ନନ୍ଦିଘୋଷ ବ୍ୟୁରୋ : ବିସ୍ଫୋରକ ଲୁଟ୍ ଘଟଣାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା। ଓଡ଼ିଶା ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ମିଳିତ ଅପରେସନ ବେଳେ ଜବତ ହୋଇଛି ଆଉ ଗୋଟିଏ ଟନ ବିସ୍ଫୋରକ ସାମଗ୍ରୀ। ୨ ତାରିଖରେ ଅଢ଼େଇ ଟନ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା। ଓଡ଼ିଶା ଓ ଝାଡ଼ଖଣ୍ଡ ପୋଲିସର ମିଳିତ ଟିମ ଦୁଇ ଦିନରେ ସାଢେ ତିନି ଟନ ବିସ୍ଫୋରକ ସାମଗ୍ରୀ ଜବତ କରିବାରେ ସକ୍ଷମ ହୋଇଛନ୍ତି। ସରଣ୍ଡା ଜଙ୍ଗଲରେ କମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଓଡ଼ିଶା ପୋଲିସ, SOG, COBRA, CRPF ଓ ଝାଡ଼ଖଣ୍ଡ ଜାଗୁଆର ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ସୁନ୍ଦରଗଡ଼ କେ. ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ନିକଟରୁ ୫ ହଜାର କେଜି ଓଜନର ବିସ୍ଫୋରକ ଲୁଟ ଘଟଣା ପରେ ସରଣ୍ଡା ଜଙ୍ଗଲରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ସେହିପରି ସୁନ୍ଦରଗଡ଼, କେନ୍ଦୁଝର ଓ ରାଉରକେଲା ପୋଲିସ ଜିଲ୍ଲାର ବିସ୍ଫୋରକ ଥିବା ୬୧ଟି ସ୍ଥାନରେ ପୋଲିସ ପକ୍ଷରୁ ଯାଞ୍ଚ ଜାରି ରହିଛି। ଅନ୍ୟପଟେ ଗିରଫ ପରେ ଜେଲକୁ ଗଲେ ବାରୁଦ ଗୋଦାମ ମାଲିକ ଶ୍ରବଣ ଅଗ୍ରଓ୍ବାଲ।
ଆଜି ଝାଡ଼ଖଣ୍ଡ ବନ୍ଦ ,ଭାରତ ଆଦିବାସୀ ପାର୍ଟି ଓ ବହୁ ଆଦିବାସୀ ସଂଗଠନ ପକ୍ଷରୁ ବନ୍ଦ ଡାକରା
ନନ୍ଦିଘୋଷ ବ୍ୟୁରୋ : ଝାଡ଼ଖଣ୍ଡ ସେରୋମଟୋଲି ଅନ୍ତର୍ଗତ କେନ୍ଦ୍ରୀୟ ସରନା ସ୍ଥଳରେ ନବନିର୍ମିତ ରାମ୍ପକୁ ନେଇ ବିବାଦ। ଆଜି ଝାଡ଼ଖଣ୍ଡରେ ବନ୍ଦ ଡାକରା ଦିଆଯାଇଛି । ଏହି ରାମ୍ପକୁ ହଟାଇବା ଦାବିରେ ଆହୂତ ଝାଡ଼ଖଣ୍ଡ ବନ୍ଦ ଡାକରାକୁ ସମର୍ଥନ ଦେଇଛି ଭାରତ ଆଦିବାସୀ ପାର୍ଟି ବା ବିଏପି। ରାଞ୍ଚିର ସେରୋମଟୋଲି ଫ୍ଲାଏଓଭରର ଅଂଶବିଶେଷ ଭାବେ ନିର୍ମିତ ହୋଇଛି ରାମ୍ପ। ବିଏପି ରାଜ୍ୟ ସଭାପତି ପ୍ରେମ ସାହି ମୁଣ୍ଡା କହିଛନ୍ତି- ସରନା ସ୍ଥଳରେ ରାମ୍ପ ନିର୍ମାଣକୁ ବିଭିନ୍ନ ଆଦିବାସୀ ସଂଗଠନ ବିରୋଧ କରୁଛନ୍ତି। ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି। ଏହା ସହ ରାଜ୍ୟରେ ଧାର୍ମିକ ସ୍ଥଳର ସୁରକ୍ଷା, ପେସା ଆଇନର କାର୍ଯ୍ଯକାରିତା ସମେତ ଅନ୍ୟାନ୍ୟ ଦାବିରେ ଏହି ବନ୍ଦ ପାଳନ କରାଯାଉଛି । ଆଦିବାସୀମାନେ ଅଭିଯୋଗ କରୁଛନ୍ତି ସେରୋମଟୋଲି ଅନ୍ତର୍ଗତ କେନ୍ଦ୍ରୀୟ ସରନା ସ୍ଥଳରେ ରାମ୍ପ ନିର୍ମାଣ ହେଲେ ଧାର୍ମିକ ସମାଗମ ବାଧାପ୍ରାପ୍ତ ହେବ । ଏହି ଆନ୍ଦୋଳନରେ ନେୃତୃତ୍ବ ନେଉଛି ଆଦିବାସୀ ବଚାଓ ମୋର୍ଚ୍ଚା। ୨.୩୪ କିଲୋମିଟର ଦୀର୍ଘ ଫ୍ଲାଏଓଭରରୁ ୧୩୨ ମିଟର ରେଳଲାଇନ ଉପରେ ଯାଉଛି ।
ଆଜି ରାହୁଲ ଗାନ୍ଧୀଙ୍କ ହରିୟାଣା ଗସ୍ତ, ବିଧାନସଭା ନିର୍ବାଚନରେ ପରାଜୟର କାରଣ ନେଇ କରିବେ ସମୀକ୍ଷା
ନନ୍ଦିଘୋଷ ବ୍ୟୁରୋ : ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ହରିୟାଣା ଗସ୍ତ । ହରିୟାଣାର କଂଗ୍ରେସ ସାଂଗଠନିକ ବିନ୍ୟାସ ସମ୍ପର୍କରେ ରାହୁଲ ଆଲୋଚନା କରିବେ ବୋଲି କହିଛନ୍ତି ପିସିସି ସଭାପତି ଉଦୟ ଭାନ । ଏହି ବୈଠକରେ ଏଆଇସିସି ଓ ପିସିସି ପର୍ଯ୍ୟବେକ୍ଷକ ବି ସାମିଲ ହେବେ ବୋଲି ସୂଚନା ମିଳିଛି । ହରିୟାଣାରେ ସଂଗଠନ ସୃଜନ ଅଭିଯାନ ଆରମ୍ଭ ଅବକାଶରେ ଏହି ବୈଠକ ଅନୁଷ୍ଠିତ ହେବ । ଗତବର୍ଷ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରଠାରୁ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ କାହାରିକୁ ନିଯୁକ୍ତି ଦିଆଯାଇପାରିନାହିଁ । ଏହି ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବା ସମ୍ଭାବନା ରହିଛି । ଗତବର୍ଷର ନିର୍ବାଚନରେ ଦଳ କାହିଁକି ପରାଜିତ ହେଲା ସେ ସମ୍ପର୍କରେ ମାନସ ମନ୍ଥନ ଚାଲିଥିଲେ ବି କୌଣସି ନିର୍ଣ୍ଣାୟକ ସ୍ଥିତିରେ ଦଳ ପହଞ୍ଚି ପାରିନାହିଁ । କୁହାଯାଉଛି ଦଳ ଭିତରେ କନ୍ଦଳ ହିଁ ଦଳକୁ ବିପର୍ଯ୍ୟୟ ଆଡକୁ ଟାଣିନେଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ଼ା ଓ ବରିଷ୍ଠ କଂଗ୍ରେସ ନେତ୍ରୀ କୁମାରୀ ଶୈଳଜାଙ୍କ ମଧ୍ୟରେ ତିକ୍ତତା ଦଳ ଲାଗି ଅଧିକ ଆତ୍ମଘାତୀ ସାବ୍ୟସ୍ତ ହେଲା ବୋଲି କୁହାଯାଉଛି । ଦଳ ଭିତରେ ଥିବା କନ୍ଦଳ ଦୂର କରିବା ଲାଗି ରାହୁଲ ଉଦ୍ୟମ କରିବେ ବୋଲି କୁହାଯାଉଛି । ରାହୁଲଙ୍କ ସହ ଉପସ୍ଥିତ ଥିବା 21 ଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବିଭିନ୍ନ ସ୍ତରରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ତେବେ ଦଳୀୟ ବିଧାୟକମାନଙ୍କ ସହ ରାହୁଲ ବୈଠକ କରିବେ ନାହିଁ । ହୁଡା ଓ ଶୈଳଜାଙ୍କ କର୍ମୀଙ୍କ ମଧ୍ୟରେ ରହିଥିବା ମତପାର୍ଥକ୍ୟ ଦୂର କରିବାରେ ରାହୁଲ ସକ୍ଷମ ହେବେ କି ନାହିଁ ସେ ନେଇ ଲାଗି ରହିଛି ଚର୍ଚ୍ଚା ।
ଆଜି ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ, ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିବା ଲାଗି ବିରୋଧୀଙ୍କ ଦାବି
ନନ୍ଦିଘୋଷ ବ୍ୟୁରୋ : ଆଜି ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦର ବୈଠକ । ଏପ୍ରିଲ ୨୨ ପହଲଗାଓଁ ହମଲା ଏବଂ ତତପରବର୍ତ୍ତୀ ଅପରେସନ ସିନ୍ଦୂର ପରେ ପ୍ରଥମ ଥର ଲାଗି ଏହି ବୈଠକ ବସୁଛି । ଅପରେସନ ସିନ୍ଦୂରରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରର ୯ଟି ଟେରର କ୍ଯାମ୍ପରେ ହମଲା କରିଥିଲା ଭାରତ । ଆତଙ୍କବାଦ ବିରୋଧରେ ଭାରତର ଏହି ଜବରଦସ୍ତ ଅପରେସନରେ ଦେଶର ତିନିବାହିନୀ ଦେଖାଇଥିଲେ ଦମ୍। ଅପରେସନ ସିନ୍ଦୂରକୁ ନେଇ ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିବା ଲାଗି ଦାବି କରିଆସୁଛନ୍ତି ବିରୋଧୀ। ଅପରେସନ ସିନ୍ଦୂର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଟାର୍ଗେଟ କରିଆସୁଛନ୍ତି। ସେହପରି ଅସ୍ତ୍ରବିରତି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଯେଉଁ ବୟାନ ଦେଇଥିଲେ ତାହାକୁ ନେଇ ବି ବିରୋଧୀ ପ୍ରସଙ୍ଗ କରିଆସୁଛନ୍ତି। ଏହା ସହ ଚଳିତ ମାସରେ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ଶେଷ ହେଉଥିବାରୁ ଏହି ପ୍ରସଙ୍ଗରେ ବି ବୈଠକରେ ଆଲୋଚନା ହେବ। ପ୍ରତି ୩ ମାସରେ ଥରେ ମନ୍ତ୍ରୀ ପରିଷଦ ବୈଠକ ବସିଥାଏ। ଏହି ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରମୁଖ ନୀତି ସମ୍ପର୍କରେ ଆଲୋଚନା ହୋଇଥାଏ।
ନୟାଗଡରୁ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ
ନନ୍ଦିଘୋଷ ବ୍ୟୁରୋ: ନୟାଗଡରୁ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ । ଦଶପଲା ଥାନା ମଧ୍ୟଖଣ୍ଡ ଜଙ୍ଗଲରେ ଦୀର୍ଘଦିନ ଧରି ଚାଲିଥିଲା କାରଖାନା । ନୟାଗଡ ଏବଂ ଦଶପଲ୍ଲା ପୋଲିସ ସମେତ STF ଟିମ ମିଳିତ ଭାବେ ଅଚାନକ ଚଢାଉ କରିଥିଲେ । ଚଢାଉ ସମୟରେ ଦେଶୀ ବନ୍ଧୁକ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଦଶପଲ୍ଲା ଥାନା ଦ୍ବାର ଗାଁର ରାଜେଶ ପ୍ରଧାନ, ବିଭୁତି ପରିଡା ଏବଂ ତପନ ପରିଡା । ତେବେ ଘଟଣାସ୍ଥଳରୁ ଅନ୍ୟଜଣେ ଫେରାର ହୋଇଯାଇଛି । ଦୁଇଟି ଦେଶୀ ବନ୍ଧୁକ ସମେତ ବନ୍ଧୁକ ତିଆରି ସରଞ୍ଜାମ ଏବଂ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଥିବା ପ୍ରେସମିଟରେ ସୂଚନା ଦେଇଛନ୍ତି ଏସପି ।

