ନନ୍ଦିଘୋଷ ବ୍ୟୁରୋ : ଆଜି ସରୁଛି ଭାରତରେ ଥିବା ପାକିସ୍ତାନ ନାଗରିକଙ୍କ ଲାଗି ଡେଡଲାଇନ। ପହଲଗାଓଁ ହମଲା ପରେ ପାକିସ୍ତାନକୁ ଜବାବ ଦେଇ ପାକ୍ ନାଗରିକଙ୍କ ଭିସା ବାତିଲ କରିଥିଲା ଭାରତ। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଭାରତରେ ଯେଉଁ ପାକିସ୍ତାନ ନାଗରିକ ରହୁଛନ୍ତି ସେମାନେ ଭିସା ଅବଧି ଶେଷ ହେବା ପୂର୍ବରୁ ସ୍ବଦେଶ ଫେରିଯିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ପାକିସ୍ତାନରେ ଥିବା ଭାରତୀୟଙ୍କୁ ତୁରନ୍ତ ଫେରିଆସିବା ଲାଗି ଦିଆଯାଇଥିଲା ପରାମର୍ଶ। ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଦା କରିବା ଲାଗି ଗତ ୨୫ ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନିଜ ରାଜ୍ୟରେ ଥିବା ପାକ୍ ନାଗରିକଙ୍କୁ ତୁରନ୍ତ ବିଦା କରିବା ଲାଗି ସେ ନିର୍ଦ୍ଦେଶ ଦେଇଥିଲେ।
ପୋପ ଫ୍ରାନସିସଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ
ନନ୍ଦିଘୋଷ ବ୍ୟୁରୋ: ପୋପ୍ ଫ୍ରାନ୍ସିସଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ । ସମସ୍ତ ରୀତିନୀତି ସହ ଭାଟିକାନ ସିଟିରେ ଶେଷକୃତ୍ୟ ସମ୍ପନ୍ନ ହେଲା । ବିଭିନ୍ନ ଦେଶର ପ୍ରତିନିଧି, ଖ୍ରୀଷ୍ଟଧର୍ମର ଧର୍ମଯାଜକ ଓ ତୀର୍ଥଯାତ୍ରୀ ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପସ୍ଥିତ ରହି ପୋପ ଫ୍ରାନ୍ସିସଙ୍କୁ ଶେଷ ବିଦାୟ ଜଣାଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାରା ବିଶ୍ଵର ପ୍ରାୟ ସବୁ ଦେଶର ରାଷ୍ଟ୍ର ପ୍ରତିନିଧି ଉପସ୍ଥିତ ରହି ପୋପଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
କିଛିଦିନ ଧରି ସେ ନିମୋନିଆରେ ପୀଡ଼ିତ ଥିଲେ । ଗତ ସୋମବାର ୮୮ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ଭାଟିକାନ ସିଟିର ମାରିଆ ମାଗିଓରେ ଚର୍ଚ୍ଚରେ ତାଙ୍କୁ କବର ଦିଆଯାଇଛି । ସାଧାରଣତଃ ସମସ୍ତ ପୋପଙ୍କୁ ସେଣ୍ଟ ପିଟର୍ସର ବାସିଲିକାରେ କବର ଦିଆଯାଇଥାଏ । କିନ୍ତୁ ମାରିଆ ମାଗିଓ ଚର୍ଚ୍ଚରେ କବର ପାଇଁ ଆଗରୁ ଇଚ୍ଛା ପ୍ରକାଶ କରିଥିଲେ ପୋପ୍ । ତାଙ୍କ ଇଚ୍ଛାକୁ ସମ୍ମାନ ଦେଇ ଏହି ଚର୍ଚ୍ଚରେ ତାଙ୍କୁ କବର ଦିଆଯାଇଛି । ସେଣ୍ଟ ପିଟର୍ସ ସ୍କୋୟାରରେ ପୋପଙ୍କ ପାର୍ଥିବ ଶରୀର ଅନ୍ତିମ ଦର୍ଶନ ପାଇଁ ରଖାଯାଇଥିଲା । ଏଠାରେ ସାଧାରଣ ଲୋକେ ପୋପଙ୍କ ଅନ୍ତିମ ଦର୍ଶନ କରିଥିଲେ । ଅନ୍ତିମ ଦର୍ଶନ ଲାଗି ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା ।
ନ୍ୟାସନାଲ ହେରାଲ୍ଡ ଜମି ବିବାଦ ମାମଲା: ସୋନିଆ ଓ ରାହୁଲଙ୍କୁ ସମନ ଜାରି କରିବାକୁ ମନା କଲେ ଦିଲ୍ଲୀ କୋର୍ଟ
ନନ୍ଦିଘୋଷ ବ୍ୟୁରୋ: ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିବାକୁ ମନା କଲେ ଦିଲ୍ଲୀର ଏକ କୋର୍ଟ । ନ୍ୟାସନାଲ ହେରାଲ୍ଡ ଜମି ମାମଲାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିବାକୁ ମନା କଲେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ । ମାମଲାରେ ଗତ ଏପ୍ରିଲ ୯ ତାରିଖରେ ଚାର୍ଜସିଟ ଦାଖଲ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ଡକ୍ୟୁମେଣ୍ଟ ସଂଶୋଧନ ପାଇଁ ତିନି ଦିନର ସମୟ ଦେଇଥିଲେ କୋର୍ଟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ED ଦ୍ୱାରା ଦାଖଲ କରାଯାଇଥିବା ଦଲିଲରେ ତ୍ରୁଟି ଥିବା ଦର୍ଶାଇ କୋର୍ଟ ଶୁକ୍ରବାର ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟମାନଙ୍କ ପାଇଁ ନୋଟିସ ଜାରି କରିବାର ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି । ଆସନ୍ତା ମେ’ ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଇଡି ପକ୍ଷରୁ ଉପସ୍ଥିତ ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁ ନୋଟିସ ଜାରି କରିବାକୁ କୋର୍ଟଙ୍କ ନିକଟରେ ଦାବି କରିଥିଲେ । ନ୍ୟାସନାଲ ହେରାଲ୍ଡ ମାମଲାରେ ୯୮୮ କୋଟି ଅର୍ଥ ହେରଫେର ମାମଲାରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଏବଂ ରାହୁଲଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ।
ସେପଟେ ବିରୋଧୀ ଦଳ ନେତା ରାହଲୁ ଗାନ୍ଧୀଙ୍କୁ ଆଉ ଏକ ମାମଲାରେ କୋର୍ଟ ନୋଟିସ କରିଛନ୍ତି । ସ୍ଵାଧୀନତା ସଂଗ୍ରାମୀ ଭିଡି ସାବରକରଙ୍କ ଉପରେ ମନ୍ତବ୍ୟ ନେଇ ମାନହାନି ମାମଲାରେ ପୁଣେ କୋର୍ଟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ସମନ ପଠାଇଛନ୍ତି । ସାବରକରଙ୍କ ଜଣେ ସମ୍ପର୍କୀୟ ରାହୁଲଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବା ପରେ ରାହୁଲଙ୍କୁ ଆସନ୍ତା ୯ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲଣ୍ଡନରେ ଏକ ଭାଷଣ ସମୟରେ ରାହୁଲ ଦେଇଥିବା ବୟାନରୁ ଏହି ମାମଲା ରୁଜୁ ହୋଇଛି । ଯେଉଁଥିରେ ସେ ସାବରକରଙ୍କ କାର୍ଯ୍ୟ ଓ ବିଚାରଧାରାକୁ ସମାଲୋଚନା କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ଐତିହାସିକ ବ୍ୟକ୍ତିତ୍ଵଙ୍କ ଉପରେ ମନ୍ତବ୍ୟ ସମ୍ପର୍କରେ ସୁପ୍ରିମକୋର୍ଟ କଂଗ୍ରେସ ନେତା ରାହୁଲଙ୍କୁ କୋର୍ଟ ଚେତାବନୀ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନ ଦେବା ଓ ଦେଶର ସ୍ୱାଧୀନତାରେ ସେମାନଙ୍କର ଅବଦାନର ନେଇ ଗୁରୁତ୍ୱାରୋପ କରିଥିଲେ ପୁଣେ କୋର୍ଟ ।
ରଥଯାତ୍ରା ପୂର୍ବରୁ ସରିବନି ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ୨୯ ଏପ୍ରିଲରୁ ଜୁନ ୨୭ ଯାଏଁ କାମ ବନ୍ଦ
ନନ୍ଦିଘୋଷ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତିକୁ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଛି । ୨୯ ଏପ୍ରିଲରୁ ଜୁନ ୨୭ ତାରିଖ ପର୍ଯ୍ୟନ୍ତ ବିଶେଷ ନୀତି ଥିବା କାରଣରୁ ମରାମତି କାର୍ଯ୍ୟ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ସେହିପରି ରଥଯାତ୍ରା ପରଦିନ ଠାରୁ ଭିତର ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ କରାଯାଇ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଭଣ୍ଡାର ଗୃହରେ ୯ଟି ବିମ ସ୍ଥାପନ କରାଯାଇଥିବେଳେ ଆଉ ୫ଟି ବିମ ଲଗାଯିବାକୁ ରହିଛି । ସେପଟେ କାମ ସନ୍ତୋଷ ଜନକ ଥିବା କହିଛନ୍ତି ସେବାୟତ ।
ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବାହାର ଓ ଭିତର ଚନ୍ଦନ ଯାତ୍ରା, ସ୍ନାନଯାତ୍ରା ଓ ଅନବସର ନୀତି ଯୋଗୁଁ ୨୯ ତାରିଖରୁ ଜୁନ ୨୭ ପର୍ଯ୍ୟନ୍ତ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ । ଜୁନ ୨୮ରୁ ପୁନଃ ମରାମତି କରାଯାଇ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଭଣ୍ଡାର ଘର ଭିତର ଓ ବାହାରେ ପ୍ରାୟ ୨୭୭ ଖଣ୍ଡ ପଥର ଲଗାଯାଇଛି । ୯ଟି ବକ୍ସ ବିମ ମଧ୍ୟ ସ୍ଥାପନ କରାଯାଇଛି l ବାକିଥିବା ଆଉ ୫ଟି ବିମ ମଧ୍ୟ ଲଗାଯିବ । ଲେଜର ସ୍କାନିଂ ରିପୋର୍ଟ ଅନୁସାରେ ବୈଷୟିକ କାର୍ଯ୍ୟ କରାଯାଉଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ରତ୍ନଭଣ୍ଡାର ଅମୁହା ଦେଉଳର ବାହାର ପାର୍ଶ୍ଵ କେମିକାଲ ୱାସିଂ କରାଯିବା ସହ ମରାମତି ନେଇ ପଦକ୍ଷେପ ନିଆଯିବ । ରଥଯାତ୍ରା ପରେ ବାକି କାମ ସାରିବାକୁ ଲକ୍ଷ୍ୟ ରଖିଛି ଏଏସଆଇ ।
ଗତବର୍ଷ ଡିସେମ୍ବର ୧୭ ତାରିଖରୁ ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଏସଆଇକୁ ବର୍ତ୍ତମାନ ସୁଦ୍ଧା ୧୯୩ ଘଣ୍ଟା ୫ ମିନିଟ ସମୟ ମିଳିଛି । ନୀତିକାନ୍ତି ହେତୁ ମରାମତି କାମ ଅନେକ ସମୟରେ ବନ୍ଦ ରହିଛି l ସେପଟେ ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ମରାମତିକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ ।
ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ସମେତ ଦେଉଳ କରଣ, ତଡ଼ଉ କରଣ, ଭଣ୍ଡାର ମେକାପ ଆଦି ଯୋଗ ଦେଇଥିଲେ ।
୭୦ ବର୍ଷିୟା ବୃଦ୍ଧା ରେଜିଆ ସୁଲତାନଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍ ପରେ ଆଶା ଆଶଙ୍କାରେ ପରିବାର
ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ୱରର ସୋର ପଠାନମହଲାରେ ରହୁଥିବା ୭୦ ବର୍ଷ ବୃଦ୍ଧା ରେଜିଆ ସୁଲତାନଙ୍କୁ ଭାରତ ଛାଡିବାକୁ ନୋଟିସ ପରେ ଆଶା ଆଶଙ୍କାରେ ପରିବାର ଲୋକେ । ହଠାତ ଏପରି ଏକ ପରିସ୍ଥିତି ଆସିବା ପରେ ପରିବାରରେ ଭାଳେଣି ପଡିଯାଇଛି । ଭାରତରେ ଜନ୍ମ ହୋଇ ଥରେ ବି ପାକିସ୍ତାନ ଯାଇ ନଥିବା ପରିବାର ଲୋକଙ୍କୁ କେମିତି ନୋଟିସ ଆସିଲା ବୋଲି ସେମାନଙ୍କୁ ଚକିତ କରିଛି ।
ରେଜିଆଙ୍କର ସୋରରେ ପାନକାର୍ଡ, ଆଧାର କାର୍ଡ, ଭୋଟର କାର୍ଡ, ଭତ୍ତା କାର୍ଡ ଥିବା ବେଳେ ପାକିସ୍ତାନର କୌଣସି କାଗଜପତ୍ର ନାହିଁ କି ଭିସା ନାହିଁ । କେମିତି ଭାରତ ଛାଡ ନୋଟିସ ଆସିଲା ବୋଲି ପ୍ରଶାସନକୁ ପରିବାର ଲୋକେ ପ୍ରଶ୍ନ କରିଛନ୍ତି । ରେଜିଆ ଏବେ ବିଭିନ୍ନ ରୋଗରେ ପୀଡିତ ହୋଇ ଅସୁସ୍ଥ ଥିବା ବେଳେ ପାକିସ୍ତାନ ଯାଇ କେଉଁଠି ରହିବେ ବୋଲି କୋହଭରା କଣ୍ଠରେ କହିଛନ୍ତି ।
ମାଆଙ୍କୁ ନୋଟିସ ଆସିବା ପରେ ଆମେ ଭାରତ ଛାଡିବୁ ନାହିଁ ବୋଲି ପରିବାର ଲୋକ କହିଛନ୍ତି । ଆମେ ଏଇଠି ଜନ୍ମ ହୋଇଛୁ,ଏଇଠି ମରିବୁ ବୋଲି ସେମାନେ କହିଛନ୍ତି । ଭାରତ ସରକାର ଏହି ଘଟଣାକୁ ଆଉ ଥରେ ତର୍ଜମା କରି ନୋଟିସ ଫେରାଇ ନେବାକୁ ପରିବାର ପକ୍ଷରୁ ଆକୁଳ ନିବେଦନ କରାଯାଇଛି ।

