ଭୁବନେଶ୍ବର: ଏପ୍ରିଲ ୩୦ରେ ସରିବ ଯୁକ୍ତ ଦୁଇ ଖାତା ଦେଖା। ମେ’ ୧୫ରୁ ୨୦ ଭିତରେ ପ୍ରକାଶ ପାଇବ ପରୀକ୍ଷା ଫଳ। ପୂର୍ବରୁ ଏପ୍ରିଲ ୨୮ରେ ଖାତା ଦେଖା ସାରିବାକୁ ସ୍ଥିର ହୋଇଥିଲା। ହେଲେ ହିଟୱେଭ ଯୋଗୁଁ ମାଲକାନଗିରି ଓ ବରଗଡରେ କିଛି ସମସ୍ୟା ଦେଖା ଯାଇଥିଲା। ଟାଣ ଖରା ଯୋଗୁଁ ସେଣ୍ଟର ଆସିବାକୁ ଅସୁବିଧା ହେଉଥିବା ଅଭିଯୋଗ ଆସିଥିଲା। ସକାଳ କି ସନ୍ଧ୍ୟାରେ ଖୋଲି ପାରିବେ ସେଣ୍ଟର। ରାଜ୍ୟର ୧୪୮ଟି ଜୋନ ପାଇଁ ଏହି ନିର୍ଦ୍ଦେଶ ରହିଛି। ୯୦ ପ୍ରତିଶତ ଖାତା ଦେଖା ସରିଲାଣି। ଅନଲାଇନ ଅପଡେଶନ ପାଇଁ ଦୁଇ ଦିନ ଲାଗିବ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ।
ଭୁବନେଶ୍ବରରେ ରହିଛନ୍ତି ଜଣେ ପାକିସ୍ତାନୀ ମହିଳା, ୨୦୨୪ରୁ ସରିଯାଇଛି ଭିସା ଅବଧି
ଭୁବନେଶ୍ବର: ଭୁବନେଶ୍ବରରେ ରହିଛନ୍ତି ଜଣେ ପାକିସ୍ତାନୀ। ଦୀର୍ଘ ମିଆଦି ଭିସାରେ ୨୦୦୮ରୁ ଭୁବନେଶ୍ଵରରେ ରହୁଛନ୍ତି ପାକିସ୍ତାନୀ ମହିଳା। ପାକିସ୍ତାନୀ ମହିଳା ଜଣକ ଜଣେ ଓଡ଼ିଆଙ୍କୁ ବିବାହ କରିବା ସହ ଏଠାରେ ଦୀର୍ଘ ମିଆଦି ଭିସାରେ ରହୁଥିବା ଜଣାପଡ଼ିଛି।
ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କ ଭିସା ଅବଧି ୨୦୨୪ରେ ଶେଷ ହୋଇଛି। ଯେଉଁଥି ପାଇଁ ମହିଳା ଜଣକ ଭାରତ ଛାଡ଼ି ପାକିସ୍ତାନ ଚାଲିଯିବା ପାଇଁ ଏଗଜିଟ୍ ଭିସା ଲାଗି କମିଶନରେଟ ପୋଲିସ ନିକଟରେ ଆବେଦନ କରିଥିଲେ। କିନ୍ତୁ ସେ ଆବେଦନ ପଡି ରହିଥିଲା। ଏବେ ପହଲଗାଁଓ ଘଟଣା ପରେ ସମସ୍ତ ପାକିସ୍ତାନୀ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କୁ ମଧ୍ୟ ଭୁବନେଶ୍ବର ଛାଡି ଯିବା ପାଇଁ ପୋଲିସ ନୋଟିସ କରିଛି।
୧୧ ସଫେଇ କର୍ମଚାରୀଙ୍କ ଉପରେ ଚଢ଼ିଗଲା ପିକଅପ ଭ୍ୟାନ୍, ୬ ମୃତ, ୫ ଆହତ
ନୁହ: ହରିୟାଣା ନୁହ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୬ ଜଣ ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଏଥିରେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି ।
ରିପୋର୍ଟ ଅନୁସାରେ, ଫିରୋଜପୁର ଝିରକା ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଇବ୍ରାହିମବାସ ଗାଁ ନିକଟରେ ଏକ ଦ୍ରୁତଗାମୀ ପିକଅପ୍ ଗାଡ଼ି ସଫେଇ କର୍ମଚାରୀଙ୍କୁ ଧକ୍କା ଦେଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ, ୬ ଜଣ ସଫେଇ କର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଅନ୍ୟ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ସକାଳ ପ୍ରାୟ ୧୦ଟା ସମୟରେ ପ୍ରାୟ ୧୧ ଜଣ ସଫେଇ କର୍ମଚାରୀ ଏକ୍ସପ୍ରେସୱେ ସଫା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ହଠାତ୍ ଏକ ଦ୍ରୁତ ଗତିର ପିକଅପ୍ ଆସି ଏହି କର୍ମଚାରୀମାନଙ୍କୁ ଜୋରରେ ଧକ୍କା ଦେଲା। ଧକ୍କା ଏତେ ଜୋରଦାର ଥିଲା ଯେ ଘଟଣା ସ୍ଥଳରେ ୬ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଆହତ ଦୁଇ କର୍ମଚାରୀଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଆଉ ଏକ ଆକ୍ରମଣର ଆଶଙ୍କା, ସତର୍କ କଲା ଗୁଇନ୍ଦା ସଂସ୍ଥା
ପହଲଗାମ: ଜାମ୍ମୁ କାଶ୍ମୀର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ଥରାଇ ଦେଇଥିଲାବେଳେ ଏହି ସ୍ଥାନରେ ବିପଦ ଏବେ ବି ଟଳିନାହିଁ । ଏବେ ଆଉ ଏକ ଆକ୍ରମଣ ଆଶଙ୍କା ପ୍ରକାଶ ପାଇଛି । ଗୁଇନ୍ଦା ସଂସ୍ଥା ଗୁଡ଼ିକ ଦ୍ବାରା ଜାରି ହୋଇଥିବା ସତର୍କ ସୂଚନା ଅନୁସାରେ ଜାମ୍ମୁ କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ । ଏଥର ମଧ୍ୟ ଟାର୍ଗେଟ କିଲିଂ ସହିତ ବଡ଼ ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି ।
ଦକ୍ଷିଣ କାଶ୍ମୀର ଟାର୍ଗେଟରେ ଥାଇପାରେ ବୋଲି ଗୁଇନ୍ଦା ସଂସ୍ଥା କହିଛି । ଏ ଥର ମଧ୍ୟ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ଟାର୍ଗେଟ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି । ଏଥିପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଆଗୁଆ ସତର୍କ କରାଯାଉଛି । ଜାମ୍ମୁ କାଶ୍ମୀରର କୋଣ କୋଣରେ ସୁରକ୍ଷା କର୍ମୀ ରହିଛନ୍ତି । ଆଜି ସେନା ଆତଙ୍କବାଦୀଙ୍କ ଘର ଭାଙ୍ଗି ଦେଇଛନ୍ତି । ଏହି ଘରୁ ସନ୍ଦେହଜନକ ସାମଗ୍ରୀ ମଧ୍ୟ ମିଳିଛି ।
ପାକିସ୍ତାନ ପକ୍ଷରୁ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ, ରାତି ତମାମ ଏଲଓସିରେ ଗୁଳି ବିନିମୟ
ନନ୍ଦିଘୋଷ ବ୍ୟୁରୋ: ପହଲଗାମ ଆକ୍ରମଣ ପରେ ପାକିସ୍ତାନ ନିୟନ୍ତ୍ରଣ ରେଖା ଏଲଓସିରେ ଲଗାତାର ଗୁଳି ବର୍ଷଣ ଚାଲିଛି । ପାକିସ୍ତାନ ପଟୁ ହେଉଥିବା ଗୁଳିମାଡ଼ର କଡ଼ା ଜବାବ ଦେଉଛି ଭାରତୀୟ ସେନା । ସେନା ଏ ନେଇ କହିଛି ଯେ, ଗତ ରାତିରେ ପାକିସ୍ତାନୀ ସେନା ଗୁଳି ମାଡ଼ କରିଥିଲା । ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଥିଲା । ଏହି ଗୁଳି ବିନିମୟ ନେଇ କ୍ଷୟକ୍ଷତିର କୌଣସି ସୂଚନା ନାହିଁ ।
ଏହି ଆକ୍ରମଣକୁ ଦୃଷ୍ଟିରେ ରଖି ସେନା ମୁଖ୍ୟ ବରିଷ୍ଠ କମାଣ୍ଡରଙ୍କ ସମେତ ବୈଠକ କରାଯାଇଛି । ଏହା ପରେ ସୁରକ୍ଷା ବ୍ୟବସ୍ଥା ନେଇ କଡ଼ା ଯାଞ୍ଚ ହୋଇଛି ।
ପହଲଗାମ ଆକ୍ରମଣ ପରେ ସିନ୍ଧୁ ଜଳ ଚୁକ୍ତି ବାତିଲ ହୋଇଛି । ଓ୍ବାଘା ଅଟାରୀ ବର୍ଡରକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଭାରତରେ ରହୁଥିବା ପାକିସ୍ତାନ ନାଗରିକଙ୍କୁ ଶୀଘ୍ର ଫେରିଯିବାକୁ କୁହାଯାଇଛି ।
ଭାରତ ସହ କୌଣସି ବି ସ୍ଥରରେ ମୁକାବିଲା କରିପାରିବନି ପାକିସ୍ତାନ, କାହିଁକି ଜାଣନ୍ତୁ…
ନନ୍ଦିଘୋଷ ବ୍ୟୁରୋ: ଭାରତ ସହ ଯୁଦ୍ଧ କଲେ ବରବାଦ ହୋଇଯିବ ପାକିସ୍ତାନ । ନା ଥିବ ଖାଦ୍ୟ ନା ଥିବ ପାଣି । ଆର୍ଥିକ ଭାବେ ପାକିସ୍ତାନ ତ ଧ୍ବଂସ ହୋଇଛି । ଏବେ ଯାହା ବାକି ଅଛି ଯୁଦ୍ଧ ହେଲେ ତାହା ବି ରହିବନି । ଭାରତ ସହ ମୁକାବିଲା କରିବାକୁ ପାକିସ୍ତାନ ସକ୍ଷମ ନୁହେଁ ବୋଲି ଆମେ ସମସ୍ତେ ଜାଣିଛେ । ତଥାପି ଭାରତ କଡ଼ା ଆକ୍ସନ ନେବାକୁ ପ୍ରସ୍ତୁତି ଚଳାଇଛି । କ’ଣ ସବୁ କାରଣ ରହିଛି ଯେଉଁଥିପାଇଁ ପାକିସ୍ତାନ ଆମ ସହ ମୁକାବିଲା କରିପାରିବ ନାହିଁ ଜାଣନ୍ତୁ ।
ଜିଡିପି- ଭାରତର ଜିଡିପି ପ୍ରାୟ ୩.୭ ଟ୍ରିଲିୟନ ଡଲାର । ଆଉ ପାକିସ୍ତାନର ଜିଡିପି ରହିଛି ମାତ୍ର ୩୪୦ ହଲାର । ଏହା ଦର୍ଶାଉଛି ପାକିସ୍ତାନ କେତେ ଦାରିଦ୍ର୍ୟରେ ରହିଛି ।
ଜିଡିପି ଅଭିବୃଦ୍ଧି ହାର – ବର୍ତ୍ତମାନ, ଭାରତୀୟ ଅର୍ଥନୀତି ବାର୍ଷିକ ପ୍ରାୟ ୬.୫ ପ୍ରତିଶତ ହାରରେ ଅଭିବୃଦ୍ଧି ପାଉଛି, ଯେତେବେଳେ ପାକିସ୍ତାନର ଜିଡିପି ଅଭିବୃଦ୍ଧି ହାର ୨%। ପାକିସ୍ତାନର ପ୍ରାୟ ସମସ୍ତ ଶିଳ୍ପ ଧ୍ୱଂସ ପାଇବାକୁ ବସିଛି ।
ସାମରିକ ବଜେଟ୍- ଯଦି ଆମେ ସାମରିକ ବଜେଟ୍ ବିଷୟରେ କଥା ହେବା, ତେବେ ବର୍ତ୍ତମାନ ଭାରତର ବଜେଟ୍ ୭୮.୭ ବିଲିୟନ ଡଲାର, ଯେତେବେଳେ ପାକିସ୍ତାନର ସାମରିକ ବଜେଟ୍ ମାତ୍ର ୭.୬ ବିଲିୟନ ଡଲାର, ଅର୍ଥାତ୍ ଭାରତର ସାମରିକ ବଜେଟ୍ ପାକିସ୍ତାନ ଅପେକ୍ଷା ୧୦ ଗୁଣ ଅଧିକ।
ମୁଦ୍ରାସ୍ଫୀତି: ପାକିସ୍ତାନରେ ଲୋକମାନେ ଭୋକ ଉପାସରେ ଅଛନ୍ତି, ମୁଦ୍ରାସ୍ଫୀତି ଶୀର୍ଷରେ ଅଛି, ଖାଦ୍ୟ ସାମଗ୍ରୀର ଲୁଟ୍ ଚାଲିଛି। ୨୦୨୪ ମସିହାରେ ପାକିସ୍ତାନରେ ହାରାହାରି ମୁଦ୍ରାସ୍ଫୀତି ହାର ପ୍ରାୟ ୨୪ ପ୍ରତିଶତ ଥିଲା, ଯେତେବେଳେ ଭାରତରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪% ଥିଲା।
ବିଦେଶୀ ମୁଦ୍ରା ସଂରକ୍ଷଣ: ଭାରତରେ ବର୍ତ୍ତମାନ ପ୍ରାୟ ୬୭୮ ବିଲିୟନ ଡଲାର ଭଣ୍ଡାର ଅଛି, ଏବେ ପାକିସ୍ତାନ ଜରୁରୀ ଜିନିଷପତ୍ର ମଧ୍ୟ କିଣି ପାରୁନାହିଁ। ଏହାର ରିଜର୍ଭରେ କେବଳ ୮ ବିଲିୟନ ଡଲାର ଅଛି।
କାର ସାଇଡମରାକୁ ନେଇ ତୁମୁଳକାଣ୍ଡ, ଖଣ୍ଡାରେ ଆକ୍ରମଣ କଲେ ବରଯାତ୍ରୀ
ବାଙ୍କୀ: ବାଙ୍କୀ ବ୍ଲକ ବୈଦେଶ୍ୱରରେ ବରଯାତ୍ରୀ ଦଳର ତୁମୁଳକାଣ୍ଡ। କାରର ସାଇଡ ମରାକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟିଛି। ଉତ୍ତ୍ୟକ୍ତ ବରଯାତ୍ରୀ ଦଳ କାରକୁ ଭଙ୍ଗାରୁଜା କରିବା ସହ ଖଣ୍ଡାରେ ଆକ୍ରମଣ କରି ୩ ଜଣଙ୍କୁ ଆହତ କରିଛନ୍ତି। ସୂଚନା ଅନୁସାରେ, ତିଗିରିଆ ଥାନା ବିନ୍ଧାଣିମା ଗାଁର ପ୍ରାୟ ଶହେରୁ ଅଧିକ ବରଯାତ୍ରୀ ଦଳ ବୈଦେଶ୍ୱର ଗାଁରୁ ପ୍ରୋସେସନ୍ କରି ଯାଉଥିବା ବେଳେ, ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ କାରର ସାଇଡ ମରାକୁ ନେଇ ତୁମୁଳକାଣ୍ଡ ଘଟିଥିଲା। ବରଯାତ୍ରୀ ଦଳ ପକ୍ଷରୁ ଆସିଥିବା ଯୁବକ ମାନେ ଉତ୍ତ୍ୟକ୍ତ ହୋଇ କାରକୁ ଭାଙ୍ଗିବା ସହ ଖଣ୍ଡାରେ ତିନି ଜଣଙ୍କୁ ଆକ୍ରମଣ କରିଥିଲେ। ବୈଦେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବରଯାତ୍ରୀ ଦଳର ୪ ଜଣ ଯୁବକଙ୍କୁ ଅଟକ ରଖିଛି। ଗୋଟିଏ ସ୍କର୍ପିଓ, କାର ସହିତ ପ୍ରୋସେଶନରେ ଯାଇଥିବା ଡିଜେ ଗାଡିକୁ ଥାନାରେ ଅଟକ ରଖିଛି। ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚଳାଇଛି ପୋଲିସ।
ଭାରତର ଆକ୍ସନ ଜାରି, ଧ୍ବଂସ ହେଲା ୩ ଆତଙ୍କବାଦୀଙ୍କ ଘର
ଜାମ୍ମୁ କାଶ୍ମୀର: କାଶ୍ମୀରରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ଉପରେ ଭାରତୀୟ ସେନାର ଆକ୍ରମଣ ଜାରି ରହିଛି। ପହଲଗାମ ଆକ୍ରମଣରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଆଉ ଦୁଇଟି ଘର ଧ୍ୱଂସ କରିଛି ସେନା। ଏହି ଆତଙ୍କବାଦୀଙ୍କ ଘର ପୁଲୱାମା ପାଖାପାଖି ବୋଲି କୁହାଯାଉଛି। ଶୁକ୍ରବାର ପୂର୍ବରୁ, ପହଲଗାମ ଆକ୍ରମଣରେ ସନ୍ଦିଗ୍ଧ ଆତଙ୍କବାଦୀ ଆଦିଲ ଏବଂ ଆସିଫଙ୍କ ଘର ମଧ୍ୟ ସେନା ଦ୍ୱାରା IED ବିସ୍ଫୋରଣ ମାଧ୍ୟମରେ ଧ୍ୱଂସ କରାଯାଇଥିଲା। ପହଲଗାମ ଆକ୍ରମଣ ପରେ ଉଭୟଙ୍କ ନାମ ସାମ୍ନାକୁ ଆସିଛି।
ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ପ୍ରଶାସନ ଗତକାଲି ରାତିରେ ଦୁଇ ସକ୍ରିୟ ଆତଙ୍କବାଦୀଙ୍କ ଘର ଭାଙ୍ଗି ଦେଇଛି। ଶୋପିଆନ ଏବଂ କୁଲଗାମ ଜିଲ୍ଲାରେ ରହିଥିଲା ଏହି ଦୁଇ ଆତଙ୍କବାଦୀଙ୍କ ଘର । ଶୋପିଆନ ଜିଲ୍ଲାର ଛୋଟିପୋରା ଗାଁରେ ପ୍ରଥମ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା, ଯେଉଁଠାରେ ସକ୍ରିୟ ଲସ୍କର-ଏ-ତୈବା କମାଣ୍ଡର ଶାହିଦ ଅହମ୍ମଦ କୁଟ୍ଟେଙ୍କ ଘର ସମ୍ପୂର୍ଣ୍ଣ ଧ୍ୱଂସ କରାଯାଇଥିଲା। ଶାହିଦ ଗତ ୩ରୁ ୪ ବର୍ଷ ଧରି ଆତଙ୍କବାଦୀ କାର୍ଯ୍ୟକଳାପରେ ସକ୍ରିୟ ଅଛି ଏବଂ ଅନେକ ଦେଶ ବିରୋଧୀ ଷଡ଼ଯନ୍ତ୍ରରେ ସାମିଲ ଅଛି। ଏହା ପରେ ଜାକିରର ଘର ଭଙ୍ଗା ଯାଇଛି ।
ଆଜିଠୁ ତାତିରୁ ମିଳିପାରେ ଅଶ୍ବସ୍ତି, କାଳବୈଶାଖୀ ବର୍ଷାରେ ଭିଜିପାରେ ଓଡ଼ିଶା
ଭୁବନେଶ୍ବର: ଆଜିଠୁ ତାତିରୁ ମିଳିପାରେ ଅଶ୍ବସ୍ତି । କାଳବୈଶାଖୀ ବର୍ଷାରେ ଭିଜିପାରେ ଓଡ଼ିଶା । ମାଲକାନଗିରି ,ଗଂଜାମ କୋରାପୁଟ ମୟୂରଭଞ୍ଜରେ ବିଜୁଳି ଘଡଘଡି ବର୍ଷା ସହ ୩୦ ରୁ ୪୦ କିମିର ଝାଡ ପବନ ସମ୍ଭାବନା ରହିଛି । ଏ ନେଇ ୟେଲୋ ଓ୍ବାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । ୨୯ ତାରିଖ ଯାଏ ପ୍ରବଳ ତାତି ସହ କାଳବୈଶାଖୀ ବର୍ଷା ବି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ ୩ ଦିନ ମଧ୍ୟରେ ୩ ରୁ ୫ ଡିଗ୍ରୀ ତାପମାତ୍ରା ହ୍ରାସ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ପ୍ରବଳ ତାତି ନେଇ ମଧ୍ୟ ଝାରସୁଗୁଡା, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗୀର ୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହାସହ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା,ଯାଜପୁର, କଟକ, ଜଗସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ,ଗଂଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣି ଜାରି କରିଛି ବିଭାଗ।
ଆଜି ପୋପ୍ ଫ୍ରାନସିସଙ୍କ ଅନ୍ତିମ ସଂସ୍କାର, ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନନ୍ଦିଘୋଷ ବ୍ୟୁରୋ: ଆଜି ପୋପ୍ ଫ୍ରାନସିସ୍ ଙ୍କ ଅନ୍ତିମ ସଂସ୍କାର କରାଯିବ। ଏଥିପାଇଁ ରୋମ୍ ରେ ପହଞ୍ଚିବାରେ ଲାଗିଛନ୍ତି ବିଭିନ୍ନ ଦେଶର ପ୍ରତିନିଧି, ଖ୍ରୀଷ୍ଟ ଧର୍ମର ଧର୍ମଯାଜକ ଓ ତୀର୍ଥଯାତ୍ରୀ। ପୋପ୍ ଫ୍ରାନସିସ୍ ଙ୍କୁ ସେମାନେ ଅନ୍ତିମ ବିଦାୟ ଜଣାଇବେ। ଗତ ସୋମବାର ପୋପ୍ ଙ୍କ ପରଲୋକ ହୋଇଥିଲା। କିଛି ଦିନ ଧରି ସେ ନିମୋନିଆରେ ପୀଡ଼ିତ ଥିଲେ ଏବଂ ଗତ ସୋମବାର ୮୮ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ଭାଟିକାନ ସିଟି ର ମାରିଆ ମାଗିଓରେ ଚର୍ଚ୍ଚରେ ତାଙ୍କୁ କବର ଦିଆଯିବ। ସାଧାରଣତଃ ସମସ୍ତ ପୋପଙ୍କୁ ସେଣ୍ଟ ପିଟର୍ସ ର ବାସିଲିକାରେ କବର ଦିଆଯାଇଥାଏ। କିନ୍ତୁ ମାରିଆ ମାଗିଓ ଚର୍ଚ୍ଚରେ କବର ପାଇଁ ଆଗରୁ ଇଚ୍ଛା ପ୍ରକାଶ କରିଥିଲେ ପୋପ୍ । ତାଙ୍କ ଇଚ୍ଛାକୁ ସମ୍ମାନ ଦେଇ ଏହି ଚର୍ଚ୍ଚରେ ତାଙ୍କୁ କବର ଦିଆଯିବ। ଆଜି ଭାରତୀୟ ସମୟ ଦିନ ସାଢ଼େ ଗୋଟାଏରୁ ପ୍ରକ୍ରିୟା ଆରମ୍ଭ ହେବ । ଆଜି ପର୍ଯ୍ୟନ୍ତ ସେଣ୍ଟ ପିଟର୍ସ ସ୍କୋୟାରରେ ପୋପ୍ ଙ୍କ ପାର୍ଥିବ ଶରୀର ରଖାଯାଇଥିଲା। ଏଠାରେ ସାଧାରଣ ଲୋକେ ପୋପଙ୍କ ଅନ୍ତିମ ଦର୍ଶନ କରିଥିଲେ। …ତାଙ୍କ ଅନ୍ତିମ ସଂସ୍କାରରେ ଭାରତ ସରକାରଙ୍କ ପକ୍ଷରୁ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ସେ ୨ ଦିନିଆ ଗସ୍ତରେ ରୋମ୍ ଯାଇଛନ୍ତି । ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ, ବ୍ରିଟେନର ପିଏମ୍ ଷ୍ଟାର୍ କିରମର୍, ଫ୍ରାନସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ୟୁକ୍ରେନର ରାଷ୍ଟ୍ରପତି ଜେନେନସ୍କି ପ୍ରମୁଖ ପୋପଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ଅନ୍ତିମ ବିଦାୟ ଦେବେ।

