spot_img
Home Blog Page 86

ଯାତ୍ରା ମଞ୍ଚରେ କଳାକଳରଙ୍କ ଅଭିନୟ ଦେଖି ତାତିଲେ ଦର୍ଶକ, ଚେୟାର ଫିଙ୍ଗିବା ସହ ଷ୍ଟେଜକୁ ଉଠି ମାରିଲେ ଚାପୁଡ଼ା

ଯାତ୍ରା ମଞ୍ଚରେ କଳାକଳରଙ୍କ ଅଭିନୟ ଦେଖି ତାତିଲେ ଦର୍ଶକ, ଚେୟାର ଫିଙ୍ଗିବା ସହ ଷ୍ଟେଜକୁ ଉଠି ମାରିଲେ ଚାପୁଡ଼ା

ନନ୍ଦିଘୋଷ ବ୍ୟୁରୋ: ଯାତ୍ରା କଳାକାରଙ୍କ ଅଭିନୟକୁ ସତ ମାନି ନେଲେ ଦର୍ଶକ । ଅଭିନୟ ଏତେ ଜୀବନ୍ତ ଥିଲା ଯେ, ରାଗ ତମତମ ଦର୍ଶକ ଷ୍ଟେଜ୍ ଉପରକୁ ଚେୟାର ଫିଙ୍ଗିବା ସହ ଉପରକୁ ଉଠି ଆସି ମାରିଲେ ଚାପୁଡା । ଏମିତି ଘଟଣା ଘଟିଛି ଭଦ୍ରକ ଅଣ୍ଡରେଇରେ । ଅଣ୍ଡରେଇରେ ରାଜନନ୍ଦିନୀ ପାର୍ଟି ଯାତ୍ରା ପରିବେଶଣ କରୁଥିବା ବେଳେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା । ପରେ ଯାତ୍ରା କମିଟର ସଦସ୍ୟମାନେ ଦର୍ଶକ ଜଣଙ୍କୁ ବାକୁ କରି ବାହାରକୁ ବାହାର କରିଦେଇଥିଲେ ।

ଖବର ଅନୁସାରେ, ରାଜନନ୍ଦିନୀ ପାର୍ଟି ତରଫରୁ ‘ଏମିତି ବିଚାର କେବେ ଦେଖିନି’ ନାଟକ ମଞ୍ଚସ୍ଥ ହେଉଥିଲା । ନାଟକର ଏକ ସିନରେ ମା ଭୂମିକାରେ ଟୁନିଆ ମଲ୍ଲିକ, ବାପା ଭାବେ ସଞ୍ଜୟ ଓ ଭଉଣୀ ଭୂମିକାରେ ମାମା ଅଭିନୟ କରୁଥିଲେ । ନାଟକର ଦୃଶ୍ୟ ଅନୁଯାୟୀ ନାୟକ ଅର୍ଥାତ୍ ପୁଅ ଭୂମିକାରେ କାର୍ତ୍ତିକ ଅଭିନୟ କରୁଥିବା ବେଳେ ସମସ୍ତ କଳାକାରଙ୍କ ଅଭିନୟକୁ ସତ ମାନି କିଛି ଦର୍ଶକ କ୍ଷୁବ୍ଧ ହୋଇଯାଇଥିଲେ । ଏପରିକି କାର୍ତ୍ତିକଙ୍କୁ ଚେୟାର ଫିଙ୍ଗିଥିଲେ । ଜଣେ ଦର୍ଶକ ମଞ୍ଚକୁ ଉଠି କାର୍ତ୍ତିକକୁ ମାଡ ମାରିଥିଲେ । ଏହି ସମୟରେ ଅନ୍ୟ କଳାକାରମାନେ ତାଙ୍କୁ ଅଟକାଇ ଥିଲେ ।

ଚାଲିଥିବା ଦୃଶ୍ୟରେ ଭଉଣୀଙ୍କୁ ଜଣେ ବାବା ଦୁଷ୍କର୍ମ କରିଥିବା ଭଉଣୀଙ୍କ ସମେତ ପୂରା ପରିବାର ଅଭିଯୋଗ କରୁଥିଲେ । ହେଲେ ବାବା ଏପରି କରି ନଥିବା କହି କାର୍ତ୍ତିକ ପରିବାରକୁ ଓଲଟା ତାଡନା ଦେଉଥିବା ଦୃଶ୍ୟକୁ ନେଇ ଦର୍ଶକ ତାତିଥିଲେ । ଫଳରେ କିଛି ସମୟ ଧରି ଯାତ୍ରା ବନ୍ଦ ହେବା ପରେ ପୁଣି ଆରମ୍ଭ ହୋଇଥିଲା ।

୨୦୨୬ ବର୍ଷରେ ୨୯ଟି ସରକାରୀ ଓ ୯ଟି ଇଚ୍ଛାଧୀନ ଛୁଟି

୨୦୨୬ ବର୍ଷରେ ୨୯ଟି ସରକାରୀ ଓ ୯ଟି ଇଚ୍ଛାଧୀନ ଛୁଟି

ନନ୍ଦିଘୋଷ ବ୍ୟୁରୋ: ୨୦୨୬ ବର୍ଷ ପାଇଁ ପ୍ରକାଶ ପାଇଛି ସରକାରୀ କ୍ୟାଲେଣ୍ଡର । ଏଥିରେ ୨୯ଟି ସରକାରୀ ଛୁଟି ରହିଥିବା ବେଳେ ୯ ଦିନ ଇଚ୍ଛାଧୀନ ଛୁଟି ରହିଛି । ଆସନ୍ତାବର୍ଷ ମାର୍ଚ୍ଚ ୫ ତାରିଖ ପଞ୍ଚାୟତିରାଜ ଦିବସ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନକୁ ସରକାରୀ ଛୁଟି ତାଲିକାରୁ ବାଦ ଦିଆଯାଇଛି । ୨୦୨୫ରେ ରାଜ୍ୟ ସରକାର ଏହି ଦିନକୁ କ୍ୟାଲେଣ୍ଡରରେ ଛୁଟି ଘୋଷଣା କରିଥିଲେ ବି ପରେ ଏକ ବିଜ୍ଞପ୍ତି ଜରିଆରେ ଏହାକୁ ବାତିଲ କରିଥିଲେ ।

ସେହିଭଳି ଦୀପାବଳିକୁ ମଧ୍ୟ ସରକାରୀ ଛୁଟି ତାଲିକାରୁ ବାଦ ଦିଆଯାଇଛି । ତେବେ ସେପ୍ଟେମ୍ବର ୧୫ ନୂଆଁଖାଇ ଓ ସେପ୍ଟେମ୍ବର ୧୬ ନୂଆଁଖାଇ ପରଦିନ ଏହିଭଳି ଦୁଇ ଦିନ ଛୁଟି ଘୋଷଣା କରାଯାଇଛି । ମାର୍ଚ୍ଚ ୨୭ ତାରିଖ ଶ୍ରୀରାମନବମୀକୁ ସରକାରୀ ଛୁଟି କରାଯାଇଛି। ଅଗଷ୍ଟ ୨୭ ତାରିଖ ଝୁଲଣ ଯାତ୍ରାକୁ ମଧ୍ୟ ସରକାରୀ ଛୁଟି ବୋଲି କୁହାଯାଇଛି । ୨୦୨୫ରେ ସ୍ବାଧୀନତା ଦିବସ ଓ ଜନ୍ମଷ୍ଟମୀ ଗୋଟିଏ ଦିନରେ ପଡିଥିଲା । ହେଲେ ୨୦୨୬ରେ ଜନ୍ମଷ୍ଟମୀ ଭିନ୍ନ ତାରିଖରେ ପଡୁଥିବାରୁ ସେପ୍ଟେମ୍ବର ୪କୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଇଛି ।

ଗାଁ ଲୋକଙ୍କ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ, ୩ ଗୁରୁତର

ଗାଁ ଲୋକଙ୍କ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ, ୩ ଗୁରୁତର

ନନ୍ଦିଘୋଷ ବ୍ୟୁରୋ: ନୟାଗଡ ଜିଲ୍ଲା ଟାଉନ ଥାନା ଅଧୀନ ଶୁଳିଆ ଗାଁରେ ବୋମାମାଡ଼ । ଦୁର୍ବୃତ୍ତଙ୍କ ବୋମାମାଡ଼ରେ ୩ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ୫ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଗାଁ ନିକଟରେ ବୁଲୁଥିଲେ । ଉକ୍ତ ରାସ୍ତା କାମ ଚାଲୁଥିବାରୁ ଦୁଇ ଜଣ ଯୁବକ ସିମେଣ୍ଟ ଜଗିବାକୁ ରାସ୍ତା ପାଖରେ ରହିଥିଲେ । ଦୁର୍ବୃତ୍ତଙ୍କ ଗତିବିଧି ଦେଖି ଗାଁ ଲୋକଙ୍କୁ ଡାକିଥିଲେ । ଗାଁ ଲୋକେ ଆସିବାରୁ ଦୁର୍ବୃତ୍ତ ତାଙ୍କ ଉପରକୁ ବୋମାମାଡ କରିଥିଲେ । ଏଥିରେ ଉପେନ୍ଦ୍ର ଖଟେଇ, ସୁମନ୍ତ ବାରିକ ଏବଂ ଶତୃଘ୍ନ ବାରିକ ଗୁରୁତର ହୋଇ ନୟାଗଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ବୋମାମାଡ କରି ୪ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ଜଣଙ୍କୁ ଗ୍ରାମବାସୀ ଅଟକ ରଖି ପୋଲିସର ଜିମା ଦେଇଛନ୍ତି । ଅଟକ ଅଭିଯୁକ୍ତ ଜଣକ ହେଲା କଇଥଗାଡିଆ ଗାଁର ଅକୃର ପ୍ରଧାନ । ଅକୃରକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି ।

ଦିଲ୍ଲୀ ବିସ୍ଫୋରଣରେ ବିଦେଶୀ ଲିଙ୍କ୍ ସନ୍ଦେହ

ଦିଲ୍ଲୀ ବିସ୍ଫୋରଣରେ ବିଦେଶୀ ଲିଙ୍କ୍ ସନ୍ଦେହ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ଆତ୍ମଘାତୀ ବିସ୍ଫୋରଣରେ ବ୍ୟବହୃତ ହୋଇଛି ହାଇଗ୍ରେଡ ମିଲିଟାରୀ ବିସ୍ଫୋରକ । ଏହାସହ ବିସ୍ଫୋରଣ ପଛରେ ବିଦେଶୀ ହାତ ଥିବା ସନ୍ଦେହ କରାଯାଉଛି । ପ୍ରାଥମିକ ତଦନ୍ତରୁ ବିଦେଶରୁ ଏହି ବିସ୍ଫୋରଣ ଘଟାଇବା ଲାଗି ପ୍ଲାନ କରାଯାଇଥିବା କୁହାଯାଉଛି । ବିସ୍ଫୋରଣ ସ୍ଥଳୀରୁ ଫରେନସିକ ଟିମ ୪୨ଟି ସାମଗ୍ରୀ ଜବତ କରିଛି । ସେଥିରେ ରହିଛି କାରର ଅଂଶ ବିଶେଷ । ଘଟଣାର ତଦନ୍ତ ବଢ଼ାଇଛି ଏନଆଇଏ ।

ଘଟଣାରେ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣି ଶୋକ ପ୍ରକାଶ କରିବା ସହ ଘଟଣାର ନିନ୍ଦା କରିଛନ୍ତି । ତେଣେ ଡାକ୍ତର ସାହିନ ଅନସାରୀର ଭାଇ ପରଭେଜ ଅନସାରୀକୁ କବଜାକୁ ନେଇ ଜେରା କରୁଛି ଉତ୍ତରପ୍ରଦେଶ ଏଟିଏସ । ସାହିନର ଗିରଫ ପରେ ପରଭେଜ ଲୁଚିଥିଲା । ସେ ଲକ୍ଷ୍ନୌର ଇଣ୍ଟେଗ୍ରାଲ ୟୁନିଭର୍ସିଟିର ଛାତ୍ର ଥିବାବେଳେ ତା’ ଘରୁ ବହୁ ନଥିପତ୍ର ଜବତ କରାଯାଇଛି । ତେଣେ ବିସ୍ଫୋରଣ ଘଟଣା ପରେ କୋଲକାତାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଭାରତ-ଦକ୍ଷିଣ ଆଫ୍ରିକ ମଧ୍ୟରେ ଟେଷ୍ଟ ଖେଳାଯିବାକୁ ଥିବାରୁ ସହରରେ ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

କ’ଣ ଏହି ମିଲିଟାରୀ ଗ୍ରେଡ ବିସ୍ଫୋରକ ?

ମିଲିଟାରୀ ଗ୍ରେଡ ବିସ୍ଫୋରକ ହେଉଛି ଏକ ରିଆକ୍ଟିଭ ସବଷ୍ଟାନ୍ସ । ଏହା ହଠାତ୍ ଭୟଙ୍କର ବିସ୍ଫୋରଣ ହୋଇଥାଏ । ପ୍ରଚଣ୍ଡ ଶବ୍ଦ, ଆଲୋକ, ଚାପ ସୃଷ୍ଟି କରିଥାଏ ବିସ୍ଫୋରକ । ଏହା ଘଟଣା ସ୍ଥଳରୁ ବହୁତ ଅଞ୍ଚଳକୁ କ୍ଷତି ପହଞ୍ଚାଇବାକୁ ସକ୍ଷମ । ଏଥିରେ ନାଇଟ୍ରୋ ଗ୍ଲିସେରିନ କିମ୍ବା ଗ୍ରେନ ଡଷ୍ଟ ରହିଥାଏ । ଏକ ଗ୍ୟାସ ସିଲିଣ୍ଡର, ଏରୋସଲ କ୍ୟାନ, ବଏଲିଂ ଲିକୁଇଡ ରହିଥାଏ । ଏଥିରେ ଭେପର ଏକ୍ସପ୍ଲୋଜନ ନ୍ୟୁକ୍ଲିୟର ଏନର୍ଜି ସୃଷ୍ଟି ହୋଇଥାଏ । ଯାହା କ୍ଷୟକ୍ଷତିର ପରିମାଣ ବହୁତ ବଢ଼ାଇ ଦେଇଥାଏ ।

ଇମାମ ଗିରଫ

ଦିଲ୍ଲୀ ଆତ୍ମଘାତୀ ବିସ୍ଫୋରଣ ଘଟଣାରେ ଜାମ୍ମୁ ଓ କାଶ୍ମୀରର ସୋପିଆନର ଜଣେ ଇମାମକୁ ଗିରଫ କରିଛି ପୋଲିସ । ଗିରଫ ଇମାମ ହେଲେ ଇରଫାନ ଅହମ୍ମଦ ୱାଘା । ଡାକ୍ତରଙ୍କୁ ହିଂସାତ୍ମକ କାର୍ଯ୍ୟକଳାପ ପାଇଁ ଉସକାଇବା ଯୋଗାଇବା ତାକୁ ଗିରଫ କରିଛି ଜାମ୍ମୁ ଓ କାଶ୍ମୀର କାଉଣ୍ଟର ଇଣ୍ଟେଲିଜେନ୍ସ କାଶ୍ମୀର ଓ ଶ୍ରୀନଗର ପୋଲିସ । କାଶ୍ମୀରରେ ବହୁ ଯୁବକଙ୍କୁ ବି ଦେଶଦ୍ରୋହୀ କାର୍ଯ୍ୟରେ ସାମିଲ କରୁଥିବା ନେଇ ତା’ ବିରୋଧରେ ଅଭିଯୋଗ ଥିଲା ।

ସମସ୍ତଙ୍କୁ ସଡ଼କ, ବିଜୁଳି ଓ ପିଇବା ପାଣି ଯୋଗାଇବାକୁ ସରକାରଙ୍କ ମିଶନ ପାଓ୍ବାର, କାର୍ଯ୍ୟକାରିତାକୁ ନେଇ ଉଠିଲା ପ୍ରଶ୍ନ

ସମସ୍ତଙ୍କୁ ସଡ଼କ, ବିଜୁଳି ଓ ପିଇବା ପାଣି ଯୋଗାଇବାକୁ ସରକାରଙ୍କ ମିଶନ ପାଓ୍ବାର, କାର୍ଯ୍ୟକାରିତାକୁ ନେଇ ଉଠିଲା ପ୍ରଶ୍ନ

ନନ୍ଦିଘୋଷ ବ୍ୟୁରୋ: ଗାଁକୁ ସଡ଼କ, ବିଜୁଳି ଓ ପିଇବା ପାଣି ପହଞ୍ଚାଇବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ମିଶନ ପାଓ୍ବାର । ଡିସେମ୍ବର ୨୦୨୭ ସୁଦ୍ଧା ଲକ୍ଷ୍ୟ ହାସଲ ପାଇଁ ରହିଛି ଟାର୍ଗେଟ । ଲୋକସେବା ଭବନରେ ବସିଥିବା ବୈଠକ ନଭେମ୍ବର ଶେଷ ସୁଦ୍ଧା ସମସ୍ତ ଜିଲ୍ଲାପାଳ ନିଜ ନିଜ ଜିଲ୍ଲାର ସ୍ଥିତି ବାବଦରେ ରିପୋର୍ଟ ଦେବେକୁ ନିଷ୍ପତ୍ତି । ଏହାପରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଶକ୍ତି ବିଭାଗର ମିଳିତ ବୈଠକ ବସି ରଣନୀତି ପ୍ରସ୍ତୁତ ହେବ । ସରକାର ଯୋଜନା କାର୍ଯ୍ୟକାରୀ ପାଇଁ ଡେଡଲାଇନ ସ୍ଥିର କରୁଥିଲେ ବି କୌଣସି କାମ ସମୟ ଭିତରେ ସରେ ନାହିଁ । ଏଥିପ୍ରତି ସରକାର ସଜାଗ ହେଲେ ଯୋଜନା ବାସ୍ତବ ରୂପ ପାରିବ ବୋଲି ସମୀକ୍ଷକ ଦେଲେ ମତ ।

ଟାର୍ଗେଟ ଡିସେମ୍ବର ୨୦୨୭ । ରାଜ୍ୟର ସମସ୍ତ ଘରକୁ ମିଳିବ ବିଶୁଦ୍ଧ ପିଇବା ପାଣି, ପକ୍କା ସଡ଼କ ଓ ବିଜୁଳି । ଏମିତି ଏକ ଲକ୍ଷ୍ୟରେ ସରକାର ଆରମ୍ଭ କରିଛନ୍ତି ମିଶନ ପାଓ୍ବାର । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ପ୍ରଥମ ବୈଠକ । କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଓ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନାରେ ଗ୍ରାମାଞ୍ଚଳରେ ବିଦ୍ୟୁତକରଣ ହେଉଥିଲେ ବି ବିଭିନ୍ନ ସସସ୍ୟା ଯୋଗୁଁ ଲକ୍ଷ ଲକ୍ଷ ଘର ଏବେ ବି ଅନ୍ଧାରରେ । ସବୁ ଘରକୁ ପିଇବା ପାଣି ଯୋଗାଇବାକୁ ୨୦୨୨କୁ ଟାର୍ଗେଟ ରଖିଥିଲେ ପୂର୍ବ ସରକାର । କିନ୍ତୁ ନୂଆ ସରକାର ଆସିବା ପରେ ପ୍ରକଳ୍ପ କାମ କେଉଁଠି ଧିମେଇ ଚାଲିଛି ତ କେଉଁଠି ଠପ୍ ହୋଇଛି । ୨ ହଜାର ୮୦୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ରାଜ୍ୟ ସରକାର ୨୦୨୬କୁ ନୂଆ ଟାର୍ଗେଟ ରଖିଥିଲେ ବି ମନ୍ଥର ଗତିରେ ଚାଲିଛି କାମ । ରାଜ୍ୟରେ ୫୯ ହଜାର ୯୭୨ ଗାଁ ମଧ୍ୟରୁ ଏବେ ୮ ହଜାର ୩୦୦ ଗାଁକୁ ରାସ୍ତା ନାହିଁ । ପାଣି, ବିଜୁଳି, ସଡ଼କ ନେଇ ପ୍ରତି ଗାଁର ସ୍ଥିତି ବାବଦରେ ଜିଲ୍ଲାପାଳମାନେ ମାସକ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ । ଏହାପରେ ସରକାର ସବୁ ବିଭାଗ ସହ ମିଳିତ ବୈଠକ କରି ସମସ୍ୟା ସମାଧାନର ବାଟ ବାହାର କରିବେ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।

୨୦୨୭ରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାରୁ ସରକାର ମିଶନ ପାଓ୍ବାର ଆରମ୍ଭ କରିଛନ୍ତି । ସବୁ ଘରକୁ ସଡ଼କ, ବିଜୁଳି, ପାଣି ପାଇଁ ଯୋଜନା କରୁଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାଜ୍ୟରେ ୭୦ ହଜାର କିଲୋମିଟର ରାସ୍ତା ହୋଇଥିବା ବେଳେ, ସାରା ଦେଶରେ ଓଡ଼ିଶା ୪ ନମ୍ବରରେ ଅଛି । ଆସନ୍ତାବର୍ଷ ସୁଦ୍ଧା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୫ ହଜାର କିଲୋମିଟର ରାସ୍ତା କରିବାକୁ ଲକ୍ଷ୍ୟ ରହିଛି । ନକ୍ସଲ ପ୍ରଭାବିତ ଓ ଆଦିବାସୀ ବହୁଳ ଗାଁକୁ ସଂଯୋଗ ହେଉଛି ପ୍ରାଥମିକତା । ସେହିପରି ସେତୁ ବନ୍ଧନ ଯୋଜନାରେ ଆସନ୍ତା ୫ ବର୍ଷରେ ୫ ଶହ ସେତୁ କରିବାକୁ ଟାର୍ଗେଟ ରହିଛି । ହେଲେ ସରକାରଙ୍କ ଲକ୍ଷ୍ୟ ଓ କାମ ଭିତରେ ସାମଞ୍ଜସ୍ୟ ନାହିଁ ବୋଲି ମତ ରଖିଛନ୍ତି ସମୀକ୍ଷକ ।

ଆନ୍ତରିକତା ଓ ସମନ୍ବୟ ଅଭାବ ଯୋଗୁଁ ଟାର୍ଗେଟ ମଧ୍ୟରେ ସରିପାରୁନି ସରକାରୀ କାର୍ଯ୍ୟକ୍ରମ । ତେଣୁ ସରକାର ଏଦିଗରେ ସଜାଗ ହେଲେ ଯୋଜନା ବାସ୍ତବ ରୂପ ନେବା ସାଙ୍ଗକୁ ସୁବିଧା ପାଇପାରନ୍ତେ ଜନତା ।

୨୭ରୁ ଶୀତ ଅଧିବେଶନ: ତାତିବ ବିଧାନସଭା, ପରସ୍ପରକୁ ଘେରିବାକୁ ପାଗ ଭିଡିଲେଣି ଶାସକ-ବିରୋଧୀ

୨୭ରୁ ଶୀତ ଅଧିବେଶନ: ତାତିବ ବିଧାନସଭା, ପରସ୍ପରକୁ ଘେରିବାକୁ ପାଗ ଭିଡିଲେଣି ଶାସକ-ବିରୋଧୀ

ନନ୍ଦିଘୋଷ ବ୍ୟୁରୋ: ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଡିସେମ୍ବର ୩୧ ତାରିଖ ଯାଏଁ ଦୀର୍ଘ ଅଧିବେଶନରେ ରହିଛି ମୋଟ ୨୯ଟି କାର୍ଯ୍ୟ ଦିବସ । ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଉଭୟ ଶାସକ ଓ ବିରୋଧୀ କିଏ କେଉଁ ପ୍ରସଙ୍ଗ ଗୃହରେ ଉଠାଇବେ ତାକୁ ନେଇ ଆରମ୍ଭ କଲେଣି ପାଗଭିଡ଼ା ।

ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧିତ କରିବେ ମହାମହିମ ରାଷ୍ଟ୍ରପତି । ନଭେମ୍ବର ୨୮ ତାରିଖରେ  ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ  ଗୃହରେ ଉପସ୍ଥାପିତ ହେବ । ଡିସେମ୍ବର ୮ ତାରିଖରେ ବ୍ୟୟମଞ୍ଜୁରୀ ବିଲ ପାରିତ କରାଯିବ । ଏନେଇ ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଶାସକ ବିଜେପି କହିଛି, ରାଷ୍ଟ୍ରପତି ଗୃହକୁ ସମ୍ବୋଧିତ କରିବା ସୌଭାଗ୍ୟର କଥା । ଏହାସହ ୨୯ ଦିନିଆ ଶୀତ ଅଧିବେଶନରେ ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ତାହାକୁ ଆଲୋଚନା କରିବାକୁ ଆମେ ପ୍ରସ୍ତୁତ ଅଛୁ ।

ଶୀତ ଅଧିବେଶନରେ କେଉଁ ଦଳ କି ପ୍ରସଙ୍ଗ ଉଠାଇବ ସେନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପାଗଭିଡା ଆରମ୍ଭ କରିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ । ଲୋକଙ୍କ ସ୍ଵର ସାଜି ବିଜେଡି ବିଧାୟକମାନେ ଗୃହରେ ବିଭିନ୍ନ ପ୍ରସଙ୍ଗକୁ ଶାଣିତ ଭାବେ ଉଠାଇବେ । ନାରୀ ନିର୍ଯାତନା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଚାଷୀ ସମସ୍ୟା, ମହାନଦୀଠାରୁ ଆରମ୍ଭ କରି ରାଜ୍ୟ ସ୍ବାର୍ଥ ସମ୍ବଳିତ ବହୁ ପ୍ରସଙ୍ଗକୁ ଗୃହରେ ଉଠାଇବାକୁ ସଜବାଜ ଆରମ୍ଭ କରିଛି ବିଜେଡି । ୧୭ ମାସର ବିଜେପି ସରକାର ଓଡିଶାବାସୀଙ୍କୁ ସୁଶାସନ ଦେବାରେ ବିଫଳ ହୋଇଥିବାରୁ କଂଗ୍ରେସ ସରକାରଙ୍କୁ ଘେରିବ ବୋଲି ଚେତାବନୀ ଦେଇଛି ।

ପାକିସ୍ତାନରେ କାର ବିସ୍ଫୋରଣ, ୧୨ ମୃତ

ପାକିସ୍ତାନରେ କାର ବିସ୍ଫୋରଣ, ୧୨ ମୃତ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ଇସାଲାମାବାଦରେ ଭୟଙ୍କର କାର୍ ବିସ୍ଫୋରଣ । ବିସ୍ଫୋରଣ ଘଟଣାରେ ୧୨ ମୃତ,୨୦ରୁ ଅଧିକ ଆହତ । ଇସାଲାମାବାଦର ଡିଷ୍ଟ୍ରିକ୍ଟ କୋର୍ଟ ନିକଟରେ ଘଟିଛି ବିସ୍ଫୋରଣ ।  ବିସ୍ଫୋରଣରେ କୋର୍ଟ ବାହାରେ ଥିବା କିଛି ଗାଡି ବି କ୍ଷତିଗ୍ରସ୍ତ ହୋଇଛି । କାରରେ ଆତ୍ମଘାତୀ ବିସ୍ଫୋରଣ ଘଟିଥିବା କୁହାଯାଉଛି ।

ଖାଇବର ପାଖତୁନଖାୱାର ଏକ ଆର୍ମି କଲେଜରେ ଟିଟିପିର ଆକ୍ରମଣ ଉଦ୍ୟମକୁ ପାକିସ୍ତାନ ବାହିନୀ ବିଫଳ କରିବାର ଦିନକ ପରେ ଏହି କାର୍ ବିସ୍ଫୋରଣ ଘଟିଛି । ମୃତକଙ୍କ ମଧ୍ୟରେ ଅନେକ ଓକିଲ ରହିଥିବା ସୂଚନା ମିଳିଛି । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଏହାର ଶବ୍ଦ ୬ କିଲୋମିଟର ଦୂରକୁ ଶୁଣାଯାଇଥିଲା । ବିସ୍ଫୋରଣରେ ଅନେକ ମୃତକଙ୍କ ଶରୀର ଖିନଭିନ ହୋଇଯାଇଛି । ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ନିନ୍ଦା କରିଛନ୍ତି ।

ବିହାର ବିଧାନସଭା ନିର୍ବାଚନ: ଜନମତ ସର୍ଭେରେ ଏନଡିଏକୁ ବହୁମତ

ବିହାର ବିଧାନସଭା ନିର୍ବାଚନ: ଜନମତ ସର୍ଭେରେ ଏନଡିଏକୁ ବହୁମତ

ନନ୍ଦିଘୋଷ ବ୍ୟୁରୋ: ସରିଲା ବିହାର ବିଧାନସଭା ପାଇଁ ମତଦାନ । ଆଜି ଦ୍ବିତୀୟ ପର୍ଯ୍ୟାୟରେ ୧୨୨ଟି ଆସନ ପାଇଁ ହୋଇଥିଲା ମତଦାନ । ଭୋଟିଂ ସରିବା ପରେ ଆସିଛି ଏକଜିଟ ପୋଲ ।  ବିଭିନ୍ନ ଜନମତ ସର୍ଭେ ପକ୍ଷରୁ ହୋଇଥିବା ଅନୁସନ୍ଧାନରୁ ଏନଡିଏ ବହୁମତ ପାଉଥିବା ଦର୍ଶାଯାଇଛି ।

ମାଟ୍ରିଜ ଆଇଏଏନସ୍ ସର୍ଭେ ରିପୋର୍ଟରେ ଏନଡିଏକୁ ମିଳିଛି ସର୍ବାଧିକ ଆସନ । ମୋଟ ୨୪୩ ଆସନରୁ ଏନଡିଏ ମେଣ୍ଟକୁ ୧୪୭ରୁ ୧୬୭ ଆସନ ମିଳିଛି । ମହାମେଣ୍ଟକୁ ୭୦ରୁ ୯୦ ଆସନ ଦିଆଯାଇଛି । ଅନ୍ୟାନ୍ୟକୁ ୨ରୁ ୬ଟି ଆସନ ମିଳିଛି । ସେହିପରି ଚାଣକ୍ୟ ଏକଜିଟ ପୋଲରେ ଏନଡିଏକୁ ବହୁମତ ମିଳିଛି । ଏନଡିଏ ମେଣ୍ଟକୁ ୧୩୦ରୁ ୧୩୮ ଆସନ ଦେଇଛି । ମହାଗଠବନ୍ଧନକୁ ୧୦୦ରୁ ୧୦୮ ଆସନ ମିଳିଛି । ଅନ୍ୟାନ୍ୟକୁ ୩ରୁ ୬ ଆସନ ମିଳିଛି । ସେହିପରି ପୋଲ ଡାଏରି ସର୍ଭେରେ ମଧ୍ୟ ଏନଡିଏକୁ ବହୁମତ ମିଳିଛି । ଏନଡିଏକୁ ୧୮୪ରୁ ୨୦୯ ଆସନ ମିଳିଛି । ମହାଗଠବନ୍ଧନକୁ ୩୨ରୁ ୪୯ ଆସନ ମିଳିଛି । ଅନ୍ୟାନ୍ୟକୁ ୧ରୁ ୫ ଆସନ ଦିଆଟାଇଛି ।

ପିପୁଲ୍ସ ପଲ୍ସ ସଂସ୍ଥା ପକ୍ଷରୁ କରଯାଇଥିବା ସର୍ଭେରେ ଏନଡିଏ ମେଣ୍ଟକୁ ୧୩୩ରୁ ୧୫୯ ଆସନ ମିଳିଛି । ମହାମେଣ୍ଟକୁ ୭୫ରୁ ୧୦୧ ଆସନ ଦେଇଛି । ଅନ୍ୟାନ୍ୟଙ୍କୁ ୨ରୁ ୮ ଆସନ ମିଳିଛି । ପିମାର୍କ ସର୍ଭେରେ ମଧ୍ୟ ଏନଡିଏକୁ ବହୁମତ ଦିଆଯାଇଛି । ଏନଡିଏକୁ ୧୪୨ରୁ ୧୬୨ ଆସନ, ମହାଗଠବନ୍ଧନକୁ ୮୦ରୁ ୯୮ ଓ ଅନ୍ୟାନ୍ୟକୁ ୦ରୁ ୩ ଆସନ ଦିଆଟାଇଛି ।

ସନ୍ଧ୍ୟା ୬ଟା ସୁଦ୍ଧା ବିହାରରେ ମୋଟ ୬୭.୧୪ ପ୍ରତିଶତ ମତଦାନ ହୋଇଛି । ଦ୍ଵିତୀୟ ପର୍ଯ୍ୟାୟରେ ମୋଟ ଭୋଟର ଥିଲେ ୩ କୋଟି ୭୦ ଲକ୍ଷ ଭୋଟର । ଇଭିଏମରେ ସିଲ୍ ହୋଇଛି ୧୩୦୨ ପ୍ରାର୍ଥୀଙ୍କ ଭାଗ୍ୟ । ଦ୍ଵିତୀୟ ପର୍ଯ୍ୟାୟରେ ବିହାରରେ ୧୨୨ ଆସନରେ ଅନୁଷ୍ଠିତ ହୋଇଛି ଭୋଟ ଗ୍ରହଣ ।  ୨୦ ଜିଲ୍ଲାର ୧୨୨ ଆସନରେ ରହିଛନ୍ତି ଅନେକ ହେଭିୱେଟ । ଗୟା ଟାଉନ, ସାସାରାମ ଓ ଚଇନପୁରରେ ସର୍ବାଧିକ ୨୨ ଲେଖାଏଁ ପ୍ରାର୍ଥୀ ଲଢୁଥିଲେ । ତ୍ରିବେଣୀଗଞ୍ଜ, ଲଉରିଆ ଓ ସୁଗାଉଲିରେ ସର୍ବନିମ୍ନ ୫ ଜଣ ଲେଖାଏଁ ପ୍ରାର୍ଥୀ ରହିଛନ୍ତି । ଗତ ୬ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନରେ ଭୋଟଗ୍ରହଣ ହୋଇଥିଲା । ଭୋଟ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ଭାରତ-ନେପାଳ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଜାଣନ୍ତୁ ସେହି ଅଲ୍ ଫଲାହ ଟ୍ରଷ୍ଟ୍ ବାବଦରେ ଯାହାର କିଛି ଡାକ୍ତରଙ୍କୁ ଦିଲ୍ଲୀ ବିସ୍ଫୋରଣ ମାମଲାରେ କରାଯାଇଛି ଗିରଫ

ଜାଣନ୍ତୁ ସେହି ଅଲ୍ ଫଲାହ ଟ୍ରଷ୍ଟ୍ ବାବଦରେ ଯାହାର କିଛି ଡାକ୍ତରଙ୍କୁ ଦିଲ୍ଲୀ ବିସ୍ଫୋରଣ ମାମଲାରେ କରାଯାଇଛି ଗିରଫ

୧୦/୧୧ ଦିଲ୍ଲୀ ବିସ୍ଫୋରଣ ଏବଂ ଆତଙ୍କବାଦୀ ନେଟୱର୍କକୁ ନେଇ ଅଲ୍-ଫଲାହ ୟୁନିଭର୍ସିଟି, ବିଶେଷକରି ଅଲ୍-ଫଲାହ ସ୍କୁଲ୍ ଅଫ୍ ମେଡିକାଲ୍ ସାଇନ୍ସ ଏବଂ ରିସର୍ଚ୍ ସେଣ୍ଟର୍ ଚର୍ଚ୍ଚାରେ ଅଛି। ଦିଲ୍ଲୀ ବିସ୍ଫୋରଣର ଠିକ୍ ପୂର୍ବରୁ ଚାଲିଥିବା କାର୍ଯ୍ୟାନୁଷ୍ଠାନରେ ଏଠାରେ ପଢ଼ାଉଥିବା ଡାକ୍ତର ଡା. ଶାହିନ୍, ଡା. ଉମର ଏବଂ ଡା. ମୁଜମ୍ମିଲ୍ ଙ୍କ ନାମ ସାମ୍ନାକୁ ଆସିଛି। ତେବେ ପ୍ରଶ୍ନ ହେଲା ଏହି ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ନିଜ ସଂସ୍ଥାରେ ସ୍ଥାନ ଦେଇଥିବା  ଅଲ୍-ଫଲାହ ସାମ୍ରାଜ୍ୟକୁ କିଏ ଚଳାଉଛି?

ଫଲାହ ଏକ ଆରବୀ ଶବ୍ଦ, ଏହାର ଅର୍ଥ ହେଉଛି ସଫଳତା, ସମୃଦ୍ଧି ଏବଂ ମୁକ୍ତି, ଅଲ୍-ଫଲାହର ଅର୍ଥ ସଫଳତା ଆଡ଼କୁ ଯିବା, ସମୃଦ୍ଧି ଆଡ଼କୁ ବଢ଼ିବା କିମ୍ବା ମୁକ୍ତିର ପଥରେ ବଢ଼ିବା। ଭାରତ ସହିତ ଦୁନିଆର ଅନେକ ଦେଶରେ ଏହି ନାମରେ ଟ୍ରଷ୍ଟ୍, ଶିକ୍ଷା ସଂସ୍ଥାନ ଏବଂ କମ୍ପାନୀଗୁଡ଼ିକ ଗଢ଼ା ହୋଇଛି। ୧୦/୧୧ ଦିଲ୍ଲୀ ଧମାକାରେ ପୁଲୱାମାର ଡା. ଉମରର ନାମ ସାମ୍ନାକୁ ଆସିଛି। ଏହା ଛଡ଼ା ଅଲ୍-ଫଲାହ ମେଡିକାଲ୍ କଲେଜର ଆଉ ଦୁଇ ଡାକ୍ତରଙ୍କୁ ଗିରଫ କରାଯାଇଛି। କାରଣ, ସେମାନଙ୍କ ପାଖରୁ ଆମୋନିଅମ୍ ନାଇଟ୍ରେଟ୍ ଏବଂ ଏକେ-୪୭ ଭଳି ଘାତକ ଅସ୍ତ୍ର ମିଳିଛି।

ବର୍ତ୍ତମାନ, ଦିଲ୍ଲୀ ବିସ୍ଫୋରଣ ଏବଂ ବିସ୍ଫୋଟକ ଓ ଅସ୍ତ୍ରଶସ୍ତ୍ରର ଜବତ ଦୁଇ ଅଲଗା ଘଟଣା। କିନ୍ତୁ, ଯେତେବେଳେ ଘଟଣାଗୁଡ଼ିକର ତାର ଯୋଡ଼ା ଯାଉଛି, ସନ୍ଦେହ ଅଲ୍ ଫଲାହ ୟୁନିଭର୍ସିଟି ଆଡ଼କୁ ଯାଉଛି। ସର୍ବପ୍ରଥମେ ଧୌଜ ସ୍ଥିତ ଅଲ୍ ଫଲାହ ୟୁନିଭର୍ସିଟିର ଡା. ମୁଅଜ୍ଜମ ଶକିଲଙ୍କୁ ଗିରଫ କରାଯାଇଥିଲା। ତାଙ୍କ ହଷ୍ଟେଲ୍ ରୁମ୍ରୁ ଏକ ଏକେ-୪୭ ରାଇଫଲ୍, ଆମୋନିଅମ୍ ନାଇଟ୍ରେଟ୍ ଏବଂ ଗୋଲା-ବାରୁଦ ଜବତ ହୋଇଥିଲା। ଏହା ପରେ ତଦନ୍ତରେ ଡାକ୍ତର ଡା. ଶାହିନ୍ ଏବଂ ଡା. ଉମରର ନାମ ସାମ୍ନାକୁ ଆସିଥିଲା। ଯଦିଓ, ଫରିଦାବାଦରେ ହୋଇଥିବା କାର୍ଯ୍ୟାନୁଷ୍ଠାନର କିଛି ଘଣ୍ଟା ପରେ ଦିଲ୍ଲୀରେ ବିସ୍ଫୋରଣ  ହୋଇଥିଲା ଏବଂ ଡା. ଉମରଙ୍କ ନାମ ସାମ୍ନାକୁ ଆସୁଛି। ଏବେ ପ୍ରଶ୍ନ ଏହା ଯେ ଏହି ୟୁନିଭର୍ସିଟି କିଏ ଚଳାଉଛି ଏବଂ ଏହାର ତାର କେଉଁ ପର୍ଯ୍ୟନ୍ତ ଲମ୍ବିଛି ?

କାଗଜରେ ଟ୍ରଷ୍ଟ୍, ଅସଲରେ ଶିକ୍ଷା-ସାମ୍ରାଜ୍ୟ

ଅଲ୍ ଫଲାହ ୟୁନିଭର୍ସିଟିକୁ ଅଲ୍-ଫଲାହ ଚେରିଟେବଲ୍ ଟ୍ରଷ୍ଟ୍ ପକ୍ଷରୁ ଚଳାଯାଉଛି। ଏନଜିଓ ଦର୍ପଣ ପୋର୍ଟାଲରେ ଏହାର ଚେୟାରମ୍ୟାନ୍ ଏବଂ ଟ୍ରଷ୍ଟି ଭାବେ ଜବ୍ୱାଦ ଅହମଦ ସିଦ୍ଦିକୀ, ଉସ୍ମା ଅଖତର ଏବଂ ଆଲିୟା ସିଦ୍ଦିକୀ ଅନ୍ତର୍ଭୁକ୍ତ। ୧୯୯୭ରୁ ଟ୍ରଷ୍ଟ୍ ଇଞ୍ଜିନିୟରିଂ, ଏଜୁକେସନ୍, ମେଡିକାଲ୍ ଏବଂ ଟେକ୍ନୋଲୋଜି କଲେଜଗୁଡ଼ିକର ନିଅଁ ରଖିଥିଲା। ୨୦୧୪ରେ ହରିୟାଣା ବିଧାନସଭା ଏହାକୁ “ଅଲ୍ ଫଲାହ ୟୁନିଭର୍ସିଟି” ଭାବେ ଅପଗ୍ରେଡ୍ କରିଥିଲା। କିନ୍ତୁ, ଏହା ସେହି ନାମ ଯାହା ୨୦୦୦ ଦଶକରେ “ଇସଲାମିକ୍ ଇନ୍ଭେଷ୍ଟମେଣ୍ଟ୍ ଫ୍ରଡ୍” ମାମଲାଗୁଡ଼ିକରେ ମଧ୍ୟ ଉଭା ହୋଇଥିଲା।

‘ଅଲ୍ ଫଲାହ ଗ୍ରୁପ୍’ ଏବଂ ‘ଅଲ୍ ଫହଦ ସ୍କିମ୍’

ଦିଲ୍ଲୀର ଓଖଲାରୁ ୨୦୦୨–୦୩ ଆଖପାଖରେ ଚାଲିଥିବା ଏକ କମ୍ପାନୀ ଥିଲା ଅଲ୍-ଫଲାହ ଇନଭେଷ୍ଟମେଣ୍ଟ୍ ଏହାର ପ୍ରତିଶ୍ରୁତି ଥିଲା “ଇସଲାମିକ୍ ପ୍ରଫିଟ୍ ସ୍କିମ୍”, ୩୫–୪୦% ରିଟର୍ଣ୍ଣ ଏବଂ ହଜ୍ ଯାତ୍ରୀଙ୍କ ପାଇଁ “ହଲାଲ୍ ଫାଇନାନ୍ସିଂ” ଯୋଜନା। କିନ୍ତୁ ଶୀଘ୍ର ଏହି ଯୋଜନା ଧ୍ୱଂସ ହୋଇଗଲା, ଏବଂ ଶହ ଶହ ନିବେଶକ ନିଜର ଜମା ପୁଞ୍ଜି ହରାଇଲେ। ଦି ମିଲ୍ଲି ଗେଜେଟର ଏକ ରିପୋର୍ଟ ଅନୁଯାୟୀ, ଅଲ୍ ଫଲାହ ଗ୍ରୁପ୍ର ଚେୟାରମ୍ୟାନ୍ ଜବ୍ୱାଦ ଅହମଦ ସିଦ୍ଦିକୀ ଏବଂ ତାଙ୍କ ଦୁଇ ଭାଇଙ୍କୁ ନିବେଶକଙ୍କଠାରୁ ଶହ ଶହ କୋଟି ଟଙ୍କାର ଠକେଇ ଅଭିଯୋଗରେ ଗିରଫ କରାଯାଇଥିଲା। ସେମାନଙ୍କ କମ୍ପାନୀ ଉପରେ ଆରବିଆଇ କାର୍ଯ୍ୟାନୁଷ୍ଠାନ ନେଇ ଏନବିଏଫସି ରେଜିଷ୍ଟ୍ରେସନ୍ ମଧ୍ୟ ରଦ୍ଦ କରିଥିଲା। ଏହି ରିପୋର୍ଟ କହୁଛି ଯେ ଏହି ନେଟୱର୍କ ସହ ଜଡ଼ିତ ଅଲ୍-ଫହଦ ଇନଭେଷ୍ଟମେଣ୍ଟ୍ ଗ୍ରୁପ୍ ଥିଲା, ଯାହାର ଚେୟାରମ୍ୟାନ୍ ମହମୁଦ ଅହମଦ ସିଦ୍ଦିକୀ ଥିଲେ, ଯେଉଁମାନେ “ହଲାଲ୍ ଇନଭେଷ୍ଟମେଣ୍ଟ୍” ନାମରେ ବଡ଼ ରକମ ସଂଗ୍ରହ କରିଥିଲେ ଏବଂ ପରେ ହଠାତ୍ ଅଫିସ୍ ବନ୍ଦ କରି ଫରାର ହୋଇଯାଇଥିଲେ। ଏହା ଓଖଲାର ସେହି ଅଞ୍ଚଳ ଥିଲା, ଯେଉଁଠାରୁ ଅଲ୍-ଫଲାହ ଚେରିଟେବଲ୍ ଟ୍ରଷ୍ଟ୍ ବର୍ତ୍ତମାନ ପଞ୍ଜୀକୃତ।

ପୁରୁଣା ନେଟୱର୍କ ଉପରେ ନୂଆ ତଦନ୍ତର ଛାୟା

ଏବେ ଯେତେବେଳେ ଅଲ୍ ଫଲାହ ୟୁନିଭର୍ସିଟିର ନାମ ଏକ ଆତଙ୍କବାଦୀ ଷଡ଼ଯନ୍ତ୍ରର ତଦନ୍ତରେ ଆସିଛି, ତେତେବେଳେ ପୁରୁଣା ଟ୍ରଷ୍ଟ୍ ଏବଂ ଇନଭେଷ୍ଟମେଣ୍ଟ୍ ଠକେଇ ପୁନର୍ବାର ଚର୍ଚ୍ଚାରେ ଅଛି। ଟ୍ରଷ୍ଟ୍ର ପୁରୁଣା ମାମଲାଗୁଡ଼ିକର ଫାଇଲ୍ଗୁଡ଼ିକ ଏବେ ତଦନ୍ତ ଏଜେନ୍ସିଗୁଡ଼ିକ ପାଖରେ ପୁନର୍ବାର ଖୋଲାଯାଇପାରେ, ବିଶେଷକରି ସେଗୁଡ଼ିକ ଯେଉଁଠାରେ “ଧାର୍ମିକ ଚେରିଟି” ନାମରେ ଟଙ୍କାର ଦୁରୁପଯୋଗ ହୋଇଥିଲା।

ଅନେକ ରାଜ୍ୟ ପର୍ଯ୍ୟନ୍ତ ବିସ୍ତୃତ ନେଟୱର୍କ ?

ଦିଲ୍ଲୀ, ହରିୟାଣା, କେରଳ (କାସରଗୋଡ୍), ଏବଂ ଚେନ୍ନାଇ ପର୍ଯ୍ୟନ୍ତ “ଅଲ୍-ଫଲାହ” କିମ୍ବା “ମଜଲିସ୍ ଅଲ୍-ଫଲାହ” ନାମରେ ଅନେକ ଏନଜିଓ ଏକା ନାମ-ସଂରଚନା ଏବଂ ପାରିବାରିକ ଟ୍ରଷ୍ଟ୍ ଅଧୀନରେ ପଞ୍ଜୀକୃତ।

ଶିକ୍ଷା ନାମରେ କୌଣସି ବଡ଼ ନେଟୱର୍କ ?

“ଅଲ୍ ଫଲାହ ଚେରିଟେବଲ୍ ଟ୍ରଷ୍ଟ୍” ଅଧୀନରେ ଚାଲୁଥିବା ସଂସ୍ଥାଗୁଡ଼ିକରେ ଆତଙ୍କବାଦୀ ଫଣ୍ଡିଂ କିମ୍ବା ଭର୍ତ୍ତି ସହ ଜଡ଼ିତ କୌଣସି ଲିଙ୍କ୍ ଅଛି କି ନାହିଁ ଏହା ତଥାପି ନିଶ୍ଚିତ ନୁହେଁ। ସମ୍ଭବ ଯେ ତଦନ୍ତ ଏଜେନ୍ସିଗୁଡ଼ିକ ଏହାର ମୁଳ ପର୍ଯ୍ୟନ୍ତ ଯିବେ। ଯାହାହେଉ, ୟୁନିଭର୍ସିଟି କିମ୍ବା ଟ୍ରଷ୍ଟ୍ ପକ୍ଷରୁ ଆତଙ୍କ ସହ ଜଡ଼ିତ ସନ୍ଦିଗ୍ଧମାନଙ୍କର ନିଜ ସଂସ୍ଥାଗୁଡ଼ିକ ସହ ଜଡ଼ିତ ଥିବା ଅଭିଯୋଗ ଉପରେ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ବୟାନ ଜାରି ହୋଇନାହିଁ।

ମଜହବୀ ତାଲିମ ଉପରେ ଜୋର

ଯଦିଓ ଅଲ୍ ଫଲାହ ସହ ଜଡ଼ିତ ସମସ୍ତ ଶିକ୍ଷା ସଂସ୍ଥାଗୁଡ଼ିକ ଆଧୁନିକ ଶିକ୍ଷା ଦେବାର ଦାବି କରନ୍ତି, କିନ୍ତୁ ୟୁଜିସି ରେକର୍ଡ ଅନୁଯାୟୀ ଟ୍ରଷ୍ଟ୍ ସହ ଜଡ଼ିତ ସଂସ୍ଥାଗୁଡ଼ିକର ରିପୋର୍ଟ “ଆମେ ଆଲ୍ଲାହଙ୍କ ନାମରେ ଆରମ୍ଭ କରୁ,…” ଭଳି ଧାର୍ମିକ ଉଦ୍ଧୃତିରୁ ଆରମ୍ଭ ହୋଇଥାଏ।

ଏକାଧିକ କମ୍ପାନୀ ଏବଂ ଟ୍ରଷ୍ଟର ଜାଲ

ଅଲ୍ ଫଲାହ ଟ୍ରଷ୍ଟ୍ର ଚେୟାରମ୍ୟାନ୍ ଜବ୍ୱାଦ ଅହମଦ ସିଦ୍ଦିକୀ କେବଳ ଶୈକ୍ଷଣିକ କିମ୍ବା ଧାର୍ମିକ ସଂସ୍ଥାଗୁଡ଼ିକ ପର୍ଯ୍ୟନ୍ତ ସୀମିତ ନୁହନ୍ତି, ବରଂ ତାଙ୍କ ନାମରେ ୧୫ରୁ ଅଧିକ କମ୍ପାନୀର ଏକ ଜଟିଳ କର୍ପୋରେଟ୍ ନେଟୱର୍କ ପଞ୍ଜୀକୃତ। ମିନିଷ୍ଟ୍ରି ଅଫ୍ କର୍ପୋରେଟ୍ ଆଫେୟାର୍ସର ରେକର୍ଡ ଅନୁଯାୟୀ, ସେ ନିବେଶ, ଶିକ୍ଷା, ସଫ୍ଟୱେର୍, ଏନର୍ଜି, ଏକ୍ସପୋର୍ଟ୍ ଏବଂ କନ୍ସଲଟେନ୍ସି ଭଳି କ୍ଷେତ୍ରଗୁଡ଼ିକରେ ଡଜନ ଡଜନ କମ୍ପାନୀର ଡାଇରେକ୍ଟର କିମ୍ବା ପାର୍ଟନର ରହିଛନ୍ତି।

ଏଗୁଡ଼ିକ ମଧ୍ୟରେ ଅଲ୍-ଫଲାହ ଇନଭେଷ୍ଟମେଣ୍ଟ୍ସ ଲିମିଟେଡ୍, ଅଲ୍-ଫଲାହ ସଫ୍ଟୱେର୍ ପ୍ରାଇଭେଟ୍ ଲିମିଟେଡ୍, ଅଲ୍-ଫଲାହ ଏନର୍ଜିଜ୍ ଲିମିଟେଡ୍, ତର୍ବିଆ ଏଜୁକେସନ୍ ଫାଉଣ୍ଡେସନ୍ ଏବଂ ନିକଟରେ ଗଠିତ ଅଲ୍-ଫଲାହ ଏଜୁକେସନ୍ ସର୍ଭିସ୍ ଏଲ୍ଏଲ୍ପି ପ୍ରମୁଖ। ଅଧିକାଂଶ କମ୍ପାନୀର ପଞ୍ଜୀକୃତ ଠିକଣା ଏକା ଅଟେ ୨୭୪-ଏ, ଅଲ୍-ଫଲାହ ହାଉସ୍, ଜାମିଆ ନଗର, ଓଖଲା, ନ୍ୟୁ ଦିଲ୍ଲୀ। ଅର୍ଥାତ୍ ସେହି ଭବନ ଯେଉଁଠାରୁ ଅଲ୍-ଫଲାହ ଚେରିଟେବଲ୍ ଟ୍ରଷ୍ଟ୍ ଏବଂ ୟୁନିଭର୍ସିଟି ଚାଲୁଥାଏ। ତଦନ୍ତ ଏଜେନ୍ସିଗୁଡ଼ିକ ଅନୁଯାୟୀ, ଏହି ପ୍ୟାଟର୍ଣ୍ଣ ଏକ “ଲେୟାର୍ଡ୍ କର୍ପୋରେଟ୍ ଷ୍ଟ୍ରକ୍ଚର୍” ଆଡ଼କୁ ଇଙ୍ଗିତ କରୁଛି, ଯେଉଁଠାରେ ଶିକ୍ଷା, ନିବେଶ ଏବଂ ପରୋପକାର ନାମରେ ଏକ ମଲ୍ଟିଲେୟାର୍ଡ୍ ଅର୍ଥନୈତିକ ନେଟୱର୍କ ଗଢ଼ା ହୋଇଛି।

ଜବ୍ୱାଦ ଅହମଦ ସିଦ୍ଦିକୀ କିଏ ?

ଜବ୍ୱାଦ ସିଦ୍ଦିକୀଙ୍କ ନାମରେ ଥିବା ଏକ ଲିଙ୍କଡ୍ଇନ୍ ପ୍ରୋଫାଇଲ୍ ଅନୁଯାୟୀ ସିଦ୍ଦିକୀ ଇନ୍ଦୋରର ଦେବୀ ଅହିଲ୍ୟା ବିଶ୍ୱବିଦ୍ୟାଳୟରୁ ବିଟେକ୍ ପଢ଼ିଛନ୍ତି। ଏହା ସହ କୁହାଯାଇଛି ଯେ ସିଦ୍ଦିକୀ ଅଲ୍ ଫଲାହ ଚେରିଟେବଲ୍ ଟ୍ରଷ୍ଟ୍ର ମ୍ୟାନେଜିଂ ଟ୍ରଷ୍ଟି।

ଏହି ନାମଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ

ଟ୍ରଷ୍ଟ୍ ଏବଂ କମ୍ପାନୀଗୁଡ଼ିକର ଜାଲରେ ଉସ୍ମା ଅଖତରଙ୍କ ନାମ ମଧ୍ୟ ଅଛି, ଯିଏ ଅଲ୍-ଫଲାହ ସ୍କୁଲ୍ ଅଫ୍ ଇଞ୍ଜିନିୟରିଂର ଗଭର୍ଣ୍ଣିଂ ବଡିର ଅଂଶ ରହିଛନ୍ତି। ତାଙ୍କ ଲିଙ୍କଡ୍ଇନ୍ ପ୍ରୋଫାଇଲ୍ ଅନୁଯାୟୀ, ସେ ବର୍ତ୍ତମାନ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ରହୁଛନ୍ତି ଏବଂ ସେଠାରେ ଅନେକ ବ୍ୟବସାୟ ସହ ଜଡ଼ିତ। ଏହା ଛଡ଼ା ଉସ୍ମା ଅଖତରଙ୍କ ନାମ ମଧ୍ୟ ଅଲ୍-ଫଲାହ ଏଜୁକେସନ୍ ସର୍ଭିସ୍ ଏଲ୍ଏଲ୍ପି ଏବଂ ଏମ୍ଜେଏଚ୍ ଡେଭେଲପର୍ସ ପ୍ରାଇଭେଟ୍ ଲିମିଟେଡ୍ ଭଳି କମ୍ପାନୀଗୁଡ଼ିକରେ ନିଦେଶକ ଭାବେ ପଞ୍ଜୀକୃତ। ଟ୍ରଷ୍ଟିଗଣଙ୍କ ତାଲିକାରେ ଆଲିୟା ସିଦ୍ଦିକୀଙ୍କ ନାମ ମଧ୍ୟ ଅଛି।

୩୭୫୦ ଟଙ୍କାରେ ଜନ୍ନତରେ ଘର ଦେଉଛି ଟ୍ରଷ୍ଟ୍ !

ରୋଚକ କଥା ଏହା ଯେ ଅଲ୍ ଫଲାହ ଚେରିଟେବଲ୍ ଟ୍ରଷ୍ଟ୍ର ଓ୍ୱେବସାଇଟରେ କୁହାଯାଇଛି ଯେ ମସଜିଦ ନିର୍ମାଣ ପାଇଁ ୩୭୫୦ ଟଙ୍କା ଦାନ କଲେ ଜନ୍ନତରେ ଘର ମିଳିବ। ଟ୍ରଷ୍ଟ୍ର ଓ୍ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ଟ୍ରଷ୍ଟ୍ର ମୁଖ୍ୟ କାମ ମସଜିଦ ଏବଂ ମଦରସାଗୁଡ଼ିକ ପାଇଁ ଫଣ୍ଡ ସଂଗ୍ରହ କରିବା।

ଦିଲ୍ଲୀ ବିସ୍ଫୋରଣ: ଦୋକାନ ସାମଗ୍ରୀ ଆଣିବାକୁ ଯାଇ ଚାଲିଗଲା ୨୨ ବର୍ଷିୟ ଯୁବକଙ୍କ ଜୀବନ, ଭାଇ ଗୁରୁତର

ଦିଲ୍ଲୀ ବିସ୍ଫୋରଣ: ଦୋକାନ ସାମଗ୍ରୀ ଆଣିବାକୁ ଯାଇ ଚାଲିଗଲା ୨୨ ବର୍ଷିୟ ଯୁବକଙ୍କ ଜୀବନ, ଭାଇ ଗୁରୁତର

ନନ୍ଦିଘୋଷ ବ୍ୟୁରୋ: ସୋମବାର ଦିଲ୍ଲୀରେ ହୋଇଥିବା ବିସ୍ଫୋରଣରେ କେତେ ପରିବାରକୁ ତଳିତଳାନ୍ତ କରି ଦେଇଛି । କିଏ ଭାଇକୁ ହରାଇଛି ତ କିଏ ପୁଅକୁ । ସାରା ଦେଶରେ ଏବେ ଶୋକର ଛାୟା । ଆଉ ଏହାରି ଭିତରେ ବ୍ଲାଷ୍ଟରେ ୨୨ ବର୍ଷିୟ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସେପଟେ ତାଙ୍କ ଦାଦାପୁଅ ଭାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଉଭୟ ନିଜ କଷ୍ଟମେଟିକ ଦୋକାନ ପାଇଁ ସାମଗ୍ରୀ କିଣିବାକୁ ଦିଲ୍ଲୀ ଯାଇଥିଲେ । ଆଉ ବିସ୍ଫୋରଣରେ ନୋମାନ ମୃତ୍ୟୁବରଣ କରିଛନ୍ତି ।

ନୋମାନଙ୍କ ଘର ଶାମଲି ଜିଲ୍ଲା ଝିଞ୍ଜାନା ସହରରେ । ଏହି ବିସ୍ଫୋଣ ତାଙ୍କ ପରିବାରକୁ ପୂରା ଛାରଖାର କରି ଦେଇଛି । ଘଟଣା ଜଣାପଡ଼ିବା ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି ।

ଦୋକାନ ସାମଗ୍ରୀ କିଣିବାକୁ ଯାଇ ମୃତ୍ୟୁର ଜାଲରେ ପଡ଼ିଗଲେ

ନୋମାନ ଦାଦା ପୁଅ ଭାଇ ଅମନ ସହ ଦିଲ୍ଲୀକୁ ନିଜ କଷ୍ଟମେଟିକ ଦୋକାନ ପାଇଁ ସାମଗ୍ରୀ ଆଣିବାକୁ ଯାଇଥିଲେ । ନୋମାନଙ୍କ ମଉସା ଦିଲଶାଦ ଅନସାରୀ କହିଛନ୍ତି, କିଛି ଜିନିଷ ଗାଡିରେ ରହି ଯାଇଥିଲା । ଯାହାକୁ ଆଣିବାକୁ ଉଭୟ ଯାଇଥିଲେ । ରାସ୍ତା ପାର କରି ଗାଡିରେ ବସିଥିବା ବେଳେ ବିସ୍ଫୋରଣ ଘଟିଥିଲା ।

ଦୋଷୀଙ୍କୁ ଦଣ୍ଡ ଦିଅ: ପରିବାର

ନୋମାନଙ୍କ ମୃତ୍ୟୁ ଘଟିଥିବା ବେଳେ ଅମନଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ରହିଛି । ଏହି ଦୁଃଖଦ ଘଟଣା ଉଭୟଙ୍କ ପରିବାରରେ ଶୋକର ଛାୟା ଖେଳାଇ ଦେଇଛି । ଏମିତି କାଣ୍ଡ ଯିଏ ବି କରିଛନ୍ତି ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି । ଏହାସହ ଉଭୟଙ୍କ ପରିବାରକୁ ଯଥା ସମ୍ଭବ ଆର୍ଥିକ ସହାୟତା ଦେବାକୁ ଦାବି ହୋଇଛି ।