ଭୁବନେଶ୍ବର : ଆସନ୍ତା ୨୪ ଓ ୨୫ ତାରିଖରେ ପ୍ରସ୍ତାବିତ ବ୍ୟାଙ୍କ ଧର୍ମଘଟ ସ୍ଥଗିତ । ସେଣ୍ଟ୍ରାଲ ଲେବର କମିଶନରଙ୍କ ସହ ଆଲୋଚନା ପରେ ଧର୍ମଘଟ ସ୍ଥଗିତ ରଖିଲା ୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ ୟୁନିୟନ । ଖାଲି ପଡିଥିବା ଦେଢ଼ ଲକ୍ଷରୁ ଅଧିକ ପଦବୀ ପୂରଣ କରିବା, ସପ୍ତାହରେ ୫ ଦିନ କାର୍ଯ୍ୟ ଦିବସ କରିବା, ଅସ୍ଥାୟୀ କର୍ମଚାରୀ ମାନଙ୍କୁ ସ୍ଥାୟୀ କରିବା ସହ ବ୍ୟାଙ୍କ, କର୍ମଚାରୀ, ଗ୍ରାଚ୍ୟୁଇଟି ବୃଦ୍ଧି, ଓ ଗ୍ରାହକମାନଙ୍କ ସୁରକ୍ଷା ଭଳି ପ୍ରସଙ୍ଗ ମୁଖ୍ୟ ଦାବି ରହିଥିଲା । ଅନ୍ୟପଟେ ମିଳିତ ସଙ୍ଗଠନ ଆଇଡିବିଆଇ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବକୁ ବିରୋଧ କରିଥିଲା । ତେବେ ସିଏଲସିଙ୍କ ସହ ଆଲୋଚନା ପରେ ଏହି ଧର୍ମଘଟକୁ ସ୍ଥଗିତ ରଖାଯାଇଛି । ଏପ୍ରିଲ ତୃତୀୟ ସପ୍ତାହରେ ସଂଘ ସହ CLCର ପରବର୍ତ୍ତୀ ଆଲୋଚନା ରହିଛି ।
୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ
ଭୁବନେଶ୍ବର : ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ପୂର୍ତ୍ତ, ସାଧାରଣ ପ୍ରଶାସନ, ଜଳ ସମ୍ପଦ, ପଞ୍ଚାୟତିରାଜ ଓ ପାନୀୟଜଳ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ମିଳିତ ଭାବେ ଲାଗୁ କରିବାକୁ ରାଜ୍ୟ ସରକାର ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି। ଏହି ନୂଆ ସମନ୍ୱିତ ଯୋଜନାରେ ପ୍ରାୟ ୧.୦୩ କୋଟି ପରିବାରର ୩.୪୬ କୋଟି ହିତାଧିକାରୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଓ ମହିଳା ସଦସ୍ୟ ମାନେ ଅତିରିକ୍ତ ୫ ଲକ୍ଷ ଟଙ୍କାର ଦେୟ ମୁକ୍ତ ଚିକିତ୍ସା ସୁବିଧା ପାଇବେ। ଏହାସହ, ୭୦ ବର୍ଷରୁ ଅଧିକ ଆର୍ଥିକ ବର୍ଗ ନିର୍ବିଶେଷରେ, ସମସ୍ତ ବ୍ୟକ୍ତିଙ୍କ ପାଇଁ ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନା ଲାଗୁ କରାଯିବ। ସେହିପରି ଖଣି କାର୍ଯ୍ୟ ଯୋଗୁଁ ଖଣି ଅଞ୍ଚଳରେ କ୍ଷତିଗ୍ରସ୍ତ ପରିବାରକୁ ଆଶ୍ୱସ୍ତି ଦେବା ପାଇଁ ଓଡ଼ିଶା ଜିଲ୍ଲା ଖଣିଜ ଫାଉଣ୍ଡେସନ ନିୟମ-୨୦୧୫ ପ୍ରଣୟନ କରାଯାଇଥିଲା। ଖଣି ଅଞ୍ଚଳରେ ରହୁଥିବା ପରିବାର ମାନେ କେବଳ ଜମି ନୁହେଁ ବରଂ ତାଙ୍କର ଜୀବିକା ଓ ତାଙ୍କର ପରିଚୟ ମଧ୍ୟ ହରାଇଛନ୍ତି । ଖଣି କାର୍ଯ୍ୟ ଫଳରେ ଉପୁଜୁଥିବା ପରିବେଶ ଅବକ୍ଷୟ ଯୋଗୁଁ ସେମାନେ ଏହାର ନକାରାତ୍ମକ ପ୍ରଭାବର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ପ୍ରତିକୂଳ ପ୍ରଭାବରୁ ମୁକୁଳିବା ପାଇଁ ଜିଲ୍ଲା ଖଣିଜ ଫାଉଣ୍ଡେସନ ପାଣ୍ଠି ଗଠନ କରାଯାଇଥିଲା । ଏହି ପାଣ୍ଠି ପ୍ରଭାବିତ ଅଞ୍ଚଳରେ ରହୁଥିବା ପରିବାରର ହିତ ପାଇଁ ବ୍ୟବହୃତ ହେଉଅଛି । ଏହି ବ୍ୟବସ୍ଥା ଗୁଡ଼ିକୁ ଅଧିକ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ସରକାର ପ୍ରଚଳିତ DMF ନିୟମରେ ଆବଶ୍ୟକ ସଂଶୋଧନ କରିଛନ୍ତି । ଭାବିତ ଅଞ୍ଚଳରେ କାର୍ଯ୍ୟ ତାଲିକା କେବଳ DMF ଟ୍ରଷ୍ଟ ନିର୍ଦ୍ଧାରଣ କରିବ ଏବଂ ଏହାକୁ ଅନ୍ୟ କେହି ନିର୍ଦ୍ଧାରଣ କିମ୍ବା ହସ୍ତକ୍ଷେପ କରିପାରିବେ ନାହିଁ । ସେହିପରି ଖଣି ପ୍ରଭାବିତ ପରିବାରର ସ୍ୱାର୍ଥରକ୍ଷା ପାଇଁ ପୂର୍ବ ନିୟମ ତୁଳନାରେ ଅନେକ ଉନ୍ନତି କରାଯାଇଛି । ଓଡ଼ିଶା ବେସାମରିକ ସେବା ନିୟମ, ୨୦୨୦ ନିୟମ ଲାଗୁହେବା ପୂର୍ବରୁ ଯେଉଁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ପରିବାର ପାଇଁ ୧୯୯୦ ନିୟମ ଲାଗୁହେବ ଏବଂ ଥଇଥାନ ସହାୟତା ଯୋଜନାରେ ୧୯୯୦ ନିୟମ ଅନୁଯାୟୀ ନିଯୁକ୍ତି ପ୍ରଦାନ କରାଯିବ । ସେହିପରି ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫ର ପ୍ରସ୍ତାବକୁ ଅନୁମୋଦନ କରିଛି କ୍ୟାବିନେଟ। ଏହାସହ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍ ୨୦୨୫କୁ ଅନୁମୋଦନ କରାଯାଇଛି। ବକେୟା ଜଳକର ଆଦାୟ କରିବା ପାଇଁ ଜଳ ସମ୍ପଦ ବିଭାଗ ଦ୍ଵାରା ଆଗତ ଏକକାଳୀନ ସମାଧାନ ଯୋଜନା ର ଅବଧି ୩୧ ମେ ୨୦୨୫ ପର୍ଯ୍ୟନ୍ତ ବର୍ଦ୍ଧିତ କରିବା ପାଇଁ ନିଷ୍ପତି ନିଆଗଲା । ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମର ପରିସରକୁ ବ୍ୟାପକ କରିବା ପାଇଁ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଯେଉଁ ବ୍ୟକ୍ତିଙ୍କର ୧ ଏକରର ୨୫ ଭାଗରୁ ଏକ ଭାଗ ଠାରୁ କମ ପରିମାଣର ଘରବାରି ଜମି ଥିବ, ସେହି ବ୍ୟକ୍ତି ମଧ୍ୟ ଘରବାରିହୀନ ବ୍ୟକ୍ତି ଭାବରେ ପରିଗଣିତ ହେବେ। ଏବଂ ୧ ଏକରର ୨୫ ଭାଗରୁ ଏକ ଭାଗ ଠାରୁ ତାଙ୍କର ଯେତିକି ଜମି କମ୍ ଅଛି, ତାଙ୍କୁ ସମପରିମାଣର ଜମି ତାଙ୍କୁ ଯୋଗାଇ ଦିଆଯିବ। ଏନେଇ ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ପ୍ରଥମେ ପଞ୍ଜିକରଣ ଓ ଆଡମିଶନ ପାଇଁ ମନଇଛା ଦେଲେ ସମୟ, ଏବେ ପାରଦର୍ଶୀ ପୋର୍ଟାଲରେ ବଡ଼ ଷଡ଼ଯନ୍ତ୍ର
ଭୁବନେଶ୍ବର : ପ୍ରଥମେ ସ୍କୁଲ ଗୁଡିକୁ ପଞ୍ଜିକରଣ ନାଁ ରେ ମନଇଚ୍ଛା ସମୟ ଦେଲେ । ଅନଶନ ହେବାରୁ ତାରିଖ ସିନା ବଦଳାଇଦେଲେ କିନ୍ତୁ ସେପଟେ ଅନ୍ୟ ବାଟରେ ଗରିବ ପିଲାଙ୍କୁ ଘରୋଇ ସ୍କୁଲରେ ପାଠ ପଢିବା କିଭଳି ବନ୍ଦ ହୋଇଯିବ ସେ ନେଇ ଯୋଜନା ଖୋଲିଦେଲେ । ଶିକ୍ଷା ଅଧିକାର ଆଇନ ବଳରେ ପାରଦର୍ଶୀ ପୋର୍ଟାଲରେ ପିଲାମାନେ ଆଡ଼ମିଶନ ପାଇଁ ଆବେଦନ କରୁଛନ୍ତି। କିନ୍ତୁ ରାଜ୍ୟରେ ୭୨୦୯ ଘରୋଇ ସ୍କୁଲ ଥିବାବେଳେ ପାରଦର୍ଶୀ ପୋର୍ଟାଲରେ ମାତ୍ର ୨୨୩୫ ସ୍କୁଲ ଦେଖାଉଛି । ତେଣୁ ଆଉ ୫ ହଜାର ସ୍କୁଲ ଗଲା କୁଆଡେ ବୋଲି ପ୍ରଶ୍ନ ଉଠାଇଛି ଓଡିଶା ଅଭିଭାବକ ମହାସଂଘ। ଏହାକୁ ଜାଣିଶୁଣି ଅପଡେଟ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଗରିବ ପିଲାଙ୍କୁ ଶିକ୍ଷା ଅଧିକାରରୁ ଜାଣିଶୁଣି ବଞ୍ଚିତ କରାଯାଉଛି । ବିଗତ ୩ରୁ ଚାରିବର୍ଷ ହେଲା ସେହି ସ୍କୁଲରେ ଆରଟିଇ ପୋର୍ଟାଲ ମାଧ୍ୟମରେ ପିଲା ପାଠ ପଢ଼ୁଛନ୍ତି। ତାହେଲେ ଏବେ ସ୍ୱତଃପଞ୍ଜିକରଣ କାହିଁକି ହେଉନି। ଜାଣିଶୁଣି ପଞ୍ଜିକରଣ ନାଁରେ ସ୍କୁଲ ନିଜକୁ ପାରଦର୍ଶୀ ପୋର୍ଟାଲରେ ସାମିଲ କରୁନାହାନ୍ତି। ତେଣୁ ଏହା ବିଧିବଦ୍ଧ ଷଡଯନ୍ତ୍ର ବୋଲି କୁହାଯାଇଛି । ତେଣୁ ସାତ ଦିନ ମଧ୍ୟରେ ପୋର୍ଟାଲରେ ସବୁ ସ୍କୁଲ ଶୋ ନ କଲେ ଜାତୀୟ ମାନବାଧକାର କମିଶନଙ୍କ ଦ୍ୱାରସ୍ଥ ହେବ ମହାସଂଘ । ଏହି ଷଡ଼ଯନ୍ତ୍ର ବିରୋଧରେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଚେତାଇ ଦେଇଛି ଓଡିଶା ଅଭିଭାବକ ମହାସଂଘ।
ଏଥିସହିତ ଆଡ଼ମିଶନ ବୟସକୁ ନେଇ ମଧ୍ୟ ଜାଣିଶୁଣି ଦ୍ବନ୍ଦ୍ୱ ସୃଷ୍ଟି କରାଯାଉଛି। ଯଦି ସାରା ଭାରତରେ ମାର୍ଚ୍ଚ ୩୧ ସୁଦ୍ଧା ପିଲାଙ୍କ ବୟସ ଆଡ଼ମିଶନ ପାଇଁ ବିଚାର କରାଯାଉଛି ତାହେଲେ ଓଡ଼ିଶାରେ କାହିଁକି ସେପ୍ଟେମ୍ବର ୧ ବୟସ ସୀମା କରାଯାଉଛି ବୋଲି ପ୍ରଶ୍ନ ଉଠିଛି। ଏହା ଚକ୍ରାନ୍ତ ଓ ଯାହାଦ୍ୱାରା ପିଲା ଅଭିଭାବକ ଦ୍ବନ୍ଦ୍ୱରେ ରହିବେ ଯାହାଫଳରେ ସମୟ ଗଡିଯିବ । ୨୫ ପ୍ରତିଶତ ସିଟକୁ ଘରୋଇ ସ୍କୁଲକୁ ବିକ୍ରି କରିପାରିବେ । ଏପରିକି ଶିକ୍ଷା ଅଧିକାର ଆଇନ ବଳରେ ପିଲାଙ୍କୁ ନର୍ସରୀ ଅର୍ଥାତ ବାଲବାଟିକା ଏକରୁ ଆଡମିଶନ ଦିଆଯିବା କଥା। କିନ୍ତୁ ଆରଟିଇ ଅଧୀନରେ ପାରଦର୍ଶୀ ପୋର୍ଟାଲରେ ନା ନର୍ସରୀ ନା ଏଲକେଜି କିଛି ବି ଆଡ଼ମିଶନ ପାଇଁ ଦିଆଯାଉ ନାହିଁ। ଏପରିକି ୟୁକେଜି ପାଇଁ ମାତ୍ର ତିନି ଚାରୋଟି ଘରୋଇ ସ୍କୁଲର ନାଁ ଶୋ କରୁଛି। ତେଣୁ ଆଇନ ଥିଲେ ମଧ୍ୟ ରାଜ୍ୟର ବିଜେପି ସରକାର ଜାଣିଶୁଣି ଗରିବ ପିଲାଙ୍କୁ ଏଭଳି ଚକ୍ରାନ୍ତ କରି ପାଠପଢ଼ାରୁ ବଞ୍ଚିତ କରିବାକୁ ଉଦ୍ୟମ କରୁଥିବା ଶିକ୍ଷା ଅଧିକାର କର୍ମୀ ମାନେ ଅଭିଯୋଗ କରିଛନ୍ତି। ଆରଟିଇକୁ ନେଇ କଡା ନିୟମ ଅଛି। ସରକାର ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା କଥା କହି ପ୍ରଚାର ପ୍ରସାର ମଧ୍ୟ କରୁଛନ୍ତି। କିନ୍ତୁ ପ୍ରକୃତରେ ଗରିବ ପିଲାଙ୍କୁ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ କରିବା ପାଇଁ ଏଭଳି ଷଡ଼ଯନ୍ତ୍ର ବିରୋଧରେ ଆଗକୁ ତୃଣମୂଳ ସ୍ତରରେ ବିଶାଳ ଆନ୍ଦୋଳନ ପାଇଁ ସଜବାଜ ହେଉଛି।.
ଟାଟା ପାୱାରର ମନମୁଖୀ କାରବାର ବିରୋଧରେ ବିଶାଳ ବିକ୍ଷୋଭ
ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ୩୦୦ ୟୁନିଟ ମାଗଣା ବିଜୁଳି ଦେବାକୁ ଘୋଷଣା କରିଥିଲେ। ମାଗଣା ବିଜୁଳି ତ ଦୂରର କଥା ଏବେ ଲୋକଙ୍କୁ ବିଜୁଳି ମାଧ୍ୟମରେ ଲୁଟିବାକୁ ଭୟଙ୍କର ଷଡଯନ୍ତ୍ର ରଚିଛନ୍ତି । ବିଦ୍ୟୁତ ବିଲକୁ ଆହୁରି ବଢାଇବାକୁ ଯୋଜନା କରାଯାଇଛି । ପ୍ରିପେଡ ସ୍ମାର୍ଟ ମିଟର ସଂଯୋଗ ବାଧ୍ୟତାମୂଳକ କହି ଲୋକଙ୍କୁ ଶୋଷଣ କରିବାକୁ ରାଜ୍ୟ ସରକାର ବିଦ୍ୟୁତ ବିତରଣ କମ୍ପାନୀ ସହ ମିଶି ଯୋଜନା କରିଛନ୍ତି । ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ପକ୍ଷରୁ ଏଭଳି ବଡ଼ ଅଭିଯୋଗ ଅଣାଯିବା ସହ ବିଶାଳ ଆନ୍ଦୋଳନ କରାଯାଇଛି । ବିଜେଡି, କଂଗ୍ରେସ, ବାମପନ୍ଥୀ ଦଳର ବରିଷ୍ଠ ନେତାଙ୍କ ଠାରୁ ଆରମ୍ଭ କରି ଶତାଧିକ କାର୍ଯ୍ୟକର୍ତ୍ତା ଓ ବିଭିନ୍ନ ଜିଲ୍ଲାରୁ ଆସିଥିବା ମହାସଂଘର ଶତାଧିକ କାର୍ଯ୍ୟକର୍ତ୍ତା ମାଷ୍ଟରକ୍ୟାଣ୍ଟିନରୁ ଏକ ବିଶାଳ ଶୋଭାଯାତ୍ରାରେ ପିଏମଜି ପର୍ଯ୍ୟନ୍ତ ଆସି ବିକ୍ଷୋଭ କରିଛନ୍ତି । ମାଗଣା ବିଜୁଳିର କଥା କହି ସରକାରକୁ ଆସିଥିବା ବିଜେପି ଏବେ ବିଦ୍ୟୁତ କମ୍ପାନୀ ଓ ଓଇଆରସିକୁ ମୋହରା କରି ସାଧାରଣ ବିଜୁଳି ଉପଭୋକ୍ତାଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି। ଏହା ବିରୋଧରେ ଏହି ମିଳିତ ଆନ୍ଦୋଳନ ବିଧାନସଭା ଆଗରେ ହୋଇଥିବା ବେଳେ ଆଗକୁ ଗ୍ରାମାଞ୍ଚଳରେ ଏହାର ଜୋରଦାର ପ୍ରତିଫଳନ ଦେଖିବାକୁ ମିଳିବ ବୋଲି ଚେତାଇ ଦିଆଯାଇଛି।
ଲୋକଙ୍କୁ ଲୁଟୁଛି ଟାଟା ପାୱାର । ସେଥିପାଇଁ ଗଣଆନ୍ଦୋଳନରେ ରାଜ୍ଯର ସାଧାରଣ ଲୋକ ବି ସାମିଲ ହୋଇଥିଲେ । ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରସ୍ତାବ ପ୍ରତ୍ୟାହାର, ଜନବିରୋଧୀ ପ୍ରିପେଡ ସ୍ମାର୍ଟ ମିଟର ସଂଯୋଗ ବର୍ଜନ, ୩୦୦ ୟୁନିଟ ମାଗଣା ବିଦ୍ୟୁତ ଯୋଗାଇବା ଓ ଓଇଆରସି, ଟାଟା କମ୍ପାନୀର ଶୋଷଣ ତଥା ଜୁଲମ ବନ୍ଦ କରିବା ଦାବିରେ ଗଣଆନ୍ଦୋଳନ କରାଯାଇଛି । ରାଜ୍ୟର ଡବଲ ଇଂଜିନ ସରକାର ବିରୋଧରେ ଗର୍ଜିଛନ୍ତି ନେତା, ଉପଭୋକ୍ତା ଓ ସାଧାରଣ ଲୋକେ । ଗୁଣାତ୍ମକ ବିଜୁଳି ନ ଦେଇ, ମାଗଣା ୩୦୦ ୟୁନିଟ ବିଜୁଳି ପ୍ରଦାନ ପ୍ରତିଶ୍ରୁତି ପୂରଣ ନ କରି ଲୋକଙ୍କୁ ଲୁଟବା ଚଳିବ ନାହିଁ ବୋଲି ଚେତାଇ ଦିଆଯାଇଛି । ଆଗକୁ ସ୍ମାର୍ଟ ମିଟରକୁ ଭଙ୍ଗାଯିବା ସହ ବିଦ୍ୟୁତ ଶୁଳ୍କ ବଢାଇବା ନିଷ୍ପତ୍ତିକୁ ଜୋରଦାର ବିରୋଧ କରାଯିବ ବୋଲି ଚେତାଇ ଦିଆଯାଇଛି। ରାଜ୍ୟରେ ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଥିବା ବେଳେ ଏସବୁକୁ ନିୟନ୍ତ୍ରଣ କରିବାରେ ବିଫଳ ସରକାର ଏବେ ବେଡି ଉପରେ କୋରଡ଼ା ମାଡ଼ ପରି ବିଜୁଳି ଝଟକା ଦେଉଛନ୍ତି। ପୂର୍ବରୁ ସୁଭଦ୍ରା ଯୋଜନାରେ ଏକକାଳୀନ ୫୦ ହଜାର ଟଙ୍କା ଓ ୩ ହଜାର ଟଙ୍କା ଭତ୍ତା ଆଦି ଦେବାକୁ କହି ଲୋକଙ୍କୁ ସରକାର ଠକିଥିବା ବେଳେ ଏବେ ୩୦୦ ୟୁନିଟ ବିଜୁଳି ଛାଡ଼ କଥା କହି ବିଜୁଳି ଝଟକା ଦେବା ରାଜ୍ୟବ୍ଯାପୀ ଅସନ୍ତୋଷକୁ ବ୍ୟାପକ କରିଛି ।
କୋଶଳୀ ଭାଷାକୁ ନେଇ ବିଜେପିରେ ଫାଟ
ଭୁବନେଶ୍ବର : କୋଶଳୀକୁ ମିଳିବ ନାହିଁ ରାଜ୍ୟ ଭାଷା ମାନ୍ୟତା। ବିଧାନସଭାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଉତ୍ତର ଦେବା ପରେ ଗର୍ଜିଲେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। କାରଣ ଯେଉଁ କୋଶଳୀ ପାଇଁ ଜୟ ନାରାୟଣ ଓଡ଼ିଶା ବିଭାଜନ ନେଇ ବିବୃତି ଦେଇଥିଲେ, ତାକୁ ପୁଣି ସରକାରୀ ସ୍ତରରେ ଖଣ୍ଡନ କରାଯାଇଛି । ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ସୂର୍ଯ୍ୟବଂଶୀ ସୂରଜ ଉତ୍ତର ରଖିଥିଲେ, ସମ୍ବଲପୁରୀ-କୋଶଳୀ ଭାଷାକୁ ରାଜ୍ୟ ଭାଷାର ମାନ୍ୟତା ଦାବି ସଂକ୍ରାନ୍ତୀୟ କୌଣସି ପ୍ରସ୍ତାବ ସରକାରଙ୍କ ହସ୍ତଗତ ହୋଇନାହିଁ। ବାସ୍ ଏତିକି କଥାରେ ସୂର୍ଯ୍ୟବଂଶୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ଜୟ ନାରାୟଣ। ଟାର୍ଗେଟ କରି କହିଛନ୍ତି, ମନ୍ତ୍ରୀ ସୂର୍ଯ୍ୟବଂଶୀ ଜାଣି ନାହାନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରୀ-କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ। ବର୍ତମାନର ମନ୍ତ୍ରୀ କଣ କହୁଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି। ନିଜ ପୁରୁଣା କଥାକୁ ଦୋହରାଇ ଜୟ ନାରାୟଣ ପୁଣି ଥରେ କହିଛନ୍ତି, ଉତ୍କଳ, କଳିଙ୍ଗ ଓ କୋଶଳକୁ ନେଇ ଓଡ଼ିଶା ଗଠନ ହୋଇଛି। ପୂର୍ବରୁ ଗୃହରେ ଏହାକୁ ଜୟ ନାରାୟଣଙ୍କ ବ୍ୟକ୍ତିଗତ ମତ ଭାବେ ଅବଗତ କରିଥିଲେ ସରକାର। ହେଲେ ସରକାରଙ୍କ ସେଦିନର ମତକୁ ବି କାଉଣ୍ଟର କରି ଜୟ ନାରାୟଣ କହିଛନ୍ତି ଯେ ବର୍ତ୍ତମାନର ବ୍ୟକ୍ତିଗତ ମତ ଆଗକୁ ସାମୂହିକ ମତ ହେବ। ଇତିହାସ ଛାତ୍ର ତଥା ବିଜେଡ଼ି ବିଧାୟକ ଅରୁଣ ସାହୁଙ୍କଠାରୁ ଇତିହାସ ପାଠ ପଢିବାକୁ ଜୟ ନାରାୟଣ କହିଛନ୍ତି । ସେପଟେ ଅରୁଣ ସାହୁ କଟାକ୍ଷ କରି କହିଛନ୍ତି, ସବୁ ଭାଷା ବଞ୍ଚୁ, କିଛି ବିଲୀନ ନ ହେଉ। ହେଲେ ଦୁର୍ବଳ ସରକାରରେ ଖାଲି ଥିବା ମନ୍ତ୍ରୀ ପଦ ପାଇବାକୁ କିଛି ବିଧାୟକ ଖଞ୍ଜା ଖୋଜୁଛନ୍ତି।
ଓଡ଼ିଶା ବିଭାଜନ ପରି ମତରେ ଜୟ ନାରାୟଣଙ୍କ ବ୍ରେକ ଲାଗୁନି। ଅଖଣ୍ଡ ଓଡ଼ିଶାର ଗରିମାକୁ ଲଜ୍ଜିତ କରୁଥିବା ଜୟ ନାରାୟଣଙ୍କୁ ସମାଲୋଚନା କରିଛି କଂଗ୍ରେସ। ଗୋଟେ ପଟେ ରାଜ୍ୟ ବିଭାଜନକୁ ନେଇ ଜୟ ନାରାୟଣଙ୍କ ବୟାନବାଜି ଜାରି ରହିଛି। ଅନ୍ୟପଟେ ସରକାର ଓ ସରକାରୀ ଦଳର ଆଭିମୁଖ୍ୟ ଓଲଟା । ଏପରି ସ୍ଥିତିରେ ବିଜେପି ଭିତରେ ଜୟ ନାରାୟଣଙ୍କ ଗୁରୁତ୍ଵକୁ ନେଇ ପ୍ରଶ୍ନ ଉଠିଲାଣି। ଜୟ ନାରାୟଣଙ୍କ ସହିତ ବିଜେପି ଏକମତ ହୋଇପାରୁନଥିବା ବେଳେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ କାହିଁକି ସାହସ ଜୁଟାଇ ପାରୁନାହିଁ ବୋଲି ଚର୍ଚ୍ଚା ହେଲାଣି।
ବିଧାନସଭାରେ ଅଭିନବ ଉପାୟରେ ପ୍ରତିବାଦ, ଘଣ୍ଟ ଘଣ୍ଟା, ମହୁରୀ ବଜାଇ ସରକାରଙ୍କୁ ଘେରିଲେ ବିରୋଧୀ
ଭୁବନେଶ୍ବର : ଗୁରୁବାର ହୁଇସିଲ ବଜାଇ ପ୍ରତିବାଦ l ଆଜି ଘଣ୍ଟ ଘଣ୍ଟା, ମହୁରୀ ଧରି ପ୍ରଥମେ ପୋଡ଼ିୟମ ନିକଟରେ ଓ ପରେ ବିଧାନସଭା ବାହାରେ ପରିକ୍ରମା କରି ପ୍ରତିବାଦ l ନାରୀ ନିର୍ଯାତନା ଓ ଗର୍ଭବତୀ ନାବାଳିକାଙ୍କୁ ନ୍ୟାୟ ଦେବା ଦାବିରେ ୧୦ ଦିନ ଧରି ଅଚଳ ହୋଇଛି ବିଧାନସଭା। ସରକାର ହାଉସ କମିଟି ଗଠନ ଦାବି ଶୁନୁନଥିବାରୁ ଅଭିନବ ଉପାୟରେ ଶାସକ ବିଜେପିକୁ ଘେରିଛନ୍ତି କଂଗ୍ରେସ ବିଧାୟକ। ଗୃହ କାର୍ଯ୍ୟ ଆରମ୍ଭରୁ କଂଗ୍ରେସ ବିଧାୟକଙ୍କ ଘଣ୍ଟଘଣ୍ଟା ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ବିଧାନସଭା । କଳା ପୋଷାକ ପିନ୍ଧି ପୋଡିୟମ ନିକଟରେ ପ୍ରତିବାଦ କରିଥିଲେ କଂଗ୍ରେସ ସଦସ୍ୟ। ବାଚସ୍ପତି ଗୃହକୁ ମୁଲତବି କରିବାରୁ ବିଧାନସଭା ପରିକ୍ରମା କରି ନାରାବାଜି ଦେଇଥିଲା କଂଗ୍ରେସ। ଯେ ପର୍ଯ୍ୟନ୍ତ ସରକାର ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେଇ ନାହାନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ଦଳ।
ଅନ୍ୟପଟେ ବିଧାନସଭାରେ ବିରୋଧୀଙ୍କ ସ୍ଵରକୁ ଚପାଇ ଦେବାକୁ ଶାସକ ଦଳର ଷଡଯନ୍ତ୍ରକୁ ଦୃଢ଼ ବିରୋଧ କରିଛି ମୁଖ୍ୟ ବିରୋଧୀ ବିଜେଡି। ବିଧାନସଭାରେ ବିଜେପିର ଏକଛାତ୍ରବାଦ ଶାସନ ଚଳିବ ନାହିଁ ସ୍ଳୋଗାନ ଦେଇ ନାରାବାଜି ଓ ପ୍ରତିବାଦ କରିଛି ବିଜେଡି। ଶାସକ ଦଳର ନେତା ଓ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିରୋଧୀଙ୍କ କଣ୍ଠରୋଧ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ ବିଧାୟକ ଅରୁଣ ସାହୁ। ଗୃହ କାର୍ଯ୍ୟ କିପରି ଚାଲିଛି, ତାହା ସରକାର ଦେଖାନ୍ତୁ। ସେହିପରି ଗଣମାଧ୍ୟମ ଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କ ସ୍ବରକୁ ଚପାଇ ଦେବାକୁ ସରକାର ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ବିଧାୟକ ଧୃବ ସାହୁ। କଂଗ୍ରେସ ମଧ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛି। ବିଜେପି କିନ୍ତୁ ବିରୋଧୀଙ୍କ ଅଭିଯୋଗକୁ ହାଲକା ଭାବେ ନେଇଛି l କଂଗ୍ରେସ ଓ ଶାସକ ବିଜେପି ନିଜ ନିଜ ଜିଦରେ ଅଟଳ ଥିବାରୁ ଚାଲିପାରୁନି ବିଧାନସଭା। ପ୍ରଶ୍ନକାଳ, ଶୂନ୍ୟକାଳ ପରି ଗୁରୁତ୍ଵପୂର୍ଣ୍ଣ ସମୟ ବେକାର ଯାଉଛି। ଅନ୍ୟପଟେ ଶାସକ ବିଜେପି କେଉଁ ଗୁପ୍ତ କଥାକୁ ଲୁଚାଇବା ପାଇଁ ବିଧାନସଭାରେ ଗଣମାଧ୍ୟମ ଓ ବିରୋଧୀ ଦଳର କଣ୍ଠରୋଧ କରୁଛି, ତାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ଯାହାକୁ ନେଇ ବ୍ୟାକଫୁଟରେ ରହିଛି ଶାସକ ବିଜେପି।
ଗଞ୍ଜେଇ ଧରିବାକୁ ଯାଇ ୨୬ ପୋଲିସ ଆହତ
ବ୍ରହ୍ମପୁର : ଗଞ୍ଜେଇ ଧରିବାକୁ ଯାଇ ୨୬ ପୋଲିସ ଆହତ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜ଼ିଲ୍ଲା ମୋହନା ଥାନା ଯୁବ ପଂଚାୟତର ପିଡିଆରୀ ଗାଁରେ । ଏହି ଗାଁରେ ବେଆଇନ ଗଞ୍ଜେଇ ଗଚ୍ଛିତ ଥିବା ଖବର ପାଇବା ପରେ ଗତକାଲି ରାତିରେ ଚଢାଉ କରିଥିଲା ପୋଲିସ ଟିମ । ଗଜପତି ଏସପିଙ୍କ ନିର୍ଦ୍ଦେଶ କ୍ରମେ ଆର. ଉଦୟଗିରି ଏସଡିପିଓଙ୍କ ନେତୃତ୍ୱରେ ମୋହନା, ଅଡବା, ଆର. ଉଦୟଗିରି ଆଇଆଇସି ସହ ରାମଗିରି ଥାନା ଅଧିକାରୀ ଓ ଗୋଟିଏ ପ୍ଲାଟୁନ ଫୋର୍ସ ଚଢାଉ କରିଥିଲେ । କିଛି ଘରୁ ଗଞ୍ଜେଇ ମଧ୍ୟ ଜବତ କରିଥିଲା ପୋଲିସ ଟିମ । ରାତିରେ ପୋଲିସ ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ କରି ଢେଲାପଥର ମାଡ଼ କରିଥିଲେ ଗ୍ରାମବାସୀ । ଏହି ଆକ୍ରମଣରେ ଆର. ଉଦୟଗିରି ଏସଡିପିଓ, ମୋହନା ଥାନା ଅଧିକାରୀ ଏବଂ ଅଡବା ଥାନା ଅଧିକାରୀ ସମେତ ୨୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି l ଏହାସହ ପୋଲିସ ଫୋର୍ସର ୬ଟି ଗାଡିକୁ ମଧ୍ୟ ଭଙ୍ଗା ରୁଜା କରିଛନ୍ତି ଲୋକେ l ଦୀର୍ଘ ୫ ଘଣ୍ଟା ଧରି ପୋଲିସ ଟିମକୁ ଅଟକ ରଖିଥିଲେ ଗ୍ରାମବାସୀ । ଜନପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ପୋଲିସ ଟିମକୁ ମୁକ୍ତ କରିଛନ୍ତି ଗ୍ରାମବାସୀ ।
କୋଲ୍ଡ ଡ୍ରିଙ୍କ୍ସ ବୋତଲରେ ମିଳୁଥିଲା ମଦ, ମାଡି ବସିଲା ଅବକାରୀ ବିଭାଗ
ଭୁବନେଶ୍ବର : ନାଁ କାର୍ତ୍ତିକ ଚନ୍ଦ୍ର ନନ୍ଦି । ଘର ବରମୁଣ୍ଡା । ବରମୁଣ୍ଡା ପୁରୁଣା ବଜାର ନିକଟରେ ଅଭିଯୁକ୍ତ ଜଣଙ୍କର ରହିଛି ଜଳଖିଆ ଦୋକାନ। କିନ୍ତୁ ଖାଇବା ନାଁ ରେ ଏଠାରେ ଚାଲିଥିଲା ମଦ କାରବାର । ତାହା ପୁଣି କୋଲଡ଼ ଡ୍ରିଂକ୍ସ ବୋତଲ ଭିତରେ । ଦେଖିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ସାଲିଆସାହିରୁ ଦେଶୀ ମଦ ଆଣି କୋଲଡ଼ ଡ୍ରିଂକ୍ସ ବୋତଳରେ ଭର୍ତ୍ତି କରି ଏହାକୁ ୫୦ ଟଙ୍କାରେ ବିକ୍ରି କରାଯାଉଥିଲା। ଆଉ କୋଡ଼ ୱାର୍ଡ ଜାଣିଥିବା ଲୋକ ଠିକ ସମୟରେ ଆସି ଶୋଷ ମେଣ୍ଟାଉଥିଲେ । ଏଭଳି ନିଆରା ଢଙ୍ଗରେ ନିଶା କାରବାର ଚାଲୁଥିବା ନେଇ ଖବର ପାଇବା ପରେ ପୋଲିସ ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶରେ ହୋଇଥିଲା ଚଢ଼ାଉ । ଯେଉଁଥିରେ ୫ କ୍ୟାରେଟ ମଦ ଭର୍ତ୍ତି କୋଲଡ଼ ଡ୍ରିଂକ୍ସ ସହ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି।
କିଛିଦିନ ତଳେ ସାଲିଆ ସାହିରେ ବଡ଼ ଧରଣର ରେଡ଼ କରିଥିଲା ଅବକାରୀ ବିଭାଗ। ବିପୁଳ ପରିମାଣର ଦେଶୀ ମଦ, ପୋଚ, ହାଣ୍ଡିଆ ଓ ମଦ ତିଆରିରେ ବ୍ୟବହୃତ ବାସନ ନଷ୍ଟ କରିବା ସହ ନିଶା ମାଫିଆଙ୍କୁ ଗିରଫ କରାଯାଇଥିଲା। ଆଗାମୀ ଦିନରେ ରାଜଧାନୀ ଓ ଉପକଣ୍ଠରେ ଏହି ରେଡ଼ କୁ ବ୍ୟାପକ କରାଯିବ । ବସ୍ତି ଗୁଡିକ ଉପରେ ମଧ୍ୟ ଅବକାରୀ ବିଭାଗର ନଜର ରହିଛି। ଏହାଛଡା ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ କୁ ଚକମା ଦେଇ ନିଶା କାରବାର କରୁଥିବା ଅଭିଯୁକ୍ତଙ୍କୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି। କେବଳ କେସ ଡିଟେକ୍ସନ ନୁହେଁ, ବରଂ ଦଣ୍ଡ ବିଧାନକୁ ବ୍ୟାପକ କରାଯାଉଛି। ନିଶା ମାଫିଆଙ୍କ ସମ୍ପତ୍ତି ବ୍ୟାଜପ୍ତ ସହ ନିଶା କାରବାର ରେ ବ୍ୟବହୃତ ଗାଡିକୁ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିଭାଗ।
କଟକ ବିଡ଼ାନାସୀ ଥାନା ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ
କଟକ : ମହିଳା ପ୍ରଫେସରଙ୍କୁ ଥାନାରେ ଦୁର୍ବ୍ୟବହାର । କଟକ ବିଡ଼ାନାସୀ ଥାନା ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଯୁବରାଜ ସ୍ବାଇଁଙ୍କୁ ତୁରନ୍ତ ବଦଳି ସହ ଆରମ୍ଭ ହୋଇଛି ତଦନ୍ତ । ମହିଳା ପ୍ରଫେସର ଜଣକ ଏକ ସମସ୍ୟାର ସମାଧାନ ନେଇ ବିଡାନାସି ଥାନା ଆଇଆଇସି ଯୁବରାଜ ସ୍ୱାଇଁ ଙ୍କୁ ଫୋନ୍ କରି ଜଣାଇଥିଲେ। ଫୋନ୍ ଉଠାଇବା ପରେ ଥାନା ବାବୁ ଜଣଙ୍କ ଅଭିଯୋଗ ଶୁଣିବା ବଦଳରେ ଅଶାଳୀନ ବ୍ୟବହାର ସହ ଗାଳିଗୁଲଜ କରିଥିଲେ। ଏହା ଶୁଣି ମହିଳା ପ୍ରଫେସର ଜଣଙ୍କ କିଛି ଉପାୟ ନପାଇ ଫୋନ୍ କାଟି ଦେଇଥିଲେ। ଏହାପରେ ନିଜର ଅଭିଯୋଗ ଲିଖିତ ଆକାରରେ ନେଇ ଥାନାକୁ ଯାଇଥିଲେ। ହେଲେ ଅଭିଯୋଗ ଶୁଣିବା ତ ଦୂରର କଥା ଥାନାକୁ ଯାଇଥିବା ବ୍ୟକ୍ତିଙ୍କୁ କେମିତି ବ୍ୟବହାର କରାଯାଏ ତାହା ଭୁଲି ଯାଇଥିଲେ ଥାନା ଅଧିକାରୀ । ପ୍ରଫେସରଙ୍କୁ ଅଶାଳୀନ ବ୍ୟବହାର କରିବା ସହ ଏତଲା ମଧ୍ୟ ରଖିନଥିଲେ । ଥାନା ଅଧିକାରୀଙ୍କ କଦର୍ଯ୍ୟ ବ୍ୟବହାର ଯୋଗୁ ଏତଲା ନଦେଇ ମହିଳା ଜଣଙ୍କ ଫେରି ଆସିଥିଲେ। ଥାନାରେ ତାଙ୍କ ସହ ଘଟିଥିବା ଘଟଣା ବିଷୟରେ ମହିଳା ଜଣଙ୍କ ପ୍ରଥମେ ପୋଲିସ ଡିଜିପିଙ୍କୁ ଜଣାଇଥିଲେ । ମହିଳା ଜଣଙ୍କ ନିଜ ଫୋନ୍ରେ ଥାନା ଅଧିକାରୀଙ୍କ ଅଡିଓ ରେକର୍ଡିଂ ମଧ୍ୟ କରିଛନ୍ତି । ତେବେ ପୋଲିସ ଅଫିସରଙ୍କ ଏପରି ବ୍ୟବହାରକୁ ନିନ୍ଦା କରିଛନ୍ତି ଅବସରପ୍ରାପ୍ତ ପୋଲିସ ଅଧିକାରୀ ଓ ବୁଦ୍ଧିଜୀବୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶର ବିପରୀତ କାମ କରୁଛି ପୋଲିସ ।ଏଭଳି ଅଫିସରଙ୍କୁ ବଦଳି ନୁହେଁ ସିଧା ନିଲମ୍ବନ କରିବା ପାଇଁ ଦାବି ହୋଇଛି ।
ମହିଳା ପ୍ରଫେସର ଠାରୁ ଡିଜିପି ଅଭିଯୋଗ ପାଇବା ପରେ ପୁଲିସ୍ କମିଶନର ଏସ୍ ଦେବଦତ୍ତ ସିଂହଙ୍କୁ ଜଣାଇଥିଲେ। ଏହା ଜାଣିବା ପରେ ତୁରନ୍ତ ବିଡ଼ାନାସୀ ଥାନାରୁ ଆଇଆଇସି ଯୁବରାଜଙ୍କୁ ବଦଳି କରାଯାଇଛି । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଅତିରିକ୍ତ ଡିସିପି କରୁଛନ୍ତି । ରିପୋର୍ଟ ଆଧାରରେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି। ଆଇଆଇସି ଯୁବରାଜଙ୍କର ଏଭଳି କାଣ୍ଡ ନୂଆ ନୁହେଁ…. ଭୁବନେଶ୍ୱରରେ ଥିବାବେଳେ ଜଣେ ଯୁବତୀଙ୍କୁ ମଧ୍ୟ ଥାନାରେ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହେବା ପରେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ନିର୍ଦ୍ଦେଶ, କଥା ନମାନିଲେ ଆନ୍ଦୋଳନର ଚେତାବନୀ ଦେଲେ ସେବାୟତ
ପୁରୀ : ଶ୍ରୀଜିଉଙ୍କ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ବୈଠକ । ଶୃଙ୍ଖଳିତ ଯାତ୍ରା ଶେଷ ପାଇଁ ବିଚାରବିମର୍ଷ । ରଥକାଠ ଯୋଗାଣ, ବାସୁଙ୍ଗା ପାଟ, ଚନ୍ଦନ,ରଥ ଦଉଡି ଆଦି ଯୋଗାଣ ନେଇ ହୋଇଛି ଆଲୋଚନା । ଜୁନ ୨୭ ତାରିଖରେ ଆଷାଢ ଶୁଳ୍କ ପକ୍ଷ ଦ୍ବିତୀୟା ତିଥିରେ ତିନି ଠାକୁରଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ଏହି ଦିବ୍ୟଯାତ୍ରାରେ ଦେଶ ବିଦେଶରୁ ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାବେଳେ ଶୃଙ୍ଖଳିତ ରଥଯାତ୍ରା ସମାପନ ନେଇ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ବ ଦେଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ରାଜ୍ୟ କତା ନିଗମ ଦ୍ୱାରା ରଥ ଦଉଡି ଯୋଗାଣ ସଂକ୍ରାନ୍ତରେ ସବିଶେଷ ଆଲୋଚନା ହୋଇଥିବା ବେଳେ ଆବଶ୍ୟକୀୟ ବାସୁଙ୍ଗା ପାଟ ଓ ଚନ୍ଦନ ମହଜୁଦ ରହିଥିବା ଜଣାପଡ଼ିଛି l ସେହିପରି ରଥ କାଠ ଯୋଗାଣ ନେଇ ବନ ବିଭାଗ ସହ ଆଲୋଚନା କରାଯାଇଛି । ଆବଶ୍ୟକୀୟ ରଥ କାଠ ସମୟ ମଧ୍ୟରେ ଶ୍ରୀକ୍ଷେତ୍ରରେ ପହଞ୍ଚିବା ନେଇ ବୈଠକରେ କୁହାଯାଇଛି ।
ସେପଟେ ଅଦିନିଆ ରଥ ଯାତ୍ରା ବନ୍ଦ ପାଇଁ ଇସ୍କନକୁ ସୂଚାଇ ଦିଆଯାଇଛି । ଇସ୍କନ ସଂସ୍ଥା ସହ ଗତ କାଲି ଭୁବନେଶ୍ୱର ଠାରେ ହୋଇଥିବା ବୈଠକକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମତ ରଖିଥିଲେ । ବିଦେଶରେ ଥିବା ଇସ୍କନର ପ୍ରତିନିଧି ଦଳ ସହ ଆଲୋଚନା ହୋଇଥିବାବେଳେ ଗୋଟିଏ ତିଥିରେ ରଥଯାତ୍ରା କରିବା ନେଇ ଶାସ୍ତ୍ରୀୟ ମତ ସମ୍ପର୍କରେ ଅବଗତ କରାଯାଇଛି । ବିଧି ପରମ୍ପରା ଅନୁଯାଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରେ ସମଗ୍ର ବିଶ୍ୱରେ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଇସ୍କନ ଏହାକୁ ମାନିବାକୁ ପ୍ରତିଶୃତି ଦେଇଥିବା ମୁଖ୍ୟ ପ୍ରଶାସକ ମତ ରଖିଛନ୍ତି । ତେବେ ଅଦିନିଆ ରଥଯାତ୍ରା ପ୍ରସଙ୍ଗକୁ ନେଇ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ରହିଛି । ଇସ୍କନ ଯଦି ତିଥି ଅନୁସାରେ ରଥଯାତ୍ରା ପାଳନ ନକରେ ତେବେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ସେବାୟତ ମାନେ ଚେତାବନୀ ଦେଇଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରା ପୂର୍ବରୁ କେନ୍ଦ୍ରାଞ୍ଚଳ ରାଜସ୍ବ ଆଯୁକ୍ତ, ଆଇନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚୁଡାନ୍ତ ରଥ ସମନ୍ୱୟ ବୈଠକ କରାଯିବାର ବିଧି ରହିଛି ।

