spot_img
Home Blog Page 789

ହସ୍ପିଟାଲ ପରିସର ମଧ୍ୟରେ ମେଡିକାଲ ରିପ୍ରେଜେଣ୍ଟେଟିଭିଙ୍କୁ ନା

ନନ୍ଦିଘୋଷ ବ୍ୟୁରୋ: ସମସ୍ତ କେନ୍ଦ୍ରୀୟ ହସ୍ପିଟାଲଗୁଡ଼ିକୁ ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶକଙ୍କ ଚିଠି। ହସ୍ପିଟାଲ ପରିସର ମଧ୍ଯରେ ମେଡିକାଲ ରିପ୍ରେଜେଣ୍ଟେଟିଭିମାନଙ୍କୁ ପ୍ରବେଶ ଅନୁମତି ନଦେବାକୁ ପତ୍ରରେ ନିର୍ଦ୍ଦେଶ ଦେଇଛନ୍ତି ମହାନିର୍ଦ୍ଦେଶକ। ଏସମ୍ପର୍କରେ ସମସ୍ତ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକୀୟ ତଥା କଡ଼ା ନିର୍ଦ୍ଦେଶ ଦେବା ଲାଗି ପତ୍ରରେ ଦର୍ଶାଯାଇଛି। ତେବେ ଟ୍ରିଟମେଣ୍ଟ, ଇନଭେଷ୍ଟିଗେସନ ଓ ପ୍ରସିଡ୍ୟୁର ସମ୍ପର୍କରେ ଇମେଲ କିମ୍ବା ଡିଜିଟାଲ ମିଡିଆ ଜରିଆରେ ମେଡିକାଲ ରିପ୍ରେଜେଣ୍ଟେଟିଭମାନଙ୍କୁ ଅନୁରୋଧ କରାଯାଇପାରେ ବୋଲି ପତ୍ରରେ କୁହାଯାଇଛି। ଏସମ୍ପର୍କରେ ଆକ୍ସନ ଟେକେନ ରିପୋର୍ଟ ନିର୍ଦ୍ଦେଶାଳୟ ନିକଟରେ ଦାଖଲ କରିବାଲାଗି ନିର୍ଦ୍ଦେଶ ଦିଆଯାଇଛି।

ଅପରେସନ ସିନ୍ଦୂର ପ୍ରସଙ୍ଗରେ ସିଡିଏସ ଅନିଲ ଚୌହାନଙ୍କ ବଡ଼ ବୟାନ

ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂର ନେଇ ପୁଣି ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ଅନିଲ ଚୌହାନଙ୍କ ବଡ଼ ବୟାନ। ସେ କହିଛନ୍ତି ଅପରେସନ ସିନ୍ଦୂରରେ ଭାରତର କ୍ଷତି ସେପରି ଗୁରୁତ୍ବ ବହନ କରୁନାହିଁ। ବରଂ ଏହି ଅପରେସନର ଫଳାଫଳ ହିଁ ଗୁରୁତ୍ବ ବହନ କରୁଛି। ଅପରେସନ ସିନ୍ଦୂରରେ ଭାରତର କ୍ଷତି ସମ୍ପର୍କରେ ପୂର୍ବରୁ ବୟାନ ଦେଇ ଚର୍ଚ୍ଚାରେ ରହିଥିବା ସିଡିଏସ ଆଜି ପୁଣି ଏକ ବୟାନ ଦେଇଛନ୍ତି। ପୁଣେ ବିଶ୍ବବିଦ୍ୟାଳୟରେ ଆୟୋଜିତ ଭବିଷ୍ଯତ ଯୁଦ୍ଧ ଓ ଯୁଦ୍ଧ ପ୍ରକ୍ରିୟା ସଂକ୍ରାନ୍ତ ଏକ ଆଲୋଚନା ଚକ୍ରରେ ଯୋଗ ଦେଇ ସେ କହିଛନ୍ତି- ନିଜର ଦୋଷଗୁଡିକୁ ଜାଣିବା ସହ ଏହାର ସଂଶୋଧନ କରିବା ସଶସ୍ତ୍ରବାହିନୀ ଲାଗି ଜରୁରୀ। ଅପରେସନ ସିନ୍ଦୂର ସମ୍ପର୍କରେ ସେ କହିଛନ୍ତି- ସେ ଯୁଦ୍ଧର ତରିକା ସମ୍ପର୍କରେ ଅବଗତ କରିବା ଲାଗି ଚେଷ୍ଟା କରିଛନ୍ତି। ଆମେ ଜାଣିଛନ୍ତି ଆମର ଏକ ଉନ୍ନତ କାଉଣ୍ଟର ଡ୍ରୋନ ସିଷ୍ଟମ ରହିଛି। ଦ୍ବିତୀଯ ହେଉଛି ଏକ୍ଷେତ୍ରରେ ରହିଥିବା ରିସ୍କଗୁଡିକୁ ହୃଦବୋଧ କରିବା ଦରକାର। ବୃତ୍ତିଗତ ବାହିନୀ ଭାବେ ଏକ ଧକ୍କା ବା କ୍ଷତି ଦ୍ବାରା ଆମେ ପ୍ରଭାବିତ ହେବୁନାହିଁ।

ଯୁବକଙ୍କୁ ଅପହରଣ କରି ହତ୍ୟା ; ପ୍ରମାଣ ନଷ୍ଟ ପାଇଁ କାନ୍ଥରେ ମୃତଦେହ ରଖି ପ୍ଲାଷ୍ଟର

ଯୁବକଙ୍କୁ ଅପହରଣ କରି ହତ୍ୟା । ପ୍ରମାଣ ନଷ୍ଟ କରିବା ପାଇଁ କାନ୍ଥରେ ମୃତଦେହ ରଖି ପ୍ଲାଷ୍ଟର । ପଶ୍ଚିମବଙ୍ଗର ଦକ୍ଷିଣ ଦିନାଜପୁର ତପନରୁରୁ ଏଭଳି ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି । ଯୁବକ ନିଖୋଜ ହେବାର ୧୪ ଦିନ ପରେ ପୋଲିସ ରହସ୍ୟର ଉନ୍ମୋଚନ କରିଛି । ମୃତଦେହ ଉଦ୍ଧାର କରିଛି ପୋଲିସ । ହତ୍ୟାଘଟଣାରେ ସମ୍ପୃକ୍ତ ଅଭିଯୋଗରେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ । ମୃତ ଯୁବକ ମାଲଦା ପୁଖୁରିଆ ଥାନାର କୋକଲାମାଡ଼ି ନାଦବ ପଡ଼ାର ୩୧ ବର୍ଷୀୟ ସାଦ୍ଦାମ ନାଦବ ବୋଲି ଜଣାପଡ଼ିଛି । ସେ ପେଶାରେ ଜଣେ ଠିକାଦାର ଥିଲା । ସେ ସମ୍ପର୍କୀୟ ମୌମିତା ନାଦବଙ୍କ ଘରେ ଭଡ଼ାରେ ରହୁଥିଲେ । ସାଦ୍ଦାମ ମେ’ ୧୮ ତାରିଖରୁ ମାଲଦାରୁ ରହସ୍ୟମୟ ଭାବରେ ନିଖୋଜ ହୋଇଯାଇଥିଲେ । ୨୦ ତାରିଖରେ ପରିବାର ଲୋକ ଇଂରେଜ ବଜାର ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ । ନିଖୋଜ ମାମଲା ଦାୟକ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ମୌମିତା ନାଦବଙ୍କୁ ଅଟକ ରଖି ପଚରାଉଚରା ସମୟରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା । ମହିଳା ଜଣଙ୍କ ସାଦ୍ଦାମଙ୍କୁ ସେ ହତ୍ୟା କରିଥିବା ସ୍ଵୀକାର କରିଥିଲେ । ସାଦ୍ଦାମଙ୍କୁ ହତ୍ୟା ପରେ, ପ୍ରମାଣ ନଷ୍ଟ କରିବା ପାଇଁ, ମୃତଦେହକୁ ଦକ୍ଷିଣ ଦିନାଜପୁର ଜିଲ୍ଲାର ତପନ ଥାନା ଅଞ୍ଚଳରେ ଥିବା ଧ୍ରିତାଙ୍କ ବାପାଙ୍କ ଘରକୁ ନିଆଯାଇଥିଲା । ସେଠାରେ, ସାଦ୍ଦାମଙ୍କ ମୃତଦେହକୁ କାନ୍ଥ ଖୋଳାଯାଇ ପ୍ଲାଷ୍ଟର କରାଯାଇଥିଲା । ପୋଲିସ ମୃତଦେହ ଉଦ୍ଧାର କରିଥିଲେ ମଧ୍ୟ ଏହି ହତ୍ୟାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ହତ୍ୟାକାଣ୍ଡରେ ଜଡ଼ିତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ତଲାସୀ ଜାରି ରଖିଛି ପୋଲିସ । ଆର୍ଥିକ କାରବାର କିମ୍ଵା ଅନୈତିକ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରୁଛି ।

ବିସ୍ଫୋରକ ଭର୍ତ୍ତି ମିନି ଟ୍ରକ ଜବତ ; ଗୋଦାମ ମାଲିକ ଡ୍ରାଇଭର ଗିରଫ

ରାଉରକେଲା: ରାଉରକେଲା ସହରର ବାଲୁଘାଟ ନିକଟରୁ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ମିନି ଟ୍ରକ ଜବତ ଘଟଣାରେ ତନାଘନା। ୧୧୬ଟି ପେଟିରେ ଥିବା ୨୩ ହଜାର ୨୦୦ ପ୍ୟାକେଟ ଜିଲୋଟିନ ଜବତ ହେବା ପରେ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଓ ଗାଡି ଡ୍ରାଇଭରକୁ ଗିରଫ କରାଯାଇଛି । ବିସ୍ଫୋରକ ନିୟମ ଉଲ୍ଲଂଘନ ଅଭିଯୋଗରେ ରଘୁନାଥପାଲ୍ଲି ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି । ଅତିରିକ୍ତ ଏସପିଙ୍କ ନେତୃତ୍ବରେ ସ୍ବତନ୍ତ୍ର SIT ଟିମ ମଧ୍ୟ ଘଟଣାର ତଦନ୍ତ ଜାରି ରଖିଛନ୍ତି । ବିସ୍ଫୋରକ ଗୋଦାମ ମାଲିକଙ୍କ ବାସନ୍ତୀ କଲୋନୀ ବାସଭବନରୁ ଏସଆଇଟି ଟିମ ସହ ଜିଏସଟି ଏନଫୋର୍ସମେଣ୍ଟ ଟିମ ଚଢ଼ାଉ କରି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ କମ୍ପ୍ୟୁଟର ଜବତ କରି

ଅନ୍ୟପଟେ ବିସ୍ଫୋରକ ଜବତ ଘଟଣାରେ NIA SPଙ୍କ ନେତୃତ୍ବରେ ଏକ ଟିମ ରାଉରକେଲାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ରାଉରକେଲା ସହରର ଆଇଡିଏଲରେ ଥିବା ବିସ୍ପୋରକ ପ୍ଲାଣ୍ଟରେ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଛି । ଏହାସହ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ବିସ୍ଫୋରକ ଗୋଦାମରେ ମଧ୍ୟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଯାଞ୍ଚ । ସୁନ୍ଦରଗଡ଼, କେନ୍ଦୁଝର ଓ ରାଉରକେଲା ପୋଲିସ ଜିଲ୍ଲାର ୬୧ଟି ମ୍ୟାଗଜିନ ଥିବା ସ୍ଥାନରେ ପୋଲିସ ପକ୍ଷରୁ ଯାଞ୍ଚ ଜାରି ରହିଛି । ପଶ୍ଚିମାଞ୍ଚଳ ପୋଲିସ ଡିଆଇଜିଙ୍କ ନିର୍ଦ୍ଦେଶରେ ଯାଞ୍ଚ କରାଯାଉଛି । କେନ୍ଦୁଝର ଜିଲ୍ଲାର ୩୨ ସ୍ଥାନ, ରାଉରକେଲାର ୨୧ଟି ସ୍ଥାନ ଓ ସୁନ୍ଦରଗଡ଼ର ୮ଟି ସ୍ଥାନରେ ଯାଞ୍ଚ କରାଯାଉଛି । ବାଙ୍କୋ ପଥର ଖଣି ନିକଟରୁ ୫ ହଜାର କେଜି ଓଜନର ବିସ୍ଫୋରକ ଲୁଟ ଘଟଣା ପରେ ସରଣ୍ଡା ଜଙ୍ଗଲରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଓ ସର୍ଚ୍ଚ ଅପରେସନ ଜାରି ରହିଛି । ଓଡ଼ିଶା ଓ ଝାଡଖଣ୍ଡ ପୋଲିସ ସହ SOG, COBRA, CRPF ଓ ଝାଡ଼ଖଣ୍ଡ ଜାଗୁଆର ପକ୍ଷରୁ କମ୍ବିଂ ଅପରେସନ ଓ ସର୍ଚ୍ଚ ଅପରେସନ ଚାଲିଛି ।

IPL ଫାଇନାଲରେ ହାରିବ RCB ! ଅଭିନେତା କଲେ ଭବିଷ୍ୟବାଣୀ

ନନ୍ଦିଘୋଷ ବ୍ୟୁରୋ: ଆଜି IPL 2025ର ଫାଇନାଲ ମ୍ୟାଚ୍ । ଆଜି ରାତିରେ ଫାଇନାଲ ହେବ କିଏ ହାତେଇବ ଟ୍ରଫି ।  ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନା ପ୍ରୀତି ଜିଣ୍ଟାଙ୍କ ପଞ୍ଜାବ କିଙ୍ଗ୍ସ ଚଳିତ ବର୍ଷ IPL ଟ୍ରଫି ନେବ। ଉଭୟ ଦଳ ଫାଇନାଲରେ ପହଞ୍ଚିବା ଆଶ୍ଚର୍ଯ୍ୟଠାରୁ କିଛି କମ ନଥିଲା। ଉଭୟ ଦଳ ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ସହିତ ଫାଇନାଲରେ ପହଞ୍ଚିଛନ୍ତି । ତେବେ IPL 2025 ଫାଇନାଲ ପାଇଁ ଅନେକ ଭବିଷ୍ୟବାଣୀ କରାଯାଉଛି । ବଲିଉଡ ବିଶ୍ଳେଷକ ବା ଅଭିନେତା KRK ଚ୍ୟାଲେଞ୍ଜର ସହ କହିଛନ୍ତି ଯେ ବିରାଟ ଦଳ ହାରିପାରେ । KRK ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତାମତ ଦିଅନ୍ତି। KRK ମନୋରଞ୍ଜନଠାରୁ ଆରମ୍ଭ କରି ରାଜନୀତି କିମ୍ବା ଖେଳ ପର୍ଯ୍ୟନ୍ତ ସବୁକିଛି ଉପରେ ନିଜ ପୋଷ୍ଟ ସେୟାର କରନ୍ତି । ଏବଂ ଆଜି ସେ ଆଇପିଏଲ ବିଷୟରେ ଏକ ଭବିଷ୍ୟବାଣୀ କରିଛନ୍ତି ।

ବିରାଟଙ୍କ RCB ହାରିଯିବ କି ?

KRK ତାଙ୍କ ପୋଷ୍ଟରେ ଲେଖିଛନ୍ତି- ‘ଉଭୟ ଦଳ RCB ଏବଂ PBKS କେବେବି IPL ଟ୍ରଫି ଜିତି ନାହାଁନ୍ତି । ଉଭୟ ଦଳ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । RCB ପୂର୍ବରୁ ୨୦୦୯, ୨୦୧୧,୨୦୧୬ ର ଫାଇନାଲକୁ ପ୍ରବେଶ କରି ପରାଜୟର ସାମ୍ନା କରିଛନ୍ତି । ଏହାର ଅର୍ଥ ହେଉଛି ସେମାନେ ଫାଇନାଲରେ ଭଲ ପରଫୋମାନ୍ସ କରନ୍ତି ନାହିଁ । ଯେତେବେଳେ ପଞ୍ଜାବ ଅଧିନାୟକ ଶ୍ରେୟସ ଆୟର ଗତ ବର୍ଷ KKR ପାଇଁ ଟ୍ରଫି ଜିତିଥିଲେ। ତେଣୁ ଏହାକୁ ଦୃଷ୍ଟିରେ ରଖି ମୁଁ କହିବି ଯେ RCB ର ଜିତିବାର ସମ୍ଭାବନା ୪୯% ଏବଂ ପଞ୍ଜାବ ର ଜିତିବାର ସମ୍ଭାବନା ୫୧% ଅଛି ।

KRK ଶ୍ରେୟସ ଆୟରଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି କ୍ରିକେଟର ଶ୍ରେୟସ ଆୟରଙ୍କୁ ପଞ୍ଜାବ ଫ୍ରାଞ୍ଚାଇଜ୍ ୨୬.୭୫ କୋଟିରେ କିଣିଛି । ଯଦି ସେ ଟ୍ରଫି ଜିତିଯାଆନ୍ତି ତେବେ ଆଗକୁ ତାଙ୍କର ମୂଲ୍ୟ ୪୦ କୋଟି ହେବ।

 

KRKଙ୍କ ଏହି ପୋଷ୍ଟଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତାଙ୍କ ପୋଷ୍ଟକୁ ନେଇ ଜଣେ ପ୍ରଶଂସକ ଲେଖିଛନ୍ତି ଉଭୟ ଦଳ ଭଲ ଖେଳିଛନ୍ତି। ଦେଖାଯାଉ କିଏ ଟ୍ରଫି ଜିତୁଛି; ଏଥିରେ କେବଳ ଭାଗ୍ୟ ସେମାନଙ୍କୁ ସାହାଯ୍ୟ କରିପାରିବ । ଅନ୍ୟ ଜଣେ ପ୍ରଶଂସକ ସମାଲୋଚନା କରି ଲେଖିଛନ୍ତି- ତୁମେ କିଛି କୁହ ନାହିଁ ।

ଦେଶରୁ ସବୁଠୁ ବଡ଼ଧରଣର ସୁନା ଚୋରି , ବ୍ୟାଙ୍କରୁ ୫୨ କୋଟିର ସୁନା ନେଇ ଚୋର ଛୁ‘

ନନ୍ଦିଘୋଷ ବ୍ୟୁରୋ : ବ୍ୟାଙ୍କ୍ ଲକରରୁ ୫୨ କୋଟି ଟଙ୍କାର ସୁନା ଗାଏବ । କର୍ଣ୍ଣାଟକର ବିଜୟପୁରା ଜିଲ୍ଲାର ଏକ ବ୍ୟାଙ୍କରୁ ୫୨ କୋଟି ଟଙ୍କାର ସୁନା ଚୋରି ହୋଇଯାଇଛି । ଯାହାକୁ ଦେଶର ସବୁଠାରୁ ବଡ଼ ସୁନା ଚୋରି ଘଟଣା ବୋଲି କୁହାଯାଉଛି । କାନାରା ବ୍ୟାଙ୍କର ଏକ ଶାଖାରୁ ଚୋରମାନେ ସୁନା ଚୋରି କରିଛନ୍ତି। ଏହି ଘଟଣାଟି ମେ’ ଶେଷ ସପ୍ତାହରେ ଘଟିଛି। ହେଲେ ପୋଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରିପାରି ନାହିଁ। ପୋଲିସ କହିଛି ଯେ ବିଜୟପୁରା ଜିଲ୍ଲାର ମଙ୍ଗୁଳିରେ ଥିବା କାନାରା ବ୍ୟାଙ୍କ ଶାଖାରେ ୨୩ ମଇରେ ଚୋରି ହୋଇଥିଲା। କିନ୍ତୁ ଏହା ୨୬ ମଇରେ ଜଣାପଡ଼ିଲା । ଚୋରମାନେ ଏତେ ସୁନା କିପରି ନେଇଗଲେ ତାହା ପୋଲିସ ଏପର୍ଯ୍ୟନ୍ତ ଜାଣିପାରି ନାହିଁ ।

କେବେ ହୋଇଥିଲା ଚୋରି ?

ବିଜୟପୁରା ଏସପି ​ କହିଛନ୍ତି ଯେ, ୨୩ ମେ ସନ୍ଧ୍ୟା ୬ଟାରୁ ୨୫ ମେ ସକାଳ ୧୧ଟା ୩୦ ମଧ୍ୟରେ ସୁନା ଚୋରି ହୋଇଥିବା ସନ୍ଦେହ କରୁଛୁ । ସେ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଆଠଟି ଦଳ ଗଠନ କରାଯାଇଛି । ଚୋରିରେ ୬ ରୁ ୮ ଜଣ ଲୋକ ସାମିଲ ଥିବା ସନ୍ଦେହ କରୁଛୁ । ଆଉ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଚୋରି ପୂର୍ବ ଯୋଜନାବଦ୍ଧ ଥିଲା। ଦ୍ୱିତୀୟ ଶନିବାର ଏବଂ ରବିବାର ଦିନ ବ୍ୟାଙ୍କ ବନ୍ଦର ସୁଯୋଗ ନେଇ ଏହି ଚୋରି କରାଯାଇଛି ।

ବ୍ୟାଙ୍କରେ କେମିତି ପଶିଲେ ଚୋର?
ଅଧିକାରୀଙ୍କ ସୂଚନା ମୁତାବକ, ଚୋର ବ୍ୟାଙ୍କରେ ପ୍ରବେଶ କରିବା ପାଇଁ ଏକ ନକଲି ଚାବି ବ୍ୟବହାର କରିଥିଲା। ସେମାନେ ଆଲାର୍ମ ବନ୍ଦ କରିଦେଇଥିଲେ ଏବଂ  ସିସି ଟିଭି କ୍ୟାମେରା ମଧ୍ୟ ବନ୍ଦ କରିଦେଇଥିଲେ। ସେମାନେ ନେଟୱାର୍କ ଭିଡିଓ ରେକର୍ଡର ବା (NVR) ମଧ୍ୟ ନେଇଯାଇଛନ୍ତି। ଏହା ଛଡ଼ା ବ୍ୟାଙ୍କ ଲକର ଖୋଲି ସୁନା ନେଇ ପଳାଇଛନ୍ତି । ବିଜୟପୁରା ପୋଲିସ କହିଛି ଯେ ଚୋରି ପରେ ଅଭିଯୁକ୍ତମାନେ ଏକ କଳା କଣ୍ଢେଇ ରଖିଥିଲେ। ଏହାକୁ ଦେଖି ଲାଗୁଛି ଯେ ସେମାନେ ଅପରାଧ ସ୍ଥାନରେ କିଛି ପୂଜାର୍ଚ୍ଚନା କରିଥିଲେ। ଏହି ଘଟଣା  ପ୍ରଥମ ଥର ନୁହେଁ ଯେ କର୍ଣ୍ଣାଟକରେ କୌଣସି ବ୍ୟାଙ୍କକୁ ଟାର୍ଗେଟ କରାଯାଇଛି, ଏପରି ବ୍ୟାଙ୍କରୁ ଚୋରି ପୂର୍ବରୁ ମଧ୍ୟ ହୋଇଛି ।

ଭାରତର ଅନ୍ୟ ଏକ ଶତ୍ରୁ ଖଲାସ, ପାକିସ୍ତାନରେ ମୌଲାନା ଅବଦୁଲ ଅଜିଜ ଇସାରଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନରେ ଗଡିଲା ଭାରତୀୟ ଶତ୍ରୁର ଆଉ ଏକ ମୁଣ୍ଡ । ଆତଙ୍କବାଦୀଙ୍କ ବ୍ରେନ କୁହାଯାଉଥିବା ଜୈଶ-ଏ-ମହମ୍ମଦର ବରିଷ୍ଠ କମାଣ୍ଡର ମୌଲାନା ଅବଦୁଲ ଅଜିଜ ଇସାରଙ୍କ ମୃତ୍ୟୁ ହୋଇଛି। ଏହି ରହସ୍ୟମୟ ମୃତ୍ୟୁ ଶତ୍ରୁ ଦେଶଠାରୁ ଆରମ୍ଭ କରି ଭାରତରେ ମଧ୍ୟ ହଇଚଇ ସୃଷ୍ଟି କରିଛି। ଏହି କୁଖ୍ୟାତ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଭାରତ ବିରୁଦ୍ଧରେ ପ୍ରତିଦିନ ବିଷ ଓଗାଳୁଥିଲା। କିନ୍ତୁ ତାଙ୍କର ମୃତ୍ୟୁ କିପରି ହେଲା ତାହା ଏବେ ବି ଏକ ରହସ୍ୟ। ରିପୋର୍ଟ ଅନୁସାରେ, ସେ ପାକିସ୍ତାନର ବାହାୱଲପୁରରେ ମୃତ ଅବସ୍ଥାରେ ମିଳିଥିଲେ, ଯେଉଁଠାରେ ଜୈଶର ମୁଖ୍ୟାଳୟ ଅବସ୍ଥିତ । ଅବଦୁଲ ଅଜିଜ ସେହି ଆତଙ୍କବାଦୀ ଯିଏ ଗତ ମାସରେ ଜୈଶର ଏକ ରାଲିରେ ଭାରତ ବିରୁଦ୍ଧରେ ବିଷ ଓଗାଳିଥିଲେ। ସେ ମଞ୍ଚରୁ ଖୋଲାଖୋଲି ଧମକ ଦେଇଥିଲେ ଯେ ଭାରତ ମଧ୍ୟ ସୋଭିଏତ ସଂଘ ପରି ସମାନ ଦଣ୍ଡ ପାଇବ । ଭବିଷ୍ୟତରେ ମଧ୍ୟ ତାଙ୍କର ଏହି ସ୍ୱପ୍ନ କେବେ ସାକାର ହେବା ସମ୍ଭବ ନଥିଲା, କିନ୍ତୁ ତା ପୂର୍ବରୁ ଆଜି ସେହି ଆତଙ୍କବାଦୀ ନିଜେ ମୃତ୍ୟୁବରଣ କରିଛନ୍ତି । ଜୈଶ ଏବଂ ପାକିସ୍ତାନ ସରକାର ମୌଲାନା ଅବଦୁଲ ଅଜିଜ ଇସାରଙ୍କ ମୃତ୍ୟୁ ପରେ ନୀରବ ଅଛନ୍ତି । ଜୈଶ ସହିତ ଜଡିତ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକରେ ତାଙ୍କ ମୃତ୍ୟୁ ଏବଂ ଅନ୍ତିମ ସଂସ୍କାରକୁ ନିଶ୍ଚିତ କରାଯାଇଛି , କିନ୍ତୁ ମୃତ୍ୟୁର କାରଣ ବିଷୟରେ ଗୋଟିଏ ବି ଶବ୍ଦ କୁହାଯାଇ ନାହିଁ।

ବ୍ରେନଓ୍ବାଶ କରିବାରେ ଥିଲେ ମାହିର

ରିପୋର୍ଟ ଅନୁଯାୟୀ, ଅବଦୁଲ ଅଜିଜ୍ ଜୈଶ-ଏ-ମହମ୍ମଦର ପଞ୍ଜାବ ପ୍ରଦେଶ ଏବଂ ବିଶେଷକରି ବାହାୱଲପୁର, ରାୱଲପିଣ୍ଡି ଭଳି ଅଞ୍ଚଳରେ ଭାରତ ବିରୁଦ୍ଧରେ ଯୁବକମାନଙ୍କୁ ମୌଳବାଦୀ ଏବଂ ଭାରତ ବିରୁଦ୍ଧରେ ଉସୁକାଉଥିଲେ। ତାଙ୍କ ମୃତ୍ୟୁ ଜୈଶ ପାଇଁ ଏକ ବଡ଼ କ୍ଷତି, ବିଶେଷକରି ସ୍ଥାନୀୟ ନିଯୁକ୍ତି ଏବଂ ବ୍ରେନ ଓ୍ବାଶ କରି ଯୁବପୀଢୀଙ୍କୁ ଆତଙ୍କବାଦୀ ଗୋଷ୍ଠୀରେ ନିଯୁକ୍ତ କରିବା।

ବଦାହ କରାଗଲା, କିନ୍ତୁ ପ୍ରତିକ୍ରିୟା ମିଳିଲାନି

ଏକ ରିପୋର୍ଟ ଅନୁଯାୟୀ ତାଙ୍କୁ ବାହାୱଲପୁରରେ କବର ଦିଆଯାଇଥିଲା, କିନ୍ତୁ ମୃତ୍ୟୁର କାରଣ ବିଷୟରେ ସମସ୍ତେ ନୀରବ। କିନ୍ତୁ ଅନ୍ୟ କିଛି ରିପୋର୍ଟ ଅନୁଯାୟୀ, ତାଙ୍କର ମୃତ୍ୟୁ ହୃଦଘାତରେ ହୋଇଛି। ଅପରେସନ ସିନ୍ଦୂର ପରଠାରୁ ପାକିସ୍ତାନରେ ଆତଙ୍କବାଦୀମାନେ ଥରହର ହୋଇଛନ୍ତି। ସେମାନେ ଭାରତ ବିରୁଦ୍ଧରେ ନିରନ୍ତର ବିଷ ଓଗାଳୁଛନ୍ତି।

ରୁଷରେ ଏବେ ଆଳୁ ସଂକଟ, ମୁଣ୍ଡରେ ହାତ ଦେଲେଣି ରାଷ୍ଟ୍ରପତି ପୁଟିନ୍

ନନ୍ଦିଘୋଷ ବ୍ୟୁରୋ : ରୁଷକୁ ଏବେ ଘାରିଛି ଆଳୁ ସମସ୍ୟା । ୟୁକ୍ରେନର ଡ୍ରୋନ୍ ଆକ୍ରମଣ ପୁଟିନଙ୍କୁ ଚିନ୍ତାରେ ପକାଉଥିଲା ହେଲେ ଏବେ କୌଣସି ଡ୍ରୋନ୍ ଆର୍ଟାକ୍ ନୁହେଁ ବରଂ ଆଳୁ ସଙ୍କଟ ରୁଷକୁ ଚିନ୍ତାରେ ପକାଇଛି । କାରଣ ବିଶ୍ୱର ସବୁଠାରୁ ବଡ଼ ଆଳୁ ଭକ୍ଷଣକାରୀ ଦେଶର ଥାଳିରୁ ଆଳୁ ଅଦୃଶ୍ୟ ହେବା ଆରମ୍ଭ ହୋଇଛି । ଏହି ସଙ୍କଟ ଏତେ ଗମ୍ଭୀର ହୋଇଛି ଯେ,  ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜେ ଏହା ଉପରେ ଚିନ୍ତା ପ୍ରକାଶ କରିବାକୁ ପଡିଲା।

ଗତ ଏକ ବର୍ଷ ମଧ୍ୟରେ ରୁଷରେ ଆଳୁର ମୂଲ୍ୟ ପ୍ରାୟ ୨.୮ ଗୁଣ ବୃଦ୍ଧି ପାଇଛି। ୨୦୨୫ର  ମଇ ମାସର ଆରମ୍ଭରେ, ଏକ କିଲୋ ଆଳୁର ହାରାହାରି ମୂଲ୍ୟ 85 ରୁବେଲ୍ (ପ୍ରାୟ ୮୯ ଟଙ୍କା) ପହଞ୍ଚିଛି, ଯେତେବେଳେ କି ଗତ ବର୍ଷ ଆଳୁର ମୂଲ୍ୟ ପ୍ରାୟ ୩୦ ରୁବେଲ୍ (୩୨ଟଙ୍କା ) ଥିଲା। କିଛି ଅଞ୍ଚଳରେ, ଆଳୁ  କିଲୋ ମୂଲ୍ୟ ୨୦୦ ରୁବେଲ୍ ପର୍ଯ୍ୟନ୍ତ ପହଞ୍ଚିଛି। ଯାହା ଫଳରେ ଏହି ସଙ୍କଟ ସରକାରଙ୍କୁ ହଲାଇ ଦେଇଛି।

କାହିଁକି ମହଙ୍ଗା ହେଲା ଆଳୁ?

ଏହି ସଙ୍କଟ ପଛରେ କେବଳ ଗୋଟିଏ କାରଣ ନାହିଁ, ବରଂ ଅନେକ କାରଣ ପରସ୍ପର ସହିତ ଜଡିତ। ସବୁଠାରୁ ବଡ଼ କାରଣ ହେଉଛି ୨୦୨୪ମସିହାର ଫସଲ ଭଲ ହୋଇନଥିଲା। ଏହା ଛଡ଼ା ଗତ ବର୍ଷ ତୁଳନାରେ ଆଳୁ ଉତ୍ପାଦନ ପ୍ରାୟ ୧୨ ପ୍ରତିଶତ ହ୍ରାସ ପାଇଛି। ମୋଟ ଉତ୍ପାଦନ ମାତ୍ର ୧୭.୮ ନିୟୁତ ଟନ୍ ଥିଲା। ଏହାର ପ୍ରମୁଖ କାରଣ ଥିଲା ଖରାପ ପାଗ, ବିହନ ଆଳୁର ଅଭାବ ଏବଂ ଚାଷ ଅଞ୍ଚଳରେ ହ୍ରାସ। ୨୦୨୩ ମସିହାରେ, ରୁଷରେ ଏତେ ପରିମାଣରେ ଆଳୁ ଉତ୍ପାଦନ ହୋଇଥିଲା ଯେ ଏହାର ମୂଲ୍ୟ ବହୁତ ହ୍ରାସ ପାଇଥିଲା।  ଏହା ପରେ ଚାଷୀ ମାନେ ୨୦୨୪ ମସିହାରେ ଆଳୁ ବଦଳରେ ତେଲ ବିହନ, ଚିନି, ବିଟ୍ ଭଳି ଫସଲ ଚାଷ କରିବା ଆରମ୍ଭ କଲେ।

ଆଳୁ କେବଳ ଏକ ପରିବା ନୁହେଁ, ରୁଷ ସଂସ୍କୃତିର ଏକ ଅଂଶ

ରୁଷରେ ଆଳୁ ଏକ ସାଧାରଣ ପରିବା ନୁହେଁ, ବରଂ ସଂସ୍କୃତିର ଏକ ଅଂଶ ଅଟେ। ପିଟର ଦି ଗ୍ରେଟ୍‌ଙ୍କ ସମୟରେ ଏହାକୁ ପଶ୍ଚିମରୁ ଅଣାଯାଇଥିଲା। ପ୍ରାରମ୍ଭରେ ଲୋକମାନେ ଏହାକୁ ବିଷ ବୋଲି ମାନୁଥିଲେ, କିନ୍ତୁ ଧୀରେ ଧୀରେ ଏହା ସାଧାରଣ ଲୋକଙ୍କ ଥାଳିରେ ସ୍ଥାନ ପାଇଲା। ୧୯୮୦ ଦଶକରେ ଯେତେବେଳେ ମ୍ୟାକଡୋନାଲ୍ଡସ୍ ରୁଷକୁ ଆସିଥିଲେ, ସେତେବେଳେ ସେ ଖାଇବା ଉପଯୁକ୍ତ ଆଳୁ ପାଇ ନଥିଲେ। ତେଣୁ ପୋଲାଣ୍ଡରୁ ଆଳୁ ଆମଦାନି କରାଯାଉଥିଲା, ପରେ ରୁଷରେ ଚାଷ ହେବା ଆଳୁ ଆରମ୍ଭ ହୋଇଥିଲା।

ବିବାହ ପୂର୍ବରୁ ୩୪ସନ୍ତାନର ମା’ ଏହି ଅଭିନେତ୍ରୀ, ଶ୍ରେୟସ ଆୟରଙ୍କ ସହ ଗଭୀର ସମ୍ପର୍କ

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଅନେକ ପୁରୁଣା ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଏବେ ବି ଲୋକଙ୍କ ହୃଦୟରେ ସ୍ଥାନ ବନେଇକି ରଖିଛନ୍ତି । ଯଦିଓ ସେମାନେ ଫିଲ୍ମଠାରୁ ଦୂରେଇ ରହିଛନ୍ତି, କିନ୍ତୁ ସେମାନେ ନିଜ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି। ଆମେ ଏପରି ଜଣେ ଅଭିନେତ୍ରୀଙ୍କ ବିଷୟରେ କହୁଛୁ, ଯିଏ ଆଜିକାଲି ଖବରର ଶିରୋନାମା ପାଲଟିଛନ୍ତି । ବଲିଉଡର ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟାଙ୍କ ଯିଏ ଶେଷ ଥର ପାଇଁ ୨୦୧୮ରେ ଫିଲ୍ମରେ ନଜର ଆସିଥିଲେ। କିନ୍ତୁ ବର୍ତ୍ତମାନ, ସେ ତାଙ୍କ ଦଳ ପଞ୍ଜାବ କିଙ୍ଗ୍ସ ପାଇଁ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଦଳ IPL 2025ର ଫାଇନାଲରେ ପହଞ୍ଚିବା ପରେ ସବୁ ଖବରକାଗଜରର ପ୍ରଣ୍ଟ ପେଜରେ ପ୍ରୀତି ଜିଣ୍ଟା ଛାଇ ଯାଇଛନ୍ତି ।

ପ୍ରୀତି ଜିଣ୍ଟା ୧୯୯୮ ମସିହାରେ ଶାହରୁଖ ଖାନଙ୍କ ଫିଲ୍ମ ‘ଦିଲ୍ ସେ’ ସହିତ ତାଙ୍କର କ୍ୟାରିଅର୍ ଆରମ୍ଭ କରିଥିଲେ। ଏହି ଫିଲ୍ମରେ ଅଭିନେତ୍ରୀ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ପରେ ସେ କ୍ୟା କେହନାରେ ନଜର ଆସିଥିଲେ। ନିଜର ପ୍ରତିଭା ପାଇଁ ବଲିଉଡରେ ଏକ ପରିଚୟ ସୃଷ୍ଟି କରିବା ସହିତ, ସେ ଲୋକଙ୍କ ହୃଦୟରେ ମଧ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ୨୦୧୬ ମସିହାରେ, ଅଭିନେତ୍ରୀ ତାଙ୍କ ଜୀବନକୁ ଏକ ନୂତନ ମୋଡ଼ ଦେଇଥିଲେ ଏବଂ ବିବାହ କରିଥିଲେ, କିନ୍ତୁ ବିବାହର ୭ ବର୍ଷ ପୂର୍ବରୁ, ଅଭିନେତ୍ରୀଙ୍କୁ ମାଆର ମାନ୍ୟତା ମିଳିଥିଲା। ସେ ୩୪ଜଣ ସନ୍ତାନଙ୍କ ମା’ ବନିସାରିଥିଲେ  । ତେବେ ଜାଣନ୍ତୁ ବିବାହ ପୂର୍ବରୁ ପ୍ରୀତି ଜିଣ୍ଟା କେମିତି ଏତେ ସନ୍ତାନଙ୍କ ମା’ ବନିଥିଲେ  ।

୩୪ ଜଣ ପିଲାଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିଥିଲେ

ବାସ୍ତବରେ ଯେତେବେଳେ ଅଭିନେତ୍ରୀ ତାଙ୍କର ୩୪ତମ ଜନ୍ମଦିନ ପାଳନ କରୁଥିଲେ, ସେ ସେହି ଦିନକୁ ଅଧିକ ସ୍ୱତନ୍ତ୍ର କରିଦେଇଥିଲେ । ୨୦୦୯ ମସିହାରେ ସେ ୩୪ ବର୍ଷ ବୟସରେ ପଦାର୍ପଣ କରିବା ପରେ ୩୪ ଜଣ ଅନାଥ ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ସମସ୍ତେ କନ୍ୟା ସନ୍ତାନ ଥିଲେ। ସେହି ସମୟରେ, ଅଭିନେତ୍ରୀ ଏହି ବିଷୟରେ କହିଥିଲେ ଏବଂ ଏହାକୁ ଏକ ଅନନ୍ୟ ଅଭିଜ୍ଞତା ବୋଲି କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ସେ ଏହି ସମସ୍ତ ପିଲାମାନଙ୍କର ସମ୍ପୂର୍ଣ୍ଣ ଯତ୍ନ ନେବେ ଏବଂ ସେ ବର୍ଷକୁ ଦୁଇଥର ସେମାନଙ୍କୁ ଭେଟିବା ପାଇଁ ଋଷିକେଶ ଆସିବେ।

IPLରେ ଚର୍ଚ୍ଚିତ

ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ୨୦୨୧ ମସିହାରେ, ସେ ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟମରେ ଲୋକମାନଙ୍କୁ ଜଣାଇଥିଲେ ଯେ ସେ ସରୋଗେସି ମାଧ୍ୟମରେ ଦୁଇଟି ସନ୍ତାନ ଜୟ ଏବଂ ଜିୟାଙ୍କୁ ସ୍ୱାଗତ କରିଛନ୍ତି ।  IPLରେ ତାଙ୍କ ଦଳ ପଞ୍ଜାବ କିଙ୍ଗ୍ସ ଫାଇନାଲରେ ପ୍ରବେଶ କରିବା ପରେ ସେ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି । ଏହି ଦଳର ଅଧିନାୟକ ହେଉଛନ୍ତି ଭାରତୀୟ କ୍ରିକେଟର ଶ୍ରେୟସ ଆୟର।

ତୁର୍କୀଠୁ ବଡ଼ ବିପର୍ଯ୍ୟୟ ହେବ କି ? ପାକିସ୍ତାନରେ ଆସିବ କି ବଡ ସୁନାମୀ ?

ନନ୍ଦିଘୋଷ ବ୍ୟୁରୋ: ତୁର୍କୀ ଭଳି ଥରିବ କି ପାକିସ୍ତାନ ? ଲଗାତାର କରାଚୀରେ ଭୂମିକମ୍ପ ଅନୁଭୂତ ହେଉଥିବା ବେଳେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ୨୦୨୩ମସିହାରେ ତୁର୍କୀରେ ୭.୮ତୀବ୍ରତାର ଭୂମିକମ୍ପରେ ପ୍ରାୟ ୫୦ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ କରାଚୀରେ ମଧ୍ୟ ସମାନ ଆଲୋଡନ ଦେଖିବାକୁ ମିଳିଛି । ରବିବାର ରାତିରୁ ସୋମବାର ପର୍ଯ୍ୟନ୍ତ କରାଚୀରେ ଲଗାତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଯୋଗୁଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି । ପ୍ରଶ୍ନ ଉଠୁଛି ଯେ ପାକିସ୍ତାନ କଣ ତୁର୍କୀ ପରି ବିପର୍ଯ୍ୟୟର ଦ୍ୱାରରେ ଠିଆ ହୋଇଛି କି?

ରବିବାର ରାତିରୁ ସୋମବାର ପର୍ଯ୍ୟନ୍ତ ପାକିସ୍ତାନର କରାଚୀ ସହରରେ ଅନେକ ଥର ଭୂମିକମ୍ପ ହୋଇଥିଲା। ଲୋକମାନେ ଭୟରେ ଘରୁ ବାହାରକୁ ଆସି ରାସ୍ତାକୁ ଆସିଥିଲେ। ସୋସିଆଲ ମିଡିଆରେ ଆଲୋଡନ ସୃଷ୍ଟି ହେଇଥିଲା ? ସମସ୍ତେ ଚିନ୍ତା ପ୍ରକାଶ କରି ପଚାରିଥିଲେ ଯେ ଏହା କ’ଣ ଏକ ବଡ଼ ଭୂମିକମ୍ପର ସଙ୍କେତ? ପାକିସ୍ତାନ ପାଣିପାଗ ବିଭାଗ ଅନୁଯାୟୀ, ଜୁନ୍ ୧ ରୁ ୨ ମଧ୍ୟରେ କରାଚୀରେ ଅତି କମରେ ୫ଟି ଭୂମିକମ୍ପ ରେକର୍ଡ କରାଯାଇଛି, । ଯଦିଓ ଏହାର ତୀବ୍ରତା କମ୍ ଥିଲା, କିନ୍ତୁ ବାରମ୍ବାର ଭୂମିକମ୍ପ ଲୋକଙ୍କ ଚିନ୍ତା ବଢାଇ ଦେଇଛି ।

ସକ୍ରିୟ ହେଲା କରାଚୀର ଫଲ୍ଟ ରେଖା

ପାକିସ୍ତାନ ପାଣିପାଗ ବିଭାଗ ଅନୁଯାୟୀ, କରାଚୀର ଲାଣ୍ଡି ଅଞ୍ଚଳର ତଳେ ଏକ ପୁରୁଣା ଫଲ୍ଟ ଲାଇନ ଅଛି, ଯାହା ବର୍ତ୍ତମାନ ସକ୍ରିୟ ହୋଇଯାଇଛି। ଯେତେବେଳେ ଏକ ଫଲ୍ଟ ଲାଇନ ସକ୍ରିୟ ହୁଏ, ଏହା ଧୀରେ ଧୀରେ ଶକ୍ତି ରିଲିଜ  କରେ, ଯାହା ଦ୍ଵାରା ବାରମ୍ବାର ମୃଦୁ ଭୂମିକମ୍ପ ହୁଏ। ଏକ ରିପୋର୍ଟ ଅନୁଯାୟୀ, ଏହି ପରିସ୍ଥିତି ସାଧାରଣତଃ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ସ୍ୱାଭାବିକ ହୋଇଯାଏ । ଆଶ୍ବସ୍ତିକର କଥା ହେଉଛି କରାଚୀର ଟେକ୍ଟୋନିକ୍ ପ୍ଲେଟଗୁଡ଼ିକୁ ବିପଦପୂର୍ଣ୍ଣ ନୁହେଁ ଏବଂ ଏପର୍ଯ୍ୟନ୍ତ ଏଠାରେ କୌଣସି ବଡ଼ ଭୂମିକମ୍ପ ହୋଇନାହିଁ।

ସୁନାମି କିମ୍ବା ବଡ଼ ବିପର୍ଯ୍ୟୟର ଆଶଙ୍କା

ବିଶେଷଜ୍ଞଙ୍କ ମତରେ, କରାଚୀରେ ସୁନାମି ଆସିବାର ସମ୍ଭାବନା ବହୁତ କମ୍ କାରଣ ଏଠାକାର ଟେକ୍ଟୋନିକ୍ ପ୍ଲେଟ୍‌ଗୁଡ଼ିକ ଅପେକ୍ଷାକୃତ ସ୍ଥିର। କିନ୍ତୁ ବେଲୁଚିସ୍ତାନର ସମୁଦ୍ର ଅଞ୍ଚଳ, ଯେଉଁଠାରେ ଆରବ ଏବଂ ୟୁରେସିଆନ୍ ପ୍ଲେଟ୍‌ଗୁଡ଼ିକ ମିଶିଛନ୍ତି, ସେଠାରେ ସୁନାମିର ବିପଦ ରହିଛି। ପାକିସ୍ତାନର ଭୂତାତ୍ତ୍ୱିକ ସର୍ବେକ୍ଷଣ ଅନୁସାରେ, ପାକିସ୍ତାନର ଦୁଇ-ତୃତୀୟାଂଶ ଏକ ଫଲ୍ଟ ଲାଇନରେ ଅବସ୍ଥିତ। କରାଚୀକୁ ଜୋନ୍-3 ରେ ରଖାଯାଇଛି, ଯାହାର ଅର୍ଥ ହେଉଛି ଏଠାରେ ମଧ୍ୟମ ସ୍ତରର ଭୂକମ୍ପ ବିପଦ ରହିଛି।

ଭୟଭୀତ ହେବା ନୁହେଁ, ସତର୍କ ରହିବା ଗୁରୁତ୍ବପୂର୍ଣ୍ଣ

ବିଶେଷଜ୍ଞମାନଙ୍କ ଅନୁସାରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, ବରଂ ସତର୍କ ରହିବାକୁ ପଡିବ। ଦୃଢ଼ ନିର୍ମାଣ, ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଏବଂ ଜନସଚେତନତା ମାଧ୍ୟମରେ ଏକ ବଡ଼ ବିପର୍ଯ୍ୟୟକୁ ଏଡାଇ ଦିଆଯାଇପାରିବ। କିଛି ବିଶେଷଜ୍ଞ ଏହା ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ଉଚ୍ଚ କୋଠା ତିଆରି କରନ୍ତୁନି ଏବଂ ନିର୍ମାଣ ସମୟରେ କୋଠାଗୁଡ଼ିକ ମଧ୍ୟରେ ଖୋଲା ସ୍ଥାନ ଛାଡିବା ଉଚିତ ଯାହା ଦ୍ଵାରା ଆବଶ୍ୟକ ହେଲେ ସ୍ଥାନାନ୍ତର ସହଜ ହୋଇପାରିବ।