେ କେବଳ ଆତ୍ମରକ୍ଷା କରିଛୁ ।
ମନ୍ଦିର ପାଖରେ ଦୁଇ ଦେଶର ସେନା ମୁତୟନ ନୂଆ କଥା ନୁହେଁ । କିଛି ବର୍ଷ ପୂର୍ବେ ତୀର୍ଥଯାତ୍ରୀଙ୍କ ପାଇଁ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତିନାମା ମଧ୍ୟ ସ୍ବାକ୍ଷର ହୋଇଛି । ହେଲେ ମନ୍ଦିର ପାଇଁ ଦୁଇ ଦେଶ ମଧ୍ୟରେ ସୈନ୍ୟ ଶକ୍ତି ପ୍ରଦର୍ଶନ ରାଷ୍ଟ୍ରବାଦର ନିଆଁକୁ ଆଡୁରି ଅଧିକ ପ୍ରଜ୍ବଳିତ କରୁଛି । ଗତ ଫେବୃଆରୀରେ କମ୍ବୋଡିଆର ସୈନିକ ମନ୍ଦିର ପରିସରରେ ପଶି ଜାତୀୟ ସଙ୍ଗୀତ ଗାନ କରିବା ସହ ଥାଇ ସେନାକୁ ଖୋଲା ଚେତାବନୀ ଦେଇଥିଲେ । ହେଲେ ଏପ୍ରିଲରେ ଦୁଇ ଦେଶ ମଧ୍ୟରେ ସ୍ଥାନୀୟ ସ୍ତରରେ ବୁଝାମଣା ହୋଇଛି ।

