spot_img
Home Blog Page 826

ଆତଙ୍କବାଦୀ ଆକ୍ରମଣ ଘଟଣାରେ ଉଦବେଗ ପ୍ରକାଶ କଲେ ବିଭିନ୍ନ ରାଷ୍ଟ୍ର

ଜାମ୍ମୁ କାଶ୍ମୀର: ଆତଙ୍କୀ ହମଲା ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ସେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଛନ୍ତି। ଭାରତକୁ ଆବଶ୍ୟକ ସହାୟତା ଯୋଗାଇବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ବି ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି।

ସାଉଦିଆରବ କ୍ରାଉନପ୍ରିନ୍ସ ମହମ୍ମଦ ବିନ ସଲମାନ ହିଂସାକୁ ତୀବ୍ର ନିନ୍ଦାକରିଛନ୍ତି। ଏହି ବିପଦ କାଳରେ ଭାରତ ସହ ସାଉଦିଆରବ ଠିଆ ହେବ ବୋଲି ସେ କହିଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ହମଲାକୁ ଅତି କୁତ୍ସିତ ବୋଲି ଦର୍ଶାଇବା ସହ ଅପରାଧୀଙ୍କୁ କଠୋର ଦଣ୍ଡ ମିଳିବା ଦରକାର ବୋଲି କହିଛନ୍ତି। ସେ ଭାରତ ସହ ଏହି ଘଡ଼ିସନ୍ଧି ମୂହୂର୍ତ୍ତରେ ଠିଆ ହେବେ ବୋଲି କହିଛନ୍ତି। ଏନେଇ ସେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖିଛନ୍ତି।

ସେହିପରି ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି  ବି ଏହି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ କେର ଷ୍ଟାର୍ମର, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ପ୍ରମୁଖ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଇରାନ, ୟୁଏଇ, ଶ୍ରୀଲଙ୍କା, ଫ୍ରାନ୍ସ, ଜର୍ମାନୀ, ୟୁକ୍ରେନ ପକ୍ଷରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି।

ଆତଙ୍କବାଦୀ ଆକ୍ରମଣ ପରେ କଡ଼ା ସୁରକ୍ଷାରେ ଜାମ୍ମୁ କାଶ୍ମୀର, ହାଇ ଆଲର୍ଟରେ ଦିଲ୍ଲୀ

ଜାମ୍ମୁ କାଶ୍ମୀର: ଭୂସ୍ବର୍ଗରେ ରକ୍ତର ହୋଲି । ଜାମୁ ଓ କାଶ୍ମୀରରେ ଆତଙ୍କୀ ହମଲାରେ ଚାଲିଗଲା ଗୋଟିଏ ପରେ ଗୋଟିଏ ଜୀବନ । ଗତକାଲି ସଇତାନଙ୍କ ଏହି ବୀଭତ୍ସ କାଣ୍ଡରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ନୌସେନା ଅଧିକାରୀ ଓ ଜଣେ ଗୁଇନ୍ଦା ଅଧିକାରୀ ଅଛନ୍ତି। ଏଥର ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ ।  ପହଲଗାଓଁସ୍ଥିତ ବୈସରନରେ ଗୁଳିମାଡ଼ ହୋଇଛି। ଲସ୍କର ସଂଗଠନର ରେଜିଷ୍ଟାନ୍ସ ଫ୍ରଣ୍ଟ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୨ ଜଣ ବିଦେଶୀ ପର୍ଯ୍ୟଟକ। ସାଉଦିଆରବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ଫେରିଛନ୍ତି । ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ସେ ସ୍ଥିତି ସମୀକ୍ଷା କରିବେ। ସେହିପରି ଆମେରିକା ଗସ୍ତରେ ଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବି ଫେରିଆସିବେ ବୋଲି ସୂଚନା ମିଳିଛି।

ଗତକାଲି ଅପରାହ୍ଣ ୨ଟା ୩୦ରେ ହଠାତ୍ ନିରୀହ ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାଇଥିଲେ ଆତଙ୍କୀ। ଶ୍ରୀନଗରଠାରୁ ୮୯ କିଲୋମିଟର ଦୂରରେ ହୋଇଥିଲା ଆକ୍ରମଣ । ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପରେ ଶ୍ରୀନଗର ଯାଇ ସ୍ଥିତି ସମୀକ୍ଷା କରିଥିଲେ ଅମିତ ଶାହ। ଏହି ଘଟଣା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା । ଏଥିରେ କେନ୍ଦ୍ର ଗୃହ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ। ଆହତଙ୍କୁ ଶୀଘ୍ର ଚିକତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଅମିତ ଶାହା । ସରକାରଙ୍କ ପକ୍ଷରୁ  ହେଲପଲାଇନ ନମ୍ବର 9596777669/01932225870 ଜାରି କରାଯାଇଛି ।  ଏକ ହ୍ବାଟସଆପ ନମ୍ବର- 9419051940 ମଧ୍ୟ ଜାରି ହୋଇଛି । ଆକ୍ରମଣ ପରେ ଦିଲ୍ଲୀକୁ ହାଇଆଲର୍ଟରେ ରଖାଯାଇଛି । ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡିକ ଉପରେ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ରହିଛି । ନର୍ଦ୍ଦନ ଆର୍ମି କମାଣ୍ଡରଙ୍କ ଜାମୁ କାଶ୍ମୀର ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି । ଘଟଣା ସ୍ଥଳରେ ବିଏସଏଫ୍, ସିଆରପିଏଫ୍ ଏବଂ କ୍ୟୁଏଟିର ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଆତଙ୍କବାଦୀଙ୍କ ଏଭଳି ନିଷ୍ଠୁର କାର୍ଯ୍ୟ ଅକ୍ଷମଣୀୟ : ମାନସ ମଙ୍ଗରାଜ

ଭୁବନେଶ୍ବର : ପେହେଲଗାଓଁ ଆତଙ୍କବାଦୀ ଆକ୍ରମଣରେ ବାଲେଶ୍ବରର ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ପ୍ରଶାନ୍ତଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି । ଆତଙ୍କବାଦୀଙ୍କୁ କୌଣସି ଦୟା ଦେଖାଯିବା ଉଚିତ ନୁହେଁ ବୋଲି କହିଛନ୍ତି ମାନସ । ସେମାନଙ୍କୁ କଠୋର ହସ୍ତରେ ଦମନ କରାଯିବା ଉଚିତ । ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ମୃତକଙ୍କ ପାଇଁ ବି ଶୋକ ପ୍ରକାଶ କରିଛନ୍ତି ସାଂସଦ । ଆତଙ୍କବାଦୀଙ୍କ ଏଭଳି ନିଷ୍ଠୁର କାର୍ଯ୍ୟ ଅକ୍ଷମଣୀୟ। ଆତଙ୍କବାଦ ବିରୋଧ ଲଢେଇରେ ପୂରା ଦେଶ ଏକାଠି ହେବ ବୋଲି ସେ କହିଛନ୍ତି ।

ଭୁବନେଶ୍ବର ଶିଶୁ ଅପରହଣ ନାଟକର ପର୍ଦ୍ଦାଫାସ୍, ଅପହୃତ ଶିଶୁ ସୁରକ୍ଷିତ ଉଦ୍ଧାର

ଭୁବନେଶ୍ବର : ରାଜଧାନୀ ଶିଶୁ ଅପରହଣ ନାଟକର ପର୍ଦ୍ଦାଫାସ୍ । ଅପହୃତ ଶିଶୁକୁ ସୁରକ୍ଷିତ ଉଦ୍ଧାର ସହ ୭ ଜଣ ଅପହରଣକାରୀଙ୍କୁ ଗିରଫ କଲା ପୋଲିସ୍ । ଅପହରଣକାରୀଙ୍କ ମଧ୍ଯରେ ଦୁଇଜଣ ମହିଳା ଅଛନ୍ତି । ପ୍ରେସମିଟ ଜରିଆରେ ସୂଚନା ଦେଲେ ପୋଲିସ କମିଶନର ଏସ ଦେବଦତ୍ତ ସିଂ । ଟଙ୍କା ପାଇଁ ଅପହରଣ କରିଥିଲେ ଅଭିଯୁକ୍ତ । ଗାଁର ଯୁବକ ହିଁ ଥିଲା ଏହି ଅପହରଣ ଘଟଣାରେ ମାଷ୍ଟରମାଇଣ୍ଡ । ୬ ଘଣ୍ଟାର ସିକ୍ରେଟ ଅପରେସନ୍ ପରେ ନିରାକାରପୁର ଅଞ୍ଚଳରୁ ଅପହୃତ ଶିଶୁକୁ ଉଦ୍ଧାର କରିଛି ସ୍ପେଶାଲ ଟିମ୍ । ତେବେ ଘଟଣାରେ ଏବେବି ଜଣେ ଫେରାର ଅଛି ।  ଜମି ଟଙ୍କା ପାଇଁ କିଡନାପ୍ କରିଥିଲେ ଅଭିଯୁକ୍ତ । ଜମି ଟଙ୍କାନେଇ ଶୁଭ୍ରକାନ୍ତ ମହାନ୍ତିଙ୍କ ନିକଟରେ ଥିଲା ସୂଚନା । ତେବେ ତାଙ୍କୁ ଟ୍ୟୁସନ ସାର ନେଇଯାଇଥିଲେ । ମେଡିକାଲ ନେବାକୁ କହି ଅପହରଣ କରାଯାଇଥିବା ଉଦ୍ଧାର ପରେ ସୂଚନା ଦେଇଛି ଉଦ୍ଧାର ନାବାଳକ ।  ସହର ଉପକଣ୍ଠ ପାଞ୍ଚଗାଁରୁ ବନ୍ଧୁକ ମୁନରେ ୮ ବର୍ଷର ଛୁଆକୁ ଉଠାଇନେଇଥିଲେ ଦୁର୍ବୃତ୍ତ । ସାମ୍ନାକୁ ଆସିଥିଲା ଅପହରଣ ସମୟର ସିସିଟିଭି ଭିଡିଓ । ସକାଳ ୧୦ଟାରେ ଶିଶୁକୁ ଅପହରଣ କରାଯାଇଥିଲା । ସ୍କୁଲରୁ ଘରକୁ ଫେରିବାବେଳେ ଆରତ ରଞ୍ଜନ କାଳିଆଙ୍କ ୮ ବର୍ଷର ପୁଅକୁ ଏକ କାରରେ ଅପହରଣ କରାଯିବା ନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇଥିଲା । ଗାଁରୁ ଗାଡ଼ିଟି ବାହାରିବାବେଳେ କିଛି ଯୁବକ ଗାଡ଼ିଟିକୁ ଅଟକାଇଥିଲେ ମଧ୍ଯ ଦୁର୍ବୃତ୍ତମାନେ ବନ୍ଧୁକ ଓ ଛୁରୀ ଦେଖାଇ ପିଲାଟିକୁ ଅପହରଣ କରି ନେଇଥିଲେ । ଅଭିଯୁକ୍ତଙ୍କୁ ଧରିବା ସହ ପିଲାଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଗଠନ ହୋଇଥିଲା ସ୍ପେଶାଲ ଟିମ୍ । ଆଖପାଖରେ ଛାନବିନ କରିବା ସହ ସିସିଟିଭି ଯାଞ୍ଚ କରାଯାଇଥିଲା । ଠିକ୍ ଏହି ସମୟରେ ଅପହରଣକାରୀଙ୍କ ପାଖରୁ ଆସିଥିଲା ଏକ ଫୋନକଲ୍ । ପିଲାଟିର ମୁଣ୍ଡ ଜାମିନ ରଖି ୧୦ଲକ୍ଷ ଟଙ୍କା ଦାବି କରିଥିଲେ ଅପହରଣକାରୀ । ଟେଲିଫୋନ ନମ୍ବରକୁ ଟ୍ରେସ କରି ଅପହରଣକାରୀଙ୍କ ଲୋକେସନ ମିଳିବା ପରେ ପିଲାଟିକୁ ଉଦ୍ଧାର କରାଯାଇଛି ।

ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ : ୨୬ ମୃତ, ଅନେକ ଆହତ

ନନ୍ଦିଘୋଷ ବ୍ୟୁରୋ : ଜମ୍ମୁ ଓ କାଶ୍ମୀରରେ ବର୍ବର ଆତଙ୍କବାଦୀ ହମଲା। ଆଖିବୁଜା ଗୁଳିମାଡରେ ପ୍ରାଣ ହରାଇଛନ୍ତି ୨୬ରୁ ଅଧିକ ପର୍ଯ୍ୟଟକ। ଅନେକ ଆହତ ହୋଇଛନ୍ତି  ।  ପହଲଗାଓଁସ୍ଥିତ ବୈସରନ ଅଞ୍ଚଳରେ ଗୁଳିମାଡ଼ ହୋଇଛି । ଟ୍ରେକିଂ ଟ୍ରିପରେ ଯାଇଥିବା ପର୍ଯ୍ୟଟକଙ୍କୁ ଗୁଳିମାଡ଼ କରାଯାଇଛି। ମୃତାହତଙ୍କ ସଂଖ୍ୟା ଅଧିକ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ମୃତକଙ୍କ ମଧ୍ୟରେ କିଛି ବିଦେଶୀ ନାଗରିକ ଥିବା ସୂଚନା। ଲସ୍କର ସଂଗଠନର ରେଜିଷ୍ଟାନ୍ସ ଫ୍ରଣ୍ଟ ପକ୍ଷରୁ ହମଲା ହୋଇଛି। ହମଲା ବେଳେ ସାମରିକ ବାହିନୀର ପୋଷାକ ପିନ୍ଧିଥିଲେ ଆତଙ୍କବାଦୀ। ଘଟଣାସ୍ଥଳରେ ନିରାପତ୍ତା ରକ୍ଷୀ ମୁତୟନ କରାଯାଇଛି। ଏନେଇ ହେଲପଲାଇନ ନମ୍ବର ଜାରି ହୋଇଛି। ତାହା ହେଲା 959-677-766-9 ଓ 019-322-25-870। ହ୍ବାଟସଆପ ନମ୍ବର- 94-1905-1940। ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ସ୍ଥିତି ସମୀକ୍ଷା କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି।  ପର୍ଯ୍ଯଟକମାନେ ବୈସରନ ଅଞ୍ଚଳରେ ଥିବାବେଳେ ସେମାନଙ୍କ ଉପରେ ଗୁଳିମାଡ କରିଥିଲେ ଆତଙ୍କୀ।  ଏହି ଘଟଣା ପରେ ସାରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ହମଲା ଲାଗି ନିଜକୁ ଦାୟୀ କରିଛି ଲସ୍କର ସଂଗଠନରେ ଟିଆରଏଫ ବାହିନୀ। ପହଲଗାଓଁ ହିଲ୍ ଷ୍ଟେସନରୁ ୫ କିଲୋମିଟର ଦୂର ବୈସରାମ ମିଡୋରେ ଏହି ହମଲା ହୋଇଛି। ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶ୍ରୀନଗରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଏହି ଘଟଣା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରାଯାଇଛି । ଗୁଳିକାଣ୍ଡକୁ ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ନିନ୍ଦା କରିଛନ୍ତି।

ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି

ଭୁବନେଶ୍ବର : ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା। ଆସନ୍ତାକାଲିଠୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭିଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ଅଙ୍ଗନବାଡି କେନ୍ଦ୍ର, ଶିଶୁବାଟିକା ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ବନ୍ଦ ରହିବ। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଦିନ ତାପମାତ୍ରାରେ ଅତ୍ୟଧିକ ବୃଦ୍ଧି ଯୋଗୁ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହେଉଛି। ତେଣୁ ପିଲାମାନଙ୍କ ସ୍ବାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ସମୟ ମଧ୍ୟରେ ଅଙ୍ଗନବାଡି ପିଲା ମାନଙ୍କୁ ସେମାନଙ୍କ ଘରେ ଶୁଖିଲା ଖାଦ୍ୟ ଯୋଗାଇ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଉଭୟ ସରକାରୀ ଓ ବେସରକାରୀ କଲେଜ ପିଲାମାନଙ୍କ ପାଇଁ ରାଜ୍ୟ ସରକାର ଆସନ୍ତାକାଲିଠୁ ଛୁଟି ଘୋଷଣା କରିଛନ୍ତି । ଏହି ସମୟରେ ପୂର୍ବରୁ ନିର୍ଦ୍ଧାରିତ ପରୀକ୍ଷା ଗୁଡିକ ନିର୍ଦ୍ଦିଷ୍ଟ ତାରିଖରେ ହେବ ଏବଂ ସଂପୃକ୍ତ ଅଧିକାରୀମାନେ ଏଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

୧ ଲକ୍ଷ ଟଙ୍କା ପାର କଲା ସୁନାଦର, ଗହଣା ଦୋକାନରେ ବେପାର ମାନ୍ଦା

ନନ୍ଦିଘୋଷ ବ୍ୟୁରୋ : ରେକର୍ଡ କଲା ସୁନାଦର । ଦୁଇ ସପ୍ତାହ ତଳେ ୨୪ କ୍ୟାରେଟ୍ ୧୦ ଗ୍ରାମକୁ ଥିଲା ୯୫ ହଜାର ୪୦୦ ଟଙ୍କା । ଆଜି ପାର୍ କଲା ୧ ଲକ୍ଷ ଟଙ୍କା । ହୁ ହୁ ହୋଇ ବଢୁଛି ସୁନାଦର । ଦୋକାନୀ ଓ ପୁଞ୍ଜି ନିବେଶକାରୀଙ୍କ ଚାନ୍ଦି ହିଁ ଚାନ୍ଦି । ଗ୍ରାହକ କପାଳରେ ଚଡ଼କ । ଆଗକୁ ଆହୁରି ବଢିବ ଦର । ମେ ମାସ ବେଳକୁ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ଛୁଇଁପାରେ ୧ ଲକ୍ଷ ୧୦ ହଜାର ଟଙ୍କା । ମଙ୍ଗଳବାର ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ୨ ହଜାର ଟଙ୍କା ରହିଥିବାବେଳେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ୯୨ ହଜାର ୯୦୦ ଟଙ୍କା ରହିଛି । ବ୍ରହ୍ମପୁରରେ ୨୪ କ୍ୟାରେଟ୍ ୧ ଲକ୍ଷ ୧ ହଜାର ୧୩୫ ଟଙ୍କା । ୨୨ କ୍ୟାରେଟ୍ ୯୨ ହଜାର ୯୦ । ବାଲେଶ୍ବରରେ ଦରରେ ଟିକିଏ କମବେଶୀ ରହିଛି ।  ସୁନା କମିଲେ ପୁଅଝିଅ ବାହାଘର ପାଇଁ ଗହଣା କିଣିବେ ଗ୍ରାହକ । କିନ୍ତୁ କମିବ କଣ ଦର ରକେଟ୍ ଭଳି ବଢିବା ପରେ ଏବେ ମୁଣ୍ଡରେ ହାତଦେଲେଣି । ଏବେ ବାହାଘର ଓ ବ୍ରତଘର ପାଇଁ କିଣିବାକୁ ବାଧ୍ୟ ହେଉଛନ୍ତି ଲୋକେ । ସେପଟେ ଦର ଅଧିକ ବଢୁଥିବାରୁ ଗହଣା ଦୋକାନୀଙ୍କ ବେପାର ବି ମାନ୍ଦା ।

ବ୍ୟବସାୟୀ ଓ ଆର୍ଥିକ ବିଶେଷଜ୍ଞଙ୍କ ମତ ଅନ୍ତରାଷ୍ଟ୍ରୀୟ ସ୍ତରରେ ବାଣିଜ୍ୟ ଯୁଦ୍ଧ ଚାଲିଥିବାରୁ ସୁନାଦରରେ ଅହେତୁକ ବୃଦ୍ଧି ଘଟିଛି । ଏହାସହିତ ନିବେଶକାରୀମାନେ ବଢୁଥିବା ସୁନାଦରକୁ ଦେଖି ଆଗୁଆ ସୁନା ବୁକିଂ କରୁଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଲଗାଣର ପ୍ରଭାବ ସିଧା ସୁନା ଉପରେ ପଡ଼ିଛି । ଚାହିଦା ତୁଳନାରେ ଯୋଗାଣ କମ୍ ରହୁଥିବାରୁ ସୁନାଦର ହୁ ହୁ ବୋଇ ବଢିଚାଲିଛି । ଏହାସହିତ ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କ, ଚୀନ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ଟନ୍ ଟନ୍ ସୁନା କିଣି ଗଚ୍ଛିତ ରଖୁଛନ୍ତି । ଡଲାର ଅସ୍ଥିରତା ଓ ସେୟାର ବଜାରର ସ୍ଥିତି ମାନ୍ଦା ଚାଲୁଥିବାରୁ ସୁନା କିଣିବାକୁ ଲୋକଙ୍କ ଆଗ୍ରହ ବଢୁଛି । ନିବେଶକାରୀମାନେ ଏବେ ସୁରକ୍ଷିତ ଭାବେ ଗୋଲ୍ଡ  ଇଟିଏଫ୍ରେ ପୁଞ୍ଜି ନିବେଶ କରିବା ସହିତ ବାସ୍ତବ ସୁନାରେ ବେଶୀ ଟଙ୍କା ବିନିଯୋଗ କରୁଛନ୍ତି । ଯାହାକି ସେମାନଙ୍କୁ ସ୍ବଳ୍ପ ଅବଧିରେ ଅଧିକ ରିଟର୍ଣ୍ଣ ଦେଉଛି । ଭାରତରେ ସୁନାର ଚାହିଦା କମିବନି । କେନ୍ଦ୍ର ସରକାର ସୁନା ଉପରେ ୩ ପ୍ରତିଶତ ଜିଏସ୍ଟି ନେଉଛନ୍ତି । ହିସାବ କଲେ ଜଣେ ଗ୍ରାହକ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ଗହଣା କିଣିଲେ ଜିଏସ୍ଟି ଓ ଗଢା ମଜୁରି ମିଶିଲେ ଦେବାକୁ ପଡ଼ିବ ପ୍ରାୟ ୧ ଲକ୍ଷ ୧୯ ହଜାର ଟଙ୍କା ।

ଜଣକ ପରେ ଜଣେ ନେତା ଖୋଲିଲେଣି ତୁଣ୍ଡ, ମୋହନଙ୍କ ଟିମରେ କୁହୁଳିଲାଣି ନିଆଁ

ଭୁବନେଶ୍ବର : ବର୍ଷ ପୂର୍ତ୍ତି ପୂର୍ବରୁ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ! ୬ଟି ମନ୍ତ୍ରିପଦ ପାଇଁ ଆଶାୟୀଙ୍କ ଲମ୍ବା ତାଲିକା । ଜଣକ ପରେ ଜଣେ ନେତା ଖୋଲିଲେଣି ତୁଣ୍ଡ । ମୋହନଙ୍କ ଟିମରେ କୁହୁଳିଲାଣି ନିଆଁ । ବିଜେପି ସରକାର ଗଠନର  ୧୦ମାସ ପରେ ବି ଅଧାଗଢା ମନ୍ତ୍ରିମଣ୍ଡଳ । ମନ୍ତ୍ରିମଣ୍ଡଳରେ ୬ଟି ଆସନ ଖାଲିଥିବାରୁ ଏହି ସ୍ଥାନ ମୁଖ୍ୟମନ୍ତ୍ରୀ ପୂରଣ କରିବେ କି ନାହିଁ ତାହାକୁ ନେଇ କିଛି ଦିନର ନିରବତା ପରେ ବିଜେପି ବିଧାୟକମାନେ ପୁଣି ମୁହଁ ଖୋଲିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରିମଣ୍ଡଳରେ ସାମିଲ ଥିବା ଅନେକ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ଥିବାରୁ ମନ୍ତ୍ରୀମାନେ ଭାରାକାନ୍ତ । ଦଳର ବରିଷ୍ଠ ବିଧାୟକ ପ୍ରକାଶ ସୋରେନଙ୍କ ଯୁକ୍ତି ହେଉଛି ୬ ମନ୍ତ୍ରିପଦ ପୂରଣ ହେବାର ଆବଶ୍ୟକ ରହିଛି । ସେହିପରି ବହୁ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ଥିବାରୁ ଆବଶ୍ୟକ ଅନୁସାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ମାସକ ମଧ୍ୟରେ ହେବା ଚର୍ଚ୍ଚା ହେଉଥିବା ବିଜେପି ବିଧାୟକ କହିଛନ୍ତି । ବରିଷ୍ଠ ବିଧାୟକଙ୍କ ସ୍ବର ସହ ସ୍ବର ମିଳାଇଛନ୍ତି ଦଳର ଅନ୍ୟକିଛି ବିଧାୟକମାନେ । ଜଣକ ପରେ ଜଣେ ବିଜେପି ବିଧାୟକ ମନ୍ତ୍ରୀ ପଦ ପୂରଣ ନେଇ ମୁହଁ ଖୋଲିବା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ପାଓ୍ବାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସେପଟେ ମନ୍ତ୍ରିମଣ୍ଡଳରେ ଖାଲିପଡିଥିବା ୬ଟି ଆସନ ପାଇଁ କିଛି ଦିନର ନିରବତା ପରେ ବିଜେପିର ବିଧାୟକମାନେ ମୁହଁ ଖୋଲିଛନ୍ତି । ବିଜେପି ଅନ୍ଦର ମହଲର ଚର୍ଚ୍ଚା ଅନୁସାରେ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ୨ଜଣ ମନ୍ତ୍ରୀଙ୍କୁ ବାଦ ଦେଇ କିଛି ନୂଆ ମୁହଁକୁ ମନ୍ତ୍ରିମଣ୍ଡଳରେ ସାମିଲ କରିପାରିନ୍ତି । ଏହି ତାଲିକାରେ ଅଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଅମର ନାୟକ, ବାବୁ ସିଂହ, ରଘୁରାମ ମାଛ, ମାନସ ଦତ୍ତ, ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କ ନାଁ ନେଇ ଚାଲିଛି ବିଚାର ବିମର୍ଶ। ରାଜନୈତିକ ସମୀକ୍ଷକଙ୍କ ଆକଳନ ହେଉଛି ମନ୍ତ୍ରିପଦ ପାଇଁ ଅଧିକ ଆଶାୟୀ ଥିବାରୁ ଅଙ୍କ ଛିଣ୍ଡୁନାହିଁ । ତେବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ କି ନହେବ ତାହା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର ବୋଲି ବିଜେପି ବିଧାୟକ ଅମର ନାୟକ କହିଛନ୍ତି । ମୋହନଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବିଜେପି ଅନ୍ଦର ମହଲରେ ସାନି କସରତ ଆରମ୍ଭ ହୋଇଥିବା ବେଳେ କାହାକୁ କେମିତି ଦଳ ଥଇଥାନ କରାଯିବ ସେ ଚିନ୍ତାରେ ବିଜେପିର ଶୀର୍ଷ ନେତୃତ୍ବ ।

ବିଦ୍ୟୁତ କାଟ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର : ଅସହ୍ୟ ତାତିରେ ଜଳୁଛି ଓଡିଶା। ତା ସହ ଗୁଳୁଗୁଳି । ସେପଟେ ରାଜଧାନୀ ଠାରୁ ଆରମ୍ଭ କରି ରାଜ୍ୟସାରା ଅଘୋଷିତ ବିଦ୍ୟୁତ କାଟ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ। ବିଜେଡି ବିଧାୟକ ପ୍ରଦୀପ ଦିଶାରୀ  ଅଭିଯୋଗ କରିଛନ୍ତି- ସରକାର ୩୦୦ ୟୁନିଟ ମାଗଣା ବିଜୁଳି ପ୍ରତିଶୃତି ଦେଇ ଭୁଲିଗଲେ। ଏବେ ଖୋଦ ରାଜଧାନୀରେ ପାଓ୍ବାର କଟ କରାଯାଉଛି । ସରକାରଙ୍କ ଘୋଷଣା ଗୋଟିଏ ପଟେ ବିଜୁଳି ସମସ୍ୟା ଆଉ ଗୋଟିଏ ପଟେ ବୋଲି ସେ ଅଭିଯୋଗ କରିଛନ୍ତି । ସମାନ ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ରାଜଧାନୀରେ ଅଘୋଷିତ ବିଦ୍ୟୁତ କାଟ ହେଉଥିବା ବେଳେ ଗାଁ ଗଣ୍ଡାରେ ବିଦ୍ୟୁତ କାଟ କେତେ ସମୟ ହେଉଛି ତାହାର ହିସାବ ନାହିଁ ବୋଲି  କଂଗ୍ରେସ କହିଛି। ଅନ୍ୟପଟେ ବିଜେପି ବିଧାୟକ ପ୍ରକାଶ ସୋରେନ କହିଛନ୍ତି କାଳବୈଶାଖୀ କାରଣ  ଯୋଗୁଁ କିଛି ସମୟ ବିଦ୍ୟୁତ କାଟ ହେଉଛି ।

ଅଘୋଷିତ ବିଦ୍ୟୁତ କାଟକୁ ନେଇ ପ୍ରଶ୍ନ ଉଠାଇଛି ଉପଭୋକ୍ତା ମହାସଂଘ । ପରିଚାଳନା ତ୍ରୁଟି ଓ ମରାମତି ସଠିକ ଭାବେ କରାଯାଉ ନଥିବାରୁ ବିଦ୍ୟୁତ କାଟ ପରି ସମସ୍ୟା ଦେଖାଦେଉଛି । ସରକାର ଏଥିପ୍ରତି ଗୁରୁତ୍ବ ଦେବା ଆବଶ୍ୟକ ବୋଲି ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ କହିଛନ୍ତି । ତେଣେ ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ କାଟ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶକ୍ତିମନ୍ତ୍ରୀ କେଭି ସିଂଦେଓ । ଏହାସହ କାଳ ବୈଶାଖୀ କାରଣରୁ କିଛି ସ୍ଥାନରେ ବିଦ୍ୟୁତ୍ ବ୍ୟାହତ ହେଉଥିଲେ ବି ତୁରନ୍ତ ସମାଧାନ କରାଯାଉଛି। ବକେୟା ବିଦ୍ୟୁତ୍ ବିଲ ପ୍ରଦାନ କରି ନଥିଲେ ବି ଏବେ ବିଦ୍ୟୁତ୍ ସଂଯୋଗ କଟାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ନିକଟରେ ରାଜ୍ୟପାଳଙ୍କ ପୁରୀ ଗସ୍ତ ସମୟରେ ବିଦ୍ୟୁତ କାଟ ହୋଇଥିଲା । ଯାହା ଶକ୍ତିବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଥିଲା । ଯଦି ରାଜ୍ୟପାଳଙ୍କ ଗସ୍ତବେଳେ ଓ ରାଜଧାନୀରେ ବିଦ୍ୟୁତ କାଟ ହେଉଛି ତେବେ ଉପାନ୍ତି ଓ ଗାଁ ଗଣ୍ଡାରେ  ସ୍ଥିତି କଣ ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ।

ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶା ପାଇଁ ପାଲଟିବ କି ଅଭିଶାପ ?

ଭୁବନେଶ୍ବର : ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶା ପାଇଁ ପାଲଟିବ କି ଅଭିଶାପ ? ସରକାର ନେଉଛନ୍ତି ବାହାବା, ହନ୍ତସନ୍ତ ହେଉଛନ୍ତି ସାଧାରଣ ରୋଗୀ। ଯୋଜନାର କାର୍ଯ୍ୟକାରିତାରେ ସମସ୍ୟା ଥିବାରୁ ଘରୋଇ ହସ୍ପିଟାଲ ସଂଘର ଅସନ୍ତୋଷ। ବିଜେପି ଶାସିତ ରାଜ୍ୟରେ ବି ଫେଲ ମାରିଛି ଆୟୁଷ୍ମାନ ଯୋଜନା। ଗୁଜରାଟରେ ଯୋଜନାରେ ଚାଲିଥିବା ସ୍କାମକୁ ନେଇ ରିପୋର୍ଟ କରିଛି ସିଏଜି। ତରବରିଆ ଭାବେ ଓଡ଼ିଶାରେ ଲାଗୁ କରି ପ୍ରଶଂସା ସାଉଣ୍ଟିବାକୁ ଉଦ୍ୟମ, ହେଲେ ବାସ୍ତବତା ସଂପୂର୍ଣ୍ଣ ଭିନ୍ନ। ତେବେ କାହିଁକି ଆୟୁଷ୍ମାନ ଯୋଜନାକୁ ନେଇ ବଢୁଛି ଅସନ୍ତୋଷ ? ମୁଖ୍ୟତଃ ତିନୋଟି ସମସ୍ୟାକୁ ନେଇ ଘରୋଇ ହସ୍ପିଟାଲ ସରକାରଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛି। ସଫ୍ଟଓ୍ବେର ଓ ପରିଚାଳନାଗତ ସମସ୍ୟା ଏବଂ ପ୍ୟାକେଜ ଦରକୁ ନେଇ ଉଠିଛି ପ୍ରଶ୍ନ। ଘରୋଇ ହସ୍ପିଟାଲ ସଂଘ ପରେ ଯୋଜନାର ବ୍ୟବସ୍ଥାକୁ ନେଇ ମୁହଁ ଖୋଲିଛି ଭାରତୀୟ ଚିକିତ୍ସକ ସଂଘ। ଚିକିତ୍ସା ପରେ ରୋଗୀ ଡିସଚାର୍ଜ ବେଳେ ଡାକ୍ତରଙ୍କ ଫଟୋ ଓ ଫିଙ୍ଗର ପ୍ରିଣ୍ଟକୁ ନେଇ ପ୍ରଶ୍ନ ଉଠାଇଛି ଆଇଏମ୍ଏ।

ଖାଲି ସେତିକି ନୁହେଁ, ରୋଗୀ ପଞ୍ଜିକରଣ ବେଳେ ଜଟିଳ ଓଟିପି ବ୍ୟବସ୍ଥାକୁ ନାପସନ୍ଦ କରୁଛନ୍ତି ଘରୋଇ ହସ୍ପିଟାଲ। ରୋଗୀର ଚିକିତ୍ସା ସମୟରେ ଯଦି ଏକାଧିକ ରୋଗ ବାହାରେ, ତାହାଲେ ରୋଗ ଯୋଡ଼ିବାର ବ୍ୟବସ୍ଥା ସଫ୍ଟଓ୍ବେରରେ ନଥିବାରୁ ଚିକିତ୍ସା ସମ୍ଭବ ହୋଇପାରିବ ନାହିଁ। ସଫ୍ଟଓ୍ବେର ଓ ପରିଚାଳନା ଗତ ସମସ୍ୟା ସହିତ ରୋଗର ପ୍ୟାକେଜ ଦରକୁ ନେଇ ବି ଘୋର ଅସନ୍ତୋଷ ଦେଖାଦେଇଛି। ୧୦ ବର୍ଷ ତଳେ ଯାହା ରେଟ୍ ଥିଲା, ସେହି ଦର ଆୟୁଷ୍ମାନ ଯୋଜନାରେ ଥିବାରୁ ଏତେ କମ୍ ଦାମରେ ଚିକିତ୍ସା ସମ୍ଭବ ନୁହେଁ। ତରବରିଆ ଭାବେ ଡବଲ ଇଞ୍ଜିନ ସରକାର ନିଜର ପାରିବାପଣିଆ ଦେଖାଇ କେନ୍ଦ୍ର ସରକାରଙ୍କୁ ସନ୍ତୁଷ୍ଟ କରିବାକୁ ଆୟୁଷ୍ମାନ ଯୋଜନା ଲାଗୁ କଲେ। ହେଲେ ଏହା ପୂର୍ବରୁ ଯୋଜନାର କାର୍ଯ୍ୟକାରିତାକୁ ନେଇ ହସ୍ପିଟାଲ ସଂଘ, ଡାକ୍ତର ସଂଘ ଏବଂ ଅନ୍ୟ ଷ୍ଟେକ ହୋଲଡରଙ୍କ ସହ ଆଲୋଚନା କରିଥିଲେ ସମସ୍ୟା ଦୂର ହୋଇଥାନ୍ତା ବୋଲି ମତ ରଖିଛି ଆଇଏମ୍ଏ। ବିଏସକେଓ୍ବାଇରେ ମାଗଣା ଚିକିତ୍ସା ପାଇଁ କୌଣସି ସର୍ତ୍ତ ନଥିଲା। କିନ୍ତୁ ଆୟୁଷ୍ମାନରେ ରହିଛି ଅନେକ ସର୍ତ୍ତ।  ବିଏସକେଓ୍ବାଇରେ ନା ଥିଲା ପ୍ୟାକେଜରେ କ୍ୟାପିଙ୍ଗ, ନା ଥିଲା ପ୍ରଶାସନିକ କଟକଣା। ହେଲେ ଆୟୁଷ୍ମାନରେ ସବୁ ସ୍ତରରେ ରହିଛି ସର୍ତ୍ତମୂଳକ ଆପ୍ରୁଭାଲ ବ୍ୟବସ୍ଥା।