ଭୁବନେଶ୍ୱର: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ବସ୍ ରେ ଲାଗିଲା ନିଆଁ। ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ବସ । କେଉଁ କାରଣରୁ ନିଆଁ ଲାଗିଛି ଜଣାପଡି ନ ଥିବାବେଳେ ଏହା ପଶ୍ଚିମବଙ୍ଗର ଟୁରିଷ୍ଟ ବସ୍ ହୋଇଥିବା ଜଣାପଡ଼ିଛି। ନିଆଁ ଲାଗିବା ସମୟରେ କୌଣସି ଯାତ୍ରୀ ବସ ଭିତରେ ନଥିବା ଜଣାପଡିଛି l
ଘର ଭାଙ୍ଗି ଧାନ, ଚାଉଳ ଖାଇ ଦେଲେ ହାତୀପଲ
ଚମ୍ପୁଆ: ଘର ଭାଙ୍ଗି ଧାନ ଚାଉଳ ଖାଇ ଦେଲେ ହାତୀପଲ। ଚମ୍ପୁଆ ବ୍ଲକ ଭୂଇଁପୁର ଗାଁରେ ଏହି ଘଟଣା। ହାତୀପଲ ଘର ଭିତରୁ ଧାନ ଚାଉଳ ଖାଇଯିବା ସହ ଗାଁ ରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଗତ କିଛି ଦିନ ହେବ ଚମ୍ପୁଆ ରେଞ୍ଜ ଛାଡି ମୟୂରଭଞ୍ଜକୁ ଚାଲି ଯାଇଥିବା ହାତୀ ପଲ ଗତକାଲି ପୁଣି ଲେଉଟି ଆସିଥିବା ବେଳେ ଭୂଇଁପୁର ଗାଁର ଦୀପକ ବାରିକଙ୍କ ଘରକୁ ଚାରି ପଟୁ ଭାଙ୍ଗି ଧାନ ଚାଉଳ ଖାଇଯାଇଛନ୍ତି l ହାତୀ ପଲ ରାତି ସାରା ଗାଁ ରେ ଉପଦ୍ରଵ କରିବା ପରେ ସକାଳେ ନିକଟସ୍ଥ କମଣ୍ଡ ଜଗଂଲକୁ ଚାଲି ଯାଇଥିବା ଜଣାପଡିଛି। ଅନ୍ୟ ପଟେ ଗତ କିଛି ଦିନ ଧରି ସଦର ରେଞ୍ଜ ରେ ଉତ୍ପାତ କରୁଥିବା ୨୩ ଦଳିଆ ହାତୀ ପଲ ମଧ୍ୟ କମଣ୍ଡ ଜଂଗଲରେ ଆସି ଏମାନଙ୍କ ସହ ମିଶି ଯାଇଥିବାରୁ ଏବେ କମଣ୍ଡ ଜଗଂଲରେ ଅଛନ୍ତି ୨୭ଟି ହାତୀ । ତେଣୁ ଆଖପାଖ ଗ୍ରାମ ବାସୀ ଆତକିଂତ ଅବସ୍ଥା ରହିଛନ୍ତି l
ମାଟି ଚୋରିକୁ ବିରୋଧ କରିବାରୁ ହାଣିଦେଲେ ମାଟି ମାଫିଆ: ବିଳମ୍ବିତ ରାତିରେ ହେଉଥିଲା ମାଟି ଚୋରି
ବାଲିପାଟଣା: ମାଟି ଚୋରିକୁ ବିରୋଧ କରିବାରୁ ୩ ଜଣ ଯୁବକଙ୍କୁ ହାଣି ଦେଇଛନ୍ତି ମାଟି ମାଫିଆ । ଏଥିରେ ୩ ଜଣ ଯୁବକ ଗୁରୁତର ହୋଇ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ଏବଂ ପରେ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ହେଉଛନ୍ତି ନିରଞ୍ଜନ ପାତ୍ର, ସୌମେନ୍ଦ୍ର ଜେନା ଓ ଶରତ ଜେନା । ବାଲିପାଟଣା ଜିତିକାଲ ସୁଆଁଲୋ ଗାଁରେ ଘଟିଛି ଏଭଳି ଘଟଣା। ଗାଁରୁ ବିଳମ୍ବିତ ରାତିରେ ଚୋରି ହେଉଥିଲା ମାଟି । ଗାଁର କିଛି ଯୁବକ ଏହାକୁ ବିରୋଧ କରିବାରୁ ମାଟି ମାଫିଆ ଯୁବକ ମାନଙ୍କୁ ଆକ୍ରମଣ କରିଥିଲେ । ଖଣ୍ଡା ଭୁଜାଲିରେ ହାଣିବା ସହ ପାଇପରେ ମାଡ଼ ମାରିଥିଲେ । ଘଟଣାସ୍ଥଳରେ ଗ୍ରାମବାସୀ ପହଁଞ୍ଚି ଆକ୍ରମଣକାରୀ ୪ ଯୁବକଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି । ସେମାନଙ୍କ ନିକଟରୁ ୨ଟି ବାଇକ ଜବତ ହୋଇଛି ।
ଚାନ୍ଦବାଲି ବ୍ଳକରେ ଶିକ୍ଷାର ବିକଳ ଚିତ୍ର: ୯ଟି ଶ୍ରେଣୀ ଓ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ପାଇଁ ୩ ଜଣ ଶିକ୍ଷକ
ଚାନ୍ଦବାଲି: ଚାନ୍ଦବାଲି ବ୍ଳକରେ ଶିକ୍ଷାର ବିକଳ ଚିତ୍ର । ୯ଟି ଶ୍ରେଣୀ ଓ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ପାଇଁ ୩ ଜଣ ଶିକ୍ଷକ । ଆଜି ୨ଜଣ ଶିକ୍ଷକ ଛୁଟିରେ ଥିବାରୁ ଜଣେ ଶିକ୍ଷକରେ ବିଦ୍ୟାଳୟ ଚାଲୁଥିବା ଜାଣି ଫାଟକରେ ତାଲା ପକାଇଛନ୍ତି ଅଭିଭାବକ । ଚାନ୍ଦବାଲି ବ୍ଳକ ଉଗ୍ରତରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଫାଟକରେ ତାଲା ପଡି ଥିବାରୁ ଫାଟକ ଆଗରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ନୂତନ ଶିକ୍ଷକ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ଧାରଣାରୁ ହଟିବେନି ବୋଲି କହିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ।
୨୦୨୩-୨୪ରେ ବିଜେପିକୁ ୨୨୪୩ କୋଟି ଦାନ ମିଳିଛି: ଅନ୍ୟ ଦଳମାନଙ୍କର ସ୍ଥିତି କ’ଣ, ADR ରିପୋର୍ଟରୁ ଜାଣନ୍ତୁ
ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ADR)ର ଏକ ରିପୋର୍ଟ ମୁତାବକ, ଆର୍ଥିକ ବର୍ଷ ୨୦୨୩-୨୪ରେ ରାଷ୍ଟ୍ରୀୟ ଦଳମାନଙ୍କ ମଧ୍ୟରୁ ବିଜେପି ସର୍ବାଧିକ ଚାନ୍ଦା ଗ୍ରହଣ କରିଛି । ବିଜେପିକୁ ମୋଟ ୮୩୫୮ ଚାନ୍ଦା ମିଳିଥିବା ବେଳେ ୨,୨୪୩ କୋଟି ଘୋଷଣା କରିଛି । ଏଡିଆର ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରାଯାଇଥିବା ତଥ୍ୟ ଆଧାରରେ ରିପୋର୍ଟରେ ରାଜେନୖତିକ ଦଳମାନେ ୨୦ ହଜାର ଟଙ୍କାରୁ ଅଧିକ ଚାନ୍ଦା ପାଇଥିବା ଉଲ୍ଲେଖ କରାଯାଇଛି ।
ରାଷ୍ଟ୍ରୀୟ ଦଳଙ୍କ ଘୋଷଣା ମୁତାବକ, ମୋଟ ଚାନ୍ଦା ୧୨,୫୪୭ ରହିଛି, ଯାହାର ମୋଟ ରକମ ୨,୫୪୨.୨୮ କୋଟି ଟଙ୍କା । ଏହା ପୂର୍ବ ବର୍ଷ ତୁଳନାରେ ୧୯୯ ପ୍ରତିଶତ ବୃଦ୍ଧି ଘଟିଛି । ଏକାକୀ ବିଜେପି ଦ୍ବାରା ଘୋଷିତ ଚାନ୍ଦାର ମୋଟ ୮୮ ପ୍ରତିଶତ ଅଟେ । କଂଗ୍ରେସ ୧,୯୯୪ ଚାନ୍ଦା ଜରିଆରେ ୨୮୧,୪୮ କୋଟି ଟଙ୍କା ସହ ଦ୍ବିତୀୟ ସ୍ଥାନରେ ରହିଛି । ଆମ ଆଦମୀ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଓ ନ୍ୟାସନାଲ ପିପୁଲ୍ସ ପାର୍ଟି (NPEP) ଏହାଠାରୁ କମ୍ ରାଶିର ସୂଚନା ଦେଇଛନ୍ତି । କଂଗ୍ରେସକୁ ମିଳିଥିବା ଚାନ୍ଦାରେ ୨୫୨.୧୮ ପ୍ରତିଶତ ବୃଦ୍ଧି ଘଟିଛି । ଆପକୁ ମିଳିଥିବା ଚାନ୍ଦାରେ ୨୬.୦୩୮ କୋଟି କମିବା ସହ ଏନପିଇପିର ଚାନ୍ଦାରେ ୭.୩୩୧ କୋଟି କମିଛି ।
ଖରାପ ରାସ୍ତା ନେଲା ଯୁବତୀଙ୍କ ଜୀବନ: ମାଲକାନଗିରି ଖଇରପୁଟରେ ଅଭାବନୀୟ ଘଟଣା
ମାଥିଲି: ଜୀବନ ନେଇଗଲା ଶୋଚନୀୟ ରାସ୍ତା । ପାହାଡ ଉପର ରାସ୍ତାରୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବା ବାଟରେ ଚାଲିଗଲା ଯୁବତୀଙ୍କ ଜୀବନ। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କାତ୍ରାକୁଣ୍ତରୁ ଆସିଛି ଏଭଳି ହୃଦୟ ବିଦାରକ ଦୃଶ୍ୟ । ଜ୍ବରରେ ପୀଡିତ ଜିଗୁଡୁ ଗୋଲରୀଙ୍କ ଝିଅ ସଞ୍ଜିତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା । କାତ୍ରାକୁଣ୍ତକୁ ଆମ୍ବୁଲାନ୍ସ ଯାଇପାରୁ ନଥିବାରୁ ପାହାଡ ଓ ଶୋଚନୀୟ ରାସ୍ତାରେ ଝିଅକୁ ଭାରରେ ବୋହି ଆଣୁଥିଲେ ପରିବାର ଲୋକେ । ଗୋବିନ୍ଦପାଲି ସ୍ବାସ୍ଥ୍ୟକେନ୍ଦ୍ର ଆଣିବାବେଳେ ଅଧବାଟରେ ସଞ୍ଜିତାଙ୍କ ମୃତ୍ୟୁ ହୋଇଥିଲା ।ପ୍ରାୟ ୬ କିଲୋମିଟର ପାଦରେ ଚାଲି ସଞ୍ଜିତାଙ୍କୁ ଭାର ବୋହି କରି ଆଣୁଥିଲେ ପରିବାର ଲୋକେ । ହେଲେ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ହିଁ ଚାଲିଯାଇଛି ଜୀବନ। ଖରାପ ରାସ୍ତା ପାଇଁ ଠିକ ସମୟରେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ନଥିବାରୁ ତାଙ୍କ ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ପରିବାର। ଏଭଳି ଦୃଶ୍ୟ ଦେଖିଲେ ଲାଗୁଛି ସରକାରଙ୍କ ସବୁ ଯୋଜନା ଯେଭଳି ଏଠାରେ ଉପହାସ ପାଲଟିଛି।
ଏହି କ୍ୟାନସର ସାଜିଥାଏ ସାଇଲେଣ୍ଟ କିଲର: ଲକ୍ଷଣ ଜଣାପଡ଼େନି, ତଥାପି ହୋଇଯାଏ ମୃତ୍ୟୁ
କ୍ୟାନସର ଏପରି ଏକ ଶବ୍ଦ, ଯାହାକୁ ଥରେ ଶୁଣିବା ପରେ ମନରେ ଡର ସୃଷ୍ଟି କରିଥାଏ । କାରଣ ଏହା ଏକ ଗମ୍ଭୀର ଓ ଘାତକ ବୀମାରୀ ହୋଇଥାଏ । ତେବେ ଆଜିର ସମୟରେ କ୍ୟାନସରର ଚିକିତ୍ସା ସମ୍ଭବ ହୋଇପାରୁଛି । ମାତ୍ର କିଛି ମାମଲାରେ କ୍ୟାନସରର ସନ୍ଧାନ ବିଳମ୍ବରେ ଜଣାପଡ଼ିବା କାରଣରୁ ଏହାର ଚିକିତ୍ସା ସମ୍ଭବ ହେବା ମୁସ୍କିଲ ହୋଇପଡ଼ିଥାଏ । ଏହାର କାରଣ ଲାଷ୍ଟ ଷ୍ଟେଜରେ କ୍ୟାନସରର ଚିହ୍ନଟ ହେବା । ଏପରି କ୍ୟାନସର ମାମଲାରେ ପାନକ୍ରିୟାଜ କ୍ୟାନସର ସାମିଲ ରହିଛି । ପ୍ରକୃତ କଥା ହେଉଛି, ପାନକ୍ରିୟାଜ କ୍ୟାନ୍ସରର ଲକ୍ଷଣ ବହୁତ ବିଳମ୍ବରେ ସାମ୍ନକୁ ଆସିଥାଏ । ସେହି କାରଣରୁ ଏହାର ଚିକିତ୍ସା ସମ୍ଭବ ହୋଇନଥାଏ । ଏଥିପାଇଁ ଏହାକୁ ସାଇଲେଣ୍ଟ କିଲର ମଧ୍ୟ କୁହାଯାଇଥାଏ ।
ଆରମ୍ଭ ଷ୍ଟେଜରୁ ଏହି କ୍ୟାନସରର ଲକ୍ଷଣ ବହୁତ ମାମୁଲି ବା ନା ସମାନ ହୋଇଥାଏ । ସେଥିପାଇଁ ଏହାକୁ ସାଇଲେଣ୍ଟ କିଲର କୁହାଯାଏ । ଏହି କାରଣରୁ ସମୟ ପୂର୍ବରୁ ଏହି କ୍ୟାନସରକୁ ଚିହ୍ନଟ କରିବା ବହୁତ ମୁସ୍କିଲ ହୋଇଥାଏ । କିଛି ମାମଲାରେ ଏହି କ୍ୟାନସରର ଲକ୍ଷଣ ଜଣାପଡ଼ିବା ବେଳକୁ କ୍ୟାନସର ଆଡଭାନ୍ସ ଷ୍ଟେଜରେ ପହଞ୍ଚି ସାରିଥାଏ । ସେଥିପାଇଁ ଏହି କ୍ୟାନସରର ଚିକିତ୍ସାର ସଫଳତାର ସମ୍ଭାବନା କମ୍ ହୋଇଯାଇଥାଏ । ପାନକ୍ରିୟାଜର ଲକ୍ଷଣ ବହୁତ ସାମାନ୍ୟ ହେବା କାରଣରୁ ଲୋକମାନେ ଏହାକୁ ଅଣଦେଖା କରିଥାନ୍ତି, ଯାହାକି ଆଗକୁ ବହୁତ ଗମ୍ଭୀର ହୋଇଥାଏ ।
ଏହି ରୋଗରେ ପେଟ ବା ପିଠିର ଉପର ଭାଗରେ ଲଗାତର ଯନ୍ତ୍ରଣା ହେବା, ଅଚାନକ ଶରୀର ଓଜନ କମିଯିବା, ଭୋକ ନ ଲାଗିବା ବା କମ୍ ଲାଗିବା, ଆଖି ଓ ସ୍କିନର ରଙ୍ଗ ହଳଦିଆ ପଡ଼ିଯିବା, ବାନ୍ତି ଅନୁଭବ ହେବା, ଅତ୍ୟଧିକ ଥକ୍କା ଲାଗିବା, ଅଚାନକ ଡାଇବେଟିସ ଡିଟେକ୍ଟ ହେବା ଆଦି ଲକ୍ଷଣ ଦେଖିବାକୁ ମିଳିଥାଏ । ଅଧିକ ଧୂମ୍ରପାନ ଓ ମଦ୍ୟପାନ କରୁଥିବା ଲୋକେ, ୬୦ରୁ ଅଧିକ ବୟସର ଲୋକେ, ଫ୍ୟାମିଲି ହିଷ୍ଟ୍ରିରେ କ୍ୟାନସର ହେବା, ମୋଟାପା ଓ ଟାଇପ ୨ ଡାଇବେଟିସ ରୋଗୀଙ୍କ କ୍ଷେତ୍ରରେ ପାନକ୍ରିୟାଜର ଆଶଙ୍କା ରହିଥାଏ ।
ଭୋଜପୁରୀ ସୁପରଷ୍ଟାର ପବନ ସିଂହ ICUରେ ଭର୍ତ୍ତି! ଜାଣନ୍ତୁ ଭାଇରାଲ ପୋଷ୍ଟର ସତ୍ୟତା
ସୋସାଆଲ ମିଡ଼ିଆରେ ଏକ ପୋଷ୍ଟ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭୋଜପୂରୀ ସୁପରଷ୍ଟାର ପବନ ସିଂହ ବୀମାର ହେବା ନେଇ ଖବର ସାମ୍ନାକୁ ଆସିଛି । ପବନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ଉକ୍ତ ଭାଇରାଲ ପୋଷ୍ଟରେ ଦାବି କରାଯାଇଛି । ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଫଟୋରେ ଦେଖାଯାଉଛି ଯେ, ପବନ ହସ୍ପିଟାଲରେ ଆଇସିୟୁ ଓ୍ବାର୍ଡରେ ବେଡରେ ଶୋଇ ରହିଛନ୍ତି । ଅଭିନେତାଙ୍କ ମୁହଁରେ ଅକ୍ସିଜେନ ମାସ୍କ ଲଗାଯାଇଛି । ଉକ୍ତ ଫଟୋକୁ ସୋସିଆଲ ମିଡ଼ିଆରେ ଶେୟାର କରାଯାଇଛି ।
ପବନ ସିଂହ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ସୋସିଆଲ ମିଡ଼ିଆରେ ଦାବି କରାଯାଇଛି । ପବନ ସିଂହଙ୍କ ପାଖରେ ଦୁଇଜଣ ଡାକ୍ତର ଉପସ୍ଥିତ ରହିଥିବା ଫଟୋରେ ଦେଖାଯାଉଛି । ସେହି ସମୟରେ ପବନ ପୂରା ନିଦରେ ଥିବା ଦେଖାଯାଉଛି । ପବନଙ୍କ ମଥାରେ ତିଲକ ଲାଗିଥିବା ଫଟୋରେ ଦେଖାଯାଉଛି । ଭୋଜପୁରୀ ସୁପରଷ୍ଟାର ପବନ ସିଂହଙ୍କ ବୀମାର ଖବର ଶୁଣିବା ପରେ ଫ୍ୟାନ୍ସ ବେଶ୍ ଦୁଃଖିତ ହୋଇପଡ଼ିଛନ୍ତି । ଏହି ଫଟୋ ପବନଙ୍କ ସୋସିଆଲ ମିଡ଼ିଆର ଫେସବୁକ ପେକ TW Bhojpuri ଦ୍ବାରା ପୋଷ୍ଟ କରାଯାଇଛି । ଫଟୋକୁ ପୋଷ୍ଟ କରିବା ସମୟରେ କ୍ୟାପସନରେ ଲେଖାଯାଇଛି, ’ଆପଣମାନେ ପ୍ରାର୍ଥନା କରନ୍ତୁ ଖୁବଶୀଘ୍ର ପବନ ଭାଇଙ୍କ ସ୍ବାସ୍ଥ୍ୟ ଠିକ୍ ହୋଇଯାଉ ।’ ଏହି ପୋଷ୍ଟ ଉପରେ ୟୁଜର୍ସ ମଧ୍ୟ ଖୁବ୍ ରିଆକ୍ସନ ଦେଉଥିବା ଦେଖାଯାଉଛି । ଫ୍ୟାନ୍ସଙ୍କ ପବନଙ୍କ ଆରୋଗ୍ୟ ନେଇ କାମନା କରୁଛନ୍ତି । ଉକ୍ତ ଫେସବୁକ ପେଜ ବ୍ୟତୀତ ଏହି ପୋଷ୍ଟ ଅନ୍ୟ କେଉଁଠି ଦେଖିବାକୁ ମିଳୁନାହିଁ । ପବନଙ୍କ ଅଫିସିଆଲ ସୋସିଆଲ ମିଡ଼ିଆ ପେଜରେ ମଧ୍ୟ ପବନ ହସ୍ପିଟାଲରେ ଭର୍ତ୍ତି ହେବା ନେଇ କୌଣସି ପୋଷ୍ଟ ଶେୟାର କରାଯାଇ ନାହିଁ । ତେଣୁ ଏହି ପୋଷ୍ଟକୁ ଫର୍ଜି ନ୍ୟୁଜ ବୋଲି କୁହାଯାଇଛି । ପବନ ସିଂହ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ସେ ନିଜର ଫିଲ୍ମ, ଗୀତ ଶୁଟିଂରେ ବ୍ୟସ୍ତ ଥିବା କୁହାଯାଇଛି ।
ବଡ଼ଭାଇ ସାଜିଲେ ପ୍ରତିବନ୍ଧକ: ହାର୍ଦିକ ପାଣ୍ଡାଙ୍କ ପରିଶ୍ରମ ବୃଥା, ୧୨ ରନରେ ହାରିଲା ମୁମ୍ବାଇ
ଆଇପିଏଲରେ ଗତକାଲି ଖେଳାଯାଇଥିବା ମ୍ୟାଚରେ ଭାଇ-ଭାଇ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଥିଲା । ମୁମ୍ବାଇ ଅଧିନାୟକଙ୍କ ବିଜୟ ପଥରୋଧ କରିଥିଲେ ବଡ଼ଭାଇ କୃନାଲ ପାଣ୍ଡ୍ୟା । ଫଳରେ ଉକ୍ତ ମ୍ୟାଚରେ ମୁମ୍ବାଇ ୧୨ ରନରେ ପଛରେ ରହିଯିବା ସହ ବେଙ୍ଗାଲୁରୁ ବାଜି ମାରିନେଇଥିଲା । ଶେଷ ଆଡ଼କୁ ବାଜି ପଲଟାଇ ଦେଇଥିଲେ କୃନାଲ । ଉକ୍ତ ମ୍ୟାଚରେ ହାର୍ଦିକ ୧୫ଟି ବଲରୁ ୨୮୦ ଷ୍ଟ୍ରାଇକ ରେଟରେ ୪୨ ରନ୍ ସଂଗ୍ରହ କରିଥିଲେ । ଏପରି ଲାଗୁଥିଲା ମୁମ୍ବାଇ ବାଜି ମାରିନେବ । ମାତ୍ର ଠିକଣା ସମୟରେ ବଡ଼ଭାଇ କମାଲ କରିବା ଫଳରେ ହାର୍ଦିକଙ୍କ ସବୁ ପରିଶ୍ରମ ବେକାର ଯାଇଥିଲା । ଏପରି ଭାବେ କ୍ରମାଗତ ଦ୍ବିତୀୟ ପରାଜୟକୁ ନେଇ ଅଧିନାୟକ ହାର୍ଦିକ ଅତ୍ୟଧିକ ମାତ୍ରାରେ ଧୈର୍ଯ୍ୟହରା ହୋଇପଡ଼ିଥିଲେ ।
୨୨୨ ରନକୁ ଚେଜ କରିବାକୁ ଯାଇ ମୁମ୍ବାଇ ୧୨ ଓଭର ପର୍ଯ୍ୟସ୍ତ ବହୁତ ପଛରେ ଚାଲୁଥିଲା । ଦଳ ୪ଟି ଓ୍ବିକେଟ ହରାଇ ମାତ୍ର ୯୯ ରନ୍ ସଂଗ୍ରହ କରିଥିଲା । ଏହାପରେ ହାର୍ଦିକ କ୍ରିଜକୁ ଆସିବା ପରେ ୧୪ତମ ଓଭରରେ ହେଜଲଉଲଙ୍କ ଓଭରରେ ୫ଟି ବଲରୁ ୨୦ ରନ୍ ସଂଗ୍ରହ କରିଥିଲେ । ୭ଟି ବଲରୁ ୩୨ ରନ୍ କରି ମୁମ୍ବାଇ ଅଧିନାୟକ ମ୍ୟାଚକୁ ନିଜ ଆଡ଼କୁ ଟାଣି ଆଣିଥିଲେ । ବଡ଼ ଭାଇଙ୍କ ବିପକ୍ଷରେ ହାର୍ଦିକ ଗୋଟିଏ ଓଭରରେ ୧୯ ରନ୍ ଠୋକିଥିଲେ । ତିଲକ ବର୍ମା ହାର୍ଦିକ ପାଣ୍ଡ୍ୟା ମିଶି ମାତ୍ର ୩୪ ରନରୁ ୮୯ ରନ୍ ସଂଗ୍ରହ କରିଥିଲେ । ଉକ୍ତ ମ୍ୟାଚରେ କୃନାଲ ୪ଟି ଓ୍ବିକେଟ ନେଇ ଆରସିବି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଭାରତ ଆସିବ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଅଭିଯୁକ୍ତ ତହୱୁର ରାଣା
୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହୱୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ଏବେ ପଥ ପରିଷ୍କାର। ରାଣାଙ୍କ ପ୍ରତ୍ୟାପଣ ସ୍ଥଗିତ ରଖିବାକୁ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି ଆମେରିକାର ସୁପ୍ରିମକୋର୍ଟ। ସୋମବାର ସୁପ୍ରିମକୋର୍ଟ ୱେବସାଇଟରେ ପ୍ରକାଶିତ ଏକ ନୋଟିସ ମାଧ୍ୟମରେ ଏହି ନିଷ୍ପତ୍ତି ନିଆଯାଇଛି । ୬୪ ବର୍ଷୀୟ ତହୱୁର ରାଣା ଜଣେ ପାକିସ୍ତାନୀ ବଂଶୋଦ୍ଭବ କାନାଡିଆନ ନାଗରିକ । ତାଙ୍କୁ ବର୍ତ୍ତମାନ ଲସ୍ ଆଞ୍ଜେଲସର ମେଟ୍ରୋପଲିଟାନ୍ ଡିଟେନସନ୍ ସେଣ୍ଟରରେ ବନ୍ଦି ରଖାଯାଇଛି । ଫେବୃଆରୀ ୨୭ ତାରିଖରେ, ରାଣା ସୁପ୍ରିମକୋର୍ଟର ଆସୋସିଏଟ୍ ଜଷ୍ଟିସ୍ ଏଲେନା କାଗାନଙ୍କ ସମ୍ମୁଖରେ ଏକ “ଜରୁରୀକାଳୀନ ଆବେଦନ” ଦାଖଲ କରିଥିଲେ । “ହେବିଆସ୍ କର୍ପସ୍ ଆବେଦନର ଶୁଣାଣି ପର୍ଯ୍ୟନ୍ତ ପ୍ରତ୍ୟର୍ପଣ ଉପରେ ସ୍ଥଗିତାଦେଶ” ପାଇଁ ଅନୁରୋଧ କରାଯାଇଥିଲା । ତଥାପି, ଗତ ମାସରେ ଜଷ୍ଟିସ୍ କାଗାନ୍ ରାଣାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଏହା ପରେ, ରାଣା ତାଙ୍କର ଆବେଦନକୁ ପୁନଃ ଉପସ୍ଥାପନ କରିଥିଲେ ଏବଂ ଏହାକୁ ମୁଖ୍ୟ ବିଚାରପତି ଜନ୍ ରବର୍ଟସଙ୍କ ନିକଟକୁ ପଠାଯାଉ ବୋଲି ଦାବି କରିଥିଲେ। ଏହା ଉପରେ, ସୁପ୍ରିମକୋର୍ଟ ୪ ଏପ୍ରିଲ୍, ୨୦୨୫ ରେ ରାଣାଙ୍କ ଆବେଦନକୁ ‘କନଫରେନ୍ସ’ ପାଇଁ ତାଲିକାଭୁକ୍ତ କରିଥିଲେ । ଏହାକୁ କୋର୍ଟ ସମ୍ମୁଖରେ ଉପସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲେ ।
ସୋମବାର ଦିନ “ଅଦାଲତ ଦ୍ୱାରା ଆବେଦନକୁ ଖାରଜ କରାଯାଇଛି ।” ଏହି ନିଷ୍ପତ୍ତି ପରେ ରାଣାଙ୍କ ଭାରତକୁ ପ୍ରତ୍ୟର୍ପଣ ପ୍ରକ୍ରିୟାକୁ ଆଗକୁ ବଢିଛି । ତହୱୁର ରାଣା ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରୁ ଜଣେ । ଭାରତୀୟ ଏଜେନ୍ସିଗୁଡ଼ିକ ଅନୁଯାୟୀ, ରାଣା ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବାରେ ପାକିସ୍ତାନୀ ଆତଙ୍କବାଦୀ ଡେଭିଡ୍ କୋଲମ୍ୟାନ୍ ହେଡଲିକୁ ସାହାଯ୍ୟ କରିଥିଲା। ହେଡଲି ପୂର୍ବରୁ ଆମେରିକାରେ ସଜା କାଟୁଛି । ତଦନ୍ତ ବେଳେ ଭାରତ ଉପରେ ଆକ୍ରମଣରେ ରାଣାର ଭୂମିକା ପଦାକୁ ଆସିଥିଲା । ଭାରତ ଦୀର୍ଘ ଦିନ ଧରି ରାଣାଙ୍କ ପ୍ରତ୍ୟର୍ପଣ ପାଇଁ ଦାବି କରିଆସୁଥିଲା । ଏବେ ଆମେରିକା ସୁପ୍ରିମକୋର୍ଟର ଏହି ନିଷ୍ପତ୍ତି ପରେ, ଏହି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ଭାରତୀୟ ତଦନ୍ତ ଏଜେନ୍ସିଗୁଡ଼ିକ ପାଇଁ ଏକ ବଡ଼ ସଫଳତା।

