spot_img
Home Blog Page 853

ପହଲଗାମ ଆକ୍ରମଣର ବଡ ଖୁଲାସା, ଗୋଟିଏ ବର୍ଷ ଧରି ଅଞ୍ଚଳରେ ସକ୍ରିୟ ଥିଲେ ଆତଙ୍କବାଦୀ

ନନ୍ଦିଘୋଷ ବ୍ୟୁରୋ: ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ରମଣକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ତଦନ୍ତରୁ ଜଣାପଡିଛି ଯେ, ପ୍ରାୟ ଗୋଟିଏ ବର୍ଷ ଧରି ଅଞ୍ଚଳରେ ସକ୍ରିୟ ଥିଲେ ଆତଙ୍କବାଦୀ । ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଖୋଜିବାରେ ନିୟୋଜିତ ଅଛନ୍ତି ଏବଂ ଦାଚିଗାମର ଜଙ୍ଗଲରେ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଚାଲିଛି। ଏହି ଘଟଣା ନେଇ ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି।

ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣକୁ ନେଇ ସାରା ଦେଶ ଶୋକ ପାଳିଛି। ଏହି ଘଟଣାର ପ୍ରତିବାଦରେ ଜମ୍ମୁ-କାଶ୍ମୀରର ଲୋକମାନେ ଆଜି ବନ୍ଦ ଡାକରା ଦେଇଛନ୍ତି। ଲୋକମାନେ ଦାବି କରୁଛନ୍ତି ଯେ ଆତଙ୍କବାଦୀମାନଙ୍କୁ ଫାସୀ ଦିଆଯାଉ।

ଉପତ୍ୟକାର ପ୍ରତ୍ୟେକ କୋଣ ଅନପକୋଣରେ ସୁରକ୍ଷା ବାହିନୀ ମୁତୟନ ଅଛନ୍ତି। ଆତଙ୍କବାଦୀମାନଙ୍କୁ ଖୋଜା ଚାଲିଛି । ପହଲଗାମରେ ସେନା ସୈନିକଙ୍କ ସହିତ, ପାରା କମାଣ୍ଡୋମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଘଟଣାର ପ୍ରାୟ ୨୪ ଘଣ୍ଟା ପରେ ଏକ ବଡ଼ ଖୁଲାସା ହୋଇଛି।

ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଆକ୍ରମଣ କରିଥିବା ଆତଙ୍କବାଦୀମାନେ ଗତ ଗୋଟିଏ ବର୍ଷ ଧରି ଜମ୍ମୁ-କାଶ୍ମୀରରେ ସକ୍ରିୟ ଥିଲେ ଏବଂ ଏହି ଆତଙ୍କବାଦୀମାନେ ମେ ୨୦୨୪ରେ ପୁଞ୍ଚରେ ବାୟୁସେନାର କନଭୟ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ସୂତ୍ର ଅନୁଯାୟୀ, ଜୁଲାଇ ୨୦୨୪ରେ ଏହି ଆତଙ୍କବାଦୀମାନେ ଜମ୍ମୁରୁ କାଶ୍ମୀର ଯାଇଥିଲେ ଏବଂ ତା’ପରେ ସେମାନେ ଶ୍ରୀନଗରର ଦାଚିଗାମ ଜଙ୍ଗଲ ଅଞ୍ଚଳରେ ଲୁଚି ରହିଥିଲେ। ଡିସେମ୍ବର ୨୦୨୪ରେ, ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ଏକ ବଡ଼ ସର୍ଚ୍ଚ ଅପରେସନ୍ କରିଥିଲେ, କିନ୍ତୁ ସେହି ସମୟରେ ତିନି ଜଣ ଆତଙ୍କବାଦୀ ଖସିଯିବାରେ ସଫଳ ହୋଇଥିଲେ।

ଏବେ ତଦନ୍ତରୁ ଜଣାପଡ଼ିଛି ଯେ ଖସିଯାଇଥିବା ଆତଙ୍କବାଦୀମାନେ ପହଲଗାମ ଆକ୍ରମଣ ଘଟାଇଛନ୍ତି । ସେମାନେ ପାକିସ୍ତାନୀଙ୍କଠାରୁ ସାହାଯ୍ୟ ପାଇଥିଲେ। ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ‘ଆବୁ ତଲହା’ ବୋଲି କୁହାଯାଉଛି । ଯିଏ ପାକ୍ ଅଧିକୃତ କାଶ୍ମୀରର ଆତଙ୍କବାଦୀମାନଙ୍କୁ ନିର୍ଦ୍ଦେଶ ଦେଉଥିଲା। ବର୍ତ୍ତମାନ, ଦାଚିଗାମର ଜଙ୍ଗଲରେ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଚାଲିଛି ଏବଂ ଆତଙ୍କୀମାନେ ଏବେ ବି ଏହି ଅଞ୍ଚଳରେ ଲୁଚି ରହିଥିବା ଆଶଙ୍କା କରାଯାଉଛି।

ସେନା, ସିଆରପିଏଫ ଏବଂ ଜମ୍ମୁ କାଶ୍ମୀର ପୋଲିସର ମିଳିତ ଦଳ ଏହି ଅପରେସନ୍ କରୁଛନ୍ତି। ଏହି ଆକ୍ରମଣ ବିଷୟରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଅଧିକ ସତର୍କ ରହିଛନ୍ତି ଏବଂ ଆତଙ୍କବାଦୀଙ୍କ ନେଟୱାର୍କ ଭାଙ୍ଗିବା ପାଇଁ ନିରନ୍ତର ଅପରେସନ୍ କରାଯାଉଛି।

ପହଲଗାମ ଆକ୍ରମଣ ପରେ ପାକିସ୍ତାନକୁ ଧନ୍ୟବାଦ ଜଣାଇ ଗିରଫ ହେଲା ଯୁବକ

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ ଓ କାଶ୍ମୀରରେ ହୋଇଥିବା ଆତଙ୍କୀ ହମଲାକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ଝାଡ଼ଖଣ୍ଡର ବୋକାରୋର ବାସିନ୍ଦା ମହମ୍ମଦ ନୌସାଦ ଏନେଇ ଖୁସି ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଆକ୍ରମଣ ପାଇଁ ପାକିସ୍ତାନ ଏବଂ ଲସ୍କର-ଏ-ତୈବାକୁ ଧନ୍ୟବାଦ ଜଣାଇଛନ୍ତି। ଏନେଇ ପୋଲିସ ମହମ୍ମଦ ନୌସାଦଙ୍କୁ ଗିରଫ କରିଛି।

ଅଭିଯୁକ୍ତ ଜଣକ ବାଲିଡିହର ମିଲତ ନଗରର ବାସିନ୍ଦା। ମହମ୍ମଦକୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି । ଏହି ମାମଲାରେ ମହମ୍ମଦକୁ ପଚରାଉଚରା ଜାରି ରହିଛି ।

ମଙ୍ଗଳବାର ଜମ୍ମୁ-କାଶ୍ମୀରର ପହଲଗାମର ବୈସରାଣରେ ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଏବେ ବି ଆତଙ୍କବାଦୀଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନା ଅନୁଯାୟୀ, ଗିରଫ ମହମ୍ମଦ ନୌସାଦର ପିତାଙ୍କ ନାମ ମହମ୍ମଦ ମୁସ୍ତାକ ଏବଂ ସେ ମିଲ୍ଲତ ନଗରର ବାସିନ୍ଦା। ବୋକାରୋ ପୋଲିସ କହିଛି ଯେ, ମହମ୍ମଦ ନୌଶାଦଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଯାଞ୍ଚ କରାଯାଉଛି । ଏବଂ ସମସ୍ତ ତଥ୍ୟ ସଂଗ୍ରହ କରାଯାଉଛି ।

ମଙ୍ଗଳବାର ଦିନ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ମହମ୍ମଦ ନୌସାଦ ତାଙ୍କ ସୋସିଆଲ ମିଡିଆରେ ଲେଖିଛନ୍ତି – ଧନ୍ୟବାଦ ପାକିସ୍ତାନ, ଧନ୍ୟବାଦ ଲସ୍କର-ଏ-ତୈବା। ଆଲ୍ଲାହ ତୁମକୁ ଦୀର୍ଘ ଜୀବନ ଦିଅନ୍ତୁ। ଆମେନ୍, ଆମେନ୍ । ଯଦି ଆପଣ ବିଜେପି, ଆରଏସଏସ, ବଜରଙ୍ଗ ଦଳ ଏବଂ ଗଣମାଧ୍ୟମକୁ ଟାର୍ଗେଟ କରିବେ ତେବେ ଆମେ ଅଧିକ ଖୁସି ହେବୁ। ଏବେ ଆରଏସଏସ, ବିଜେପି ଏବଂ ବଜରଙ୍ଗ ଦଳ କୁଆଡ଼େ ଗଲେ? ସୀମାକୁ ଯାଅ ଏବଂ ଡେଇଁ ନାଚି ତୁମର ସାହସ ଦେଖାଅ ବୋଲି ଲେଖିଛନ୍ତି ମହମ୍ମଦ । ଏହି ପୋଷ୍ଟକୁ ନେଇ ଥାନାପେ ଅଭିଯୋଗ ହୋଇଥିଲା  । ଏହାପରେ ପୋଲିସ ମହମ୍ମଦକୁ ଗିରଫ କରିଥିଲା ।

 

ପୁରୀ ଡେଲାଙ୍ଗ ଆଶୀର୍ବାଦ ହତ୍ୟା ଘଟଣା: ପରିବାରକୁ ଭେଟିଲେ ବିଜେଡିର ପ୍ରତିନିଧି ଦଳ

ପୁରୀ: ପୁରୀ ଡେଲାଙ୍ଗ ଅଂଚଳରେ ନାବାଳକ ଆର୍ଶୀବାଦ ହତ୍ୟା ଘଟଣା। ଆଶୀର୍ବାଦଙ୍କ ପରିବାରକୁ ଭେଟିଲେ ବିଜେଡିର ପ୍ରତିନିଧି ଦଳ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡିର ବରିଷ୍ଠ ନେତା ସଂଜୟ କୁମାର ଦାସବର୍ମାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆର୍ଶୀବାଦଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ବିଶେଷ କରି ଏଭଳି ଆମନୁଷିକ କାର୍ଯ୍ୟକୁ ନିନ୍ଦା କରିବା ସହିତ ଅଭିଯୁକ୍ତକୁ ଫାଷ୍ଟ ଟ୍ରାକ କୋର୍ଟରେ ଏହାର ବିଚାର କରି ଅଭିଯୁକ୍ତକୁ ଦଣ୍ଡ ପ୍ରଦାନ କରନ୍ତୁ ବୋଲି ଦାବି କରିଛି ବିଜେଡି। ରତନପୁର ଗ୍ରାମରେ ବିଜେଡିର ପ୍ରତିନିଧି ଦଳ ଆର୍ଶୀବାଦର ପରିବାରକୁ ଭେଟିବା ସହିତ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ତୁରନ୍ତ ନ୍ୟାୟ ପାଇଁ ବିକ୍ଷୋଭ କରାଯାଇଥିବାବେଳେ ଗ୍ରାମର ଯେଉଁ ୪୬ ଜଣଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି। ଏହାକୁ ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି କରିଛନ୍ତି।

ଗତ କିଛି ମାସରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବାବେଳେ ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେଡିର ପ୍ରତିନିଧି ଦଳ। ପ୍ରତିନିଧି ଦଳ ଏ ଘଟଣା ସମ୍ପର୍କରେ ପୁରୀ ଏସ୍ପିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ବିଜେଡ଼ିର ଏହି ପ୍ରତିନିଧି ଦଳରେ ବିଧାୟକ ସୁଶାନ୍ତ ରାଉତ, ତୁଷାରକାନ୍ତି ବେହେରା, ନବକିଶୋର ମଲ୍ଲିକ, ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ, ରୁଦ୍ର ପ୍ରତାପ ମହାରଥୀ ଓ ପ୍ରଣବ ବଳବନ୍ତରାୟଙ୍କ ସହିତ ଅନ୍ୟମାନେ ସାମିଲ ଥିଲେ।

ଜୁଆ ଆଡ୍ଡା ଉପରେ ଚଢାଉ, ୨୩ ଗିରଫ

ନୂଆପଡା: ଜୁଆ ଆଡ୍ଡା ଉପରେ ଚଢାଉ । ଘଟଣାସ୍ଥଳରୁ ୨୩ ଜୁଆଡି ଗିରଫ ହୋଇଛନ୍ତି । ନୂଆପଡା ଜିଲ୍ଲା କୋମନା ଥାନା ଜେଠୁପାଲି ଗାଁରେ ଜୁଆଖେଳ ଚାଲିଥିଲା । ବିଶେଷ ସୂତ୍ରରୁ ଖବର ପାଇ କୋମନା ପୋଲିସ ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲା । ସେଠାରୁ ନଗଦ ୪୮ହଜାର ୨୨୫ ଟଙ୍କା, ୧୬ ଗୋଟି ମୋବାଇଲ୍, ୧୨ ଗୋଟି ଯାନବାହାନ ଜବତ ଶହ, ୨୩ ଜଣ ଯୁଆଡିଙ୍କୁ ଗିରଫ କରିଛି ପୋଲିସ ।

କୋମନା ଥାନାରେ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ନୂଆପଡ଼ା ଏସପି ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ।

ଅଂଶୁଘାତରେ ଚାଷୀ ମୃତ

ଗଞ୍ଜାମ: ଅଂଶୁଘାତରେ ମୃତ୍ୟୁ ଅଭିଯୋଗ । ସାଇକେଲ୍ ଯୋଗେ ହିଞ୍ଜିଳିକାଟୁ ଆସୁଥିବା ବେଳେ ଟଳି ପଡ଼ିଲେ ଚାଷୀ । ମୃତ ଚାଷୀ ହିଞ୍ଜିଳିକାଟୁ ବ୍ଲକ ଖରିଡ଼ା ଗ୍ରାମର ୬୦ ବର୍ଷୀୟ ଦୀନବନ୍ଧୁ ବେହେରା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଟାଣ ଖରା ଦୀନବନ୍ଧୁ କୀଟନାଶକ କିଣିବା ପାଇଁ ସାଇକେଲ୍ ଯୋଗେ ହିଞ୍ଜିଳିକାଟୁ ଆସୁଥିଲେ । ଏହି ସମୟରେ ସେ ଟଳି ପଡ଼ିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ହିଞ୍ଜିଳି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପରିବାର ଲୋକେ ତାଙ୍କର ଅଂଶୁଘାତ ଜନିତ ମୃତ୍ୟୁ ଘଟିଥିବା ଆଶଙ୍କା କରୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ହିଞ୍ଜିଳି ମେଡିକାଲ ଅଧୀକ୍ଷକ।

୩ ବନ୍ଧୁଙ୍କୁ ଏକାଠି ଗୁଳି ମାରିଥିଲେ ଆତଙ୍କବାଦୀ, ପହଲଗାମ ହେଲା ଜୀବନର ଶେଷ ଯାତ୍ରା

ଜାମ୍ମୁ କାଶ୍ମୀର: ମଙ୍ଗଳବାର ଦିନ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆତଙ୍କବାଦୀମାନେ କେବଳ ପୁରୁଷମାନଙ୍କୁ ଟାର୍ଗେଟ କରିଥିଲେ। ମହାରାଷ୍ଟ୍ରର ଡୋମ୍ବିଭାଲିର ତିନି ଜଣ ଏବଂ ପାନଭେଲର ଦୁଇଜଣ ପର୍ଯ୍ୟଟକ ମଧ୍ୟ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛନ୍ତି।

ସୂଚନା ଅନୁଯାୟୀ, ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମହାରାଷ୍ଟ୍ରର ଡୋମ୍ବିଭଲି ଅଞ୍ଚଳର ତିନି ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ହେମନ୍ତ ଜୋଶୀ, ସଞ୍ଜୟ ଲେଲେ ଏବଂ ଅତୁଲ ମୋନେ । ଏହି ଖବର ପ୍ରକାଶ ପାଇବା ମାତ୍ରେ ଡୋମ୍ବିଭାଲି ସହରରେ ଶୋକର ଲହରୀ ଖେଳିଗଲା।

କୁହାଯାଉଛି ଯେ ଏହି ତିନି ବନ୍ଧୁ ବୁଲିବାକୁ ଜମ୍ମୁ-କାଶ୍ମୀର ଯାଇଥିଲେ। ବୁଲୁଥିଲାବେଳେ ହଠାତ୍ ଆତଙ୍କବାଦୀମାନେ ତାଙ୍କ ଉପରେ ଆକ୍ରମଣ କଲେ। ଏହି ଗୁଳିକାଣ୍ଡ ଘଟଣାରେ ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା।

ଅତୁଲ ଶ୍ରୀକାନ୍ତ ମୋନେ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ସହିତ କାଶ୍ମୀରର ବେଲଗାମକୁ ବୁଲିବାକୁ ଯାଇଥିଲେ। ସୂଚନା ଅନୁଯାୟୀ, ତାଙ୍କ ସ୍ତ୍ରୀ ଏବଂ ଝିଅ ସମେତ ମୋଟ ତିନୋଟି ପରିବାର ସେଠାକୁ ଯାଇଥିଲେ। ଅତୁଲ ମୋନେ ରେଳବାଇର ପାରେଲ ୱାର୍କସପରେ ସେକ୍ସନ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ।

 

ଆଜି କଳା ବ୍ୟାଚ୍ ପିନ୍ଧି ଖେଳିବେ IPL ଖେଳାଳି, ମୃତକଙ୍କ ପ୍ରତି ଜଣାଇବେ ଶ୍ରଦ୍ଧାଞ୍ଜଳି

ହାଇଦ୍ରାବାଦ: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ପ୍ରତି ଶୋକ ପ୍ରକାଶ କରିବା ପାଇଁ କଳା ପଟି ପିନ୍ଧିବେ ଆଇପିଏଲ୍ ଖେଳାଳି । ଆଜି ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ରହିଛି । ଏହି ଦୁଇ ଦଳର ଖେଳାଳିମାନେ କଳା ପଟି ପିନ୍ଧି ମ୍ୟାଚ୍ ଖେଳିବେ । ଆଜିର ମ୍ୟାଚରେ କୌଣସି ଆତସବାଜୀ ହେବ ନାହିଁ କି ଚିୟରଲିଡର ଦେଖାଯିବେ ନାହିଁ । ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଆଜି ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଏକ ମିନିଟ ନୀରବ ପ୍ରାର୍ଥନା ହେବ ।

ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ କହିଛି ଯେ, ଉଭୟ ଦଳର ଖେଳାଳି ଆଜି କଳା ବ୍ୟାଚ୍ ପିନ୍ଧି ଖେଳିବେ ଏବଂ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା ହେବ ।

ଦକ୍ଷିଣ କାଶ୍ମୀରର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳି ଭାବେ ଜଣାଶୁଣା ପହଲଗାମରେ ଗତକାଲି ଆତଙ୍କବାଦୀ ଗୁଳି ଚଳାଇଥିଲେ । ସେଠାରେ ବୁଲିବାକୁ ଆସିଥିବା ୨୬ ଜଣ ପର୍ଯ୍ୟଟକ ମୃତ୍ୟୁ ବରଣ କରିଛନ୍ତି । ପାକିସ୍ତାନ ଲସ୍କର ଏ ତୋଏବାର ଆତଙ୍କବାଦୀ ଗୋଷ୍ଠୀ ରେଜିଷ୍ଟାନ୍ସ ଫ୍ରଣ୍ଟ ଏହି ଆକ୍ରମଣ ପାଇଁ ଦାୟୀ ବୋଲି କହିଛି । ସାରା ବିଶ୍ବରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି ।

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ ଘେରିଲା ବିଜେଡି

ଭୁବନେଶ୍ବର: ବର୍ତ୍ତମାନ ନୂଆ ସରକାରକୁ ୧୧ ମାସ ଚାଲିଲା । ଏହି ୧୧ ମାସରେ ସାରା ରାଜ୍ୟରେ ଶିଶୁ ଅପହରଣ, ଆଦିବାସୀ ଛାତ୍ରୀ ଅପହରଣ ହେଉଛନ୍ତି । ଶିଶୁ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ନିର୍ଯାତନା ଖବର ଆସୁଛି । କୁଚିଣ୍ଡା, ରାଉରକେଲା, ମୟୂରଭଞ୍ଜରୁ ମାଲକାନଗିରି ଯାଏଁ ଶିଶୁ ନିର୍ଯାତନାର କାହାଣୀ । କୁଚିଣ୍ଡାରେ ଲୋକେ ପ୍ରତିବାଦ କରିବା ପରେ ମାମଲା ହେଲା । ଡେଲାଙ୍ଗ ରତନପୁର ଘଟଣା ଅତ୍ୟନ୍ତ ହୃଦୟବିଦାରକ ।

ଏସବୁ ବିଫଳ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଅଙ୍ଗୁଳି ଉଠାଉଛି । ପୋଲିସର ଆଭିମୁଖ୍ୟ ଦୁର୍ଭାଗ୍ୟ ଓ ଚିନ୍ତାଜନକ । ବିଜେଡି ଏହାକୁ କଡ଼ା ଭାଷାରେ ନିନ୍ଦା କରିଛି । ଗତ ୧୫ ତାରିଖରେ ଘଟଣା ଘଟିଥିଲା । ଥାନାରେ ନିଖୋଜ ମାମଲା ହେଲା । ଶିଶୁର ବାପା ଯାହାକୁ ସନ୍ଦେହ କରୁଥିଲେ ତାକୁ ପୋଲିସ ପଚରାଉଚରା କରି ଛାଡିଦେଲା । ଏହାପରେ ଗାଁ ଲୋକ ପ୍ରତିବାଦ କରିବାରୁ  ୪୬ ଜଣଙ୍କ ନାଁରେ ମାମଲା ହୋଇଛି । ପୂର୍ବରୁ ପିପିଲିରେ ୭ ବର୍ଷର ଝିଅକୁ ଦୁଷ୍କର୍ମ କରାଗଲା । ଏହା ଘୋର ନିନ୍ଦନୀୟ । ପୋଲିସ କେମିତି ତଦନ୍ତ କରୁଛି । ପୁରୀ ଜିଲ୍ଲା ବିଜେଡି ସଭାପତି ଉମାକାନ୍ତ ସାମନ୍ତରାୟଙ୍କ ନେତୃତ୍ୱରେ ବିଜେଡି ରତନପୁର ଯାଉଛି । ପରିବାର ଓ ଲୋକଙ୍କୁ ଟିମ ଭେଟିବ । କାହିଁକି ତଦନ୍ତରେ ବିଳମ୍ବ ହେଲା ? ୪୬ ଜଣଙ୍କ ବିରୋଧରେ କାହିଁକି ମାମଲା ହେଲା ? ସେ ନେଇ ଆଲୋଚନା କରାଯିବ । ଆବଶ୍ୟକ ପଡିଲେ ପୁରୀ ଏସପିଙ୍କୁ ଭେଟିବୁ ବୋଲି କହିଛନ୍ତି ବିଜେଡି କାର୍ଯ୍ୟକ୍ରମ ରୂପାୟନ କମିଟି ଆବାହକ ସଂଜୟ ଦାସବର୍ମା । ସେହିପରି ତଦନ୍ତରେ କାହିଁକି ଅବହେଳା ହେଲା ଏକ ଟିମ ଗଠନ କରି ତଦନ୍ତ କରିବାକୁ ଦାବି କରିଛନ୍ତି ପୂର୍ବତନ ପିପିଲି ବିଧାୟକ ତଥା ବିଜେଡି ନେତା ରୁଦ୍ର ମହାରଥୀ । ଏହାସହ ମାମଲାର ବିଚାର ଫାଷ୍ଟ ଟ୍ରାକ କୋର୍ଟରେ କରାଯାଉ ବୋଲି ସେ ଦାବି କରିଛନ୍ତି । କାରଣ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରାଯାଇଥିଲା ହେଲେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏ ନେଇ କିଛି କହିଲେ ନାହିଁ । ପ୍ରତିବାଦ ସମୟରେ  ଜିଲ୍ଲାପାଳଙ୍କୁ ବାରମ୍ବାର ଫୋନ କରିଥିଲେ ବି ସେ ଫୋନ ଅଫ ରଖିଥିଲେ । ମୃତଦେହ ଆସିବା ପରେ ବି ସେ ଆସିନଥିଲେ । ଏହା ନିନ୍ଦନୀୟ । ସରକାର କ୍ଷତିପୂରଣ ବାବଦରେ ଆଶୀର୍ବାଦଙ୍କ ପରିବାରକୁ ଏକ କୋଟି ଟଙ୍କା ଦିଅନ୍ତୁ ।

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନୃଶଂସ ଭାବେ ହତ୍ୟା କଲା ଜହ୍ଲାଦ ସ୍ୱାମୀ

ନୟାଗଡ଼: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନୃଶଂସ ଭାବେ ହତ୍ୟା କଲା ଜହ୍ଲାଦ ସ୍ୱାମୀ। ବିବାହକୁ ବର୍ଷେ ନପୁରୁଣୁ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ନବବଧୂର ମୃତଦେହ। ନୟାଗଡ଼ ଫତେଗଡ ଥାନା ମାରଡ଼ା କେନ୍ଦୁପଲ୍ଲୀ ଗାଁରେ ହତ୍ୟାକାଣ୍ଡ।

ମୃତକ ହେଲେ ପ୍ରିୟଦର୍ଶିନୀ ବାରିକ। ଚରିତ୍ର ସନ୍ଦେହରୁ ଝିଅକୁ ହତ୍ୟା କରଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଝିଅର ତଣ୍ଟିଚିପି  ଫ୍ୟାନରେ ଲୁଗାରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ବାପା। ଅନ୍ୟପଟେ ବୋହୂ ଆତ୍ମହତ୍ୟା କରିଥିବା କହିଛନ୍ତି ପୁଅଘର ଲୋକେ । ଘଟଣାସ୍ଥଳରେ ଫତେଗଡ ପୋଲିସ ପହଂଚି ତଦନ୍ତ ଜାରି ରଖିଛି। ସ୍ୱାମୀ ସୁବାସ ବସନ୍ତରାକୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ।ଓଳାସ ଗ୍ରାମର ପବିତ୍ର ମୋହନ ବାରିକଙ୍କ ଝିଅ ପ୍ରିୟଦର୍ଶିନୀ କେନ୍ଦୁପଲ୍ଲୀ ଗାଁର ସୁବାସ ଚନ୍ଦ୍ର ବସନ୍ତରାକୁ ବିବାହ କରିଥିଲେ। ଯୌତୁକ ନେବା ପରେ ମଧ୍ୟ ସୁନା ଚେନ ପାଇଁ ବାରମ୍ବାର ଦାବି କରିଆସୁଥିଲେ ଶାଶୁଘର ଲୋକେ। ଏଥିପାଇଁ ନିର୍ଯାତନା ଦେଇଆସୁଥିଲେ ବୋଲି କହିଛନ୍ତି ମୃତକଙ୍କ ପରିବାର।

ପହଲଗାମ ଆକ୍ରମଣ ପରେ ଆସିଲା ପାକ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନ, ଜାଣନ୍ତୁ କାହା ମୁଣ୍ଡରେ ଲଦିଲେ ଦୋଷ

ନନ୍ଦିଘୋଷ ବ୍ୟୁରୋ: ପହଲଗାମ ଆକ୍ରମଣ ପରେ ପାକିସ୍ତାନର ପ୍ରତିକ୍ରିୟା ଆସିଛି । ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ଖଓ୍ବାଜା ଆସିଫ କହିଛନ୍ତି ଯେ, ଏହି ଆକ୍ରମଣ ସହିତ ପାକିସ୍ତାନର କୌଣସି ସମ୍ପର୍କ ନାହିଁ । ସେ କହିଛନ୍ତି, ଆକ୍ରମଣଗୁଡ଼ିକ ସ୍ଥାନୀୟ ଅଞ୍ଚଳରେ ଘଟୁଛି । ଲୋକମାନେ ନିଜର ଅଧିକାର ମାଗୁଛନ୍ତି । ହିନ୍ଦୁତ୍ବବାଦୀ ଶକ୍ତିମାନେ ଲୋକଙ୍କୁ ଶୋଷଣ କରୁଛନ୍ତି । ଏହା ତା’ ବିରୁଦ୍ଧରେ ଏକ ବିପ୍ଳବ ।

ସେ ଆହୁରୀ କହିଛନ୍ତି, ଏଥିରେ ପାକିସ୍ତାନର କୌଣସି ସମ୍ପର୍କ ନାହିଁ । ଏ ସବୁ ତାଙ୍କ ନିଜ ଘରେ ଘଟୁଛି । ବିଭିନ୍ନ ରାଜ୍ୟରେ ଭାର ବିରୁଦ୍ଧରେ ବିପ୍ଳବ ଘଟୁଛି । ନାଗାଲାଣ୍ଡରୁ କାଶ୍ମୀର ପର୍ଯ୍ୟନ୍ତ, ଦକ୍ଷିଣରେ, ଛତିଶଗଡ଼ରେ ଏବଂ ମଣିପୁରରେ ମଧ୍ୟ । ଏ ସମସ୍ତ ସ୍ଥାନରେ ଭାରତ ସରକାର ବିରୋଧରେ ବିପ୍ଳବ ଘଟୁଛି ।

ଏଠାରେ ଆପଣଙ୍କୁ କହିରଖିବାକୁ ଚାହୁଁଛୁ ଯେ, ଖଓ୍ବାଜା ଆସିଫ ପାକିସ୍ତାନର ଶାସକ ବିଏମଏଲ-ଏନ ଦଳର ଜଣେ ବରିଷ୍ଠ ନେତା ଏବଂ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଜଣେ ଘନିଷ୍ଠ ସହଯୋଗୀ । ଏହି ଆକ୍ରମଣ ପାଇଁ ସେ ଘରୋଇ ଶକ୍ତିକୁ ଦାୟୀ କରିଛନ୍ତି ।