ଦେଶର ଅଗ୍ରଣୀ ଟେଲିକମ୍ ସେବାପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ସର୍ବଦା ତା’ର ଅଗଣିତ ଗ୍ରାହକଙ୍କ ପାଇଁ ନୂଆ ନୂଆ ଅଫର୍ ଆଣିଥାଏ । ଏହା ମଧ୍ୟରେ ଜିଓ ଏକ ଶାନଦାର ଅଫର ଲଞ୍ଚ କରିଛି । ଏଥିରେ ଗ୍ରାହକମାନେ ମାତ୍ର ୧୯୯ ଟଙ୍କାର ରିଚାର୍ଜ କରି ଦୈନିକ ୧.୫ ଜିବି ଡାଟା ଓ ଅସୀମିତ କଲିଂ ସୁବିଧା ପାଇ ପାରିବେ । ଜିଓ ପୋର୍ଟଫୋଲିଓରେ ଅନେକ ରିଚାର୍ଜ ପ୍ଲାନ ଉପଲବ୍ଧ ରହିଥିବା ବେଳେ ତାହା ଅଲଗା ଅଲଗା ସେଗମେଣ୍ଟ ଓ ଫିଚର୍ସ ସହ ଆସୁଛି । ଜିଓର ଏହି ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ପୂରା ୧୮ ଦିନର ଭାଲିଡିଟି ମିଳିଥାଏ । ଏହି ଅବସରରେ ଗ୍ରାହକମାନେ କଲିଂ ଓ ଡାଟାର ଫାଇଦା ଉଠାଇ ପାରିବେ । ଏଥିରେ ଲୋକାଲ ଓ ଏସଟିଡି କଲ୍ ମଧ୍ୟ ସାମି ରହିଛି । ୟୁଜର୍ସ ଦୈନିକ ୧୦୦ ଏସଏମଏସକୁ ଏକ୍ସେସ କରିବାର ସୁବିଧା ପାଇବେ । ଆଜିର ଡିଜିଟାଲ ଜମାନାରେ ଇଣ୍ଟରନେଟ ସଭିଙ୍କ ପାଇଁ ଅତ୍ୟନ୍ତ ଜରୁରୀ ଜିନିଷ ହୋଇଥିବାରୁ ଏହି ଶସ୍ତା ପ୍ଲାନ ଗ୍ରାହକଙ୍କୁ ନିଶ୍ଚିତ ଭାବେ ଫାଇଦା ଦେବାରେ ସହାୟକ ହେବ ।
କ୍ଷମତାକୁ ଆସିବା ପରେ ବିଜେପିରେ ବଢୁଛି ଅହଙ୍କାର: ନେତାମାନେ ନିଜ ନିଜ ଭିତରେ ଲଢ଼େଇରେ ବ୍ୟସ୍ତ
ଭୁବନେଶ୍ବର: କ୍ଷମତାକୁ ଆସିବା ପରେ ବିଜେପିରେ ତୀବ୍ରରୂପ ଧାରଣ କରିଛି ଗୋଷ୍ଠୀ ବିବାଦ। ବଢ଼ିଛି ବିଜେପି ନେତାଙ୍କ ଅହଙ୍କାର। ସାଂସଦ ଓ ବିଧାୟକଙ୍କ ମଧ୍ୟରେ ନାହିଁ ସମନ୍ବୟ। ଲୋକଙ୍କ ସହ ନେତାଙ୍କ ସମ୍ପର୍କ ବି ଦୁର୍ବଳ। ଏହାକୁ ସଜାଡ଼ିବାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଉଭୟ ସାଂସଦ ଓ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି। ପୁରୀରେ ଉଦଯାପିତ ତିନିଦିନିଆ ପ୍ରଶିକ୍ଷଣ ଶିବିରରେ ନଡ୍ଡାଙ୍କ ଏପରି ତାଗିଦକୁ ତୃଣମୂଳ ସ୍ତରରେ କିପରି କାର୍ଯ୍ୟକାରୀ କରାଯିବ, ତାହା ଦଳୀୟ ନେତୃତ୍ବକୁ ଚିନ୍ତାରେ ପକାଇଛି। ଏପଟେ ସରକାର ଗଠନକୁ ୧୦ ମାସ ପୂରିଥିଲେ ମଧ୍ୟ, ହୋଇ ପାରୁନି ଦଳର ରାଜ୍ୟ ସଭାପତି ଚୟନ। ଦିଶାହୀନ ଭାବେ ଦଳ ଚାଲୁଥିବାରୁ ଆଶାୟୀଙ୍କ ମନରେ ସୃଷ୍ଟି ହୋଇଛି ଆଶଙ୍କା। ସଭାପତି ଚୟନ ନେଇ ପ୍ରଭାରୀ କହିଛନ୍ତି, ସବୁ କିଛି କେନ୍ଦ୍ର ଉପରେ ନିର୍ଭର କରୁଛି। କେବେ ରାଜ୍ୟ ସଭାପତି ନିର୍ବାଚନ ହେବ, ସେମାନେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବିଜେପି ନେତା।
ପ୍ରଥମ ଥର ପାଇଁ କ୍ଷମତାକୁ ଆସିବା ପରେ ବିଜେପିରେ ସମସ୍ୟା ଅନେକ। ଦଳରେ ଗୋଷ୍ଠୀ ବିବାଦ ଉଗ୍ରରୂପ ଧାରଣ କରିଥିବାରୁ ୧୦ ମାସ ହେଲା ନିଗମ ନିଯୁକ୍ତି ହୋଇପାରୁନି। ଦଳରେ ସ୍ଥାଣୁତା ଲାଗି ରହିଥିବା ବେଳେ, ସରକାର ନିଶ୍ଚଳ ଅବସ୍ଥାରେ ରହିଛି। ନିଗମ, ବୋର୍ଡ ନିଯୁକ୍ତି ନେଇ ଘନ ଘନ ବୈଠକ ବସୁଛି, ବିଚାର ବିମର୍ଷ ବି ଚାଲିଛି। ଏଭଳି ସ୍ଥିତିରେ ଖୁବଶୀଘ୍ର ନିଷ୍ପତ୍ତି ଆସିବ ବୋଲି କହୁଛନ୍ତି ପ୍ରଭାରୀ। ପ୍ରଶିକ୍ଷଣ ଶିବିରରେ ଜନ ପ୍ରତିନିଧିଙ୍କ ଆଚାର ବ୍ୟବହାର ଉପରେ ଆଲୋଚନା କରାଯିବା ସାଙ୍ଗକୁ ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ରଣନୀତି ବାବଦରେ ଚର୍ଚ୍ଚା ହୋଇଛି। ସେହିପରି ସଠିକ ସମୟରେ ନୂଆ ସଭାପତି ବାବଦରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମନମୋହନ ସାମଲ। ସଙ୍ଗଠନ ଭିତରେ ଲାଗି ରହିଛି ପତିଆରା ଲଢ଼େଇ ଓ ଅହଙ୍କାର। ନେତାଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ରାଜ୍ୟ ସଭାପତି ଚୟନ ପଦ୍ମ ଯେପରି ଘୁଞ୍ଚି ଘୁଞ୍ଚି ଚାଲିଛି, ନିଗମ ଓ ବୋର୍ଡ ନିଯୁକ୍ତି ମଧ୍ୟ ସେତିକି ବିଳମ୍ବିତ ହେଉଛି।
ଏପ୍ରିଲ ୧୯ ତାରିଖରେ ବିଜୁ ଜନତା ଦଳର ସଭାପତିଙ୍କ ନାଁ ଘୋଷଣା ହେବ
ଭୁବନେଶ୍ବର: ଏପ୍ରିଲ ୧୭ ସୁଦ୍ଧା ବିଜେଡି ସାଂଗଠନିକ ପଦ ଗୁଡ଼ିକ ପାଇଁ ନାମାଙ୍କନ ଦାଖଲ ଶେଷ ହେବ। ଯଦି ରାଜ୍ୟ ସଭାପତି ପାଇଁ ବି ଜଣେ ମାତ୍ର ନାମାଙ୍କନ କରିବେ, ତେବେ ଏପ୍ରିଲ ୧୯ ତାରିଖରେ ଔପଚାରିକ ଭାବେ ସଭାପତିଙ୍କ ନାଁ ଘୋଷଣା କରିବେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ । ଏଯାଏ ସହମତି ଭିତ୍ତିରେ ନାମାଙ୍କନ ଦାଖଲ ଚାଲିଛି । ଯେଉଁଠି ସହମତି ହେଉନି, ସେଠାରେ ବି ସମନ୍ଵୟ ରକ୍ଷା କରି ନିର୍ବାଚନ ପ୍ରକ୍ରିୟାକୁ ଆଗେଇ ନିଆଯାଉଛି। ଗତକାଲି ୧୬ ଜଣ ଜିଲ୍ଲା ସଭାପତି ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଥିଲେ । ଆସନ୍ତାକାଲି ସୁଦ୍ଧା ସମସ୍ତ ୩୩ ସାଂଗଠନିକ ଜିଲ୍ଲାରେ ସଭାପତି ପଦ ପାଇଁ ନାମାଙ୍କନ ସରିବ। ଏହା ପରେ ପଞ୍ଚମ ପର୍ଯ୍ୟାୟରେ ଷ୍ଟେଟ କାଉନସିଲ ବଛାଯିବ । ଷଷ୍ଠ ପର୍ଯ୍ୟାୟରେ ଷ୍ଟେଟ ଏକଜିକ୍ୟୁଟିଭ ନିର୍ବାଚନ ସହ ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ କରାଯିବ।
ନବମ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳର ସଭାପତି କରିବାକୁ ନେତାମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଏଥର ବିରୋଧୀ ଆସନରେ ବସିଥିବା ବିଜେଡି ନବୀନଙ୍କ ନେତୃତ୍ଵରେ ସରକାରଙ୍କ ଦୋଷ ତ୍ରୁଟିକୁ ଲୋକଙ୍କ ସାମ୍ନାକୁ ଆଣି ଲଢ଼େଇ କରିବାକୁ ପ୍ରସ୍ତୁତ ହେଉଛି। ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ ହେବା ସହ ବ୍ଲକ, ପୌର ସଭାପତି ପଦ ପାଇଁ ବି ହେବ ନିର୍ବାଚନ। ରାଜ୍ୟ ସଭାପତିଙ୍କ ଅନୁମୋଦନରେ ଯୁବ, ଛାତ୍ର ଓ ମହିଳା ସାମ୍ମୁଖ୍ୟର ସଭାପତି ଚୟନ କରାଯିବ। ଦଳର ଅନ୍ୟ ପଦ ପାଇଁ ବି ନେତା ବଛା ଯିବ। ଗତ ଥର ସଂଗଠନ ସମ୍ପାଦକ ପରି ନୂତନ ପଦ ସୃଷ୍ଟି କରାଯାଇଥିଲା। ଏଥର ଦଳୀୟ ବାଏ-ଲ ସଂଶୋଧନ ହୋଇ ଆଉ ନୂତନ ପଦ ସୃଷ୍ଟି ହେବ ନା ନାହିଁ, ତାକୁ ଅପେକ୍ଷା କରିଛନ୍ତି ବିଜେଡି ନେତା ଓ କର୍ମୀ ।
ରାଜଧାନୀ ଶିଶୁ ଅପହରଣ ଘଟଣା: ଅପହରଣକାରୀଙ୍କୁ ଧରିବାକୁ ଗଠନ ହେଲା ସ୍ପେଶାଲ ଟିମ୍
ଭୁବନେଶ୍ବର: ଅପହରଣ ନାଟକର ଖୁବଶୀଘ୍ର କ୍ଳାଇମାକ୍ସ । ମାଆ କୋଳରୁ ଛୁଆକୁ ନେଇଯିବା ପରେ ରାଜଧାନୀରେ ଚାଞ୍ଚଲ୍ୟ । ନାଁ ଜୟନ୍ତୀ ମଲ୍ଲିକ । ଶୈଳଶ୍ରୀ ବିହାର ସର୍ଟ ଷ୍ଟେ ହୋମରେ ରୁହନ୍ତି । ଦୃଷ୍ଟିବାଧିତ ହୋଇଥିବାରୁ ରାମ ମନ୍ଦିର ଆଗରେ ଭିକ୍ଷାବୃତ୍ତି କରି ଚଳନ୍ତି । ସବୁଦିନ ଭଳି ରବିବାର ରାତିରେ ଆଶ୍ରୟସ୍ଥଳୀକୁ ଯିବାକୁ ବାହାରିଥିବା ବେଳେ ହଠାତ ଆସିଥିଲା କାଳ ବୈଶାଖୀ । ୬ ବର୍ଷର ଝିଅ ଓ ପାଖରେ ଥିବା ଦେଢ଼ ବର୍ଷର ପୁଅକୁ ଧରି ମନ୍ଦିର ନିକଟରେ ଆଶ୍ରୟ ନେଉଥିବା ବେଳେ ହଠାତ କେଉଁଆଡ଼େ ଚାଲିଯାଇଥିଲା କୁନିପୁଅ । ଯାହାକୁ ନେଇ ରାତି ଅଧରେ ସଙ୍ଗିନ ଅଭିଯୋଗ ଆଣିଥିଲେ ମାଆ । ଭଲକରି ଦେଖନ୍ତୁ ଏହି ଏତଲା । ଦୁଃଖର ସହ କ୍ୟାମେରା ଆଗରେ କାନ୍ଦି କାନ୍ଦି ପିଲାର ଫେରି ଆସିବା ପାଇଁ ପ୍ରଭୁ ରାମଙ୍କ ପାଖରେ ସେ ପ୍ରାର୍ଥନା କରିଥିବା କହିଛନ୍ତି । ସେପଟେ ଏତଲା ପାଇବା କ୍ଷଣି ତତ୍ପର ହୋଇଉଠିଛି କମିଶନରେଟ ପୋଲିସ । ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ସ୍ପେଶାଲ ଟିମ ୪ ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି । ଛକ ବଜାରରେ ଥିବା ସିସିଟିଭି ଯାଞ୍ଚ ଚାଲିଛି । ମନ୍ଦିର କର୍ତ୍ତୃପକ୍ଷଙ୍କୁ ପଚରାଉଚରା ହୋଇଛି ।
ସେପଟେ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରୁଚିକା ସମାଜ ମଙ୍ଗଳ ସଂଗଠନ ପକ୍ଷରୁ ତଲାସୀ କାର୍ଯ୍ୟ ଜାରି ରହିଛି । ପୁଅଟି ନିଖୋଜ ଥିବା ବେଳେ ଝିଅଟିକୁ କିଭଳି ଥଇଥାନ କରାଯିବ ସେ ନେଇ ଶିଶୁ କଲ୍ୟାଣ ସମିତି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ମହିଳାଙ୍କ ପକ୍ଷରୁ ଯେଉଁ ଅପହରଣ ଓ ଅଙ୍ଗତସ୍କରୀ ଭଳି ସଙ୍ଗିନ ଓ ସାଙ୍ଘାତିକ ଅଭିଯୋଗ ହୋଇଛି, ସେ ନେଇ ମଧ୍ୟ ପୋଲିସ ସହ ଆଲୋଚନା ସରିଛି । ସେପଟେ ଏନେଇ କିଛି ଗୁରୁତ୍ୱପୂର୍ଣ୍ଣ କ୍ଲୁ ମିଳିଥିବା କହିଛନ୍ତି ଡିସିପି । ଥାନା ଗୁଡିକୁ ମଧ୍ୟ ପିଲାର ଫଟୋ ଦିଆଯାଇଛି । ତୁରନ୍ତ ପୁରା ଘଟଣାର ଖୁଲାସା ହେବ ବୋଲି ସୂଚନା ଦେଇଛନ୍ତି ଜଗମୋହନ। କିଛିଦିନ ତଳେ ବିଧାନସଭାରୁ ମିଳିଥିବା ତଥ୍ୟ ମୁତାବକ ଗତ ୮ ମାସରେ ୧୩ ହଜାରରୁ ଅଧିକ ଜଣ ନିଖୋଜ ହୋଇଛନ୍ତି । ସେମାନଙ୍କ ଭିତରେ ଅଧିକାଂଶ ହେଉଛନ୍ତି ଶିଶୁ । ଏସବୁ ଭିତରେ ରାଜଧାନୀରୁ ଶିଶୁ ଅପହରଣ ଘଟଣାକୁ ଗୁରୁତର ସହ ନେଇଛି ପୋଲିସ ।
ପୁଣି ଗଡ଼ିଲା ମୁଣ୍ଡ: ୫ ଦିନରେ ୫ଟି ହତ୍ୟାକାଣ୍ଡ ଯୋଗୁଁ ଆତଙ୍କିତ ରାଉରକେଲା ସହରବାସୀ
ରାଉରକେଲା: ପୁଣି ରକ୍ତପାତ, ପୁଣି ଗଡ଼ିଲା ମୁଣ୍ଡ । ଅଣାୟତ ରାଉରକେଲାର ଆଇନ ଶୃଙ୍ଖଳା । ୫ ଦିନରେ ୫ଟି ହତ୍ୟାକାଣ୍ଡ ଯୋଗୁଁ ଆତଙ୍କିତ ସହରବାସୀ । ମାଆ ହତ୍ୟାକାରୀ ବାପାକୁ ହତ୍ୟାକଲା ପୁଅ । ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ଭାଲୁପତ୍ରା ଗ୍ରାମରେ ଘଟିଛି ଏପରି ଚାଞ୍ଚଲ୍ୟକର ଘଟଣା । ହତ୍ୟାକାରୀ ୨୨ ଵର୍ଷୀୟ ବିଷ୍ଣୁ ବର୍ମାକୁ ଗିରଫ କରିଛି ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ । ମୃତ ବାପା ୫୫ ବର୍ଷୀୟ କାନ୍ତିକୁମାର ବର୍ମା ନିଜ ପତ୍ନୀକୁ ହତ୍ୟା କରିବା କରିଥିବା ଅଭିଯୋଗରେ ୨୦୨୪ ଡ଼ିସେମ୍ବରରେ ଜେଲରୁ ଫେରିଥିଲେ । ପୁଅ ସହ ଗଣ୍ଡଗୋଳ ଯୋଗୁଁ ଉତକ୍ଷିପ୍ତ ହୋଇ ହତ୍ୟା କରିଥିବା ପୋଲିସ ସନ୍ଦେହ କରିଛି ।
୫ ଦିନରେ ୫ଟି ହତ୍ୟାକାଣ୍ଡ ସହରବାସୀଙ୍କ ନିଦ ହଜାଇ ଦେଇଛି । ପୂର୍ବ ସରକାରଙ୍କ ସମୟରେ ଶାନ୍ତ ସହର ଥିବା ରାଉରକେଲାରେ ଏବେ ପ୍ରତିଦିନ ଘଟୁଛି ରକ୍ତପାତ । ଗତ ୯ ତାରିଖରେ ଭିଏସଏସ ମାର୍କେଟ ଓ ଗାନ୍ଧୀ ରୋଡ଼ରେ ଦୁଇଜଣଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ । ୧୧ ତାରିଖରେ ସାଙ୍ଗକୁ ସ୍କୃଡ୍ରାଇଭରରେ ଭୁସି ଦେବାରୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଛି । ୧୨ ତାରିଖ ରାତିରେ ଏସଟିଆଇ ଛକ ନିକଟରେ ଜଣେ ଯୁବକଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ରାଉରକେଲା ସହର ଓ ନିକଟବର୍ତ୍ତୀ ଅଞ୍ଚଳରେ ଚୋରା ମଦ କାରବାର ବଢୁଥିବାରୁ ଅପରାଧ ବଢିଥିବା ଲୋକେ ଅଭିଯୋଗ କରିଛନ୍ତି । ମଦ କାରବାର ରୋକିବାକୁ ରାଉରକେଲା ରାସ୍ତାକଡ, ପାର୍କ ଓ ସହର ନିକଟବର୍ତ୍ତୀ ଜାତୀୟ ରାଜପଥ ଏବଂ ଢାବାରେ ଚଢାଉ କରୁଛି ପୋଲିସ୍ ।
ପଞ୍ଜାବକୁ ପୁଣି ଏକ ବଡ଼ ଝଟକା: IPL ୨୦୨୫ରୁ ବାଦ୍ ପଡ଼ିଲେ ଏହି ଖେଳାଳି
ଇଣ୍ଡିଆନ ପ୍ରିମିୟର ଲିଗ (IPL) ଚାଲିଥିବା ବେଳେ ଏହା ମଧ୍ୟରେ ପଞ୍ଜାବ କିଙ୍ଗସକୁ ଲାଗିଛି ଏକ ବଡ଼ ଝଟକା । ଗତ ମ୍ୟାଚରେ ପଞ୍ଜାବକୁ ସନରାଇଜର୍ସ ହାଇଦ୍ରାବାଦ ଠାରୁ ୮ ଓ୍ବିକେଟରେ ପରାସ୍ତ ହେବାକୁ ପଡ଼ିଥିଲା । ଏହା ମଧ୍ୟରେ ଟିମକୁ ଲାଗିଛି ପୁଣି ଏକ ବଡ଼ ଝଟକା । ପଞ୍ଜାବର ଦ୍ରୁତ ବୋଲର ଲକୀ ଫର୍ଗ୍ୟୁସନ ଆଇପିଏଲ ୨୦୫ରୁ ବାଦ୍ ପଡ଼ିଛନ୍ତି । ମିଡ଼ିଆ ରିପୋର୍ଟ ମୁତାବକ, ଫର୍ଗ୍ୟୁସନଙ୍କୁ ଏକ ବଡ଼ ଧରଣର ଆଘାତ ଲାଗିଛି । ତେଣୁ ସେ ଏବେ ଖେଳିବା ଅସମ୍ଭବ । ଏହି କାରଣରୁ ଫର୍ଗ୍ୟୁସନ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି । ଫର୍ଗ୍ୟୁସନଙ୍କ ଖେଳିବା ଏକପ୍ରକାରର ଅସମ୍ଭବ ବୋଲି ପଞ୍ଜାବର ବୋଲିଂ କୋଚ ଜେମ୍ସ ହୋପ୍ସ ଏ ବାବଦରେ ସୂଚନା ଦେଇଛନ୍ତି ।
କୋଚ ହୋପ୍ସ କହିଛନ୍ତି, ଫର୍ଗ୍ୟୁସନ ଅନିଶ୍ଚିତ ସମୟ ପାଇଁ ବାଦ୍ ପଡ଼ିଛନ୍ତି । ଚଳିତ ଟୁର୍ଣ୍ଣାମେଣ୍ଟର ଶେଷ ସୁଦ୍ଧା ସେ ଟିମକ ଫେରିବା ମୁସ୍କିଲ । ସୂଚନାଯୋଗ୍ୟ ଯେ, ହାଇଦ୍ରାବାଦ ବିପକ୍ଷ ମ୍ୟାଚ ସମୟରେ ଦୁଇଟି ବଲ୍ ଫୋପାଡ଼ିବା ପରେ ଫର୍ଗ୍ୟୁସନ ପଡ଼ିଆ ଛାଡ଼ି ଚାଲିଯାଇଥିଲେ । ଚଳିତ ସିଜିନରେ ସେ ପଞ୍ଜାବ ପାଇଁ ଖେଳି ୪ଟି ମ୍ୟାଚରେ ୫ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ସେ ମିଡିଲ ଓଭରରେ ଟିମର ବୋଲିଂ ଯୋଜନାରେ ବଡ଼ ଭୂମିକା ନିର୍ବାହ କରିଥିଲେ ।
ମହାକାଶ ଯାତ୍ରାରେ ଇତିହାସ ରଚିଲେ କେଟୀ ପେରୀଙ୍କ ସମେତ ୬ ଜଣ ମହିଳା
ନୂଆଦିଲ୍ଲୀ: ମହାକାଶ ଯାତ୍ରାରେ ଇତିହାସ ରଚିଛନ୍ତି ପପ୍ ସିଙ୍ଗର କେଟୀ ପେରୀଙ୍କ ସମେତ ୬ ଜଣ ମହିଳା । ବ୍ଲୁ ଅରିଜିନର ନ୍ୟୁ ଶେପର୍ଡ ସବଅର୍ବିଟଲ ବାହନ (ଏନଏସ-୩୧)ର ୩୧ତମ ମିଶନ ସଫଳତାର ସହ ସମାପ୍ତ ହୋଇଛି । ଏପ୍ରିଲ ୧୪ରେ କଟୀ ପେରୀ ଓ ଅନ୍ୟ ୫ ଜଣ ମହିଳା ମହାକାଶ ଯାତ୍ରା କରିଥିଲେ । ନ୍ୟୁ ଶେପର୍ଡ ପ୍ରୋଗ୍ରାମର ୧୧ତମ ମାନବ ଉଡ଼ାଣ ଥିଲା, ଯାହାକି ୧୯୬୩ ମସିହା ପରେ ପ୍ରଥମ ଥର ଅଲ-ଫିମେଲ ସ୍ପେସ ଟ୍ରିପ ଥିଲା ।
ଏହି ମିଶନ ଅବସରରେ ମହାକାଶ ଯାତ୍ରୀ କିଛି ମିନିଟ୍ ପାଇଁ ଭାରହୀନତାର ଅନୁଭବ କରିବେ । ପୃଥିବୀର ଜୀବନ-ପରିବର୍ତ୍ତନକାରୀ ଦୃଶ୍ୟର ଦେଖିବେ । ପପ ଷ୍ଟାର କେଟୀ ପେରୀ, ସିବିଏସ ମାର୍ଣ୍ଣିଂଙ୍ଗସର ସହ-ହୋଷ୍ଟ ଗେଲ କିଙ୍ଗ, ଲେଖିକା ଅମାଣ୍ଡା ଗୁୟେନ, ପୂର୍ବ ନାସା ରକେଟ ବୈଜ୍ଞାନିକ ଆୟଶା ବୋବେ, ଫିଲ୍ମ ନିର୍ମାତା କେରିୟନ ଫ୍ଲିନ, ମିଶନ ଲିଡର ଲରେନ ସାଞ୍ଚେଜ (ଯେ କି ବ୍ଲୁ ଅରିଜିନର ସଂସ୍ଥାପକ ଜେପ ବୋଜେସଙ୍କ ପାର୍ଟନର ଅଟନ୍ତି) ଏହି ମିଶନରେ ସାମିଲ ଥିଲେ । ଉଡ଼ାଣ ପାଖାପାଖି ୧୪ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ଏନଏସ-୩୧ କ୍ରୁ କ୍ୟାପସୁଲ ଟେକ୍ସାସ ରେଗିସ୍ତାନରେ ପାରାଶୁଟ ଦ୍ବାରା ସୁରକ୍ଷିତ ଭାବେ ଅବତରଣ କରାଯାଇଥିଲା ।
ସନରାଇଜର୍ସ ହାଇଦ୍ରାବାଦ ଟିମର ଖେଳାଳିମାନେ ରହିଥିବା ହୋଟେଲରେ ଲାଗିଲା ନିଆଁ
ନୂଆଦିଲ୍ଲୀ: ବର୍ତ୍ତମାନ ଆଇପିଲ ୨୦୨୫ ଜାରି ରହିଥିବା ବେଳେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସନ ରାଇଜର୍ସ ହାଇଦ୍ରାବାଦର ଖେଳାଳିମାନେ ଯେଉଁ ହୋଟେଲରେ ରହୁଥିଲେ ସେଠାରେ ନିଆଁ ଲାଗିଛି । ହୋଟେଲର ତୃତୀୟ ମହଲାରେ ଥିବା ସ୍ପା’ରେ ନିଆଁ ଲାଗିଥିବା ସୂଚନା ମିଳିଛି । ହାଇଦ୍ରାବାଦର ବଞ୍ଜାରା ହିଲ୍ସ ପାର୍କ ହ୍ୟାତ ହୋଟେଲରେ ଖେଳାଳିମାନେ ରହିଥିଲେ । ସବୁଠାରୁ ବଡ଼ କଥା ହେଉଛି, ହୋଟେଲରେ ଯେଉଁ ସମୟରେ ନିଆଁ ଲାଗିଥିଲା, ସେତେବେଳକୁ ଖେଳାଳିମାନେ ହୋଟେଲ ପରିସରରୁ ବାହାରି ସାରିଥିଲେ ।
ଏହି ଅଗ୍ନିକାଣ୍ଡ ଘଟଣାରେ ହୋଟେଲରେ ଥିବା କୌଣସି ଅତିଥି କି ଖେଳାଳିଙ୍କର କିଛି କ୍ଷତି ଘଟି ନାହିଁ । ଅଫିସିଭାଲ ଭାବେ ଏନେଇ ସୂଚନା ଦିଆଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଯାଞ୍ଚ ଚାଲିଛି । ଆସନ୍ତା ଗୁରୁବାର ଦିନ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ଖେଳିବ । ସେଥିପାଇଁ ପୂରା ଟିମ୍ ସକାଳୁ ହିଁ ବିମାନବନ୍ଦର ଅଭିମୂଖେ ଯାତ୍ରା କରିସାରିଥିଲା । ତେଣୁ ଖେଳାଳିମାନେ ଏହି ଘଟଣାରେ ପ୍ରଭାବିତ ହୋଇନଥିଲେ ।
ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା: ଗୋଟିଏ ଗୋଡ଼ ହରାଇଥିଲେ ବି ହାର ମାନି ନାହାନ୍ତି ମମତା
ଆନନ୍ଦପୁର: ଦିବ୍ୟାଙ୍ଗ ହୋଇ ବି ସକ୍ଷମ । ଦୁର୍ବାର ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ସବୁ ପ୍ରତିବନ୍ଧକକୁ ମାତ ଦେଇ ଜୀବନ ଯୁଦ୍ଧରେ ଆଗେଇ ଚାଲିଛନ୍ତି ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ପୁରୁଣା ବାନ୍ଧଗୋଡା ଗାଁର ସଂଘମିତ୍ରା । ସେ ଆଖପାଖ ଅଞ୍ଚଳରେ ମମତା ନାନୀ ଭାବେ ବେଶ ପରିଚିତ । ମମତା ପିଲାବେଳୁ ପୋଲିଓରେ ଆକ୍ରାନ୍ତ ହୋଇ ଗୋଟେ ଗୋଡ ହରାଇ ବସିଛନ୍ତି । ତଥାପି ସେ କେବେ ହାରମାନି ଯାଇନାହାଁନ୍ତି । ପରିବାରର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିବା ନିମନ୍ତେ ସେ ବଡି ତିଆରି କରି ବିକ୍ରି କରୁଛନ୍ତି ।
ମମତା ପ୍ରସ୍ତୁତ କରୁଥିବା ବଡିର ସ୍ଥାନୀୟ ଅଞ୍ଚଳରେ ବେଶ ଚାହିଦା ରହିଛି । ଲୋକ ମାନେ ତାଙ୍କ ଘର ନିକଟକୁ ଯାଇ ବଡି କିଣି ନେଇଯାଉଛନ୍ତି । ଖାଲି ଏତିକି ନୁହେଁ ନଡିଆ କଞ୍ଚିରୁ ଖଇଞ୍ଚି ତିଆରି କରି ବିକ୍ରିବଟା କରୁଛନ୍ତି ମମତା । ନିଜର ଦୃଢ ଇଚ୍ଛାଶକ୍ତି ବଳରେ ନିଜେ ଦିବ୍ୟାଙ୍ଗ ହୋଇ ମଧ୍ୟ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ କରିବାକୁ ପ୍ରେରଣା ଯୋଗାଉଛନ୍ତି। ମମତା ଏବେ ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।
ଓଡ଼ିଆ ନବବର୍ଷରେ ସାରା ଓଡ଼ିଶା ଚଳଚଞ୍ଚଳ: ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ଥିବା ପୂଜାସ୍ଥଳୀରେ ଭକ୍ତଙ୍କ ଭିଡ଼
ଭୁବନେଶ୍ବର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ପଣା ସଂକ୍ରାନ୍ତି । ପରମ୍ପରାର ପ୍ରତୀକ ତଥା ଓଡିଆ ନବବର୍ଷ । ଗାଁ ଠୁ ସହର ସବୁଠି ଉତ୍ସବର ମାହୋଲ । ସବୁଠି ଚାଲିଛି ପଣା ବଣ୍ଟନ । ପଣା ସଂକ୍ରାନ୍ତିରେ ଚଳଚଞ୍ଚଳ ପୂଜାସ୍ଥଳୀ । କେନ୍ଦୁଝରର ଆରାଧ୍ୟ ଦେବୀ ମାଆ ତାରିଣୀଙ୍କ ପୀଠରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି ମହାବିଷୁବ ସଂକ୍ରାନ୍ତି । ମାଆଙ୍କୁ ସୁନା ବେଶରେ ଦର୍ଶନ କରି କୃତାର୍ଥ ମଣିଛନ୍ତି ଭକ୍ତ । ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ । ମଣିବାବାଙ୍କ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା ।
ଏପଟେ ପଣା ସଂକ୍ରାନ୍ତି ଓ ଝାମୁଯାତ୍ରା ପାଇଁ ଚଳଚଞ୍ଚଳ ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ଝଙ୍କଡ ଶାରଳାଙ୍କ ପୀଠ । ମାଆଙ୍କୁ ଦର୍ଶନ କରି ଧନ୍ୟ ମଣିଛନ୍ତି ଭକ୍ତ । ଆଜିର ଦିନରେ ମାଆ ନିଜେ ରତ୍ନ ସିଂହାସନ ପରିତ୍ୟାଗ କରି ଗାଁ ଦାଣ୍ଡକୁ ଆସିଥାନ୍ତି ବୋଲି ରହିଛି ବିଶ୍ଵାସ । ବାସୁଦେବପୁର ବ୍ଲକର ବିନାୟକପୁର ମାଆ ଆଙ୍କୁଡେଶ୍ବରୀଙ୍କ ପୀଠରେ ଭକ୍ତଙ୍କ ଗହଳିଚହଳି । ସୁଦୂର କୋଲକାତାରୁ ଛୁଟିଆସିଛନ୍ତି ଶ୍ରଦ୍ଧାଳୁ । ଖୋର୍ଦ୍ଧା ଜରିପୁଟ ତନ୍ତମୁଣ୍ଡିଆ ହନୁମାନ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ । ପ୍ରଭୁଙ୍କୁ ଦର୍ଶନ କରି ହନୁମାନ ଚାଳିଶା ପାଠ କରିଛନ୍ତି ଶ୍ରଦ୍ଧାଳୁ । ଆଜିର ଦିନରୁ ନୂଆ ପାଞ୍ଜି ପ୍ରଚଳନ ହୋଇଥାଏ ।

