ଗଞ୍ଜାମ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୋବିନ୍ଦପୁରରେ ଅଭାବନୀୟ ଘଟଣା l ସ୍ତ୍ରୀର ଛୁରାମାଡରେ ସ୍ବାମୀ ମୃତ । ମୃତ ସ୍ବାମୀ ଜଣକ ହେଲେ ୩୫ ବର୍ଷୀୟ କାଳିଆ ସେଠୀ l ପରକ୍ରିୟା ପ୍ରୀତିରେ ପଡ଼ି ସ୍ତ୍ରୀ ନିଜ ସ୍ବାମୀକୁ ହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି l କାଳିଆ ସେଠୀ ଦୀର୍ଘ ୧୫ ବର୍ଷ ପୂର୍ବେ ପୋଲସରା ଡିମ୍ୱିରିଆ ଗ୍ରାମର ପୂଜା ସେଠୀକୁ ଭଲପାଇ ପ୍ରେମ ବିବାହ କରିଥିଲେ l କିଛି ଦିନ ହେଲା ପୂଜା ମୋବାଇଲରେ ଅନ୍ୟ କାହା ସହ କଥା ହେଉଥିବା ନେଇ ସ୍ବାମୀ ଜଣଙ୍କ ସନ୍ଦେହ କରିଥିଲେ । ଏହି ଘଟଣାକୁ ନେଇ ପ୍ରତ୍ୟେକ ଦିନ ଉଭୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ଲାଗି ରହୁଥିଲା l ତେବେ ଗତକାଲି ରାତିରେ କାଳିଆ ଘରେ ଶୋଇଥିବା ବେଳେ ପୂଜା ତାଙ୍କୁ ଛୁରାମାଡ଼ କରି ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି l ଘଟଣାସ୍ଥଳରେ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି l…
ନବରଙ୍ଗପୁରରେ ବିଜେଡିର ଶକ୍ତି ବୃଦ୍ଧି
ଭୁବନେଶ୍ବର : ନବରଙ୍ଗପୁରରେ ବିଜେଡିର ଶକ୍ତି ବୃଦ୍ଧି । କଂଗ୍ରେସର ବିଧାୟକ ପ୍ରାର୍ଥ ଦିଲ୍ଲୀପ ପ୍ରଧାନୀ ଆଜି କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ତାଙ୍କ ସହ ନିର୍ବାଚନମଣ୍ଡଳିର ୪ ଜଣ ସରପଞ୍ଚ ଓ ୪ ଜଣ ସମିତି ସଭ୍ୟଙ୍କ ସହ ଅନେକ କର୍ମକର୍ତ୍ତା ବିଜେଡିରେ ଯୋଗ ଦେଇଛନ୍ତି । ତେବେ ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ସୁଦୃଢ ହେବ ବୋଲି ବିଜେଡି ରାଜ୍ୟସଭା ସାଂସଦ ମୁନା ଖାଁ କହିଛନ୍ତି । ଏପଟେ ଦିଲ୍ଲୀପ ପ୍ରଧାନୀ କହିଛନ୍ତି, ନବୀନ ବାବୁ ସରକାରରେ ଥିବା ସମୟରେ ଅନେକ ଉନ୍ନତି କରିଛନ୍ତି । ତେଣୁ ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଓ ମୋର ସମର୍ଥକମାନେ ବିଜେଡିରେ ସାମିଲ ହୋଇଛନ୍ତି ।
ଝାଞ୍ଜେରୀବେରେଣୀ ଗାଁକୁ ନାହିଁ ନିତିଦିନିଆ ରାସ୍ତା, ଖାଲଖମା ରାସ୍ତାରେ ଯାତାୟାତ କରୁଛନ୍ତି ଲୋକେ
କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କେରଜୁଳି ପଞ୍ଚାୟତର ଝାଞ୍ଜେରିବେରେଣୀ ଗାଁକୁ ନାହିଁ ନିତିଦିନିଆ ରାସ୍ତା । ସଦର ମହକୁମାର ମାତ୍ର ୭ କିଲୋମିଟର ଦୂର ଝାଞ୍ଜେରୀବେରେଣୀ ଗାଁ ରହିଛି । ରାସ୍ତା ନଥିବାରୁ ଲୋକେ ୧୫ କିଲୋମିଟର ଦୂର ଅତିକ୍ରମ କରି କଙ୍କଡାହାଡ଼ରେ ପହଞ୍ଚୁଛନ୍ତି । ଗାଁରେ ୪ ଶହରୁ ଅଧିକ ଲୋକ ବସବାସ କରୁଥିବା ବେଳେ ସ୍ଥାୟୀ ରାସ୍ତା ନଥିବାରୁ ଜଙ୍ଗଲ, ପାହାଡ଼ ଘେରା ରାସ୍ତାରେ ଯାତାୟାତ କରୁଛନ୍ତି । ଯେଉଁ ରାସ୍ତା ଦେଇ ଗ୍ରାମବାସୀ ଯିବାଆସିବା କରୁଛନ୍ତି ତାହା ଖାଲ ଖମାରେ ବିପଦପୂର୍ଣ୍ଣ ହୋଇଛି । ଗାଁରେ କେହି ଅସୁସ୍ଥ ହେଲେ ଆମ୍ବୁଲାନ୍ସ ପହଞ୍ଚିବା ମଧ୍ୟ ବହୁତ କଷ୍ଟକର ହୋଇପଡ଼େ । ଏପରିକି ଅଗ୍ନିକାଣ୍ଡ ଘଟିଲେ ମଧ୍ୟ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ କରିବା ଅସମ୍ଭବ ହୋଇପଡ଼େ । ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଦାବି କରି ଆସୁଛନ୍ତି । ପ୍ରଶାସନ ତରଫରୁ ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ଦିଆଯାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରିଲା ନାହିଁ । ଆଗକୁ ବର୍ଷା ଦିନ ଆସୁଥିବା ବେଳେ ସେମାନେ କିପରି ଯିବାଆସିବା କରିବେ ସେ ନେଇ ଚିନ୍ତାରେ ଗ୍ରାମବାସୀ ।ତୁରନ୍ତ ଗାଁକୁ ନିତିଦିନିଆ ରାସ୍ତା ନିର୍ମାଣ କରିବାପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି ।
ଲାଞ୍ଚ ନେବାବେଳେ ସିବିଆଇ ହାତରେ ଧରାପଡ଼ିଲେ ଭାରତୀୟ ରାଜସ୍ବ ସେବା ଅଧିକାରୀ
ନନ୍ଦିଘୋଷ ବ୍ୟୁରୋ : ୨୫ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ସିବିଆଇ ହାତରେ ଧରାପଡ଼ିଲେ ଭାରତୀୟ ରାଜସ୍ବ ସେବା ଅଧିକାରୀ ଅମିତ କୁମାର ସିଂ । ଦିଲ୍ଲୀ ଆୟକରଦାତା ସେବାର ଅତିରିକ୍ତ ମହାନିର୍ଦ୍ଦେଶକ ଥିବା ଅମିତ କୁମାର ସିଂ ଓ ତାଙ୍କ ବେସରକାରୀ ସହଯୋଗୀ ହର୍ଷ କୋଟାକଙ୍କୁ ଲାଞ୍ଚ ନେବା ଅଭିଯୋଗରେ ସିବିଆଇ ଗିରଫ କରିଛି । ସିବିଆଇ ସୂଚନା ମୁତାବକ ଜଣେ ଆୟକରଦାତାଙ୍କ ଆୟକର ରିଟର୍ଣ୍ଣ ଅନିୟମିତତା ହୋଇଥିବା ଦର୍ଶାଇ ତାଙ୍କ ଉପରେ ଜରିମାନା ବସାଇବାକୁ ଅମିତ ଓ ତାଙ୍କ ସହଯୋଗୀ ହର୍ଷ ଧମକାଉଥିଲେ । ଏପରିକି ଲାଞ୍ଚ ଦେଲେ ତାଙ୍କ ମାମଲାଟିକୁ ରଫାଦଫା କରିବାକୁ ଦେଇଥିଲେ ପ୍ରସ୍ତାବ । ଏଥିପାଇଁ ୪୫ ଲକ୍ଷ ଟଙ୍କା ଲାଞ୍ଚ ଦେବା ନେଇ ଡିଲ୍ ହୋଇଥିଲା । ଅଗ୍ରୀମ ଆକାରରେ ୨୫ ଲକ୍ଷ ଟଙ୍କା ଦେବାକୁ ସ୍ଥିର ହୋଇଥିଲା । ଏ ନେଇ ଅଭିଯୋଗ ପାଇବା ପରେ ଉଭୟଙ୍କୁ ରେଡ୍ ହ୍ୟାଣ୍ଡ ଧରିବାକୁ ଜାଲ ବିଛାଇଥିଲା ସିବିଆଇ । ଗତକାଲି ପଞ୍ଜାବର ମୋହାଲିରେ ଅଗ୍ରୀମ ଟଙ୍କା ପ୍ରଦାନ ବେଳେ ଦୁଇଜଣଙ୍କୁ ମାଡ଼ିବସିଲା ସିବିଆଇ । ଏ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏକ ମାମଲା ଋଜୁ କରି ତଦନ୍ତ ଚଳାଇଛି । ସୂଚନା ମୁତାବକ ଦୁର୍ନୀତିର ମୂଳ ପର୍ଯ୍ୟନ୍ତ ଖୋଜି ବାହାର କରିବା ପାଇଁ ଦିଲ୍ଲୀ, ପଞ୍ଜାବ ଓ ମୁମ୍ବାଇରେ ଉଭୟ ଅଭିଯୁକ୍ତଙ୍କର ଲିଙ୍କକୁ ଅଧିକ ଖୋଳତାଡ଼ କରୁଛି ତଦନ୍ତକାରୀ ସଂସ୍ଥା ।
ବାଂଲାଦେଶ ହିଂସା ପଛରେ ହାଫିଜ୍ ସଇଦ ସଂଗଠନ, ଶେଖ ହସିନାଙ୍କୁ ଛାଡିବାକୁ ପଡିଲା ପଦ
ନନ୍ଦିଘୋଷ ବ୍ୟୁରୋ : ଏପର୍ଯ୍ୟନ୍ତ ଶେଖ ହାସିନାଙ୍କ ବିଦ୍ରୋହ ପଛରେ କେବଳ ଆମେରିକାର ହାତ ଥିବା ବିଶ୍ୱାସ କରାଯାଉଥିଲା। କିନ୍ତୁ ଏବେ ଧୀରେ ଧୀରେ ଏହା ସାମ୍ନାକୁ ଆସୁଛି ଯେ ଏଥିରେ ପାକିସ୍ତାନର ଆତଙ୍କବାଦୀ ସଂଗଠନଗୁଡ଼ିକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ହାଫିଜ୍ ସଇଦର ନିଷିଦ୍ଧ ସଂଗଠନ ଜମାତ-ଉଦ୍-ଦାୱାର ନେତାମାନେ ଦାବି କରିଛନ୍ତି, ସେମାନେ ଗତ ବର୍ଷ ବାଂଲାଦେଶରେ ହୋଇଥିବା ବିରୋଧ ପ୍ରଦର୍ଶନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ କ୍ଷମତା ଛାଡିବାକୁ ବାଧ୍ୟ କରିଥିଲେ। ଜାତିସଂଘ ଦ୍ୱାରା ଆତଙ୍କବାଦୀ ଘୋଷିତ ଜେୟୁଡି ନେତା ସୈଫୁଲ୍ଲା କସୁରୀ ଓ ମୁଜାମ୍ମିଲ ହାଶମୀ ସେମାନଙ୍କ ଭାଷଣରେ ଏହା କହିଛନ୍ତି।
କସୁରୀ କହିଥିଲେ, ୧୯୭୧ ମସିହାରେ ପାକିସ୍ତାନ ବିଭାଜନ ହେବା ସମୟରେ ମୁଁ ଚାରି ବର୍ଷ ବୟସର ଥିଲି। ତତ୍କାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଘୋଷଣା କରିଥିଲେ ଯେ ସେ ଦୁଇ ରାଷ୍ଟ୍ର ତତ୍ତ୍ୱକୁ ଖଲିଜରେ ବୁଡ଼ାଇ ଦେଇଛନ୍ତି। ମେ ୧୦ ତାରିଖରେ ମୁଁ କହିଥିଲି, ଆମେ ୧୯୭୧ର ପ୍ରତିଶୋଧ ନେଇଛୁ।
ମୁରିଦକେରେ ତାଙ୍କ ଭାଷଣରେ, କସୁରୀ ଭାରତୀୟ ବାୟୁସେନାର ଆକ୍ରମଣ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯେଉଁଥିରେ ଭାରତୀୟ ସେନା ତାଙ୍କ ସହଯୋଗୀ ମୁଦାସରଙ୍କୁ ହତ୍ୟା କରିଥିଲା। ସେ ଦାବି କରିଥିଲେ ଯେ ତାଙ୍କୁ ମୁଦାସରଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଅନୁମତି ଦିଆଯାଇ ନଥିଲା। ତଥାପି, ମୁଦାସର ଏବଂ ଅନ୍ୟ ଦୁଇ ଜଣ ଜେୟୁଡି ସଦସ୍ୟଙ୍କ ଅନ୍ତିମ ସଂସ୍କାରରେ ପଞ୍ଜାବର ସାମରିକ ଏବଂ ପୋଲିସ ଅଧିକାରୀମାନେ ଯୋଗ ଦେଇଥିଲେ। କସୁରୀ କହିଥିଲେ, ଆମେ ପରବର୍ତ୍ତୀ ପିଢ଼ିକୁ ଜିହାଦ ପାଇଁ ପ୍ରସ୍ତୁତ କରୁଛୁ । ଆମେ ମରିବାକୁ ଭୟ କରୁନାହୁଁ। କସୁରୀଙ୍କ ଏହି ବୟାନ ପରେ ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକର ଚିନ୍ତା ବଢ଼ିପାରେ।
ମୁଜାମ୍ମିଲ ହାଶମି ଗୁଜରାନୱାଲାରେ ତାଙ୍କ ଭାଷଣରେ କହିଥିଲେ, ଗତ ବର୍ଷ ବାଂଲାଦେଶରେ ଆମେ ତୁମକୁ ପରାସ୍ତ କରିଥିଲୁ । ସେ ୫ ଅଗଷ୍ଟରେ ହସିନାଙ୍କ ଇସ୍ତଫା ଓ ତାଙ୍କ ଭାରତ ପଳାଇବା ଘଟଣା ସମ୍ପର୍କରେ ଏହା କହିଥିଲେ। ହସିନାଙ୍କ ପରେ ମହମ୍ମଦ ୟୁନୁସ୍ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେଇଥିଲେ ଓ ବାଂଲାଦେଶ-ପାକିସ୍ତାନ ସମ୍ପର୍କରେ ସୁଧାର ଆସିଛି।
ଏହି ଭାଷଣଗୁଡ଼ିକ ଉପରେ ପ୍ରତିକ୍ରିୟା ଦେଇ ପୂର୍ବତନ ପାକିସ୍ତାନୀ କୂଟନୀତିଜ୍ଞ ହୁସେନ ହକ୍କାନି କହିଛନ୍ତି, ଏପରି ବୟାନ ବିଶ୍ୱକୁ ପାକିସ୍ତାନର ଏହି ଦାବି ଉପରେ ସନ୍ଦେହ ସୃଷ୍ଟି କରେ ଯେ ଏହା ଆତଙ୍କବାଦକୁ ପ୍ରୋତ୍ସାହିତ କରେ ନାହିଁ। ଜେୟୁଡି ମୁଖ୍ୟ ହାଫିଜ୍ ସଇଦକୁ ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି ଓ ଭାରତ ତାକୁ ଆତଙ୍କବାଦୀ ବୋଲି ବିବେଚନା କରେ।

