spot_img
Home Blog Page 890

ନଭେମ୍ବରରେ ହୋଇଥାନ୍ତା ବିବାହ ; ନୂଆ ସଂସାର ଗଢିବାର ପୂର୍ବରୁ ଚାଲିଗଲା ଯବାନଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ : ୧୦ ଦିନ ର୍ପୂବରୁ ସରିଥିଲା ନିର୍ବନ୍ଧ । ନଭେମ୍ବରରେ ହୋଇଥାନ୍ତା ବିବାହ । ବାହା ହୋଇ ନୂଆ ଘର ସଂସାର କରିବାକୁ ଅନେକ ସ୍ବପ୍ନ ଦେଖିଥିଲେ ଯବାନ । ହେଲେ ନିମିଷକେ ସବୁ ହୋଇଗଲା ଧୂଳିସାତ । ଚାଲିଗଲା ୨୮ ବର୍ଷୀୟ ହରିୟାଣାର ରେୱାଡ଼ିର ପାଇଲଟ୍ ଫ୍ଲାଇଟ୍ ଲେଫ୍ଟନାଣ୍ଟ ସିଦ୍ଧାର୍ଥ ଯାଦବଙ୍କ ଜୀବନ । ବୁଧବାର ରାତିରେ ଭାରତୀୟ ବାୟୁସେନାର ଏକ ଜାଗୁଆର ଲଢ଼ୁଆ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି ।

ଜାମନଗର ସହରରୁ ପ୍ରାୟ ୧୨ କିଲୋମିଟର ଦୂରରେ ଥିବା ସୁଭାରଦା ଗାଁରେ ଘଟିଥିଲା ଏହି ଦୁର୍ଘଟଣା । ସହ-ପାଇଲଟ୍ ସୁରକ୍ଷିତ ଭାବରେ ବାହାରକୁ ବାହାରିବାରେ ସଫଳ ହୋଇଥିବା ବେଳେ ସିଦ୍ଧାର୍ଥ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଫ୍ଲାଇଟ୍ ଲେଫ୍ଟନାଣ୍ଟ ଯାଦବ ସାମରିକ ସେବା କରିଆସିଥିବା ପରିବାରରୁ ଆସିଥିଲେ। ତାଙ୍କ ଜେଜେବାପା ବ୍ରିଟିଶ ଶାସନରେ ବେଙ୍ଗଲ୍ ଇଞ୍ଜିନିୟର୍ସରେ କାର୍ଯ୍ୟ କରିଥିଲେ । ତାଙ୍କ ଜେଜେବାପା ଅର୍ଦ୍ଧସାମରିକ ବାହିନୀର ଅଂଶ ଥିଲେ। ତାଙ୍କ ପିତା ମଧ୍ୟ LIC ରେ ଯୋଗ ଦେବା ପୂର୍ବରୁ ଭାରତୀୟ ବାୟୁସେନାରେ କାର୍ଯ୍ୟ କରିଥିଲେ ।

ସିଦ୍ଧାର୍ଥ ତାଙ୍କ ପରିବାରର ଚତୁର୍ଥ ପିଢ଼ି ଥିଲେ ଯିଏ ଦେଶ ସେବା କରିଥିଲେ। ୨୦୧୬ରେ NDA ପରୀକ୍ଷାରେ ପାସ୍ କରିବା ପରେ, ସିଦ୍ଧାର୍ଥ ଜଣେ ଫାଇଟର ପାଇଲଟ୍ ହେବା ପୂର୍ବରୁ ତିନି ବର୍ଷର କଠୋର ତାଲିମ ନେଇଥିଲେ । ଦୁଇ ବର୍ଷ ଚାକିରି ପରେ ତାଙ୍କୁ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପଦବୀରେ ପଦୋନ୍ନତି ଦିଆଯାଇଥିଲା । ଦୁର୍ଘଟଣାର ମାତ୍ର ଦଶ ଦିନ ପୂର୍ବରୁ, ମାର୍ଚ୍ଚ ୨୩ ତାରିଖରେ, ସିଦ୍ଧାର୍ଥଙ୍କର ନିର୍ବନ୍ଧ ହୋଇଥିଲା। ନଭେମ୍ବର ୨ ତାରିଖରେ ତାଙ୍କ ବିବାହ ଯୋଜନା କରାଯାଇଥିଲା । ସେ ରେୱାଡିରେ ତାଙ୍କ ପରିବାର ସହିତ ସମୟ ବିତାଇବା ପରେ ମାର୍ଚ୍ଚ ୩୧ ତାରିଖରେ ଡ୍ୟୁଟିକୁ ଫେରିଥିଲେ। ତାଙ୍କ ଦେହାନ୍ତର ଖବର ଶୁଣି ତାଙ୍କ ପରିବାର, ବନ୍ଧୁବାନ୍ଧବ ଏବଂ ସମଗ୍ର ସହର ଶୋକରେ ବୁଡ଼ିଯାଇଛି। ସିଦ୍ଧାର୍ଥ ସବୁବେଳେ ଉଡ଼ିବା ଏବଂ ଦେଶ ସେବା କରିବାର ସ୍ୱପ୍ନ ଦେଖୁଥିଲେ। ତାଙ୍କର ଦେଶ ସେବାରେ ଜୀବନ ଯାଇଥିବା କହିଛନ୍ତି ବାପା ।

ରାଜଧାନୀରେ ଡବଲ ଏନକାଉଣ୍ଟର, ପୋଲିସ ଗୁଳିରେ ଦୁଇ ଲୁଟେରା ଆହତ

ନନ୍ଦିଘୋଷ ବ୍ୟୁରୋ : କ୍ରିମିନାଲଙ୍କ ଆକ୍ସନ ପରେ ପୋଲିସର ରିଆକ୍ସନ। ରାଜଧାନୀ ଭୁବନେଶ୍ବରରେ ଡବଲ ଏନକାଉଣ୍ଟର। ଦୁଇଜଣ ଲୁଟେରାଙ୍କୁ ଏନକାଉଣ୍ଟର କରିଛି ସ୍ପେଶାଲ ସ୍କାର୍ଡ। ଗୁରୁତର ଅବସ୍ଥାରେ ଦୁଇ ଲୁଟେରାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲୁଟେରା ଦ୍ବୟ ବିହାର କଟିହାରରୁ ଆସିଥିବା ଜଣାପଡିଛି। ଦୁଇ ଲୁଟେରାଙ୍କୁ ପୋଲିସ କାବୁ କରିବାକୁ ଯାଉଥିବା ବେଳେ ସେମାନେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲେ। ଫଳରେ ପୋଲିସର ପାଲଟା ଗୁଳିଚାଳନାରେ ଦୁଇଜଣ ଆହତ ହୋଇଥିବା ଜଣାପଡିଛି।

ପୋଲିସ ଏନକାଉଣ୍ଟରରେ ଆହତ ଦୁଇ ଲୁଟେରା ହେଲେ ସୋନୁ ଯାଦବ ଓ ମନୀଷ ଯାଦବ। ସମ୍ପୃକ୍ତ ୨ ଜଣଙ୍କୁ ଧରିବାକୁ ଦୀର୍ଘଦିନ ହେବ ଯୋଜନା କରୁଥିଲା ପୋଲିସ । ଗୁଇନ୍ଦା ସୂଚନାକୁ ଆଧାର କରି ଜାଲ ବିଛାଇଥିଲା ପୋଲିସ । ଉଭୟ ଲୁଟେରାଙ୍କ ନାଁରେ ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା । ଅପରାଧୀଙ୍କ ଗୁଳିର ଜବାବ ଗୁଳିରେ ଦେଲା ପୋଲିସ। ଦୁଇ କୁଖ୍ୟାତ ଅପରାଧୀଙ୍କ ନାଁ ରେ ବହୁ ଅପରାଧିକ ମାମଲା ରହିଛି। ୨୦ ମାର୍ଚ୍ଚରେ ଭୁବନେଶ୍ୱର ସମେତ ପୁରୀରେ ଲୁଟ କରି ପୁଣି ବିହାର ଚାଲିଯାଇଥିଲେ।

ଏହା ପରେ ପୁଣି ରାଜଧାନୀ ଆସି ବଡ଼ଗଡ଼ ଅଞ୍ଚଳରେ ପୁଣି ଲୁଟ୍ କରିବାକୁ ପ୍ରସ୍ତୁତ ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଧରିବାକୁ ଉଦ୍ୟମ ଵେକେ ପୋଲିସକୁ ଗୁଳିମାଡ଼ କରିଥିଲେ। ଏହାର ଜବାବରେ ପୋଲିସ ପ୍ରଥମେ ବ୍ଲାଙ୍କ ଫାଇରିଙ୍ଗ କରିଥିଲା। ଏହା ପରେ ପୋଲିସ ଦୁର୍ବୁତ୍ତଙ୍କୁ ଏନକାଉଣ୍ଟର କରିଥିଲା। ଦୁଇଟି ବନ୍ଧୁକ ଜବତ କରିଛି ପୋଲିସ। ଅନ୍ୟ କାହାରି ସମ୍ପୃକ୍ତି ରହିଛି ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

ଖୋର୍ଦ୍ଧାରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା: ଖୋର୍ଦ୍ଧାରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଗସ୍ତ କରି ୧୩ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଗୋଟିଏ ମୃଦୁ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଖୋର୍ଦ୍ଧା ନିକଟ ହଲଦୀପଦାଠାରେ ଆୟୋଜିତ ସଭାକୁ ମଧ୍ୟ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ ।

କାଳିବେତୀଠାରେ ଶ୍ରମିକ ଆବାସ ଗୃହ, ଜୁପିଟର୍ ଟାଟ୍ରାଭଗୋଙ୍କା ରେଲହୁଇଲ୍ ଫ୍ୟାକ୍ଟ୍ରି ଓ ଶାଲିମାର ଗ୍ଲାସ୍ ୱାଲ୍ସର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ଅରାଙ୍ଗଠାରେ ଗୋଲ୍ଡେନ୍ ସିମସ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍, ପୂଜା ଇଣ୍ଟରନ୍ୟାସନାଲ, ବି ଏଲ୍ ଇଣ୍ଟରନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡ୍ ଓ ରେନ୍‌ବୋ ଫାବାର୍ଟ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ନିୟୁ ଟେକ୍ସଟାଇଲ୍ ପାର୍କ ଶିଳାନ୍ୟାସ କରିଛନ୍ତି । ଗୌଡପୁଟରେ ପଲିମିରୋର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, ଆଇ ଏଫ୍ ଜି ଏଲ୍ ରିଫ୍ରାକ୍ଟରିଜ୍ ଲିମିଟେଡ୍ ଏବଂ ଖଜୁରିଆ ଠାରେ ଭୁବନେଶ୍ବରୀ ଫୁଟ୍ସ ଆଣ୍ଡ୍ ବେଭରେଜେସ୍ ପ୍ରାଇଭେଟ୍ ଲିମିଟେଡ୍ ଶିଳାନ୍ୟାସ କାର୍ଯ୍ୟକ୍ରମ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଏବଂ ବିଭୂତି ଭୂଷଣ ବଳବନ୍ତରାୟ ଉପସ୍ଥିତ ଥିଲେ । ଖୋର୍ଦ୍ଧା ଅଞ୍ଚଳରେ ଦୁଇଟି ସ୍ଥାନରେ ମେକ ଇନ ଓଡିଶା ଓ ଉତ୍କର୍ଷ ଓଡିଶା କନକ୍ଲେଭ ହୋଇଥିଲା । ସେଥିରେ ଅନେକ ପୁଞ୍ଜି ନିବେଶକାରୀ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଆଜି ୧୩ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଗୋଟିଏ ପ୍ରକଳ୍ପର ଉଦଘାଟନ କରାଯାଇଛି । ଏ ଅଞ୍ଚଳରେ ୬ ହଜାର କୋଟି ଟଙ୍କାର ଇନଭେଷ୍ଟ କରାଯିବ । ଏଥିରେ ୩୦ ହଜାର ୫୦୦ ନିଯୁକ୍ତି ସୃଷ୍ଟି ହେବ । ଅର୍ଥନୈତିକ ଅଭିବୃଦ୍ଧି ସରକାରଙ୍କ ଗୋଟିଏ ପଲିସି । ଆଗାମୀ ଦିନରେ ଓଡ଼ଶା ବିକାଶ କ୍ଷେତ୍ରରେ ଆଗକୁ ବଢିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ।

ଓଡ଼ିଶାର ଗ୍ରାମାଞ୍ଚଳରେ ଅଧିକ ଡିଜିଟାଲ ଶ୍ରେଣୀ ଗୃହ ନିର୍ମାଣ ପାଇଁ କି ଯୋଜନା ରହିଛି: ମାନସ ମଙ୍ଗରାଜ

ଭୁବନେଶ୍ବର: ରାଜ୍ୟରେ ୮ ହଜାର ୪୪ ପ୍ରାଥମିକ ବିଦ୍ୟାଳୟ ଓ ଏହାସହ ରହିଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ସ୍ମାର୍ଟ ଟିଭି ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା ରହିଛି । ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଆଇସିଟି ଲ୍ୟାବ ଓ ସ୍ମାର୍ଟ କ୍ଲାସରୁମ୍ ଅନୁମୋଦିତ ହୋଇଛି । ରାଜ୍ୟର ୮୪୧୨ଟି ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଇସିଟି ଲ୍ୟାବ୍ ଥିବା ବେଳେ ୭୬୫୫ ସ୍କୁଲରେ ରହିଛି ସ୍ମାର୍ଟ କ୍ଲାସରୁମ ବ୍ୟବସ୍ଥା ।

ରାଜ୍ୟସଭାରେ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଏକ ପ୍ରଶ୍ନରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୂରୀ । ଓଡ଼ିଶାରେ କେତୋଟି ସ୍କୁଲ ଡିଜିଟାଲ ପାଠପଢାରେ ଯୋଡି ହୋଇଛି? ଗ୍ରାମାଞ୍ଚଳରେ ଅଧିକ ଡିଜିଟାଲ ଶ୍ରେଣୀ ଗୃହ ନିର୍ମାଣ ପାଇଁ କି ଯୋଜନା ରହିଛି ବୋଲି ସାଂସଦ ମାନସ ରଞ୍ଜନ ମଙ୍ଗରାଜ ପ୍ରଶ୍ନ କରିଥିଲେ ।

ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆରେ ଡିଜିଟାଲ୍ କଣ୍ଟେଣ୍ଟ ଦୀକ୍ଷା ପୋର୍ଟାଲ୍, ମଧୁ ଆପ୍, ଇ-ପାଠଶାଳା ପୋର୍ଟାଲ୍, ଖାନ୍ ଏକାଡେମୀ ଓ କୌଶଳୀ ପାଠ୍ୟକ୍ରମ ପ୍ଲାଟଫର୍ମରେ ଉପଲବ୍ଧ ରହିଛି । ରାଜ୍ୟର ୨୯୮୪ ଉଚ୍ଚ ପ୍ରାଥମିକ ଓ ୨,୩୮୬ଟି ମାଧ୍ୟମିକ ବିଦ୍ୟାଳୟକୁ ଭର୍ଚୁଆଲ କ୍ଲାସରୁମ୍ ରହିଛି I ସମଗ୍ର ଶିକ୍ଷା ଯୋଜନା ଅଧୀନରେ ୨୦୨୪-୨୫ ପର୍ଯ୍ୟନ୍ତ ରାଜ୍ୟ ପାଇଁ ଡିଜିଟାଲ୍ ଶିକ୍ଷା ବ୍ୟବସ୍ଥାର ପ୍ରସାର ଲକ୍ଷ୍ୟରେ ସମଗ୍ର ଶିକ୍ଷା ଯୋଜନାରେ ୭୩ ହଜାର ୯୧୮ ଲକ୍ଷ ଟଙ୍କା ଦିଆଯାଇଛି । ରାଜ୍ୟରେ ୯୬ ହଜାର ୭୧୮ ପ୍ରାଥମିକ ସ୍ତରର ଶିକ୍ଷକଙ୍କୁ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ଡିଜିଟାଲ୍ ଶିକ୍ଷା ପାଇଁ ଟାବଲେଟ୍ ଯୋଗାଇ ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ବିଲ୍ ପାସ ନାଁରେ ରାତିରେ ନଶୋଇ ଦିନରେ ଶୋଇ ପଡ଼ିଲେ ଲୋକଙ୍କ ସରକାର

ଭୁବନେଶ୍ବର: ମନ୍ତ୍ରୀ ଶୋଇଛନ୍ତି । ଏକଥା ଆଜି ରାଜ୍ୟର ଅଧିକାଂଶ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ଶୁଣିବାକୁ ମିଳିଛି । ରାତିସାରା ବିଧାନସଭା ଚଳାଇ ଦୁଇଟି ବିଲ ପାସ ହେବା ପରେ ନିଘୋଡ ନିଦରେ ଶୋଇ ପଡ଼ିଛନ୍ତି ରାଜ୍ୟ ସରକାର । ସରକାରୀ ବାସଭବନରେ ସିଧା ସିଧା ଗେଟ ପାଖରେ ସୁରକ୍ଷା କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯିଏ ଆସିବ କହିବ, ମନ୍ତ୍ରୀ ଶୋଇଛନ୍ତି । ଏହାକୁ ନେଇ ରାଜଧାନୀରେ ଏକ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଥିଲା ।

ବିଧାନସଭା ଚାଲିଥିବାବେଳେ ଖାମଖିଆଲି ଭାବେ ଗୃହକାର୍ଯ୍ୟ ଚାଲିଥିଲା । ହେଲେ ସରିବା ବେଳକୁ ରାତିସାରା ହେଲେ ଅନିଦ୍ରା । ହାଲିଆ ହୋଇ ସକାଳେ ଶୋଇପଡ଼ିଲେ ଲୋକଙ୍କ ସରକାର । ଏପରି ଶୋଇଲେ ଯେ କାହାରିକୁ ଦେଖା ଦେବାକୁ ବି ମନା କରିଦେଲେ ଅନେକ ମନ୍ତ୍ରୀ । ବୁଧବାର ବିଧାନସଭାରେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ ଓ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ ନେଇ ସାରା ରାତି ଆଲୋଚନା ଚାଲିଲା । ଶେଷରେ ବିଲ୍ ପାସ୍ ହୋଇଥିଲା । ମାତ୍ର ଦିନରେ ଏପରି ଶୋଇପଡିଲେ ଯେ ଲୋକଙ୍କ କଥା ଶୁଣିବା ଲାଗି ବି ଚାହିଁଲେ ନାହିଁ । ନିର୍ଦ୍ଧାରିତ ସମୟ ପୂର୍ବରୁ ଗୃହ ବନ୍ଦ କରାଯାଇଥିବାବେଳେ ତରବରିଆ ଭାବେ ଦୁଇଟି ବିଲ୍ ପାସ୍ କରିଥିଲେ ସରକାର । ଆଜି ଦିନ ତମାମ ଶୋଇଥିବାରୁ ମନ୍ତ୍ରୀ କାହାରିକୁ ଭେଟିବେ ନାହିଁ ବୋଲି କହିଥିଲେ ସୁରକ୍ଷା କର୍ମୀ ।

ଆମେ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ସରକାରୀ ବସଭବନରୁ ସିଧା ଯାଇଥିଲୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବାସଭବନକୁ, ସବୁଠି ଏକା ସ୍ଥିତି । ରାଜସ୍ବ ମନ୍ତ୍ରୀଙ୍କ ପରେ ଆମେ ପହଞ୍ଚିଥିଲୁ ନଗର ଉନ୍ନୟନ ମନ୍ତ୍ରୀ କୃଷଚନ୍ଦ୍ର ମହାପାତ୍ରଙ୍କ ବାସଭବନରେ । ସେଠାରେ ବି ଶୁଣିଲୁ ସମାନ ଉତ୍ତର । ମନ୍ତ୍ରୀ ଶୋଇଥିଲେ, ତେଣେ ନିଜର ସମସ୍ୟା କଥା କହିବା ପାଇଁ ବାସଭବନ ଆଗରେ ଘଣ୍ଟା ଘଣ୍ଟା ଧରି ବସ୍ତି ବାସିନ୍ଦା ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ପରେ ଆମେ ପହଞ୍ଚିଥିଲୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆଙ୍କ ବାସଭବନରେ । ସେମାନେ ବି ଶୋଇଥିଲେ ଗାଢ଼ ନିଦରେ । ଏହାପରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମାନ୍ତ ଓ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲୁ । ସେଠି ବି ସମାନ ଚିତ୍ର ।

ବିଧାନସଭାରେ ବିଲ୍ ପାସ କରିବା ପରେ ରାଜ୍ୟ ସରକାର ଶୋଇପଡ଼ିଥିବା ବେଳେ ଚେଉଁଛନ୍ତି ବିରୋଧୀ । କଂଗ୍ରେସ ବିଧାୟକମାନେ ଏକାଠି ହୋଇ ପ୍ରେସମିଟ କରି ସରକାରଙ୍କୁ ଟାର୍ଗେଟ କରିଥିଲେ । ବିଧାୟକ ମଙ୍ଗୁ ଖିଲ କହିଛନ୍ତି, ମନ୍ତ୍ରୀମାନେ ଶୋଇପଡ଼ିଲେ ସରକାର କିପରି ଚାଲିବ । ଅନ୍ୟପଟେ ବରିଷ୍ଠ ବିଜେଡ଼ି ବିଧାୟକ ଅରୁଣ ସାହୁ କହିଛନ୍ତି, ଅଦୃଶ୍ୟ ଚାପରେ ପଡ଼ି ଶାସକ ଦଳର ମନ୍ତ୍ରୀମାନେ ଇଚ୍ଛା ନଥିଲେ ବି ବିଲ ପାସ କରି କ୍ଲାନ୍ତ ହୋଇପଡ଼ିଛନ୍ତି । ରାଜନୀତି ସମୀକ୍ଷକମାନେ ମଧ୍ୟ ଭିନ୍ନ ଯୁକ୍ତି ବାଢିଛନ୍ତି ।

ଆରମ୍ଭ ହେବ ସ୍ମାର୍ଟ ମିଟର ସତ୍ୟାଗ୍ରହ, ନିଷ୍ପତ୍ତି ପରିବର୍ତ୍ତନ କରାନଗଲେ ମାଡ଼ ଚେତାବନୀ

ଭୁବନେଶ୍ବର: ବାରମ୍ବାର ବିଜୁଳି କାଟୁଛନ୍ତି । ଲୋକଙ୍କୁ ଖରାରେ ଡହଳ ବିକଳ କରୁଛନ୍ତି । ସେପଟେ ସ୍ମାର୍ଟ ମିଟର ଲଗାଇ ଲୋକଙ୍କୁ ଆହୁରି ଶୋଷଣ କରିବା ପ୍ରକ୍ରିୟାକୁ ଜୋରଦାର ବିରୋଧ ଆରମ୍ଭ ହୋଇଯାଇଛି । ଯାହାକୁ ନେଇ ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ସ୍ମାର୍ଟ ମିଟର ସତ୍ୟାଗ୍ରହର ଡାକରା ଦେଇଛି । ସ୍ୱାଧୀନତା ପୂର୍ବର ଲବଣ ସତ୍ୟାଗ୍ରହ ଭଳି ଓଡ଼ିଶାରେ ଖୁବ ଶୀଘ୍ର ସ୍ମାର୍ଟ ମିଟର ବିରୋଧରେ ଏହି ସତ୍ୟାଗ୍ରହ ହେବ । ସମସ୍ତ ସମଭାବାପନ୍ନ ରାଜନୈତିକ ଦଳ ସହିତ ଗଣସଂଗଠନ ସାଧାରଣ ଲୋକେ ଏହି ସତ୍ୟାଗ୍ରହରେ ସାମିଲ ହେବା ସହ ସରକାର ଓ ବିଦ୍ୟୁତ ବିତରକ କମ୍ପାନୀ ବିରୋଧରେ ଯୁଦ୍ଧଂଦେହୀ ଡାକରା ଦିଆଯାଇଛି ।

ରାଜ୍ୟବ୍ୟାପୀ ହେବାକୁ ଥିବା ଏହି ସତ୍ୟାଗ୍ରହରେ ସମସ୍ତ ସମଭାବାପନ୍ନ ରାଜନୈତିକ ଦଳ ସମେତ ଗଣସଂଗଠନ, ଏନଜିଓ ତଥା ସାଧାରଣ ଲୋକେ ସାମିଲ ହେବେ । ସବୁଆଡେ ସ୍ମାର୍ଟ ମିଟର ଭଙ୍ଗାଯିବା ସହ ଜାଳି ଦିଆଯିବ । ସରକାର ତଥା ବିଦ୍ୟୁତ କମ୍ପାନୀର ଏହି ନିଷ୍ପତ୍ତିକୁ ଜୋରଦାର ପ୍ରତିବାଦ କରାଯିବ । ରାଜ୍ୟରେ ଅସମ୍ଭବ ଭାବେ ଏବେ ଦରଦାମ ବଢିଥିବାବେଳେ ଲୋକଙ୍କ ପାଖରେ ରୋଜଗାର ନାହିଁ । ଏଭଳି ସ୍ଥିତିରେ ପ୍ରିପେଡ ସ୍ମାର୍ଟ ମିଟର ଲଗାଇବା ଲୋକଙ୍କ ପ୍ରତି ଘୋର ଅନ୍ୟାୟ । ଏହି ମିଟର ଲଗାଇଲେ ୭୦ରୁ ୮୦ ପ୍ରତିଶତ ବିଜୁଳି ବିଲ ବଢିବ ବୋଲି ଅଭିଯୋଗ ହୋଇଛି । ସରକାର ଦୁଇ ମାସ ପାଇଁ ମିଟର ରେଣ୍ଟ ଛାଡ଼ ପାଇଁ କହିଛନ୍ତି । କିନ୍ତୁ ଆଗକୁ ରେଣ୍ଟ ସାଧାରଣ ଗ୍ରାହକଙ୍କୁ ହିଁ ଦେବାକୁ ପଡିବ । ତେଣୁ କମ୍ପାନୀକୁ ଲାଭ ଦେବାକୁ ଲୋକଙ୍କୁ ଲୁଣ୍ଠନର ଏହା ବଡ଼ ଅସ୍ତ୍ର ବୋଲି କୁହାଯାଇଛି । ବିଜୁଳି କମ୍ପାନୀଗୁଡିକ ଏହି ସ୍ମାର୍ଟ ମିଟର ମାଧ୍ୟମରେ ଚାରି ଲକ୍ଷ କୋଟି ଲାଭ କରିବେ । ସେହି ଅର୍ଥ ସାଧାରଣ ବିଜୁଳି ଗ୍ରାହକଙ୍କଠାରୁ ଲୁଟ କରାଯିବାର ଯୋଜନା ହୋଇଛି । ଏହାକୁ ନେଇ ଶକ୍ତି ବିଭାଗକୁ ସତର୍କ କରିଛି ବିଦ୍ୟୁତ ଉପଭୋକ୍ତା ମହାସଂଘ । ଗୁଣାତ୍ମକ ଓ ମାଗଣା ବିଜୁଳି ଦେବାକୁ ସରକାର କହିଥିଲେ ମଧ୍ୟ ରାଜ୍ୟବ୍ୟାପୀ ଏବେ ଘଣ୍ଟା ଘଣ୍ଟା ଅଘୋଷିତ ବିଜୁଳି କାଟ ହେଉଛି । ତେଣୁ ଆଗେ ଗୁଣାତ୍ମକ ବିଜୁଳି ଯୋଗାଣ ପାଇଁ ସରକାର ଉଦ୍ୟମ କରନ୍ତୁ ଓ ସ୍ମାର୍ଟ ମିଟର ଲଗାଇବା ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛି ମହାସଂଘ ।

ସେପଟେ ରାଜନୈତିକ ଦଳଗୁଡିକ ମଧ୍ୟ ବିଦ୍ୟୁତ ବିତରକ କମ୍ପାନୀ ଓ ସରକାରଙ୍କ ଏହି ଆଭିମୁଖ୍ୟକୁ ତୀବ୍ର ନିନ୍ଦା କରିଛନ୍ତି । ଗତକାଲି ରାଜ୍ୟବ୍ୟାପୀ ସ୍ମାର୍ଟ ମିଟର ଓ ବିଜୁଳି ବିଭ୍ରାଟ ପ୍ରସଙ୍ଗକୁ ନେଇ ବିରୋଧ ହୋଇଛି । ପ୍ରଥମେ ବିରୋଧ କଲା ପରେ ସ୍ମାର୍ଟ ମିଟର ସ୍ଥଗିତ ରଖିଥିଲେ । ଏବେ ଜବରଦସ୍ତ ଲଗାଉଛନ୍ତି । କିନ୍ତୁ ଏଥିରୁ ବିରତ ନ ରହିଲେ ଯେଉଁ କର୍ମଚାରୀମାନେ ସ୍ମାର୍ଟ ମିଟର ଲଗାଇବାକୁ ଯିବେ ସେମାନେ ମାଡ଼ ଖାଇବେ ଓ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାଇ ଦେଇଛି ସିପିଆଇ । ଚାରିଆଡେ ସ୍ମାର୍ଟ ମିଟର ବିରୋଧରେ ପ୍ରତିବାଦ ହେବା ସହ ପ୍ରବଳ ଖରାରେ ବିଜୁଳି କାଟକୁ ମଧ୍ୟ ଜୋରଦାର ବିରୋଧ କରାଯିବ । ସେପଟେ କଂଗ୍ରେସର କହିବା କଥା ଲୋକଙ୍କୁ ସ୍ମାର୍ଟ ତାରିକାରେ ଲୁଟ କରିବାକୁ ଏହା ସରକାରଙ୍କ ଷଡଯନ୍ତ୍ର । ୩୦୦ ୟୁନିଟ ମାଗଣା ବିଜୁଳି ଦେବାର କଥା କହି ଓଡ଼ିଶାର ବିଜୁଳି ଗ୍ରାହକଙ୍କୁ ଏଭଳି ଲୁଟିବା ବିରୋଧରେ ତୀବ୍ର ପ୍ରତିବାଦ କରାଯିବ ବୋଲି ଚେତାଇ ଦେଇଛି କଂଗ୍ରେସ ।

ସ୍ମାର୍ଟ ମିଟରକୁ ବିରୋଧ କରିବା ସହ ପ୍ରତିଶ୍ରୁତି ଅନୁଯାୟୀ ବିଜେପି ସରକାର ୩୦୦ ୟୁନିଟ ମାଗଣା ବିଜୁଳି ନ ଦେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ବିଶାଳ ସତ୍ୟାଗ୍ରହ ଓ ଜନ ଆନ୍ଦୋଳନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।

ୱାକଫ ବିଲ ନେଇ ରାଜ୍ୟସଭାରେ ହୁଇପ ଜାରି କରି ନାହିଁ ବିଜେଡି

ଭୁବନେଶ୍ବର: ୱାକଫ ବିଲ ନେଇ ରାଜ୍ୟସଭାରେ ହୁଇପ ଜାରି କରି ନାହିଁ ବିଜୁ ଜନତା ଦାଳ । ଏନେଇ ସୂଚନା ଦେଇଛନ୍ତି ଦଳର ବରିଷ୍ଠ ସାଂସଦ ସସ୍ମିତ ପାତ୍ର । ସେ କହିଛନ୍ତି, ଧର୍ମନିରପେକ୍ଷତା ଓ ଅନ୍ତର୍ଭୁକ୍ତିକରଣ ନୀତିକୁ ବିଜୁ ଜନତା ଦଳ ଗୁରୁତ୍ବ ଦେଉଛି । ସମସ୍ତ ସମ୍ପ୍ରଦାୟର ଅଧିକାରର ସୁରକ୍ଷାକୁ ଦଳ ପ୍ରାଧାନ୍ୟ ଦେଉଛି । ଏହାସହ ସଂଖ୍ୟାଲଘୁ ସମ୍ପ୍ରଦାୟର ଭାବନାକୁ ଦଳ ସର୍ବଦା ସମ୍ମାନ ଦେଇଥାଏ ।

ୱାକଫ ସଂଶୋଧନ ବିଲ-୨୦୨୪ ପ୍ରସଙ୍ଗରେ ସେ କହିଛନ୍ତି, ଏହି ସବୁ ବିଷୟକୁ ଗୁରୁତ୍ବର ସହ ବିଚାର କରି ଦଳ ଏହି ନିଷ୍ପତ୍ତି ଗ୍ରହଣ କରିଛି । ସମସ୍ତ ସମ୍ପ୍ରଦାୟକୁ ନ୍ୟାୟ, ସଂହତି ଓ ଅଧିକାର ପ୍ରସଙ୍ଗରେ ଦଳର ରାଜ୍ୟସଭା ସାଂସଦମାନଙ୍କ ଦାୟିତ୍ବବୋଧ ଓ ଅନ୍ତର ଅଭିବ୍ୟକ୍ତି ଉପରେ ନ୍ୟସ୍ତ କରାଯାଇଛି । ବିଲ୍ ପ୍ରସଙ୍ଗରେ ଭୋଟ ନେଇ ଦଳ ପକ୍ଷରୁ ହୁଇପ ଜାରି କରାଯାଇନାହିଁ ।

ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା

ଭୁବନେଶ୍ବର: ଆସନ୍ତା ୫ ତାରିଖରେ ଏକାମ୍ର କ୍ଷେତ୍ରରେ ବାବା ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ମହାପ୍ରଭୁ ଲିଙ୍ଗରାଜ ଦୋଳଗୋବିନ୍ଦ ଓ ଭଉଣୀ ରୁକୁଣା ରଥରେ ବିଜେ ହୋଇ ମାଉସୀ ଘରକୁ ଯାତ୍ରା କରିବେ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରଥ ଖଳାରେ ଜୋରଦାର ଚାଲିଛି ରଥ ନିର୍ମାଣ । ୯୫ ପ୍ରତିଶତ ରଥ କାମ ଶେଷ ହୋଇଥିବାବେଳେ ଆସନ୍ତାକାଲି ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବେ ସେବାୟତ । ସେପଟେ ସୌନ୍ଦର୍ଯ୍ୟକରଣ, ଆଲୋକୀକରଣ, ଫୁଲ ସଜ୍ଜା ଓ ସ୍ବଛତା ନେଇ ବିଏମସି ପ୍ରସ୍ତୁତି କରିଛି ।

ଶନିବାର ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ରଥ ନିର୍ମାଣରେ ବ୍ୟସ୍ତ ମହାରଣା, କୁମ୍ଭାର ଓ ବେହେରା ସେବାୟତ । ରଥ ଖଳାରେ ୬୫ ଜଣ ସେବାୟତ ଦୀର୍ଘ ୧୦ ଦିନ ରଥ ନିର୍ମାଣ କରୁଛନ୍ତି । ୯୫ ପ୍ରତିଶତ କାମ ସରିଥିବା ବେଳେ ଶୁକ୍ରବାର ପ୍ରଶାସନକୁ ରଥା ହସ୍ତାନ୍ତର ପରେ ସନ୍ଧ୍ୟାରେ ରଥ ପ୍ରତିଷ୍ଠା କରାଯିବ । ବର୍ତ୍ତମାନ ସୁଦ୍ଧା ଚକ ଅଖ, ୫ଟି ଦଣ୍ଡା, ୧୬ କୋଣ ସିଂହା, ୩୩ ପଟା ବିଜ, ଚାରି ନାହାକା, ୧୬ ଜୋକା, ଘଣ୍ଟି, ଓରା ଲାଗି ସାରିଲାଣି । ଏବେ ରଥର ଚାରି ଦୁଆର କାର୍ଯ୍ୟ ଚାଲିଛି । ସେପଟେ ଏକାମ୍ର ସାଂସ୍କୃତିକ ପ୍ରକାଶନ ପକ୍ଷରୁ ୬ ଦିନ ଧରି ଲିଙ୍ଗରାଜ ଫେଷ୍ଟିଭାଲ ପାଳନ ହେବ । ୧୧ଟି ରାଜ୍ୟର ୩୬ ଟି ଗ୍ରୁପ କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ୮ଶହରୁ ଉର୍ଦ୍ଧ୍ବ କଳାକାର ସାମିଲ ହେବେ । ପ୍ରତ୍ୟେକ ଦିନ ୬ ଟି ଗ୍ରୁପ , ୩ ଓଡ଼ିଶାର ଓ ୩ ଟି ଗ୍ରୁପ ଓଡ଼ିଶା ବାହାରୁ ଆସିବେ ।

ରୁକୁଣା ରଥଯାତ୍ରା ନେଇ ବିଏମସି ସ୍ବତନ୍ତ୍ର ରଣନିତୀ କରିଛି । ଲିଙ୍ଗରାଜ ମନ୍ଦିର ପାଖରୁ ନେଇ ରଥ ରୋଡ ସବୁର ପରିଷ୍କାର କରାଯିବ । ୫ରୁ ୯ ତାରିଖ ପର୍ଯ୍ୟନ୍ତ ମନ୍ଦିରରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ଆଲୋକମାଳାରେ ସଜାଯିବ । ଫୁଲରେ ସଜେଇ ହେବ ମନ୍ଦିର । ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଶୌଚାଳୟ ସହ ପ୍ରାଥମିକ ଚିକିତ୍ସା ସେଣ୍ଟର୍ କରାଯିବ । ଜରୁରୀ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବ ଆମ୍ବୁଲାନ୍ସ । ଖରାକୁ ଦେଖି ବିଭିନ୍ନ ସ୍ଥାନରେ ପିଇବା ପାଣି ଘୋଳ ଦହି ଆଦିର ବ୍ୟବସ୍ଥା କରାଯାଇଛି । ମ୍ୟୁନିସପାଲିଟି ହସ୍ପିଟାଲରେ ଗାଡି ପାର୍କିଂ ପାଇଁ ବାରଣ କରାଯାଇଛି । ୫ ତାରିଖ ଅପରାହ୍ନ ୩ଟାରେ ରଥଟଣା ଆରମ୍ଭ ହେବ । ଏହାର ୬ ଦିନ ପରେ ବାହୁଡା ଯାତ୍ରା ।

ଆଜିଠାରୁ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା, ମୁଖ୍ୟ ମନ୍ଦିରରୁ ବାପ ଘରକୁ ଯିବେ ମାଆ

ବ୍ରହ୍ମପୁର: ଆଜିଠାରୁ ଆରମ୍ଭ ହେବ ବ୍ରହ୍ମପୁର ଆରାଧ୍ୟା ଦେବୀ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା । ମଧ୍ୟ ରାତ୍ରିରେ ମୁଖ୍ୟ ମନ୍ଦିର ଛାଡ଼ି ବାପା ଘର ଦେଶୀ ବେହେରା ସାହିକୁ ଯିବେ ଠାକୁରାଣୀ । ଅସ୍ଥାୟୀ ମନ୍ଦିରରେ ପୂଜା ପାଇବେ ମାଆ । ଏଥିପାଇଁ ସହରବାସୀଙ୍କ ଧେଣ୍ଡୁରା ଦେଇ ନିମନ୍ତ୍ରଣ କଲେ ଦେଶୀ ବେହେରା । ମାଆଙ୍କ ଅସ୍ଥାୟୀ ମନ୍ଦିର ପାଇଁ ରାଜମହେନ୍ଦ୍ରିରୁ ଆସିଛି ଫୁଲ । ଆଜିଠାରୁ ୨୮ ତାରିଖ ଯାଏଁ ଚାଲିବ ଯାତ୍ରା ।

ବାଜିଲା ଧେଣ୍ଡୁରା । ବାପା ଘରକୁ ଆସୁଛନ୍ତି ମାଆ ବୁଢ଼ୀ ଠାକୁରାଣୀ । ଚୈତ୍ର ଶୁକ୍ଳ ପକ୍ଷରେ ମୁଖ୍ୟ ମନ୍ଦିର ଛାଡ଼ି ବାପା ଘର ଦେଶୀ ବେହେରା ସାହିକୁ ଆସୁଛନ୍ତି ମାଆ । ସହରବାସୀଙ୍କୁ ନିମନ୍ତ୍ରଣ କଲେ ବାପା ଦେଶୀ ବେହେରା । ଅସ୍ଥାୟୀ ମନ୍ଦିରରେ ୨୮ ତାରିଖ ଯାଏଁ ପୂଜା ପାଇବେ ମାଆ । ଏଥିପାଇଁ ସଜେଇ ହେଲାଣି ପୂରା ସହର । ଅସ୍ଥାୟୀ ମନ୍ଦିର ବି ପ୍ରସ୍ତୁତ । ମାଆଙ୍କ ପାଇଁ ରାଜମହେନ୍ଦ୍ରିରୁ ଫୁଲ ମଗାଇଛନ୍ତି ବାପା । ସନ୍ଧ୍ୟାରେ ଚାଙ୍ଗୁଡ଼ି ପୂଜା ପରେ ରାତ୍ରି ୧୧ଟାରେ ଦେଶୀ ବେହେରା ସାହିରୁ ମାଆଙ୍କୁ ପାଛୋଟି ଆଣିବାକୁ ଯିବ ବିଶାଳ ପଟୁଆର । ପୂଜାର୍ଚ୍ଚନା ପରେ ମାଆଙ୍କ ଆଜ୍ଞାମାଳ ଆଣି ସ୍ଥାପନ ପରେ ଆରମ୍ଭ ହେବ ଯାତ୍ରା । ଏଥିପାଇଁ ଉତ୍ସାହିତ ବାପାଘର ଲୋକେ ଏବଂ ସହରବାସୀ ।

ଯାତ୍ରା ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ସମସ୍ତ ପ୍ରସ୍ତୁତି । ରାତିରେ ମାଆଙ୍କ ଘଟ ପରିକ୍ରମା ବେଳେ ହଜାର ହଜାର ଲୋକଙ୍କ ଭିଡ ଜମିବ । ଟ୍ରାଫିକ ନିୟନ୍ତ୍ରଣ ସହ ଯାତ୍ରା ସମୟରେ ଅପରାଧିକ କାର୍ଯ୍ୟକଳାପ ରୋକିବାକୁ ପୋଲିସ ପକ୍ଷରୁ ରୋଡମ୍ୟାପ ପ୍ରସ୍ତୁତ ହୋଇଛି । ବ୍ରହ୍ମପୁର ଏସପିଙ୍କ ତତ୍ତ୍ୱାବଧାନରେ ବଡବଜାର ଥାନାରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ଯାତ୍ରା ସମୟରେ ବଡବଜାର ଅଞ୍ଚଳରେ ୬ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୩୫ ଜଣ ପୋଲିସ ଅଧିକାରୀ ନିଯୋଜିତ ହେବେ । ଯାତ୍ରା ସ୍ଥଳରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବ । ଏପ୍ରିଲ ୩ ତାରିଖରୁ ୨୮ ତାରିଖ ଯାଏଁ ଦେଶୀ ବେହେରା ସାହି ତଥା ବଡବଜାରକୁ  ଗାଡିମଟର ପ୍ରବେଶ ଉପରେ କଟକଣା ଲାଗିଛି । ରାତି ୧୨ଟାରୁ ଭୋର ୪ଟା ମଧ୍ୟରେ ମାଲ ପରିବହନ କରିବାକୁ ବ୍ୟବସାୟୀଙ୍କୁ ପରାମର୍ଶ ଦିଆଯାଇଛି ।

ସରକାରଙ୍କୁ ଚେତାବନୀ ! ୬୦ ବର୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ୧୫ ତାରିଖ ସୁଦ୍ଧା ୩ ହଜାର ଭତ୍ତା ପ୍ରଦାନ କରାନଗଲେ…

କଟକ: ଭତ୍ତା ବୃଦ୍ଧି ଅଭିଯାନ ଓଡ଼ିଶା ପକ୍ଷରୁ କଟକରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଜୋରଦାର ଆନ୍ଦୋଳନ । ଶହ ଶହ ହିତାଧିକାରୀ ପ୍ରଚଣ୍ଡ ଖରାରେ ହାତରେ ଭତ୍ତା କାଗଜ ଓ ପରିଚୟପତ୍ର ଧରି ୬୦ବର୍ଷରୁ ଅଧିକ ହିତାଧିକାରୀଙ୍କୁ କାହିଁକି ୩ ହଜାର ଟଙ୍କା ଭତ୍ତା ଦିଆଯିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଏହାସହ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ ହାତେଇବା ଓ ପରେ ହିତାଧିକାରୀଙ୍କ ସହ ପ୍ରତାରଣା କରିଥିବାରୁ ସରକାରଙ୍କୁ ସମାଲୋଚନା କରିଛନ୍ତି । ୧୫ ତାରିଖ ସୁଦ୍ଧା ଭତ୍ତା ନ ମିଳିଲେ ଆନ୍ଦୋଳକୁ ଜୋରଦାର କରିବାକୁ ଚେତାବନୀ ଦେଇଛି ଭତ୍ତା ବୃଦ୍ଧି ଅଭିଯାନ ଓଡ଼ିଶା ।

ସୁନେଲି ସ୍ବପ୍ନ ଦେଖାଇ ନିର୍ବାଚନ ଜିତିଲେ । ହେଲେ କ୍ଷମତାକୁ ଆସିବା ପରେ ପ୍ରତିଶ୍ରୁତି ଭୁଲିଗଲେ । ପ୍ରଚଣ୍ଡ ଖରାରେ ହିତାଧିକାରୀଙ୍କ ଆନ୍ଦୋଳନ । ହକ୍ ପାଇଁ କଟକରେ ଏକାଠି ହେଲେ ଶହ ଶହ ଭତ୍ତା ହିତାଧିକାରୀ । ହାତରେ ଭତ୍ତା କାଗଜ ଓ ପରିଚୟ ପତ୍ର ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ । ଏସପି ଅଫିସ ସମ୍ମୁଖରେ ଏକାଠି ହୋଇ ଶୋଭାଯାତ୍ରାରେ ଆସି କରିଛନ୍ତି ଆନ୍ଦୋଳନ । ନିର୍ବାଚନ ପୂର୍ବରୁ ୬୦ ବର୍ଷରୁ ଅଧିକ ସବୁ ବର୍ଗର ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଭତ୍ତା ଦେବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ହେଲେ କ୍ଷମତାକୁ ଆସିବା ପରେ ରାଜ୍ୟର ପ୍ରାୟ ୫୪ ଲକ୍ଷ ହିତାଧିକାରୀଙ୍କୁ ପ୍ରତାରିତ କରିଥିବା ଭତ୍ତା ବୃଦ୍ଧି ଅଭିଯାନ ଓଡ଼ିଶା ପକ୍ଷରୁ ଅଭିଯୋଗ କରାଯାଇଛି । ଡବଲ ଇଞ୍ଜିନ ସରକାର ଡବଲ ଧୋକା ଦେଇଥିବା ହିତାଧିକାରୀ କହିଛନ୍ତି ।

ପଡୋଶୀ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ୬୦ ବର୍ଷରୁ ଅଧିକ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମଙ୍କୁ ୪ରୁ ୫ ହଜାର ଟଙ୍କାର ଭତ୍ତା ଦିଆଯାଉଛି । ତେବେ ଆମ ରାଜ୍ୟରେ ୮୦ ବର୍ଷରୁ ଅଧିକ ଲୋକଙ୍କୁ ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ଦିଆଯାଉଛି । ହେଲେ ପ୍ରତିମାସ ୧୫ ତାରିଖରେ ଭତ୍ତା ମଧ୍ୟ ମିଳୁ ନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ତେଣୁ ତୁରନ୍ତ ସରକାର ପାତର ଅନ୍ତର ନକରି ୬୦ ବର୍ଷରୁ ଊର୍ଦ୍ଧ୍ବ ସବୁ ହିତାଧିକାରୀଙ୍କୁ ତୁରନ୍ତ ୩ ହଜାର ଟଙ୍କାର ଭତ୍ତା ଦେବାକୁ ଦାବି କରାଯାଇଛି । ନଚେଦ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦିଆଯାଇଛି ।

କେବଳ ସେତିକି ନୁହେଁ ଭତ୍ତା ପ୍ରଦାନ କଲା ବେଳେ ଭିନ୍ନ ଭିନ୍ନ ଜିଲ୍ଲାରେ ହିତାଧିକାରୀଙ୍କୁ ଭିନ୍ନ ଭିନ୍ନ ପରିଚୟପତ୍ର ମାଗି ହଇରାଣ କରାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି ।