spot_img
Home Blog Page 883

ରୁକୁଣା ରଥଯାତ୍ରାରେ ବଡ଼ ବିଭ୍ରାଟ: ଦୁଇ ଘଣ୍ଟା ବିଳମ୍ବରେ ହେଲା ରଥଟଣା

ଭୁବନେଶ୍ବର: ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାରେ ବଡ଼ ବିଭ୍ରାଟ । ରଥଟଣା ପାଇଁ ସାଢ଼େ ୩ଟା ସମୟ ସ୍ଥିର ହୋଇଥିଲେ ମଧ୍ୟ ପ୍ରାୟ ଦୁଇ ଘଣ୍ଟା ବିଳମ୍ବରେ ୫ଟା ୨୨ ମିନିଟରେ ରଥଟଣା ଆରମ୍ଭ ହୋଇଥିଲା ।

ସେହିପରି ରଥ ଉପରେ ମାତ୍ରାଧିକ ସେବାୟତ ଚଢ଼ି ଥିବାରୁ ରଥଟଣାରେ ବି ସମସ୍ୟା ଉପୁଜିଥିଲା  । ଭକ୍ତ ଓ ଶ୍ରଦ୍ଧାଳୁମାନେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଆସିଥିବା ବେଳେ ରଥ ଉପରେ କେବଳ ସେବାୟତଙ୍କୁ ଦେଖିବାକୁ ମିଳିଥିଲା ବୋଲି ଅଭିଯୋଗ ହୋଇଛି । ଏନେଇ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ ବଢେଇବାଙ୍କ ଛକରେ ପହଞ୍ଚି ପାରିଲା ନାହିଁ ରଥ । ସୂର୍ଯ୍ୟାସ୍ତ ପରେ ରଥ ଟଣା ପାଇଁ ନୀତି ଥିବା ସତ୍ତ୍ବେ ସନ୍ଧ୍ୟା ହେବା ପରେ କିପରି ରଥ ଟଣା ହେଉଛି ବୋଲି ପ୍ରଶ୍ନ କରିଥିଲେ ଭକ୍ତ ଓ ଶ୍ରଦ୍ଧାଳୁ । ରଥଟଣାରେ ବିଳମ୍ବ ଓ ରଥ ଉପରେ ମାତ୍ରାଧିକ ସେବାୟତ ଚଢ଼ିବା ଘଟଣା ପାଇଁ ମନ୍ଦିର ପ୍ରଶାସନକୁ ଦାୟୀ କରିଛନ୍ତି ଶ୍ରଦ୍ଧାଳୁ ।

ଜୟ ନାରାୟଣଙ୍କୁ କାହିଁକି ଡରୁଛି ବିଜେପି ? ପୋଲିସ ଅଧିକାରୀଙ୍କୁ ଜାଳି ମାରିଦେବାକୁ ଧମକ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

ଭୁବନେଶ୍ବର: ପୁଣି ଅଡୁଆରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଆଇଆଇସିଙ୍କୁ ହତ୍ୟା ସହ ଥାନା ଜାଳି ଦେବାକୁ ଧମକ । ଜୟନାରାୟଣଙ୍କ ବିରୋଧରେ ଏପରି ସାଂଘାତିକ ଅଭିଯୋଗ କରିଛନ୍ତି ଖୋଦ ସମ୍ବଲପୁର ଟାଉନ ଥାନା ଆଇଆଇସି ସୁବ୍ରତ କୁମାର ମେହେର । ବିନା ଅନୁମତିରେ ଗତ ୨ ତାରିଖରେ ହୋଇଥିବା ଝଣ୍ଡା ଯାତ୍ରା ସମୟରେ ଗିରଫଦାରୀକୁ ନେଇ ଜୟନାରାୟଣ କ୍ଷୁବ୍ଧ ହୋଇ ଥାନା ଅଧିକାରୀଙ୍କୁ ଏପରି ଧମକ ଦେଇଛନ୍ତି । ବିରୋଧୀଙ୍କ ପ୍ରଶ୍ନ, ନିୟମିତ ଆଇନ ଉଲ୍ଲଂଘନକାରୀ ଜୟନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ? ହେଲେ ଆଇନ ମନ୍ତ୍ରୀ ଏ ସମ୍ପର୍କୀତ ପ୍ରଶ୍ନକୁ ଏଡାଇଯାଇ କହିଛନ୍ତି, ଦଳ ଏ ବାବଦରେ ନିଷ୍ପତ୍ତି ନେବ ।

ଥାନା ପୋଡି ଦେବି । ବନ୍ଧୁକ ଧରିକି ବାହାରିବି ଆଉ ସମସ୍ତଙ୍କୁ ମାରି ଦେବି । ଥାନା ଅଧିକାରୀଙ୍କୁ ଏଭଳି ଧମକ ଦେଇଛନ୍ତି ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଆଇନ ଶୃଙ୍ଖଳା ସୁରକ୍ଷାର ଦ୍ବାହି ଦେଉଥିବା ବିଜେପି ସରକାରର ଜଣେ ବରିଷ୍ଠ ବିଧାୟକ ଥାନା ଅଧିକାରୀଙ୍କୁ ଅଶ୍ରାବ୍ୟ ଭାଷାରେ ଏଭଳି ଧମକ ଦେଉଛନ୍ତି । ଗତକାଲିଠାରୁ ଖୋଦ ସମ୍ବଲପୁର ଟାଉନ ଥାନା ଆଇଆଇସି ଏନେଇ ଅଭିଯୋଗ କରିଥିଲେ ବି ସରକାର ନୀରବ । କେତେବେଳେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀକୁ ଅବମାନନା ତ କେତେବେଳେ ବିଧାନସଭା ଭିତରେ କଂଗ୍ରେସ ବିଧାୟକଙ୍କୁ ଆକ୍ରମଣ ଅଭିଯୋଗ । ଏବେ ପୁଣି ଆଇଆଇସିଙ୍କୁ ଜୀବନରୁ ମାରିଦେବାକୁ ଧମକ । ବାରମ୍ବାର ଜୟନାରାୟଣଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସୁଥିଲେ ବି ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

କଂଗ୍ରେସ ଆନ୍ଦୋଳନ ବେଳେ ନାଲି ଆଖି ଦେଖାଇଥିବା ପୋଲିସ ଡିଜି ବିଜେପି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ବିଜେଡି ମଧ୍ୟ ଜୟନାରାୟଣଙ୍କ ଆଚରଣକୁ ନେଇ କଡା ସମାଲୋଚନା କରିଛି ।

ଗତ ୨ ତାରିଖରେ ଦଳେଇପଡାରୁ ବାହାରିଥିଲା ଝଣ୍ଡା ଯାତ୍ରା । ଏହି ଯାତ୍ରା କୁଞ୍ଜେଲପଡା ଦେଇ ପୀରବାବା ଛକ ପର୍ଯ୍ୟନ୍ତ ଯାଇଥିଲା । କିନ୍ତୁ ଏନେଇ ପୂର୍ବରୁ କୌଣସି ଅନୁମତି ନିଆଯାଇ ନଥିଲା । ଯାତ୍ରାରେ ଖୋଲାଖୋଲି ଖଣ୍ଡା ବୁଲାଇଥିଲେ କିଛି ଲୋକ । ସଂସ୍କୃତି ଓ ପରମ୍ପରା ନାଁରେ ବେଆଇନ ଭାବେ ଖଣ୍ଡା ବୁଲାଉଥିବାରୁ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା । ଆଶିଷ ବାବୁ, ଅନୁପ ଲତା, ପ୍ରମୋଦ ଚାନ୍ଦ ଓ ଅନ୍ୟମାନେ ଏହି ଯାତ୍ରାର ଆୟୋଜନ କରିଥିଲେ । ଏନେଇ ସବଇନ୍ସପେକ୍ଟର ଆଶିଷ କୁମାର ପ୍ରଧାନଙ୍କ ରିପୋର୍ଟ ଆଧାରରେ ଏକ ମାମଲା ରୁଜୁ ହେବା ସହ ଦୁଇଟି ଖଣ୍ଡା ଜବତ ହୋଇଥିଲା । ଏହି ମାମଲାକୁ ନେଇ ବିଧାୟକ ଜୟନାରାୟଣ ମିଶ୍ର କ୍ଷୁବ୍ଧ ହୋଇ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଟାଉନ ଥାନା ଆଇଆଇସି । ସେପଟେ ସରକାର ଓ ଦଳ କିନ୍ତୁ ଜୟନାରାୟଣଙ୍କ ବିରୋଧରେ ଆକ୍ସନ ନେଉନାହାଁନ୍ତି ।

ଗତକାଲି ଖୋଦ ପୋଲିସ ଡିଜି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ । କିନ୍ତୁ ୪୮ ଘଣ୍ଟା ପରେ ବି ହାତବାନ୍ଧି ବସିଛି ପୋଲିସ । ରାଜ୍ୟ ସଙ୍ଗୀତକୁ ଅବମାନନା ପ୍ରସଙ୍ଗରେ ବି ବିଜେପି ସରକାର ନୀରବ ଥିଲେ । ଏବେ ବି ଆଇନ ଶୃଙ୍ଖଳାର ଉତ୍ତର ଦାୟିତ୍ବ ନେଉଥିବା ସରକାର ଜୟନାରୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି । ବରଂ ଆଇନଗତ କାର୍ଯ୍ୟାନୁଷ୍ଠାନ ବଦଳରେ ଆଇନ ମନ୍ତ୍ରୀ କହୁଛନ୍ତି ଦଳ ନିଷ୍ପତ୍ତି ନେବ ।

ଆଇଆଇସିଙ୍କୁ ମାରି ଦେବାକୁ ଧମକ ଦେବା ଓ ତାଙ୍କ ନାଁରେ ମାମଲା ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ପୋଲିସ ତାଙ୍କୁ ଏନେଇ ଏପର୍ଯ୍ୟନ୍ତ ଯୋଗାଯୋଗ କରିନାହିଁ ବୋଲି ସେ କହିଛନ୍ତି । ତେବେ ଝଣ୍ଡା ଯାତ୍ରାରେ ଖଣ୍ଡା ବୁଲାଇବା ଆମ ପରମ୍ପରା ବୋଲି ସେ ଯୁକ୍ତି ବାଢିଛନ୍ତି । ଦଶହରାରେ ଆମର ଅସ୍ତ୍ର ପୂଜା ହୋଇଥାଏ ବୋଲି ସେ କହିଛନ୍ତି ।

୬୫ ଡଲାରକୁ ଖସିଲାଣି ଅଶୌଧିତ ତେଲ ଦର: କେତେଦିନ ଲୋକଙ୍କ ପକେଟ କାଟି ଟ୍ରେଜେରୀ ଭରିବ ?

ନନ୍ଦିଘୋଷ ବ୍ୟୁରୋ: ଅଶୋଧିତ ତୈଳ ବ୍ୟାରେଲ ପିଛା କମି ହେଲାଣି ୬୫ ଆମେରିକୀୟ ଡଲାର । ହେଲେ କମିବାର ନାଁ ନେଉନି ଖୁଚୁରା ପେଟ୍ରୋଲ ଓ ଡିଜେଲ ଦର । ଦେଶର ଖାଉଟି କେତେ ଦିନ ମହଙ୍ଗା ଦରରେ କିଣିବେ ଇନ୍ଧନ ? କାହାକୁ ଅପେକ୍ଷା କରିଛନ୍ତି କେନ୍ଦ୍ର ସରକାର ? କାହିଁକି ପୁନଃପ୍ରଚଳନ ହେଉନି ଡାଇନାମିକ ପ୍ରାଇସ ମେକାନିଜିମ୍ । ସାଧାରଣ ଗ୍ରାହକ ମନରେ ବାରମ୍ବାର ଉଙ୍କି ମାରୁଛି ଏସବୁ ପ୍ରଶ୍ନ । ସେପଟେ ଖୋଦ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ ବି କହିଛି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଲକ୍ଷାଧିକ କୋଟି ଲାଭ କଲେଣି । ଏବେ ସମୟ ଆସିଛି ୨୦୨୨ରୁ ବନ୍ଦ ଥିବା ଡାଇନାମିକ ପ୍ରାଇସ ମେକାନିଜିମ ପୁନଃ ଚାଲୁ କରିବାକୁ । ସେପଟେ ଯଦି ରାଜ୍ୟ ସରକାର ଭାଟ ହ୍ରାସ କରନ୍ତେ ଓଡ଼ିଶାରେ ପେଟ୍ରୋଲ ଡିଜେଲ ଦର ଟିକେ କମନ୍ତା ।

୭୦ ଡଲାରରୁ ଖସି ଅଶୋଧିତ ବ୍ୟାରେଲ ଏବେ ୬୫ ଡଲାର ହେଲାଣି । ତଥାପି ଲୋକଙ୍କୁ ଟିକେ ଆଶ୍ବସ୍ତ କରିବାକୁ କେନ୍ଦ୍ର ସରକାର ଚାହୁଁନାହାନ୍ତି । ଆଚ୍ଛେଦିନ କେବେ ଆସିବ ?  ଏ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଠିବାରେ ଲାଗିଛଇ । ଅଶୋଧିତ ତୈଳ ଦର କମିଲେ ଖୁଚୁରା ଦର କମିବ । ବଢିଲେ ଖୁଚୁରା ଦର ବଢିବ । ଏ ନେଇ ୨୦୧୭ରେ କେନ୍ଦ୍ର ସରକାର ପ୍ରଣୟନ କରିଥିଲେ ଡାଇନାମିକ ପ୍ରାଇସ ମେକାନିଜିମ୍ । କୋଭିଡ ଆଳରେ ଏପ୍ରିଲ ୨୦୨୨ରେ ଏହି ବ୍ୟବସ୍ଥାକୁ ଅକାମୀ କରି ଦେଲେ କେନ୍ଦ୍ର ସରକାର । ଲଗାତାର ଅଶୋଧିତ ତୈଳ ଦର ଅନ୍ତରାଷ୍ଟ୍ରୀୟ ବଜାରରେ ଖସିବା ଫଳରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଓ କେନ୍ଦ୍ର ସରକାର ଲକ୍ଷାଧିକ କୋଟି ଲାଭ କଲେଣି । କାହିଁକି ଡାଇନାମିକ ପ୍ରାଇସ ମେକାନିଜିମ ବ୍ୟବସ୍ଥା ପୁଣି ଥରେ ଚାଲୁ କରୁନାହନ୍ତି ? ଅନ୍ତତଃ ଲୋକେ ସଙ୍ଗେ ସଙ୍ଗେ  ଅନ୍ତରାଷ୍ଟ୍ରୀୟ ବଜାରର ଲାଭ ତ ପାଇପାରନ୍ତେ ।

ରାଜ୍ୟରେ ଏବେ ବିଜେପି ସରକାର । ଏବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିରୋଧୀ ଭୂମିକାରେ ଥିବାବେଳେ ତତ୍କାଳୀନ ନବୀନ ସରକାରଙ୍କୁ ଭାଟ୍ ହ୍ରାସ ନେଇ ବିଧାନସଭା ଭିତରେ ଓ ବାହାରେ ରଡ଼ି ଛାଡ଼ୁଥିଲେ । ଏବେ କ’ଣ ହୋଇଛି ନିଜେ ଶାସନର ମୁଖ୍ୟ ହୋଇ କାହିଁକି ଭାଟ୍ ହ୍ରାସ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଗ୍ରାହକ ।

ଖୋଦ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ୍ ବି ଲୋକଙ୍କୁ ମହଙ୍ଗା ଦରରୁ ଆଶ୍ବସ୍ତ କରିବା ସପକ୍ଷରେ ଯୁକ୍ତି ବାଢିଛି । କହିଛି, ଏବେ ସମୟ ଆସିଛି ପୁଣି ଥରେ ଡାଇନାମିକ ପ୍ରାଇସ ମେକାନିଜିମ୍ ଚାଲୁ କଲେ ଲୋକେ ଶସ୍ତାରେ ପେଟ୍ରୋଲ ଡିଜେଲ ପାଇପାରନ୍ତେ । କିନ୍ତୁ ଯାହା ଜଣାପଡ଼ୁଛି ଏବେ ହଠାତ କେନ୍ଦ୍ର ସରକାର ଦର କମାଇବେନି । ମୁଖ୍ୟତଃ ତିନୋଟି କାରଣ ପାଇଁ ଅଶୋଧିତ ତୈଳ ଦର ଏତେ ତଳକୁ କମିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଘୋଷଣା ପରଠୁ ଅନ୍ତରାଷ୍ଟ୍ରୀୟ ତୈଳ ବଜାରରେ ଅସ୍ଥିରତା ସୃଷ୍ଟି ହୋଇଛି । ଗତ ୩ ତାରିଖରେ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ସମୂହ ଓପେକ୍ ସ୍ଥିର କରିଛି ଆସନ୍ତା ମେ’ ମାସରୁ ଦୈନିକ ଅତିରିକ୍ତ ୪ ଲକ୍ଷ ୧୧ ହଜାର ବ୍ୟାରେଲ ଅଶୋଧିତ ତୈଳ ଉତ୍ପାଦନ କରିବ । ଏଥିପାଇଁ ବଜାର ଆବଶ୍ୟକ । ଆମେରିକା ବି ଅଶୋଧିତ ତୈଳ ରପ୍ତାନୀ କରୁଛି । କିନ୍ତୁ ଆମେରିକାର ଟାରିଫର ଜବାବ ଅନ୍ୟ ରାଷ୍ଟ୍ର ଦେବାକୁ ନିଷ୍ପତ୍ତି ନେଇଥିବାରୁ ଆମେରିକା ତୈଳ କେହି କିଣି ନପାରନ୍ତି । ଏଭଳି ସ୍ଥିତିରେ ଭାରତ ସମେତ ଅନ୍ୟରାଷ୍ଟ୍ର ଓପେକ୍ ରାଷ୍ଟ୍ର ସମୂହ ଯଦି ବିକଳ୍ପ ଭାବେ ବାଛନ୍ତି, ତା’ହେଲେ ବେଶୀ ଲାଭବାନ ହେବେ ।

ଏମିତି ବି ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସବୁ ଦର ମହଙ୍ଗା । ରାଜ୍ୟ ସରକାର ପେଟ୍ରୋଲ ଲିଟର ପିଛା ଭାଟ ୨୧ ଟଙ୍କା ୩୮ ପଇସା ଓ ଡିଜେଲ ଲିଟର ପିଛା ୧୭ ଟଙ୍କା ୫୧ ପଇସା ନେଉଛନ୍ତି । ଯଦି ଲୋକଙ୍କ ମଙ୍ଗଳ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭାଟ ଟିକସକୁ ହ୍ରାସ କରନ୍ତେ ତା’ହେଲେ ରାଜ୍ୟର ଲୋକଙ୍କ ପାଇଁ ପେଟ୍ରୋଲ ଡିଜେଲ ଖୁଚୁରା ଦର ଟିକେ କମିଯାଆନ୍ତା । ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜ ଟ୍ରେଜେରୀ ଭରିବା ଲୋଭ ଛାଡ଼ିଲେ ତ ?

ସରକାର ଶୁଣିଲେଣି: ନିଜ ଉଦ୍ୟମରେ ଗାଁକୁ ଝରଣା ପାଣି ନେଇ ଆସିଲେ ଗାଁ ଲୋକେ

ଗଞ୍ଜାମ: ସରକାର ଶୁଣିଲେନି, ଲୋକେ ନିଜେ ଗାଁକୁ ଆଣିଲେ ଝରଣା ପାଣି । ଶେଷରେ ନିଜସ୍ଵ ଉଦ୍ୟମରେ ଗାଁରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟାର କଲେ ସାମାଧାନ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ସାଆବା ପଞ୍ଚାୟତର ଉପାନ୍ତ ଶାଗ କିଆରୀ ଗାଁ ଲୋକେ ଚାନ୍ଦା ଦେବା ସହ ପାଳି କରି ଶ୍ରମଦାନ କରି ଗାଁକୁ ପାଣି ଆଣିଛନ୍ତି । ଗାଁଠାରୁ ପ୍ରାୟ ତିନି କିମି ଦୂରରେ ଥିବା ପାହାଡ଼ି ଝରଣାରୁ ପାଇପ ପକାଇ ଗାଁକୁ ଆଣିଛନ୍ତି ପିଇବା ପାଣି ।

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସାଆବା ପଞ୍ଚାୟତର ଉପାନ୍ତ ଶାଗ କିଆରୀ ଗାଁରେ ୨୫ରୁ ଅଧିକ ପରିବାର ବସବାସ କରନ୍ତି । ମୌଳିକ ସୁବିଧାରୁ ବଞ୍ଚିତ ଏହି ଗାଁର ଲୋକେ ଦୀର୍ଘ ଦିନ ହେବ ପାନୀୟ ଜଳ ସମସ୍ୟା ଭୋଗୁଥିଲେ । ଖରାଦିନ ଆସିଲେ ଗାଁର ଏକମାତ୍ର ନଳକୂପରୁ ପାଣି ବାହାରିବା ବନ୍ଦ ହୋଇଯାଏ । ଲୋକେ ବାଧ୍ୟହୋଇ ୩ କିମି ପାହାଡ଼ିଆ ରାସ୍ତାରେ ଚାଲିଚାଲି ଯାଇ ଝରଣାରୁ ଗରା ମାଠିଆରେ ପାଣି ମୁଣ୍ଡେଇ ଆଣନ୍ତି । ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ପଞ୍ଚାୟତଠୁ ଆରମ୍ଭ କରି ବିଡିଓଙ୍କୁ ଗୁହାରୀ ଜଣାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିଲାନାହିଁ । ବାଧ୍ୟ ହୋଇ ଲୋକେ ଚାନ୍ଦା ଦେବା ସହିତ ଶ୍ରମଦାନ କରି ଗାଁଠାରୁ ପ୍ରାୟ ତିନି କିମି ଦୂର ପାହାଡ଼ି ଝରଣାରୁ ପାଇପ ପକାଇ ଗାଁକୁ ପାଣି ଆଣିଛନ୍ତି ।

ଏତେ ଉଦ୍ୟମ ପରେ ମଧ୍ୟ ଅଧିକ ଖରା ହେଲେ ଝରଣା ପାଣି ଶୁଖି ଯାଉଥିବାରୁ ବିଛା ଯାଇଥିବା ପାଇପ ମଧ୍ୟରୁ ଗୋଟିଏ ପାଇପରେ ପାଣି ଆସିବା ବନ୍ଦ ହୋଇଯାଇଛି । ଯେଉଁ ଗୋଟିଏ ପାଇପରେ ପାଣି ବାହାରୁଛି ତାହା ମଧ୍ୟ ଅଭାବ ପଡୁଛି । ପାନୀୟ ଜଳକୁ ପିଇବା ଓ ରୋଷେଇରେ ବ୍ୟବହାର କରୁଥିବା ବେଳେ ଲୋକେ ନଗାଧୋଇ ଅନେକ ଦିନ ରହିଯାଉଛନ୍ତି । ଶାଗକିଆରୀ ଗାଁକୁ ରାସ୍ତା ନିର୍ମାଣ ହୋଇଥିବା ବେଳେ ସୋଲାର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବିଡିଓ ।

ନିଜସ୍ଵ ଉଦ୍ୟମରେ ପାନୀୟ ଜଳ ବ୍ୟବସ୍ଥା କରିଥିବା ଗ୍ରାମବାସୀଙ୍କ କିଛି ମାତ୍ରାରେ ପାନୀୟ ଜଳ ସମସ୍ୟା ଦୂର ହୋଇଛି । ତେବେ କେବେ ପ୍ରଶାସନ ପଦକ୍ଷେପ ନେଇ ଧରାକୋଟ ବ୍ଳକର ଉପାନ୍ତ ଶାଗକିଆରୀ ଗାଁର ପାନୀୟ ଜଳ ସମସ୍ୟାର ସମାଧାନ କରୁଛି ତାହା ଉପରେ ରହିଛି ନଜର ।

ରାମ ନବମୀ ମହୋତ୍ସବ ପାଇଁ ଉତ୍ସବ ମୁଖର ଦ୍ବିତୀୟ ଅଯୋଧ୍ୟା ଫତେଗଡ଼ ରାମ ମନ୍ଦିର

ନୟାଗଡ଼: ପାହାଡ଼ର ଶିଖରରେ ମନଲୋଭା ସୌନ୍ଦର୍ଯ୍ୟ । ଶାନ୍ତ ପରିବେଶ ମଧ୍ୟରେ ଦୁଇଟି ପାହାଡ଼କୁ କାଟି ୧୬ ଶହ ଫୁଟ ପାହାଡ଼ ଉପରେ ୩୬ ଏକର ଜାଗାରେ ନିର୍ମାଣ ହୋଇଛି ଭବ୍ୟ ରାମ ମନ୍ଦିର । ଯାହାର କାରୁ କାର୍ଯ୍ୟ ଦେଖିଲେ ଆଖି ଝଲସି ଉଠିବ । ଏହି ଭବ୍ୟ ରାମ ମନ୍ଦିରକୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଆସୁଛନ୍ତି ହଜାର ହଜାର ଭକ୍ତ ଏବଂ ଶ୍ରଦ୍ଧାଳୁ । ଆଉ ରାମ ନବମୀ ପାଇଁ ଏବେ ଚାଲିଛି ମହୋତ୍ସବ । ଯାହାକୁ ଦେଖିବାକୁ ଲାଗୁଛି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ।

ଶ୍ରୀରାମ ନବମୀ ମହୋତ୍ସବକୁ ନେଇ ଚଳଚଞ୍ଚଳ ହୋଇପଡ଼ିଛି ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଫତେଗଡ଼ ରାମ ମନ୍ଦିର । ପୂରା ସଜେଇ ହୋଇଛି ଫତେଗଡ଼ ଗାଁ । ଆଉ ଭଳିକି ଭଳି ଫୁଲରେ ସଜେଇ ହୋଇଛି ମନ୍ଦିର । ରାମ ଲାଲାଙ୍କ ଦର୍ଶନ ପାଇଁ ଦିନ ରାତି ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାରକୁ ଭଗବାନ ରାମଙ୍କ ଜନ୍ମ ଦିବସ ଭାବରେ ପାଳନ କରାଇଥାଏ । ଏହି ଶୁଭ ମୂହୁର୍ତ୍ତକୁ ଶ୍ରଦ୍ଧାଳୁମାନେ ରାମନବମୀ ରୂପେ ପାଳନ କରିଥାନ୍ତି । ସେଥିପାଇଁ ରାମ ନବମୀ ଉତ୍ସବ ଧର୍ମ, ଶକ୍ତିର ମହିମା, ଭଲ ଓ ଖରାପ ମଧ୍ୟରେ ସଂଘର୍ଷକୁ ଦର୍ଶାଇଥାଏ । ହିନ୍ଦୁଙ୍କ ପାଇଁ ଏହି ପର୍ବର ମହତ୍ତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଚୈତ୍ର ମାସ ଶୁକ୍ଳପକ୍ଷର ନବମୀ ତିଥିରୁ ରାମନବମୀ ପାଳିତ ହୋଇଥାଏ । ଏନେଇ ଦ୍ୱିତୀୟ ଅଯୋଧ୍ୟା କୁହାଯାଉଥିବା ଫତେଗଡ ରାମ ମନ୍ଦିରରେ ଶ୍ରୀରାମ ନବମୀ ପାଇଁ ମାର୍ଚ୍ଚ ୨୯ ତାରିଖରୁ ଉତ୍ସବ ପାଳିତ ହେଉଛି । ଏପ୍ରିଲ ୬ ତାରିଖରେ ଉତ୍ସବର ପୂର୍ଣ୍ଣାହୂତି ହେବ ।

ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ ଚୈତ୍ର ନବମୀରେ ଶ୍ରୀରାମଙ୍କ ଜନ୍ମ ଦିବସ ଅବସରରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଥାଏ । ଏହି ଅବସରରେ ନୟାଗଡ଼ର ପ୍ରସିଦ୍ଧ ଫତେଗଡ ରାମ ମନ୍ଦିରରେ ରାମ ନାମ ଧ୍ଵନୀରେ କମ୍ପୁଛି ପରିବେଶ । ପବିତ୍ର ରାମ ନବମୀ ଉପଲକ୍ଷେ ମନ୍ଦିରରେ ଭଜନ କୀର୍ତ୍ତନ, ଅଖଣ୍ଡ ପାଠ ଆଦି ଅନୁଷ୍ଠିତ ହେଉଛି । ରାମ ଚରିତ ମାନସ ପାଠ ଶୁଣିବାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏହାସହ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୨ ଶହରୁ ଅଧିକ ମନ୍ଦିର କମିଟି ସଦସ୍ୟ ଦାୟିତ୍ଵରେ ରହିଛନ୍ତି ।

ଆହ୍ଲାବାଦ ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ବିବାଦୀୟ ଜଷ୍ଟିସ ଯଶଓ୍ବନ୍ତ ବର୍ମା

ନନ୍ଦିଘୋଷ ବ୍ୟୁରୋ: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ବିବାଦୀୟ ଜଷ୍ଟିସ ଯଶଓ୍ବନ୍ତ ବର୍ମା । ଏକ ଆଡ଼ମ୍ବର ବିହୀନ କାର୍ଯ୍ୟକ୍ରମରେ ସେ ଶପଥ ନେଇଛନ୍ତି । ତେବେ ତାଙ୍କ ବିରୋଧରେ ଇନ-ହାଉସ ତଦନ୍ତ ଚାଲିଥିବାଯାଏଁ ତାଙ୍କୁ କୌଣସି ବିଚାର ସଂକ୍ରାନ୍ତ ଦାୟିତ୍ବ ଦିଆଯିବ ନାହିଁ ବୋଲି ଜଣାପଡିଛି ।

ତାଙ୍କ ବାସଭବନରୁ ଟଙ୍କା ଜବତ ହେବା ପରେ ଏହି ପ୍ରସଙ୍ଗକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଥିଲା । ତାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରିବା ଲାଗି ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ତାହାକୁ ବାର୍ ଆସୋସିଏସନ ବିରୋଧ କରିଥିଲା ।  ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ପରେ ଜଷ୍ଟିସ ବର୍ମା ହେଉଛନ୍ତି ବରିଷ୍ଠତା ଭିତ୍ତିରେ ଷଷ୍ଠ । ଆହ୍ଲାବାଦ ବାର୍ ଆସୋସିଏସନର ବିରୋଧ ସତ୍ତ୍ବେ ତାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆହ୍ଲାବାଦକୁ ବଦଳି ଲାଗି କେନ୍ଦ୍ର ବିଜ୍ଞପ୍ତି ଜାରି କରିଥିଲା । ବାର୍ ଆସୋସିଏସନ ପକ୍ଷରୁ କୁହାଯାଇଥିଲା, ଦୁର୍ନୀତି ଅଭିଯୋଗରେ ଜଡିତ ବିଚାରପତିଙ୍କୁ ବାର୍ ଆସୋସିଏସନ ଗ୍ରହଣ କରିବ ନାହିଁ । ଗତ ମାର୍ଚ୍ଚ ୧୪ରେ ଜଷ୍ଟିସ ବର୍ମାଙ୍କ ବାସଭବନରୁ ପୋଡା ଟଙ୍କା ଜବତ ହେବା ପରେ ହଇଚଇ ସୃଷ୍ଟି ହୋଇଥିଲା ।

ଯାତ୍ରାପାର୍ଟି ବିବାଦ: ଥାନର ଦ୍ବାରସ୍ଥ ହେଲେ ହାସ୍ୟ ଅଭିନେତା ନରି ପଣ୍ଡା

ନନ୍ଦିଘୋଷ ବ୍ୟୁରୋ: ଥାନାକୁ ଗଲା ଯାତ୍ରାପାର୍ଟି ମାଲିକ ଓ କଳାକାର ବିବାଦ । ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁଙ୍କ ନାଁରେ ବାଲିଚନ୍ଦ୍ରପୁର ଥାନାରେ ଏତଲା ଦେଲେ ହାସ୍ୟ ଅଭିନେତା ନରି ପଣ୍ଡା ।

ନିଜ ଏତଲାରେ ନରି ଦର୍ଶାଇଛନ୍ତି, ନାଣ୍ଡୁ ତାଙ୍କୁ ଆକ୍ରମଣ କରିବା ସହ ଜୋରଜବରଦସ୍ତ କୋର୍ଟ ଷ୍ଟାମ ଥିବା କାଗଜରେ ଦସ୍ତଖତ ନେଇଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ଏତଲାରେ ଦର୍ଶାଇବା ସହ ଯାତ୍ରାପାର୍ଟି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟବାସୀଙ୍କୁ ମନୋରଞ୍ଜନ ଯୋଗାଇ ଥିଲା ଯାତ୍ରା ଜଗତର ଯାତ୍ରା । ଭୁବନେଶ୍ବରରେ ଯାତ୍ରାପାର୍ଟି ମାଲିକଙ୍କ ବୈଠକ ବସିଥିଲା । ଏଥିରେ ନରିଙ୍କ ବିବାଦ ଓ ଅନ୍ୟ କିଛି ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା । ବୈଠକ ପରେ ନରି ଏବଂ ଅନ୍ୟ ଜଣେ କଳାକର ପ୍ରତାପ ମହାନ୍ତିଙ୍କୁ ଯାତ୍ରା ଜଗତରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାସନ୍ଦ କରାଯାଇଥିବା କୁହାଯାଇଥିଲା । ହେଲେ ଏହାର କିଛି ସମୟ ପରେ ଯାତ୍ରାପାର୍ଟି ରାଜ ନନ୍ଦନୀ ପକ୍ଷରୁ ଆସିଥିଲା ବଡ଼ ବୟାନ । ନରି ଚାହିଁଲେ ରାଜ ନନ୍ଦନୀରେ ଯୋଗ ଦେଇପାରିବେ । ନରି ରାଜ ନନ୍ଦିନୀ ଆସିଲେ ତାଙ୍କୁ ସ୍ବାଗତ କରାଯିବ ବୋଲି ଯାତ୍ରାପାର୍ଟି ପକ୍ଷରୁ କୁହାଯାଇଥିଲା ।

ରିଲ୍ସ କରି ଭାଇରାଲ ହେବା ନିଶାରେ କଇଁଛକୁ ନିର୍ଯାତନା

ଭୁବନେଶ୍ବର: ଯୁବପୀଢ଼ିଙ୍କୁ ରିଲ୍ସ ନିଶା କରିଛି ବାୟା । ଭୁଲି ଯାଉଛନ୍ତି ହିତାହିତ ଜ୍ଞାନ । ଭାଇରାଲ ହେବା ନିଶାରେ ବନ୍ୟଜନ୍ତୁଙ୍କୁ ବି ଦେଉଛନ୍ତି ନିର୍ଯାତନା । ରାତାରାତି ଲୋକପ୍ରିୟତା ହାସଲ କରିବାକୁ ନିରୀହ କଇଁଛକୁ ବି ଛାଡିନାହାନ୍ତି । ଭିଡିଓ ଭାଇରାଲ ପରେ ସ୍ଵର ଉଠାଇଛନ୍ତି ପଶୁପ୍ରେମୀ । କିଛି ଲାଇକ୍ସ ଓ କମେଣ୍ଟେସ ପାଇଁ ଭୁଲି ଯାଉଛନ୍ତି ମାନବିକତା । ଯାଜପୁର ଅଞ୍ଚଳର ଦୁଇ ପୁଅ ଝିଅ ଗୋଟେ କଇଁଛଟିକୁ ଧରି ଦୀର୍ଘ ସମୟ ଧରି ମାଡିବସି ତା ପିଠିରେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି ।

ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ । ବନ୍ୟପ୍ରାଣୀ ଆଇନ ସିଡୁଲ-1ରେ କଇଁଛ ରହିଛି । ଆଇନ ଅନୁସାରେ କଇଁଛକୁ ମନୋରଞ୍ଜନ ପାଇଁ ବ୍ୟବହାର କରାଯାଇପାରିବ ନାହିଁ । ହେଲେ ବିଶ୍ୱଜିତ ଜେନା ନାମକ ଯୁବକ ଓ ତାଙ୍କ ସହିତ ଆଉ ଜଣେ ମହିଳା ଏହି ଭିଡିଓରେ ରହିଛନ୍ତି । ଆଇନର ସବୁ ନିୟମକୁ ଫୁ କରି କେବଳ ଭାଇରାଲ ହେବା ପାଇଁ ଏମିତି କରୁଛନ୍ତି ବୋଲି କହିଛନ୍ତି ଶୁଭେନ୍ଦୁ । ଭିଡିଓରେ କଇଁଛଟିକୁ ବଳପୂର୍ବକ ମାଡି ବସି ଧରି ତା ପିଠିରେ କେମିକାଲ ଯୁକ୍ତ କଲର ଲଗାଇ ରିଲ୍ସ କରୁଛନ୍ତି । ବନ୍ୟପ୍ରାଣୀ ଆଇନ୍ ଅନୁସାରେ ଏହା ଗୁରୁତର ଅପରାଧ । ଯେଉଁଥିପାଇଁ ୩ ବର୍ଷରୁ ଅଧିକ ଦଣ୍ଡ ବିଧାନ ରହିଛି । ଘଟଣା ନେଇ ବନ ବିଭାଗରେ ଅଭିଯୋଗ କରିଛନ୍ତି ଶୁଭେନ୍ଦୁ ।

ଭାରତ ମହାସାଗରରେ ଚୀନକୁ କାଉଣ୍ଟର କରିବାକୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚୁକ୍ତି

ନନ୍ଦିଘୋଷ ବ୍ୟୁରୋ: ଭାରତ ମହାସାଗର ଅଞ୍ଚଳରେ ଚୀନର ପ୍ରଭାବକୁ କରାଯିବ କାଉଣ୍ଟର । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ । ଏହାସହ ଶକ୍ତି, ଡିଜିଟାଲ ଭିତ୍ତିଭୂମି, ସ୍ବାସ୍ଥ୍ୟ, ବାଣିଜ୍ୟ କ୍ଷେତ୍ରରେ ବି ଚୁକ୍ତି ସମ୍ପାଦିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶ୍ରୀଲଙ୍କା ଗସ୍ତ ଅବସରରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି ।

ଶ୍ରୀଲଙ୍କା ପକ୍ଷରୁ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି ରାଷ୍ଟ୍ରପତି ଅନୁରା କୁମାରା ଦିଶାନାଏକେ । ୨୦୨୨ରେ ଶ୍ରୀଲଙ୍କା ଆର୍ଥିକ ଦୁଃସ୍ଥିତିରେ ଗତି କରୁଥିବାବେଳେ ଭାରତ ସହାୟତାର ହାତ ବଢ଼ାଇଥିଲା । ଶ୍ରୀଲଙ୍କାକୁ ଭାରତ ଦେଇଥିଲା ୪ ନିୟୁତ ଡଲାର । ଏହାସହ ଶ୍ରୀଲଙ୍କାର ବିକାଶ ଓ ପୁନର୍ଗଠନ ଲାଗି ସହାୟତା ଜାରି ରହିବ ବୋଲି ଭାରତ ଘୋଷଣା କରିଥିଲା । ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଶ୍ରୀଲଙ୍କାକୁ କମ ସୁଧହାରରେ ସହୟତା ଦେବା ଲାଗି ଭାରତ ନିଷ୍ପତ୍ତି ନେଇଛି । ଭାରତର ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ ଓ ଶ୍ରୀଲଙ୍କାର ସିଲନ ଇଲେକ୍ଟ୍ରିସିଟି ବୋର୍ଡ ମଧ୍ୟରେ ୧୨୦ ମେଗାୱାଟ ସୋଲାର ପାୱାର ପ୍ଲାଣ୍ଟ ପ୍ରସଙ୍ଗରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି ।

ଗ୍ରୀନଲାଣ୍ଡ କାହାର ? ଡେନମାର୍କର ନା ଆମେରିକାର

ନନ୍ଦିଘୋଷ ବ୍ୟୁରୋ: ଗ୍ରୀନଲାଣ୍ଡକୁ ନେଇ ତେଜିଲା ବିବାଦ । ଗ୍ରୀନଲାଣ୍ଡ ଡେନମାର୍କ ଅଧୀନରେ ରହିବ ନା ଆମେରିକା ଅଧୀନକଚ ଯିବ ତାକୁ ନେଇ ବଢିବାରେ ଲାଗିଛି ବିତର୍କ । ଡେନମାର୍କ ଅଧୀନରେ ରହିବାକୁ ଗ୍ରୀନଲାଣ୍ଡବାସୀ ଚାହୁଁନାହାନ୍ତି ବୋଲି କହିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ । ସେପଟେ ଏହି ଦାବିକୁ ଅଗ୍ରାହ୍ୟ କରିଛନ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡରିକସେନ । ବ୍ରସେଲସସ୍ଥିତ ନାଟୋ ମୁଖ୍ୟାଳୟରେ ରୁବିଓଙ୍କ ବିବୃତିକୁ ବିରୋଧ କରିଛନ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ ।

ସେପଟେ ରୁବିଓଙ୍କ ମନ୍ତବ୍ୟକୁ ବିରୋଧ କରିଛନ୍ତି ଗ୍ରୀନଲାଣ୍ଡ ପ୍ରଧାନମନ୍ତ୍ରୀ ଜେନ୍ସ ଫ୍ରେଡରିକ ନେଲସନ । ସେ କହିଛନ୍ତି, ଗ୍ରୀନଲାଣ୍ଡ କି ଡେନମାର୍କ ଆମେରିକାରେ ରହିବାକୁ ଚାହାଁନ୍ତି ନାହିଁ । କୌଶଳଗତ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଗ୍ରୀନଲାଣ୍ଡକୁ ନେବା ଲାଗି ବର୍ତ୍ତମାନ ଆମେରିକା ପ୍ରାଥମିକତା ଦେଉଛି । ଉଭୟ ଗ୍ରୀନଲାଣ୍ଡ ଓ ଡେନମାର୍କ ଦୀର୍ଘ ଦିନ ଧରି ଆମେରିକାର ସହଯୋଗୀ ଭାବେ ରହି ଆସିଛନ୍ତି । ଗ୍ରୀନଲାଣ୍ଡରେ ବି ଆମେରିକାର ସାମରିକ ଓ ଆଣବିକ କ୍ଷେପଣାସ୍ତ୍ର ଘାଟି ରହିଛି । ଏହି ଭୂଖଣ୍ଡରେ ଥିବା ଦାମୀ ପ୍ରାକୃତିକ ସମ୍ପଦ ଉପରେ ଆମେରିକାର ଆଖି ରହିଛି । ଗତ ମାସରେ ଆମେରିକା ବିରୋଧରେ ଗ୍ରୀନଲାଣ୍ଡରେ ବିକ୍ଷୋଭ ହୋଇଥିଲା । ଗ୍ରୀନଲାଣ୍ଡରେ ଚାରିଟି ରାଜନୈତିକ ଦଳ ଆମେରିକାର ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି । ଗତ ମାର୍ଚ୍ଚରେ ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ଗ୍ରୀନଲାଣ୍ଡ ଗସ୍ତ ପରେ ସେଠାରେ ଜୋରଦାର ପ୍ରତିବାଦ ଆନ୍ଦୋଳନ ହୋଇଛି ।

କାହିଁକି ଗ୍ରୀନଲାଣ୍ଡ ଚାହୁଁଛନ୍ତି ଟ୍ରମ୍ପ ?

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାହିଁକି ଗ୍ରୀନଲାଣ୍ଡକୁ ଆମେରିକାରେ ମିଶାଇବାକୁ ଚାହୁଁଛନ୍ତି, ଆସନ୍ତୁ ଜାଣିବା । ବର୍ତ୍ତମାନ ଡେନମାର୍କ ଅଧୀନରେ ଏକ ସ୍ବାଧୀନ ଭୂଖଣ୍ଡ ଭାବେ ରହିଛି ଗ୍ରୀନଲାଣ୍ଡ । ବିଶ୍ବର ସର୍ବହୃହତ ଦ୍ବୀପ ହେଉଛି ଗ୍ରୀନଲାଣ୍ଡ । ଏହାର ଜନସଂଖ୍ୟା ମାତ୍ର ୫୬ ହଜାର । ପ୍ରାୟ ୮୦ ପ୍ରତିଶତ ଅଞ୍ଚଳ ରହିଛି ବରଫାବୃତ୍ତ । ଗ୍ରୀନଲାଣ୍ଡ ରାଜଧାନୀ ନୁକ ଚାରିପଟେ ଲୋକେ ବସବାସ କରନ୍ତି । ଗ୍ରୀନଲାଣ୍ଡରେ ଡେନମାର୍କ ଓ ଆମେରିକାର ସାମରିକ ଘାଟିମାନ ରହିଛି । ଏଠାରେ ବିରଳ ମୃତ୍ତିକା ସମେତ ଅନେକ ପ୍ରାକୃତିକ ସମ୍ବଳ ରହିଛି । ବଡ଼କଥା ହେଉଛି ବିଶ୍ବ ତାପାୟନ ଯୋଗୁଁ ବରଫ ତରଳିବା ସହ ଖଣିଜ ପଦାର୍ଥ ମିଳିବା ସମ୍ଭବ ହେବ ।

ପ୍ରାୟ ୩୦୦ ବର୍ଷ ଧରି ୩ ହଜାର କିଲୋମିଟର ଦୂରରେ ଥିବା ଗ୍ରାନଲାଣ୍ଡ ରହିଛି ଡେନମାର୍କ ଅଧୀନରେ । ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ଡେନମାର୍କକୁ ନାଜି ଜର୍ମାନୀ କବଳିତ କରିବା ପରେ ଗ୍ରୀନଲାଣ୍ଡ ଉପରେ ଆକ୍ରମଣ କରିଥିଲା ଆମେରିକା । ସେଠାରେ ପ୍ରତିଷ୍ଠା କରିଥିଲା ରେଡିଓ ଷ୍ଟେସନ । ଚୀନ ଓ ରୁଷକୁ ଟକ୍କର ଦେବା ଲାଗି ବି ଗ୍ରୀନଲାଣ୍ଡ ଭୌଗଳିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ।